• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟ

January 24, 2018 by ଓଡିଶା ଡଟ କମ Leave a Comment

1
ବିଘ୍ନେଶ୍ୱର ସାହୁ

ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୁଖ୍ୟତଃ ବୁଝିଥାଉ ।

ପ୍ରାକ୍ ସ୍ୱାଧୀନତା କାଳରୁ ଆମେ ଓଡ଼ିଶାକୁ ଅଥବା ଓଡ଼ିଶାର ମାନଚିତ୍ରକୁ ଯେପରି ଭାବରେ ଦେଖୁଛୁ, ପୂର୍ବରୁ ତାହାର ପରିସୀମା କାହିଁ କେତେଗୁଣରେ ଅଧିକା ଥିଲା ।

କୁହାଯାଉଥିଲା, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ତକ୍ରାଳୀନ କଳିଙ୍ଗର ସାମ୍ରାଜ୍ୟ ବିସ୍ତାରିଥିଲା । କାଳକ୍ରମେ ତାହା ଖଣ୍ଡବିଖଣ୍ଡିତ ହେବାକୁ ଲାଗିଲା ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବର ଅବସ୍ଥା ଏବଂ ପର ଅବସ୍ଥାକୁ ଅନୁଧ୍ୟାନ କଲେ ଉଭୟ ସମୟର ସ୍ଥିତିରେ ଅନେକ ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିନଠାରୁ ପର୍ଯ୍ୟାୟ କ୍ରମରେ ଦକ୍ଷିଣ ଓଡ଼ିଶାର ଅତିକମ୍ ରେ ୧୯୯ଖଣ୍ଡ ଗ୍ରାମଉପରେ ଆନ୍ଧ୍ର ସରକାର ମାଲିକାନା ଜାହିର କରିବା ଓ ଆମେ ଏହା ବିରୁଦ୍ଧରେ ଠିକ ଭାବେ ସ୍ଵର ଉତ୍ତୋଳନ କରି ଏହାର ସମାଧାନ ନ କରିବା ପରିସ୍ଥିତିର ଗମ୍ଭୀରତାକୁ ସୂଚାଇ ଦେଉଛି ।

ଆମ ରାଜ୍ୟର ଭୌଗୋଳିକ ସୀମା ସରହଦ୍ ନେଇ ରହିଆସିଥିବା ରେକର୍ଡ଼ପତ୍ର ଏହି ପରିସ୍ଥିତିରେ ଏକପ୍ରକାର ଅପ୍ରାସଙ୍ଗିକ ହୋଇପଡ଼ୁଛି ।

ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ବିଭିନ୍ନ ଆଡ଼ରୁ ଘେରି ରହିଛି ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର କିଛି ଅଞ୍ଚଳ । କେବେ ଭାଷା ତ ଆଉ କେବେ ଅଞ୍ଚଳକୁ କେନ୍ଦ୍ର କରି ଓଡ଼ିଶା ସହିତ ଏହି ଚାରିଟି ରାଜ୍ୟ ମଧ୍ୟରେ ସୃଷ୍ଟି ହେଉଛି ବିବାଦ ।

ଭାଷାକୁ ନେଇ ସବୁବେଳେ ଗର୍ବ କରିଆସୁଥିବା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗ୍ରାମରେ ବଙ୍ଗଳା ଭାଷାର ପ୍ରସାର ପାଇଁ ପ୍ରୟାସ ଜାରିରଖିଛି ।

ଅପରପଟେ ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ସ୍କୁଲ, ବିଦ୍ୟୁତ ସଂଯୋଗ ଆଦି ଲାଗି ଅବିରତ ପ୍ରଚେଷ୍ଟା କରାଯାଉଛି । ଏପରିକି ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳର କେତେକ ଓଡ଼ିଆ ମାଧ୍ୟମ ସ୍କୁଲରେ ତେଲୁଗୁ ପଢ଼ାଯିବା କଥା ବି ଶୁଣିବାକୁ ମିଳୁଛି ।

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟଫଳରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକମାନେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟରେ ମିଶିଯିବାକୁ ଇଚ୍ଛା କରୁଛନ୍ତି ।

ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଜପତି, ଗଞ୍ଜାମର କିଛି ସୀମାନ୍ତବର୍ତ୍ତୀ ଗାଁ ଆଜି କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ଅନେକ ଉଦାହରଣ ଆମେ ପାଇପାରିବା ।

କୋରାପୁଟ:

ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ର ପାନ୍ଥଲୁଙ୍ଗ, ଚାଟୁଆ ଏବଂ ପଟାଙ୍ଗି ବ୍ଲକ୍ ର କୋଟିଆ, ସୁଙ୍କି, ଅମ୍ବାପାଲି ତଥା ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମର ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଭାବେ ରହିଛନ୍ତି ।

ଏହି ସୀମାନ୍ତ ପଞ୍ଚାୟତର କିଛି ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି ତ ଆଉ କେଉଁ ଗ୍ରାମକୁ ରାସ୍ତାଘାଟ, ବିଜୁଳି ଓ କର୍ମସଂସ୍ଥାନ ଭଳି କୌଣସି ମୌଳିକ ସୁବିଧା ମିଳିପାରୁ ନାହିଁ । ଏହି ସୀମାନ୍ତ ଗ୍ରାମବାସୀମାନେ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରି ଚଳିଆସୁଛନ୍ତି ।

ଉଦାହରଣଭାବେ ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବୁ ଗ୍ରାମକୁ ନିଆଯାଉ । ଏହି ଗ୍ରାମରେ ୩୩ଟି କନ୍ଧ ଓ ୮ଟି ପରଜା ପରିବାର ବାସ କରୁଛନ୍ତି ।

ଏଠାକାର ଗ୍ରାମବାସୀମାନେ କୃଷି ସହିତ ବନଜାତ ଦ୍ରବ୍ୟ ସଂଗ୍ରହ କରି ଓ ମଜୁରୀ ଲାଗି ଚଳନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଏହି ଗ୍ରାମବାସୀ ଅସହାୟ ଓ ନିରୁପାୟ ହୋଇ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ଆନ୍ତର୍ଜାତିକ ସୀମାନ୍ତରେ ଯେମିତି କିଛି ‘ନୋ-ମ୍ୟାନ୍ସ ଲାଣ୍ଡ’ ଥାଏ, ସେହିଭଳି ଓଡ଼ିଶାର କୁଟିଆ ଅଞ୍ଚଳର ୨୨ଖଣ୍ଡ ଗ୍ରାମ (ବିବାଦୀ)ର ଲୋକମାନେ ୧୯୩୪ରୁ ନିଜ ଜନ୍ମଭୂମିର ପରିଚୟ ପାଇଁ ଅନବରତ ସଂଗ୍ରାମ ଚଳାଇ ଆସିଛନ୍ତି ।

ତାହା ବାଦ୍, ଓଡ଼ିଶାର ଗୁଡ଼ିକୁଡ଼ି ଗ୍ରାମରେ ଆନ୍ଧ୍ର ସରକାର ବଳପୂର୍ବକ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରିବା ଦିନଠାରୁ ରାଜ୍ୟ ସୀମାବର୍ତ୍ତୀ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ୩ଟି ଫରେଷ୍ଟବ୍ଲକ୍ ରେ ୭ହଜାର ଏକର ଜଙ୍ଗଲ ସମେତ ୧୬୦ଟି ଗ୍ରାମ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦ ଉଠାଇ ସାରିଲେଣି ।

ନାରାୟଣପାଟଣା ଥାନା ଅନ୍ତର୍ଗତ ଝଞ୍ଜାବତୀ ନଦୀ ପାଶ୍ୱର୍ ଜୟକୋଟାଠାରୁ ରେବତୀଗୁଡ଼ା, ହାତୀଗୁଡ଼ା, ଫରେଷ୍ଟ ସୀମାଖୁଣ୍ଟଠାରୁ ମୁଲାଗାସହ ସଂଯୁକ୍ତ କରୁଥିବା ଆନ୍ଧ୍ର ସୀମା ଏବଂ କାସପାବାଲସାଠାରୁ ଆରମ୍ଭ କରି ଦଳେଇପଟାରୁ ଆନ୍ଧ୍ରର ଡୋକାସିଲା, ସ୍ପେଇବାଲସା ସୀମା ଯାଏଁ ୩ଟି ଫରେଷ୍ଟ ବ୍ଲକ୍ ର ୨ହଜାରରୁ ଅଧିକ ଏକର ଅଞ୍ଚଳର ମାଲିକାନା ନେଇ ବିବାଦ ୧୯୭୫ରୁ ଆରମ୍ଭ ହୋଇଥିଲା ।

୧୯୭୮ରେ ପୁରୁଣା ସର୍ଭେର ତଥ୍ୟକୁ ଭିତ୍ତିକରି ବିବାଦର ସମାଧାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଉଭୟ ରାଜ୍ୟସଭାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ମାଡ଼୍ରାସ୍ ସର୍ଭେ କର୍ମଚାରୀମାନଙ୍କ ଦ୍ୱାରା ୧୯୩୪ସାଲରେ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ଗ୍ରହଣ କରିବା ଲାଗି ସ୍ପଷ୍ଟ ଇଙ୍ଗିତ ଥିଲା ।

ତେବେ ୧୯୭୮ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆପାତତଃ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ସୀମାବର୍ତ୍ତୀ ଏହି ବିବାଦୀୟ ଅଞ୍ଚଳ (ସୀମାଖଣ୍ଡ ୧୫୦୬ରୁ ୧୯୩୩ ପର୍ଯ୍ୟନ୍ତ)ର ତଥ୍ୟଗୁଡ଼ିକ ନିଜ ପାଖରେ ନଥିବା ଭଳି ଅଜବ ଯୁକ୍ତି ଦର୍ଶାଇଛନ୍ତି ।

ଏହି ଯୁକ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସନ୍ଦେହ ସୃଷ୍ଟି କରିଛି । ଏହି ବିବାଦର ସମାଧାନ ପାଇଁ ୧୯୮୪ ସାଲରୁ ଉଭୟ ରାଜ୍ୟ ଉଚ୍ଚ ଅଧିକାରୀସ୍ତରୀୟ ବୈଠକ ସାତରୁ ଅଧିକ ଥର ହୋଇସାରିଲାଣି । ମାତ୍ର ଆନ୍ଧ୍ର ସରକାର ପୁନରାୟ ବିବାଦୀୟ କ୍ଷେତ୍ରର ସର୍ଭେ ପାଇଁ ଜିଦ୍ ଧରିବସିଛନ୍ତି ।

ବଣପାହାଡ଼ ଘେରା, ଦୁର୍ଗମ ଇଲାକାରେ ଥିବା ଏହି ଗ୍ରାମର ଲୋକ କୌଣସି ରୋଗରେ ପୀଡ଼ିତ ହେଲେ ଲୋକେ ମାଛକୁଣ୍ଡ ନଦୀ ପାର କରି ଆନ୍ଧ୍ରର ପେଦାବାଇଲି କିମ୍ବା ପାଡ଼େରକୁ ନେଇ ଚିକିତ୍ସା କରିଥାନ୍ତି । ସୁଡୁବୁ ଭଳି ଅନେକ ସୀମାନ୍ତବର୍ତ୍ତୀ ଗ୍ରାମର ଅବସ୍ଥା ସମାନ ।

ଯାହାଫଳରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ରାଜ୍ୟରୁ ଦୂରେଇ ଯିବାରେ ଲାଗିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ହାଟବଜାର, କାମଧନ୍ଦା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି ।

ଜୋର ଯାର ମୂଲକ ତା’ର ନୀତିରେ ଏବେ ବିବାଦୀୟ କୁଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର କର୍ତ୍ତୃତ୍ୱ ବଢ଼ିଚାଲିଛି ।

ଦୀର୍ଘବର୍ଷ ଧରି କୁଟିଆ ଅଞ୍ଚଳର ୨୧ଖଣ୍ଡ ଗ୍ରାମକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ର ସରକାର ଏସବୁ ବିବାଦୀୟ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ।

ଗ୍ରାମବାସୀଙ୍କୁ ଖାଉଟି କାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ଭୋଟର କାର୍ଡ଼ ପ୍ରଦାନ କରି ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

କେବଳ ଏତିକି ନୁହେଁ, ଆନ୍ଧ୍ର ପ୍ରଶାସନ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏହି ବିବାଦୀୟ ଗ୍ରାମପୁଞ୍ଜ ଅଞ୍ଚଳର କେତେକ ଗ୍ରାମକୁ ରାସ୍ତା ତିଆରି କରିବା ସାଙ୍ଗକୁ ବିଦ୍ୟୁତ ଯୋଗାଣ, ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୬୮କି.ମି. ଦୂର ତଥା ଜାତୀୟ ରାଜପଥ ନଂ ୨୬ରୁ ୩୦କି.ମି. ଦୂରରେ କୁଟିଆ ଗ୍ରାମ ପଞ୍ଚାୟତ ଅବସ୍ଥିତ ।

ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଖଣ୍ଡ ଗ୍ରାମ କୁଟିଆ, ଗଞ୍ଜେଇପଦର, ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ, ମହିପାଣି, ଉପରସେମ୍ବି, ତଳସେମ୍ବି, ଧୂଳିପଦର, ଆର୍ଜୁବାଲସା, ତାଡ଼ିବାଲସା, ନାରେଡ଼ିବାଲ, ରଣାସିଂ, ପନକାର, ସିଡ଼ିବାଲସା, ବାର୍ଣ୍ଣାପାଡ଼ୁ, ସିମାଗାଡ଼ା, ହରମାଣ୍ଡିଙ୍ଗ, ସଲପଗୁଡ଼ା, ତୁଲିସା, ପଣାଦୋରାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୪ ମସିହାରୁ ଆଇନଗତ ବିବାଦ ଲାଗି ରହିଛି ।

୧୯୬୮ମସିହାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ଉକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବିବାଦୀୟ ୨୧ଖଣ୍ଡ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ନାନା ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି । କିଛି ଗାଁରେ ରାସ୍ତା ନିର୍ମାଣ ଓ ଆଉ କିଛି ଗାଁରେ ବିଦ୍ୟୁତଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି ।

କେବଳ ସେତିକି ନୁହେଁ ଏହି ବିବାଦୀୟ ଗ୍ରାମଗୁଡ଼ିକ ମଧ୍ୟରୁ ଦୁଇଟି ଗାଁରେ ସ୍କୁଲ ଗୃହ ନିର୍ମାଣ କରିବା ସହିତ ତେଲୁଗୁଭାଷାରେ ଶିକ୍ଷାଦାନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆନ୍ଧ୍ର । କେତେକାଂଶରେ ସଫଳ ମଧ୍ୟ ହେଉଛି ।

