• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାନବାଧିକାର

କମ୍ପାନୀଙ୍କ ଉପରେ ବାକିପଡିଛି ୩ ହଜାର କୋଟି ଟଙ୍କାରୁ ଅଧିକ ଜଳ ଟିକସ

June 1, 2018 by ଓଡିଶା ଡଟ କମ Leave a Comment

ଭୁବନେଶ୍ଵର,  ଜୁନ ୧ (ଓଡିଶା ଡଟ କମ)   ରାଜ୍ୟରେ କେତେକ ବ୍ବ୍ୟବସାୟିକ ସଂସ୍ଥା ନିଜର କଳ କାରଖାନା ପାଇଁ ନଦୀ ଜଳ ବ୍ୟବହାର କରି ନିୟମିତ ଜଳ ଟିକସ ଦେଉନଥିବା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ରୁ ଜଣ ପଡିଛି ।

ଯାହା ଫଳରେ ରାଜ୍ୟର ବ୍ୟାପକ ରାଜସ୍ୱ ହାନୀ ହେଉଛି । ଏଭଳି ଏକ ମାମଲା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଂଚିଛି ।

କମିଶନ ଏହା ଉପରେ ଉଦବେଗ ପ୍ରକାଶ କରିବା ସହିତ ଏହି ପ୍ରସଙ୍ଗରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୦ରୁ ୨୦୧୭ ମଧ୍ୟରେ ୨୮୭ଟି କମ୍ପାନୀ ଜଳ ଟିକସ ଦେଇନଥିବା ବେଳେ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ ।

୨୦୧୭ ସୁଦ୍ଧା ଏହି କମ୍ପାନୀଗୁଡିକ ଉପରେ ୩୪୦୦ କୋଟି ଟଙ୍କାରୁ ଅଧିକ ବାକି ପଡିଛି ।

ସୁଧ ହିସାବ କଲେ ଏହା ପାଖାପାଖି ୫ ହଜାର କୋଟିକୁ ଛୁଇଁବ ।

“ଅଫିସର, ଇଂଜିନିୟର ଓ କମ୍ପାନୀ ଅଧିକାରୀଙ୍କ ଅସାଧୁ ମେଂଟ ଯୋଗୁଁ ଉଦ୍ଦେଶ୍ୟମୂଳକ ଭାବେ ଏହି ଅର୍ଥ ଆଦାୟ ହେଉନାହିଁ” ବୋଲି ସେ ଅଭିଯୋଗ କରିଛନ୍ତି ।

ସରକାରୀ ତଥ୍ୟ ଅନୁସାରେ ନାଲକୋ (ଅନୁଗୁଳ) ଉପରେ ୬୫୫ କୋଟି, ଜୟପୁର ସେବା ପେପର ମିଲ୍ ଉପରେ ୪୪୩ କୋଟି, ଚୌଦାରରେ ଥିବା ବାଲାରପୁର ଇଣ୍ଡଷ୍ଟ୍ରି ଉପରେ ୨୫୫ କୋଟି, ଦକ୍ଷିଣ ପୂର୍ବ ରେଳବାଇ,ଝରସୁଗୁଡା ଉପରେ ୨୧୧ କୋଟି, ନାଲକୋ ଦାମନଯୋଡି ଉପରେ ୧୪୭ କୋଟି, ବ୍ରଜରାଜନଗର ଓରିଏଂଟ୍ ପେପର ମିଲ ଉପରେ ୧୨୯ କୋଟି,

ଯୋଡା ଟାଟା ଷ୍ଟିଲ୍ ଉପରେ ୯୩ କୋଟି, ଶ୍ୟାମ ଡିଆରଆଇ ପ୍ରାଲି ଉପରେ ୬୨ କୋଟି, ଭୂଷଣ ଲିମିଟେଡ୍ ଉପରେ ୫୦ କୋଟି, ଆରତି ଷ୍ଟିଲ୍ ଉପରେ ୪୦ କୋଟି, ବେଲପାହାଡ ଟାଟା ରିଫ୍ରାକ୍ଟୋରିଜ୍ ଉପରେ ୩୯ କୋଟି, ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଉପରେ ୩୯ କୋଟି ଟଙ୍କା ବର୍ଷ ବର୍ଷ ଧରି ବାକି ପଡିଛି ।

କିଛି ମୁଖ୍ୟ କମ୍ପାନୀ ଉପରେ ବାକି ପଡିଥିବା ଟଙ୍କ।ର ବିବରଣୀ କମ୍ପାନୀ ନାମ  ବାକି ପଡିଥିବା ଜଳ ଟିକସ କୋଟି ଟଙ୍କାରେ (୩୧ ଡିସେମ୍ବର, ୨୦୧୭ ସୁଦ୍ଧା)  କେବେ ଠାରୁ ବାକି ପଡିଛି

ହଜାର ହଜାର କୋଟି ଟଙ୍କା ବାକି ପଡିବା ଫଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ତେଣୁ ଏହା ମାନବାଧିକାରକୁ ଉଲଂଘନ କରୁଛି । ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯାନୁଷ୍ଠାନ ପାଇଁ କମିଶନଙ୍କ ନିକଟରେ ଅଖଣ୍ଡ ନିବେଦନ କରିଥିଲେ ।

କମିଶନ ପିଟିସନର ଶୁଣାଣୀକରି ଜଳ ଟିକସ ଆଦାୟ ପାଇଁ କାହିଁକି ପଦକ୍ଷେପ ନିଆଯାଇନାହିଁ, ତାହା ଉପରେ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଟିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏପରି ଏକ ଗୁରୁତ୍ୱପୂର୍ଣ ବିଷୟ ଉପରେ ରାଜ୍ୟ ମାନବାଧିକାର କମିଶନ କିଛି ନିର୍ଦ୍ଦେଶ ଦେଇଥିଲେ ତାହାର କପି ଜାତୀୟ କମିଶନଙ୍କ ପଠାଇବାକୁ ମଧ୍ୟ ଓଏଚଆରସି ସଚିବଙ୍କୁ କୁହାଯାଇଛି । ଦୁଇ ଅଧିକାରୀ ଠିକ୍ ସମୟରେ ରିପୋର୍ଟ ଦାଖ ନ କଲେ ସେମାନଙ୍କୁ ବ୍ୟକ୍ତିଗତ ହାଜିରା କରାଯିବ ବୋଲି କମିଶନଙ୍କ ନିର୍ଦ୍ଦେଶନାମାରେ କୁହାଯାଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଜଳ ସମ୍ପଦ, ମୁଖ୍ୟ ଶାସନ ସଚିବ, ସରକାରଙ୍କ କମ୍ପାନୀ

ତ୍ୟାଗ, ସଂଘର୍ଷ ଓ ପ୍ରେମ, କେମିତି ନୂଆ ଜୀବନ ପାଇଲେ ଏସିଡ ପୀଡ଼ିତା

February 16, 2018 by ଓଡିଶା ଡଟ କମ 1 Comment

ଇପ୍‌ସୀତା ଦାଶ

ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ ଜୀବନ ଓ ତା ପଛରେ ରହିଛି ଏକ ଅଭୂତପୂର୍ବ କାହାଣୀ ତ୍ୟାଗ, ସଂଘର୍ଷ ଓ ପ୍ରେମର ।

ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବା, ଘଟଣାର ଆଠ ବର୍ଷ ପରେ ତାଙ୍କ ଉପରେ ଏସିଡ ପକାଇଥିବା ବ୍ୟକ୍ତି ଗିରଫ ହେବା, ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ଜଣେ ଯୁବକଙ୍କ ସହ ବୁଧବାର ନିର୍ବନ୍ଧ ହେବା ଆଦି ଘଟଣାବଳୀ ଯେତେ ରୋମାଞ୍ଚକ ସେତେ ଆଶ୍ଚର୍ଯ୍ୟ ଜନକ ।

ଏହି ଯୁବତୀ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅର୍ନ୍ତଗତ କନକପୁର ଗ୍ରାମର ପ୍ରମୋଦିନୀ ରାଉଳ । କଟକର ସରୋଜ ସାହୁଙ୍କର ସହ ଲକ୍ଷ୍ନୋ ଠାରେ ତାଙ୍କର ଫେବୃଆରୀ ୧୪ ଭାଲେନଟାଇନ ଦିବସ ( ପ୍ରେମ ଦିବସ) ଦିନ ହୋଇଛି ନିର୍ବନ୍ଧ ।

କେମିତି ହୋଇଥିଲା ଏସିଡ ଆକ୍ରମଣ  

ଏସିଡ ଆକ୍ରମଣ ପୂର୍ବରୁ

୨୦୦୮ମସିହାରେ ତିର୍ତୋଲ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିବା ବେଳେ ୩୬ବର୍ଷ ବୟସ୍କ ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ସ୍ଥାନୀୟ ସେନା କର୍ମଚାରୀ ପ୍ରମୋଦିନୀଙ୍କୁ ପ୍ରେମ ନିବେଦନ କରିଥିଲା ।

ତା’ର ଏହି ପ୍ରସ୍ତାବରେ ସେ ରାଜି ହୋଇନଥିଲେ । ଫଳରେ ସନ୍ତୋଷ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲା। ନିଜ ବଡ଼ବାପାଙ୍କ ପୁଅ ସହିତ ସାଇକେଲରେ ହରିପୁର ରୁ ନିଜ ଗାଁ କନକପୁର କୁ ଫେରୁଥିବା ବେଳେ ସନ୍ତୋଷ ତାଙ୍କ ଉପରକୁ ଏକ ମୋଟର ସାଇକେଲରୁ ଏସିଡ଼୍ ଫୋପାଡ଼ି ଥିଲା ।

ଏହି ଘଟଣା ଘଟିଥିଲା ୧୮ ଏପ୍ରିଲ,୨୦୦୯ ମସିହା ଦିନ । ଉକ୍ତ ମୋଟର ସାଇକେଲଟି ବିଶ୍ୱଜିତ୍ ଦଳସିଂହାରୀ (ଅନିଲ କୁମାର) ନାମକ ଅନ୍ୟ ଜଣେ ବ୍ୟକ୍ତି ଚଲାଉଥିଲା ।

ପ୍ରମୋଦିନୀଙ୍କ ଚୁଟି ଖୋଲା ଥିବା ହେତୁ ଭୟଙ୍କର ଏସିଡ଼୍ ତାଙ୍କ ବେକ, ମୁହଁ, ଆଖି,କାନ, ଓଠ, ଛାତି, ପେଟ , ପିଠି ଦେଇ ଗୋଡ଼ ଯାଏଁ ବିଜୁଳି ବେଗରେ ମାଡ଼ି ଯାଇଥିଲା ।

