• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନୋରଞ୍ଜନ

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

March 27, 2018 by ଓଡିଶା ଡଟ କମ Leave a Comment

ୟୋଗେଶ ଭାୟାଣୀ

ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି ।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ
“ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା ଶତପଥୀ, ଆଞ୍ଚଲ ପରିଡା, ଅନିଶା ଲେଙ୍କା, ଅଶ୍ଵିନା ବକ୍ସି, ପ୍ରାଚୀ ଭାୟାଣୀ, ପ୍ରାର୍ଥନା ପ୍ରତାପ ସିଂ, ରୁପଲ ମହାପାତ୍ର ଓ ତମନ୍ନା ରଥ, ଗୁରୁ ରଶ୍ମୀ ରାଜଙ୍କ ମାର୍ଗଦର୍ଶନରେ ମହିଷାମର୍ଦ୍ଧିନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଦୁବାଇର ଗ୍ଲୋବାଲ ଭିଲେଜ ବିଶ୍ୱର ଅନ୍ୟତମ ବୃହତ୍ତମ ପାରିବାରିକ, ସାଂସ୍କୃତିକ, ପର୍ଯ୍ୟଟନ, ଅବକାଶ ଏବଂ ମନୋରଞ୍ଜନର ଏକ ମଞ୍ଚ ଯେଉଁଠାରେ ୭୫ଟି ଦେଶର କଳାକାର ଭାଗ ନେଇ ନିଜର କଳାକୃତି ପ୍ରଦର୍ଶନ କରିଥାନ୍ତି ।ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

“ମୋର ଛାତ୍ର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସୁଦୂର ଦୁବଇ ମାଟିରେ ଆମ ଜନ୍ମଭୂମିର ଗୌରବ ଓ ସଂସ୍କୃତିର ଝଲକ ପ୍ରଦର୍ଶିତ କରିପାରିଥିବାରୁ ମୁ ଗର୍ବିତ”, ନୃତ୍ୟ ଗୁରୁ ରଶ୍ମୀ ରାଜ ଓଡିଶା ଡଟ କମ କୁ କହିଛନ୍ତି।

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଓଡିଶୀ, ଦୁବାଇ, ନୃତ୍ୟ, ପ୍ରବାସୀ ଓଡ଼ିଆ

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ର

February 10, 2018 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୦ ଫେବୃଆରୀ (ଓଡ଼ିଶା ଡ଼ଟ୍ କମ୍) ଗୋଲଡ଼େନ ଟ୍ରାଏଙ୍ଗଲ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ଵର ଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚାରିଦିନିଆ ତୃତୀୟ ଗୋଲଡ଼େନ ଟ୍ରାଏଙ୍ଗଲ ଚଳଚିତ୍ର ଉତ୍ସବରେ ପ୍ରଦର୍ଶିତ ହେଉଛି ମୋଟ ୪୬ ଦେଶର ଚଳଚିତ୍ର ।

ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ପୋଲିସ କମିଶନର ୱା.ବି.ଖୁରାନିଆ,ଫିଲ୍ମ ନିର୍ଦ୍ଦେଶକ ରାଜଗୋପାଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଥମ ଦିନର ଉତ୍ସବରେ ତାଜାକିସ୍ଥାନ,ଇରାକ,ଇରାନ, ରୁଷିଆ ଆଦି ୧୦ଟି ଦେଶର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରପ୍ରଥମେ “ଇଫ୍ ୟୁ ଆର୍ ଏ ୱିମେନ୍’ ଏବଂ ପରେ “ଏବି ଫିନିସ୍ କ୍ରିପ୍'”ଫୁଡ଼୍ ଆଜ୍ ଆଇ ୱିସ୍’ “ବାର୍ଥ ଡ଼େ’ ପରି ଚଳଚିତ୍ର ଦର୍ଶକ ଦେଖିବାକୁ ପାଇଥିଲେ ।

ଟ୍ରଷ୍ଟର ସଭାପତି ପ୍ରିୟରଂଜନ ସାହୁଙ୍କ ସୁଚନା ଅନୁସାରେ ଉତ୍ସବ ରେ ତାଜାକିସ୍ଥାନ, ଇରାକ, ଇରାନ, ରୁଷିଆ, ୟାକ୍ରେନ୍, କାନାଡ଼ା, ଆରମେନିଆ,ଉଜବେକିସ୍ଥାନ,ସାଉ ଦିଆରବ,ଆଫଗାନିସ୍ଥାନ,ଫିଲିପାଇନ୍ସ ଭଳି ଦେଶର ଚଳଚିତ୍ର ପ୍ରଦର୍ଶିତ କରାଯିବ ।

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରଉତ୍ସବରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର,ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର,ଶ୍ରେଷ୍ଠ ନିର୍ଦ୍ଦେଶକ ପରି ମୋଟ ୭ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ସବର ସଂପାଦିକା ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ସମେତ ଅନେକ ଚଳଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉସସ୍ଥିତ ଥିଲେ ।

ଏହି ଉତ୍ସବରେ “ବୃନ୍ଦା’,”ନିରୂପାୟ’,”ପେନ୍ସନ୍’ ଏବଂ “ଠିକଣା’ ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଚଳଚିତ୍ର

ମନ ମୋହିଲା ଓଡିଶୀ ଓ କୁଚିପୁଡିର ନୃତ୍ୟ ସ୍ତବକ

December 4, 2017 by ଓଡିଶା ଡଟ କମ Leave a Comment

ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟ ମୁଖର କରିଥିଲା । ଓଡିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ।

ବର୍ଣ୍ଣାଢ୍ୟ ଆଲୋକ ମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ମଞ୍ଚର ପରିବେଶକୁ ସଂଗୀତ ଓ ନୃତ୍ୟର ମଧୁର ଝଙ୍କାରରେ ଭରିଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ଆଦ୍ୟ ଚରଣରେ ଓଡିଶୀ ନୃତ୍ୟର ପରିପାଟୀରେ ମଞ୍ଚ ପ୍ରବେଶ କରିଥିଲେ ସୂତ୍ର ଫାଉଣ୍ଡେସନ୍ ମାଲୟେସିଆର ଶିଳ୍ପୀଗଣ ।

ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥି ମାନଙ୍କ ପ୍ରଥମ ନିବେଦନ ଥିଲା ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ । ଗଂଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାରକରି ଏହା ପ୍ରସ୍ତୁତ ହୋଇଥିଲା ଯାହା ଶଦ୍ଧସ୍ୱର ପାଟର ସଂଯୋଜନାକୁ ସ୍ପଷ୍ଟ କରିଥିଲା ।

ପରେ ପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ସ୍ଥାୟୀ ଯାହା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ସଖୀନାଟକୁ ନେଇ ପରିପୃଷ୍ଟ ହୋଇଥିଲା । ସଖିନାଟର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଓ ପରିପାଟୀର ସମନ୍ୱୟରେ ସ୍ଥାୟୀ ନୃତ୍ୟର ପରିବେଷଣ ବେଶ ମନଛୁଆଁ ହୋଇଥିଲା  ଏହାପରେ ରାମ ଭଜନର ନୃତ୍ୟାଭିନୟ ଏକ ଭାକ୍ତିକ ପରିବେଶ  ସୃଷ୍ଟି କରିଥିଲା ।

ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ କଳା ଶିଳ୍ପୀ ଦାସକାଠିଆ ର ଲୋକ ପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଶି ଦେଇଥିଲେ ଶିଳ୍ପୀ । ଓଡିଶୀ ନୃତ୍ୟର ଅନ୍ତିମ ଉପସ୍ଥାପନ ଯୋଗିନୀ ମୋକ୍ଷ । ନଟରାଜ ଶିବଙ୍କ ଯୋଗ ଓ ସମାଧି ଅବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀ ଗଣଙ୍କ ଆରାଧନା ଓ ଶକ୍ତି ଉପସନାର ତତ୍ୱକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ।

ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟକୁ ନେଇ ମଞ୍ଚ ଆଗମନ କରିଥିଲେ ବନଶ୍ରୀ ରାଓ ଓ ରସ ୟୁନାଇଟେଡ ଦିଲ୍ଲୀର ଶିଳ୍ପୀଗଣ । କୁଚିପୁଡି ନୃତ୍ୟର ପ୍ରଥମ
ଉପସ୍ଥାପନା ରହିଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ ।

ଜଗତର କଲ୍ୟାଣ ପାଇଁ ଅଭିପ୍ରେତ ଏହି ଆନନ୍ଦ ତାଣ୍ଡବର ସୁନ୍ଦର ପରିବେଷଣ ପରେ ପ୍ରସ୍ତୁତ ହୋଇଥିଲା ରାଗମ୍-ସିନ୍ଧୁ ଭୈରବୀ ଓ ଆଦି ତାଳମ୍ରେ ଶୁଦ୍ଧନୃତ୍ୟ ତିଲ୍ଲାନା । ଏଥିରେ ମୟୁରଭଂଜର ପ୍ରସିଦ୍ଧ ଛଉନୃତ୍ୟର ଗତି ଓ ପଦପାଦର ସଂଯୋଜନା ଏହାକୁ ଖୁବ ଚିତାକର୍ଷକ କରିଥିଲା ।

ଏଥିରେ ପଞ୍ଚଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପ୍ରତି ସମର୍ପଣର ଚେତନା ପରିଲିକ୍ଷିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ବନଶ୍ରୀ ରାଓ ଓ ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ମହିଷାସୁର ମର୍ଦ୍ଦିନୀ । ଡ଼ଃ ସାଧନା ଶ୍ରୀବାସ୍ତବ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ବଳିଷ୍ଠ ସଂଯୋଜନାରେ ଉପସ୍ଥାପିତ ତୃତୀୟ ଦିବସର ସଂଧ୍ୟାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉନ୍ନୟନ କମିଶନର, ଆର. ବାଲକ୍ରିଷ୍ଣନ୍, ପ୍ରାକ୍ତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ଡଃ. ସଂଜୀବ ଚନ୍ଦ୍ର ହୋତା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଡଃ. ନିତୀନ ଭାନୁଦାସ ଜାୱଲେ ।

ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳାରେ ପରିବେଶ ପର୍ଯ୍ୟଟନ ଓ ଦିବ୍ୟାଙ୍ଗ ପ୍ରସଙ୍ଗ ଆଧାରିତ କଳାକୃତୀକୁ ଦେଖିବା ପାଇଁ ପ୍ରବଳ ସମାଗମ
ହୋଇଥିଲା । ଦେଶ ଓ ବିଦେଶରୁ ଆଗତ ପର୍ଯ୍ୟଟକ ମାନଙ୍କ ଉପସ୍ଥିତି ସଂପ୍ରତି କୋଣାର୍କକୁ ଉତ୍ସବ ମୁଖର କରିଥିଲା । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ହୋଇଥିଲା ।

ସାରସ୍ୱତ ସମାବେଶ ଯାହାର ଉଦ୍ଘାଟନ କରିଥିଲେ ପ୍ରଖ୍ୟାତ ଗାଳ୍ପିକା ଔପନ୍ୟାସିକା ଡଃ. ପ୍ରତିଭା ରାୟ । ଶିଶୁ ସାହିତ୍ୟକ ଡଃ. ଦିଗରାଜ ବ୍ରହ୍ମା ମୁଖ୍ୟବକ୍ତା, ବିରଞ୍ଚି ମିଶ୍ର ଓ କବି ନାରାୟଣ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ସଂସଦର ସଂପାଦକ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ବାହିନୀପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ ।

ଅତିଥିଙ୍କ ଦ୍ୱାରା ଶିଷୁ ସାହିତ୍ୟ ପତ୍ରିକା ଦରବାର ଉନ୍ମୋଚିତ ହେବା ସହ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସଂଧ୍ୟାରେ କାର୍ଯ୍ୟକ୍ରମ ପରିଚାଳନକୁ ବ୍ୟବସ୍ଥିତ କରିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡଃ. ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମକର୍ତାଗଣ ।

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି 

October 22, 2017 by ନିଉଜ ଡେସ୍କ 5 Comments

2
କେଦାର ମିଶ୍ର

ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ ।

ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ ।

ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ ।

ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ।

ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା –

୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର ।

4୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।

୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ।

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି ।

୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି ।

ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ ।

ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି ।

୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ ।

ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା ।

3୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।

୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ ।

୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ ।

୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା ।

ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କଳାକାର, ଗୁରୁବାରୀ ମିର୍ଧା, ଛନ୍ଦ, ଜୀବନ, ନୃତ୍ୟ, ପଶ୍ଚିମ ଓଡ଼ିଶା, ମଂଚ, ଲୋକ ପରମ୍ପରା, ଲୋକନୃତ୍ୟ, ଶ୍ରଦ୍ଧାଂଜଳି, ସମ୍ବଲପୁରୀ ନାଚ

ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

October 12, 2017 by ନିଉଜ ଡେସ୍କ 2 Comments

2016-12-10-11-42-39କେଦାର ମିଶ୍ର

ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।

ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।

ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।

ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।

ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।

ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-

୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।

ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।

୨. ମହାନଦୀ କଥା କହିଲେ “ଯା ରେ ଭାସି ଯା, ନୌକା ମୋର ଭାସିଯା’ ଗୀତଟି ମାନେ ପଡିବାକୁ ବାଧ୍ୟ ।

ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।

ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।

ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।

ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ

୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।

୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।

ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ  ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।

୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।

୬. ଫକୀର ମୋହନଂକ “ରାଣ୍ଡି ପୁଅ ଅନନ୍ତା” ଓ “ପେଟେଣ୍ଟ ମେଡିସିନ୍” ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।

୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।

ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।

୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ  ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।

୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।

୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଅକ୍ଷୟ ମହାଂତି, ଓଡିଶା, କଣ୍ଠସ୍ବର, ଖୋକା ଭାଇ, ଗାୟକ, ଗୀତ, ଗୀତିକାର, ମହାନଦୀ, ସାମାଜିକ ଇତିହାସ

ସୁବର୍ଣପୁରର ଲଂକାପୋଡି ଉତ୍ସବ; ଏକ ନିଆରା ପରମ୍ପରା

September 3, 2017 by ଓଡିଶା ଡଟ କମ 1 Comment

kedar3

କେଦାର ମିଶ୍ର

ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ ।  ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ।

ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ ।

ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ ।
kedar2
ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ।

ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା-

୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ ।

ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ ।

୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି।

ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ ।

kedar1
୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ ।

ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି ।

୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ।

ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ ।

୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।

୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି ।

କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି ।

୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି ।

୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି ।

୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ।

୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି ।

ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଉତ୍ସବ, ଟେରାକୋଟା, ନିଆଁ, ପରମ୍ପରା, ଲଂକାପୋଡି, ସୁବର୍ଣପୁର, ହନୁମାନ

ରଘୁନାଥ ପାଣିଗ୍ରାହୀ ; ଗାୟନ ଓ ଜୀବନ କୁ ନେଇ କେତୋଟି କଥା

August 21, 2017 by ଓଡିଶା ଡଟ କମ 2 Comments

odi2

କେଦାର ମିଶ୍ର

ଫଟୋ- ସଂଜୟ କାନୁନଗୋ

କେବେ ସକାଳୁ ଉଠି ତାଂକ ସ୍ଵରରେ ଗୀତ ଗୋବିନ୍ଦ ଶୁଣିଛନ୍ତି ? କେବେ ଭାବିଛନ୍ତି ତାଂକ ଗୀତରେ କି ଭାବ ଥାଏ ଯାହା ଜାତି, ଧର୍ମ ଓ ଜାତୀୟତାର ସୀମାରେଖା ଲିଭେଇ ଦେଇ ଏକ ବିଶୁଦ୍ଧ ଭାବ ରାଜ୍ୟର ନିର୍ମାଣ କରେ ?

ସେ ଗାଉଥିବା ଗୀତ ହୁଏତ ହିନ୍ଦୁ ଧର୍ମର ଏକ ବହୁ ଚର୍ଚିତ ଶାସ୍ତ୍ରରୁ ଆସିଛି, ହେଲେ ସେ ଗୀତରେ ଯେଉଁ ପ୍ରେମର ଅନୁଭବ ତାର ଧର୍ମ ହେଉଛି ମାନବିକତା। ତାଂକ ଗୀତ ଶୁଣି ଓଡିଆ ଶ୍ରୋତା ଯେତିକି ମୁଗ୍ଧ ହୁଏ, ତାଂକ ସୁରର ଯାଦୁକରୀରେ ତେଲୁଗୁ ଓ ତାମିଲ୍ ଶ୍ରୋତା ମଧ୍ୟ ସେତିକି ମୋହିତ ହୁଅନ୍ତି।

ତାଂକ ଗୀତର ମୋହନ ଶକ୍ତି ପ୍ରାୟ ଗୋଟେ ଦଶନ୍ଧି ଧରି ଇଟାଲୀ ର ଖ୍ୟାତନାମା ନାଟ୍ୟଶିଳ୍ପୀ ଇଉଜିନିଓ ବାର୍ବା ଓ ତାଂକର ସାଥୀ ମାନଂକୁ ମଧ୍ୟ ପ୍ରଭାବିତ କରିଥିଲା ।

ସାରା ଭାରତର ଶ୍ରୋତା ତାଂକର ଗୀତ ଗୋବିନ୍ଦର ମଧୁର ପରିବେଷଣରେ ମୁଗ୍ଧ ଥିବା ବେଳେ, ଷାଠିଏ ଦଶକରେ ସେ ଥିଲେ ତାମିଲ୍ ଓ ତେଲୁଗୁ ସିନେମାର ଚର୍ଚିତ ଗାୟକ। ଓଡିଆ ସିନେମା ଓ ରେଡିଓରେ ତାଂକର ସ୍ଵର ଥିଲା ଏକ ପ୍ରକାର କୁହୁକ ପରି ।

“ସୁଷମା ଗୋ ତୁମ ଅଂଗେ ଅଂଗେ ଭରା ମଧୁ ଜୋଛନା”, “ନ ଯା ରାଧିକା ଏକା ଏକା” କିମ୍ବା “ପକା କମ୍ବଳ ପୋତ ଛତା “ ଭଳି ଲୋକପ୍ରିୟ ଓଡିଆ ଗୀତ ତାଂକୁ ଓଡିଶାର ଘରେ ଘରେ ପରିଚିତି ଦେଇଥିଲା ।

od1
ସେ ଗାୟକ ଭାବରେ ଓଡିଶାର ଏକମାତ୍ର ତାରକା, ଯାହାଂକୁ ଭାରତର ପ୍ରାୟ ସବୁ ମହାନ ସଂଗୀତଜ୍ଞ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ। ତାଂକ ସୁର ଓ ଲୟ ଆଗରେ ବହୁ ବହୁ ମହାନ ହସ୍ତୀ ନତ ମସ୍ତକ ହେବାର ଆମେ ଦେଖିଛୁ ଓ ତାଂକ ଓଡିଆ ପରିଚୟକୁ ଗର୍ବର ସହ ଛାତିରେ ଝୁଲେଇଛୁ ।

ସେ ଅନନ୍ୟ ଓ ଅତୁଳନୀୟ ସୁରଶିଳ୍ପୀ ଆଉ କେହି ନୁହନ୍ତି, ସେ ସୁରମଣି ରଘୁନାଥ ପାଣିଗ୍ରାହୀ । ତାଂକ ଗୀତ ଗୋବିନ୍ଦ ଗାୟନର ସ୍ଵତନ୍ତ ଶୈଳୀ ଓ ଶୁଦ୍ଧତା ପାଇଁ ମହାନ ଅଭିନେତା ପୃଥ୍ଵୀରାଜ କପୁର ରଘୁନାଥଂକୁ ଶ୍ରଦ୍ଧା ରେ ଡାକୁଥିଲେ ଗୀତ ଗୋବିନ୍ଦ ପାଣିଗ୍ରାହୀ।

ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ।

ଓଡିଆ ଓ ଓଡିଶୀ ଜୀବନର ଏହି ମହାନାୟକ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମ ଜୀବନ ଓ କଳା କୁ ନେଇ କେତୋଟି ମଂଜ କଥା-

୧. କୋରାପୁଟ୍ ଜିଲ୍ଲାର ଛୋଟିଆ ସହର ଗୁଣୁପୁର ରେ ରଘୁନାଥ ଜନ୍ମ ନେଇଥିଲେ ୧୦ ଅଗଷ୍ଟ ୧୯୩୨ ରେ । ବାପା ନୀଳମଣି ପାଣିଗ୍ରାହୀ ଥିଲେ ସୌଖିନ୍ ଗାୟକ। ଘରେ ସଂଗୀତର ଚର୍ଚା ଓ ସାଧନା ର ବାତାବରଣ ରହିଥିଲା ।

ଗୁଣପୁର ଓ ପୁରୀରେ ପ୍ରାଥମିକ ସଂଗୀତ ଶିକ୍ଷା ପରେ ସେ ମାଦ୍ରାସ ଯାଇଥିଲେ ସଂଗୀତରେ ଅଧିକ ତାଲିମ୍ ପାଇଁ।

odi3୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।

ତା ପୂର୍ବରୁ ସେ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଓଡିଶୀ, କର୍ନାଟକୀ ଓ ହିନ୍ଦୁସ୍ତାନୀ- ତିନୋଟି ଯାକ ସଂଗୀତ ଶୈଳୀର ସେ ଥିଲେ ଜ୍ଞାତା ।