ଏହି ବିବାଦୀୟ ପଞ୍ଚାୟତରେ ମୋଟ ଜନସଂଖ୍ୟା ୬୩୦୪ ହୋଇଥିବା ବେଳେ ୭୭୮ଘର ଆଦିବାସୀ, ୧୨୩ ଘର ହରିଜନ ପରିବାର ରହୁଛନ୍ତି । ଓଡ଼ିଶା ପକ୍ଷରୁ କୁଟିଆରେ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ପ୍ରଶାସନ ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀ ତିନିଟି ପଞ୍ଚାୟତ ସୃଷ୍ଟି କରିଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପଡ଼ା ଗାଁ । ଗାଁଟି ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିବା ପରେ ଗତ କିଛିବର୍ଷ ତଳେ ହିଁ ରାଜ୍ୟ ସରକାରଙ୍କ କିଛି ଯୋଜନା ଏଠାରେ ଆରମ୍ଭ ହୋଇଛି । କିନ୍ତୁ ଯୋଜନାଗୁଡ଼ିକ ଧିମା ଗତିରେ ଚାଲିଥିବାବେଳେ ଗାଁର ସମସ୍ତ ୧୪ଟି ପରିବାର କାର୍ଯ୍ୟକାରୀ ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ଉପକୃତ ହୋଇପାରି ନାହାନ୍ତି ।

ଅନ୍ୟପକ୍ଷରେ ଆନ୍ଧ୍ର ସରକାର ସୀମାନ୍ତ ଏହି ଗାଁକୁ ନିଜ କବଜାକୁ ନେବାକୁ ଗୋଟିଏବି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ପଡ଼ୋଶୀ ସରକାରଙ୍କ ପକ୍ଷରୁ ଗାଁର ପ୍ରତ୍ୟେକ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯାଇଛି ।

ଅନ୍ୟପକ୍ଷରେ ଅଳ୍ପ କିଛିଦିନ ତଳେ ଓଡ଼ିଶା ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିଛନ୍ତି ଯେଉଁଥିରେ କି ସମସ୍ତ ପରିବାର ବି ସାମିଲ ହୋଇପାରି ନାହାନ୍ତି ।

ଏପରିକି ଅଧିକାଂଶ ସମୟରେ ବିଦ୍ୟୁତ ରହୁନଥିବାରୁ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ବିଦ୍ୟୁତ ସଂଯୋଗ ନକରାଇବାକୁ ସଫା ସଫା ମନା କରିଦେଇଛନ୍ତି । ଇନ୍ଦିରା ଆବାସ ଯୋଜନାରେ ବି ସମାନ ସ୍ଥିତି ।

ଆନ୍ଧ୍ର ସରକାରଙ୍କ ଦ୍ୱାରା ବହୁ ଇନ୍ଦିରା ଆବାସ ଘର ସମ୍ପୂର୍ଣ୍ଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ନଚେତ କାର୍ଯ୍ୟାଦେଶ ପ୍ରଦାନ ହୋଇସାରିଥିବାରୁ ଭିତ୍ତିଭୂମି କାମ ସରିଛି । ଯେଉଁଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅଳ୍ପ କିଛି ପରିବାର ହିଁ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି ।

ଆନ୍ଧ୍ରସରକାର ସମସ୍ତ ପରିବାରଙ୍କୁ ବିପିଏଲ କାର୍ଡ଼ ଯୋଗାଇ ଯୋଗାଣ ସାମଗ୍ରୀ ନିୟମିତ ତଥା ବିଧି ପ୍ରଦାନ କରୁଛନ୍ତି । ଗତ ଜନଗଣନାରେ ଗ୍ରାମକୁ ନିଜ ରାଜ୍ୟ ସୀମାରେ ରହିଥିବା ଦର୍ଶାଇ ଆନ୍ଧ୍ର ସରକାର ଜନଗଣନା ବି କରାଇଛନ୍ତି ।

ନିର୍ବାଚନ ସମୟରେ ଗ୍ରାମବାସୀ ଓଡ଼ିଶାର ପଟାଙ୍ଗି ଏବଂ ଆନ୍ଧ୍ରର ଆର୍କୁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଉଛନ୍ତି । ଶିକ୍ଷାବ୍ୟବସ୍ଥା ନିମନ୍ତେ ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଉଣା କରାଯାଇ ନାହିଁ । ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷକ ତେଲୁଗୁ ଭାଷା ସହ ଅନ୍ୟ ବିଷୟରେ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘବର୍ଷ ଅବହେଳିତ ଅବସ୍ଥାରେ ରହିବାପରେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଲୋକେ ଏତେମାତ୍ରାରେ ଉତ୍ସାହିତ ହୋଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମିଶିବାରେ କୌଣସି ପ୍ରକାର ଦ୍ୱିଧା ନଥିବା କହିଛନ୍ତି । ଏ ତ’ ଥିଲା ଓଡ଼ିଶାର ସୀମାନ୍ତ ଗ୍ରାମରେ ଆନ୍ଧ୍ରର ଏକତରଫା ପତିଆରା ।

ଗଜପତି:

କୋରାପୁଟ ପରି ଆନ୍ଧ୍ରର ନଜର ପଡ଼ିଛି ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ କିଛି ଗ୍ରାମ ଉପରେ । ପାରଳାଖେମୁଣ୍ଡି ତହସିଲ ଅଧିନ ପୂର୍ବ ଓ ଦକ୍ଷିଣ ସୀମା ଆନ୍ଧ୍ରପ୍ରଦେଶକୁ ଲାଗି ରହିଛି ।

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶ ଏପର୍ଯ୍ୟନ୍ତ ଏହି ଇଲାକା ବିସ୍ତୃତ । ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସୀମାଯାଏଁ କାଶୀନଗର ବ୍ଲକ୍ର ବାଡ଼ିଗାଁ, ପାଲସିଂ ଏବଂ ଗୋଷାଣୀ ବ୍ଲକ୍ର କେତେକ ଅଞ୍ଚଳ ଆନ୍ଧ୍ରକୁ ଲାଗିଛି ।

ଏହି ସୀମାନ୍ତ ଇଲାକାର ଖଣ୍ଡାସା ଓ କୌଶଲ୍ୟାପୁର ଅଞ୍ଚଳ ଉପରେ ଆନ୍ଧ୍ର ଏକପ୍ରକାର ନିଜର ମାଲିକାନା ଜାହିର କରିଥିବା ବେଳେ କାଶୀନଗର ବ୍ଲକ୍ ଅଧିନ ହାଡ଼ୁଭାଙ୍ଗିରେ ଏକ ଘରୋଇ ତେଲୁଗୁ ପ୍ରାଥମିକ ବିଦ୍ୟାଳୟ ଖୋଲିଛି ।

ଓଡ଼ିଶା ମଧ୍ୟରେ ଆନ୍ଧ୍ର ଏଭଳି ଶିକ୍ଷାନୁଷ୍ଠାନ କିଭଳି ଖୋଲିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି କାଶୀନଗର ବ୍ଲକ୍ ଅନ୍ତର୍ଗତ ନଳାବନ୍ତୁ (ନାଲାବାନ୍ତୁ) ମୌଜାର ଆଦିବାସୀ ବାସିନ୍ଦାଙ୍କୁ ଆନ୍ଧ୍ରର ସମନ୍ୱିତ ଆଦିବାସୀ ସଂସ୍ଥା ସହାୟତା ଯୋଗାଇ ଦେବାସହ ଖଜଣା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ପାରଳାଖେମୁଣ୍ଡିର ସୀତାସାଗର ଓ ଦକ୍ଷିଣ ପଟକୁ ଥିବା ଚୋରାଗୁଡ଼ି ଖସପା ମୌଜାର କେତେକ ଜମି ମଧ୍ୟ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି । ଏହି ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦେୱାନୀ ବିବାଦ ଲାଗି ରହିଥିଲା ।

ପରବର୍ତ୍ତୀ ସମୟରେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଥିଲା, ହେଲେ ଆନ୍ଧ୍ର ଦଖଲଦାର -ମାନଙ୍କୁ ଏଯାଏଁ ସେଠାରୁ ଉଚ୍ଛେଦ କରାଯାଇ ପାରି ନାହିଁ ।

କାଶୀନଗର ସୀମାରେ ପ୍ରବାହିତ ବଂଶଧାରା ନଦୀର ଅପରପାଶ୍ୱର୍ରେ ଓଡ଼ିଶାର ଅଭିଲିମା ମୌଜାର ଶତାଧିକ ଏକର ସରକାରୀ ଜମି ଆନ୍ଧ୍ର ଚାଷୀଙ୍କ ଜବରଦଖଲରେ ରହିଛି । ଏହାକୁ ନେଇ ଯେତେ ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ ।

ରାୟଗଡ଼ ବ୍ଲକ୍ ର ଗୁଡ଼ିଖୁଡ଼ି ମୌଜାକୁ ନେଇ ଆନ୍ଧ୍ରପକ୍ଷରୁ କଳିଙ୍ଗଦଳା ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

ଫଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି କି ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍.ଟି ରାମାରାଓଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ସମ୍ପୃକ୍ତ ଅଞ୍ଚଳ ଓଡ଼ିଶାର ବୋଲି ଆନ୍ଧ୍ର ସରକାର ଆପାତତଃ ସ୍ୱୀକାର କରିଥିଲେ ।

ସେତେବେଳେ ଡ୍ୟାମ୍ ନିର୍ମାଣପାଇଁ ଓଡ଼ିଶା ସରକାରଙ୍କୁ ବୁଡ଼ି ଅଞ୍ଚଳ ବାବଦକୁ କ୍ଷତିପୂରଣ ଦେବା ସକାଶେ ଚୁକ୍ତି ହୋଇଥିଲା । ହେଲେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ପଇସାଟିଏ କ୍ଷତିପୂରଣ ଆଦାୟ କରିବାକୁ ସକ୍ଷମ ହୋଇପାରିନାହାନ୍ତି ।

ଜମିଦାରି ଅମଳରୁ ପାରଳାଖେମୁଣ୍ଡିର ସୀତାସାଗର ଓ ରାମସାଗର ଭଳି କେତେକ ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ରର ଚାଷୀ ଜଳ ନେଉଥିଲେ ହେଁ ଟଙ୍କାଟିଏ ଜଳକର ଦେଉନାହାନ୍ତି ।

ବାରମ୍ବାର ଦାବି କରାଯିବା ପରେ ଆନ୍ଧ୍ର ସରକାର କିଛିଦିନ ଜଳକର ପୈଠକରି ଏହାକୁ ବନ୍ଦ କରିଦେଇଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଜଳକର ବାବଦରେ ଗୋଟିଏ ଟଙ୍କା ଓଡ଼ିଶାକୁ ମିଳିନାହିଁ ।

ସେହିପରି ଗଙ୍ଗାବାଡ଼, ଲାବଣ୍ୟଗଡ଼, ଜଙ୍ଗଲପାଡ଼ୁ, ହାଡ଼ୁଭାଙ୍ଗି, ସୀତାପୁର, ବ୍ରାହ୍ମଣୀ ଗାଁ, ଚୋରଗୁଡ଼ି, ଖସପା, ଅଭିଲିମା, ଗୁଡ଼ିଖୁଡ଼ି ଆଦି ଗ୍ରାମର ସୀମା ନିର୍ଦ୍ଧାରଣ ହୋଇପାରି ନଥିବାରୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ଏହି ଅଞ୍ଚଳଉପରେ ନିଜ ଅଧିକାର ଦାବି କରୁଛନ୍ତି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ୧୨ଟି ଗ୍ରାମ ଉପରେ ଆନ୍ଧ୍ରର ଏକତରଫା କର୍ତ୍ତୃତ୍ୱ ହେଉଛି ସବୁଠାରୁ ତାଜା ପ୍ରମାଣ ।

୧୯୭୮ରେ ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେରେ ବିବାଦୀୟ ଗ୍ରାମରୂପେ ଚିହ୍ନଟ ହୋଇଥିବା ପାରଳା ତହସିଲର ବାବନା ସାହି, ବାଡ଼ିଗାଁ, ଚାବୁଡ଼ିଆ, କହ୍ନାଇମାଲ, ସିଲିସିଙ୍ଗି, ଅର୍ଜୁବା, ରାସଙ୍କ, ଲଇଡ଼ା, ସରଡ଼ା, ଅଚଣ୍ଡିଆ, ଗୁଡ଼ିକୁଡ଼ି ପ୍ରଭୃତି ବିବାଦୀୟ ଗ୍ରାମ ଗୁଡ଼ିକରୁ ବର୍ତ୍ତମାନର ଆନ୍ଧ୍ର ସରକାର ବଳପୂର୍ବକ ହକ୍ ପଇସା (ରାଜରାଜୁଡ଼ାରୁ ପ୍ରଚଳିତ ରାଜସ୍ୱ) ଆଦାୟ କରୁଥିବା ଦେଖାଯାଉଛି ।

ବୁଡ଼ାସିଙ୍ଗି ଇଷ୍ଟେଟ୍ ସୀମାକୁ ଲାଗି କରିଥିବା ଏହି ବାରଖଣ୍ଡ ଗ୍ରାମ ବ୍ୟତୀତ ଏହା ପୂର୍ବରୁ ୧୯୭୮ରେ ବିବାଦୀୟ ଥିବା ଗୌଡ଼ ଗୁରୁନ୍ଥି, ଆମୁଟିକାମୁରମୁ, କୌଶଲ୍ୟା ପେଟା ଓ ପଟ୍ଟାକୋଡ଼ା ପ୍ରଭୃତି ଗ୍ରାମକୁ ଆନ୍ଧ୍ରପ୍ରଦେଶ ଦଖଲ କରି ନେଇଥିବା ଜଣାଯାଇଛି ।

ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ଓଡ଼ିଶାର ଏହି ଜିଲ୍ଲାଟି ୭ଟି ବ୍ଲକ୍ ଏବଂ ୧୨୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ଜିଲ୍ଲାର ସଦର ମହକୁମା ସମେତ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ସମ୍ପୂର୍ଣ୍ଣଭାବେ ଆନ୍ଧ୍ର ସୀମାନ୍ତରେ ରହିଛି ।

ଏହିସବୁ ଅଞ୍ଚଳମାନଙ୍କରେ ଆନ୍ଧ୍ରର ଛାପ ଏମିତି ଭାବେ ପଡ଼ିଛି ଯେ, ଏଠାକାର ତେଲୁଗୁ ଭାଷାଭାଷୀ ଲୋକେ ଛାଡ଼ନ୍ତୁ, ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ସେମାନଙ୍କ ପର୍ବପର୍ବାଣୀ, ଚାଲିଚଳଣି, କଥାବାର୍ତ୍ତା ଏପରିକି ସଂସ୍କୃତିକୁ ମଧ୍ୟ ଆପଣେଇ ନେଇଛନ୍ତି ।

