• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ କମ

ମନ ମୋହିଲା ଓଡିଶୀ ଓ କୁଚିପୁଡିର ନୃତ୍ୟ ସ୍ତବକ

December 4, 2017 by ଓଡିଶା ଡଟ କମ Leave a Comment

ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟ ମୁଖର କରିଥିଲା । ଓଡିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ।

ବର୍ଣ୍ଣାଢ୍ୟ ଆଲୋକ ମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ମଞ୍ଚର ପରିବେଶକୁ ସଂଗୀତ ଓ ନୃତ୍ୟର ମଧୁର ଝଙ୍କାରରେ ଭରିଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ଆଦ୍ୟ ଚରଣରେ ଓଡିଶୀ ନୃତ୍ୟର ପରିପାଟୀରେ ମଞ୍ଚ ପ୍ରବେଶ କରିଥିଲେ ସୂତ୍ର ଫାଉଣ୍ଡେସନ୍ ମାଲୟେସିଆର ଶିଳ୍ପୀଗଣ ।

ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥି ମାନଙ୍କ ପ୍ରଥମ ନିବେଦନ ଥିଲା ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ । ଗଂଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାରକରି ଏହା ପ୍ରସ୍ତୁତ ହୋଇଥିଲା ଯାହା ଶଦ୍ଧସ୍ୱର ପାଟର ସଂଯୋଜନାକୁ ସ୍ପଷ୍ଟ କରିଥିଲା ।

ପରେ ପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ସ୍ଥାୟୀ ଯାହା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ସଖୀନାଟକୁ ନେଇ ପରିପୃଷ୍ଟ ହୋଇଥିଲା । ସଖିନାଟର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଓ ପରିପାଟୀର ସମନ୍ୱୟରେ ସ୍ଥାୟୀ ନୃତ୍ୟର ପରିବେଷଣ ବେଶ ମନଛୁଆଁ ହୋଇଥିଲା  ଏହାପରେ ରାମ ଭଜନର ନୃତ୍ୟାଭିନୟ ଏକ ଭାକ୍ତିକ ପରିବେଶ  ସୃଷ୍ଟି କରିଥିଲା ।

ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ କଳା ଶିଳ୍ପୀ ଦାସକାଠିଆ ର ଲୋକ ପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଶି ଦେଇଥିଲେ ଶିଳ୍ପୀ । ଓଡିଶୀ ନୃତ୍ୟର ଅନ୍ତିମ ଉପସ୍ଥାପନ ଯୋଗିନୀ ମୋକ୍ଷ । ନଟରାଜ ଶିବଙ୍କ ଯୋଗ ଓ ସମାଧି ଅବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀ ଗଣଙ୍କ ଆରାଧନା ଓ ଶକ୍ତି ଉପସନାର ତତ୍ୱକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ।

ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟକୁ ନେଇ ମଞ୍ଚ ଆଗମନ କରିଥିଲେ ବନଶ୍ରୀ ରାଓ ଓ ରସ ୟୁନାଇଟେଡ ଦିଲ୍ଲୀର ଶିଳ୍ପୀଗଣ । କୁଚିପୁଡି ନୃତ୍ୟର ପ୍ରଥମ
ଉପସ୍ଥାପନା ରହିଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ ।

ଜଗତର କଲ୍ୟାଣ ପାଇଁ ଅଭିପ୍ରେତ ଏହି ଆନନ୍ଦ ତାଣ୍ଡବର ସୁନ୍ଦର ପରିବେଷଣ ପରେ ପ୍ରସ୍ତୁତ ହୋଇଥିଲା ରାଗମ୍-ସିନ୍ଧୁ ଭୈରବୀ ଓ ଆଦି ତାଳମ୍ରେ ଶୁଦ୍ଧନୃତ୍ୟ ତିଲ୍ଲାନା । ଏଥିରେ ମୟୁରଭଂଜର ପ୍ରସିଦ୍ଧ ଛଉନୃତ୍ୟର ଗତି ଓ ପଦପାଦର ସଂଯୋଜନା ଏହାକୁ ଖୁବ ଚିତାକର୍ଷକ କରିଥିଲା ।

ଏଥିରେ ପଞ୍ଚଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପ୍ରତି ସମର୍ପଣର ଚେତନା ପରିଲିକ୍ଷିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ବନଶ୍ରୀ ରାଓ ଓ ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ମହିଷାସୁର ମର୍ଦ୍ଦିନୀ । ଡ଼ଃ ସାଧନା ଶ୍ରୀବାସ୍ତବ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ବଳିଷ୍ଠ ସଂଯୋଜନାରେ ଉପସ୍ଥାପିତ ତୃତୀୟ ଦିବସର ସଂଧ୍ୟାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉନ୍ନୟନ କମିଶନର, ଆର. ବାଲକ୍ରିଷ୍ଣନ୍, ପ୍ରାକ୍ତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ଡଃ. ସଂଜୀବ ଚନ୍ଦ୍ର ହୋତା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଡଃ. ନିତୀନ ଭାନୁଦାସ ଜାୱଲେ ।

ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳାରେ ପରିବେଶ ପର୍ଯ୍ୟଟନ ଓ ଦିବ୍ୟାଙ୍ଗ ପ୍ରସଙ୍ଗ ଆଧାରିତ କଳାକୃତୀକୁ ଦେଖିବା ପାଇଁ ପ୍ରବଳ ସମାଗମ
ହୋଇଥିଲା । ଦେଶ ଓ ବିଦେଶରୁ ଆଗତ ପର୍ଯ୍ୟଟକ ମାନଙ୍କ ଉପସ୍ଥିତି ସଂପ୍ରତି କୋଣାର୍କକୁ ଉତ୍ସବ ମୁଖର କରିଥିଲା । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ହୋଇଥିଲା ।

ସାରସ୍ୱତ ସମାବେଶ ଯାହାର ଉଦ୍ଘାଟନ କରିଥିଲେ ପ୍ରଖ୍ୟାତ ଗାଳ୍ପିକା ଔପନ୍ୟାସିକା ଡଃ. ପ୍ରତିଭା ରାୟ । ଶିଶୁ ସାହିତ୍ୟକ ଡଃ. ଦିଗରାଜ ବ୍ରହ୍ମା ମୁଖ୍ୟବକ୍ତା, ବିରଞ୍ଚି ମିଶ୍ର ଓ କବି ନାରାୟଣ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ସଂସଦର ସଂପାଦକ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ବାହିନୀପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ ।

ଅତିଥିଙ୍କ ଦ୍ୱାରା ଶିଷୁ ସାହିତ୍ୟ ପତ୍ରିକା ଦରବାର ଉନ୍ମୋଚିତ ହେବା ସହ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସଂଧ୍ୟାରେ କାର୍ଯ୍ୟକ୍ରମ ପରିଚାଳନକୁ ବ୍ୟବସ୍ଥିତ କରିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡଃ. ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମକର୍ତାଗଣ ।

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

ଭାବ ଓ ଭକ୍ତିର କାଳାତୀତ ସ୍ଵର ; ଦଶଟି ଜଗନ୍ନାଥ ଜଣାଣ

November 5, 2017 by ଓଡିଶା ଡଟ କମ 1 Comment

 

janana

କେଦାର ମିଶ୍ର

ସମୁଦ୍ର ବେଳାରେ ଠିଆ ହୋଇ ସବୁଠୁ ସୁନ୍ଦର ଲହଡି ଗଣିବା ସମ୍ଭବପର କି? ଆମେ ପ୍ରୟାସ କଲେ ବି ସବୁ ସୁନ୍ଦର ଭିତରୁ ସୁନ୍ଦରତରକୁ ବାଛିବା ସମ୍ଭବ ହେବନାହିଁ। ଓଡିଆ ଭାବରେ ଆମର ଜୀବନ ସହିତ ଜଗନ୍ନାଥ ଜଣାଣ ଏକୀଭୁତ ହୋଇ ରହିଛି ।

ଏହା ଯେତିକି ଧାର୍ମିକ, ତାଠୁ ଅଧିକ ଭାବଗତ।ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ, ସ୍ଵର ର ମାଧୁର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ବିମୋହିତ ହେବାକୁ ବାଧ୍ୟ।

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ. କୀର୍ତନ ଓ ଜଣାଣ ଭିତରେ ଭାବଗତ ମୌଳିକ ପାର୍ଥକ୍ୟ ରହିଛି ।

ଭଜନରେ ଭକ୍ତ ସ୍ତୁତି କରେ, ସ୍ମରଣ କରେ କିମ୍ବା ଆତ୍ମ ସମର୍ପଣ କରେ ।ଜଣାଣ କିନ୍ତୁ ଅଧିକ ଲୌକିକ। ଏଠି ଭକ୍ତ ଓ ଭଗବାନ ସତେକି ପରସ୍ପରର ସମ୍ପର୍କୀୟ। ଜଗନ୍ନାଥ ଜଣାଣରେ ଜଗନ୍ନାଥ ମହାପ୍ରଭୁଂକୁ ଭକ୍ତ ନିଜ କଥା ଜଣାଏ । ମାନ ଓ ଅଭିମାନ ବି କରେ ।

ତେଣୁ ଜଣାଣ ଗାୟନର ପରମ୍ପରା ଅଧିକ ଭାବ ଭିତ୍ତିକ। ଯଦିଓ ଏସବୁ ଗାୟନରେ ଶାସ୍ତ୍ରୀୟ ରାଗ ରାଗିଣୀର ପ୍ରୟୋଗ ଥାଏ, ତେବେ ସେଠି ରାଗର ବ୍ୟାକରଣ ଓ ପ୍ରୟୋଗ ବେଶୀ ଗୁରୁତ୍ଵ ପାଏ ନାହିଁ ।

ଜଣାଣର ଆତ୍ମା ହେଉଛି ଭାବ ଓ ଆବେଗ। ଓଡିଶାରେ ଜଗନ୍ନାଥ ଜଣାଣର ପରମ୍ପରା ବହୁ ପ୍ରାଚୀନ । ତେବେ ଲୋକଶୃତି ରେ କାଳଜୟୀ ଦଶଟି ଜଣାଣର ଆଲୋଚନା ଆମେ କରିବା-

୧. ଜଗନ୍ନାଥାଷ୍ଟକମ୍ – ସୁନନ୍ଦା ପଟ୍ଟନାୟକ । ଶଂକରାଚାର୍ଯ୍ୟ ବିରଚିତ ଜଗନ୍ନାଥାଷ୍ଟକମ୍ ହେଉଛି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ମୌଳିକ ସ୍ତୋତ୍ର।ଏହାର ଗାୟନ ଓ ପଠନ ର ବହୁ ଶୈଳୀ ରହିଛି।

http://dl.blugaa.com/cdn3.blugaa.com/ab810490509fa6f9645955610b00ff84/vnetv/Jagannath%20Swami%20Sunanda%20Patnaik-(Mr-Jatt.com).mp3

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଏବର ସମୟର ବହୁ ଶିଳ୍ପୀ ଏହି ସଂସ୍କୃତ ସ୍ତବ ପାଠ କରିଛନ୍ତି।ହେଲେ ସୁନନ୍ଦା ପଟ୍ଟନାୟକ ନିଆରା ଗାୟକିର ଅଧିକାରୀ।

