• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରୋକ ଠୋକ

ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

November 12, 2015 by ନିଉଜ ଡେସ୍କ Leave a Comment

ଡା. ଦାମୋଦର ରାଉତ

ମୃତ୍ୟୁ ବିଶାଦର ବାହକ ହୋଇଥିଲା ବେଳେ ଜନ୍ମ ଆନନ୍ଦଉଲ୍ଲାସର ସ୍ରୋତ ବୁହାଇ ଥାଏ । ଶିଶୁଟିଏ ଜନ୍ମ ହେଲେ ଜନ୍ମଦାତ୍ରୀ ମା’ଠାରୁ ଆରମ୍ଭ କରି ପରିବାର, ବନ୍ଧୁବାନ୍ଧବ ଉଲ୍ଲସିତ ହୋଇଥାନ୍ତି । ଶିଶୁଟିର ଦରୋଟି କଥାରେ ସମସ୍ତେ ଆମୋଦିତ ହୁଅନ୍ତି । କିନ୍ତୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି କାରଣରୁ କେହି ଜଣେ ମୃତ୍ୟୁବରଣ କଲେ ଶୋକର ଛାୟା ଖେଳିଯାଏ ।

damodar-3ତେବେ ମଣିଷ ସମାଜରେ ଜନ୍ମ-ମୃତ୍ୟୁ ଏକ ଈଶ୍ୱରଦତ୍ତ ପ୍ରକ୍ରିୟା । ସମାଜକର୍ତ୍ତାମାନେମୃତ୍ୟୁର ହାର କମାଇବା ପାଇଁ ଯେତିକି ଯୋଜନା ହାତକୁ ନେଇଥାନ୍ତି, ଜନବିସ୍ଫୋରଣକୁ ପ୍ରତିହତ କରିବା ପାଇଁ ଜନ୍ମନିରୋଧକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ତା’ ସତ୍ତ୍ୱେ ଜନ୍ମ ଏବଂମୃତ୍ୟୁକୁ କେହି ରୋଧ କରିପାରିନାହାନ୍ତି ବା ପାରିବେ ନାହିଁ ।

ସମ୍ପ୍ରତି ବେଶ୍ କିଛିଦିନ ହେଲା ଚାଷୀ ଆତ୍ମହତ୍ୟା କୁ ନେଇ ବେଶ୍ କିଛି ଆଲୋଡନ ସୃଷ୍ଟି ହୋଇଛି । ବେଳେବେଳେ ଅତ୍ୟଧିକ ମାନସିକ ସନ୍ତୁଳନକୁ ସହ୍ୟ କରି ନପାରି ମଣିଷ ଆତ୍ମହତ୍ୟା କରିଥାଏ । ଆତ୍ମାକୁ ବାଧିଲେ ଆତ୍ମହତ୍ୟା କରନ୍ତି ବୋଲି ଲୋକେ କହନ୍ତି ।

ଆତ୍ମହତ୍ୟା ଦୁଃଖଦାୟକ ଏବଂ ଆତ୍ମହତ୍ୟା ର ସମ୍ବାଦ ଶୁଣିଲେ, ଶୁଣୁଥିବା ଲୋକର ମନ ଭିତରେ ସ୍ୱତଃପ୍ରବୃତ ଭାବରେ ସମ୍ବେଦନଶୀଳତାର ଏକ ଭାବନା ସୃଷ୍ଟି ହୁଏ-କ୍ଷଣସ୍ଥାୟୀ ହେଉ ପଛକେ ।

ତେବେ ସମାଜରେ ସବୁ ବର୍ଗର ଲୋକେ ମାନସିକ ସନ୍ତୁଳନର ଶିକାର ହୋଇଥାନ୍ତି । ଛାତ୍ର ହେଉ, ଶିକ୍ଷକ ହେଉ, କର୍ମଚାରୀ ହୁଅନ୍ତୁ, ଶିଳ୍ପପତି, ଠିକାଦାର କିମ୍ବା ବ୍ୟବସାୟୀ ହୁଅନ୍ତୁ ସମସ୍ତେ ମାନସିକ ସନ୍ତୁଳନର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି । ଚାଷ କରୁଥିବା ଲୋକେ ସମାଜରୁ ଅଲଗା ନୁହଁନ୍ତି ।

ପାରିବାରିକ କାରଣରୁ ହେଉ, ରୋଗ ଯନ୍ତ୍ରଣାରୁ ହେଉ କିମ୍ବା ସାହୁକାର ମହାଜନଙ୍କର ଦାଉ ସମ୍ଭାଳି ନପାରି ହେଉ ଆତ୍ମହତ୍ୟା କରିଥାନ୍ତି । ଏତଦ ବ୍ୟତୀତ ପ୍ରତିଦିନ ମଣିଷ ସମାଜରେ ଯୁକ୍ତ ହେବା ପାଇଁ କିଛି ଶିଶୁ ଜନ୍ମ ହୁଅନ୍ତି ଏବଂ ସମାଜରେ ସମୀକରଣ ରକ୍ଷା ପାଇଁ କିଛିମୃତ୍ୟୁ ସମ୍ବାଦ ଆସିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ପରିତାପର ବିଷୟ, ଏବେ ଆତ୍ମହତ୍ୟା କୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରତିଷ୍ଠିତ ସରକାରଙ୍କୁ ଦାୟୀ କରାଯାଉଛି । ଯିଏ ଚାଷ କରେ ସେ ଚାଷୀ ଏବଂ ସମାଜର ସର୍ବାଧିକ ଲୋକ ଚାଷକୁ ବୃତ୍ତି ଭାବରେ ଆଦରି ନେଇଥାନ୍ତି । ଏହା ବିଶେଷ ଭାବରେ ଆମ ରାଜ୍ୟରେ ବୃତ୍ତି ଭାବରେ ବିଚାର କରାଯାଇଥାଏ । ଚାଷ ଓଡ଼ିଶାରେ ସର୍ବପୁରାତନ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଅନୁଭୂତି ଓ ଅନୁଭବକୁ ନେଇ ଆମର ପୂର୍ବପୁରୁଷମାନଙ୍କ ଦ୍ୱାରା (ଯେତେବେଳେ ଚାଷ ହିଁ ଜୀବନଧାରଣର ଏକ ମାତ୍ର ପାଥେୟ ଥିଲା) ·ଚାଷ ଆମର ବୃତ୍ତି ଭାବରେ ସ୍ୱୀକୃତ ହୋଇ ଆସିଛି । ସେତେବେଳେ ମଧ୍ୟ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀକୁଳକୁ ନିର୍ମମ ଧୋକା ଦେଉଥିଲା । ଚାଷୀ ତାକୁ ସାହସର ସହିତ ସାମ୍ନା କରୁଥିଲା ।

ତା’ର ନିଚ୍ଛକ ଭାବନା ଥିଲା ସେ ବଞ୍ଚିବ ଏବଂ ପରିବାରକୁ ବଞ୍ଚାଇବ । ଯେତେ କଷ୍ଟସାଧ୍ୟ ହେଉ ପଛକେ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ଫସଲ ନଷ୍ଟ ହେଲେ ବିକଳ୍ପ ଫସଲ କରି ଫସଲ ଉପୁଜାଇବ, ନିଜେ ବଞ୍ଚିବ, ପରିବାରକୁ ବଞ୍ଚାଇବ ଏବଂ ଜାତି ମଧ୍ୟ ବଞ୍ଚିବ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ଭୟକରି ସେ କାପୁରୁଷ ଭଳି ଆତ୍ମହତ୍ୟା କରେ ନାହିଁ ।

ବିବର୍ତ୍ତନବାଦ ପ୍ରକ୍ରିୟା ଦେଇ ଆମେ ବର୍ତ୍ତମାନ ସମାଜରେ ଦଣ୍ଡାୟମାନ ହୋଇଥିଲେ ମଧ୍ୟ ଚାଷକୁ ଆରମ୍ଭ କରିଥିବା ଆମ ପୂର୍ବପୁରୁଷ ଏବେ ବି ଅନେକ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବସବାସ କରୁଛନ୍ତି । ଅଭାବରେ କିମ୍ବା ଉପାସରେ ରହିଲେ ମଧ୍ୟ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ, କିମ୍ବା ଭିକ ମାଗନ୍ତି ନାହିଁ ।

ସେଥିପାଇଁ ଓଡ଼ିଆ ଜାତି ତା’ର ସାହସ ଓ ସ୍ୱାଭିମାନ ବଳରେ ଦୁନିଆ ଦାଣ୍ଡରେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲା । ଆଜି ପ୍ରତ୍ୟେକମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ର ରୂପ ଦେଇ ଖାଲି ପ୍ରଚାର କରୁନାହୁଁ, ସମାଜକୁ ଅନ୍ନଦାନ କରୁଥିବା ଗୌରବଦୀପ୍ତ ବୃତ୍ତିଧାରୀ ମଣିଷକୁ କାପୁରୁଷ ଭଳି ଆତ୍ମହତ୍ୟା କରୁଥିବା ଘଟଣା ଭାବେ ଉଲ୍ଲାସର ସହ ପ୍ରଚାର କରୁଛୁ ଏବଂ ଏଥିପାଇଁ ନିର୍ବାଚିତ ସରକାରକୁ ହିଁ ଦୋଷ ଦେଉଛୁ ଓ ମୃତ୍ୟୁରେ ସମ୍ବେଦନଶୀଳତାର ସ୍ପର୍ଶ ନଥାଇ ଅନ୍ୟକୁ ନିନ୍ଦିତ କରିବାର ଅଭିପ୍ସା ବେଶ୍ ପରିସ୍ଫୁଟ ହେଉଛି ।

ସମ୍ବାଦପତ୍ର, ଗଣମାଧ୍ୟମର ବନ୍ଧୁମାନେ, ଦାୟିତ୍ୱବାନ ବିରୋଧି ଦଳମାନେ ଚାଷୀ ଋଣ ବୋଝ ସମ୍ଭାଳି ନପାରି ମରିବାର କାରଣ ସ୍ୱରୂପ ଆଉ ଏକ ଗୁରୁତର ଆରୋପ ଆଣିଛନ୍ତି । ତାହା ହେଲା ସାରା ରାଜ୍ୟରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଚାଷୀକୁ ଋଣ ଲଗାଣ କରୁଛନ୍ତି, ପ୍ରାୟ ୪୮% ସୁଧରେ ଏବଂ ଚାଷୀକୁ ହନ୍ତସନ୍ତ କରୁଛନ୍ତି ।

