• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧର୍ମ

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’କୁ ନେଇ ଦୁଇ ଦଇତାପତିଙ୍କ ନିଲମ୍ବନ

June 25, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୫ ଜୁନ (ଓଡିଶା ଡଟ୍ କମ୍): ବ୍ରହ୍ମ ପରିବର୍ତ୍ତନ ବେଳେ ସୃଷ୍ଟି ହୋଇଥିବା ବିଭ୍ରାଟର ତଦନ୍ତ କରି ଶ୍ରୀ ମନ୍ଦିର ପ୍ରଶାସନ ଦୁଇଜଣ ଦଇତାପତିଙ୍କୁ ଜଗନ୍ନାଥଙ୍କ ସେବା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ନିଲମ୍ବିତ ହୋଇଥିବା ଏହି ଦୁଇ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ କାଶୀନାଥ ଦାସ ମହାପାତ୍ର ପିତା-ପୁତ୍ର ଅଟନ୍ତି । କାଶୀନାଥ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ଭାଇ ହୋଇଥବାବେଳେ ପୁଅ ଜୟକୃଷ୍ଣ ବିଜେଡ଼ିର ଟାଉନ ସଭାପତି ଅଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବ ପାଇଁ ହୋଇଥିବା ଘଟଣାର ତଦନ୍ତରେ ମୋଟ ନଅ ଜଣଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି,ସେମାନେ ହେଲେ ଚାରି ବାଡଗ୍ରାହୀ, ବିଶ୍ଵାବସୁ, ବିଦ୍ୟାପତି, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ।

ସୁରେଶ ମହାପାତ୍ରଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁସାରେ ବ୍ରହ୍ମ ପରିବର୍ତ୍ତନ କରିବା ପାଇଁ ଚାରି ବାଡ଼ଗ୍ରାହୀ ଯେତେବେଳେ ଅଣସରଘରକୁ ଯାଉଥିଲେ ସେତେବେଳେ ଜୟକୃଷ୍ଣ ଓ କାଶୀନାଥ ଦାସମହାପାତ୍ର ସେମାନଙ୍କୁ ବାଧା ଦେଇ ଭିତରକୁ ଯିବା ପାଇଁ ଜିଦ ଧରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଫଳରେ ଘଟ ପରିବର୍ତ୍ତନରେ ବିଳମ୍ବ ଘଟିଥିଲା ।

ଏହି କାରଣକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଧାରା ୨୧-୧ ଅନୁଯାୟୀ ଜୟକୃଷ୍ଣ ଓ ତାଙ୍କ ବାପା କାଶୀନାଥ ଦାସମହାପାତ୍ରଙ୍କୁ ଦଇତାପତି ସେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି। ତେବେ ଏବେବି ତଦନ୍ତ ଚାଲିଛି ଆଗକୁ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନିଲମ୍ବିତ ହେବ ପରେ ଜୟକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ ମନ୍ଦିର ପ୍ରଶାସନ ତାଙ୍କ ନିଲମ୍ବନ ଖବର ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ତେବେ ସେ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯିବ । ସେ ଜଗନ୍ନାଥଙ୍କର ଜଣେ ଶୃଙ୍ଖଳିତ ସେବକ ।

ସେହିପରି କାଶୀନାଥ ଦାସମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରୁ ସେମାନଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆନଯାଇ ସେମାନଙ୍କ ପକ୍ଷ ନଜାଣି ଏଭଳି ନିଲମ୍ବିନ କରିବା ନିୟମ ବିରୁଦ୍ଧ ଅଟେ । ତେବେ ସେ ଏକା ନୁହନ୍ତି ଆଉ ଚାରିଜଣ ବରିଷ୍ଠ ଦଇତାପତି ମଧ୍ୟ ତାଙ୍କ ସହ ଭିତରକୁ ଯାଇଛନ୍ତି ତେବେ କେଉଁ ପରିସ୍ଥିତିରେ କେବଳ ତାଙ୍କୁ ଓ ତାଙ୍କ ପୁଅକୁ ନିଲମ୍ବନ କରାଯାଇଛି ସେ ପ୍ରଶ୍ନ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ନବ କଳେବର, ବ୍ରହ୍ମ ପରିବର୍ତ୍ତନ

ବ୍ରହ୍ମ ହୁଅ ପରକାଶ (ବିଶେଷ)

June 24, 2015 by News Bureau Leave a Comment

କେଦାର ମିଶ୍ର

“ବ୍ରହ୍ମ ହୁଅ ପରକାଶ
ପିଣ୍ଡ ବ୍ରହ୍ମାଣ୍ଡ ଦୂରିତ ଝଟତିରେ ନାଶ”

ଓଡ଼ିଆ କବିତାର ଅନ୍ୟତମ ବିଦ୍ରୋହୀ ମହାନାୟକ ଭୀମଭୋଇଙ୍କ କବିତାରେ ବ୍ରହ୍ମ ପ୍ରତି ଏହି ଆକୁଳ ନିବେଦନ ପଛରେ କେଉଁ ସମାଜତାତ୍ତ୍ୱିକ କାରଣ ଅଛି, ତା’କୁ ଖୋଜିବା ଆଜି ପାଇଁ ପ୍ରାସଙ୍ଗିକ ହେବ । ଭାରତୀୟ ପରମ୍ପରାରେ ବ୍ରହ୍ମକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ବ୍ରହ୍ମର ଅବସ୍ଥିତି ଯେତିକି ପୁରୁଣା, ବ୍ରହ୍ମର ସନ୍ଧାନ, ଆକଳନ, ଅନୁଶୀଳନ ଓ ଅଧ୍ୟୟନ ମଧ୍ୟ ସେତିକି ପୁରୁଣା । ବ୍ରହ୍ମକୁ ନେଇ ରହସ୍ୟର ଏକ ଇନ୍ଦ୍ରଜାଲ ଉପରେ ଆମର ଈଶ୍ୱରୀୟ ଅବଧାରଣା ବଞ୍ଚି ରହିଛି । ସେହି ଇନ୍ଦ୍ରଜାଲଟି ଛିଣ୍ଡିଗଲେ ବ୍ରହ୍ମ ଉପରେ ରହିଥିବା ଆସ୍ଥା ମଧ୍ୟ ଭାଙ୍ଗିଯିବ ।

ସେଥିପାଇଁ ରହସ୍ୟକୁ ବଞ୍ଚାଇ ରଖିବାର ଏକ ନିରବଚ୍ଛିନ୍ନ ପରମ୍ପରା ଭାରତୀୟ ହିନ୍ଦୁ ସଭ୍ୟତାରେ ଦୃଶ୍ୟମାନ ହୁଏ । ସବୁକିଛି ଗୁହ୍ୟ, ଗୋପନ ଓ ଚର୍ମଚକ୍ଷୁର କ୍ଷମତା ବାହାରେ । ଶ୍ରୀଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ନୀତି ସେହି ପରମ୍ପରାର ଅଂଶବିଶେଷ ମାତ୍ର ।