୩. ମାଦ୍ରାସ୍ ରଘୁନାଥଂକୁ ଗୋଟେ ବଡ ସୁଯୋଗ ଦେଇଥିଲା ।ଷାଠିଏ ଦଶକରେ ଘଣ୍ଟଶାଳା ଓ ପି.ବି.ଶ୍ରୀନିବାସଂକ ପରି ମହାନ ସଂଗୀତ ନିର୍ଦେଶକଂକ ସହ ତାଂକୁ କାମ କରିବାର ସୁଯୋଗ ମିଳିଥିଲା। ତାମିଲ୍ ଓ ତେଲୁଗୁ ସିନେମା ରେ ଅଳ୍ପ କେତୋଟି ଗୀତ ଗାଇ ସେ ଲୋକପ୍ରିୟତାର ଶୀର୍ଷ ରେ ପହଂଚିଥିଲେ।

ଏସ. ଦକ୍ଷିଣମୂର୍ତିଂକ ପ୍ରସିଦ୍ଧ ସିନେମା “ଇଲାବେଲୁପୁ” ର “ଚଲାନୀ ରାଜା ଓ ଚନ୍ଦାମାମା” ଗୀତଟି ତାଂକୁ ଆଜିବି ଲୋକପ୍ରିୟ କରି ରଖିଛି।

୪. ତେବେ ମାଦ୍ରାସ ବାହାରେ ତାଂକୁ ଅପେକ୍ଷା କରିଥିଲା ଭିନ୍ନ ଏକ ଇତିହାସ ।ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠା ଓ ପ୍ରତିପତ୍ତି କୁ ଠୋକର ମାରି ସେ ଫେରି ଆସିଲେ ଜନ୍ମଭୂମି ଓଡିଶାକୁ ।

ଏହି ସମୟରେ ମାଦ୍ରାସ କଳାକ୍ଷେତ୍ରରେ ତରୁଣ ରଘୁନାଥ ପ୍ରେମରେ ପଡନ୍ତି, ସେତେବେଳର ଭରତନାତ୍ୟମ ଶିଳ୍ପୀ ସଂଯୁକ୍ତା ମିଶ୍ର (ଯିଏ ପରେ ଓଡିଶୀ ନୃତ୍ୟର କିମ୍ବଦନ୍ତି ନାୟିକା ସଂଯୁକ୍ତା ପାଣିଗ୍ରାହୀ ) ସହିତ। ବମ୍ବେ ସହରରେ ସେମାନେ ବିବାହ କରନ୍ତି ଓ ସେଇଠୁ ଆରମ୍ଭ ହୁଏ ଓଡିଶା ଇତିହାସର ଏକ ନୁଆ ଅଧ୍ୟାୟ ।

୫. ଆକାଶବାଣୀ ଓ ଓଡିଆ ସିନେମା ରେ ରଘୁନାଥ ବେଶ୍ ପ୍ରସିଦ୍ଧି ପାଆନ୍ତି । ଶ୍ରୀ ପତିତପାବନ (୧୯୬୩) ରୁ “ଭାଇ ଭାଉଜ”, ମୁକ୍ତି, ଅଭିନେତ୍ରୀ, ଅହଲ୍ୟା ପର୍ଯନ୍ତ ଓଡିଆ ସିନେମାରେ ତାଂକର ପଦଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ।ଶହ ଶହ ଓଡିଆ ଗୀତ ସେ ଗାଇଛନ୍ତି ଓ ସବୁ ଗୀତରେ ନୁଆ ଏକ ଅନୁଭବ ବାଣ୍ଟିଛନ୍ତି।

୬. ତାଂକର ସବୁଠୁ ଚର୍ଚିତ ଗୀତ ସିନେମା ଅପେକ୍ଷା ଆକାଶବାଣୀ ଓ ଏଚ୍ଏମଭି ରେକର୍ଡ଼ ରେ ରହିଥିଲା ।

ଚକାନୟନକୁ ପତିତ କେହି…ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ …ମନସିଜ ମନମୋହନ …..ରୂପ ରେଖ ନାହିଁ ହେ ….ଜୀବନରେ ଥିବି ଯେବେ ଜୀବୀ ବୃନ୍ଦାବନ…..ସଂଗିନିରେ ରାସ ରଂଗୀନୀରେ …ଏମିତି ଅଗଣିତ କାଳଜୟୀ ଗୀତ ତାଂକର ଓଡିଶାର ଜଣ ଜୀବନରେ ଆଜିବି ବଂଚି ରହିଛି ଓ ରହିଥିବ ।

୭. ଗୋଟେ ସମୟ ପରେ ଗୀତ ଗୋବିନ୍ଦ ତାଂକ ପ୍ରାଣର ଅଂଶ ପାଲଟି ଗଲା।ସବୁ ଗୀତର ମାଧୁର୍ଯ୍ୟ ଓ ପ୍ରଭାବ ଗୀତ ଗୋବିନ୍ଦ ଆଗରେ ଫିକା ପଡିଗଲେ ।

ଅଷ୍ଟପଦୀ ଗାୟନର ଏକ ବଳିଷ୍ଠ ଓଡିଶୀ ଧାରା ର ସେ ଥିଲେ ସୂତ୍ରଧର।ଗୀତ ଗୋବିନ୍ଦର ସ୍ବର ନିର୍ମାଣ ଓ ବିନ୍ୟାସ କରିବାରେ ତାଂକ ସମକକ୍ଷ ଶିଳ୍ପୀ ବିରଳ।

odi4
୮. ଓଡିଶୀ ଓ ଓଡିଶା ପାଇଁ ରଘୁନାଥ ନିଜ ଜୀବନର ସବୁଠୁ ବଡ ତ୍ୟାଗ ସ୍ଵୀକାର କରିଛନ୍ତି । ଜାତୀୟ ସ୍ତରରେ ଜଣେ ପ୍ରଛଦ ଶିଳ୍ପୀ ହେବାର ମୋହ ପରିତ୍ୟାଗ କରିଥିଲେ।

ଜୀବନର ଶେଷ ତିନି ଦଶନ୍ଧି ସେ କେବଳ ଓଡିଶୀ ସଂଗୀତ ପାଇଁ ବିନିଯୋଗ କରିଥିଲେ। ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ ନଥିଲେ ଓଡିଶୀ ନୃତ୍ୟ ଆଜି ଯେଉଁ ସ୍ତରରେ ପହଂଚିଛି, ସେଠି ପହଂଚିବାର ସମ୍ଭାବନା ନଥିଲା ।

ରଘୁନାଥଂକ ସୁର ଓ ସଂଯୁକ୍ତାଂକ ଛନ୍ଦର ମାଧୁରୀ ଓଡିଶୀକୁ ବିଶ୍ଵ ରଂଗମଂଚ ରେ ପ୍ରତିଷ୍ଠା ଦେଇଥିଲା ।