ସେହିଭଳି ଭାବେ ଘରୋଇ ମହାଜନମାନେ ଅଧିକ ସୁଧରେ ଋଣ ଦେଇଆର୍ଥିକ ଅଭାବ ଭିତରେ ଚାଷୀ କୁ ଅତ୍ୟଧିକ ମାନସିକ ସନ୍ତୁଳନର ଶିକାର କରୁଛନ୍ତି । ଏହାକୁ ଅସ୍ୱୀକାର କରିହେବ ନାହିଁ । ସ୍ୱୟଂ ସହାୟିକା ଗୋଷ୍ଠୀ ହୁଅନ୍ତୁ କିମ୍ବା ଘରୋଇ ମହାଜନ ହୁଅନ୍ତୁ ଲୋକଙ୍କୁ ଶୋଷଣ କରି ସମ୍ପତ୍ତି ବଢ଼ାଇବା ଆଇନ ଆଖିରେ ଧର୍ତ୍ତବ୍ୟ ଅପରାଧ ।

ଘରୋଇ ମହାଜନୀକୁ(Private money lending) ଉଚ୍ଛେଦ କରାଯାଇ ଆଇନ ପ୍ରଣୟନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନିଜେ ଅ ।ତ୍ମନିର୍ଭରଶୀଳ ହେବେ ବୋଲି ଆଶା କରି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

ସରକାରୀ ପ୍ରୋତ୍ସାହନ ଲବ୍ଧ ଧନକୁ ସେମାନେ ଯଦି ସୁଧ ଲଗାଣ କରନ୍ତି ତାହା ମଧ୍ୟ ଦଣ୍ଡନୀୟ । ଏଥିପ୍ରତି ସମ୍ପୃକ୍ତ ବିଭାଗ ଯଦି ଦୃଷ୍ଟି ଦେଉନାହାନ୍ତି, ତେବେ ଗଣମାଧ୍ୟମର ବନ୍ଧୁମାନେ, ବିରୋଧୀ ଦଳର ନେତା ଓ କର୍ମୀମାନେ ଏବଂ ସମ୍ବାଦପତ୍ରର ସାମ୍ବାଦିକ ବନ୍ଧୁମାନେ ସମାଜରେ ଘଟୁଥିବା ଏଭଳି ଆଇନ ବିରୁଦ୍ଧ ଦଣ୍ଡନୀୟ କାର୍ଯ୍ୟକୁ ପ୍ରତିରୋଧ କରୁନାହାନ୍ତି କାହିଁକି?

ଏ କ୍ଷେତ୍ରରେ ସରକାରୀ ଅପାରଗତା ଆରୋପ ସହ ଘଟଣାର ପର୍ଦ୍ଧାଫାଶ କରୁନଥିଲେ କାହିଁକି? କେବଳ ସରକାରଙ୍କୁ ନିନ୍ଦିତ କରିବା ଏବଂ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ପାସୋରି ଯିବା ବିଜ୍ଞତାର କାର୍ଯ୍ୟ ନୁହେଁ ।

ଚଳିତ ବର୍ଷ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୦ହଜାର କୋଟି ଟଙ୍କା ଖରିଫ୍ ଓ ରବି ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟିକ ବ୍ୟାଙ୍କ ଜରିଆରେ ୬ହଜାର କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି କରିଛନ୍ତି । ସମବାୟ ବ୍ୟାଙ୍କମାନେ ୫ହଜାର ୫ଶହ କୋଟି ଟଙ୍କା ଖରିଫ୍ ଋଣ ଦେଇ ସାରିଛନ୍ତି ଏବଂ ୪ହଜାର ୫ଶହ କୋଟି ଟଙ୍କା ରବି ଋଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଖରିଫ୍ ଫସଲ ଉତୁରିବା ଆଗରୁ ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି, ସେଥିପାଇଁ ସ୍ୱଳ୍ପ ମିଆଦି ଏହି ଖରିଫ୍ ଋଣ ଆଦାୟକୁ ନିଷିଦ୍ଧ କରାଯାଇ ୩ ବର୍ଷିଆ ଦୀର୍ଘମିଆଦୀ ଋଣରେ ପରିଣତ ପାଇଁ ଘୋଷଣା କରାଯାଇଛି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ବିକଳ୍ପ ରବି ଫସଲ ପାଇଁ ଋଣ ବଣ୍ଟନ ହେଲାଣି ।

ତେଣୁ ସରକାରୀ ଋଣ ଆଦାୟ ହେଉନାହିଁ । ଋଣ ଦିଆଯାଉଛି । ସେହିଭଳି ଘରୋଇ ସଂସ୍ଥାରୁ ଚାଷ ପାଇଁ ଚାଷୀ ଋଣ କଲେ ଫସଲ ଉତୁରିବା ଆଗରୁ କେହି ଋଣ ମାଗନ୍ତି ନାହିଁ । ତେଣୁ ଋଣ ବୋଝ ସହିନପାରି ଅସମୟରେ ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏକଥାକୁ ସହଜରେ ବିଶ୍ୱାସ କରିହେଉନାହିଁ ।

ଏହା ଅବଶ୍ୟ ସତ୍ୟ ଯେ ଆମ ରାଜ୍ୟରେ ପ୍ରାୟ ୮୫% ଚାଷୀ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ । ଏମାନଙ୍କର ସମସ୍ୟା ଅନେକ, ଆର୍ଥିକ ସ୍ଥିତି ଦୁର୍ବଳ । ତଥାପି ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି । କାପୁରୁଷ ଭଳି ଆତ୍ମହତ୍ୟା କରିବା ପାଇଁ ସେମାନଙ୍କ ବିବେକ ତାଙ୍କୁ ବାଧା ଦେଇଥାଏ ।

ଚାଷୀ ହେଉଛନ୍ତି ସମାଜର ଅନ୍ନଦାତା । ତାଙ୍କ ଉପରେ ଆତ୍ମହତ୍ୟା ର ଆରୋପ ଲଗାଇ ସେମାନଙ୍କୁ ନିନ୍ଦିତ କରିବା ବୋଧହୁଏ ସମାଜ ପାଇଁ ଶୁଭଙ୍କର ନୁହେଁ ।ମୁଁ ଆଶା କରୁଛି, ଚାଷୀମାନଙ୍କର ବହୁବିଧ ସମସ୍ୟାକୁ ସମାଧାନ କରିବା ପାଇଁ ଚାପ ସୃଷ୍ଟି ହେଉ ଏବଂ ବିଭିନ୍ନ କ୍ଷେତ୍ରରୁ ପରାମର୍ଶ ସରକାରଙ୍କୁ ଦିଆଯାଉ କେବଳ ନିନ୍ଦିତ କରିବାର ସଂକୀର୍ଣ୍ଣ ମାନସିକତାକୁ ପରିହାର କରାଯାଉ ।

(ଡା. ଦାମୋଦର ରାଉତ ଓଡିଶାର ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ )

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅନ୍ନଦାତା, ଆତ୍ମହତ୍ୟା, ଚାଷୀ, ଡା. ଦାମୋଦର ରାଉତ

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

November 2, 2015 by ନିଉଜ ଡେସ୍କ 3 Comments

ସୁଧୀର ପଟ୍ଟନାୟକ

ରାଜ୍ୟରେ କୃଷକମାନଙ୍କ ଆତ୍ମହତ୍ୟା ଧାରାବାହିକ ଭାବେ ଚାଲିଛି । ଗୋଟିଏ ପରେ ଗୋଟିଏ ଯୁବଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଅଧିକାଂଶ ସବୁଜ ବିପ୍ଳବର ସୌଜନ୍ୟରୁ ମିଳିଥିବା କୀଟନାଶକ ପାନ କରି ମୃତ୍ୟୁବରଣ କରୁଛନ୍ତି । ଯେଉଁ କୀଟନାଶକ ପିଇ କୃଷକଟି ମରିଯାଉଛି, ସେହି କୀଟନାଶକ ଆମ ଜମି ୪୦ବର୍ଷରୁ ଊର୍ଦ୍ଧ୍ଵ କାଳ ଧରି ପିଇଆସିଛି ।

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ

ଆମେ ବି ଫସଲ ଖାଇ ଆସିଛୁ । ସେ ଏକ ଭିନ୍ନ କଥା ଏବଂ ଏହାର ଆଲୋଚନା ଅନ୍ୟତ୍ର କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ କୃଷକ ଆତ୍ମହତ୍ୟାର ଧାରାଟିକୁ ବନ୍ଦ କରାଯିବ କେମିତି? ବିଡ଼ମ୍ବନାର କଥା ଯେ ଏଭଳି ଏକ ଦାରୁଣ ଘଟଣାର ଧାରାବାହିକତା ଆମ ସମାଜକୁ ବିଚଳିତ କରୁନାହିଁ ।

ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାର ପାଖରେ ପ୍ରତିବାଦ କରୁନାହାନ୍ତି । ଯେଉଁ କୃଷକ ଲାଗି ନିଜେ ବଞ୍ଚି ରହିଛନ୍ତି, ସେହି କୃଷକର ମୃତ୍ୟୁରେ ସାମାନ୍ୟତମ ଶୋକ ନାହିଁ । ଆଗରୁ କେବେ ଏ ସମାଜଟି ଏତେ ସମ୍ବେଦନହୀନ ହେଇନଥିଲା । ଗହମ-ଚାଉଳର ବଜାରଟି ଚାଷୀ ଆଉ ସାଧାରଣ ମଣିଷ ଭିତରେ ବଡ଼ ବ୍ୟବଧାନଟିଏ ଛିଡ଼ା କରିଦେଇଛି ।

