• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମତାମତ

ବୟସ୍କମାନଙ୍କ ବର୍ତ୍ତମାନ ସ୍ଥିତି, ଆଧୁନିକ ଭାରତର ଏକ ଦୁଖଦଃ ବାସ୍ତବତାକୁ ପ୍ରତିଫଳିତ କରେ: ବିଶେଷଜ୍ଞ

September 14, 2022 by Jharana Jena Leave a Comment

ଭୁବନେଶ୍ୱର: ଯେତେବେଳେ ବୟସ୍କ ଏବଂ ଯୁବକମାନେ ଅର୍ଥପୂର୍ଣ୍ଣ ସମ୍ପର୍କ ଗଠନ କରନ୍ତି, ଏହା ଉଭୟ ଗୋଷ୍ଠୀର ସୁସ୍ଥତାକୁ ଉନ୍ନତ କରିଥାଏ |

ବୟସ୍କମାନେ ନିଜର ଅଭିଜ୍ଞତା ଓ ଜ୍ଞାନକୁ ପ୍ରଦାନ କରିଥାନ୍ତି ଏବଂ ଯୁବଗୋଷ୍ଠୀ ସେମାନଙ୍କର ବିଚ୍ଛିନ୍ନତା ଏବଂ ଏକାକୀତାକୁ ଏଡ଼ାଇବାରେ ସାହାଯ୍ୟ କରିଥାନ୍ତି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଆଜି ଏକ କର୍ମଶାଳାରେ ମତବ୍ୟକ୍ତ କରିଛନ୍ତି |

ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ପାଇଁ ଉତ୍କର୍ଷ ଏବଂ ଇକ୍ୱିଟି (ଓ.ଏଚ.ଇ.ପି.ଇ.ଇ.) ସହଯୋଗରେ ସମାଜବିଜ୍ଞାନ ବିଭାଗ ଏବଂ ନୃତତ୍ତ୍ବ ବିଭାଗ ଦ୍ୱାରା ଆୟୋଜିତ “ବୃଦ୍ଧ ଏବଂ ବହିଷ୍କାର: ଅନ୍ତର୍ଭୂକ୍ତ ପାଇଁ ଏକ ମାର୍ଗ” ଉପରେ ଏକ ଆନ୍ତର୍ଜାତୀୟ କର୍ମଶାଳାରେ ଯୋଗ ଦେଇ ସେ କହିଛନ୍ତି ଆଜିର ଦିନରେ ପ୍ରାପ୍ତବୟସ୍କ ବ୍ୟକ୍ତିମାନେ ପ୍ରାୟତ ଅଣଦେଖା ଏବଂ ଭେଦଭାବରେ ଶିକାର ହେଉଛନ୍ତି |

ଉତ୍ତରାଖଣ୍ଡରେ ହରିଦ୍ୱାରର ଘଟଣାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଅଭିଭାବକମାନେ କେବଳ ସେମାନଙ୍କ ପିଲାମାନଙ୍କର ଶିକ୍ଷା ବିଷୟରେ ଚିନ୍ତିତ |

ସେମାନେ ଭୁଲି ଯାଇଛନ୍ତି ଯେ ପିଲାମାନଙ୍କ ମନରେ ସାମାଜିକ ତଥା ପାରିବାରିକ ମୂଲ୍ୟବୋଧ ଦେବା ମଧ୍ୟ ସେମାନଙ୍କର କର୍ତ୍ତବ୍ୟ |

ହରିଦ୍ୱାରରେ ଏକ ଦମ୍ପତିଙ୍କ ପିତାମାତା ସେମାନଙ୍କର ଏକମାତ୍ର ପୁଅ ଏବଂ ତାଙ୍କ ପତ୍ନୀଙ୍କୁ ବିବାହର ଦୀର୍ଘ ବର୍ଷ ପରେ ନାତି ନଦେବା ଅଭିଯୋଗରେ ସ୍ଥାନୀୟ କୋର୍ଟରେ ମକଦ୍ଦମା କରିଥିଲେ |

ମିଳିତ ପରିବାର ବ୍ୟବସ୍ଥାର ପତନ ଏଭଳି ଘଟଣାର ମୁଖ୍ୟ କାରଣ ବୋଲି ସେ କହିଥିଲେ |

ଏହି କର୍ମଶାଳାକୁ ସମ୍ବୋଧିତ କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବୃଦ୍ଧ ମହିଳାଙ୍କ ଅବସ୍ଥା ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଧିକରୁ ଅଧିକ ବରିଷ୍ଠ ନାଗରିକମାନେ ନିଜ ପୁଅ ଏବଂ ବୋହୂ ଦ୍ୱାରା ପରିତ୍ୟକ୍ତ ହୋଇ ସହରଗୁଡିକରେ ଵୃଦ୍ଧାଶ୍ରମକୁ ଯାଉଛନ୍ତି |

ଆଜିକାଲି ପିଲାମାନେ ସେମାନଙ୍କର ନିର୍ଭରଶୀଳ ପିତାମାତାଙ୍କର ଯତ୍ନ ନେବାକୁ ଚାହାଁନ୍ତି ନାହିଁ | ଅନ୍ୟ ପଟେ ଆଦିବାସୀମାନେ ସେମାନଙ୍କ ପିତାମାତାଙ୍କ ସହ ରୁହନ୍ତି | ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଅପେକ୍ଷା ଆଦିବାସୀ ସମାଜ ବହୁତ ଭଲ ବୋଲି ସେ କହିଛନ୍ତି।

ପିଜି ପରିଷଦର ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ନିଜର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଆମର ଜୀବନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ ହିଁ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛି |

ଅଧିକାଂଶ ଲୋକ ସୁସ୍ଥ ଜୀବନଯାପନ କରୁନଥିବାବେଳେ ସହରୀ ଲୋକମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ। ଯୁବ ପିଢ଼ି ବୃଦ୍ଧଙ୍କୁ ସମ୍ମାନ ଦେବା ଏବଂ ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓ.ଏଚ.ଇ.ପି.ଇ.ଇ.ର ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ କହିଛନ୍ତି ଯେ ଭାରତରେ ବୟସ୍କଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉଚିତ |

ସମାଜବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ନବନୀତା ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ |

ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର କାହ୍ନୁ ଚରଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଶାଖା ଏହାକୁ ସଂଯୋଜନା କରିଥିଲା ।

ସମାଜବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡ଼.ରବୀନ୍ଦ୍ର ଗରାଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନ୍ୟ ଏକ ବୈଷୟିକ ଅଧିବେଶନରେ ପ୍ରଫେସର ପାଣ୍ଡେ, କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ. ମୋନାଲିସା ବଳ ଏବଂ ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ପାତ୍ର ‘ବୃଦ୍ଧଙ୍କ ସାମାଜିକ ବହିଷ୍କାର’ ବିଷୟରେ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନୃତତ୍ତ୍ବ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସୁରେଶ ଚନ୍ଦ୍ର ମୁର୍ମୁ ଏବଂ ସହକାରୀ ପ୍ରଫେସର ଡକ୍ଟର ପ୍ରିୟଙ୍କା ଖୁରାନା ଉପସ୍ଥିତ ଥିଲେ।

Jharana Jena
Jharana Jena

Filed Under: ମତାମତ Tagged With: ଓଡିଶା

ଭୀମଭୋଇ – ମା’ ଅନ୍ନପୂର୍ଣ୍ଣା

July 26, 2022 by ବିଷ୍ଣୁପଦ ସେଠୀ 7 Comments

ବିଷ୍ଣୁପଦ ସେଠୀ

ସୋନପୁର ସହର ଠାରୁ ୨୦ କି.ମି. ଦୂରରେ ଅବସ୍ଥିତ କ୍ଷୁଦ୍ର ଖଲିଆପାଲି ଗ୍ରାମ ମହିମାଧର୍ମର ଆଦ୍ୟଉଦ୍‌ଗାତା ସନ୍ଥକବିଙ୍କ ସମାଧିପୀଠକୁ ଧାରଣ କରି ଆଜି ଏକ ପୁଣ୍ୟକ୍ଷେତ୍ର ରୂପେ ସୁପରିଚିତ ।

ଏକ ମନୋରମ ଉଚ୍ଚ ମନ୍ଦିର ମଧ୍ୟରେ ସନ୍ଥ କବି ଭୀମଭୋଇ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ସମାଧିସ୍ଥ କରାଯାଇଥିବାରୁ ଏହା ସମାଧି ମନ୍ଦିର ରୂପେ ଖ୍ୟାତ ।