ଏସିଡ ର ପ୍ରଭାବ ଏତେ ତୀବ୍ର ଥିଲା ଯେ ତାଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଅଂଶ ଜଳି ଯାଇଥିଲା । ଯାହାଫଳରେ ସେ ଦୃଷ୍ଟିଶକ୍ତି ହରାଇଥିଲେ । ତା ସହିତ ତାଙ୍କର ବାମପଟ କାନ ମଧ୍ୟ ଏସିଡ଼୍ ଦ୍ୱାରା ନଷ୍ଟ ହୋଇଯାଇଥିଲା ।

ଦେହସାରା ଅସହ୍ୟ ଯନ୍ତ୍ରଣାରେ ସେ ଚିତ୍କାର କରି ରାସ୍ତାରେ ପଡ଼ି ଛଟପଟ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କ ଚିତ୍କାର ଶୁଣି ରୁଣ୍ଡ ହୋଇଯାଇଥିଲେ ।

ତାଙ୍କୁ ତୁରନ୍ତ ନିକଟସ୍ଥ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ତାଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଜ୍ଞ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଡ଼ାକ୍ତରଖାନାର ଆଇ.ସି.ୟୁ. ରେ ସେ ପ୍ରାୟ ନଅ ମାସ କାଳ କୋମା ଅବସ୍ଥାରେ ରହିଥିଲେ ।

ଡ଼ାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ଠାକୁରଙ୍କ ଅଶେଷ ଆର୍ଶୀବାଦ ଯୋଗୁଁ ସେ କୋମା ଅବସ୍ଥାରୁ ପେରି ଆସିବାରେ ସକ୍ଷମ ହୋଇଥିଲେ । ଯଦିଓ ତାଙ୍କ ହାତ ଗୋଡ଼ କିଛି କାମ କରୁ ନଥିଲା ସେ କଥା କହି ପାରୁଥିଲେ । ଏହାପରେ ୨୦୦୯ ମସିହାରେ ସେ ନିଜ ଗାଁକୁ ଫେରି ଆସିଥିଲେ ।

ପୁଲିସ ଚପାଇଥିଲା ମାମଲା

ଏସିଡ ଆକ୍ରମଣ ପରେ ପ୍ରମୋଦିନୀଙ୍କ ଘରଲୋକେ ସ୍ଥାନୀୟ ଥାନାରେ ସନ୍ତୋଷ ଓ ଅନିଲ ବିରୁଦ୍ଧରେ ଏତଲା ଦେଇଥିଲେ । କିନ୍ତୁ  ପୋଲିସ କୌଣସି କାରଣରୁ ତାକୁ ଗିରଫ କରିନଥିଲା

ଏବଂ ସେମାନେ ମିଳୁ ନ ଥିବା ଦର୍ଶାଇ ମାମଲାକୁ ୨୦୧୨ ମସିହାରେ ବନ୍ଦ କରିଦେଇଥିଲା ।

ପ୍ରମୋଦିନୀଙ୍କୁ ମାତ୍ର ୪ବର୍ଷ ହୋଇଥିବା ବେଳେ ତାଙ୍କ ଇଲେକ୍ଟ୍ରିସିଆନ ବାପା ମୃତ୍ୟୁବରଣ କରିଥିଲେ ।

pic credit: Skylark photography. Facebook @Sukhpreetclicks

ବାପାଙ୍କ ମୃତ୍ୟୁ ପରେ ତିନି ଝିଅଙ୍କ ଭରଣପୋଷଣ କରିବା ମାଆ ଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡି଼ଥିଲା  ପ୍ରମୋଦିନୀ ହେଲେ ଘରର ମଝିଆ ଝିଅ ।

ସ୍ଥାନୀୟ ସାରଳା ମନ୍ଦିରରେ ପୂଜକ ଭାବେ କାମ କରୁଥିବା ପିତୃତୁଲ୍ୟ ତାଙ୍କର ପିଇସା ସେମାନଙ୍କ ଦେଖାଶୁଣା କରିଥିଲେ । ବୋଧହୁଏ ଘଟଣା ଚପାଇଦେଲେ ସେମାନେ କିଛି କରିପାରିବେ ନାହିଁ ଭାବି ପୁଲିସ ମାମଲାକୁ ରଫାଦଫା କରିଦେଇଥିଲା।

ସ୍ଵେଚ୍ଛାସେବୀଙ୍କ ଭୂମିକା

୨୦୧୬ ମସିହା ଏକ ଟିଭି ଚାନେଲର କାର୍ଯ୍ୟକ୍ରମରେ ଜଣାଶୁଣା ସ୍ଵେଚ୍ଛାସେବୀ ଶୁଭଶ୍ରୀ ଦାସ ପୀଡିତାଙ୍କୁ ଦେଖିଥିଲେ ଓ ବହୁ ବର୍ଷ ପରେ ମଧ୍ୟ କେହି ଗିରଫ ହୋଇନଥିବା ଜାଣିବାକୁ ପାଇଥିଲେ ।

ଶୁଭଶ୍ରୀ ଦାସ

ଏ ସବୁ ଜାଣିବା ପରେ ସେ ଓ ତାଙ୍କ ସହକର୍ମୀ ମାନେ ହ୍ୟୁମାନ ରାଇଟସ କମିଶନକୁ ଲିଖିତ ଭାବରେ ଜଣାଇବା ସହିତ ଘଟଣା ସମ୍ପର୍କରେ ଜିଲ୍ଲା କଲେକ୍ଟର ଯାମିନୀ ଷଡଙ୍ଗୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ।

ଏହା ବ୍ୟତୀତ    ଜିଲ୍ଲା ଆଇନ ପ୍ରାଧିକରଣକୁ ଆଇନ ସହାୟତା ପାଇଁ ସାହାଯ୍ୟ ପାଇଁ ଦରଖାସ୍ତ ଦେବା ସହ ଆଇନ ସହାୟତା କେନ୍ଦ୍ର କ୍ଲାପ ମାଧ୍ୟମରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ କମିଟିକୁ ମଧ୍ୟ ସେ ଦରଖାସ୍ତ ପଠାଇଥିଲେ ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭଶ୍ରୀ ଏବଂ ତାଙ୍କ ସହକର୍ମୀ ପୀଡିତାଙ୍କ ସହ ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ଅଭିଯୁକ୍ତକୁ ଗିରଫ ହୋଇଥିଲା ଓ ପୀଡିତାଙ୍କୁ ସରକାରୀ ସହାୟତା ରାଶି ମିଳିଥିଲା।

ଘଟଣାକୁ ସାମନାକୁ ଆଣିବାରେ ବିଭିନ୍ନ ଗଣମାଧ୍ୟମ ମଧ୍ୟ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିବା ଶୁଭଶ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ପୀଡିତାଙ୍କ ଅପରେସନ ଖର୍ଚ ପାଇଁ ସହାୟତା ଦେବା ପାଇଁ ରାଜି ହୋଇଥିବା ସେ କହିଛନ୍ତି।

ଆରକ୍ଷୀ ଅଧିକ୍ଷକଙ୍କୁ ଧନ୍ୟବାଦ 

ମଇ ୨୦୧୭ରେ ଯେତେବେଳେ ପ୍ରମୋଦିନୀ ଜଗତସିଂହପୁର ଏସ୍.ପି. ଙ୍କ ନିକଟକୁ ଏସିଡ଼୍ ପୀଡିତଙ୍କୁ ସରକାରଙ୍କ ତରଫରୁ ଦିଅ ଯାଉଥିବା ଅନୁକମ୍ପାମୂଳକ ରାଶି ଆଣିବାକୁ ଯାଇଥିଲେ। ।

ଜୟନାରାୟଣ ପଙ୍କଜ

ସେତେବେଳେ ତତ୍କାଳୀନ ଏସ୍.ପି. ଜୟ ନାରାୟଣ ପଙ୍କଜ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ଓ ଏସିଡ ମାଡ କରିଥିବା ବ୍ୟକ୍ତି କାହିଁକି ଗିରଫ ହୋଇନଥିଲା ତାହା ଖୋଳତାଡ କରିଥିଲେ।

ସାମାନ୍ୟ ଗବେଷଣାରୁ ସେ ଅଭିଯୁକ୍ତ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଥମେ ଫେସବୁକ ରୁ ଓ ପରେ ଅନ୍ୟାନ୍ୟ ସୁତ୍ରରୁ ଜାଣିପାରିଥିଲେ ।

ମାମଲା ପୁନଃ ଯାଞ୍ଚ ଆଦେଶ ଦେବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାପାଇଁ ପଦକ୍ଷେପ ନେଇଥିଲେ। ସନ୍ତୋଷକୁ ଧରିବା ପାଇଁ ପୋଲିସ ର ଏକ ଟିମ୍ ଜାମ୍ମୁ ଓ କାଶ୍ମୀର ଯାଇଥିଲା କିନ୍ତୁ ସନ୍ତୋଷ ସେଠା ରୁ ଚମ୍ପଟ ମାରି କଲିକତାକୁ ପଳାଇ ଆସିଥିଲା ।

Pic credit: Skylark photography. Facebook @Sukhpreetclicks

ପୋଲିସ ତାକୁ ଶେଷରେ କଲିକତାରୁ ଗିରଫ  କରିବା ସହ ତା ସହଯୋଗୀ ଅନିଲକୁ ମଧ୍ୟ ଗିରଫ କଲେ ।

ସେ ସମୟରେ ତିର୍ତୋଲ ଥାନାରେ ଅବସ୍ଥାପିତ ଥିବା ସମ୍ପୃକ୍ତ ଦୁଇ ପୋଲିସ ଅଧିକାରୀ ଯଥା ଆଇ.ଆଇ.ସି. ଓ ଏସ୍.ଡ଼ି.ପି.ଓ. ଙ୍କୁ ପଙ୍କଜଙ୍କ ସୁପାରିଶ କ୍ରମେ ସରକାର ଚାକିରୀରୁ ନିଲମ୍ବନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବିଭିନ୍ନ ସ୍ଵେଚ୍ଛାସେବୀ ଓ ମହିଳାଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ ମଧ୍ୟ ପ୍ରମୋଦିନୀଙ୍କ ସଂଘର୍ଷ ସମ୍ପର୍କରେ ଅବଗତ ହୋଇ ତାଙ୍କ ପଛରେ ଛିଡା ହୋଇଯାଇଥିଲେ।