୯. ସଂଗୀତ ଓ କଳା କ୍ଷେତ୍ରରେ ତାଂକର ଅବଦାନ ଯାହା, ତା’ର କୌଣସି ତୁଳନା ନାହିଁ । ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ତାଂକୁ ମିଳିଥିଲା । ଅଥଚ ପଦ୍ମଶ୍ରୀ ଭଳି ସାମାନ୍ୟ ସମ୍ମାନ ତାଂକୁ ମିଳିଲା ମୃତ୍ୟୁ ର ମାତ୍ର ବର୍ଷେ ଆଗରୁ।

ଓଡିଆ ସିନେମାର ସବୁଠୁ ବଡ ସମ୍ମାନ ଦେବାରେ ତାଂକ ପ୍ରତି ଆମେ ଉଦାସୀନ ରହିଲେ।

୧୦. ୨୫ ଅଗଷ୍ଟ ୨୦୧୩ ରେ ଏହି ମହାନ ଶିଳ୍ପୀ ଅମରତ୍ଵ ଲାଭ କଲେ। ତାଂକ ସ୍ମୃତିକୁ ସାଇତି ରଖିବାରେ ଆମେ ଏତେ ବିଫଳ ଯେ ତାଂକ ସହ ଇତିହାସର ଏକ ବିରାଟ ଅଧ୍ୟାୟ ପୋଛି ହୋଇ ଯାଉଛି, ସେକଥା ଆମ ମୁଣ୍ଡରେ ପଶୁନାହିଁ ।

ଓଡିଶା ଡଟକମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଇତିହାସ, ଓଡିଆ, ଗାୟନ, ଗୀତ ଗୋବିନ୍ଦ, ଗୀତ ଗୋବିନ୍ଦ ପାଣିଗ୍ରାହୀ, ଜାତି, ଜାତୀୟତା, ଜୀବନ, ଧର୍ମ, ମାନବିକତା, ରଘୁନାଥ ପାଣିଗ୍ରାହୀ, ରାଜ୍ୟ, ରେଡିଓ, ସିନେମା, ହିନ୍ଦୁ ଧର୍ମ

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ନେଇ କେତୋଟି କଥା

September 16, 2016 by ନିଉଜ ଡେସ୍କ Leave a Comment

kedar

କେଦାର ମିଶ୍ର

ଗୁରୁ କେଳୁଚରଣ ମହାପାତ୍ରଂକ ନାଁ ସହିତ ଓଡିଶାର ପରମ୍ପରା, ପ୍ରତିଷ୍ଠା ଓ ଉତ୍କର୍ଷ ର ନିବିଡ ସମ୍ପର୍କ ରହିଛି। ନିଜ ଜୀବନକାଳରେ ଗୁରୁ କେଳୁଚରଣ ଓଡିଶାର ଐତିହାସିକ ପରିଚୟକୁ ନିଜ ନୃତ୍ୟ ମାଧ୍ୟମରେ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନକାରୀ ସାଂସ୍କୃତିକ ଦୂତର ଭୂମିକା ନିର୍ବାହ କରିଥିଲେ।

ଆଜି ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।

ବହୁ ସ୍ମୃତି ଓ ଅନୁଭୁତିର ମଂଚ ଏ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଜଗତର ବହୁ କିମ୍ବଦନ୍ତି ଏହି ଉତ୍ସବରେ ନିଜର ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଗୋଟିଏ ମଂଚରେ କଥକ ନୃତ୍ୟର ମହାନାୟକ ବିରଜୁ ମହାରାଜ୍ ଓ ଗୁରୁ କେଳୁଚରଣ ନୃତ୍ୟ କରିବାର ବିରଳ ଅନୁଭୁତି ଏ ଉତ୍ସବର ସ୍ମୃତିରେ ରହିଛି।

ସେମିତି ଗିରିଜା ଦେବୀଂକ ତାନକାରୀରେ ଗୁରୁଜୀଂକ ସ୍ଵତଃସ୍ଫୁର୍ତ୍ତ ନର୍ତ୍ତନ ମଧ୍ୟ ଦିନେ ଏ ଉତ୍ସବର ଅଂଶବିଶେଷ ଥିଲା। ୨୨ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବ ର ପରିଚାଳନା ଦାୟିତ୍ବ ଏବେ ଗୁରୁଜୀଂକ ସୁପୁତ୍ର ଓ ଆମ ସମୟର ଅନ୍ୟତମ ଶକ୍ତିଶାଳୀ ନୃତ୍ୟବିଦ୍ ରତିକାନ୍ତ ମହାପାତ୍ରଂକ ହାତରେ ।

କହିବାରେ ଦ୍ବିଧା ନାହିଁ, ରତିକାନ୍ତ ଏକ ମହାନ ଉତ୍କର୍ଷର ପରମ୍ପରାକୁ ପ୍ରବହମାନ ରଖିବାରେ କେବଳ ସଫଳ ହୋଇନାହାନ୍ତି, ସେ ଏହି ଉତ୍ସବକୁ ଆହୁରି ମନୋଜ୍ଞ ଓ ପ୍ରସାରଣକ୍ଷମ କରିପାରିଛନ୍ତି । ଗୁରୁଜୀ ଦେହତ୍ୟାଗ କରିବାର ୧୨ ବର୍ଷ ପରେ ଆଜି ଏହି ଉତ୍ସବ ଆୟୋଜନରେ ରତିକାଂତଂକ ନିଜସ୍ଵ ସ୍ପର୍ଶ ବାରୀ ହୋଇପଡୁଛି ।

ଗତ ୫ ରୁ ୯ ସେପ୍ଟେମ୍ବର ଯାଏଁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୨୨ଶ ଗୁରୁ କେଳୁଚରଣ ମହାପାତ୍ର ଉତ୍ସବ କୁ ନେଇ କେତୋଟି ଖାସ୍ କଥା –

kedar2 kedar6୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।

ସେହି କ୍ରମରେ ଚଳିତ ବର୍ଷ ସୀତାରର ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍, ପ୍ରବୀଣ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି, ବିଖ୍ୟାତ ତବଲାବାଦକ ଯୋଗେଶ ସାମସୀ, କଥକ ଶିଳ୍ପୀ ଅସୀମବନ୍ଧୁ ଦାସଗୁପ୍ତ, ଭରତନାଟ୍ୟମ ଶିଳ୍ପୀ ସତ୍ୟନାରାୟଣ ରାଜୁ , ଯୁବ ଓଡିଶୀ ଶିଳ୍ପୀ ରାହୁଳ ଆଚାର୍ୟ ଏହି ଉତ୍ସବରେ ନିଜସ୍ଵ କଳାତ୍ମକ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ।

୨. ଏଥର ଉତ୍ସବର ଉଦଘାଟନ ଥିଲା ଓଡିଶୀ ନୃତ୍ୟ ପାଇଁ ଏକ ଐତିହାସିକ ଦିନ। ବର୍ତ୍ତମାନ ସମୟର ଓଡିଶୀ ନୃତ୍ୟର ତିନି ଶ୍ରେଷ୍ଠ ତାରକା ଅରୁଣା ମହାନ୍ତି, ସୁଜାତା ମହାପାତ୍ର ଓ ମୀରା ଦାସ ମିଳିତ ଭାବରେ ଏକ ଅନନ୍ୟ ପ୍ରସ୍ତୁତି ପରିବେଷଣ କରିଥିଲେ ।