ଶ୍ରୀଜଗନ୍ନାଥଙ୍କ ନବକଳେବର ବିଧାନ ସହିତ ଏକ ରହସ୍ୟବଳୟ ସବୁକାଳେ ରହିଆସିଛି । ଗୋଟିଏ ପକ୍ଷରେ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଭିତରେ ରାଜନୈତିକ ଶକ୍ତିକେନ୍ଦ୍ରର ଘଟନ ଓ ବିଘଟନ ଚାଲିଥିବାବେଳେ ଅପରପକ୍ଷରେ ଏହାକୁ ଆଢୁଆଳ କରିବା ପାଇଁ ଏକ ଇଚ୍ଛାକୃତ ରହସ୍ୟ ସବୁବେଳେ ରହି ଆସିଛି ।

ଶ୍ରୀଜଗନ୍ନାଥ କେବଳ ଭାବ, ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ନୁହଁନ୍ତି । ଶହଶହ ବର୍ଷ ଧରି ଓଡ଼ିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି ଓ ଜୀବନବୋଧ ତାଙ୍କୁ କେନ୍ଦ୍ର କରି ଗଢି ଉଠିଛି । ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜା ଶ୍ରୀଜଗନ୍ନାଥଙ୍କ ପାଦରେ ରାଉତ ପଣେ ଖଟିଛନ୍ତି ।

ଅର୍ଥାତ୍‍ ଜଗନ୍ନାଥ ହେଉଛନ୍ତି ରାଜା ଓ ଗଜପତି ତାଙ୍କର ରାଉତ । ରାଜା ଭାବରେ କେବଳ ରାଜଭୋଗ ଖାଇ ମହାପ୍ରଭୁ ରହିପାରିବେ ନାହିଁ । ରାଜାର ଦାୟିତ୍ୱ ଓ ସଂକଟ ମଧ୍ୟ ପ୍ରଭୁଙ୍କୁ ତୁଲାଇବାକୁ ପଡ଼ିବ । ସେଥିପାଇଁ ବହୁ କାଳ ଶ୍ରୀଜଗନ୍ନାଥଙ୍କୁ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ପଡିଛି ।

କେବେ କାଞ୍ଚି ଅଭିଯାନରେ ଅଶ୍ୱାରୋହୀ ସୈନିକ ଭାବରେ ସେ ଯୁଦ୍ଧ କରୁଛନ୍ତି ପୁଣି କେବେ ମୋଗଲ ଗୋଳରୁ ବଞ୍ଚିବା ପାଇଁ ମନ୍ଦିରରୁ ବିସ୍ଥାପିତ ହେଉଛନ୍ତି । ରାଜନୀତିର ବଦଳୁଥିବା ସ୍ୱରୂପ ସହ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଥା ଓ ପରମ୍ପରା ମଧ୍ୟ ବଦଳୁଛି ।

ଆଜି ନବକଳେବର ବିଭ୍ରାଟକୁ ନେଇ ହୋ ହଲ୍ଲା ଚାଲିଥିବାବେଳେ ଶ୍ରୀମନ୍ଦିରର ଇତିହାସ ସମ୍ପର୍କରେ ସମସ୍ତେ ଯେମିତି ଆଖିବୁଜି ବସିଛନ୍ତି । ମନ୍ଦିର ପରିଚାଳନାର ଇତିହାସ ସହିତ ଏତେ ଗୁଡ଼ାଏ ବିଭ୍ରାଟ ଓ ବିଭ୍ରାନ୍ତି ଜଡ଼ିତ ଯେ ସେ ସମ୍ପର୍କରେ ଏକ ଭିନ୍ନ ଗ୍ରନ୍ଥ ଲେଖାଯାଇପାରିବ ।

ଶହ ଶହ ବର୍ଷ ଧରି ମନ୍ଦିର ପରିଚାଳନାର ରାଜନୀତି ବଦଳିଛି ଓ ରାଜନୀତି ସହିତ ପ୍ରଥା ଓ ପରମ୍ପରା ମଧ୍ୟ ବଦଳିଛି । ତେଣୁ ମନ୍ଦିର ଭିତରେ ଯାହା ଘଟେ, ତାହାକୁ ରହସ୍ୟର ଇନ୍ଦ୍ରଜାଲ ଭିତରେ ରଖିବାକୁ ସେବାୟତମାନେ ପ୍ରୟାସ କରି ଆସିଛନ୍ତି । ରହସ୍ୟର ଇନ୍ଦ୍ରଜାଲ ଭିତରେ ରହିଲେ ଯାଇ ପ୍ରଭୁଙ୍କର ପ୍ରଭୁପଣ ବଜାୟ ରହିବ ।

ସେହି ରହସ୍ୟଟି ତୁଟି ଗଲେ ଲୋକଙ୍କର ଆସ୍ଥା ମଧ୍ୟ ଦୋହଲିଯିବ । ଦୁର୍ଭାଗ୍ୟ କ୍ରମେ ଆଜି ତାହାହଁ ହୋଇଛି ।

୨୪ – ୭ର ଟେଲିଭିଜନ୍‍ ଯୁଗ ଓ ମୋବାଇଲ୍‍ କ୍ୟାମେରାର ସର୍ବବ୍ୟାପୀ ଉପସ୍ଥିତି ସମୟରେ ରହସ୍ୟକୁ ବଞ୍ଚାଇ ରଖିହେବ କେମିତି ? ମହାପ୍ରଭୁଙ୍କ ନାଭିଦେଶରେ ବ୍ରହ୍ମ କପାଟ ଭିତରେ ଯେଉଁ ରହସ୍ୟମୟ ପଦାର୍ଥଟି ରହିଛି, ତା’କୁ ନେଇ ଶହଶହ ବର୍ଷର କଳ୍ପନା ଜଳ୍ପନା ଧୂଳିସାତ ହୋଇଯିବ କି ?

