Site icon Odisha.com

ନାମରେ ରହିଛି ଅନେକ ମହତ୍ତ୍ୱ : ଯାହା ଡେଲାଙ୍ଗ ସୂଚାଏ

କଥାକଥିତ ବିକଶିତ ଏବଂ ଆଧୁନିକ ଦେଶମାନଙ୍କରେ ବହୁ ପୂରାତନ ଐତିହ୍ୟରାଜି କ୍ୱଚିତ୍ ଭାବରେ ଦୃଷ୍ଟିକୁ ଆସିଥାଏ । ତୁଳନାତ୍ମକ ଭାବରେ ଭାରତ ପରି ଦେଶରେ ମାନବ ସଭ୍ୟତାର ଏସବୁ ଚିହ୍ନଗୁଡ଼ିକ ସାଧାରଣ ଭାବରେ ପରିଲକ୍ଷିତ ହୁଏ ।

ଆମ ରାଜ୍ୟ ଓଡ଼ିଶାର ଗୋଟିଏ କୋଣରୁ ଅନ୍ୟ ଏକ କୋଣକୁ ଯାତ୍ରା କଲାବେଳେ ଅତି କମ୍‌ରେ ତିନି ହଜାର ବର୍ଷର ପ୍ରାଚୀନ ସଭ୍ୟତାର ଅନେକ ସ୍ମାରକୀ ପରିଦୃଷ୍ଟ ହୋଇଥାଏ ।

ମାନବ ସମାଜର ଇତିହାସରେ ସମୟକ୍ରମେ ଭୌଗଳିକ ସୀମାରେଖାର ଅନେକ ପରିବର୍ତ୍ତନ ଘଟିଛି ।

ଶକ୍ତିଶାଳୀ ଗୋଷ୍ଠୀମାନଙ୍କର ବିଜୟ କାରଣରୁ କେତେ କେତେ ସ୍ଥାନ ଓ ଅଞ୍ଚଳର ନାମକୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ କରିବାର ପ୍ରଥା ବହୁ କାଳରୁ ଅନୁସୃତ ହୋଇ ଆସୁଅଛି ।

ସେମାନଙ୍କର ଖ୍ୟାତି, କାର୍ଯ୍ୟକଳାପ ଓ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରି ବହୁ ସ୍ଥାନର ନାମ ବହୁ ଶତାବ୍ଦୀ ଧରି ଅପରିବର୍ତ୍ତିତ ମଧ୍ୟ ରହିଛି ।

ଅନେକ ସମୟରେ ସେଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ, ଯାହାଙ୍କ ନାମରେ କୌଣସି ସ୍ଥାନର ନାମକରଣ ହୋଇଥିବ, ଆମେ ପାସୋରିଯାଉ ।

ଏହା ସତ୍ୟ ଯେ ହଜାରରୁ ଅଧିକ ବର୍ଷ ଧରି ମହାନ୍ ବ୍ୟକ୍ତିମାନଙ୍କୁ ଅମର କରି ରଖିଛି, ତାଙ୍କ ନାମରେ ନାମିତ ଅନେକ ଇଲାକା । ସମୟର ସଂଯୋଗରୁ ସେଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।

ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଭୁବନେଶ୍ୱରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ ରହିଛି ଏକ ଐତିହାସିକ ସ୍ଥାନ ଯାହା ଡେଲାଙ୍ଗ ନାମରେ ସୁପରିଚିତ ।

ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମ ବେଳେ ଏହି ସ୍ଥାନକୁ ବୁଲି ଆସିଥିଲେ ।

ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ବେରବୋଇ ଗ୍ରାମରେ ଗାନ୍ଧୀ ସେବାସଂଘର ଚତୁର୍ଥ
ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଗାନ୍ଧିଜୀ ୧୯୩୮ ମସିହାରେ ସପରିବାରେ ଓ ଅଖଣ୍ଡ ଭାରତ ବର୍ଷର ଅନ୍ୟନେତାଙ୍କ ସହ ପ୍ରାୟ ସାତଦିନ କଟାଇଥିଲେ ।

ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଡେଲାଙ୍ଗ ସେହିଦିନଠାରୁ ସୁଖ୍ୟାତି ଅର୍ଜନ କରିବାରେ ସମର୍ଥ ହୋଇଛି । କିନ୍ତୁ ପୂର୍ବବର୍ତ୍ତୀ କାଳରେ ଏହି ସ୍ଥାନଟି ଖ୍ୟାତି ଅର୍ଜନ କରିଥିଲା ଜଣେ ବିଶ୍ୱବିଖ୍ୟାତ ବୌଦ୍ଧ ପଣ୍ଡିତଙ୍କ ପାଇଁ ଯେ କି ଖ୍ରୀ ୪୮୦ରୁ ଖ୍ରୀ ୫୪୦ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିଥିଲେ ।ଯାହାଙ୍କର ନାମ ଥିଲା ଦିଗ୍‌ନାଙ୍ଗ ଏବଂ ସେ ମଧ୍ୟ ସ୍ଥାନୀୟ ଜନମାନସରେ ଦିନ୍ନାଗ ନାମରେ ପରିଚିତ ଥିଲେ । ଏଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଯେ, ତାଙ୍କ ନାମରେ ନାମିତ ଏହି ସ୍ଥାନର ନାମ ଯାହା ଆଜି ଯାଏ ଅପରିବର୍ତ୍ତିତ ରହିଆସିଛି ।

ମାତ୍ର ଭାଷା ଓ ଉଚ୍ଚାରଣର କ୍ରମ ବିକାଶ ଫଳରେ ସ୍ଥାନର ନାମରେ ସାମାନ୍ୟ ପରିବର୍ତ୍ତିତ ହୋଇ ଡେଲାଙ୍ଗ ନାମରେ ଏବେ ଜଣାଯାଏ । ସମୟର ପରିବର୍ତ୍ତନରେ ଲୋକମାନେ ଭୁଲିଗଲେଣି ଯେ, ଏଠାକୁ ଗାନ୍ଧିଜୀ ଦିନେ ଆଗମନ କରିଥିଲେ ।

ଆଧୁନିକ ପିଢ଼ି ଏ ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଉପଲବ୍ଧି କରିବାର ଆବଶ୍ୟକତା ରହିଛି । ପୁରୀ ଜିଲ୍ଲାର ଢେଲାଙ୍ଗରେ ଥିବା ଏକ ବୌଦ୍ଧ ବିହାରରେ ଆଚାର୍ଯ୍ୟ ଦିଗ୍‌ନାଙ୍ଗ ଥିଲେ ଜଣେ ଆଦର୍ଶ ଗୁରୁ । ପରବର୍ତ୍ତୀ କାଳରେ ସେ ଜଣେ ବିଶ୍ୱବିଖ୍ୟାତ ତର୍କବିଶାରଦ ହେଲେ ‘ପ୍ରମାଣ ସମୁଚୟ’ ଗ୍ରନ୍ଥ ପାଇଁ । ଭଦ୍ରପାଳିତ ଯେ ଥିଲେ କଳିଙ୍ଗ ରାଜ୍ୟର ଜଣେ ପ୍ରମୁଖ ଅଧିକାରୀ, ସେ ଆଚାର୍ଯ୍ୟ ଦିଗ୍‌ନାଙ୍ଗଙ୍କ ପରମ ଅନୁଗାମୀ ହୋଇଥିଲେ ।

ସେ ଆଧ୍ୟାତ୍ମିକ ଭାବଧାରାରେ ଗୁରୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ କଳିଙ୍ଗ ରାଜ୍ୟରେ ଅନେକ ‘ବୌଦ୍ଧ ବିହାର’ ନିର୍ମାଣ କରାଇଥିଲେ । ପ୍ରଖ୍ୟାତ ଚୀନ୍ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜାଣିବାକୁ ପାଉ ଯେ ପ୍ରାଚୀନ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭୁତ୍ୱ ବହୁ ମାତ୍ରାରେ ଥିଲା । ପ୍ରାୟ ଏକ ହଜାର
ବୌଦ୍ଧ ମଠ ଓ ଦଶ ହଜାର ମହାଯାନ ସନ୍ନ୍ୟାସୀ ଏ ରାଜ୍ୟରେ ଅବସ୍ଥାନ କରୁଥିଲେ । ଦିଗ୍‌ନାଙ୍ଗ ଥିଲେ ବାସୁବନ୍ଧୁଙ୍କର ପ୍ରଧାନ ଶିଷ୍ୟ । ନିଜର ଚର୍ଚ୍ଚିତ ତଥା ଅନ୍ତଃର୍ନିହିତ ଜ୍ଞାନ ପାଇଁ ସେ ତତ୍କାଳୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ କାର୍ଯ୍ୟ କରିଥିଲେ ।

