• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଣା ଅଜଣା

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

December 8, 2019 by ଓଡିଶା ଡଟ କମ Leave a Comment

ନୂଆପଡ଼ା, ଡିସେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍) : ବାପା ମାନସିକ ଅନଗ୍ରସର ଆଉ ମା ଜଣେ ଦାଦନ ଶ୍ରମିକ, ଏଭଳି ଏକ ପରିବାରର ଜଣେ ଦିବ୍ୟାଙ୍ଗ ପୁଅ ରବି ଶବରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

ନିଜ ଶାରୀରିକ ଅନଗ୍ରସରତାକୁ ପଛରେ ପକାଇ ଦିବ୍ୟାଙ୍ଗଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ନୂଆପଡ଼ା ଜିଲ୍ଲାର ଏକ ଅଖ୍ୟାତ ଗାଁର ରବି ଗତ ୩ ତାରିଖ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

ରବିଙ୍କୁ ରାଜ୍ୟ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ଏହାପରେ ସାମ୍ନାକୁ ଆସିଛି ନୂଆପଡ଼ାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟର ନାଁ।

ଏଯାଏ ସରକାରୀ ଅନୁଦାନ ପାଇନଥିବା ଏହି ସ୍କୁଲ୍ ଏବେ ନୂଆପଡ଼ା ଭଳି ଏକ ଉପାନ୍ତ ଜିଲ୍ଲାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛି।

୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।

ରେଡକ୍ରସ୍ ସୋସାଇଟି ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲା।

ସେହିଦିନଠାରୁ ଏହି ବିଦ୍ୟାଳୟ ରେଡକ୍ରସ ପକ୍ଷରୁ ହିଁ ପରିଚାଳିତ ହେଉଛି ଆଉ ଏଥିପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଆସୁଛନ୍ତି।

ଏହି ସ୍କୁଲର ବିଶେଷତ୍ବ ହେଲା, ଏଠାରେ ୬ରୁ ୧୮ ବର୍ଷ ବୟସର ପିଲା ଶିକ୍ଷାଗ୍ରହଣ କରନ୍ତି।

ସ୍କୁଲ ଛାଡ଼ିଲା ପରେ ସେମାନେ କିଭଳି ଅନ୍ୟର ସହଯୋଗ ନଲୋଡ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ତାରି ଉପରେ ଏଠାରେ ଗୁରୁତ୍ବ ଦିଆଯାଏ ବୋଲି କହନ୍ତି ଏହାର ଅଧ୍ୟକ୍ଷା ରାଜେଶ୍ବରୀ ସାମନ୍ତ।

ରାଜେଶ୍ବରୀ କହିଛନ୍ତି ଯେ, ସ୍କୁଲ୍ ଆରମ୍ଭ ହେବା ସମୟରୁ ହିଁ ପିଲାମାନେ କାଗଜ ବ୍ୟାଗ ଓ ଠୁଙ୍ଗା ତିଆରି ସମେତ ଗୋପାଳନ ଶିଖୁଥିଲେ ଆଉ ଏବେ ଏହି ସ୍କୁଲରେ ୫୦ ଜଣ ପିଲା ଅଛନ୍ତି ଓ ସେମାନଙ୍କୁ ଚକଖଡ଼ି ତିଆରି ସମେତ ବଗିଚା କାମ ତଥା ଚାଷବାସ ଲାଗି ପ୍ରଶିଷଣ ଦିଆଯାଉଛି।

ସବୁଠାରୁ ବଡ଼କଥା ହେଉଛି, ଏଠାକୁ ଆସୁଥିବା ପିଲାମାନେ ମାନସିକ ଭାବେ କିଭଳି ଦୃଢ଼ ହେବେ ଓ ତାକୁ ପୁଞ୍ଜି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।

ଏମାନଙ୍କୁ ପ୍ରାୟ ପ୍ରତିଦିନ ମନସ୍ତତ୍ତ୍ବବିତଙ୍କ ପରାମର୍ଶ ଦିଆଯାଉଛି।

ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ସ୍କୁଲପିଲାଙ୍କର କୃତିତ୍ବ ବି କମ୍ ନୁହେଁ।

ଏଠାକାର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଆଣିଛନ୍ତି।

କେବଳ ଏତିକି ନୁହେଁ, ୧୮ ବର୍ଷ ପରେ ଅନାଥ ପିଲାମାନଙ୍କୁ ଏଠାରେ ଆଶ୍ରୟ ଦିଆଯିବା ସହ ସେମାନେ ନିଜ ଉଦ୍ୟମରେ ଏହି ସ୍କୁଲ ପରିସରରେ କିଛି ନା କାମ କରୁଛନ୍ତି।

ଏହିଭଳି ୧୨ ଜଣ ଅନାଥ ପିଲା ଏବେ ସ୍କୁଲରେ ହିଁ ରହୁଛନ୍ତି।

ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି।

ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।

ସେମାନଙ୍କ ଆଶା, ଦିନେ ନା ଦିନେ ସ୍କୁଲ୍ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ।

ଲୋକାଲ ୱାୟାର ସୌଜନ୍ୟରୁ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ଶିକ୍ଷା

ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି

December 8, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବାଣୀବିହାର ପରିସରରେ ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଭବିଷ୍ୟତରେ ଏହି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ ବୋଲି ଆଶା ପ୍ର୍ରକାଶ କରିଥିଲେ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବାରିଷ୍ଟର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଉଦବୋଧନ ଆରମ୍ଭ କରିଥିଲେ ।

ସେ କହିଥିଲେ ବିଗତ ୭୫ ବର୍ଷ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନେକ ଗୁଣୀଜନଙ୍କୁ ସୃଷ୍ଟି କରିପାରିଛି ।

ଏଥିରୁ ଅନେକ ଦେଶକୁ ଗୌରବମୟ କରିପାରିଛନ୍ତି ଏବଂ କେତେକ ଏଠାରେ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସମ୍ମୁଖୀନ ହୋଇ ଏହା ଏକ ଜ୍ଞାନଭିତ୍ତିକ ସମାଜ ଗଠନରେ ସଫଳ ହୋଇପାରିବ ବୋଲି ମୁଁ ଆଶା କରୁଛି ।

ଉତ୍କର୍ଷତା ପାଇଁ ବିଦେଶର ଦୁଇଟି ବିଶ୍ୱବିଦ୍ୟାଳୟ ସହ ଉତ୍କଳର ବୁଝାମଣା ହେବା ଖୁସିର ବିଷୟ ।

ଗାନ୍ଧୀଜୀଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟ ପରିସରରେ ଅହିଂସା ସ୍ଥଳ ପାର୍କ ପ୍ରତିଷ୍ଠା ହୋଇଥିବା ଜାଣି ଅତ୍ୟନ୍ତ ଖୁସି ବୋଲି ସେ କହିଥିଲେ ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବକୁ ସ୍ମରଣୀୟ କରିଛି ।

ଶିକ୍ଷାର ପ୍ରକୃତ ଅର୍ଥ ନୂତନ ଚିନ୍ତାଧାରାର ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ଏବଂ ଜ୍ଞାନର ପରିସୀମା ବୃଦ୍ଧି, ଯଦ୍ୱାରାକି ଏହା ମାନବତାର ମଙ୍ଗଳରେ ସହାୟକ ହୋଇପାରିବ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଉକ୍ରଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାର ପ୍ରୟୋଗଶାଳା ହେଉ ।

ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ଜଣା ଅଜଣା

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

December 30, 2017 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ଵର ସାହୁ 

ଚଳିତ ଡିସେମ୍ବର ୩୦ ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି।

ଦେଶର ଅନ୍ଯତମ ମନୋରମ ସ୍ଥାନ ଭାବେ ଜଣାଶୁଣା ଏହି ଚିଡିଆଖାନା ସମ୍ପର୍କରେ ପ୍ରସ୍ତୁତ କରୁଛୁ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି ।