ସୀତା, ଶବରୀ ଓ ମୀରାଂକ ଜୀବନ ଆଧାରରେ ଏହି ଓଡିଶୀ ସଂରଚନାକୁ ସମକାଳୀନ ନାରୀ ଜୀବନର ନବ କଳ୍ପନା ବୋଲି କୁହାଯାଇପାରେ।

ଏମିତି ଏକ ସମନ୍ଵୟ ଓ ସଂରଚନାକୁ ଓଡିଶୀ ର ଇତିହାସ ରେ ଅଭିନବ ବୋଲି କୁହା ଯାଇପାରେ । ଅରୁଣା, ସୁଜାତା ଓ ମୀରା ମଂଗଳାଚରଣ ଓ ହଂସଧ୍ବନୀ ପଲ୍ଲବୀ ରେ ନିଜ ନିଜର ଏକକ ଉତ୍କର୍ଷ ପ୍ରଦର୍ଶନ ସହ ଏକ ସମନ୍ୱିତ ମେଳ ରଚନା କରିବାରେ ସଫଳ ହୋଇଥିଲେ ।

୩. ଅନେକ ସମୟରେ ତାରକା ନୃତ୍ୟଶିଳ୍ପୀ ମାନେ ଯୁଗଳବନ୍ଦୀ ବା ତ୍ରୟୀ ପରିବେଷଣ କଲାବେଳେ ନିଜସ୍ଵ ଅହଂକାର ଓ ଅଭିମାନକୁ ଅଲଗା ରଖି ପାରନ୍ତି ନାହିଁ । ଏ କ୍ଷେତ୍ରରେ ତିନି ଜଣ ତାରକା ଶିଳ୍ପୀ ଗୋଟିଏ ସ୍ରୋତରେ ସମାହିତ ହୋଇ ଏକ ନୁଆ ସଂରଚନାକୁ ସଫଳ କରାଇବା ପଛରେ ଏକ ମିଳିତ ପ୍ରୟାସ ଥିଲା ।

୪. ସୀତାର ଶିଳ୍ପୀ ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍ଂକୁ ଉତ୍ସବର ମଧୁରତମ ଅନୁଭବ ବୋଲି କୁହା ଯାଇପାରେ। ତାଂକ ତନ୍ତ୍ରକାରୀ ରେ ମାଧୁର୍ୟ ଓ ରସ ବିନ୍ୟାସର ନିଆରା ଶକ୍ତି ରହିଥିଲା ।

kedar5ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।

ଚାରୁକେଶୀ ରାଗରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ର ମିଶ୍ର ଅନୁଭବକୁ ଅତ୍ୟନ୍ତ କୁଶଳୀ ତନ୍ତ୍ରକାରୀ ମାଧ୍ୟମରେ ସେ ଉପସ୍ଥାପିତ କରିଥିଲେ।

୫. ଉତ୍ସବର ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି ତାଂକର ଯାଦୁକରୀ ପ୍ରଭାବ ବିସ୍ତାର କରିଥିଲେ। ମୂଳତଃ କିରାନା ଘରାନା ର ଶିଳ୍ପୀ ହୋଇଥିଲେ ମଧ୍ୟ ପ୍ରବୀଣ ନିଜ ଅଂଦାଜ୍ ଓ ଫୁଂକରେ ବହୁ ଧାରା ତଥା ଶୈଳୀ ର ସମନ୍ଵୟ ଘଟାଇପାରନ୍ତି । ମାରୁ ବିହାଗ ରାଗ ର ସ୍ଵର ଓ ଶ୍ରୁତି କୁ ଯଥାର୍ଥ ଭାବରେ ଛୁଇଁବାର ବିରଳ ସାମର୍ଥ୍ୟ ଯୋଗୁଁ ତାଂକ ବଂଶୀ ମୋହକ ମୂର୍ଛନା ସୃଷ୍ଟି କରୁଥିଲା ।

ଦ୍ରୁତ ଲୟ ଉପରେ ସବୁଠୁ ବେଶୀ ପକଡ଼ ଥିବା ସତ୍ତ୍ୱେ ଆଳାପ ଓ ମଧ୍ୟ ଲୟରେ ମଧ୍ୟ ତାଂକର ଦକ୍ଷତା ବାରି ହୋଇ ପଡୁଥିଲା।

୬. ପ୍ରବୀଣ ଥିଲେ ଉତ୍ସବର ସବୁଠୁ ବଡ ଆକର୍ଷଣ । କାର୍ୟକ୍ରମ ସରିଲା ପରେ ମଧ୍ୟ ଦର୍ଶକ ନିଜ ଜାଗାରୁ ଉଠିବାକୁ ପ୍ରସ୍ତୁତ ନଥିଲେ। ଦର୍ଶକଂକ ପ୍ରବଳ ଅନୁରୋଧ ରକ୍ଷା କରି ପ୍ରବୀଣ ଶେଷରେ ପାହାଡି ଧୁନ୍ ପରିବେଷଣ କରିଥିଲେ। ବଂଶୀ ର ଶ୍ରୋତାଂକ ଲାଗି ପାହାଡି ହେଉଛି ସବୁଠୁ ମଧୁର ଅନୁଭବ ।

ପ୍ରକୃତି କୁ ସଂଗୀତରେ ଅନୁଭବ କରିବା ଲାଗି ପାହାଡି ଧୁନ ର ସଂରଚନା । ପ୍ରବୀଣ ସେଦିନ ନିଜ କୁଶଳୀ ଫୁଂକ୍ ମାଧ୍ୟମରେ ଦର୍ଶକଂକୁ ତନ୍ମୟ କରି ଦେଇଥିଲେ।

kedar4୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।

ହରି-ହର ସ୍ତୁତି ରେ ମଂଗଳାଚରଣ, ଚକ୍ରବାକ ପଲ୍ଲବୀ,ପ୍ରିୟେ ଚାରୁଶୀଳେ….ଅଷ୍ଟପଦୀ ରେ ଅଭିନୟ ଓ ମୋକ୍ଷ ପରିବେଷଣ କଲାବେଳେ ତାଂକର ତାଲିମ୍ ଓ ଅଭ୍ୟାସ ବାରୀ ହୋଇ ପଡୁଥିଲା, କିନ୍ତୁ ଯେଉଁ ରାହୁଲଂକୁ ଭାରତୀୟ ଶାସ୍ତ୍ରୀୟ ଜଗତର ଆଲୋଚକ ଓ ରସିକ ଗ୍ରାହକ ଭଲ ପାଆନ୍ତି, ସେ ରାହୁଳ ସେଦିନ ମଂଚରେ ନଥିଲେ !!