ହିନ୍ଦୁସ୍ତାନୀ ଶୈଳୀର ଗାୟନ ସହିତ ଭାବ ବିନ୍ୟାସରେ ଅତି ଅନ୍ତରଂଗ ଭାବ ଏହି ଗୀତ ରେ ରହିଛି। ଗୋଆଲିଅର୍ ଘରାନାର ଗାୟକୀ ସହିତ ଓଡିଶୀ ଭାବର ତନ୍ମୟ ମିଶ୍ରଣ ଯୋଗୁଁ ଏହି ଗୀତ ର କୌଣସି ତୁଳନା ନାହିଁ।

୨. ପତିତ ଜନଂକୁ ଉଦ୍ଧରିବା ପାଇଁ ଉଡାଉଅଛ ପତାକା – ନିମାଇଁ ହରିଚନ୍ଦନ।ନିମାଇଁ ହରିଚନ୍ଦନ ଓଡିଆ ଜଣାଣ ପରମ୍ପରାର ଶ୍ରେଷ୍ଠତମ ଦିଗପାଳ।ତାଂକ କଣ୍ଠରେ ଆର୍ତ୍ତୀ ଓ ଆକୁଳତା ର ବିରଳ ବିନ୍ୟାସ ରହିଛି। ମହାବାହୁ ହେ ….ବୋଲି ସେ ଯେତେବେଳେ ଡାକ ଦିଅନ୍ତି, ସତେକି ତାହା ପ୍ରତ୍ୟେକ ଶ୍ରୋତାଂକ ଅନ୍ତରର ଡାକ।

ତାଂକର ଅଜସ୍ର ଜଣାଣ ଭିତରୁ ଏହି ଜଣାଣରେ ବ୍ୟାକୁଳ ପ୍ରାଣର ବ୍ୟଥା ଓ ବେଦନା ଅତ୍ୟନ୍ତ ମର୍ମସ୍ପର୍ଶୀ।

https://youtu.be/fAFlYmuus4c?t=36

୩. ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ – ରଘୁନାଥ ପାଣିଗ୍ରାହୀ । ଏହା ଗୀତ ନୁହଁ, ଗୋଟେ ଐତିହାସିକ ଜୀବନବୋଧ । ଯବନ କବି ସାଲବେଗଂକ ତନ୍ମୟ ଭକ୍ତିର ଅପୂର୍ବ ଭାବ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ନବଜନ୍ମ ପାଇଛି। ପ୍ରାଚୀନ ଓଡିଶୀ ସ୍ଵରରେ ସାମାନ୍ୟ ଦକ୍ଷିଣୀ ଶୈଳୀର ସାର୍ଥକ ମିଶ୍ରଣ ଏହି ଗୀତକୁ କାଳଜୟୀ କରିଛି ।

୪. ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ – ବାଳକୃଷ୍ଣ ଦାଶ ।ସେ ଗୀତ ନୁହଁ , ଗୋଟେ ଆକୁଳ ପ୍ରାଣର ଅଳି। ଦୀନବନ୍ଧୁଂକ ପାଖରେ ସାଧାରଣ ମଣିଷର ବିଷାଦ ଗାୟନ। ବାଳକୃଷ୍ଣ ଦାଶଂକ କଣ୍ଠ ବେଶୀ ମିଠା ନୁହଁ, କିନ୍ତୁ ଅପୂର୍ବ ଗମ୍ଭୀର।ତାଂକ ସ୍ଵର ସିଧା ଆତ୍ମାର ବାମ୍ଫ ପରି ଆଛନ୍ନ କରେ ।

 

ଦାନାକନା ପଛେ ମନା ହେଉ ମୋତେ ……ଏତିକି କହିଲା ବେଳେ ଯେମିତି କେହି ଜଣେ ହୃଦୟକୁ ମଂଥି ଦେଉଛି ।ଭାବ ର ମଉଡମଣି ବାଳକୃଷ୍ଣ ଦାଶ। ଏ ଗୀତ ଶୁଣିବା ସମ୍ଭବ ନୁହଁ, ୟାକୁ ଅନ୍ତର ଭିତରେ ଅନୁଭବିବାକୁ ହୁଏ ।

୫. ଚକାନୟନକୁ ପତିତ କେହି – ରଘୁନାଥ ପାଣିଗ୍ରାହୀ। ଚନ୍ଦନ ହଜୁରିଂକ ଏହି ବିରଳ ଜଣାଣରେ ଅଳି ଓ ଅଭିମାନର ଭାଷା କୁ ରଘୁନାଥ ପାଣିଗ୍ରାହୀ ତାଂକର ମଖମଲୀ ସ୍ଵରର ଗୋଟେ ଅପୂର୍ବ ପ୍ରଭାବ ରହିଛି।

https://www.youtube.com/watch?v=PZclDhklOZc

ଛନ୍ଦ ଛାଡ ଦେବରାଜେ ହେ, ନନ୍ଦ ନନ୍ଦନ ଶ୍ରୀ ଚରଣାରବିନ୍ଦେ ଚନ୍ଦନ ହଜୁରୀ ଭଜେ ହେ….ଗାଇଲା ବେଳେ ଅଭିଯୋଗ ଓ ଅଭିମାନ ର ଏକ ମଧୁର ସ୍ଵର ଶୁଣିଲା ବେଳେ ମନେହୁଏ – ଏ ଗୀତ କେବେ ବି ସରନ୍ତା ନାହିଁ ଯେମିତି !!

୬. ଭୁଜତଳେ ମୋତେ ରଖ ମହାବାହୁ – ପ୍ରଫୁଲ୍ଲ କର । ଗଜପତି ବୀରକେଶରୀ ଦେବଂକ ଏହି ଜଣାଣ କେବେ ଶୁଣୁ ଶୁଣୁ ଆପଣଙ୍କୁ ହୁଏତ ଲାଗିପାରେ ଯେମିତି ଗୋଟେ ଅଦୃଶ୍ୟ ବଳିୟାର ଭୁଜ ଆପଣଂକୁ ଆଶ୍ରିତ କରି ରଖିଛି ।ପ୍ରଫୁଲ୍ଲ କରଂକ କଣ୍ଠରେ ଏଇ ଗୀତର ଆବେଦନ ନିଆରା।

୭. ଜୟ ଜୟ ଜଗନ୍ନାଥ ଚଢି ନନ୍ଦିଘୋଷ ରଥ- କାଶୀନାଥ ପୂଜାପଣ୍ଡା। ଅନେକଂକ ଲାଗି କାଶୀନାଥ ପୂଜାପଣ୍ଡା ଟିକେ ନୁଆ ନାଁ ଭଳି ଲାଗି ପାରନ୍ତି।ପଚାଶ ଦଶକର ଆକାଶବାଣୀରେ ଯେଉଁ ମାନେ କାଶିନାଥଂକୁ ଶୁଣିନଥିବେ, ସେମାନେ ଏକ ବିରଳ ସୌଭାଗ୍ୟରୁ ବଂଚିତ ବୋଲି କହିବାରେ ଅସୁବିଧା ନାହିଁ।

ପ୍ରାଚୀନ ଓଡିଶୀ ଗୟନର ଶୁଦ୍ଧତା ଓ ପ୍ରବନ୍ଧ ଶୈଳୀ ର ଅନୁପମ ଗାୟକ ସେ ।ଏହି ଗୀତ ରଭାବ ସହିତ ଚୋଖୀ ରାଗର ପ୍ରାଚୀନ ଦେଶୀପଣକୁ ଅତି ସହଜରେ ଅନୁଭବ କରିହୁଏ ।

https://youtu.be/mpjuYhkO04Y

୮. ପତିତପାବନ ବାନା ଆଉ କେତେ ବେଳକୁ – ସିକନ୍ଦର ଆଲାମ୍ ।ତାଂକ କଣ୍ଠ ଯେମିତି ମହୁର ସୁରେଇ। ସିକନ୍ଦର ଆଲାମ ଆମ ସମୟର ସାଲବେଗ।ପତିତପାବନ ବାନା ଆଉ କେତେ ବେଳକୁ……ସେ କେବଳ ପ୍ରଶ୍ନ ନୁହଁ, ଗୋଟେ ଆତୁର ଆର୍ତ୍ତି ।

ଓଡିଆ ଶବ୍ଦର ଉଚାରଣରେ ତାଂକର ସ୍ପଷ୍ଟତା ଓ ଭାବ ପ୍ରବଣତାକୁ ଏହି ଜଣାଣରେ ଅନୁଭବୀ ହୁଏ ।

୯. କେଣେ ଘେନି ଯାଉଚ୍ଛ ଜଗନ୍ନାଥଂକୁ –ଅକ୍ଷୟ ମହାନ୍ତି ।ଇଏ ସେଇ ଅକ୍ଷୟ ମହାନ୍ତି ନୁହନ୍ତି, ଯିଏ ଚପଳ ପ୍ରଜାପତିର ଡେଣାରେ ରଂଗ ମାଖି ଫୁଲରୁ ଫୁଲକୁ ଘୂରୁଥାଏ । ଏ ଗୀତ ଗାଇଲା ବେଳେ ଏକ ଐତିହାସିକ ବିପର୍ଯ୍ୟୟକୁ ଦେଖିଥିବା ସାଲବେଗଂକ କଣ୍ଠ ର ଜୀବନ୍ତ ସାକ୍ଷୀ ଅକ୍ଷୟ ମହାନ୍ତି ।

ମୋଗଲ ଆକ୍ରମଣରୁ ରକ୍ଷା କରିବାକୁ ଶ୍ରୀ ଜଗନ୍ନାଥଂକୁ ଯେତେବେଳେ ମନ୍ଦିରରୁ ଗୋପନ କରି ନିଆ ଯାଉଛି, ସେତେବେଳର ଛାତିଫ଼ଟା ଚିତ୍କାର ଏ ଜଣାଣ। ଅକ୍ଷୟ ମହାନ୍ତି ସତେକି ଚାରି ଶହ ବର୍ଷ ତଳର ସେ ବିଷାଦ ବେଳାର ଗାୟକ। ଏ ଗୀତର କୌଣସି ବିକଳ୍ପ ନାହିଁ ।

https://www.youtube.com/watch?v=35KbAcr3onM

୧୦. କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ ଭାଂଗି – ଭିକାରୀ ବଳ । ଭଜନ ଥିଲା ତାଂକର ଏକମାତ୍ର ପରିଚୟ ।ତାଂକର ଶହ ଶହ ଭାଜନ ଭିତରୁ ଏଇ ଜଣାଣ ଟି ଭକ୍ତ ର ନୁହଁ, ବରଂ ସେବକର ।ଟିକେ ଅଥୟ ଓ ନିରୀହ ଏ ଗୀତର ପ୍ରବାହ।

ମଧୁର ସେବା ଓ ସ୍ଵରର ଅନାବିଳ ବିନ୍ୟାସ ପାଇଁ ଏହା ସବୁବେଳେ ଆମକୁ ତନ୍ମୟ କରି ରଖିବ ।
https://www.youtube.com/watch?v=BsUZ_KhhJRQ