ଯେତେବେଳେ ସେ ଅଳ୍ପ ସମୟ ପାଇଁ ଉକ୍ତ ପଦବୀରେ ଥିଲେ, ସେ ଅନେକ ସୂତ୍ର ପ୍ରତିପାଦନ କରିବା ସହ ଶାସ୍ତ୍ର ଓ ତର୍କଶାସ୍ତ୍ରରେ ଆଧ୍ୟାତ୍ମିକ ମତବାଦ ରଚନା କରିଥିଲେ । ପରେ ପରେ ସେ ଡେଲାଙ୍ଗ ଚାଲିଆସିଥିଲେ ଏବଂ ସେ ବୌଦ୍ଧ ଧର୍ମର ଜ୍ଞାନ ସମ୍ବନ୍ଧୀୟ ବିଚାରଧାରାର ସିଦ୍ଧାନ୍ତ ପ୍ରଦାନ କରିଥିଲେ ।

ଏଠାରେ ସେ ବୌଦ୍ଧ ଧର୍ମର ମୂଳତତ୍ତ୍ୱ ରୂପେ ପରିଚିତ ‘ପ୍ରମାଣ ସମୁଚୟ’ର ରଚନା କରିଥିଲେ ଏବଂ ତତ୍କାଳୀନ ସମୟରେ ସମକାଳୀନ ବିଦ୍ୱାନମଣ୍ଡଳୀଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଥିଲା । ଡେଲାଙ୍ଗ ବୌଦ୍ଧ ବିହାରରେ ଅନ୍ୟ ଏକ ବିରୋଧୀ ପଣ୍ଡିତ ଯାହାଙ୍କର ନାମ ହେଉଛି ଈଶ୍ୱରକ୍ରିଷ୍ଣା ସେ ଦିଗ୍‌ନାଗଙ୍କ ଦ୍ୱାରା ପରାଜିତ ହୋଇଥିଲେ । ତର୍କ ପ୍ରତିଯୋଗିତାରେ ଦିଗ୍‌ନାଗ
ବିଜୟୀ ହୋଇଥିବାର ଜଣାଯାଏ ।

ଏହା କୁହାଯାଏ ଯେ, ଆଧୁନିକ ଐତିହାସିକ ଓ ଗବେଷକମାନେ ଦିଗ୍‌ନାଗଙ୍କ ବହୁ ଉଚ୍ଚାଙ୍ଗ ଗବେଷଣାତ୍ମକ ତଥ୍ୟକୁ ପାଇପାରିଛନ୍ତି । ତାଙ୍କ କୌଣସି ଗବେଷଣାତ୍ମକ ତଥ୍ୟ ମୂଳ ସଂସ୍କୃତ ବା ଦିବତାନ୍ ଧର୍ମଶାସ୍ତ୍ରରେ ମିଳୁନାହିଁ ।

କିନ୍ତୁ କିଛି ଚୀନ୍‌ର ଅନୁବାଦରେ ତାଙ୍କ ମୂଳ ରଚନାରୁ ବହୁ ପାର୍ଥକ୍ୟ ଥିବା ଜଣାଯାଏ । ପରବର୍ତ୍ତୀ ସମାଲୋଚକ ଯଥା ଧର୍ମକୀର୍ତ୍ତି ଓ ଭାରତୀୟ, ତିବତାନ୍ ଅନୁବାଦକମାନେ ତାଙ୍କ ସୃଷ୍ଟିର ସମ୍ୟକ୍
ଜ୍ଞାନକୁ ଅନୁଭବ କରିପାରିଛନ୍ତି ।

ତିବତାନ୍ ବୌଦ୍ଧ ସଂସ୍କୃତି ଓ ପରମ୍ପରାରେ ଓ ଚୀନ୍‌ର ଧାର୍ମିକ ପରମ୍ପରାରେ ଦିଗ୍‌ନାଙ୍ଗ ସର୍ବଦା ମନେରହିବେ । ଦିଗ୍‌ନାଙ୍ଗଙ୍କ ପ୍ରଭାବରେ ଡେଲାଙ୍ଗ ଅଞ୍ଚଳରେ ଅନେକ ଗ୍ରନ୍ଥ ପ୍ରକାଶିତ ହୋଇ ତାର ସୂକ୍ଷ୍ମ ଆଲୋଚନା ହେଉଥିଲା ।

