• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରୋକ ଠୋକ

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟ

January 24, 2018 by ଓଡିଶା ଡଟ କମ Leave a Comment

1
ବିଘ୍ନେଶ୍ୱର ସାହୁ

ବିଚ୍ଛିନ୍ନାଞ୍ଚଳ କହିଲେ ଆମେ ବର୍ତ୍ତମାନର ଓଡ଼ିଶାର ଦକ୍ଷିଣ ଓ ଉତ୍ତରପଟକୁ ଲାଗିରହିଥିବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମୁଖ୍ୟତଃ ବୁଝିଥାଉ ।

ପ୍ରାକ୍ ସ୍ୱାଧୀନତା କାଳରୁ ଆମେ ଓଡ଼ିଶାକୁ ଅଥବା ଓଡ଼ିଶାର ମାନଚିତ୍ରକୁ ଯେପରି ଭାବରେ ଦେଖୁଛୁ, ପୂର୍ବରୁ ତାହାର ପରିସୀମା କାହିଁ କେତେଗୁଣରେ ଅଧିକା ଥିଲା ।

କୁହାଯାଉଥିଲା, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ତକ୍ରାଳୀନ କଳିଙ୍ଗର ସାମ୍ରାଜ୍ୟ ବିସ୍ତାରିଥିଲା । କାଳକ୍ରମେ ତାହା ଖଣ୍ଡବିଖଣ୍ଡିତ ହେବାକୁ ଲାଗିଲା ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବର ଅବସ୍ଥା ଏବଂ ପର ଅବସ୍ଥାକୁ ଅନୁଧ୍ୟାନ କଲେ ଉଭୟ ସମୟର ସ୍ଥିତିରେ ଅନେକ ପରିବର୍ତ୍ତନର ଆଭାସ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିନଠାରୁ ପର୍ଯ୍ୟାୟ କ୍ରମରେ ଦକ୍ଷିଣ ଓଡ଼ିଶାର ଅତିକମ୍ ରେ ୧୯୯ଖଣ୍ଡ ଗ୍ରାମଉପରେ ଆନ୍ଧ୍ର ସରକାର ମାଲିକାନା ଜାହିର କରିବା ଓ ଆମେ ଏହା ବିରୁଦ୍ଧରେ ଠିକ ଭାବେ ସ୍ଵର ଉତ୍ତୋଳନ କରି ଏହାର ସମାଧାନ ନ କରିବା ପରିସ୍ଥିତିର ଗମ୍ଭୀରତାକୁ ସୂଚାଇ ଦେଉଛି ।

ଆମ ରାଜ୍ୟର ଭୌଗୋଳିକ ସୀମା ସରହଦ୍ ନେଇ ରହିଆସିଥିବା ରେକର୍ଡ଼ପତ୍ର ଏହି ପରିସ୍ଥିତିରେ ଏକପ୍ରକାର ଅପ୍ରାସଙ୍ଗିକ ହୋଇପଡ଼ୁଛି ।

ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ବିଭିନ୍ନ ଆଡ଼ରୁ ଘେରି ରହିଛି ଆନ୍ଧ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର କିଛି ଅଞ୍ଚଳ । କେବେ ଭାଷା ତ ଆଉ କେବେ ଅଞ୍ଚଳକୁ କେନ୍ଦ୍ର କରି ଓଡ଼ିଶା ସହିତ ଏହି ଚାରିଟି ରାଜ୍ୟ ମଧ୍ୟରେ ସୃଷ୍ଟି ହେଉଛି ବିବାଦ ।

ଭାଷାକୁ ନେଇ ସବୁବେଳେ ଗର୍ବ କରିଆସୁଥିବା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗ୍ରାମରେ ବଙ୍ଗଳା ଭାଷାର ପ୍ରସାର ପାଇଁ ପ୍ରୟାସ ଜାରିରଖିଛି ।

ଅପରପଟେ ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଗ୍ରାମଗୁଡ଼ିକରେ ରାସ୍ତାଘାଟ, ସ୍କୁଲ, ବିଦ୍ୟୁତ ସଂଯୋଗ ଆଦି ଲାଗି ଅବିରତ ପ୍ରଚେଷ୍ଟା କରାଯାଉଛି । ଏପରିକି ଆନ୍ଧ୍ର ପକ୍ଷରୁ ବିଚ୍ଛିନ୍ନାଞ୍ଚଳର କେତେକ ଓଡ଼ିଆ ମାଧ୍ୟମ ସ୍କୁଲରେ ତେଲୁଗୁ ପଢ଼ାଯିବା କଥା ବି ଶୁଣିବାକୁ ମିଳୁଛି ।

ବିଛିନାଞ୍ଚଳରେ କେମିତି ମାଲିକାନା ଜାହିର କରୁଛି ପଡୋଶୀ ରାଜ୍ୟଫଳରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକମାନେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟରେ ମିଶିଯିବାକୁ ଇଚ୍ଛା କରୁଛନ୍ତି ।

ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଜପତି, ଗଞ୍ଜାମର କିଛି ସୀମାନ୍ତବର୍ତ୍ତୀ ଗାଁ ଆଜି କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ଅନେକ ଉଦାହରଣ ଆମେ ପାଇପାରିବା ।

କୋରାପୁଟ:

ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ର ପାନ୍ଥଲୁଙ୍ଗ, ଚାଟୁଆ ଏବଂ ପଟାଙ୍ଗି ବ୍ଲକ୍ ର କୋଟିଆ, ସୁଙ୍କି, ଅମ୍ବାପାଲି ତଥା ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅନେକ ଗ୍ରାମର ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଅବହେଳିତ ଭାବେ ରହିଛନ୍ତି ।

ଏହି ସୀମାନ୍ତ ପଞ୍ଚାୟତର କିଛି ଗ୍ରାମରେ ପିଇବା ପାଣିର ସମସ୍ୟା ରହିଛି ତ ଆଉ କେଉଁ ଗ୍ରାମକୁ ରାସ୍ତାଘାଟ, ବିଜୁଳି ଓ କର୍ମସଂସ୍ଥାନ ଭଳି କୌଣସି ମୌଳିକ ସୁବିଧା ମିଳିପାରୁ ନାହିଁ । ଏହି ସୀମାନ୍ତ ଗ୍ରାମବାସୀମାନେ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରି ଚଳିଆସୁଛନ୍ତି ।

ଉଦାହରଣଭାବେ ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବୁ ଗ୍ରାମକୁ ନିଆଯାଉ । ଏହି ଗ୍ରାମରେ ୩୩ଟି କନ୍ଧ ଓ ୮ଟି ପରଜା ପରିବାର ବାସ କରୁଛନ୍ତି ।

ଏଠାକାର ଗ୍ରାମବାସୀମାନେ କୃଷି ସହିତ ବନଜାତ ଦ୍ରବ୍ୟ ସଂଗ୍ରହ କରି ଓ ମଜୁରୀ ଲାଗି ଚଳନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଏହି ଗ୍ରାମବାସୀ ଅସହାୟ ଓ ନିରୁପାୟ ହୋଇ ହାଟବଜାର, କାମଧନ୍ଦା ଓ ସ୍ୱାସ୍ଥ୍ୟସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ଆନ୍ତର୍ଜାତିକ ସୀମାନ୍ତରେ ଯେମିତି କିଛି ‘ନୋ-ମ୍ୟାନ୍ସ ଲାଣ୍ଡ’ ଥାଏ, ସେହିଭଳି ଓଡ଼ିଶାର କୁଟିଆ ଅଞ୍ଚଳର ୨୨ଖଣ୍ଡ ଗ୍ରାମ (ବିବାଦୀ)ର ଲୋକମାନେ ୧୯୩୪ରୁ ନିଜ ଜନ୍ମଭୂମିର ପରିଚୟ ପାଇଁ ଅନବରତ ସଂଗ୍ରାମ ଚଳାଇ ଆସିଛନ୍ତି ।

ତାହା ବାଦ୍, ଓଡ଼ିଶାର ଗୁଡ଼ିକୁଡ଼ି ଗ୍ରାମରେ ଆନ୍ଧ୍ର ସରକାର ବଳପୂର୍ବକ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରିବା ଦିନଠାରୁ ରାଜ୍ୟ ସୀମାବର୍ତ୍ତୀ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ୩ଟି ଫରେଷ୍ଟବ୍ଲକ୍ ରେ ୭ହଜାର ଏକର ଜଙ୍ଗଲ ସମେତ ୧୬୦ଟି ଗ୍ରାମ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦ ଉଠାଇ ସାରିଲେଣି ।

ନାରାୟଣପାଟଣା ଥାନା ଅନ୍ତର୍ଗତ ଝଞ୍ଜାବତୀ ନଦୀ ପାଶ୍ୱର୍ ଜୟକୋଟାଠାରୁ ରେବତୀଗୁଡ଼ା, ହାତୀଗୁଡ଼ା, ଫରେଷ୍ଟ ସୀମାଖୁଣ୍ଟଠାରୁ ମୁଲାଗାସହ ସଂଯୁକ୍ତ କରୁଥିବା ଆନ୍ଧ୍ର ସୀମା ଏବଂ କାସପାବାଲସାଠାରୁ ଆରମ୍ଭ କରି ଦଳେଇପଟାରୁ ଆନ୍ଧ୍ରର ଡୋକାସିଲା, ସ୍ପେଇବାଲସା ସୀମା ଯାଏଁ ୩ଟି ଫରେଷ୍ଟ ବ୍ଲକ୍ ର ୨ହଜାରରୁ ଅଧିକ ଏକର ଅଞ୍ଚଳର ମାଲିକାନା ନେଇ ବିବାଦ ୧୯୭୫ରୁ ଆରମ୍ଭ ହୋଇଥିଲା ।

୧୯୭୮ରେ ପୁରୁଣା ସର୍ଭେର ତଥ୍ୟକୁ ଭିତ୍ତିକରି ବିବାଦର ସମାଧାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଉଭୟ ରାଜ୍ୟସଭାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ମାଡ଼୍ରାସ୍ ସର୍ଭେ କର୍ମଚାରୀମାନଙ୍କ ଦ୍ୱାରା ୧୯୩୪ସାଲରେ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ଗ୍ରହଣ କରିବା ଲାଗି ସ୍ପଷ୍ଟ ଇଙ୍ଗିତ ଥିଲା ।

ତେବେ ୧୯୭୮ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆପାତତଃ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ସୀମାବର୍ତ୍ତୀ ଏହି ବିବାଦୀୟ ଅଞ୍ଚଳ (ସୀମାଖଣ୍ଡ ୧୫୦୬ରୁ ୧୯୩୩ ପର୍ଯ୍ୟନ୍ତ)ର ତଥ୍ୟଗୁଡ଼ିକ ନିଜ ପାଖରେ ନଥିବା ଭଳି ଅଜବ ଯୁକ୍ତି ଦର୍ଶାଇଛନ୍ତି ।

ଏହି ଯୁକ୍ତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସନ୍ଦେହ ସୃଷ୍ଟି କରିଛି । ଏହି ବିବାଦର ସମାଧାନ ପାଇଁ ୧୯୮୪ ସାଲରୁ ଉଭୟ ରାଜ୍ୟ ଉଚ୍ଚ ଅଧିକାରୀସ୍ତରୀୟ ବୈଠକ ସାତରୁ ଅଧିକ ଥର ହୋଇସାରିଲାଣି । ମାତ୍ର ଆନ୍ଧ୍ର ସରକାର ପୁନରାୟ ବିବାଦୀୟ କ୍ଷେତ୍ରର ସର୍ଭେ ପାଇଁ ଜିଦ୍ ଧରିବସିଛନ୍ତି ।

ବଣପାହାଡ଼ ଘେରା, ଦୁର୍ଗମ ଇଲାକାରେ ଥିବା ଏହି ଗ୍ରାମର ଲୋକ କୌଣସି ରୋଗରେ ପୀଡ଼ିତ ହେଲେ ଲୋକେ ମାଛକୁଣ୍ଡ ନଦୀ ପାର କରି ଆନ୍ଧ୍ରର ପେଦାବାଇଲି କିମ୍ବା ପାଡ଼େରକୁ ନେଇ ଚିକିତ୍ସା କରିଥାନ୍ତି । ସୁଡୁବୁ ଭଳି ଅନେକ ସୀମାନ୍ତବର୍ତ୍ତୀ ଗ୍ରାମର ଅବସ୍ଥା ସମାନ ।

ଯାହାଫଳରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ରାଜ୍ୟରୁ ଦୂରେଇ ଯିବାରେ ଲାଗିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ହାଟବଜାର, କାମଧନ୍ଦା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହେଉଛନ୍ତି ।

ଜୋର ଯାର ମୂଲକ ତା’ର ନୀତିରେ ଏବେ ବିବାଦୀୟ କୁଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର କର୍ତ୍ତୃତ୍ୱ ବଢ଼ିଚାଲିଛି ।

ଦୀର୍ଘବର୍ଷ ଧରି କୁଟିଆ ଅଞ୍ଚଳର ୨୧ଖଣ୍ଡ ଗ୍ରାମକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ର ସରକାର ଏସବୁ ବିବାଦୀୟ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ।

ଗ୍ରାମବାସୀଙ୍କୁ ଖାଉଟି କାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ଭୋଟର କାର୍ଡ଼ ପ୍ରଦାନ କରି ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

କେବଳ ଏତିକି ନୁହେଁ, ଆନ୍ଧ୍ର ପ୍ରଶାସନ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏହି ବିବାଦୀୟ ଗ୍ରାମପୁଞ୍ଜ ଅଞ୍ଚଳର କେତେକ ଗ୍ରାମକୁ ରାସ୍ତା ତିଆରି କରିବା ସାଙ୍ଗକୁ ବିଦ୍ୟୁତ ଯୋଗାଣ, ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୬୮କି.ମି. ଦୂର ତଥା ଜାତୀୟ ରାଜପଥ ନଂ ୨୬ରୁ ୩୦କି.ମି. ଦୂରରେ କୁଟିଆ ଗ୍ରାମ ପଞ୍ଚାୟତ ଅବସ୍ଥିତ ।

ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଖଣ୍ଡ ଗ୍ରାମ କୁଟିଆ, ଗଞ୍ଜେଇପଦର, ମାଡ଼କାର, ଫଗୁଣସିନେରୀ, ଫାଟୁସିନେରୀ, ମହିପାଣି, ଉପରସେମ୍ବି, ତଳସେମ୍ବି, ଧୂଳିପଦର, ଆର୍ଜୁବାଲସା, ତାଡ଼ିବାଲସା, ନାରେଡ଼ିବାଲ, ରଣାସିଂ, ପନକାର, ସିଡ଼ିବାଲସା, ବାର୍ଣ୍ଣାପାଡ଼ୁ, ସିମାଗାଡ଼ା, ହରମାଣ୍ଡିଙ୍ଗ, ସଲପଗୁଡ଼ା, ତୁଲିସା, ପଣାଦୋରାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୪ ମସିହାରୁ ଆଇନଗତ ବିବାଦ ଲାଗି ରହିଛି ।

୧୯୬୮ମସିହାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଭୟ ରାଜ୍ୟକୁ ଉକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ବିବାଦୀୟ ୨୧ଖଣ୍ଡ ଗ୍ରାମରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ନାନା ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି । କିଛି ଗାଁରେ ରାସ୍ତା ନିର୍ମାଣ ଓ ଆଉ କିଛି ଗାଁରେ ବିଦ୍ୟୁତଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି ।

କେବଳ ସେତିକି ନୁହେଁ ଏହି ବିବାଦୀୟ ଗ୍ରାମଗୁଡ଼ିକ ମଧ୍ୟରୁ ଦୁଇଟି ଗାଁରେ ସ୍କୁଲ ଗୃହ ନିର୍ମାଣ କରିବା ସହିତ ତେଲୁଗୁଭାଷାରେ ଶିକ୍ଷାଦାନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆନ୍ଧ୍ର । କେତେକାଂଶରେ ସଫଳ ମଧ୍ୟ ହେଉଛି ।

ଏହି ବିବାଦୀୟ ପଞ୍ଚାୟତରେ ମୋଟ ଜନସଂଖ୍ୟା ୬୩୦୪ ହୋଇଥିବା ବେଳେ ୭୭୮ଘର ଆଦିବାସୀ, ୧୨୩ ଘର ହରିଜନ ପରିବାର ରହୁଛନ୍ତି । ଓଡ଼ିଶା ପକ୍ଷରୁ କୁଟିଆରେ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ପ୍ରଶାସନ ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀ ତିନିଟି ପଞ୍ଚାୟତ ସୃଷ୍ଟି କରିଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତର ରାଇପଡ଼ା ଗାଁ । ଗାଁଟି ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିବା ପରେ ଗତ କିଛିବର୍ଷ ତଳେ ହିଁ ରାଜ୍ୟ ସରକାରଙ୍କ କିଛି ଯୋଜନା ଏଠାରେ ଆରମ୍ଭ ହୋଇଛି । କିନ୍ତୁ ଯୋଜନାଗୁଡ଼ିକ ଧିମା ଗତିରେ ଚାଲିଥିବାବେଳେ ଗାଁର ସମସ୍ତ ୧୪ଟି ପରିବାର କାର୍ଯ୍ୟକାରୀ ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ଉପକୃତ ହୋଇପାରି ନାହାନ୍ତି ।

ଅନ୍ୟପକ୍ଷରେ ଆନ୍ଧ୍ର ସରକାର ସୀମାନ୍ତ ଏହି ଗାଁକୁ ନିଜ କବଜାକୁ ନେବାକୁ ଗୋଟିଏବି ସୁଯୋଗକୁ ହାତଛଡ଼ା କରିନାହାନ୍ତି। ପଡ଼ୋଶୀ ସରକାରଙ୍କ ପକ୍ଷରୁ ଗାଁର ପ୍ରତ୍ୟେକ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯାଇଛି ।

ଅନ୍ୟପକ୍ଷରେ ଅଳ୍ପ କିଛିଦିନ ତଳେ ଓଡ଼ିଶା ସରକାର ଗାଁକୁ ବିଦ୍ୟୁତ ସଂଯୋଗ କରିଛନ୍ତି ଯେଉଁଥିରେ କି ସମସ୍ତ ପରିବାର ବି ସାମିଲ ହୋଇପାରି ନାହାନ୍ତି ।

ଏପରିକି ଅଧିକାଂଶ ସମୟରେ ବିଦ୍ୟୁତ ରହୁନଥିବାରୁ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ବିଦ୍ୟୁତ ସଂଯୋଗ ନକରାଇବାକୁ ସଫା ସଫା ମନା କରିଦେଇଛନ୍ତି । ଇନ୍ଦିରା ଆବାସ ଯୋଜନାରେ ବି ସମାନ ସ୍ଥିତି ।

ଆନ୍ଧ୍ର ସରକାରଙ୍କ ଦ୍ୱାରା ବହୁ ଇନ୍ଦିରା ଆବାସ ଘର ସମ୍ପୂର୍ଣ୍ଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ନଚେତ କାର୍ଯ୍ୟାଦେଶ ପ୍ରଦାନ ହୋଇସାରିଥିବାରୁ ଭିତ୍ତିଭୂମି କାମ ସରିଛି । ଯେଉଁଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅଳ୍ପ କିଛି ପରିବାର ହିଁ ଏହି ଯୋଜନାରେ ସାମିଲ ହୋଇପାରିଛନ୍ତି ।

