• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧର୍ମ

ହଜ୍‌ ଦଳାଚକଟା : ଓଡିଶାର ସମସ୍ତ ହଜ୍‌ଯାତ୍ରୀ ସୁରକ୍ଷିତ

September 25, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୨୫ (ଓଡିଶା ଡଟ କମ) ହଜ୍‌ ପାଇଁ ଯାଇଥିବା ଓଡିଶାର ସମସ୍ତ ୫୭୩ ଜଣ ଶ୍ରଦ୍ଧାଳୁ ସୁରକ୍ଷିତ ରହିଥିବା ରାଜ୍ୟ ସରକାର କହିଛନ୍ତି ।

ହଜ୍‌ ପାଇଁ ଓଡିଶାରୁ ଏଥର ୫୭୧ ଜଣିଆ ଦଳ ଯାତ୍ରା କରିଥିବାବେଳେ ଏମାନଙ୍କ ସହିତ ସରକାରଙ୍କ ପକ୍ଷରୁ ଦୁଇ ଖଦିମୁଲ୍‌ ହୁଜାଜ୍‌ ଯାଇଛନ୍ତି ।

ସେଠାରେଥିବା ଯାତ୍ରୀ ମାନଙ୍କୁ ମୀନାର ମଇଦାନରେ ରଖା ଯାଇଥିବା ସୂଚନ ମିଳିଛି । ହଜ୍‌ ଯାତ୍ରୀ ମାନଙ୍କ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଓଡିଶା ହଜ୍‌ କମିଟି ପକ୍ଷରୁ ଦୁଇଟି ଚବିଶ ଘଣ୍ଟିଆ ହେଲ୍ପ ଲାଇନ୍‌ ଖୋଲା ଯାଇଛି ।

୦୬୭୧-୨୩୦୧୧୮୫  ଓ ,୨୩୦୬୦୩୮ ନମ୍ବରରେ ସମ୍ପର୍କକରି ଯେକେହି ଓଡିଶାର ହଜ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ପାଇପାରିବେ । ଓ

ଓଡିଶାର ହଜ୍‌ କମିଟି ସର୍ବଭାରତୀୟ ହଜ୍‌ କମିଟିର ସମ୍ପର୍କରେ ଲଗାତାର ସମ୍ପର୍କରେ ରହିଥିବାବେଳେ ଦୁଇ ଖଦିମୁଲ୍‌ ହୁଜାଜ୍‌ଙ୍କ ସହ ରାଜ୍ୟ ସରକାର ନିୟମିତ ଅନ୍ତରାଳରେ ଯୋଗାଯୋଗ ରଖିଛନ୍ତି ।

ଚିଳିତ ବର୍ଷର ହଜ୍‌ ଯାତ୍ରା ପାଇଁ କଟକରୁ ସର୍ବାଧିକ ୧୦୫ ଜଣ ଯାତ୍ରା କରିଥିବାବେଳେ ଯାଜପୁରରୁ ୭୩, ଜଗତସିଂହପୁରରୁ ୨୯,ବାଲେଶ୍ଵରରୁ ୪୯, ଭଦ୍ରକରୁ ୫୮ ,ଖୋର୍ଦ୍ଧାରୁ ୬୧, ପୁରୀରୁ ୩୨, କେନ୍ଦ୍ରାପଡାରୁ ୩୩,ସୁନ୍ଦରଗଡରୁ ୪୮, ସମ୍ବଲପୁରରୁ ୧୭,କେନ୍ଦୁଝରରୁ ୧୬, ରାୟଗଡାରୁ ୨,ନୂଆପଡାରୁ ୨, ନବରଙ୍ଗପୁରରୁ ୪ ,ମୟୁରଭଞ୍ଜରୁ ୫,କୋରାପୁଟରୁ ୭, କଳାହାଣ୍ତିରୁ ୨,ଝାରୁସୁଗୁଡା  ରୁ ୭ ,ଢେଙ୍କାନାଳରୁ ୨ , ଅନୁଗୁଳରୁ ୪  ଓ ଗଞ୍ଜାମରୁ ୬ ଜଣ ଶ୍ରଦ୍ଧାଳୁ ଅଗଷ୍ଟ ୨୯  ତାରିଖରେ ହଜ୍‌ ଯାତ୍ରାରେ ବାହାରିଥିଲେ ।

ଓଡିଶାର ସମସ୍ତ ଯାତ୍ରୀ ଦୁର୍ଘଟଣା ସ୍ଥଳରୁ ଦୂରବର୍ତ୍ତୀ ସ୍ଥାନରେ ଥିବାରୁ ସୌଭାଗ୍ୟକ୍ରମେ ଏଥିରୁ ବର୍ତ୍ତି ଯାଇଥିବା ଓ ସୁରକ୍ଷିତ ଥିବା ସରକାର କହିଛନ୍ତି  ।

ପ୍ରକାଶ ଥାଉକି , ଆଜି ହଜ୍‌ ର ଶଷଦିନ ହୋଇଥିବା ବେଳେ ସଇତାନକୁ ପଥର ଫିଙ୍ଗିବାର ପ୍ରଥା ରହିଛି । ସେଥିପାଇଁ ମୀନା ସହରରେ ପ୍ରତୀକ ସ୍ଵରୂପ ୩ଟି ପାଚେରୀକୁ ନିର୍ଦ୍ଦିଷ୍ଟ କରାଯାଇଥିଲା ।

ତେବେ ଦୁଇଟି ରାସ୍ତାରେ ଶ୍ରଦ୍ଧାଳୁମାନେ ଏହିସ୍ଥାନକୁ ଯାଉଥିବାବେଳେ ଦୁଇରାସ୍ତାର ଛକରେ ହଜାର ହଜାର ଲୋକଙ୍କ ସମାଗମ ଏପରି ଦଳାଚକଟା ଘଟିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଘଟଣାରେ ୭00ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୮00ରୁ ଅଧିକ ଆହତ ହୋଇଥିବା କୁହାଯାଉଛି ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ହଜ୍‌ ଦଳାଚକଟା

ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି, ଧର୍ମାନ୍ତିକରଣ ନା ସ୍ଵେଛାରେ ଅନ୍ୟ ଧର୍ମ ଗ୍ରହଣ ?

August 29, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୬ (ଓଡିଶା ଡଟ କମ) ରାଜ୍ୟର କେତେକ ଆଦିବାସୀ ବହୁଳ ଅଞ୍ଚଳରେ  ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ସେମାନଙ୍କୁ ପ୍ରୋଲୋଭିତ କରି ଧର୍ମ  ପରିବର୍ତନ କରାଯାଇଛି ଅଥବା ସେମାନେ ସ୍ଵେଚ୍ଛାରେ ଏହି ଧର୍ମ ଗ୍ରହଣ କରିଛନ୍ତି ସେ ନେଇ  ବିବାଦ ଆରମ୍ଭ ହୋଇଯାଇଛି ।

ବିଭିନ୍ନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଉପରେ ହୋଇଥିବା ୨୦୧୧ ଜନ ଗଣନା ଅନୁସାରେ ୨୦୦୧- ୨୦୧୧ ମଧ୍ୟରେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୩.୧୭ ପ୍ରତିଶତ ବଢିଥିବା ବେଳେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨୯.୩୯ ପ୍ରତିଶତ ବୃଦ୍ଧି ଘଟିଛି ।

ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ନିକଟରେ ହୋଇଥିବା ସମୀକ୍ଷା ବୈଠକରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ବଲାଙ୍ଗିର ଜିଲ୍ଲାରେ ହିନ୍ଦୁ ସଂଖ୍ୟା ସର୍ବାଧିକ ୨୩.୩୫ ପ୍ରତିଶତ ରହିଥିବା ବେଳେ କଳାହାଣ୍ଡି  ଜିଲ୍ଲାରେ ମୁସଲିମ ସଂଖ୍ୟା ସର୍ବାଧିକ ୨୮.୫୦ ପ୍ରତିଶତ ବୃଦ୍ଧି ପାଇଛି ।
ଠିକ ସେହି ପରି ବୌଦ ଜିଲ୍ଲାରେ ଖ୍ରୀଷ୍ଟିଆନ ସଂଖ୍ୟା ସର୍ବାଧିକ ୧୧୮.୪୧ ପ୍ରତିଶତ ବଢିଛି ।  ଏହି ଜିଲ୍ଲାରେ ହିନ୍ଦୁ ସଂଖ୍ୟା ବଢିବ ହାର ହେଲା ମାତ୍ର ୧୭.୭୬ ପ୍ରତିଶତ ।ଠିକ ସେହିପରି ସୁବର୍ଣପୁର ଜିଲ୍ଲାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ୭୦.୦୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୧୭.୭୬ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରେ ମଧ୍ୟ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬୧.୮୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ମାତ୍ର ୧୨.୪ ପ୍ରତିଶତ ରେ ସୀମିତ ରହିଛି । ମିଳିଥିବା ଏହି ଜନ ଗଣନା ତଥ୍ୟ  ଅନୁସାରେ ଯେଉଁ ଜିଲ୍ଲାରେ  ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ସେ ମଧ୍ୟରୁ ଅଧିକାଂଶ  ହେଉଛି ଆଦିବାସୀ ବହୁଳ ଜିଲ୍ଲା ।