ସମାଜର ପ୍ରତିଟି ମଣିଷ ଯେମିତି ଗୋଟିଏ ଗୋଟିଏ ଖାଉଟି ହୋଇଯାଇଛନ୍ତି ଯେଉଁମାନଙ୍କର ଖାଦ୍ୟ ଉତ୍ପାଦନ କେମିତି ହେଉଛି ବା କିଏ କରୁଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଦରକାର ବଜାରଟିଏ । ସେହି ବଜାରକୁ ଯାଇ କାଗଜନୋଟ ବଢ଼ାଇ ଦେଇ ମନ ମୁତାବକ ଖାଦ୍ୟ ଦରବ କିଣି ହୋଇଯିବ ।

ବଜାରକୁ ଆସୁଥିବା ଜିନିଷ ଭାରତୀୟ କୃଷକଙ୍କ ଝାଳ ରକ୍ତରେ ଉତ୍ପାଦିତ ହୋଇଛି କି ନାହିଁ ଜାଣିବା ବି ଦରକାର ନାହିଁ । ଅଷ୍ଟ୍ରେଲିଆ, ଥାଇଲାଣ୍ଡ ବା ମ୍ୟାଲେସିଆରୁ ଖାଦ୍ୟଦ୍ରବ୍ୟ ଆସି ଯଦି ଏଠି ମିଳିଯାଏ, ପଇସା ଦେଇ ତାକୁ କିଣାଯାଇପାରିବ । ଏଭଳି ଖାଦ୍ୟଶସ୍ୟ ବାହାରୁ ଆସିଲେ ଭାରତୀୟ ଚାଷୀ ନିଜ ଉତ୍ପାଦନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉନାହିଁ ତ? ଏଭଳି ପ୍ରଶ୍ନ ବା ମନକୁ ଆସିବ କାହିଁକି?

ବଜାରୀକରଣ, ଜଗତୀକରଣ ଓ ଉଦାରୀକରଣ ପ୍ରକ୍ରିୟାଟି ସମଗ୍ର ସମାଜକୁ ନିଜ ଲୋକଙ୍କ ପ୍ରତି ଉଦାସୀନ କରିଦେଇଛି । ସମଗ୍ର ଚାଷୀକୂଳ ଯେ ଅଭାବୀବିକ୍ରି, ଫସଲହାନୀ, ଋଣବୋଝ, ଖର୍ଚ୍ଚବହୁଳ ଚାଷର ଶିକାର ହେଉଛନ୍ତି, ତାହା କେବଳ ନୁହଁ । ସେମାନଙ୍କ ଚାରିପଟେ ଅଛି ସେମାନଙ୍କ ସମସ୍ୟା-ସ୍ଥିତିକୁ ଉପହାସ କରୁଥିବା ବା ଭୟଙ୍କର ଭାବେ ଉଦାସୀନ ରହିଥିବା ଏକ ଯନ୍ତ୍ରବତ୍ ସମାଜ ।

ସରକାରଟା ସ୍ୱାଧୀନ ଭାରତରେ କେବେ ବି କୃଷକର ନଥିଲା । ଶାସ୍ତ୍ରୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯଦି ନଥାନ୍ତେ ଏବଂ ସବୁଜ ବିପ୍ଳବକୁ ଏ ଦେଶରେ ସଂସ୍ଥାପିତ କରିବାର ଯଦି ଯୋଜନା ବି ନଥାନ୍ତା ତେବେ ‘ଜୟ କିଶାନ’ର ନାରା ବି ଶୁଣିବାକୁ ମିଳିନଥାନ୍ତା । ବର୍ତ୍ତମାନ କେବଳ ଜୟ ଜବାନ, ଜୟ ପୋଲିସର ନାରା ହିଁ ଶୁଣିବାକୁ ମିଳୁଛି ।

କିଶାନର ଜୟଗାନ ସରକାର ବା କରିବେ କ’ଣ ପାଇଁ ? ସବୁଜ ବିପ୍ଳବ ଭିତରେ ସରକାର ବହୁରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ଜୟ ଜୟକାର କରି ଆସିଛନ୍ତି । ୨୦୧୨-୧୩ରେ ଭାରତରେ ସକ୍ରିୟ ଥିବା ସାର କମ୍ପାନୀମାନେ ମିଳିତ ଭାବେ ୩କୋଟି ୨୪ଲକ୍ଷ ଟନ୍ ସାର ଉତ୍ପାଦନ କରିଛନ୍ତି । ତଥାପି ତାହା ଯଥେଷ୍ଟ ହୋଇନାହିଁ ଯେ ବାହାରୁ ଆମଦାନୀ କରାଯାଇଛି ।

ଏହା ସହ ପଢନ୍ତୁ

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଆଶା କରାଯାଉଛି ଯେ ୨୦୧୭-୧୮ ସୁଦ୍ଧା ଏହି ଉତ୍ପାଦନ (ୟୁରିଆ, ଡାଇ ଆମୋନିଅମ୍ ଫସ୍ଫେଟ୍, ନାଇଟ୍ରୋଜେନ୍, ଫସ୍ଫେଟ୍ ଓ ପଟାସିଅମ୍ ଇତ୍ୟାଦି) ୬କୋଟି ୪୮ଲକ୍ଷ ୪୦ହଜାର ଟନରେ ପହଞ୍ଚିବ (କୃଷି ଜାଗରଣ, ଡିସେମ୍ବର ୧୬, ୨୦୧୪) । ବିହନ, ସାର ଓ କୀଟନାଶକ ତିଆରି କରୁଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଉଠାଉଥିବାବେଳେ ସେହି ସମୟକାଳ ଭିତରେ ଏ ଦେଶରେ ୩ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି ।

କେବଳ ଆମ ରାଜ୍ୟରେ ହିଁ ୩ହଜାରରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିସାରିଲେଣି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ମୁତାବକ ଆମ ଦେଶରେ ସବୁଠାରୁ ଅଧିକ କୃଷକ ଆତ୍ମହତ୍ୟା ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଞ୍ଚଳରେ ହୋଇଆସିଛି । ଓଡ଼ିଶାରେ କୃଷକ ଆତ୍ମହତ୍ୟା କ୍ଷେତ୍ର ଏତେଟା ପରିଚିତ ନଥିଲା ।

କିନ୍ତୁ ଗତ ୨ସପ୍ତାହର ଘଟଣାପ୍ରବାହ ସୂଚାଇ ଦେଉଛି ଯେ କୃଷକ ଆତ୍ମହତ୍ୟା ଆମ ରାଜ୍ୟରେ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୮-୦୯ରେ ମଧ୍ୟ ଧାରାବାହିକ ଭାବେ କୃଷକ ଆତ୍ମହତ୍ୟା ନଜରକୁ ଆସିବାରୁ ନବୀନ ସରକାର ବାଧ୍ୟହୋଇ ଆନ୍ତରିକତା ବିହୀନ ମଣିଷମାନଙ୍କୁ ନେଇ ଏକ ରାଜ୍ୟ କୃଷକ କମିଶନ ତିଆରି କରିଥିଲେ ଯାହାର ଅଧ୍ୟକ୍ଷ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକ ।

ଆଉ ଯେଉଁମାନେ ସଦସ୍ୟ ଥିଲେ ସେମାନେ କୃଷି ଓ କୃଷକର ସମସ୍ୟା ପ୍ରତି କେବେ ସମ୍ବେଦନଶୀଳ ଥିବାର ଦୃଷ୍ଟାନ୍ତ ସେମାନଙ୍କ ନିଜର ବୃତ୍ତିଗତ ଇତିବୃତ୍ତିରୁ ଜଣାପଡ଼େ ନାହିଁ । ଡଃ ଡି.ପି.ରାୟ ଓ.ୟୁ.ଏ.ଟି.ର ବିବାଦମାନ କୁଳପତି ଜଣେ ସଦସ୍ୟ ଥିଲେ । ଆଉ ଜଣେ ସଦସ୍ୟ ଥିଲେ ଅନ୍ୟ ଏକ ବିବାଦମାନ ବ୍ୟକ୍ତିତ୍ୱ ଡଃ ନିରଞ୍ଜନ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା ବି ଜଣେ ସଦସ୍ୟ ଥିଲେ । ସେମାନଙ୍କ ରିପୋର୍ଟ କ’ଣ ଥିଲା ସବୁ କଥା ଲୋକଲୋଚନକୁ ଆସିନାହିଁ । ତେବେ ସେମାନେ ଯେ ସମସ୍ୟାର ଉଚିତ ଅନୁଧ୍ୟାନ କରି ସୁଚିନ୍ତିତ ମତବ୍ୟକ୍ତ କରିଥିବେ, ଜାଣିବାଶୁଣିବା ଲୋକମାନଙ୍କର ବିଶ୍ୱାସ ନଥିଲା ।

ସେମାନଙ୍କ ଭିତରୁ କେହି କେହି ସେ ସମୟର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲା ଯେ ଏମାନେ ସମସ୍ୟାର ପାଖତଡ଼ ବି ମାଡ଼ିପାରିବେ ନାହିଁ । ଏବେ ସରକାର ତରବରିଆ ଭାବେ ପ୍ରତିକାର ପାଇଁ ପ୍ୟାକେଜ୍ ଘୋଷଣା କରିସାରିଲେଣି । ସେଥିରେ କୃଷକ ଆତ୍ମହତ୍ୟାର କାରଣ ବାହାର କରି ପ୍ରତିକାରର ବାଟ ବାହାର କରିବା ଚିନ୍ତା ପ୍ରତିଫଳିତ ହେଉନାହିଁ ।

ବରଂ ସରକାର କେବଳ ମରୁଡ଼ି ପ୍ରତିକାର ପାଇଁ ପଦକ୍ଷେପ ନେଲାଭଳି ମନେ ହେଉଛି ଯେଉଁଥିପାଇଁ ତାଙ୍କୁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପଇସା ଖର୍ଚ୍ଚକରି କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ଯେ କରିହେବ ନାହିଁ ସରକାର ବୁଝିବା ଦରକାର ।

ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ଭିତରେ ଅଧିକାଂଶ ଭାଗଚାଷୀ ବା ନାମକୁମାତ୍ର ଚାଷୀ । ବଡ଼ ଚାଷୀ କେହି ଆତ୍ମହତ୍ୟା କରୁନାହାନ୍ତି । ଆମ କୃଷି ବ୍ୟବସ୍ଥାଟିକୁ ଏମିତି କରିଦିଆଯାଇଛି ଯେ ତାହା କେବଳ ବଡ଼ଚାଷୀଙ୍କୁ ସୁହାଇବ । ଛୋଟ ଚାଷୀ ପାଇଁ ସବୁଜ ବିପ୍ଳବର ଚାଷ ସୁହାଇ ପାରୁନାହିଁ ବୋଲି ପ୍ରମାଣିତ ହୋଇସାରିଲାଣି ।

ଯେଉଁ ଚତୁର ଚାଷୀମାନେ ଭାଗଚାଷୀ ହାତରେ ଜମିଖଣ୍ଡକ ଦେଇ ଦେଇଛନ୍ତି ସେମାନେ ପ୍ରକୃତରେ ଦୁର୍ଦ୍ଧଶାଟିକୁ ତା’ ହାତରେ ସମର୍ପଣ କରିଦେଉଛନ୍ତି । ଜମିର ଆକର୍ଷଣ ଓ ସ୍ୱାଧୀନ ଭାବେ ଚାଷ କରିବାର ସୁଯୋଗଟି ପାଇଁ ସେ ଯେଉଁ ଭଲ ଏକ ଜୀବନର ସ୍ୱପ୍ନ ଦେଖୁଛି, ତାହା ଦିନ କେତୋଟିରେ କେତେ ବଡ଼ ଦୁଃସ୍ୱପ୍ନଟିଏ ଥିଲା ପ୍ରମାଣିତ ହୋଇଯାଉଛି । ସେ କ ରୁ କ୍ଷ’ ଯାଏଁ ସବୁ ବଜାରରୁ କିଣିବାକୁ ପଡ଼ୁଛି-ତାହା ପୁଣି ଋଣ କରି ।

ବିହନ କିଣିବ, ସାର କିଣିବ, କୀଟନାଶକ କିଣିବ, ପାଣି କିଣିବ, ଟ୍ରାକ୍ଟର ଓ ଶ୍ରମ ଭଡ଼ାରେ ନେବ । ସବୁ ପାଇଁ ପଇସା ଦରକାର । ଏତେସବୁ କଲାପରେ ଫସଲ ଉଜୁଡ଼ିଗଲେ ଅବା ହେଇଥିବା ଫସଲର ବିକ୍ରିବଟା ଭଲ ଦରରେ ନହେଲେ ତା’ର ଭେଳା ବୁଡ଼ିଲା । ଏଭଳି ଏକ ଚକ୍ରବ୍ୟୁହ ଭିତରେ ଭାଗଚାଷୀ ବା ନାମକୁମାତ୍ର ଚାଷୀ ପଶିଯାଉଛି, ବାହାରି ପାରୁନାହିଁ ।

ଏହି ଚକ୍ରବ୍ୟୁହକୁ ଏ ଦେଶର ଚାଷୀକୂଳ ବୁଝିପାରିଥିଲେ ମୂଳରୁ ସବୁଜ ବିପ୍ଳବ ଆଡ଼କୁ ସରକାରୀ ପ୍ରୋତ୍ସାହନ ସତ୍ୱେ ଯାଇନଥାନ୍ତେ ବା ସବୁଜ ଆତଙ୍କକୁ ପ୍ରତିରୋଧ ନ କରିପାରି ହୁଏତ ଚାଷକୁ ଛାଡ଼ନ୍ତେ । ଏବେ ତାହାହିଁ ହେବ ଅଧିକାଂଶ ଚାଷୀ ଚାଷ ଛାଡ଼ିବେ । ସହରକୁ ଯାଇ ଦାଦନ ଖଟିବେ, କିନ୍ତୁ ଚାଷକରିବେ ନାହିଁ ।

ସେମାନେ ଛାଡ଼ିବା ଚାଷଜମି ବଡ଼ଚାଷୀ ବା କମ୍ପାନୀମାନେ କିଣିବେ ବା ଠିକାରେ ନେଇ ଚାଷ କରିବେ । ସେମାନଙ୍କୁ ସବୁପ୍ରକାର ଋଣ ସୁଲଭ ଦରରେ ମିଳିବ ଓ ପର୍ଯ୍ୟାପ୍ତ ପରିମାଣରେ ରିହାତି ପାଇବେ । କାହାଠୁ ଧାର କରଜ କରିବାକୁ ପଡ଼ିବନି । ସବୁ ସରକାର ବା ତାଙ୍କ ବ୍ୟାଙ୍କମାନେ ଯୋଗାଇ ଦେବେ ।

ଆମକୁ ଏ କଥାଟିକୁ ହଜମ କରିବାକୁ ପଡ଼ିବ ଯେ ଭାରତୀୟ କୃଷିକୁ ବଡ଼ଚାଷୀମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି – ସବୁଜ ବିପ୍ଳବ ମାଧ୍ୟମରେ । ଗୁଣସୂତ୍ର ବିପ୍ଳବ ମାଧ୍ୟମରେ ବଡ଼ଚାଷୀ ଓ ବଡ଼ କମ୍ପାନୀମାନଙ୍କ ଭାଗୀଦାରିତାର କୃଷି ଆଡ଼କୁ ଆମକୃଷିକୁ ଟଣାଯାଉଛି ।

ସେଥିପାଇଁ କୃଷକ ଆତ୍ମହତ୍ୟାର ଅନ୍ତ ନାହିଁ । ଯେକୌଣସି ପ୍ୟାକେଜ୍ ଘୋଷଣା କଲେ ବି ତାହା ମୂଲ୍ୟହୀନ ହେଇଯିବ । ଆମେ ବରଂ ସରକାରଙ୍କ ନିକଟରେ ଦାବୀ କରିବା କଥା ଯେ ଓଡ଼ିଶାର ଚାଷୀକୂଳର ଚାଷ ଜମିର ପରିମାଣ ଓ କ୍ଷେତ ସହ ସମ୍ପର୍କକୁ ହିସାବ କରି କେମିତି ଆମ ରାଜ୍ୟରେ ଅନ୍ତତଃ ବିନା ପୁଞ୍ଜି ବିନିଯୋଗରେ କୃଷି କେମିତି କରାଯାଇପାରିବ, ସେଥିପାଇଁ ଅଧିକ ଦୃଷ୍ଟି ଦେବେ ।

ଏଭଳି ଏକ କୃଷିପାଇଁ ଆୟୋଗଟିଏ ଗଠନ କରାଯାଉ । ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ଓ ଅନ୍ୟତ୍ର ଏକାପ୍ରକାର ଜୈବକୃଷିର ପ୍ରଶିକ୍ଷଣ ଦେଉଥିବା ବିଶିଷ୍ଟ ଚାଷୀ ସୁବାସ ପାଲେକର ଭଳି ବ୍ୟକ୍ତିଙ୍କୁ ସେହି ଆୟୋଗରେ ନିଆଯାଉ । ଖର୍ଚ୍ଚବହୁଳ ରାସାୟନିକ କୃଷିରୁ ବିନା ଖର୍ଚ୍ଚରେ ଜୈବଚାଷ ଆଡ଼କୁ ଫେରିବା ପାଇଁ ୨/୩ ବର୍ଷ ସମୟ ଲାଗିବ ।

ସେହି ସମୟ ପାଇଁ ସରକାର ସମ୍ପୂର୍ଣ୍ଣ ଅର୍ଥ ସାହାଯ୍ୟ ତଥା ମଜୁରୀ ଭିତ୍ତିକ କର୍ମ ଯୋଗାଣ କଥା ଚିନ୍ତା କରନ୍ତୁ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ଥିବା ସମସ୍ତ ଫାର୍ମ ତଥା ଜମିକୁ ଜୈବ ବିହନ ଉତ୍ପାଦନ ପାଇଁ ବିନିଯୋଗ କରନ୍ତୁ । ଏ ବାବଦରେ ଅଧିକ କ’ଣ କରିହେବ, ସରକାର ମତାମତ ମଧ୍ୟ ସଂଗ୍ରହ କରନ୍ତୁ ।

ସୁତରାଂ, କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷୀ ବା ଦେଶୀ ପଦ୍ଧତିରେ ଚାଷ କରୁଥିବା ଭାଗଚାଷୀ ଆତ୍ମହତ୍ୟା କରିନାହାଁନ୍ତି ।

(ସୌଜନ୍ୟ- ସମଦୃଷ୍ଟି)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆତ୍ମହତ୍ୟା, ଓଡିଶା, ଚାଷୀ, ସୁଧୀର ପଟ୍ଟନାୟକ

ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

October 18, 2015 by ନିଉଜ ଡେସ୍କ Leave a Comment

-ହରିହର ଶତପଥି

‘ସେମାନଙ୍କୁ ନଇଁବାକୁ କୁହାଗଲା କିନ୍ତୁ ସେମାନେ ଗୁରୁଣ୍ଡିଲେ’ ଏହାଥିଲା ଜରୁରୀକଳୀନ ପରିସ୍ଥିତିରେ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ଭୂମିକା ପ୍ରତି ଲାଲକୃଷ୍ଣ ଆଡଭାନୀଙ୍କର ଏକ ପରିଚିତ ମନ୍ତବ୍ୟ । ସେହି ସମୟରେ ଓଡିଶାର କବିମାନେ ମଧ୍ୟ ଲେଖିବାକୁ ଭୁଲି ନଥିଲେ ଯେ, ‘ଜଗନ୍ନାଥଙ୍କ ଦୁଇ ଆଖି ଇନ୍ଦିରା ଓ ନନ୍ଦିନୀ’ ।

hariharଏହି ପରିପ୍ରେକ୍ଷିରେ ବିଚାରକଲେ ଆଜି ସାହିତି୍ୟକମାନଙ୍କର ଏକାଡେମୀ ପୁରସ୍କାର ଫେରାଇବା, ସାହିତ୍ୟ ଏକାଡେମୀ ସଭ୍ୟପଦରୁ ଇସ୍ତଫା ଦେବା, ସରକାରୀ ପ୍ରଦତ୍ତ ପଦ୍ମ ପୁରସ୍କାର ଫେରାଇବା ଆଦି ଘଟଣାକୁ ବିଚାର କଲେ ଆମର ପ୍ରତିବାଦ କରିବାର ଶକ୍ତି ବୃଦ୍ଧି ପାଇଛି ବୋଲି ମନେ ହେଉଛି କିନ୍ତୁ ନିରପେକ୍ଷ ଭାବରେ ବିଚାରକଲେ ଏହା ଆମ ବୁଦ୍ଧିଜୀବିମାନଙ୍କର ଏକ କାଙ୍ଗାଳିଆ ପଣର ପ୍ରଦର୍ଶନ ବ୍ୟତୀତ ଅନ୍ୟ କିଛି ନୁହେଁ ।