( ଏଇ ଦଶଟି ଜଣାଣ କଥା ଲେଖିଲାବେଳେ ଆହୁରି ଶହ ଶହ ଜଣାଣ ମନକୁ ଆସୁଛି ।ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, ସୁମତି ଦେବୀ, ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ,ଚିତ୍ତ ଜେନା, ଫକିର ପଟ୍ଟନାୟକ ଓ ଆହୁରି ଅନେକ ଗାୟକ ଗାୟିକାଂକ କଣ୍ଠ ଉଦବେଳିତ କରୁଛି ।

ତେବେ ବିବିଧତା ଓ ଗାମ୍ଭିର୍ଯ୍ୟର ମାପକାଠିରେ ଏଇ ଦଶଟି ଜଣାଣକୁ ବାଛିଲି।କେବେ ଶୁଣିବେ ଯଦି, ସ୍ଵର ସମୁଦ୍ରରେ ତଲ୍ଲୀନ ହେବେ ନିଶ୍ଚୟ )

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଧର୍ମ Tagged With: ଓଡିଶା, କୋଠା ଭୋଗ ଖିଆ, ଭକ୍ତି ସଂଗୀତ

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

September 30, 2017 by ଓଡିଶା ଡଟ କମ Leave a Comment

ମୁମ୍ବାଇ, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର –ମୁମ୍ବାଇ ଦ୍ଵାରା ଏକାଦଶ “ନୂଆଖାଇ ଭେଟଘାଟ -୨୦୧୭” ସେପ୍ଟେମ୍ବର ୨୪ ରବିବାର ସ୍ଵତନ୍ତ୍ରବୀର ସଭରକର ସଭାଗାର, ଦାଦର, ମୁମ୍ବାଇ ଠାରେ ଆୟୋଜିତ କରଯାଇଥିଲା।

ଏଥିରେ ମୁମ୍ବାଇରେ ଅବସ୍ଥାପିତ ପଶ୍ଚିମ ଓଡିଶାର ଅଧିବାସୀଗଣ ବହୁ ଉତ୍ସାହ ସହ ଅଂଶଗ୍ରହଣ କରିଥିଲେ।

ମହାରାଷ୍ଟ୍ର ସରକାରଙ୍କ ଶକ୍ତି ସଚିବ ଶ୍ରୀଯୁକ୍ତ ଅରବିନ୍ଦ ସିଂ, ଆଇଏସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଇତ୍ୟାବସରେ ଶ୍ରୀଯୁକ୍ତ ଅରବିନ୍ଦ ସିଂ ଓ ଅନ୍ୟ ଅତିଥିଗଣ ସ୍ମରଣିକା “ଜୁହାର” ର ସପ୍ତମ ସଂସ୍କରଣର ଅନାବରଣ କରିଥିଲେ।

ବଲିଉଡ ଓ ଟିଭି ଜଗତର ବରିଷ୍ଠ କଳାକାର, ଶ୍ରୀ ସତୀଶ ଶାହ ଉତ୍ସବର ବିଶେଷ ଅତିଥି ଭାବରେ ଯୋଗଦାନ କରି ପଶ୍ଚିମ ଓଡିଶା ଫାଉଣ୍ଡେସନ ତରଫରୁ ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କୁ ସାଲ ଓ ମୋମେଣ୍ଟୋପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି, ଉପସ୍ଥିତ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ଅନେକ ବଲିଉଡ ସିନେମାର ସେଲେବ୍ରିଟି ଖଳନାୟକ ଶ୍ରୀ ଆଶୀଷ ବିଦ୍ୟାର୍ଥୀ ଉତ୍ସବରେ ଯୋଗଦାନକରି ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ଆୟୋଜକ ମାନଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ଦର୍ଶକମାନଙ୍କ ଅନୁରୋଧରେ ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି ଉଠିଥିଲେ।

ସେଲେବ୍ରିଟି ଟିଭି ତାରକା ସୋନଲିକା ଯୋଶୀ ଓ ଲୋକପ୍ରିୟ ଟିଭି ଧାରାବାହିକ “ତାରକ ମେହେତାକା ଉଲ୍ଟା ଚଷମା” ର ଦିଶା ବକାନି ମଧ୍ୟ ଏହି ଅବସରର ଯୋଗଦାନ କରି ସଭିଙ୍କୁ ନୂଆଖାଇର ଶୁଭକାମନା ଜଣାଇଥିଲେ।

ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ବସ୍ତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା “ରଙ୍ଗ ଫରୁଆ” ମଣ୍ଡଳୀକୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

ଆୟୋଜନ କମିଟି ମେଧାବୀ ତଥା ଖେଳକୁଦ ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁରୀ କପଡାକୁ ନେଇ ଡିଜାଇନର ବସ୍ତ୍ର ପ୍ରସ୍ତୁତ କରୁଥିବା ଏକ ସମ୍ବଲପୁର ସ୍ଥିତ କମ୍ପାନୀ “Traditional Vougue” ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏକ ଫାଶନ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ଖିରୀ ଓ ମଣ୍ଡାପିଠା ଦ୍ଵାରା ଆପ୍ୟାୟିତ କରାଯାଇଥିଲା।

ଆଯୋଜକମାନଙ୍କ ତରଫରୁ SBI General Life Insurance, National Payment Corporation of India, Tata Motors, IDBI Capital, Traditional Vouge, ବୈଶାଖୀ , Union Bank, Canara Bank, Ferro Tech India, Siddhi Trade matrix, Bank of India ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଆଯୋଜକମାନଙ୍କ ତରଫରୁ ଓ ଟିଭି ଓ କଳିଙ୍ଗ ଟିଭିକୁ ଉତ୍ସବର ପ୍ରସାରଣପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି।

ଓଡିଶ ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ପ୍ରବାସୀ ଓଡ଼ିଆ, ମୁମ୍ବାଇ

ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ

September 13, 2017 by ଓଡିଶା ଡଟ କମ 2 Comments

bibhuti

କେଦାର ମିଶ୍ର

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ।

ତାଂକୁ ବାଦ୍ ଦେଇ ଓଡିଆ ଉପନ୍ୟାସର କଳ୍ପନା ମଧ୍ୟ ସମ୍ଭବ ନୁହଁ । ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।

କାହ୍ନୁଚରଣ ମହାଂତିଂକ ପରେ ଓଡିଆ ଲୋକପ୍ରିୟ ଉପନ୍ୟାସର ଶ୍ରେଷ୍ଠତମ ମହାନାୟକ ସେ। ଅସରନ୍ତି କଥା ଓ କାହାଣୀ ର ସେ ଚଳନ୍ତି ବର୍ଣ୍ଣବୋଧ। ଗତ ସପ୍ତାହରେ ତାଂକୁ ଓଡିଶା ସାହିତ୍ୟ ଏକାଡେମୀ ନିଜର ସର୍ବୋଚ ପୁରଷ୍କାର “ଅତିବଡି ପୁରଷ୍କାର” ଦେବାକୁ ଘୋଷଣା କରିଛି ।

ତେବେ ଲୋକପ୍ରିୟତା ଓ ପାଠକୀୟତା ର ପ୍ରବଳ ଜୁଆର ଆଗରେ କୌଣସି ବି ପୁରଷ୍କାର ବିଭୂତି ବାବୁଂକ ଲାଗି ନିହାତି ଛୋଟ । ବିଭୁତି ପଟ୍ଟନାୟକଂକ ଜୀବନ, ସାହିତ୍ୟ ଓ ସର୍ଜନ ଜଗତକୁ ନେଇ କେତେକ ରୋଚକ ତଥ୍ୟ –

୧. ପ୍ରାୟ ୬ ବର୍ଷ ତଳେ ସେ ପୁରୀ ମନ୍ଦିର ବୁଲିବାକୁ ଯାଇଥାନ୍ତି। ହଠାତ୍ ଜଣେ ପଣ୍ଡା ଟୋକା ତାଂକୁ କହିଲା- ଆସନ୍ତୁ, ମୁଁ ଦର୍ଶନ କରେଇଦେବି। ସଚରାଚର ଆମ ଓଡିଆ ମାନେ ପଣ୍ଡା ମାନଂକୁ ଆଡେଇ ଚାଲିଯିବାକୁ ଚାହୁଁ ।

ଟୋକା ଟି କିନ୍ତୁ କହିଲା, ମୁଁ ଆପଣଂକୁ ଜାଣିଛି, ଆପଣ ବିଭୂତି ପଟ୍ଟନାୟକ। ତାପରେ ମନ୍ଦିର ଦର୍ଶନ ଚାଲିଲା। ଦର୍ଶନ ପରେ ପୁଳାଏ ମାଲପୁଆ ନେଇ ପଣ୍ଡାଟି କହିଲା- ୟାକୁ ରଖନ୍ତୁ । ବିଭୂତି ବାବୁ ପକେଟ୍ ରୁ କିଛି ପଇସା ବାହାର କରି ଦେଲା ବେଳକୁ, ଟୋକାଟି କହିଲା- ଆପଣଂକୁ ବହୁତ୍ ପଢିଛି ।

ବହୁତ ଖୁସି ଦେଇଛନ୍ତି ଆପଣ, ତେଣୁ ଆପଣଂକଠୁ ପଇସା ନେବି ନାହିଁ । ଗୋଟେ ପାଠକ କୁ ଏମିତି ଭେଟିବାର ସୌଭାଗ୍ୟ କେତେଜଣ ଓଡିଆ ଲେଖକଂକ ଭାଗ୍ୟରେ ଯୁଟେ ? ଏ ଦୃଶ୍ୟ ମୁଁ ନିଜେ ଦେଖିଛି ଓ କହିବାରେ ଦ୍ଵିଧା ନାହିଁ ଓଡିଆ ପାଠକଂକ ସବୁଠୁ ପ୍ରିୟ ଲେଖକ ବିଭୂତି ପଟ୍ଟନାୟକ ।

୨. କିଶୋର ବୟସରୁ ସେ ଉପନ୍ୟାସ ଲେଖିଛନ୍ତି। ୧୯୩୭, ଅକଟୋବର ୨୫ ତାରିଖ ଜଗତସିଂଗପୁର ଜିଲ୍ଲା ର ଡିଂଗେଶ୍ଵର ଗାଁ ରେ ତାଂକର ଜନ୍ମ । ଯେତେବେଳେ ଓଡିଆ ଲେଖକ ମାନେ ପ୍ରକାଶକ ଖୋଜି ପାଇବା ମୁସ୍କିଲ୍, ସେତେବେଳେ ବିନା ପଇସାରେ ବିଭୂତି ବାବୁଂକ ପ୍ରଥମ ଉପନ୍ୟାସ ଛପା ହୋଇଥିଲା ।

୩. ଦୀର୍ଘ ବର୍ଷ ଧରି ସେ ଥିଲେ ଓଡିଆ ଭାଷାର ଏକ ମାତ୍ର ଲେଖକ ଯିଏ ନିଜ ରୟାଲଟି ଉପରେ ଆୟକର ଦେଉଥିଲେ। ତାଂକର ପ୍ରେମିକା, ବଧୂ ନିରୁପମା, ନାୟିକାର ନାମ ଶ୍ରାବଣୀ, ଚପଳଛନ୍ଦା ଓ ଆଉ କିଛି ଉପନ୍ୟାସ ୨୦ ରୁ ଅଧିକ ସଂସ୍କରଣ ରେ ପ୍ରକାଶିତ ହୋଇ ସାରିଛି ।

