• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ବପର୍ବାଣୀ

ଚାନ୍ଦବାଲିରେ ଗୁଜରାଟୀ ସମାଜ ଦ୍ୱାରା ପବିତ୍ର ନବରାତ୍ରୀ ପର୍ବ ପାଳନ

October 7, 2022 by Jharana Jena Leave a Comment

ଚାନ୍ଦବାଲି ରେ “ଗୁଜରାଟୀ ସମାଜ ଚାନ୍ଦବାଲି” ଆନୁକୂଲ୍ୟରେ ପବିତ୍ର ନବରାତ୍ରୀ ପର୍ବ ମହାସମାରୋହ ରେ ପାଳନ କରାଯାଇଛି ।

ଚାନ୍ଦବାଲି ରେ ବାସ କରୁଥିବା ଗୁଜରାଟୀ ପରିବାରର ସମସ୍ତ ସଦସ୍ୟ ମାନେ ଏହି ଉତ୍ସବ ନଅ ଦିନ ଧରି ମା’ଙ୍କ ଆରାଧନା କରିବା ସହିତ ପାରମ୍ପାରିକ ଗରବା ଓ ଦାଣ୍ଡିଆ ନୃତ୍ୟରେ ର ଆୟୋଜନ କରିଥିଲେ।

ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜାକୁ ନେଇ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର।

ମା’ଙ୍କ ପାର୍ବଣ ପୂଜା କୁ ସାରା ଭାରତବର୍ଷ ରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଓଡିଶାରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଗୁଜରାଟରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ।

ଏହି ନବରାତ୍ରୀ ଅବସରରେ ଗୁଜୁରାଟ ର ଗରବା ସହ ଦାଣ୍ଡିଆ ନୃତ୍ୟ ମହୋତ୍ସବ ପାଳନ କରାଯାଇଥାଏ, ନଅଦିନ ଧରି ନବରାତ୍ରି ପାଳନ କରିବା ସହିତ ଉପବାସ ରଖି ଏହି ନବରାତ୍ରି ସମୟରେ ଦାଣ୍ଡିଆ, ଗରବା ଖେଳି ନଅ ଦିନର ଉତ୍ସବ କୁ ଆନନ୍ଦ ଉଲ୍ଲାସ ର ସହିତ ମହାଆଡମ୍ବର ସହକାରେ ପାଳନ କରିଥାନ୍ତି।

ମା’ଙ୍କ ଆଗମନ ସହିତ ପାରମ୍ପାରିକ ଗରବା ଓ ଦାଣ୍ଡିଆ ମହୋତ୍ସବ ରେ ସମସ୍ତେ ସାମିଲ ହୋଇ ଆନନ୍ଦ ଉଲ୍ଲାସ ର ସହିତ ପର୍ବଟିକୁ ପାଳନ କରାଯାଇଛି ବୋଲି “ଗୁଜରାଟୀ ସମାଜ ଚାନ୍ଦବାଲି” ସାଧାରଣ ସମ୍ପାଦକ ୟୋଗେଶ ଭାୟାଣୀ କହିଛନ୍ତି।

ସମାଜ ର ସଭାପତି ପ୍ରତାପ ଠକ୍କର କହିଥିଲେ ଯେ କରୋନା କଟକଣା ର ଦୁଇ ବର୍ଷ ବ୍ୟବଧାନ ପରେ ଏହି ଉତ୍ସବ ପୁଣି ଥରେ ଧୁମଧାମରେ ପାଳନ ହୋଇଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି।

ସମସ୍ତେ ଏକାଠି ହୋଇ ଏହି ପବିତ୍ର ଉତ୍ସବ ଟିକୁ ସୁନ୍ଦର ଭାବେ ପାନଳ କରିଥିବାରୁ, ସମାଜର ପୂର୍ବତ୍ତନ ସମ୍ପାଦକ ଭରତ ବାରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Jharana Jena
Jharana Jena

Filed Under: ପର୍ବପର୍ବାଣୀ Tagged With: ଓଡିଶା

କୁଲତା ସମାଜ କଲ୍ୟାଣ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

September 18, 2022 by Jharana Jena 1 Comment

ଭୁବନେଶ୍ୱର, ୧୮/୯: ସ୍ଥାନୀୟ ଡିପ୍ଲୋମା ଇଂଜିନିୟର୍ସ ସଂଘର ସମ୍ମିଳନୀକକ୍ଷରେ କୁଲତା ସମାଜ କଲ୍ୟାଣ ସଙ୍ଗଠନ, ଭୁବନେଶ୍ୱରର ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ କୁଲତା ସମାଜର ଇଷ୍ଟଦେବୀ ମା ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସଙ୍ଗଠନର ପୂର୍ବତନ ଉପଦେ‌ଷ୍ଟା ତଥା ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।

