୧୭ ମଇ (ଓଡ଼ିଶା ଡ଼ଟ୍ କମ୍), ଇଂଲଣ୍ଡର ଲିଭର୍ପୁଲ୍ ବିଶ୍ୱବିଦ୍ୟାଳୟର ଇନଭେଷ୍ଟିଗେଟିଭ୍ ସାଇକୋଲଜି ସେଣ୍ଟରରେ ଅନୁସନ୍ଧାନ ମନୋବିଜ୍ଞାନରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଓଡିଶାର ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସୁଧାଂଶୁ ଷଡଙ୍ଗୀଙ୍କ ସହ ଓଡିଶା ଡଟ୍ କମ୍ ର ସ୍ୱତନ୍ତ୍ର ସାକ୍ଷାତକାର ।
ସୁଧାଂଶୁ ଷଡଙ୍ଗୀ ୧୯୯୦ ମସିହା ଭାରତୀୟ ପୋଲିସ ସେବାର (ଆଇପିଏସ୍)ର ଜଣେ ବରିଷ୍ଠ ଅଧିକାରୀ । ସେ’ ମାଲକାନଗିରି, ସୁନ୍ଦରଗଡ, ବ୍ରହ୍ମପୁର, ବାଲେଶ୍ୱର ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାର ଏସ୍ପି ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୫ ମସିହାରେ ଡିଆଇଜି ପଦବୀକୁ ପଦୋନ୍ନତି ପାଇଥିବା ଏହି ପୋଲିସ ଅଧିକାରୀଙ୍କ ସହ ସାକ୍ଷାତକାର ।
୧- ଭାରତସହ ବ୍ରିଟିଶ୍ ପୋଲିସ ବ୍ୟବସ୍ଥାର ଆପଣ କିଭଳି ତୁଳନା କରୁଛନ୍ତି?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କୌଣସି ତୁଳନା କରିବା ଠିକ୍ ହେବ ବୋଲି ମୁଁ ଭାବୁନାହିଁ । ପୋଲିସ ବ୍ୟବସ୍ଥା କାହିଁକି, ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ । ଇଂଲଣ୍ଡ ବିଶ୍ୱର ଚତୁର୍ଥ ବିତ୍ତଶାଳୀ ରାଷ୍ଟ୍ର । ଅନ୍ୟପକ୍ଷରେ ଆମ ଦେଶ ଗରିବ ରାଷ୍ଟ୍ର ତାଲିକାଭୁକ୍ତ ।
ୟୁଏନ୍ଡିପିର ୨୦୦୩ ମାନବ ବିକାଶ ରିପୋର୍ଟ ଅନୁସାରେ ଭାରତର ୨୩୩ ନିୟୁତ ଲୋକ କ୍ଷୁଧା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ଅର୍ଥାତ ପ୍ରତିଦିନ ୧,୯୬୦ କ୍ୟାଲୋରିର ଖାଦ୍ୟ ଖାଇବା ସେମାନଙ୍କ ଭାଗ୍ୟରେ ଜୁଟୁ ନାହିଁ । ୪୦ ନିୟୁତ ଛାତ୍ରଛାତ୍ରୀ ସ୍କୁଲ୍ ପାଠ ପଢାରୁ ବଞ୍ଚିତ ରହୁଛନ୍ତି ।
୧୯୯୭ ମସିହାରେ ଭାରତର ମୁଣ୍ଡପିଛା ଜିଏନପି (ଗ୍ରସ୍ ନ୍ୟାସନାଲ୍ ପ୍ରଡକ୍ଟ) ଆମେରିକୀୟ ଡଲାରରେ ୩୭୦ ରହିଥିବାବେଳେ ଇଂଲଣ୍ଡରେ ଏହି ସଂଖ୍ୟା ହୋଇଥିଲା ୨୦,୮୭୦ ଆମେରିକୀୟ ଡଲାର । ଉଭୟ ଦେଶରେ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିବାରୁ ବ୍ରିଟିଶ ପୋଲିସର କାର୍ଯ୍ୟକଳାପ ଏବଂ ଚିନ୍ତାଧାରା ସମ୍ପର୍କରେ ଆମେ ଅନେକ କିଛି ଶିଖିବାର ଅଛି ।
୨- ପୋଲିସ ଭିତରେ ବିଶ୍ୱାସର ଭାବ ଆପଣ କେମିତି ସୃଷ୍ଟି କରିବେ?