୪. ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆଲୋଚନା, ଜୀବନୀ, ଭ୍ରମଣ କାହାଣୀ, ରାଜନୈତିକ ଆଲେଖ୍ୟ ଓ ଅନୁବାଦ- ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଂକର ବିପୁଳ ଅବଦାନ ରହିଛି ।

ଗପ ଓ ଉପନ୍ୟାସରେ ସେ କେବଳ ରସାଳ ଏବଂ ରୋଚକ ଭାଷାର ପ୍ରୟୋଗ କରିନାହାନ୍ତି, ଅନେକ କ୍ଷେତ୍ରରେ ନୁଆ ଶୈଳୀ ତଥା ପ୍ରୟୋଗ ମଧ୍ୟ କରିଛନ୍ତି । ଷାଠିଏ ଦଶକରେ ପ୍ରକାଶିତ ତାଂକର ଗୁଡାଏ ଗପରେ କଳାତ୍ମକ ପରୀକ୍ଷା ନିରୀକ୍ଷା ସେ କରିଛନ୍ତି।

୫ ସମ୍ପାଦନା କ୍ଷେତ୍ରରେ ତାଂକର ଅବଦାନ, ଏଯାବତ୍ ସଠିକ୍ ଭାବରେ ଆକଳନ କରାଯାଇ ପାରିନାହିଁ । ନବରବି, ଆସନ୍ତା କାଲି ଓ ଗଳ୍ପ ପତ୍ରିକାର ସମ୍ପାଦକ ଭାବରେ ସେ ବହୁ ନୁଆ ଗାଳ୍ପିକ ସୃଷ୍ଟି କରିଛନ୍ତି ।

୬. କଲେଜ୍ ରେ ପଢୁଥିବା ବେଳେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ହୋଇ ସେ “କୃଷକ” ପତ୍ରିକା ର ସମ୍ପାଦନା ସହଯୋଗୀ ଭାବରେ ମଧ୍ୟ କାମ କରିଛନ୍ତି। ଓଡିଶାର ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ତଥା ସମାଜବାଦୀ ନେତା ସାରଂଗଧର ଦାସଂକ ସହଯୋଗୀ ଭାବରେ ସେ “କୃଷକ” ପତ୍ରିକା ସହ ଜଡିତ ଥିଲେ।

ପରବର୍ତ୍ତୀ ସମୟରେ ସାରଂଗଧରଂକ ଜୀବନୀ ସେ ରଚନା କରିଥିଲେ।

୭. ପଚାଶରୁ ଅଧିକ ଉପନ୍ୟାସ ଓ ଅନେକ ଗଳ୍ପ ସଂକଳନ ର ସ୍ରଷ୍ଟା ବିଭୂତି ବାବୁ ଓଡିଶା ତଥା ଦେଶର ରାଜନୈତିକ ଘଟଣାବଳୀ କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି। ଭାରତ ବିଭାଜନ ଓ ମହାତ୍ମା ଗାଂଧିଂକ ଜୀବନ କୁ ନେଇ ତାଂକର ପ୍ରାମାଣିକ ପୁସ୍ତକ ରହିଛି।

୮. ଓଡିଶାରେ ପୁସ୍ତକମେଳା ଆନ୍ଦୋଳନ, ଲେଖକ ସମବାୟ ସମିତି, ଲେଖକ ସାମ୍ମୁଖ୍ୟ ଇତ୍ୟାଦି ସଂଗଠନ ସହ ଜଡିତ ରହି ସେ ସାହିତ୍ୟ ସଂଗଠନ କ୍ଷେତ୍ରରେ ମଧ୍ୟ ନିଜର ବିଶିଷ୍ଟ ଅବଦାନ ଦେଇଛନ୍ତି।

୯. “ଅଶ୍ଵମେଧର ଘୋଡା” ପାଇଁ ଓଡିଶା ସାହିତ୍ୟ ଏକାଡେମୀ, “ମହିଷାସୁରର ମୁହଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାମଗ୍ରୀକ କୃତି ପାଇଁ ଶାରଳା ପୁରଷ୍କାର, ଅତିବଡି ପୁରଷ୍କାର, ସାହିତ୍ୟ ଭାରତୀ ପୁରଷ୍କାର ଇତ୍ୟାଦି ତାଂକୁ ମିଳିଛି।

୧୦. ଅନେକ ସମୟରେ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବିଭୂତି ବାବୁ ବିବାଦରେ ରହି ଆସିଛନ୍ତି। ସାହିତ୍ୟ ଏକାଡେମୀ ପୁରଷ୍କାର ରେ ଦୁର୍ନୀତି ହେଉଛି ବୋଲି ସେ ଏକାଡେମୀ ଆବାହକ ଥିବାବେଳେ କହିଥିଲେ ଓ ସେତେବେଳେ ଏହାକୁ ନେଇ ପ୍ରଚୁର ବିବାଦ ସୃଷ୍ଟି ହୋଇଥିଲା ।

ସାହିତ୍ୟ ର ସବୁ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଥିବା ବିଭୂତି ପଟ୍ଟନାୟକ ରାଜନୀତିରେ ଜଣେ ସାମ୍ୟବାଦୀ ଓ ସମାଜବାଦୀ ଭାବେ ପରଚିତ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, ଓଡିଶା ସାହିତ୍ୟ ଏକାଡେମୀ, କାହାଣୀ, କାହ୍ନୁଚରଣ ମହାଂତିଂ, ପରମ୍ପରା, ପାଠକ, ବର୍ଣ୍ଣବୋଧ, ବିଭୂତି ପଟ୍ଟନାୟକ, ଲୋକପ୍ରିୟ, ସାହିତ୍ୟ

ନୁଆଁଖାଇ ତିହାର: ଦଶଟି ଜାଣିବା କଥା

September 6, 2017 by ଓଡିଶା ଡଟ କମ Leave a Comment

12003962_138725199808774_7737679283316698216_n
କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି ।

ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ । ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ । ନୁଆଁଖାଇକୁ ନେଇ କିଛି ମୌଳିକ କଥା –

୧. ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ର ଶୁକ୍ଲପକ୍ଷରେ ପଶ୍ଚିମ ଓଡିଶାର ଜନସାଧାରଣ ନୁଆଁଖାଇ ପର୍ବ ପାଳନ କରନ୍ତି ।

ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ।କ୍ଷେତର ପ୍ରଥମ ଅନ୍ନ କଣା କୁ ନିଜର କୁଳଦେବୀ, ଇଷ୍ଟଦେବୀ ଓ ଗ୍ରାମ ଦେବୀଂକୁ ଅର୍ପଣ କରିବା ସହିତ ପ୍ରଥମ ଅନ୍ନ ଉତ୍ପାଦନ ର ଉଲ୍ଲାସ କୁ ପାର୍ବଣ ରୂପେ ପାଳନ କରିବା ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ।

୨. ଏହା ଏମିତି ଏକ ଗଣପର୍ବ ଯେଉଁଥିରେ ଜାତି, ବର୍ଣ, ଲିଂଗ, ଏପରିକି ଧର୍ମର ମଧ୍ୟ ବିଭେଦ ନଥାଏ। ଗ୍ରାମ ଠୁଁ ସହର, ଗରୀବ ଠୁଁ ଧନୀ, ରାଜା ଠୁଁ ପ୍ରଜା, ସମସ୍ତେ ଗୋଟିଏ ଦିନରେ, ଗୋଟିଏ ନିର୍ଦ୍ଧାରିତ ଲଗ୍ନରେ, ଗୋଟିଏ ବିଧି ବିଧାନରେ ଓ ଗୋଟିଏ ପ୍ରଥାରେ ନୁଆଁ ଖାଇଥାନ୍ତି ।

୩. ହିନ୍ଦୁ ପରମ୍ପରା ରେ ଏହା ଅନ୍ନ ବ୍ରହ୍ମର ପୂଜା ପାଇଁ ନବାନ୍ନ ଉତ୍ସବ ହୋଇଥିବା ବେଳେ ଆଦିବାସୀ ଜୀବନରେ ଏହା ନବାଖାନୀ,ହୋରୋ ନବାଇ,ନବାଖାଇ ଇତ୍ୟାଦି। ସମାଜଶାସ୍ତ୍ରୀ ମାନେ ଏହାକୁ ମୂଳତଃ ଆଦିବାସୀ ପରମ୍ପରା ର ପର୍ବ ବୋଲି ସ୍ଵୀକାର କରୁଥିଲେ ମଧ୍ୟ ଏଥିରେ ହିନ୍ଦୁ ବ୍ରାହ୍ମଣ ପରମ୍ପରା ର ପ୍ରଭାବ ସମାହିତ ହୋଇଛି ।

୪. ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟରେ ଭିନ୍ନ ଭିନ୍ନ ଇଷ୍ଟ ଦେବୀ ଯଥା- ସମ୍ବଲପୁର ରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ଵରୀ, ବଲାଂଗୀରରେ ପାଟଣେଶ୍ଵରୀ, କଳାହାଣ୍ଡିରେ ମାଣିକେଶ୍ଵରୀ ଙ୍କ ନାମରେ ଭାଦ୍ରବ ଶୁକ୍ଲପକ୍ଷ ର ବିଭିନ୍ନ ଦିନରେ ନୁଆଁଖାଇ ପାଳନ କରାଯାଉଥିଲା

୧୯୯୧ ରୁ ପଶ୍ଚିମ ଓଡିଶାର ସମସ୍ତେ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥି କୁ ନୁଆଁଖାଇ ଭାବେ ପାଳନ କରି ଆସୁଛନ୍ତି ।

nua
୫. ଭାଦ୍ରବ ମାସ ସାରା ନୁଆଁଖାଇକୁ ନେଇ ସାଜସଜ୍ଜା ଜାରି ରହିଥାଏ। ପ୍ରଥମ କାର୍ୟ ଭାବରେ ଜନ୍ମାଷ୍ଟମୀ ପରଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଓ ଗଣକ ମାନେ ଏକାଠି ହୋଇ ନୁଆଁଖାଇର ଲଗ୍ନ ନିର୍ଣୟ କରିଥାନ୍ତି ।

୬. ତାପରେ ଆରମ୍ଭ ହୁଏ କିଣା ବିକା, ସଜବାଜ, ଲିପାପୋଛା ଓ ଘର ଫେରନ୍ତା ପର୍ବ । ବର୍ଷରେ ଥରେ ନୁଆଁଖାଇ ତିହାର ଲାଗି ପରିବାରର ଯିଏ ଯେଉଁଠି ଥାଆନ୍ତୁ ଘରକୁ ଫେରି ଆସନ୍ତି ଓ ପରିବାର ଏକତ୍ର ନୁଆଁ ଧାନ କୁ ପ୍ରସାଦ ଭାବେ ସେବନ କରିଥାନ୍ତି।

୭. କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ । ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ । ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ଏହି ଶୋଭା ଯାତ୍ରା କୁ ପାହୁର୍ ଯାତ୍ରା ବୋଲି କୁହାଯାଏ ।