ପ୍ରାୟ ସାତଗୋଟି କ୍ଷୂଦ୍ର ପାହାଡ଼ ଯଥା: ପାନରା, ସାନ୍‌ଲା, ଯମୁନା ଝାରପଡ଼ା, ବଣୀ ବକ୍ରେଶ୍ୱର, ଅରାଗଡ଼, ବିନ୍ଧେଶ୍ୱରୀ ଏବଂ ଧଉଳିରେ ବହୁ ସଂଖ୍ୟାର ବୌଦ୍ଧ ସନ୍ନ୍ୟାସୀ ଅବସ୍ଥାନ କରୁଥିଲେ ।

ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଉକ୍ତ ପାହାଡ଼ରୁ କଛି ଭଗ୍ନ କୀର୍ତ୍ତିରାଜି ଯଥା: କ୍ଷେତ୍ରପାଳ, ଅସ୍ତିକା, ଜଗତ୍‌କାରୁ, ହରପାର୍ବତୀ ପ୍ରଭୃତି ଉଦ୍ଧାର ହୋଇଛନ୍ତି ।

ବିଶ୍ୱନାଥ ପାହାଡ଼ର ଶୀର୍ଷରେ ଥିବା ବିଶ୍ୱବାଥ ମନ୍ଦିର ପାଖ ଛୋଟ
ପଥର ଗୁମ୍ଫା ଯାହା ମୁଖ୍ୟ ଗୁମ୍ଫାର ବର୍ହିଃଗମନ ଅଟେ, ତାହା ପରବର୍ତ୍ତୀ କାଳରେ ଧ୍ୱଂସ ପାଇଯାଇଛି ।

ଏହା ବିଶ୍ୱାସ କରାଯାଏ ଯେ, ଏହା ଦିଗ୍‌ନାଙ୍ଗଙ୍କ ବାସସ୍ଥାନ ଥିଲା ।
‘ସ୍କୁଲ ଅଫ୍ ଦିଗ୍‌ନାଙ୍ଗ’ ଭାବରେ ଏକ ବୌଦ୍ଧଧର୍ମ ତତ୍ତ୍ୱ ସମ୍ବନ୍ଧୀୟ ବିଦ୍ୟାଳୟ ଯାହାର ପ୍ରତିଷ୍ଠାତା ଥିଲେ ଦିଗ୍‌ନାଙ୍ଗ, ସେ ଏଠାରେ ବୌଦ୍ଧ ଧର୍ମର ବାଖ୍ୟା କରିଥିଲେ । ଦୁଇଟି ସାଧନ, ଯଥା: ‘ଉପଲବ୍ଧ’ ସୂକ୍ଷ୍ମାନୁଭୂତି, ସିଦ୍ଧାନ୍ତ-ବିଚାରଯୁକ୍ତ, ଜ୍ଞାନ ଆହରଣ ପାଇଁ ଆବଶ୍ୟକ । ତାଙ୍କର ମହାନ୍ କୃତି ମଧ୍ୟରେ ହେତୁଚକ୍ର, ଅଲାମବାନ-ପରୀକ୍ଷା, ଅଭିଧର୍ମ କୋଷ-ମର୍ମ-ପ୍ରଦୀପ, ତ୍ରିକାଳ-ପରୀକ୍ଷା, ନ୍ୟାୟ-ମୁଖର ପ୍ରଭାବ ପକାଇଥିଲା ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ । ଯାହାର ଫଳ ସ୍ୱରୂପ ଷଷ୍ଠ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା ।

ଦିଗ୍‌ନାଙ୍ଗ ଓ ଧର୍ମକୀର୍ତ୍ତିଙ୍କ ସୂକ୍ଷ୍ମାନୁଭୂତି ଓ ସିଦ୍ଧାନ୍ତ ବିଚାରକୁ ଅବଲମ୍ବନ କରି ଅନେକ ତିବତାନ୍ ବିଦ୍ୱାନମାନେ ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ ବହୁବର୍ଷ ଧରି ଉକ୍ତ ତାତ୍ତ୍ୱିକ ଶିକ୍ଷାକୁ ପ୍ରଚଳନ କରିଆସିଥିଲେ । ଦିଗ୍‌ନାଙ୍ଗ ମଧ୍ୟ ସଂସ୍କୃତ ପଣ୍ଡିତମାନଙ୍କୁ ଅନୁପ୍ରାଣିତ ଓ ପ୍ରଭାବିତ କରିପାରିଥିଲେ ।