୧- ୧୯୬୦ ମସିହାରେ ଏହି ଚିଡିଆ ଖାନା ସ୍ଥାପିତ ହୋଇଥିଲା ଓ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

୨- ଏହାର ସମଗ୍ର ପରିବେଷ୍ଟିତ ଅଂଚଳ ହେଉଛି ପାଖାପାଖି ୪.୩୭ ବର୍ଗ କିମି ।୨୦୧୬ ମସିହାର ପଶୁ ଜନଗଣନା ଅନୁସାରେ ଏହି ଚିଡିଆଖାନାରେ ୨୬୬୯ ଟି ବିଭିନ୍ନ ପ୍ରକାର ପଶୁ ରହିଛନ୍ତି ।

୩- ଏହି ଚିଡ଼ିଆଖାନାରେ ୨୧୦ଟି ପଶୁ ଏନ୍କ୍ଲୋଜେର ରହିଛି । ଉଭୟ ପିଞ୍ଜରା ଏବଂ ଖୋଲା ଅଂଚଳରେ ବିଭିନ୍ନ ଜନ୍ତୁମାନଙ୍କୁ ରହିଛି । ୧୧୬ଟି ପିଞ୍ଜରା ଏବଂ ୯୪ଟି ଖୋଲା ପରିବଦ୍ଧ ଅଂଚଳରେ ପଶୁମାନଙ୍କ ମୁକ୍ତ ବିଚରଣର ବ୍ୟବସ୍ଥା ରହିଛି ।

୪- ୩୦୦୪ ପ୍ରଜାତିର ଜୀବଜନ୍ତୁ, ୧୫୪୬ ପ୍ରଜାତିର ପକ୍ଷୀ, ୨୬୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୬୨ ପ୍ରଜାତିର ସରୀସୃପ ଏବଂ ୨୧ ପ୍ରଜାତିର ଉଭୟଚର ପ୍ରାଣୀ ରହିଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ଦେଶରୁ ଓ ଆନ୍ତଃରାଜ୍ୟ ଚିଡ଼ିଆଖାନାରୁ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ନୂଆ ପଶୁପକ୍ଷୀ ଅଣାଯାଇଥାଏ ।

୫- ଏଠାରେ ୧୫ ପ୍ରକାର ସ୍ୱତନ୍ତ୍ର ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୨୦ ପ୍ରଜାତିର ସ୍ୱତନ୍ତ୍ର ପକ୍ଷୀ ଏବଂ ୧୫ ପ୍ରଜାତିର ସରୀସୃପ, ୮୫ ପ୍ରଜାତିର ପ୍ରଜାପତି ଇତ୍ୟାଦି ରହିଛନ୍ତି ।

୬- ନନ୍ଦନକାନନରେ ସ୍ୱତନ୍ତ୍ର ଧରଣର ପାତି ମାଙ୍କଡ଼, ରୋସେଲା, ଷ୍ଟର୍କ ପକ୍ଷୀ ଅନନ୍ୟ ଆକର୍ଷଣ । ଓରାଂଉଟନ୍, ବୟସ୍କ ଶାଗୁଣା, ପାଙ୍ଗେ୍ାଲିନ୍, ଚିତ୍ରିତ ବାଘ, ବର୍ମିଜ ପାଇଥନ୍ ମଧ୍ୟ ଏହାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

୭- ୧୯୮୦ ମସିହାରେ ଧଳାବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନର ପରିଚିତି ଓ ପ୍ରସିଦ୍ଧି ବ୍ୟାପକ ହୋଇଥିଲା ।

ପୃଥିବୀରେ ପ୍ରଥମ ଧଳାବାଘ ଜନ୍ମ ହୋଇଛନ୍ତି ନନ୍ଦନକାନନରେ, ଫଳରେ ଏହାର ପରିଚିତି ବିଶ୍ୱବ୍ୟାପୀ ହୋଇପାରିଥିଲା ।୧ ଅକ୍ଟୋବର ୧୯୯୧ ରେ ନନ୍ଦନ କାନନରେ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା ।

୮ – ରହିଥିବା ଅନ୍ୟ ବିରଳ ପ୍ରାଣୀ ମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ପାଙ୍ଗୋଲିନ୍, ମୂଷା ହରିଣ, ବିରାଟ ଗୁଣ୍ଡୁଚି ମୂଷା, ସିମ୍ପାଞ୍ଜି, ସ୍ଲଥ ଭାଲୁ, ମୁଗେର, ହିମାଳୟ ଭାଲୁ, ସିଂହଲାଞ୍ଜି ମାଙ୍କଡ଼, ଧଳାବେକର ଷ୍ଟର୍କ, ପରକ୍ୟୁପାଇନ୍ ଓ ଜଳଜ ଝିଟିପିଟି । ଠିକ ସେହିପରି ପାଙ୍ଗୋଲିନ୍ ଓ ଧଳାବେଗ ଶାଗୁଣାଙ୍କ ପ୍ରଜନନ କେନ୍ଦ୍ର ହୋଇଛି ନନ୍ଦନକାନନ।

୯- ଘଡ଼ିଆଳ କୁମ୍ଭୀର ଓ ହିପୋପଟାମସ୍ ସକାଶେ ସବୁଠୁ ଅଧିକା ଏନ୍କ୍ଲୋଜେର ତିଆରି ହୋଇଛି ।

୧୦- ୩୩ଏକର ପରିମିତ ଅଂଚଳରେ ପଶୁମାନଙ୍କ ସକାଶେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଏବଂ ମାଂସାସୀ ପ୍ରାଣୀମାନଙ୍କ ସକାଶେ କଂସେଇଖାନା ରହିଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପର୍ଯଟନ, ବିଶେଷ ଖବର Tagged With: ଓଡିଶା, ଚିଡିଆଖାନା, ନନ୍ଦନକାନନ, ବିଘ୍ନେଶ୍ଵର ସାହୁ, ଭୁବନେଶ୍ବର

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

November 16, 2017 by ଓଡିଶା ଡଟ କମ 1 Comment

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭ 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: କଳା, ଗଞ୍ଜାମ, ସଙ୍ଗୀତ, ସଂସ୍କୃତି, ସାହିତ୍ୟ

ଗାନ୍ଧି ଓ ଓଡିଶା ; ଦଶଟି ପ୍ରମୁଖ ତଥ୍ୟ

October 3, 2017 by ନିଉଜ ଡେସ୍କ Leave a Comment

gandhi
କେଦାର ମିଶ୍ର
ଫଟୋ- ଡ. କୈଳାସ ଚନ୍ଦ୍ର ଦାଶ

ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେ
ଅହିଂସା ସତ୍ୟ ତତ୍ତ୍ଵାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍ ।

ମହାତ୍ମାଗାନ୍ଧୀଙ୍କ ଓଡିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ ପ୍ରଚାର ଗୀତରୁ ଗାଂଧିଂକ ପ୍ରତି ଓଡିଆଂକର ଭାବପ୍ରବଣ ସମ୍ପର୍କକୁ ବେଶ୍ ଆକଳନ କରିହେବ ।

ଓଡିଶା ରାଜନୀତିରେ ଗାଂଧିଂକ ପ୍ରଭାବ ଓ ସାମାଜିକ ଜୀବନରେ ତାଂକ ବ୍ୟକ୍ତିତ୍ଵର ପ୍ରତିଷ୍ଠା ବିଷୟରେ କେତୋଟି ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି ଆମ ସମୟର ଜଣେ ଗୁଣୀ ଐତିହାସିକ ତଥା ଗବେଷକ ଡ. କୈଳାସ ଚନ୍ଦ୍ର ଦାଶ । ଗାନ୍ଧି ଓଡିଆ କବିଂକ କବିତାରେ କେଉଁଠି ଦେବତା, ପୁଣି କେଉଁଠି ନେତା ।

