• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟାକୁଳତା କାହିଁକି?

August 9, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଅଳ୍ପଦିନ ତଳେ “ଧରିତ୍ରୀ” ସମ୍ବାପତ୍ରରେ ବରିଷ୍ଠ ସାମ୍ବାଦିକ ବନ୍ଧୁ ବରେନ୍ଦ୍ର କୃଷ୍ଣ ଧଳଙ୍କ ଲିଖିତ “ସବୁ ମେଣ୍ଢା ବିକ୍ରୀ ହୋଇଗଲେ” ଶୀର୍ଷକ ଲେଖା ପଢ଼ିବା ପରେ ଜନୈକ ପାଠକ ଫୋନ୍ କରି ଏହି ସାମ୍ବାଦିକଙ୍କୁ ପ୍ରଶ୍ନକଲେ, “ବେଦାନ୍ତ ବିଶ୍ୱବିଦ୍ୟାଳୟ” ସମ୍ପର୍କରେ ଆପଣଙ୍କ କଲମ ନୀରବ କାହିଁକି?

ବେଦାନ୍ତର ସଉଦା ମୁଣିରେ ଆପଣ ପଡିଗଲେ ନା କ’ଣ? ବହୁ ସାମ୍ବାଦିକ ଓ ସମ୍ପାଦକ ବେଦାନ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଓକିଲାତି କରୁଥିବା ଆମେ ପଢ଼ୁଛୁ । ହେଲେ ଆପଣଙ୍କ ଠାରୁ ଆମେ ସେଭଳି କିଛି ଆଶା କରୁନଥିଲୁ ।

ପାଠକ ବନ୍ଧୁଙ୍କୁ ମୋ ତରଫରୁ କୌଣସି ସଫେଇ ଦେବାର ଅବକାଶ ନଥିଲା । କେବଳ କହିଥିଲି “ଆପଣ ମୋ ଭଳି ସାମ୍ବାଦିକ ମାନଙ୍କ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଏତେ ଶୀଘ୍ର ପହଞ୍ଚିବା ବୋଧେ ଉଚିତ୍ ହେବନି” ।

ଏହି ଘଟଣା ପରେ ରାକ୍ଷୀ ପୂର୍ଣ୍ଣିମାଦିନ ସାମ୍ବାଦିକ ବନ୍ଧୁ ରବି ଦାସଙ୍କ ପତ୍ନୀଙ୍କ ଶ୍ରାଦ୍ଧଦିିବସରେ ଯୋଗଦେବା ଅବସରରେ, ସଂପ୍ରତି ସମୃଦ୍ଧ ଓଡିଶା ଦଳର ଅନ୍ୟତମ ତୁଙ୍ଗନେତା ତଥା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିବା ପଞ୍ଚାନନ କାନୁନ୍ଗୋ ଶ୍ରୀ ଧଳଙ୍କ ଲେଖା ଉପରେ ମନ୍ତବ୍ୟ ରେ କହିଥିଲେ ,ଏଭଳି ଲେଖାଯୋଗୁଁ ବିଧାନସଭାର ସ୍ୱାଧୀକାର ଭଙ୍ଗ ହୋଇଛି ।

ତେଣୁ ତାଙ୍କ ବିରୁଦ୍ଧରେ ଓ “ଧରିତ୍ରୀ” ର ସମ୍ପାଦକକଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିବା ନିଶ୍ଚିତ ଓ ସେମାନେ ଏଥିରୁ ତ୍ରାହି ପାଇବା ଅସମ୍ଭବ ।

ମୁଁ କହିଥିଲି, “ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଯେଉଁଭଳି ପରିସ୍ଥିତିରେ ବିଧାନସଭାରେ ଗୃହୀତ ହେଲା, ତାକୁ ନେଇ ସାଧାରଣରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଛି ସେହି ପ୍ରତିକ୍ରିୟାର ଯଥାର୍ଥତା ପ୍ରମାଣ କରିବା ପାଇଁ ବରେନ୍ଦ୍ର ବାବୁଏଭଳି ଏକ ଲେଖା ଲେଖିଥିବାର ସାହସ କରିଥିବାରୁ ଓଡିଶାବାସୀ ତାଙ୍କୁ ଧନ୍ୟବାଦ ଜଣାଇବାର ଆବଶ୍ୟକତା ରହିଛି” ।