ଉଦାହରଣ ସ୍ୱରୂପ ମୟୂରଭଞ୍ଜ, ରାୟଗଡା ଓ ମାଲକାନଗିରି ରେ ଖ୍ରୀଷ୍ଟିଆନ ସଂଖ୍ୟା  ଯଥାକ୍ରମେ ୬୪.୫୬, ୫୩.୭୮ ଓ ୫୯.୩୫ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ଜିଲ୍ଲା ମାନଙ୍କରେ ଏହି ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ହିନ୍ଦୁଙ୍କ ସଂଖ୍ୟା ହେଲା ମାତ୍ର ୧୩.୮୩ , ୧୩.୪୮ ଓ ୨୧. ୧୨ ପ୍ରତିଶତ ।

ସବୁଠାରୁ ଗୁରୁତ୍ଵ ପୂର୍ଣ ତଥ୍ୟ ହେଲା ରାଜ୍ୟରେ ଏହି ସମୟ ମଧ୍ୟରେ ବୁଦ୍ଧ ଧର୍ମାବଲମ୍ବିଙ୍କ ସଂଖ୍ୟା ୪୪.୪୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶିଖ ଓ ଜୈନ ଧର୍ମାବଲମ୍ବୀଙ୍କ ସଂଖ୍ୟାରେ ଯଥାକ୍ରମେ ୨୫.୭୨ ଓ ୨.୯୧ ପ୍ରତିଶତ ବୃଦ୍ଧି ଘଟିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ୨୦୧୧ ଜନ ଗଣନା, ଧର୍ମାବଲମ୍ବୀ

ବ୍ରହ୍ମ ରହସ୍ୟ (ଧର୍ମ ଚର୍ଚା )

August 7, 2015 by ନିଉଜ ଡେସ୍କ Leave a Comment

ସୁଦର୍ଶନ ସାହୁ

ତେତିଶକୋଟି ଦେବତାଙ୍କ ମଧ୍ୟରେ ବ୍ରହ୍ମ ସେବା କେଉଁଠି ନାହିଁ । ଅଛି କେବଳ ସେମାନଙ୍କର ସ୍ରଷ୍ଠା ଓ ମାଲିକ ଶ୍ରୀଜଗନ୍ନାଥଙ୍କର ।

ବ୍ରହ୍ମଜ୍ଞାନ ଦେବା ନିମନ୍ତେ ଭଗବାନ ବ୍ୟାସଦେବ ‘ବ୍ରହ୍ମସୂତ୍ର’ ରେ ପ୍ରଥମ ପ୍ରସଙ୍ଗ କହିଛନ୍ତି,’ଅଥତୋ ବ୍ରହ୍ମ ଜିଜ୍ଞାସା’, ‘ବ୍ରହ୍ମ’ ର ଅର୍ଥ ହେଉଛି ବୃଦ୍ଧତମ, ବୃହତ୍ତମ, ଦୀର୍ଘତମ, ବିଶାଳତମ, ପ୍ରାଚୀନତମ, ସୂକ୍ଷ୍ମତମ ଆଦି ସମସ୍ତ ଚରମ ଓ ଅନ୍ତିମ ଭାବୋଦ୍ଦୀପକ ତତ୍ତ୍ଵ ।

ଶ୍ରୀଜଗନ୍ନାଥଙ୍କ ଲୀଳା ମାଧୁର୍ଯ୍ୟର ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ହେଉଛି ସ୍କନ୍ଧପୁରାଣ । ଏହାର ଉତ୍କଳଖଣ୍ଡ ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ‘ତସ୍ମାଦ୍ଦାରୁମୟଂ ବ୍ରହ୍ମ ବେଦାନ୍ତେଷୁ ପ୍ରଗୀୟତେ’ । ସେହି ଦାରୁମୟ ବ୍ରହ୍ମଙ୍କ ତତ୍ତ୍ଵ ବେଦାନ୍ତ (ଉପନିଷଦ) ମାନଙ୍କରେ ଗାୟନ କରାଯାଇଛି।

ପୁରାଣମାନଙ୍କରେ ଦାରୁବ୍ରହ୍ମଙ୍କର ଲୀଳା ବର୍ଣ୍ଣନା କରାଯାଇଛି; ମାତ୍ର ତତ୍ତ୍ଵିକ ରହସ୍ୟ ସବୁ ଉପନିଷଦମାନଙ୍କରେ ଗାୟନ କରାଯାଇଛି । ଆତ୍ମା ଶରୀର ତ୍ୟାଗ କଲେ ଶରୀର ଜେଭଳି ମୂଲ୍ୟହୀନ ହୋଇ ମାଟି, ପାଣି, ପବନ, ଅଗ୍ନି ଓ ଆକାଶରେ ମିଶିଯାଏ, ସେହିଭଳି ବେଦାନ୍ତ ବିନା ପୁରାଣମାନଙ୍କର ଅବସ୍ଥା। ପ୍ରାଚୀନ ଯୁଗରେ ବ୍ରହ୍ମ ନିର୍ବାଣ ଲାଭ କରିଥିବା ମୁନିଋଷିମାନଙ୍କର ସ୍ଵ ସ୍ଵ ଅନୁଭୂତିରେ ଲିପିମାଳା ହେଉଛନ୍ତି ବେଦର ଅନ୍ତିମ ଭାଗ ଜ୍ଞାନ, କାଣ୍ଡ ବା ବେଦାନ୍ତ,ଯାହା କେବଳ ବ୍ରହ୍ମଙ୍କର ବ୍ୟାଖ୍ୟାନ ।

ସର୍ବବେଦାନ୍ତ ସାର ଗ୍ରନ୍ଥ ହେଉଛି ଶ୍ରୀମଦ୍ଭାଗବତମ୍ । ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ୩୦ ରୁ ୩୩ ଶ୍ଳୋକମାନଙ୍କର ମର୍ମ ହେଉଛି, ‘ଚିନ୍ମୟ ଭଗବାନଙ୍କର କୌଣସି ରୂପ ନାହିଁ । ଜୀବମାନଙ୍କ ମଧ୍ୟରେ ବିଶ୍ଵାସ ଜନ୍ମାଇବା ପାଇଁ ମହତ୍ ଆଦି ତତ୍ତ୍ଵ ମାନଙ୍କ ସାହାଯ୍ୟରେ ମାୟା ଗୁଣରେ ଅବତାର ରୂପମାନ ଗ୍ରହଣ କରିଥାନ୍ତି।

ଯେପରି ରୂପହୀନ ଆକାଶ ମେଘଦ୍ଵାରା ଆଚ୍ଛାନ୍ନ ହୋଇ ମେଘୁଆ ହୁଏ ବା ପବନରେ ଧୁଳି ଯୁକ୍ତ ହୋଇ ଧୂଳିର ରୂପ ଗ୍ରହଣ କରେ, ସେହିପରି ଆରୂପ ଭଗବାନ ଅଳ୍ପ ବୁଦ୍ଧି ଲୋକମନଙ୍କ ଆଖିରେ ସ୍ଥୂଳ ରୂପରେ ଦୃଶ୍ୟମାନ ହୁଅନ୍ତି ।

ଏହି ସ୍ଥୂଳ ରୂପ ବ୍ୟତୀତ ଆଉ ଏକ ସୂକ୍ଷ୍ମ ରୂପ ଅଛି, ଯାହାକୁ କେହି ଦେଖିପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ସେହି ଅବ୍ୟକ୍ତ ତତ୍ତ୍ଵ ଯୋଗୁଁ ଜୀବ ସଂସାରରେ ବାରମ୍ବାର ଜନ୍ମ ଗ୍ରହଣ କରେ । ଯେତେବେଳେ ମନୁଷ୍ୟ ନିଜର ସାଧନା ଲବ୍ଧ ଜ୍ଞାନ ବଳରେ ଏହି ସ୍ଥୂଳ ଓ ସୂକ୍ଷ୍ମ ରୂପର ଆତ୍ମା ସହିତ କୌଣସି ସମ୍ପର୍କ ନାହିଁ ବୋଲି ଅନୁଭବ କରେ ସେତେବେଳେ ତା’ର ପ୍ରକୃତ ଜ୍ଞାନ ଲାଭ ହୁଏ ।’

