• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନୋରଞ୍ଜନ

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

July 7, 2015 by News Bureau Leave a Comment

କେଦାର ମିଶ୍ର

ଭୀମବକରାଳମ୍‍ ବୋଲି କୌଣସି ଶବ୍ଦ ନାହିଁ । ଶବ୍ଦ ଯେହେତୁ ନାହିଁ, ତା’ର ଅର୍ଥ ମଧ୍ୟ ନାହିଁ । ତେବେ ଏହି ଶବ୍ଦଟି ସହ ଗୋଟେ ସ୍ମୃତି ରହିଛି । ସାଧାରଣ ଭୁଲ୍‍ଟିଏ କେମିତି କିମ୍ଭୂତ କିମାକାର ରୂପ ନେଇପାରେ, ତା’ର ନାଁ ଭୀମବକରାଳମ୍‍ ହୋଇପାରେ । କଥାଟି ଟିକେ ସ୍ପଷ୍ଟ କରି କୁହାଯାଉ ।

୧୯୯୯ ମହାବାତ୍ୟା ପରେ ଜଣେ ପ୍ରସିଦ୍ଧ ସାହିତ୍ୟ ପତ୍ରିକାର ସମ୍ପାଦକ ମହାବାତ୍ୟାର ଅନୁଭବକୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରିବାକୁ ଚାହିଁଲେ । ଏଥିପାଇଁ କବି ଜୟଦେବଙ୍କ ଦଶାବତାର ଭିତରୁ କଳ୍‍କୀ ଅବତାରର ବର୍ଣ୍ଣନାରୁ ଧାଡ଼ିଟିଏ ନେବାପାଇଁ ସମ୍ପାଦକଙ୍କର ଇଚ୍ଛା ହେଲା ।

ସେଥିପାଇଁ ଗୀତଗୋବିନ୍ଦ ବହି ଅପେକ୍ଷା ସମ୍ପାଦକ ଏହାର ଗୀତ ଉପରେ ନିର୍ଭର କରି ଧାଡ଼ିଟିକୁ ବାଛିବାକୁ ଚାହିଁଲେ । କଳ୍‍କୀ ଅବତାରର ବର୍ଣ୍ଣନା ସେ ଯେତେଥର ଶୁଣିଲେ, ତାଙ୍କୁ ଲାଗିଲା ‘ଧୂମକେତୁମିବ ଭୀମବକରାଳମ୍‍’ । ଆଠ ଦଶଥର ଶୁଣିସାରିଲା ପରେ ମଧ୍ୟ ତାଙ୍କୁ ଲାଗିଲା ତାହାହିଁ ଠିକ୍‍ ଅଛି । ଶେଷରେ ପତ୍ରିକାରେ ଭୀମବକରାଳମ୍‍ ବାହାରିଲା ।

ଜିତେନ୍ଦ୍ରିୟ ହରିପାଲ ଓ କୃଷ୍ଣା ପଟେଲ ଗାଇଥିବା ମୂଳ ସଙ୍ଗୀତ

 

ପତ୍ରିକାଟି ବାହାରିଲା ପରେ ପ୍ରଖ୍ୟାତ ଲେଖକ ଚନ୍ଦ୍ରଶେଖର ରଥ ତାକୁ ଦେଖି ପଚାରିଲେ- ‘ଭୀମବକରଳାମ’ର ଅର୍ଥ କ’ଣ ? ସମ୍ପାଦକ ମହାଶୟ ଗୀତ ଗୋବିନ୍ଦର ଉଦ୍ଧୃତି ବୋଲି କହିଲାରୁ ଶ୍ରୀଯୁକ୍ତ ରଥ କହିଲେ, ଶ୍ରୀଜୟଦେବ ଲେଖିଛନ୍ତି ‘ଧୂମକେତୁମିବ କିମପିକରାଳମ୍‍’ ଅର୍ଥାତ୍‍ ଧୂମକେତୁ ପରି ଅତ୍ୟନ୍ତ କରାଳ । ପଢିବା ଓ ଶୁଣିବାରେ ଏତେକ ଫରକ । ଶୁଣିବାବେଳେ ଆମେ ଜାଣିନଥିବା ଭାଷାଟିକୁ ନିଜ ମନରୁ ଫାନ୍ଦି ଗଢି ଦେଉ ।

ଯାହାଫଳରେ ‘କିମପିକରାଳମ୍‍’ ‘ଭୀମବକରାଳମ୍‍’ ହୋଇଯାଇପାରେ । ଆଜି ଯେତେବେଳେ ରଙ୍ଗବତୀ ପ୍ରତ୍ୟାବର୍ତ୍ତନ ଗୀତଟିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି ଓ ଏହାକୁ ନେଇ ବିବଦମାନ ସ୍ଥିତି ଉଭା ହୋଇଛି, ସେତେବେଳେ ଏହି ପ୍ରସଙ୍ଗଟି ନିହାତି ବିଚାରଯୋଗ୍ୟ । ସତୁରୀ ଦଶକର ରଙ୍ଗବତୀ ଗୀତ କୋଶଳୀ/ସମ୍ବଲପୁରୀ ଭାଷାରେ ଏକ ନୂଆ ଯୁଗ ସୃଷ୍ଟି କରିଥିଲା ।

ଲୋକପ୍ରିୟତା, ଶୁଦ୍ଧତା, ଭାବର ଆବେଦନ, ରସସୃଷ୍ଟି ଓ ମୌଳିକ ଲୋକପରମ୍ପରାକୁ ଅକ୍ଷୁଣ୍ଣ ରଖି ପାରିବାର ଏକ ଅଦ୍ଭୁତ ସଙ୍ଗମ ଏହି ଗୀତରେ ଘଟିଥିଲା । ଲୋକ ସ୍ୱର ଦ୍ୱାରା ଅନୁପ୍ରେରିତ ଏହି ଗୀତଟି ପ୍ରଥମେ ସମ୍ବଲପୁର ଆକାଶବାଣୀରେ ବାଜିଲା ପରେ ୧୯୭୮ରେ ଗ୍ରାମ୍‍କୋ କମ୍ପାନୀ ଦ୍ୱାରା ବଜାରକୁ ଆସିଥିଲା ।

ବଜାରକୁ ଆସିବା ପୂର୍ବରୁ ପ୍ରାୟ ତିନିବର୍ଷର ସଂଘର୍ଷ ଏହି ଗୀତ ପଛରେ ରହିଛି । ଗୀତର ଆବେଦନ ସେତେବେଳେ ଏତେ ବ୍ୟାପକ ହେବ ବୋଲି କେହି ଚିନ୍ତା କରି ନଥିଲେ । ତେବେ ସେତେବେଳେ ଗୀତଟି ଗୋଲ୍ଡେନ୍‍ ଡିସ୍କ୍‍ ପାଇବାରେ ସମର୍ଥ ହୋଇଥିଲା ଓ ଲକ୍ଷାଧିକ ଡିସ୍କ୍‍, କ୍ୟାସେଟ୍‍ ଓ ସିଡ଼ି ବିକି୍ର ହୋଇଥିଲା । ଆଜି ମଧ୍ୟ ହୋଇଚାଲିଛି ।

ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ ଜଣେ ଖ୍ୟାତନାମା କୋଶଳୀ କବି । ତାଙ୍କ କବିତାର ଭାବ ଓ ଶବ୍ଦଗୁଣ ନିଆରା । ଦେଶୀ ଶବ୍ଦରେ ମାନବୀୟ ସମ୍ବେଦନା ସୃଷ୍ଟି କରିବାର ଅପୂର୍ବ ଯାଦୁକରୀ ତାଙ୍କ କଲମରେ ରହିଛି । ରଙ୍ଗବତୀ ଗୀତରେ ସେହି ଯାଦୁକରୀ ନୂଆ ଏକ ରୂପ ପାଇଥିଲା । ଏହି ଗୀତରେ ଯେତିକି ଉନ୍ମାଦନା ରହିଛି, ସେତିକି ମାନବୀୟ ସମ୍ବେଦନା ମଧ୍ୟ ରହିଛି । ଏହା କେବଳ ସାଧାରଣ ପ୍ରେମ ଗୀତ ନୁହେଁ । ଏହାର ଶେଷରେ କବି କହିବାକୁ ଚାହିଁଛନ୍ତି ‘ଯୁଗେ ଯୁଗେ କଥା ଗାଏବା ଗୀତା ।’