କାନୁନ୍ଗୋ ଅଥବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଏ ସଂକ୍ରାନ୍ତୀୟ ଆଲୋଚନା ଆଉ ଆଗକୁ ବଢ଼ାଇ ନଥିଲେ ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଗୃହୀତ ହେବା ଏବଂ ତା’ ପୂର୍ବରୁ ଏହି ସଂସ୍ଥାର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଫାଉଣ୍ଡେସନ୍ କୁ ୬ ହଜାର ଏକର ବହୁମୂଲ୍ୟ ଜମି ଦେବା ଲାଗି ରାଜ୍ୟ ସରକାରଙ୍କର ବ୍ୟାକୁଳ, ଚଞ୍ଚଳ ପଦକ୍ଷେପ ଯେ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତରେ ତଥା ବିଶ୍ୱରେ ଏକ ବିବାଦମାନ ବିଷୟ ଏଥିରେ ସନ୍ଦେହ ନାହିଁ ।

ସପକ୍ଷରେ ଯୁକ୍ତି ବାଢ଼ି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦା ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦାାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ମାତ୍ର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ସଜ୍ଞା କ’ଣ ତାହା ଉଚ୍ଚଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ତୁଙ୍ଗ ଅମଲାତନ୍ତ୍ରର କର୍ଣ୍ଣଧାରମାନେ ଅଥବା ସ୍ୱୟଂ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟା କରିନାହାନ୍ତି ।

ଏହି ବିଶ୍ୱବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଜଣେ ଲାଭଖୋର ବ୍ୟବସାୟୀ । ଶିକ୍ଷାର ବିକାଶ ଲାଗି ସେ କେବେ ହେଲେ କୌଣସି ପକ୍ଷେପ ନେଇନାହାଁନ୍ତି ।

ଏପରିକି ଉଚ୍ଚମାନର ଶିକ୍ଷାଦାନ ଲାଗି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିନାହାଁନ୍ତି । ସେ ପ୍ରତିଷ୍ଠା କରୁଥିବା ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ କରିପାରିବ ଏହା ରାଜ୍ୟ ସରକାରଙ୍କର ହୃ୍ଦବୋଧ ହେଲା କିପରି?

ଯେଉଁ ବିଶ୍ୱବିଦ୍ୟାଳୟର ନାମଗନ୍ଧ ସୁଦ୍ଧା ନାହିଁ, ସେହି ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିବା ଏବଂ ତାକୁ ଜଗନ୍ନାଥ “ଅମୃତ ମଣୋହି” ଜମି ସମେତ ୬ ହଜାର ଏକର ପରିମିତ ଜମି ଦେବା ରାଜ୍ୟ ତଥା ଦେଶବାସୀଙ୍କ ଚରମ ବିଶ୍ୱାସଘାତକତା ଏବଂ ଅପରାଧାତ୍ମକ ଷଡଯନ୍ତ୍ରର ପରିଣାମ ବୋଲି କେତେକ ଅଭିଯୋଗ କରିବା ସ୍ୱଭାବିକ ।

ଏଭଳି ପରିସ୍ଥିତିରେ କେଉଁ କେଉଁ ନିର୍ଦ୍ଧିଷ୍ଟ କାରଣ ଓ ଅଭିଜ୍ଞତାକୁ ବିଚାରକୁ ନେଇ ରାଜ୍ୟ ସରକାର ବେଦାନ୍ତ ଏକ “ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ” ସ୍ଥାପନ କରିପାରିବ ବୋଲି ହୃଦୟଙ୍ଗମ କରିଛନ୍ତି ତାହା ରାଜ୍ୟବାସୀ ତଥା ଦେଶବାସୀଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଆଗେଇ ଆସିବା ଏକାନ୍ତ ଆବଶ୍ୟକ ।

ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର କେବେ ଚିନ୍ତା କଲେ? ଅନୀଲ ଅଗ୍ରୱାଲା ଏଭଳି ଏକ ପ୍ରସ୍ତାବ ଦେବା ପରେ ବା ପୂର୍ବରୁ ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଉଚିତ ।

