• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

News Bureau

କୃଷି ସମସ୍ୟା ର ସମାଧାନ କରିପାରିବ ଓଡ଼ିଶାର ବିକାଶ

February 13, 2005 by News Bureau Leave a Comment

ନୂଆଦିଲ୍ଲୀ,୧୩ ଫେବୁଆରୀ (ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ଠାରେ ସମ୍ମାନଜନକ ରାଷ୍ଟ୍ରୀୟ ଇଂରାଜୀ କୃଷି ପତ୍ରିକା ଏଗ୍ରିୱାଚ ର ସହକାରୀ ସଂପାଦକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରକାଶ ଚନ୍ଦ୍ର ବେହେରା

କୃଷିକୁ ସାମ୍ବାଦିକତାର ଏକ ବିଷୟ ବସ୍ତୁ ଭାବେ ଗ୍ରହଣ କରି ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ର ଅଧିକାରୀ ହେଉଛନ୍ତି ପ୍ରକାଶ ଚନ୍ଦ୍ର ବେହେରା ।

ଗ୍ରାମ ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ ଚମ୍ପାଦେଇପୁର । ସ୍କୁଲ ଶିକ୍ଷା ବ୍ରହ୍ମପୁରରେ । ଉତ୍ତରପ୍ରଦେଶର ଆହ୍ଲାବାଦ ଏଗ୍ରିକଲଚରାଲ ଇନଷ୍ଟିଚ୍ୟୁଟରୁ ଇଣ୍ଟରମିଡ଼ିଏଟ ଓ ତାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ କୃଷିରେ ସ୍ନାତକ ।

ହାଇଦ୍ରାବାଦର ନେସନାଲ ଇନଷ୍ଟିଚ୍ୟୁଟ ଫର ଏଗ୍ରିକଲଚରାଲ ଏକ୍ସଟେନସନ ମ୍ୟାନେଜମେଣ୍ଟ(ମେନେଜ) ରୁ କୃଷି ସାମ୍ବାଦିକତା ଓ ମାସ କମ୍ୟୁନିକେଶନ ରେ ଉଚ୍ଚତର ଶିକ୍ଷା ।

ଦେଶର ବିଶ୍ୱବିଦ୍ୟାଳୟ ର ଛାତ୍ର ଥିବା ବେଳେ ତାଙ୍କର କେତେକ ଲେଖା ଜାତୀୟ ଓ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଗ୍ରହଣ ହୋଇଥିବା ବେହେରା କହନ୍ତି “କୃଷି ସମସ୍ୟା ର ସମାଧାନ ହିଁ କରିପାରିବ ଓଡ଼ିଶାର ବିକାଶ ’’ ।

“ଗଣ ମାଧ୍ୟମରେ ସବୁବେଳେ ଖଣି ହେଉ ବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ହେଉ ସେ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ଯେତେବେଳେ ମୁ ଦେଖେ ବହୁତ ଦୁଃଖ ଅନୁଭବ କରେ । କଣ ଓଡ଼ିଶାର ବିକାଶ କେବଳ ଏହା ଦ୍ୱାରା ହୋଇପାରିବ’’ ?

ଯଦି ରାଜ୍ୟର ବିକାଶ ଆବଶ୍ୟକ ସବୁ କ୍ଷେତ୍ରକୁ ଦେଖିବାକୁ ହେବ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ତାହା କାହିଁକି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉନାହିଁ ? ସେ ପଚାରନ୍ତି ।

ଛାତ୍ର ଥିବାବେଳେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ନିଜର ମତ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ବେହେରା ବାରଟି କୃଷି ସଂକ୍ରାନ୍ତିୟ ଡ଼କୁମେଣ୍ଟାରୀ ଫିଲ୍ମ ଏବଂ ବିଭିନ୍ନ ଭାଷାରେ ପ୍ରାୟ ପଚାଶ ଟି ରେଡ଼ିଓ କାର୍ଯ୍ୟକ୍ରମ କରିଛନ୍ତି ।

ଦେଶର ପ୍ରତିଷ୍ଠିତ ଜି-ନ୍ୟୁଜ ଚ୍ୟାନେଲ ତଥା ବିଜିନେସ ଷ୍ଟାର ରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲେ ସୁଦ୍ଧା ତାହା ବେଶି ସମୟ ଆକୃଷ୍ଟ କରି ରଖି ପାରିନାହିଁ ।

“ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି’’ ବେହେରା ଓଡ଼ିଶା ଡ଼ଟ୍ କମ୍ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

ଜଣେ ଛାତ୍ର ଓଡ଼ିଶାରେ କିମ୍ବା ଓଡ଼ିଶା ବାହାରେ ସେ ଯେଉଁଠି ଶିକ୍ଷାଲାଭ କରୁ ବା ରହୁ ତାହା ବହୁତ ବଡ଼ ମହତ୍ୱ ରଖେନାହିଁ ।

ଯାହାର ଆବଶ୍ୟକ ହେଉଛି ତାହା ହେଲା ରାଜ୍ୟର ବିକାଶ ପାଇଁ କିଛି କରିବାର ମନୋବୃତ୍ତି ।

ଏହା ବ୍ୟତୀତ ଦରକାର ରାଜ୍ୟରେ ଅଥବା ରାଜ୍ୟ ବାହାରେ ରହୁଥିବା ସବୁ ଓଡ଼ିଆ ଲୋକଙ୍କର ରାଜ୍ୟର ବିକାଶରେ ଭାଗିଦାରୀ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ବିକାଶରେ ମୁଖ୍ୟ ପ୍ରତିବନ୍ଧକ ତାହା ହେଲା ରାଜ୍ୟର ଛବିକୁ ବାହାରେ ନାସ୍ତି ସୂଚକ ଭାବେ ଉପସ୍ଥାପନ କରିବା ।

ଆମେ ସବୁବେଳେ ରାଜ୍ୟ ବାହାରେ ଓଡ଼ିଶାର ପରିଚୟ କହିଲେ କଳାହାଣ୍ଡିର ଦାରିଦ୍ର୍ୟତା କୁ ନେଇ ଆଲୋଚନା ହେବା ଦେଖିଥାଉ ।

ସୂଚନା ହେଉଛି ଏକମାତ୍ର ଅସ୍ତ୍ର ଯାହା ଏକ ରାଜ୍ୟର ବିକାଶ କରିଥାଏ ଅଥବା ଧ୍ୱଂସ କରିଥାଏ । ସମ୍ବାଦପତ୍ର ମାନଙ୍କର ଭୂମିକା ଏ ଦିଗରେ ମହତ୍ୱପୂର୍ଣ୍ଣ, ସେ କହିଛନ୍ତି ।

ଆମ ଗଣ ମାଧ୍ୟମ ଆହୁରି ଅଧିକ ସକାରାତ୍ମକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ଅଛି । ଓଡ଼ିଶାର ସମସ୍ତ କ୍ଷେତ୍ରର ନିରପେକ୍ଷ ସୂଚନା ଲୋକଲୋଚନକୁ ଆସିବା ଦରକାର ।

କୃଷି ସୂଚନା ଉପରେ କାର୍ଯ୍ୟ କରୁଥିବା ହେତୁ ମୁ ଯାହା ଅନୁଭବ କରିଛି ମୁ ଦେଖିଛି ଯେ ରାଜ୍ୟର କୃଷି ସୂଚନା କ୍ଷେତ୍ର ଖୁବ୍ ଦୁର୍ବଳ । କୃଷକ ମାନେ ଯେଉଁ ସବୁ ସୂଚନା ପାଇବା ଦରକାର ତାହା ପାଉ ନାହାନ୍ତି , ସେ କହିଛନ୍ତି ।

ଆପଣ ଭାରତର ଅଳ୍ପ କେତେଜଣ କୃଷି ସାମ୍ବାଦିକ ମାନଙ୍କ ମଧ୍ୟରୁ ଜଣେ । ଆପଣ ନିଜ ତରଫରୁ ଆପଣଙ୍କର ଅଭିଜ୍ଞତାର ଉପଯୋଗ କରି ରାଜ୍ୟର ବିକାଶ ପାଇଁ କଣ ଯୋଗଦାନ ଦେଇଛନ୍ତି ?