ସତେଯେମିତି କବି ଜାଣିଥିଲେ ଯେ ଏହି ଗୀତ ସମୟକୁ ଅତିକ୍ରମ କରି ମଣିଷର ଭାବଗୀତ ପାଲଟିଯିବ । ସମୟକ୍ରମେ ଏହି ଗୀତ ସହ ଓଡ଼ିଶାର ସାଂସ୍କୃତିକ ଜନଜୀବନ ଯୋଡ଼ି ହୋଇଯାଇଛି । ପ୍ରତ୍ୟେକ ଓଡ଼ିଆ ଉତ୍ସବ ବ୍ୟସନରେ ରଙ୍ଗବତୀ ଆମ ଜୀବନର ଅଂଶ ପାଲଟିଯାଇଛି ।

ନାଚିବା କଥା ଉଠିଲେ ରଙ୍ଗବତୀ ଗୀତଠୁ ବିକଳ୍ପ ଉପାଦାନ ଆଉ କିଛିନାହିଁ । ଏହାର ଦୁଇ ମହାନ୍‍ କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ୍‍ ଓ କୃଷ୍ଣା ପଟେଲ୍‍ ଆମ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏମିତି ବି କୁହାଯାଇପାରେ ଯେ ରଙ୍ଗବତୀ ଗୀତ ଓଡ଼ିଶାର ଭୌଗୋଳିକ ସୀମା ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତିକ ପରିସରକୁ ମଧ୍ୟ ଯାଇଛି ।

ବିଭିନ୍ନ ଭାରତୀୟ ଭାଷାରେ ଏହାର ନୂଆ ସଂସ୍କରଣ ବାହାରିଛି । ହଠାତ୍‍ ଏହି ବର୍ଷ ରଙ୍ଗବତୀ ନୂଆ ରୂପରେ ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଆମେ ଶୁଣିଲୁ ଓ ଶୁଣିଲା ପରେ ଆମେ ଯାହା ଦେଖିଲୁ ତାହା ରଙ୍ଗବତୀ ନଥିଲା, ତାହା ରଙ୍ଗବତୀର କଙ୍କାଳରେ ମଖମଲି ଝାଲର ପିନ୍ଧାଯାଇଥିବା ଏକ ଭୟଙ୍କର ଶବଯାତ୍ରା ।

ମୁମ୍ବାଇରେ ଖ୍ୟାତିଲାଭ କରିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଓ ଉଦୀୟମାନ ତାରକା ଋତୁରାଜ ମହାନ୍ତି ‘ରଙ୍ଗବତୀ ରିଟର୍ଣ୍ଣସ୍‍’ ନାମରେ ଏହି ଗୀତର ରିମିକ୍ସ ପ୍ରସିଦ୍ଧ କୋକ୍‍ ଷ୍ଟୁଡ଼ିଓରେ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମଟି ପ୍ରସାରିତ ହେବା ପୂର୍ବରୁ ୟୁ ଟୁ୍ୟବ୍‍ରେ ଏହାକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଲା ।

ରଙ୍ଗବତୀ ପୁଣିଥରେ ଫେରି ଆସିଥିବାରୁ ଓ ଏହା ସାରା ପୃଥିବୀର ଦର୍ଶକଙ୍କୁ ନୂଆ ଆନନ୍ଦ ଦେବାର ସମ୍ଭାବନାକୁ ନେଇ ଆମର ଯୁବ ଶ୍ରୋତାମାନେ ଉତ୍‍ଫୁଲ୍ଲିତ ହୋଇ ପଡ଼ିଲେ । ତେବେ ଏହି ଆନନ୍ଦ ଦୀର୍ଘସ୍ଥାୟୀ ହେଲା ନାହିଁ । ଗୀତଟି ଶୁଣିବା ପରେ ଲାଗିଲା ଗାୟିକା ସୋନା ମହାପାତ୍ର ରଙ୍ଗବତୀ ଗୀତର ଭାବକୁ କେବଳ ନଷ୍ଟ କରିନାହାନ୍ତି, ଏହାର ସୁର, ତାଳ, ଲୟ ଓ ଛନ୍ଦକୁ ପୂରାପୂରି ନଷ୍ଟ କରିଛନ୍ତି ।

ରିମିକ୍ସ ଯୁଗରେ ଏପ୍ରକାର ସ୍ୱାଧୀନତା ହୁଏତ ଜଣେ ସଂଗୀତକାର ନେଇପାରେ ! କିନ୍ତୁ ଏହାରସବୁଠୁ ଅପରାଧିକ ଦିଗଟି ହେଉଛି ଗୀତଟିକୁ ଭୁଲ୍‍ଭାଲ୍‍ କରି ଗାଇବାର ଅପସାହସ । ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ଗୀତଟିର ମର୍ମ ବୁଝିବା ଦୂରେ ଥାଉ ଏହାର ଶବ୍ଦ ବୁଝି ପାରିନାହାନ୍ତି । ଆମେ ଯେଉଁ ‘କିମପିକରାଳମ୍‍’ ଓ ‘ଭୀମବକରାଳମ୍‍’ର ଉଦାହରଣ ଆରମ୍ଭରୁ ଦେଇଥିଲୁ ଏଥିରେ ତାହା ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳୁଛି ।

ସୋନା ମହାପାତ୍ର ରଙ୍ଗବତୀକୁ ଅନେକ ସମୟରେ ରଙ୍ଗ ରଙ୍ଗ ବୋଲି ସମ୍ବୋଧନ କରିଛନ୍ତି । ସେ ଜାଣନ୍ତି ନାହିଁ ଯେ କୋଶଳୀ ଭାଷାରେ ରଙ୍ଗ ଶବ୍ଦର ଅର୍ଥ ତୃତୀୟ ଲିଙ୍ଗକୁ ବୁଝାଯାଏ । ରଙ୍ଗବତୀ ସ୍ଥାନରେ ରଙ୍ଗର ଉଚ୍ଚାରଣ ଗୀତଟିକୁ ଅର୍ଦ୍ଧପାଗଳଙ୍କ ସାରେଗାମାରେ ରୂପାନ୍ତରିତ କରିଛି ।

ଗୀତରେ ମାତ୍ର ଗୋଟିଏ ମୁଖୁଡ଼ା ଓ ଗୋଟିଏ ଅନ୍ତରା ନିଆଯାଇଛି । ଆଠଧାଡ଼ି ଭିତରେ ଚାରିଧାଡ଼ି ଭୁଲ୍‍ ରହିଛି । ଉଦାହରଣ ଦେଇ କୁହାଯାଇପାରେ – ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ସ୍ଥାନରେ ଲାଜେ ଲାଜେ ନଇଁ ଯାଉଛି ମଥା, ରାନୀ ଟାଗେ ସୂତା ମାଲି ହେଲାନ ଗୁନ୍ଥା ସ୍ଥାନରେ ରାନୀ ଟାଗେ ସୂତା ମାଲି ହେଲା କୂରୁତା, ବନେ ମଲୀ ମହକନ ସ୍ଥାନରେ ମାନେ ମାଲି ମହକନ ଓ ଉବୁଟୁବୁ ମନେ କଲେ ସୁରୁତା ସ୍ଥାନରେ ଗୋଟେ ଅଦ୍‍ଭୁତ ଧାଡ଼ି ସୋନା ମହାପାତ୍ର ଉଚ୍ଚାରଣ କରିଛନ୍ତି ।