ଗତ ଜୁଲାଇ ୧୬ ତାରିଖରୁ ବ୍ରହ୍ମ କପାଟର ରହସ୍ୟ ସାଧାରଣ ଜନତା ପାଇଁ ଏକପ୍ରକାର ବିଦ୍ରୂପର ବସ୍ତୁ ପାଲଟିଯାଇଛି । ବ୍ରହ୍ମ ପରିବର୍ତ୍ତନ ପରଠୁ ଏହାକୁ ନେଇ ରାଜନୀତି, ଆରୋପ-ପ୍ରତ୍ୟାରୋପ ଓ ଉଦ୍ଭଟ ବୟାନବାଜିର ପ୍ରବାହ ଚାଲିଛି । ଏ ପ୍ରବାହରେ ପ୍ରତି କଥାକୁହା ନାଗରିକ ଜଗନ୍ନାଥ ସଂସ୍କୃତିର ବିଷାରଦ ପାଲଟିଯାଇଛନ୍ତି ।

ସବୁ ସାମ୍ବାଦିକ ପ୍ରବଚକ ପାଲଟିଯାଇଥିବାବେଳେ ପ୍ରତ୍ୟେକ ରାଜନେତା ଜଗନ୍ନାଥଙ୍କର ରାଉତ ସାଜି ବିବୃତି ଦେଉଛନ୍ତି । ସେବାୟତଙ୍କ ଭିତରେ ମରାମରିର ପରିଣତି ସ୍ୱରୂପ ସବୁଠୁ ଭୟଙ୍କର ବଳି ଭାବରେ ମହାପ୍ରଭୁଙ୍କ ରହସ୍ୟ ଆଜି ରକ୍ତାକ୍ତ ହୋଇ ପଡିଛି ।

ଗତ ୧୫ ଓ ୧୬ ତାରିଖ ରାତିରେ ଘଟିଥିବା ବିଭ୍ରାଟ ଅପେକ୍ଷା ଆହୁରି ବଡ଼ ବଡ଼ ବିଭ୍ରାଟକୁ ଶ୍ରୀମନ୍ଦିର ସମ୍ଭାଳି ଆସିଛି । କଳାପାହାଡ଼ର ଆକ୍ରମଣ ପରେ ଯେତେବେଳେ ମହାଦାରୁମାନଙ୍କୁ ଗଙ୍ଗାକୂଳରେ ପୋଡ଼ି ଦିଆଗଲା, ତାଙ୍କରି ଚିତାଭସ୍ମରୁ ବ୍ରହ୍ମପଦାର୍ଥକୁ ଉଦ୍ଧାର କରି ବିଶର ମହାନ୍ତି ନିଜ ମୃଦଙ୍ଗ ଭିତରେ ନେଇ ଆସିଲେ ଓ କୁଜଙ୍ଗରେ ମହାପ୍ରଭୁଙ୍କୁ ନବକଳେବର ଦେଲେ ।

ଆଉ କେଉଁ ରକ୍ତବାହୁର ଆକ୍ରମଣରୁ ରକ୍ଷା ପାଇବାକୁ ସୋନପୁର ତ୍ରିକୂଟ ପାହାଡ଼ରେ ମହାପ୍ରଭୁ ୧୪୩ ବର୍ଷ ମାଟି ତଳେ ପାତାଳି ହୋଇ ରହିଲେ । କେବେ ଚିଲିକାର ଚଢେଇହଗା ପାହାଡ଼, ପୁଣି କେବେ ମାରଦାର ଜଙ୍ଗଲ ଭିତରେ ମହାପ୍ରଭୁ ଲୁଚି ରହିଲେ ।

ତଥାପି ତାଙ୍କର ରହସ୍ୟ ଊଣା ହୋଇ ନାହିଁ । ସେଥିପାଇଁ ତାଙ୍କୁ କୁହାଯାଇଛି “ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ” । ରହସ୍ୟ ଥିବା ଯାଏ ସେ ଅଛନ୍ତି । ଗୋପ୍ୟ ହୋଇ ଥିବା ଯାଏ ସେ ବ୍ରହ୍ମ । ଯଦି ରହସ୍ୟ ଫିଟିଯାଏ ସେ ରହିବେ ନାହିଁ । ସେ ନ ରହିଲେ ଜଗତ ରହିବ ନାହିଁ । ଏହି ତତ୍ତ୍ୱଟିକୁ ଆମେ ନ ବୁଝି ଏତେ ବିକଳରେ ପାଟିତୁଣ୍ଡ କରୁଛୁ ଯେ ସତେ କି ଆମେ ହିଁ ହେଉଛୁ ସ୍ୱୟଂ ଜଗନ୍ନାଥ ।

ଶ୍ରୀ ଜଗନ୍ନାଥଙ୍କ ନୀତି ନିୟମ, ଶାସନ ପ୍ରଶାସନ ଓ ଇତିହାସକୁ ବୁଝିବାକୁ ହେଲେ ଆମକୁ ଶ୍ରୀମନ୍ଦିରର ପରମ୍ପରା ତଥା ଇତିହାସକୁ ଅଣ୍ଡାଳିବାକୁ ପଡ଼ିବ । ସେଇ ଇତିହାସ ଓ ପରମ୍ପରା ବାବାଜୀ ଦେଉଥିବା ପ୍ରବଚନ ଭଳି ସରଳ ନୁହେଁ । ସେଥିରେ ବହୁ ଜଟିଳ ଓ ଅନ୍ଧକାର ଅଧ୍ୟାୟ ରହିଛି ।

ସେହି ଜଟିଳତା ଓ ଅନ୍ଧାର ଭିତରେ ବ୍ରହ୍ମ ନିଜକୁ ପ୍ରକଟିତ କରିଛନ୍ତି । ଦୟା କରି ସେହି ଜଟିଳତା ଓ ଅନ୍ଧକାରକୁ ସେମିତି ରହିବାକୁ ଦିଆଯାଉ । ବ୍ରହ୍ମ ପରିବର୍ତ୍ତନ ଓ ପାତାଳୀ ଲୀଳା ଆମ ପାଇଁ ଗୋପ୍ୟ ହୋଇ ରହୁ । ସେହି ରହସ୍ୟଭେଦ କରିବା ପାଇଁ ଆମ କ୍ୟାମେରା ଆଖି ଯଦି ବ୍ୟାକୁଳ ହୁଏ, ତା’ହେଲେ ଆମେ ନିଜେ ନିଜର ପ୍ରାଣସତ୍ତାକୁ ହରାଇ ବସିବା ।

ବ୍ରହ୍ମ ଯେବେ ଚାହିଁବେ, ସେବେ ପ୍ରକାଶିତ ହୁଅନ୍ତୁ । ଆମେ ଭୀମଭୋଇଙ୍କ ଭଳି କେବଳ ପ୍ରାର୍ଥନା କରିପାରିବା ଯେ, ବ୍ରହ୍ମ ହୁଅ ପରକାଶ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ଧର୍ମ Tagged With: ନବ କଳେବର, ଶ୍ରୀ ଜଗନ୍ନାଥ

‘ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ’ ବିରୋଧରେ ଗୁରୁବାର ଭିଏଚପିର ଧାରଣା