ଏହାର ପଶ୍ଚାତଭାଗରେ ଏକ ସମତଳ ଛାତ ବିଶିଷ୍ଟ ଉପାସନା ଗୃହରେ ସନ୍ଥକବି ଭୀମଭୋଇ ଏବଂ ତାଙ୍କ ଆଧ୍ୟାତ୍ମିକ ସଂଗିନୀ ମା’ ଅନ୍ନପୂର୍ଣ୍ଣାଙ୍କ ରୌପ୍ୟ ପ୍ରଲେପଯୁକ୍ତ ପାଦୁକାକୁ ରଖାଯାଇ ନିତ୍ୟ ନୈମିତ୍ତକ ଭାବରେ ପୂଜାରାଧନା କରାଯାଇଥାଏ । ସକାଳେ-ସନ୍ଧ୍ୟାରେ ଘଣ୍ଟଶଙ୍ଖ ହୁଳହୁଳି ମଧ୍ୟରେ ଆଳତୀ ହୋଇଥାଏ ।

ଅପରାହ୍ନରେ ବହୁ ନିଷ୍ଠାର ସହ ପୂଜାରୀ ବାବା ଅନ୍ନଭୋଗ ଲଗାଇଥାନ୍ତି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମାଘମେଳା ଅନୁଷ୍ଠିତ ହୋଇଥାଏ ପ୍ରଭୁଙ୍କର ପୂଜା ଆରାଧନା ପୂର୍ବକ ଆଶୀର୍ବାଦ ଲାଭ କରି ନିଜର ଅଭୀଷ୍ଠ ସିଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି ।

ଉନବିଂଶ ଶତାବ୍ଦୀରେ ଧର୍ମ ଏବଂ ସାମାଜିକ ଦୃଷ୍ଟିକୋଣରୁ ଏକ ଯୁଗସନ୍ଧି କାଳରେ ଓଡିଶା ମାଟିରୁ ମହିମା ଧର୍ମ ଏକ ଯୁଗ ଧର୍ମ ରୂପେ ଉନ୍ମେଷ ଲାଭ କରିଥିଲା । ଏହା ଓଡିଶା ନିଜସ୍ୱ ଧର୍ମ ଚେତନା ।

ସେହିକାଳରେ ବର୍ଣ୍ଣାଶ୍ରମ ଧର୍ମର ପ୍ରାବଲ୍ୟ ହେତୁ ସମାଜର ନିମ୍ନ ତଥା ଅବହେଳିତ ସ୍ତରର ଜନସାଧାରଣ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଥିଲେ । କୁସଂସ୍କାର ଏବଂ ଧର୍ମାନ୍ଧତା ସମ୍ପୂର୍ଣ୍ଣରୂପେ ଆଚ୍ଛାଦିତ କରିଥିଲା ।

ଜାତିଭେଦର ପ୍ରାଚୀର ଦୃଢଭାବେ ଛିଡା ହୋଇ ମଣିଷ ମଣିଷ ମଧ୍ୟରେ ସମସ୍ତ ଦିଗରୁ ବିରାଟ ବ୍ୟବଧାନ ସୃଷ୍ଟି କରୁଥିଲା ।

ଏହି କାଳରେ ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ ଏସବୁର ତୀବ୍ର ପ୍ରତିବାଦ କରି ବିଶ୍ୱ କଲ୍ୟାଣ ନିମନ୍ତେ ଏକ ନୂତନ ଧର୍ମର ପ୍ରତିଷ୍ଠା କଲେ ଯାହାକି ମହିମା ଧର୍ମ ନାମରେ ପରିଚିତ ।

ରେଢାଖୋଲ ଏବଂ ବୀର ମହାରାଜାପୁର ଅଞ୍ଚଳରେ ରହୁଥିବା ଭୀମଭୋଇଙ୍କ ଗ୍ରାମଡ଼ିହା ଗ୍ରାମକୁ ରାତ୍ରରେ ମହିମା ଗୋସାଇଁ ନିଜର ପ୍ରଥମ ଶିଷ୍ୟ ସିଦ୍ଧ ଗୋବିନ୍ଦ ବାବାଙ୍କ ସାଙ୍ଗରେ ଆସି ଭୀମଭୋଇଙ୍କୁ ଧର୍ମରେ ଦୀକ୍ଷିତ କଲେ ଏବଂ ନିଜ ଭଜନ ଜଣାଣ ମାଧ୍ୟମରେ ମହିମା ଧର୍ମର ପ୍ରଚାର ପ୍ରସାର କରିବାକୁ ଆଶୀର୍ବାଦ ଦେଲେ ।

ପୂର୍ବରୁ ଭୀମଭୋଇ ଜଣେ ଲୋକକବି ଭାବରେ ନିଜ ଅଞ୍ଚଳରେ ପ୍ରତିଷ୍ଠା ପାଇପାରିଥିଲେ । ଏହା ପରେ ସେ ହେଲେ ମହିମା ଧର୍ମର ଆଦିକବି, ସନ୍ଥକବି ଏବଂ ଜୀବନ୍ତ ଦେବତା ।

ଭୀମଭୋଇ ୧୮୭୭ ମସିହାରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗିନୀ ମା ଅନ୍ନପୂର୍ଣ୍ଣା ଏବଂ ଶିଷ୍ୟ ମାନଙ୍କୁ ସାଙ୍ଗରେ ନେଇ ଖଲିଆପାଲିରେ ପହଞ୍ଚନ୍ତି ଏବଂ ଖଲିଆପାଲି ଆଶ୍ରମ ହୁଏ ତାଙ୍କର ସାଧନା, ସିଦ୍ଧି ଏବଂ ସମାଧିକ୍ଷେତ୍ର; ପରବର୍ତ୍ତୀ କାଳରେ ମହିମା ଧର୍ମର ପୁଣ୍ୟପୀଠ ।

ଭୀମଭୋଇ ଥିଲେ ମାନବବାଦୀ ଏବଂ ଉଦାର ଚେତନାର କବି; ପ୍ରେମ ଏବଂ କରୁଣାର ଅବତାର ।

ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡର କଲ୍ଯାଣ ନିମନ୍ତେ , ଦୁଃଖ କ୍ଳେଶରେ ଜର୍ଜରିତ ମଣିଷର ମୁକ୍ତି ନିମନ୍ତେ ସେ ବାରମ୍ବାର ଅଶ୍ରୁଳ ନୟନରେ ପ୍ରଭୁଙ୍କ ଠାରେ ପ୍ରାଥନ କରିଛନ୍ତି ଏବଂ ଏହିସବୁ ସମ୍ବେଦନଶୀଳ ପଂକ୍ତି ବିଶ୍ବ ସାହିତ୍ୟର ଅମୂଲ୍ୟ ସମ୍ପତ୍ତ ହୋଇ ରହିଥିବ । ନିମ୍ନତମ ସ୍ତରର ମଣିଷକୁ ଉଦବେଳିତ କଲା ।

ଭୀମଭୋଇଙ୍କ କାବ୍ୟ କବିତା ମାଧ୍ୟମରେ ମହିମା ଧର୍ମ ଦୂରଦୂରାନ୍ତଙ୍କୁ ବ୍ଯାପୀ ଗଲା । ଭକ୍ତ ତଥା ଜନତାଙ୍କ ପାଇଁ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣା ଜୀବିତାବସ୍ଥାରୁ ଦେବ ଦେବୀ ରୂପେ ଗୃହୀତ ହୋଇଗଲେ ।

ମାଘମେଳା ଅବସରେରେ ଏକ ଅଷ୍ଟପୀଢ ବେଦୀକାର ଚତୁର୍ପାଶ୍ବରେ ୧୦୮ ଗୋଟି ପୂର୍ଣକୁମ୍ଭ ସ୍ଥାପନ ପୂର୍ବକ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କୁ ବସାଇ ଭକ୍ତ ମାନେ ପୂଜା ଆରାଧନା କଲେ । ଖଲିଆପାଲି ଏକ ମହାପୁଣ୍ୟ କ୍ଷେତ୍ରରେ ରୂପାନ୍ତରିତ ହୋଇଗଲା । ଏଠାରୁ “ଜଗତ ଉଦ୍ଧାର” ମନ୍ତ୍ର ଗଗନ ପବନରେ ନିନାଦିତ ହେଲା ।

୧୮୯୫ ମସିହା ଶିବ ଚତୁର୍ଦ୍ଦଶୀର ବ୍ରାହ୍ମ ମୂହୁର୍ତ୍ତରେ ଭୀମଭୋଇ ଖଲିଆପାଲି ଆଶ୍ରମରେ ଦେହତ୍ୟାଗ କଲେ। ପଟ୍ଟ ଶିଷ୍ୟ ହରିପଣ୍ଡା, ବାସୁପଣ୍ଡା ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ସମାଧି ନିର୍ମିତି ହେଲା ପରେ ଭୀମଭୋଇଙ୍କ ର୍ପାଶ୍ବରେ ମା’ ଅନ୍ନପୂର୍ଣ୍ଣାଙ୍କୁ ମଧ୍ୟ ସମାଧିସ୍ଥିତ କରାଗଲା।

ଏହାର ପଶ୍ଚାତ୍ ଭାଗରେ ଅର୍ଥାତ ଭୀମଭୋଇଙ୍କ ସାଧନା ସ୍ଥଳରେ ଭୀମଭୋଇ ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ପାଦୁକା ରଖାଯାଇ ପୂଜା ଆରଧନା କରାଯାଉଛି ।