ତ୍ୟାଗ, ସଂଘର୍ଷ ଓ ପ୍ରେମ

ମୃତ୍ୟୁ ସହ ଡାକ୍ତରଖାନାରେ ସଂଗ୍ରାମ କରୁଥିବାବେଳେ ପ୍ରମୋଦିନୀଙ୍କର ସରୋଜଙ୍କ ସହ ଦେଖା ହୋଇଥିଲା । ଦିନେ ସରୋଜ ତାଙ୍କର ଜଣେ ସେବିକା ବନ୍ଧୁଙ୍କୁ ଭେଟିବାକୁ ଉକ୍ତ ନର୍ସିଂହୋମ୍ କୁ ଆସିଥିଲେ ।

ସେତେବେଳେ ସେ ପ୍ରମୋଦିନୀଙ୍କ ବିଷୟରେ ଜାଣିବାକୁ ପାଇଲେ ଓ ତାଙ୍କୁ ଭେଟିଥିଲେ । ଦୁଇଜଣଙ୍କ ମଧ୍ୟରେ ଚିହ୍ନା ପରିଚୟ ହେବାପରେ ସରୋଜ ପ୍ରାୟ ପ୍ରତିଦିନ ପ୍ରମୋଦିନୀଙ୍କୁ ଦେଖା କରିବା ପାଇଁ ନର୍ସିଂହୋମ୍ କୁ ଯାଇଥିଲେ । ଧିରେ ଧିରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ।

“ମୁଁ ଚାହୁଁଥିଲି ସେ ପୁଣି ପୂର୍ବଭଳି ସ୍ଵାଭାବିକ ଜୀବନଯାପନ କରନ୍ତୁ ତେଣୁ ମୁଁ ତାଙ୍କର ଯତ୍ନ ନେବାକୁ ଆରମ୍ଭ କଲି” ସେଦିନ ମାନଙ୍କର କଥା ମାନେ ପକାଇ ସରୋଜ ଓଡିଶା ଡଟକମ କୁ କହନ୍ତି।

ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡ଼ାକ୍ତରମାନେ ପ୍ରତିଶୃତି ଦେଇଥିଲେ । ” ସେମାନେ ମୋତେ କହିଥିଲେ ଯେ, ପ୍ରମୋଦିନୀଙ୍କୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଚଲାବୁଲା କରିବା ପାଇଁ ପାଞ୍ଚ ବର୍ଷ ସମୟ ଲାଗିବ ।

ତେବେ ନିଜର ଦୃଢ ମନୋବଳ ଓ ପରିଶ୍ରମ ଯୋଗୁଁ ପ୍ରମୋଦିନୀ ନର୍ସିଂହୋମରୁ ଘରକୁ ଯିବାର ପ୍ରାୟ ଚାରି ମାସ ଭିତରେ ସେ ନିଜ ଗୋଡ଼ରେ ଠିଆ ହୋଇ ସରୋଜଙ୍କ ସହାୟତାରେ ଚାଲିପାରିଥିଲେ ।

ପ୍ରାୟ ଏକ ବର୍ଷ କାଳ ସେ ଏଥିପାଇଁ ଅଭ୍ୟାସ କରିଥିଲେ । ଏସିଡ଼୍ ପଡ଼ିବା ଯୋଗୁଁ ତାଙ୍କର ଉଭୟ ଆଖି ନଷ୍ଟ ହୋଇଯାଇ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ ।

pic credit: Skylark photography. Facebook @Sukhpreetclicks

୨୦୧୭ ମସିହା ଅକ୍ଟୋବର ମାସରେ ଚେନ୍ନାଇସ୍ଥିତ ଶଙ୍କର ନେତ୍ରାଳୟରେ ତାଙ୍କର ଆଖିର ଅସ୍ତ୍ରୋପଚାର ହୋଇଥିଲା ଓ ନୂଆ ଆଖି ରୋପଣ କରଯାଇଥିଲା ଫଳରେ ସେ ଦ୍ରୁଷ୍ଟି ଶକ୍ତି ଫେରି ପାଇଥିଲେ।

ସରୋଜଙ୍କ ବ୍ୟକ୍ତିତ୍ବ ପ୍ରମୋଦିନୀଙ୍କୁ ଖୁବ ଆକର୍ଷିତ କରିଥିଲା। “ସରୋଜଙ୍କ ସହ ମୋର ବନ୍ଧୁତା ଯୋଗୁଁ ଜୀବନର ସେହି ଦୁଃଖ ସମୟରେ ମୁଁ ତାଙ୍କଠାରୁ ବହୁତ ମନୋବଳ ପାଇଥିଲି । ଯେତେବେଳେ ମୁଁ ଦୁଖରେ ଭାଙ୍ଗିପଡ଼ି କାନ୍ଦୁଥିଲି ସରୋଜ ମତେ ବହୁତ ବୁଝାଉଥିଲେ। ମଜା ମଜା କଥା କହି ମୋ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଥିଲେ ।

” ସେ ମୋର ଖଟ ପାଖରେ ବସି ବହୁତ ମଜା ମଜା କଥା କହିବା ଯୋଗୁଁ ମୁଁ ଠୋ ଠୋ ହୋଇ ହସିଦେଉଥିଲି । ନର୍ସିଂହୋମ ରୁ ସେ ପଳେଇଗଲା ପରେ ତାଙ୍କୁ ମୁଁ ମନେ ମନେ ବହୁତ ଖୋଜୁଥିଲି କାନ୍ଦୁଥିଲି ଓ ତା ପରଦିନ ତାଙ୍କ ଆସିବା ବାଟକୁ ଚାହିଁ ରହୁଥିଲି ” ପ୍ରମୋଦିନୀ ଓଡିଶା ଡଟ କମ କୁ କହନ୍ତି।

ସରୋଜ ଏବଂ ଛାୱଁ ଫାଉଣ୍ଡେସନ୍

ଆଖିର ଅସ୍ତ୍ରୋପଚାର ପରେ ୧ ଜାନୁଆରୀ, ୨୦୧୬ ମସିହାରେ ପ୍ରମୋଦିନୀ “ଛାୱଁ ଫାଉଣ୍ଡେସନ୍ ‘ ନାମକ ଦିଲ୍ଲୀର ଏକ ସ୍ୱେଛାସେବୀ ସଂଗଠନ ରେ ଯୋଗ ଦେଇ ଉକ୍ତ ସଂସ୍ଥା ଦ୍ଵାରା ପରିଚାଳିତ “ସିରୋଜ୍ ହ୍ୟାଙ୍ଗ୍ଆଉଟ୍ କାଫେ’ ନାମକ ସଂସ୍ଥାରେ କାମ କରିବା ଆରମ୍ଭ କଲେ ।

” ସିରୋଜ୍ ହ୍ୟାଙ୍ଗ୍ଆଉଟ୍ ର ବିଶେଷତା ହେଲା ଏହାକୁ ଏସିଡ ପୀଡିତା ମାନେ ଚଲାନ୍ତି । ଏହାର ଶାଖା ଲକ୍ଷ୍ନୋ, ଆଗ୍ରା,ଉଦୟପୁର ଆଦି ସ୍ଥାନ ମାନଙ୍କରେ ମଧ୍ୟ ଅଛି ।

“ସିରୋଜ୍’ ଅର୍ଥ ହେଲା ( ସି+ ହିରୋଜ୍) ଅର୍ଥାତ୍ ଏସିଡ ପୀଡିତା ମାନେ ମଧ୍ୟ ହୀରୋ । “ସିରୋଜ’ ମାନେ ଏଠାରେ ପୁଅମାନେ କେବଳ ନୁହଁନ୍ତି ଝିଅମାନେ ମଧ୍ୟ ହିରୋ ।

ଏହି ସଂସ୍ଥା ଏସିଡ଼୍ ପୀଡ଼ିତ ମାନଙ୍କ ଲାଗି କାର୍ଯ୍ୟ କରେ । ସରୋଜ ମଧ୍ୟ ଏକ ମାସ ହେଲା ଦିଲ୍ଲୀର ଉକ୍ତ ସଂସ୍ଥାରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି । ସରୋଜଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ୧୪ ଜାନୁଆରୀ ,୨୦୧୬ ମସିହାରେ ସରୋଜ ,ପ୍ରମୋଦିନୀ ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

” ମୁଁ ଘରେ ଥିଲା ବେଳେ ପ୍ରାୟ ପ୍ରତି ସପ୍ତାହରେ ସରୋଜ ମୋତେ ଭେଟିବାକୁ ଆସୁଥିଲେ । ଆସିବାବେଳେ ମୋ ପାଇଁ ଔଷଧ,ଜୁସ୍,ଫଳମୂଳ, ଆଣି ମୋତେ ଦେଉଥିଲେ । ତାଙ୍କ ହାତ ଧରି ମୁଁ ଧିରେ ଧିରେ ଚାଲିବା ଆରମ୍ଭ କରିଥିଲି । ପ୍ରମୋଦିନୀ କହନ୍ତି ।

pic credit: Skylark photography. Facebook @Sukhpreetclicks

” ସରୋଜ ଙ୍କ ପ୍ରେମ ନିବେଦନକୁ ପ୍ରଥମେ ମୁଁ ଗ୍ରହଣ କରିନଥିଲି । କାରଣ କାହା ଘରର ବୋହୁ ଓ କାହାର ସ୍ତ୍ରୀ ହେବା ଏତେ ସହଜ ନୁହେଁ । ସେତେବେଳେ ମୋର ଦୃଷ୍ଟିଶକ୍ତି ନ ଥିଲା । ମୁଁ ତ ନିଜେ ନିଜର ନିତ୍ୟକର୍ମ କରିବା ପାଇଁ ସକ୍ଷମ ନ ଥିଲି” ।

ଯେ ପର୍ଯ୍ୟନ୍ତ ମୋତେ ଦେଖା ନ ଯାଇଛି ସେ ପର୍ଯ୍ୟନ୍ତ ମୁଁ ତୁମକୁ ବାହା ହୋଇପାରିବି ନାହିଁ ” ବୋଲି ସେ ସରୋଜଙ୍କୁ କହିଥିଲେ । ତେବେ ସରୋଜଙ୍କ ଅନାବିଳ ତ୍ୟାଗ ଓ ଭଲ ପାଇବା ତାଙ୍କୁ ଖୁବ ପ୍ରଭାବିତ କରିଥିଲା। ଶେଷରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୁଧବାର ଦିନ ତାଙ୍କର ନିର୍ବନ୍ଧ ହୋଇଥିଲା।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର, ମାନବାଧିକାର Tagged With: ଏସିଡ ପୀଡ଼ିତା। ଓଡିଶା, ଜଗତସିଂହପୁର, ନିର୍ବନ୍ଧ