ଶ୍ଵେତାଶ୍ଵତର ଉପନିଷଦ କହନ୍ତି, ‘ନ ସଂଦୃଶେ ତିଷ୍ଠତି ରୂପମସ୍ୟ ନ ଚକ୍ଷୁଷା ପଶ୍ୟତି କଶ୍ଚନୈନମ ମନୀଷା ମନସାଭିକ୍ଲୃପ୍ତୋ ୟେସ୍ତଦ୍ ବିଦୁରମୃତାସ୍ତେ ଭବନ୍ତି’- ଚକ୍ଷୁରେ ଦେଖିବା ଭଳି ଏହାଙ୍କର ରୂପ ନାହିଁ, ଏହାଙ୍କୁ ଚକ୍ଷୁରେ କେବେ କେହି ଦେଖିପାରନ୍ତି ନାହିଁ। ହୃଦୟ, ମନ ଓ ଚିତ୍ତ ତାଙ୍କ ଭିତରେ ଦ୍ରବୀଭୂତ ହେଲେ ସେ ପ୍ରତିଭାତ ହୁଅନ୍ତି ; ଏହା ଯେ ଅନୁଭବ କରେ ସେ ଅମୃତ ସ୍ୱରୂପ ହୋଇଯାଏ ।

କଥା ଉପନିଷଦର ନଚିକେତା ଉପାଖ୍ୟାନ ସମଗ୍ର ମାନବ ଜାତିର ଅଧ୍ୟାତ୍ମ ଚେତନାକୁ ଅତିକ୍ରମ କରୁଛି । ନଚିକେତାଙ୍କ ପିତା ତାଙ୍କୁ ଯଜ୍ଞପରେ ଦାନ ସ୍ୱରୂପ ଯମଙ୍କୁ ଦେଇଛନ୍ତି ବୋଲି କହିବାରୁ ସେ ଯମପୁରୀରେ ପହଞ୍ଚି ଯମଙ୍କ ଅନୁପସ୍ଥିତିରେ ତିନିଦିନ ଦୁଆର ମୁହଁରେ ନଖାଇ ନପିଇ ଦଣ୍ଡାୟମାନ ରହିଲେ । ଯମ ପହଞ୍ଚି କ୍ଷମା ପାର୍ଥନା କରି ତାଙ୍କୁ ତିନିଗୋଟି ବର ଦେବାକୁ କହିଲେ ।

ପ୍ରଥମ ବାର ସ୍ୱରୂପ ନଚିକେତା ନିଜ ପିତାଙ୍କ ଯଜ୍ଞ ସଫଳ ହେବା, ଦ୍ଵିତୀୟ ବାର ସ୍ୱରୂପ ଯଜ୍ଞର ସ୍ଵର୍ଗ ଲାଭ ପଦ୍ଧତି ଓ ତୃତୀୟ ବର ସ୍ୱରୂପ ବ୍ରହ୍ମଙ୍କ ପରିଚୟ ମାଗିଲେ । ଯମ ତୃତୀୟ ବର ନିମନ୍ତେ ବ୍ରହ୍ମଙ୍କ ଜିଜ୍ଞାସା ପ୍ରଶ୍ନ ଛାଡି ସାରା ବ୍ରହ୍ମାଣ୍ଡର ସମ୍ରାଟ ହୋଇ ଚିରକାଳ ରହିବାର ବର ଦେଲେ ମଧ୍ୟ ନଚିକେତା ତାହା ପ୍ରତ୍ୟାଖ୍ୟାନ କରି କେବଳ ବ୍ରହ୍ମ ଜିଜ୍ଞାସାରେ ଅଟଳ ରହିଲେ ।

ବ୍ରହ୍ମ ଜ୍ଞାନର ଉପଯୁକ୍ତ ପାତ୍ର ମନେକରି ଯମ ତାଙ୍କୁ ବ୍ରହ୍ମଙ୍କର ପରିଚୟ ଦେଇଥିଲେ: ‘ଓଁ କାର ଅକ୍ଷର ହିଁ ବ୍ରହ୍ମ, ଓଁ କାର ଅକ୍ଷର ହିଁ ପରମ । ଯେ ଏହି ଓଁ କାରଙ୍କୁ ଜାଣିପାରେ, ସେ ଯାହା ଚାହେଁ ତାହା ପ୍ରାପ୍ତ ହୋଇଯାଏ । ଶ୍ରେଷ୍ଠ ସ୍ୱରୂପ ଓଁ କାରଙ୍କୁ ଓ ପରମ ସ୍ୱରୂପ ଓଁ କାରଙ୍କୁ ସେ ଅବଲମ୍ବନ କରେ ଓ ତାଙ୍କ ସମ୍ପର୍କରେ ଜ୍ଞାନ ଲାଭ କରେ , ସେ ବ୍ରହ୍ମ ଲୋକରେ ମହୀୟାନ ହୁଏ ।’ ଅନୁରୂପ ଶୋଳ୍କମାନ ଗୀତା ଅକ୍ଷର ବ୍ରହ୍ମ ଯୋଗରେ ମହୀୟାନ ଅଛି।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଁ କାର । ସଂପୂର୍ଣ୍ଣ ମାଣ୍ଡୂକ୍ୟ ଉପନିଷଦ ହେଉଛି ଓଁ କାର ତତ୍ତ୍ଵର ବ୍ୟାଖ୍ୟାନ । ଦ୍ଵିତୀୟ ମନ୍ତ୍ର ହେଉଛି,’ସର୍ବଂ ହି ଏତଦ ବ୍ରହ୍ମ ଅୟମାତ୍ମା ବ୍ରହ୍ମ ସୋୟମାତ୍ମା ଚତୁଷ୍ପାତ’- ଏ ଅଖିଳ ବ୍ରହ୍ମାଣ୍ଡ ହେଉଛି ବ୍ରହ୍ମ, ଏହି ଆତ୍ମା ହେଉଛି ବ୍ରହ୍ମ ଏବଂ ଆତ୍ମା ହେଉଛି ଚାରିପାଦ ବାଲା ।

ଅଷ୍ଟମ ମନ୍ତ୍ର କହନ୍ତି, ସୋୟମାତ୍ମାଧ୍ୟକ୍ଷରମୋଙ୍କାରଅଧିମାତ୍ର ପାଦାମାତ୍ରା ମାତ୍ରଶ୍ଚ ପାଦା ‘ଅ’ କାର, ‘ଉ’ କାର, ‘ମ’ କାର ଇତି– ଓଁ କାର ହେଉଛନ୍ତି ତିନି ମାତ୍ରା ‘ଅ’, ‘ଉ’, ‘ମ’ । ‘ଅ’ ହେଉଛି ସମଗ୍ର ଜାଗରିତ ବିଶ୍ଵ ବ୍ରହ୍ମାଣ୍ଡ, ‘ଉ’ ହେଉଛି ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି ପୂର୍ବରୁ ସ୍ଵପ୍ନ ସ୍ୱରୂପ ହିରଣ୍ୟ ଗର୍ଭ ରୂପ ଏବଂ ‘ମ’ ହେଉଛି ସୁଷୁପ୍ତି ଅର୍ଥାତ ପରମ ତତ୍ତ୍ଵ ମଧ୍ୟକୁ ହିରଣ୍ୟଗର୍ଭଙ୍କ ପ୍ରତ୍ୟାବର୍ତ୍ତନ ଅବସ୍ଥା ।