ସଙ୍ଗଠନର ସାଧାରଣ ସଂପାଦକ ମହେନ୍ଦ୍ର କୁମାର ବଢ଼ାଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ସୁଶାନ୍ତ କୁମାର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ ।

ସଙ୍ଗଠନର ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଏବଂ ଉପଦେଷ୍ଟା ଜଗଦୀଶ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷାବିତ୍ ଅର୍ଜୁନ ସାହୁ କୁଲତା ଜାତିର ଇତିହାସ ଏବଂ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।

ନିଜ ବକ୍ତବ୍ୟରେ ସଂପାଦକ ଶ୍ରୀ ବଢ଼ାଇ କହିଥିଲେ ଯେ କେଏସ୍‌କେଏସ୍ ଗତ ବର୍ଷକ ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୭୨ଟି ହୁଇଲ୍ ଚେୟାର ପ୍ରଦାନ କରିଛି ।

୪ଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ସହିତ ଭୁବନେଶ୍ୱର ଓ କଟକରେ ୨୪୦ ଜଣଙ୍କୁ ତଥା ବୁର୍ଲା ମେଡିକାଲରେ ୧୫୭ ଜଣଙ୍କୁ ସାହାଯ୍ୟ କରାଯାଇଛି।

୭୩ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନାଁ ଲେଖାଇବାରେ ସାହାଯ୍ୟ କରାଯାଇଛି। ବରିଷ୍ଠ ସାମ୍ବାଦିକ ଅଶୋକ ପ୍ରଧାନ, ଯୁବ ଲେଖକ କ୍ଷେତ୍ରବାସୀ ନାଏକ ଏବଂ ସିମ୍‌ରନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଦ୍ମପୁରର ସଙ୍ଗୀତ ସମିତି ଅନୁଷ୍ଠାନ ଲୋକନୃତ୍ୟ ପ୍ରଦର୍ଶନ କରିଥିବାବେଳେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସହସଂପାଦକ ଜୟଜଗତ ସାହୁ, କୋଷାଧ୍ୟକ୍ଷ କ୍ଷୀରସାଗର ଦୁଆନ, କାର୍ଯ୍ୟନିର୍ବାହୀ ସଦସ୍ୟ ତୀର୍ଥବାସୀ ସାହୁ, ସୁନୀଲ କୁମାର ପ୍ରଧାନ, ସରୋଜ ସାହୁ, ଶଙ୍କର ପ୍ରଧାନ, ସନ୍ତୋଷ ନାଏକ, ମଂଜୁଶ୍ରୀ ବଢ଼ାଇ, ସ୍ନିଗ୍ଧାରାଣୀ ସାହୁ, ତାପସୀ ପ୍ରଧାନ ଏବଂ ବିନତା ନାଏକ ।

Jharana Jena
Jharana Jena

Filed Under: ପର୍ବପର୍ବାଣୀ Tagged With: ଓଡିଶା, ମୁଖ୍ୟ ଖବର

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

July 8, 2019 by କେଦାର ମିଶ୍ର Leave a Comment

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥ କର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକ ଠାରୁ ବିପୁଳ କର ଆଦାୟ କରୁଥିଲେ ।

ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଧା ର ଗଜପତି ରାଜା ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।

ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ ଓ କିମ୍ବଦନ୍ତି ମୂଳକ ଆଲୋଚନା ରୁ କେତୋଟି ବିଶେଷ ଅନାଲୋଚିତ ତଥ୍ୟ-

୧. ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଂକୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଛନ୍ତି । ତେଣୁ ଏହା ମହାପ୍ରଭୁଂକ ନିଜ ଇଚ୍ଛା ର ଯାତ୍ରା ।

ଏହି ଯାତ୍ରା ରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।

୨. ଶ୍ରୀ ମନ୍ଦିର ଠାରୁ ତିନି କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିର କୁ ଶ୍ରୀ ଜଗନ୍ନାଥଂକ ଜନ୍ମବେଦୀ ବୋଲି ମଧ୍ୟ କୁହାଯାଇଥାଏ ।ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ଜଗନ୍ନାଥ ନିଜେ କହୁଛନ୍ତି – ଆଷାଢ଼ ଶୁକ୍ଲ ଦ୍ଵିତୀୟା ଦିନ ଆମ୍ଭଙ୍କୁ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସେଇ ମହାବେଦୀ କୁ ରଥରେ ବସାଇ ଘେନିଯିବ ।