ପରିସ୍ଥିତିରେ ପଡ଼ି ହେଉ କି ଇଚ୍ଛା ଅନୁସାରେ ହେଉ ପୂର୍ବପୁରୁଷମାନେ ଆପଣେଇ ନେଇଥିବା ସଂସ୍କୃତିକୁ ବର୍ତ୍ତମାନର ପିଢ଼ି ସେଗୁଡ଼ିକୁ ନିଜର ସଂସ୍କୃତି ବୋଲି ଧରିନେଇଛନ୍ତି ।

କେବଳ ସେତିକି ନୁହେଁ ଏହି ସବୁ ଅଞ୍ଚଳରେ ବିନା ତେଲୁଗୁ ଭାଷାରେ ଚଳିବା ଖୁବ୍ କଷ୍ଟକର । ତେଣୁ ବାହାରୁ ଆସିଥିବା ଲୋକେ ଏହି ସବୁ ଅଞ୍ଚଳ ଓଡ଼ିଶାରେ ଅଛି କି ଆନ୍ଧ୍ରରେ ଅଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ ।

ଏହି ଅଞ୍ଚଳର ଲୋକମାନଙ୍କୁ ବଜାର ଠାରୁ ଆରମ୍ଭ କରି ଚିକିତ୍ସାପାଇଁ ସବୁ କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ସାମାନ୍ୟତମ ଦେହ ଖରାପ ହେଲେ ମଧ୍ୟ ଏଠାରେ କାମ କରୁଥିବା ଡାକ୍ତରମାନେ ରୋଗୀଙ୍କୁ ବିଶାଖାପାଟଣା ପଠାଇ ଥାଆନ୍ତି ।

ବର୍ତ୍ତମାନ ଲୋକେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ, କୌଣସି ଜଟିଳ ରୋଗ ହୋଇଥିଲେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ରକୁ ନେବାକୁ ପଡ଼ିବବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଉଛନ୍ତି ।

ବିଶେଷ କରି ଗୋଷାଣୀ ଏବଂ କାଶୀନଗର ବ୍ଲକ୍ର ଅଧିକାଂଶ ଲୋକେ ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖାପାଟଣା, ବିଜୟନଗରମ ଆଦି ଅଞ୍ଚଳ ଉପରେ ବିଭିନ୍ନ ପ୍ରକାର କାମ ପାଇଁ ନିର୍ଭର କରିଥାନ୍ତି ।

ଜିଲ୍ଲାର ଏମିତି କିଛି ଗାଁ ଅଛି ଯେଉଁଠିକି ଜଣେ ଲୋକର ଘରର ପଛ ପଟ ଆନ୍ଧ୍ରରେ ଥିବାବେଳେ, ବାହାରପଟ ବା ଦାଣ୍ଡପଟ ରହିଛି ଓଡ଼ିଶାରେ । ଫଳରେ ଏଭଳି ପରିସ୍ଥିତିରେ ଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଭଳି ଗାଁଗୁଡ଼ିକ ହେଉଛି ଗୋଷାଣୀ ବ୍ଲକ୍ର ରାଟିଣୀ, କାଶୀନଗର ବ୍ଲକ୍ ର କେ.ସୀତାପୁର ଆଦି । ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୮ ପୂର୍ବରୁ ଏହି ବିବାଦୀୟ ଗ୍ରାମପୁଞ୍ଜର ସବିଶେଷ ତଥ୍ୟ ଓ ମ୍ୟାପ୍ ନଥିବା ଦର୍ଶାଇ ସମ୍ପୂର୍ଣ୍ଣ ସର୍ଭେ ପରେ ଗ୍ରାମଗୁଡ଼ିକର ମାଲିକାନା ନିର୍ଦ୍ଧାରଣ ପାଇଁ ଓଡ଼ିଶା ଓ ଆନ୍ଧ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଇତିମଧ୍ୟରେ ବିବାଦୀୟ ଗ୍ରାମଗୁଡ଼ିକରେ ସହଜ ଦଖଲ କରି ବର୍ତ୍ତମାନ ଆନ୍ଧ୍ର ସରକାର କୁଆଡ଼େ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ଓ ମହେନ୍ଦ୍ରତନୟା ନଦୀକୁ ନିଜ ପ୍ରଦେଶର ବୋଲି ସ୍ୱର ଉଠାଉଛନ୍ତି ।

ଏହି ପରିସ୍ଥିତିରେ ସରକାର ଚୁପ୍ ରହିଲେ ଓଡ଼ିଶା ସୀମା ତଥା ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଆତ୍ମପରିଚୟ ଅଚିରେ ଲୋପ ପାଇଯିବ ।

ମାଲକାନଗିରି:

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପୂର୍ବପାଶ୍ୱର୍ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାବେଳେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ କୁଡ଼ୁମୁଲୁଗୁମ୍ମା ବ୍ଲକ୍ର ୮ଟି ଗ୍ରାମ ପଞ୍ଚାୟତ ବାଲିମେଳା ଜଳଭଣ୍ଡାର ଅପରପାଶ୍ୱର୍ରେ ଅବସ୍ଥିତ ।

ଏହି କାରଣରୁ ଏହି ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛି । ଏଠାକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଜଳଭଣ୍ଡାର ମଧ୍ୟରେ ଦୀର୍ଘ ୬୦କି.ମି. ଡଙ୍ଗା କିମ୍ବା ଲଞ୍ଚ୍ ରେ ବିପଦପୂର୍ଣ୍ଣ ଜଳଯାତ୍ରା କରିବାକୁ ପଡ଼ିଥାଏ ।

ଫଳରେ ବିଚ୍ଛିନ୍ନାଞ୍ଚଳରେ ଥିବା ଗ୍ରାମଗୁଡ଼ିକ ମଧ୍ୟରୁ ୧୫୧ଟି ଗ୍ରାମର ଲୋକେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଛନ୍ତି ।

ଏହିସବୁ ସୀମାନ୍ତବର୍ତ୍ତୀ ଗ୍ରାମ ଓ ଜଙ୍ଗଲଗୁଡ଼ିକୁ ଜବରଦଖଲ କରିନେଇ ଆନ୍ଧ୍ର ନିଜରାଜ୍ୟରେ ସାମିଲ କରିଦେଉଥିବା ବେଳେ ମାଓବାଦୀମାନେ ଏହି ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଏସବୁ ମଧ୍ୟରେ ନୀରିହ ଗ୍ରାମବାସୀମାନେ ହିଁ କେବଳ ଶୋଷିତ ହେଉଛନ୍ତି ।

୧୯୭୨ ମସିହାରେ ଓଡ଼ିଶା ଓ ଆନ୍ଧ୍ରସରକାରଙ୍କ ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡାଠାରେ ବୃହତ୍ ମାଟିବନ୍ଧ ଯୋଜନା କରାଯାଇ ବାଲିମେଳା ଜଳଭଣ୍ଡାରକୁ ୬୫କି.ମି. ପରିବ୍ୟାପ୍ତ କରାଯାଇଥିଲା ।

ଏହି ଜଳଭଣ୍ଡାର ପ୍ରତିଷ୍ଠା ହେବା ଦ୍ୱାରା ୧୧ଟି ଗ୍ରାମର ଲୋକମାନେ ଭିଟାମାଟି ହରାଇ ଜଳଭଣ୍ଡାରର ଅପରପାଶ୍ୱର୍ରେ ବିଚ୍ଛିନ୍ନ ହୋଇ ଦୀର୍ଘ ୪୦ବର୍ଷ ଧରି ରହିଛନ୍ତି ।

ସେମାନଙ୍କ ନିକଟରେ ବଞ୍ଚି ରହିବାର ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଜଳବନ୍ଦୀ ଜୀବନ ବିତାଉଥିବା ବିଚ୍ଛିନ୍ନାଞ୍ଚଳର ଏହି ଗ୍ରାମବାସୀମାନେ ପ୍ରତିଟି କ୍ଷେତ୍ରରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ପରି ଛତିଶଗଡ଼ ସରକାର ମଧ୍ୟ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକ ଉପରେ ଆଖି ପକାଇଛନ୍ତି ।

ସୀମାନ୍ତ ସାବେରୀ ନଦୀ ପାର ହୋଇ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ଓଡ଼ିଶା ସୀମାନ୍ତବର୍ତ୍ତୀ ଜଙ୍ଗଲରେ କୁଡ଼ିଆ କରି ରହୁଥିବାରୁ ସେମାନଙ୍କର ଯାତାୟତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ରାସ୍ତାଘାଟ ନିର୍ମାଣ ସହିତ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ଏଭଳି ଉନ୍ନୟନମୂଳକ କାର୍ଯ୍ୟ କରିବା ଆଳରେ ଓଡ଼ିଶାର କିଛି କିଛି ସୀମାନ୍ତବର୍ତ୍ତୀ ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛନ୍ତି ଛତିଶଗଡ଼ ସରକାର ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଗୋଟିଏ ପଟେ ଆନ୍ଧ୍ର ଓ ଅନ୍ୟପଟେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ରାଜ୍ୟରେ ମିଶାଇ ଦେବାକୁ ଅଧିକ ଦିନ ଲାଗିବ ନାହିଁ ।

ଶିକ୍ଷାକ୍ଷେତ୍ରର ଅବସ୍ଥା:

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ସେକେଣ୍ଡାରୀ ସ୍କୁଲସ୍ତରରେ ପାଠପଢ଼ୁଥିବା ଓଡ଼ିଶା ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ମଧ୍ୟରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତ୍ରିଭାଷା ଶିକ୍ଷାନୀତିରେ ଦ୍ୱିତୀୟ ଭାଷାଭାବେ ହିନ୍ଦୀଭାଷା ପରିବର୍ତ୍ତେ ତେଲୁଗୁ ପଢ଼ିବାକୁ ବାଧ୍ୟ କରାଯାଉଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁବିଧାପାଇଁ ଏପରି ତ୍ରିଭାଷା ଫର୍ମୁଲାର ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଦ୍ୱିତୀୟ ଭାଷାରୂପେ ରଖାଯିବାକୁ ଦାବିକରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉତ୍ତର ଆନ୍ଧ୍ର ଓଡ଼ିଆ ସଂଖ୍ୟାଲଘୁ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ଦିଆଯିବା ସହିତ ଏ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଛି ।

ଆନ୍ଧ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ନିବେଦନ କରାଯାଇଛି, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଶ୍ରୀକାକୁଲମ, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ ୨୦୬ଟି ବିଦ୍ୟାଳୟ ରହିଥିବାବେଳେ ଏହି ବିଦ୍ୟାଳୟଗୁଡ଼ିକରେ ୩୦ ହଜାରରୁ ଊଦ୍ଧ୍ୱର୍ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଏମାନେ ୨ୟ ଭାଷାଭାବେ ହିନ୍ଦୀ ପଢ଼ି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାରଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତି (୨୦୦୩) ପ୍ରକାରେ କିଛି ପରିବର୍ତ୍ତନ ଅଣାଯାଇ ୨ୟ ଭାଷାଭାବେ ଚଳିଆସୁଥିବା ହିନ୍ଦୀକୁ ଉଠାଇ ଦିଆଯିବାରୁ ୨୦୦୭ ପରୀକ୍ଷାରେ କେହି ଜଣେ ହେଲେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ।

ପରବର୍ତ୍ତୀ ପଦକ୍ଷେପସ୍ୱରୂପ ଆନ୍ଧ୍ର ସରକାରଙ୍କ ସରକାରୀ ଆଦେଶନାମା (୮୬) ପ୍ରକାରେ ପୁନର୍ବାର ହିନ୍ଦୀ ପଢ଼ିବାପାଇଁ ଅନୁମତି ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ ।

ମାତ୍ର ଦୁର୍ଭାଗ୍ୟବଶତଃ ସରକାର ପୁନର୍ବାର ୨୦୦୯ରେ ଅନ୍ୟଗୋଟିଏ ସରକାରୀ ନିର୍ଦ୍ଦେଶନାମା (ଜି.ଓ)-୩୯ର ପ୍ରଣୟନ କରିବା ପୂର୍ବକ ଜିଓ-୮୬ରେ କିଛିଟା ପରିବର୍ତ୍ତନ ଆଣି ଆଦେଶନାମା (୬୩)ରୁ ପ୍ରତ୍ୟାହାର କରିନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିନ୍ଦୀଶିକ୍ଷାକୁ ସମ୍ପୂର୍ଣ୍ଣ ବାଦ୍ ଦେଇଥିଲେ ।

ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ହିନ୍ଦୀ ଶିକ୍ଷା ବାଦ୍ ପଡ଼ିଯିବା ଫଳରେ ଛାତ୍ରଛାତ୍ରୀ ହିନ୍ଦୀ ଶିକ୍ଷା ପାଇବାରୁ ବଞ୍ଚିତ  ହୋଇଯିବା ଫଳରେ କେନ୍ଦ୍ର ପ୍ରାୟୋଜିତ ନିଯୁକ୍ତି ସୁଯୋଗ ମିଳିବ ନାହିଁ । ଏହା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପଢ଼ୁଥିବା ପିଲାଙ୍କ ପ୍ରତି ଅବିଚାର ବୋଲି ବିବେଚିତ ହେଉଛି ।

(ପ୍ରକାଶିତ ବିଚାର ଲେଖକଙ୍କ ନିଜସ୍ଵ )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଆନ୍ଧ୍ର, ଓଡିଶା, ସୀମାନ୍ତବର୍ତ୍ତୀ

ଦୁବାଇ ଠାରେ ପ୍ରବାସୀ ଓଡିଆଙ୍କ ପୁଷପୁନି ପାଳନ

January 21, 2018 by ଓଡିଶା ଡଟ କମ Leave a Comment

ଓଡିଶା ଡଟକମ ସଂବାଦ ଦାତା

ଦୁବାଇ, ଜାନୁଆରୀ ୨୧ (ଓଡିଶା ଡଟ କମ) ଦୁବାଇ ଠାରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ପୁଷପୁନି ବ୍ୟାପକ ଜାକ ଜମକରେ ଶୁକ୍ରବାର ପାଳନ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ ଓଡିଆ।

ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଓ ପରିବାରର ସଦସ୍ୟ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ଓ ପଶ୍ଚିମ ଓଡିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ଯ ଯଥା ମାଂସ ତରକାରୀ ଓ ଆମ୍ବିଳ ସମସ୍ତଙ୍କୁ ପରସା ଯାଇଥିଲା ।