ଚାରିପାଦବାଲା ଆତ୍ମାଙ୍କର ଚତୁର୍ଥ ପାଦ ହେଉଛି ମାତ୍ରା ରହିତ ତୁରୀୟ ତତ୍ତ୍ଵ ବ୍ରହ୍ମ ଯାହାର କି ରୂପ, କଳ୍ପ, ଆକାର ପ୍ରକାର ଅବା କୋଣସି ଚେତନା ବା ଜ୍ଞାନ ସମ୍ପନ୍ନତା କିଛି ନାହିଁ। ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହରେ ଏ ସମସ୍ତ ଲକ୍ଷଣ ଅଛି । ଶ୍ରୀବିଗ୍ରହ ହେଉଛନ୍ତି ବେଦାନ୍ତ ତତ୍ତ୍ଵର ରୂପାୟନ । ମହୋଦଧିରୂ ଦାରୁ ଉଦ୍ଧାର କରି ଇନ୍ଦ୍ରଦ୍ୟୁମ୍ନ କିଭଳି ବିଗ୍ରହ ନିର୍ମାଣ ହେବ ପ୍ରଶ୍ନ କରିଥିଲେ ।

ନାରଦ ଉତ୍ତର ଦେଇଥିଲେ,’ଭଗବାନଙ୍କ ମୃର୍ତ୍ତିର ଅନ୍ତନାହିଁ, ଚେଷ୍ଟା କଲେ ମଧ୍ୟ ଅଗୋଚର’ । ସେତେବେଳେ ଶୂନ୍ୟ ବାଣୀ ହେଲା, ‘ଶୂନ୍ୟାୟାଂ ଜଗତମୀଶ ସ୍ଵେଚ୍ଛାୟାବତରିଷ୍ୟତି- ଶୂନ୍ୟରୁ ଜଗଦୀଶ୍ଵର ତାଙ୍କ ଇଚ୍ଛାରେ ଅବତୀର୍ଣ୍ଣ ହେବେ । ଏହାପରେ ପରମାତ୍ମା ଏକ ମହାରଣା ବେଶରେ ଆବିର୍ଭୂତ ହୋଇଥିଲେ। ତାଙ୍କ ରୂପ କଳ୍ପର ଅନ୍ତ ନଥିବାରୁ ତାଙ୍କୁ ପୁରାଣରେ ‘ଅନନ୍ତ ମହାରଣା’ କୁହାଯାଇଛି ।

ବୃହଦାରଣ୍ୟକ ଉପନିଷଦ ୨ୟ ଅଧ୍ୟାୟ ତୃତୀୟ ବ୍ରହ୍ମାଣ୍ଡରେ ତାଙ୍କ ରୂପର ଅନ୍ତ ନାହିଁ ବୋଲି ‘ନେତ ନେତି'(ନଇତ ନଇତି) କୁହାଯାଇଛି। ବ୍ରହ୍ମର ଏକ ଅର୍ଥ ବୃଦ୍ଧତମ । ଯେଉଁ ଶରୀର ଧାରଣ କରି ଅନନ୍ତ ମହାରଣା ଆସିଥିଲେ ତାହା ଅଣ୍ଟା ନଇଁ ଯାଇଥିବା ଜୀର୍ଣ୍ଣ ଶୀର୍ଣ୍ଣ ମରଣୋନ୍ମୁଖୀ ଥିଲା, ଯେଉଁଥିପାଇଁ ରୁଦ୍ଧ ମନ୍ଦିରରେ ପନ୍ଦର ଦିନ ଅନ୍ତେ ଶବ୍ଦ ବନ୍ଦ ହେବାରୁ ରାଣୀ ଗୁଣ୍ଡିଚା ତାଙ୍କ ମୃତ୍ୟୁ ଆଶଙ୍କା କରିଥିଲେ।

ମନ୍ଦିର ଖୋଲାଯିବା ପରେ ଅନନ୍ତ ମହାରଣାଙ୍କ ଅନ୍ତର୍ଦ୍ଧାନ କଥା ପୁରାଣରେ ବର୍ଣ୍ଣିତ ଅଛି । ମାତ୍ର ବିଗ୍ରହରେ ବ୍ରହ୍ମ ରନ୍ଧ୍ର ଖୋଲି ତନ୍ମଧ୍ୟରେ ପ୍ରବେଶ କରିଛନ୍ତି ବୋଲି ଐତରେୟ ଉପନିଷଦରେ ମଣିଷ ଶରୀର ରଚନା ତତ୍ତ୍ଵରେ ସୂଚନା ଅଛି-‘ସ ଏତମେବ ସୀମାକଂ ବିଦାଯ୍ୟୈତୟ ଦ୍ଵାରା ପ୍ରାପଦ୍ୟତେ ।

ସମସ୍ତ ପୁରାଣ ଶାସ୍ତ୍ର ଗ୍ରନ୍ଥରେ ଜଗଦୀଶ୍ଵର ଅନାଦି ଅନନ୍ତ ଅଣାକାର ଅଣାଧାର ଅଦୃଷ୍ଟ ଅଚିନ୍ତ୍ୟ ଆବିଜ୍ଞେୟ ଅପ୍ରମେୟ ଅପ୍ରତର୍କ୍ୟ ଅପ୍ରଜ୍ଞାତ ଅଖଣ୍ଡମଣ୍ଡଳାକାର ରୂପେ ବର୍ଣ୍ଣିତ ଥିବା ବେଳେ ରତ୍ନ ସିଂହାସନରେ ଏ ଦାରୁ ବିଗ୍ରହ କିଏ ଯାହାକୁ ଅନନ୍ତ ମହାରଣା ନିର୍ମାଣ କରିଛନ୍ତି ?

ଉତ୍ତର ହେଉଛି, ଓଁ କାର ବ୍ରହ୍ମ ସ୍ୱରୂପଙ୍କ ତିନି ପାଦ ମଧ୍ୟରୁ ପ୍ରଥମ ପାଦ ହେଉଛି ଅ ( (ମାଣ୍ଡୁକ୍ୟ ଉପନିଷଦ-ତୃତୀୟ ମନ୍ତ୍ର), ଯାହା ହେଉଛି ଜାଗରିତ ସ୍ଥାନ ଦୃଶ୍ୟମାନ ବିଶ୍ଵବ୍ରହ୍ମାଣ୍ଡ । ଏହାକୁ ଶ୍ରୀମଦ୍ଭାଗବତ ଅଷ୍ଟମ ସ୍କନ୍ଦରେ ଓଡିଆ ନବାକ୍ଷରୀ ଛନ୍ଦରେ ଲେଖାଯାଇଛି-‘ଗଗନ ସମୀରଣ ଜ୍ୟୋତି,ଯେ ଅବା ସଲିଳ ଧରିତ୍ରୀ । ନଦୀ ସରିତ ତରୁ ଗଣ, ପର୍ବତ ସ୍ଥାବର ଜଙ୍ଗମ । କୁଣ୍ଡଳ ଶଶୀ ଦିନକର, ନକ୍ଷତ୍ର ମାଳ ହୃଦେହାର ।

ବ୍ରହ୍ମାଣ୍ଡ ମାଳମାଳ ହୋଇ, ତୋ ଲୋମ ମୂଳେ ବିରାଜାଇ । ନମସ୍ତେ ପ୍ରଭୁ ଜଗନ୍ନାଥ,ତୋର ଶରୀର ଏ ଜଗତ ।’ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ବୋଲି ଆମେ ଯାହା କହୁଛୁ, ସେ ଦାରୁ ଶରୀର ହେଉଛି ସମଗ୍ର ଦୃଶ୍ୟମାନ ଅନାଦି ଅନନ୍ତ ବିଶ୍ଵ ବ୍ରହ୍ମାଣ୍ଡ । ମହୋଦଧି ତଟରୁ ପ୍ରାପ୍ତ ଦାରୁ ଥିଲେ, ‘ଉର୍ଦ୍ଧ୍ଵମୂଳଂ ଅଧଃଶାଖମଶ୍ଚତଥଂ ପ୍ରାହୁରବ୍ୟାୟମ’ (ଗୀତା-୧୫:୧)-ସେହି ଅଧ୍ୟାୟ ପରମାତ୍ମାଙ୍କ ଦାରୁ ରୂପ ହେଉଛି ଉର୍ଦ୍ଧ୍ଵକୁ ମୂଳ ଓ ନିମ୍ନକୁ ଶାଖାପ୍ରଶାଖାମାନ ।

ଏହି ମନ୍ତ୍ର କଠ ଉପନିଷଦ ତଥା ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ ଅଛି। ପରେମେଶ୍ଵର ହେଉଛନ୍ତି ଆଦିମୂଳ ଏବଂ ସେ ଉର୍ଦ୍ଧ୍ଵରେ ଅଛନ୍ତି । ଓଁ କାର ସ୍ୱରୂପଙ୍କ ଦ୍ଵିତୀୟ ପାଦ ଉ ଏବଂ ତୃତୀୟ ପାଦ ହେଉଛି ମ (ଏହି ଦୁଇ ମାତ୍ରାଙ୍କ ବୋଧଗମ୍ୟତା ଏ ସଂକ୍ଷିପ୍ତ ପ୍ରବନ୍ଧରେ ସର୍ବାଦୌ ଦୁରୁହ ବ୍ୟାପାର) ।