ବାସ୍ତବରେ ରାଜ୍ୟର ଛାତ୍ର, ଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷାାଦାନର ସୁଯୋଗ ଦେବାଲାଗି ରାଜ୍ୟ ସରକାର ଯଦି ଆଗ୍ରହୀ ଥିଲେ ତେବେ ପ୍ରଥମେ ସେ ବିଶ୍ୱସ୍ତରୀୟ ସମ୍ବାଦପତ୍ର ମାନଙ୍କରେ ବିଜ୍ଞାପନ ଦେଇ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ଠାରୁ ଏକ୍ସପ୍ରେସନ ଅଫ୍ ଇନ୍ଟ୍ରେଷ୍ଟ ଆହ୍ୱାନ କରିଥାଆନ୍ତେ ।

କେଉଁ କେଉଁ ସର୍ତରେ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଇଚ୍ଛୁକ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଆନ୍ତା ।

ତାହା ହୋଇଥିଲେ ଉନ୍ନତସ୍ତର ଶିକ୍ଷାଦାନ ଲାଗି ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଅକ୍ସଫୋର୍ଡ, ହାଭାର୍ଡ, କଲମ୍ବିଆ ଭଳି ବିଶ୍ୱବିଦାାଳୟମାନେ ହୁଏତ ଓଡିଶାରେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରି ପ୍ରସ୍ତାବ ଦେଇଥାଆନ୍ତେ ।

ସେଥିମଧ୍ୟରୁ ଯେଉଁ ପ୍ରସ୍ତାବଟି ସବୁଠାରୁ ଆକର୍ଷଣୀୟ ହୋଇଥାଆନ୍ତା ତା’କୁ ରାଜ୍ୟ ସରକାର ଗ୍ରହଣ କରି ଏଥିପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ଏଭଳି ପଦକ୍ଷେପକୁ କେବଳ ରାଜ୍ୟବାସୀ ନୁହଁନ୍ତି, ଦେଶବାସୀ ମଧ୍ୟ ସ୍ୱାଗତ କରିଥାଆନ୍ତେ ।

ଅଧିକନ୍ତୁ ହାଭାର୍ଡ, ଅକ୍ସଫୋର୍ଡଠାରୁ ଆରମ୍ଭ କରି କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦୁଇ ହଜାର ଏକରରୁ ଅଧିକ ଜମି, ଆବଶ୍ୟକ ପଡ଼ିନଥିବା ସ୍ଥଳେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାର ସୁନାଖଣି ଓ ଭାତହାଣ୍ଡି ଭାବରେ ପରିଚିତ ୬ ହଜାର ଏକର ଜମି ବେଦାନ୍ତକୁ ଯୋଗାଇ ଦିଆଯିବାର ଆବଶ୍ୟକତା ବା ଯଥାର୍ଥତା ସମ୍ପର୍କରେ ବେଦାନ୍ତ ଓ ରାଜ୍ୟ ସରକାର ଅଦ୍ୟାବଧି କୌଣସି ଯଥାର୍ଥ ଉତ୍ତର ଦେଇ ପାରିନାହାଁନ୍ତି ।

ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଯେଉଁ ସ୍ଥାନରେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇବା ଲାଗି ଚକ୍ରାନ୍ତ ଚାଲିଛି ତାହା ଦେଶର ପ୍ରତିରକ୍ଷା ଦୃଷ୍ଟିରୁ କେତେ ନିରାପଦ ତାହା ମଧ୍ୟ ବିଚାର୍ଯ୍ୟ ।

କାରଣ ଏଭଳି ଏକ ସ୍ପର୍ଶକାତର ସ୍ଥାନରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଏଠାରେ ବିଦେଶୀ ଗୋଇନ୍ଦା କାର୍ଯ୍ୟକଳାପ ବଢ଼ିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ।