ସେମିତି ବିହି ଖଞ୍ଜିଦେଲା ସାଙ୍ଗ ସରିସାକୁ ମଧ୍ୟ ଅତ୍ୟନ୍ତ ବିକୃତ ଭାବରେ ଗାନ କରାଯାଇଛି । ମୋଟାମୋଟି ଦେଖିବାକୁ ଗଲେ ୧୦ ଧାଡ଼ିର ଗୀତରେ ପାଞ୍ଚ ଧାଡ଼ି ଭୁଲ୍‍ । ତଥାପି ଏହାକୁ ନେଇ ଆମେ ଗର୍ବିତ ହେବା ଉଚିତ ବୋଲି କେହି କେହି ଆମକୁ ଉପଦେଶ ଦେଉଛନ୍ତି ।

ରଙ୍ଗବତୀ ଗୀତ କୋକ ଷ୍ଟୁଡ଼ିଓ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ପ୍ରବେଶ କଲା ଓ ନୂଆ ପିଢି ଏହାକୁ ଶୁଣି ତାଙ୍କ ଚେରକୁ ଫେରିଯିବାର ସମ୍ଭାବନା ଥିବାରୁ ସୋନା ମହାପାତ୍ରଙ୍କୁ ଓଡ଼ିଆମାନେ ଧନ୍ୟବାଦ ଦେବା ଉଚିତ ବୋଲି କେହି କେହି କହୁଛନ୍ତି । କହିବାରେ ମନା ନାହିଁ ।

ତେବେ ସୋନା ମହାପାତ୍ରଙ୍କ ଦୟା ଉପରେ ରଙ୍ଗବତୀ ଗୀତର ଲୋକପ୍ରିୟତା ନିର୍ଭର କରେ ନାହିଁ । ମୂଳ ରଙ୍ଗବତୀ ଗୀତ ଆଜି ମଧ୍ୟ ଭୀଷଣ ଭାବରେ ଲୋକପ୍ରିୟ ଓ ଏହାର ନବ ଆବିଷ୍କାର ଯଦି କରିବା କଥା, ସେ ଶକ୍ତି ଏହାର ମୂଳ ଗାୟକ ଜିତେନ୍ଦ୍ରୀୟ ହରିପାଲ୍‍ଙ୍କ ପାଖରେ ରହିଛି ।

ଏହି ଗୀତର ଚାରି ସେନାପତି ପ୍ରଭୁଦତ୍ତ ପ୍ରଧାନ, ମିତ୍ରଭାନୁ ଗଉନ୍ତିଆ, ଜିତେନ୍ଦ୍ରୀୟ ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ ପାଖରେ ଏହାର ସୃଜନଶୀଳ ଅଧିକାର ରହିଛି । ତାଙ୍କର ବିନା ଅନୁମତିରେ ଏହି ଗୀତର ଦୂରୁପଯୋଗ ଯିଏ ବି କରୁ, ତା’କୁ ଗ୍ରହଣ କରାଯାଇପାରିବ ନାହିଁ ।

ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ନିଜ ଗୁଣରେ ପ୍ରସିଦ୍ଧ । ତାଙ୍କର ସୃଜନଶୀଳତା ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ କଳାକାରଭାବରେ ନିଜ ପୂର୍ବସୁରୀଙ୍କ ପ୍ରତି ସୋନା ସାମାନ୍ୟତମ ମର୍ଯ୍ୟାଦା ପ୍ରଦର୍ଶନ କରି ନାହାନ୍ତି ।

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ନିଜେ ନିଜର ମାନସିକତା ପରୀକ୍ଷା କରାଇବା ଉଚିତ ।

ଗୀତର ଶବ୍ଦ ନ ବୁଝି, ଭାବ ନ ଜାଣି ଓ ମରମରେ ଅନୁଭବ ନ କରି ଏହାର ନୂଆ ଆବିଷ୍କାର ସମ୍ଭବ ନୁହଁ । କହିବାରେ ଦ୍ୱିଧା ନାହିଁ ଯେ, ସୋନା ଏବଂ ରାମ୍‍ ଏହାକୁ ଆବିଷ୍କାର କରିବାରେ ବିଫଳ ହୋଇଛନ୍ତି ।

ସବୁଠୁ ପ୍ରଳମ୍ବଅଶୁଦ୍ଧି ହେଉଛି ରଙ୍ଗବତୀ ଭଳି ଏକ ପ୍ରେମ ଗୀତ ସହିତ ଓଡ଼ିଶାର ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀର ଅଦ୍ଭୁତ ସମାଗମ । ରଙ୍ଗବତୀ ଗୀତର ଉନ୍ମାଦନା ସହିତ ବନେ୍ଦ ଉକ୍ରଳ ଜନନୀର ସ୍ୱଦେଶ ପ୍ରେମ କେଉଁ ଦୃଷ୍ଟିରୁ ଗୋଟିଏ ସୂତ୍ରରେ ଗୁନ୍ଥା ହେବେ ତାହା ଆମେ ବୁଝିପାରୁନୁ ।

ପୁନଶ୍ଚ ଏକ ଜାତୀୟ ସଙ୍ଗୀତ ଗାନ କରିବାର ନିର୍ଦ୍ଧିଷ୍ଟ ନୀତି ନିୟମ ରହିଛି । ତାହା ନ କରି ପାଗଳଙ୍କ ପରି ନାଚି ନାଚି ବନେ୍ଦ ଉକ୍ରଳ ଜନନୀ ଗାଇବାଟା ଓଡ଼ିଶା ପ୍ରତି ସମ୍ମାନ ନା ଅପମାନ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରନ୍ତୁ ।

ପ୍ରତ୍ୟେକ ସୃଜନଶୀଳ ସ୍ରଷ୍ଟାର ନିଜସ୍ୱ ସ୍ୱାଧୀନତା ଓ ଅଧିକାର ରହିଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ସୋନା ମହାପାତ୍ର ରାମ ସମ୍ପତ୍‍ ଓ ଋତୁରାଜ ମହାନ୍ତିଙ୍କ ପ୍ରତି ଆମର ସମ୍ମାନ ରହିଛି ଓ ତାଙ୍କର ସ୍ୱାଧୀନତା ଉପରେ ଆମ ପ୍ରଶ୍ନଚିହ୍ନ ଲଗାଉ ନାହୁଁ ।

ତେବେ ଏତିକି ନିଶ୍ଚୟ କହିବୁ ଯେ କୌଣସି ଗୀତକୁ ନୂଆ କରି ଆବିଷ୍କାର କରିବା ପାଇଁ ଯଦି ଚାହୁଁଛନ୍ତି, ସେ ଗୀତକୁ ପ୍ରଥମେ ବୁଝନ୍ତୁ, ମନ ଦେଇ ଭଲପା’ନ୍ତୁ ଓ ତା’ପରେ ଯାଇ ତାକୁ ନୂଆ ପରିବେଷଣ କରିବାରେ ସାହସ କରନ୍ତୁ ।

ନହେଲେ ସମୁଦାୟ ଗୀତଟି ଗୋଟେ ଅର୍ଥହୀନ ଭୀମବକରାଳରେ ପରିଣତ ହେବା ସାର ହେବ । ଏଥିରେ ଗୌରବ ତୁଳନାରେ ଜାତିର ଗୌରବ ମାଟିରେ ମିଶିଯିବ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଜିତେନ୍ଦ୍ରିୟ ହରିପାଳ, ରଙ୍ଗବତୀ, ସୋନା ମହାପାତ୍ର