ଆନ୍ଧ୍ରସରକାର ସମସ୍ତ ପରିବାରଙ୍କୁ ବିପିଏଲ କାର୍ଡ଼ ଯୋଗାଇ ଯୋଗାଣ ସାମଗ୍ରୀ ନିୟମିତ ତଥା ବିଧି ପ୍ରଦାନ କରୁଛନ୍ତି । ଗତ ଜନଗଣନାରେ ଗ୍ରାମକୁ ନିଜ ରାଜ୍ୟ ସୀମାରେ ରହିଥିବା ଦର୍ଶାଇ ଆନ୍ଧ୍ର ସରକାର ଜନଗଣନା ବି କରାଇଛନ୍ତି ।

ନିର୍ବାଚନ ସମୟରେ ଗ୍ରାମବାସୀ ଓଡ଼ିଶାର ପଟାଙ୍ଗି ଏବଂ ଆନ୍ଧ୍ରର ଆର୍କୁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଉଛନ୍ତି । ଶିକ୍ଷାବ୍ୟବସ୍ଥା ନିମନ୍ତେ ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଉଣା କରାଯାଇ ନାହିଁ । ଅସ୍ଥାୟୀ ଘରେ ପିଲାଙ୍କୁ ଶିକ୍ଷକ ତେଲୁଗୁ ଭାଷା ସହ ଅନ୍ୟ ବିଷୟରେ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘବର୍ଷ ଅବହେଳିତ ଅବସ୍ଥାରେ ରହିବାପରେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଲୋକେ ଏତେମାତ୍ରାରେ ଉତ୍ସାହିତ ହୋଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମିଶିବାରେ କୌଣସି ପ୍ରକାର ଦ୍ୱିଧା ନଥିବା କହିଛନ୍ତି । ଏ ତ’ ଥିଲା ଓଡ଼ିଶାର ସୀମାନ୍ତ ଗ୍ରାମରେ ଆନ୍ଧ୍ରର ଏକତରଫା ପତିଆରା ।

ଗଜପତି:

କୋରାପୁଟ ପରି ଆନ୍ଧ୍ରର ନଜର ପଡ଼ିଛି ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ କିଛି ଗ୍ରାମ ଉପରେ । ପାରଳାଖେମୁଣ୍ଡି ତହସିଲ ଅଧିନ ପୂର୍ବ ଓ ଦକ୍ଷିଣ ସୀମା ଆନ୍ଧ୍ରପ୍ରଦେଶକୁ ଲାଗି ରହିଛି ।

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶ ଏପର୍ଯ୍ୟନ୍ତ ଏହି ଇଲାକା ବିସ୍ତୃତ । ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସୀମାଯାଏଁ କାଶୀନଗର ବ୍ଲକ୍ର ବାଡ଼ିଗାଁ, ପାଲସିଂ ଏବଂ ଗୋଷାଣୀ ବ୍ଲକ୍ର କେତେକ ଅଞ୍ଚଳ ଆନ୍ଧ୍ରକୁ ଲାଗିଛି ।

ଏହି ସୀମାନ୍ତ ଇଲାକାର ଖଣ୍ଡାସା ଓ କୌଶଲ୍ୟାପୁର ଅଞ୍ଚଳ ଉପରେ ଆନ୍ଧ୍ର ଏକପ୍ରକାର ନିଜର ମାଲିକାନା ଜାହିର କରିଥିବା ବେଳେ କାଶୀନଗର ବ୍ଲକ୍ ଅଧିନ ହାଡ଼ୁଭାଙ୍ଗିରେ ଏକ ଘରୋଇ ତେଲୁଗୁ ପ୍ରାଥମିକ ବିଦ୍ୟାଳୟ ଖୋଲିଛି ।

ଓଡ଼ିଶା ମଧ୍ୟରେ ଆନ୍ଧ୍ର ଏଭଳି ଶିକ୍ଷାନୁଷ୍ଠାନ କିଭଳି ଖୋଲିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି କାଶୀନଗର ବ୍ଲକ୍ ଅନ୍ତର୍ଗତ ନଳାବନ୍ତୁ (ନାଲାବାନ୍ତୁ) ମୌଜାର ଆଦିବାସୀ ବାସିନ୍ଦାଙ୍କୁ ଆନ୍ଧ୍ରର ସମନ୍ୱିତ ଆଦିବାସୀ ସଂସ୍ଥା ସହାୟତା ଯୋଗାଇ ଦେବାସହ ଖଜଣା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ପାରଳାଖେମୁଣ୍ଡିର ସୀତାସାଗର ଓ ଦକ୍ଷିଣ ପଟକୁ ଥିବା ଚୋରାଗୁଡ଼ି ଖସପା ମୌଜାର କେତେକ ଜମି ମଧ୍ୟ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି । ଏହି ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦେୱାନୀ ବିବାଦ ଲାଗି ରହିଥିଲା ।

ପରବର୍ତ୍ତୀ ସମୟରେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଥିଲା, ହେଲେ ଆନ୍ଧ୍ର ଦଖଲଦାର -ମାନଙ୍କୁ ଏଯାଏଁ ସେଠାରୁ ଉଚ୍ଛେଦ କରାଯାଇ ପାରି ନାହିଁ ।

କାଶୀନଗର ସୀମାରେ ପ୍ରବାହିତ ବଂଶଧାରା ନଦୀର ଅପରପାଶ୍ୱର୍ରେ ଓଡ଼ିଶାର ଅଭିଲିମା ମୌଜାର ଶତାଧିକ ଏକର ସରକାରୀ ଜମି ଆନ୍ଧ୍ର ଚାଷୀଙ୍କ ଜବରଦଖଲରେ ରହିଛି । ଏହାକୁ ନେଇ ଯେତେ ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ ।

ରାୟଗଡ଼ ବ୍ଲକ୍ ର ଗୁଡ଼ିଖୁଡ଼ି ମୌଜାକୁ ନେଇ ଆନ୍ଧ୍ରପକ୍ଷରୁ କଳିଙ୍ଗଦଳା ଡ୍ୟାମ ନିର୍ମାଣବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

ଫଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରି କି ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏନ୍.ଟି ରାମାରାଓଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ସମ୍ପୃକ୍ତ ଅଞ୍ଚଳ ଓଡ଼ିଶାର ବୋଲି ଆନ୍ଧ୍ର ସରକାର ଆପାତତଃ ସ୍ୱୀକାର କରିଥିଲେ ।

ସେତେବେଳେ ଡ୍ୟାମ୍ ନିର୍ମାଣପାଇଁ ଓଡ଼ିଶା ସରକାରଙ୍କୁ ବୁଡ଼ି ଅଞ୍ଚଳ ବାବଦକୁ କ୍ଷତିପୂରଣ ଦେବା ସକାଶେ ଚୁକ୍ତି ହୋଇଥିଲା । ହେଲେ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ପଇସାଟିଏ କ୍ଷତିପୂରଣ ଆଦାୟ କରିବାକୁ ସକ୍ଷମ ହୋଇପାରିନାହାନ୍ତି ।

ଜମିଦାରି ଅମଳରୁ ପାରଳାଖେମୁଣ୍ଡିର ସୀତାସାଗର ଓ ରାମସାଗର ଭଳି କେତେକ ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ରର ଚାଷୀ ଜଳ ନେଉଥିଲେ ହେଁ ଟଙ୍କାଟିଏ ଜଳକର ଦେଉନାହାନ୍ତି ।

ବାରମ୍ବାର ଦାବି କରାଯିବା ପରେ ଆନ୍ଧ୍ର ସରକାର କିଛିଦିନ ଜଳକର ପୈଠକରି ଏହାକୁ ବନ୍ଦ କରିଦେଇଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଜଳକର ବାବଦରେ ଗୋଟିଏ ଟଙ୍କା ଓଡ଼ିଶାକୁ ମିଳିନାହିଁ ।

ସେହିପରି ଗଙ୍ଗାବାଡ଼, ଲାବଣ୍ୟଗଡ଼, ଜଙ୍ଗଲପାଡ଼ୁ, ହାଡ଼ୁଭାଙ୍ଗି, ସୀତାପୁର, ବ୍ରାହ୍ମଣୀ ଗାଁ, ଚୋରଗୁଡ଼ି, ଖସପା, ଅଭିଲିମା, ଗୁଡ଼ିଖୁଡ଼ି ଆଦି ଗ୍ରାମର ସୀମା ନିର୍ଦ୍ଧାରଣ ହୋଇପାରି ନଥିବାରୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ଏହି ଅଞ୍ଚଳଉପରେ ନିଜ ଅଧିକାର ଦାବି କରୁଛନ୍ତି ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ୧୨ଟି ଗ୍ରାମ ଉପରେ ଆନ୍ଧ୍ରର ଏକତରଫା କର୍ତ୍ତୃତ୍ୱ ହେଉଛି ସବୁଠାରୁ ତାଜା ପ୍ରମାଣ ।

୧୯୭୮ରେ ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେରେ ବିବାଦୀୟ ଗ୍ରାମରୂପେ ଚିହ୍ନଟ ହୋଇଥିବା ପାରଳା ତହସିଲର ବାବନା ସାହି, ବାଡ଼ିଗାଁ, ଚାବୁଡ଼ିଆ, କହ୍ନାଇମାଲ, ସିଲିସିଙ୍ଗି, ଅର୍ଜୁବା, ରାସଙ୍କ, ଲଇଡ଼ା, ସରଡ଼ା, ଅଚଣ୍ଡିଆ, ଗୁଡ଼ିକୁଡ଼ି ପ୍ରଭୃତି ବିବାଦୀୟ ଗ୍ରାମ ଗୁଡ଼ିକରୁ ବର୍ତ୍ତମାନର ଆନ୍ଧ୍ର ସରକାର ବଳପୂର୍ବକ ହକ୍ ପଇସା (ରାଜରାଜୁଡ଼ାରୁ ପ୍ରଚଳିତ ରାଜସ୍ୱ) ଆଦାୟ କରୁଥିବା ଦେଖାଯାଉଛି ।

ବୁଡ଼ାସିଙ୍ଗି ଇଷ୍ଟେଟ୍ ସୀମାକୁ ଲାଗି କରିଥିବା ଏହି ବାରଖଣ୍ଡ ଗ୍ରାମ ବ୍ୟତୀତ ଏହା ପୂର୍ବରୁ ୧୯୭୮ରେ ବିବାଦୀୟ ଥିବା ଗୌଡ଼ ଗୁରୁନ୍ଥି, ଆମୁଟିକାମୁରମୁ, କୌଶଲ୍ୟା ପେଟା ଓ ପଟ୍ଟାକୋଡ଼ା ପ୍ରଭୃତି ଗ୍ରାମକୁ ଆନ୍ଧ୍ରପ୍ରଦେଶ ଦଖଲ କରି ନେଇଥିବା ଜଣାଯାଇଛି ।

ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା ଓଡ଼ିଶାର ଏହି ଜିଲ୍ଲାଟି ୭ଟି ବ୍ଲକ୍ ଏବଂ ୧୨୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ଜିଲ୍ଲାର ସଦର ମହକୁମା ସମେତ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ ସମ୍ପୂର୍ଣ୍ଣଭାବେ ଆନ୍ଧ୍ର ସୀମାନ୍ତରେ ରହିଛି ।

ଏହିସବୁ ଅଞ୍ଚଳମାନଙ୍କରେ ଆନ୍ଧ୍ରର ଛାପ ଏମିତି ଭାବେ ପଡ଼ିଛି ଯେ, ଏଠାକାର ତେଲୁଗୁ ଭାଷାଭାଷୀ ଲୋକେ ଛାଡ଼ନ୍ତୁ, ଓଡ଼ିଆ ଭାଷାଭାଷୀ ଲୋକେ ମଧ୍ୟ ସେମାନଙ୍କ ପର୍ବପର୍ବାଣୀ, ଚାଲିଚଳଣି, କଥାବାର୍ତ୍ତା ଏପରିକି ସଂସ୍କୃତିକୁ ମଧ୍ୟ ଆପଣେଇ ନେଇଛନ୍ତି ।

ପରିସ୍ଥିତିରେ ପଡ଼ି ହେଉ କି ଇଚ୍ଛା ଅନୁସାରେ ହେଉ ପୂର୍ବପୁରୁଷମାନେ ଆପଣେଇ ନେଇଥିବା ସଂସ୍କୃତିକୁ ବର୍ତ୍ତମାନର ପିଢ଼ି ସେଗୁଡ଼ିକୁ ନିଜର ସଂସ୍କୃତି ବୋଲି ଧରିନେଇଛନ୍ତି ।

କେବଳ ସେତିକି ନୁହେଁ ଏହି ସବୁ ଅଞ୍ଚଳରେ ବିନା ତେଲୁଗୁ ଭାଷାରେ ଚଳିବା ଖୁବ୍ କଷ୍ଟକର । ତେଣୁ ବାହାରୁ ଆସିଥିବା ଲୋକେ ଏହି ସବୁ ଅଞ୍ଚଳ ଓଡ଼ିଶାରେ ଅଛି କି ଆନ୍ଧ୍ରରେ ଅଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ ।

ଏହି ଅଞ୍ଚଳର ଲୋକମାନଙ୍କୁ ବଜାର ଠାରୁ ଆରମ୍ଭ କରି ଚିକିତ୍ସାପାଇଁ ସବୁ କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ସାମାନ୍ୟତମ ଦେହ ଖରାପ ହେଲେ ମଧ୍ୟ ଏଠାରେ କାମ କରୁଥିବା ଡାକ୍ତରମାନେ ରୋଗୀଙ୍କୁ ବିଶାଖାପାଟଣା ପଠାଇ ଥାଆନ୍ତି ।

ବର୍ତ୍ତମାନ ଲୋକେ ଏପରି ଅଭ୍ୟସ୍ତ ହୋଇଗଲେଣି ଯେ, କୌଣସି ଜଟିଳ ରୋଗ ହୋଇଥିଲେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ରକୁ ନେବାକୁ ପଡ଼ିବବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଉଛନ୍ତି ।

ବିଶେଷ କରି ଗୋଷାଣୀ ଏବଂ କାଶୀନଗର ବ୍ଲକ୍ର ଅଧିକାଂଶ ଲୋକେ ଆନ୍ଧ୍ରର ଶ୍ରୀକାକୁଲମ, ବିଶାଖାପାଟଣା, ବିଜୟନଗରମ ଆଦି ଅଞ୍ଚଳ ଉପରେ ବିଭିନ୍ନ ପ୍ରକାର କାମ ପାଇଁ ନିର୍ଭର କରିଥାନ୍ତି ।

ଜିଲ୍ଲାର ଏମିତି କିଛି ଗାଁ ଅଛି ଯେଉଁଠିକି ଜଣେ ଲୋକର ଘରର ପଛ ପଟ ଆନ୍ଧ୍ରରେ ଥିବାବେଳେ, ବାହାରପଟ ବା ଦାଣ୍ଡପଟ ରହିଛି ଓଡ଼ିଶାରେ । ଫଳରେ ଏଭଳି ପରିସ୍ଥିତିରେ ଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଭଳି ଗାଁଗୁଡ଼ିକ ହେଉଛି ଗୋଷାଣୀ ବ୍ଲକ୍ର ରାଟିଣୀ, କାଶୀନଗର ବ୍ଲକ୍ ର କେ.ସୀତାପୁର ଆଦି । ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୮ ପୂର୍ବରୁ ଏହି ବିବାଦୀୟ ଗ୍ରାମପୁଞ୍ଜର ସବିଶେଷ ତଥ୍ୟ ଓ ମ୍ୟାପ୍ ନଥିବା ଦର୍ଶାଇ ସମ୍ପୂର୍ଣ୍ଣ ସର୍ଭେ ପରେ ଗ୍ରାମଗୁଡ଼ିକର ମାଲିକାନା ନିର୍ଦ୍ଧାରଣ ପାଇଁ ଓଡ଼ିଶା ଓ ଆନ୍ଧ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଇତିମଧ୍ୟରେ ବିବାଦୀୟ ଗ୍ରାମଗୁଡ଼ିକରେ ସହଜ ଦଖଲ କରି ବର୍ତ୍ତମାନ ଆନ୍ଧ୍ର ସରକାର କୁଆଡ଼େ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ଓ ମହେନ୍ଦ୍ରତନୟା ନଦୀକୁ ନିଜ ପ୍ରଦେଶର ବୋଲି ସ୍ୱର ଉଠାଉଛନ୍ତି ।

ଏହି ପରିସ୍ଥିତିରେ ସରକାର ଚୁପ୍ ରହିଲେ ଓଡ଼ିଶା ସୀମା ତଥା ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଆତ୍ମପରିଚୟ ଅଚିରେ ଲୋପ ପାଇଯିବ ।

ମାଲକାନଗିରି:

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପୂର୍ବପାଶ୍ୱର୍ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାବେଳେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ କୁଡ଼ୁମୁଲୁଗୁମ୍ମା ବ୍ଲକ୍ର ୮ଟି ଗ୍ରାମ ପଞ୍ଚାୟତ ବାଲିମେଳା ଜଳଭଣ୍ଡାର ଅପରପାଶ୍ୱର୍ରେ ଅବସ୍ଥିତ ।

ଏହି କାରଣରୁ ଏହି ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ରହିଛି । ଏଠାକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଜଳଭଣ୍ଡାର ମଧ୍ୟରେ ଦୀର୍ଘ ୬୦କି.ମି. ଡଙ୍ଗା କିମ୍ବା ଲଞ୍ଚ୍ ରେ ବିପଦପୂର୍ଣ୍ଣ ଜଳଯାତ୍ରା କରିବାକୁ ପଡ଼ିଥାଏ ।

ଫଳରେ ବିଚ୍ଛିନ୍ନାଞ୍ଚଳରେ ଥିବା ଗ୍ରାମଗୁଡ଼ିକ ମଧ୍ୟରୁ ୧୫୧ଟି ଗ୍ରାମର ଲୋକେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଛନ୍ତି ।

ଏହିସବୁ ସୀମାନ୍ତବର୍ତ୍ତୀ ଗ୍ରାମ ଓ ଜଙ୍ଗଲଗୁଡ଼ିକୁ ଜବରଦଖଲ କରିନେଇ ଆନ୍ଧ୍ର ନିଜରାଜ୍ୟରେ ସାମିଲ କରିଦେଉଥିବା ବେଳେ ମାଓବାଦୀମାନେ ଏହି ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଏସବୁ ମଧ୍ୟରେ ନୀରିହ ଗ୍ରାମବାସୀମାନେ ହିଁ କେବଳ ଶୋଷିତ ହେଉଛନ୍ତି ।

୧୯୭୨ ମସିହାରେ ଓଡ଼ିଶା ଓ ଆନ୍ଧ୍ରସରକାରଙ୍କ ମିଳିତ ଉଦ୍ୟମରେ ଚିତ୍ରକୋଣ୍ଡାଠାରେ ବୃହତ୍ ମାଟିବନ୍ଧ ଯୋଜନା କରାଯାଇ ବାଲିମେଳା ଜଳଭଣ୍ଡାରକୁ ୬୫କି.ମି. ପରିବ୍ୟାପ୍ତ କରାଯାଇଥିଲା ।

ଏହି ଜଳଭଣ୍ଡାର ପ୍ରତିଷ୍ଠା ହେବା ଦ୍ୱାରା ୧୧ଟି ଗ୍ରାମର ଲୋକମାନେ ଭିଟାମାଟି ହରାଇ ଜଳଭଣ୍ଡାରର ଅପରପାଶ୍ୱର୍ରେ ବିଚ୍ଛିନ୍ନ ହୋଇ ଦୀର୍ଘ ୪୦ବର୍ଷ ଧରି ରହିଛନ୍ତି ।