ତେବେ ତତ୍ତ୍ଵଜ୍ଞାନୀ ପୁରୁଷମାନେ ଶ୍ରୀବିଗ୍ରହଙ୍କୁ ଦର୍ଶନ ବେଳେ ଓଁ କାର ସ୍ୱରୂପଙ୍କୁ ଜ୍ଞାନ ଚକ୍ଷୁରେ ଦେଖିପାରନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମ ଦର୍ଶନରେ ଉଚ୍ଚାରଣ କରିଥିଲେ, ‘ବିଜ୍ଞାନମୟ ଆତ୍ମା’ ! ଏହାର ଅର୍ଥ ହେଉଛି ଆତ୍ମା(ବ୍ରହ୍ମ) ନିଜକୁ ମଣିଷ ଚକ୍ଷୁ ସାମନାରେ ପଞ୍ଚଭୂତୀୟ ବିଜ୍ଞପ୍ତି କରିଛନ୍ତି ।

ଚଳିତ ମହା ଅଣସର କାଳରେ ଅଣବାଡଗ୍ରାହୀ ସେବକମାନଙ୍କ ବ୍ରହ୍ମ ଦର୍ଶନ ଉତ୍କଣ୍ଠା ସାରା ସନାତନ ଜଗତକୁ ହତଚକିତ କରିଛି । ଇଣ୍ଟରନେଟ ରେ ବ୍ରହ୍ମଙ୍କ ଛବି ପ୍ରସାରିତ ହେଉଛି- ହଳଦିଆ କପଡା ଉପରେ କଳାରଙ୍ଗର ବସ୍ତୁରୁ ବୃତ୍ତାକାର ନିଲାଜୟତି ବିଚ୍ଛୁରଣ ତଥା ନିମ୍ନରେ ହଳଦିଆ ଆଲୁଅ ବାହାରୁଛି ।

ବ୍ରହ୍ମଙ୍କର ଏରୂପ ବର୍ଣ୍ଣନା କୌଣସି ଶାସ୍ତ୍ର ଗ୍ରନ୍ଥରେ ନାହିଁ । ନକଲି ଛବି ପ୍ରସ୍ତୁତକାରୀ ଭୁଲି ଯାଇଛନ୍ତି ଯେ, ଖଟୁଲି ଉପରେ ରୂପାଗିନାରେ ବ୍ରହ୍ମ ପଦାର୍ଥଙ୍କୁ ରଖାଯାଇଛି। ଛବିରେ ଏସବୁ ନାହିଁ ।

ବ୍ରହ୍ମ କ’ଣ ଏକ ଛୁଇଁହେବା ଦେଖିହେବା ଭଳି ପଦାର୍ଥ ? କେନ ଉପନିଷଦ(୧:୩) କହନ୍ତି, ‘ନତତ୍ର ଚକ୍ଷୁର୍ଗଚ୍ଛତି ନ ମନୋ ନ ବିଦ୍ମୋ ନ ବିଦାକିମୋ’- ତାଙ୍କ ନିକଟରେ ଚକ୍ଷୁ ପହଞ୍ଚିପାରେ ନାହିଁ, ବାକ୍ ଶକ୍ତି ପହଞ୍ଚିପାରେ ନାହିଁ, ମନ ବା ବୁଦ୍ଧି ଅବା ଜ୍ଞାନ କେହି ପହଞ୍ଚିପାରେ ନାହିଁ । ସେ ଚକ୍ଷୁ, ଚର୍ମ, ମନ, ବୁଦ୍ଧି, ବାକ୍ୟ ଓ ଜ୍ଞାନର ଅଗୋଚର । ସମସ୍ତ ବେଦାନ୍ତ ଶାସ୍ତ୍ରଗଣ ସମସ୍ଵରରେ ଏକଥା କହନ୍ତି ।

ଶ୍ଵେତାଶ୍ଵତର ଉପନିଷଦ ଏକଥା କହନ୍ତି,’ତଦ୍ ବେଦ ଗୁହ୍ୟ ଉପନିଷତଷ୍ପୁ ଗୂଢଂ ତଦ୍ ବ୍ରହ୍ମା ବେଦତେ ବ୍ରହ୍ମା ଯୋନିଂ’– ବେଦମାନଙ୍କର ଗୋପନୀୟ ଗୂଢତମ ତତ୍ତ୍ଵ ଉପନିଷଦମାନଙ୍କରେ ଛପି ରହିଛନ୍ତି । ବ୍ରହ୍ମା ଜାଣନ୍ତି ଯେ ବ୍ରହ୍ମଙ୍କର ଉତ୍ପତ୍ତି ଉପନିଷଦ ମନ୍ତ୍ର ମାନଙ୍କ ମଧ୍ୟରୁ ।

ବ୍ରହ୍ମ ସଗୁଣ ଓ ନିର୍ଗୁଣ- ଏ ଦୁଇ ପ୍ରକାର । ନିର୍ଗୁଣ ହେଉଛନ୍ତୁ ଅରୂପ ନିରାକାର । ସଗୁଣ ହେଉଛନ୍ତି ସତ୍ତ୍ଵ, ରଜ ଓ ତମ ଗୁଣର ସମାହାରରୁ ସ୍ପଷ୍ଟ ଦୃଶ୍ୟମାନ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ- ପଞ୍ଚଭୂତୀୟ ପଦାର୍ଥ ।

ସଗୁଣ ବ୍ରହ୍ମ ହେଉଛନ୍ତି ଆକାଶ, ମାଟି, ପାଣି, ପବନ, ଗୋଡି, ମାଟି ଅବା ପଥର ଇତ୍ୟାଦି । ଯାହାକୁ ଦେଖି ହେଉଛି, ଛୁଇଁ ହେଉଛି ସେ ହେଉଛନ୍ତି ସଗୁଣ ବ୍ରହ୍ମ । ମଣିଷ ଭିତରେ ଆତ୍ମା ଯେମିତି, ଜଗନ୍ନାଥଙ୍କ ମଧ୍ୟରେ ବ୍ରହ୍ମ ସେମିତି । ଛୁଇଁବ କେମିତି, ଦେଖିବ କେମିତି ?

ଅନନ୍ତ କୋଟି ବିଶ୍ଵ ବ୍ରହ୍ମାଣ୍ଡକୁ ଧାରଣ କରିଥିବା ନିରାକାର ବ୍ରହ୍ମଙ୍କୁ ଯଦି ଖଟୁଳିରେ ଦେଖିବା, ଛୁଇଁବା ସମ୍ଭବପର, ତେବେ ସମସ୍ତ ବେଦାନ୍ତ ଗୁଡିକୁ ସମୁଦ୍ରରେ ଫିଙ୍ଗିଦିଆଯିବ ଅବା ମାଟିରେ ପୋଟୋଇ ଦିଆଯିବ ଓ ସ୍କନ୍ଦ ପୁରାଣରୁ “ବେଦାନ୍ତେଷୁ ପ୍ରଚୀୟତେ” ଧାଡିଟି କାଟି ଦେବାକୁ ହେବା।

କଳିଯୁଗର ଅଜ୍ଞ ମଣିଷମାନେ ବେଦାନ୍ତ ତତ୍ତ୍ଵ ଗୁଡିକୁ ବୁଝିବାକୁ ସମର୍ଥ ହେବେ ନାହିଁ ବୋଲି ଶ୍ଵେତଶ୍ଵତର ଉପନିଷଦ (୬:୨୨) କହିଛନ୍ତି । ‘ବେଦାନ୍ତେ ପରମ ଗୁହ୍ୟଂ ପୁରାକଳ୍ପେ ପ୍ରଚେଦିତମ୍ , ନାପ୍ରଶାନ୍ତାୟ ଦାତବ୍ୟଂ ନାପୁତ୍ରାୟାଶିଷ୍ୟାୟ ବା ପୁନଃ’- ପ୍ରାଚୀନ କାଳରେ ରଚିତ ବେଦାନ୍ତରେ ପରମ ଗୋପନୀୟ ତତ୍ତ୍ଵ ଗୁଡିକ କାମ, କ୍ରୋଧ, ଲୋଭ, ମୋହରୁ, ପ୍ରଶାନ୍ତ ହୋଇଥିବା ବ୍ୟକ୍ତିକୁ ଆବ ଯେ ପୁତ୍ର ନୁହେଁ ବା ଶିଷ୍ୟ ନୁହେଁ ତାକୁ ଦେବ ନାହିଁ ।