“ଆଗାମୀ ତିନି ଚାରି ମାସ ମଧ୍ୟରେ ରାଜ୍ୟରେ ସରକାର ଓ ବେସରକାରୀ କ୍ଷେତ୍ର ସହଯୋଗରେ ହେବାକୁଥିବା ଏକ ପ୍ରକଳ୍ପ ପାଇଁ ମୁ କାମ କରୁଛି ।

ଏହା ହେଲେ କୃଷିଜୀବୀ, ଏହି କ୍ଷେତ୍ରରେ କାମ କରୁଥିବା ବ୍ୟବସାୟୀ ତଥା ସରକାରୀ ଅଧିକାରୀ ମାନେ ଅନେକ ଗୁଡ଼ିଏ କୃଷି ସମ୍ବନ୍ଧିୟ ସୂଚନା ପାଇବାରେ ସକ୍ଷମ ହେବେ ’’ ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ସାକ୍ଷାତକାର Tagged With: ଓଡ଼ିଶାର ବିକାଶ, କୃଷକ, ଖୋର୍ଦ୍ଧା ଜିଲ୍ଲା, ବିଶ୍ୱବିଦ୍ୟାଳୟ

ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ

February 5, 2005 by News Bureau Leave a Comment

ଓଡ଼ିଶା ଡଟ୍ କମ:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଫେବୃୟାରୀ ୫ (ଓଡ଼ିଶା ଡ଼ଟ କମ)””ମାଓବାଦୀଙ୍କ ପାଇଁ ନୁହେଁ ଏବେ ମୋର ଚିନ୍ତା ଡ଼େରାପଥର ଗ୍ରାମବାସୀଙ୍କ ପାଇଁ ” କୁହନ୍ତି ବୁଧବାର ଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇ ଆଠ ଘଣ୍ଟା ପରେ ଫେରି ଆସିଥିବା ଓଡ଼ିଶାର ଏକ ଶିକ୍ଷକ ଜୟ ଚନ୍ଦ୍ର ଧଳ ।

ଅପହରଣ ପରେ ମୋର ପରିବାରର ଲୋକମାନେ ମାଓବାଦୀଙ୍କ ଭୟରେ ମୁଁ ଶିକ୍ଷକତା କରୁଥିବା ସମ୍ବଲପୁର ଜିଲ୍ଲାର ଡ଼େରାପଥର ଇଜିଏସ ସ୍କୁଲକୁ ଆଉ ନଯାଇ ଚାକିରି ଛାଡ଼ି ଦେବାକୁ କହୁଛନ୍ତି । ମାତ୍ର ଉକ୍ତ ସ୍କୁଲ ଓ ଗ୍ରାମ ପାଇଁ ମୋର ପ୍ରଚେଷ୍ଟା ଅଧାପନ୍ତରିଆ ଥିବାରୁ ମୁଁ ଚିନ୍ତିତ ବୋଲି ଧଳ ଓଡ଼ିଶା ଡ଼ଟ କମକୁ ଶୁକ୍ରବାର ଦିନ କହିଛନ୍ତି ।

ବାପ,ମା,ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ଧଳଙ୍କ ପରିବାର ।

ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର, ଧଳ କହନ୍ତି । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ । ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ।

“”ଏହି ସ୍କୁଲ ଖୋଲିବା ଠାରୁ ଆରମ୍ଭ କରି ତାହାର ଉନ୍ନତି ଦିଗରେ ମୋର ଉଦ୍ୟମ ରହି ଆସିଛି । ତାହାକୁ ଏକ ଆଦର୍ଶ ସ୍କୁଲରେ ପରିଣତ କରିବା ମୋର ଲକ୍ଷ୍ୟ ରହିଛି”  ବୋଲି ଧଳ କହନ୍ତି ।

“”ଡ଼େରାପଥର ଗ୍ରାମରେ ମୁଁ କେବଳ ଶିକ୍ଷକତା କରେ ନାହିଁ ୧୬ଟି ପରିବାର ବିଶିଷ୍ଟ ଉକ୍ତ ଗ୍ରାମର ଲୋକଙ୍କ ଅଭାବ,ଅସୁବିଧା ସହ ସରକାରୀ ସ୍ତରରେ ମିଳୁଥିବା ସୁବିଧା ସୁଯୋଗ କରାଇ ଦେଇଥାଏ । ଯାହା ଫଳରେ କି ମୋତେ ଅନେକ ସମୟରେ ଜିଲ୍ଲା ପ୍ରଶାସନର ବିରୋଧି ହେବାକୁ ପଡ଼ିଥାଏ ।”ଧଳ କହିଛନ୍ତି ।

ଯାହାକି ମୋତେ ମାଓବାଦୀଙ୍କ କବଳରୁ ମୁକ୍ତ କରାଇବାରେ କିଛିଟା ସହାୟତା କରିଛି ।

“”ମାଓବାଦୀମାନେ ମୋତେ ଛାଡ଼ିବା ପୂର୍ବରୁ ମୋ ସଂପର୍କରେ ଖୋଳତାଡ଼ କରି କହୁଥିଲେ ଯେ,ବନ୍ଧୁକରେ ଆମେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏହି ଶିକ୍ଷକ କାଗଜ କଲମରେ ଓ ଲୋକମାନଙ୍କୁ ନେଇ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ଏ ପୋଲିସର ସୂଚନା ଦାତା ନୁହେଁ ” ।

ମାଓବାଦୀମାନେ ମୋ ଆଖିରେ ପଟି ବାନ୍ଧି ଡ଼େରାପଥର ସ୍କୁଲ ନିକଟରୁ ପ୍ରାୟ ୨୨କିଲୋମିଟର ବାଟ ଚଲାଇ ଚଲାଇ ନେଇ ତାର ଆଠ ଘଣ୍ଟା ପରେ ପୁଣି ସେହି ଠାରେ ଆଣି ଛାଡ଼ି ଦେଇଥିଲେ ।