June 23, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୩ ଜୁନ (ଓଡିଶା ଡଟ୍ କମ୍): ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ନବକଳେବର ଯାତ୍ରାକୁ ନେଇ, ଦାରୁ ଚିହ୍ନଟଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଯେଉଁସବୁ ବିଭ୍ରାଟ ସୃଷ୍ଟି ହୋଇଛି ସେଥିପାଇଁ ଗଭୀର ଉଦବେଗ ପ୍ରକାଶ କରିବା ସହ ଜୁନ ୨୫ରେ ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାର ଆୟୋଜନ କରିବାକୁ ଯାଉଥିବା ବିଶ୍ୱ ହିନ୍ଦୁ ପରିଷଦ ମଙ୍ଗଳବାର କହିଛି ।

ଏ ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦେଇଥିବା ବିବୃତିକୁ ମଧ୍ୟ ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛି ।

ଆଜି ପର୍ଯ୍ୟନ୍ତ ଘଟିଥିବା ଘଟଣାକ୍ରମ, ଗଣମାଧ୍ୟମ ଓ ଶ୍ରୀମନ୍ଦିର ସହିତ ଜଡିତ ବ୍ୟକ୍ତିବିଶେଷଙ୍କର ବିବୃତିକୁ ଅନୁଧ୍ୟାନ କରି ବିଶ୍ୱ ହିନ୍ଦୁ ପରିଷଦ ଏଭଳି ବିଭ୍ରାଟ ପାଇଁ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବ, ଚରମ ଅବହେଳା ଓ ଅପାରଗତାରୁ ଏଭଳି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ଏହାର ଦୃଢ ନିନ୍ଦା କରିଛି ।

ହଜାର ହଜାର ବର୍ଷର ପରମ୍ପରା, ବିଶ୍ୱାସ, ଆସ୍ଥା ଏବଂ ସଂସ୍କୃତି ପ୍ରତି ଏହା ଏକ ଘୋର ଅପମାନ । ବିଶ୍ୱର ସମଗ୍ର ହିନ୍ଦୁ ସମାଜ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ଆବେଗ ଓ ବିଶ୍ୱାସ ଉପରେ ଏହି ବିଭ୍ରାଟ ଏକ ଶକ୍ତ କୁଠାରଘାତ । ଏହି ଘଟଣା ଯେତିକି ମାତ୍ରାରେ ହିନ୍ଦୁ ସମାଜକୁ ଲଜ୍ଜିତ କରିଛି ତାଠାରୁ ଅଧିକ ଓଡିଶାବାସୀଙ୍କୁ ବିଶ୍ୱ ଦରବାରରେ ଅପମାନିତ କରିଛି ବୋଲି ସଂଗଠନ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛି ।

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପ୍ରତି ଜିଳ୍ଲାର ସଦର ମହକୁମାରେ ଆସନ୍ତା ଜୁନ ୨୫ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧ ଘଟିକା ପ୍ରତୀକ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭାମାନ ଅନୁଷ୍ଠିତ ହେବ ବୋଲି ପରିଷଦ କହିଛି । ଏହି ଦିନ ଭୁବନେଶ୍ୱରର ରାଜଭବନ ସମ୍ମୁଖରେ ମଧ୍ୟ ଧାରଣା ଅନୁଷ୍ଠିତ ହେବ ।

ଏହି ବିଭ୍ରାଟକୁ ନିନ୍ଦା କରିବା ସହିତ ଭବିଷ୍ୟତରେ ଏହାର ଯେପରି ପୁର୍ନରାବୃର୍ତ୍ତି ନହୁଏ ଏଥିପାଇଁ ରାଜ୍ୟପାଳ ମହୋଦୟଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ଦିଆଯିବ । ବିଶ୍ୱ ହିନ୍ଦୁପରିଷଦର ଏହି ଧାରଣା ଓ ପ୍ରତିବାଦକୁ ବିଭିନ୍ନ ରାଷ୍ଟ୍ରବାଦୀ ସଂଗଠନମାନେ ସମର୍ଥନ ଜଣାଇଛିନ୍ତି ।

ଓଡିଶାର ଜଗନ୍ନାଥ ପ୍ରେମୀ ଜନ ସାଧାରଣ ବିଶ୍ୱହିନ୍ଦୁ ପରିଷଦର ଏହି ପ୍ରତିବାଦ ସଭାରେ ବିପୁଳ ସଂଖ୍ୟାରେ ଯୋଗଦେଇ ସମର୍ଥନ ଜଣାଇବା ପାଇଁ ପରିଷଦର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ଓ ପ୍ରବକ୍ତା ପ୍ରମୋଦ କୁମାର ଦାସ ନିବେଦନ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ପ୍ରତିବାଦ, ବ୍ରହ୍ମ ପରିବର୍ତ୍ତନ, ଭିଏଚପି

ଘଟ ପରିବର୍ତ୍ତନ ବିଭ୍ରାଟ ପରେ ଛୁଟି ବାତିଲ, ଚାରିମନ୍ତ୍ରୀଙ୍କୁ ଦାୟିତ୍ଵ

June 23, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୩ ଜୁନ (ଓଡିଶା ଡଟ୍ କମ୍): ଶ୍ରୀଜିଉମାନଙ୍କର ଘଟ ପରିବର୍ତ୍ତନରେ ସୃଷ୍ଟି ହୋଇଥିବା ବିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ରଥଯାତ୍ରା ସୁପରିଚାଳନ ପାଇଁ ପୁରୀ ଜିଲ୍ଲାର ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଏବଂ ଚାରିଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଦାୟିତ୍ଵ ଦେଇ ରଥଯାତ୍ରା ସରିବା ପର୍ଯ୍ୟନ୍ତ ପୁରୀରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସୋମବାର ପ୍ରାୟ ଅଧଘଣ୍ଟାର ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ଦାୟିତ୍ଵ ଦେଇ ରଥଯାତ୍ରାରେ ଯେପରି ବିଶୃଙ୍ଖଳା ନହେବ ସେଥିପାଇଁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟିରେ ଯାଇପାରିବେ ନାହିଁ ।

ବିଭିନ୍ନ ସମୟରେ କାର୍ଯ୍ୟ ଠିକ ହେଉଛି କି ନାହିଁ ତା’ର ଯାଞ୍ଚ ନିମନ୍ତେ ମୁଖ୍ୟ ଶାସନ ସଚିବ ଗୋକୁଳ ଚଦ୍ର ପତିଙ୍କୁ କ୍ଷେତ୍ର ପରିଦର୍ଶନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।ସଚିବମାନେ ନିଜ ବିଭାଗର ଅଧିକାରୀମାନଙ୍କୁ ପୁରୀରେ ନିୟୋଜିତ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟଗୁଡିକୁ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ ରଥଯାତ୍ରା ପୂର୍ବରୁ ପୁରୀରେ ପରିମଳ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ, ଗତ ଜୁନ ୧୫ ମଧ୍ୟରାତ୍ରିରେ ହେବାକୁ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ବ୍ରହ୍ମ ପରିବର୍ତ୍ତନ ଜୁନ ୧୬ ଅପରାହ୍ନ ରେ ସମାପନ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲ ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ, ରାଜନୀତି Tagged With: ନବ କଳେବର