ପ୍ରତ୍ୟହ ଜଗତ ଏବଂ ଭଗତର ମଙ୍ଗଳ ସକାଶେ ଊର୍ଦ୍ଧ୍ଵକୁ ହାତଟେକି ବାବା, ମାତା ତଥା ଭକ୍ତମାନଙ୍କ ଡାକ ଚଉଦିଗରେ ପ୍ରକମ୍ପିତ ହୋଇଥାଏ ।

ସମାଧି ମନ୍ଦିର କବାଟ କେବଳ ପୂର୍ଣ୍ଣମୀ ଦିନ ଭକ୍ତ ମାନଙ୍କ ସକାଶେ ଖୋଲିଥାଏ । କବାଟ ବନ୍ଦ ଥିଲେ ମଧ୍ୟ ଦରଦୀ-ଅନୁଭବୀ ଭକ୍ତଟିଏ ଜ୍ଞାନନେତ୍ରରେ ପ୍ରଭୁଙ୍କୁ ଦେଖିପାରିବ ; ଏହି ପୀଠର ଶକ୍ତିକୁ ଅନୁଭବ କରିପାରିବ ଏବଂ ବିଶ୍ଵପ୍ରେମ ତଥା ଭ୍ରାତୃତ୍ଵ ବୋଧରେ କିଞ୍ଚିତ ଭାବରେ ହେଉ ପଛେ ଅନୁପ୍ରାଣିତ ହୋଇପାରିବ ।

ଭୀମଭୋଇ ଗୋଟିଏ ଭଜନରେ ଲେଖିଛନ୍ତି ;
ଦୁଆରୀ ଜଗି ଅଛି, ଗଳି ନ ପାରେ ମାଛି
ଶତେ କବାଟ ଲାଗି, ମୁଦା ପଡିଛି କଞ୍ଚି
ହସ୍ତରେ ନ ଫିଟଇ, ଅନୁଭବେ ଫିଟୁଛି
ଜ୍ଞାନୀକି ଜ୍ଞାନନେତ୍ର ଝଟଝଟ ଦିଶୁଚି ।

ଏହି ଦେବ ପୀଠକୁ ପ୍ରଣାମ ଜଣାଉଛି ଏବଂ କବିଙ୍କ ଜଗତ ଉଦ୍ଧାର ମନ୍ତ୍ର ଉଚ୍ଚାରଣ କରୁଛି ।

 

ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟ ପ୍ରଶାସନରେ ଜଣେ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

Filed Under: ମତାମତ Tagged With: ମହିମା ଧର୍ମ

ସାମାଜିକ ସଶକ୍ତିକରଣର ପ୍ରତୀକ: ଦ୍ରୌପଦୀ ମୁର୍ମୁ

July 24, 2022 by admin Leave a Comment

ଅମାତ୍ୟ କୁମାର ପ୍ରଧାନ

ଆଜି ଦିନଟି ଓଡିଶା ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ସବୁଠାରୁ ବଡ ସମ୍ବିଧାନିକ ପଦରେ ଆସୀନ ହେବେ ।

ସମଗ୍ର ମହିଳା ବର୍ଗ ବିଶେଷ ଭାବେ ଆଦିବାସୀ ଓ ସମଗ୍ର ଓଡିଶା ରାଜ୍ୟ ଯେଉଁଠି ୨୩% ଅର୍ଥାତ ଏକ ଚତୃଥାଂଶ ଜନସଂଖ୍ୟା ଆଦିବାସୀ ସେମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଘଟଣା।

ଭାରତ ଗଠନରେ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶ ମାତୃକା ପାଇଁ ନିଜର ପ୍ରାଣବଳି ଦେଇଥିବା ବିଭିନ୍ନ ବ୍ୟକ୍ତି ଓ ବର୍ଗ ବିଶେଷ ମାନଙ୍କ ଯୋଗଦାନକୁ ଆମେ ଯଦି ଆକଳନ କରିବା ତେବେ ଆଗଧାଡ଼ିରେ ଆସିବ ସରଳ ,ନିଷ୍କପଟ ,ଆଦିବାସୀ ସମ୍ପ୍ରଦାୟର ବୀର /ଵୀରାଂଗନା ମାନଙ୍କ ବଳିଦାନର କାହାଣୀ ।

ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ପଦାର୍ପଣରେ ଦେଶ ଯେତେବେଳେ ” ଆଜାଦୀ କା ଅମୃତ ମହୋତ୍ସବ ” ପାଳନ କରୁଛି ଏହିଭଳି ବୀର ମାନଙ୍କ ବୀରତ୍ୱର ଅନାଲୋଚିତ ଗାଥା ଜନ ସାଧାରଣ ଙ୍କ ସାମ୍ନାକୁ ଆସିବା ବିଧେୟ ।

କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଏହି ଅମୃତ ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅବସରରେ ସମ୍ପୃକ୍ତ ମନ୍ତ୍ରାଳୟ ତରଫରୁ ଅନେକ ଐତିହାସିକ ଗାଥାକୁ ପୁନରୁତ୍ଜୀବିତ କରିବା ପ୍ରୟାସ କଥା କୁହାଯାଇଛି ।

ମନ୍ତ୍ରାଳୟ ତରଫରୁ ସଦ୍ୟ ପ୍ରକାଶିତ ସୂଚନାରୁ ଆମେ ଜାଣି ପାରିବା ଯେ ସର୍ବ ଭାରତୀୟ ସ୍ତରରେ ପ୍ରମୁଖ ଆଦିବାସୀ ନେତୃତ୍ୱ ଯଥା ଝାରଖଣ୍ଡର ବିର୍ସା ମୁଂଡା, କାଁହୁ ମୁର୍ମୁ, /ଆନ୍ଧ୍ର ପ୍ରଦେଶର ଅଲୁରୀ ସୀତାରାମ ରାଜୁ ,ମଣିପୁରର ରାନୀ ଗିଦିନିଲୁ ,ବିହାରର ତିଳକ ମାଂଝୀ ,ମେଘାଳୟର ତୀରଥ ସିଂ ,ରାଜସ୍ଥାନ ର ଗୋବିନ୍ଦ ଗୁରୁ ପ୍ରଭୁତି ଆଦିବାସୀ ନେତା ଙ୍କ ନାମ ସର୍ବାଗ୍ରେ ରହିବ ।

ସେହିଭଳି ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ବୀର ଯେଉଁ ମାନେ ଇଂରେଜ ଉପନିବେଶବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜର ସର୍ବସ୍ବ ବଳିଦାନ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ,ଘୁମଷର ଅଂଚଳର ଚକ୍ରା ବିଶୋଇ ଓ ଦୋରା ବିଶୋଇ ,କେନ୍ଦୁଝରର ଧରଣୀଧର ନାୟକ ,କୋରାପୁଟର ଲକ୍ଷ୍ମଣ ନାୟକ ,ବରଗଡ ର ହଟେ ସିଂ ,ମାଧୋ ସିଂ ,ଅଇରୀ ସିଂ ,ବୈରୀ ସିଂ ,କୁଞ୍ଜେଲ ସିଂ ,ସୁନ୍ଦରଗଡ ର ମାଦ୍ରୀ କଲୋ ପ୍ରମୁଖ ।

ତେବେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଦେଶ ଗଠନ ପାଇଁ ଅର୍ପଣ କରିଥିବା ପରିମାଣ ତୁଳନାରେ ପରବର୍ତୀ ସମୟରେ ସେମାନଙ୍କ ରାଜନୈତିକ ,ସାମାଜିକ ,ଆର୍ଥିକ,ସାଂସ୍କୃତିକ ଦୃଶ୍ୟପଟ୍ଟରେ ସେମାନଙ୍କ ପ୍ରାଧିନିଧିତ୍ବ ଅତି ନଗଣ୍ୟ ।

ସ୍ୱାଧୀନତା ପରବର୍ତୀ ସମୟରେ ଭାରତୀୟ ରାଜନୀତି ,ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପରିବାର ବାଦ ର ଦୁଶ୍ଚକ୍ର ଦ୍ୱାରା କବଳିତ ହେବ। ସାଧାରଣ ତଥା ନିମ୍ନ ବର୍ଗର ପ୍ରତିନିଧିତ୍ବ ପାଇଁ ଏକ ବିରାଟ ପ୍ରତିବନ୍ଧକ ସାବ୍ୟସ୍ତ ହେଲା ।

ଏ ପୃଷ୍ଠଭୂମିରେ ଓଡିଶାର ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଆସୀନ ହେବା ସମଗ୍ର ଓଡିଶା ତଥା ଦେଶର ଆଦିବାସୀ ତଥା ମହିଳା ବର୍ଗଙ୍କ ପାଇଁ ଏକ ଗର୍ବର ବିଷୟ ତଥା ଆଗାମୀ ଭାରତୀୟ ଗଣତନ୍ତ୍ର ପାଇଁ ଏକ ଗରୁତ୍ବପୁର୍ଣ୍ଣ ବିଷୟ ।