ସେହି ମହାବେଦୀ ଆମ୍ଭର ଆଦ୍ୟ ପୀଠ ଓ ସେଠାରେ ତୁମେ ରାଜା ଇନ୍ଦ୍ରଦ୍ୟୁମ୍ଣ ହଜାରେ ଅଶ୍ଵମେଧ ଯଜ୍ଞ କରିଛ । (ଉତ୍କଳ ଖଣ୍ଡ-୨୯/୩୪)

୩. କପିଳ ସଂହିତା, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନିଳାଦ୍ରୀ ମହୋଦୟ ଇତ୍ୟାଦି ଗ୍ରନ୍ଥରେ ରଥଯାତ୍ରା ର ପ୍ରାଚୀନ ବିବରଣୀ ଲିଖିତ ହୋଇ ରହିଛି। ସେହି ପରି ମାଦଳା ପାଂଜୀ ରେ ମଧ୍ୟ ରଥ ଯାତ୍ରା ଓ ତାର ବିଭିନ୍ନ ସମୟର ସମସ୍ୟା-ସଂକଟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

୪. ପ୍ରଥମ ରଥଯାତ୍ରା ସମ୍ପର୍କିତ ତଥ୍ୟ ମାଦଳା ପାଂଜିରେ କେଶରୀ ବଂଶ ର ଆଲୋଚନା ରୁ ମିଳିଥାଏ ।ମୁରାରୀ କବିଙ୍କର “ଅନର୍ଘ ରାଘବ” ( ଦଶମ ଶତାବ୍ଦୀ ) ନାଟକରେ ମଧ୍ୟ ରଥ ଯାତ୍ରାର ଉଲ୍ଲେଖ ରହିଛି । କେତେକଂକ ମତରେ ରଥଯାତ୍ରାରେ ବୌଦ୍ଧ ଓ ଜୈନ ପରମ୍ପରା ଓ କିଛି କିଛି ତନ୍ତ୍ର ପରମ୍ପରାର ପ୍ରଭାବ ରହିଛି ବୋଲି ମଧ୍ୟ କୁହାଯାଏ ।

୫. ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ରଥକୁ ଶରୀର ଓ ଚଳନ୍ତି ଦେଉଳ ସହ ତୁଳନା କରାଯାଇଛି । ତେବେ ସାମାଜିକ ଇତିହାସ ଦୃଷ୍ଟିରୁ ଏହା ଓଡିଶାର ସବୁଠୁ ବଡ ରାଜନୈତିକ ଯାତ୍ରା । ଏହାର ଏକମାତ୍ର କାରଣ ହେଉଛି ମହାପ୍ରଭୁ ଶହ ଶହ ବର୍ଷ ଧରି ଓଡିଶାର ରାଜାଧିରାଜ ଓ ଓଡିଶାର ଗଜପତି ତାଂକର ରାଉତ ବୋଲି ସ୍ଵୀକାର କରିବା ।

ତେଣୁ ମହାପ୍ରଭୁଂକ ଉପରେ ବାହ୍ୟ ଆକ୍ରମଣକାରୀ ଓ ଲୁଂଠନକାରୀ ସବୁବେଳେ ଦାଉ ସାଧିଛନ୍ତି ।

୬. ଶ୍ରୀ ମନ୍ଦିର ଉପରେ ଯବନ ରକ୍ତବାହୁ ଠାରୁ ଆରମ୍ଭ କରି ତକି ଖାନ୍ ପର୍ଯ୍ୟନ୍ତ ବହୁ ଆକ୍ରମଣକାରୀ ଲୋଳୁପ ନଜର ପକାଇଛନ୍ତି। ତେବେ ୧୬୦୯ ମସିହାରେ ମୋଗଲ ଦରବାରରେ ସେନାପତି ଥିବା ହିନ୍ଦୁ ରାଜପୁତ୍ କେଶୋଦାସ୍ ମାରୋ ରଥଯାତ୍ରା ସମୟରେ ପୁରୀ ଆକ୍ରମଣ କରିଥିଲା ।