ଏହି କାରଣରୁ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା କୋଣାର୍କ ପୁରୀ ବେଳାଭୂମିରେ ପାଞ୍ଚ ଶହ ଏକର ପରିମିତି ଜମି ଉପରେ ଏକ ଅର୍ନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ସେତେବେଳେ ଗଙ୍ଗାଧର ମହାପାତ୍ର ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମହର୍ଷିଙ୍କ ପରମ ଭକ୍ତ ଭାବରେ ପରିଚିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଉଦ୍ୟମକ୍ରମେ ଏଭଳି ଏକ ବିଶ୍ୱବିଦାଳୟ ପ୍ରତିଷ୍ଠା ଲାଗି ଗଙ୍ଗାଧର ମହାପାତ୍ର ଉତ୍ସାହିତ ହୋଇଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଏବେ ମଧ୍ୟ ସଚିବାଳୟରେ ଗଚ୍ଛିତ ଥିବ ।

କେଉଁ କାରଣରୁ ନନ୍ଦିନୀ ଦେବୀଙ୍କ ଭଳି ଜଣେ ବିଚକ୍ଷଣା ଓ ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହା ସାମ୍ପ୍ରତିକ ସରକାର ଅନୁଧ୍ୟାନ କରିଛନ୍ତି କି ?

ଚର୍ଚ୍ଚ ଅଫ୍ ଇଂଲଣ୍ଡ ଅନୀଲ ଅଗ୍ରୱାଲଙ୍କ ଶିଳ୍ପ ସାମ୍ରାଜ୍ୟର ପ୍ରଭାବଶାଳୀ ଅଂଶୀଦାର ।

ଏହି ସଂସ୍ଥାର ପ୍ରଭାବରେ ହେଉ ଅଥବା ଏହାର ପ୍ରମୁଖ ବ୍ୟକ୍ତିମାନଙ୍କୁ ଖୁସି କରାଇବା ଲାଗି ହିନ୍ଦୁ ଧର୍ମର ସବୁଠାରୁ ଶକ୍ତ ଭିତ୍ତିଭୂମି ଥିବା ପୁରୀ କୋଣାର୍କ ବେଳାଭୂମିକୁ ଦଖଲ କରି ଚର୍ଚ୍ଚର ପ୍ରଭାବ ବିସ୍ତାର କରିବା ଲାଗି ଏହା ଏକ ପ୍ରଚ୍ଛନ୍ନ ଷଡଯନ୍ତ୍ର ବୋଲି ଯେଉଁ ଅଭିଯୋଗ ହେଉଛି, ଏହା ପଛରେ ଥିବା ସତ୍ୟତା ରାଜ୍ୟ ସରକାର ଅନୁଧ୍ୟାନ କରିଛନ୍ତି କି? ଯଦି କରିଛନ୍ତି ତେବେ ଏ ସମ୍ପର୍କୀୟ ତଥ୍ୟ ସର୍ବସାଧାରଣରେ ଉପସ୍ଥାପନ କରାଯିବା ଏକାନ୍ତ ଅପରିହାର୍ଯ୍ୟ ।

କେତେକ ବୈଜ୍ଞାନିକମାନଙ୍କର ସନ୍ଦେହ ଯେ, ଗୋପାଳପୁର ବେଳାଭୂମି ଭଳି ପୁରୀ-କୋଣାର୍କ ବେଳାଭୂମିରେ ପରମାଣୁ ଶକ୍ତି ସମ୍ପନ୍ନ ବିରଳ ମୂର୍ତିକା ଗଚ୍ଛିତ ଅଛି ।

ଏହି ଅଞ୍ଚଳକୁ ନିଜର ସାମ୍ରାଜ୍ୟର ଅର୍ନ୍ତଭୁକ୍ତ କରିବା ପରେ ବେଦାନ୍ତ କତୃପକ୍ଷ ଏହି ବିରଳ ମୂର୍ତିକାର ଅପବ୍ୟବହାର କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ କି? ଏ ସମ୍ପର୍କରେ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତି ଦେଇପାରିବେ କି?

ଏହି ତଥାକଥିତ ବିଶ୍ୱସ୍ତରୀୟ ବିଶ୍ୱବଦ୍ୟାଳୟରେ ଓଡିଶାର ଛାତ୍ରଛାତ୍ରୀ ଅଥବା ବାସଚ୍ୟୁତ ମାନଙ୍କ ସନ୍ତାନ ସନ୍ତତିଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନାହିଁ ।

ତେଣୁ ଓଡିଆ ମାଟିରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବାହାର ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ଓଡିଶାବାସୀ ଓ ରାଜ୍ୟ ସରକାର କିଭଳି ଉପକୃତ ହେବେ ତାହା ମଧ୍ୟ ବିଚାର୍ଯ୍ୟ ।

ଏ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓଡିଶାରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନଥିବା ଯୋଗୁଁ ରାଜ୍ୟର ବା ରାଜ୍ୟବାସୀଙ୍କର କିଛି କ୍ଷତି ହୋଇଛି କି?