ସେମାନଙ୍କ ନିକଟରେ ବଞ୍ଚି ରହିବାର ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଜଳବନ୍ଦୀ ଜୀବନ ବିତାଉଥିବା ବିଚ୍ଛିନ୍ନାଞ୍ଚଳର ଏହି ଗ୍ରାମବାସୀମାନେ ପ୍ରତିଟି କ୍ଷେତ୍ରରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ପରି ଛତିଶଗଡ଼ ସରକାର ମଧ୍ୟ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକ ଉପରେ ଆଖି ପକାଇଛନ୍ତି ।

ସୀମାନ୍ତ ସାବେରୀ ନଦୀ ପାର ହୋଇ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ଓଡ଼ିଶା ସୀମାନ୍ତବର୍ତ୍ତୀ ଜଙ୍ଗଲରେ କୁଡ଼ିଆ କରି ରହୁଥିବାରୁ ସେମାନଙ୍କର ଯାତାୟତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ରାସ୍ତାଘାଟ ନିର୍ମାଣ ସହିତ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ଏଭଳି ଉନ୍ନୟନମୂଳକ କାର୍ଯ୍ୟ କରିବା ଆଳରେ ଓଡ଼ିଶାର କିଛି କିଛି ସୀମାନ୍ତବର୍ତ୍ତୀ ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛନ୍ତି ଛତିଶଗଡ଼ ସରକାର ।

ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଗୋଟିଏ ପଟେ ଆନ୍ଧ୍ର ଓ ଅନ୍ୟପଟେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ରାଜ୍ୟରେ ମିଶାଇ ଦେବାକୁ ଅଧିକ ଦିନ ଲାଗିବ ନାହିଁ ।

ଶିକ୍ଷାକ୍ଷେତ୍ରର ଅବସ୍ଥା:

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ସେକେଣ୍ଡାରୀ ସ୍କୁଲସ୍ତରରେ ପାଠପଢ଼ୁଥିବା ଓଡ଼ିଶା ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ମଧ୍ୟରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତ୍ରିଭାଷା ଶିକ୍ଷାନୀତିରେ ଦ୍ୱିତୀୟ ଭାଷାଭାବେ ହିନ୍ଦୀଭାଷା ପରିବର୍ତ୍ତେ ତେଲୁଗୁ ପଢ଼ିବାକୁ ବାଧ୍ୟ କରାଯାଉଛି । ଫଳରେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁବିଧାପାଇଁ ଏପରି ତ୍ରିଭାଷା ଫର୍ମୁଲାର ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଦ୍ୱିତୀୟ ଭାଷାରୂପେ ରଖାଯିବାକୁ ଦାବିକରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉତ୍ତର ଆନ୍ଧ୍ର ଓଡ଼ିଆ ସଂଖ୍ୟାଲଘୁ ସଙ୍ଗଠନ ପକ୍ଷରୁ ସ୍ମାରକପତ୍ର ଦିଆଯିବା ସହିତ ଏ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଅନୁରୋଧ କରାଯାଇଛି ।

ଆନ୍ଧ୍ର ସରକାରଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ନିବେଦନ କରାଯାଇଛି, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଶ୍ରୀକାକୁଲମ, ବିଜୟନଗରମ୍ ଏବଂ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟେକ ସ୍ତରରେ ୨୦୬ଟି ବିଦ୍ୟାଳୟ ରହିଥିବାବେଳେ ଏହି ବିଦ୍ୟାଳୟଗୁଡ଼ିକରେ ୩୦ ହଜାରରୁ ଊଦ୍ଧ୍ୱର୍ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଆରେ ଶିକ୍ଷାଗ୍ରହଣ କରୁଛନ୍ତି ।

ଏମାନେ ୨ୟ ଭାଷାଭାବେ ହିନ୍ଦୀ ପଢ଼ି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ଆନ୍ଧ୍ର ସରକାରଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତି (୨୦୦୩) ପ୍ରକାରେ କିଛି ପରିବର୍ତ୍ତନ ଅଣାଯାଇ ୨ୟ ଭାଷାଭାବେ ଚଳିଆସୁଥିବା ହିନ୍ଦୀକୁ ଉଠାଇ ଦିଆଯିବାରୁ ୨୦୦୭ ପରୀକ୍ଷାରେ କେହି ଜଣେ ହେଲେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ।

ପରବର୍ତ୍ତୀ ପଦକ୍ଷେପସ୍ୱରୂପ ଆନ୍ଧ୍ର ସରକାରଙ୍କ ସରକାରୀ ଆଦେଶନାମା (୮୬) ପ୍ରକାରେ ପୁନର୍ବାର ହିନ୍ଦୀ ପଢ଼ିବାପାଇଁ ଅନୁମତି ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ ।

ମାତ୍ର ଦୁର୍ଭାଗ୍ୟବଶତଃ ସରକାର ପୁନର୍ବାର ୨୦୦୯ରେ ଅନ୍ୟଗୋଟିଏ ସରକାରୀ ନିର୍ଦ୍ଦେଶନାମା (ଜି.ଓ)-୩୯ର ପ୍ରଣୟନ କରିବା ପୂର୍ବକ ଜିଓ-୮୬ରେ କିଛିଟା ପରିବର୍ତ୍ତନ ଆଣି ଆଦେଶନାମା (୬୩)ରୁ ପ୍ରତ୍ୟାହାର କରିନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିନ୍ଦୀଶିକ୍ଷାକୁ ସମ୍ପୂର୍ଣ୍ଣ ବାଦ୍ ଦେଇଥିଲେ ।

ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ହିନ୍ଦୀ ଶିକ୍ଷା ବାଦ୍ ପଡ଼ିଯିବା ଫଳରେ ଛାତ୍ରଛାତ୍ରୀ ହିନ୍ଦୀ ଶିକ୍ଷା ପାଇବାରୁ ବଞ୍ଚିତ  ହୋଇଯିବା ଫଳରେ କେନ୍ଦ୍ର ପ୍ରାୟୋଜିତ ନିଯୁକ୍ତି ସୁଯୋଗ ମିଳିବ ନାହିଁ । ଏହା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ପଢ଼ୁଥିବା ପିଲାଙ୍କ ପ୍ରତି ଅବିଚାର ବୋଲି ବିବେଚିତ ହେଉଛି ।

(ପ୍ରକାଶିତ ବିଚାର ଲେଖକଙ୍କ ନିଜସ୍ଵ )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଆନ୍ଧ୍ର, ଓଡିଶା, ସୀମାନ୍ତବର୍ତ୍ତୀ

ଲୋକପ୍ରିୟ ନବୀନ ପଟ୍ଟନାୟକଙ୍କ ପ୍ରିୟଲୋକ

January 14, 2018 by ଓଡିଶା ଡଟ କମ Leave a Comment

ଦେବେନ୍ଦ୍ର ପୃଷ୍ଟି

ବିଜୁ ଜନତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାଂପ୍ରତିକ ଓଡ଼ିଶାର ସବୁଠୁଁ ଅଧିକ ଲୋକପ୍ରିୟ ନେତା । ଏଥିରେ ସନ୍ଦେହ ନାହିଁ ।

ସେ ୧୯୯୬ ମସିହାରେ ବିଜୁବାବୁଙ୍କ ଉତ୍ତରାଧିକାରୀ ଭାବେ ରାଜ୍ୟ ରାଜନୀତିରେ ପ୍ରବେଶ କରିବା ପରଠୁଁ ଯେଉଁ ରାଜନୀତିକ ସଫଳତା ହାସଲ କରିଛନ୍ତି ତତ୍ତୁଲ୍ୟ ସଫଳତା ଅନ୍ୟ କୌଣସି ଓଡ଼ିଆ ରାଜନେତା ହାସଲ କରି ନାହାନ୍ତି ।

ଆସୁ ଆସୁ ସାଂସଦ । ବର୍ଷକ ଭିତରେ ଗୋଟିଏ ଆଞ୍ଚଳିକ ଦଳର ସଭାପତି । କେନ୍ଦ୍ର ମନ୍ତ୍ରୀ । ତା’ପରଠୁଁ ଚାରି ଚାରି ଥର ବିଧାନସଭା ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ । ଏଇ ପଦରେସେ ୧୮ ବର୍ଷ ହେଲା ଅଛନ୍ତି ।

ଏଇ ୨୨ ବର୍ଷ ଭିତରେ ତାଙ୍କ ନେତୃତ୍ୱରେ ତାଙ୍କ ମେଣ୍ଟ ଓ ଦଳ ୫ଟି ଲୋକସଭା ନିର୍ବାଚନ ଓ ୪ଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ।

ପ୍ରତି ନିର୍ବାଚନରେ ତାଙ୍କ ଦଳର ବିଧାୟକ ସଂଖ୍ୟା ବଢ଼ି ବଢ଼ି ଏବେ ୧୪୭ ଆସନରୁ ୧୧୭ ଆସନ ପାଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି । ଏଭଳି ସ୍ଥିର ଓ ନିରଙ୍କୁଶ ସରକାର ଓଡ଼ିଶା ଇତିହାସରେ ବିରଳ ।

ଏପରିକି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ୯ ବର୍ଷର ଶାସନରେ ମଧ୍ୟ ଏପରି ରାଜନୀତିକ ସ୍ଥିରତା ଦେଖିବାକୁ ମିଳି ନଥିଲା ।

ତଥାପି, ନବୀନବାବୁଙ୍କ ବିରୋଧରେ ଅନେକ ସମୟରେ ଅଭିଯୋଗ ହୁଏ ଯେ ସେ ରାଜ୍ୟ ରାଜନୀତିରେ ଏବେ ବି ଜଣେ ନାବାଳକ । ସେ ନିଜେ କିଛି ନବୁଝି ଅନ୍ୟମାନଙ୍କ ଜରିଆରେ ସବୁ କାମ କରାଇ ନିଅନ୍ତି ।

ଲୋକଙ୍କ ସମର୍ଥନରେ ସେ ସିନା ଲୋକପ୍ରିୟ, ମାତ୍ର ସେ ଶାସନ ଓ ରାଜନୀତି ପରିଚାଳନା କରିବା ପାଇଁ କେତେକ ପ୍ରିୟ ଲୋକଙ୍କୁ ବାଛିଛନ୍ତି । ଏହି ପ୍ରିୟ ଲୋକମାନଙ୍କ ଜରିଆରେ ହିଁ ସେ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରି ଆସିଛନ୍ତି ।

ଏକଥା ଅନ୍ୟ ଦଳର ନେତାଙ୍କ ଅପେକ୍ଷା ତାଙ୍କରି ଦଳର ଅନେକ ନେତା ମଝିରେ ମଝିରେ ଅଭିଯୋଗ କରିଥାନ୍ତି । ଏମିତି ଅଭିଯୋଗ ପ୍ରଥମେ କରୁଥିଲେ ରାମକୃଷ୍ଣ ପଟ୍ଟନାୟକ । ତାଙ୍କ ପରେ ‘ପ୍ୟାରୀ କିଏ’ ବୋଲି ପ୍ରଶ୍ନ ଉଠାଇ ଏହି ସଂକେତ ଦେଇଥିଲେ ପଂଚାନନ କାନୁନଗୋ ।

ତାଙ୍କ ପରେ ଡାକ୍ତର ଦାମୋଦର ରାଉତ ‘ନିଷ୍ପତ୍ତି କିଏ ନେଉଛି ମୁଁ ଜାଣେନାହିଁ’ ବୋଲି କହି ଏଇ ଇଙ୍ଗିତ ଦେଇଥିଲେ । ଦାମଙ୍କ ବାଣ ପରେ ନବୀନ ନିଜେ କହିବାକୁ ବାଧ୍ୟ ହୋଇଥିଲେ ଯେ ‘ମୁଁ ହିଁ ସବୁ ନିଷ୍ପତ୍ତି ନେଉଛି’ ।

ଏ ତିନି ଜଣ ନେତାଙ୍କ ପରେ ଏହି ପ୍ରଶ୍ନ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ତାଙ୍କରି ଦଳର କେତେକ ନେତା ବ୍ୟକ୍ତିଗତ ଆଲୋଚନାରେ ନବୀନ ଅନ୍ୟମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପ୍ରଭାବିତ ବୋଲି ଅଭିଯୋଗ କରିଥାନ୍ତି ।

ବିଜେଡି ନେତାଙ୍କ ପରେ କଂଗ୍ରେସ ଓ ବିଜେପି ନେତାମାନେ ମଧ୍ୟ ଏଭଳି ଅଭିଯୋଗ ଉଠାଇଛନ୍ତି । କଂଗ୍ରେସର ତାରା ପ୍ରସାଦ ବାହିନୀପତି ଏକାଧିକ ଥର ସ୍ପଷ୍ଟ ଭାଷାରେ ଏପରି ଅଭିଯୋଗ କରିଛନ୍ତି ।

ଏବେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ପରୋକ୍ଷରେ ଏଇ ପ୍ରଶ୍ନ ଉଠାଇଛନ୍ତି । ସେ ତୃତୀୟ ମହଲାର ଜଣେ ଅଣ ଓଡ଼ିଆ ଅଫିସରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ନବୀନଙ୍କ ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ସମ୍ବିଧାନ ବହିର୍ଭୁତ କ୍ଷମତା କେନ୍ଦ୍ର, ଶହୀଦ ନଗର ମଠ, ମୁଖ୍ୟ ପରାମର୍ଶଦାତା, ଚାଣକ୍ୟ, ତୃତୀୟ ମହଲା, ଦିଲ୍ଳୀ ସିଣ୍ଡିକେଟ, କର୍ପୋରେଟ୍ କୋଟରି, ଗ୍ୟାଙ୍ଗ ଅଫ ଫୋର୍, ଯୁବ ବାହିନୀ ଆଦି ଉପଲକ୍ଷ୍ୟ ଶୁଣିବାକୁ ମିଳିଛି ।

ବିଭିନ୍ନ ପର୍ଯ୍ୟାୟରେ ଏସବୁ ବ୍ୟକ୍ତି ବା ବ୍ୟକ୍ତିଙ୍କ ସଂଗୋଷ୍ଠୀ ନବୀନଙ୍କୁ ମାଧ୍ୟମ କରି ଶାସନ ଓ ରାଜନୀତିର କ୍ଷମତା ଉପଭୋଗ କରିଥିବା ଅଭିଯୋଗ ହୁଏ ।

ଏପରିସବୁ ଅଭିଯୋଗ ଓ ଚର୍ଚ୍ଚା ଯଦି ସତ୍ୟ ହୋଇଥାଏ ତେବେ ନବୀନ ପ୍ରଥମେ ପ୍ରଥମେ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କଥା ଅଧିକ ଶୁଣୁଥିଲେ ।

କିନ୍ତୁ ୧୯୯୯ ମସିହା ଶେଷ ଭାଗରୁ ସେ ପୂର୍ବତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ଅଧିକ ବିଶ୍ୱାସ କରିବା ଆରମ୍ଭ କରିଥିଲେ । ପ୍ୟାରୀ ପ୍ରଥମେ ତାଟି ତଳେ ଥାଇ ଗୁଳି ମାରୁଥିଲେ ।

ପରେ ସେ ବିଜେଡିର କାର୍ଯ୍ୟନିର୍ବାହୀ ସଦସ୍ୟ ହେଲେ ଓ ଲଗାତାର ଦୁଇ ଥର ରାଜ୍ୟସଭାକୁ ଗଲେ । ତାଙ୍କ ସମୟରେ ସେ ୨୦୦୦ ମସିହାରୁ ୨୦୧୨ ଯାଏଁ ଦୀର୍ଘ ୧୨ ବର୍ଷ କାଳ ନବୀନଙ୍କ ଆଖି, କାନ ଓ ନାକ ହୋଇ ରହିଥିଲେ ।

ତାଙ୍କ ସମୟରେ ଶହୀଦ ନଗର କ୍ଷମତା କେନ୍ଦ୍ର ଏକ ବହୁ ଚର୍ଚ୍ଚିତ ବିଷୟ ଥିଲା । କୁହାଯାଉଥିଲା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ବି ଶହୀଦ ନଗର ଅଙ୍କଲଙ୍କ ଘରକୁ ଯାଏ ଓ ସେଠାରୁ ନିଷ୍ପତ୍ତି ହୋଇ ଆସିଲା ପରେ ମୁଖ୍ୟମନ୍ତ୍ରୀ ସେଥିରେ ଦସ୍ତଖତ କରନ୍ତି ବା ଫାଇଲ ଫେରାଇ ଦିଅନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପାଇଁ ହେଉ ବା ସରକାରୀ କାର୍ଯ୍ୟ ହାସଲ କରିବା ପାଇଁ ମନ୍ତ୍ରୀ, ଅଫିସର ଓ ଶିଳ୍ପପତିମାନେ ୧୧୧, ଶହୀଦ ନଗରରେ ଧାଡ଼ି ବାନ୍ଧି ଅପେକ୍ଷା କରନ୍ତି ।

ତେବେ ପ୍ୟାରୀଙ୍କ ପ୍ରଭାବ ଅତ୍ୟଧିକ ବୃଦ୍ଧି ପାଇବା ପରେ ନବୀନ ତାଙ୍କଠାରୁ ଆଡ଼ ଆଡ଼ ହୋଇଥିଲେ ଓ ସେହି ସମୟରେ ଚାକିରିରେ ଥିବା ଜଣେ ଆଇଏଏସ ଅଫିସର ବିଜୟ କୁମାର ପଟ୍ଟନାୟକ ନବୀନଙ୍କ ପ୍ରିୟଲୋକ ହୋଇଯାଇଥିଲେ ।

ସେ ମହାଶୟ ଜଳସଂପଦ ବିଭଗର ସଚିବ ଥିଲାବେଳେ ସେହି ବିଭାଗର ଦୁର୍ନୀତି ବିରୋଧରେ ବିଜୁ ଜନତା ସିବିଆଇ ତଦନ୍ତ ଦାବି କରିଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ପରେ ଜଳସଂପଦ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

ମାତ୍ର, ପରେ ସେହି ବିଜୟ ପଟ୍ଟନାୟକଙ୍କୁ ହିଁ ସେ ନିଜର ପ୍ରମୁଖ ସଚିବ ଏବଂ ପରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଏପରିକି ସେ ଅବସର ନେବା ପରେ ମଧ୍ୟ ନବୀନବାବୁ ତାଙ୍କୁ ଦୁଇ ଦୁଇ ଥର ଦୁଇଟି ସରକାରୀ ସଂସ୍ଥାରେ ଥଇଥାନ କରିଥିଲେ ।

ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରେ ଯୋଗଦେଇ ନିଜର ଓ ନବୀନ ସରକାରଙ୍କ ବେଦାନ୍ତ ପ୍ରୀତିକୁ ପରୋକ୍ଷରେ ପଦାରେ ପକାଇଥିଲେ ।

ବିଜୟ ପଟ୍ଟନାୟକ ଚାକିରିରେ ଥିବା ସମୟରେ ବି ଦଳୀୟ ବ୍ୟାପାର ପରିଚାଳନା ପାଇଁ ନବୀନବାବୁ କଳ୍ପତରୁ ଦାସଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଯାଇଥିଲେ । ତାଙ୍କ ସୁବିଧା ପାଇଁ ସେ ପ୍ରଥମେ ତାଙ୍କୁ ମନ୍ତ୍ରୀ ଓ ପରେ ରାଜ୍ୟସଭା ସଦସ୍ୟ କରିଥିଲେ ।

ପରେ କଳ୍ପତରୁ ନାନାଦି ଦୁର୍ନୀତିରେ ଫଶି ବଦନାମ ହୋଇଥିଲେ । ପ୍ୟାରୀ ଓ ବିଜୟ ପଟ୍ଟନାୟକ ମଧ୍ୟ କମ ବଦନାମ ହୋଇନାହାନ୍ତି ।