୮. ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି । ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

୯. ନୁଆଁଖାଇରେ ରକମ ରକମ ର ପିଠା ମଣ୍ଡା, କାକରା, ମିଠା ଓ ତରକାରୀ ପ୍ରସ୍ତୁତ କରାଯାଏ। ବର୍ଷର ସବୁଠୁ ଭଲ ଖାଦ୍ୟ ଏହି ଦିନ ଘରେ ପ୍ରସ୍ତୁତ ହୋଇଥାଏ। ନୁଆଁଖାଇ ହେଉଛି ସବୁ ପ୍ରକାର ସାଂସ୍କୃତିକ ଓ ସାମାଜିକ ସୌନ୍ଦର୍ଯ୍ୟ ର ମିଳନ ପର୍ବ ।

୧୦. ଖାଇ ସାରିବା ପରେ ଛୁର୍, କବାଡି ଇତ୍ୟାଦି ଖେଳରେ ସମସ୍ତେ ଏକତ୍ରିତ ହୁଅନ୍ତି। ସଂଧ୍ୟାରେ ନାଚ ଗୀତ ଓ ପାରମ୍ପରିକ ଲୋକ କଳା ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଜୀବନବୋଧ ହେଉଛି ଗୋଟେ ନୁଆଁଖାଇ ରୁ ଆଉ ଗୋଟେ ନୁଆଁଖାଇ ପର୍ଯନ୍ତ ଗୋଟିଏ ବର୍ଷ ।

ତେଣୁ କଥାରେ ଅଛି ଜିଇଂ ଜାଗି ଥିଲେ ବଛରେ- ନୁଆଁଖାଇ ଜୁହାର୍ ।
ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପରିବେଶ Tagged With: ଅନ୍ନ, କୃଷି ଭିତ୍ତିକ, ନୁଆଁଖାଇ, ପର୍ବ, ପଶ୍ଚିମ ଓଡ଼ିଶା, ପାର୍ବଣ, ଭାଦ୍ରବ ଶୁକ୍ଲପକ୍ଷ, ମାଣିକେଶ୍ଵରୀ, ହିନ୍ଦୁ ପରମ୍ପରା

ସୁବର୍ଣପୁରର ଲଂକାପୋଡି ଉତ୍ସବ; ଏକ ନିଆରା ପରମ୍ପରା

September 3, 2017 by ଓଡିଶା ଡଟ କମ 1 Comment

kedar3

କେଦାର ମିଶ୍ର

ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ ।  ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ।

ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ ।

ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ ।
kedar2
ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ।

ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା-

୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ ।

ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ ।

୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି।

ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ ।

kedar1
୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ ।

ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି ।

୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ।

ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ ।

୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।

୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି ।

କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି ।

୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି ।

୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି ।

୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ।

୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି ।

ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଉତ୍ସବ, ଟେରାକୋଟା, ନିଆଁ, ପରମ୍ପରା, ଲଂକାପୋଡି, ସୁବର୍ଣପୁର, ହନୁମାନ

ରଘୁନାଥ ପାଣିଗ୍ରାହୀ ; ଗାୟନ ଓ ଜୀବନ କୁ ନେଇ କେତୋଟି କଥା

August 21, 2017 by ଓଡିଶା ଡଟ କମ 2 Comments

odi2

କେଦାର ମିଶ୍ର

ଫଟୋ- ସଂଜୟ କାନୁନଗୋ

କେବେ ସକାଳୁ ଉଠି ତାଂକ ସ୍ଵରରେ ଗୀତ ଗୋବିନ୍ଦ ଶୁଣିଛନ୍ତି ? କେବେ ଭାବିଛନ୍ତି ତାଂକ ଗୀତରେ କି ଭାବ ଥାଏ ଯାହା ଜାତି, ଧର୍ମ ଓ ଜାତୀୟତାର ସୀମାରେଖା ଲିଭେଇ ଦେଇ ଏକ ବିଶୁଦ୍ଧ ଭାବ ରାଜ୍ୟର ନିର୍ମାଣ କରେ ?

ସେ ଗାଉଥିବା ଗୀତ ହୁଏତ ହିନ୍ଦୁ ଧର୍ମର ଏକ ବହୁ ଚର୍ଚିତ ଶାସ୍ତ୍ରରୁ ଆସିଛି, ହେଲେ ସେ ଗୀତରେ ଯେଉଁ ପ୍ରେମର ଅନୁଭବ ତାର ଧର୍ମ ହେଉଛି ମାନବିକତା। ତାଂକ ଗୀତ ଶୁଣି ଓଡିଆ ଶ୍ରୋତା ଯେତିକି ମୁଗ୍ଧ ହୁଏ, ତାଂକ ସୁରର ଯାଦୁକରୀରେ ତେଲୁଗୁ ଓ ତାମିଲ୍ ଶ୍ରୋତା ମଧ୍ୟ ସେତିକି ମୋହିତ ହୁଅନ୍ତି।

ତାଂକ ଗୀତର ମୋହନ ଶକ୍ତି ପ୍ରାୟ ଗୋଟେ ଦଶନ୍ଧି ଧରି ଇଟାଲୀ ର ଖ୍ୟାତନାମା ନାଟ୍ୟଶିଳ୍ପୀ ଇଉଜିନିଓ ବାର୍ବା ଓ ତାଂକର ସାଥୀ ମାନଂକୁ ମଧ୍ୟ ପ୍ରଭାବିତ କରିଥିଲା ।

ସାରା ଭାରତର ଶ୍ରୋତା ତାଂକର ଗୀତ ଗୋବିନ୍ଦର ମଧୁର ପରିବେଷଣରେ ମୁଗ୍ଧ ଥିବା ବେଳେ, ଷାଠିଏ ଦଶକରେ ସେ ଥିଲେ ତାମିଲ୍ ଓ ତେଲୁଗୁ ସିନେମାର ଚର୍ଚିତ ଗାୟକ। ଓଡିଆ ସିନେମା ଓ ରେଡିଓରେ ତାଂକର ସ୍ଵର ଥିଲା ଏକ ପ୍ରକାର କୁହୁକ ପରି ।

“ସୁଷମା ଗୋ ତୁମ ଅଂଗେ ଅଂଗେ ଭରା ମଧୁ ଜୋଛନା”, “ନ ଯା ରାଧିକା ଏକା ଏକା” କିମ୍ବା “ପକା କମ୍ବଳ ପୋତ ଛତା “ ଭଳି ଲୋକପ୍ରିୟ ଓଡିଆ ଗୀତ ତାଂକୁ ଓଡିଶାର ଘରେ ଘରେ ପରିଚିତି ଦେଇଥିଲା ।

od1
ସେ ଗାୟକ ଭାବରେ ଓଡିଶାର ଏକମାତ୍ର ତାରକା, ଯାହାଂକୁ ଭାରତର ପ୍ରାୟ ସବୁ ମହାନ ସଂଗୀତଜ୍ଞ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ତାଂକ ସୁର ଓ ଲୟ ଆଗରେ ବହୁ ବହୁ ମହାନ ହସ୍ତୀ ନତ ମସ୍ତକ ହେବାର ଆମେ ଦେଖିଛୁ ଓ ତାଂକ ଓଡିଆ ପରିଚୟକୁ ଗର୍ବର ସହ ଛାତିରେ ଝୁଲେଇଛୁ ।

ସେ ଅନନ୍ୟ ଓ ଅତୁଳନୀୟ ସୁରଶିଳ୍ପୀ ଆଉ କେହି ନୁହନ୍ତି, ସେ ସୁରମଣି ରଘୁନାଥ ପାଣିଗ୍ରାହୀ । ତାଂକ ଗୀତ ଗୋବିନ୍ଦ ଗାୟନର ସ୍ଵତନ୍ତ ଶୈଳୀ ଓ ଶୁଦ୍ଧତା ପାଇଁ ମହାନ ଅଭିନେତା ପୃଥ୍ଵୀରାଜ କପୁର ରଘୁନାଥଂକୁ ଶ୍ରଦ୍ଧା ରେ ଡାକୁଥିଲେ ଗୀତ ଗୋବିନ୍ଦ ପାଣିଗ୍ରାହୀ।

ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ।

ଓଡିଆ ଓ ଓଡିଶୀ ଜୀବନର ଏହି ମହାନାୟକ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମ ଜୀବନ ଓ କଳା କୁ ନେଇ କେତୋଟି ମଂଜ କଥା-

୧. କୋରାପୁଟ୍ ଜିଲ୍ଲାର ଛୋଟିଆ ସହର ଗୁଣୁପୁର ରେ ରଘୁନାଥ ଜନ୍ମ ନେଇଥିଲେ ୧୦ ଅଗଷ୍ଟ ୧୯୩୨ ରେ । ବାପା ନୀଳମଣି ପାଣିଗ୍ରାହୀ ଥିଲେ ସୌଖିନ୍ ଗାୟକ। ଘରେ ସଂଗୀତର ଚର୍ଚା ଓ ସାଧନା ର ବାତାବରଣ ରହିଥିଲା ।

ଗୁଣପୁର ଓ ପୁରୀରେ ପ୍ରାଥମିକ ସଂଗୀତ ଶିକ୍ଷା ପରେ ସେ ମାଦ୍ରାସ ଯାଇଥିଲେ ସଂଗୀତରେ ଅଧିକ ତାଲିମ୍ ପାଇଁ।

odi3୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।

ତା ପୂର୍ବରୁ ସେ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଓଡିଶୀ, କର୍ନାଟକୀ ଓ ହିନ୍ଦୁସ୍ତାନୀ- ତିନୋଟି ଯାକ ସଂଗୀତ ଶୈଳୀର ସେ ଥିଲେ ଜ୍ଞାତା ।

୩. ମାଦ୍ରାସ୍ ରଘୁନାଥଂକୁ ଗୋଟେ ବଡ ସୁଯୋଗ ଦେଇଥିଲା ।ଷାଠିଏ ଦଶକରେ ଘଣ୍ଟଶାଳା ଓ ପି.ବି.ଶ୍ରୀନିବାସଂକ ପରି ମହାନ ସଂଗୀତ ନିର୍ଦେଶକଂକ ସହ ତାଂକୁ କାମ କରିବାର ସୁଯୋଗ ମିଳିଥିଲା। ତାମିଲ୍ ଓ ତେଲୁଗୁ ସିନେମା ରେ ଅଳ୍ପ କେତୋଟି ଗୀତ ଗାଇ ସେ ଲୋକପ୍ରିୟତାର ଶୀର୍ଷ ରେ ପହଂଚିଥିଲେ।

ଏସ. ଦକ୍ଷିଣମୂର୍ତିଂକ ପ୍ରସିଦ୍ଧ ସିନେମା “ଇଲାବେଲୁପୁ” ର “ଚଲାନୀ ରାଜା ଓ ଚନ୍ଦାମାମା” ଗୀତଟି ତାଂକୁ ଆଜିବି ଲୋକପ୍ରିୟ କରି ରଖିଛି।