ତେଣୁ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଯଦି ରାଜ୍ୟ ବା ରାଜ୍ୟବାସୀଙ୍କର କିଛି ଲାଭ ନହୁଏ ତେବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୬ ହଜାର ଏକର ପରିମିତ ଜମି ଦେଇ ରାଜ୍ୟ, ଦେଶ ତଥା ଆମର ଧର୍ମ ଓ ସଂସ୍କୃତି ପ୍ରତି ବିପଦକୁ ନିମନ୍ତ୍ରଣ କରିବା କେତେ ଦୂର ଯଥାର୍ଥ ହେବ ତାହା ଓଡିଶାର ଜନସାଧାରଣ ବିଚାର କରି ଏହି ପ୍ରକଳ୍ପକୁ ସମର୍ଥନ ବା ବିରୋଧ କରିବେ ତାହା ସ୍ଥିର କରନ୍ତୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆସ୍କା, ତୃତୀୟ ନୟନ, ବେଦାନ୍ତ ବିଶ୍ୱବିଦ୍ୟାଳୟ

ଭେଜିଟେବୁଲ ମଞ୍ଚୁରିୟାନ (ଆମ ରୋଷେଇ ଘରୁ)

August 26, 2007 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ :

ବନ୍ଧାକୋବି-୫୦୦ ଗ୍ରାମ, ଗାଜର-୨୦୦ ଗ୍ରାମ, ବିନ-୧୦୦ଗ୍ରାମ, କ୍ୟାପସିକମ୍-୧୦୦ଗ୍ରାମ,
ରସୁଣ(କଟା) ଚୁନାଚୁନା-୨/୪ ଚାମଚ(ବଡ), ମଇଦା-୧/୨ କପ, କର୍ଣ୍ଣର୍ଫ୍ଲୋର- ୪ଚାମଚ(ବଡ),
ଗୋଲମରିଚ ଗୁଣ୍ଡ-୨ ଚାମଚ(ଛୋଟ), ସୋୟାସସ-୧ ଚାମଚ(ଛୋଟ), ଚିଲିସସ-୨ ଚାମଚ(ଛୋଟ),
ଟମାଟୋ ସସ-୨ ଚାମଚ(ଛୋଟ), ଅଜିନୋ ମଟୋ-୧/୪ ଚାମଚ(ଛୋଟ), ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ଉପରେ ଦିଆଯାଇଥିାବ ସମସ୍ତ ପରିବାକୁ ଚୁନାଚୁନା କରି କାଟି ଧୋଇ ରଖନ୍ତୁ । କଟା ରସୁଣ ୨ ଚାମ(ଛୋଟ) କର୍ଣ୍ଣଫ୍ଲୋର ଓ ମଇଦା  ୪ ଚାମଚ (ବଡ) ଓ ସ୍ୱାଦ ଅନୁସାରେ ଲୁଣ ପରିବାରେ ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ ।

Vegitable-Manchurianବର୍ତ୍ତମାନ ଏଥିରେ କଟା ଧନିଆପତ୍ର ଅଳ୍ପ କିଛି ଓ ଗୋଳମରିଚ ଗୁଣ୍ଡ  ଏକ ଚାମଚ ଗୋଳାଇ ରଖନ୍ତୁ ।

କଢାଇରେ ତେଲ ଗରମ କରି ଗୋଳାଇ ରଖିଥିବା ପରିବାକୁ ଗୋଲ ଗୋଲ ଛୋଟ ଛୋଟ ବଲ ଆକାରରେ ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡାଇରୁ କାଢି ଗୋଟିଏ ପ୍ଲେଟ ରେ ରଖନ୍ତୁ  ।