କଳ୍ପତରୁଙ୍କ ଦେହାନ୍ତ ପରେ ତୃତୀୟ ମହଲା କଥାଟି ଲୋକପ୍ରିୟ ହୋଇଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ଶାସନ ଓ ରାଜନୀତିର ମଙ୍ଗ ଧରିଛନ୍ତି ବୋଲି ଚର୍ଚ୍ଚା ବଢ଼ିଲା । ଏବେ ତାହା ହିଁ ଚାଲିଛି ।

ଏମାନଙ୍କ ବାଦ ନବୀନଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା, ବଡ଼ଭାଇ ପ୍ରେମ ପଟ୍ଟନାୟକ, ଦିଲ୍ଲୀ ଓ ଓଡ଼ିଶାର କେତେ ଜଣ ସାମ୍ବାଦିକ, ଆଇଏଏସ ଅଫିସର ସନ୍ତୋଷ ଶତପଥୀ ମଧ୍ୟ ନବୀନଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଉଥିବା ଓ ସେମାନଙ୍କ କଥା ଅନୁସାରେ ନବୀନ ଶାସନ ଓ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଶୁଣାଯାଏ ।

ତେବେ, ନବୀନ କାହା କଥାକୁ ଅଧିକ ଗ୍ରହଣ କରନ୍ତି ଓ କାହା କଥା ଶୁଣନ୍ତି ନାହିଁ ତାହା ସେ ନିଜେ ହିଁ ଜାଣନ୍ତି । ଅବଶ୍ୟ ଏଇ ସମୟ ଭିତରେ ଓଡ଼ିଶାରେ ସର୍ବାଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ବିଭିନ୍ନ ମଞ୍ଚରେ ଉଠିଛି ଓ ସାବ୍ୟସ୍ତ ହୋଇଛି ।

ଖଣି ଦୁର୍ନୀତି, ଚିଟ ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି, ଜମି ଦୁର୍ନୀତି, ଜଙ୍ଗଲ ଦୁର୍ନୀତି, ବିହନ ଦୁର୍ନୀତି, ସାର ଦୁର୍ନୀତି, ସମବାୟ ଋଣ ଦୁର୍ନୀତି, ପୋଲ ଓ ରାସ୍ତାଘାଟ ନିର୍ମାଣ ଦୁର୍ନୀତି- ଏପରି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ବିଜେଡି ସରକାରଙ୍କୁ ମୁଣ୍ଡେଇବାକୁ ପଡ଼ିଛି । ସବୁ ଦୁର୍ନୀତିରେ ଅନ୍ୟମାନେ ବଦନାମ ହୋଇଛନ୍ତି, ନବୀନବାବୁ ଖସି ଯାଇଛନ୍ତି ।

ଦଳ ଓ ଶାସନରେ ହୋଇଥିବା ତ୍ରୁଟିବିଚ୍ୟୁତ ପାଇଁ ଦଳୀୟ ନେତାମାନେ ପ୍ୟାରୀ, ପାଣ୍ଡିଆନ ଓଗେରଙ୍କୁ ଦୋଷ ଦେଇଛନ୍ତି । ବିରୋଧୀ ଦଳର ନେତାମାନେ ମଧ୍ୟ କିଛି ନବୁଝି ନବୀନଙ୍କ ଏଇ କୌଶଳରେ ଫଶିଛନ୍ତି । କେହି ବୋଧହୁଏ ଏଯାଏଁ ବୁଝି ନାହାନ୍ତି ଯେ ନବୀନ ହିଁ ସବୁ କରୁଛନ୍ତି ।

ସମସ୍ତ ଦୁର୍ନୀତି, ତ୍ରୁଟି, ଅବହେଳା ଓ ଅପାରଗତା ପାଇଁ କେବଳ ସେ ହିଁ ଦାୟୀ । କାରଣ ଲୋକେ ତାଙ୍କୁ ହିଁ ଭୋଟ ଦେଇଛନ୍ତି, ସେ ହିଁ ଉତ୍ତରଦାୟୀ । ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ, ଅଥଚ ଦୋଷ ମୁଣ୍ଡେଇବେ ଅନ୍ୟମାନେ!

ଏହା କି ପ୍ରକାର ଗଣତନ୍ତ୍ର? କି ପ୍ରକାର ରାଜନୀତି? ବିଜେଡି ଓ ବିପକ୍ଷ ନେତାମାନେ ବାରମ୍ବାର ନବୀନଙ୍କୁ ଛାଡ଼ି ଅନ୍ୟମାନଙ୍କୁ କ୍ଷମତା କେନ୍ଦ୍ର ଭାବେ ପ୍ରଚାରିତ କରିବା ଦ୍ୱାରା ନବୀନଙ୍କ ନିଷ୍କଳଙ୍କ ଭାବମୂର୍ତ୍ତି ଅତୁଟ ରହିଛି । ତାହା ହିଁ ତାଙ୍କର ରାଜନୀତିକ ପୁଂଜି । ତାହା ହିଁ ତାଙ୍କର ଶକ୍ତି ହୋଇଯାଇଛି ।

ଅବସ୍ଥା ଏବେ ଏପରି ହୋଇଛି ଯେ ନବୀନ ନିଜେ ସବୁ କିଛି କରୁଛନ୍ତି ବୋଲି ଦାବି କଲେ ମଧ୍ୟ କଂଗ୍ରେସ, ବିଜେଡି ଓ ବିଜେପି ନେତାମାନେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି ।

ନେତାମାନେ ଭାବୁଛନ୍ତି ଅଫିସରମାନେ ସବୁ କରୁଛନ୍ତି । ଲୋକମାନେ କିନ୍ତୁ ବୁଝିଛନ୍ତି, ନବୀନବାବୁ ହିଁ ସବୁ ଭଲ କାମ କରୁଛନ୍ତି, ଆଉ ଖରାପ କାମ ତକ ତାଙ୍କ ପାଖଲୋକମାନେ କରୁଛନ୍ତି ।

ତେବେ, ଏଇ ଖରାପ ଲୋକମାନଙ୍କୁ କିଏ ବାଛିଛି, କିଏ ଦାୟିତ୍ୱ ଦେଇଛି, ସେନେଇ କେହି ତର୍ଜମା କରନ୍ତି ନାହିଁ ।

ପ୍ୟାରୀଙ୍କୁ କିଏ ବାଛିଥିଲେ? ବିଜୟ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ କିଏ ବାଛିଥିଲେ? କଳ୍ପତରୁଙ୍କୁ କିଏ ଦାୟିତ୍ୱ ଦେଇଥିଲେ । ନବୀନଙ୍କ ବିନା ଅନୁମତି ଓ ପ୍ରୋତ୍ସାହନରେ ଏହି ଲୋକମାନେ କିଛି କରିପାରିଥାନ୍ତେ କି?

ଦେବେନ୍ଦ୍ର ପୃଷ୍ଟି
ଦେବେନ୍ଦ୍ର ପୃଷ୍ଟି

ଏହି ଲେଖା ପ୍ରଥମେ ସାମାନ୍ୟକଥନରେ ପ୍ରକାଶିତ  । ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ । ଫଟୋ:  ନବୀନ ପଟ୍ଟନାୟକଙ୍କ ଫେସବୁକ କାନ୍ଥ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଓଡିଆ, ନବୀନ ପଟ୍ଟନାୟକ, ବିଜୁବାବୁ, ରାଜନେତା, ରୋକଠୋକ

ଜଷ୍ଟିସ୍ କାଟଜୁ, ବିଦ୍ରୁପ ଓ ଓଡିଆ ସ୍ଵାଭିମାନ; କେତୋଟି କଥା

October 16, 2016 by ଓଡିଶା ଡଟ କମ Leave a Comment

katju

କେଦାର ମିଶ୍ର

ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ, ଭାରତର ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି, ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ ଓ ସମ୍ପ୍ରତି ସୋସିଆଲ୍ ମିଡିଆ ରେ ସବୁଠୁ ବେଶୀ ଗାଳି ଦେଉଥିବା ଓ ଗାଳି ଖାଉଥିବା ଏକ ଚରିତ୍ର ।

ବିଭିନ୍ନ ସମୟରେ ବିବଦମାନ ମନ୍ତବ୍ୟ ଦେଇ ଚର୍ଚାରେ ରହିଥିବା ଜଷ୍ଟିସ୍ କାଟଜୁ, ବିବାଦକୁ ଭଲ ପାଆନ୍ତି । ଜାଣିଶୁଣି ସେ ବିବାଦ ତିଆରି କରନ୍ତି ନା ତାଂକ କଥା ଆପେ ଆପେ ବିବଦମାନ ହୋଇଯାଏ, ତାହା ଅବଶ୍ୟ ଚିନ୍ତାର ବିଷୟ !

ସୋସିଆଲ୍ ମିଡିଆ ରେ ସେ ବୋଧେ ଏକମାତ୍ର ପୂର୍ବତନ ବିଚାରପତି, ଯିଏ ଖୋଲାଖୋଲି ଦେଶର ରାଜନୀତି, ଅର୍ଥନୀତି ଓ ସାମାଜିକ ନୈତିକତା ପ୍ରସଂଗରେ ଅତ୍ୟନ୍ତ କଠୋର ମନ୍ତବ୍ୟ ଦେଇ ଆସୁଛନ୍ତି। ଗୋଟେ ବାକ୍ୟରେ କହିବାକୁ ଗଲେ- ଜଷ୍ଟିସ୍ କାଟଜୁ ଓ ବିବାଦ ପରଷ୍ପରର ପରିପୂରକ।

ତେବେ ଓଡିଶା ପ୍ରସଂଗରେ ଜଷ୍ଟିସ୍ କାଟଜୁ ଗତ କିଛିଦିନ ତଳେ ଏମିତି କିଛି କଥା କହିଥିଲେ, ଯାହାକି ନିତାନ୍ତ ଅରୁଚିକର ଓ ନିନ୍ଦନୀୟ। ତେବେ ଜଷ୍ଟିସ୍ କାଟଜୁ ଏମିତି ଅନେକ କଥା ଲେଖନ୍ତି ବା କହନ୍ତି ଯାହା ଆଦୌ ଚିନ୍ତା ବା ଚର୍ଚା ର ବିଷୟ ହେବା ଉଚିତ ନୁହଁ।

ବିଭିନ୍ନ ରାଜ୍ୟର ଲୋକଂକୁ ନେଇ ଅତି ଅରୁଚିକର ମନ୍ତବ୍ୟ ଦେବାର ଏକ ବିକଳ ମାନସିକତା ତାଂକର ରହିଛି।

ଓଡିଆଂକ ପୂର୍ବରୁ ବିହାରୀ, ତେଲୁଗୁ,ବଂଗାଳୀ,ଜାଠ, ଗୁଜ୍ଜର ଓ ଆହୁରି ଅନେକଂକ ସମ୍ପର୍କରେ ସେ ଅଦ୍ଭୁତ ଓ ଉନ୍ମାଦ ମନ୍ତବ୍ୟ ସବୁ ଦେଇଛନ୍ତି।

ଜଣେ ଅଭ୍ୟାସଗତ ଅପମାନଦାତା ଓ ଅକାରଣରେ ବିବାଦ ସୃଷ୍ଟି କରି ଆନନ୍ଦ ପାଉଥିବା ଲୋକକୁ ଓଡିଶାରେ ଏତେ ବେଶୀ ଗୁରୁତ୍ବ ଦେବାର କାରଣ କଣ?

ଓଡିଶାର ଇତିହାସ ଓ ସଂସ୍କୃତି ଜଷ୍ଟିସ୍ କାଟଜୁଂକ ପ୍ରମାଣପତ୍ର ଆଧାରରେ ତିଷ୍ଠି ନାହିଁ। ତାଂକ ମନ୍ତବ୍ୟ ଏକ ଅନାବଶ୍ୟକ ପ୍ରଳାପ ଓ ତାର କୌଣସି ସାମାଜିକ ଗୁରୁତ୍ଵ ନାହଁ।

ବରଂ ତାଂକ ବିଷୟରେ ଅଧିକ ଚର୍ଚ୍ଚା କରି ଓ ବିକ୍ଷୋଭ ରାଜନୀତି ମାଧ୍ୟମରେ ଆମେ ତାଂକୁ ମଜା ଉଠେଇବାର ଅଧିକ ସୁଯୋଗ ଦେଇଛୁ।

ଆମେ ଭଲ ଭାବେ ଜାଣି ରଖିବା ଉଚିତ ଯେ ଜଣେ ଲୋକ ର ଚିଡେଇବା ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଲକ୍ଷ୍ୟରେ ଥିବା ଲୋକଟି ରାଗିବା ଆରମ୍ଭ କରେ।

ଆମର ମାତ୍ରାଧିକ ପ୍ରତିକ୍ରିୟା ଓ ସୋସିଆଲ୍ ମିଡିଆରେ ଆମର ଅସଭ୍ୟ ଆଚରଣ. ତାଂକୁ ଅଧିକ ଆନନ୍ଦ ଦେବାରେ ସହାୟକ ହେଉଛି। ଏ ପ୍ରସଂଗରେ ଆହୁରି ଅଧିକ କିଛି ଆଲୋଚନା କରାଯାଉ-

୧. ଜଷ୍ଟିସ୍ କାଟଜୁ ଓଡିଆଂକୁ “ବେଚାରା” ଓ “ଅବସାଦଗ୍ରସ୍ତ” ବୋଲି କହିବା ଆଗରୁ ବିହାରୀ ମାନଂକୁ ପାକିସ୍ତାନ କୁ ଦେଇଦେବାକୁ ହାସ୍ୟାସ୍ପଦ ଯୁକ୍ତି ବାଢିଥିଲେ।

ଫେସବୁକ୍ ରେ ସେ ଲେଖିଥିଲେ- ପାକିସ୍ତାନ! କେବଳ କାଶ୍ମୀର ନୁହଁ ତମେ ବିହାର କୁ ମଧ୍ୟ ନେଇଯାଅ। ତାପରେ ଓଡିଶା ପ୍ରସଂଗରେ ସେ ବିହାର ଓ ଓଡିଶା ଭିତରେ ଗୋଟେ ମିଚ୍ଛ ବିବାଦ ତିଆରି କରିଥିଲେ। ପାତ୍ର, ମହାପାତ୍ର ଓ ପଟ୍ଟନାୟକ ପ୍ରସଂଗ ଉଠେଇଲା ବେଳେ ଓଡିଶାର ସାମାଜିକ ଓ ରାଜନୈତିକ ବାସ୍ତବତା ବିଷୟରେ ତାଂକର ଅଜ୍ଞତା ବାରି ହୋଇ ପଡୁଥିଲା।

୨. ତାଂକ ମତରେ ଗାନ୍ଧିଜୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଭୟେ ବ୍ରିଟିଶ ସରକାରଂକ ଦଲାଲ ଥିଲେ। ନିରନ୍ତର ଗାନ୍ଧିଜୀ ଓ ନେତାଜୀଂକ ବିରୋଧରେ ଲେଖିଲା ପରେ ତାଂକ କଥାକୁ ଏବେ କେହି ଗୁରୁତ୍ବ ଦେଉନାହାନ୍ତି।

ଗତ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ସେ ପଚାଶରୁ ଅଧିକ ଟୁଇଟ କରିଥିଲେ ମଧ୍ୟ କେହି ତାକୁ ଶୁଣି ନଥିଲେ। ଆମେ ଓଡିଆ ମାନେ ସେଥିରୁ କିଛି ଶିଖୁନୁ କାହିଁକି ?

୩. କାଟଜୁଂକ ମନରେ ଲୋକପ୍ରିୟ ଚରିତ୍ର ମାନଂକ ପ୍ରତି ଗୋଟେ ପ୍ରକାର ଘୃଣାର ଭାବନା ରହିଛି। ତେଣୁ ସେ ସବୁ ଲୋକପ୍ରିୟ ଚେହେରାକୁ ଗାଳି କରନ୍ତି।

ନରେନ୍ଦ୍ର ମୋଦି, ଅରବିନ୍ଦ କେଜରିବାଲ୍, ନିତିଶ କୁମାର, ଅମିତାଭ ବଚ୍ଚନ୍, କହ୍ନେଇୟା କୁମାର ଓ ଆହୁରି ଅନେକଂକୁ ନିୟମିତ ଗାଳି କରିବାରେ ସେ ମଜା ପାଆନ୍ତି। କାଶ୍ମୀର ପ୍ରସଂଗରେ ଆଲୋଚନା କରିବାକୁ ଯାଇ ପୂରା କାଶ୍ମୀରର ନେତୃତ୍ବକୁ ସେ ଜୋକର୍ ବୋଲି କହିଥିଲେ।

୪. କେବଳ ସେତିକି ନୁହଁ, ସୁପ୍ରିମ୍ କୋର୍ଟ୍ ର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ସହଯୋଗୀ ବିଚାରପତିଂକ ବିରୋଧରେ ବ୍ୟକ୍ତିଗତ ଓ ନିନ୍ଦନୀୟ ଆରୋପ ଲଗାଇବାର ଅଭ୍ୟାସ ତାଂକର ରହିଛି।

୫. ତେବେ ଜଷ୍ଟିସ୍ କାଟଜୁ ଯେ କେବଳ ବିବାଦ ଓ ବିସମ୍ବାଦ ତିଆରି କରନ୍ତି ତା’ ନୁହଁ, ବେଳେ ବେଳେ ତାଂକ ଲେଖାରେ ଅନେକ ସତ୍ୟକଥା ମଧ୍ୟ ପ୍ରକାଶ ପାଇଥାଏ। “ସତ୍ୟମ୍ ବୃୟାତ” ଶୀର୍ଷକ ଏକ ବ୍ଲଗ୍ ରେ ସେ ଭାରତର ନ୍ୟାୟ ବ୍ୟବସ୍ଥା ଓ ସାଂସ୍କୃତିକ-ସାମାଜିକ ଇତିହାସକୁ ନେଇ ଅନେକ ତଥ୍ୟ ପୂର୍ଣ୍ଣ ଆଲୋଚନା କରିଛନ୍ତି।

୬. ୧୩ ତାରିଖ ସକାଳ ୭.୧୮ ରେ ଏକ କାର୍ଟୂନ ମାଧ୍ୟମରେ ଜଷ୍ଟିସ୍ କାଟଜୁ ଓଡିଆଂକ ଆଗରେ ନିଜ ମୁଣ୍ଡ ବାଡେଇ ସାରିବା ପରେ, ଏହାକୁ ନେଇ ଅଧିକ ନାଟକ କରିବାର ଆବଶ୍ୟକତା କଣ ଥିଲା। ପ୍ରସଂଗ ପାଉନଥିବା ଓଡିଆ ଟେଲିଭିଜନ ଲାଗି ଏହା ବୋଧେ ଏକ ସହଜ ପ୍ରସଂଗ, ଯାହାକୁ ଅନାବଶ୍ୟକ ଭାବରେ ଲମ୍ବା କରା ଯାଉଛି।

୭. ଏଠି ପ୍ରକାଶଯୋଗ୍ୟ ଯେ କାଟଜୁଂକ ଜେଜେ ବାପା କୈଲାଶନାଥ କାଟଜୁ ଓଡିଶାର ରାଜ୍ୟପାଳ ଥିଲେ ଓ ସେହି ସୂତ୍ରରେ ତାଂକର ପିଲାଦିନର କିଛି ସ୍ମୃତି ଓଡିଶା ସହ ଜଡିତ ହୋଇ ରହିଛି । ଓଡିଶାର ଇତିହାସ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ନିହାତି ନିର୍ବୋଧତା ଓ ସବୁ ପ୍ରକାର ନିର୍ବୋଧତାକୁ ଅଣଦେଖା କରିବା ହିଁ ବିଜ୍ଞତାର ପରିଚୟ।

୮. ଆମ ସ୍ବାଭିମାନ ଓ ସଂସ୍କୃତି ବିଷୟରେ ଆମେ ଯେ ବେଶ୍ ସଚେତନ, ଏ କଥା ଜଣାଇବାକୁ ଆମେ ବେଶ୍ ଅଗ୍ରସର- ଠିକକଥା ! ହେଲେ ଅତ୍ୟଧିକ ପ୍ରତିକ୍ରିୟା ପ୍ରବଣ ହେବାର ଅର୍ଥ ହେଉଛି ନିଜ ସ୍ବାଭିମାନକୁ ନାଟକ କରିଦେବା। ଅଧିକ ଭାବ ପ୍ରବଣ ହୋଇ ଗୁଡାଏ ଭୁଲ୍ କରିବାକୁ ଆମେ ଭଲ ପାଉଛୁ କାହିଁକି?