ତାଂକ ପ୍ରଶଂସାରେ ମହାପୁରାଣ ବି ଲେଖା ହୋଇଛି ଓଡିଆରେ । ଓଡିଆ ସଂସ୍କୃତ ପଣ୍ଡିତ ମାନେ ଲେଖିଛନ୍ତି ଗାନ୍ଧି ଗୀତା ଓ ଗାନ୍ଧି ଚାରିତାମୃତ । ଏହି ସବୁ ଅଳ୍ପ ଚର୍ଚିତ ଅଥଚ ମୂଲ୍ୟବାନ ତଥ୍ୟ କୁ ନେଇ ଦଶଟି କଥା –

୧. ଓଡିଶାରେ ଗାଂଧିଂକ ରହଣୀ ଖୁବ ବେଶୀ ଦିନର ନୁହଁ । ୧୯୨୧ ରୁ ୧୯୪୬, ୨୫ ବର୍ଷ ଭିତରେ ଗାନ୍ଧି ସାତ ଥର ଓଡିଶାକୁ ଆସିଛନ୍ତି । ସାତ ଥର ଯାତ୍ରା ରେ ତାଂକର ସମୁଦାୟ ଓଡିଶା ରହଣୀ ଦିବସ ହେଉଛି ୬୯ ଦିନ ।

2 ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲ୍ ଠାରେ ଗାନ୍ଧି ତାଂକ ପତ୍ନୀ କସ୍ତୁରବାଂକ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଂକର ଭାଷଣ ରଖିଥିଲେ । ପ୍ରଥମ ଯାତ୍ରାରେ ସେ କଟକ, ପୁରୀ, ଭଦ୍ରଖ ଓ ବ୍ରହ୍ମପୁର ଠାରେ ଭାସଣ ଦେଇଥିଲେ ।

୨. ତାପରେ ୧୯୨୫ ଡିସେମ୍ବର ମାସରେ ଓଡିଶା ଆସି ସେ ମଧୁସୁଦନ ଦାସଂକ ଉତ୍କଳ ଟାନେରୀ ପରିଦର୍ଶନ କରିଥିଲେ । ୧୯୨୭ ଡିସେମ୍ବର ମାସରେ ପୁଣିଥରେ ମଧୁ ବାବୁଂକ ଆତିଥ୍ୟ ସ୍ଵୀକାର କରିଥିଲେ ।

3୩.୧୯୨୮ ମସିହାରେ ପଶ୍ଚିମ ଓଡିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଠାରେ ସେ ଜନସଭା କୁ ଉଦବୋଧନ ଦେଇଥିଲେ ।

୧୯୩୪ ରେ ଓଡିଶାରେ ଗାନ୍ଧି ତାଂକର ପଦଯାତ୍ରା ଆରମ୍ଭ କରିବା ସହିତ ପୁରୀ ବଡଦାଣ୍ଡ ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଂକ ପ୍ରତମୂର୍ତୀ କୁ ମାର୍ଚ୍ଚ ୮ ତାରିଖ ଦିନ ଉନ୍ମୋଚନ କରିଥିଲେ । ପୁଣି ୧୯୩୮ ଓ ୧୯୪୬ ରେ ଗାନ୍ଧି ଓଡିଶା ଗସ୍ତ କରିଥିଲେ ।

୪. ଓଡିଶାର ଦାରିଦ୍ର୍ୟ ତାଂକୁ ବିଚଳିତ କରିଥିଲା ଓ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଓଡିଶା ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲେ ଓ ଖଦି କୁ ଏକ ବିକାଶର ମାଧ୍ୟମ ବୋଲି କହିଥିଲେ । ଏ ସମ୍ପର୍କରେ ହରିଜନ ଓ ୟଂଗ ଇଣ୍ଡିଆ ରେ ସେ ଅନେକ ଲେଖା ମଧ୍ୟ ଲେଖିଥିଲେ ।

୫. ଗାନ୍ଧି ଓଡିଶା ଓ ଓଡିଆଂକ ବିଷୟରେ କଂ ଭାବୁଥିଲେ ତାର ଐତିହାସିକ ମୂଲ୍ୟ ନିହାତି ରହିଛି ।

4ତେବେ ଗାଂଧିଂକ ବିଷୟରେ ଓଡିଆଂକ ଚିନ୍ତନ ଓ ସମ୍ମାନ ର ପୂର୍ନାଂଗ ଆକଳନ ଆଜି ଯାଏ ହୋଇପାରିନାହିଁ ।

ଗାଂଧିଂକ ରଚନା ଓଡିଆ ଭାଷାକୁ ତିରିଶ ଦଶକ ରୁ ଅନୁବାଦ ହେବା ଆରମ୍ଭ କଲାଣି । ତା ସହିତ ଗାନ୍ଧି ଦର୍ଶନ, ବିଚାର ଓ ତାଂକ ସହ ଦେଖା ହେବାର ଅନୁଭବ କୁ ନେଇ ମଧ୍ୟ ବହୁ ଲେଖା ପ୍ରକାଶିତ ହୋଇଛି ।

୬. ୧୯୩୬ ମସିହାରେ ପଣ୍ଡିତ ନୀଳକଣ୍ଠ ରଥ “ଗାନ୍ଧି ମହାପୁରାଣ” ନାମରେ ଏକ ଦୀର୍ଘ ଚରିତ କାବ୍ୟ ରଚନା କରିଥିଲେ । ପଣ୍ଡିତ ରଥ ଏହା ବ୍ୟତୀତ ଗାନ୍ଧି ପୁରାଣ, ଗାନ୍ଧି ସଂହିତା ଓ ଗାନ୍ଧି ଗୀତା ରଚନା କରିଥିବାର ଜଣାଯାଏ ।

ସେହିପରି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର “ଶ୍ରୀମଦ୍ ଗାନ୍ଧିଚରିତାମୃତମ୍” ନାମରେ ଏକ ସଂସ୍କୃତ ଖଣ୍ଡକାବ୍ୟ ଲେଖିଥିଲେ ।

5୭.ବାପୁଂକ ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” କୁ ଓଡିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା । ଗାନ୍ଧୀ ରଚନା କୁ ଓଡିଆ ରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ ।

୮. ତେବେ ଗାନ୍ଧି ଗୋଟେ ନିର୍ଦ୍ଦିଷ୍ଟ ବର୍ଗ ବା ରାଜନୈତିକ ଗୋଷ୍ଠୀ ର ପ୍ରିୟପାତ୍ର ନଥିଲେ । କେନ୍ଦ୍ର ରେ ସାମ୍ୟବାଦୀ ମାନଂକ ସହ ତାଂକର ମତଭେଦ ଥିବା ବେଳେ ଓଡିଶାର ବହୁ ସାମ୍ୟବାଦୀ କବି ଗାଂଧିଜିଂକ ସ୍ମୃତିରେ କବିତା ଲେଖିଛନ୍ତି ।

ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଓ ମୁରାରୀ ଜେନାଂକ ପରି ବିପ୍ଲବୀ ଲେଖକ ଗାଂଧିଜିଂକ ଜୀବନର ଜୟଗାନ କରିଛନ୍ତି ।

୯. ଚରିତ ଓ ସ୍ମୃତିଲେଖ ମାଧ୍ୟମରେ ଇତିହାସ ର ଅନେକ ତଥ୍ୟ ଲୋକ ଲୋଚନକୁ ଆସିଥାଏ । ଗାନ୍ଧି ଚରିତ କୁ ନେଇ ଲେଖା ଯାଇଥିବା ଅନେକ ଓଡିଆ କବିତାରେ ଆମ ସମାଜ ଓ ରାଜନୀତିର ଚିତ୍ର ଖୋଜା ଯାଇ ପାରିବ ।