ସମ୍ବଲପୁରୀ ଗୀତ ଓ ନୃତ୍ୟବାଦ୍ୟର ତାଳେ ତାଳେ ଦର୍ଶକ ଝୁମିଉଠିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶ୍ଵ ଦୃଷ୍ଟିହୀନ କ୍ରିକେଟ ପରିଷଦ ଓ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର କର୍ମ କର୍ତ୍ତା ମାନେ।

ଏହି ଅବସରରେ ବରଗଡର ପଙ୍କଜ ଭୁଏ ଓ ଭୁବନେଶ୍ବରର ମହମ୍ମଦ ଜଫର ଇକବଳ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସଦସ୍ୟ ଭାବେ କ୍ରିକେଟ ଖେଳି ଖ୍ଯାତି ଅର୍ଜନ କରିଥିବାରୁ ସେମାନକୁ ସମ୍ମାନିତ କରା ଯାଇଥିଲା।

ଉଭୟ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଶ୍ଚିମ ଓଡିଶା ପରିବାର ଦୁବାଇ ତରଫରୁ ୨୦୧୬ରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଲୋକପ୍ରିୟ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଳଙ୍କୁ ଓ ୨୦୧୭ ପୁଷପୁନି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରା ଯାଇଥିଲା।

ପଶ୍ଚିମ ଓଡିଶା ପରିବାର ଦୁବାଇ ନିୟମିତ ଭାବରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ପଶ୍ଚିମ ଓଡ଼ିଶା, ପୁଷପୁନି, ପ୍ରବାସୀ ଓଡ଼ିଆ, ସମ୍ବଲପୁରୀ ଗୀତ

ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ପ୍ରିୟଲୋକ

January 14, 2018 by ଓଡିଶା ଡଟ କମ Leave a Comment

ଦେବେନ୍ଦ୍ର ପୃଷ୍ଟି

ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାଂପ୍ରତିକ ଓଡ଼ିଶାର ସବୁଠୁଁ ଅଧିକ ଲୋକପ୍ରିୟ ନେତା । ଏଥିରେ ସନ୍ଦେହ ନାହିଁ ।

ସେ ୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା ହାସଲ କରିଛନ୍ତି ତତ୍ତୁଲ୍ୟ ସଫଳତା ଅନ୍ୟ କୌଣସି ଓଡ଼ିଆ ରାଜନେତା ହାସଲ କରି ନାହାନ୍ତି ।

ଆସୁ ଆସୁ ସାଂସଦ । ବର୍ଷକ ଭିତରେ ଗୋଟିଏ ଆଞ୍ଚଳିକ ଦଳର ସଭାପତି । କେନ୍ଦ୍ର ମନ୍ତ୍ରୀ । ତା’ପରଠୁଁ ଚାରି ଚାରି ଥର ବିଧାନସଭା ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ । ଏଇ ପଦରେସେ ୧୮ ବର୍ଷ ହେଲା ଅଛନ୍ତି ।

ଏଇ ୨୨ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ତାଙ୍କ ମେଣ୍ଟ ଓ ଦଳ ୫ଟି ଲୋକସଭା ନିର୍ବାଚନ ଓ ୪ଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ।

ପ୍ରତି ନିର୍ବାଚନରେ ତାଙ୍କ ଦଳର ବିଧାୟକ ସଂଖ୍ୟା ବଢ଼ି ବଢ଼ି ଏବେ ୧୪୭ ଆସନରୁ ୧୧୭ ଆସନ ପାଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି । ଏଭଳି ସ୍ଥିର ଓ ନିରଙ୍କୁଶ ସରକାର ଓଡ଼ିଶା ଇତିହାସରେ ବିରଳ ।

ଏପରିକି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ୯ ବର୍ଷର ଶାସନରେ ମଧ୍ୟ ଏପରି ରାଜନୀତିକ ସ୍ଥିରତା ଦେଖିବାକୁ ମିଳି ନଥିଲା ।

ତଥାପି, ନବୀନବାବୁଙ୍କ ବିରୋଧରେ ଅନେକ ସମୟରେ ଅଭିଯୋଗ ହୁଏ ଯେ ସେ ରାଜ୍ୟ ରାଜନୀତିରେ ଏବେ ବି ଜଣେ ନାବାଳକ । ସେ ନିଜେ କିଛି ନବୁଝି ଅନ୍ୟମାନଙ୍କ ଜରିଆରେ ସବୁ କାମ କରାଇ ନିଅନ୍ତି ।

ଲୋକଙ୍କ ସମର୍ଥନରେ ସେ ସିନା ଲୋକପ୍ରିୟ, ମାତ୍ର ସେ ଶାସନ ଓ ରାଜନୀତି ପରିଚାଳନା କରିବା ପାଇଁ କେତେକ ପ୍ରିୟ ଲୋକଙ୍କୁ ବାଛିଛନ୍ତି । ଏହି ପ୍ରିୟ ଲୋକମାନଙ୍କ ଜରିଆରେ ହିଁ ସେ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରି ଆସିଛନ୍ତି ।

ଏକଥା ଅନ୍ୟ ଦଳର ନେତାଙ୍କ ଅପେକ୍ଷା ତାଙ୍କରି ଦଳର ଅନେକ ନେତା ମଝିରେ ମଝିରେ ଅଭିଯୋଗ କରିଥାନ୍ତି । ଏମିତି ଅଭିଯୋଗ ପ୍ରଥମେ କରୁଥିଲେ ରାମକୃଷ୍ଣ ପଟ୍ଟନାୟକ । ତାଙ୍କ ପରେ ‘ପ୍ୟାରୀ କିଏ’ ବୋଲି ପ୍ରଶ୍ନ ଉଠାଇ ଏହି ସଂକେତ ଦେଇଥିଲେ ପଂଚାନନ କାନୁନଗୋ ।

ତାଙ୍କ ପରେ ଡାକ୍ତର ଦାମୋଦର ରାଉତ ‘ନିଷ୍ପତ୍ତି କିଏ ନେଉଛି ମୁଁ ଜାଣେନାହିଁ’ ବୋଲି କହି ଏଇ ଇଙ୍ଗିତ ଦେଇଥିଲେ । ଦାମଙ୍କ ବାଣ ପରେ ନବୀନ ନିଜେ କହିବାକୁ ବାଧ୍ୟ ହୋଇଥିଲେ ଯେ ‘ମୁଁ ହିଁ ସବୁ ନିଷ୍ପତ୍ତି ନେଉଛି’ ।

ଏ ତିନି ଜଣ ନେତାଙ୍କ ପରେ ଏହି ପ୍ରଶ୍ନ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ତାଙ୍କରି ଦଳର କେତେକ ନେତା ବ୍ୟକ୍ତିଗତ ଆଲୋଚନାରେ ନବୀନ ଅନ୍ୟମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପ୍ରଭାବିତ ବୋଲି ଅଭିଯୋଗ କରିଥାନ୍ତି ।

ବିଜେଡି ନେତାଙ୍କ ପରେ କଂଗ୍ରେସ ଓ ବିଜେପି ନେତାମାନେ ମଧ୍ୟ ଏଭଳି ଅଭିଯୋଗ ଉଠାଇଛନ୍ତି । କଂଗ୍ରେସର ତାରା ପ୍ରସାଦ ବାହିନୀପତି ଏକାଧିକ ଥର ସ୍ପଷ୍ଟ ଭାଷାରେ ଏପରି ଅଭିଯୋଗ କରିଛନ୍ତି ।

ଏବେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ପରୋକ୍ଷରେ ଏଇ ପ୍ରଶ୍ନ ଉଠାଇଛନ୍ତି । ସେ ତୃତୀୟ ମହଲାର ଜଣେ ଅଣ ଓଡ଼ିଆ ଅଫିସରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ନବୀନଙ୍କ ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ର, ଶହୀଦ ନଗର ମଠ, ମୁଖ୍ୟ ପରାମର୍ଶଦାତା, ଚାଣକ୍ୟ, ତୃତୀୟ ମହଲା, ଦିଲ୍ଳୀ ସିଣ୍ଡିକେଟ, କର୍ପୋରେଟ୍ କୋଟରି, ଗ୍ୟାଙ୍ଗ ଅଫ ଫୋର୍, ଯୁବ ବାହିନୀ ଆଦି ଉପଲକ୍ଷ୍ୟ ଶୁଣିବାକୁ ମିଳିଛି ।

ବିଭିନ୍ନ ପର୍ଯ୍ୟାୟରେ ଏସବୁ ବ୍ୟକ୍ତି ବା ବ୍ୟକ୍ତିଙ୍କ ସଂଗୋଷ୍ଠୀ ନବୀନଙ୍କୁ ମାଧ୍ୟମ କରି ଶାସନ ଓ ରାଜନୀତିର କ୍ଷମତା ଉପଭୋଗ କରିଥିବା ଅଭିଯୋଗ ହୁଏ ।

ଏପରିସବୁ ଅଭିଯୋଗ ଓ ଚର୍ଚ୍ଚା ଯଦି ସତ୍ୟ ହୋଇଥାଏ ତେବେ ନବୀନ ପ୍ରଥମେ ପ୍ରଥମେ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କଥା ଅଧିକ ଶୁଣୁଥିଲେ ।

କିନ୍ତୁ ୧୯୯୯ ମସିହା ଶେଷ ଭାଗରୁ ସେ ପୂର୍ବତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଅଧିକ ବିଶ୍ୱାସ କରିବା ଆରମ୍ଭ କରିଥିଲେ । ପ୍ୟାରୀ ପ୍ରଥମେ ତାଟି ତଳେ ଥାଇ ଗୁଳି ମାରୁଥିଲେ ।

ପରେ ସେ ବିଜେଡିର କାର୍ଯ୍ୟନିର୍ବାହୀ ସଦସ୍ୟ ହେଲେ ଓ ଲଗାତାର ଦୁଇ ଥର ରାଜ୍ୟସଭାକୁ ଗଲେ । ତାଙ୍କ ସମୟରେ ସେ ୨୦୦୦ ମସିହାରୁ ୨୦୧୨ ଯାଏଁ ଦୀର୍ଘ ୧୨ ବର୍ଷ କାଳ ନବୀନଙ୍କ ଆଖି, କାନ ଓ ନାକ ହୋଇ ରହିଥିଲେ ।

ତାଙ୍କ ସମୟରେ ଶହୀଦ ନଗର କ୍ଷମତା କେନ୍ଦ୍ର ଏକ ବହୁ ଚର୍ଚ୍ଚିତ ବିଷୟ ଥିଲା । କୁହାଯାଉଥିଲା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ବି ଶହୀଦ ନଗର ଅଙ୍କଲଙ୍କ ଘରକୁ ଯାଏ ଓ ସେଠାରୁ ନିଷ୍ପତ୍ତି ହୋଇ ଆସିଲା ପରେ ମୁଖ୍ୟମନ୍ତ୍ରୀ ସେଥିରେ ଦସ୍ତଖତ କରନ୍ତି ବା ଫାଇଲ ଫେରାଇ ଦିଅନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପାଇଁ ହେଉ ବା ସରକାରୀ କାର୍ଯ୍ୟ ହାସଲ କରିବା ପାଇଁ ମନ୍ତ୍ରୀ, ଅଫିସର ଓ ଶିଳ୍ପପତିମାନେ ୧୧୧, ଶହୀଦ ନଗରରେ ଧାଡ଼ି ବାନ୍ଧି ଅପେକ୍ଷା କରନ୍ତି ।

ତେବେ ପ୍ୟାରୀଙ୍କ ପ୍ରଭାବ ଅତ୍ୟଧିକ ବୃଦ୍ଧି ପାଇବା ପରେ ନବୀନ ତାଙ୍କଠାରୁ ଆଡ଼ ଆଡ଼ ହୋଇଥିଲେ ଓ ସେହି ସମୟରେ ଚାକିରିରେ ଥିବା ଜଣେ ଆଇଏଏସ ଅଫିସର ବିଜୟ କୁମାର ପଟ୍ଟନାୟକ ନବୀନଙ୍କ ପ୍ରିୟଲୋକ ହୋଇଯାଇଥିଲେ ।

ସେ ମହାଶୟ ଜଳସଂପଦ ବିଭଗର ସଚିବ ଥିଲାବେଳେ ସେହି ବିଭାଗର ଦୁର୍ନୀତି ବିରୋଧରେ ବିଜୁ ଜନତା ସିବିଆଇ ତଦନ୍ତ ଦାବି କରିଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ପରେ ଜଳସଂପଦ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

ମାତ୍ର, ପରେ ସେହି ବିଜୟ ପଟ୍ଟନାୟକଙ୍କୁ ହିଁ ସେ ନିଜର ପ୍ରମୁଖ ସଚିବ ଏବଂ ପରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏପରିକି ସେ ଅବସର ନେବା ପରେ ମଧ୍ୟ ନବୀନବାବୁ ତାଙ୍କୁ ଦୁଇ ଦୁଇ ଥର ଦୁଇଟି ସରକାରୀ ସଂସ୍ଥାରେ ଥଇଥାନ କରିଥିଲେ ।

ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରେ ଯୋଗଦେଇ ନିଜର ଓ ନବୀନ ସରକାରଙ୍କ ବେଦାନ୍ତ ପ୍ରୀତିକୁ ପରୋକ୍ଷରେ ପଦାରେ ପକାଇଥିଲେ ।

ବିଜୟ ପଟ୍ଟନାୟକ ଚାକିରିରେ ଥିବା ସମୟରେ ବି ଦଳୀୟ ବ୍ୟାପାର ପରିଚାଳନା ପାଇଁ ନବୀନବାବୁ କଳ୍ପତରୁ ଦାସଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଯାଇଥିଲେ । ତାଙ୍କ ସୁବିଧା ପାଇଁ ସେ ପ୍ରଥମେ ତାଙ୍କୁ ମନ୍ତ୍ରୀ ଓ ପରେ ରାଜ୍ୟସଭା ସଦସ୍ୟ କରିଥିଲେ ।

ପରେ କଳ୍ପତରୁ ନାନାଦି ଦୁର୍ନୀତିରେ ଫଶି ବଦନାମ ହୋଇଥିଲେ । ପ୍ୟାରୀ ଓ ବିଜୟ ପଟ୍ଟନାୟକ ମଧ୍ୟ କମ ବଦନାମ ହୋଇନାହାନ୍ତି ।

କଳ୍ପତରୁଙ୍କ ଦେହାନ୍ତ ପରେ ତୃତୀୟ ମହଲା କଥାଟି ଲୋକପ୍ରିୟ ହୋଇଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଶାସନ ଓ ରାଜନୀତିର ମଙ୍ଗ ଧରିଛନ୍ତି ବୋଲି ଚର୍ଚ୍ଚା ବଢ଼ିଲା । ଏବେ ତାହା ହିଁ ଚାଲିଛି ।