୯ . ଶେଷରେ ଏତିକି କହିବା ଯଥେଷ୍ଟ ହେବଯେ ସୋସିଆଲ୍ ମିଡିଆ ର ଗୋଟେ ସାଧାରଣ ପୋଷ୍ଟିଂ କୁ ନେଇ ହୋ ହଲ୍ଲା କରିବାରେ ଆମେ ଯେତିକି ସମୟ ନଷ୍ଟ କଲେଣି, ସେତିକିରେ ଅନେକ ରଚନାତ୍ମକ କାର୍ଯ୍ୟ କରାଯାଇ ପାରିବ !! ତେଣୁ ହେ ପ୍ରିୟ ଓଡିଆପ୍ରାଣ ବନ୍ଧୁଗଣ!!

ଜଷ୍ଟିସ୍ କାଟଜୁଂକ ବକ୍ତବ୍ୟକୁ ବେଖାତିର କରି ନିଜ ସ୍ଵାଭିମାନ ନିଜେ ବଜାୟ ରଖିବା ଆସନ୍ତୁ !!!!

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରୋକ ଠୋକ Tagged With: ଓଡିଆ, ଜଷ୍ଟିସ୍ କାଟଜୁ, ବିଦ୍ରୁପ, ସୋସିଆଲ୍ ମିଡିଆ, ସ୍ଵାଭିମାନ

ଧଳ ସାମନ୍ତଙ୍କ ସାମ୍ରାଜ୍ୟ ଓ ନେତାଙ୍କ ତଥାକଥିତ ନିରୀହତା

February 15, 2016 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

– ମୁଁ ତାଙ୍କର ଅପରାଧୀ ପୃଷ୍ଠଭୂମି ବିଷୟରେ ଜାଣିଥିଲି, ହେଲେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥିଲି । ଏହା କୌଣସି ଅପରାଧ ନୁହେଁ । (ଦେବାଶିଷ ସାମନ୍ତରାୟ, ବିଧାୟକ, ବାରବାଟୀ, କଟକ)

ସାମାଜିକ ଜୀବନରେ ସବୁଲୋକଙ୍କର ସବୁକଥା ଜାଣିବା ସମ୍ଭବ ନୁହେଁ । ବନ୍ଧୁ ସମୀର୍ ଦେଙ୍କ କଥାରେ ମୁଁ ସେଠାକୁ ଯାଇଥିଲି । ଯାହାକି ମୋର ଭୁଲ୍ ଥିଲା । (ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ)
dhala12
ସେମାନେ ଯଦି ଅପରାଧୀ ତାଙ୍କୁ ପୋଲିସ୍ ଗିରଫ କରୁନଥିଲା କାହିଁକି ? ମୁଁ ଜାଣିଥିଲି ସେ ଅପରାଧ ସହ ଜଡ଼ିତ, ହେଲେ ତା’ ନାଁରେ ଆଉ କୌଣସି ମାମଲା ନାହିଁ ବୋଲି ସେ କହିଥିଲା (ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କଂଗ୍ରେସ ନେତା)

ଜଣେ ବନ୍ଧୁ ମୋତେ ଡାକିଲେ, ଏକ ମହତ୍ କାର୍ଯ୍ୟରେ ଯୋଗଦେବାକୁ ମୁଁ ସେଠାକୁ ଯାଇଥିଲି । ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଚିହ୍ନିନଥିଲି  । (ଜଷ୍ଟିସ୍ ଏ.ଏସ୍. ନାଇଡୁ, ପୂର୍ବତନ ବିଚା ରପତି)dhala4

ଏସବୁ ମତ ଓ ମନ୍ତବ୍ୟ ଗତ ସପ୍ତାହେ ଧରି ଆମେ ଶୁଣିଆସୁଛୁ । ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରି କଟକ-ଭୁବନେଶ୍ୱର ପୋଲିସ୍ କମିଶନର ଦୁଇଜଣ ବଡ଼ ଅପରାଧୀଙ୍କୁ ଗିରଫ କଲେ । ଗିରଫଦାରୀ ପରେ ଓଡ଼ିଶାର ମିଡ଼ିଆ ଜଗତରେ କାହାଣୀ ଲମ୍ବି ଚାଲିଲା ।DHALA14

ଦୁଇକୋଟି ତେଷଠି ଲକ୍ଷ ଟଙ୍କା ସମେତ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହେବାର ଛବି ପ୍ରକାଶ ପାଇଲା । କଟକର ଦୁଇ କୁଖ୍ୟାତ ଅପରାଧୀ ସୁଶୀଲ୍ ଓ ସୁଶାନ୍ତ ଧଳ ସାମନ୍ତଙ୍କୁ ପୋଲିସ୍ ଗିରଫ କରିବା ଘଟଣାକୁ ଏକ ବଡ଼ ସଫଳତା ବୋଲି ପ୍ରଚାର କରାଗଲା ।

ତେବେ ସୁଶାନ୍ତ ଓ ସୁଶୀଲ୍ ଧଳ ସାମନ୍ତ ମାଫିଆ ଡନ୍ ପରିଚୟ ପାଇବା ପୂର୍ବରୁ ସାଧାରଣ ଜୀବନରେ କେଉଁ ଭୂମିକାରେ ଥିଲେ, ଏହି ପ୍ରଶ୍ନ ଆଜି ପଚାରିବାକୁ ପଡ଼ିବ ।dhala8

ମାତ୍ର ୧୫ ଦିନ ଆଗରୁ ଏହି ଦୁଇଭାଇ ଥିଲେ ଗଣମାଧ୍ୟମରେ ବିଶିଷ୍ଟ ସମାଜସେବୀ । ସୁଶୀଳ ଧଳ ସାମନ୍ତଙ୍କ ନେତୃତ୍ୱରେ କଟକ ନଗର ଯୁବ ସଂଗଠନ ଜାନୁଆରୀ ୯ ଓ ୧୦ ତାରିଖ ଦୁଇଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଥିଲା ।

ଏହି ଆୟୋଜନରେ ଓଡ଼ିଶାର ସବୁ ପ୍ରମୁଖ ରାଜନୈତିକ ଦଳର ମୁଣ୍ଡିଆଳମାନେ ଯୋଗଦେଇ ଧଳ ସାମନ୍ତଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷାରେ ସୁଶୀଳ ଥିଲେ ତାଙ୍କର ସାନଭାଇ, ଯାହାକୁ ସହଯୋଗ କରିବା ତାଙ୍କର ନୈତିକ ଦାୟିତ୍ୱ ।dhala3

କେବଳ ରକ୍ତଦାନ ଶିବିର ନୁହେଁ, ଇଦ୍ ମିଳନ, ସାଇକେଲ୍ ଶୋଭାଯାତ୍ରା, ନେତାଜୀ ଓ ବିବେକାନନ୍ଦ ଜୟନ୍ତୀ ତଥା ଅନ୍ୟାନ୍ୟ ବହୁ ସାମାଜିକ କାର୍ଯ୍ୟରେ ଆୟୋଜନ ଧଳସାମନ୍ତ କରିଥିଲେ ଓ ସେଥିରେ ବହୁ ପଦସ୍ଥ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଛନ୍ତି ।

ଏହି ପଦସ୍ଥ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଝାଡଖଣ୍ଡର ରାଜ୍ୟପାଳ, ପୂର୍ବତନ ହାଇକୋର୍ଟ ବିଚାରପତି, ପୂର୍ବତନ ପୋଲିସ୍ ମହାନିର୍ଦେଶକ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଆହୁରି ଅନେକ । ସମସ୍ତଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ବହୁ ପରିମାଣରେ ପ୍ରସାରିତ ।dhala1

ଜଣେ ତଥାକଥିତ କୁଖ୍ୟାତ ଅପରାଧୀ ଯାହାଙ୍କ ପାଖରେ ବହୁ ପରିମାଣରେ କଳାଟଙ୍କା ରହିଛି ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରହିଛି, ତାଙ୍କ ବିଷୟରେ ଏହି ବିଶିଷ୍ଟ ବ୍ୟକ୍ତିମାନେ କିଛି ଜାଣିନଥିଲେ ବୋଲି ଭାବିବା ନିର୍ବୋଧତା ହେବ । ଧଳ ସାମନ୍ତଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ଊଣା ଅଧିକେ କଟକବାସୀ ଜାଣନ୍ତି ।

ସେଥିରେ ଲୋକପ୍ରତିନିଧି ଓ ବିଶିଷ୍ଟ ମାନେ ସେମାନଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ଭାବିବା ସେମାନଙ୍କର ପ୍ରଜ୍ଞା ପ୍ରତି ଅବମାନନା ହେବ । ସରଳ ଭାଷାରେ କହିବାକୁ ଗଲେ, ସମସ୍ତେ ସବୁକିଛି ଜାଣି ସମାଜସେବା ଆଳରେ ତାଙ୍କୁ ସାମାଜିକ ପ୍ରତିଷ୍ଠା ଦେବାରେ ସହାୟତା କରୁଥିଲେ ।

ଏହା ମାନିବାକୁ ପଡ଼ିବ ଗତ କୋଡ଼ିଏ ବର୍ଷ ଧରି ବହୁ ହତ୍ୟାକାଣ୍ଡ, ରାହାଜାନି, ଟେଣ୍ଡର୍ ଫିକ୍ସିଂ ଇତ୍ୟାଦି ଅପରାଧ ସହ ଧଳସାମନ୍ତ ଭ୍ରାତା ଜଡ଼ିତ ଥିବା ପ୍ରଚାର ହୋଇଛି । ସେମାନଙ୍କ ନାଁରେ ବହୁ ମାମଲା ରହିଛି । ପୂର୍ବରୁ ସୁଶୀଳଙ୍କ ଉପରକୁ ପୋଲିସ୍ ଗୁଳି ମଧ୍ୟ ଚଳାଇଛି ।  ଯେଉଁ ପୋଲିସ୍ ଅଧିକାରୀ ସୁଶୀଳଙ୍କ ଉପରକୁ ଗୁଳି ଚଳାଇଥିଲେ ତାଙ୍କୁ ପ୍ରଶାସନରେ ବହୁମୂଲ୍ୟ ଦେବାକୁ ପଡ଼ିଛି ।

ମୋଟାମୋଟି କହିବାକୁ ଗଲେ, ଧଳସାମନ୍ତଙ୍କ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ରାଜନୈତିକ ନେତା, ପୋଲିସ୍ ଓ ପ୍ରଶାସନର ପରୋକ୍ଷ ସମର୍ଥନ ସବୁବେଳେ ରହିଆସିଛି । ଆଜି କଥା ପ୍ରଘଟ ହୋଇଗଲା ପରେ ସମସ୍ତେ ନିଜର ନିରୀହତା ଦେଖାଇବାକୁ ଚାହୁଁଛନ୍ତି । ତେବେ ଏହି ନିରୀହତା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଅପରାଧୀମାନଙ୍କଠାରୁ ରାଜନୈତିକ ଫାଇଦା ଉଠାଇବା ଓ ସେମାନଙ୍କୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ପାଇଁ ନେତାମାନେ ସବୁବେଳେ ଉଦ୍ୟମ କରି ଆସିଛନ୍ତି ।

ତଥାକଥିତ ଲୋକସମର୍ଥନ ଯୋଗାଡ଼ରେ ବାହୁବଳୀମାନଙ୍କର ଭୂମିକା ସବୁବେଳେ ରହିଆସିଛି । ଦଳମତ ନିର୍ବିଶେଷରେ ସମସ୍ତେ ଅପରାଧୀମାନଙ୍କଠାରୁ ସାହାଯ୍ୟ ନିଅନ୍ତି ଓ ପ୍ରତିବଦଳରେ ସେମାନଙ୍କ ସାମ୍ରାଜ୍ୟକୁ ବିକଶିତ ହେବାରେ ସହଯୋଗ କରନ୍ତି ।dhala2

କଟକର ସବୁ ଛାମୁଆ ନେତା ଧଳ ସାମନ୍ତଙ୍କ କଳା ସାମ୍ରାଜ୍ୟରୁ କିଛି କିଛି ମହୁ ସଂଗ୍ରହ କରିଛନ୍ତି । ପ୍ରତିବଦଳରେ ଧଳସାମନ୍ତଙ୍କୁ ମହାପୁରୁଷ ବୋଲି ବନ୍ଦାଣ କରିଛନ୍ତି । ଆଜି ହଠାତ୍ ଗଣମାଧ୍ୟମରେ ନିନ୍ଦିତ ହେଲା ପରେ ନିଜ ଲାଜ ଲୁଚାଇବାକୁ ସେମାନଙ୍କ ନିରୀହତା ଲୋକଙ୍କ ଆଖିରେ ଛଳନା ହୋଇ ଦିଶୁଛି ।

ଧଳସାମନ୍ତ କେବଳ ସମାଜସେବୀ ନଥିଲେ, ସେମାନେ ନିଜ ତରଫରୁ ଗୋଟେ ଖବରକାଗଜ ମଧ୍ୟ ପ୍ରକାଶ କରୁଥିଲେ । ବର୍ଷ ବର୍ଷ ଧରି ସୁଶୀଳ ଧଳ ସାମନ୍ତ ଗୋଟେ ସାପ୍ତାହିକ ପତ୍ରିକାରେ ଦେଶର ରାଜନୀତି ଓ ଅର୍ଥନୀତିକୁ ନେଇ ବହୁ ପ୍ରବଚନ ଦେଇଛନ୍ତି ।

ତାଙ୍କ ପତ୍ରିକାରେ ଓଡ଼ିଶାର ବହୁ ବଡ଼ ବଡ଼ ସାମ୍ବାଦିକ ଓ ସ୍ତମ୍ଭକାର ଲେଖା ଛପାଇଛନ୍ତି । ଏପଟେ ପୋଲିସ୍ କହୁଛି ଏମାନେ ଥିଲେ ପଳାତକ ଅପରାଧୀ । କେଉଁଠିକୁ ଏମାନେ ପଳାଇଥିଲେ ? କଟକ, ଭୁବନେଶ୍ୱରର ସବୁଠୁ ପ୍ରଭାବଶାଳୀ ଲୋକମାନଙ୍କ ଗହଣରେ ଏମାନେ ଆତଯାତ ହେଉଥିଲେ ।dhala5

ୟାଙ୍କ କଳାଟଙ୍କା ସାହାଯ୍ୟରେ ରାଜନୈତିକ ସଭା ସମିତି ଆୟୋଜିତ ହେଉଥିଲା । ସବୁ ଦଳ ୟା’ଙ୍କ ସମର୍ଥନ ପାଉଥିଲେ ଓ ସମର୍ଥନ ଦେଉଥିଲେ । ତଥାପି ପୋଲିସ୍ ଏମାନଙ୍କୁ ଧରି ପାରୁନଥିଲା କାହିଁକି ?

ଏହି ଘଟଣାର ଆଉ ଏକ ଦିଗ ହେଉଛି ପୋଲିସ୍ ଜାଣିସିଆଣା ଆଚରଣ । ଧଳସାମନ୍ତଙ୍କର ଗୋଟେ ସହଯୋଗୀଙ୍କ ହତ୍ୟା ଅଭିଯୋଗ ଆସିବା ପରେ କଟକ ପୋଲିସ୍ ଏତଲା ରଖିନଥିବ ଅଭିଯୋଗ ହୋଇଥିଲା ।

ଏହି  ନିର୍ଦ୍ଦିଷ୍ଟ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଯାଇ ପୋଲିସ୍ ଧଳସାମନ୍ତଙ୍କୁ ଗିରଫ କରିଛି । ତେବେ ଏଥରର ଗିରଫଦାରୀ ନିଶ୍ଚିତ ଭାବରେ ପ୍ରଭାବଶାଳୀ । ଧଳ ସାମନ୍ତଙ୍କ କଳା ଅର୍ଥ କାରବାର ଓ ଅସ୍ତ୍ରଶସ୍ତ୍ର ଯୋଗାଡ଼କୁ ପୋଲିସ୍ ଭଣ୍ଡୁର କରିଛି । ଘଟଣାଟି କେବଳ ସେତିକିରେ ସୀମିତ ରହିଲେ ଚଳିବ ନାହିଁ ।

ଧଳ ସାମନ୍ତଙ୍କ ଛତ୍ରଛାୟାରେ କେଉଁ କେଉଁ ରାଜନୈତିକ ନେତା ଥିଲେ ଓ ସେମାନଙ୍କର କି’ପ୍ରକାର ଫାଇଦା ଏମାନଙ୍କୁ ଦେଇଛନ୍ତି, ତା’ର ସତ୍ୟାସତ୍ୟ ଅନୁସନ୍ଧାନ ହେବା ଜରୁରୀ । ପୂର୍ବରୁ ଚିଟ ଫଣ୍ଡ ମାମଲାରେ କମିଶରେଟ ପୋଲିସ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ରିହାତି ପ୍ରଦାନ କରିଥିଲା । ଏହି କ୍ଷେତ୍ରରେ ତାହାର ପୁନରାବୃତ୍ତି ହେବାର ସମ୍ଭାବନା ଅଧିକ । ତେଣୁ ପୋଲିସ୍ ତଦନ୍ତ ଉପରେ ଜନସାଧାରଣ ତୀକ୍ଷ୍ଣ ଆଖି ରଖିଛନ୍ତି ।dhala

ଏହି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଆକଳନ କରିବାକୁ ପଡ଼ିବ । ଆଜି ଯାହାକୁ ଆମେ ଡନ୍, ମାଫିଆ, କଳାସାମ୍ରାଜ୍ୟର ଅଧିକାରୀ ବୋଲି ଚିଲ୍ଲେଇ ଚାଲିଛୁ, ସେହିମାନଙ୍କୁ ଦୁଇସପ୍ତାହ ଆଗରୁ ଆମେ ନାୟକ ଭାବରେ ଉପସ୍ଥାପନା କରୁଥିଲେ ।

ସୁଶୀଳ ଧଳସାମନ୍ତଙ୍କ ଆଗରେ ଓଡ଼ିଶାର ପ୍ରାୟ ସମସ୍ତ ଟିଭି ଚ୍ୟାନେଲର  ବୁମ୍ ଲାଗିଥିଲା । ଯେତେବେଳେ ଅଦାଲତରେ ଜଣେ ପୀଡ଼ିତ ବାପା ନିଜ ପୁଅର ହତ୍ୟାକାଣ୍ଡ ପାଇଁ ସଂଘର୍ଷ କରୁଥିଲେ, ତାହା ଆମ ପାଇଁ ଆଦୌ ଖବର ନଥିଲା । ଅଦାଲତର ଯେଉଁ ରାୟ ଆଧାରରେ ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରିବାକୁ ପୋଲିସ୍ ବାଧ୍ୟ ହେଲା, ସେହି ମାମଲା ସଂପର୍କରେ ଧାଡ଼ିଏ ମଧ୍ୟ ଖବର କେଉଁଠି ବାହାରି ନଥିଲା ।