6ଗୋପବନ୍ଧୁ ଚୌଧୁରିଂକ “ଚାଷୀ ମୁଲିଆ ଗାନ୍ଧି”, ବିନୋଦ କାନୁନଗୋଂକ “ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି”, ବଲରାମ ମିଶ୍ରଂକ “ବେପାରୀ ପୁଅ”- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି ।

୧୦. ତେବେ ଖାଲି ଯେ ଗାଂଧିଜିଂକ ପ୍ରଶଂସାରେ ବହି ବାହାରିଛି ତା ନୁହଁ, ତଂକୁ ବିରୋଧ କରି କାଁ ଭାଁ ବହି ଓ ପ୍ରଚାର ପତ୍ର ବାହାରିଥିଲା । ପୁରୀର କେତେଜଣ ରକ୍ଷଣଶୀଳ ମହନ୍ତ ଏମିତି ଏକ ପ୍ରଚାରପତ୍ର ଛାପି ବାଣ୍ଟିଥିଲେ, ଯାହାକି ଲୋକଂକ ଦ୍ଵାରା ଆଦୃତ ହୋଇ ନଥିଲା ।

ଓଡିଆଂକ ଗାନ୍ଧି ପ୍ରୀତିର ନିଦର୍ଶନ ପ୍ରସ୍ତୁତ କରିବାକୁ ଯାଇ ପ୍ରଖ୍ୟାତ କବି ମାୟାଧର ମାନସିଂହ ଲେଖିଥିଲେ- “ସେ ଯେଉଁ ଆଡେ ଯାଉଥିଲେ ସେଠି ମାଟିରେ ପଦ୍ମ ଫୁଟି ଯାଉଥିଲା। ଜଡ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା । ତାଂକର ମୃତ୍ୟୁରେ କେବଳ ଏ ଦେଶ ନୁହଁ ସମଗ୍ର ପୃଥିବୀର ମାଟି ପଥର ବି କାଂଦିଛି । ”

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଉତ୍କଳ ମଣି, ଓଡିଆ, ଓଡିଶା, ଗାନ୍ଧି, ଗୋପବନ୍ଧୁ ଦାସ, ନ୍ଧି ଗୀତା ଓ ଗାନ୍ଧି ଚରିତାମୃତ, ପ୍ରଚାର ଗୀତ, ମଧୁ ବାବୁ, ମହାପୁରାଣ, ସଂସ୍କୃତ, ସାହିତ୍ୟ

ନୁଆଁଖାଇ ତିହାର: ଦଶଟି ଜାଣିବା କଥା

September 6, 2017 by ଓଡିଶା ଡଟ କମ Leave a Comment

12003962_138725199808774_7737679283316698216_n
କେଦାର ମିଶ୍ର

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି ।

ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି । ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ । ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ । ନୁଆଁଖାଇକୁ ନେଇ କିଛି ମୌଳିକ କଥା –

୧. ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ର ଶୁକ୍ଲପକ୍ଷରେ ପଶ୍ଚିମ ଓଡିଶାର ଜନସାଧାରଣ ନୁଆଁଖାଇ ପର୍ବ ପାଳନ କରନ୍ତି ।

ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ।କ୍ଷେତର ପ୍ରଥମ ଅନ୍ନ କଣା କୁ ନିଜର କୁଳଦେବୀ, ଇଷ୍ଟଦେବୀ ଓ ଗ୍ରାମ ଦେବୀଂକୁ ଅର୍ପଣ କରିବା ସହିତ ପ୍ରଥମ ଅନ୍ନ ଉତ୍ପାଦନ ର ଉଲ୍ଲାସ କୁ ପାର୍ବଣ ରୂପେ ପାଳନ କରିବା ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ।

୨. ଏହା ଏମିତି ଏକ ଗଣପର୍ବ ଯେଉଁଥିରେ ଜାତି, ବର୍ଣ, ଲିଂଗ, ଏପରିକି ଧର୍ମର ମଧ୍ୟ ବିଭେଦ ନଥାଏ। ଗ୍ରାମ ଠୁଁ ସହର, ଗରୀବ ଠୁଁ ଧନୀ, ରାଜା ଠୁଁ ପ୍ରଜା, ସମସ୍ତେ ଗୋଟିଏ ଦିନରେ, ଗୋଟିଏ ନିର୍ଦ୍ଧାରିତ ଲଗ୍ନରେ, ଗୋଟିଏ ବିଧି ବିଧାନରେ ଓ ଗୋଟିଏ ପ୍ରଥାରେ ନୁଆଁ ଖାଇଥାନ୍ତି ।

୩. ହିନ୍ଦୁ ପରମ୍ପରା ରେ ଏହା ଅନ୍ନ ବ୍ରହ୍ମର ପୂଜା ପାଇଁ ନବାନ୍ନ ଉତ୍ସବ ହୋଇଥିବା ବେଳେ ଆଦିବାସୀ ଜୀବନରେ ଏହା ନବାଖାନୀ,ହୋରୋ ନବାଇ,ନବାଖାଇ ଇତ୍ୟାଦି। ସମାଜଶାସ୍ତ୍ରୀ ମାନେ ଏହାକୁ ମୂଳତଃ ଆଦିବାସୀ ପରମ୍ପରା ର ପର୍ବ ବୋଲି ସ୍ଵୀକାର କରୁଥିଲେ ମଧ୍ୟ ଏଥିରେ ହିନ୍ଦୁ ବ୍ରାହ୍ମଣ ପରମ୍ପରା ର ପ୍ରଭାବ ସମାହିତ ହୋଇଛି ।

୪. ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟରେ ଭିନ୍ନ ଭିନ୍ନ ଇଷ୍ଟ ଦେବୀ ଯଥା- ସମ୍ବଲପୁର ରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ଵରୀ, ବଲାଂଗୀରରେ ପାଟଣେଶ୍ଵରୀ, କଳାହାଣ୍ଡିରେ ମାଣିକେଶ୍ଵରୀ ଙ୍କ ନାମରେ ଭାଦ୍ରବ ଶୁକ୍ଲପକ୍ଷ ର ବିଭିନ୍ନ ଦିନରେ ନୁଆଁଖାଇ ପାଳନ କରାଯାଉଥିଲା

୧୯୯୧ ରୁ ପଶ୍ଚିମ ଓଡିଶାର ସମସ୍ତେ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥି କୁ ନୁଆଁଖାଇ ଭାବେ ପାଳନ କରି ଆସୁଛନ୍ତି ।

nua
୫. ଭାଦ୍ରବ ମାସ ସାରା ନୁଆଁଖାଇକୁ ନେଇ ସାଜସଜ୍ଜା ଜାରି ରହିଥାଏ। ପ୍ରଥମ କାର୍ୟ ଭାବରେ ଜନ୍ମାଷ୍ଟମୀ ପରଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଓ ଗଣକ ମାନେ ଏକାଠି ହୋଇ ନୁଆଁଖାଇର ଲଗ୍ନ ନିର୍ଣୟ କରିଥାନ୍ତି ।

୬. ତାପରେ ଆରମ୍ଭ ହୁଏ କିଣା ବିକା, ସଜବାଜ, ଲିପାପୋଛା ଓ ଘର ଫେରନ୍ତା ପର୍ବ । ବର୍ଷରେ ଥରେ ନୁଆଁଖାଇ ତିହାର ଲାଗି ପରିବାରର ଯିଏ ଯେଉଁଠି ଥାଆନ୍ତୁ ଘରକୁ ଫେରି ଆସନ୍ତି ଓ ପରିବାର ଏକତ୍ର ନୁଆଁ ଧାନ କୁ ପ୍ରସାଦ ଭାବେ ସେବନ କରିଥାନ୍ତି।

୭. କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ । ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ । ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ଏହି ଶୋଭା ଯାତ୍ରା କୁ ପାହୁର୍ ଯାତ୍ରା ବୋଲି କୁହାଯାଏ ।

୮. ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି । ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