‘ରଙ୍ଗବତୀ ରିଟର୍ନସ’କୁ ନେଇ ବିବାଦ

July 5, 2015 by News Bureau Leave a Comment

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ୫ ଜୁଲାଇ (ଓଡିଶା ଡଟ କମ) ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ରେ ମୂଳ ସଙ୍ଗୀତକୁ ବିକୃତ କରାଯାଇଥିବା ଅଭିଯୋଗ କରି ଗୀତର ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ଏକ କୋଟି ଟଙ୍କାର କ୍ଷତିପୂରଣ ମାମଲା ଦାୟର କରିବେ ବୋଲି ଧମକ ଦେଇଛନ୍ତି ।

ସତୁରି ଦଶକରେ ଓଡିଆ ଯୁବପିଢୀକୁ ମତୁଆଲା କରିଥିବା ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ନୂଆ ରିମେକ ‘ରଙ୍ଗବତୀ ରିଟର୍ନସ’ ରେ କଣ୍ଠଦାନ କରିଛନ୍ତି ଗାୟିକା ସୋନା ମହାପାତ୍ର, ଓ ଋତୁରାଜ ମହାନ୍ତି ଓ ଗାୟକ ରାମ ସମ୍ପଦ ।  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ରାମ ସମ୍ପଦ ।

ମୂଳ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଂଗୀତ ନିର୍ଦେଶକ ବିଭୁଦତ ପ୍ରଧାନ ଅଭିଯୋଗ କରିଛନ୍ତି ଯେ କପି ରାଇଟ୍ସକୁ ଉଲଂଘନ କରି ବିନା ଅନୁମତିରେ ରଙ୍ଗବତୀ ଗୀତକୁ ବିକୃତ କରି ରିମେକ କରାଯାଇଛି। ସେମାନେ ରିମେକ ତିଆରି କରିଥିବା କମ୍ପାନୀ ବିରୁଦ୍ଧରେ ୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିବେ ବୋଲି କହିଛନ୍ତି।

ମାମଲାରେ ହିନ୍ଦୁସ୍ଥାନ ବ୍ରେଭରେଜ ପ୍ରାଇଭେଟ ଲିମିଟେଡ, ହିନ୍ଦୁସ୍ଥାନ କୋକୋକୋଲା ହୋଲଡିଂସ ପ୍ରାଇଭେଟ ଲିମିଟେଡ , ଭାଇକମ-୧୮ ମିଡିଆ ପ୍ରାଇଭେଟ ଲିମିଟେଡ , ଗାୟିକା ସୋନା ମହାପାତ୍ର, ଗାୟକ ରାମ ସମ୍ପଦ ଓ ଋତୁରାଜ ମହାନ୍ତିଙ୍କୁ ପକ୍ଷଭୁତ କରି ସେମାନଙ୍କୁ ନୋଟିସ ପଠା ଯାଇଥିବା ସେମାନେ କହିଛନ୍ତି ।

ରିମେକ ରଙ୍ଗବତୀର ପ୍ରସାରଣ ତୁରନ୍ତ ବନ୍ଦ ବନ୍ଦ କରିବାସହ ୧୫ ଦିନ ମଧ୍ୟରେ କୋଟିଏ ଟଙ୍କା ମାନହାନି ପଇଠ କରିବାକୁ ରିମେକ କମ୍ପାନିକୁ ଆଡଭୋକେଟ ନୋଟିସ ପଠାଯାଇଛି। ନୋଟିସର ଅଣଦେଖା କରାଗଲେ ସମସ୍ତ ପ୍ରତିପକ୍ଷଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କ  ପକ୍ଷରୁ ବରିଷ୍ଠ ଆଇନଜୀବୀ ସାଗରକୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହାସହ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କୁ ସମ୍ବଲପୁରର ବିଭିନ୍ନ ସଂସ୍ଥା ପକ୍ଷରୁ ସ୍ମାରକ ପତ୍ର ଦିଆଯାଇଛି। ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡିଶାରେ ରଙ୍ଗବତୀ ରିଟର୍ନସକୁ ନେଇ ଏବେ ପ୍ରତିବାଦ ତୀବ୍ର ହୋଇଛି ।

୧୯୭୫ ମସିହାରେ ରଙ୍ଗବତୀ ଗୀତ ଅଲ ଇଣ୍ଡିଆ ରେଡିଓରେ ପ୍ରଥମେ ପ୍ରସାରିତ ହୋଇଥିଲା। ଗୀତଟି ଗାଇଥିଲେ ସମ୍ବଲପୁରୀ ଗାୟକ ଜିତେନ୍ଦ୍ରିୟ ହରିପାଳ। ଦୀର୍ଘ ୪୦ ବର୍ଷ ଧରି ରଙ୍ଗବତୀର ତାଳରେ ଖାଲି ସମ୍ବଲପୁର ବା ପଶ୍ଚିମ ଓଡିଶା ନୁହଁ ସାରା ଓଡିଶା ନାଚିଛି।

https://youtu.be/62drmcfgXD0?t=27

ନୂଆ କିର୍ତିମାନ ସ୍ଥାପନ କରି ଲୋକପ୍ରିୟତାର ଚରମ ଶୀର୍ଷରେ ପହଞ୍ଚିଥିବା ଏହି ଲୋକଗୀତ ଦେଶ ବିଦେଶରେ ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ସହ ବିବିସି, ଭଏସ ଅଫ ଆମେରିକା ରେଡିଓରେ ମଧ୍ୟ ପ୍ରସାରିତ ହୋଇଛି ।

୧୯୭୬ ମସିହାରେ କୋଲକାତାର ଇନଡ୍ରେକୋ ନାମକ ମ୍ୟୁଜିକ କମ୍ପାନୀ ରଙ୍ଗବତୀ ଗୀତକୁ ରେକର୍ଡ କରିଥିଲା । କିନ୍ତୁ ବିଭିନ୍ନ ବ୍ୟକ୍ତି ଏହି ଗୀତକୁ ନିଜ ଗୀତ କହିବ ପରେ ଗୀତର କପି ରାଇଟ୍ସ ନେଇ ବିବାଦ ସୃଷ୍ଟିହେଲା ଓ ଗୀତଟି ରିଲିଜ ହୋଇ ପାରିନଥିଲା।

୧୯୭୮ରେ ଜିତେନ୍ଦ୍ରିୟ ଏହା ତାଙ୍କ ନିଜ ଗୀତବୋଲି ପ୍ରମାଣ ଦେବାପରେ ରଙ୍ଗବତୀ ରିଲିଜ କଲା ଇନଡ୍ରେକୋ ମ୍ୟୁଜିକ କମ୍ପାନୀ। ଏହା ପରେ ରଙ୍ଗବତୀ ଯେଉଁ ଲୋକପ୍ରିୟତା ହାସଲ କଲା ତାହା ଏକ ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଜିତେନ୍ଦ୍ରିୟ ହରିପାଲ, ରଙ୍ଗବତୀ

କୃଷ୍ଣଲୀଳା:ନୂଆ ଆବିଷ୍କାର ନା ପୁରୁଣାର ଅନୁକରଣ !(ରୋକ୍ ଠୋକ୍)

June 23, 2015 by News Bureau Leave a Comment

କେଦାର ମିଶ୍ର

ଫଟୋ : ଅରବିନ୍ଦ ମହାପାତ୍ର

କୃଷ୍ଣଲୀଳା ଓଡ଼ିଶୀ ରଚନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶହ ଶହ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପରମ୍ପରାରେ କୃଷ୍ଣଙ୍କର ବିବିଧ ଲୀଳାକୁ ପ୍ରଦର୍ଶିତ କରାଯାଇ ଆସୁଛି ।