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

July 22, 2016 by ଓଡିଶା ଡଟ କମ Leave a Comment

କେଦାର ମିଶ୍ର

ହଠାତ୍ ଓଡିଶାର ଗଣମାଧ୍ୟମ ଓ ସାମାଜିକ ଜୀବନରେ ଚର୍ଚା ର କେନ୍ଦ୍ରକୁ ଆସିଚି ଏକ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ କି କୋରାପୁଟ୍ ନୁହଁ, ଯଦିଓ ଏହି ଗାଁ ରେ ଜୁଆଂଗ ଆଦିବାସୀ ବସବାସ କରନ୍ତି ।

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ  ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ।  ସୁକିନ୍ଦା ବ୍ଲକ୍ ର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ ।

ଏହି ଦୁର୍ଗମ ପଥ ଦେଇ ଗାଁ ରେ ପହଂଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ,  ଓଡିଶା ସରକାରଂକ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ଗତ ୧୩ ଜୁଲାଇ ରେ ଯେଉଁ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ତଥ୍ୟ ମିଳୁଛି।

malnutrition

ନଗଡା ଗାଁ ର ଏହି ଦାରୁଣ ସମସ୍ୟାକୁ ନେଇ ଏକ ରିପୋର୍ଟ୍ –

୧. ଉପର, ତଳ ଓ ମଝି ନଗଡା ଗାଁ ରେ ମୋଟ୍ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି।ଏମାନଂକ ଗାଁ କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ ।

ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ  । ତେଣୁ ପିଲାଂକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।ଗତ ଜୁନ୍ ମାସରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ୍ କହୁଛି ।

୨. ନଗଡା ଗାଁ ରେ ୧୨୨ ଜଣ ଶିଶୁ ଅଛନ୍ତି ଯେଉଁମାନେ କି କେବଳ ଖାଇବାକୁ ଭାତ ଓ ଲୁଣ ଖାଇବାକୁ ପଆନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଖୋଲାଖୋଲି ସ୍ଵୀକାର କରିଛନ୍ତି ।

୩. ଜାନୁଆରୀ ରୁ ଜୁନ୍ ମାସ ମଧ୍ୟରେ ୨୨  ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଟାଟା ସ୍ଵାସ୍ଥ୍ୟ କେନ୍ଦ୍ରର ରିପୋର୍ଟ୍ ଆଧାରରେ ଏଠିକାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୨ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।

୪. ନଗଡା କୁ ମିଶେଇ ଆଉ ଚାରି ପାଂଚଟି ଗାଁ ପାଇଁ ଜଣେ ଆଶା କର୍ମୀ ଯିଏ କି ନଗଡାଠୁ ପ୍ରାୟ ୧୨ କିଲୋମିଟର୍ ଦୂର ଦେଓ ଗାଁ ରେ ରୁହନ୍ତି।ଜଣେ ଅଙ୍ଗନବାଡି  ଓ ସ୍ଵାସ୍ଥ୍ୟ ସହାୟିକା ନିଯୁକ୍ତି ପାଇଥିଲେ ହେଁ ସେମାନେ ପ୍ରାୟ ୧୦-୧୨ କିଲୋମିଟର୍ ଦୂରରେ ରୁହନ୍ତି।

୫. ଗାଁ ରେ ଲୋକଂକ ଜୀବିକା ହେଉଛି ପୋଡୁ ଚାଷ  ଓ ଛେଳି ଚାଷ । ପିଇବା  ପାଣିର କୌଣସି ସୁବିଧା ନାହିଁ।ପାହାଡ ଉପରକୁ ରାସ୍ତା ତିଆରି କରିବାକୁ ସରକାରୀ ଅଧିକାରୀ ମାନେ ଆଗ୍ରହୀ ନୁହନ୍ତି ।

୬. ପାହାଡ ଛାଡ଼ି ଆଦିବାସୀ ମାନେ ତଳକୁ ଆସନ୍ତୁ ବୋଲି ମନ୍ତ୍ରୀ ଉଷା ଦେବୀ ଓ ସ୍ଥାନୀୟ ବିଧାୟକ ପ୍ରୀତିଶ ଚନ୍ଦ୍ର ଘଡାଇ ଅଦ୍ଭୁତ ଯୁକ୍ତି ଦର୍ଶାଇଛନ୍ତି ।ବିକାଶ ଲାଗି ଉଦବାସ୍ତୁ ହେବାପରି ଅମାନବୀୟ ଓ ମୁର୍ଖତାପୂର୍ଣ ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହଁ ବୋଲି ମାନବ ଅଧିକାର ସଂଗଠନ ଓ ବିରୋଧୀ ଦଳ ଗୁଡିକ କହିଛନ୍ତି  ।

୭. ନଗଡା ଗାଁ ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧି କୁ କେମିତି ବିଶ୍ଲେଷଣ କରାଯିବ?ରାଜନୀତିରେ ସୁକିନ୍ଦା ର ପ୍ରଭାବଶାଳୀ ନେତୃତ୍ଵ ରହିଆସିଛି ।

ସୁକିନ୍ଦା ର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା।ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଂଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ  କରି ଆସୁଥିଲେ। ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି। ତଥାପି ନଗଡା ର ଏହି ଅବସ୍ଥା କାହିଁକି ? ଏହାର  ଉତ୍ତର କିଏ ଦେବ ?

୮. ସ୍ଵାସ୍ଥ୍ୟ ସଚିବ ଆରତି ଆହୁଜାଂକ ଚାରି ପୃଷ୍ଠା ର  ଛୋଟିଆ ରିପୋର୍ଟ୍ ଟି ଗୋଟେ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁ ମାନଂକ ସମ୍ପତ୍ତି କୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଂକୁ ଆମେ ଦେଇଛୁ କଣ?

୯. ଓଡିଶା ସରକାର ଜଣ ମଂଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଂକ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହା ଯାଉଛି।ଜନନୀ ସୁରକ୍ଷା ଯୋଜନା ଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ୍ ପିଲା ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଂକୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ବୋଲି ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ।ନଗଡା ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଂକ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତା କୁ ପଦାରେ ପକାଇଦେଇଛି ।

୧୦. ରାଜ୍ୟ ସରକାରଂକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଂକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକା କରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନା ର ଘୋଷଣା କରାଯାଇଛି ।ତେବେ ଘୋଷଣା ସହିତ କାର୍ଯ୍ୟକାରିତାର କୌଣସି ସମ୍ପର୍କ ଯେ ନାହିଁ, ଏହା ନଗଡା ରୁ ପ୍ରମାଣିତ ହେଉଛି ।

୧୧. ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି।ଏହ ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମାନକ ଅନୁଯାୟୀ ପ୍ରତି  ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା।ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ ଗୁଡିକରେ ଏହା ବିଲକୁଲ୍ କାର୍ଯ୍ୟ କରୁନାହିଁ।

ଓଡିଶା ଡଟ କମ

 

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମାନବାଧିକାର, ସ୍ୱାସ୍ଥ୍ୟ Tagged With: ଆଦିବାସୀ, ଓଡିଶା, କୋରାପୁଟ, ଗଣମାଧ୍ୟମ, ଗାଁ, ଚର୍ଚା, ଜୁଆଂଗ, ଯାଜପୁର, ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ, ସାମାଜିକ ଜୀବନ, ସୁକିନ୍ଦା

ଗୁମୁଡୁମାହା ଗାଁର ରକ୍ତାକ୍ତ ରାତି; କେତୋଟି ତଥ୍ୟ

July 14, 2016 by ଓଡିଶା ଡଟ କମ Leave a Comment

road-kandhamal

କେଦାର ମିଶ୍ର

୮ ଜୁଲାଇ ଶୁକ୍ରବାର କନ୍ଧମାଳ ଜିଲ୍ଲାର କୁର୍ତ୍ତମଗଡ଼ ନିକଟବର୍ତ୍ତୀ ଗୁମୁଡୁମାହା ଗାଁରେ ଯାହା ଘଟିଲା, ତାହା ମାନବୀୟ ଇତିହାସରେ ବର୍ବରତାର ଏକ ଚରମ ଉଦାହରଣ ବୋଲି କୁହାଯାଇପାରେ ।

ମାଓବାଦୀ ଏବଂ ପୋଲିସ୍ ଗୁଳି ବିନିମୟରେ ଅନେକ ସମୟରେ ସାଧାରଣ ଲୋକେ ପ୍ରାଣ ହରାଇ ଅ।ସିଛନ୍ତି । ୮ ଜୁଲାଇ ରାତିରେ ଗୁମୁଡୁମାହା ଗାଁରେ ପୋଲିସ୍ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହେଉଥିଲା ବୋଲି ପୋଲିସ୍ ତରଫରୁ କୁହାଯାଇଛି, ଯାହାକୁ ସବୁଠୁ ବଡ଼ ମିଛ ବୋଲି ପୋଲିସ୍ ଗୁଳିରେ ଆହତ ଲୋକମାନେ କହିଛନ୍ତି ।

ଦୁଇଟି ଅଟୋରେ ବସି ଗୁମୁଡୁମାହା ଗାଁ ଲୋକେ ନିକଟସ୍ଥ ବାଲିଗୁଡ଼ା ବ୍ୟାଙ୍କରୁ  ଟଙ୍କା ଉଠାଇ ଓ ଚାଉଳ କିଣି ଫେରୁଥିବାବେଳେ ସେମାନେ ରାସ୍ତା ମଝିରେ ଗୁଳିକାଣ୍ଡର ଶୀକାର ହେଲେ । ଏ ହତ୍ୟାର କାରଣ ତଦନ୍ତ କଲେ ଯାଇ ଜଣାପଡ଼ିବ ବୋଲି ପୋଲିସ୍ ଓ ପ୍ରଶାସନ କହୁଛନ୍ତି ।

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା ଅ।ଦୌ ଗ୍ରହଣୀୟ ଯୁକ୍ତି ନୁହେଁ ବୋଲି ମାନବାଧିକାର କର୍ମୀ ମାନେ କହୁଛନ୍ତି । ପୋଲିସ୍ ବାହିନୀର କମ୍ବିଂ ଅପରେସନ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନକ ବ୍ୟବସ୍ଥା ରହିଛି ।

ସେହି ମାନକ ବ୍ୟବସ୍ଥା ଅନୁଯାୟୀ ସର୍ବସାଧାରଣ ରାସ୍ତା ଓ ସର୍ବସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ସବୁଠୁ ଅଧିକ ସତର୍କତା ଅବଲମ୍ବନ କରାଯାଏ ।

ଏହି ସତର୍କତା ଅବଲମ୍ବନ କଲାବେଳେ ସାଧାରଣ ଲୋକଙ୍କୁ ଅପରେସନ୍ ସ୍ଥଳକୁ ନ ଯିବା ପାଇଁ ସତର୍କ କରାଇଦିଅ।ଯାଏ । ଗୁମୁଡୁମାହା ଗାଁରେ ସେ ପ୍ରକାର କୌଣସି ସତର୍କତା ଅବଲମ୍ବନ କରାଯାଇନଥିଲା ଓ ଗ୍ରାମବାସୀ ରାତିରେ ଯିବା ଆସିବା ନ କରିବାକୁ କୌଣସି ସୂଚନା ଦିଆ ଯାଇନଥିଲା।