ଖୁସିର କଥା ହେଉଛି ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ପ୍ରତି ଜାତି ଧର୍ମ,ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ ଜଣେଇଥିଲେ ତଥା ଆନ୍ତରିକ ଖୁସି ପ୍ରକଟ କରିଛନ୍ତି ।

ରାଜନୈତିକ ବିରୋଧୀ ବ୍ୟକ୍ତି ବିଶେଷ ମଧ୍ୟ ଦଳ ଗତ ସ୍ୱାର୍ଥ ରୁ ଉର୍ଧକୁକୁ ଉଠି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିବାରେ କୁଣ୍ଠା ବୋଧ କରିନାହାନ୍ତି ।

ଏନ.ଡି.ଏ ଘଟକ ଦଳ ସହିତ ଏ ଆଇ.ଡି.ଏମ.କେ ,ବହୁଜନ ସମାଜ ଦଳ ,ଅପନା ଦଳ ,ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ଦଳ ,ଆସାମ ଗଣ ପରିଷଦ ,ନାଗା ପିପୁଲ ଫ୍ରଣ୍ଟ ,ଜନ ନାୟକ ପାର୍ଟି ,ମିଜୋ ନେସନାଲ ଫ୍ରଣ୍ଟ ,ଲୋକ ଜନ ଶକ୍ତି ପାର୍ଟି ,ମହାରାଷ୍ଟ୍ର ନବ ନିର୍ମାଣ ସେନା ,ଶିବ ସେନା(ଥାକରେ ) ଓ ଶିବ ସେନା(ସିନ୍ଧେ ) ,ଝାରଖଣ୍ଡ ମୁକ୍ତି ମୋର୍ଚ୍ଛା ,ସିକ୍କିମ କ୍ରାନ୍ତି କାରୀ ମୋର୍ଚା ,ହିନ୍ଦୁସ୍ତାନୀ ଆବମ ମୋର୍ଚା ,ବୋଡୋ ଲାଣ୍ଡ ମୋର୍ଚା ,ମହାରାଷ୍ଟ୍ରବାଦୀ ଗୋମନ୍ତଙ୍କ ପାର୍ଟି ,ଆର .ପି.ଆଈ, ତାମିଲ ମାନିଲା କଂଗ୍ରେସ ,ଶିରୋମଣି ଅକାଲି ଦଳ ,ଟି.ଡି.ପି ପ୍ରଭୁତି ୨୦ ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଶ୍ରୀମତୀ ମୁର୍ମୁ ଙ୍କୁ ଆନୁଷ୍ଠାନିକ ସମର୍ଥନ ଜ୍ଞାପନ କରିଛନ୍ତି ।

ଆମ ଓଡ଼ିଶାର ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିବା ସହ ଅନ୍ୟ ଦଳକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ତେବେ କିଛି ଲୋକ ଭାରତ ଭଳି ବିରାଟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦ ପାଇଁ ଶ୍ରୀମତୀ ମୁର୍ମୁଙ୍କ ଉପରେ ଭୃକୁଞ୍ଚନ କରିଥିଲେ ଯାହାକି ଏକ ସାମନ୍ତ ବାଦି ମାନସିକତା ଛଡା ଆଉ କିଛି ନୁହେଁ ।

ଆମ ଅବଚେତନାରେ ବସା ବାନ୍ଧିଥିବା ଦୁଇ ସହ ବର୍ଷର ଗୁଲାମି ଯୋଗୁଁ ହେଉ ବା ଆଉ କିଛି ଯୋଗୁଁ ବଡ ପଦ ପଦବୀ ପାଇଁ ଆମେ ରାଜା ରାଜୁଡା ବା ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ଚାହୁଁ କିନ୍ତୁ ଭାରତ ଭଳି ଏକ ତନ୍ତ୍ରର ମୁଖ୍ୟ ଯଦି ଜଣେ “ଗଣ”(ସାଧାରଣ ଜନତାଙ୍କ ଭିତରୁ ନିଜ ଯୋଗ୍ୟତା ବଳରେ ଉଠିଥିବା ବ୍ୟକ୍ତି ) ଆସୀନ ନ ହେବ ତେବେ ଆମ ଗଣତନ୍ତ୍ର ପରିପକ୍ୱ ହେଉଛି ବୋଲି କେମିତ ଜାଣିବା ।

ରାଜନୈତିକ ଚଷମାର ବାହାରେ ରହି ଆମେ ଯଦି ଆଗାମୀ ୨୫ ବର୍ଷ ପରବର୍ତି ଭାରତୀୟ ଗଣତନ୍ତ୍ରକୁ ଜଣେ ସାଧାରଣ ନିର୍ଲିପ୍ତ ନାଗରିକର ନିର୍ମଳ ଚକ୍ଷୁରେ ଅବଲୋକନ କରିବା ତେବେ ନିହାତି ଭାବରେ ଶ୍ରୀମତୀ ମୁର୍ମୁଙ୍କ ନିର୍ବାଚନ ନିମ୍ନ କେତୋଟି ଦୃଷ୍ଟିରୁ ଆତ୍ମସନ୍ତୋଷ ପ୍ରଦାନ କରିବାରେ ସହାୟକ ହେବ ।

ଦ୍ରୌପଦୀ ମୁର୍ମୁଙ୍କ ଚେହେରାରେ ଓଡିଶା କାହିଁକି ଭାରତର କୋଣ ଅନୁକୋଣରେ ବସବାସ କରୁଥିବା ସାଧାରଣ ଆଦିବାସୀ,ବନବାସୀ ଖଟିଖିଆ ମଣିଷ ମାନଙ୍କ ମନରେ ଏକ ନୂତନ ଅଶାର ସଂଚାର ହୋଇଛି ତଥା ସେମାନେ ରାଜନୈତିକ ମୁଖ୍ୟ ସ୍ରୋତ ସହ ନିଜକୁ ଅଂଶୀଦାର ଭାବରେ ଯୋଡି ପାରିଛନ୍ତି ।

ଭାରତରେ ପୂର୍ବ ପଟରେ ଅବସ୍ଥିତ ଓଡ଼ିଶାର ବଣପାହାଡ଼ ଘେରା ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଅଖ୍ୟାତ ଉପରବେଡା ଗ୍ରାମର ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମିତ ମହିଳା ଯେ ଦିନେ ସମଗ୍ର ଭାରତ ଭଳି ଦେଶର ରାଷ୍ଟ୍ରପତି ହେବ ଏହା କୁହୁକ କାହାଣୀର ସ୍ବପ୍ନ ପ୍ରତୀୟମାନ ହେଲେ ମଧ୍ୟ ତାହା ସତ୍ଯରେ ପରିଣତ ହୋଇଛି।

ଓଡ଼ିଶାର ଗୌରବମୟୀ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହେଲା ଯାହାକି ସମଗ୍ର ସାଧାରଣ ଜନତା ଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଛି ।

ପ୍ରଥମରୁ ବର୍ଣିତ ଆଦିବାସୀ ସ୍ୱାଧୀନ ସଂଗ୍ରାମୀ ମାନଙ୍କ ବଳିଦାନ ପାଇଁ ବୋଧହୁଏ ଏହା ସର୍ବୋତ୍କୃଷ୍ଟ ଉପହାର ଓ ସ୍ୱାଧୀନତା ବାର୍ଷିକ ଜୟନ୍ତୀ ର ସେମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ତଥା ସ୍ୱୀକୃତି ।

ଶ୍ରୀମତୀ ମୁର୍ମୁ କୌଣସି ରାଜନୈତିକ ଅନୁଗ୍ରହରେ ଆଜି ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ତାହା କଦାପି ଭାବିବା ଉଚିତ ନୁହେଁ କାରଣ ଅନ୍ୟ କୌଣସି ସଂଗ୍ରାମୀ ଵୀରାଂଗନାଙ୍କ ସଂଘର୍ଷ ଠାରୁ ଶ୍ରୀମତୀ ମୁର୍ମୁଙ୍କ ଜୀବନୀ ଜୀବନ ସଂଗ୍ରାମ କୌଣସି ଗୁଣରେ କାମ ନୁହେଁ ।

ସୁଦୂର ଉପାନ୍ତ ବଣପାହାଡ ଘେରା ଗରିବ ଆଦିବାସୀ ପରିବାରରେ ୨୦ ଜୁନ ୧୯୫୮ ରେ ଜନ୍ମିତ ସାଧାରଣ ଝିଅ ମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ଶେଷ କରିବା ସେତେବେଳେ ସ୍ବପ୍ନ ପ୍ରାୟ ।

ସାହସ ,ସାଧନା ଓ ସଂଘର୍ଷ ଜଣେ ସାଧାରଣ ବ୍ୟକ୍ତି କୁ କିଭଳି ଅସଧାରଣରେ ପରିଣତ କରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଆଜି ସମଗ୍ର ସାଧାରଣ ଜନତା ଙ୍କ ପାଇଁ ପ୍ରେରଣା ର ଉତ୍ସ ।