୭. କେସୋଦାସ ମାରୋ ର ରଥଯାତ୍ରା ଆକ୍ରମଣ ବିଷୟ ଉଲ୍ଲେଖ କରି ମାଦଳା ପାଂଜୀ ରେ ଲେଖା ଅଛି- “ଏ ମହାରାଜାଂକ ଯାତ୍ରୀ ପଣେ କେଶୋଦାସ ମାରୁ ଆସି ଗୁଣ୍ଡିଚା ଯାତ୍ରା ଦେଖି ଦୁଇ ଦେଉଳ ଧଇଲା ।

ପରମେଶ୍ବର ଗୁଣ୍ଡିଚା ଘରେ ବିଜେ କରିଥିଲେ।ତିନି ରଥ ପୋଡି ଦେଲା । ଗୁଣ୍ଡିଚା ଘରେ ଅନେକ ମାଇଲା” ରଥ ଯାତ୍ରା ସମୟରେ ଏହା ବୋଧ ହୁଏ ସବୁଠୁ ବଡ ଆକ୍ରମଣ ଯାହା ଜଣେ ହିନ୍ଦୁ ସେନାପତିଂକ ଦ୍ଵାରା ସଂଗଠିତ ହୋଇଥିଲା ।

୮. ସେହିପରି ଗଜପତି ପଦକୁ ନେଇ ମଧ୍ୟ ଅନେକ ସମୟରେ ଖୁର୍ଧା ଓ ପାରଲାଖେମଣ୍ଡି ରାଜ ପରିବାର ମଧ୍ୟରେ କଳହ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ।

୧୨ ଜୁଲାଇ ୧୭୫୩ ମସିହା ରେ ପାରଳା ରାଜା ଜଗନ୍ନାଥ ନାରାୟଣ ଦେଓ ଓ ତାଂକ ଭାଇ ନିଜକୁ ଗଜପତି ବୋଲି ରଥଯାତ୍ରା ସମୟରେ ଘୋଷଣା କରି ରଥ ଦଖଲ କରି ନେଇଥିଲେ । ସେବାୟତଂକ କୌଶଳ କ୍ରମେ ଖୁର୍ଧା ଗଜପତି ପୁଣି ଶ୍ରୀ ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାରେ ସଫଳ ହୋଇଥିଲେ।

୯. ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶା ଦଖଲ କଲେ ।୧୮୦୪ ରେ କଟକର ଗୋରା କମିଶନର୍ ଜନ ମେଲଭିଲ୍ ରଥଯାତ୍ରା ଦେଖିବାକୁ ଆସି ନିଜ ରିପୋର୍ଟ୍ ରେ ଲେଖିଲେ ଯେ- “ମୁଁ ପୂରୀରେ ପହଂଚିଲା ମାତ୍ରେ ଯାତ୍ରୀ ଓ ସେବାୟତ ମାନେ କରତାଳି ତଥା କୋଳାହଳ ମାଧ୍ୟମରେ ମୋତେ ସ୍ଵାଗତ ଜଣାଇଲେ ।

ଏଥିରୁ ମୋତେ ଲାଗୁଚି ଯେ ସେବାୟତ ଓ ଯାତ୍ରୀଂକ ମନରେ ବ୍ରିଟିଶ୍ ସରକାରଂକ ପ୍ରତି ଉତ୍ତମ ମନୋଭାବ ରହିଛି ।ସୁତରାଂ ଜଗନ୍ନାଥ ରଥଯାତ୍ରା ଯଥାବିଧି ଚାଲୁ ବୋଲି ମୁଁ ଅନୁମୋଦନ କରୁଅଛି।“ ତା’ ପରଠୁ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ରେ ଅନୁପ୍ରବେଶ କରିନାହାନ୍ତି ।

୧୦. ରଥଯାତ୍ରା ର ପରିଚାଳନା ଲାଗି ଗଜପତି ଅମଳରୁ ଆଜି ଯାଏଁ ବହୁ ନିୟମ ଓ ବିଧାନ ଗଢା ହୋଇଛି, ଭଂଗା ମଧ୍ୟ ହୋଇଛି । ତେବେ ରଥଯାତ୍ରା ସହ ସାଧାରଣ ଭକ୍ତଂକ ଆବେଗ ଶହ ଶହ ବର୍ଷ ଧରି ଯେମିତି କି ସେମିତି ରହିଛି। ଏହାହିଁ ରଥଯାତ୍ରାର ସବୁଠୁ ବଡ ସାର୍ଥକତା ।

ସୌଜନ୍ୟ: ଓଡିଶା ଡଟ କମ

କେଦାର ମିଶ୍ର
କେଦାର ମିଶ୍ର

Filed Under: ପର୍ବପର୍ବାଣୀ Tagged With: ପର୍ବପର୍ବାଣୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