ଏ ପ୍ରକାର ଉପଦେଶ ଶ୍ରୀମଦ୍ଭାଗବତ (୩:୩୨:୩୯ ଓ ୪୦), ମୁଣ୍ଡକ ଉପନିଷଦ (୧:୨:୧୩) ଛାନ୍ଦୋଗ୍ୟ ଉପନିଷଦ (୩:୧୧:୫ ଓ ୬) ତଥା ହରିବଂଶ ପୁରାଣ ଓ ଅନ୍ୟ ଗ୍ରନ୍ଥମାନଙ୍କରେ ଦିଆଯାଇଛି। ବ୍ରହ୍ମ ପରିବର୍ତ୍ତନ ମହାବିଭ୍ରାଟରୁ ସ୍ପଷ୍ଟ ହୋଇଛି, ହୁଏତ ଜଗଦୀଶ୍ଵର କରୁଣା କରି ପାରନ୍ତି ସେମାନଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବା ପାଇଁ- “ଯମୈବୈଷ ବୃଣୁତେ ତେନ ଲଭ୍ୟଃ”- ଯାହାଙ୍କୁ ସେ କରୁଣା କରନ୍ତି ସେ ଏ ଜ୍ଞାନ ଲାଭ କରନ୍ତି । ସେ ହିଁ ବ୍ରହ୍ମ ରହସ୍ୟ ଭେଦ କରନ୍ତି।

ସେକ୍ଟର-୨, ନୀଳାଦ୍ରି ବିହାର, ଭୁବନେଶ୍ଵର
Email: upanishad 48 @ gmail.com Mobile No- 9040501805

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ବ୍ରହ୍ମ ସେବା, ସୁଦର୍ଶନ ସାହୁ

ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

July 27, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୨୭ ଜୁଲାଇ (ଓଡିଶା ଡଟ୍ କମ୍): ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ପର୍ବରେ ସୋମବାର ନବ ନିର୍ମିତ ଶ୍ରୀବିଗ୍ରହମାନଙ୍କ ରଥ ଉପରେ ପ୍ରଥମ ସୁନାବେଶର ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଅଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ସୁନାବେଶ କରାଯାଏ। ଏଥିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରି ସିଂହଦ୍ଵାର ସମ୍ମୁଖରେ ଉପସ୍ଥିତ ଥିବା ରଥାରୁଢ ଶ୍ରୀଜିଉମାନଙ୍କର ବିଧିମୁତାବକ ନୀତିକାନ୍ତି ପାଳନ ପରେ ବିଗ୍ରହମାନଙ୍କୁ ସୁନା ଅଳଙ୍କାରରେ ଆଭୂଷିତ କରାଯାଏ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ଵାରା କରାଯାଇଥିବା ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ହିଁ ଅପରାହ୍ନ ପ୍ରାୟ ୪ଟାରେ ମହାପ୍ରଭୁମାନଙ୍କର ସୁନାବେଶ ସମ୍ପର୍କିତ ବିଭିନ୍ନ ନୀତିକାନ୍ତି ଆରମ୍ଭ କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କର ସୁନାବେଶ ।

ପୁଷ୍ପାଳକ, ଖୁଣ୍ଟିଆ, ଇତାପତି, ତଳୁଚ୍ଛ ଓ ଭିତରଚ୍ଛ ସେବାୟତମାନେ ଶ୍ରୀଜୀଉ ମାନଙ୍କୁ ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, ଓଡିଆଣି, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ ଯାଉଁଳି, ବଳା, ବାହୁଟି ଓ କଟି ମେଖଳା ଆଦି ୧୩୮ ପ୍ରକାରର ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଅଳଙ୍କାର, ଆଭୂଷଣ ଓ ଆୟୂଧରେ ସୁସଜ୍ଜିତ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ସନ୍ଧ୍ୟା ପରେ ଭକ୍ତମାନଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇଥିଲା ।

ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଏହି ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ ରଥ ଚାରିପଟେ ସ୍ଥାନୀୟ ପ୍ରଶାସନ ବ୍ୟାରିକେଡ଼ର ବ୍ୟବସ୍ଥା କରିଛି । ରଥ ନିକଟକୁ ଭକ୍ତମାନଙ୍କୁ ଏକ ପ୍ରବେଶ ପଥ ଦେଇ ଧାଡିକରି ଛଡ଼ାଯାଇଥିବା ବେଳେ ତଦନୁରୂପ ପ୍ରସ୍ଥାନ ପଥ ଦେଇ ମଧ୍ୟ ଧାଡିମାଧ୍ୟମରେ ବାହାରକୁ ଯିବାର ବନ୍ଦୋବସ୍ତ କରାଯାଇଛି ।

ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ସହରରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ରାପିଡ଼ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରୀୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ କୁ ମଧ୍ୟ ନିୟୋଜିତ କରାଯାଇଛି । ପୁରୀ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ସେହିପରି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହର ଭିତରକୁ ଆସିବା ଓ ଯିବା ପାଇଁ ଦୁଇଟି ବାଇପାସର ବନ୍ଦୋବସ୍ତ କରାଯାଇଛି । ଭକ୍ତମାନଙ୍କ ସୁବିଧା ପାଇଁ ପୁରୀ ବଡଦାଣ୍ଡରେ ଦୁଇ ଚକିଆ ଗାଡି ଚଳାଚଳକୁ ବନ୍ଦ କରାଯାଇଛି।

ବର୍ଷକରେ ପାଞ୍ଚଥର ବିଭିନ୍ନ ସମୟରେ ଶ୍ରୀବିଗ୍ରହ ମାନଙ୍କର ସୁନାବେଶ ହୋଇଥାଏ । ଚାରି ଥର ରତ୍ନ ସିଂହାସନରେ ହେଉଥିବାବେଳେ ଗୋଟିଏ ଥର ରଥ ଉପରେ ଅନୁଷ୍ଠିତ ହୁଏ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ସୁନାବେଶ

ସରକାରୀ ଖର୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ ତୀର୍ଥଭ୍ରମଣର ସୁଯୋଗ

July 23, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୩ ଜୁଲାଇ (ଓଡିଶା ଡଟ୍ କମ୍): ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ସରକାର ସୁଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଛ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସରକାର ଆରମ୍ଭ କରିବାକୁ ଯାଉଥିବା ଏହି ବୟସ୍କ ଲୋକଙ୍କ ତୀର୍ଥଭ୍ରମଣ ଯୋଜନାରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସବୁଧର୍ମର ଲୋକମାନେ ସାମିଲ ହୋଇପାରିବେ ଓ ସେମାନେ ଦେଶ ତଥା ରାଜ୍ୟ ଭିତରେ ଥିବା ବିଭିନ୍ନ ଧର୍ମ ସ୍ଥାନ ମାନକୁ ପରିଦର୍ଶନ ନିମନ୍ତେ ଯାଇପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଆୟକରଦାତା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଏହି ସୁଯୋଗ ମିଳିବ ନାହିଁ ।

ଏହି ଯୋଜନାର ତଦାରଖ ପାଇଁ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ସେଲ ଖୋଲାଯିବାର ନିଷ୍ପତି ନିଆଯାଇଛି । ଏହାର ସୁପରିଚାଳନା କରିବାପାଇଁ ଆଇଆରସିଟିସି ଓ ଓଟିଡ଼ିସି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହେବାର ଯୋଜନା ରହିଥିବା କୁହାଯାଇଛି ।

ଏହି ଯୋଜନା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥସ୍ଥାନ ଭ୍ରମଣ ସମୟରେ ଯାତାୟତ ଖର୍ଚ୍ଚ ଠାରୁ ଆରମ୍ଭକରି, ଖାଦ୍ୟପେୟ, ରହଣି ଓ ସ୍ଥାନ ପରିଭ୍ରମଣର ସମସ୍ତ ଖର୍ଚ୍ଚ ରାଜ୍ୟସରକାର ବହନ କରିବା ସହ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ମାଗଣା ଚିକିତ୍ସା ମଧ୍ୟ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ । ତେବେ ଜଣେ ବ୍ୟକ୍ତି କେବଳ ଥରେ ମାତ୍ର ଏହି ଯାତ୍ରାରେ ସାମିଲ ହେବାର ସୁଯୋଗ ପାଇବେ ।