ପ୍ରଥମେ ବିଚାର କରାଯାଉ ଏହି ଇସ୍ତଫା ପ୍ରଦାନ ଗଙ୍ଗାଧାର ଗଙ୍ଗୋତ୍ରୀଙ୍କ କଥା । ସେ ହେଉଛନ୍ତି ନୟନତାରା ସେହଗଲ । ଯିଏ ପ୍ରଥମେ ଦେଶରେ ପରସ୍ପର ମଧ୍ୟରେ ବିଦ୍ୱେଷ ବୃଦ୍ଧି ପାଉଛି ଅଭିଯୋଗକରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫେରାଇଦେବା ଘୋଷଣା କଲେ ଅବଶ୍ୟ ତାଙ୍କୁ ସମର୍ଥନ କରି ଅଶୋକ ବାଜପାୟୀଙ୍କ ଠାରୁ ଆରମ୍ଭକରି ଶଶି ଦେଶପାଣ୍ଡେଙ୍କ ପର୍ଯ୍ୟନ୍ତ ଅନେକ ଲେଖକ ପୁରସ୍କାର କିମ୍ବା ପଦବୀକୁ ଛାଡିବାରେ ଲାଗିଛନ୍ତି ।

ଏହି ତାଲିକା ଆଗକୁ ଆହୁରି ବଢିବାର ସମ୍ଭାବନା ଦିଶୁଛି । କାରଣ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ସଂଘ , ଗୋପାଳକୃଷ୍ଣ ଗାନ୍ଧୀ,ସଲମନ ରସଦି ପ୍ରମୁଖ ସଂଗଠନ ଓ ବ୍ୟକ୍ତିମାନେ ଏଥିପାଇଁ ଅଷ୍ଟ ପ୍ରହର କସରତ କରିବାରେ ଲାଗିଛନ୍ତି । ସୋଶିଆଲ ମିଡିଆରେ ନୟନତାରାଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରାଯାଇଛି ।

ଶିଖ୍ ଦଙ୍ଗାବେଳେ ଯେଉଁମାନେ ବଡ ଗଛ ପଡିଗଲେ ପୃଥିବୀ ଦୁଲୁକେ ବୋଲି ପ୍ରଚାର କରୁଥିଲେ ସେହିମାନଙ୍କ ଠାରୁ ୧୯୮୬ ମସିହାରେ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବାରୁ ଏବଂ କାଶ୍ମୀରି ପଣ୍ଡିତମାନେ କାଶ୍ମୀର ଉପତ୍ୟକାରୁ ଜୀବନ ବିକଳରେ ପଳାୟନ କରୁଥିବା ବେଳେ ଏହି କାଶ୍ମୀର ପଣ୍ଡିତଙ୍କର ଦାୟାଦ ନୟନତାରାଙ୍କ ମୁହଁରେ ତାଲା ପଡିଥିବା ଯୋଗୁଁ ତାଙ୍କୁ ସମାଲୋଚନା କରାଯାଇଛି ।

କିନ୍ତୁ ଅସଲ କଥାଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ନେହେରୁଙ୍କର ପ୍ରତିଷ୍ଠା ଓ ସମ୍ମାନ ମଳିନ ହେବାରେ ଲାଗିଛି । ନେତାଜୀ ସୁଭାଷ ବୋଷ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତୁ୍ୟ ରହସ୍ୟ ଖୋଲିଗଲେ ନେହେରୁ ଗାନ୍ଧି ପରିବାରର ସମ୍ମାନ ଆହୁରି ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଅଛି ।

ନୟନତାରା ଏଥିପାଇଁ ବିଶେଷ କ୍ଷୁବ୍ଧ ଅଛନ୍ତି ା ତାଙ୍କର କ୍ଷୋଭ କଥା ପୁରସ୍କାର ଫେରାଇବାର ପୁର୍ବରୁ ମଧ୍ୟ ଏକଥା ଏକ ଦୈନିକ ସମ୍ବାଦ ପତ୍ରକୁ ସାକ୍ଷାତ ଦେଇ କହିଥିଲେ । ତେଣୁ ତାଙ୍କର ପୁରସ୍କାର ଫେରାଇବାର ପ୍ରକୃତ କାରଣ ସହଜରେ ଅନୁମେୟ । ବର୍ତ୍ତମାନ ପୁରସ୍କାର ଫେରାଇବା ଏବଂ ପଦପଦବୀରୁ ଇସ୍ତଫା ଦେବାର କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ ହୋଇଛି ।

ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନରେ ସରକାରଙ୍କର ଭୂମିକା ନଥିବାରୁ ଏବଂ ଭିନ୍ନମତବାଦୀମାନଙ୍କର ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିବାରୁ ଏହି ପୁରସ୍କାର ଫେରାଇବା ଆନ୍ଦୋଳନ ଏକ ହାସ୍ୟାସ୍ପଦ କଥାରେ ପରିଣତ ହୋଇଛି । ସେଥିପାଇଁ ଏହି ଆନ୍ଦୋଳନ ପ୍ରତି ଜନ ସମର୍ଥନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଏକଥା ସତ ଯେ,ଗୋଟିଏ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଭିନ୍ନ ମତବାଦୀମାନଙ୍କୁ ସମ୍ମାନ ଦେବାକଥା । ଆଜି ଯେଉଁମାନେ ହେତୁବାଦୀ ଲେଖକଙ୍କର ହତ୍ୟାରେ ପ୍ରଧାନମନ୍ତ୍ରୀ ଚୁପ୍ ରହୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ସେମାନେ କର୍ଣ୍ଣାଟକର ଶ୍ରୀରାମ ସେନାର କର୍ମକର୍ତ୍ତା ପ୍ରମୋଦ ମୁଠିଲିକଙ୍କୁ ଅପମାନିତ କରି ଥିବା କଂଗ୍ରେସ କର୍ମୀ ଜୀ.ଭି. ସିନ୍ନିବାସଙ୍କୁ ରାହୁଳ ଗାନ୍ଧୀ ସମ୍ବର୍ଦ୍ଧନା ଦେବାବେଳେ ଭାରି ଖୁସି ହେଉଥିଲେ ।

ଅସହିଷ୍ଣତାକୁ କେଉଁମାନେ ଉତ୍ସାହିତ କରୁଛନ୍ତି ସେ କଥା ଜନ ସାଧାରଣ ଭଲ ଭାବରେ ବୁଝିଛନ୍ତି । ଆଜି ଯେଉଁ ପ୍ରଗତିଶୀଳ ଲେଖକ ସାମ୍ବାଦିକମାନେ ସହୁଷ୍ଣୁତାର କଥା କହୁଛନ୍ତି ସେମାନେ କେତେ ସହିଷ୍ଣୁ ଓଡିଶାର ଲୋକେ ଭଲ ଭାବରେ ଜାଣିଛନ୍ତି । ଡ.ମାୟାଧର ମାନସିଂହ ଓଡିଆ ସାହିତ୍ୟର ଇତିହାସ ଲେଖିଲା ପରେ ଓଡିଆ ସାହିତ୍ୟ ଜଗତରେ ଦୁଇ ସିଂହ ଲଢେଇ ଦେଖିବାକୁ ମିଳିଥିଲା ।

ସେହି ସମୟରେ ପ୍ରଗତିଶୀଳ ଲେଖକମାନେ ଏକ ଷଣ୍ଢକୁ ଭାଙ୍ଗ ଖୁଆଇ କଟକରେ ହେଉଥିବା ମାନସିଂହ ସମର୍ଥକଙ୍କ ସଭାରେ ସେହି ଷଣ୍ଢକୁ ପୁରାଇ ସେହି ସଭା ଭଣ୍ଡୁର କରିଥିଲେ । ଏଭଳି ଅନେକ ସହିଷ୍ଣୁତାର ପ୍ରମାଣପତ୍ର ସେମାନେ ଦେଇଛନ୍ତି । ସାହିତି୍ୟକମାନଙ୍କର ଆଜିର ପ୍ରତିବାଦ କେବଳ ଲୋକ ଦେଖାଣିଆ ।

ଯେଉଁମାନେ ନିଜକୁ ଧର୍ମନିରପେକ୍ଷ ବୋଲି ଘୋଷଣା କରି ସାଂପ୍ରଦାୟିକ ଶକ୍ତିମାନଙ୍କ ବିରୁଦ୍ଧରେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଓଡିଶାର ଆଳି ନିଆଳି ପର୍ଯନ୍ତ ବିଷୋଦୋଗାର କରି ଆସିଛନ୍ତି ସେମାନେ ଅନ୍ତତଃ ବୁଝିବା ଉଚିତ ଯେ ତାଙ୍କର ଏତେ ଲେଖିବା ସତ୍ତ୍ୱେ ତଥା କଥିତ ସାଂପ୍ରଦାୟିକ ଶକ୍ତିମାନେ କେବଳ ଉପରକୁ ଉଠି ଉଠି ଯାଉଛନ୍ତି ।

ଯେଉଁମାନେ ୨୦୧୪ ମସିହାରେ ଦଙ୍ଗା ଡଙ୍ଗା ଉପରେ ବସି ନିର୍ବାଚନ ବୈତରଣୀ ପାର ହେବାକୁ ଆଶା କରୁଥିଲେ ସେମାନଙ୍କର ସେ ଡଙ୍ଗା କାହିଁକି ବୁଡିଗଲା ଅନ୍ତତଃ ସେ ସମ୍ବନ୍ଧରେ ସେମାନେ ନିଜେ ଆତ୍ମ ସମୀକ୍ଷା କରିବା ଉଚିତ୍ ।