ଏଥିରୁ ଆମେ ସାମ୍ବାଦିକମାନେ ନ୍ୟାୟ ପ୍ରତି କେତେ ସମ୍ବେଦନଶୀଳ, ତାହା ବାରି ହୋଇପଡୁଛି । ପୋଲିସ୍ କିଛି ଗୋଟେ ଖୁଲାସା କଲା ପରେ ଯାଇ ଆମର ଜ୍ଞାନ ଉଦୟ ହେଉଛି । ତା’ ପୂର୍ବରୁ ଅପରାଧୀକୁ ଅପରାଧୀ ବୋଲି କହିବା ପାଇଁ ଆମ ଜିଭରେ ହାଡ଼ ନାହିଁ ।dhala9

ଧଳସାମନ୍ତ ପ୍ରସଙ୍ଗରେ ସମାଜର ସବୁ ଗୋଷ୍ଠୀ ଓ ବର୍ଗ ନିଜକୁ ଦୋଷୀ ଭାବରେ ପାଇବେ । ଅସାମାଜିକ ତତ୍ତ୍ୱକୁ ଏକଘରିକିଆ କରିବା ଓ ସେମାନଙ୍କୁ ସାମାଜିକ ସ୍ୱୀକୃତି ନଦେବା ଭଳି ସାହସ ଆମର ନାହିଁ ।

ରାଜନୀତିର କଦର୍ଯ୍ୟ ଚକ୍ରବ୍ୟୁହରେ ଅସାମାଜିକ ଅପରାଧୀମାନେ ନିଜକୁ ନାୟକ ଆସନରେ ଆସୀନ କଲାବେଳେ ଆମେ ସମସ୍ତେ ନିରବରେ ସମର୍ଥନ କରୁଛୁ । ଏହି ସମର୍ଥନର ପରିଣତି ସ୍ୱରୂପ ଅପରାଧୀଙ୍କ କଳା ସାମ୍ରାଜ୍ୟ ବଢିଚାଲିଛି ଓ ନେତାମାନଙ୍କର କଳାରଙ୍ଗର ନିରୀହତା ଆମକୁ ସବୁବେଳେ ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ଅଭିପ୍ରେରିତ କରୁଛି ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅପରାଧୀ, ଧଳ ସାମନ୍ତ, ପୁଲିସ, ରାଜନୀତି

ଆଇନଜୀବିଙ୍କ ସାମାଜିକ ଦାୟିତ୍ୱବୋଧ (ରୋକ୍ ଠୋକ୍)

December 28, 2015 by ନିଉଜ ଡେସ୍କ Leave a Comment

ବିଭୁ ପ୍ରସାଦ ତ୍ରିପାଠୀ

ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସର ଦୀର୍ଘ ଯାତ୍ରାକୁ ଅବଲୋକନ କଲେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନଙ୍କ ଯେଉଁ ଅବଦାନ ଥିଲା ସେଥିରେ ଆଇନଜୀବି ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶାର ଆଇନଜୀବିମାନେ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

bibhu1ଗଂଜାମର ଆଇନଜୀବି ଏମ୍ ବିଶ୍ୱନାଥ ଆୟାର ଛବିଶ ଡିସେମ୍ବର ୧୮୮୫ ମସିହାରେ କଂଗ୍ରେସର ପ୍ରଥମ ଅଧିବେଶନରେ ୭୨ ଜଣ ପ୍ରତିନିଧିଙ୍କ ମଧ୍ୟରେ ଅନ୍ୟତମ ପ୍ରତିନିଧି ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ମଧୁସୂଦନ ଦାସ ମଧ୍ୟ କଲିକତା ଅଧିବେଶନରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ବାରିଷ୍ଟର ଭି.ଭି.ଗିରି, ଆଇନଜୀବି ବିଶ୍ୱନାଥ ଦାଶ, ପଣ୍ଡିତ ଗୋପବନ୍ଧୁ ଦାସ, ରାଜକିଶୋର ଦାସ ବୀରକିଶୋର ରାୟ, ଲିଙ୍ଗରାଜ ପାଣିଗ୍ରାହୀ, ବୋଧରାମ ଦୁବେ, ଚନ୍ଦ୍ର ଶେଖର ବେହେରା, ବାଲୁକେଶ୍ୱର ମିଶ୍ର, ମୁକ୍ତାର ରାମଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ  । ଏହି ବରିଷ୍ଠ ଆଇନଜୀବି ମାନେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ନଜିର ଅଛି ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ଓଡ଼ିଶାରେ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ହେବା ପାଇଁ ୧୯୪୨ ମସିହାରେ ତତ୍କାଳୀନ ଆଡ୍ଭୋକେଟ୍ ଜେନେରାଲ ବୀର କିଶୋର ରାୟ ଯେକି ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାର ପତି ହୋଇଥିଲେ, ତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଗଷ୍ଟ ମାସରେ ରାଜ୍ୟ ସରକାର ଗଠନ କରିଥିଲେ  ।

କଟକରେ ପ୍ରଥମଥର ପାଇଁ ୨୭ମାର୍ଚ୍ଚ ୧୯୪୮ ମସିହାରେ ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଅଭ୍ୟର୍ଥନା କମିଟିର ଗଠନ କରାଯାଇ ତାର ଦାୟିତ୍ୱରେ ଆଇନଜୀବି ମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ସେତେବେଳେ ଏହି ସମ୍ମିଳନୀକୁ ତତ୍କାଳୀନ ରାଜ୍ୟପାଳ କୈଳାସ ନାଥ କାଟ୍ଜୁ ଉଦ୍ଘାଟନ କରିଥିଲେ ଓ ଏହି ସମ୍ମିଳନୀରେ ସ୍ୱାମୀ ବିଚିତ୍ରାନନ୍ଦ ଦାସ ଅଧ୍ୟକ୍ଷତା କରିଥିଲେ । ତତ୍କାଳୀନ ଆଡଭୋକେଟ ଜେନେରାଲ ଲିଙ୍ଗରାଜ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇ ଆଇନଜୀବି ମାନଙ୍କ ପେଶାକୁ ଦେଶର ସର୍ବୋତ୍ତମ ପେଶାଭାବେ ଅଭିହିତ କରି ଆଇନ ମନ୍ଦିରର ପୂଜକ ମାନେ, ଆଇନଜୀବି ମାନେ ଗୁରୁଦାୟିତ୍ୱ ବହନ କରିବାକୁ ଆହା୍ୱନ ଦେଇଥିଲେ ।

ସେହି ସମ୍ମିଳନୀରେ ଭିତ୍ତିଭୂମି ଥିଲା ନିଖିଳ ଓଡ଼ିଶା ଆଇନଜୀବି ସଂଘ । ପରବର୍ତ୍ତୀ ଅବସ୍ଥାରେ ଏହାର ଦ୍ୱିତୀୟ ସମ୍ମିଳନୀ ୧୯୪୯ ମସିହାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ୧୯୬୧ ମସିହାରେ ଆଇନଜୀବି ପରିଷଦ ଗଠନ ହେବାପରେ ଏହି ସଂଘ କିଛି ବର୍ଷ ପାଇଁ ଏହାର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ କରିପାରିନଥିଲେ ମଧ୍ୟ ୧୯୬୩ ମସିହାରେ ସ୍ୱର୍ଗତ ବିଶ୍ୱନାଥ ପଶାୟତଙ୍କ ମୃତ୍ୟୁପରେ ବିଶେଷ ଭାବେ ଆଖିଦୃଷ୍ଟିଆ କାର୍ଯ୍ୟକ୍ରମ ହାତକୁ ନେଇପାରିନଥିଲା ।

ଏହାର କିଛି ବର୍ଷ ପୂର୍ବରୁ ନ୍ୟାୟମୂର୍ତ୍ତି ଗତିକୃଷ୍ଣ ମିଶ୍ର, ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ, ଗୌରଗୋପାଳ ଦାଶ ଏହି ସଂଗଠନ କୁ ଆଇନଜୀବି ମାନଙ୍କ ପେଶାର ସ୍ୱାଧୀନତା ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାର ବିଷୟ ବିଭିନ୍ନ ସମ୍ମିଳନୀର ବହୁ ଆଇନଜିବୀମାନେ ସେତେବେଳେ ପ୍ରକାଶ ପାଉଥିବା ସ୍ମରଣିକାରେ ଉଲ୍ଲେଖ କରିଛନ୍ତି ।

ବାରିଷ୍ଟର ରଣଜିତ ମହାନ୍ତି, ନ୍ୟାୟମୂର୍ତ୍ତି ଲିଙ୍ଗରାଜ ରଥ, ନ୍ୟାୟମୂର୍ତ୍ତି ଶରତଚନ୍ଦ୍ର ମହାପାତ୍ର, ନ୍ୟାୟମୂର୍ତ୍ତି ଅର୍ଜିତ ପଶାୟତ, ବସନ୍ତ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ , ବରିଷ୍ଠ ଆଇନଜୀବି ବିପିନ୍ ବିହାରି ରଥଏହି ସଂଗଠନର ବିଭିନ୍ନ ଅଧିବେଶନରେ ଯୋଗଦେଇ ସଂଗଠନର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ପଦପଦବୀରେ ମଧ୍ୟ ରହିଥିଲେ ।

ଆଇନଜୀବି ମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ଏଭଳି ଏକ ଉପକ୍ରମଣିକା ଲେଖିବାର ଆବାଶ୍ୟକତା ହେଉଛି ଆଜିର ସମାଜରେ ଆଇନଜୀବି ମାନଙ୍କ ସାମୁହିକ ସମସ୍ୟାକୁ ସମସ୍ତ ରାଜନୈତିକ ଦଳର ସ୍ୱାର୍ଥ ଠାରୁ ଓ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଅଲଗାରଖି କାର୍ଯ୍ୟ କରିବା ଦିଗରେ ଆମ ମାନଙ୍କର ଆଗତ ଓ ଆମ ମାନଙ୍କର ପୂର୍ବସ୍ୱରୀ ମାନଙ୍କର ସାମାଜିକ ପ୍ରତିବଦ୍ଧତା ମଧ୍ୟରେ କଣ ପାର୍ଥକ୍ୟଥିଲା ସେ ସଂପର୍କରେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ।

୧୯୮୨ ମସିହାର ଡିସେମ୍ବର ଶେଷ ସପ୍ତାହରେ ପଶ୍ଚିମ ଓଡ଼ିଶାର ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁର ଠାରେ ଆୟୋଜିତ ଏହି ଆଇନଜୀବି ସଂଘର ବାର୍ଷିକ ସମ୍ମିଳନୀରେ ପୂର୍ବତନ ଆଡ୍ଭୋକେଟ୍ ଜେନେରାଲ ଗଙ୍ଗାଧର ରଥ ଏହି ସମ୍ମିଳନୀର ମୁଖ୍ୟ ଆୟୋଜକ ଭାବେ ଓ ସଭାପତି ଅଭିଭାଷଣରେ ଆଇନଜୀବି ଓ ରାଜନୀତି ସଂପର୍କରେ ଏକ କ୍ଷୁଦ୍ର ଭାଷଣ ଦେଇ କହିଥିଲେ ଯେ ଆଇନଜୀବି ମାନେ ସମାଜର ଆଇନ ବ୍ୟବସ୍ଥାର ଅଭିଭାବକ ।

ସେମାନେ ଯେକୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହେଲେ ମଧ୍ୟ ଆଇନଜୀବି ମାନଙ୍କର ସମ୍ମାନ ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ରାଜନୈତିକ ଦଳରେ ଉଦ୍ଧ୍ୱର୍ରେ ରହି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ସମାଜ ପ୍ରତି ଆଇନଜୀବିର ନୈତିକ ଓ ସାମଜିକ ଦାୟିତ୍ୱ ରହିଛି । କେବଳ ସେହି ଦାୟିତ୍ୱ ନିଜ ମହକିଲଙ୍କ ପ୍ରତି, କୋର୍ଟ ପ୍ରତି ରଖିବାର ଯେତିକି ଆବଶ୍ୟକତା ଅଛି ସମାଜରେ ଆଇନ ବ୍ୟବସ୍ଥାକୁ ଅର୍ଥ ଅଭାବ ଦୃଷ୍ଟିରୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତିଟି ପାଇଁ କି ମଧ୍ୟ ସମପରିମାଣର ଦାୟିତ୍ୱ ରହିଛି ।

ସମାଜରେ ପ୍ରକୃତ ଆଇନର ଶାସନ ସେ ଦିନ ସମ୍ଭବ ଯେଉଁ ଦିନ ନ୍ୟାୟ ସମାନ ଭାବେ ସମସ୍ତଙ୍କୁ ମିଳି ପାରିବ । ଆଜି ଆମ ସମାଜରେ ଆଇନ ସହାୟତା ଖୋଜୁଥିବା ବ୍ୟକ୍ତି ଓ ଗୁଣାତ୍ମକ ଆଇନସେବା ଯୋଗାଇପାରିବାକୁ ସକ୍ଷମଥିବା ଆଇନଜୀବି ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଆଇନପେଶାର ସହାୟତା ପାଇଁ ହାତ ବଢ଼ାଉଥିବା ବ୍ୟକ୍ତି କିମ୍ବା ଆଇନ୍କୁ ବ୍ୟବହାର କରି ପାରୁନଥିବା ବ୍ୟକ୍ତି ଅଥବା ଆଇନ ସମ୍ପର୍କରେ ସଚେତନ ନଥିବା ବ୍ୟକ୍ତି ପାଇଁ ଆଇନ ସେବା ଯୋଗାଇବା ପାଇଁ ଆଇନ୍ ପେଶାରେ ଥିବା ବରିଷ୍ଠ ଅଭିଜ୍ଞ ଆଇନଜୀବି ମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

କେବଳ ଜଣେ ଅଧିକ ଅର୍ଥ ଉପାର୍ଜନକାରୀ ଆଇନଜୀବିକୁ ସମାଜର ବିଭିନ୍ନ ସ୍ତରରେ ଆମେ ଯେଉଁ ସ୍ୱୀକୃତି ପ୍ରଦାନ କରୁଛନ୍ତି ଏବଂ ସମ୍ମାନର ପାତ୍ର ଭାବେ ଅଭିହିତ କରୁଛନ୍ତି ଠିକ୍ ସେହି ସମୟରେ ସମାଜର ଦଳିତ ଆଦିବାସୀ ଅବହେଳିତ ବର୍ଗପାଇଁ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଆଇନଜୀବିଙ୍କର ମର୍ଯ୍ୟାଦା ଓ ସମ୍ମାନ ପାଇଁ ସେହିଭଳି ଉଦ୍ୟମ ଆରମ୍ଭ କରାଯାଉ ନାହିଁ ।

ସେଥିପାଇଁ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ ଆଇନଜୀବି ମାନେ ମଧ୍ୟ ଜୀବନର ଶେଷଭାଗରେ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ପାଇଁ ନିଜେ ଗର୍ବ ଅନୁଭବ କରି ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିବା ବଦଳରେ ନିଜର ଉସôର୍ଗୀକୃତ ଜୀବନ ପାଇଁ ପଶ୍ଚାତାପ କରିବା ସହିତ ଅନ୍ୟ ଯୁବ ଆଇନଜୀବି ମାନଙ୍କୁ ଏହି ପଥ ପ୍ରତି ଅନାଗ୍ରହ ପ୍ରକାଶ କରିବା ପାଇଁ ମତଦେଉଛନ୍ତି ।

ଏଥିପାଇଁ ଆମ ଦେଶର ବିଭିନ୍ନ ଆଇନଜୀବି ସମ୍ମିଳନୀ ମାନଙ୍କରେ ଯୁବ ଆଇନଜୀବି ମାନଙ୍କୁ ପ୍ରେରଣା ଦେବାଲାଗି ସେମାନଙ୍କୁ ଆଇନସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ଓ ସାମାଜିକ ଦାୟିତ୍ୱ ବୋଧ ଥିବା ନାଗରିକ ଭାବେ ପେଶାର ଗୁରୁଦାୟିତ୍ୱ ତୁଲାଇବା ଲାଗି ଯେଉଁ ଆହ୍ୱାନ ଦିଆଯାଉଛି ଏହାର କୌଣସି ପ୍ରଭାବ ପରିଲିକ୍ଷିତ ହେଉନାହିଁ ।

ଆଇନ ପେଶାକୁ କେବଳ ନିଜ ଉଦ୍ଦେଶ୍ୟରେ ନୁହେଁ ସମାଜ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ମଧ୍ୟ ଯୁବ ଆଇନଜୀବି ମାନେ ଆଗଭର ହେଉନାହାଁନ୍ତି । ଆଇନଜୀବି ମାନଙ୍କ ଭୂମିକା କେବଳ କୋର୍ଟ କଚେରୀ ମଧ୍ୟରେ ସୀମିତ ନରହି ଆଇନ ତିଆରି କରିବା ଠାରୁ  ଆରମ୍ଭ କରି ଆଇନରେ ସଂଶୋଧନ କରିବା ପର୍ଯ୍ୟନ୍ତ ଓ ଦେଶରେ ସୁପ୍ରଶାସନ ମଧ୍ୟ ଉଦ୍ଧିଷ୍ଟ ହେବାର ଆବଶ୍ୟକତା ରହିଛି ।

ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସେମାନେ ହିଁ ଛାମୁଆ ବାହିନୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଗୁରୁତ୍ୱତା ଏବେ ଉପଲବ୍ଧ ହେଇଛି । ଆମ ସମାଜରେ ଆଇନଜୀବିମାନଙ୍କ ସଂପର୍କରେ ସାଧାରଣଲୋକ ମାନଙ୍କ ଯେଉଁ ଧାରଣା ଅଛି ସେଥିରେ ପରିବର୍ତ୍ତନ ଲାଗି ଓ ଆଇନଜୀବି ମାନଙ୍କ ଭାବମୂର୍ତ୍ତିରେ ମଧ୍ୟ ପରିବର୍ତ୍ତନ ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ଆଇନଜୀବି ମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ଦିଗଟିକୁ ଗୁରୁତ୍ୱ ଦେବାକୁ ପଡ଼ିବ ।

ନିଖିଳ ଓଡ଼ିଶା ଆଇନଜୀବି ସଂଘର ଚଉରାଳିଶିତମ ସାଧାରଣ ଅଧିବେଶନରେ କଟକ ଠାରେ ୧୯୮୭ ମସିହା ପରେ ଓଡ଼ିଶା ହାଇ କୋର୍ଟ ବାରଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଆଇନଜୀବିମାନେ ସେମାନଙ୍କ ପେଶାର ସୁରକ୍ଷା, ସ୍ୱାଧୀନତା, ସାମାଜିକ ନିରାପତ୍ତା ଦିଗରେ ଆଇନଗତ ତର୍ଜମା କଲାବେଳେ ମଧ୍ୟ ସାଂପ୍ରତିକ ଜଗତୀକରଣ ସମାଜରେ ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ସଂପର୍କରେ ମଧ୍ୟ ଆଲୋଚନା କରିବା ସେମାନଙ୍କ ପାଇଁ ମଧ୍ୟ ଏକ ପ୍ରମୁଖ ଆହ୍ୱାନ ।