ଦୁର୍ଭାଗ୍ୟବଶତଃ ଭାରତୀୟ ପୋଲିସ ବୃତ୍ତିରେ ଆହୁରି ଉର୍ଦ୍ଧ୍ଵାଭିମୁଖି ହେବାର ଆବଶ୍ୟକତା ରହିଛି । ଯେଉଁ ଆଇନ ବ୍ୟବସ୍ଥା ମଧ୍ୟରେ ଆମେ କାର୍ଯ୍ୟ ପରିଚାଳନା କରୁଛୁ ତାହା ସମୟସହ ତାଳଦେଇ ଗତି କରି ପାରୁନାହିଁ । ଜାତୀୟ ପୋଲିସ କମିଶନର ସୁପାରିଶ ଗୁଡିକ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ଭାରତର ପ୍ରତ୍ୟେକ ବ୍ୟକ୍ତି ସବୁ ବିଷୟରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଗୋଟିଏ ବିଷୟରେ ବିଶେଷଜ୍ଞ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ଜରୁରୀ । ଏଭଳି କହିବାର ତାତ୍ପର୍ଯ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା କ୍ୱାକ୍ ମାନଙ୍କ ସ୍ଥାନରେ ଡାକ୍ତରମାନେ ରୋଗୀର ଚିକିତ୍ସା କରିବା ଆବଶ୍ୟକ ।
ଏହି ପରିପ୍ରେକ୍ଷୀରେ ମୁଁ ସୁପର ସ୍ପେସିଆଲିଷ୍ଟ ନୁହେଁ ବରଂ ତାଲିମପ୍ରାପ୍ତ ଡାକ୍ତରଙ୍କ ବିଷୟରେ କହୁଛି । ପୋଲିସ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କରାଯିବା ବିଧେୟ ।
୩- ଭାରତୀୟ ପୋଲିସ ଏବଂ ବ୍ରିଟିଶ ଅଧିକାରୀଙ୍କ ମଧ୍ୟରେ ଆପଣ କି ପ୍ରକାରର ପାର୍ଥକ୍ୟ ଦେଖୁଛନ୍ତି ?
ଭାରତୀୟ ପୋଲିସ ଅଫିସର ଅପେକ୍ଷାକୃତ କମ୍ ଅର୍ଥରେ ଅଧିକ ଖଟଣି କରୁଛନ୍ତି । ଏହାଛଡା ସେମାନଙ୍କର ସାମାଜିକ ପ୍ରତିଷ୍ଠା ମଧ୍ୟ ନାହିଁ । ବ୍ରିଟିଶ ପୋଲିସ ବାହିନୀ ନିକଟରେ ଉଚ୍ଚମାନର ପେଶାଦାର ମନୋଭାବ ଦେଖିବାକୁ ମିଳୁଛି । ବିଭାଗୀୟ ତାଲିମ ବ୍ୟବସ୍ଥା ହେଉ କିମ୍ବା ଅନ୍ୟ କିଛି ସେମାନେ ଆମ ଅପେକ୍ଷା ଯଥେଷ୍ଟ ଆଗୁଆ ରହିଛନ୍ତି ।
ସେମାନଙ୍କ ନିକଟରୁ ଆମକୁ ବହୁତ କଥା ଶିଖିବାର ଆବଶ୍ୟକତା ରହିଛି । ସେମାନଙ୍କ ସହଯୋଗନେଇ ଆମ ଅଧିକାରୀମାନଙ୍କୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବା ଉଚିତ ହେବ । ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଅନୁସାରେ, ଆମ ଦେଶରେ ପ୍ରତି ଶହେ ଜଣକ ମଧ୍ୟରୁ ୯୬ ଜଣ ଅଫିସର ଅନୁଭବ କରନ୍ତି ଯେ, ସାକ୍ଷୀମାନଙ୍କୁ ଜେରା କରିବା ଲାଗି ସେମାନଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇନାହିଁ ।
ଅନ୍ୟପକ୍ଷରେ ଏହା ହେଉଛି ପୋଲିସ ବିଭାଗର ମୌଳିକ କାର୍ଯ୍ୟ । ମୋଟାମୋଟିଭାବେ ଆମର ପୋଲିସ ବିଭାଗ ସେହି ପୁରୁଣା କାଳିଆ ବ୍ୟବସ୍ଥାରେ ହିଁ ଚାଲିଛି । କାର୍ଯ୍ୟତଃ ଏହି ବିଭାଗର ଆମୂଳଚୁଳ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ସମଗ୍ର ବ୍ୟବସ୍ଥାର ସଂପୂର୍ଣ୍ଣ ପରିବର୍ତ୍ତନ କରାନଯିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଲାଗି ଆମ ନିକଟରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ ।
୪- ପୋଲିସ ବାହିନୀର ସାମ୍ପ୍ରତିକ ସ୍ଥିତି ପାଇଁ ରାଜନୈତିକ ହସ୍ତକ୍ଷେପ ଦାୟୀ କି ?
ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କ ନିକଟରେ ପୋଲିସ ଉତ୍ତରଦାୟୀ ରହିବ ବୋଲି ଆଶା କରାଯାଇଥାଏ । ତାଛଡା ସେମାନେ ଆଇନ ଓ ସର୍ବସାଧାରଣଙ୍କ ନିକଟରେ ମଧ୍ୟ ଉତ୍ତରଦାୟୀ ।
ରାଜନୈତିକ ନେତୃତ୍ୱ ଆଇନର ସଂଶୋଧନ କରି ଏକ ଲିଗାଲ୍ ଫ୍ରେମ୍ ୱାର୍କ ପ୍ରସ୍ତୁତ କରିବା ଉଚିତ ।
ଏଥିରେ ପୋଲିସ କଣ ସବୁ କାର୍ଯ୍ୟ କରିବ ଏବଂ କଣ କରିବ ନାହିଁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ନିର୍ଦ୍ଦେଶାବଳୀ ରହିବ ଏବଂ ଏହି ବ୍ୟବସ୍ଥା ପ୍ରତି ପୋଲିସ ଉତ୍ତରଦାୟୀ ରହିବେ । ୧୮୬୧ ମସିହାରୁ ଆଇନର ସଂଶୋଧନ ହୋଇନାହିଁ ।
ପୋଲିସଠାରୁ କ’ଣ ଆଶା କରାଯାଏ ସେ ନେଇ କେଉଁଠାରେ କିଛି ହେଲେ ସ୍ପଷ୍ଟରୂପେ ଉଲ୍ଲେଖ ରହିନାହିଁ । ଆଇନର ସୁରକ୍ଷା ପରିବର୍ତ୍ତେ ବିଭିନ୍ନ ସ୍ୱାର୍ଥର ସୁରକ୍ଷା ନିମିତ୍ତ ରାଜନୈତିକ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ଯୋଗୁଁ ଆଜି ସମସ୍ୟା ଗମ୍ଭୀର ହୋଇଛି । ଏଥିପାଇଁ ଯେ କେବଳ ରାଜନୈତିକ ବ୍ୟକ୍ତିମାନେ ଦାୟୀ ତାହା ନୁହେଁ ଅନ୍ୟମାନେ ମଧ୍ୟ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।
ଉଦାହରଣତଃ ବ୍ୟୁରୋକ୍ରାଟ, ବରିଷ୍ଠ ପୋଲିସ ଅଫିସର, ପ୍ରଭାବଶାଳୀ ସାମ୍ବାଦିକ, ଧନୀକ ବ୍ୟକ୍ତି ଇତ୍ୟାଦି ଇତ୍ୟାଦି । ନିଷ୍ପତ୍ତି ନେବା କ୍ଷେତ୍ରରେ କୌଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ସ୍ୱାର୍ଥସାଧନ ନିମିତ୍ତ ପୋଲିସ ଉପରେ ବାରମ୍ବାର ବିଭିନ୍ନ ମହଲରୁ ଚାପ ପଡୁଛି ।
୫- କନେଷ୍ଟବଳ ବ୍ୟବସ୍ଥାର ଉଚ୍ଛେଦ ଲାଗି ଟାଇମ୍ସ ଅଫ୍ ଇଣ୍ଡିଆର ଏକ ପ୍ରବନ୍ଧରେ ଆପଣ ପ୍ରସ୍ତାବ ଦେଇଥିଲେ । ଆପଣ କାହିଁକି ଭାବୁଛନ୍ତି ଯେ ଏହାଦ୍ୱାରା ପୋଲିସ ପ୍ରଶାସନର ଉନ୍ନତି ହେବ ?