୯. ନୁଆଁଖାଇରେ ରକମ ରକମ ର ପିଠା ମଣ୍ଡା, କାକରା, ମିଠା ଓ ତରକାରୀ ପ୍ରସ୍ତୁତ କରାଯାଏ। ବର୍ଷର ସବୁଠୁ ଭଲ ଖାଦ୍ୟ ଏହି ଦିନ ଘରେ ପ୍ରସ୍ତୁତ ହୋଇଥାଏ। ନୁଆଁଖାଇ ହେଉଛି ସବୁ ପ୍ରକାର ସାଂସ୍କୃତିକ ଓ ସାମାଜିକ ସୌନ୍ଦର୍ଯ୍ୟ ର ମିଳନ ପର୍ବ ।

୧୦. ଖାଇ ସାରିବା ପରେ ଛୁର୍, କବାଡି ଇତ୍ୟାଦି ଖେଳରେ ସମସ୍ତେ ଏକତ୍ରିତ ହୁଅନ୍ତି। ସଂଧ୍ୟାରେ ନାଚ ଗୀତ ଓ ପାରମ୍ପରିକ ଲୋକ କଳା ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଜୀବନବୋଧ ହେଉଛି ଗୋଟେ ନୁଆଁଖାଇ ରୁ ଆଉ ଗୋଟେ ନୁଆଁଖାଇ ପର୍ଯନ୍ତ ଗୋଟିଏ ବର୍ଷ ।

ତେଣୁ କଥାରେ ଅଛି ଜିଇଂ ଜାଗି ଥିଲେ ବଛରେ- ନୁଆଁଖାଇ ଜୁହାର୍ ।
ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପରିବେଶ Tagged With: ଅନ୍ନ, କୃଷି ଭିତ୍ତିକ, ନୁଆଁଖାଇ, ପର୍ବ, ପଶ୍ଚିମ ଓଡ଼ିଶା, ପାର୍ବଣ, ଭାଦ୍ରବ ଶୁକ୍ଲପକ୍ଷ, ମାଣିକେଶ୍ଵରୀ, ହିନ୍ଦୁ ପରମ୍ପରା

ପ୍ରଥମ ଓଡିଆ ସମ୍ବାଦପତ୍ର ଉତ୍କଳ ଦୀପିକା; ଦଶଟି ପ୍ରମୁଖ କଥା

July 12, 2016 by ଓଡିଶା ଡଟ କମ Leave a Comment

5 - Copy

କେଦାର ମିଶ୍ର

ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର କୌଣସି ସମ୍ଭାବନା ନଥିବା ସମୟରେ ନୁଆ ଇତିହାସ ତିଆରି କରିବାର ସାହସ ମଣିଷ ଜାତି ସଂଚୟ କରିଥାଏ, ସେଥିଲାଗି ସବୁ ବଡ ସଫଳତା ର ଆରମ୍ଭ ସବୁଠୁ ଭୟଂକର ବିଫଳତା ରୁ ଇ ଆରମ୍ଭ ହୋଇଥାଏ ।

4ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ଵ ନାହିଁ, ଭାଷା ଓ ସଂସ୍କୃତିର ସ୍ଵୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି।

୧୮୬୬ ମସିହାର କରାଳ ନ’ ଅଂକ ଦୁର୍ଭିକ୍ଷ ର ହାହାକାର ଭିତରୁ ଓଡିଶାର ପ୍ରଥମ ସମ୍ବାଦ ଓ ସମ୍ବାଦପତ୍ର ଜନ୍ମ ନେଉଛି।ଯଦିଓ ୧୮୫୬ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଉଇଲିୟମ୍ ଲେସୀ ସାହେବଂକ ସମ୍ପାଦନା ରେ ପ୍ରଥମ ଓଡିଆ ସମାଚାର ପତ୍ର “ପ୍ରବୋଧ ଚନ୍ଦ୍ରିକା” ପ୍ରକାଶିତ ହୋଇଛି , ତଥାପି ତାକୁ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ବୋଲି କୁହାଯାଇ ପାରିବ ନାହିଁ ।

ପ୍ରଥମ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ରୂପେ ୧୧, ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା” ପ୍ରକାଶ ପାଇଥିଲା ।ଓଡିଶାର ପରିଚୟ ଓ ଓଡିଆ ଜାତିର ଅସ୍ତିତ୍ଵରେ ଦୀପିକା ନୁଆ ପ୍ରାଣ ସଂଚାର କରିଥିଲା ।୧୮୬୬ ରୁ ୨୦୧୬, ଦେଢ ଶହ ବର୍ଷ ଭିତରେ ଦୀପିକା ଆଜି କେବଳ ସ୍ମୃତି।

ଓଡିଆ ଗଣମାଧ୍ୟମର ପ୍ରଥମ ସମ୍ପତ୍ତିକୁ ଆମେ ସାଇତି ରଖିଲୁ ନାହିଁ କି ତାକୁ ବଞ୍ଚେଇ ରଖିବାର ସାହସ ଆମର ଆସିଲା ନାହିଁ ।ଓଡିଶାର ଏହି ଐତିହାସିକ ଖବରକାଗଜ ସମ୍ପର୍କରେ ଦଶଟି ପ୍ରମୁଖ ତଥ୍ୟ –

୧. “କଟକସ୍ଥ ସାହାଯ୍ୟ କୁମେଟୀ” ଶୀର୍ଷକରେ ୧୧, ଅଗଷ୍ଟ ,୧୮୬୬ ତାରିଖ ଦିନ “ଉତ୍କଳ ଦୀପକା” ନାମକ ଖବର କାଗଜର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ବାଦ ପ୍ରକାଶ ପାଇଲା । ଛାପା ଅକ୍ଷରରେ ଓଡିଆ ସମ୍ବାଦ ପଢିବାର ସେ ଥିଲା ଐତିହାସିକ ଦିନ ।

6ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଙ୍କର ଭରଣପୋଷଣ ଆଦି କରିବ।……….”

୨. ଦୁର୍ଭିକ୍ଷ, ଅନ୍ନ ର ଅଭାବ ଓ ଏ ପ୍ରକାର ମାନବୀୟ ସଂକଟକୁ ମୁକାବିଲା କରିବାରେ ସରକାର ତଥା ଧନୀ ଓଡିଆ ମାନେ ବିଫଳ ହେଉଥିବାର ସ୍ପଷ୍ଟ ଚିତ୍ର ଦୀପିକାରେ ପ୍ରକାଶ ପାଇଛି। ଦୀପିକାର ପ୍ରଥମ ପ୍ରକାଶକ ଓ ସମ୍ପାଦକ ଗୌରୀଶଙ୍କର ରାୟ ବୃତ୍ତିରେ ବ୍ରିଟିଶ୍ ସରକାରର କର୍ମଚାରୀ ହୋଇଥିଲେ ମଧ୍ୟ ସରକାରକୁ କଟୁ ସମାଲୋଚନା କରାଯାଇଛି ।

1୩. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିନଟିଂଗ୍ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି ।

ଏହାର ନିର୍ଦ୍ଦେଶକ ଭାବରେ ବିଚିତ୍ରାନନ୍ଦ ଦାସ,ଲକ୍ଷ୍ମୀ ନାରାୟଣ ଚୌଧୁରୀ, ମଧୁସୁଦନ ଦାସ,ବିହାରିଲାଲ ପଣ୍ଡିତ,ଗୋପିମୋହନ ସେନ,ବନମାଳୀ ସିଂ ପ୍ରମୁଖ ରହିଥିବା ବେଳେ ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଶଂକର ରାୟ ଦାୟିତ୍ଵ ନିର୍ବାହ କରିଛନ୍ତି ।