ପ୍ରାଚୀନ ପରମ୍ପରାଠୁ ଆରମ୍ଭ କରି ଓଡ଼ିଶୀର ନବନିର୍ମାଣ ପ୍ରକ୍ରିୟାରେ କୃଷ୍ଣଲୀଳାର ଶହଶହ କମନୀୟ ନୃତ୍ୟ ଛନ୍ଦ ଆମେ ଦେଖି ଆସିଛୁ । ତେଣୁ ଓଡ଼ିଶୀର ଓଡ଼ିଆ ଦର୍ଶକ ଭାବରେ ଆମ ପାଇଁ କୃଷ୍ଣଲୀଳା ଆମ ରକ୍ତର ଅଂଶ ।

ramli 1 ramliସେହି କ୍ରମରେ ଯେତେବେଳେ ଜଣେ ବିଦେଶୀ ନୃତ୍ୟଗୁରୁ ଓ ନର୍ତ୍ତକ କୃଷ୍ଣଲୀଳାର ନବଆବିଷ୍କାର କଥା କହନ୍ତି ସେଠି ଆମେ ଟିକେ ଚକିତ ହେବାକୁ ବାଧ୍ୟ । ମାଲେସିଆର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍‍ଲୀ ଇବ୍ରାହିମ୍‍  ତାଙ୍କର ନୂଆ ନୃତ୍ୟ ରଚନା “କୃଷ୍ଣପ୍ରେମ : ଏକ ନୂଆ ଆବିଷ୍କାର” ମାଧ୍ୟମରେ ଏବେ ପୃଥିବୀର ବିଭିନ୍ନ ସହରରେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି ।

ରାମ୍‍ଲୀ ଇବ୍ରାହିମ୍‍ଙ୍କ ସହ ଓଡ଼ିଶୀର ସମ୍ପର୍କ ଯେତିକି ପୁରୁଣା ଓଡ଼ିଶୀକୁ ନେଇ ତାଙ୍କର ଅଣପାରମ୍ପରିକ ଦୃଷ୍ଟିଭଙ୍ଗୀ ମଧ୍ୟ ସେତିକି ବିବଦମାନ । ରାମ୍‍ଲୀ ଓଡ଼ିଶାର ସବୁଠୁ ପୁରୁଣା ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ଶିଷ୍ୟ ।

ପରବର୍ତ୍ତୀ ସମୟରେ ସେ ଗୁରୁ ଦେବପ୍ରସାଦଙ୍କ ଦୁଇ ପ୍ରମୁଖ ଶିଷ୍ୟ ଗୁରୁ ଦୁର୍ଗାଚରଣ ରଣବୀର୍‍ ଓ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ଅନ୍ୟ ସମୟରେ କେବେ କେବେ ତାଙ୍କ ଛାତ୍ରମାନେ ଗୁରୁ ମୀରା ଦାସଙ୍କ ସମେତ ଅନ୍ୟ ଗୁରୁମାନଙ୍କଠାରୁ ମଧ୍ୟ ନୃତ୍ୟଶିକ୍ଷା ଗ୍ରହଣ କରନ୍ତି ।

ମୋଟାମୋଟି କୌଣସି ନିର୍ଦ୍ଧିଷ୍ଟ ଓଡ଼ିଶୀ ଧାରା ଅପେକ୍ଷା ବହୁ ମିଶ୍ର ଧାରାର ସମନ୍ୱୟ ତାଙ୍କ ସୂତ୍ର ଥିଏଟରରେ ଘଟିଛି । ଏହା ଅଣପାରମ୍ପରିକ ହେଲେ ମଧ୍ୟ ସୃଜନଶୀଳତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଗୋଟିଏ ଶୈଳୀରେ ଆବଦ୍ଧ ନ ହୋଇ ବହୁ ଶୈଳୀର ସମ୍ମିଶ୍ରଣ ଘଟାଇ ରାମ୍‍ଲୀ ଏକ ନିଜସ୍ୱ ଧାରା ପ୍ରୟୋଗ କରିବାର ଚେଷ୍ଟା କରିଥା’ନ୍ତି । ସେଥିରେ ସେ କେତେ ସଫଳ ଏହା ଅବଶ୍ୟ ଏକ ପ୍ରଶ୍ନବାଚୀ !

ଗତ ୨୦ ତାରିଖ ଦିନ ରବୀନ୍ଦ୍ରମଣ୍ଡପରେ ରାମ୍‍ଲୀଙ୍କର ନୂଆ ସଂରଚନା ଦେଖିବାକୁ ମିଳିଲା । ରାମ୍‍ଲୀଙ୍କର ଏକ ନିଜସ୍ୱ ପରିବେଷଣ ଶୈଳୀ ରହିଛି । ତାଙ୍କର ଲାଇଟ୍‍ ଡିଜାଇନର୍‍ ଶିବ ନଟରାଜନ୍‍ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଲାଇଟ୍‍ ଡିଜାଇନର୍‍ ଭାବରେ ବିବେଚିତ । ଶିବାଙ୍କ ଆଲୋକ୍‍ ସମ୍ପାଦନାରେ ଯାଦୁକରୀ ରହିଛି । ଏହା ରାମ୍‍ଲୀଙ୍କ ସଂରଚନାକୁ ଗୋଟେ ନୂଆ ପ୍ରଭାବ ଦେଇଥାଏ ।

ଶିବାଙ୍କ ଯାଦୁକରୀ ଛାଇ ଆଲୁଅର ଖେଳ ସହିତ ମଞ୍ଚସଜ୍ଜା ଅତ୍ୟନ୍ତ ଚମକ୍ରାର । ତେବେ ରାମ୍‍ଲୀ ଯାହାକୁ ନୂଆ ଆବିଷ୍କାର ବୋଲି କହିଛନ୍ତି, ସେ ଆବିଷ୍କାର କେତେ ନୂଆ, ତାହାର ବିବେଚନା କରାଯାଇପାରେ । ରାମ୍‍ଲୀ ତାଙ୍କର ଘଣ୍ଟାଏରୁ ଟିକିଏ ଅଧିକ ସମୟ ଧରି ପରିକଳ୍ପିତ ନୃତ୍ୟରେ ନୂଆ କୌଣସି ସଂରଚନା ନେଇ ନାହାନ୍ତି ।

ଦେବପ୍ରସାଦ ଦାସଙ୍କ ସଂରଚନାରୁ ସ୍ଥାୟୀ, କୃଷ୍ଣତାଣ୍ଡବ, ବଜ୍ରକାନ୍ତିପଲ୍ଲବୀ ଓ ମୋକ୍ଷ ଅଙ୍ଗ ନେଇଥିବାବେଳେ ଅଭିନୟରୁ ମୋହନ ଦେଲି ଚାହିଁ, ଆଗୋ ପ୍ରିୟ ସହି…. ତଥା କେଳୁଚରଣ ମହାପାତ୍ରଙ୍କ ରଚନାରୁ ନାଚନ୍ତି ରଙ୍ଗେ ଶ୍ରୀହରି… ଗୀତ ଦୁଇଟିକୁ ନେଇଛନ୍ତି । ସବୁଗୁଡ଼ିକ ପ୍ରାଚୀନ ନୃତ୍ୟ ରଚନା ।

ramliramli 2 ramli 3

 

ନାଚନ୍ତି ରଙ୍ଗେ ଶ୍ରୀହରିରେ… କେଳୁଚରଣ ମହାପାତ୍ରଙ୍କ ମୂଳ ବୋଲ୍‍ ସମେତ ଘନଶ୍ୟାମ ପଣ୍ଡାଙ୍କ ଗୀତକୁ ନିଆଯାଇଛି । ଏଥିରେ ନୂଆ ପଣ କ’ଣ ? ପୁରୁଣା ଗୁରୁଙ୍କ କ୍ଲାସିକ୍‍ ପର୍ଯ୍ୟାୟର ରଚନାକୁ ଭିଡ଼ାମୋଡ଼ା କରି ନିଜ ଛାଇରେ ପକାଇବା ପାଇଁ ଏହା ଏକ ଅପପ୍ରୟାସ ମାତ୍ର । ରାମ୍‍ଲୀଙ୍କ ନିଜସ୍ୱ ନୃତ୍ୟଶୈଳୀରେ ଓଡ଼ିଶୀର ଛଟା ଖୁବ୍‍ ବେଶୀ ନଥାଏ । ତାଙ୍କର ନୃତ୍ୟଶୈଳୀ ଏକପ୍ରକାର ମିଶ୍ର ଶୈଳୀ ।