ଗୋଟିଏ ପଦରେ କହିଲେ- ସେଦିନ ରାହୁଳ ନିଜ ଫର୍ମ୍ ରେ ନଥିଲେ।

୮. ସତ୍ୟ ନାରାୟଣ ରାଜୁ ଓ ଯୋଗେଶ୍ ସାମସୀ- ସେମାନଂକ କାର୍ୟକ୍ରମ ଦେଖିନଥିବାରୁ, ସେ ଉପରେ ମୋର କୌଣସି ମତାମତ ଦେବାର ନାହିଁ।

୯. ଉତ୍ସବର ଅନ୍ତିମ ପ୍ରସ୍ତୁତି ଥିଲା ଆୟୋଜକ “ସୃଜନ” ର ନିଜସ୍ଵ ସଂରଚନା “ତ୍ୟାଗ” । ରତିକାନ୍ତ ମହାପାତ୍ର ଓଡିଶୀ ରେ ପରମ୍ପରା ର ନବ ନିର୍ମାଣ ଲାଗି ପ୍ରୟାସ କରିଛନ୍ତି । ନୃତ୍ୟର ପରିଧିରୁ କ୍ରମଶଃ ହଜିଯାଉଥିବା ଗୀତି ନାଟ୍ୟକୁ ରତିକାନ୍ତ ନୂଆ କରି ଉପସ୍ଥାପନ କରିଛନ୍ତି ।

ଅନସୁୟା, ଲକ୍ଷହୀରା ଓ ବିଷ୍ଣୁ ଦାସଂକ ତ୍ରିକୋଣ ପ୍ରେମ କାହାଣୀ କୁ ନେଇ ଚର୍ଚିତ ଗୀତି ନାଟ୍ୟ “ ନ ପାହୁ ରାତି ନ ମରୁ ପତି” ର ନୃତ୍ୟ ରୂପ ଜୟଦେବ ଦାସ ରଚନା କରିଥିବା ବେଳେ ନିର୍ଦ୍ଦେଶକ ରତିକାନ୍ତ ଏହାର ନବ ରଚନା କୁ ନୃତ୍ୟ ରେ ଏକ ଭିନ୍ନ ରୂପ ଦେବାରେ ସମର୍ଥ ହୋଇଛନ୍ତି ।

୧୦. ଚଳିତ ବର୍ଷ ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଗୁରୁ କିଶୋର ମହାନ୍ତି ଓ ବିଗତ ଦିନର ଓଡିଆ ସିନେମାର ନାୟିକା ଝରଣା ଦାସଂକୁ ପ୍ରଦାନ କରାଯାଇଥିବା ବେଳେ କେଳୁଚରଣ ଯୁବ ପ୍ରତିଭା ପୁରଷ୍କାର ଭରତନାଟ୍ୟମ ଶିଳ୍ପୀ ପ୍ରବୀଣ କୁମାର, ଓଡିଶୀ ଶିଳ୍ପୀ ରାଜୀବ ଭଟ୍ଟାଚାର୍ଯ୍ୟ ଓ ମଧୁସ୍ମିତା ମହାନ୍ତି ତଥା ଯୁବ ଓଡିଶୀ କଣ୍ଠ ଶିଳ୍ପୀ ରୂପକ ପରିଡାନ୍କୁ ପ୍ରଦାନ କର ଯାଇଥିଲା ।

ଅନ୍ୟତମ ଓଡିଶୀ ଶିଳ୍ପୀ ମଧୁବ୍ରତା ଶତପଥୀ ମଧ୍ୟ ଏ ଅବସରରେ ସମ୍ମାନିତ ହୋଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଉତ୍କର୍ଷ, ଓଡିଶା, ଓଡିଶୀ, କଳା, ଗୁରୁ କେଳୁଚରଣ ମହାପାତ୍ର, ନୃତ୍ୟ, ପରମ୍ପରା, ପ୍ରତିଷ୍ଠା, ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଂଗୀତ, ସଂଗୀତ ଶିଳ୍ପୀ, ସାଂସ୍କୃତିକ

ସପନର ପଥେ ପଥେ ; ଓଡିଆ ଗୀତର ଅନନ୍ୟ ଗାୟକ ସିକନ୍ଦର ଆଲାମ୍

August 2, 2016 by ଓଡିଶା ଡଟ କମ Leave a Comment

sikandar

କେଦାର ମିଶ୍ର

୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।

“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ରୋମାଣ୍ଟିକ ଭାବର ଗୀତ ।

ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଂକୁ ସେତେବେଳେ ପାଗଳ କରିଥିଲା।

ସେହି ଗୀତ ଦୁଇଟି ସହ ଓଡିଆ ସଂଗୀତ ଆକାଶରେ ଏକ ତାରକାର ଉଦୟ ହୋଇଥିଲା, ଯାହାର ବିଲୟ ଆଉ ହୋଇନାହିଁ।ନିଜ କଂଠର ମାଦକତା ଓ ମଧୁରତା ରେ ପଚାଶ ବର୍ଷ ଧରି ଓଡିଆ ଦର୍ଶକଂକ ମନକୁ ବାନ୍ଧିରଖିଥିବା ଏହି ଗାୟକ ଥିଲେ ମହମ୍ମଦ ସିକନ୍ଦର ଆଲାମ୍ ।

ପଚାଶ ବର୍ଷଧରି ଆକାଶବାଣୀ, ଓଡିଆ ସିନେମା, ଦୂରଦର୍ଶନ ଓ ସଂଗୀତ ଆସରରେ ଓଡିଆ ଶ୍ରୋତା ସିକନ୍ଦର ଆଲାମଂକୁ ଶୁଣିଛନ୍ତି ଓ ତାଂକ ହୃଦୟରେ ସେ ସ୍ଵରକୁ ଅମର କରିଛନ୍ତି ।

ଶହ ଶହ ଗୀତ ସେ ଗାଇଛନ୍ତି, ସବୁ ଗୀତରେ ଜୀବନକୁ ଓ ଓଡିଶାର ସଂସ୍କୃତିକୁ ପ୍ରାଣବନ୍ତ କରିଥିବା ଏହି କାଳଜୟୀ ଶିଳ୍ପୀ ଓ ସାଧକଂକ ଜୀବନକୁ ନେଇ କେତୋଟି କଥା-

sikandar2୧. ସିକନ୍ଦର ଆଲାମଂକ ଜନ୍ମ ୨୭, ଜୁଲାଇ, ୧୯୩୯ ଓ ସେ ଆମଠୁ ଚିରଦିନ ବିଦାୟ ନିଅନ୍ତି ୮ ,ଅଗଷ୍ଟ,୨୦୧୦ ରେ । ମାତ୍ର ୭୧ ବର୍ଷର ଜୀବନକାଳରେ ଓଡିଆ ଗୀତି ଜଗତରେ ଗୋଟେ ଯୁଗର ନିର୍ମାଣ କରିଥିବା ସିକନ୍ଦର ଆଲାମ କଟକ ଜିଲାର ରାଉତରା ପୁର ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।

ବାପା ଥିଲେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ।

୨. ସଂଗୀତ ପ୍ରତି ତାଂକର ଆକର୍ଷଣ ଓ ମିଠା ଗଳାର ଯାଦୁକରୀ ତାଂକୁ ଅତି ଅଳ୍ପ ବୟସରୁ ଲୋକପ୍ରିୟ ହେବାର ସୁଯୋଗ ଦେଇଥିଲା। ପିଲା ଦିନୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତରେ ତାଲିମ୍ ନେବା ପରେ ପଚାଶ ଦଶକରେ କଟକ ଆକାଶବାଣୀର ଜଣେ କଣ୍ଠଶିଳ୍ପୀ ଭାବରେ ସେ ସୁଯୋଗ ପାଆନ୍ତି।