ସେ ନିଜେ ତାଙ୍କର ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ବାଲ୍ୟ କାଳ କେତେ ସଂଘର୍ଷମୟ ଥିଲା । ପ୍ରାଥମିକ ଶିକ୍ଷା ପାଇଁ ସେ ପାଣି ,କାଦୁଅ ବିଲ ପାହାଡ଼ରେ କିଭଳି ପରିଶ୍ରମ କରିବା ପୂର୍ବକ ଶିକ୍ଷାରେ ପୂର୍ଣ୍ଣଛେଦ ପଡିବାକୁ ଦେଇ ନାହାନ୍ତି ।

ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ ପ୍ରାଥମିକ ଶିକ୍ଷା ପରେ ପୂର୍ଣ୍ଣଛେଦ ପଡିବ। ଆଶଙ୍କା ଥିବାରୁ ୧୩ ବର୍ଷ ବୟସରେ ସେ ଆଗକୁ ପଢିବା ଓ ବଢିବାର ଅଦମ୍ୟ ଇଛା ଯୋଗୁଁ ତତ୍କାଳୀନ ବିଧାୟକଙ୍କୁ ଅନୁରୋଧ କରି ୟୁନିଟ -୨ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇଥିଲେ ଓ ରମା ଦେବୀ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରିଛନ୍ତି ।

ଯେଉଁ ସମୟରେ ଜଣେ ଆଦିବାସୀ ଝିଅ ପ୍ରାଥମିକ ଶିକ୍ଷା ପାଇବା ମଧ୍ୟ ଏକ କାଠିକର ପାଠ ଥିଲା ସେତେବେଳେ ଏକ ନିପଟ ମଫସଲରୁ ବାହାରି ରାଜଧାନୀ ଭୁବନେଶ୍ୱର ରେ ଶିକ୍ଷା ଲାଭ କରିବା କେତେ ସଂଘର୍ଷମୟ ହୋଇନଥିବ ।

ଏ ସବୁ ସତ୍ୱେ ତାଙ୍କ ଠାରେ ଥିବା ନେତୃତ୍ୱ ନେବା ଗୁଣର ପ୍ରତିଫଳନ ସେହି ପିଲା ଦିନ ଠାରୁ ଜଣାପଡିଥିଲା । ଏତେ କଷ୍ଟରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ ସବୁ ଅନ୍ୟୟକୁ ସହି ନ ଯାଇ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏକ ନେତୃତ୍ୱ ନେବାର ପ୍ରତିଭା ସମ୍ପର୍କରେ ସୂଚାଏ ଯାହାକି ଏକ ଅତ୍ୟନ୍ତ ସାହସୀ ଓ ଅନ୍ୟାୟ କୁ କୌଣସି ପରିସ୍ଥିତିରେ ସହ୍ୟ ନକରିବାର ଗୁଣ ।

ଅନ୍ୟ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର ମହିଳା ନିଜ ପରିବାରକୁ ସହଯୋଗ କରିବା ଉଦେଶ୍ୟରେ କର୍ମ ସଂସ୍ଥାନ ଯୋଗାଡ଼ କରିବା ଭଳି ଶ୍ରୀମତୀ ମୁର୍ମୁ ମଧ୍ୟ ଶିକ୍ଷା ସମାପ୍ତି ପରେ ଓଡିଶା ସରକାରଙ୍କ ଅଧୀନରେ ୧୯୭୯ ମସିହାରୁ ୧୯୮୩ ପର୍ଯ୍ୟନ୍ତ ଜଳ ସମ୍ପଦ ଓ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି ।

ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମ ଚରଣ ମୁର୍ମୁଙ୍କ ସହିତ ବିବାହ ପରେ ଶାଶୁ ଘରର ଅନୁରୋଧରେ ନିଜ ଘର ସଂସାର ସମ୍ଭାଳିବା ପାଇଁ ସରକାରୀ ଚାକିରୀ ଛାଡି ଦେଇଛନ୍ତି ।

ରାଇରଙ୍ଗପୁର ଅରବିନ୍ଦ ବିଦ୍ୟାଳୟରେ ଶିକ୍ଷୟତ୍ରୀ (ମାଗଣା ଶିକ୍ଷାଦାନ)କରିବା ପୂର୍ବକ ନିଜ ପରିବାରର ସମସ୍ତ ଦାୟୀତ୍ୱ ମୁଣ୍ଡାଇଛନ୍ତି । ତେବେ ତାଙ୍କ ଜୀବନର ସବୁଠାରୁ ସଂଘର୍ଷ ପୁର୍ଣ ସମୟ ଯାହାକୁ ଅତ୍ୟନ୍ତ ଧୈର୍ୟର ସହିତ ସେ ମୁକାବିଲା କରିଛନ୍ତି ତାହା ହେଉଛି ୨୦୦୯ ରେ ଓ ୨୦୧୩ ପ୍ରାୟ ଚାରି ବର୍ଷ ଅନ୍ତରରେ ତାଙ୍କର ଦୁଇଜଣ ଯୁବକ ପୁତ୍ର ମାନଙ୍କ ଅକାଳ ମୃତ୍ୟୁକୁ ସହ୍ୟ କରିବା ତଥା ୨୦୧୪ ରେ ତାଙ୍କର ସ୍ୱାମୀକୁ ହରାଇବା ।

ତେବେ ଏହିସବୁ କଠିନ ଓ ଦୁଖଦ ସମୟରୁ ନିଜକୁ ସମ୍ଭାଳି ଆଧ୍ୟାତ୍ମିକ ପଥରେ ବ୍ରହ୍ମକୁମାରୀଙ୍କ ସାନ୍ନିଧ୍ୟରେ ଆଗକୁ ବଢିବାର ପ୍ରୟାସ କରି ସଫଳ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ସେ କିଭଳି ଗଭୀର ମାନସିକ ଅବସାଦ ମଧ୍ୟରେ ଗତି କରିଛନ୍ତି । ଅନ୍ୟ କିଏ ହୋଇଥିଲେ ଏ ସମୟ ରେ ଭାଙ୍ଗି ପଡି ଆଉଥରେ ସମ୍ଭାଳିବା ହୁଏତ କଷ୍ଟକର ହୋଇଥାନ୍ତା ।

ଏହିସବୁ ପାରିବାରିକ ତଥା ବ୍ୟକ୍ତିଗତ ଦୁଃସ୍ଥିତିକୁ ଧୈର୍ୟର ସହ ସହ୍ୟ କରି ଏହି ଦୃଢ ମନ ମହିଳାଙ୍କ ଏକନିଷ୍ଠ ସାଧନା ,କର୍ତ୍ତବ୍ୟନିଷ୍ଠା ,ଓ ଦେଶ ତଥା ଜାତି ପ୍ରତି ସମର୍ପିତ ସାଧନା କିଭଳି ଜଣେ ସାଧାରଣ ବ୍ୟକ୍ତିକୁ ଉତ୍କର୍ଷର ଚରମ ସୀମାରେ ପହଂଚାଇଦେଇପାରେ ତାହାର ଏକ ଉଦାହରଣ ଭାବରେ ଆଜି ସମସ୍ତଙ୍କ ସାମ୍ନାରେ ଉଭା ହୋଇଛନ୍ତି ଶ୍ରୀମତୀ ମୁର୍ମୁ !

ଏହା ଯେ କୌଣସି ସଂଗ୍ରାମୀ ତଥା ଆଦିବାସୀ ଵୀରାଂଗନା (ସ୍ୱାଧୀନତା ସଂଗ୍ରାମ ସମୟର ) ଠାରୁ କୌଣସି ଗୁଣରେ କମ ନୁହେଁ ତାହା ଆମେ ଅଂଗୀକାର କରିବା କଥା ।

ତେବେ ରାଜନୈତିକ ଜୀବନର ଆଦ୍ୟପର୍ବରେ ୧୯୯୭ ମସିହାରେ ରାଇରଙ୍ଗପୁର ପୌରପରିଷଦ ର କାଉଁସେଲର ଠାରୁ ଆରମ୍ଭ କରି ୨୦୦୦ ମସିହାରେ ବିଧାୟକ ଓ ପ୍ରଥମ ପଦାର୍ପଣ ରେ ତତ୍କାଳୀନ ବି ଜେ ପି ତଥା ବି ଜେ ଡି ସରକାର ଅମଳରେ ଗମନାଗମନ ଓ ବାଣିଜ୍ୟ ବିଭାଗର ମନ୍ତ୍ରାଳୟ ଦକ୍ଷତା ର ସହକାରେ ସମ୍ଭାଳିବା ଏବଂ ତାଙ୍କର ଉତ୍କର୍ଷତା ଓ ପାରଙ୍ଗମତା ପାଇଁ ୨୦୦୭ ବର୍ଷରେ ସର୍ବୋତମ ବିଧାୟକ ହିସାବରେ “ନୀଳକଣ୍ଠ ଶ୍ରେଷ୍ଠ ବିଧାୟକ ” ପୁରସ୍କାର ରେ ସଂବାନିତ ହେବ। ଏକ ବିରଳ ଘଟଣା । ତେବେ ୨୦୧୪ ମସିହାରେ ମଧ୍ୟ ରାଷ୍ଟ୍ରପତି ପାଦ ପାଇଁ ତାଙ୍କ ନାମ ସଂକ୍ଷିପ୍ତ ତାଲିକା ରେ ସ୍ଥାନ ପାଇବା ଏକ ଉଲ୍ଲେଖ ଯୋଗ୍ୟ ଘଟଣା |