ସେଠି କିଛିକାଂଶରେ ଭରତନାଟ୍ୟମ୍‍, ବାଲେ ଓ ସୁଫିଆନା ଶୈଳୀର ମିଶ୍ରଣ ଘଟିଥାଏ । ତେଣୁ ଓଡ଼ିଶୀର ମୌଳିକ ଗତି, ଭଙ୍ଗୀ, ଲାସ୍ୟ, ଛଟା ଓ ଅଭିନୟ ଖୋଜିଲେ ସେଠି ନିରାଶ ହେବାକୁ ପଡ଼େ । କୃଷ୍ଣପ୍ରେମ ଭଳି ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ଭାବକୁ ବ୍ୟକ୍ତ କଲାବେଳେ ରାମ୍‍ଲୀ ମୁଖାଭିନୟ ତୁଳନାରେ ଶାରୀରିକ ଗତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

ଗୋଟିପୁଅ ନୃତ୍ୟର ବନ୍ଧ ସହିତ ବାଲେର ମିଶ୍ରଣ ଘଟାଇ ନୃତ୍ୟକୁ ଏକପ୍ରକାର ବ୍ୟାୟାମର ସ୍ଥିତିରେ ପହଞ୍ଚାଇବା ଉଦ୍ୟମ ତାଙ୍କର ରହିଛି । ତେବେ ବ୍ୟାୟାମ୍‍ ମାଧ୍ୟମରେ ଅଭିନୟର ଅଭିବ୍ୟକ୍ତି ପ୍ରକାଶିତ ହୋଇପାରେ ନାହିଁ । ଦର୍ଶକ ଗତି ସଂଚାରକୁ ଦେଖି ହୁଏତ ତାଳି ମାରିବେ, ତେବେ ଏଥିରେ ଅଭିଭୂତ ହେବାର କିଛି ନାହିଁ ।

ରାମ୍‍ଲୀଙ୍କ ନୃତ୍ୟସଂରଚନାରେ ଶୃଙ୍ଖଳା ରହିଛି, ଆଗମନ ଓ ପ୍ରସ୍ଥାନରେ ସୌନ୍ଦର୍ଯ୍ୟ ଅଛି, ଆଲୋକ ସମ୍ପାତ୍‍ରେ କୁହୁକ ଅଛି, ସେଟ୍‍ ଡିଜାଇନ୍‍ରେ ନୂଆପଣ ଅଛି – ହେଲେ ତାଙ୍କ ନୃତ୍ୟସଂରଚନାରେ କୌଣସି ନୂତନତ୍ୱ ନାହିଁ । ନୃତ୍ୟର ବୌଦ୍ଧିକ ପରିକଳ୍ପନା ଓ ନୃତ୍ୟର ଗତିରେ କୌଣସି ଭାବ ଉଦ୍ରେକକାରୀ ଗୁଣ ନାହିଁ ।

ଅନେକ ସମୟରେ ସମାନ ପଦପାତ, ମୁଦ୍ରା ଓ ଭଙ୍ଗୀ ବିରକ୍ତିଜନକ ମନେ ହେବ । ବିଶେଷକରି ହସ୍ତଚାଳନା ଓ ପଦଚାଳନାରେ ରାମ୍‍ଲୀଙ୍କ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୁର୍ବଳ । ତାଙ୍କର ଗତିରେ ଗୋଟେ ପ୍ରକାର ଚାଲାକି ଅଛି । ଯେଉଁ ଚାଲାକିରେ ତାଳ କଟିବାର ଦୁର୍ବଳତାକୁ ସହଜରେ ଏଡେଇ ଯାଇ ହେବ ।

ମୋଟାମୋଟି ରାମ୍‍ଲୀଙ୍କ ଏହି ନୂଆ ସଂରଚନା ପୁରୁଣାର ଅବିକଳ ନକଲ ମାତ୍ର । ଆମେ ଆଶା କରୁଛୁ ରାମ୍‍ଲୀ ତାଙ୍କ ନିଜସ୍ୱ ସଂରଚନା କେବେ ଥରେ ପ୍ରସ୍ତୁତ କରିବେ ନିଶ୍ଚୟ ।

ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍‍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ ନୃତ୍ୟଗୁରୁ ଭାବରେ ଗ୍ରହଣ କରିହେବ ନାହିଁ ।

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଓଡିଶୀ, ନୃତ୍ୟ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

June 15, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୫ (ଓଡିଶା ଡଟ କମ) କାଦମ୍ବିନୀ ମିଡିଆ ପ୍ରଯୋଜିତ କଳାତ୍ମକ ଚଳଚିତ୍ର କ୍ରାନ୍ତିଧାରାର ପ୍ରିମିଅର ସୋ ଭୁବନେଶ୍ଵର ସ୍ଥିତ କିଟ୍ କ୍ୟାମ୍ପସରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।

kadambini 2 krantidhara ବିଭିନ୍ନ ଘାତ ପ୍ରତିଘାତ ସତ୍ଵେ ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ କିପରି ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସମାଜର ସାମୁହିକ ମଙ୍ଗଳ କରିବାରେ ସଫଳ ହୋଇଥାଏ ତାହା ଏକ ଘଣ୍ଟା ପଇଁଚାଳିଶ ମିନିଟର ଏହି କଳାତ୍ମକ ଚଳଚିତ୍ର ରେ ପ୍ରଦର୍ଶିତ ହୋଇଛି ।

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ ‘ଝଡ ପରର ସୂର୍ଯ୍ୟ’ ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

krantidhara-3ଚଳଚିତ୍ର ପ୍ରଦର୍ଶନ ପୂର୍ବରୁ ସ୍ଵାଗତ ଭାଷଣ ଦେଇଥିଲେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ।

ମଞ୍ଚାସୀନ ଥିବା ଅନ୍ୟ ଅତିଥି ମାନେ ହେଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ତ୍ରିପୁରା ମିଶ୍ର , ରାଜ୍ୟ ଚଳଚିତ୍ର ନିଗମ ର ଅଧ୍ୟକ୍ଷ ମୁନା ଖାନ, ଚଳଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ଓ କ୍ରାନ୍ତିଧାରା ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।

ଏ ଅବସରରେ କ୍ରାନ୍ତିଧାରା ରେ ଅଭିନୟ କରିଥିବା ନାୟକ, ନାୟିକା ଅନ୍ୟ ଅଭିନେତା , ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାଣରେ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

କ୍ରାନ୍ତିଧାରା ହେଉଛି କାଦମ୍ବିନୀ ମିଡିଆ ପ୍ରଯୋଜିତ ଦ୍ଵିତୀୟ ଚଳଚିତ୍ର । ୧୯୯୯ ରେ ରାଜ୍ୟରେ ହୋଇଥିବା ମହାବାତ୍ୟା ଉପରେ ଆଧାରିତ ଚଳଚିତ୍ର ‘କଥାଂତର’ ଥିଲା ଏହାର  ପ୍ରଥମ ଅର୍ଘ୍ୟ । କଥାଂତର ଦେଶ ବିଦେଶରେ ଉଛ ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପୁରସ୍କାର ଲାଭ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