କଲମକୁ ଛାଡି ଆଲୋଚନାକୁ ଛାଡି ରାଜରାସ୍ତାରେ ଆନେ୍ଦାଳନ କରି ସାଂପ୍ରଦାୟୀକ ଶକ୍ତିମାନଙ୍କୁ ପରାସ୍ତ କରିବା ପାଇଁ ଯଦି ଲେଖକମାନେ ଭାବୁ ଥାନ୍ତି ତାହା ହେଲେ ଆମକୁ ବୁଝିବାକୁ ହେବ ଯେ ଲେଖକମାନଙ୍କର ତାଙ୍କ କଲମ ଉପରେ ବିଶ୍ୱାସ ନାହିଁ । ପିଲାଦିନେ ଆମେ ଯାହା ପଢୁଥିଲୁ ଅସି ଠାରୁ ମଶି ବଡ ତାହା କଣ ଭୁଲ ଥିଲା ।

ନା ଏହି ସାଂପ୍ରତିକ ଲେଖକ ମାନଙ୍କର କିଛି ଦେବାଳିଆ ପଣ ଅଛି । ନିଜ ପରିଧି ବାହାରେ ପ୍ରବେଶ କରିବାର ପରିଣତି ସବୁବେଳେ ଦୁଃଖଦାୟକ ହୋଇଥାଏ । ଅସହିଷ୍ଣୁତାର ପ୍ରତିବାଦ କରି ସେମାନେ ତସଲିମା ନସରିନଙ୍କ ପରି ସାହିତ୍ୟ ମାଧ୍ୟମରେ ପ୍ରତିବାଦ କରିବା ଉଚିତ୍ । ସାହିତ୍ୟ ବାହାନାରେ ଲେଖକମାନଙ୍କ ରାଜନୀତିକୁ ଜନସାଧାରଣ କେବେ କ୍ଷମା କରିବେ ନାହିଁ ।

ଏକଥା ଲେଖିବା ବେଳେ ଲେଖକୁ ଜାଣିବାକୁ ମିଳିଲା ଯେ, ଓଡିଶାର ଜଣେ ବିଶିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସେ ପାଇଥିବା ନାରଦ ସମ୍ମାନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଛନ୍ତି ।

‘ସାଂପ୍ରତିକ ସାଂପ୍ରଦାୟୀକ ଶକ୍ତିମାନଙ୍କର ସ୍ୱେଚ୍ଚାଚାରିତା ବିରୁଦ୍ଧରେ ସୃଜନଶୀଳ ସମୁଦାୟର ଦାୟିତ୍ୱ’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ଯୋଗଦେଇଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ନାରଦ ସମ୍ମାନ ଫେରାଇବାକୁ ଘୋଷଣା କରିଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଛି ।

ଯଦି ଏହା ସତ୍ୟ ହୋଇଥାଏ ଏ ପୁରସ୍କାର ଫେରାଇବା ତାଙ୍କର ନିଜସ୍ୱ ନିସ୍ପତ୍ତି ନହୋଇ ଅନ୍ୟ କାହାର ଚାପରେ କିମ୍ବା ବାଧ୍ୟବାଧକତାରେ କିମ୍ବା ଭାବ ପ୍ରବଣତାରେ ତାଙ୍କର ଏହି ନିସ୍ପତ୍ତି ପ୍ରକାଶ ପାଇଥାଇ ପାରେ ।

ସାଧାରଣ ଭାବରେ ଏଠାରେ ପ୍ରଶ୍ନ ଉଠେ ୨୦୦୩ ମସିହାରେ ନାରଦ ସମ୍ମାନ ପାଇଥିବା ପ୍ରଶାନ୍ତ ପଟ୍ଟନାୟକ ବିଶ୍ୱ ସମ୍ବାଦ କେନ୍ଦ୍ରର ସାଂପ୍ରଦାୟିକ ସ୍ୱେଚ୍ଛାଚାରିତା ସଂପର୍କରେ କେବେ ଅବଗତ ହେଲେ ? ୨୦୦୮ ମସିହାରେ ଓଡିଶାରେ ଘଟିଥିବା ସାଂପ୍ରଦାୟିକ ବିଦ୍ୱେଷ ସମୟରେ ସେ କେଉଁଠି ଥିଲେ ?

ସେତେବେଳେ ଯେଉଁମାନେ ଓଡିଶାରେ ସାଂପ୍ରଦାୟିକ ବିଦ୍ୱେଷ ପାଇଁ ହିନ୍ଦୁତ୍ୱ ବାଦୀମାନଙ୍କୁ ସମାଲୋଚନା କରୁଥିଲେ ଏବଂ ସେଥିପାଇଁ ମାଓନେତା ସବ୍ୟାସାଚୀ ପଣ୍ଡାଙ୍କର ଏକ ଟେଲିଭିଜନ ସାକ୍ଷାତକାରକୁ ଅସ୍ତ୍ରରୂପେ ବ୍ୟବହାର କରୁଥିଲେ । ଏବେ ସେହି ଟେଲିଭିଜନ ସାକ୍ଷାତକାରକୁ ମାଓ ନେତା ସବ୍ୟସାଚୀ ପଣ୍ଡା ନିଜେ ଅସ୍ୱୀକାର କରିସାରିଛନ୍ତି ।

କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସବ୍ୟସାଚୀ ପଣ୍ଡାଙ୍କର କାନ୍ଧରେ ବନ୍ଧୁକ ରଖି ହିନ୍ଦୁତ୍ୱବାଦୀ ସଂଗଠନମାନଙ୍କ ଉପରେ ଯେଉଁମାନେ ଆକ୍ରମଣ କରୁଥିଲେ ସେମାନେ ଆଜି ପର୍ଯ୍ୟନ୍ତ ସେଥିପାଇଁ ଦଃଖ ପ୍ରକାଶ କରିନାହାଁନ୍ତି ଏବଂ ନିରବ ରହିଛନ୍ତି । ଆଜି ସେମାନଙ୍କ ପ୍ରରୋଚନାରେ ପ୍ରଶାନ୍ତ ପଟ୍ଟନାୟକଙ୍କର ନାରଦ ସମ୍ମାନ ପୁରସ୍କାର ଘୋଷଣା ପ୍ରକୃତରେ ଏକ ବୈାଦ୍ଧିକ ଔଦ୍ଧତ୍ୟ ମାତ୍ର ା

ଅତୀତରେ ସାହିତ୍ୟର ନାମୀଦାମୀ ପୁରସ୍କାରକୁ ପ୍ରତ୍ୟାଖାନ କରିଥିବା ଉମେଶ ପତ୍ରୀ ଏବଂ ଶରତ ମହାନ୍ତିଙ୍କୁ ଏ ସଂପର୍କରେ ସ୍ମରଣ କରାଯାଇ ପାରେ । ସେମାନଙ୍କର ନମ୍ରତା ଏବଂ ତାଙ୍କ ବିବେକର ଆହ୍ୱାନ ପ୍ରଶାନ୍ତ ପଟ୍ଟନାୟକଙ୍କର ପୁରସ୍କାର ଫେରାଇବାରେ ନାହିଁ । ଏହା ଅତି ସ୍ପଷ୍ଟ । ସତରେ ମତିଭ୍ରମିମାନେ ବେଳେ ବେଳେ ମୁନି ଭଳି ଦିଶନ୍ତି ।

ଗ୍ରାମ/ ପୋଷ୍ଟ-ମଣ୍ଡଳ, ଜିଲ୍ଲା-ବଲାଙ୍ଗୀର

ମୋ-୮୦୧୮୨୫୮୭୯୨

୧୮ ଅକ୍ଟୋବର ୨୦୧୫

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମ ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ

ପୋଲିସ ଆଇନରେ ପରିବର୍ତ୍ତନ କାହିଁକି ଓ କାହା ପାଇଁ (ରୋକ୍ ଠୋକ୍)

August 22, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

୧୮୬୧ରୁ ଆଜି ଭିତରେ କେତେ ବଡ଼ ପରିବର୍ତ୍ତନ ଘଟି ସାରିଛି । ୧୮୬୧ର ଭାରତ ପରାଧୀନ ଭାରତ । ସେହି ସମୟରେ ବି୍ରଟିଶ୍‍ ସରକାର ଭାରତୀୟମାନଙ୍କୁ ଦମନ କରିବା ଲାଗି ପୋଲିସ ବାହିନୀର ଗଠନ କରିଥିଲେ ଓ ସେହି ମୁତାବକ ଭାରତୀୟ ପୋଲିସ୍‍ ଆଇନ୍‍ ୧୮୬୧ ପ୍ରଣୟନ କରାଯାଇଥିଲା।

ଦୁର୍ଭାଗ୍ୟର କଥା ହେଉଛି  । ୧୮୬୧ ପରେ ଭାରତବାସୀ ଦୀର୍ଘକାଳ ଧରି ନିଜର ମୁକ୍ତିଲାଗି ସଂଗ୍ରାମ କରିଛନ୍ତି  । ମୁକ୍ତି ସଂଗ୍ରାମରେ ପୋଲିସ୍‍ର ଲାଠି ଓ ଗୁଳି ଖାଇ ବହୁ ଭାରତୀୟ ଶହୀଦ୍‍ ହୋଇଛନ୍ତି    ତା’ର ପରିଣତି ସ୍ୱରୂପ ୧୯୪୭ ଅଗଷ୍ଟ ୧୫ରେ ଆମେ ଏକ ସ୍ୱାଧୀନ ଦେଶ ଭାବରେ ମୁଣ୍ଡ ଟେକି ଠିଆ ହୋଇଛୁ  ।

ଆଜି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଓ ସବୁଠୁ ଅଧିକ ସମ୍ବେଦନଶୀଳ ନାଗରିକ ସମାଜ ଭାବରେ ଆମର ପତିଆରା ବଢିଛି  । ହେଲେ ୧୮୬୧ର ସ୍ଥିତି ଓ ପରିସ୍ଥିତି ବଦଳି ନାହିଁ  । ସେହି ବର୍ଷ ଯେଉଁ ପୋଲିସ୍‍ ଆଇନ୍‍ ବ୍ରିଟିଶ୍‍ ସରକାର ପ୍ରଣୟନ କରିଥିଲେ, ତା’କୁ ବିନା ପରିବର୍ତ୍ତନରେ ଭାରତ ସରକାର ଗ୍ରହଣ କରିଛନ୍ତି  ।