ଅନ୍ୟ ଏକ କଡାଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଚୁନା ଚୁନା ରସୁଣ କଟା ପକାଇ ଧିମି ଆଞ୍ଚରେ ଅଳ୍ପ ସମୟ ଭାଜନ୍ତୁ । ଯେପରି ରସୁଣ ଲାଲ ନ ହୁଏ । ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସକୁ ଗୋଳାଇ ରଖନ୍ତୁ ।

ଅନ୍ୟ ଏକ ଗିନାରେ ୨ ଚାମଚ କଣ୍ଣେଫ୍ଲୋରକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ । ବର୍ତ୍ତର୍ମାନ ଭଜା ରସୁଣରେ ଏକ ଗ୍ଲାସ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ସ୍ୱାଦ  ଅନୁସାରେ ଲୁଣ ପକାନ୍ତୁ ।

ବର୍ତ୍ତମାନ ପୂର୍ବରୁ ଗୋଳାଇ ରଖିଥିବା ସମସ୍ତ ସସ ଓ ଗୋଳାଇ ରଖିଥିବା କଣ୍ଣେଫ୍ଲୋର ପକାଇ ଧିମି ଆଞ୍ଚରେ ଭଲ ଭାବରେ ଘଂ।ଟନ୍ତୁ । ବର୍ତ୍ତମାନ ଏଥିରେ ପୂର୍ବରୁ ଛାଣି ରଖିଥିବା ପରିବା ବଲ ଗୁଡିକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ ।

ଏଥିରେ ଅଜିନୋମଟୋ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଳିରୁ ଓହ୍ଲାଇ ଗରମ ଗରମ ପରିବେଷଣ କରନ୍ତୁ ଭେଜିଟେବୁଲ ମନଚୁରିଆନ  ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ବର୍ଣ୍ଣିକା ପଟ୍ଟନାୟକ, ଭେଜିଟେବୁଲ ମଞ୍ଚୁରିୟାନ

ଦୋଛକିରେ ନବୀନ

March 12, 2007 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ରାଜ୍ୟବାସୀଙ୍କ ହୃଦୟ ଜିଣିବା ନିମନ୍ତେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାର ପ୍ରବାଦ ପୁରୁଷ ତଥା ନିଜ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ପ୍ରତି ଆନୁଗତ୍ୟ ପ୍ରକାଶ କରି ନିଜ ନିର୍ମଳ ଚେହେରା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୋଛକିରେ ଅଛନ୍ତି । ଅନାହାର ମୃତ୍ୟୁ, ମାଓବାଦୀ ଆତଙ୍କ, ଶିଶୁବିକ୍ରି, କଳିଙ୍ଗନଗର ରାସ୍ତା ଅବରୋଧ ସତ୍ୱେ ନବୀନ ସିଏନ୍ଏନ୍-ଆଇବିଏନ୍ ଚ୍ୟାନେଲର ଲୋକପ୍ରିୟତା ସର୍ଭେରେ “ପ୍ରକୃତ ଓଡ଼ିଶା” ସଂକ୍ରାନ୍ତରେ କ୍ୱଚିତ୍ ଜ୍ଞାନ ରଖିଥିବା ଲୋକଙ୍କ ଭୋଟରେ ନମ୍ବର ୱାନ୍ ହୋଇପାରିଥିଲେ । ଅବଶ୍ୟ ନିକଟରେ “ଇଣ୍ଡିଆ ଟୁଡ଼େ” ଦ୍ୱାରା ହୋଇଥିବା ସର୍ଭେରେ ନବୀନ ତାଲିକା ନିମ୍ନକୁ ଚାଲି ଆସିଛନ୍ତି । ତେବେ ଏଭଳି ସର୍ଭେ ସହ ଓଡ଼ିଶାର ସାଧାରଣ ଗରିବ ଲୋକଙ୍କର କିଛି ଯାଏ ଆସେ ନାହିଁ ।