୩. ପଚାଶ ଦଶକର ଆକାଶବାଣୀ, କଟକ ଥିଲା ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର।ତତ୍କାଳୀନ ନିର୍ଦ୍ଦେଶକ ପି.ଭି.କୃଷ୍ଣମୂର୍ତୀ ଓଡିଶାର ପ୍ରତିଭାଦୀପ୍ତ କଳାକାରମାନଂକୁ ଖୋଜି ଖୋଜି ଆକାଶବାଣୀରେ ସୁଯୋଗ ଦେଉଥିଲେ।ତାଂକରି ପ୍ରେରଣାରେ ଅକ୍ଷୟ ମହାନ୍ତି, ପ୍ରଣବ ପଟନାୟକ ଓ ସିକନ୍ଦର ଆଲାମ।

ଓଡିଆ ସୁଗମ ସଂଗୀତର ସ୍ଵର୍ଣ ତ୍ରୀଭୁଜ ଭାବରେ ଜଣ ମାନସରେ ପ୍ରତିଷ୍ଠା ହାସଲ କରିଥିଲେ ।

୪. ୧୯୬୨ ରେ ଲକ୍ଷ୍ମୀ ସିନେମାରେ ପ୍ରଛଦଶିଳ୍ପୀ ଭାବରେ ତାଂକୁ ଗୀତ ଗାଇବାର ସୁଯୋଗ ଦିଅନ୍ତି ଗୌର ଘୋଷ୍ ଓ ଶାରଦା ପ୍ରସନ୍ନ ନାୟକ। ବାଳକୃଷ୍ଣ ଦାଶଂକ ମଧୁର ସଂଗୀତ ସଂଯୋଜନାରେ “ଆରତ ସୁରେ ବାରେ …ଓ “ବାରିଦରେ ଯା’ ନା ତୁ..” ସେତେବେଳେ ତରୁଣ ସିକନ୍ଦର୍ଂକୁ ତାରକା ଗାୟକର ମାନ୍ୟତା ଦେଇଥିଲା ।

୫.ସିକନ୍ଦର ଆଲାମ ୫୦ ରୁ ଅଧିକ ସିନେମା ରେ କଣ୍ଠ ଦାନ କରିଛନ୍ତି । ଯେଉଁ ଗୀତ ଗାଇଛନ୍ତି ସେ ଗୀତ ଆପେ ଆପେ ପ୍ରସିଦ୍ଧ ହୋଇ ଯାଇଛି ।ତାର ଏକ ମାତ୍ର କାରଣ ହେଉଛି ତାଂକ ଗଳାର ଯାଦୁକରୀ ମାଧୁର୍ଯ୍ୟ ।ତାଂକ ଗଳା ଟି ଯେତିକି ମିଠା, ତାଂକ ଉଛାରଣ ସେତିକି ସ୍ପଷ୍ଟ ।ଓଡିଆ ଶବ୍ଦର ଉଛାରଣରେ ତାଂକର ଏକ ସ୍ଵତନ୍ତ୍ର ଭାବ ରହିଥିଲା ।

୬. ସାଗରେ ଅଧୀର ନୀଳ ତରଂଗ …, ସପନର ପଥେ ପଥେ….କୁହନା ଆହା କୁହନା.. ପରି ଅନେକ କାଳଜୟୀ ଗୀତ ତାଂକ କଣ୍ଠରେ ଶ୍ରୋତାଂକୁ ଆଜି ବି ମୁଗ୍ଧ କରେ। ମୂଳତଃ ସେ ରୋମାଣ୍ଟିକ୍ ଭାବର ଶିଳ୍ପୀ । ପ୍ରେମ, ଜୀବନ ଓ ପ୍ରକୃତିକୁ ମୁର୍ଛନା ଦେବାରେ ତାଂକର ସାର୍ଥକତା ।

୭. ତେବେ ସବୁ ସଫଳତା ର ଉପରେ ତାଂକର ସାମାଜିକ ଅବଦାନ ତାଂକୁ ଅମର କରି ରଖିବ । ତାଂକ କଣ୍ଠରେ ଓଡିଆ ଭଜନର ଯିଏ ଶୁଣିନି, ସେ ଜଗନ୍ନାଥଂକୁ ଦର୍ଶନ କରିନି । ଅପୂର୍ବ ଭାବ ତନ୍ମୟତାର ଶିଳ୍ପୀ ସେ।

ପତିତପାବନ ବାନା ଆଉ କେତେ ବେଳକୁ ….ହେଉ ଅଥବା ବୃନ୍ଦାବନେ ବଂଶୀ କେ ବଜାଇଲା….ଗୋ ରାଧେ ବଂଶୀ ଦିଅ ମୋର ଦିଅ….କି ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ…..ସବୁ ଭଜନରେ ସେ ଭାବର ଅମୃତ ଢାଳି ଦେଇଛନ୍ତି ।

୮. କହିବାରେ ହୁଏତ ସେ ଜାତିରେ ଯବନ (ତାଂକ ପ୍ରିୟ କବି ସାଲବେଗଂକ ଭାଷାରେ ) । ମୁସଲମାନ ପରିବାରରେ ଜନ୍ମ ନେଇ ଈଶ୍ଵର ଓ ଆଲ୍ଲା ତାଂକ ଲାଗି ଏକାକାର।

ସେ ସାଲବେଗ ପରମ୍ପରାର ସୁଯୋଗ୍ୟ ଦାୟାଦ । ଜୀବନର ଅନ୍ତିମ କ୍ଷଣ ଯାଏଁ ସେ ଥିଲେ ଗୋଟାପଣେ ଓଡିଆ ।ସଂହତି ଓ ସମନ୍ଵୟର ସେ ଥିଲେ ସାର୍ଥକ ଯୋଗସୂତ୍ର ।

୯. ଜୀବନ କାଳରେ ତାଂକୁ ଓଡିଆ ସିନେମାର ସର୍ବୋଚ୍ଛ ସମ୍ମାନ କି ସଂଗୀତର ବଡ ପୁରଷ୍କାର ଦିଆଗଲା ନାହିଁ ।ହେଲେ ସବୁ ପୁରଷ୍କାର ଠୁଁ ବଡ ସେ ଓଡିଆ ଶ୍ରୋତାଂକ ମନର ସିକନ୍ଦର ।

୧୦. ୮. ଅଗଷ୍ଟ ୨୦୧୦ ରେ ଏହି ମହାନ ଶିଳ୍ପୀ ଆଖି ବୁଜିଦେଲେ।ତାଂକ ଅମ୍ଲାନ ସ୍ମୃତି ଓ ସଂଗୀତ କିନ୍ତୁ ଏବେ ବି ସାଗରେ ଅଧୀର ନୀଳ ତରଂଗ ଅବା ସପନର ପଥେ ପଥେ ଚାଲୁଥିବା ସ୍ମୃତି ଟିଏ ପରି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଓଡିଆ ସଂଗୀତ, କଂଠର ମାଦକତା, ଗୀତ, ମଧୁରତା, ମହମ୍ମଦ ସିକନ୍ଦର ଆଲାମ୍

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