“”ଅପହରଣ କରି ନେବା ବାଟରେ ମୋ ସହିତ ସେମାନେ ସାଙ୍ଗ ଭଳି ବ୍ୟବହାର କରିଥିଲେ । ମୋ ଗୋଡ଼ରୁ ଜୋତା ବାହାରି ଯାଉଥିଲେ ମଧ୍ୟ ପିନ୍ଧାଇ ଦେଉଥିଲେ ଏବଂ ଫେରିବା ବାଟରେ ଶୀତ ପଡ଼ିଥିବାରୁ ମୋ ଦେହରେ ଶାଲ ଘୋଡ଼ାଇ ଦେଇଥିଲେ,”” ଧଳ କହନ୍ତି ।

ତାଙ୍କ ଆଡ୍ଡାରେ ସେମାନେ ମୋତେ ଜେରା ବେଳେ ମୋର ଆଖି ପତା ଓ ଛାତିରେ ବନ୍ଧୁକ ବଟରେ ସାମାନ୍ୟ ଆଘାତ କରିଥିଲେ ।”ବୋଲି ଧଳ କହନ୍ତି ।

“”ଅପହରଣ କରି ନେଇଥିବା ପ୍ରାୟ ୧୨ ରୁ ୧୫ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ବସ୍ ଥିଲା । ସେ ହିନ୍ଦି ଭାଷା ବ୍ୟବହାର କରୁଥିବାବେଳେ ଅନ୍ୟମାନେ ସ୍ଥାନୀୟ କନ୍ଧ ଭାଷା ବ୍ୟବହାର କରୁଥିଲେ ।”” ଧଳ କହିଛନ୍ତି ।

ଦିନ ପ୍ରାୟ ୧୧ଟା ସମୟରେ ମୋତେ ସେମାନେ ନେବା ବାଟରେ ସମ୍ନାସାମ୍ନୀ ହୋଇଥିବା କେତେକ ମହିଳାଙ୍କୁ କିଛି କାହାକୁ ନକହିବା ଓ ତାଙ୍କୁ ଆମେ ଭଲରେ ଛାଡ଼ି ଦେବୁ ମାଓବାଦୀମାନେ କହିଥିବାର ଶୁଣିବାକୁ ପାଇଥିଲି , ବୋଲି ଧଳ କହନ୍ତି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ଶାନ୍ତନୁ ବିଶ୍ୱାଳ, ଶିକ୍ଷକ ଜୟ ଚନ୍ଦ୍ର ଧଳ

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ

February 4, 2005 by News Bureau Leave a Comment

 

ନୂଆଦିଲ୍ଲୀ ଫ୍ରେବୁଆରୀ ୪ (ଓଡ଼ିଶା ଡ଼ଟ୍ କମ୍), ଓଡ଼ିଶାର ବିକ୍ରମ କେଶରୀ ମିଶ୍ର, ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସୋସିଆଲ ସାଇନସେସ(ସମାଜ ବିଜ୍ଞାନ ବିଦ୍ୟାଳୟ)ଅନ୍ତର୍ଗତ ସେଣ୍ଟର ଫର ଦ ଷ୍ଟଡ଼ି ଅଫ୍ ସୋସିଆଲ ସିଷ୍ଟମ୍ସ (ସମାଜ ବ୍ୟବସ୍ଥା ସଂପର୍କିତ ଅଧ୍ୟୟନ କେନ୍ଦ୍ର) ରେ “ଲିଙ୍ଗ ଏବଂ କାର୍ଯ୍ୟ” ଉପରେ ପି.ଏଚ.ଡ଼ି ନିବନ୍ଧ ଲେଖୁଛନ୍ତି ।

ତାଙ୍କର ଏମ.ଫିଲ୍ ସ୍ପେଶିଆଲାଇଜେସନ ମଧ୍ୟ ଥିଲା ଲିଙ୍ଗ ସଂପର୍କିତ ବିଷୟବସ୍ତୁ । ଜବାହାରଲାଲ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକତୋର (ପି.ଜି)କରି ଏହି ପରୀକ୍ଷାରେ ଦ୍ୱିତୀୟ ସ୍ଥାନର ଅଧିକାରୀ ହୋଇଥିବା ମିଶ୍ର ଏମ.ଏ ପରୀକ୍ଷାରେ ତାଙ୍କର ଫଳାଫଳ ପାଇଁ ଭାରତର ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି ।

୨୪ଟି ପ୍ରକାଶନ (୧୭ଟି ପୁସ୍ତକ ସମୀକ୍ଷା ଓ ୭ଟି ଲେଖା)ର ଅଧିକାରୀ ହୋଇପାରିଥିବା ତାଙ୍କର ଲେଖାମାନ ବିଭିନ୍ନ ପତ୍ର ପତ୍ରୀକାରେ ପ୍ରକାଶ ପାଇଛି । ସ୍କୁଲ ଓ କଲେଜ ଜୀବନରେ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇଥିବା ମିଶ୍ର ଓଡ଼ିଆ କବିତା ରଚନା ଲାଗି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ଆପଣ କେତେ ବର୍ଷ ହେଲା ଓଡ଼ିଶା ଛାଡ଼ିଲେଣି ?

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏମ.ଏ ପଢିିବା ପାଇଁ ମୁଁ ୧୯୯୬ ମସିହାରେ ନୂଆଦିଲ୍ଲୀ ଆସିଛି ।

ବର୍ଷରେ ଆପଣ କେତେ ଥର ଓଡ଼ିଶା ଆସନ୍ତି ?

ଏହି ବିଶ୍ୱବିଦ୍ୟାଳୟରେ ମୁଁ ନଅ ବର୍ଷ ଅତିବାହିତ କରିସାରିଲିଣି ଏବଂ ପ୍ରାୟ ପ୍ରତି ଛଅ ମାସରେ ଥରେ ଓଡ଼ିଶା ଗସ୍ତ କରୁଛି ।

ଓଡ଼ିଶାର ବିକାଶ ପାଇଁ କିଛି ଅବଦାନ ଦେବା ପାଇଁ ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କେଉଁ ବିଷୟରେ ?

ଓଡ଼ିଶାର ସମୃଦ୍ଧି ଲାଗି ମୁଁ ଅହରହ ସ୍ୱପ୍ନ ଦେଖୁଛି । ମାତ୍ର ତାତ୍ତ୍ୱିକ ବା ବିଦ୍ୟାଗତ ଦୃଷ୍ଟିକୋଣରୁ ନିଜକୁ ପରିପ୍ରକାଶ କରିବା ପାଇଁ କଦାପି କୌଣସି ସୁଯୋଗ ପାଇନାହିଁ ।

ଓଡ଼ିଶା ଉତ୍ତମ ମାନର ଗୋଟିଏ ସୁଦ୍ଧା ପତ୍ରିକା ପ୍ରକାଶ ପାଉନାହିଁ ,ଯେଉଁ ଥିରେ କି ମୁଁ ମୋର ମତାମତ ଭାଗ କରିପାରିବି । ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ଗୋଟିଏ ଗବେଷଣା ପ୍ରତିଷ୍ଠାନ ନାହିଁ ,ଯେଉଁଠିକି ଆମେ ଗବେଷକ ଭାବେ ଆମର ଗବେଷଣା କାର୍ଯ୍ୟକଳାପର ସହଭାଗୀତା କରିପାରିବୁ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣ କିଛି କହିବାକୁ ଚାହାନ୍ତି କି ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