ଆମ ପୋଲିସ୍‍ ଆଜି ମଧ୍ୟ ୧୮୬୧ର ଆଇନ୍‍ ଅନୁସାରେ ପରିଚାଳିତ  । ପୋଲିସ୍‍ର ଚେହେରା, ଚରିତ୍ର, ଆଚରଣ ଓ ଉଚ୍ଚାରଣ ସେଇ ବ୍ରିଟିଶ ଅମଳର ଆଇନ୍‍ ଭିତରେ ସୀମିତ ରହିଛି  । ସେଥିପାଇଁ ୧୯୭୭ ମସିହାରେ ଯେତେବେଳେ ଜାତୀୟ ପୋଲିସ୍‍ କମିଶନ ଗଠନ କରାଗଲା, ଏହି କମିଶନ ନିଜ ସୁପାରିଶରେ କହିଥିଲେ ଯେ, ସମୟର ପରିବର୍ତ୍ତନ ସହିତ ପୋଲିସ୍‍ ଆଇନ୍‍ର ପରିବର୍ତ୍ତନ ନ ହେବା ଦୁର୍ଭାଗ୍ୟଜନକ  ।

ଇତିମଧ୍ୟରେ ଦେଶର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପରିବେଶ ବଦଳିଛି  । ଏହି ପରିବର୍ତ୍ତନ ସହିତ ତାଳ ଦେଇ ଆମର ପୋଲିସ୍‍ ବଦଳିନାହିଁ  । ବିଭିନ୍ନ ସମୟରେ ବିଭିନ୍ନ  କମିଟି, କମିଶନ ଗଠିତ ହୋଇଛି  । ସେମାନଙ୍କର ସୁପାରିଶ୍‍ ପୁରୁଣା ଫାଇଲ୍‍ ରେ ଧୂଳି ଖାଉଛି  । ରିବେରୋ କମିଶନ୍‍, ସୋଲି ସରାବ୍‍ଜୀ ଭଳି କମିଶନଙ୍କ ରିପୋର୍ଟ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ  । ତେବେ କୌଣସି କମିଶନର ରିପୋର୍ଟ ଆଜି ପର୍ଯ୍ୟନ୍ତ ସଠିକ୍‍ ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ  ।

ପୋଲିସ୍‍ ପ୍ରଶାସନରେ ସଂସ୍କାର ଆଣିବା ପାଇଁ ଓ ବ୍ରିଟିଶ୍‍ ଢାଞ୍ଚାର ପରିବର୍ତ୍ତନ ସକାଶେ ମାନ୍ୟବର ସୁପ୍ରିମ୍‍କୋର୍ଟ ୨୦୦୬ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ  । ପୋଲିସ୍‍ ବ୍ୟବସ୍ଥା ଆମ ସମ୍ବିଧାନ ଅନୁସାରେ ରାଜ୍ୟର ବିଷୟବସ୍ତୁ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଦରକାର ଓ ସେଥିପାଇଁ ଏକ ନିର୍ଦ୍ଧିଷ୍ଟ ଗାଇଡ୍‍ ଲାଇନ୍‍ ସୁପ୍ରିମ କୋର୍ଟ ପ୍ରଣୟନ କଲେ  ।

ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶରେ ଗୋଟିଏ କଥା ସ୍ପଷ୍ଟ ଥିଲା ଯେ, ପୋଲିସ୍‍ର ଉପନିବେଶବାଦୀ ମନୋବୃତ୍ତି ପରିବର୍ତ୍ତନ ହେବା ଦରକାର  । ତଦନୁଯାୟୀ ରାଜ୍ୟସରକାର ଗୁଡ଼ିକ ନିଜ ନିଜର ପୋଲିସ୍‍ ଆଇନ୍‍ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଲା  ।

ସେହି କ୍ରମରେ ଓଡ଼ିଶା ସରକାର ୨୦୧୩ରେ ଓଡ଼ିଶା ପୋଲିସ୍‍ ଆଇନ୍‍ ପ୍ରଣୟନ କରିବାକୁ ଚାହିଁଲେ  । ବିଭିନ୍ନ କାରଣରୁ ତା’ ସେତେବେଳେ ସଫଳ ହେଲା ନାହିଁ  । ଚଳିତ ବିଧାନସଭା ଅଧିବେଶନରେ ଓଡ଼ିଶା ପୋଲିସ୍‍ ବିଧେୟକ -୨୦୧୫ ଗୃହୀତ ହେବାର ସମ୍ଭାବନା ରହିଛି  । ବର୍ତ୍ତମାନ ବିଧାନସଭାର ପରିସ୍ଥିତି ଯାହା ସେଥିରେ ପୋଲିସ୍‍ ଆଇନ୍‍ ଭଳି ଏକ ସମ୍ବେଦନଶୀଳ ବିଧେୟକର ସଠିକ୍‍ ଆଲୋଚନା ହୋଇପାରିବ, ଏ ବିଶ୍ୱାସ ନାହିଁ  ।

ଆମର ଆଇନ ପ୍ରଣୟନକାରୀ ବିଧେୟକମାନେ ନିଷ୍ଠାର ସହିତ ବସି ଏହି ବିଧେୟକର ତର୍ଜମା କରିବା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ  । ତେଣୁ ତରବରିଆ ଭାବରେ ଏହି ବିଲ୍‍କୁ ଗୃହୀତ କରାଇବା ଅପେକ୍ଷା ଏହାକୁ ସିଲେକ୍ଟ କମିଟିକୁ ପଠାଇ ଅଧିକ ତର୍ଜମାର ଆବଶ୍ୟକତା ରହିଛି  । ପୁନଶ୍ଚ ପୋଲିସ୍‍ ବିଲ୍‍ ସମ୍ପର୍କରେ ସାଧାରଣ ଜନତା, ନାଗରିକ ସମାଜ, ରାଜ୍ୟର ବାର୍‍ କାଉନ୍‍ସିଲ୍‍ ତଥା ଅନ୍ୟାନ୍ୟ ନାଗରିକ ସଂଗଠନ ସହ ବ୍ୟାପକ ଆଲୋଚନା ହେବାର ଆବଶ୍ୟକତା ରହିଛି  । ପୋଲିସ୍‍ ବିଲ୍‍ ସହିତ ସାଧାରଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି  ।

ପୋଲିସ୍‍ର ଆଚରଣ ଓ ଉଚ୍ଚାରଣ ଆମ ଜନଜୀବନକୁ ସବୁବେଳେ ପ୍ରଭାବିତ କରେ  । ସେହି ଦୃଷ୍ଟିରୁ ଲୋକଙ୍କର ଆଶା ଓ ଅଭୀପ୍ସାକୁ ଏହି ବିଲ୍‍ ପୂରଣ କରୁଛି କି ନାହିଁ, ତାହା ଦେଖିବା ବିଧାନସଭାର ଦାୟିତ୍ୱ  । ତରବରିଆ ଭାବରେ ଏହି ବିଲ୍‍କୁ ଯଦି ଗୃହୀତ କରାଇ ଦିଆଯାଏ, ଏଥିରେ ରହିଥିବା ଅନେକ ଗଳାବାଟ ପୋଲିସ୍‍କୁ ପୁଣି ଏକଛତ୍ରବାଦୀ ଓ ଅହଙ୍କାରୀ କରିବ  ।

ପୋଲିସ୍‍ ପ୍ରଶାସନର ବଡ଼ ସମସ୍ୟା ହେଉଛି ଏହା ହାତରେ ରହିଥିବା ପ୍ରଭୁତ୍ୱ କ୍ଷମତା  । ପୋଲିସ୍‍କୁ ପ୍ରଚୁର କ୍ଷମତା ଦିଆଯାଇଥିବାବେଳେ ଏହା ଉପରେ ବିଶେଷ ନିୟନ୍ତ୍ରଣ ନାହିଁ  । ସେଥିପାଇଁ ସୁପ୍ରିମ୍‍କୋର୍ଟ ବିଭିନ୍ନ ପରାମର୍ଶ ଦେଇଛନ୍ତି  । ସୁପ୍ରିମ୍‍କୋର୍ଟଙ୍କ ପରାମର୍ଶ ଅନୁସାରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପୋଲିସ୍‍ ସୁରକ୍ଷା କମିଶନ ରହିବା ଆବଶ୍ୟକ  ।

ଯେଉଁମାନେ କି ପୋଲିସ୍‍ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ବିଭିନ୍ନ ସମୟରେ ଏହାର ପରିଚାଳନା ପାଇଁ ମାର୍ଗଦର୍ଶନ ଦେବେ  । ଓଡ଼ିଶା ସରକାରଙ୍କ ପୋଲିସ୍‍ ଆଇନ୍‍ରେ ରାଜ୍ୟ ସୁରକ୍ଷା କମିଶନ ବ୍ୟବସ୍ଥା ରହିଥିବାବେଳେ ଜିଲ୍ଲାସ୍ତରରେ କୌଣସି ବ୍ୟବସ୍ଥା ନାହିଁ  । ରାଜ୍ୟ ସୁରକ୍ଷା କମିଶନକୁ ଆପାତତଃ ଏକ ସରକାରୀ ନିୟନ୍ତ୍ରିତ ସଂସ୍ଥା ଭାବରେ ଗଠନ କରାଯିବାର ପ୍ରସ୍ତାବ ରହିଛି  ।

ଏହି କମିଶନରେ ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କ ସମେତ ଦୁଇଜଣ ଅଣ ରାଜନୈତିକ ନାଗରିକଙ୍କୁ ସାମିଲ୍‍ କରାଯିବାର ବ୍ୟବସ୍ଥା ରହିଛି  । ତେବେ ଗଣତନ୍ତ୍ରରେ ପୋଲିସ୍‍ ବ୍ୟବସ୍ଥାର ସମୀକ୍ଷା ଲାଗି ବିରୋଧୀ ଦଳ ନେତାଙ୍କୁ ଏହି କମିଶନରେ ସାମିଲ୍‍ କରିବା ନିତାନ୍ତ ଉପଯୋଗୀ ହେବ  । ସେହିପରି ସବୁ ସଦସ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବାରୁ ଏହା ମୂଳତଃ ସରକାରଙ୍କ ଉଦେ୍ଧଶ୍ୟକୁ ହିଁ ପ୍ରମାଣିତ କରିବ  ।