ଗୁମୁଡୁମାହା ଗାଁ ରେ ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ କେତୋଟି ସତ୍ୟ ଓ ତଥ୍ୟ –

୧.ସନ୍ଧ୍ୟା ପ୍ରାୟ ୮ଟାରୁ ୯ଟା ଭିତରେ ଗୁଳିକାଣ୍ଡ ଘଟିଥିବାବେଳେ ସୁରକ୍ଷା ବାହିନୀ ମୃତ ଓ ଅ।ହତଙ୍କ ପାଖକୁ ସମ୍ପର୍କୀୟମାନଙ୍କୁ ଛାଡ଼ି ନଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଠି ସୂଚନା ଦିଅ।ଯାଇପାରେ ଯେ, ଗୁଳିକାଣ୍ଡ ଗୁମୁଡୁମାହା ଗାଁଠୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିଲା ।

ସେଠାରେ ଗାଁ ଲୋକେ ପହଂଚି ଅ।ହତମାନଙ୍କୁ ହସ୍ପିଟାଲ୍ ନେଇଥିଲେ ହୁଏତ କିଛି ଜୀବନ ବଂଚି ଯାଇପାରିଥାନ୍ତା । ପୋଲିସ୍ ସେ ସୁଯୋଗ ଦେଲା ନାହିଁ ବୋଲି କ୍ରୋଧ ମିଶା କଣ୍ଠ ରେ ଗ୍ରାମବାସୀ ଓ ଆହତ ମାନେ ଅଭିଯୋଗ ଆଣିଛନ୍ତି ।

୨.ମାଓବାଦୀ ଦମନ ଅ।ଳରେ ଗୁମୁଡୁମାହା ଗାଁରେ ସେଦିନ ପୋଲିସର ଅ।ଚରଣ ଏକପ୍ରକାର ସନ୍ତ୍ରାସବାଦୀଙ୍କ ପରି ଥିଲା ବୋଲି ଗାଁ ଲୋକେ କହୁଛନ୍ତି । ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଅଟୋରେ ବସିଥିବା ମାତ୍ର ଦେଢବର୍ଷର ଶିଶୁ ଜିହଡ଼ ଦିଗାଲ୍ ନିଜ ମାଁ ର ଛାତିରେ ମୃତ୍ୟୁବରଣ କରିଥିଲା ।

ଶିଶୁ ଓ ମହିଲାଂକୁ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ନିରସ୍ତ୍ର ଭାବରେ ହତ୍ୟା କରିବା ମାନବୀୟ ଅଧିକାର ବିରୋଧୀ । ତେଣୁ ଏ କ୍ଷେତ୍ରରେ ପୋଲିସ୍ ବିରୋଧରେ ଶିଶୁ ହତ୍ୟା ଭଳି ଏକ ସଂଗିନ୍ ଅଭିଯୋଗ ଲାଗିଛି ।

kandhamal୩. ମୃତ୍ୟୁ ବରଣ କରିଥିବା କୁକୁଲ ଦିଗାଲ୍ (ବୟସ ପ୍ରାୟ ୫୦ ), ତିମିରୀ ମଲ୍ଲିକ , ବୃନ୍ଗୁଲି ମଲିକ୍ ଓ ମିଡିଆଲୀ ମଲ୍ଲିକ (ସମସ୍ତେ ୪୦ ବର୍ଷରୁ କମ୍ ମହିଳା) ସେଦିନ ସନ୍ଧ୍ୟା ରେ ପ୍ରାଣ ହରାଇଲେ । ସମ୍ବିଧାନ ରେ ରହିଥିବା ଜୀବନ ର ଅଧିକାର ବା Rights to Life ର ଏହା ଖୋଲା ଉଲ୍ଲଂଘନ ହୋଇଥିବା ମାନବାଧିକାର କର୍ମୀ ମାନେ କହିଛନ୍ତି ।

୪. ଏହି ଗୁଳି କାଣ୍ଡରେ ଲୁକା ମଲ୍ଲିକ , ସୁନିତା ମଲ୍ଲିକ (ମୃତ ଶିଶୁ ଜିହଡର ବାପା ଓ ମାଁ ), ବନମାଳୀ ମଲ୍ଲିକ, ତେମ୍ବୁ ମଲ୍ଲିକ, ଗିଡିସି ଦିଗାଲ, ସହଲୁ ମଲ୍ଲିକ ଓ କଜନ୍ତି ମଲ୍ଲିକ ଗୁଳିମାଡରେ ଆହତ ହୋଇ ବାଲିଗୁଡା ଓ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଏଥିରୁ ଅନେକଂକ ଦେହରେ ଗୁଳି ବାଜିଛି।

୫. ଭାରତରେ ମାଓବାଦୀ ଏବଂ ସୁରକ୍ଷା ବାହିନୀର ଗୁଳି ବିନିମୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଅ।ମ ଦେଶର ସାଧାରଣ ଅ।ଦିବାସୀ, ଦଳିତ ଓ ନିରୀହ ମଣିଷମାନେ ।

ସରକାରୀ ତଥ୍ୟ ଅନୁଯାୟୀ ଗତ ୨୦ବର୍ଷ ଭିତରେ ୧୩୪୯୦ ଲୋକ ପୋଲିସ୍ ମାଓବାଦୀ ସଂଘର୍ଷରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬୦୬ ସୁରକ୍ଷା ବାହିନୀର ଯବାନ୍ ଓ ଅଧିକାରୀ ଥିବାବେଳେ ପ୍ରାୟ ୩୦୦୯ ଜଣ ମାଓବାଦୀ କ୍ୟାଡର୍ ବୋଲି ଚିହ୍ନଟ କରାଯାଇଛି ।

ବାକି ୭୭୧୯ ହେଉଛନ୍ତି ସାଧାରଣ ଜନତା । ଗୁଳି ବିନିମୟ ବେଳେ ଅତି ସାଧାରଣ ଓ ନିରୀହ ଲୋକେ ଉଭୟ ପକ୍ଷରୁ ହିଂସାର ଶିକାର ହେଉଛନ୍ତି ।

୬.ଗତ ବର୍ଷେ ଭିତରେ ଓଡ଼ିଶାରେ ଚାରୋଟି ଫେକ୍ ଏନ୍କାଉଣ୍ଟର୍ ରେ ସାଧାରଣ ଜନତା ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ମାଓବାଦୀ ଦମନ ଅ।ଳରେ ସାଧାରଣ ଲୋକଙ୍କୁ ପୋକ ମାଛି ପରି ପୋଲିସ୍ ହତ୍ୟା କରୁଛି ବୋଲି ମାନବାଧିକାର ସଂଗଠନ GASS ଓ PUCL ଅଭିଯୋଗ ଆଣିଛନ୍ତି ।

୭. ଓଡିଶା ମାନବାଧିକାର କମିଶନ ଓ ଅନ୍ୟାନ୍ୟ ସୂତ୍ରରୁ ଜଣାପଡିଛି ଯେ ୨୭ ଫେବୃଅ।ରୀ ୨୦୧୬ରେ ମନ୍ଦ କାଡ୍ରାକା ନାମକ ଜଣେ ଅ।ଦିବାସୀ ଯୁବକ ନିୟମଗିରି ଅଞ୍ଚଳରେ ସଲପ ଗଛ ଉପରେ ଚଢିଥିବାବେଳେ ତାକୁ ପୋଲିସ୍ ମାଓବାଦୀ ଭାବି ହତ୍ୟା କରିଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା ମାନବାଧିକାର କମିଶନରେ ବିଚାରାଧିନ ରହିଛି।

ସେହିପରି ୧୬ ନଭେମ୍ବର ୨୦୧୫ ଦିନ କଳାହାଣ୍ଡି ଜିଲ୍ଲା ନିଶାନଗୁଡା ଗାଁର ହରିଶଙ୍କର ନାଏକ, ଶୁକ୍ରୁ ମାଝୀ ଓ ଜୟ ମାଝୀ ଜଙ୍ଗଲରୁ ଗାଁକୁ ଫେରୁଥିବାବେଳେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ।

୮. ଠିକ୍ ବର୍ଷେ ତଳେ ୨୬ ଜୁଲାଇ ୨୦୧୫ ଦିନ କନ୍ଧମାଳ ଜିଲ୍ଲାର ପାଙ୍ଗ୍ଲା ପଦର୍ ଗାଁର ଦୁବେଶ୍ୱର ନାୟକ ଓ ତାଙ୍କ ସ୍ତ୍ରୀ ବୁଦୁଡ଼ି ନାୟକ ପାହାଡ଼ରୁ ବିଦେଶରେ ରହୁଥିବା ନିଜ ପିଲାଂକ ସହ ମୋବାଇଲ୍ ରେ କଥା ହୋଇ ଫେରୁଥିବାବେଳେ ପୋଲିସ୍ ଗୁଳିର ଶିକାର ହୋଇଛନ୍ତି । ଏମାନଙ୍କୁ କେତେବେଳେ ମାଓବାଦୀ ସମର୍ଥକ ଓ କେବେ କେମିତି ମାଓବାଦୀ ବୋଲି ପୋଲିସ୍ କହିଛି ।

୯. ତେବେ ସୁପ୍ରିମ୍ କୋର୍ଟ୍ ନିର୍ଦ୍ଦେଶ ଅନୁଯାୟୀ ପୋଲିସ୍ ଏନକାଉଣ୍ଟର (ସେ ସତ ହେଉ ବା ମିଚ୍ଛ )ତଦନ୍ତ ଲାଗି ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଏନକାଉଣ୍ଟର ର ତଦନ୍ତ ନିରପେକ୍ଷ ଭାବରେ ହେବା ସହ ଏଥିପାଇଁ ଦାୟୀ ପୋଲିସ୍ ଅଧିକାରିଂକୁ ଅଦାଲତର ବିଚାର ପାଇଁ ଅଣାଯିବାର ବ୍ୟବସ୍ଥା ରହିଛି ।