୨୦୧୫ ରେ ଝାରଖଣ୍ଡ ରାଜ୍ୟ ର ରାଜ୍ୟ ପାଲ ହିସାବରେ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ଦକ୍ଷତାର ସହିତ କର୍ମ ସମ୍ପାଦନା କରିଛନ୍ତି । ତେବେ ଶାସକ ଦଳ ର ସଭ୍ୟ ହୋଇଥିବାରୁ ତାଙ୍କ ପ୍ରାର୍ଥୀତ୍ବ କୁ କିଛି ବିରୋଧୀ ସିଏ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି “ରବର ଷ୍ଟାମ୍ପ ” ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଯାହାକି ଅମୂଳକ କାରଣ ଝାରଖଣ୍ଡ ରେ ରାଜ୍ୟପାଳ ଥିବା ବେଳେ ତତ୍କାଳୀନ ରଘୁବର ଦାସ ନେତୃତ୍ୱାଧୀନ ବି ଜେ ପି ସରକାର ଆଣିଥିବା ଛୋଟନାଗପୁର ଟେନାଂସି ସଂଶୋଧନ ବିଧେୟକ ୧୯୦୮ ଓ ସାନ୍ତାଳ ପ୍ରଗଣା ଟେନାଂସି ବିଧେୟକ ୧୯୪୮ ଯାହାକି ଆଦିବାସୀ ମାନଙ୍କ ଚାଷ ଜମି କୁ ବ୍ୟବସାୟ ହିସାବରେ ବ୍ୟବହାର ଯୋଗ୍ୟ ପାଇଁ ଉଦିଷ୍ଟ ଥିଲା ତାହା ଆଦିବାସୀ ଙ୍କ ସ୍ୱାର୍ଥ ର ପରିପନ୍ଥୀ ବୋଲି ” ସାମ୍ବିଧାନିକ ଅଧିକାର” ର ପ୍ରୟୋଗ ପୂର୍ବକ ବିଲ ଟିକୁ ଅଗ୍ରାହ୍ୟ କରି ଜଣେ ଦୃଢ ଓ ଯୋଗ୍ୟ ରାଜ୍ୟପାଳ ହିସାବରେ ପ୍ରମାଣିତ କରିସାରିଛନ୍ତି

ତେବେ ସବୁ ଦୃଷ୍ଟିରୁ ଦେଖିଲେ ଆଜିର ନବ ଭାରତ ର ସ୍ଵପ୍ଣଦ୍ରଷ୍ଟା ଗଣ ଯଥା ମହାତ୍ମା ଗାନ୍ଧୀ ,ଜବାହାରଲାଲ ନେହରୁ ,ଆମ୍ବେଦକର ,ସର୍ଦାର ପଟେଲ ପ୍ରମୁଖ ଆମ ଗଣତନ୍ତ୍ର ର ଭବିଷ୍ୟତ ପାଇଁ ଯେଉଁ ସବୁ ସ୍ବପ୍ନ ଦେଖିଥିଲେ ସେଥିରେ ସବୁଠାରୁ ପ୍ରମୁଖ ଥିଲା “ଅନ୍ତ୍ୟୋଦୟ ” ଅର୍ଥାତ ସମାଜର ସବୁଠାରୁ ଅବହେଳିତ ବର୍ଗର ଶେଷ ବ୍ୟକ୍ତି ର ଉତ୍ଥାନ । ସମାଜର ଅନ୍ତିମ ପଂକ୍ତି ରେ ଥିବା ବ୍ୟକ୍ତି ଯେତେବେଳେ ସାମାଜିକ ,ଆର୍ଥିକ,ରାଜନୈତିକ ଜୀବନର ମୁଖ୍ୟସ୍ରୋତରେ ନିଜର ପରାକାଷ୍ଠା ଦେଖାଇବା ର ସୁଯୋଗ ପାଇବା ତାହାହିଁ ଆମ ଗଣତନ୍ତ୍ର ର ସଫଳତା ବୋଲି ବିବେଚିତ ହେବ ।

ତେବେ ଏହି ସ୍ବପ୍ନ ଆଜି ଯେତେବେଳେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ର ୧୮ ତମ ରାଷ୍ଟ୍ରପତି ହିସାବରେ ନିର୍ବାଚିତ ସଫଳ ହୋଇଛି ଆମେ ସେମାନଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହିପାରିବ। । ତେବେ ନିଜର ସାମର୍ଥ୍ୟ ,ଯୋଗ୍ୟତା ,ସରଳତା ,ସଚୋଟଟା ଓ ଭଦ୍ରତା ର ପ୍ରତୀକ ଶ୍ରୀମତୀ ମୁର୍ମୁ ଆଗାମୀ ରାଷ୍ଟ୍ରପତି ହିସାବରେ ସମ୍ବିଧାନ ର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ସହାୟକ ହେବେ ଏହି ବିଶ୍ୱାସ ଆମର ରହିଛି ।

ନୂତନ ଭାବେ ନିର୍ବାଚିତ ମହା ମହିମ ରାଷ୍ଟ୍ରପତି ଙ୍କ ଯେଉଁଭଳି ସେବା ମନୋବୃତି ,ସରଳତା ,ଓ ନମ୍ରତା ରହିଛି ଆଗାମୀ ଦିନରେ ରାଷ୍ଟ୍ରପତି ଭବନ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷା ପୁରାଣ କରିବାରେ ସହାୟକ ହେବ ତଥା ଜନସାଧାରଣ ଙ୍କ ରାଷ୍ଟ୍ରପତି ଭାବରେ ଇତିବାସ ମନେ ରଖିବ ଏହାହିଁ ହେଉ

ଅମାତ୍ୟ କୁମାର ପ୍ରଧାନ
ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ସୁନ୍ଦରଗଡ 9437219613

admin
admin

Filed Under: ମତାମତ Tagged With: ଦ୍ରୌପଦୀ ମୁର୍ମୁ

ମହାନ ଜନନାୟକଙ୍କ ହୃଦୟରେ ଓଡିଶା

August 20, 2018 by ଗୋଲଖ ଦାସ Leave a Comment

କେନ୍ଦ୍ରାପଡା ଜିଲ୍ଲାର କେଉଁ ଏକ ଅଜଣା ପଲ୍ଲୀ ଘିଗିଡିଆ । ଅଗଷ୍ଟ ୧୬ ତାରିଖ ସଂଧ୍ୟା ୫ ଘଟିକା ୩୫ ମିନିଟ ସମୟରେ ଆମେ ସେହି ଗାଁରେ ପହଁଚି ଥାଉ, ସେଠାରେ ଦେଖିଲୁ ଅଜବ ଦୃଶ୍ୟ । ଗାଁ ରୁ ସହରକୁ ସଂଯୋଗ କରୁଥିବା ସଡକ ଉପରେ ବସି ରହିଛନ୍ତି ପ୍ରାୟ କୋଡିଏରୁ ଉଦ୍ଧ୍ୱର୍ ବ୍ୟକ୍ତି । ସମସ୍ତଙ୍କ ମନ ଝାଉଁଳି ପଡିଛି ।

କାହାର ଆଖିରୁ ଲୋତକ ଝରି ପଡୁଛି,କିଏ ନିରବରେ ବସି ରହିଛନ୍ତି । ସମସ୍ତେ ମନମାରି ବସି ରହିଛନ୍ତି । ଆମର ବାଇକ ତାଙ୍କରି ନିକଟରେ ଅଟକି ଗଲା । ରାସ୍ତା ଉପରେ ଏମିତି ବସିବାର କାରଣ ପଚାରିବାରୁ ତାଙ୍କର ଉତ୍ତର ଶୁଣି ଆମେ ଅବାକ ଓ ଚକିତ ହୋଇଗଲୁ ।

ତାଙ୍କ ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇ କହିଲେ ଆମ ଗାଁରୁ ସହର ମଧ୍ୟକୁ ଯିବା ପାଇଁ ଏ ଯେଉଁ ପକ୍କା ସଡକ ତିଆରି ହୋଇଛି, ତାହାରି ସ୍ରଷ୍ଠା, ସୃଷ୍ଟିକର୍ତ୍ତା ଆଜି ଆମ ମଧ୍ୟରେ ନହାଁନ୍ତି । ଦିନ ଥିଲା ଆମ ଗାଁକୁ କେହି ଆସିବାକୁ ଭୟ କରୁଥିଲା । ନା ବାଟ ଥିଲା ନା ହାଟ ଥିଲା । ଯାହାଙ୍କ ପରିକଳ୍ପନାରେ କେବଳ ଆମ ଗାଁ ନୁହେଁ ଭାରତ ବର୍ଷର ସବୁ ଗାଁର ଦୃଶ୍ୟ ବଦଳି ଯାଇଛି ।