୪. ତେବେ ମାଦ୍ରାସ ବାହାରେ ତାଂକୁ ଅପେକ୍ଷା କରିଥିଲା ଭିନ୍ନ ଏକ ଇତିହାସ ।ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠା ଓ ପ୍ରତିପତ୍ତି କୁ ଠୋକର ମାରି ସେ ଫେରି ଆସିଲେ ଜନ୍ମଭୂମି ଓଡିଶାକୁ ।

ଏହି ସମୟରେ ମାଦ୍ରାସ କଳାକ୍ଷେତ୍ରରେ ତରୁଣ ରଘୁନାଥ ପ୍ରେମରେ ପଡନ୍ତି, ସେତେବେଳର ଭରତନାତ୍ୟମ ଶିଳ୍ପୀ ସଂଯୁକ୍ତା ମିଶ୍ର (ଯିଏ ପରେ ଓଡିଶୀ ନୃତ୍ୟର କିମ୍ବଦନ୍ତି ନାୟିକା ସଂଯୁକ୍ତା ପାଣିଗ୍ରାହୀ ) ସହିତ। ବମ୍ବେ ସହରରେ ସେମାନେ ବିବାହ କରନ୍ତି ଓ ସେଇଠୁ ଆରମ୍ଭ ହୁଏ ଓଡିଶା ଇତିହାସର ଏକ ନୁଆ ଅଧ୍ୟାୟ ।

୫. ଆକାଶବାଣୀ ଓ ଓଡିଆ ସିନେମା ରେ ରଘୁନାଥ ବେଶ୍ ପ୍ରସିଦ୍ଧି ପାଆନ୍ତି । ଶ୍ରୀ ପତିତପାବନ (୧୯୬୩) ରୁ “ଭାଇ ଭାଉଜ”, ମୁକ୍ତି, ଅଭିନେତ୍ରୀ, ଅହଲ୍ୟା ପର୍ଯନ୍ତ ଓଡିଆ ସିନେମାରେ ତାଂକର ପଦଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ।ଶହ ଶହ ଓଡିଆ ଗୀତ ସେ ଗାଇଛନ୍ତି ଓ ସବୁ ଗୀତରେ ନୁଆ ଏକ ଅନୁଭବ ବାଣ୍ଟିଛନ୍ତି।

୬. ତାଂକର ସବୁଠୁ ଚର୍ଚିତ ଗୀତ ସିନେମା ଅପେକ୍ଷା ଆକାଶବାଣୀ ଓ ଏଚ୍ଏମଭି ରେକର୍ଡ଼ ରେ ରହିଥିଲା ।

ଚକାନୟନକୁ ପତିତ କେହି…ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ …ମନସିଜ ମନମୋହନ …..ରୂପ ରେଖ ନାହିଁ ହେ ….ଜୀବନରେ ଥିବି ଯେବେ ଜୀବୀ ବୃନ୍ଦାବନ…..ସଂଗିନିରେ ରାସ ରଂଗୀନୀରେ …ଏମିତି ଅଗଣିତ କାଳଜୟୀ ଗୀତ ତାଂକର ଓଡିଶାର ଜଣ ଜୀବନରେ ଆଜିବି ବଂଚି ରହିଛି ଓ ରହିଥିବ ।

୭. ଗୋଟେ ସମୟ ପରେ ଗୀତ ଗୋବିନ୍ଦ ତାଂକ ପ୍ରାଣର ଅଂଶ ପାଲଟି ଗଲା।ସବୁ ଗୀତର ମାଧୁର୍ଯ୍ୟ ଓ ପ୍ରଭାବ ଗୀତ ଗୋବିନ୍ଦ ଆଗରେ ଫିକା ପଡିଗଲେ ।

ଅଷ୍ଟପଦୀ ଗାୟନର ଏକ ବଳିଷ୍ଠ ଓଡିଶୀ ଧାରା ର ସେ ଥିଲେ ସୂତ୍ରଧର।ଗୀତ ଗୋବିନ୍ଦର ସ୍ବର ନିର୍ମାଣ ଓ ବିନ୍ୟାସ କରିବାରେ ତାଂକ ସମକକ୍ଷ ଶିଳ୍ପୀ ବିରଳ।

odi4
୮. ଓଡିଶୀ ଓ ଓଡିଶା ପାଇଁ ରଘୁନାଥ ନିଜ ଜୀବନର ସବୁଠୁ ବଡ ତ୍ୟାଗ ସ୍ଵୀକାର କରିଛନ୍ତି । ଜାତୀୟ ସ୍ତରରେ ଜଣେ ପ୍ରଛଦ ଶିଳ୍ପୀ ହେବାର ମୋହ ପରିତ୍ୟାଗ କରିଥିଲେ।

ଜୀବନର ଶେଷ ତିନି ଦଶନ୍ଧି ସେ କେବଳ ଓଡିଶୀ ସଂଗୀତ ପାଇଁ ବିନିଯୋଗ କରିଥିଲେ। ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ ନଥିଲେ ଓଡିଶୀ ନୃତ୍ୟ ଆଜି ଯେଉଁ ସ୍ତରରେ ପହଂଚିଛି, ସେଠି ପହଂଚିବାର ସମ୍ଭାବନା ନଥିଲା ।

ରଘୁନାଥଂକ ସୁର ଓ ସଂଯୁକ୍ତାଂକ ଛନ୍ଦର ମାଧୁରୀ ଓଡିଶୀକୁ ବିଶ୍ଵ ରଂଗମଂଚ ରେ ପ୍ରତିଷ୍ଠା ଦେଇଥିଲା ।

୯. ସଂଗୀତ ଓ କଳା କ୍ଷେତ୍ରରେ ତାଂକର ଅବଦାନ ଯାହା, ତା’ର କୌଣସି ତୁଳନା ନାହିଁ । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ତାଂକୁ ମିଳିଥିଲା । ଅଥଚ ପଦ୍ମଶ୍ରୀ ଭଳି ସାମାନ୍ୟ ସମ୍ମାନ ତାଂକୁ ମିଳିଲା ମୃତ୍ୟୁ ର ମାତ୍ର ବର୍ଷେ ଆଗରୁ।

ଓଡିଆ ସିନେମାର ସବୁଠୁ ବଡ ସମ୍ମାନ ଦେବାରେ ତାଂକ ପ୍ରତି ଆମେ ଉଦାସୀନ ରହିଲେ।

୧୦. ୨୫ ଅଗଷ୍ଟ ୨୦୧୩ ରେ ଏହି ମହାନ ଶିଳ୍ପୀ ଅମରତ୍ଵ ଲାଭ କଲେ। ତାଂକ ସ୍ମୃତିକୁ ସାଇତି ରଖିବାରେ ଆମେ ଏତେ ବିଫଳ ଯେ ତାଂକ ସହ ଇତିହାସର ଏକ ବିରାଟ ଅଧ୍ୟାୟ ପୋଛି ହୋଇ ଯାଉଛି, ସେକଥା ଆମ ମୁଣ୍ଡରେ ପଶୁନାହିଁ ।

ଓଡିଶା ଡଟକମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଇତିହାସ, ଓଡିଆ, ଗାୟନ, ଗୀତ ଗୋବିନ୍ଦ, ଗୀତ ଗୋବିନ୍ଦ ପାଣିଗ୍ରାହୀ, ଜାତି, ଜାତୀୟତା, ଜୀବନ, ଧର୍ମ, ମାନବିକତା, ରଘୁନାଥ ପାଣିଗ୍ରାହୀ, ରାଜ୍ୟ, ରେଡିଓ, ସିନେମା, ହିନ୍ଦୁ ଧର୍ମ

ରହସ୍ୟଜନକ ମାଛ ମୃତ୍ୟୁରେ ବନ୍ଦରର କୌଣସି ଭୂମିକା ନାହିଁ, ଗୋପାଳପୁର ବନ୍ଦର କତ୍ତୃପକ୍ଷ

July 11, 2017 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର: ଜୁଲାଇ ୧୧ (ଓଡିଶା ଡଟ କମ) ନିକଟରେ ଗୋପାଳପୁର ବନ୍ଦରରେ ଯେଉଁ ବଡ଼ ଧରଣର ମାଛ ମୃତ୍ୟୁ ହୋଇଥିଲା ଯାହା ମତ୍ସ୍ୟ ଏବଂ ସାମୁଦ୍ରିକ ବିଶେଷଜ୍ଞ, ମତ୍ସ୍ୟଜୀବୀ ସମ୍ପ୍ରଦାୟ ଏବଂ ଗଞ୍ଜାମ ଜିଲ୍ଲାର ସାମାଜିକ କର୍ମୀଙ୍କୁ ଚକିତ କରିଥିଲା ଓ ଏ ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ରିପୋର୍ଟର ବିପରୀତ ଏହି ଘଟଣାରେ ଗୋପାଳପୁର ବନ୍ଦରର କୌଣସି ଭୂମିକା ନ ଥିବା ବନ୍ଦର କତ୍ତୃପକ୍ଷ କହିଛନ୍ତି ।

ଚଳିତ ବର୍ଷ ଜୁନ୍ ୨୭ରେ କେତେକ ଖବର ପ୍ରକାଶ ପାଇଥିଲା ଯେ ବଡ଼ ଧରଣର ମଲା ମାଛ ଏବଂ ଅନ୍ୟ ସାମୁଦ୍ରିକ ଜୀବ ଭାସୁଛନ୍ତି ଏବଂ ଗୋପାଳପୁର ବନ୍ଦରନିକଟସ୍ଥ ସମୁଦ୍ରକୂଳରେ ପଡ଼ିରହିଛନ୍ତି । ରିପୋର୍ଟରେ ଲେଖାଯାଇଥିଲା ଯେ ବର୍ଷା ଯୋଗୁଁ ହୁଏତ ଗୋପଳପୁର ବନ୍ଦରରେ ଥିବା ସାର ଏବଂ ୟୁରିଆ ସମୁଦ୍ରରେ ମିଶିଯାଇଛି ଯାହା ପାଣିକୁ ଅପମିଶ୍ରିତ କରିଛି ଏବଂ ତାହାର ପ୍ରଭାବରେ ସାମୁଦ୍ରିକ ଜୀବଙ୍କ ଜୀବନ ହାନି ହୋଇଛି ।

ଏଭଳି ଆକଳନ କରିବା ପଛର କାରଣ ହେଉଛି ମାଛଗୁଡ଼ିକ ଯେଉଁ ଫିସିଂ ଜେଟି ନିକଟରେ ମରିପଡ଼ିଥିଲେ ତାହା ବେନ୍ଦରକୁ ଲାଗିଛି । ମାତ୍ର ଭଲ ଭାବେ ଦୃଷ୍ଟି ନିକ୍ଷେପ କଲେ ଜାଣି ହେବ ଯେ ଫିସିଂ ଜେଟି ପୁରୁଣା ବନ୍ଦର ନିକଟରେ ରହିଛି । ତାହା ଏବେର ଗୋପାଳପୁର ବନ୍ଦରର ଅଂଶ ହୋଇ ରହିନାହିଁ । ଏହା ବ୍ୟତୀତ, କମ ଢ଼େଉ ଏବଂ ଜଳ ସ୍ତର ଯୋଗୁଁ ଦିନର ଅଧିକାଂଶ ସମୟ ବନ୍ଦରରେ ପାଣି କମ୍ ରହୁଛି । କିଛି ମାସ ଅତୀତରେ ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ଆଉ ଏକ ଫିସିଂ ଜେଟି ନିର୍ମାଣ କରିବାକୁ ଆବେଦନ କରିଥିଲେ ।