ରାଜ୍ୟସାଧାରଣ ସଂପାଦକ

ନିଖିଳ ଓଡ଼ିଶା ଆଇନଜୀବି ସଂଘ
(ନିଖିଳ ଓଡ଼ିଶା ଆଇନଜୀବି ସଂଘର ୪୪ତମ ବାର୍ଷିକ ଅଧିବେଶନ ଅବସରରେ)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆଇନ, ବିଭୁ ପ୍ରସାଦ ତ୍ରିପାଠୀ

କୃଷକଙ୍କ ଦୁରାବସ୍ଥା ଓ ରାଷ୍ଟ୍ରୀୟ କୃଷକ କମିସନ୍-ଜଗଦୀଶ ପ୍ରଧାନ

November 24, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ରାସାୟନିକ ଆଧାରିତ ଆଧୁନିକ ଚାଷବାସର ପ୍ରବର୍ତ୍ତନ ଆରମ୍ଭ ହେବା ଦିନରୁ ଆମ ଦେଶରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇପାରିଛି ସତ, କିନ୍ତୁ ଏହା ସାଙ୍ଗକୁ ସାରା ଦେଶରେ କୃଷକମାନଙ୍କର ଦୁର୍ଦ୍ଧଶା ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଚର୍ଚ୍ଚା ହୋଇଆସୁଛି ।

jagdishଆର୍ଥିକ ଉଦାରୀକରଣ ପରେ ଓ ବିଶେଷକରି ୧୯୯୫-୯୬ ପରଠୁ ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର, ପଂଜାବ, କେରଳ ଇତ୍ୟାଦି ରାଜ୍ୟରେ ଦୁର୍ଦ୍ଧଶାଗ୍ରସ୍ତ କୃଷକମାନଙ୍କର ଆତ୍ମହତ୍ୟା ଘଟଣାସବୁ ଅତ୍ୟନ୍ତ ଉଦବେଗଜନକ ରୂପନେବାକୁ ଲାଗିବାରୁ କୃଷି ଓ କୃଷକଙ୍କର ଏହି  ଉଦବେଗଜନକପରିସ୍ଥିତି ପଛରେ ଥିବା କାରଣସବୁ ଉପରେ ଅନୁଧ୍ୟାନ କରି ସେ ସବୁର ନିରାକରଣ ଦିଗରେ ସରକାରଙ୍କୁ ପରାମର୍ଶ ଦେବା ନିମନ୍ତେ ଏନ.ଡି.ଏ. ସରକାରଙ୍କ ସମୟରେ କୃଷି ବିଷାରଦ ଏବଂ ବିଶିଷ୍ଟ କୃଷକ ନେତା ସୋମପାଲ ସିଂହଙ୍କ ଅଧ୍ୟକ୍ଷତାରେ  ରାଷ୍ଟ୍ରୀୟ କୃଷକ କମିସନ୍ ନାମରେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିସନ ଗଠନ କରାଯାଇଥିଲା ।

୨୦୦୪ ବର୍ଷରେ ୟୁପିଏ ସରକାର ଆସିବାପରେ ଏହିକମିସନରୁ ସୋମପାଲ ସିଂହ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ପ୍ରଫେସର ଏମ୍.ଏସ୍.ସ୍ୱାମୀନାଥନଙ୍କୁ ନେଇ କମିସନର ପୁର୍ନଗଠନ କରାଯାଇଥିଲା, ଯେଉଁଠି ଏହି ଲେଖକଙ୍କୁ ମଧ୍ୟ ଉକ୍ତ ଆଠଜଣିଆ  କମିସନର ଜଣେ ସଦସ୍ୟଭାବେ ନିଆଯାଇଥିଲା ।

ଏହି କମିସନ୍ ୨୦୦୪ ରୁ ୨୦୦୬ ବର୍ଷ ମଧ୍ୟରେ କୃଷି ଏବଂ କୃଷକଙ୍କ ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ବିସ୍ତୃତ ଚର୍ଚ୍ଚା ଆଲୋଚନା କରିବା ନିମନ୍ତେ ଦେଶର ଅନେକ କୃଷି ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ, ସାମାଜିକକର୍ମୀ ଓ ସମାଜ ବିଜ୍ଞାନୀ,କୃଷକ ସଂଗଠନମାନଙ୍କ ନେତୃବର୍ଗ ତଥା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟସଂଗଠନର ପ୍ରତିନିଧିମାନଙ୍କ ସହିତ ସଂପର୍କ ରଖି ବ୍ୟାପକ ଚର୍ଚ୍ଚା ଓ ବିଚାର ବିମର୍ଶର ଆୟୋଜନ କରିଥିଲା ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୨୦୦୪ ରୁ ୨୦୦୬ ଭିତରେ କମିସନ ତରଫରୁ ସରକାରଙ୍କୁ ପାଞ୍ଚଟି ସୁବିସ୍ତୁତ ରିପୋର୍ଟ ଦିଆଯାଇଥିଲା ତଥା ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀ, ଯୋଜନା କମିସନ, କୃଷିମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସେ ସବୁ ରିପୋର୍ଟକୁ ନେଇ ସ୍ୱତନ୍ତ୍ର ଆଲୋଚନା ମଧ୍ୟ କରାଯାଇଥିଲା ।

ତିନି ବର୍ଷ ଭିତରେ କମିସନ ଦେଇଥିବା ବିଭିନ୍ନ ରିପୋର୍ଟର ସାରମର୍ମ ଥିଲା ଯେ – ସ୍ୱାଧୀନତା ପରବର୍ତ୍ତୀ ସମୟରେ ସରକାର ବିଭିନ୍ନ ରାଷ୍ଟ୍ରୀୟ କୃଷିନୀତିମାନ ପ୍ରଣୟନ କରିବା ସହିତ କୃଷିର ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ନେବା ଫଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ ଯଥେଷ୍ଟ ବଢ଼ିଛି ସତ, କିନ୍ତୁ କୃଷି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କୃଷକମାନଙ୍କର ନେଟ୍ ଆୟ ବୃଦ୍ଧି ତଥା ସାମାଜିକ କଲ୍ୟାଣ ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆନଯିବା ଫଳରେ କ୍ରମାଗତ ଭାବରେ ଦେଶସାରା କୃଷକମାନଙ୍କ ଆର୍ଥିକ ଦୁରବସ୍ଥା ବଢ଼ିଚାଲିଛି ଏବଂ ସେମାନଙ୍କ ମନରେ ହତାଶା ମନୋଭାବ ବୃଦ୍ଧିପାଇବାରେ ଲାଗିଛି ।

ଅଣକୃଷିକ୍ଷେତ୍ରରେ ନିୟୋଜିତ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ପୁରୁଷ-ମହିଳାଙ୍କ ଆୟରେ ତାରତମ୍ୟ ଯେଭଳି ଭାବରେ ବଢ଼ିଚାଲିଛି ତାହା ନିଶ୍ଚିତଭାବେ ଉଦବେଗଜନକଏବଂ ସେଦିଗରେ ମଧ୍ୟ ସରକାରଙ୍କୁ କେତେକ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ ।

ଦେଶର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା କୃଷକ ଆତ୍ମହତ୍ୟା ଘଟଣା ସବୁର ପଛରେ ଯେ କୃଷକମାନଙ୍କର ଆର୍ଥିକ ଦୁରବସ୍ଥା ଏକ ମୁଖ୍ୟ କାରଣ ଏବଂ ଏହି ଦୁରବସ୍ଥାରେ ସୁଧାର ଆଣିବାକୁ ହେଲେ କେନ୍ଦ୍ର ସରକାର ଏକ ସୁଚିନ୍ତିତ ରାଷ୍ଟ୍ରୀୟ କୃଷକ ନୀତି ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରିବାକୁ ହେବ ।

କମିସନ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲା ଯେ କୃଷିକ୍ଷେତ୍ରର ବିକାଶ ଆକଳନ କରିବା ସମୟରେ ମୋଟ ଉତ୍ପାଦନ ବା ଉତ୍ପାଦକତାକୁ ପ୍ରମୁଖ ସୂଚକ ଭାବରେ ନ ନେଇ ସଂପୃକ୍ତ କୃଷକ (ତଥା କୃଷି ଶ୍ରମିକ) ଙ୍କ ନେଟ୍ ଉପାର୍ଜନକୁ ସୂଚକ ଭାବରେ ନେବା ଆବଶ୍ୟକ ।

ଏଭଳି ଏକ ବିଚାରକୁ ନେଇ ରାଷ୍ଟ୍ରୀୟ କୃଷକନୀତି କିଭଳି ହେବା ଆବଶ୍ୟକ ସେ ସଂପର୍କରେ କମିସନ୍ ଅକ୍ଟୋବର ୨୦୦୬ ରେ ସରକାରଙ୍କୁ “ରାଷ୍ଟ୍ରୀୟ କୃଷକ ନୀତି’ର ଏକ ଚିଠା ପ୍ରସ୍ତାବ ମଧ୍ୟ ଦେଇଥିଲେ ।

କମିସନଙ୍କ ପ୍ରସ୍ତାବକ୍ରମେ ଏବଂ ଉକ୍ତ ଚିଠା ପ୍ରସ୍ତାବର ଆଧାରରେ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ କୃଷକ ନୀତି ୨୦୦୭’ର ପ୍ରଣୟନ କରିଥିଲେ କିନ୍ତୁ ଦୁଃଖର ବିଷୟ ଯେ ଏହି ରାଷ୍ଟ୍ରୀୟ କୃଷକ ନୀତିରେ କମିସନଙ୍କ ପ୍ରଦତ୍ତ ଚିଠା ପ୍ରସ୍ତାବର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସ୍ଥାନ ପାଇ ପାରିନଥିଲା ।

ପରବର୍ତ୍ତୀ ସମୟରେ ମଧ୍ୟ ଏହି କୃଷକ ନୀତିରେ ରାଷ୍ଟ୍ରୀୟ କୃଷକ କମିସନଙ୍କ ପ୍ରସ୍ତାବ ସବୁର ଆଧାରରେ କୌଣସି ସଂଶୋଧନ ଅଣାଯାଇ ନାହିଁ । ରାଷ୍ଟ୍ରୀୟ କୃଷକ କମିସନଙ୍କ ବିଭିନ୍ନ ପରାମର୍ଶକୁ ଯଦି କାର୍ଯ୍ୟକାରୀ କରାଯାଇଥାନ୍ତା, ତେବେ ଆମ ଦେଶର କୃଷକଙ୍କ ଅବସ୍ଥାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିସାରିଥାଆନ୍ତା ବୋଲି ଅନେକେ ମତ ପ୍ରକାଶ କରିଆସିଛନ୍ତି ।

ଆମ ଦେଶର ତଥା କୃଷି ଏବଂ କୃଷକଙ୍କ ସାମଗ୍ରିକ ବିକାଶକୁ ଆଖିରେ ରଖି ଏକ ରାଷ୍ଟ୍ରୀୟ କୃଷକ ନୀତି ପ୍ରସ୍ତୁତି ନିମନ୍ତେ କମିସନଙ୍କ ତରଫରୁ ନିମ୍ନ ଦଶଟି ଲକ୍ଷ୍ୟ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।

୧. କୃଷିକାର୍ଯ୍ୟକୁ ଲାଭଜନକ କରିବା ଏବଂ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଜଣେ କୃଷକ ତାହାର କୃଷିକାର୍ଯ୍ୟରେ ସମସ୍ତ ଖର୍ଚ୍ଚ ଯାଇ ନିୟମିତ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଉପାର୍ଜନ କରିପାରିବ । କୃଷିକ୍ଷେତ୍ରରେ ବିକାଶର ହାର ନିରୂପଣ କରିବା ସମୟରେ ମୁଖ୍ୟତଃ କୃଷକର ଆୟ ବୃଦ୍ଧିକୁ ବିଚାରକୁ ନିଆଯିବ ।

୨. ଦେଶର ସମସ୍ତ କୃଷିନୀତିରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱଦେବା ସହିତ ନିରନ୍ତର ଗ୍ରାମୀଣ ଜୀବିକା ଉନ୍ନୟନର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଦିଆଯିବ ।

୩. ଭୂସଂସ୍କାର କ୍ଷେତ୍ରରେ ଅଧାପନ୍ତରିଆ ଥିବା କାର୍ଯ୍ୟକ୍ରମକୁ ଗୁରୁତ୍ୱଦେଇ ଦେଶର ପ୍ରତ୍ୟେକ ଅଞ୍ଚଳରେ ଭୂସଂସ୍କାରକୁ ସଂପୂର୍ଣ୍ଣ କରାଯିବ ।

୪. କୃଷକମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରାଯିବ ।

୫. ଜମି, ଜଳ, ଜୈବ ବିବିଧତା ଏବଂ ଜଳବାୟୁ ସଂପର୍କୀତ ପ୍ରାକୃତିକ ସଂପଦର ସୁରକ୍ଷା ଓ ଉନ୍ନତି ବିଧାନ ଦିଗରେ ପଦକ୍ଷେପ ନିଆଯିବ । କୃଷିକ୍ଷେତ୍ରରେ ଉତ୍ପାଦନ ଓ ଉପôାଦିକତା ବୃଦ୍ଧି ସହିତ ଚାଷୀପାଇଁ ଲାଭ ସୁନିଶ୍ଚିତ କରିବା ଓ ଉତ୍ପାଦନର ସ୍ଥିରତା ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

୬. ଗ୍ରାମାଞ୍ଚଳରେ ଗ୍ରାମ୍ୟଗୋଷ୍ଠୀ ପରିଚାଳିତ ଖାଦ୍ୟ, ଜଳ ଓ ଶକ୍ତିର ସୁରକ୍ଷା ବ୍ୟବସ୍ଥା ଏବଂ କୃଷିକ୍ଷେତ୍ରରେ ଜଡ଼ିତ ସମସ୍ତଙ୍କ ପାଇଁ ପୁଷ୍ଟିସାର ଖାଦ୍ୟର ସୁରକ୍ଷା ସୁନିଶ୍ଚିତ କରାଯିବ ।

୭. କୃଷିକ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବ, ଯାହାଦ୍ୱାରା କୃଷିକ୍ଷେତ୍ର ପ୍ରତି ଅଧିକରୁ ଅଧିକ ଯୁବାବର୍ଗ ଆକର୍ଷିତ ହେବେ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ରହିବାକୁ ଆଗ୍ରହ ପ୍ରକାଶ କରିବେ ।

୮. କୃଷକମାନଙ୍କର ସ୍ୱାସ୍ଥ୍ୟ, ଉପାର୍ଜନ ତଥା ରାଷ୍ଟ୍ରର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଫସଲ, ପ୍ରାଣୀ ସଂପଦ ଓ ମତ୍ସ୍ୟ ସଂପଦର ଜୈବସୁରକ୍ଷାକୁ ନିଶ୍ଚିତ କରାଯିବ ।

୯. କୃଷିଶିକ୍ଷା ସଂପର୍କୀୟ ପାଠ୍ୟ ଖସଡ଼ାରେ ଏଭଳି ଢାଞ୍ଚାଗତ ପରିବର୍ତ୍ତନ କରାଯିବ, ଯଦ୍ୱାରା ଗୃହବିଜ୍ଞାନ ଓ କୃଷି ସ୍ନାତକମାନେ ଜଣେ ଜଣେ କୃଷିଉଦ୍ୟୋଗୀ ହୋଇ ବାହାରିବେ । ଏହା ସହିତ କୃଷିଶିକ୍ଷାକୁ ମଧ୍ୟ ଲିଙ୍ଗ (ଜେଣ୍ଡର) ସଚେତନ କରାଯିବ ।

୧୦. ଜୈବପ୍ରଯୁକ୍ତି ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ସଦୁପଯୋଗ କରି ବିଶ୍ୱ ସ୍ତରରେ ଭାରତକୁ ଚିରନ୍ତନ କୃଷି ଓ କୃଷି ଉତ୍ପାଦ କ୍ଷେତ୍ରରେ ଏକ ମୁଖ୍ୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରାଯିବ ।

ରାଷ୍ଟ୍ରୀୟ କୃଷକ କମିସନଙ୍କ ପାଞ୍ଚଟି ରିପୋର୍ଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଉପରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଥିଲେ ହେଁ ସେ ସବୁକୁ ନେଇ ସଂସଦରେ କିମ୍ବା ଅନ୍ୟତ୍ର ବିଶେଷ ଚର୍ଚ୍ଚା କରାଯାଇ ନାହିଁ । ଅବଶ୍ୟ, ଫସଲବୀମା, କୃଷିଋଣ, କୃଷି ସଂପ୍ରସାରଣ ଇତ୍ୟାଦି ଅଳ୍ପକେତୋଟି କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରମାନେ କିଛି କିଛି କାର୍ଯ୍ୟକ୍ରମ ନେଇଥିବାର ଜଣାଯାଏ ।

ବିଭିନ୍ନ କୃଷକ ସଂଗଠନମାନଙ୍କ ଦ୍ୱାରା ମୁଖ୍ୟତଃ କମିସନଙ୍କ ପ୍ରସ୍ତାବିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିରୂପଣ ପ୍ରଣାଳୀକୁ ନେଇ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଉଅଛି ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକମେଣ୍ଟ ମଧ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ତାଙ୍କର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଯେ ସରକାର ଗଠନ କଲେ ସେମାନେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ।

ଅବଶ୍ୟ, ଇତିମଧ୍ୟରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ମେଣ୍ଟ ସରକାର ଗଠନ ହେବାପରେ ଉକ୍ତ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରେ ଏକ ସତ୍ୟପାଠ ଦାଖଲ କରିଥିବା ଜଣାଯାଏ । ୧୯୯୫-୨୦୦୬ ବେଳକୁ ଆମ ଦେଶରେ କୃଷକମାନଙ୍କ ଅବସ୍ଥା ଯାହାଥିଲା ଆଜି ମଧ୍ୟ ସେଭଳି ରହିଅଛି କିମ୍ବା ସେମାନଙ୍କ ଦୁରାବସ୍ଥା ଆହୁରି ଅଧିକ ବଢ଼ିଛି ।

୨୦୦୪ ରୁ ୨୦୦୬ ମଧ୍ୟରେ ରାଷ୍ଟ୍ରୀୟ କୃଷକ କମିସନ ଦେଇଥିବା ପ୍ରସ୍ତାବମାନଙ୍କର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଅଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉକ୍ତ ପ୍ରସ୍ତାବ ସବୁର ଆଧାରରେ ପଦକ୍ଷେପ ନେଲେ ଦେଶରେ ତଥା ରାଜ୍ୟମାନଙ୍କରେ କୃଷକମାନଙ୍କର ଦୁରାବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୨୦୦୬)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ – କେତୋଟି ପ୍ରସ୍ତାବ: ଜଗଦୀଶ ପ୍ରଧାନ

November 22, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

jagdish− ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ ଏବେ ସାରାଦେଶରେ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ସ୍ଥିତିକୁ ପହଞ୍ଚି ସାରିଛି ।

− ତା’ ଉପରେ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆକ୍ରମଣ ଇତ୍ୟାଦି ଦୁର୍ବିପାକ ଦେଖାଦେଲେ ଚାଷୀମାନଙ୍କ ଦୁରାବସ୍ଥା ଆହୁରି ବଢ଼ିଯାଉଛି ।

− ଓଡ଼ିଶା ପରିପ୍ରେକ୍ଷୀରେ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଦୁରାବସ୍ଥା ସବୁଠାରୁ ବେଶି ।