ଏମାନଙ୍କ ବାଦ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା, ବଡ଼ଭାଇ ପ୍ରେମ ପଟ୍ଟନାୟକ, ଦିଲ୍ଲୀ ଓ ଓଡ଼ିଶାର କେତେ ଜଣ ସାମ୍ବାଦିକ, ଆଇଏଏସ ଅଫିସର ସନ୍ତୋଷ ଶତପଥୀ ମଧ୍ୟ ନବୀନଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଉଥିବା ଓ ସେମାନଙ୍କ କଥା ଅନୁସାରେ ନବୀନ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଶୁଣାଯାଏ ।

ତେବେ, ନବୀନ କାହା କଥାକୁ ଅଧିକ ଗ୍ରହଣ କରନ୍ତି ଓ କାହା କଥା ଶୁଣନ୍ତି ନାହିଁ ତାହା ସେ ନିଜେ ହିଁ ଜାଣନ୍ତି । ଅବଶ୍ୟ ଏଇ ସମୟ ଭିତରେ ଓଡ଼ିଶାରେ ସର୍ବାଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ବିଭିନ୍ନ ମଞ୍ଚରେ ଉଠିଛି ଓ ସାବ୍ୟସ୍ତ ହୋଇଛି ।

ଖଣି ଦୁର୍ନୀତି, ଚିଟ ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି, ଜମି ଦୁର୍ନୀତି, ଜଙ୍ଗଲ ଦୁର୍ନୀତି, ବିହନ ଦୁର୍ନୀତି, ସାର ଦୁର୍ନୀତି, ସମବାୟ ଋଣ ଦୁର୍ନୀତି, ପୋଲ ଓ ରାସ୍ତାଘାଟ ନିର୍ମାଣ ଦୁର୍ନୀତି- ଏପରି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ବିଜେଡି ସରକାରଙ୍କୁ ମୁଣ୍ଡେଇବାକୁ ପଡ଼ିଛି । ସବୁ ଦୁର୍ନୀତିରେ ଅନ୍ୟମାନେ ବଦନାମ ହୋଇଛନ୍ତି, ନବୀନବାବୁ ଖସି ଯାଇଛନ୍ତି ।

ଦଳ ଓ ଶାସନରେ ହୋଇଥିବା ତ୍ରୁଟିବିଚ୍ୟୁତ ପାଇଁ ଦଳୀୟ ନେତାମାନେ ପ୍ୟାରୀ, ପାଣ୍ଡିଆନ ଓଗେରଙ୍କୁ ଦୋଷ ଦେଇଛନ୍ତି । ବିରୋଧୀ ଦଳର ନେତାମାନେ ମଧ୍ୟ କିଛି ନବୁଝି ନବୀନଙ୍କ ଏଇ କୌଶଳରେ ଫଶିଛନ୍ତି । କେହି ବୋଧହୁଏ ଏଯାଏଁ ବୁଝି ନାହାନ୍ତି ଯେ ନବୀନ ହିଁ ସବୁ କରୁଛନ୍ତି ।

ସମସ୍ତ ଦୁର୍ନୀତି, ତ୍ରୁଟି, ଅବହେଳା ଓ ଅପାରଗତା ପାଇଁ କେବଳ ସେ ହିଁ ଦାୟୀ । କାରଣ ଲୋକେ ତାଙ୍କୁ ହିଁ ଭୋଟ ଦେଇଛନ୍ତି, ସେ ହିଁ ଉତ୍ତରଦାୟୀ । ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ, ଅଥଚ ଦୋଷ ମୁଣ୍ଡେଇବେ ଅନ୍ୟମାନେ!

ଏହା କି ପ୍ରକାର ଗଣତନ୍ତ୍ର? କି ପ୍ରକାର ରାଜନୀତି? ବିଜେଡି ଓ ବିପକ୍ଷ ନେତାମାନେ ବାରମ୍ବାର ନବୀନଙ୍କୁ ଛାଡ଼ି ଅନ୍ୟମାନଙ୍କୁ କ୍ଷମତା କେନ୍ଦ୍ର ଭାବେ ପ୍ରଚାରିତ କରିବା ଦ୍ୱାରା ନବୀନଙ୍କ ନିଷ୍କଳଙ୍କ ଭାବମୂର୍ତ୍ତି ଅତୁଟ ରହିଛି । ତାହା ହିଁ ତାଙ୍କର ରାଜନୀତିକ ପୁଂଜି । ତାହା ହିଁ ତାଙ୍କର ଶକ୍ତି ହୋଇଯାଇଛି ।

ଅବସ୍ଥା ଏବେ ଏପରି ହୋଇଛି ଯେ ନବୀନ ନିଜେ ସବୁ କିଛି କରୁଛନ୍ତି ବୋଲି ଦାବି କଲେ ମଧ୍ୟ କଂଗ୍ରେସ, ବିଜେଡି ଓ ବିଜେପି ନେତାମାନେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି ।

ନେତାମାନେ ଭାବୁଛନ୍ତି ଅଫିସରମାନେ ସବୁ କରୁଛନ୍ତି । ଲୋକମାନେ କିନ୍ତୁ ବୁଝିଛନ୍ତି, ନବୀନବାବୁ ହିଁ ସବୁ ଭଲ କାମ କରୁଛନ୍ତି, ଆଉ ଖରାପ କାମ ତକ ତାଙ୍କ ପାଖଲୋକମାନେ କରୁଛନ୍ତି ।

ତେବେ, ଏଇ ଖରାପ ଲୋକମାନଙ୍କୁ କିଏ ବାଛିଛି, କିଏ ଦାୟିତ୍ୱ ଦେଇଛି, ସେନେଇ କେହି ତର୍ଜମା କରନ୍ତି ନାହିଁ ।

ପ୍ୟାରୀଙ୍କୁ କିଏ ବାଛିଥିଲେ? ବିଜୟ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ କିଏ ବାଛିଥିଲେ? କଳ୍ପତରୁଙ୍କୁ କିଏ ଦାୟିତ୍ୱ ଦେଇଥିଲେ । ନବୀନଙ୍କ ବିନା ଅନୁମତି ଓ ପ୍ରୋତ୍ସାହନରେ ଏହି ଲୋକମାନେ କିଛି କରିପାରିଥାନ୍ତେ କି?

ଦେବେନ୍ଦ୍ର ପୃଷ୍ଟି
ଦେବେନ୍ଦ୍ର ପୃଷ୍ଟି

ଏହି ଲେଖା ପ୍ରଥମେ ସାମାନ୍ୟକଥନରେ ପ୍ରକାଶିତ  । ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ । ଫଟୋ:  ନବୀନ ପଟ୍ଟନାୟକଙ୍କ ଫେସବୁକ କାନ୍ଥ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଓଡିଆ, ନବୀନ ପଟ୍ଟନାୟକ, ବିଜୁବାବୁ, ରାଜନେତା, ରୋକଠୋକ

ଆଦି ନାଟ୍ୟକାର ଜଗନ୍ମୋହନ ଲାଲ୍ ଙ୍କ ସମ୍ପର୍କରେ ୧୦ଟି ଜାଣିବା କଥା

January 4, 2018 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ୱର ସାହୁ

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ ପରି ଅଯୌକ୍ତିକ ସ୍ଲୋଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା । ସେହି ଅନନ୍ୟ ଆନ୍ଦୋଳନର ଅନ୍ୟ ଜଣେ ସାରଥି ଥିଲେ ଜଗନ୍ମୋହନ ଲାଲ । ଓଡ଼ିଆ ନାଟ୍ୟ ସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” ।

ସତୀପ୍ରଥା ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରି ସେ ନିଜର ବିଧବା ଝିଅ ଲାବଣ୍ୟର ପୁନର୍ବିବାହ କରାଇଥିଲେ ଓ ତତ୍କାଳୀନ ସମାଜରେ ତାହା ହିଁ ସୃଷ୍ଟି କରିଥିଲା ଗୁଞ୍ଜରଣ ।

ସେ ଥିଲେ ସମାଜସେବୀ, ନାଟକର ନାୟକ, ନିର୍ଦ୍ଦେଶକ, ମଞ୍ଚ ପ୍ରସ୍ତୁତକାରୀ- ବହୁ ନାଟକର ଲେଖକ, ବହୁ ବିନିଦ୍ର ରଜନୀର ଅଭିନେତା-ନିଜ ନାଟକରେ ନିଜେ । ଜଣେ ସଚ୍ଚୋଟ ସରକାରୀ କର୍ମଚାରୀ ଓ ସର୍ବୋପରି କବି । ତାଙ୍କ ସମ୍ପର୍କରେ କେତୋଟି ଜାଣିବା କଥା ।

୧)  ସମୟର କ୍ଷୀପ୍ର ସୂଅରେ ବିସ୍ମୃତ ସେହି ବିରଳ ବ୍ୟକ୍ତିତ୍ୱ ଜଗନ୍ମୋହନ ଲାଲଙ୍କ ଜନ୍ମ ୧୮୩୮ ମସିହା ନଭେମ୍ବର ପଚିଶ ତାରିଖରେ ।

ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରଠାରୁ ପଚିଶ ମାଇଲ ଦୂର ମାହାଙ୍ଗାରେ ପିତା ନାରାୟଣ ପ୍ରସାଦ ଏବଂ ମାତା ୟୋନା ଦେବୀଙ୍କ ପ୍ରେରଣାରେ ଜଗନ୍ମୋହନ ଗାଁ ଚାଟଶାଳୀ ପାଠ ପରେ, କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ୧୮୬୦ରେ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ ।

ସେ ସମୟରେ କେହି ଛାତ୍ର ମାଟ୍ରିକ୍ ପାଶ୍ କରିବାକୁ ଗୌରବ ବୋଲି ବିଚାର କରାଯିବା ସଙ୍ଗେ ସଙ୍ଗେ ସରକାରୀ ଅଫିସ୍ ରେ ଚର୍ଚାର  ବିଷୟ ହୋଇଥିଲା ।

ମାଟ୍ରିକ୍ ପାଶ୍ ପରେ ପରେ ଜଗନ୍ମୋହନ କଟକ କଲେକ୍ଟରଙ୍କ ଅଫିସରେ ଶିରସ୍ତାଦାର ଭାବେ ଯୋଗ ଦେଲେ । ସେଇଠୁ ଆରମ୍ଭ ହୁଏ ତାଙ୍କ ନିଷ୍ଠାପର ଚାକିରି ଜୀବନକାଳ ।

ଚାକିରିକାଳ ଭିତରେ ନିଜର କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା ଯୋଗୁଁ ତାଙ୍କ ଅବସର ପରେ ବି ବଙ୍ଗଳାର ବଡ଼ଲାଟ୍ ତାଙ୍କୁ ଏକ ନୈଶ୍ୟ ଭୋଜିକୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ବାରିଷ୍ଟର ମଧୁସୂଦନ ଦାସ । ଏପରି ସମ୍ମାନ ଖୁବ୍ କମ ବ୍ୟକ୍ତିଙ୍କୁ ମିଳୁଥିଲା ।

ସମାଜର କଟୁ ସମାଲୋଚନାକୁ ଭ୍ରୂକ୍ଷେପ ନକରି ନିଜର ବିଧବା କନ୍ୟା ଲାବଣ୍ୟକୁ ପୁନର୍ବିବାହ ଦେବାଫଳରେ ସୃଷ୍ଟି ହେଲା ଏକ ଯୁଗାନ୍ତର ।

ସତୀଦାହ ପ୍ରଥାର ବିରୋଧ କରି ପରବର୍ତ୍ତୀ ଜୀବନରେ ସେ ଲେଖିଥିଲେ “ସତୀ” ଶୀର୍ଷକ ନାଟକ । ଏହି ନାଟକର ସାମାଜିକ ପ୍ରଭାବକୁ ‘ସମ୍ବାଦ ବାହିକା’ ଓ ‘ନବସମ୍ବାଦ’ ଭୂୟସୀ ପ୍ରଶଂସା କରିଥିଲେ ।

୨) ଜଗନ୍ମୋହନଙ୍କ ସାହିତ୍ୟିକ ଜୀବନର ଉନ୍ମେଷ କାଳ ଓ ପ୍ରେରଣା ଅଜ୍ଞାତ ଥିଲେ ହେଁ ୧୮୬୮ ମସିହାରେ ତାଙ୍କ ରଚିତ ‘ଭ୍ରମଭଞ୍ଜନ’ ଥିବା ତାଙ୍କ କାବ୍ୟ ପ୍ରୟାସର ପ୍ରଥମ ପାଦଟୀକା ।

ସେ ସମୟରେ ଓଡ଼ିଆ ସ୍କୁଲ ଗୁଡ଼ିକରେ ଇଂରାଜୀ ଓ ବଙ୍ଗଳା ପାଠର ପ୍ରାଦୁର୍ଭାବକୁ ଭାଙ୍ଗିବା ପାଇଁ ଜଗନ୍ମୋହନ ଲାଲ୍ ସାର୍ ଟଏନ୍ବିଙ୍କ ‘ଓଡ଼ିଶା ଇତିହାସ’ର ପ୍ରଥମ ପରିଚ୍ଛଦ ଅନୁବାଦ କରି ‘ଓଡ଼ିଶା ବିଜୟ’ ନାମକ ଐତିହାସିକ ତଥ୍ୟସମ୍ବଳିତ ଏକ ପୁସ୍ତକ ରଚନା କରିଥିଲେ ।

୩) ୧୮୬୦ମସିହା ବେଳକୁ ଓଡ଼ିଆ ଭାଷାରେ ସୃଷ୍ଟି ହୋଇନଥାଏ ନାଟକ ରଚନାର କ୍ଷେତ୍ର । ପାରଳାଖେମୁଣ୍ଡି (ଅଧୁନା ଗଜପତି ଜିଲ୍ଳା)ର ରଘୁନାଥ ପରିଚ୍ଛାଙ୍କ ନାଟକ “ଗୋପୀନାଥ ବଲ୍ଲଭ” ୧୮୬୮ରେ ପ୍ରକାଶିତ ହେବା ପରେ ‘ନା-ଟକ’, ‘ନା-ମିଷ୍ଟ’ ପରି ବ୍ୟଙ୍ଗ ଓ ସମାଲୋଚନାର ଶରବ୍ୟ ହୋଇ ସାରିଥାଏ ।

ନାଟକର ଏହି ସନ୍ଧିକ୍ଷଣ ସମୟରେ ଜଗନ୍ମୋହନ ପ୍ରତିଷ୍ଠା କଲେ “ରାଧାକାନ୍ତ ରଙ୍ଗମଞ୍ଚ” ଓ ତା’ ସହିତ ସୂତ୍ରପାତ ହେଲା ନାଟକ ଅଭିନୟର ଆଦ୍ୟ ସଂକଳ୍ପ ।