ତେଣୁ ମାଛ ମୃତ୍ୟୁରେ ବନ୍ଦର ସମ୍ପର୍କିତ କୌଣସି କାର୍ଯ୍ୟକଳାପର ଭୂମିକା ନାହିଁ ବୋଲି ବନ୍ଦରର ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ୨୦୧୭ ଏପ୍ରିଲ୍ ପରଠାରୁ ବନ୍ଦର ପକ୍ଷରୁ କୌଣସି ସାର ଜାହଜକୁ ପରିଚାଳନା କରାଯାଇନାହିଁ । ମାଛ ମୃତ୍ୟୁର ଏକ କାରଣ ହୋଇପାରେ ଇଣ୍ଡିଆନ୍ ରେୟାର୍ ଆର୍ଥ ଲିମିଟେଡ୍ର ଓଡ଼ିଶା ସ୍ୟାଣ୍ଡସ୍ କମ୍ପେ୍ଲକ୍ସ (ଓଏସ୍ସିଓଏମ୍) ଯାହା ପାଇପଲାଇନ୍ ଡିସ୍ଚାର୍ଜ କରୁଥିବା ଅଂଚଳରେ ମାଛ ମୃତ୍ୟୁ ହୋଇଛି, ସେହି ସ୍ଥାନରୁ ରାସାୟନିକ ଉପାଦନ ସମୁଦ୍ର ମଧ୍ୟକୁ ଛଡ଼ାଯାଇଥାଏ ଯାହା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ ।

ଏହି ଘଟଣା ପରେ ମତ୍ସ୍ୟଜୀବୀମାନେ ମାଛ ମାରିବା ବନ୍ଦ କରିଦେଇଛନ୍ତି ଯାହା ଦ୍ୱାରା ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ୨୦୧୬ ଅଗଷ୍ଟ ୬, ବନ୍ଦର ନିକଟବର୍ତି ଅଂଚଳରେ ଏଭଳି ଏକ ଘଟଣା ଘଟିଥିଲା ଏବଂ ସେଂଟ୍ରାଲ ମାରିନ୍ ଫିସରିଜ୍ ଇନଷ୍ଟିଚ୍ୟୁଟ୍ (ସିଏମ୍ଏଫ୍ଆର୍ଆଇ), ପୁରୀର ଏକ ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ । ଟିମ୍ ପକ୍ଷରୁ ଜଳ ଏବଂ ମଲା ମାଛର ନମୁନା ସଂଗ୍ରହ କରିଥିଲେ କିନ୍ତୁ ଅଧିକାରୀମାନେ ଏ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି ।

୨୬ ଜୁନ୍ ୨୦୧୭ରେ (ମଲା ମାଛ ଦେଖାଯିବାର ଗୋଟିଏ ଦିନ ପରେ) ଜଳର ଯେଉଁ ନମୁନା ସେଠାରୁ ସଂଗ୍ରହ କରାଯାଇଥିଲା ସେଥିରେ କୌଣସି ରାସାୟନିକ ଉପାଦାନ କିମ୍ବା ସାର ନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି । କିନ୍ତୁ ଏହା ଜଣାଶୁଣା କଥା ଯେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ମାଛ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି । ମାଛ ମୃତ୍ୟୁ ଏବେ ବି ପରିବେଶବିତମାନଙ୍କୁ ଚକିତ କରି ରଖିଛି ।

ମତ୍ସ୍ୟଜୀବୀଙ୍କ ସଂଘର ସଭାପତି ସରକାରଙ୍କୁ ଅନୁରୋଧ କରି ତଦନ୍ତ କରିବା ଏବଂ ଭୟଭୀତ ଥିବା ମତ୍ସ୍ୟଜୀବୀମାନଙ୍କ ସମସ୍ୟା ସମାଧାନ କରିବାକୁ କହିଛନ୍ତି । ସାମାଜିକ କର୍ମୀମାନେ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ସମର୍ଥନ କରୁଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ

ଅସୁବିଧାର ସଙ୍କେତ

May 30, 2017 by ଓଡିଶା ଡଟ କମ Leave a Comment

ବିକାଶଶୀଳ ଦେଶରେ କାମ କରୁଥିବା ଶ୍ରମିକମାନଙ୍କ ଦ୍ୱାରା ନିଜ ଦେଶକୁ ପଠାଯାଉଥିବା ଟଙ୍କା କ୍ରମାଗତ ଭାବେ ୨୦୧୫ ଏବଂ ୨୦୧୬ରେ କମି କମି ଆସିଛି । ଯେତେବେଳେ କି ୨୦୧୬ ମସିହାରେ ବିକାଶଶୀଳ ଦେଶମାନଙ୍କୁ ପଠାଯାଉଥିବା ଟଙ୍କା ସାମଗ୍ରିକ ଭାବେ ଶତିକଡ଼ା ୨.୪ ଭାଗ ହ୍ରାସ ପାଇଲା, ଭାରତ ପାଇଁ ତାହା ବହୁତ ଅଧିକ ତଥା ଶତକଡ଼ା ୯ ଭାଗ ଥିଲା । ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଶ୍ରମ ପାଉଣା ଗ୍ରହଣ କରୁଥିବା ଦେଶ ।
ଯଦି ଏହି ଧାରାଟି ଜାରି ରହେ ତେବେ କେବଳ ଦେଶର ହିସାବ ଖାତାଟି ଅସନ୍ତୁଳିତ ହେବନାହିଁ, ଏହା ମଧ୍ୟ କେରଳ ଭଳି କେତେକ ରାଜ୍ୟକୁ ନିର୍ଦ୍ଦିଷ୍ଟ ଭାବେ କ୍ଷତି ପହାଇବ ଯେଉଁଠି ସର୍ବାଧିକ ଲୋକ ଦାଦନ ଖଟିବା ପାଇଁ ପ୧⁄୨ିମ ଏସିଆ ସମେତ ଅନେକ ଦରିଆପାରି ଇଲାକାକୁ ଯାଇଥାନ୍ତି । ଶ୍ରମିକମାନଙ୍କର ପଇସା ଆସିବା କଥାଟି ଅର୍ଥନୀତିରେ ମିଶ୍ରିତ ପ୍ରଭାବ ପକାଇଥାଏ ।

ନାଲି ଗାଲିଚା ପକେଇ ବିଦେଶୀ ପୁଞ୍ଜି ବିନିଯୋଗକାରୀଙ୍କୁ ସରକାର ପାଛୋଟି ନେବା ସ୍େୱ, ଶ୍ରମିକମାନେ ପଠାଉଥିବା ପଇସାରେ ହ୍ରାସ ଘଟିବା ଏବଂ ବିଦେଶୀ ଅନୁଦାନ ଯାହାକୁ ମାର୍ଜିତ ଭାଷାରେ ସରକାରୀ ବିକାଶ ସହାୟତା କୁହାଯାଏ ତାହା ସ୍ଥିର ରହିବା କଥାଟି ଦେଶ ପାଇଁ କିଛି ଭଲ ଖବର ନୁହେଁ ।

ଯେଉଁ ତଥ୍ୟ ସବୁ ଉପରେ ଦିଆଯାଉଛି ତାହା ‘ଦାଦନ ଓ ପଠାଯାଉଥିବା ପାଉଣା’ ନାମରେ ଏପ୍ରିଲ ମାସରେ ପ୍ରକାଶିତ ଏକ ରିପୋର୍ଟରେ ସ୍ଥାନିତ ହୋଇଛି । ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଗ୍ଲୋବାଲ ନଲେଜ୍ ପାର୍ଟନରସିପ୍ ଅନ ମାଇଗ୍ରେସନ୍ ଏଣ୍ଡ ଡେଭେଲପମେ (କଘଙଗଇଊ), ଯାହାକି ବିଶ୍ୱବ୍ୟାଙ୍କ ଏବଂ ଜର୍ମାନୀ, ସ୍ୱିଡ଼େନ୍ ଓ ସୁଇଜରଲାଣ୍ଡ ସରକାରଙ୍କର ଦ୍ୱାରା ପ୍ରତିଷ୍ଠିତ ଓ ଅନୁଦାନ ପ୍ରାପ୍ତ ଏକ ବହୁରାଷ୍ଟ୍ରୀୟ ସଂସ୍ଥା ।

ଏହି ରିପୋର୍ଟ କହିଛି ଯେ ୨୦୦୮ର ବିଶ୍ୱ ଅର୍ଥନୈତିକ ସଙ୍କଟ ପରେ ଯଦିଓ ବିଦେଶରୁ ପଠାଯାଉଥିବା ଅର୍ଥ କମିଯାଇଥିଲା, ତେବେ ବର୍ଷକ ଭିତରେ ସେହି ସ୍ଥିତି ସୁଧରି ଯାଇଥିଲା । କିନ୍ତୁ ଅନେକଗୁଡ଼ିଏ କାରଣ ଯୋଗୁଁ ଗତ ଦୁଇବର୍ଷ ଭିତରେ ବିଦେଶରୁ ପଠାଯାଉଥିବା ପଇସା କମିଯାଉଛି, ସେ ଭିତରେ ଅଛି ଅସୌଧିତ ତୈଳ ଦରରେ ହ୍ରାସ, ରଷିଆ ଏବଂ ଗଲ୍ଫ ସହଯୋଗ ଦେଶମାନଙ୍କର ଦୁର୍ବଳ ଆର୍ଥିକ ଅଭିବୃଦ୍ଧି ତଥା ଅର୍ଥ ବିନିମୟ ହାରରେ ଅସ୍ଥିରତା ।

ରିପୋର୍ଟରେ କୁହାଯାଇଛି ଯେ ସେମାନଙ୍କର ଏବଂ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅର୍ଦ୍ଧକୁଶଳୀ ଶ୍ରମିକମାନେ ବିବେକବିହୀନ ଦଲାଲମାନଙ୍କ ଦ୍ୱାରା ନିଯୁକ୍ତି ପାଇବା ବେଳେ ଯେଉଁ ଲୁଣ୍ଠନର ଶିକାର ହେଉଛନ୍ତି ତାହା ଗୋଟିଏ ବର୍ଷର ପାଉଣା ସହ ସମତୁଲ । ପୁଣି ଘରକୁ ପଠାଉଥିବା ପଇସା ପାଇଁ ସେମାନଙ୍କୁ ପ୍ରତି ୧୦୦ ଟଙ୍କାରେ ହାରାହାରି ୭ଟଙ୍କା ୫୦ ପଇସା ଦେବାକୁ ପଡ଼ୁଛି ।