ଓଡ଼ିଶା ପ୍ରତି ଦୃଷ୍ଟିପାତ କଲେ ମୁଁ ନିଜକୁ ଅକାମୀ ଓ ଅକ୍ଷମ ବୋଲି ବିଚାର କରୁଛି ଗୁଣାତ୍ମକ ମାନ ,ପ୍ରାସଂଗିକତା ,କଠୋରତା ବା ଉଗ୍ରତା ପ୍ରତିବଦ୍ଧତା, ନିଯୁକ୍ତି ଆଦି ଦୃଷ୍ଟିରୁ ଓଡ଼ିଶାରେ ଗବେଷଣା ଓ ଉଚ୍ଚ ଶିକ୍ଷାର ସଂସ୍କୃତି ଅତ୍ୟନ୍ତ ବିପର୍ଯ୍ୟସ୍ତ, ଅନିଶ୍ଚିତ ତଥା ପଙ୍ଗୁ ଅବସ୍ଥାରେ ରହିଛି ।

ରାଜନୈତିକ ଦୃଷ୍ଟି କୋଣରୁ ଗବେଷକମାନେ ଆମର ରାଜନେତାମାନଙ୍କ ଦ୍ୱାରା ଏପରକି ପରିଗଣିତ ମଧ୍ୟ ହୁଅନ୍ତି ନାହିଁ ।

ଯେତେବେଳେ ଆଞ୍ଚଳିକ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ନେତାମାନଙ୍କ ନିମନ୍ତ୍ରଣ କରାଯାଏ, ସେମାନେ ସେହି ଚର୍ଚ୍ଚା ପ୍ରତି ସର୍ବଦା ଉଦାସୀନ ମନୋଭାବ ପ୍ରଦର୍ଶନ କରିଥାନ୍ତି ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ବାଧକ କଣ ?

ଓଡ଼ିଶା ସମ୍ମୁଖୀନ ହେଉଥିବା ସଂକଟ ଲାଗି ଯଦି କାହାକୁ ଦାୟୀ କରାଯିବ, ତେବେ ରାଜନୈତିକ ନେତୃତ୍ୱ ବ୍ୟତୀତ ଅନ୍ୟ କେହି ନୁହେଁ ।

ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆପଣ କେତେ ଦୂର ସଂପୃକ୍ତ ? ଏହା ଫଳପ୍ରଦ ହୋଇଛି କି ?

ଜଣେ ଗବେଷକ ହିସାବରେ ମୋ ସ୍ତରରେ ଯାହା ସମ୍ଭବ ତାହା କରିବା ଲାଗି ଯଥାସାଧ୍ୟ ଉଦ୍ୟମ କରିଛି । ମୋର ନିବନ୍ଧ ବା ଗବେଷଣା ପ୍ରବନ୍ଧ ମହିଳା ଶିକ୍ଷାବିତ ,ମହିଳା ପୋଲିସ ,ମହିଳା ଡ଼ାକ୍ତର,ମହିଳା ପ୍ରଶାସକଙ୍କ ଯୋଗୁ ଗବେଷଣା ପ୍ରବନ୍ଧ ରଚନା ସମ୍ଭବ ହୋଇପାରିଛିା

ଅନ୍ୟ ପକ୍ଷରେ କୁହାଯାଇପାରେ ଯେ,ଉପରୋକ୍ତ ବର୍ଗର ମହିଳାମାନଙ୍କ ନିକଟରେ ମୋର ଗବେଷଣା ପ୍ରବନ୍ଧ ଅନେକ ପରିମାଣରେ ଋଣୀ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣ କିଛି କହିବାକୁ ଚାହାନ୍ତି କି ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

ଓଡ଼ିଶା ସମୃଦ୍ଧି ସାଧନ କରୁଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବା ଉଦ୍ଭଟ କଥା ବରଂ ସମୟକ୍ରମେ ଓଡ଼ିଶାର ଅବସ୍ଥାରେ ଅଧୋଗତି ଘଟୁଛି ।

ତେବେ ସେଥିନିମନ୍ତେ କୌଣସି ଗୋଟିଏ ଦଳକୁ ଦାୟୀ କରାଯାଇପାରିବ ନାହିଁ । ବଂର ଓଡ଼ିଶାର ଏହି ଦୁଃସ୍ଥିିତି ପାଇଁ ସାମଗ୍ରୀକ ଭାବେ କଂଗ୍ରେସ ,ବିଜେଡ଼ି,ଜନତା ଦଳ ,ବିଜେପି ର ନେତୃବୃନ୍ଦ ଦାୟୀ ।

ସେମାନେ ଗୁଣ୍ଡାମାନଙ୍କ(ଯାହାଙ୍କ ମୁଣ୍ଡ ପିଚ୍ଛା ଦର ହେଉଛି ୩୫ଟଙ୍କା,ଯାହାକି ଗୋଟିଏ ମଦ ବୋତଲର ମୂଲ୍ୟ ସହ ସମାନ) ଦ୍ୱାରା ଶାସନ କରୁଛନ୍ତି । କିନ୍ତୁ ଥରେ ସେହି ନେତାମାନେ ରାଜ୍ୟର ସୀମା ଅତିକ୍ରମ କରିବାପରେ ସେମାନେ ମାଇଚିଆ ବା ନପୁଂସକର ଅବତାର ସାଜିଥାଆନ୍ତି ।

ରାଜ୍ୟ ସଂଗ୍ରାହଳୟର ମୃତ ପ୍ରାୟ ନମୁନା ଭଳି ପାର୍ଲିଆମେଣ୍ଟରେ ସେମାନଙ୍କ କାପୁରୁଷୋଚିତ ଆଚରଣ ହିଁ ସେମାନଙ୍କ ନପୁଂସକପଣିଆର ଉତ୍ତମ ନିଦର୍ଶନ ।

ବର୍ତ୍ତମାନର ପ୍ରଶାସନ ଜରିଆରେ ଓଡ଼ିଶା ବିକାଶଶୀଳ ନା ପରିସ୍ଥିତି ଅଧିକ ଖରାପ ହେଉଛି – ଆପଣ କଣ ଭାବୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ଦରକାର କି ?

ଆମ୍ଭେମାନେ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟାଗୁଡ଼ିକ ହେଉଛି କାପୁରୁଷ ପଣିଆ,ଆରମ୍ଭ କରିବା ଶକ୍ତି ଓ ସାହସିକତାର ଅଭାବ,ଲାଜକୁଳା ପ୍ରକୃତି,ଓଡ଼ିଶାର ବୃହତର ସ୍ୱାର୍ଥ ସମ୍ବଳିତ ପ୍ରସଂଗରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତିର ଅଭାବ,ଦଳମାନଙ୍କର କକଂଡ଼ା ପ୍ରକୃତି ଭଳି କାର୍ଯ୍ୟକଳାପ,ଅମଲାତାନ୍ତି୍ରକ ବା ପ୍ରଶାସନିକ ଉଦାସୀନତା ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ? ଯଦି ହଁ, ତେବେ କାହିଁକି ସେମାନେ ଆଜିଯାଏ ବିଫଳ ହୋଇଛନ୍ତି ଏବଂ ସେ ଦିଗରେ ସୁଯୋଗ ଓ ସୁବିଧା ରହିଛି କି ?

ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶାର ସ୍ୱାର୍ଥ ପାଇଁ ସମନ୍ୱିତ କରାଯିବାର ଆବଶ୍ୟକତା ରହିଛି । ତଦ୍ୱାରା ପ୍ରତ୍ୟେକ ପ୍ରବାସୀ ଓଡ଼ିଆ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ସହଯୋଗ କରିପାରିବେ । ଦୃଷ୍ଠାନ୍ତ ଛଳରେ ଗବେଷକମାନଙ୍କୁ ସୂଚନା ବା ତଥ୍ୟ ଭିତ୍ତି ହିସାବରେ ଉପଯୋଗ କରାଯାଇପାରିବ

ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ସଂପର୍କରେ ସବିଶେଷ ତଥ୍ୟ ଭିତ୍ତି ହିସାବରେ ଉପଯୋଗ କରାଯାଇପାରିବ । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇପାରେ ।

କିନ୍ତୁ ସେଥିପାଇଁ ଉପଯୁକ୍ତ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କରାଯିବାର ଦରକାର । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ପ୍ରୋତ୍ସାହନମୂଳକ ପ୍ୟାକେଜର ଅଭାବ ରହିଛି । ଉପଯୁକ୍ତ ସ୍ୱୀକୃତି ଓ ପୁରସ୍କାର ମିଳିଲେ ହିଁ ଜଣେ ଏ କ୍ଷେତ୍ରରେ ସଠିକ ଭାବରେ ସହଯୋଗ କରିପାରିବ ।

ଓଡ଼ିଶାର ଆର୍ଥୀକ-ସାମାଜିକ ସମୃଦ୍ଧି ପାଇଁ କେଉଁ କ୍ଷେତ୍ର ଉପରେ ଆପଣ ଗୁରୁତ୍ୱ ଦେବେ ?

ଆମର ମାନସିକତା ବା ଚିନ୍ତା ରାଜ୍ୟରେ ସୁଦୂର ପ୍ରଭାବୀ ବିପ୍ଲବ ନ ଆସିଲେ ଆମେ କୌଣସି ପରିବର୍ତ୍ତନ ଆଶା କରିବା ଉଚିତ ନୁହେଁ । ତେଣୁ ଆମର ଚିନ୍ତା, ଆଭିମୁଖ୍ୟ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିବା ଦରକାର ।

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ ।ଏହା କେବଳ ନବୀନ ବା ଜାନକୀଙ୍କ ପ୍ରଶ୍ନ ନୁହେଁ,ବଂର ଏହା ଏକ ମୌଳିକ ପ୍ରଶ୍ନ ।ଆମର ମାଇଚିଆ ପ୍ରବୃତ୍ତି ପରିହାର କରିବା ଏବଂ କେନ୍ଦ୍ର ନିକଟରୁ ନ୍ୟାର୍ଯ୍ୟ ଦାବି ହାସଲ କରିବାର ଦକ୍ଷତାର ଅଧିକାରୀ ହେବା ଉଚିତ ।

ଏହି କୃଷ୍ଣଗର୍ତ୍ତରୁ ଉଦ୍ଧାର ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସଂପୃକ୍ତ ଥିବା ରାଜନେତାମାନଙ୍କୁ ଆପଣ କି ସନ୍ଦେଶ ଦେବେ ?

ପ୍ରଧାନମନ୍ତ୍ରୀ ଆମର ନେତାମାନଙ୍କୁ କହୁଛନ୍ତି,ପଇସା କଣ ଗଛରେ ଫଳୁଚି କି । ପ୍ରଧାନମନ୍ତ୍ରୀ ସେଭଳି ଭାବରେ ଲାଲୁ ,ଜୟଲଳିତା କିମ୍ବା ମମତାଙ୍କୁ କହିପାରିବେକି ? କଦାପି ନୁହେଁ ।ସେ କେବଳ ଓଡ଼ିଶାର ନେତାମାନଙ୍କୁ ଏଭଳି କହିପାରିବେ ।

କାରଣ ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣନ୍ତି ଓଡ଼ିଆ ନେତାମାନେ ଭୀରୁ ବା କାପୁରୁଷ । ସେମାନଙ୍କୁ ନିର୍ବୋଧ ବନାଇ ହେବ ।

କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।

ଆପଣଙ୍କ ଦୃଷ୍ଟିରେ ଜରୁରୀକାଳୀନ ଭିତ୍ତିରେ ଓଡ଼ିଶା କଣ ଦରକାର କରୁଛି ?

ଜଣେ ବ୍ୟକ୍ତିର କୌଣସି ଗୋଟିଏ ପ୍ରସଂଗ ଆମ ସମସ୍ୟାର ସମାଧାନ କରିପାରିବ ନାହିଁ । ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ,ଆମ ନେତାମାନଙ୍କର ଓଡ଼ିଶା ସଂପର୍କରେ ଗୋଟିଏ ଦୃଷ୍ଟିଭଙ୍ଗୀ ରହିବା ଦରକାର ।

ସେମାନେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରିବା ଉଚିତ ଏବଂ ସେମାନଙ୍କ ଆଭିମୁଖ୍ୟରେ ଦୃଢ ଓ କଠୋର ହେବା ବାଞ୍ଚନୀୟ । ଆମ୍ଭେମାନେ ଏଠାରେ ନିଶ୍ଚିତ ଭାବେ ଆମର ନିଜ ନିଜ ସ୍ତରରେ ସେମାନଙ୍କୁ ସାହଯ୍ୟ କରିବୁ ।

ବିକାଶର ନୂତନ ପର୍ଯ୍ୟାୟକୁ ଓଡ଼ିଶାକୁ ନେଇଯିବା ପାଇଁ ଆପଣଙ୍କର ଚିନ୍ତାଧାରା କଣ ?

ମୋର ବାର୍ତ୍ତା ହେଉଛି, ଲାଜକୁଳା ହୁଅ ନାହିଁ ,ନିଜର ଦୃଷ୍ଠିଭଙ୍ଗୀ ପ୍ରସ୍ତୁତ କର, ଦୃଢ ଓ କଠୋର ହୁଅ , ଲୋକଙ୍କ ନିକଟକୁ ଯାଅ, ନୂତନ ଲକ୍ଷ୍ୟ ଧାର୍ଯ୍ୟ କର, କାର୍ଯ୍ୟକ୍ରମଗୁଡ଼ିକ ଫଳପ୍ରଦ ଭାବେ ରୂପାୟନ କର, ଦ୍ରୁତ ଶିଳ୍ପାୟନ ସହିତ ବେକାରୀ ସମସ୍ୟାର ସମାଧାନ କର।

ଓଡ଼ିଶା ବର୍ତ୍ତମାନ ଏକ ଯଥାର୍ଥ ରାଜନୈତିକ ଇଚ୍ଛାଶକ୍ତି ଏବଂ ଗୋଟିଏ ପ୍ରକୃତ ଓଡ଼ିଆ ନେତାମାନଙ୍କ ଦଳ ଆବଶ୍ୟକ କରୁଛି । ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ ,ତାକୁ ଯଦି ଜ୍ଞାନୀ କଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ?