ସେ ଭାରତୀୟ ଦର୍ଶନରେ ଏକ ଜ୍ଞାନର ଭିତ୍ତିଭୂମି ପ୍ରତିଷ୍ଠା କରିପାରିଥିଲେ । ବିଦ୍ୱାନମାନଙ୍କ ଅନୁସାରେ ଭାରତୀୟ ଦାର୍ଶନିକମାନେ ଦିଗ୍‌ନାଙ୍ଗଙ୍କ ବହୁ ଜ୍ଞାନ ତତ୍ତ୍ୱକୁ ଅକ୍ଷୁର୍ଣ୍ଣ ରଖିପାରିଥିଲେ ।ବିଶ୍ୱ ବୌଦ୍ଧ ଧର୍ମ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଯଦିଓ ଭଗବାନ ବୁଦ୍ଧ ତାଙ୍କ ଜୀବଦ୍ଦଶାରେ କେବେ ଓଡ଼ିଶା ଆସିନଥିଲେ, ତଥାପି ଡେଲାଙ୍ଗ ବୌଦ୍ଧ ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା କହିଲେ ଭୁଲ ହେବନାହିଁ । ଓଡ଼ିଶାରେ ଦୁଇଶହରୁ ଊର୍ଦ୍ଧ୍ୱ ବୌଦ୍ଧ ବିହାର ନିର୍ମିତ ହୋଇଥିବାର ଜଣାଯାଏ ।

ଷଷ୍ଠ ଶତାବ୍ଦୀରୁ ଶୋଡ଼ଷ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା । ପରେ ଗୌତମ ବୁଦ୍ଧଙ୍କ ଅନୁଗାମୀ ଦୁଇ ଭାଗରେ ବିଭକ୍ତ ହେଲେ । ଯଥା: ‘ହୀନଯାନ’ ଓ ‘ମହାଯାନ’ । ‘ବଜ୍ରଯାନ’ଟି ଓଡ଼ିଶା
ମାଟିରୁ ବିକଶିତ ହୋଇଥିବା ଜଣାଯାଏ ଏବଂ ଆଧୁନିକ ଯାଜପୁର ହେଉଛି, ‘ମହାଯାନ’ର ଉତ୍ପତ୍ତିସ୍ଥଳୀ । ବିଭିନ୍ନ ଐତିହାସିକ ଗବେଷଣାମାନଙ୍କରୁ ଜଣାଯାଇଛି ମହାଯାନ ତନ୍ତ୍ର ହିଁ ଭୌମକରଙ୍କ ଅମଳରେ ଓଡ଼ିଶାରୁ
ଉତ୍ପତ୍ତି ଓ ବିକଶିତ ହୋଇଥିଲା ।ଓଡ଼ିଶା ଇତିହାସରୁ ଜଣାଯାଏ ଯେ, ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ବର୍ଷ ଧରି ବୌଦ୍ଧ ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାର, ସୁଖ୍ୟାତି ଓ ବିବର୍ତ୍ତନ ହୋଇଆସିଛି । ଏହାର ଆଧ୍ୟାତ୍ମିକ, ଦାର୍ଶନିକ ଦିଗ ବିଶ୍ୱମୁଖୀ ହୋଇପାରିଛି ।

ଅଧିକ ଗବେଷଣା, ପ୍ରତ୍ନତାତ୍ତ୍ୱିକ ଖନନ ଓ ପ୍ରକାଶନ, ଶିକ୍ଷା ପ୍ରଦାନ ଓ ସଂରକ୍ଷଣ ମାଧ୍ୟମରେ ଅତୀତର ଗୌରବକୁ ବର୍ତ୍ତମାନର ପିଢ଼ି ନିକଟରେ ପହଞ୍ଚାଇବା, ଜନସାଧାରଣଙ୍କୁ ଆମର ବଳିଷ୍ଠ ପରମ୍ପରା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରାଇବାର ଆବଶ୍ୟକତା ରହିଛି ।

ଯେତେବେଳେ ବିଶ୍ୱର ଅଧିକାଂଶ ଭାଗ ଅନ୍ଧକାରରେ ଆଚ୍ଛନ୍ନ ହୋଇ ରହିଥିଲା, ସେତେବେଳେ ଆମ ଡେଲାଙ୍ଗରେ ବିକଶିତ ଜ୍ଞାନ ବିଶ୍ୱକୁ ନୂତନ ଆଲୋକବର୍ତ୍ତିକା ପ୍ରଦାନ କରୁଥିଲା । ଏହାଠୁ ବଳି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୌରବମଣ୍ଡିତ କଥା ଆଉ କିଛି ହୋଇ ନପାରେ ।

Exit mobile version