୧୦. ଗୁମୁଡୁମାହା ଘଟଣାର ବିଚାର ବିଭାଗୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତୁରନ୍ତ ଘୋଷଣା କରିଥିବା ବେଳେ ଏହାର ପୋଲିସ୍ ତଦନ୍ତ ଲାଗି ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ମଧ୍ୟ ଗଠନ କରିଛନ୍ତି । ତେବେ ତଦନ୍ତକାରୀ ଦଳର ମୁଖିଆ ଭାବରେ ବରିଷ୍ଠ ପୋଲିସ୍ ଅଧିକାରୀ ମହେନ୍ଦ୍ର ପ୍ରତାପ୍ ନିଜେ ଅନେକ ଅଭିଯୋଗରେ ଅଭିଯୁକ୍ତ ବୋଲି ଏବେ ମତ ପ୍ରକାଶ ପାଇଛି . ଏହି ଘଟଣାରେ ଓଡିଶାର ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି ।

କଂଗ୍ରେସ୍ ଓ ବିଜେପି ଏହାକୁ ରାଜ୍ୟ ପ୍ରାୟୋଜିତ ଆଦିବାସୀ ହତ୍ୟା ବୋଲି କହୁଥିବା ବେଳେ ଏହି ଦୁର୍ଭାଗ୍ୟଜନକ ଘଟଣାରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ବିଜେଡି ତରଫରୁ କୁହାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମାନବାଧିକାର Tagged With: ଅ।ଦିବାସୀ, ଗୁମୁଡୁମାହା, ଦଳିତ, ଧନଜୀବନ, ପୋଲିସ୍, ମାଓବାଦୀ, ସତର୍କତା, ସର୍ବସାଧାରଣ

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

December 11, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

ମାନବାଧିକାର କର୍ମୀ କହିଲେ ବିଭିନ୍ନ ଉପାୟରେ ମାନବ ଅଧିକାରଗୁଡିକୁ ସୁରକ୍ଷା, ପ୍ରୋତ୍ସାହନ ଓ ପ୍ରଚାର କରୁଥିବା ବ୍ୟକ୍ତିବିଶେଷକୁ ବୁଝାଏ । ଯେମିତିକି ଜଣେ ଶିଶୁମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି, ମହିଳାଙ୍କ ଅଧିକାର ଉପରେ ଲଢୁଥିବା କର୍ମୀ, ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ କାମ କରୁଥିବା ସାମାଜିକ କର୍ମୀ, ପୁଲିସ୍ ଅତ୍ୟାଚାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ଆଦି ଅନେକ ଏହି ଶ୍ରେଣୀଭୁକ୍ତ ।

akhandକେବଳ ଏତିକି ନୁହେଁ, ମାନବାଧିକାରକୁ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଜଣେ ଜଣେ ମାନବାଧିକାର କର୍ମୀ । ଯେମିତିକି – ସାମ୍ବାଦିକ, କାର୍ଟୁନିଷ୍ଟ, ବ୍ଲଗର କିମ୍ବା ସେସିଆଲ୍ ମେଡିଆରେ ଏହି ପ୍ରସଙ୍ଗଗୁଡିକୁ ଉଠାଉଥିବା ବ୍ୟକ୍ତି ।

ତେଣୁ ଏହି ମାନବାଧିକାର ସଂଜ୍ଞା ମଧ୍ୟରେ ଅନେକ କର୍ମୀ ଆସନ୍ତି । କିନ୍ତୁ ଆମ ଆଖି ଆଢୁଆଳରେ ସେମାନେ ପରିଚୟ ଦିଅନ୍ତି ନାହିଁ । କାରଣ ମାନବାଧିକାର କର୍ମୀ କହିଲା ମାତ୍ରେ ସମସ୍ତେ ବୁଝନ୍ତି ପୁଲିସ୍ ଓ ପ୍ରଶାସନ ବିରୋଧରେ ଲଢୁଥିବା କର୍ମୀ ।

କିନ୍ତୁ ମାନବାଧିକାରର ପରିଭାଷା ଯେ ଏହାଠାରୁ ଢେର୍ ଉଚ୍ଚରେ ତାହା ଜାଣିବା ପାଇଁ କମ୍ ଲୋକଙ୍କର ଆଗ୍ରହ ରହିଛି । ଆଉ ମାନବାଧିକାର କର୍ମୀମାନଙ୍କ ଉପରେ ପୁଲିସ୍ ଓ ପ୍ରଶାସନର ତୀକ୍ଷ୍ଣ ନଜର ମଧ୍ୟ ରହିଛି ।

ଏମାନଙ୍କୁ ନେଇ ସରକାରଙ୍କ ବିଚାର ସେତେଟା ଭଲ ନୁହେଁ । ଗୁଇନ୍ଦାବାଲା ଦେଶରେ ଅରାଜକତା ବଢାଉଥିବା ତତ୍ୱମାନଙ୍କ ବିଷୟରେ ସିନା ଖବର ରଖିପାରନ୍ତି ନାହିଁ, କିନ୍ତୁ ସେମାନେ ସହଜରେ ଉପଲବ୍ଧ ହେଉଥିବା ମାନବାଧିକାର କର୍ମୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାନ୍ତି । ଆମ ଦେଶରେ ଅନେକ ମାନବାଧିକାର କର୍ମୀଙ୍କୁ ‘ଦେଶ ବିରୋଧୀ’ ବୋଲି ଆଖ୍ୟ ଦିଆଯାଇଛି ।

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି ।

କିନ୍ତୁ ଏଥିରେ ସରକାର ଖୁସୀ ନୁହନ୍ତି । ସେମାନେ ଭାବନ୍ତି କାହିଁକି ସରକାରଙ୍କ ବିରୋଧରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଉଛନ୍ତି ? ତାହେଲେ ଏ ଦେଶରେ କଣ ମାନବାଧିକାର କମିଶନଗୁଡିକୁ ବନ୍ଦ କରି ଦିଆଯିବା ଉଚିତ୍ ? ଏ କ୍ଷମତା ମଧ୍ୟ ସରକାରଙ୍କର ଅଛି । ଯେ କୌଣସି ପୁଲିସ୍ କିମ୍ବା ସୁରକ୍ଷାବଳ ଦ୍ୱାରା ହେଉଥିବା ଏନକାଉଂଟର୍ ବା ହାଜତ ମୃତ୍ୟୁ ବିଷୟରେ ମାନବାଧିକାର କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ ।

କିନ୍ତୁ ଜଣେ ମାନବାଧିକାର କର୍ମୀ ଯଦି ଏ ବିଷୟରେ ଅଭିଯୋଗ କରେ, ସେ ପୁଲିସ୍ ଓ ପ୍ରଶାସନ ପାଇଁ ହୋଇଯାଏ ‘ଦେଶ ବିରୋଧୀ’ । ଜଣେ ଗୁଇନ୍ଦା ଅଧିକାରୀ ମୋତେ କହିଲେ, “ଆପଣ ଜନସ୍ୱାର୍ଥ ପାଇଁ ଭଲ ଭଲ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କରୁଛନ୍ତି । କିନ୍ତୁ ନକ୍ସଲ ଏନକାଉଂଟର କେଶ୍ କରିବା ବେଳେ ଟିକେ ସତର୍କ ରହିବେ । ଦଶଟା କେସ୍ରୁ ଗୋଟିଏ କେସ୍ ଏ ସମ୍ପର୍କରେ ହେଲେ ଚଳିବ ।

କିନ୍ତୁ ଅଧିକ ହେଲେ ଟିକେ ଅସୁବିଧା ।” ତା ଅର୍ଥ ଦେଶରେ ଥିବା ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କାମ କଲେ ମଧ୍ୟ ଆପଣ ଦେଶପ୍ରେମୀ ନୁହଁନ୍ତି ବଂର ଦେଶ ବିରୋଧୀ ବୋଲି ଧରାଯିବେ ! ବର୍ତମାନ ଅନେକ ମାନବାଧିକାର ସଂସ୍ଥା ଉପରେ କଟକଣା ଜାରି କରାଯାଇଛି । ଦାନ ଅର୍ଥ ଉପରେ ଅଂକୁଶ ଲଗାଯାଉଛି । ଗୋଇନ୍ଦା ରିପୋର୍ଟରେ ଅନେକ ସଂସ୍ଥାକୁ ଲୋକଲୋଚନକୁ ଆଣି ଆଗୁଆ ସେମାନଙ୍କୁ ସତର୍କ ଓ ଭୟଭିତ କରାଯାଉଛି ।

ଏସବୁ ଭିତରେ ମଧ୍ୟ ମାନବାଧିକାର କର୍ମୀମାନେ ସେମାନଙ୍କ ଗୁରୁଦାୟିତ୍ୱ ନିଭାଇଚାଲିଛନ୍ତି । ମାନବାଧିକର ସୁରକ୍ଷା ଦିଗରେ ଲଢି ଚାଲିଛନ୍ତି । ସମାଜରେ ମାନବାଧିକର ସୁରକ୍ଷା ସଂସ୍କୃତିକୁ ଆଗକୁ ବଢାଇ ଚାଲିଛନ୍ତି । ଆଜି ମେଡିକାଲ୍ରେ ରୋଗୀଙ୍କୁ ଫଳ ବାଂଟିବା ପାଇଁ ଲୋକଙ୍କ ବେଶୀ ଭିଡ । କିନ୍ତୁ ରୋଗୀଙ୍କୁ ଖାଦ୍ୟ ନ ମିଳିବା ଓ ଚିକିତ୍ସାରେ ଅବହେଳା ହେଉଥିବା କହିବାକୁ ସାମାଜିକ କର୍ମୀ ବାହାରୁ ନାହନ୍ତି ।

ଜେଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସଂସ୍ଥା ଆଗ୍ରହୀ । କିନ୍ତୁ ସେଠାରେ ହେଉଥିବା ଅତ୍ୟାଚାର ବିରୋଧରେ ପାଟି ଫିଟାଇବାକୁ ଡର । ଗଛ ଲଗାଇବାକୁ ସମସ୍ତେ ପସନ୍ଦ କରିବା ଭଲ କଥା । କିନ୍ତୁ ଗଛ ଓ ପରିବେଶ ନଷ୍ଟ କରୁଥିବା ବିଭିନ୍ନ ସଂସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଭୟ କାହିଁକି ? ଆଉ ଏହି କାମ କରୁଛନ୍ତି ମାନବାଧିକାର କର୍ମୀମାନେ ।

ସେମାନେ ଦେଶର ସମସ୍ୟାର ମୂଳକୁ ଉପାଡି ଫିଙ୍ଗିବାକୁ ସଂଗ୍ରାମ କରୁଛନ୍ତି । ବ୍ୟବସ୍ଥାରେ ଥିବା ସରକାରୀ ଅଧିକାରୀମାନେ କିଭଳି ଠିକ୍ ଭାବେ ଲୋକଙ୍କୁ ସେବା ଦେବେ, ତାହା ଉପରେ ନଜର ରଖୁଛନ୍ତି । ସେମାନଙ୍କୁ ଆମେ କଣ କହିବା ? ଦେଶପ୍ରେମୀ ।

ସାମ୍ବାଦିକ ତଥା ମାନବାଧିକାର କର୍ମୀ

ଫୋନ୍ – ୯୯୩୮୮୭୧୯୮୯

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ବିଶ୍ୱମାନବାଧିକାର ଦିବସ, ମାନବାଧିକାର

ପୁଲିସ୍ ବିଲ୍ ରେ ସଂଶୋଧନ କାହିଁକି ଆବଶ୍ୟକ ?