୧୮୭୭ରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶିତ ହେଲା “ବାବାଜୀ” ନାଟକ । ଏହାକୁ ଓଡ଼ିଶାରେ ପ୍ରକାଶିତ ପ୍ରଥମ ନାଟକର ମାନ୍ୟତା କେବଳ ଦିଆଯାଏ ନାହିଁ- ଏହା ତକ୍ରାଳୀନ ସମାଜର ସାମାଜିକ ଜୀବନ ଓ ଅର୍ଥନୈତିକ ଅବସ୍ଥାର ଦର୍ପଣ ।

୪)ଜମିଦାରମାନଙ୍କର ଅତ୍ୟାଚାର, ଶୋଷଣ, ମଠ ମହନ୍ତଙ୍କର ବ୍ୟଭିଚାର, ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କର ଉତ୍ସୃଙ୍ଖଳତା, ଚାରିତ୍ରିକ ଅଧୋଃଗତି, ମଦ୍ୟପାନ ଏବଂ ଗୁଣିଗାରେଡ଼ି ପରି କୁସଂସ୍କାର ସମ୍ପର୍କରେ ଜଗନ୍ମୋହନ ଲାଲ୍ ନିର୍ଭୀକତାର ସହ ‘ବାବାଜୀ’ ନାଟକରେ ଉଲ୍ଲେଖ କରିଛନ୍ତି ।

ଏହାର ପାତ୍ରୋଚିତ ସଂଳାପ, ଯୁଗୋପଯୋଗୀ ଭାବବସ୍ତୁ ତଥା ସାବଲୀଳ ଶୈଳୀ ନାଟ୍ୟକାରଙ୍କ ମୌଳିକ କଳ୍ପନା ଶକ୍ତିର ପରିଚୟ । ସେଥିରେ ଲାଲ୍ ମହାଶୟ ପରିବେଷଣ କରିଛନ୍ତି ନିଶା ନିବାରଣ ସମ୍ପର୍କରେ ଏକ ବାର୍ତ୍ତା ।

୫) ସତ୍ୟନିଷ୍ଠ ଓ ସତ୍ଚରିତ୍ରର ଲୋକ ନହେଲେ ପରିସ୍ଥିତିର ସଂଘାତରେ ତିଷ୍ଠି ରହିପାରିବ ନାହିଁ, ଏହା ହିଁ ‘ବାବାଜୀ’ ନାଟକରେ ଲାଲ୍ ମହାଶୟଙ୍କ ବୈପ୍ଳବିକ ମନୋବୃତ୍ତି ପ୍ରତିଫଳିତ ।

ସିଧାସଳଖ ବିଷୟବସ୍ତୁର ଅବତାରଣା ମଧ୍ୟରେ ଜଗନ୍ମୋହନଙ୍କ ଆଧୁନିକତା ସେ ସମୟର ସମାଜର ଚିତ୍ରକୁ ପ୍ରତିନିୟତ ଧରି ରଖିବାରେ ସଫଳ ହୋଇଛି ।

୬) ‘ବାବାଜୀ’ ନାଟକର ନାୟକ ଓ ନିର୍ଦ୍ଦେଶକ ଥିଲେ ନିଜେ ଲାଲ୍ ମହାଶୟ । ଏକାଧାରରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ମଞ୍ଚସ୍ରଷ୍ଟାର ସଫଳ ରୂପକାର ।

‘ବାବାଜୀ’ ନାଟକର ଦଶବର୍ଷ ପରେ ଜଗନ୍ମୋହନଙ୍କ କଲମରୁ ସୃଷ୍ଟି ହୁଏ “ସତୀ”, ଅନ୍ୟ ଏକ ବିତର୍କିତ ନାଟକ । ଗଡ଼ଜାତ ମୂଲକର ଅନ୍ଧାରୀ ଶାସନର ସନ୍ତ୍ରାସ ତଳେ ନିରୀହ ପ୍ରଜାଙ୍କ ଉତ୍ପୀଡ଼ନ, ନାରୀ ନିର୍ଯାତନାର ସକଳ ଚିତ୍ର ‘ସତୀ’ ନାଟକରେ ଜୀବନ୍ତ ।

ନାଟକର ନାୟିକା ଲାବଣ୍ୟ ହିନ୍ଦୁନାରୀର ସତୀତ୍ୱର ଗୌରବ ରକ୍ଷା କରିବାକୁ ଯାଇ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିଛି ତା’ର ଏକ କରୁଣ ଦୃଶ୍ୟ ‘ସତୀ’ ନାଟକର ଯବନିକା ।

୭) ‘ସତୀ’ ନାଟକରେ ସନ୍ନିବେଶିତ ହୋଇରହିଛି ଗଡ଼ଜାତର ନରବଳି, ତକ୍ରାଳୀନ ସମାଜରେ ମାଦକ ଦ୍ରବ୍ୟର ପ୍ରଭାବ ଏବଂ ସାମାଜିକ ତଥା ଅର୍ଥନୈତିକ ସମସ୍ୟାର ଚିତ୍ର ।

୧୮୯୬ ଦୁର୍ଗାପୂଜା ସମୟରେ ‘ସତୀ’ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୁଏ ଜଗନ୍ମୋହନଙ୍କ ଗ୍ରାମ ମାହାଙ୍ଗାର ‘ରାଧାକାନ୍ତ ରଙ୍ଗମଞ୍ଚ’ରେ ଓ ଦୃଷ୍ଟି ଆକର୍ଷଣକରେ ସାଧାରଣ ଜନତାଙ୍କଠାରୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ।

୮) ଜଗନ୍ମୋହନ ଲାଲ୍ ଙ୍କ  ତୃତୀୟ ନାଟକ “ପ୍ରୀତି” । ତିନିଅଙ୍କ ବିଶିଷ୍ଟ ଏହି ନାଟକରେ ଚାରୋଟି ଦୃଶ୍ୟ ସନ୍ନିବେଶିତ ।

ଏହି ନାଟକରେ ଅମିତ୍ରାକ୍ଷର ଛନ୍ଦର ବ୍ୟବହାର ସହିତ ପ୍ରବଚନର ବ୍ୟବହାର ମଧ୍ୟ ଅଭିନବ । ଏହି ନାଟକଟି ଲାଲ୍ ମହାଶୟଙ୍କ ପରିପକ୍ୱ ବୟସରେ ଲେଖା ହୋଇଥିବାରୁ ବିଷୟବସ୍ତୁ ଅଧିକ ଉନ୍ନତ ଓ ସମାଜ ସଚେତନତାଶୀଳ ।

ଜାତି-ଧର୍ମର ପ୍ରାଚୀର ଠିଆ କରି ହୃଦୟର ବନ୍ଧନକୁ ନିର୍ମମ ଭାବରେ ଛିନ୍ନ କରିବାର ଦୃଷ୍ଟାନ୍ତ ରହିଛି ‘ପ୍ରୀତି’ ନାଟକ ଛତ୍ରେ ଛତ୍ରେ ।

ସମାଲୋଚକମାନେ ‘ପ୍ରୀତି’ ନାଟକର ଅଭିନୟ ସମ୍ପର୍କରେ ନୀରବ ଥିବାବେଳେ ଜଗନ୍ମୋହନଙ୍କ ନାତି ସ୍ୱର୍ଗତଃ ଦାଶରଥିପ୍ରସାଦ ଲାଲ ସମସ୍ତ ନାଟକ ଅଭିନୀତ ହେବା କଥା ଦାବି କରିଥିଲେ । ଜଗନ୍ମୋହନଙ୍କ ଅନ୍ୟ ଏକ ନାଟକ “ବୃଦ୍ଧବିବାହ” ।

ତକ୍ରାଳୀନ ସମାଜରେ କନ୍ୟା ପିତାମାତା ଋଣଦାଉରୁ ରକ୍ଷା ପାଇବା ପାଇଁ ନିଜର ତରୁଣୀ କନ୍ୟାଙ୍କୁ ବୃଦ୍ଧ ଜମିଦାରଙ୍କୁ ବିବାହ ଦେଉଥିଲେ । ଏହି ପ୍ରକାର ଏକ କୁତ୍ସିତ ସମାଜର ଚିତ୍ର ବହନ କରେ ‘ବୃଦ୍ଧ ବିବାହ’ ।

ପ୍ରକୃତରେ ଦେଖିବାକୁ ଗଲେ ଲାଲ୍ ମହାଶୟ ଜଣେ ସମାଜ ସଚେତନ ସତର୍କ ପ୍ରହରୀ । ତାଙ୍କ ସୃଜନଶିଳ୍ପରେ ସମାଜର ସମସ୍ତ ଦୋଷ, ଦୁର୍ବଳତା ନାଟକର ରୂପନେଇ ପରିସ୍ଫୁଟ ।

ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଜଡ଼ତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଥିଲା ତାଙ୍କ ସୃଜନ ନାଟକମାନଙ୍କର ଏକକ ସଂକଳ୍ପ ।

ପ୍ରଥମ ସାମାଜିକ ନାଟକ ‘ବାବାଜୀ’ର ବାଷଠୀ (୬୨)ବର୍ଷ ପରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଲେଖିଥିଲେ ଦ୍ୱିତୀୟ ସାମାଜିକ ନାଟକ “ଗାର୍ଲ ସ୍କୁଲ” । “ବଳୀନ୍ଦ୍ର” ଓ “ଜେନାମଣି” ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଖୋଦ୍ ଜଗନ୍ମୋହନ୍ ।

୯) ଏପରିକି ୧୯୧୧ରେ ନିଜ ଗ୍ରାମ ମାହାଙ୍ଗା ଅଞ୍ଚଳରେ ୭୦ଜଣ ଜମିଦାରଙ୍କୁ ସମବେତ କରି ‘ପ୍ରଜାସ୍ୱତ୍ତ୍ୱ ଆଇନ’ ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ ଓ ପରେ ୧୯୩୮ରେ ବିଶ୍ୱନାଥ ଦାଶ ଏହି ଆଦର୍ଶର ପ୍ରବର୍ତ୍ତନ କଲେ ।

ଅନେକ ମୌଳିକ ଚିନ୍ତାଧାରାରେ ପ୍ରଥମ, ସୃଜନ-ସଂକଳ୍ପର ଆଦର୍ଶ, ରାଜନୀତି ଓ ସମାଜ ସେବାରେ ଅଗ୍ରଣୀ, ଅନେକ ନାଟକର ନାୟକ, ସମୟ ସୂଅରେ ଆଜି ବିସ୍ମୃତ । କିନ୍ତୁ ବିରଳ ତାଙ୍କ ନାଟକ ଓ ଜୀବନାଦର୍ଶର ଦସ୍ତାବିଜ୍ ।

୧୦) ଆଧୁନିକ ଜୀବନର ଫାଙ୍କା ଆଦର୍ଶ ଭିତରେ ତଥାପି ଲୁପ୍ତ ବିସ୍ମୃତ ନୁହନ୍ତି ସେ । ୧୯୧୩ ଡିସେମ୍ବର ୨୬ ତାରିଖରେ ଏହି ମହାନ ଯୁଗପୁରୁଷଙ୍କ ଜୀବନର ଅବସାନ ଘଟିଥିଲା ।

ଏହି ଦୃଷ୍ଟିରୁ ଜନ୍ମୋହନଙ୍କୁ ସାମାଜିକ ନାଟକର ଆଦ୍ୟ ପ୍ରବର୍ତ୍ତକ ହିସାବରେ ଆଦି ନାଟ୍ୟକାର ବୋଲି ଅନେକେ ଅଭିହିତ କରନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

December 30, 2017 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ଵର ସାହୁ 

ଚଳିତ ଡିସେମ୍ବର ୩୦ ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି।

ଦେଶର ଅନ୍ଯତମ ମନୋରମ ସ୍ଥାନ ଭାବେ ଜଣାଶୁଣା ଏହି ଚିଡିଆଖାନା ସମ୍ପର୍କରେ ପ୍ରସ୍ତୁତ କରୁଛୁ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି ।

୧- ୧୯୬୦ ମସିହାରେ ଏହି ଚିଡିଆ ଖାନା ସ୍ଥାପିତ ହୋଇଥିଲା ଓ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

୨- ଏହାର ସମଗ୍ର ପରିବେଷ୍ଟିତ ଅଂଚଳ ହେଉଛି ପାଖାପାଖି ୪.୩୭ ବର୍ଗ କିମି ।୨୦୧୬ ମସିହାର ପଶୁ ଜନଗଣନା ଅନୁସାରେ ଏହି ଚିଡିଆଖାନାରେ ୨୬୬୯ ଟି ବିଭିନ୍ନ ପ୍ରକାର ପଶୁ ରହିଛନ୍ତି ।

୩- ଏହି ଚିଡ଼ିଆଖାନାରେ ୨୧୦ଟି ପଶୁ ଏନ୍କ୍ଲୋଜେର ରହିଛି । ଉଭୟ ପିଞ୍ଜରା ଏବଂ ଖୋଲା ଅଂଚଳରେ ବିଭିନ୍ନ ଜନ୍ତୁମାନଙ୍କୁ ରହିଛି । ୧୧୬ଟି ପିଞ୍ଜରା ଏବଂ ୯୪ଟି ଖୋଲା ପରିବଦ୍ଧ ଅଂଚଳରେ ପଶୁମାନଙ୍କ ମୁକ୍ତ ବିଚରଣର ବ୍ୟବସ୍ଥା ରହିଛି ।

୪- ୩୦୦୪ ପ୍ରଜାତିର ଜୀବଜନ୍ତୁ, ୧୫୪୬ ପ୍ରଜାତିର ପକ୍ଷୀ, ୨୬୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୬୨ ପ୍ରଜାତିର ସରୀସୃପ ଏବଂ ୨୧ ପ୍ରଜାତିର ଉଭୟଚର ପ୍ରାଣୀ ରହିଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ଦେଶରୁ ଓ ଆନ୍ତଃରାଜ୍ୟ ଚିଡ଼ିଆଖାନାରୁ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ନୂଆ ପଶୁପକ୍ଷୀ ଅଣାଯାଇଥାଏ ।

୫- ଏଠାରେ ୧୫ ପ୍ରକାର ସ୍ୱତନ୍ତ୍ର ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୨୦ ପ୍ରଜାତିର ସ୍ୱତନ୍ତ୍ର ପକ୍ଷୀ ଏବଂ ୧୫ ପ୍ରଜାତିର ସରୀସୃପ, ୮୫ ପ୍ରଜାତିର ପ୍ରଜାପତି ଇତ୍ୟାଦି ରହିଛନ୍ତି ।