ଏଥିସହିତ ଅନେକ ରିପୋର୍ଟରୁ ଜଣାପଡ଼ୁଛି ଯେ ‘ସମୃଦ୍ଧ’ ପ୧⁄୨ିମ ଏସିଆ ଦେଶମାନଙ୍କରେ ଭାରତରୁ ଆସିଥିବା ନିର୍ମାଣ ଶ୍ରମିକମାନେ କେଉଁ ଦୟନୀୟ ଅବସ୍ଥାରେ ବୁଛନ୍ତି । ଯେତେବେଳେ ଅର୍ଥନୀତି ନିମ୍ନଗାମୀ ହୋଇଥାଏ ବିଦେଶରୁ ପଠାଯାଉଥିବା ଏହି ଅର୍ଥଟି ବିଦେଶୀ ମୁଦ୍ରାର ଗୋଟିଏ ସ୍ଥିର ସ୍ରୋତଟିଏ ଯୋଗାଇ ଦେଇ ଅର୍ଥନୀତିକୁ ଚଳମାନ କରାଇ ରଖିଥାଏ । ବିଶ୍ୱବ୍ୟାଙ୍କର ହିସାବ ଅନୁସାରେ ବିଦେଶରୁ ପଠାଯାଉଥିବା ପଇସା ଗତ ୧୫ବର୍ଷ ଭିତରେ ତିନିଗୁଣ ବଢ଼ିଥିଲା । ଏବେ ମାତ୍ର ୨ବର୍ଷ ହେବ ସେଥିରେ ହ୍ରାସ ଘଟିଛି ।

୨୦୧୪ ମସିହାରେ ବିଦେଶରେ କାମ କରୁଥିବା ଶ୍ରମିକମାନେ ଯେଉଁ ଅର୍ଥ ପଠାଉଥିଲେ ସବୁଠାରୁ ଆଗରେ ଭାରତ ଥିଲା (୭୦ବିଲିୟନ ଆମେରିକୀୟ ଡଲାର ବା ଆଜିର ଦିନରେ ଯାହାର ଭାରତୀୟ ଟଙ୍କା ମୂଲ୍ୟ ହେବ – ୪ଲକ୍ଷ ୫୧ ହଜାର ୭୪୫ କୋଟି ଟଙ୍କା) ଏବଂ ପଛକୁ ଅଛି ଚୀନ୍ (୬୪ବିଲିୟନ ଆମେରିକୀୟ ଡଲାର) ।

ଯଦିଓ ବିଦେଶରୁ ପଠାଯାଉଥିବା ପଇସା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଅର୍ଥନୈତିକ କାମକୁ ପ୍ରୋତ୍ସାହନ ଦିଏ (ଯେମିତିକି ଯାହା ପାଖକୁ ପଇସା ଆସୁଛି ତାହାର ଘର ତିଆରି ଇତ୍ୟାଦି), ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି ଯେମିତିକି ବିସମତା ବଢ଼ିବା, ଶ୍ରମିକ ନମିଳିବା ଏବଂ ଲିଙ୍ଗଗତ ସନ୍ତୁଳନ ପ୍ରଭାବିତ ହେବା ।

ବିଶ୍ୱବ୍ୟାଙ୍କ ଭଳି ବହୁରାଷ୍ଟ୍ରୀୟ ଆର୍ଥିକ ଅନୁଷ୍ଠାନର ଅର୍ଥନୀତିଜ୍ଞମାନେ ଯୁକ୍ତି ରଖନ୍ତି ଯେ ବିଦେଶରୁ ଆସୁଥିବା ଅର୍ଥ ପାଇଁ ବ୍ୟାଙ୍କ ଖାତା ଖୋଲାଯାଏ ଯାହାଫଳରେ ଆର୍ଥିକ ସେବା ମିଳିପାରେ ।

ବିଦ୍ୱାନ ଓ ସମାଲୋଚକମାନେ ଏହି କଥା ସହ ଏକମତ ନୁହଁନ୍ତି ଏଇଥିପାଇଁକି ଯେ, ଅନୁପଯୁକ୍ତ ଆର୍ଥିକ ବିକାଶର ମୂଳ ସମସ୍ୟା ସମାଧାନ ଦିଗରେ ଆସୁଥିବା ଅର୍ଥ ସହାୟକ ହୋଇନଥାଏ ଏବଂ ଆସୁଥିବା ଅର୍ଥକୁ ତଥାକଥିତ ‘ସ୍ୱୟଂ ସହାୟକ ବିକାଶ’ର ମାଧ୍ୟମ ବୋଲି କହିବା ଅଧିକାଂଶ ସମୟରେ ଗରିବ ଲୋକଟିର ବୋଝକୁ ବଢ଼େଇ ଦେଇଥାଏ ।

ଭାରତର ବୈଦେଶିକ ମୁଦ୍ରା ବିନିମୟ ହିସାବ ଖାତାର ସନ୍ତୁଳନଟି ସାମଗ୍ରିକ ଭାବେ ଗଡ଼ବଡ଼ିଆ ସ୍ଥିତିରେ ଅଛି । ଗତ କିଛିମାସ ହେବ ରପ୍ତାନୀଟି ବଢ଼ିଛି ଗୋଟିଏ ବର୍ଷରୁ ଅଧିକ କାଳ ଏଥିରେ ହ୍ରାସ ଆସିବା ପରେ ।

ରିଜର୍ଭ ବ୍ୟାଙ୍କର ଏପ୍ରିଲ- ଡିସେମ୍ବର ୨୦୧୬ରେ ନେଣଦେଣ ତଥା ଅଦଳବଦଳର ହିସାବକୁ ତା ପୂର୍ବ ବର୍ଷର ଏହି ସମୟକାଳର ହିସାବ ସହ ଯଦି ତୁଳନା କରାଯାଏ, ତେବେ ସାମ୍ପ୍ରତିକ ନିଅିଆ ପରିସ୍ଥିତି (ଯେତେବେଳେ ରପ୍ତାନୀ ଅପେକ୍ଷା ଅଧିକ ଜିନିଷ ଆମଦାନୀ କରାଯାଇଥାଏ) ଏବଂ ବ୍ୟବସାୟିକ ବାଣିଜ୍ୟ ନିଅିଆ ପରିସ୍ଥିତି (ଯେଉଁଠି ସେବା କ୍ଷେତ୍ର ବା ପୁଞ୍ଜି ନେଣଦେଣ ନୁହେଁ କେବଳ ଜିନିଷପତ୍ରର ଆମଦାନୀ-ରପ୍ତାନୀ ଭିତରେ ଥିବା ତାରତମ୍ୟକୁ ବୁଝାଇଥାଏ) ଭିତରେ ପ୍ରଭେଦଟି ସଙ୍କୁଚିତ ହେଉଛି ।

ମୂଳ ବିଦେଶୀ ପୁଞ୍ଜିର ସିଧାସଳଖ ବା ପ୍ରତ୍ୟକ୍ଷ ବିନିଯୋଗ ବଢ଼ିଛି ଏବଂ ବିଦେଶୀ ମୁଦ୍ରାର ଭଣ୍ଡାରଟିରେ ମଧ୍ୟ ବୃଦ୍ଧି ଘଟିଛି । ଯଦିଓ ଜାଳେଣି ତୈଳର ହାର ତିନିବର୍ଷ ଧରି ଅପେକ୍ଷାକୃତ ସ୍ଥିର ରହିଛି, ଏହି ପରିସ୍ଥିତି ଆଗକୁ ଏମିତି ନରହିପାରେ । ମୂଳ ବିଦେଶୀ ପୋର୍ଟ୍ ଫୋଲିଓ ପୁଞ୍ଜି ନିବେଶ (ଯଥା ବିଦେଶୀ ଅର୍ଥ ଆମ ବ୍ୟାଙ୍କରେ ଜମା କରିବା ବା ଆମ ଷ୍ଟକ ବଜାରରେ ଅଂଶଧନ କିଣିବା, ସବୁକିଛି ଅନ୍ଦାଜ୍ ଉପରେ ଆଧାର କରି) କମିଛି ।

ଲାଭ, ସୁଧ, ଲାଭାଂଶ ଇତ୍ୟାଦି ଦେଶବାହାରକୁ ଯିବାର ହାରରେ ବୃଦ୍ଧି ଘଟିବା ଏବଂ କମ୍ପ୍ୟୁଟର ସଫ୍ଟୱେର ରପ୍ତାନୀ କମିବା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଆଧାରିତ ସେବାରେ ହ୍ରାସ ଘଟିବା ଚିନ୍ତାର ବିଷୟ ପାଲଟିଛି । ଆମେରିକା ତା’ର ନିଜ ବଜାରକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରୁଥିବା ଯୋଗୁଁ ଏଭଳି ରପ୍ତାନୀ ଜନିତ କଟକଣା ଜାରି ରହିବ ।

ମଧ୍ୟର୍ବୀକାଳୀନ ସମୟରେ ଆମେରିକା, ପ୧⁄୨ିମ ୟୁରୋପ ଜାପାନରେ ଭାରତୀୟ ରପ୍ତାନୀର ସମ୍ଭାବ୍ୟ ବୃଦ୍ଧିକୁ ନେଇ କେଉଁ ସ୍ଥିତି ରହିବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ । ଏହିଭଳି ଏକ ବୃହର ପୃଷ୍ଠଭୂମିରେ ହିଁ ବିଦେଶରୁ ଆମକୁ ପଠାଯାଉଥିବା ପଇସାରେ ଯେଉଁ ହ୍ରାସ ଘଟିଛି ତା’ର ମହତ୍ୱକୁ ବୁଝିବାକୁ ପଡ଼ିବ ।

ଏହି ପଠାଯାଉଥିବା ପଇସା ଭାରତ ସମେତ ଅନ୍ୟ ବିକାଶଶୀଳ ଦେଶମାନଙ୍କର ଅର୍ଥନୀତିରେ ବଡ଼ ଧରଣର ଭୂମିକା ନିଭାଇ ଥାଆନ୍ତି ବିଶେଷକରି ଅସ୍ଥାୟୀ ଦାଦନ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ଜୀବିକା ଉପାର୍ଜନ କ୍ଷେତ୍ରରେ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣର ପଇସା ପଠାଉଥିବା ଗୋଷ୍ଠୀ ହେଉଛନ୍ତି ଉର ଆମେରିକାରେ ବାସ କରୁଥିବା ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ ।

ନିକଟରେ ଏଚ୍.ୱାନ୍.ବି. ଭିସାକୁ ନେଇ କରାଯାଇଥିବା କଟକଣା ଯୋଗୁଁ ଏଠାରୁ ଆସୁଥିବା ଅର୍ଥ ପ୍ରଭାବିତ ହେଇପାରେ । ଏହି ଅର୍ଥର ଏକ ବିରାଟ ଭାଗ ସମ୍ପିବାଡ଼ି ବା ଘରବାଡ଼ି କିଣିବାରେ ଖର୍ଚ୍ଚ ହୋଇଥାଏ ।

ସବୁଦୃଷ୍ଟିରୁ ଦେଖିଲେ ବିଦେଶରୁ ଆସୁଥିବା ଅର୍ଥ ହ୍ରାସ କଥାଟି ଉପରେ ସରକାରଙ୍କର କିଛି ନିୟବଣ ନାହିଁ, କିନ୍ତୁ ତଥାପି ଏଭଳି ଏକ କଥା ଉଦ୍ବେଗର ଏକ କାରଣ ସାଜିଛି ।
Troubling Signs EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଓଡ଼ିଆ ଶ୍ରମିକ, ଶ୍ରମ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 177
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