ରାସ୍ତାଘାଟ ପକ୍କା ହୋଇ ଯାଇଛି ସେହି ମହାନ ଜନନାୟକଙ୍କର ବିୟୋଗରେ ନୀରବ ପ୍ରାର୍ଥନା କରିବା ସହିତ ସେହି ମହାନ ଆତ୍ମାର ସଦ୍ଗତି କାମନା କରିବା ପାଇଁ ଆମେ ଆମ ଗାଁର ପ୍ରଖ୍ୟାତ ଦେବତା ଜନେକେଶ୍ୱର ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା ।

ସେହି ମହାନ ଜନନାୟକ ହେଉଛନ୍ତି ଆମର ଅତିଆଦରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯାହାଙ୍କ ବିୟୋଗ ଓଡିଶାର ସାଧାରଣ ଜନତାଙ୍କ ହୃଦୟରେ ଶୂନ୍ୟସ୍ଥାନ ସୃଷ୍ଟି କରି ପାରିଛି । ଓଡିଶାର ଅଖ୍ୟାତ ପଲ୍ଲୀର ଲୋକମାନେ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି କ’ଣ ପାଇଁ ? କ’ଣ କରିଛନ୍ତି ସେ ଓଡିଶା ପାଇଁ, ଯାହାକୁ ଘିଗିଡିଆ ଗ୍ରାମବାସୀ କାହିଁକି, ସାରା ଓଡିଶାବାସୀ ଭୁଲି ପାରୁନାହାଁନ୍ତି?

ଓଡିଶାବାସୀଙ୍କ ପାଇଁ ତାଙ୍କ ଅବଦାନ କଣ ଥିଲା? ଅଗଷ୍ଟ ୧୫ତାରିଖ ଦିନ ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେବାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଲାଭ ପାଇଁ ସମଗ୍ର ଦେଶର କୋଟି କୋଟି ଜନତାଙ୍କ ବ୍ୟାକୁଳ ପ୍ରାର୍ଥନା ତଥା ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ଶ୍ରୀ ବାଜପେୟୀ ଏପାରିର ବନ୍ଧନ କାଟି ପରଲୋକ ଗମନ କରିଛନ୍ତି ।

ଯାହାଙ୍କର ଟିକିନିଖ୍ ଖବରକୁ ଗାଁ ଗହଳୀର ଲୋକମାନେ ମଧ୍ୟ ଅନାଇ ବସିଥିଲେ । ଯେତେବେଳେ ଦୁଃଖଦ ଖବର ମିଳିଲା ଶେଷରେ ସେମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଅର୍ଥର ଅଭାବ ରହିବ ନାହିଁ । ଏହି ଖଣ୍ଡବାକ୍ୟଟି ସର୍ବ ପ୍ରଥମେ ଓଡ଼ିଶା ମହାବାତ୍ୟା ପାଇଁ ଉଦ୍ଦିଷ୍ଟ ଥିଲା , ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ପୁନନିର୍ମାଣ ସନ୍ଦର୍ଭରେ ।

୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଂଚାଇବା ଏବଂ ବାସହରା ମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମଙ୍ଗା ମହାବାତ୍ୟା ସମୟରେ ବାଜପେୟୀଙ୍କୁ ଫୋନ କରିଥିଲେ । ଆଉ ବାଜପେୟୀ କହିଥିଲେ ଆପଣ ଯାହା ଆବଶ୍ୟକ ସେ ବାବଦରେ ଟଙ୍କା ଖର୍ଚ୍ଚ କରନ୍ତୁ, ମୁଁ ସମସ୍ତ ବ୍ୟୟ ବହନ କରିବି ।

କେବଳ ସେତିକି ନୁହେଁ ଲକ୍ଷ୍ମଣନାଥ ନିକଟସ୍ଥ ଗୋବରଘାଟ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ମୁକାବିଲା ଲାଗି ଯେଉଁଭଳି ଆଗ୍ରହ ଓ ଆନ୍ତରିକତା ଦେଖାଇଥିଲେ ତାହା ରାଜ୍ୟବାସୀଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା । ଜଣେ ବିଶାଳ ହୃଦୟର ବ୍ୟକ୍ତି ଭାବେ ଓଡିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବାଜପେୟୀ ।

‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ ; ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀ ଅବଦାନ ଅତୁଳନୀୟ । ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମସ ଶାଖାର ଶୁଭାରମ୍ଭ ସ୍ୱର୍ଗତଃ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା ।

ସେ ପାରାଦୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ଓ ଇଣ୍ଡିଆନ ଅଏଲ ତୈଳ ବିଶୋଧନାଗାର ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଂଚଳ ଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ ।

ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହକିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଂଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ଏହି ସମସ୍ତ ଅବଦାନକୁ ମନେ ପକାଉଛନ୍ତି ଓଡିଶାବାସୀ ।

ବାଜପେୟୀ ନିଜ ସମୟର ରାଜନେତାଙ୍କ ଠାରୁ ଅନେକ ଗୁଣରେ ଭିନ୍ନ ଥିଲେ । ରାଜନୀତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ତାଙ୍କର ନୀତି ଓ ଆଦର୍ଶ ଭିନ୍ନ ଥିଲା । ନିଜର ମଧୁର ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଦ୍ୱାରା ସେ ଯେଉଁ ସ୍ଥାନକୁ ପ୍ରବାସରେ ଯାଉଥିଲେ ସେଠାରେ ବନ୍ଧୁତ୍ୱର ଭାବ ସୃଷ୍ଟି କରୁଥିଲେ ।

ଏହିପରି ଜନଦରଦୀ ଓ ବନ୍ଧୁବତ୍ସଳ ବ୍ୟକ୍ତିର ସାନ୍ନିଧ୍ୟ ଲାଭ କରିଛନ୍ତି ଓଡିଶାବାସୀ । ବାଜପେୟୀ ଯେତେବେଳେ ୧୯୭୦-୭୧ରେ ଓଡିଶା ଆସି କଟକ ସର୍କିଟ ହାଉସରେ ମିଟିଙ୍ଗ କରିଥିଲେ ଏବଂ ଦୁଇଦିନ ସେ କଟକର ତଳତେଲେଙ୍ଗା ବଜାର ସ୍ଥିତ କ୍ଷେତ୍ରମୋହନ ସ୍ୱାଇଁ ଏବଂ କାଳୀଗଳିସ୍ଥିତ ଦୟାସାଗର ନନ୍ଦଙ୍କ ଘରେ ରାତ୍ରି ଯାପନ କରିବା ସହିତ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଖାଇଥିଲେ ।

ତାଙ୍କ ସହିତ ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ ବୋଲି କ୍ଷେତ୍ରମୋହନଙ୍କ ପୁଅ ପ୍ରଦୀପ ଏ ବିଷୟରେ ଗଣମାଧ୍ୟମ ଆଗେରେ ପ୍ରକାଶ କରିଛନ୍ତି । କୌଣସି ସ୍ଥାନକୁ ଗଲାବେଳେ ଯଦି ଭୋକ ହେଉଥିଲା ବାଟରେ ପଡୁଥିବା କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ କରିନେଉଥିଲେ ।

୧୯୮୪ ମସିହା ଡିସେମ୍ବର ୩ ତାରିଖରେ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ସାଧାରଣ ସଭାରେ ଯୋଗଦେଇ ସଂଧ୍ୟାରେ ଭଂଜନଗର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ତାଙ୍କୁ ଭୋକ ହେବାରୁ ସେ ସାଥିରେ ଥିବା କାର୍ଯ୍ୟକର୍ତ୍ତା ନନ୍ଦ କିଶୋର ସାହୁଙ୍କୁ ଜଣାଇଥିଲେ ।

ଶ୍ରୀ ସାହୁ ବାଜପେୟୀଙ୍କ କଥାକୁ ନଟାଳି ହିଞ୍ଜିଳିରେ ଥିବା କାର୍ଯ୍ୟକର୍ତ୍ତା ଉଦୟ ପାଳଙ୍କ ଘରେ ଭୋଜନ ବ୍ୟବସ୍ଥା କରାଇଥିଲେ । ସେଠାରେ ସେ ଖୁବ୍ ଆନନ୍ଦର ସହିତ ଭୋଜନ କରିଥିଲେ । ସେ ମଧ୍ୟ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ବେଳେ ଅବଢା ଖାଇବାକୁ ବହୁତ ଭଲ ପାଉଥିଲେ |