ଓଡିଶୀ ନୃତ୍ୟଗୁରୁ ସୁଧାକର ସାହୁ ପାଇବେ କେନ୍ଦ୍ରୀୟ ପୁରସ୍କାର

June 13, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ୮୧ ବର୍ଷୀୟ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ସୁଧାକର ସାହୁ ୨୦୧୪ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ନୃତ୍ୟ ଗୁରୁ ସୁଧାକର ସାହୁ , ଫଟୋ ସୌଜନ୍ୟ : ଦି ହିନ୍ଦୁ
ନୃତ୍ୟ ଗୁରୁ ସୁଧାକର ସାହୁ , ଫଟୋ ସୌଜନ୍ୟ : ଦି ହିନ୍ଦୁ

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ୪୦ ଜଣଙ୍କ ମଧ୍ୟରେ ସୁଧାକର ହେଉଛନ୍ତି ଏକ ମାତ୍ର ଓଡିଆ । ଏକ ସ୍ଵତନ୍ତ୍ର ଉତ୍ସବରେ ସାହୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ଦେଇ ଏହି ସମ୍ମାନରେ ସମ୍ମାନିତ କରିବେ ।

ଢେଙ୍କାନାଳ ଜିଲ୍ଲା ଲାଉଲୋଇର ର ବୈଦ୍ୟକାଟେଣି ଗ୍ରାମରେ ଜାନୁଆରୀ ୧,୧୯୩୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାହୁଙ୍କ ପିତା ଦୂର୍ଯ୍ୟୋଧନ ସାହୁ ଜଣେ ସଙ୍ଗୀତବିତ୍ ଥିଲେ ଏବଂ ସେ ଗାଁରେ ପୌରାଣିକ ସଙ୍ଗୀତ ଗାନ କରିବା ସହ ତା’ର ଅର୍ଥ ଲୋକମାନଙ୍କୁ ବୁଝାଉଥିଲେ। ପିତାଙ୍କ ଠାରୁ ପ୍ରେରଣା ପାଇ ସୁଧାକର ସାତ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା କରିଥିଲେ।

ସେ ଛୋଟ ଥିବା ବେଳେ ନିଜ ଗାଁରେ ହେଉଥିବା ଯାତ୍ରାରେ ଅଂଶ ଗ୍ରହଣ କରି ନୃତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଓ ଗୁରୁ ଦୂର୍ଯ୍ୟୋଧନ ମହାନ୍ତିଙ୍କ ଠାରୁ ନୃତ୍ୟ ଶିଖିଥିଲେ ।

ସେ ମାଣିନୀ, ଶକୁନ୍ତଳା, କୋଣାର୍କ, ଓ ବିଚିତ୍ର ବରଣ ଭଳି ନୃତ୍ୟଭିତ୍ତିକ ଯାତ୍ରାରେ କୋରିଓଗ୍ରାଫ କରିବା ସହ, କଲ୍ୟାଣ ପଲ୍ଲବୀ, ଆନନ୍ଦ ଭୈରବୀ, ଗଉଡ ପଲ୍ଲବୀ ଆଦି ଓଡିଶୀ ନୃତ୍ୟ ଶିକ୍ଷାଦେବାସହ ଏଥିପାଇଁ ସଙ୍ଗୀତ ମଧ୍ୟ ସେ ନିଜେ ରଚନା କରିଛନ୍ତି ।

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ସାହୁଙ୍କୁ ଅତୀତରେ ବିଭିନ୍ନ ଫେଲୋସିପ ପ୍ରଦାନ କରାଯିବା ସହ ୧୯୯୧ ରେ ରାଜ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଓ କଳିଙ୍ଗ ଭାରତୀ ସଚିଦାନନ୍ଦ ପୁରସ୍କାରରେ ସମ୍ମାନିତ କରଯାଇଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି, ସୁଧାକର ସାହୁ

ବଡ ଦାଣ୍ଡରେ ସୁଦର୍ଶନଙ୍କ ପ୍ରଥମ ବାଲୁକା ପେଣ୍ଟିଂ

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୨ (ଓଡିଶା ଡଟ କମ) ପ୍ରଥମ ଥର ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବଡ ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷଙ୍କ ସ୍ଵାଗତ ଉଦ୍ଦେଶ୍ୟରେ ଏକ ବିରାଟ ବାଲୁକା ପେଣ୍ଟିଂ ତିଆରି କରିଛନ୍ତି ।

sand art-1ଚାଳିଶ ଫୁଟ ଲମ୍ବ ଓ ଷାଠିଏ ଫୁଟ ଓସାରିଆ ଏହି ପେଣ୍ଟିଂରେ ଶଙ୍ଖ, ଚକ୍ର ଥିବା ଗୋଟିଏ ନିମ୍ବ ବୃକ୍ଷର ଚିତ୍ର ସେ ତିଆରି କରିଛନ୍ତି ।

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି । ଏହି ପେଣ୍ଟିଂ ତିଆରି କରିବାରେ ତାଙ୍କ ଛାତ୍ର ଓ ଛାତ୍ରୀ ମାନେ ସାହାଯ୍ୟ କରିଥିବା ସୁଦର୍ଶନ ଓଡିଶା ଡଟ କମ କୁ କହିଛନ୍ତି।

ଏହି ପେଣ୍ଟିଂକୁ ତିଆରି କରିବାରେ ପାଞ୍ଚ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି ।
ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ପୁରୀ, ବାଲୁକା କଳା, ସୁଦର୍ଶନ ପଟ୍ଟନାୟକ

ଅର୍ନ୍ତଜାତୀୟ କାନ୍ସ ଚଳଚିତ୍ର ଉତ୍ସବରେ ବହୁ ଓଡିଆ

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କାନସ ( ଫ୍ରାନସ), ମଇ ୨୨ (ଓଡିଶା ଡଟ କମ) ଫ୍ରାନସର କାନସ ସହରରେ ମଇ ୧୩ରେ ଆରମ୍ଭ ହୋଇଥିବା ବିଶ୍ଵର ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଚଳିତ ବର୍ଷ ଓଡିଶାରୁ ଅତିକମରେ ପାଞ୍ଚ ଜଣ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଅଂଶ ଗ୍ରହଣ କରି ବିଭିନ୍ନ ଚଳଚିତ୍ର ମାନଙ୍କର ପ୍ରଚାର ପ୍ରସାର କରି ରାଜ୍ୟର ଗୌରବ ବଢାଇଛନ୍ତି ।

film festival
ଉତ୍ସବର ଏକ ଅନ୍ତରଙ୍ଗ ମୁହୂର୍ତରେ ନୀଳ ମାଧବ ପଣ୍ଡା, ନନ୍ଦିତା ଦାସ ଓ ଜିତେନ୍ଦ୍ର ମିଶ୍ର

ଏହି ମହୋତ୍ସବରେ ଯେଉଁମାନେ ଯୋଗ ଦେଇଛନ୍ତି ସେମାନେ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ନନ୍ଦିତା ଦାସ, ଆଇ ଏମ କଲାମର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା, ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, କାଦମ୍ବିନୀ ମେଡିଆର ଦ୍ଵିତୀ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଓ ଓଡିଆ ଚଳଚିତ୍ର ଜିଅନ୍ତା ଭୁତର ପ୍ରଯୋଜକ ତଥା ନିର୍ମାତା ଅକ୍ଷୟ ପରିଜା ।

ହିମାଂଶୁ ଖଟୁଆଙ୍କ ଦ୍ଵାରା ନିର୍ଦ୍ଦେଶିତ ତଥା କାଦମ୍ବିନୀ ମେଡିଆଦ୍ଵାରା ପ୍ରଯୋଜିତ ଓଡିଆ ଚଳଚିତ୍ର କ୍ରାନ୍ତିଧାରା ମଇ ଅଠର ତାରିଖ ଦିନ ମହୋତ୍ସବରେ ମାର୍କେଟ ସ୍କ୍ରିନିଙ୍ଗ ବିଭାଗରେ ପ୍ରଦର୍ଶିତ ହୋଇଥିଲା ।