ବ୍ରହ୍ମ ପରିବର୍ତନ ରାଜନୀତି: କିଏ ସାତ କିଏ ସତର

June 19, 2015 by News Bureau Leave a Comment

କେଦାର ମିଶ୍ର

ଭୁବନେଶ୍ଵର, ଜୁନ ୧୯ (ଓଡିଶା ଡଟ୍ କମ୍): ରାଜନୀତି ମୈଦାନ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ପ୍ରକାର ମୂକ ଖେଳନା ପାଲଟି ଯାଇଛନ୍ତି । ନବକଳେବର ବିଧାନର ସର୍ବଶ୍ରେଷ୍ଠ ଓ ଗୋପନତମ ସେବା ବ୍ରହ୍ମ ପରିବର୍ତନ ର ସମୟ ଓ ଏଥିରେ ଦଇତାପତିଙ୍କ ଭୂମିକା ଏବେ ସାରା ଦେଶ ର ଧାର୍ମିକ ଜନତାଙ୍କ ମନରେ ଗଭୀର କ୍ଷ୍ୟତ ସୃଷ୍ଟି କରିଛି।

ଅର୍ଦ୍ଧ ରାତ୍ରିରେ ଯେଉଁ ବ୍ରହ୍ମ ପରିବର୍ତନ ବିଧି ଗୋପନରେ ହେବା କଥା ତାହା ୧୬ ତାରିଖ ସୂର୍ଯ୍ୟାଲୋକରେ ସମ୍ପନ୍ନ ହୋଇଚି । ଏହି ଘଟଣା ରେ କେବଳ ନୀତି ବିଭ୍ରାଟ ଘଟିଚି ତାହା ନୁହଁ , ଏଥିରେ ଓଡ଼ିଶା ରାଜନୀତି ର କଦର୍ଯ୍ୟ ଚେହେରା ଫୁଟି ଦିଶୁଚି ।

ଦଇତା ସେବକ ମାନେ ଯେଉଁ ଗୋପନ ବିଧି କୁ ଶହ ଶହ ବର୍ଷ ଧରି ରହସ୍ୟ ଅନ୍ତରାଳରେ ରଖି ଆସିଥିଲେ, ସେ ରହସ୍ୟ ଆଜି ଲୋକହସା ହେଇ ଦାଣ୍ଡରେ ଦିଶୁଚି । କେହି କେହି ଗର୍ବର ସହ ନିଜ ମୋବାଇଲ୍ ରେ ବ୍ରହ୍ମ ପରିବର୍ତନ ର ଫଟୋ ଦେଖୁଥିବା ବେଳେ ଆଉ କେହି ବ୍ରହ୍ମ ଚୋରୀ ହେଇ ଯାଇଥିବାର ସଂଗୀନ୍ ଆରୋପ ଲଗାଉଛନ୍ତି ।

ସମୁଦାୟ ଘଟଣାକ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଓ ଗୌରବ ର ପ୍ରତିଷ୍ଠିତ ପରମ୍ପରା ଆହତ ହୋଇଚି ।

ରାଜ୍ୟ ବିଜେଡି ରାଜନୀତିର ଦୁଇଜଣ ତୁଂଗ ନେତା ଯିଏକି ଦଇତା ସେବକ ମଧ୍ୟ ଅଟନ୍ତି ସେମାନଙ୍କ ଜିଦ୍ ଯୋଗୁଁ ବ୍ରହ୍ମ ପରିବର୍ତନ ସମୟ ରେ ବିଳମ୍ବ ଘଟିଥିଲା ବୋଲି ଦଳପତି ତଥା ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ସୂଚନା ଦେଇଚନ୍ତି ।

ତେବେ ହଳଧରଙ୍କ ବିରୋଧରେ ପ୍ରତ୍ୟାରୋପ କରିଛନ୍ତି ଯୁବ ଦଇତାପତି ତଥା ବିଜେଡି ନେତା ଜୟକୃଷ୍ଣ ଦାଶ ମହାପାତ୍ର ।

ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ରେ ସାଧାରଣ ଭକ୍ତ ର ଆସ୍ଥା ଦୋହଲି ଯାଉଛି । ଏହାକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟ ଗୋଳିଆ ପାଣିରୁ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ରାଜନୀତି ରେ ଏହି ଘଟଣା ବିଶ୍ଵାସ ଭାଙ୍ଗିବାର ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ।

ଏହି ଘଟଣା ରେ କିଏ ସତ କିଏ ମିଛ , କିଏ ନାୟକ କିଏ ଖଳ ନାୟକ ତାହା ସମୟ କହିବ । କିନ୍ତୁ ଏହା ଓଡିଆ ଜାତି ର ଇଷ୍ଟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ଯେଉଁ ମାନେ ଜଗନ୍ନାଥ ସଂସ୍କୃତିର ରକ୍ଷକ ସେମାନେ ନିଜ ଛୋଟ ସ୍ଵାର୍ଥ ଲାଗି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଶ୍ରୀଜଗନ୍ନାଥ

ନବକଳେବର ବିଭ୍ରାଟ ପ୍ରତିବାଦରେ ଆନ୍ଦୋଳନ

June 19, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୯ ଜୁନ (ଓଡିଶା ଡଟ୍ କମ୍): ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ଘଟ ପରିବର୍ତନ ସମୟରେ ଘଟିଥିବା ବିଭ୍ରାଟକୁ ବିରୋଧ କରି ଆସନ୍ତା ଜୁନ ୨୨ ରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କଋବ ବୋଲି ଘୋଷଣା କରିଛି ।

ରାଜ୍ୟ ସଭାପତି କନକ ବର୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗୁରୁବାର ହୋଇଥିବା ପାର୍ଟିର ଏକ ଉଛ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ନେତା ବିଜୟ ମହାପାତ୍ର ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ଓ ଅନ୍ୟ ମାନେ ତାଙ୍କୁ ସମର୍ଥନ କରିଥିଲେ ।

ଏହି ବୈଠକରେ କେନ୍ଦ୍ରୀୟ ନେତା ରାମଲାଲ୍ , ଶିବ ପ୍ରକାଶ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ଵଭୂଷଣ ହରିଚନ୍ଦନ, ମନମୋହନ ସାମଲ, ସମୀର ଦେ, ସୁରେଶ ପୂଜାରୀ ଆଦି ଉପସ୍ଥିତ ଥିଲେ ।

ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ନବକଳେବରରେ ‘ମହାବିଭ୍ରାଟ’ ପାଇଁ ଓଡିଶା ବାସୀଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହୋଇଛି । ରାଜ୍ୟସରକାର ଏଥି ପାଇଁ ଦାୟୀ । ତେଣୁ ଏହା ବିରୋଧରେ ବିଜେପି ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ଏହି ବିଭ୍ରାଟ ପାଇଁ ପୁରୀ ଗଜପତି ନିକଟରେ କ୍ଷୋଭ ପ୍ରକାଶ କରିବା ସହ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ହେବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି ।

ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଅନୁସନ୍ଧାନ ଚାଲିଛି ରିପୋର୍ଟ ଆସିବାପରେ ଏଥିରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ନବ କଳେବର

ନୂତନ ବିଗ୍ରହରେ ସଂସ୍ଥାପିତ ହେଲେ ବ୍ରହ୍ମ

June 16, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ପୁରୀ, ଜୁନ ୧୬ (ଓଡିଶା ଡଟ କମ) ମଙ୍ଗଳବାର ପାରମ୍ପରିକ ରୀତିନୀତି ସହ ଦଇତାପତିମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଚତୁର୍ଦ୍ଧା ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପିତ କରି ଦାରୁବ୍ରହ୍ମଙ୍କ ନବ କଳେବର କରିଛନ୍ତି ।

ପ୍ରତି ଜନ୍ମର ମୃତ୍ୟୁ ନିଶ୍ଚିତ, ଏହି ଚିରନ୍ତନ ସତ୍ୟର ବାର୍ତ୍ତା ବହନ କରୁଥିବା ନବ କଳେବର ପ୍ରକ୍ରିୟା ଗୋପନୀୟତାର ସହ ଅନୁଷ୍ଠିତ ହୋଇଥିବା ବେଳେ, ଶ୍ରୀମନ୍ଦିରର ପୁରୁଣା ବିଗ୍ରହଙ୍କୁ ବିଦାୟ ଦେବାପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏହି ନୀତି ପାଳନ ସମୟରେ ମନ୍ଦିରର କର୍ମଚାରୀମାନେ ପୁଲିସ ସହାୟତାରେ ବଡ଼ଦେଉଳ ଭିତରୁ ସମସ୍ତ ବାହାରଲୋକ ଏବଂ ସେବକମାନଙ୍କୁ ବାହାର କରିଦେଇ ସମସ୍ତ ପାଶ୍ୱର୍ ଦେବାଦେବୀ ମନ୍ଦିର, ସରଘର ଆଦିକୁ ତାଲା ପକାଇ ବନ୍ଦ କରିଦିଆ ଯାଇଥିଲା ।

ବ୍ରହ୍ମ ପରିବର୍ତ୍ତନ ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ନୀତିକୁ ଯେପରି କେହି ଦେଖିନପାରିବେ ସେଥିଲାଗି ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ପ୍ରଶାସନ ଗ୍ରହଣ କରିଥିଲା ।

ବ୍ରହ୍ମ ପରିବର୍ତନ ନୀତି ପାଇଁ କୋଇଲି ବୈକୁଣ୍ଠରୁ ନୂତନ ବିଗ୍ରହଙ୍କୁ ଅଣସର ପିଣ୍ଡି ପର୍ଯ୍ୟନ୍ତ ଅଣାଯାଇଥିଲା । ପୁରୁଣା ଘଟ ସହ ନୂଆ ଘଟ ମୁହାଁ ମୁହିଁ କରାଯାଇ ଥିଲା ।

ଚାରି ବାଡ଼ଗ୍ରାହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବ୍ରହ୍ମ ବାହାରକରି ନୂତନ ବିଗ୍ରହଙ୍କ ନାଭିଦେଶରେ ସଂସ୍ଥାପନ କରିଥିଲେ । ତା’ପୂର୍ବରୁ ଚାରୋଟି ଖଟୁଲିରେ ବ୍ରହ୍ମ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପତିମହାପାତ୍ର ପଞ୍ଚାମୃତରେ ବ୍ରହ୍ମଙ୍କୁ ସ୍ନାନ କରାଇବା ସହ ଭୋଗ ଅର୍ପଣ କରିଥିଲେ ।

ଜଗନ୍ନାଥ ସ୍ୱାଇଁ ମହାପାତ୍ର ଶ୍ରୀଜଗନ୍ନାଥଙ୍କର, ହଳଧର ଦାସ ମହାପାତ୍ର ଶ୍ରୀବଳଭଦ୍ରଙ୍କର, ରାମଚନ୍ଦ୍ର ଦାସମହାପାତ୍ର ସୁଭଦ୍ରାଙ୍କର ଓ ନବକିଶୋର ପତିମହାପାତ୍ର ଶ୍ରୀ ସୁଦର୍ଶନଙ୍କର ବ୍ରହ୍ମ ପରିବର୍ତ୍ତନ କରିଥିଲେ । ବ୍ରହ୍ମ ପରିବର୍ତ୍ତନ କାର୍ଯ୍ୟ ଶେଷ ହେବାପରେ ଅନ୍ୟ ଦଇତାପତି ସେବକମାନେ ପୁରାତନ ଓ ନୂତନ ବିଗ୍ରହଙ୍କୁ ଦର୍ଶନ କରି ପୂଜାର୍ଚନା କରିଥିଲେ ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ ।

ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏହି ଅବସରରେ ପୁରୁଣା ବିଗ୍ରହ ମାନଙ୍କ ଶେଷ ସଂସ୍କାର ପାରମ୍ପରିକ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ Tagged With: ନବ କଳେବର

ରଜ ପର୍ବ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

June 14, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ ୧୪(ଓଡିଶା ଡଟ୍ କମ୍): ରବିବାର ଆରମ୍ଭ ହୋଇଥିବା ରଜ ପର୍ବ ପାଇଁ ରାଜ୍ୟର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନ ଉତ୍ସବମୁଖରିତ ହୋଇଉଠିଛି ।

raja
ବରଗଡରେ ରଜ ପର୍ବ ପାଳନ ଅବସରରେ ଚଳଚିତ୍ର ଅଭିନେତା ପୃଥ୍ଵୀରାଜ ନାୟକ : ଚିତ୍ର : ଶାନ୍ତନୁ ବିଶ୍ଵାଳ