ବିଭାଗରେ ଯେ କୌଣସି ସଂସ୍କାର ବ୍ୟବସ୍ଥା ହାତକୁ ନିଆଗଲେ ପ୍ରଥମେ କନେଷ୍ଟବଳ ବ୍ୟବସ୍ଥା ବିଚାରକୁ ନିଆଯିବା ଆବଶ୍ୟକ । ପୋଲିସ ବିଭାଗର ୧୦ ଭାଗ ଅଫିସର ଏବଂ ଅବଶିଷ୍ଟ ୯୦ ଭାଗ କର୍ମଚାରୀ କେବଳ ସାଧାରଣ ମଣିଷ କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯାଏ ନାହିଁ । ଅପରାଧ କାର୍ଯ୍ୟର ତଦନ୍ତ କରନ୍ତି ନାହିଁ ।
ସେମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ତାହାର କୌଣସି ଆବଶ୍ୟକତା ନାହିଁ । ଯେଉଁ ବିଭାଗର ଶତକଡା ୯୦ ଭାଗ ଲୋକ ଅନାଗ୍ରହ ମଧ୍ୟରେ ଦାୟିତ୍ୱ ସମ୍ପାଦନ କରିଥାନ୍ତି, କ୍ଷମତାଶୂନ୍ୟ ସର୍ବୋପରି ନିରୁତ୍ସାହୀ ସେଭଳି ଲୋକମାନଙ୍କୁ ନେଇ ଉନ୍ନତମାନର ପେଶାଦାର ନମୂନା ପ୍ରଦର୍ଶନ କରିବା ଅସମ୍ଭବ ବ୍ୟାପାର । ତେଣୁ ତୁରନ୍ତ ଏଭଳି ପଦ୍ଧତିର ପରିବର୍ତ୍ତନ ନତୁବା ବିଲୋପସାଧନ ଅପରିହାର୍ଯ୍ୟ ।
୬- ଭାରତ ଫେରିବାପରେ ପୋଲିସ ବିଭାଗର ଉନ୍ନତି ସାଧନ ଲାଗି ଆପଣଙ୍କ ଭୂମିକା କଣ ହେବ ?
ବର୍ତ୍ତମାନ ମୁଁ ଜେରା କୌଶଳ ଉପରେ ଏକ ଟ୍ରେନିଂ ମୋଡ୍ୟୁଲାର ବିକାଶ କାର୍ଯ୍ୟରେ ମନୋନିବେଶ କରିଛି । ଏହାକୁ ଜାତୀୟ ସ୍ତରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଫଳରେ ପୋଲିସ ଅଫିସରମାନେ କୌଣସି ଅନୈତିକ ପନ୍ଥା ଅବଲମ୍ବନ ନକରି ମଧ୍ୟ ସାକ୍ଷୀ ଓ ସନ୍ଦିଗ୍ଧ ଲୋକମାନଙ୍କୁ ପଚରାଉଚୁରା ବା ଜେରା କରି ପାରିବେ ।
ଏହି ମୋଡ୍ୟୁଲାରର କ୍ଷେତ୍ର ପରୀକ୍ଷା କାର୍ଯ୍ୟ ପାଇଁ ଆଗାମୀ ଜୁନ୍ ମାସରେ ମୁଁ ଓଡିଶା ଯିବି । ଏହାର ଫଳାଫଳ ସମ୍ପର୍କରେ ଲୋକମାନଙ୍କୁ ଜଣାଇବି । ଏହାଛଡା ଆହରଣ କରିଥିବା ଜ୍ଞାନକୁ ପାଥେୟକରି ପୋଲିସ ବିଭାଗର ମାନ ବୃଦ୍ଧି କରିବାକୁ ଯଥାସାଧ୍ୟ ଉଦ୍ୟମ କରିବି ।
ଓଡ଼ିଶା ଡ଼ଟ୍ କମ୍