୪. ଗୌରୀଶଙ୍କର ରାୟ (୧୩,୦୭, ୧୮୩୮-୦୭,୦୩, ୧୯୧୭ ), ଉତ୍କଳ ଦୀପିକା ର ପ୍ରତିଷ୍ଠାତା ସମ୍ପାଦକ ।ତାଂକ ନେତୃତ୍ଵରେ ଦୀପିକା ନିରନ୍ତର ପ୍ରକାଶ ପାଇଛି । ୧୮୬୬ ରୁ ୧୯୧୫ , ଦୀର୍ଘ ୪୯ ବର୍ଷ ଧରି ଦୀପିକାର ପରିଚାଳନା ଓ ସମ୍ପାଦନା ଦାୟିତ୍ଵ ସେ ତୁଲାଇଥିଲେ।

୫. ମୃତ୍ୟୁ ର ଦୁଇ ବର୍ଷ ଆଗରୁ ଗୌରୀଶଙ୍କର ତାଂକର ଉତ୍ତରାଧିକାରୀ ଭାବରେ ସୁଦାମ ଚରଣ ନାୟକଂକୁ ସମ୍ପାଦକ ଦାୟିତ୍ଵ ସମର୍ପି ଦେଇଥିଲେ। ଗୌରୀଶଙ୍କର ଜୀବିତ ଥିବାବେଳେ ଦୀପିକା ବନ୍ଦ ହୋଇନାହିଁ , ବରଂ ଏହା ଓଡିଆ ଭାଷା, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରୁଛି ।

୬. ଗୌରୀଶଙ୍କର ମୃତ୍ୟୁବରଣ କରିବାର ମାତ୍ର ୧୭ ବର୍ଷ ପରେ କଟକ ପ୍ରିଂଟିଂଗ କମ୍ପାନୀ ଭାଂଗି ଗଲା ଓ ସବୁଦିନ ପାଇଁ ଓଡିଶାର ଗୌରବମୟ ଇତିହାସ ନିର୍ମାଣ କରିଥିବା ସମ୍ବାଦପତ୍ର ଦୀପିକା ସବୁଦିନ ଲାଗି ବନ୍ଦ ହୋଇଗଲା ।ସ୍ବତନ୍ତ୍ର ଓଡିଶା ଗଠନରେ ଅଗ୍ରଣୀ ଭୂମିକା ନେଇଥିବା ଦୀପିକା ରେ ସ୍ଵତନ୍ତ୍ର ଓଡିଶା ଗଠନର ଖବର ପ୍ରକାଶ ପାଇ ପାରିଲା ନାହିଁ ।

5୭. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା ।

ଏହାର ସମ୍ପାଦକ ଭାବରେ ଗୌରୀଶଙ୍କର ଥିଲେ ଯୋଗଜନ୍ମା।ତାଂକ ପରେ ସୁଦାମ ଚରଣ ନାୟକ, ଭିକାରୀ ପଟନାୟକ ଓ ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ସମ୍ପାଦକ ଭାବରେ ନିଜ ସିଦ୍ଧିର ସ୍ଵାକ୍ଷର ଛାଡି ଯାଇଛନ୍ତି।

୮. ଦୀପିକା ର ସମ୍ବାଦ ପରିବେଷଣ ଶୈଳୀ ରେ ବ୍ୟାପକ ପରିବର୍ତନ ଆସିଛି ।୧୮୬୬ ବେଳର ଦୀପିକାର ଭାଷାରେ ଯେଉଁ ସାଧୁ ଓ ଜଟିଳ ଭାଷାର ବ୍ୟବହାର ଥିଲା ତାହା ସମୟକ୍ରମେ ଯୁକ୍ତିନିଷ୍ଠ ଓ ପ୍ରାସଂଗିକ ହୋଇଛି ।

ତେବେ ତେରଛା ସମାଲୋଚନା କରିବାର ଏକ ସୁନ୍ଦର ଶୈଳୀ ଦୀପିକାରେ ରହିଥିଲା, ଯାହାକି ଆଜିର ସମ୍ବାଦପତ୍ର ଗୁଡିକରେ ଏକ ପ୍ରକାର ଦେଖିବାକୁ ମିଳିନାହିଁ ।

୯. ସମାଜ ସଂସ୍କାର ଓ ଲୋକ ବିକାଶ ର କଥା ଦୀପିକାରେ ପ୍ରମୁଖ ସ୍ଥାନ ପାଉଥିଲା। ସ୍ଵାଧିନତା ଆନ୍ଦୋଳନ ପ୍ରତି ଦୀପିକାର ଆଗ୍ରହ ବିଶେଷ ନଥିବା ଏହାର ଏକ ବଡ ଦୁର୍ବଳତା ।

ଓଡିଆ ଜାତୀୟତା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦୀପିକା ସ୍ଵାଧିନତା ଆନ୍ଦୋଳନ ପ୍ରତି ପ୍ରାୟ ଉଦାସୀନ ରହି ଆସିଥିଲା ।

୧୦. ଦୀପିକାର ବିଜ୍ଞାପନ ନୀତି ଥିଲା ବେଶ୍ ରୋଚକ । ବଭିନ୍ନ ଆୟୁର୍ବେଦିକ ଔଷଧ ର ବିଜ୍ଞାପନ ସହିତ ନୁଆ ବହିର ବିଜ୍ଞାପନ ଓ ସୂଚନା ଏଥିରେ ନିୟମିତ ପ୍ରକାଶ ପାଉଥିଲା। ୬ ଜାନୁଆରୀ ୧୯୦୬ ରେ ପ୍ରକାଶିତ Major & Co ର Electro Salsa ଏକ ଅଧ ପୃଷ୍ଠା ର ବିଜ୍ଞାପନ ବାହାରିଥିଲା ଯାହାକୁ ଦେବଗଡ, ରେଢାଖୋଲ ଓ ଖଲିକୋଟ୍ ରାଜା ପ୍ରୋତ୍ସାହିତ କରିଥିଲେ ।

ଆମ ସମ୍ବାଦପତ୍ର ଇତିହାସର ଏହି ସର୍ବଶ୍ରେଷ୍ଠ ଐତିହ୍ୟ କୁ ଆମେ ବଂଚାଇ ରଖିପାରିଲେ ନାହିଁ, ତାହା ଆମର ଦୁର୍ଭାଗ୍ୟ ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା Tagged With: ଇତିହାସ, ଉତ୍କଳ ଦୀପିକା, ଓଡିଆ, ଗଣମାଧ୍ୟମ, ପ୍ରଥମ, ଭାଷା, ଶିଳ୍ପ, ସମ୍ବାଦପତ୍ର, ସଂସ୍କୃତି

ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ

June 29, 2016 by ଓଡିଶା ଡଟ କମ Leave a Comment

image

କେଦାର ମିଶ୍ର
“କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ ଜୀବନବୋଧ ଓ ଚେତନା ଉଦ୍ରେକ କରିଥିଲା ।

ଧର୍ମ ସହିତ ମାନବୀୟ ମୂଲ୍ୟ ର ସହବନ୍ଧନ ସବୁବେଳେ ନୂତନ ସାଂସ୍କୃତିକ ଚେତନା ଜାଗ୍ରତ କରିଥାଏ।ରାଜନୈତିକ ପୃଷ୍ଠଭୂମି ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ ଓଡିଶାର ଲୋକେ ଅନାୟାସରେ ଆପଣାର କରିଛନ୍ତି।

ଇସ୍ଲାମ ର ପ୍ରଭାବରେ ଓଡିଶାର ଚଳଣୀ ଓ ଜୀବନଧାରରେ ଅନେକ ନୂଆ ଉପାଦାନ ଯୋଡି ହୋଇଯାଇଛି । ସେସବୁକୁ ଆଜି ଆଉ ଆମ ଜୀବନରୁ ଅଲଗା କରିହେବନାହିଁ ।