ଆଗ୍ରହୀ ବ୍ୟକ୍ତିମାନଙ୍କୁ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ କରିବାକୁ ପଡିବ । ସେହିପରି ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପରିବହନ ଓ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ରାଜନୀତି Tagged With: ତୀର୍ଥଭ୍ରମଣ

ନୂଆ ଦିଅଁଙ୍କୁ ରଥରେ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

July 19, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ଜୁଲାଇ ୧୯ (ଓଡିଶା ଡଟ କମ) ଚଳିତ ଶତାବ୍ଦୀର ପ୍ରଥମ ନବ କଳେବର ଯାତ୍ରା ଶନିବାର ପୁରୀରେ ଅନୁଷ୍ଠିତ ହୋଇଥିବା ବେଳେ ତିନି ଠାକୁରଙ୍କୁ ରଥରେ ଦର୍ଶନ କରିଛନ୍ତି ପ୍ରାୟ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ଵ ଭକ୍ତ ଓ ଶ୍ରଦ୍ଧାଳୁ ।

ନିର୍ଦ୍ଧାରିତ ସମୟର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ସମ୍ପନ୍ନ ହୋଇଥିଲା ଶ୍ରୀବିଗ୍ରହଙ୍କର ସମସ୍ତ ରୀତିନୀତି । ତା’ପରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରେ ସୁସଜ୍ଜିତ ହୋଇରହିଥିବା ରଥ ଉପରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡି ପହଣ୍ଡି କରି ଅଣାଯାଇଥିଲା ।

Mumbai-ratha jatra

ନବୀ ମୁମ୍ବାଇର ଖରଘରରେ ଆୟୋଜିତ ରଥ ଯାତ୍ରା
ନବୀ ମୁମ୍ବାଇର ଖରଘରରେ ଆୟୋଜିତ ରଥ ଯାତ୍ରା

ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ରଥାରୂଢ କରାଯିବାପରେ ଶ୍ରୀ ବଳଭଦ୍ରଙ୍କୁ ତାଳଧ୍ଵଜ ରଥରେ, ଦେବୀ ସୁଭଦ୍ରାଙ୍କୁ ଦେବଦଳନ ବା ଦର୍ପଦଳନ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିଜେ କରିଥିଲେ ।

ଅନ୍ୟ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତିଙ୍କ ଦ୍ଵାରା ତିନିରଥର ଛେରା ପହଁରା କରଯାଇ ରଥଟଣା ଆରମ୍ଭ ହୋଇଥିଲା ।ଶ୍ରୀବିଗ୍ରହଙ୍କୁ ରଥାରୂଢ କରାଯିବପରେ ରଥ ସମ୍ମୁଖରେ ବନାଟି ଖେଳ ଓ ଗୋଟିପୁଅ ନୃତ୍ୟର ମନମୁଗ୍ଧକର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ଶ୍ରୀବିଗ୍ରହଙ୍କୁ ନବକଳେବର ବେଶରେ ରଥଉପରେ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଆସିଥିବା ବହୁ ଓଡିଆ ଓ ବିଦେଶୀ ଭକ୍ତ ତିନି ଠାକୁରଙ୍କୁ ରଥ ଉପରେ ଦେଖି ଭାବ ବିହ୍ଵଳ ହୋଇପଡିଥିଲେ ।

ତେବେ ସମସ୍ତ ରୀତିନୀତି ସୁରୁଖୁରୁରେ ସମ୍ପର୍ଣ ହୋଇଥିବା ବେଳେ, ବିଭିନ୍ନ ଅଘଟଣରେ ଦୁଇ ଜଣ ମହିଳାଙ୍କ ସମେତ ଚାରିଜଣଙ୍କ ମୃତ୍ୟୁ ଘଟିଛି । ପହଣ୍ଡି, ଓ ଅନ୍ୟାନ୍ୟ ରୀତିନୀତି ନିର୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଥିଲେ ସୁଦ୍ଧା ବଳଭଦ୍ରଙ୍କ ରଥ ବ୍ୟତୀତ ଅନ୍ୟରଥ ଗୁଣ୍ଡିଚା ମନ୍ଦିରକୁ ପହଞ୍ଚିପାରି ନଥିଲା ।

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଜଣା ଜାଗା ନିକଟରେ ଅଟକି ରହିଛି । ରବିବାର ଏହି ଦୁଇରଥ ପୁଣି ଟଣାଯିବ ।

ରଥଟଣା ସମୟରେ ଅଣନିଶ୍ଵାସୀ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତରୁ ପଡି ପାଞ୍ଚ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଠିକ ସେହି ପରି ଟ୍ରେନରେ କଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ନବ କଳେବର ଯାତ୍ରା

ନବ କଳେବର ଘୋଷ ଯାତ୍ରା ପାଇଁ ପୁରୀ ଲୋକାରଣ୍ୟ

July 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୧୮ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ଘୋଷ ଯାତ୍ରା ଦେଖିବା ପାଇଁ ଶନିବାର ପୁରୀରେ ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଛନ୍ତି ।

ସକାଳୁ ସମସ୍ତ ରୀତି ନୀତି ଆରମ୍ଭ ହୋଇଥିବା ବେଳେ, କୋହଲା ପାଗ ଯୋଗୁଁ ଅପରାହ୍ନ ସୁଦ୍ଧା ଭକ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ଥିବା ଦୃଷ୍ଟିରୁ ପ୍ରଶାନ ଓ ପୁଲିସ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ଦର୍ଶନ ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରାତଃ ସମୟରୁ ଶ୍ରୀମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କର ଚକା ଅପସର,
ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦଶାବତାର ବାହୁଡ଼ା ବିଜେ, ଦଇତାପତି ସର୍ବାଙ୍ଗ ଏବଂ ଜନ୍ମ ବନ୍ଦାପନା ଆଦି ନୀତି ସଂପନ୍ନ ହୋଇସାରିଛି ।

ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ସମୟାନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି ନୂଆ ରୂପରେ ଉଭା ହେବା ପରେ ବଡ ମହାସ୍ନାନ ଶେଷାନ୍ତେ ଖେଚୁଡ଼ି ଭୋଗ ଲାଗି ହେବା ଏବଂ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ଭୋଗମଣ୍ଡପରେ ମଧ୍ୟାହ୍ନ ଧୂପ ଓ ସଂଧ୍ୟାଧୂପ ଆଦି ଶ୍ରୀଜିଉଙ୍କର ନୀତି କରଯାଇଥିଲା ।

ରଥଖଳାକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସିବା ପରେ ରଥକୁ ଦକ୍ଷିଣ ମୋଡ଼ କରଯାଇଥିଲା। ଏହା ପରେ ବଡଦାଣ୍ଡରେ ଘଣ୍ଟ ମୃଦଙ୍ଗ ବଜାଇ ଗୋଟେ ପରେ ଗୋଟେ ତିନି ରଥକୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଟାଣିଟାଣି ନିଆଯାଇଥିଲା।

ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ନେତ୍ରୋତ୍ସବ ଦର୍ଶନ ବାରଣ କରାଯାଇଥିବାରୁ ଭକ୍ତମାନଙ୍କ ନିରାଶ ହୋଇଥିଲେ ତେବେ ତିନି ରଥକୁ ଦେଖି ସେମାନେ ଉଲ୍ଲସିତ ହୋଇଥିଲେ ।

ଯେଉଁ ସେବାୟତମାନେ ଶ୍ରୀଜିଉଙ୍କର ରୀତିନୀତି ସହ ସମ୍ପୃକ୍ତ କେବଳ ସେହି ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବା ସେବାୟତଙ୍କ ପରିବାର ବର୍ଗ ବା

ପ୍ରଶାସନିକ ଅଧିକାରୀମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଏତଦବ୍ୟତୀତ ଶ୍ରୀମନ୍ଦିରର ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ସିସିଟିଭି କ୍ୟାମେରା ଲଗାଇବା ଓ ଏଥିରେ ଉତ୍ତୋଳିତ ଫୁଟେଜକୁ କାର୍ଯ୍ୟକ୍ରମ ଶେଷ ପରେ କୋର୍ଟ ରେ ଦାଖଲ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଶ୍ରୀବିଗ୍ରହଙ୍କର ନବଯୌବନ ଦର୍ଶନ ରୀତିନୀତି ଶେଷ ହୋଇଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ନବକଳେବର ଘୋଷ ଯାତ୍ରା, ପୁରୀ