ଓଡ଼ିଶାରେ ଉଚ୍ଚ ଶିକ୍ଷାକୁ ପୁର୍ନକାର୍ଯ୍ୟକ୍ଷମ ଓ ନବୀକରଣ କରାଯିବାର ଆବଶ୍ୟକତା ରହିଛି । ଗବେଷଣାର ସଂସ୍କୃତି ମଧ୍ୟ ସେଠାରେ ବିକାଶ କରାଯିବା ଦରକାର । ସରକାର ଅନେକ କଲେଜକୁ ସ୍ୱୟଂଚାଳିତ କରିଛନ୍ତି ।

ମାତ୍ର ତାହା ଶିକ୍ଷକମାନଙ୍କ ସ୍ୱେଚ୍ଛାଚାରିତା ବୃଦ୍ଧି କରିଛି ।ଶିକ୍ଷକମାନେ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଅପେକ୍ଷା ନିଜର ଅଧିକାର ସଂପର୍କରେ ଅଧିକ ଉଦ୍ବିଘ୍ନ ।

ଓଡ଼ିଶା ଅବହେଳିତ ବୋଲି ଆପଣ ବିଶ୍ୱାସ କରନ୍ତି କି ? ଯଦି ହଁ ତାହା କଣ ?

ଓଡ଼ିଶା ଅବଚ୍ଛିନ୍ନ ଭାବେ କେନ୍ଦ୍ର ଦ୍ୱାରା ଅବହେଳିତ ହୋଇଆସୁଛି ।ଯଦି ଜାମ୍ମୁ ଓ କାଶ୍ମୀର,ବିହାର , ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ବିପୁଳ ପରିମାଣର ଅନୁଦାନ ଲାଭ କରିପାରିବେ ,ତେବେ ଓଡ଼ିଶା କାହିଁକି ସେଥିରୁ ବଞ୍ଚିତ ହେବ?

ତେଣୁ ଶେଷରେ ମନ୍ତବ୍ୟ ହେଉଛି , କ୍ଷମତା କାହାକୁ ଦିଆଯାଏ ନାହିଁ ,ବଂର ତାହା ଛଡ଼ାଇ ଅକ୍ତିଆର କରାଯାଏ । ସେହି ଦୃଷ୍ଟିରୁ ଆମେ ଆମର ସ୍ୱର ଦୃଢ ଭାବେ ଉତ୍ତୋଳନ କରିବା ଏବଂ ଆମର ମାତୃଭୂମି ଓଡ଼ିଶା ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଜାରୀ ରଖିବା ।

ବିଶେଷ ଦ୍ରଷ୍ଟବ୍ୟ : (ଉପରୋକ୍ତ ଲେଖାରେ ଦିଆଯାଇଥିବା ମନ୍ତବ୍ୟ ସାକ୍ଷାତକାର ଦେଇଥିବା ବ୍ୟକ୍ତିଙ୍କ ନିଜସ୍ୱ । ଏହି ମତାମତ ଦ୍ୱାରା ଯଦି କେହି କୌଣସି ଉପାୟରେ କ୍ଷତିଗ୍ରସ୍ତ ହୁଅନ୍ତି ତେବେ ସେଥିପାଇଁ ଓଡ଼ିଶା ଡ଼ଟ୍ କମ୍ ଦାୟୀ ନୁହେଁ)

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ସାକ୍ଷାତକାର Tagged With: ବିକ୍ରମ କେଶରୀ ମିଶ୍ର, ସାକ୍ଷାତକାର

ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି

January 29, 2005 by News Bureau Leave a Comment

ନୂଆଦିଲ୍ଲୀ,ଜାନୁୟାରୀ ୨୯ (ଓଡିଶା ଡ଼ଟ୍ କମ୍), ଓଡ଼ିଶା ର ବ୍ରହ୍ମପୁର ଅଞ୍ଚଳର ୩୮ବର୍ଷ ବୟସ୍କ ଧନଞୟ ମହାପାତ୍ର ଜଣେ ଆଇନ ସ୍ନାତକ । ୧୯୮୮-୯୦ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଟରନ୍ୟାସନାଲ୍ ଲ’ରେ ଆନ୍ତର୍ଜାତିକ ଆଇନ ବିଷୟରେ ଦୁଇ ବର୍ଷିୟା ସ୍ପେସିଆଲାଇଜେସନ୍ କୋର୍ସ କଲାପରେ ସାମ୍ବାଦିକତା ପାଠ୍ୟକ୍ରମରେ ପିଜି ଡ଼ିପ୍ଲୋମା ।

ତା’ପରେ ସେ ନିଜର କ୍ୟାରିୟର ଆରମ୍ଭ କରନ୍ତି ୧୯୯୧ ମସିହାରେ ଦକ୍ଷିଣ ଏସିଆର ଅତ୍ୟନ୍ତ ସମ୍ମାନଜନକ ଓ ବୃହତ୍ତମ ନ୍ୟୁଜ୍ ଏଜେନ୍ସୀ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ(ପିଟିଆଇ)ରେ ।

ରିପୋର୍ଟିଂ ପାଇଁ ଅଫିସ ବାହାରକୁ ଯିବା ପୂର୍ବରୁ ଚାରି ବର୍ଷ ଡ଼େସ୍କ୍ ରେ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ସେ ପ୍ରସ୍ତୁତ କରିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଖବର ମଧ୍ୟରେ ରହିଛି ପ୍ରସିଦ୍ଧ ହାୱାଲା ସ୍କାମ, ଜେଏମ୍ଏମ୍ ଲାଞ୍ଚ ମାମଲା, ବିରାପ୍ପାନ୍ ମାମଲା, କାବେରୀ ଜଳବଣ୍ଟନ ବିବାଦ ତଥା , ଶଙ୍କରାଚାର୍ଯ୍ୟ ଗିରଫ ମାମଲା ।

ଏହା ବ୍ୟତୀତ ସେ ପ୍ରସ୍ତୁତ କରିଛନ୍ତି ଆଫଗାନିସ୍ତାନରେ ତାଲିବାନ୍ ସରକାର ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ କାଳରେ ହୋଇଥିବା ଆତଙ୍କବାଦୀ ବିରୋଧୀ ସଂଗ୍ରାମ, ଗୁଜୁରାଟର ଭୁଜ୍ ଭୂମିକମ୍ପ, କାରଗିଲ ଯୁଦ୍ଧ,ତିବତରୁ ଉଗ୍ୟେନ୍ ତ୍ରିନଲୀ ଦୋର୍ଜୀଙ୍କ ଭାରତ ଆଗମନ ସଂପର୍କିିିତ ଖବର ସହ କିଛି ବର୍ଷ ପୂର୍ବେ ଭାରତୀୟ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ମ୍ୟାଚ ଫିକ୍ସିଂ ଖବର ।