ଯେମିତି ସାଲବେଗଂକୁ ବାଦ ଦେଇ ଓଡିଆ ସାହିତ୍ୟର ଭକ୍ତି ଧାରାକୁ ଆକଳନ କରିହେବ ନାହିଁ, ସେମିତି କଟକର କଦମ୍ ରସୁଲ୍ କିମ୍ବା ଏରସମା କି କାଇପଦର ରେ ରହିଥିବା ସୁଫୀ ଫକୀର ମାନଂକ ଦରଘା ରୁ ହିନ୍ଦୁ ଭକ୍ତ ମାନଂକୁ ଅଲଗା କରିହେବ ନାହିଁ ।

୪୦୦ ବର୍ଷ ଧରି ଓଡିଶା ସହ ଇସ୍ଲାମ୍ ର ଗଭୀର ସମ୍ପର୍କ ରହିଥିଲେ ମଧ୍ୟ, ଓଡିଶାରେ ମୁସ୍ଲିମଂକ ସଂଖ୍ୟା ମାତ୍ର ୨.୧୭%।

ତେବେ ଆମର ଧର୍ମ,ସଂସ୍କୃତି,ଖାଦ୍ୟ,ପୋଷାକ,ପ୍ରଦର୍ଶନକାରୀ କଳା ଓ ସଂଗୀତ ରେ ଇସ୍ଲାମ ର ପ୍ରଭାବ ରହିଛି । ଓଡିଶାରେ ହିନ୍ଦୁ ଓ ଇସ୍ଲାମ୍ ସଂସ୍କୃତିର ସମନ୍ବୟ ସମ୍ପର୍କରେ ଦଶଟି ମୌଳିକ ତଥ୍ୟ-
୧. ୧୫୬୮ ରେ ଆଫଗାନ୍ ଶାସକ ସୁଲେମାନ୍ କରାନୀ ସୂର୍ୟ ବଂଶର ରାଜା ମୁକୁନ୍ଦ ଦେବଂକୁ ପରାସ୍ତ କଲାପରେ ଓଡିଶାର ଉପକୂଳ ଅଂଚଳ ଆଫଗାନ ଶାସନାଧୀନ ରହିଲା।

ପ୍ରଶାସନିକ ଭାବରେ ଆଫଗାନ୍ ଶାସିତ ଅଂଚଳକୁ ମୋଗଲବନ୍ଦୀ ବୋଲି କୁହାଗଲା ।ଆଫଗାନଂକ ପରେ ୧୫୯୧ ରେ ମୋଗଲ୍ ମାନେ ଓଡିଶା ଅଧିକାର କଲେ ।

ମୋଗଲବନ୍ଦୀ ଅଂଚଳ ଇସ୍ଲାମ ଶାସନାଧୀନ ରହିଥିବାବେଳେ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ଇସ୍ଲାମ ପ୍ରଶାସନର କୌଣସି ପ୍ରଭାବ ନଥିଲା ।

image
୨. ଇସ୍ଲାମ ସହିତ ଆମର ଖାଦ୍ୟ ଓ ପୋଷାକ କ୍ଷେତ୍ରରେ ଅନେକ ନୂଆ ପ୍ରୟୋଗ ଦେଖିବାକୁ ମିଳିଲା ।ଅଚକନ, ସଲବାର୍, ଶାଲ୍, ରୁମାଲ୍, ପାଇଜାମା ଇତ୍ୟାଦି ଆମ ଚଳଣୀ ଭିତରକୁ ଆସିଲା ।

ଧୋତି ଓ ଗାମୁଛାରେ ଗଂଜୀ ଓ ଜାମା ଯୋଡା ହେଲା । ପଗଡି ବଦଳରେ ଟୋପି ଆସିଲା।ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତିରେ ତାମଯାନ ଭଳି ଶବ୍ଦର ବ୍ୟବହାର ଦେଖିବାକୁ ମିଳିଲା ।
୩. ଖାଦ୍ୟ ପାନୀୟ କ୍ଷେତ୍ରରେ ମଧ୍ୟ ଇସ୍ଲାମର ପ୍ରଛନ୍ନ ପ୍ରଭାବ ରହିଲା । ନୂଆ ଫଳ ଭାବରେ ବାଦାମ, ପିସ୍ତା, ଡାଳିମ୍ବ, ଅଂଗୁର, ସେଓ, ନାସପାତି ଇତ୍ୟାଦି ଆମ ଜୀବନକୁ ଆସିଲା ।

ରୋଷେଇ ଘରେ ପକବାନ୍ ଭଳି ଶବ୍ଦର ବ୍ୟବହାର ହେଲା। ପଲାଉ, ବିରିୟାନି,ରୋଟି, ଜିଲାବୀ, ହାଲୁଆ ଇତ୍ୟାଦି ରେ ଓଡିଆଂକ ରୁଚି ଆସିଲା ।

ଅନେକ ମସଲା ଜାତୀୟ ପଦାର୍ଥ ଯଥା- ଜାଫରାନ, ଜର୍ଦା ଇତ୍ୟାଦି ମଧ୍ୟ ଇସ୍ଲାମର ପ୍ରଭାବରୁ ଆମ ଜୀବନରେ ପ୍ରବେଶ କଲା ।

image
୪. ମନ୍ଦିର ସ୍ଥାପତ୍ୟର ଉତ୍କର୍ଷ ଭୂମି ଓଡିଶାରେ ୧୬୦୦ ରୁ ୧୮୦୦ ଭିତରେ ଅନେକ ମସଜିଦ୍, ଦରଘା ଓ ମଜାର ଇତ୍ୟାଦି ଗଢି ଉଠିଲା । ୧୬ଶ ଶତାବ୍ଦୀରେ କଟକର ଜାମା ମସଜିଦ୍,ଫତେ ଖାନ୍ ରେହେମାନ୍ ମସଜିଦ୍ ଓ କଦମ୍ ରସୁଲ୍ ଗଢି ଉଠିଲା ।

କଦମ୍ ରସୁଲ୍ ରେ ମହାପୁରୁଷ ମହମ୍ମଦଂକ ପବିତ୍ର ପାଦ ଚିହ୍ନ ଉଭୟ ହିନ୍ଦୁ ଓ ମୁସଲମାନଂକ ଦ୍ବାରା ପୂଜା ପାଇଥାନ୍ତି ।
୫. ସୁଫୀ ସଂସ୍କୃତି ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏହା ଉଭୟ ହିନ୍ଦୁ ଓ ମୁସଲମାନଂକୁ ଭକ୍ତି ମାର୍ଗରେ ଅନୁପ୍ରେରିତ କରିଥିଲା।

ସୁଫୀ ସନ୍ଥ ଓ ପୀର ମାନନ୍କର ଅନେକ ଦରଘା ଓ ମଜାରରେ ହିନ୍ଦୁ ମାନେ ମନସ୍କାମନା ପୂରଣ ଲାଗି ମଥା ଟେକିଥାଆନ୍ତି।
୬. ଓଡିଶାର କେତୋଟି ପ୍ରସିଦ୍ଧ ପୀର ପୀଠ ହେଉଛି ବାଲେଶ୍ବରର ଭୁଜାଖିଆ ପୀର,କଟକର କଦମ୍- ଇ- ରସୁଲ୍, ସମ୍ବଲପୁରର ନୁର୍ ବିବି ମଜାର, ସୋନପୁର୍ ଜିଲା ତରଭାରେ ରହିଥିବା ଅବଦୁଲ୍ ଶକୁର୍ ଦରଘା, ଅସ୍ତରଂଗର ଜହାନିଆ ପୀର, କାଇପଦର ର ବୋଖାରୀ ବାବା ଇତ୍ୟାଦି ବେଶ୍ ପ୍ରସିଦ୍ଧ ।
୭. ମହରମ୍ କୁ ହିନ୍ଦୁ ଓ ଇସ୍ଲାମ୍ ର ମିଳନ ପର୍ବ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଇଥାଏ। ବହୁ ହିନ୍ଦୁ ମହରମରେ ତାଜିଆ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି । ଅନେକ ହିନ୍ଦୁ ନିଜେ ତାଜିଆ ବାହାର ମଧ୍ୟ କରନ୍ତି ।