ବିଭିନ୍ନ ସ୍ଥାନରେ ଝିଅ ମାନେ ନୂଆଁ ବେଶ ପୋଷାକ ପିନ୍ଧି ଏହି ପର୍ବ କୁ ପାଳନ କରୁଥିବା ବେଳେ, ଗାଁ ଝିଅ ବୋହୂମାନେ ନୂଆଁ ଲୁଗା ସହ ପାଦରେ ଅଳତା ଲଗାଇ, ମଥାରେ କୁଙ୍କୁମ ପିନ୍ଧି ନିଜକୁ ସୁନ୍ଦର କରି ସଜାଇ ଦୋଳିରେ ଝୁଲି ଏହାର ମଜା ନେଉଥିବା ପରିଲକ୍ଷିତ ହୋଇଛି ।

ରବିବାର ସରକାରୀ ଛୁଟି ହୋଇଥିବାରୁ ବହୁ ଲୋକ ସହରରୁ ଯାଇ ନିଜ ଗାଁରେ ରଜ ମନାଉଛନ୍ତି । ଅଧିକାଂଶ ସ୍ଥାନରେ ଦୋଳି ଖେଳ ଓ ଝୋଟି ପ୍ରତିଯୋଗିତାମାନ ମଧ୍ୟ ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ବାସିନ୍ଦା ବଡ ବଡ ଗଛରେ ବାଉଁଶ ଏବଂ ପଟା ରେ ଦୋଳି ଲଗାଇ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଛି ।

ଓଡିଆ ସଂସ୍କୃତିରେ ବାରମାସରେ ପାଳନ କରାଯାଉଥିବା ତେର ପର୍ବ ମଧ୍ୟରୁ ରଜ ହେଉଛି ଏକ ନିଆରା ପର୍ବ । ଏହି ସମୟରେ ବସୁମତୀ ବା ଭୂମି ରଜସ୍ୱଳା ହୁଏ ବୋଲି ବିଶ୍ୱାସ କରି ଓଡିଆମାନେ ରଜପର୍ବ ପାଳନ କରିଆସୁଛନ୍ତି । ଏହିଦିନ ଧରିତ୍ରି ମାତା ବା ବସୁମତୀକୁ ପୂଜା ମଧ୍ୟ କରାଯାଏ ।
ସାଧାରଣତଃ ରଜ ତିନି ଦିନ ଧରି ପାଳନ କରାଯାଏ । ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସର ପ୍ରଥମ ଦିନକୁ ପହିଲି ରଜ,୨ୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ଆକାରରେ ପାଳନ କରାଯାଏ । ଯୁବତୀ ଝିଅମାନଙ୍କୁ ଏହି ସମୟରେ ଖାଲିପାଦରେ ଭୂଇଁରେ ନ ଚାଲି କଦଳୀ ପାଟୁକା ବା ଗୁଆ ଖୋଳକୁ ପାଦରେ ପିନ୍ଧିବାକୁ କୁହାଯାଇଥାଏ । ,

ସେହିପରି କୃଷକ ନିଜ ଜୀବିକା ପାଇଁ ନିର୍ଭର କରୁଥିବା ଭୂମି ଏହି ସମୟରେ ରଜସ୍ୱଳା ହୁଏ ବୋଲି ବିଶ୍ୱାସ କରାଯାଏ । ତେଣୁ ଏପରି ଏକ ମୁହୂର୍ତ୍ତରେ ଭୂମିକୁ କୌଣସି କଷ୍ଟ ନପହଞ୍ଚାଇବା ପାଇଁ କୃଷକ ପରିବାରବର୍ଗ କୃଷି କର୍ମ ନକରି ଭୂମି ମାତାଙ୍କ ସହ ହଳ ଓ ଲଙ୍ଗଳ ପୂଜା କରିଥାନ୍ତି ।

ଦୋଳି ଖେଳ, ପାନ ଏବଂ ପୋଡପିଠା ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ, ଗାଁ ଗହଳିରେ ବୁଢ଼ାବୁଢ଼ୀମାନଙ୍କର ତାସ୍‌, ଲୁଡ଼ୁ ଆଦି ଖେଳସାଙ୍ଗକୁ ଯୁବକମାନଙ୍କର କବାଡ଼ି, ବାଗୁଡ଼ି, ଫୁଟବଲ୍‌, କୁସ୍ତି କସରତ ଆଦି ଖେଳର ଦୃଶ୍ୟ ନିଆରା ହୋଇଥାଏ । ସେହିପରି ସନ୍ଧ୍ୟାରେ ପାଲା, ଦାସକାଠିଆ, ନାଟକ ଆଦି ଗାଁ ଦାଣ୍ଡରେ ମଞ୍ଚସ୍ଥ କରାଯାଏ ।

ସେହିପରି ଏହି ତିନି ଦିନ ଧରି ଛୋଟରୁ ବଡ ପର୍ଯ୍ୟନ୍ତ କାହାକୁ ପାନ ଖାଇବାକୁ ବାରଣ ନଥାଏ । ସମସ୍ତେ ପାନ ଖାଇବାର ମଜା ଉଠାଇବା ସହ ରଜ ଗୀତ ଗାଇ ଗାଇ ଦୋଳି ଖେଳିଥା’ନ୍ତି। ଝିଅମାନଙ୍କର ରାଜା ଦୋଳି ଗୀତରେ ଗାଁ ଦାଣ୍ଡ ଫାଟି ପଡେ ।

ରଜରେ ପୋଡପିଠା ହେଉଛି ଏକ ସ୍ୱତନ୍ତ୍ର ଖାଦ୍ୟ । ଗାଁମାନଙ୍କରେ ଆଜିର ଦିନରେ ପୋଡପିଠା ସମସ୍ତଙ୍କ ଘରେ ତିଆରି ହୁଏ । ସହରମାନଙ୍କରେ ମଧ୍ୟ ଅଧିକାଂଶ ଲୋକଙ୍କ ଘରେ ପୋଡପିଠା ତିଆରି କରାଯାଏ । ଏହା ବ୍ୟତୀତ ଅନ୍ୟ ପିଠାପଣା ମାନ ମଧ୍ୟ ତିଆରି କରାଯାଉଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ଵର ଓ କଟକ ସମେତ ବିଭିନ୍ନ ସହରରେ ରଜ ସଂକ୍ରାନ୍ତି ପାଇଁ ପୁଚିଖେଳ ଏବଂ ପୋଡପିଠା ତିଆରି କରିବା ପ୍ରତିଯୋଗିତା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଦୋଳି, ରଜ ପର୍ବ