ଶ୍ରାବଣୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

July 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୭ ଜୁଲାଇ (ଓଡିଶା ଡଟ୍ କମ୍): ୨୦୦୭ ମସିହା ଜୁନ ୨୮ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉଦ୍ଦଘାଟନ ହୋଇଥିବା ଭୁବନେଶ୍ୱରରେ କିଟ୍ ଶ୍ରାବଣୀ କ୍ଷେତ୍ରରେ ମଧ୍ୟ ଚତୁର୍ଦ୍ଧା ମୂର୍ତିଙ୍କର ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇଥିବା ବେଳେ ଶନିବାର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଏଠାରେ ସମସ୍ତ ରୀତିନୀତି ପାଳନ କରାଯାଇ ଥାଏ । ଶୁକ୍ରବାର ଏହି କ୍ଷେତ୍ରରେ ସକାଳ ୬ଟାରେ ଠାକୁରଙ୍କ ଦର୍ଶନ ଆରମ୍ଭ ହେବାପରେ ଶ୍ରୀବିଗ୍ରହଙ୍କର ଆଳତୀ, ଦନ୍ତଘଷା, ମହାସ୍ନାନ ଆଦି ପରେ ଖେଚୁଡ଼ି ଭୋଗ ଲାଗି ଆଦି କରାଯାଇଥିଲା ।

ରଥଖଳାକୁ ଆଜ୍ଞାମାଳ ଆସିବା ପରେ ରଥକୁ ପୂଜା କରି ଦକ୍ଷିଣ ମୋଡ଼ କରଯାଇ ମନ୍ଦିର ସମ୍ମୁଖରେ ରଖାଯାଇଥିବା ମନ୍ଦିର କିଟ ଅଧିକାରୀ କମଳା କାନ୍ତ ରାଉତ କହିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: କିଟ୍, ଶ୍ରାବଣୀ କ୍ଷେତ୍ର

ସୋସିଅଲ ମେଡିଆରେ ପ୍ରସାରିତ ବିବାଦୀୟ ‘ବ୍ରହ୍ମ’ ଛବିକୁ ନେଇ ଏତଲା

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ସୋସିଆଲ ମେଡିଆରେ ପ୍ରସାରିତ ନବ କଳେବର ସମୟର ତଥାକଥିତ ଗୁପ୍ତ ଫଟୋ ସମ୍ପର୍କରେ ତଦନ୍ତ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କ୍ରାଇମ ବ୍ରାଞ୍ଚ ପୁଲିସକୁ ଅନୁରୋଧ କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଆଧାରରେ କ୍ରାଇମ ବ୍ରାଞ୍ଚକୁ ସୋମବାର ଏକ ଚିଠି ଲେଖି ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅନୁରୋଧ କରିଛନ୍ତି ।

ଶ୍ରୀଜୀଉଙ୍କ ଘଟ ପରିବର୍ତ୍ତନ ସମ୍ପର୍କିତ ତଥାକଥିତ ଗୁପ୍ତ ନୀତି ଓ ବ୍ରହ୍ମର ଚିତ୍ର ସୋସିଆଲ ମେଡିଆରେ ପ୍ରସାରିତ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଏହି ଚିତ୍ରଗୁଡ଼ିକୁ ଅସତ୍ୟ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଥିଲେ । ଇଣ୍ଟରନେଟରୁ ପୁରୁଣା ଫଟୋ ଡାଉନଲୋଡ କରି କିଛି ଲୋକ ଏହି ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାର ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଚିଠି ମିଳିବ ପରେ କ୍ରାଇମବ୍ରାଞ୍ଚ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ ବୋଲି କ୍ରାଇମ ବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଧର୍ମ Tagged With: ନବ କଳେବର, ବିବାଦୀୟ ବ୍ରହ୍ମ ଫଟୋ

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ବ୍ୟାପକ ହେଲା ପ୍ରତିବାଦ

June 25, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍) ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବ୍ରହ୍ମପରିବର୍ତ୍ତନ ନୀତିରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଗୁରୁବାର ରାଜ୍ୟବ୍ୟାପୀ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରିଛି ।

ପ୍ରତି ଜିଳ୍ଲାର ସଦର ମହକୁମାରେ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭିଏଚପିର କାର୍ଯ୍ୟ କର୍ତ୍ତା ମାନେ ରାଲି , ପ୍ରତିବାଦ ଶୋଭାଯାତ୍ରା ଓ ସଭା ମାନଙ୍କର ଆୟୋଜନ କରିଥିଲେ । ଭୁବନେଶ୍ଵରରେ ମଧ୍ୟ ପରିଷଦ ଏକ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରିଥିଲା।

DSCN1241 THE MASS DHARANA PROGRAMME THE MASS DHARANAଭିଏଚପିର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶିବ ପ୍ରସାଦ ରାଜୁଙ୍କ ନେତୃତ୍ୱରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ପ୍ରାଣରୂପାନନ୍ଦ ସରସ୍ୱତୀ,ସମୀର ମହାନ୍ତି, ଇଂ ପ୍ରଫୁଲ ମିଶ୍ର, ପ୍ରମୋଦ ଦାଶଙ୍କ ସମେତ ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ସେମାନେ ଏହି ବିଭ୍ରାଟ ଘଟଣାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବା ସହ ସେବାୟତମାନଙ୍କର ପ୍ରଭାବରେ ପରିଚାଳିତ ନ ହୋଇ ପୂଜ୍ୟ ଜଗଦଗୁରୁ ଶଂକରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଚାଲିବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିଲେ ।

ପ୍ରତିବାଦ ସଭାରେ ସ୍ୱାମୀ ଶ୍ରୀରାମ ପ୍ରସନ୍ନ ଦାସ ମହାରାଜ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ସ୍ୱାମୀ ଭାସ୍କରତୀର୍ଥ, ସ୍ୱାଧୀ ଗୀତାଦେବୀ, ଡା. ବସନ୍ତ କୁମାର ପତି, ତନ୍ମୟ ମହାପାତ୍ର, ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଲକ୍ଷ୍ମୀକାନ୍ତ ଦାଶ,ଜୟକୃଷ୍ଣ ପୃଷ୍ଠି, କୈଳାସ ଜେନା,ସମୀର ମହାନ୍ତି,ଡ.ପ୍ରଫୁଲ କୁମାର ରଥ, ଗୁରୁ ଚରଣ ଜେନା ଯୋଗଦେଇ ଏହି ବିଭ୍ରାଟକୁ ନିନ୍ଦା କରିବା ସହିତ ଭବିଷ୍ୟତରେ ଏହାର ଯେପରି ପୁର୍ନରାବୃର୍ତ୍ତି ନହୁଏ ସେଥିପାଇଁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ ।

ସେମାନଙ୍କ ମତରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ଆବେଗ ଓ ବିଶ୍ୱାସ ଉପରେ ଏହି ବିଭ୍ରାଟ ଏକ ଶକ୍ତ କୁଠାରଘାତ । ଏହି ଘଟଣା ଯେତିକି ମାତ୍ରାରେ ହିନ୍ଦୁ ସମାଜକୁ ଲଜ୍ଜିତ କରାଇଛି ତାଠାରୁ ଅଧିକ ମାତ୍ରାରେ ବିଶ୍ୱ ଦରବାରରେ ଓଡିଶାବାସୀଙ୍କୁ ଅପମାନିତ କରିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବିଭ୍ରାଟକୁ ବିରୋଧ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଶୁକ୍ରବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ଜୁନ ୩୦ରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭାର ଆୟୋଜନ କରିବ ବୋଲି କହିଛି ।

ଅନ୍ୟ ପକ୍ଷରେ ବ୍ରହ୍ମ ପରିବର୍ତ୍ତନରେ କୌଣସି ବିଶୃଙ୍ଖଳା ହୋଇନ ଥିବା ଦର୍ଶାଇ ଶ୍ରୀଜିଉମାନଙ୍କ ତିନି ବାଡ଼ଗ୍ରାହୀ ଏହାକୁ ଭୁଲିଯିବା ପାଇଁ ଅନୁରୋଧ କରିଛନ୍ତି। ଅଯଥାରେ ଏହାକୁ ନେଇ ରାଜନୀତି କର ନଯାଉ ବୋଲି ସେମାନେ କହିଛନ୍ତି।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ନବ କଳେବର ବିଭ୍ରାଟ, ପ୍ରଭୁ ଜଗନ୍ନାଥ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