ଦେଖିବାକୁ ଗଲେ ରାଜ୍ୟର ଶାସକ ଦଳ ନେତାଙ୍କ ହାଭଭାବ ରୋମ୍ ର ସମ୍ରାଟ ନିରୋଙ୍କ ଭଳି, ଯିଏ କି ରୋମ ଜଳୁଥିବା ବେଳେ ବଂଶୀ ବାଦନ କରୁଥିଲେ । ଏହା ନିଃସନ୍ଦେହ ଯେ, ବିଜୁ ପୁତ୍ର ଭାବେ ନବୀନଙ୍କ ପ୍ରଭାବ, ତାଙ୍କ ପ୍ରଣୀତ ଶିଳ୍ପନୀତି ଏବଂ ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ସେ ଦେଶ/ବିଦେଶର ଅନେକ ଶିଳ୍ପୋଦ୍ୟୋଗୀଙ୍କୁ ରାଜ୍ୟକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ କରିପାରିଛନ୍ତି । ଏହା ବିଜୁ ବାବୁଙ୍କ ଆଧୁନିକ ଓଡ଼ିଶା ଗଠନର ଅଧୁରା ସ୍ୱପ୍ନକୁ ସାକାର କରିବ ବୋଲି ତାଙ୍କର ଦାବି । କିନ୍ତୁ ଆମନ୍ତ୍ରିତ ହୋଇଥିବା ଅନେକ ଶିଳ୍ପପତିଙ୍କ ଉଦେ୍ଧଶ୍ୟ ସନ୍ଦେହଜନକ ।

ସେମାନେ ରାଜ୍ୟର ଉନ୍ନତି ପ୍ରଚେଷ୍ଟାର ଭାଗିଦାର ହେବା ପରିବର୍ତ୍ତେ ନିଜ ପାଇଁ ଖଣିଜ ଏବଂ ଜମିର ପେଣ୍ଠ ସୃଷ୍ଟି କରିବା ଲକ୍ଷ୍ୟରେ ଅଛନ୍ତି । କେବଳ ବେଦାନ୍ତ ଗ୍ରୁପ୍ର ଅନିଲ ଅଗ୍ରୱାଲ ଯେ ରାଜ୍ୟର ମୂଲ୍ୟବାନ୍ ଜମି ଏବଂ ଖଣିଜ ଉପରେ ଲୋଭିଲା ଆଖି ପକାଇଛନ୍ତି ତାହା ନୁହେଁ, ଯୋଗଗୁରୁ ଶ୍ରୀଶ୍ରୀ ରବିଶଙ୍କର, ଗୁରୁ ରାମବେ ମଧ୍ୟ ପୁରୀ-ଭୁବନେଶ୍ୱର ଉପକଣ୍ଠର ମୂଲ୍ୟବାନ ଜମିରେ ଆଶ୍ରମ ପ୍ରତିଷ୍ଠା ଲକ୍ଷ୍ୟରେ ଅଛନ୍ତି ।

ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅନିଲ ଅମ୍ବାନୀ ମଧ୍ୟ ଏହି ଦୌଡ଼ରୁ ବାଦ ପଡ଼ି ନାହାନ୍ତି । ସେ ଭୁବନେଶ୍ୱର ଉପକଣ୍ଠରେ ଶହେ ଏକର ଜମି ଉପରେ ଏକ “ହେଲ୍ଥ ସିଟି” ପ୍ରତିଷ୍ଠା ଯୋଜନାରେ ଅଛନ୍ତି । ଏଭଳି ଅନେକ ଶିଳ୍ପପତି ଏବଂ ଯୋଗଗୁରୁଙ୍କ ରାଜ୍ୟର ଜମି ଉପରେ ଲୋଭିଲା ଦୃଷ୍ଟି ରାଜ୍ୟବାସୀ, ବୁଦ୍ଧିଜୀବୀ ତଥା ବିଶେଷ କରି ପ୍ରବାସୀ ଓଡ଼ିଆ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

ନବୀନ ସରକାରଙ୍କ ଏଭଳି ଉଦାରନୀତି ଅନେକ ତଥାକଥିତ ଯୋଗଗୁରୁ-ଯୋଗିନୀ ମାନଙ୍କୁ “ପ୍ରବଚନ” ଉଦେ୍ଧଶ୍ୟରେ ଆମନ୍ତ୍ରିତ କରିଛି, ଯାହାର କି ଏକମାତ୍ର ଉଦେ୍ଧଶ୍ୟ ଭୁବନେଶ୍ୱର ଉପକଣ୍ଠରେ ଜମି ଅଧିକାର ।