image
୮. ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।

ଓଡିଶାରେ ସତ୍ୟପୀର ପାଲା ବିନା କୌଣସି ଶୁଭ କାର୍ୟ ସମ୍ପନ୍ନ ହୁଏନାହିଁ । ପାଲାରେ ହିନ୍ଦୁ ଓ ଇସ୍ଲାମର ମାନବୀୟ ଆଅଧ୍ୟାତ୍ମିକତା ଏକୀଭୁତ ହୋଇଯାଏ ।
୯. ଭଦ୍ରଖରେ ଆଉ ଜଣେ ବୈଷ୍ଣବ ବଂଶୀ ବଲ୍ଲଭ ଗୋସ୍ବାମୀ “ମୋଗଲ୍ ତାମଶା” ର ସୂତ୍ରଧର । ହିନ୍ଦୁ ଓ ମୁସଲମାନ୍ ସାମ୍ପ୍ରଦାୟିକ ସହଯୋଗର ଏହା ଏକ ସୁନ୍ଦର ତାମଶା ।
୧୦. ଓଡିଶାର ବହୁ ଗାଁ ରେ ହିନ୍ଦୁ ମୁଖିଆ ବା ଗୌନ୍ତିଆ ମାନେ ରଥଯାତ୍ରାରେ ଛେରା ପହଁରା କରିବାର ନଜିର୍ ରହିଛି ।

ସମ୍ବଲପୁର୍ ଜିଲାର ରେମୁଣା ଗାଁ ର ଗୌନ୍ତିଆ ମହମ୍ମଦ୍ ଜମିଉଲ୍ଲା ଓ ତାଂକର ପୁର୍ବ ପୁରୁଷ ଅନେକ ପିଢି ଧରି ଛେରା ପହଁରା କରି ଆସୁଛନ୍ତି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ଧର୍ମ Tagged With: ଚେତନା, ଧର୍ମ ରେ ହୁଏତ ଯବନମାନେ ଆକ୍ରମଣକାରୀ ବା ହିନ୍ଦୁ ବିରୋଧୀ, ପର୍ଯ୍ୟଟକ, ପୃଷ୍ଠଭୂମି, ରାଜନୈତିକ, ସମ୍ବଲପୁର, ସାଂସ୍କୃତିକ, ହେଲେ ସାଂସ୍କୃତିକ ଜୀବନରେ ସେମାନଂକ ଅବଦାନକୁ

ଅଣସର, ଅନବସର ଓ ପଟି ଦିଅ; କେତୋଟି ମରମ କଥା

June 28, 2016 by ଓଡିଶା ଡଟ କମ Leave a Comment

image

 

କେଦାର ମିଶ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା ।ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ।

ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁନ୍କୁ ଜ୍ବର ହୁଏ।

ଓଡିଶାର ଜନଜୀବନରେ ଏହା ଅଣସର ସମୟ।ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳି ସମୟ ।ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତୀ ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି ।

ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି ।

ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ନନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା-

୧. ଜେଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ।ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲେ ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ।

କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।

image
୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ ।

ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥନ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି।

ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।

୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ ।

କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ ।ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।
୪. କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ।ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।
୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପିଠ କୁ ଆଣି ଟା ଉପରେ ମୂର୍ତୀମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।
୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘତୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି।

ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ।ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।
୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।
୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।

ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଲି ପ୍ରସାଦ ତିଆରି ହୁଏ ।
୯. ଚତୁର୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତୀ ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ଫେରି ଆସନ୍ତି।

ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।
୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ ।

ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ମୁଖ୍ୟ ଖବର Tagged With: ଅଣସର, ଦଶାବତାର, ନବ ଯୌବନ, ପଟି ଦିଅ, ମହାପ୍ରଭୁ, ରତ୍ନ ସିଂହାସନ, ଶ୍ରୀଅଂଗ ଫିଟା, ଶ୍ରୀଜଗନ୍ନାଥ

ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ; ନବକୃଷ୍ଣ ଚୌଧୁରିଂକ ବିଷୟରେ କିଛି କଥା

June 24, 2016 by ନିଉଜ ଡେସ୍କ Leave a Comment

 


କେଦାର ମିଶ୍ର
ଆଧୁନିକ ଶିଳ୍ପ ନଗରୀ ଅନୁଗୁଳ ର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି।

ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା ।

ବର୍ଷା ଦିନେ ପାଣି ଗଳୁଥିବା ସେ କୁଡିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢା ବୁଢୀ ଦି ଜଣ ରହୁଥିଲେ।

ଆଦିବାସୀ ପିଲାଂକ ସହ ସରଳ ଜୀବନ ବଂଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡିଶାର ସ୍ବାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକ। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା ।

ଏ ନାଁ ସହ ଓଡିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି । ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ ।

କ୍ଷମତା ର ସବୁଠୁ ବଡ ଆସନରେ ବସି ମଧ୍ୟ ତ୍ୟାଗ କୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ବାଧିନ ଓଡିଶାର ପ୍ରଥମ ରାଜସ୍ବ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ପଦବୀ ଓ କ୍ଷମତାର ଅହଂକାର ନବ ଚୌଧୁରିଂକୁ କେବେବି ଛୁଇଁ ପାରିନଥିଲା ।

ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢିଥିଲେ।

ପ୍ରାଚୁର୍ୟ ଭିତରେ ବିତିଥିବା ପିଲାଦିନ କୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଂକର ଜୀବିକା ନିର୍ବାହ କରିଛନ୍ତି ।

ରାଜନୀତି କ୍ଷମତା ହାସଲର ଷଡଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବା ର ତପସ୍ୟା, ଏକଥା ନବ ବାବୁଂକ ଜୀବନ ପ୍ରମାଣିତ କରିଛି । ଲୋକଂକ ସହ ଓ ଲୋକଂକ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଲଂକ ଋଷି । ତାଂକର ୩୩ଶ ଶ୍ରାଦ୍ଧ ଅବସରରେ ତାଂକ ବିଷୟରେ କିଛି କଥା-

୧. ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡିଶାର ନାମାଜାଦା ଓକିଲ ଓ ଜମିଦାର। ଅଥଚ ତାଂକର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି ।

ଜଗତସିଂପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଂକ ଜନ୍ମ ୨୩, ଜୁନ୍, ୧୯୦୧ ମସିହାରେ । ବଡ ଭାଇ ଗୋପବନ୍ଧୁ ଚୌଧୁରୀ ଓଡିଶା ପ୍ରଦେଶ କଂଗ୍ରେସ ର ପ୍ରଥମ ସଭାପତି ।

ଭାଉଜ ରମା ଦେବୀ, ସାରା ଓଡିଶା ବାସୀଂକ ଅତି ଆଦରର ମାଁ। ପିଲା ବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର। ତାଂକ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା ସଂଗ୍ରାମୀ ଅନ୍ନପୁର୍ନା ଦେବୀ ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ।

ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।
୨. ରେଭେନଶା କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି ।

ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।
୩. ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି ।

ଏପରିକି ସ୍ବାଧିନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି । ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।
୪. ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ ।
୫. ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ ।

ସ୍ବାଧିନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ ।

କ୍ଷମତା ତାଂକ ପଛରେ ଗୋଡେଇ ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।
୬. ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ।

ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ ଦାୟିତ୍ବ ନିଅନ୍ତି । ୧୯ , ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।
୭. ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ ।

ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ ।

ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।
୮. ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ ।

ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ।

ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ।

କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।
୯. କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି।ବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି ।

ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି । କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।

୧୦. ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ । ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା ।

ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।

ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକ ଏବଂ ଅଦ୍ବୀତିୟ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା, ରାଜନୀତି Tagged With: ଓଡିଶା, ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜନୀତି, ରାଜ୍ୟ ସରକାର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