୬୮ତମ  ଅର୍ନ୍ତଜାତୀୟ କାନ୍ସ ଚଳଚିତ୍ର ମହୋତ୍ସବ ମଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ, ମନୋରଞ୍ଜନ Tagged With: ଓଡିଆ, କାନସ ଚଳଚିତ୍ର ମହୋତ୍ସବ, ଜିତେନ୍ଦ୍ର ମିଶ୍ର, ନୀଳ ମାଧବ ପଣ୍ଡା

ବାଦ-ବିବାଦପରେ ସାତ ବର୍ଷର ଧର୍ମପଦ ପୁରସ୍କାର ଘୋଷଣା

May 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)ବହୁ ବାଦ-ବିବାଦପରେ ରାଜ୍ୟ ସରକାର ମଙ୍ଗଳବାର ଏକକାଳୀନ ସାତବର୍ଷର ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି ।

ସଂସ୍କୃତି ବିଭାଗ ଅଧୀନରେ ଥିବା ଲଲିତ କଳା ଏକାଡେମୀ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁସାରେ ୨୦୦୯ ପାଇଁ ପଟ୍ଟଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ , ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚ ଶିଳ୍ପୀ ଅସୀମ ବସୁ ଧର୍ମପଦ ପୁରସ୍କାରରେ ସମ୍ମାନିତ ହେବେ ।

ଠିକ ସେହି ପରି ଏହି ପୁରସ୍କାର ପାଇଁ ନମିତା ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ହେଲେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ ପାଇଁ ଯଥାକ୍ରମେ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ୍ୟ ଡାଃ ଦୁର୍ଗାପ୍ରସାଦ ଦାସ, ଭାସ୍କର୍ଜ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଯତୀନ ଦାସ, ଚିତ୍ରଶିଳ୍ପୀ ତଥା କଳା ସମାଲୋଚକ ଦିନନାଥ ପାଠୀ ଓ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ।

ସମସ୍ତଙ୍କୁ ନଗଦ ଏକ ଲକ୍ଷଟଙ୍କାର ଅର୍ଥ ରାଶି ସହ ଉପଢୌକନ ଓ ମାନପତ୍ର ଦେଇ ସରକାର ସମ୍ବର୍ଦ୍ଧିତ କରିବେ ।

ଶିଳ୍ପୀମାନଙ୍କୁ ଦିଆଯାଉଥିବା ରାଜ୍ୟର ଏହି ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟାକୁ ନେଇ ୨୦୦୯ ରେ ବିବାଦ ସୃଷ୍ଟି ହୋଇଥିଲା । ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀ ଠିକ ଭାବେ ପାଳନ କରି ନ ଥିବା ବିଭିନ୍ନ ଶିଳ୍ପୀ ଅଭିଯୋଗ କରିବା ପରେ ସରକାର ଏହାର ତଦନ୍ତ ଆଦେଶ ଦେଇଥିଲେ ।

ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ବିବାଦ ଯୋଗୁଁ ୨୦୦୯ ଠାରୁ ଲଳିତକଳା ଏକାଡେମୀ ପୁରସ୍କାର ମନୋନୟନ ପ୍ରକ୍ରିୟା ବନ୍ଦ ରଖିଥିଲେ । ପୂର୍ବରୁ ପୁରସ୍କାର ବାବଦକୁ ପଚାଶ ହଜାର ଟଙ୍କା ଦିଆଯାଉଥିବା ବେଳେ ସରକାର ଏହାର ପରିମାଣ ଏକଲକ୍ଷ କୁ ବୃଦ୍ଧି କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶା, ଧର୍ମପଦ ସମ୍ମାନ, ପୁରସ୍କାର, ଲଳିତକଳା ଏକାଡେମୀ

ନବକଳେବର ଊପରେ ପ୍ରାମାଣିକ ଚିତ୍ର ‘ଦେବତା ହୋଇଲେ ମରଇ’ (ଭିଡିଓ )

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୯ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ନିକଟରେ ଲୋକାର୍ପଣ ହୋଇଯାଇଛି । ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ସମୟର କରାଳ କାଳିମାରେ ଶରୀର କ୍ଷଣସ୍ଥାୟୀ, ମରଣଶୀଳ ପାର୍ଥିବ ଶରୀର ପାଇଁ ମୃତ୍ୟୁ ହିଁ ଏକ ମାତ୍ର ସତ୍ୟ । ଅପୁର୍ବ ଏହି ଚିରନ୍ତନ ସତ୍ୟକୁ ମାନବ ସମାଜରେ ପ୍ରତିପାଦିତ କରିବା ପାଇଁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଜରାକାଳୀନ ପୁନର୍ଜନ୍ମର ଲୀଳା “ନବକଳେବର” ।

ନୂତନ ପୀଢ଼ିକୁ “ନବକଳେବର” କ’ଣ ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରିଛି ଏହି ଆଧ୍ୟାତ୍ମିକ ସୃଜନଶୀଳତା ସହ ପ୍ରସ୍ତୁତ ପ୍ରମାଣିକ ଚିତ୍ର । ଏହାର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ଆଶା କରିଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ । ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ମନୋରଞ୍ଜନ Tagged With: ଦେବତା ହୋଇଲେ ମରଇ, ନବକଳେବର, ପ୍ରାମାଣିକ ଚଳଚିତ୍ର, ଶ୍ରୀ ଜଗନ୍ନାଥ

ମଇ ୧୭ରେ ବାଙ୍ଗାଲୋରରେ ମଧୁଲିତା ମହାପାତ୍ରଙ୍କ ଓଡିଶୀ

May 9, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ବାଙ୍ଗାଲୋର, ମଇ ୯ (ଓଡିଶା ଡଟ କମ) ବାଙ୍ଗାଲୋରରେ ଜଣାଶୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ନୃତ୍ୟାନ୍ତର ଦ୍ଵାରା ମଇ ୧୭ ରବିବାର ସନ୍ଧ୍ୟାରେ ହେବାକୁ ଯାଉଥିବା ଶ୍ରୀ ଜୟଦେବ ରଚୟିତ ଗୀତ ଗୋବିନ୍ଦ ଉପରେ ସ୍ଵତନ୍ତ୍ର ନୃତ୍ୟ କାର୍ଯ୍ୟକ୍ରମ ‘କାବ୍ୟରସ’ରେ ଓଡିଆ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କ ସମେତ ଅନ୍ୟ କଳାକାର ଭାଗନେବେ ।

Madhulita Mohapatra୧୪ କ୍ରଶ ମାଲେଶ୍ଵରମ ଠାରେ ଥିବା ସହରର ସେବା ସଦନ ଅଡିଟୋରିଅମରେ ଏହି ବିଶେଷ କାର୍ଯ୍ୟକ୍ରମ ସନ୍ଧ୍ୟା ୫.୩୦ ରେ ଆରମ୍ଭ ହେବ ବୋଲି ଜଣେ ଆୟୋଜକ ଓଡିଶା ଡଟ୍ କମ୍ କୁ ଜଣାଇଛନ୍ତି ।

ମଧୁଲିତାଙ୍କ ବ୍ୟତୀତ ଯେଉଁ ଅନ୍ୟ ନୃତ୍ୟ ଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରିବେ ସେମାନେ ହେଲେ ଶର୍ମିଳା ମୁଖାର୍ଜୀ, ଓ ମେଘନା ଦାସ ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ, ମନୋରଞ୍ଜନ Tagged With: ଓଡିଶୀ, ପ୍ରବାସୀ ଓଡ଼ିଆ, ବାଙ୍ଗାଲୋର, ମଧୁଲିତା ମହାପାତ୍ର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