ଦେଶ ବାହାରେ ରହୁଥିବା ଅନେକ ପ୍ରବାସୀ ଓଡ଼ିଆଙ୍କ ସହ ମୁଁ ନିକଟ ଅତୀତରେ ଆଲୋଚନା କରିବା ସମୟରେ ସେମାନେ ଓଡ଼ିଶା ସରକାର ଛଦ୍ମବେଶରେ ଆସୁଥିବା ଏହି ଜମିଲୋଭୀଙ୍କ ଜାଲରେ ପଡ଼ିବା ଅନୁଚିତ୍ ବୋଲି ମତ ଦେଇଛନ୍ତି । ସେମାନଙ୍କ ମତରେ ଯିଦି ଅନିଲ ଅଗ୍ରୱାଲ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ ତେବେ ସେ କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ)ରେ ଏହା କରିବା ଉଚିତ୍, ଯେଉଁଠାରେ କି ଅଳ୍ପ ସଂଖ୍ୟକ ଲୋକ ବିସ୍ଥାପିତ ହେବାର ଆଶଙ୍କା ଅଛି ।

ପ୍ରକୃତପକ୍ଷେ କେବିକେ ଏବଂ ତାହାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ସେହି ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅଛି । ଏପରି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜନବହୁଳ ପୁରୀ-କୋଣାର୍କ ମେରାଇନ ଡ଼୍ରାଇଭ୍ ଉପଯୁକ୍ତ ସ୍ଥାନ ନୁହେଁ । ରାଜ୍ୟର ସମୁନ୍ଦ୍ର ଉପକୂଳ ଅଥବା ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥାନ ପସନ୍ଦ ହେବ ତାହା ଦେଶବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଛାଡ଼ିବା ଉଚିତ୍ ।

ସେହିଭଳି ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ଅପେକ୍ଷା ଫୁଲବାଣୀ ଏବଂ କଳାହାଣ୍ଡି ଅଞ୍ଚଳରେ ଯୋଗ ଆଶ୍ରମ ପାଇଁ ଜମି ଦେବା ସର୍ବଦୌ ଉଚିତ୍ ନିଷ୍ପତ୍ତି ହୋଇପାରନ୍ତା । କାରଣ ଯୋଗ ଶିକ୍ଷା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ଯଥେଷ୍ଟ ସମୟ ଦେଇ ସୁୂର ଫୁଲବାଣୀ ଅଥବା କଳାହାଣ୍ଡି ଯାଇ ସ୍ୱାସ୍ଥ୍ୟ ଉପଯୋଗୀ ପରିବେଶରେ ଯଥେଷ୍ଟ ସମୟ କାଟିପାରନ୍ତେ ।

ଜନଗହଳି ପୂର୍ଣ୍ଣ ଭୁବନେଶ୍ୱର, ପୁରୀ ଏବଂ କଟକ ଠାରୁ ବହୁ ଦୂରବର୍ତ୍ତୀ ଯେକୌଣସି ସ୍ଥାନରେ ଯୋଗ ଆଶ୍ରମ ପ୍ରତିଷ୍ଠା କରାଗଲେ ତାହା ଏକ ପର୍ଯ୍ୟଟନ କେନ୍ଦ୍ର ହୋଇପାରନ୍ତା ଏବଂ ରାଜ୍ୟରେ ଯୋଗ ପର୍ଯ୍ୟଟନକୁ ଉତ୍ସାହିତ କରାଯାଇପାରନ୍ତା ।

ଯେହେତୁ ଉଚ୍ଚାଭିଳାଷୀ ଏହି ଯୋଗଗୁରୁ ମାନେ ଯଥେଷ୍ଟ ଧନାଢ଼୍ୟ ବ୍ୟକ୍ତି ହୋଇଥିବାରୁ ଏବଂ ଏବେ ଯୋଗକୁ ବ୍ୟାବସାୟିକ ଉଦେ୍ଧଶ୍ୟରେ ବ୍ୟବହାର କରାଯାଉଥିବାରୁ ସରକାର ସେମାନଙ୍କୁ ନାମମାତ୍ର ମୂଲ୍ୟରେ ମୂଲ୍ୟବାନ ଜମି ହସ୍ତାନ୍ତର କରିବା ଅନୁଚିତ୍ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତୃତୀୟ ନୟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 175
  • Page 176
  • Page 177

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