୬- ନନ୍ଦନକାନନରେ ସ୍ୱତନ୍ତ୍ର ଧରଣର ପାତି ମାଙ୍କଡ଼, ରୋସେଲା, ଷ୍ଟର୍କ ପକ୍ଷୀ ଅନନ୍ୟ ଆକର୍ଷଣ । ଓରାଂଉଟନ୍, ବୟସ୍କ ଶାଗୁଣା, ପାଙ୍ଗେ୍ାଲିନ୍, ଚିତ୍ରିତ ବାଘ, ବର୍ମିଜ ପାଇଥନ୍ ମଧ୍ୟ ଏହାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

୭- ୧୯୮୦ ମସିହାରେ ଧଳାବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନର ପରିଚିତି ଓ ପ୍ରସିଦ୍ଧି ବ୍ୟାପକ ହୋଇଥିଲା ।

ପୃଥିବୀରେ ପ୍ରଥମ ଧଳାବାଘ ଜନ୍ମ ହୋଇଛନ୍ତି ନନ୍ଦନକାନନରେ, ଫଳରେ ଏହାର ପରିଚିତି ବିଶ୍ୱବ୍ୟାପୀ ହୋଇପାରିଥିଲା ।୧ ଅକ୍ଟୋବର ୧୯୯୧ ରେ ନନ୍ଦନ କାନନରେ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା ।

୮ – ରହିଥିବା ଅନ୍ୟ ବିରଳ ପ୍ରାଣୀ ମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ପାଙ୍ଗୋଲିନ୍, ମୂଷା ହରିଣ, ବିରାଟ ଗୁଣ୍ଡୁଚି ମୂଷା, ସିମ୍ପାଞ୍ଜି, ସ୍ଲଥ ଭାଲୁ, ମୁଗେର, ହିମାଳୟ ଭାଲୁ, ସିଂହଲାଞ୍ଜି ମାଙ୍କଡ଼, ଧଳାବେକର ଷ୍ଟର୍କ, ପରକ୍ୟୁପାଇନ୍ ଓ ଜଳଜ ଝିଟିପିଟି । ଠିକ ସେହିପରି ପାଙ୍ଗୋଲିନ୍ ଓ ଧଳାବେଗ ଶାଗୁଣାଙ୍କ ପ୍ରଜନନ କେନ୍ଦ୍ର ହୋଇଛି ନନ୍ଦନକାନନ।

୯- ଘଡ଼ିଆଳ କୁମ୍ଭୀର ଓ ହିପୋପଟାମସ୍ ସକାଶେ ସବୁଠୁ ଅଧିକା ଏନ୍କ୍ଲୋଜେର ତିଆରି ହୋଇଛି ।

୧୦- ୩୩ଏକର ପରିମିତ ଅଂଚଳରେ ପଶୁମାନଙ୍କ ସକାଶେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଏବଂ ମାଂସାସୀ ପ୍ରାଣୀମାନଙ୍କ ସକାଶେ କଂସେଇଖାନା ରହିଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପର୍ଯଟନ, ବିଶେଷ ଖବର Tagged With: ଓଡିଶା, ଚିଡିଆଖାନା, ନନ୍ଦନକାନନ, ବିଘ୍ନେଶ୍ଵର ସାହୁ, ଭୁବନେଶ୍ବର

ପୁସ୍ତକ ସମୀକ୍ଷା: BEYOND FEELINGS

December 29, 2017 by ଓଡିଶା ଡଟ କମ Leave a Comment

BEYOND FEELINGS
Poet: Bishnupada Sethi
Publisher: Universe, Inch Bloomington, America

“Where shall I go” (2005) ଏବଂ My world of words‘ (2010) -ପରେ ‘Beyond Feeling‘ (2012) ପ୍ରଶାସକ କବି ବିଷ୍ଣୁପଦ ସେଠୀଙ୍କ ତୃତୀୟ ଇଂରାଜୀ କବିତା ସଙ୍କଳନ , ଯାହା ଆମେରିକାରୁ ପ୍ରକାଶିତ ।

ଛଅସ୍ତରୀଟି କବିତାକୁ ନେଇ ସଙ୍କଳିତ ଏହି ପୁସ୍ତକର ଶୀର୍ଷକ କବିତା ‘Beyond feelings‘ ସଙ୍କଳନଟିର ପ୍ରଥମ କବିତା ।

କବି ମାତୃଗର୍ଭକୁ ଘରର ଏକ ଆର୍କିଟାଇପ୍ ଭାବେ ଉପସ୍ଥାପନ କରିଛନ୍ତି । ତାହା ଏତେ ଅନ୍ତରଙ୍ଗତା ସତ୍ବେ ଏବେ ତାଙ୍କ ଭାବଭୂମିର ପରିସୀମା ବାହାରେ ରହିଥିବାରୁ ତାଙ୍କୁ ବ୍ୟଥିତ କରିଛି ।

ତେବେ ବାପାଙ୍କ ନିରାପଦ ବାହୁବେଷ୍ଟନୀ ସେଇ “ଘର’ର ଏକ ସଂପ୍ରସାରଣ ଭାବେ ପ୍ରକୀର୍ତିତ ହୋଇଛି । ଅନ୍ତରଙ୍ଗ ଅନୁଭବର ପ୍ରତୀକଭାବେ ଘର ଏବେ ତାଙ୍କ ପାଇଁ ଅପହଂଚ ହୋଇ ରହିଯାଇଛି ।

‘Alien’ କବିତାରେ ନିଜ ଗାଁ ଭିଟାମାଟି ର ସହରୀ ପରିବର୍ତନ ତାକୁ କବିଙ୍କଠାରେ ଅଚିହ୍ନା କରିଦେଇଛି । ତେଣୁ ସେ ଘର ହେଉ ବା ଘର ପାଇଁ ଅନ୍ୱେଷଣ, କବିଙ୍କ ସାରସ୍ୱତ ଚେତନାରେ ତାହା ଦୃଢ଼ଭାବେ ଆସୀନ । ଘରଠୁଁ ଦୂରେଇ ବି ସେ ଯେଉଁଠି /ଯେଉଁ ପରିସ୍ଥିତିରେ ଅଛନ୍ତି ତାକୁ ଘରଭାବେ ଗଢ଼ିବାର ଉଦାର ପ୍ରବଣତା ଏଇ ଅନ୍ୱେଷଣର ଫଳଶୃତି ।

I make a new homne, Each time I change my place (changing homes) ଅନୁଭୂତି ଓ ଅନୁଭବ ପାଇଁ ଆବେଗମୟ ଉତ୍କଣ୍ଠା Climbing up କବିତାର ଥିମ୍ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

ପର୍ବତ ଆରୋହଣର କଷ୍ଟ ପାଇ ହୁଏତ ଆରୋହୀ ଏକ ଶୂନ୍ୟତାବୋଧ ନେଇ ଏ ଆରୋହଣର ଔଚିତ୍ୟ ସମ୍ବନ୍ଧରେ ନିଜକୁ ପ୍ରଶ୍ନ କରିପାରେ । ମାତ୍ର ଆରୋହଣ କଷ୍ଟ ବିନା ଯେ ଏ ଅନୁଭବ ଦୁଷ୍ପ୍ରାପ୍ୟ ଏହା କବିଙ୍କୁ ସେଭଳି କଷ୍ଟ ସ୍ୱୀକାର ପାଇଁ ଅନୁପ୍ରେରଣା ଦେଇଛି, ଯାହା ‘Geraldଙ୍କ wander thirst’ କବିତାକୁ ମନେ ପକାଇ ଦିଏ । ଅନୁଭୂତି ପାଇଁ ପାଗଳାମି ହିଁ ସବୁ ଯାତ୍ରା, ସବୁ ସର୍ଜ୍ଜନାର ପ୍ରେରଣା ଭୂମି ।

ଶୈଶବକୁ ନେଇ ରଚିତ କବିତା ମାନଙ୍କରେ ଶୈଶବ ଖାଲି ନିଷ୍ପାପପଣ ନୁହେଁ, ବରଂ ଏକ ପର୍ଯ୍ୟାୟ ଯେଉଁଠି ଜୀବନ-ଜିଜ୍ଞାସା ଅପ୍ରଭାବିତ ଓ ମୌଳିକ ପ୍ରଶ୍ନ ମାଧ୍ୟମରେ ଶବ୍ଦାୟିତ । ବୟସ୍କ ମୂଲ୍ୟବୋଧକୁ ନେଇ ଦିଆଯାଉଥିବା ଉତ୍ତର ସେ ଜିଜ୍ଞାସାକୁ କେବେ ବୁଝାଇ ପାରେନା । ଏହି ଥିମ୍ କୁ ନେଇ ‘Querry of my little daughter’ କବିତା ।

ହାତ ଖଣ୍ଡିଆ ଭୀକାରୁଣୀକୁ ଦେଖି କୁନି ଝିଅଟିର ପ୍ରଶ୍ନ : ତା ଯତ୍ନ ପାଇଁ ତା’ର ନିଜର ବୋଲି କେହି ଅଛନ୍ତି ତ? ବାପାଙ୍କ ଉତ୍ତର, ଭଗବାନ ଅଛନ୍ତି, ତାକୁ ନିଶ୍ଚୟ ସାହାଯ୍ୟ କରୁଥିବେ । ଝିଅର ପ୍ରଶ୍ନ : ଯଦି ଭଗବାନ ଅଛନ୍ତି ସେ ତା’ର ହାତ ଯୋଡ଼ିକ କାହିଁକି ନେଇଗଲେ, ଯାହାଥିଲେ ଝିଅଟି କେଡ଼େ ସୁବିଧାରେ ଚଳନ୍ତା । ବାପା ନିରୁତ୍ତର ।

ମିଲଟନ ସିନା ପାରାଡ଼ାଇଜ୍ ଲଷ୍ଟରେ ଲେଖିଥିଲେ -‘to justify the ways of god go man’ ଠିକ୍ ସେମିତି ‘My children the sea’ କବିତାରେ ଶିଶୁଟି ଦ୍ୱାରା ବହୁ ଯତ୍ନରେ ନିର୍ମିତ ବାଲି ଘରକୁ ସମୁଦ୍ର ଢ଼େଉ ଭାଙ୍ଗିଦେଲେ ବୟସ୍କମାନେ ଶକ୍ତିଶାଳୀ ସମୁଦ୍ର ତା’ ସହିତ ଖେଳୁଛି ବୋଲି କହି ସାନ୍ତ୍ୱନା ଦିଅନ୍ତି ସିନା ମାତ୍ର ଶିଶୁ ମନରେ Shakespearଙ୍କ King Lear ନାଟକରେ ଈଶ୍ୱରଙ୍କ ବିରୋଧରେ ଥିବା ସେଇ ଅଭିଯୋଗ ପ୍ରତିଧ୍ୱନିତ : As flies to wanton boys; So are we to gods, they kill us for their spot;

ସଙ୍କଳନର ଶେଷ କବିତା My last Paperboat’ ଯେଉଁଠି ଜର୍ମାନ ଦାର୍ଶନିକ Nietzsche ଈଶ୍ୱରଙ୍କ ମୃତ୍ୟୁ ଘୋଷଣା କଲାଭଳି କବି ନିଜ ନିରୀହତା ମୃତ୍ୟୁର ଉଦଘୋଷଣା କରନ୍ତି:

‘I failed to remember the time
when I spotted making them
though there have been rains
years after years since then;

କବିତା ମାନଙ୍କରେ ଦୃଶ୍ୟ, ଚରିତ୍ର, ଘଟଣା ଓ ବର୍ଣ୍ଣନା ପାଇଁ କବି ନିଜକୁ ଏମିତି ଏକ ସ୍ଥିତିରେ ରଖିଛନ୍ତି ଯାହା ନିରୀକ୍ଷକର ଦୂରତ୍ୱ ସହିତ ଅନୁଭବୀର ସଂପୃକ୍ତିକୁ ସମନ୍ୱିତ କରିଛି ।

ଭାଷା ଓ ଭାବର ସରଳତା, ନିବିଡ଼ତା, ସାଙ୍ଗୀତିକତା, ପ୍ରବହମାନତା ଓ ସର୍ବୋପରି କବିତା ମାନଙ୍କ କଳେବରର କ୍ଷୁଦ୍ରତା ବିଷ୍ଣୁ ସେଠୀଙ୍କ କାବ୍ୟକୃତିର ହଲମାର୍କ ଯାହା ପାଠକଙ୍କ କବିତାବୋଧକୁ ସିଧା ସଳଖ ସମ୍ବୋଧିତ କରି ସ୍ପର୍ଶ କରେ । ଉଉତ୍ତରଣ କାମନା କରୁଛି ।

ସମୀକ୍ଷକ: ରବିନାରାୟଣ ଦାଶ
ପୂର୍ବତନ ସଭାପତି, ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପୁସ୍ତକ ସମୀକ୍ଷା, ମୁଖ୍ୟ ଖବର, ସାହିତ୍ୟ

ବିଜେପିକୁ ପ୍ରତିହତ କରିବାପାଇଁ ରଣନୀତି ବଦଳାଉଛନ୍ତି ନବୀନ !

December 26, 2017 by ଓଡିଶା ଡଟ କମ Leave a Comment

ରଘୁନାଥ

ମହାନଦୀ ପ୍ରସଙ୍ଗ ହେଉ କିମ୍ବା ପୋଲାବରମ ହେଉ, ରାଜ୍ୟକୁ ଅନୁଦାନ ଦେବା ପ୍ରସଙ୍ଗ ହେଉ କି ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ନ ମିଳିବା ବିଷୟକୁ ନେଇ ହେଉ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରିଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜ୍ୟର ଶାସକ ବିଜୁ ଜନତା ଦଳର ୨୦ ତମ ଜନ୍ମ ଦିବସରେ ନିଜ ଅଭିଭାଷଣରେ ଏସବୁ ବିଷୟ ନ ଉଠାଇ କଣ ତାଙ୍କର ଭବିଷ୍ୟତ ରଣ କୌଶଳ ସମ୍ପର୍କରେ କୌଣସି ବାର୍ତ୍ତା ଦେଇଛନ୍ତି ?

ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ସଚିବାଳୟ ବଦଳରେ ପୁରୀ ଠାରେ ରାଜ୍ୟ କେବିନେଟର ବୈଠକ ବସାଇ ଓଡିଆ ଭାଷା ସଂସ୍କୃତି ସମ୍ପର୍କରେ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବା ଏବଂ ନିଜ ଅଭିଭାଷଣରେ ଓଡିଶା , ବିଜୁ ବାବୁ ଏବଂ ବିଜୁ ଜନତା ଦଳ ସମ୍ପର୍କରେ କହିବା ସହ ନିଜର ରାଜନୈତିକ ଜୀବନ ଆରମ୍ଭ ସମୟର କଥା କହି ଦଳ କାର୍ଯ୍ୟକର୍ତ୍ତାଙ୍କୁ ଭଲ କାମ କରି ଲୋକଙ୍କ ହୃଦୟ ଜିତିବା ପାଇଁ ପରାମର୍ଶ ଦେବା ଆଦି ତାଙ୍କ ରଣନୀତି ପରିବର୍ତ୍ତନର ସୂଚନା ଦେଉଛି ।

ନିକଟରେ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ପ୍ରବଳ ସରକାରୀ ବିରୋଧୀ ହାୱା ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ପୁଣିଠାରେ ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛି। ସରକାରଙ୍କ ୨୨ ବର୍ଷ ଶାସନର ତ୍ରୁଟି ବିଚ୍ୟୁତିକୁ ବିରୋଧୀ କଂଗ୍ରେସ ଦଳ ଆୟୁଧକରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଓ ଗୁଜରାଟୀଙ୍କ ସ୍ଵାଭିମାନ ବିଷୟ ଉପସ୍ଥାପନକରିବାରୁ ବିଜେପି ଏହି ସଫଳତା ହାସଲ କରିଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

ବୋଧହୁଏ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁଜରାଟ ନିର୍ବାଚନରେ ବିଜେପିର ସଫଳତାରୁ ଶିକ୍ଷାଲାଭ କରି ନିଜ ରଣନୀତି ପରିବର୍ତ୍ତନ କରିଥିବା ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି। ପୁରୀ ଶ୍ରୀ କ୍ଷେତ୍ରକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧକ୍ଷ୍ୟ ଅମିତ ଶାହା ଆସିଥିଲେ ଓ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ।

ପୁରୀଠାରେ ଏକ ବିଶାଳ ଜନ ସମାବେଶ ଆୟୋଜନ କରିବା ସହ ନିଜର ଅଭିଭାଷଣ ଆରମ୍ଭରେ ଜୟ ଜଗନ୍ନାଥ ଉଚ୍ଛାରଣ କରି ନବୀନ ଦେଖାଇବାକୁ ଚାହିଁଛନ୍ତି ଯେ ବିଜୁ ଜନତା ଦଳର ସ୍ଥିତି ମଜବୁତ ଅଛି ।

ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ମଧ୍ୟ ଖୁବ ଗୁରୁତ୍ଵ ବହନ କରୁଛି । ଏହି କ୍ଯାବିନେଟରେ ରାଜ୍ୟର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରାଯିବା ନିଷ୍ପତ୍ତି ନିଆଯିବା ସହ ଏକ ଭାଷା କମିଶନ ବସାଇବାପାଇଁ ନିଷ୍ପତ୍ତି ନିଆଯାଇଛି ।

ସଂସ୍କୃତି ବିଭାଗକୁ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ନାଁରେ ନାମିତ କରାଯିବା ସହ ପାଞ୍ଚ ବର୍ଷରେ ଥରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବା ଓ ପ୍ରତିବର୍ଷ ପୁସ୍ତକ ମେଳା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଠିକ ସେହି ପରି ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କରାଯିବା ଓ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆ ଭାଷା ବ୍ୟବହାର କରାଯିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ଘୋଷଣା କରାଯାଇଛି ।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପାର୍ଟିର ଅନ୍ୟ ନେତା ଓ ମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କିନ୍ତୁ ନିଜ ଅଭିଭାଷଣରେ ବିଜେପି କି କେନ୍ଦ୍ର ସରକାରଙ୍କ ନାଁ ମଧ୍ୟ ନେଇ ନ ଥିଲେ।

“ଆଜି ରାଜନୀତି ନୁହେଁ ହୃଦୟର କଥା କହିବି” କହିବା ସହ ସେ ୧୯୯୭ରୁ ରାଜନୀତି ଆରମ୍ଭ କରିଥିବା ଓ ଲୋକଙ୍କ ଆଶୀର୍ବାଦ ପାଇଥିବା କହିଥିଲେ। ସେ କହିଥିଲେ ଭଲ କାମ କରିବାରେ ଅଧିକ ଖୁସି ଥାଏ । ତେଣୁ ଆପଣମାନେ ଭଲ କାମକରି ଲୋକଙ୍କ ହୃଦୟ ଜିତନ୍ତୁ ।

ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରନ୍ତୁ । ସାଧାରଣ ଜୀବନ ଶୈଳୀ ଅବଲମ୍ବନ କରିବା ଓ ଉଛ ବିଚାର ରଖି କମ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡିଆ ତ୍ୟାଗର ଭୂମି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିହୁଏ ବୋଲି ସେ କହିଥିଲୋ

ତୁ ତୁ ମେ ମେ ଠାରୁ ନିଜକୁ ଦୂରରେ ରଖିବା, ଜଗନ୍ନାଥ ଧାମରୁ ଓଡିଆ ଅସ୍ମିତା କଥା କହି ଓଡିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କଳା ଭଳି ନିଷ୍ପତ୍ତି ନେବା ଆଦିରୁ ଏହା ସ୍ପଷ୍ଟ ଯେ ନବୀନ ୨୦୧୯ ରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜ ରଣନୀତିରେ ପରିବର୍ତ୍ତନ କରୁଥିବା ବିଚାର କରୁଛନ୍ତି।

ବିରୋଧୀ ଦଳ ଯଥା କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ସମ୍ପର୍କରେ କହିଆସୁଥିବା ବେଳେ, ତାଙ୍କୁ ପ୍ରତ୍ୟୁତ୍ତର ଦେବା ବଦଳରେ ସକାରାତ୍ମକ ଢଙ୍ଗରେ ତାଙ୍କୁ ମୁକାବିଲା କରିବା ପାଇଁ ନବୀନ ସ୍ଥିର କରିଥିବା ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି

ନଳକୂପ ଗର୍ତ୍ତ୍ଵରେ ଖସିପଡିଥିବା ନାବାଳିକା ଉଦ୍ଧାର

December 25, 2017 by ଓଡିଶା ଡଟ କମ Leave a Comment

ଅନୁଗୁଳ, ଡିସେମ୍ବର ୨୫ ( ଓଡିଶା ଡଟ କମ) ନଳକୂପ ପାଇଁ ଖୋଲା ଯାଇଥିବା ଏକ ଗର୍ତ୍ତ୍ଵରେ ଖେଳୁଥିବା ବେଳେ ଆକସ୍ମିକ ଭାବେ ଖସିପଡିଥିବା ଏକ ତିନି ବର୍ଷର ଝିଅକୁ ପ୍ରାୟ ଆଠ ଘଣ୍ଟାର ପରିଶ୍ରମ କରି ଅଗ୍ନିଶମ କର୍ମଚାରୀ ଓ ଓଡରାଫ ଟିମ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ଗୁଲାସର ଗ୍ରାମର ସନ୍ତୋଷ ସାହୁଙ୍କ ତିନିବର୍ଷର ଝିଅ ରାଧା ଖେଳୁଥିବା ସମୟରେ ସୋମବାର ସକାଳ ପ୍ରାୟ ୯ଟାରେ ଉକ୍ତ ଗର୍ତ୍ତ୍ଵରେ ଖସିପଡିଥିଲା । ଅଗ୍ନିଶମ ମହା ନିର୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବାମୁର ଓ ଅନୁଗୁଳ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ନଳକୂପ ଗର୍ତ୍ତ ର କିଛି ଦୂରରେ ପ୍ରାୟ ୧୬ ଫୁଟର ଏକ ଗାତ କରିବା ସହ ସେହି ସ୍ଥାନରୁ ନଳକୂପ ଗର୍ତ୍ତ୍ଵ ନିକଟକୁ ଅଗ୍ନିଶମ କର୍ମଚାରୀ ମାନେ ଏକ ସୁଡଙ୍ଗ ତିଆରି କରି ରାଧାକୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ରାଧାକୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ସେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି। ଉଦ୍ଧାରକାରୀଙ୍କ ଏହି ସାହସିକ କାର୍ଯ୍ୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର

ମନ ମୋହିଲା ଓଡିଶୀ ଓ କୁଚିପୁଡିର ନୃତ୍ୟ ସ୍ତବକ

December 4, 2017 by ଓଡିଶା ଡଟ କମ Leave a Comment

ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟ ମୁଖର କରିଥିଲା । ଓଡିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ।

ବର୍ଣ୍ଣାଢ୍ୟ ଆଲୋକ ମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ମଞ୍ଚର ପରିବେଶକୁ ସଂଗୀତ ଓ ନୃତ୍ୟର ମଧୁର ଝଙ୍କାରରେ ଭରିଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ଆଦ୍ୟ ଚରଣରେ ଓଡିଶୀ ନୃତ୍ୟର ପରିପାଟୀରେ ମଞ୍ଚ ପ୍ରବେଶ କରିଥିଲେ ସୂତ୍ର ଫାଉଣ୍ଡେସନ୍ ମାଲୟେସିଆର ଶିଳ୍ପୀଗଣ ।

ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥି ମାନଙ୍କ ପ୍ରଥମ ନିବେଦନ ଥିଲା ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ । ଗଂଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାରକରି ଏହା ପ୍ରସ୍ତୁତ ହୋଇଥିଲା ଯାହା ଶଦ୍ଧସ୍ୱର ପାଟର ସଂଯୋଜନାକୁ ସ୍ପଷ୍ଟ କରିଥିଲା ।

ପରେ ପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ସ୍ଥାୟୀ ଯାହା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ସଖୀନାଟକୁ ନେଇ ପରିପୃଷ୍ଟ ହୋଇଥିଲା । ସଖିନାଟର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଓ ପରିପାଟୀର ସମନ୍ୱୟରେ ସ୍ଥାୟୀ ନୃତ୍ୟର ପରିବେଷଣ ବେଶ ମନଛୁଆଁ ହୋଇଥିଲା  ଏହାପରେ ରାମ ଭଜନର ନୃତ୍ୟାଭିନୟ ଏକ ଭାକ୍ତିକ ପରିବେଶ  ସୃଷ୍ଟି କରିଥିଲା ।

ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ କଳା ଶିଳ୍ପୀ ଦାସକାଠିଆ ର ଲୋକ ପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଶି ଦେଇଥିଲେ ଶିଳ୍ପୀ । ଓଡିଶୀ ନୃତ୍ୟର ଅନ୍ତିମ ଉପସ୍ଥାପନ ଯୋଗିନୀ ମୋକ୍ଷ । ନଟରାଜ ଶିବଙ୍କ ଯୋଗ ଓ ସମାଧି ଅବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀ ଗଣଙ୍କ ଆରାଧନା ଓ ଶକ୍ତି ଉପସନାର ତତ୍ୱକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ।

ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟକୁ ନେଇ ମଞ୍ଚ ଆଗମନ କରିଥିଲେ ବନଶ୍ରୀ ରାଓ ଓ ରସ ୟୁନାଇଟେଡ ଦିଲ୍ଲୀର ଶିଳ୍ପୀଗଣ । କୁଚିପୁଡି ନୃତ୍ୟର ପ୍ରଥମ
ଉପସ୍ଥାପନା ରହିଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ ।

ଜଗତର କଲ୍ୟାଣ ପାଇଁ ଅଭିପ୍ରେତ ଏହି ଆନନ୍ଦ ତାଣ୍ଡବର ସୁନ୍ଦର ପରିବେଷଣ ପରେ ପ୍ରସ୍ତୁତ ହୋଇଥିଲା ରାଗମ୍-ସିନ୍ଧୁ ଭୈରବୀ ଓ ଆଦି ତାଳମ୍ରେ ଶୁଦ୍ଧନୃତ୍ୟ ତିଲ୍ଲାନା । ଏଥିରେ ମୟୁରଭଂଜର ପ୍ରସିଦ୍ଧ ଛଉନୃତ୍ୟର ଗତି ଓ ପଦପାଦର ସଂଯୋଜନା ଏହାକୁ ଖୁବ ଚିତାକର୍ଷକ କରିଥିଲା ।

ଏଥିରେ ପଞ୍ଚଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପ୍ରତି ସମର୍ପଣର ଚେତନା ପରିଲିକ୍ଷିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ବନଶ୍ରୀ ରାଓ ଓ ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ମହିଷାସୁର ମର୍ଦ୍ଦିନୀ । ଡ଼ଃ ସାଧନା ଶ୍ରୀବାସ୍ତବ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ବଳିଷ୍ଠ ସଂଯୋଜନାରେ ଉପସ୍ଥାପିତ ତୃତୀୟ ଦିବସର ସଂଧ୍ୟାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉନ୍ନୟନ କମିଶନର, ଆର. ବାଲକ୍ରିଷ୍ଣନ୍, ପ୍ରାକ୍ତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ଡଃ. ସଂଜୀବ ଚନ୍ଦ୍ର ହୋତା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଡଃ. ନିତୀନ ଭାନୁଦାସ ଜାୱଲେ ।

ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳାରେ ପରିବେଶ ପର୍ଯ୍ୟଟନ ଓ ଦିବ୍ୟାଙ୍ଗ ପ୍ରସଙ୍ଗ ଆଧାରିତ କଳାକୃତୀକୁ ଦେଖିବା ପାଇଁ ପ୍ରବଳ ସମାଗମ
ହୋଇଥିଲା । ଦେଶ ଓ ବିଦେଶରୁ ଆଗତ ପର୍ଯ୍ୟଟକ ମାନଙ୍କ ଉପସ୍ଥିତି ସଂପ୍ରତି କୋଣାର୍କକୁ ଉତ୍ସବ ମୁଖର କରିଥିଲା । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ହୋଇଥିଲା ।

ସାରସ୍ୱତ ସମାବେଶ ଯାହାର ଉଦ୍ଘାଟନ କରିଥିଲେ ପ୍ରଖ୍ୟାତ ଗାଳ୍ପିକା ଔପନ୍ୟାସିକା ଡଃ. ପ୍ରତିଭା ରାୟ । ଶିଶୁ ସାହିତ୍ୟକ ଡଃ. ଦିଗରାଜ ବ୍ରହ୍ମା ମୁଖ୍ୟବକ୍ତା, ବିରଞ୍ଚି ମିଶ୍ର ଓ କବି ନାରାୟଣ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ସଂସଦର ସଂପାଦକ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ବାହିନୀପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ ।

ଅତିଥିଙ୍କ ଦ୍ୱାରା ଶିଷୁ ସାହିତ୍ୟ ପତ୍ରିକା ଦରବାର ଉନ୍ମୋଚିତ ହେବା ସହ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସଂଧ୍ୟାରେ କାର୍ଯ୍ୟକ୍ରମ ପରିଚାଳନକୁ ବ୍ୟବସ୍ଥିତ କରିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡଃ. ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମକର୍ତାଗଣ ।

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 177
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