ଏହାବ୍ୟତିତ ଜର୍ମାନୀରେ ୧୯୯୬ ମସିହାରେ ସ୍କୋଡା ଅକ୍ଟାଭିଆ ମହାକାଶଯାନର ଉତ୍କର୍ଷେପଣ ସଂପର୍କୀତ ବିବରଣୀ , ୧୯୯୯ରେ ଉପରାଷ୍ଟ୍ରପତିଙ୍କ ସାତଟି ଦେଶ ଗସ୍ତ ଏବଂ ଟୋକିଓରେ ୨୦୦୩ ମସିହାରେ ଡ଼ବ୍ଲ୍ୟୁଟିଓ’ର ଅନୁଷ୍ଠିତ କ୍ଷୁଦ୍ର ମନ୍ତ୍ରୀ ସ୍ତରୀୟ ବୈଠକର ବୀବରଣୀ ମଧ୍ୟ ତାଙ୍କର ସାମ୍ବାଦିକତା ଜୀବନର ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ ।

୧୩ ବର୍ଷ ତଳେ ମଣିପୁରରେ ବିବାହ କରିଥିବା ଧନଞୟଙ୍କର ଦଶ ଓ ଛଅ ବର୍ଷର ଦୁଇ ପୁଅ ଅଛନ୍ତି । ତାଙ୍କ ପତ୍ନୀ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରଡ଼କ୍ସନ ମ୍ୟାନେଜର ।
ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସେ କହନ୍ତି “୧୯୮୮ ମସିହାରୁ ମୁଁ ଓଡ଼ିଶା ଛାଡ଼ିଛି ।ମୋର ପିତାମାତାଙ୍କୁ ଭେଟିବା ଲାଗି ମୁଖ୍ୟତଃ ମୁଁ ବର୍ଷରେ ଥରଟିଏ ଓଡ଼ିଶା ଯାଇଥାଏ ”।

ଓଡ଼ିଶା ମୋର ମାତୃଭୂମି ଏବଂ ଏହାର ପଛୁଆପଣ ସର୍ବଦା ଗଭୀର ଆଘାତ ଦେଇଥାଏ । ମାତ୍ର ଓଡ଼ିଶାରେ ଯୁବ ସଂପ୍ରଦାୟ ମଧ୍ୟରେ ଉତ୍ସାହର ଅଭାବ ଅଧିକ ଆଘାତ ଦେଇଥାଏ ।

କେବଳ ଅଳ୍ପ କେତେକ ଯୁବ ପ୍ରତିଭା ଉଚ୍ଚ ସୋପାନକୁ ଉଠିପାରିଛନ୍ତି କିମ୍ବା ଏହା ହାସଲ କରିବା ସ୍ଥିତିରେ ଅଛନ୍ତି ।

ଏହିଠାରେ ରହି ଓଡ଼ିଶାର ବିକାଶ ପାଇଁ ଯୋଗଦାନ ଦେବାର ମାର୍ଗ ହେଲା ଯୁବ ସଂପ୍ରଦାୟକୁ ପଥ ପ୍ରଦର୍ଶନ ଯେଉଁମାନେ କ୍ୟାରିୟର ଗଠନ ଲକ୍ଷ୍ୟ ରଖି ଆସୁଛନ୍ତି । ଏମାନେ ସଚ୍ଚୋଟ ଏବଂ ଯାହା କରିବେ ସେଥିରେ ଶତପ୍ରତିଶତ ଏକାଗ୍ରତା ରଖିବେ ।

ଓଡ଼ିଶାର ବର୍ତ୍ତମାନର ସ୍ଥିତି ସଂପର୍କରେ ଆପଣଙ୍କର ମତ କଣ ଏବଂ ଆପଣ ସେଥିପାଇଁ କାହାକୁ ଦୋଷ ଦେବାକୁ ଚାହାନ୍ତି ?

“ଓଡ଼ିଶାକୁ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା ହେଲାବେଳେ ସେମାନଙ୍କର ଗଭୀର ମାନସିକ ଅଶାନ୍ତି ବାବଦରେ ମୁ ଜାଣିବାକୁ ପାଇଥାଏ । ତେବେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏଭଳି ଜନଅଶାନ୍ତି ରହିଛି । ମାତ୍ର ଏହା ସହିତ ମୁ ସକାରାତ୍ମକ ବିଶ୍ୱାସର ସ୍ୱର ମଧ୍ୟ ଶୁଣିଥାଏ ।”

ନିର୍ଦ୍ଧିଷ୍ଟ ଜନମତ ସୃଷ୍ଟି କରିବା ପାଇଁ ହେଲେ ଲୋକଙ୍କ ଆକାଂକ୍ଷାକୁ ସତ୍ ପ୍ରଶଂସା କରିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଶାସକ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ଯେଉଁ ମତ ଦିଅନ୍ତି ତାହା ଠିକ୍ ନୁହେଁ ।

ଓଡ଼ିଶାର ବିକାଶ ପାଇଁ କିଛି ଅବଦାନ ଦେବା ପାଇଁ ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି କରିଛନ୍ତି ତେବେ କେଉଁ ବିଷୟରେ ?

ଓଡ଼ିଶାର କୋଣସି ନିର୍ଦ୍ଧିଷ୍ଟ କ୍ଷେତ୍ରର ବିକାଶ ସହିତ ମୁଁ ପ୍ରତ୍ୟକ୍ଷ ଜଡ଼ିତ ନୁହେଁ । ମାତ୍ର ବିଭିନ୍ନ ପେଶାରେ ଲିପ୍ତ ଥିବା ମୋର ବନ୍ଧୁମାନଙ୍କୁ ଓଡ଼ିଶାର ବିବିଧତା ତଥା ପ୍ରାକୃତିକ ଶୋଭାରାଶି, ସ୍ଥାପତ୍ୟ କଳା କିମ୍ବା ସମୁଦ୍ର ଉପକୂଳ ହେଉ ସେସବୁ ଦେଖିବା ଲାଗି ମୁଁ ପ୍ରବର୍ତ୍ତାଇଥାଏ ।

ବିକାଶର ନୂତନ ପର୍ଯ୍ୟାୟକୁ ଓଡ଼ିଶାକୁ ନେଇଯିବା ପାଇଁ ଆପଣଙ୍କର ଚିନ୍ତାଧାରା କଣ ?

“ଯଦି ଲୋକମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଜାଗ ରହିବେ ତେବେ କେହି ହେଲେ ଓଡ଼ିଶାର ଦୂର୍ଗତି କରି ପାରିବେ ନାହିଁ । ମୁ ବିଶ୍ୱାସ କରେ ଯେ ଓଡ଼ିଆ ଲୋକମାନଙ୍କୁ କୌଣସି ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିପାରିବ ନାହିଁ । ”

ହୋଇପାରେ ସାଂପ୍ରତିକ ପ୍ରଶାସନର ବିକାଶ ଲକ୍ଷ୍ୟ କମ୍ ଥିବ- ଏହା ପ୍ରାୟତଃ ଭାରତର ସବୁ ସରକାରରେ ସାଧାରଣ କଥା । ତେବେ ସେମାନେ ଯାହା ଆବଶ୍ୟକ କରନ୍ତି ତାହା ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନକୁ ଅଗ୍ରାଧିକାର ଦେବା । ସମୟାନୁଯାୟୀ ବୃକ୍ଷରୋପଣ ବା ଶିଳ୍ପ କାରଖାନା କଥା ପରେ ।

ଅନ୍ୟ ଏକ କ୍ଷେତ୍ର ଉନ୍ନୟନ ମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଗଠନ ପରେ ପରେ ବିଚାରକୁ ନିଆଯାଇ ପାରେ ତାହା ହେଲା ପର୍ଯ୍ୟଟନ ।ଏଥିପାଇଁ ବିପୁଳ ପାଣ୍ଠି ବିନିଯୋଗର ଆବଶ୍ୟକତା ନଥିଲେ ମଧ୍ୟ ପ୍ରଶିକ୍ଷିତ ଲୋକମାନଙ୍କୁ ଆହୁରି ଦକ୍ଷ କରିବା ଲାଗି ନିଶ୍ଚିତ ପାଣ୍ଠି ବିନିଯୋଗ ଜରୁରୀ ଅଟେ ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ବାଧକ କଣ ?