November 6, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

akhand
ଅଖଣ୍ଡ

ମାନ୍ୟବର ସୁପ୍ରିମକୋର୍ଟ ୨୦୦୬ରେ ଏକ ମାମଲା(ପ୍ରକାଶ ସିଂ ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର) ରାୟରେ ପୁଲିସ୍ ବାହିନୀରେ ସଂସ୍କାର କଥା କହିଥିଲେ ।

କୋର୍ଟ ଆଶାବ୍ୟକ୍ତ କରିଥିଲେ ଯେ ରାଜ୍ୟ ସରକାର ଏମିତି ଏକ ନୂଆ ପୁଲିସ୍ ଆଇନ ପ୍ରଣୟନ କରିବେ, ଯେଉଁଥିରେ ପୁଲିସ କୁ ସମସ୍ତ ପ୍ରକାର ସରକାରୀ ଓ ରାଜନୈତିକ ଚାପରୁ ମୁକ୍ତ ରଖାଯିବ ଓ ସେମାନେ ସେମାନଙ୍କ ସମସ୍ତ କାମ ପାଇଁ ଉତ୍ତରଦାୟୀ ରହିବେ ।

ସୁପ୍ରିମକୋର୍ଟଙ୍କ ରାୟକୁ ମାନି ଓଡିଶା ସରକାର ଗତ କିଛି ବର୍ଷ ହେଲା ପୁଲିସ୍ ବିଲ୍ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ । ବିଧାନସଭାର ଗତ ଅଧିବେଶନରେ ଓଡିଶା ପୁଲିସ୍ ବିଲ୍- ୨୦୧୫କୁ ବିନା ଆଲୋଚନାରେ ପାରିତ କରାଗଲା ।

ଏହି ବିଲର ପ୍ରାରମ୍ଭରେ ଲୋକମାନଙ୍କ ମାନବାଧିକାର ସୁରକ୍ଷା ଓ ସେମାନଙ୍କର ରାଜନୈତିକ,ସାମାଜିକ, ଆର୍ଥନୈତିକ ଓ ସଂସ୍କୃତିଗତ ଅଧିକାର ସୁରକ୍ଷା ଆଦି ଆଇନର ମୁଖ୍ୟ ବିଷୟ ହେବା ଦରକାର ବୋଲି କୁହାଯାଇଛି ।

କିନ୍ତୁ ଏହି ବିଲ୍ ରେ ତାହା ଅନେକ ସ୍ଥାନରେ ସଂପୂର୍ଣ ପ୍ରତିଫଳିତ ହେଉନାହିଁ । ଏଭଳି ଏକ ବିଲ୍ ଆଇନରେ ପରିଣତ ହେଲେ ଏହା ପୁଲିସ୍ ର କ୍ଷମତା ବଢାଇବା ସହିତ ଏହାର ନିରପେକ୍ଷତାକୁ ଅଧିକ ବିପନ୍ନ କରିବ ବୋଲି ସମାଜକର୍ମୀ ଓ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଥିଲେ ।

ବିରୋଧୀ ଦଳମାନେ ମଧ୍ୟ ଏଥିରେ ସଂଶୋଧନ ହେବାର ଆବଶ୍ୟକତା ଥିବା ବହୁବାର ଦୋହରାଇଛନ୍ତି । ସବୁ ବର୍ଗରୁ ସରକାରଙ୍କ ପାଖକୁ ସଂଶୋଧନ ପାଇଁ ପରାମର୍ଶ ଆସିଛି । କିନ୍ତୁ ସରକାର କିଛି ଶୁଣିନାହାନ୍ତି । ବିଧାନସଭାରେ ମଧ୍ୟ ଆଲୋଚନା ହୋଇନାହିଁ । ବିରୋଧୀମାନେ କକ୍ଷତ୍ୟାଗ କଲେ ।

ସରକାରୀ ଦଳ ସଦସ୍ୟମାନେ ଶେଷରେ ଏହାକୁ ପାସ୍ କରିଦେଲେ । ମାନ୍ୟବର ରାଜ୍ୟପାଳଙ୍କ ପାଖକୁ ଏହି ବିଲ୍ ଗଲା । ତାଙ୍କୁ ମଧ୍ୟ ସମାଜକର୍ମୀମାନେ ଭେଟିଲେ । ବିଲ୍ ରେ କଣ ସବୁ ତ୍ରୁଟି ରହିଛି, ତାହା ଜଣାଇଲେ । ଯାହା ହେଉ ରାଜ୍ୟପାଳ ତାଙ୍କ କ୍ଷମତା ପ୍ରୟୋଗ କରି ଏହାକୁ ଫେରାଇ ଦେଇଛନ୍ତି ।

ଏହି ବିଲକୁ ବିରୋଧ କରାଯିବାର ଅନେକ କାରଣ ରହିଛି । ପ୍ରଥମତଃ ପୁଲିସ୍ ବିଲ୍ ରେ ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି (ପରିଛଦ ୨, ଧାରା ୪) ପ୍ରକ୍ରିୟା ଠିକ୍ ଭାବେ କରାଯାଇନାହିଁ । ଚୟନ ପ୍ରକ୍ରିୟାକୁ ଅଯଥା ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ ।

କିନ୍ତୁ ଓଡିଶା ପୁଲିସ ବିଲ୍ ରେ ଏକଥା ନାହିଁ । ରାଜ୍ୟ ସରକାର ତାଙ୍କର ସ୍ୱତନ୍ତ୍ର କ୍ଷମତା ବଳରେ ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି । ଏହା ହେଲେ ସରକାର ତାଙ୍କ ଇଛାରେ ପୁଲିସ୍ ଡିଜିଙ୍କୁ ନିଯୁକ୍ତ କରିବେ । ଏବଂ ସେ ସରକାରଙ୍କ ଚାପରୁ ମୁକ୍ତ ହୋଇପାରିବେ ନାହିଁ କିମ୍ବା ସ୍ୱାଧିନ ଭାବେ କାମ କରିପାରିବେ ନାହିଁ ।

ଏହି ବିଲର ପରିଛେଦ-୪ରେ ଥିବା ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ୍ରେ ପାଳନ କରାଯାଇନାହିଁ । କୋର୍ଟଙ୍କ ନିଷ୍ପତି ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅଫିସିଓ ସଚିବ ଭାବେ ରହିବେ ।

କିନ୍ତୁ ପୁଲିସ୍ ବିଲ ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ । ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ କରିବେ ।

କିନ୍ତୁ ଓଡିଶା ପୁଲିସ୍ ବିଲ ରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ ।

ଓଡିଶା ପୁଲିସ୍ ବିଲ ରେ “ପୋଲିସ୍ କମ୍ପ୍ଲେଂଟ୍ ଅଥରିଟି”( ପରିଛେଦ-୮) ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ଗଠନ ଶୈଳୀ, ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କ ମନୋନୟନ ବ୍ୟବସ୍ଥା ଦୃଷ୍ଟିରୁ ଏହା ନିରପେକ୍ଷ ଓ ସ୍ୱାଧୀନ ଭାବରେ କାମ କରିବା ନେଇ ଘୋର ସନେ୍ଦହ ଜାତ ହୋଇଛି ।

ପୋଲିସ୍ କମ୍ପ୍ଲେନ୍ ଅଥରିଟିର ଅଧ୍ୟକ୍ଷ ଲୋକାୟୁକ୍ତ ରହିବେ ବୋଲି ପୋଲିସ୍ ବିଲ୍-୨୦୧୩ରେ ବ୍ୟବସ୍ଥା ରହିଥିଲା । କିନ୍ତୁ ୨୦୧୫ମସିହାରେ ପ୍ରସ୍ତୁତ ବିଲ ରେ ଏହାକୁ ହଟାଇ ଦିଆଯାଇଛି । ଅଧ୍ୟକ୍ଷଙ୍କ ମନୋନୟନ କଥା କିଛି ଲେଖାଯାଇନାହିଁ । ପୁଣି ଜିଲ୍ଲାସ୍ତରୀୟ ପୋଲିସ୍ କମ୍ପ୍ଲେଂଟ୍ ଅଥରିଟିର ବ୍ୟବସ୍ଥା ରଖାଯାଇନାହିଁ ।

ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ବିଳମ୍ବ ହେବ । ଏହି ବିଲ ରେ ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଶାନ୍ତିପୂର୍ଣ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ୍ କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି ।

ଉପଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥାରେ ସଂଶୋଧନ କରାଯିବା ଦରକାର । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା । ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ ।

ଏହାକୁ ବିଲ୍ ରୁ  ବାଦ୍ ଦିଆଯିବା ଆବଶ୍ୟକ ବୋଲି ମନେହୁଏ । ଲୋକମାନଙ୍କ ଅସୁବିଧାର କାରଣ ହେବାକୁ ଥିବା ଏମିତି ଅନେକ ଧାରାରେ ପରିବର୍ତନ ଓ ସୁଧାର ଆବଶ୍ୟକ । ଖାସ୍ ସେଥିପାଇଁ ରାଜ୍ୟପାଳ ଏହାକୁ ପୁନର୍ବିଚାର ପାଇଁ ପଠାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସୁଯୋଗ ରହିଛି, ଏହାକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବା ସହିତ ପୁଣି ରାଜ୍ୟପାଳଙ୍କ ନିକଟକୁ ପଠାଯାଉ ।

ଏଥିପାଇଁ ବିରୋଧୀଦଳଙ୍କ ମତାମତ ସହିତ ଏକ ସିଲେକ୍ଟ କମିଟି ଗଠନ କରାଯାଇପାରେ । ଏହି କମିଟି ଲୋକମାନଙ୍କର ମତାମତ ଆହ୍ୱାନ କରିପାରିବ । ତାହେଲେ ଯାଇ ପୁଲିସ୍ ସେବା କ୍ଷେତ୍ରରେ ଏକ ସଂସ୍କାର ମୂଳକ ବିଲ୍ ଆସିପାରିବ ।

( ଲେଖକ ଜଣେ ସାମ୍ବାଦିକ ତଥା ସମାଜିକ କର୍ମୀ )

ଫୋନ୍ – ୯୯୩୮୮୭୧୯୮୯

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ପୁଲିସ୍ ବିଲ୍, ମାନବାଧିକାର ସୁରକ୍ଷା