ପୁରାତନ ବିଗ୍ରହଙ୍କ ତ୍ରୟୋଦଶାହରେ ଭକ୍ତଙ୍କ ପାଇଁ ମହାପ୍ରସାଦ

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ,୧୨ ଜୁନ (ଓଡିଶା ଡଟ୍ କମ୍) ଚଳିତ ମାସ ୨୭ ତାରିଖ ସନ୍ଧ୍ୟାରେ ପୁରାତନ ବିଗ୍ରହଙ୍କ ତ୍ରୟୋଦଶାହ ଅବସରରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କୁ ମାଗଣା ମହାପ୍ରସାଦ ରେ ଆପ୍ୟାୟିତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ନବ କଳେବର ଲୀଳାର ଅଂଶ ସ୍ୱରୂପ ହେବାକୁ ଯାଉଥିବା ଏହି ସମୁହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣେ ପ୍ରଶାସନିକ ଅଧିକାରୀ ଓଡିଶା ଡଟ କମକୁ କହିଛନ୍ତି।

ସିଂହ ଦ୍ଵାର ଠାରୁ ଶ୍ରୀନହର ଯାଏଁ ଷ୍ଟଲ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନେ ଧାଡିରେ ଆସି ମହା ପ୍ରସାଦ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସ୍ଥାନୀୟ ପୁଲିସ ଓ ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସମ୍ପର୍ଣ ହେବ ସେଥିପ୍ରତି ସମସ୍ତ ଯତ୍ନ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

ଏଥି ନିମନ୍ତେ ଦଇତାପତି, ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଠ, ମନ୍ଦିର ଓ ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତା ଲୋଡିଥିବା ବେଳେ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କୁ ଆର୍ଥିକ ଦାନ ଦେବା ପାଇଁ ଅନୁରୋଧ କରିଛି ।

ଦାନ ଦେବା ପାଇଁ ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନ ଇଣ୍ଡିଆନ ବ୍ୟାଙ୍କ ଗ୍ରାଣ୍ଟ ରୋଡ ପୁରୀ ଆକାଉଣ୍ଟ ନମ୍ବର : ୪୯୧୭୧୧୩୦ , ଆଇଏଫଏସସି କୋଡ : ଆଇଡିଆଇବି୦୦୦ପି୦୫୭ ରେ ଆଡମିନିସଟ୍ରେଟର ଶ୍ରୀ ଜଗନ୍ନାଥ ଟେମ୍ପଲ, ପୁରୀ  ( Administrator Sri jagannath temple, account number : 49171130, Indian Bank , Grand Road Puri, IFSC code IDIB 000Po57  ) ନାଁରେ ଜମା କରିପାରିବେ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ବଦାନ୍ୟ ବ୍ୟକ୍ତି ଓ ଭକ୍ତ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ଅଫିସ , ସିଂହ ଦ୍ଵାର ସୂଚନା କେନ୍ଦ୍ର ଓ ଭୁବନେଶ୍ଵରରେ ଜୟଦେବ ଭବନ ନିକଟସ୍ଥ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରେ ମଧ୍ୟ ଦାନ ଅର୍ଥ ଜମା କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏହି ଅବସରରେ ପୁରୁଣା ବିଗ୍ରହ ମାନଙ୍କ ଶେଷ ସଂସ୍କାର ପାରମ୍ପରିକ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ ।

ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା । ଚଳିତ ବର୍ଷ ୧୮ ଜୁଲାଇ ରେ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ତ୍ରୟୋଦଶାହ, ନବ କଳେବର

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

June 2, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨ (ଓଡିଶା ଡଟ୍ କମ୍) ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଗଜ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜ ଶିଷ୍ୟ ମାନଙ୍କ ସହ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ।

ସକାଳେ ମହାପ୍ରଭୁଙ୍କୁ ମଙ୍ଗଳାର୍ପଣ, ଡୋର ଲାଗି, ପୁଷ୍ପାଞ୍ଜଳୀ ଲାଗି, ସୂର୍ଯ୍ୟପୂଜା, ଦ୍ୱାର ପୂଜା ପ୍ରଭୁତି ହେବା ପରେ ତିନିଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା । ମନ୍ଦିର ପ୍ରଶାସନ ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୬.୩୦ରେ ସାତଟାରେ ପହଣ୍ଡି ଆରମ୍ଭ ହୋଇ ୯.୧୦ ମିନିଟ ରେ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା । ମଙ୍ଗଳାଆରତୀ ୧୦.୫୫ ରେ, ଅବକାଶ ନୀତି ଦିନ ୧୨ ଟାରେ ଅନୁଷ୍ଠିତ ହୋଇଥିଲା ।

ଜ୍ୟେଷ୍ଠର ଅସହ୍ୟ ଗରମ ସହ୍ୟ କରି ନପାରି ଉତ୍ତର ଦିଗରେ ଅବସ୍ଥିତ ଗଭୀର କୂପର ଶୀତଳ ଜଳରେ ମହାପ୍ରଭୁ ସ୍ନାନ କରିଥିଲେ । ଆନନ୍ଦବଜାର ସ୍ଥିତ ଉତ୍ତର ପୂର୍ବ କୋଣରେ ରହିଥିବା ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ସ୍ନାନ ଅନୁଷ୍ଠିତ ହୋଇଥିଲା । ଜଳ ବିଜେ ପୂଜା ସ୍ନାନ ୧.୫୦ ରେ ଆରମ୍ଭ ହୋଇ ୩.୨୦ ରେ ସମାପ୍ତ ହୋଇଥିଲା ।

ପ୍ରାୟ ୩.୪୫ ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜ ଶିଷ୍ୟ ମାନଙ୍କ ସହ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଗଜପତିଙ୍କ ଦ୍ଵାରା ଛେରା ପହଁରା ପରେ, ୫ଟାରେ ଶ୍ରୀ ଜୀଉ ଗଜ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ରାତ୍ରିରେ ସାହାଣ ମେଳା ଅନୁଷ୍ଠିତ ହେବ । ଶତାବ୍ଦୀର ପ୍ରଥମ ନବ କଳେବର ହେବାକୁ ଯାଉଥିବାରୁ ରତ୍ନ ବେଦିରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନବେଦିରେ ଏହା ହେଉଛି ଶେଷ ଦର୍ଶନ । ଶ୍ରୀ ବିଗ୍ରହଙ୍କ ଏହି ଦିବ୍ୟ ଲୀଳା ଦେଖିବା ପାଇଁ ସାରା ରାଜ୍ୟରୁ ଭକ୍ତ ମାନେ ଆସିଥିବାରୁ ପୁରୀ ଲୋକାରଣ୍ୟ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଳିତ ମାସ ୧୫ ତାରିଖ ରେ ନବକଳେବର ଗୁପ୍ତ ନୀତି ସମାପ୍ତ ପରେ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାତାଳି କରାଯିବ ଓ ଜୁଲାଇ ୧୬ ତାରିଖରେ ନବ କଳେବର ନେଇଥିବା ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ବେଦିରେ ନବ ଯୌବନ ଦର୍ଶନ ଦେବେ ।

ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ସ୍ନାନ ଯାତ୍ରା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