“ଓଡ଼ିଶାର ବିକାଶରେ ପ୍ରତିବନ୍ଧକ ମୁଁ ଏବଂ ତୁମେ । ରାଜ୍ୟର ଉନ୍ନତି ପାଇଁ କିଛି ଆଖିଦୃଶିଆ କାର୍ଯ୍ୟ କରିବା ଲାଗି ଆମେ କେବେ ଚିନ୍ତା କରିଛୁ କି! ବ୍ୟକ୍ତିଗତ ସ୍ତରରେ ଏହାକୁ ନିଅନ୍ତୁନାହିଁ ।”

ଯେଉଁ ରାଜ୍ୟରେ ମୁଁ ଶିକ୍ଷାଲାଭ କରିଛି ଏବଂ ବଢ଼ିଛି ତାହା ପ୍ରତି ଥିବା ମୋର କର୍ତ୍ତବ୍ୟରେ ମୁଁ ଯଥେଷ୍ଟ ବିଫଳ ହୋଇଥିବା ମନେ କରୁଛି ।

ମୁଁ ପଢ଼ିଥିବା ସ୍କୁଲକୁ କଦବା କ୍ୱଚିତ ବୁଲିଯିବା ବା ଏହାର ଉନ୍ନତି ପାଇଁ କେତେବେଳେ କେମିତି କିଛି ଆର୍ଥିକ ସାହାଯ୍ୟ ଦେବା ଛଡ଼ା ଓଡ଼ିଶାର ବିକାଶ ଦିଗରେ କିଛି କରିପାରିନାହିଁ ।

ଯୁବକମାନଙ୍କୁ ମୁଁ ଯେଉଁ ପରାମର୍ଶ ଦେଉଛି ତାହା କେବଳ ଏକ ମାନବୀୟ କର୍ତ୍ତବ୍ୟ ।

ଆପଣ ଭାବୁଛନ୍ତି କି ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ? ଯଦି ହଁ, ତେବେ କାହିଁକି ସେମାନେ ଆଜିଯାଏ ବିଫଳ ହୋଇଛନ୍ତି ଏବଂ ସେ ଦିଗରେ ସୁଯୋଗ ଓ ସୁବିଧା ରହିଛି କି ?

ପ୍ରବାସୀ ଓଡ଼ିଆମାନେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ସେମାନଙ୍କର ବିଦ୍ୟାଳୟକୁ ଯାଇ ସେଗୁଡ଼ିକୁ ଆର୍ଥିକ ସହାୟତା ଦେଇ ଓଡ଼ିଶାର ବିକାଶ ଦିଗରେ କିଛି ନିର୍ଦ୍ଧିଷ୍ଟ ଅବଦାନ ଦେଇପାରିବେ ।

ହୁଏତ ସେମାନେ ସଂପୃକ୍ତ ବିଦ୍ୟାଳୟର ଲାଇବ୍ରେରୀ, କ୍ରୀଡ଼ା କିମ୍ବା ଖେଳ ପଡ଼ିଆ ଅଥବା ଏପରିକି ଏକ ଛୋଟ କମ୍ପୁଟର୍ ପାଇଁ ଅର୍ଥ ଯୋଗାଇ ଦେଇ ପାରନ୍ତି ।

ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।

ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ଜାଣିଛି ଯେ କଲେଜ ଅଧ୍ୟୟନ କାଳରେ ବିଶ୍ୱର ଅନ୍ୟ ଭାଗରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ ଆମ ଭିତରେ ଜାଣିବା ପାଇଁ ଅଧିକ ଉତ୍ସାହ ନଥିଲା । ମାତ୍ର ଏବେ ମୁଁ ଦେଖୁଛି କଲେଜ ଛାତ୍ରମାନେ ବିବିଧ ବିଷୟରେ ଯଥେଷ୍ଟ ଅଧିକ ଅବଗତ ଅଛନ୍ତି ।

ବର୍ତ୍ତମାନର ପ୍ରଶାସନ ଦ୍ୱାରା ଓଡ଼ିଶା ବିକାଶଶୀଳ ନା ପରିସ୍ଥିତି ଅଧିକ ଖରାପ ହେଉଛି – ଆପଣ କଣ ଭାବୁଛନ୍ତି ? ଏଥିରେ କିଛି ପରିବର୍ତ୍ତନ ଦରକାର କି ? ଓଡ଼ିଶା ଅବହେଳିତ କି! ହଁ କିମ୍ବା ନାଁ ।

ଓଡ଼ିଶା ଅବହେଳିତ ! ହଁଏବଂ ନୁହେଁ । ହଁ ଏଇ ହିସାବରେ ଯେ,ଆମର ରାଜନେତାମାନେ ଯେତେବେଳେ କ୍ଷମତାରେ ଥାଆନ୍ତି ସେତେବେଳେ ସେମାନେ କେନ୍ଦ୍ର ଆଡ଼କୁ ଅଧିକ ଦୃଷ୍ଟି ଦେଇଥାନ୍ତି । ମାତ୍ର କେନ୍ଦ୍ର ଅନ୍ୟ ରାଜ୍ୟର ନେତାମାନଙ୍କ ପ୍ରତି ବେଶୀ ଧ୍ୟାନ ଦେଇଥାଏ ।

ଏଭଳିକି ଦେଶର ଉତ୍ତର-ପୂର୍ବରେ ଥିବା ରାଜ୍ୟଗୁଡ଼ିକ କେନ୍ଦ୍ରଠାରୁ ବିଭିନ୍ନ ପ୍ରମୁଖ ପ୍ରକଳ୍ପଗୁଡ଼ିକ ପାଇଁ ବେଶ୍ ଭଲ ସହାୟତା ପାଉଛନ୍ତି ।

ନା ଏଇ ହିସାବରେ ଯେ ଆମେ ଓଡ଼ିଆ ମାନେ ବାହାରେ ଏକ ଭିନ୍ନ କର୍ମ ସଂସ୍କୃତିରେ ସଫଳ କାମ କରୁ । ଜଣେ ଅବହେଳିତ ବ୍ୟକ୍ତି ତାହା କେବେବି କରିପାରିବନାହିଁ ।

ଓଡିଶା ଡ଼ଟ୍ କମ୍

News Bureau
News Bureau

Filed Under: ସାକ୍ଷାତକାର Tagged With: ଧନଞୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ, ସାକ୍ଷାତକାର

  • « Go to Previous Page
  • Go to page 1
  • Interim pages omitted …
  • Go to page 31
  • Go to page 32
  • Go to page 33

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