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

November 6, 2015 by ନିଉଜ ଡେସ୍କ Leave a Comment

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ , ନଭେମ୍ବର ୬ (ଓଡିଶା ଡଟ କମ) ଯୁବ ସମାଜସେବୀ ତଥା ଜଣା ଶୁଣା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେବା ‘ସମାଜ’ ଓ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ସମାଜ ଜ୍ୟୋତି ସମ୍ମାନରେ ଗୁରୁବାର ପୁରୀ ଠାରେ ସମ୍ମାନିତ କରାଯାଇଛି

akhanda ଗୋପବନ୍ଧୁ ଆୟର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଓଡିଶାର ଆର୍ଥିକ ଅନଗ୍ରସର ଓ ଦୁର୍ବଳଶ୍ରେଣୀଙ୍କ ବିକାଶ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ଆୟୋଜକ ସଂସ୍ଥା କହିଛି ।

ଗତ ଏକ ଦଶନ୍ଧି ଧରି ଅଖଣ୍ଡ ମାନବାଧିକାର ସୁରକ୍ଷା କ୍ଷେତ୍ରରେ କାମ କରିଆସୁଛନ୍ତି ।

ଓଡିଶା ଡଟ କାମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର, ସମ୍ମାନ

କେନ୍ଦ୍ରୀୟ ଟିମର ବେଲବାହାଳି ବିବାଦୀୟ ସେତୁ ସ୍ଥଳ ପରିଦର୍ଶନ

October 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦଦାତା

କେନ୍ଦୁଝର , ଅକ୍ଟୋବର ୫ (ଓଡିଶା ଡଟ କମ) କେନ୍ଦୁଝର ଜିଲ୍ଲାରେ କୁଶେଇ ନଦୀ ଉପରେ ବ୍ରିଜ୍ ନିର୍ମାଣକୁ ନେଇ ସ୍ତୃଷ୍ଟି ହୋଇଥିବା ବିବାଦ ପରେ ଖଡଗ୍‌ପୁର ଆଇଆଇଟିର ଏକ ବୈଷୟିକ ଦଳ ପ୍ରସ୍ତାବିତ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରିଦେଖିଛନ୍ତି ।

ଏହି ତିନି ଜଣିଆ ଟିମରେ ଇଞ୍ଜିନିୟର ସଭାଥି ଶତପଥି,କୁଲଦିପ୍‌ ସ୍ବର୍ଣ୍ଣକାର ଓ ତର୍ପଣ ତିଲକ ପାତ୍ର ରହିଛନ୍ତି ।

ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରିସାରିବାପରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍‌ଶୀଘ୍ର ଏହି ଟିମ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବ ।

ଗତ ଜୁଲାଇ ମାସରେ ଏହି ସେତୁର ନିର୍ମାଣକୁ କେନ୍ଦ୍ରକରି ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଶତାଧିକ ଲୋକ ଗିରଫ ହୋଇଥିଲେ । ଘଟଣାକୁନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା ।

ପରେ ସ୍ଥାନୀୟ ଲୋକ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଏପ୍ରସଙ୍ଗରେ ନୀତିନ ଗଡକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଓଡିଶା ଡଟ କାମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ବେଲବାହାଳି, ମାନବାଧିକାର

ବେଲବାହାଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

September 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) କେନ୍ଦୁଝର ଜିଲ୍ଲାରେ କୁଶେଇ ନଦୀ ଉପରେ ବ୍ରିଜ୍ ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଅତ୍ୟାଚାର କରିଥିବା ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପୁଲିସ୍ ମୁଖ୍ୟ ସଂଜୀବ ମାରିକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

akhand-humanrights akhand-humanrights-2ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଆବେଦନ ଉପରେ ବିଚାର କରି କମିଶନ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ, ଗତ ଜୁଲାଇ ୭ ତାରିଖ ଦିନ ବେଲବାହାଳିରେ କୁଶେଇ ନଦୀରେ ବ୍ରିଜ୍ ନିର୍ମାଣକୁ ବିରୋଧ କରି ଚାଲିଥିବା ଗଣଧାରଣାକୁ ଭଣ୍ଡୁର କରିବା ପାଇଁ ପୁଲିସ୍ ଅଚାନକ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ପୁଲିସ୍ ର ଆଖିବୁଜା ମାଡରେ ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ବହୁ ଲୋକ ଖଣ୍ଡିଆ ଖାବର ହୋଇଥିବା ଅଭିଯୋଗ ହୋଇଥିଲା । ବିଧବା, ବୃଦ୍ଧ, ଶିଶୁ, ରୋଗୀମାନଙ୍କୁ ମଧ୍ୟ ପୁଲିସ୍ ପିଟିଥିଲା । କେବଳ ସେତିକି ନୁହେଁ ବିଭିନ୍ନ ଗୁରୁତର ଦଫାରେ ପୁଲିସ୍ ଶତାଧିକ ଲୋକଙ୍କୁ ଗିରଫ କରି ଜେଲ୍ ପଠାଇଥିବା ସେ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ୍ ରାଇଟ୍ସ’ ପକ୍ଷରୁ ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ବେଳବାହାଳି ଗସ୍ତ କରିବା ସହ ସେଠାରେ ପ୍ରତ୍ୟେକ୍ଷଦର୍ଶୀ ଓ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲା ।  ଏହି ରିପୋର୍ଟ ଆଧାରରେ ଫୋରମ୍ ର ୱାର୍କିଂ ଗ୍ରୁପ୍ ସଦସ୍ୟ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ ।

ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ, ଆହତମାନଙ୍କୁ କ୍ଷତିପୂରଣ ଓ ମିଥ୍ୟାକେସ୍ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଥିଲେ । କମିଶନ ଏହାର ବିଚାର କରି ପୁଲିସ୍ ବିରୁଦ୍ଧରେ ହୋଇଥିବା ଏହି ଅଭିଯୋଗ ଉପରେ ଉଚ୍ଚ କର୍ତୁପକ୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେ ସମ୍ପର୍କୀତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ବେଲବାହାଳି, ମାନବାଧିକାର

ପୁଲିସ ବିଲରେ ସଂଶୋଧନ କରିବାକୁ ସ୍ଵେଚ୍ଛାସେବୀଙ୍କ ଦାବି

August 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦଦାତା

ଭୁବନେଶ୍ଵର, ଅଗଷ୍ଟ ୨୨ (ଓଡିଶା ଡଟ କମ) ପ୍ରସ୍ତାବିତ ଓଡିଶା ପୁଲିସ୍ ବିଲ୍ – ୨୦୧୫ର ଅନେକ ଧାରା ଓ ଉପଧାରାରେ ଅନେକ ତ୍ରୁଟି ଥିବା ଦର୍ଶାଇ ସ୍ଵେଚ୍ଛାସେବୀ ଓ ବିଭିନ୍ନ ରାଜନୈତିକ ନେତା ସେଥିରେ ସଂଶୋଧନ ଦାବିକରିଛନ୍ତି ।

police bill‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁମାନ ରାଇଟ୍ସ’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବର୍ତମାନ ସ୍ଥିତିରେ ଏହି ବିଲ୍ ପାରିତ ହେଲେ ପୁଲିସ୍ ନିରପେକ୍ଷ ଭାବରେ କାମ କରିପାରିବ ନାହିଁ ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା, ମାନବାଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋ, ସମାଜକର୍ମୀ ଧିରେନ୍ଦ୍ର ପଣ୍ଡା ପ୍ରମୁଖ ବିଲ୍ ରେ  କେଉଁ ଧାରା ଉପଧାରାଗୁଡିକରେ ସଂଶୋଧନର ଆବଶ୍ୟକତା ରହିଛି ତାହା କହିଥିଲେ ।

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ରାଜ୍ୟରେ ପୁଲିସ୍ ଆଇନ କରାଯାଉଥିବା ବେଳେ ଅନେକ ସ୍ଥାନରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ସରକାର ପାଳନ କରିନାହାନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ ।

କିନ୍ତୁ ଓଡିଶା ପୁଲିସ୍ ବିଲ୍ ରେ ଏହି ବ୍ୟବସ୍ଥା ନରଖି ରାଜ୍ୟ ସରକାର ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି ।ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ ଭାବେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି  କମିସନର ମୁଖ୍ୟ ହେବେ ।

ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅପିସିଓ ସଚିବ ଭାବେ ରହିବେ । କିନ୍ତୁ ଓଡିଶା ପୁଲିସ୍ ବିଲ୍ ରେ  କମିସନର ସଦସ୍ୟ ଭାବେ ବିରୋଧୀ ଦଳ  ନେତାଙ୍କୁ ରଖାଯାଇନାହିଁ ।

ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ ହେବା କଥା । କିନ୍ତୁ ଏହି ବିଲ ରେ କେବଳ ଦୁଇଜଣ ସ୍ୱାଧୀନ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି ।

ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୁଣି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ “ପୋଲିସ୍ କମ୍ପ୍ଲେଂଟ୍ଅଥରିଟି” ରାଜ୍ୟ ସ୍ତରରେ ଓ ପ୍ରତ୍ୟେକ ଜିଲ୍ଲାସ୍ତରରେ ଗଠନ ହେବା କଥା । କିନ୍ତୁ କେବଳ ରାଜ୍ୟ ସ୍ତରରେ “ପୋଲିସ୍ କମ୍ପ୍ଲେଂଟ୍ଅଥରିଟି” ବ୍ୟବସ୍ଥା ବିଲ ରେ ରଖାଯାଇଛି । ଜିଲ୍ଲା ସ୍ତରରେ ରଖାଯାଇନାହିଁ । ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ଘୋର ଅସୁବିଧା ଭୋଗିବେ ।

ପୁଣି ରାଜ୍ୟ ସ୍ତରରେ ଅଥରିଟିର ଅଧ୍ୟକ୍ଷ ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ଜଜ୍ ରହିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ଏହି ବିଲ୍ ରେ ଅଧ୍ୟକ୍ଷ କିଏ ହେବ କିଛି ଲେଖାଯାଇନାହିଁ । ଏହି ବିଲ୍ରେ  ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି । ଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥା ଅତି ସାଂଘାତିକ । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା ।

ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ । ଏହିଲ ଧାରା ଗୁଡିକୁ ବିଲ୍ର ରେ ବାଦ୍ ଦିଆଯିବା ଆବଶ୍ୟକ । ଏମିତି ଆଉ କିଛି ଧାରାରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଏସ୍ଏଫ୍ଏଚ୍ଆର୍ର ଚନ୍ଦ୍ରନାଥ ଦାନୀ ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ପୁଲିସ ବିଲ

  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