− ସମସ୍ତେ ଏହା ବୁଝିବା ଆବଶ୍ୟକ ଯେ, ଏପରି ଦୁରାବସ୍ଥାର ମୁଖ୍ୟ କାରଣ ‘ୠଣ’ ନୁହେଁ କିମ୍ବା ସୁବିଧାରେ ଓ କମ୍ ସୁଧରେ ‘ୠଣ’ ମିଳିଗଲେ ଯେ ଏ ଦୁରାବସ୍ଥା ସୁଧୁରିଯିବ ତାହା ବି ନୁହେଁ ।

ଏପରି ଦୁରାବସ୍ଥା ପାଇଁ ଅନେକ କାରଣ ରହିଛି ଯାହାକୁ ସରକାର ଏକ ସୁଚିନ୍ତିତ କାର୍ଯ୍ୟକାରୀ କରିପାରିବା ଭଳି ଯୋଜନା ଜରିଆରେ ହିଁ ସମାଧାନ କରିପାରିବେ ।

− ଏବେ ରାଜ୍ୟରେ ଚାଷୀମାନଙ୍କ ଆତ୍ମହତ୍ୟା କରୁଥିବା ସମ୍ବାଦ ସବୁ ଯେଭଳି ଭାବେ ଆସୁଛି ତାହା ଯେ କୌଣସି କାରଣରୁ ହେଉନାକାହିଁ କି ଉକ୍ତ ଚାଷୀମାନଙ୍କ ଭିତରୁ ଯେ ଅଧିକାଂଶ ଚାଷୀ ଆର୍ଥିକ ଦୃଷ୍ଟିରୁ ଅନେକ ଦିନ ଧରି ମାନସିକ ଚାପରେ ରହିବାପରେ ଅନ୍ୟ ଉପାୟ ନପାଇଁ ଆତ୍ମହତ୍ୟା କରିବାର ବାଟ ବାଛି ନେଉଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

− ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତି ଚାଷୀ ହେଉ ବା ଅଣଚାଷୀ ହେଉ ତାହାଙ୍କୁ ଏଭଳି ପଦକ୍ଷେପ ନେବାରୁ ନିବୃତ କରାଇପାରିବା ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ।

− ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାପାଇଁ ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ସରକାର ତୁରନ୍ତ ନିୟୋଜିତ କରିବା ଆବଶ୍ୟକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦେବା ଆବଶ୍ୟକ ।

− ସରକାର ବିଭିନ୍ନ ରିଲିଫ୍ ଓ କୃଷି ବିକାଶ କାର୍ଯ୍ୟକ୍ରମ ଘୋଷଣା କରୁଥିଲେ ମଧ୍ୟ ସାଧାରଣ ଚାଷୀମାନଙ୍କର ସରକାର (ଓ ସରକାରୀ କର୍ମଚାରୀମାନଙ୍କ) ଙ୍କ ଉପରେ ଆସ୍ଥା ଆସୁନାହିଁ । କୌଣସି କୃଷକର ଆତ୍ମହତ୍ୟା ଘଟଣାର ଗଣମାଧ୍ୟମରେ ଯେତିକି ଅଧିକ ଚର୍ଚ୍ଚା ଓ ପ୍ରଚାର ହେଉଛି ଦୁଃସ୍ଥ ଚାଷୀମାନଙ୍କର ସରକାର ଓ ସରକାରୀ ଯୋଜନା ଉପରେ ତଥା ନିଜ ଉପରେ ମଧ୍ୟ ଆସ୍ଥା ସେତିକି ହ୍ରାସ ପାଉଛି । ଫଳରେ ଆତ୍ମହତ୍ୟା ଏକ ସଂକ୍ରାମକ ବ୍ୟାଧି ଭଳି ହେବାକୁ ଯାଉଛି ।

ସରକାର ଏହି ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

− ଏକ ବିକେନ୍ଦ୍ରିତ ଶାସନ ବ୍ୟବସ୍ଥା ହିଁ ଅତି ସାଧାରଣ ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚôପାରିବ ଓ ଲୋକଙ୍କ ସମସ୍ୟା ବୁଝିପାରିବ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କିମ୍ବା ଉଚ୍ଚ ପଦାଧିକାରୀମାନେ ଜିଲ୍ଲାଗସ୍ତ କରିବାରେ ଲୋକେ ବିଶେଷ ସୁଫଳ ପାଇପାରିବେ ନାହିଁ ।

ସରକାର ପଞ୍ଚାୟତ ସ୍ତରରେ ଶାସନ ପ୍ରଣାଳୀକୁ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରନ୍ତୁ । ଏକ ଦକ୍ଷ ଓ ସୁଦୃଢ଼ ପଞ୍ଚାୟତରାଜ ବ୍ୟବସ୍ଥା ଜରିଆରେ ହିଁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ତ୍ୱରାନ୍ୱିତ କରିପାରିବେ ।

− ଦୀର୍ଘକାଳୀନ ଭିତ୍ତିରେ କୃଷି ଓ କୃଷକଙ୍କ ପାଇଁ କ’ଣ କରାଯିବା ଆବଶ୍ୟକ ତାହା ଚର୍ଚ୍ଚା କରିବାକୁ ତ ସମୟ ଅଛି କିନ୍ତୁ ଯେଉଁ ସବୁ କାରଣରୁ ଏବେ କୃଷକମାନଙ୍କ ଭିତରେ ହତାସ ଭାବ ବୃଦ୍ଧିପାଇ କିଛି ଚାଷୀ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି ତାହାକୁ ପ୍ରତିହତ କରିବାପାଇଁ ସରକାର ଗ୍ରାମପଞ୍ଚାୟତମାନଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଯଥୋଚିତ ପଦକ୍ଷେପ ନିଅନ୍ତୁ ।

ପ୍ରଥମ ପଦକ୍ଷେପ ସ୍ୱରୂପ ମରୁଡ଼ିଗ୍ରସ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ସବୁଠାରୁ ବେଶି ଦୁର୍ଗତ ୪୦-୫୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ତାଙ୍କୁ ବିଭିନ୍ନ ଯୋଜନାରେ ଯୋଡ଼ାଯାଉ ଯେମିତି ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ ।

− ଚାଷୀମାନଙ୍କ ସକାରାତ୍ମକ ଉଦ୍ୟମକୁ ସହାୟତା ଦେଇ ପ୍ରଚାର ପ୍ରସାର କରାଯାଉ ।

− ରାଷ୍ଟ୍ରୀୟ କୃଷକ କମିଶନଙ୍କ ପରାମର୍ଶ ତଥା ରାଜ୍ୟ କୃଷକ କମିସନ୍ ଦେଇଥିବା ରିପୋର୍ଟର ଆଧାରରେ ସରକାର ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଦୀର୍ଘକାଳୀନ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

କେବି ସିଂହଙ୍କ ପୁଲିସ ଡିଜି ପଦବୀରେ ନିଯୁକ୍ତି କାହିଁକି ଯଥାର୍ଥ : ଅଶୋକ ସାହୁ

November 19, 2015 by ନିଉଜ ଡେସ୍କ Leave a Comment

ଅଶୋକ ସାହୁ

ashok sahu
ଅଶୋକ ସାହୁ

ପ୍ରଶାସନରେ ବିଭିନ୍ନ ପଦପଦବୀ ବିଭିନ୍ନ କାନୁନ୍ ଅନୁଯାୟୀ ରହିଛି । ଉକ୍ତ ପଦପଦବୀରେ ଉପଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି କରିବାପାଇଁ କାନୁନି ବ୍ୟବସ୍ଥା ରହିଛି, ଯାହା ପଦୋନ୍ନତି ମାଧ୍ୟମରେ ମଧ୍ୟ ସାଧିତ ହୋଇଥାଏ ।

ସେହି ଉଦ୍ଧେଶ୍ୟରେ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ ସମ୍ପୃକ୍ତ ବିଭାଗର ସରକାରୀ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ, ଯାହା ମଧ୍ୟରୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଶୂନ୍ୟ ପଦବୀରେ ନିଯୁକ୍ତି ମିଳିଥାଏ ।

ଆବଶ୍ୟକତା ଅନୁଯାୟୀ ପ୍ରଶାସନିକ ପଦପଦବୀରେ ନିଯୁକ୍ତି ପଦୋନ୍ନତି ମାଧ୍ୟମରେ ସମାହିତ କରିବାପାଇଁ ବିଭିନ୍ନ ସମୟରେ ନିର୍ଦ୍ଧେଶନାମା ଏବଂ ନିୟମାବଳୀ ପ୍ରସ୍ତୁତ ହୋଇଥାଏ ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ବିଧି ଏବଂ ନଜିର ରହିଛି ।

ଏଥିରେ କିଛି  ବିଭ୍ରାଟ ହେଲେ ଅନ୍ୟାୟ ଏବଂ ଅବ୍ୟବସ୍ଥାର ଶୀକାର ହୋଇଥିବା ସରକାରୀ କର୍ମଚାରୀ ନ୍ୟାୟାଳୟର ଆଶ୍ରୟ ନେଇ ପାରନ୍ତି ।

KB singh
କେବି ସିଂ

କିଛିଦିନତଳେ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ କେନ୍ଦ୍ରକରି ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।

ସଦ୍ୟ ନିଯୁକ୍ତିପ୍ରାପ୍ତ ମହାନିର୍ଦ୍ଦେଶକ ପୂର୍ବରୁ ଭଜିଲାନସ ଡିଜି ଥିବା ସମୟରେ ପୂର୍ବତନ ଡିଜି ଶ୍ରୀ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ବିବାଦୀୟ ମାମଲାର ନିଷ୍ପତ୍ତି କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତତ୍କାଳୀନ ଭିଜିଲାନସ ଡିଜିଙ୍କ କାଯ୍ୟର୍କଳାପ ଉପରେ ତିର୍ଯ୍ୟକ୍ ମନ୍ତବ୍ୟ ଦେଇ ଏକ ପ୍ରକାର ଭର୍ସ୍ତନା କରିଥିଲେ ।

ତଥାପି କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଭଳି ଏକ ବ୍ୟକ୍ତିଙ୍କୁ ପୋଲିସ ବିଭାଗର ମୁଖ୍ୟଭାବେ ନିଯୁକ୍ତି ଦେଲେ ତାକୁ କେହି କେହି ପ୍ରଶ୍ନ କରିଛନ୍ତି ।

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ।

କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି ସିଂହଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ତୃଟି ହୋଇନାହିଁ ।

 

(ଅଶୋକ ସାହୁ ଜଣେ ପୂର୍ବତନ ଭାରତୀୟ ପୁଲିସ ସେବା ଅଧିକାରୀ)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: କେବି ସିଂହ, ଡିଜି, ପୋଲିସ, ପ୍ରକାଶ ମିଶ୍ର

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’

November 18, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଚାଷୀମାନଙ୍କ ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବେ ଚର୍ଚାରେ। ମରୁଡି ଓ ଋଣଭାରରେ ଆକ୍ରାନ୍ତ ରାଜ୍ୟର ଚାଷୀକୂଳ ପ୍ରାୟ ପ୍ରତିଦିନ ଜଣେ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଥିବା ବେଳେ ପ୍ରମିଳା ‘ବିରୋଧୀ ଚାଷୀଙ୍କୁ ଆମର ଲଡୁ ଦେଇଦିଅନ୍ତୁ ଆଉ ସେମାନେ ମରିବେ ନାହିଁ ‘ କହିବା ଦ୍ଵାରା ସେ ଚାଷୀଙ୍କୁ ପରିହାସ କରିଥିବା ବହୁ ବୁଦ୍ଧିଜୀବୀ ଓ ବିରୋଧୀ ଦଳ ନେତା ମାନେ କହିଛନ୍ତି।

pramila mallikତାଙ୍କ ତାତ୍ସଲ୍ୟ ଚାଷୀଙ୍କୁ ବେଡ଼ି ଉପରେ କୋରଡା ମାଡ ସଦୃଶ ମନେ ହେଉଥିବା ସେମାନେ କହିଛନ୍ତି।, ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଏବେ ସୁଦ୍ଧା ଏକ ଶହରୁ ଅଧିକ ହେଲାଣି।

ଏଭଳି ପରିସ୍ଥିତିକୁ ସରକାର କିଭଳି ସମ୍ଭାଳିବେ ଚିନ୍ତାରେ ରହିଥିବା ବେଳେ ଦୟନୀୟ ଅବସ୍ଥାରେ ଥିବା ଚାଷୀ, ଗଣମାଧ୍ୟମ ଓ ବିରୋଧୀ ଦଳମାନଙ୍କ ପ୍ରତି ପ୍ରମିଳାଙ୍କ ଏହି ତଥାକଥିତ ଅଶୋଭନୀୟ ମନ୍ତବ୍ୟ ବିଜୁ ଜନତା ଦଳ ନେତୃତ୍ଵ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ନିଶ୍ଚୟ ।

ଦୁଇ ଦିନ ତଳେ ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ରାଜ୍ୟର ଯଥେଷ୍ଟ ବିକାଶ ହୋଇଥିବା କଥା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ବିଜୁ ଜନତା ଦଳ ମହିଳା ଶାଖାର ନେତୃତ୍ଵ ନେଇ ମଲ୍ଲିକ ନବୀନ ନିବାସ ଯାଇଥିଲେ। ସେଠାରୁ ବାହାରିବା ପରେ ଗଣମାଧ୍ୟମକୁ ଭେଟି ଥିଲେ।

କେହି କିଛି ବୁଝିବା ପୂର୍ବରୁ ସେ ହଠାତ ଏହି ଅଭାବନୀୟ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। କେବଳ ବିରୋଧୀ ଦଳ ନୁହେଁ, ଗଣମାଧ୍ୟମ ପ୍ରତି ବି ସେ କଟୁ ମନ୍ତବ୍ୟ ଦେଇଥିଲେ । କହିଥିଲେ ଯେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗଣମାଧ୍ୟମ ଭୁଲ ଖବର ପରିବେଷଣ କରୁଛି। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଚାଷୀଙ୍କ ଜମିରେ ଆଣ୍ଠୁଏ ପାଣି ଥିବା ବେଳେ ମରୁଡି କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ !

ସେ ପୁଣି ଅଭିଯୋଗ କରିଥିଲେ ଯେ ଯିଏ ଯେଉଁଠି ମଲା ତାହାକୁ ଚାଷୀ ଆତ୍ମହତ୍ୟାର ରୂପ ଦିଆଯାଉଛି। ପ୍ରଶ୍ନ କରିଥିଲେ ଯେ ଲୋକେ କ’ଣ ମରିବେ ନାହିଁ? ଯଦି ଏତେ ଦରଦ ତେବେ ବିରୋଧୀ ଦଳମାନେ ଚାଷୀଙ୍କୁ ‘ଅମର ଲଡୁ’ ଖାଇବାକୁ ଦିଅନ୍ତୁ, ତେବେ ସେମାନେ ଆଉ ମରିବେନି।

ଏହା ସହ ପଢନ୍ତୁ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

ଏଭଳି ବୟାନବାଜିରୁ ଲାଗୁଛି ସତେ ଯେମିତି ପ୍ରମିଳା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଏହା ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ରୋଧର ଶିକାର ହୋଇ ମନ୍ତ୍ରୀପଦ ହରାଇଥିବା ପ୍ରମିଳା ଦଳ ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିବାକୁ ଗଣମାଧ୍ୟମ ସମ୍ମୁଖରେ କହିବାକୁ ମିଳିଥିବା ସୁଯୋଗକୁ ହାତଛଡା କରିନାହାନ୍ତି କହିଲେ ଭୁଲ ହେବନାହିଁ।

ତେବେ ସେ ଭୁଲି ଯାଇଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ସାରା ରାଜ୍ୟ ନୁହେଁ। ତାଙ୍କ ନିର୍ବାଚନ ମଣ୍ଡଳୀର ଚାଷୀମାନେ ହୁଏତ ଏବର୍ଷ ଭଲ ଖରିଫ ଫସଲ ଅମଳ କରୁଥାଇ ପାରନ୍ତି, କିନ୍ତୁ ଯେଉଁ ମରୁଡି ଆକ୍ରାନ୍ତ ଅଞ୍ଚଳର ଚାଷୀମାନେ ଋଣଭାରରେ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କ ପ୍ରତି ବିଦ୍ରୂପ କରିବା କ’ଣ ମାନବିକତା ଦୃଷ୍ଟିରୁ ଠିକ ବୋଲି ସେ ମନେ କରୁଛନ୍ତି ?

protest-pramilaତେଣୁ, ପ୍ରମିଳାଙ୍କ ଏଭଳି ମନ୍ତବ୍ୟ ବିରୋଧରେ କେବଳ ବିରୋଧୀ ଦଳ କାହିଁକି ତାଙ୍କ ନିଜ ଦଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାମଗ୍ରିକ ଭାବେ ପ୍ରମିଳାଙ୍କର ଏଭଳି ଅଭାବନୀୟ ମନ୍ତବ୍ୟ ଏକ ସରକାର ବିରୋଧୀ ଜନମତ ସୃଷ୍ଟି କରିଛି।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନେତାମାନଙ୍କ ଉପରୁ ନିୟନ୍ତ୍ରଣ ହରାଇଲେଣି ବୋଲି କେତେକ ମହଲ ପ୍ରଚାରିତ କରିବା ଆରମ୍ଭ କରିଛନ୍ତି ।

ପରିସ୍ଥିତି କ୍ରମେ ଜଟିଳ ହେଉଥିବା ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଫୋନ କରି ପ୍ରମିଳାଙ୍କ ଉପରେ ବର୍ଷିଛନ୍ତି ବୋଲି କୁହାଯାଉଛି। ଏଭଳି ଦାୟିତ୍ଵହିନ ମନ୍ତବ୍ୟ ନଦେବାକୁ ତାଙ୍କୁ ତାଗିଦ କୁଆଡେ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ସୂତ୍ରକୁ ଉଦ୍ଧାର କରି କିଛି ଗଣ ମାଧ୍ୟମ ଲେଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କୌଣସି ଫୋନ କିମ୍ବା ତାଗିଦ କରାଯାଇ ନାହିଁ ବୋଲି ପ୍ରମିଳା କହୁଛନ୍ତି।

ବରଂ ନିଜ ସଫେଇ ଦେବାକୁ ଯାଇ ପ୍ରମିଳା କହିଛନ୍ତି ଯେ ଗଣମାଧ୍ୟମରେ ମୁଁ ଚାଷୀଙ୍କୁ ତାତ୍ସଲ୍ୟ କରିଛି ବୋଲି ବାହାରିଥିବା ଖବର ମିଛ ବୋଲି ଜଣାଇବାକୁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜାରି ବିବୃତ୍ତିକୁ ମଧ୍ୟ ପ୍ରମିଳା ଖଣ୍ଡନ କରିଛନ୍ତି।

ତେବେ ଏହି ବାଦ ବିବାଦ ସରକାରଙ୍କୁ ନିଶ୍ଚୟ ଅସୁବିଧାରେ ପକାଇ ଦେଇଛି। ପ୍ରମିଳାଙ୍କ ବିରୋଧରେ ଯଦି ମୁଖ୍ୟମନ୍ତ୍ରୀ ତୁରନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନେବେ ନାହିଁ , ତା’ହେଲେ ଏହି ଘଟଣା ଜନମାନସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ସ୍ଥିତିକୁ  ଯେ ନିଶ୍ଚୟ ବିପନ୍ନ କରିବ, ସେଥିରେ କୌଣଶସି ସନ୍ଦେହ ନାହିଁ ବୋଲି ବିଜୁ ଜନତା ଦଳର କେତେକ ନେତା କହିଛନ୍ତି ।

ଓଡିଶା ଡଟ କମ

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ପ୍ରମିଳା ମଲ୍ଲିକ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