ସେ ଓଡିଶାକୁ ନିଜ ଅଞ୍ଚଳ ବୋଲି ଭାବୁଥିଲେ । ସେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଉଥିଲେ । ଫୁଲବାଣୀ ଗସ୍ତ ସମୟରେ ବାଲିଗୁଡା ଡାକବଙ୍ଗଳାରେ ବିଶ୍ରାମ ନେଉଥିବା ବେଳେ କାନରେ ପଡିଥିଲା ବନବାସୀ ସଂଗୀତ ଓ ବାଦ୍ୟର ସ୍ୱର । ସେ ବିଶ୍ରାମ ନେବେ କଣ, ସଙ୍ଗେ ସଙ୍ଗେ ଚାଲିଲେ ନାଚ ଓ ଗୀତ ହେଉଥିବା ସ୍ଥାନକୁ ।

ବାଜା ଓ ନାଚରେ ଆକର୍ଷିତ ହୋଇ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ବନବାସୀ ଯୁବକ ଯୁତୀଙ୍କ ସହ । ସେ ସେମୟରେ ଏହା ବନବାସୀ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସେ ଓଡିଶା ମାଟିରୁ ଆରମ୍ଭ କରିଥିଲେ ସମରସତାର ଆନ୍ଦୋଳନ । ଛୁଆଁ ଅଛୁଆଁର ଭେଦଭାବ ଦୁର କରିବା ପାଇଁ ଭଞ୍ଜନଗରର ମୁଡାଗଡ ଠାରେ ସୃଷ୍ଟି କରିଥିଲେ ଏକ ଅନନ୍ୟ ଉଦାହରଣ ।

ତାଙ୍କ ସଂଗଠନର କାର୍ଯ୍ୟକର୍ତ୍ତା ଶିବାନନ୍ଦ ତ୍ରିପାଠୀଙ୍କ ମତରେ ଭଞ୍ଜନଗର ରସଲକୁଣ୍ଡା ଠାରୁ କନ୍ଧମାଳ ଆସିବା ସମୟରେ ମୁଡାଗଡ ଠାରେ ବାଜପେୟୀଙ୍କ ଗାଡି ପମ୍ପଚର ହୋଇଥିଲା । ଏ ସମୟରେ ବାଜପେୟୀ ନକଟରେ ଥିବା ମନ୍ଦିରକୁ ଯାଇଥିଲେ ।

ମନ୍ଦିରକୁ ହରିଜନଙ୍କ ପ୍ରବେଶ ପାଇଁ ଅନୁମତି ଅଛି କି ନାହିଁ ବୋଲି ବାହାରେ ଥିବା ପୂଜକଙ୍କୁ ପଚାରିଥିଲେ ା ପୂଜକ ମନା କରିବା ପରେ ମନ୍ଦିର ଗେଟ ପାଖରୁ ବାଜପେୟୀ ଫେରି ଆସିଥିଲେ । ସେ ଯେଉଁ ଅଞ୍ଚଳକୁ ଯାଉଥିଲେ ସେ ସବୁ ସ୍ଥାନର ହାନି ଲାଭ ବୁଝୁଥିଲେ । ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝୁଥିଲେ ା

ନିର୍ବାଚନ ସମୟରେ ଓଡିଶାର ଯେଉଁ ସ୍ଥାନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସରକାରରେ ଆସିଲା ପରେ ପୁରଣ କରିଛନ୍ତି । ଯେପରି ୧୯୯୯ ମସିହା ନିର୍ବାଚନୀ ପ୍ରଚାର ବେଳେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର କୃଷିର ବିକାଶ ପାଇଁ ସେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ
ନିର୍ମାଣ,ଗମନା ଗମନର ବିକାଶ, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

ସରକାରକୁ ଆସିଲା ପରେ କାନପୁର ଜଳପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୩୨୮ କୋଟି ଟଙ୍କାରୁ ୬୨୫ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ୨୧୫ ନମ୍ବର ଜାତୀୟ ରାଜପଥ ଓ କେନ୍ଦୁଝରକୁ ରେଳ ସଂଯୋଗୀକରଣ ତାଙ୍କ ଶାସନ କାଳରେ ହୋଇଛି । ଏହିପରି ଅନେକ ଛାପ ଛାଡିଦେଇ ଯାଇଛନ୍ତି ବାଜପେୟୀ ଓଡିଶାରେ ତାର ହିସାବ ନାହିଁ ।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କର ପତନ ମଧ୍ୟ ଓଡିଶା ଦାୟୀ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଗିରିଧାରୀ ଗମାଙ୍ଗ ଲୋକସଭା ସଦସ୍ୟ ରୂପେ କଂଗ୍ରେସ ଦଳର ନିର୍ଦ୍ଦେଶରେ ଦଳୀୟ ଶୃଙ୍ଖଳାମାନି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିଲେ ।

ସାମ୍ପ୍ରତିକ ଭାରତର ରାଜନୀତି ଭ୍ରଷ୍ଟାଚାର, ଦୁର୍ନୀତି, ଲୋଭ ଓ ଲାଳସାମୁକ୍ତ କରିବା ପାଇଁ ଯେଉଁ ମହାନାୟକ ଅଟଳ ପ୍ରତିଜ୍ଞା କରିଥିଲେ ସେହି ମହାନାୟକ ବିଭିନ୍ନ ସମୟରେ ଓଡିଶାର ସାଧୁସନ୍ଥଙ୍କର ମତାମତ ମଧ୍ୟ ଲୋଡୁଥିଲେ । ଅଯୋଧ୍ୟାରେ ଶ୍ରୀରାମ ଜନ୍ମ ଭୂମି ପ୍ରସଙ୍ଗରେ
ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ମଧ୍ୟ ନେଇଥିଲେ ।

ଓଡିଶାରେ ବାଜପେୟୀଙ୍କ ବିଭିନ୍ନ ଘଟଣାକୁ ଆଲୋଚନା ଓ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଓଡିଶା ପାଇଁ ତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା | ରାଜନୈତିକ ତୋଫାନ ମଧ୍ୟରେ ଯେଉଁ ଦୀପ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥିଲା ସେହି ପ୍ରଦୀପ ଲିଭିଗଲା । ସମଗ୍ର ଭାରତ ବର୍ଷ ତଥା ପୃଥିବୀକୁ ଆଲୋକିତ କରି ଚୌରାନବେ ବର୍ଷଧରି ଜଳୁଥିବା ଏହି ପ୍ରଦୀପ ଲିଭିଗଲା ।

କିନ୍ତୁ ଏହି ଦୀପ ଶିଖା ଲିଭିବାର ଦୃଶ୍ୟ ଅପୂର୍ବ ଓ ଅବର୍ଣ୍ଣନୀୟ । ସୀମିତ ସଳିତା ସଲଗ୍ନ ଆଲୋକର ଶିଖା ଲିଭିବା ସହିତ ପ୍ରସରି ଯାଉଛି ଦିଗବିଦିଗକୁ । ଦୀପର ଉଜ୍ଜ୍ୱଳ ଆଲୋକ ଲେଲିହାନଶିଖା ଟେକି ଆଚ୍ଛାଦିତ କରୁଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ! ଦୀପ ସିନା ଲିଭିଗଲା କିନ୍ତୁ ଏହି ଅନିର୍ବାଣ ଆଲୋକ ଶିଖାର ମୃତ୍ୟୁ ନାହିଁ ।

ସେ ଅଜୟ, ଅପରାଜିତ ଓ ମୃତ୍ୟୁଞ୍ଜୟ । ସେ କୋଟିଏ ଦୀପରୁ ଏବେ ସମସ୍ତ ବଶ୍ୱ ବ୍ରହ୍ମାଣ୍ଡକୁ ପରିବ୍ୟପ୍ତ । ପାର୍ଥବ ଶରୀରରେ ସେ ଅନୁପସ୍ଥିତ । ପଂଚଭୂତର ଶରୀର ପୁନଶ୍ଚ ପଂଚଭୂତରେ ବିଲୀନ କିନ୍ତୁ ଆମ ପ୍ରତ୍ୟେକଙ୍କ ଭିତରେ ସେ ଚିରଦେଦୀପ୍ୟମାନ ଓ ଅନୁଭବ୍ୟ ।

ଏକରୁ ସେ ଏବେ ସହସ୍ର କୋଟିରେ ବିଭକ୍ତ । ସୁକ୍ଷ୍ମ ଶରୀରରେ ସେ ଆମ ସମସ୍ତଙ୍କ ଭିତରେ ବିରାଜମାନ ସେହି ମହାନ୍ ଆତ୍ମାକୁ ଆମର କୋଟି କୋଟି ପ୍ରଣାମ ।

୩୫,ଏନ୍.ଏ.ସି ଫ୍ଲାଟ,ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର

ଫୋନ-୯୮୬୧୦୨୮୫୫୩

ଗୋଲଖ ଦାସ
ଗୋଲଖ ଦାସ

Filed Under: ମତାମତ Tagged With: ଓଡିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା, ବାଜପେୟୀ, ମହାନ ଜନନାୟକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