ସେହିପରି ଉଚ୍ଚ ପଦ ପଦବୀର ପୋଲିସ୍‍ ଅଧିକାରୀ ନିଯୁକ୍ତି, ବଦଳି ଇତ୍ୟାଦିର ଦେଖରେଖ କରିବା ଲାଗି ପୋଲିସ୍‍ ପ୍ରତିଷ୍ଠାନ ବୋର୍ଡର ପରିକଳ୍ପନା କରାଯାଇଛି  । ଏହି ବୋର୍ଡର କାର୍ଯ୍ୟକଳାପକୁ ବିଭିନ୍ନ ଥାକରେ ବଣ୍ଟାଯାଇ ପାରିବ  । କେବଳ ରାଜ୍ୟସ୍ତରରେ ଏହାକୁ ସୀମିତ ନ ରଖି ରେଞ୍ଚ୍‍ ଓ ଜିଲ୍ଲାସ୍ତରକୁ ମଧ୍ୟ ଏହା ସମ୍ପ୍ରସାରିତ କରାଯାଇପାରିବ  ।

ପୋଲିସ୍‍ ମହାନିଦେ୍ର୍ଧଶକ ଭଳି ପଦବୀକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଦେବା ଓ ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରିବା କଥା କୁହାଯାଉଛି  । ଅନେକ ସମୟରେ ରାଜନୈତିକ ନେତୃତ୍ୱ ପୋଲିସ୍‍କୁ  ନିଜ ସ୍ୱାର୍ଥଲାଗି ବ୍ୟବହାର କରୁଛନ୍ତି  । ଯାହାର ପ୍ରମାଣ ପ୍ରକାଶ ମିଶ୍ର ବନାମ ଓଡ଼ିଶା ସରକାରଙ୍କ କେସ୍‍ରେ ଆମେ ଦେଖିବାକୁ ପାଇଲୁ  । ଜୁନ୍‍ ୨୦୧୫ରେ ଓଡ଼ିଶାର ମାନ୍ୟବର ଉଚ୍ଚ  ନ୍ୟାୟାଳୟ ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  ।

ଓଡ଼ିଶା ସରକାର ଏ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟରେ ଅପିଲ୍‍ କରିଥିଲେ ମଧ୍ୟ ସୁପ୍ରିମ୍‍କୋର୍ଟ ସରକାରଙ୍କ ଯୁକ୍ତିକୁ ଖାରଜ କରିଛନ୍ତି  । ସୁତରାଂ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ପୋଲିସ୍‍ ମହାନିଦେ୍ର୍ଧଶକଙ୍କୁ ରାଜନୈତିକ ନେତୃତ୍ୱ ନିଜର ପିଆଦା ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି  । ଯିଏ ସରକାରଙ୍କ ହାତବାରିସି ନ ହେଲା, ତାକୁ ହଇରାଣ କରିବା ରାଜନୀତି ନେତୃତ୍ୱର ପ୍ରକୃତି ପାଲଟିଛି  ।

ଏହି ସମସ୍ୟାକୁ କେମିତି ବଦଳାଯାଇପାରିବ, ସେ ସମ୍ପର୍କରେ ପୋଲିସ୍‍ ଆଇନ୍‍ରେ ବିଶେଷ ବ୍ୟବସ୍ଥା ନାହିଁ  । ଯେଉଁ ପୋଲିସ୍‍ ପ୍ରତିଷ୍ଠାନର କଥା କୁହାଯାଉଛି, ତାହା ମୋଟାମୋଟି ସରକାରଙ୍କ ନିୟନ୍ତ୍ରଣରେ ରହିବ ଓ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବ  । ପୋଲିସ୍‍ ମହାନିଦେ୍ର୍ଧଶକ ତଥା ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ବ୍ୟବସ୍ଥା ହେବା ଜରୁରୀ  ।

ଓଡ଼ିଶା ପୋଲିସ୍‍ ବିଧେୟକର ଉଦେ୍ଧଶ୍ୟ ବୁଝାଇବାକୁ ଯାଇ କୁହାଯାଇଛି ଯେ ‘ସାଧାରଣ ଜନତାର ମାନବିକ ଅଧିକାର ସମୂହର ବିକାଶକୁ ସମ୍ମାନ ଏବଂ ସେମାନଙ୍କର ନାଗରିକ, ରାଜନୀତିକ,ସାମାଜିକ, ଅର୍ଥନୀତିକ ତଥା ସାଂସ୍କୃତିକ ଅଧିକାର ଗୁଡ଼ିକର ସୁରକ୍ଷା ଆଇନ୍‍ ଶାସନର ମୌଳିକ ଉଦେ୍ଧଶ୍ୟ  ।’ତେବେ ଏହି ସବୁ ଅଧିକାରଗୁଡ଼ିକର ସୁରକ୍ଷା ଲାଗି ପୋଲିସ୍‍ ସହିତ ଏହି ସବୁ ଗୋଷ୍ଠୀର ଭାଗିଦାରୀତା ରହିନାହିଁ  ।

ମାନବ ଅଧିକାରର ଉଲ୍ଲଂଘନ କ୍ଷେତ୍ରରେ ସବୁଠୁ ଅଧିକ ପୀଡ଼ିତ ଜନତା ହେଉଛନ୍ତି ରାଜ୍ୟର ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା  । ପୋଲିସ୍‍ ସୁରକ୍ଷା କମିଶନ ତଥା ପ୍ରତିଷ୍ଠାନରେ ଏମାନଙ୍କର ଭାଗିଦାରିତା ଲାଗି କୌଣସି ବ୍ୟବସ୍ଥା ନାହିଁ  । ସେହିପରି ପୋଲିସ୍‍ର ଜନସମ୍ପର୍କ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଓଡ଼ିଶା ପୋଲିସ୍‍ ଆଇନ୍‍ ଏକପ୍ରକାର ନିରବ  । ମାନବ ଅଧିକାରର ଉଲ୍ଲଂଘନ କରୁଥିବା ପୋଲିସ୍‍ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ପାଇଁ ବିଧେୟକର ଯେଉଁ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଯଥେଷ୍ଟ ନୁହେଁ  । ଅନେକାଂଶରେ ଏହା କେବଳ ଧର୍ମକୁ ଆଖିଠାର ମାତ୍ର  ।

ପୋଲିସ୍‍ ପ୍ରସଙ୍ଗ ହେଉଛି ନାଗରିକ ଜୀବନରେ ସବୁଠୁ ସମ୍ବେଦନଶୀଳ ଓ ଆମର ଗଣତାନ୍ତ୍ରିକ ଭବିଷ୍ୟତ ପାଇଁ ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ବିତର୍କ  । ଏହାକୁ ବିନା ବିତର୍କରେ ଯଦି ବିଧାନସଭା ପରିଗୃହୀତ କରନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ  ।

ପୋଲିସ୍‍ ବିଧେୟକ ସମ୍ପର୍କରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକମାନେ ତର୍ଜମା କରି ବିତର୍କ ମାଧ୍ୟମରେ ଏଥିରେ ଆବଶ୍ୟକୀୟ ସଂଶୋଧନ ଆଣିବା ଜରୁରୀ  । ଓଡ଼ିଶା ପୋଲିସ୍‍ ବିଧେୟକରେ ଏମିତି କିଛି ବ୍ୟବସ୍ଥା ରହିଛି, ଯାହାକି ନାଗରିକ ବିରୋଧୀ ଓ ମାନବ ଅଧିକାର ବିରୋଧୀ ହେବାର ସମ୍ଭାବନା ଅଧିକ  । ତେଣୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉ ବୋଲି ରାଜ୍ୟବାସୀ ଚାହାଁନ୍ତି  ।

ଫୋନ୍‍ : ୯୪୩୭୧୫୪୪୪୫

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି, ରୋକ ଠୋକ Tagged With: (ରୋକ୍ ଠୋକ୍)ପୋଲିସ ଆଇନ

ଶହେ ଘଣ୍ଟାର ଭଣ୍ଡ ଭାଗବତ ଓ ଭକ୍ତିର ରାଜନୀତି (ରୋକ୍ ଠୋକ୍)

August 17, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ଶହେ ଘଣ୍ଟା ଧରି ନିରନ୍ତର ଗୋଟିଏ ଘଟଣାର ପ୍ରସାରଣ ଓ ପରିବେଷଣ ପରେ ଏହାର ମହାପ୍ରଭାବ ପରିଲକ୍ଷିତ ହେଲା ଓ ଜଣେ ଭଣ୍ଡ ବାବା ଜେଲକୁ ଗଲେ ବୋଲି ଅତ୍ୟନ୍ତ ଆତ୍ମତୃପ୍ତିର ସହ ଗୋଟିଏ ଟେଲିଭିଜନ୍ ଚ୍ୟାନେଲ୍ ଉଦଘୋଷକ ଘୋଷଣା କଲେ ।

ଶହେ ଘଣ୍ଟା ଧରି ଦର୍ଶକଙ୍କ ଆଖି ଓ କାନ ଉପରେ ଯେଉଁ ପ୍ରକାର ଅତ୍ୟାଚାର କରାଗଲା, ତାହାର ପ୍ରଭାବ କେଉଁଠି ନା କେଉଁଠି ଅବଶ୍ୟ ପଡ଼ିଥା’ନ୍ତା । ସାରଥୀ ବାବା ପ୍ରସଙ୍ଗରେ ଓଡ଼ିଶାର ଟେଲିଭିଜନ ଚ୍ୟାନେଲ ଗୁଡିକ ଏତେ ଅଧିକ ଉତ୍ସାହିତ ହୋଇପଡ଼ିଲେ ଯେ, ତାଙ୍କୁ ଲାଗିଲା ଏହାହିଁ ଓଡ଼ିଶାର ପରିତ୍ରାଣ ପାଇଁ ଏକମାତ୍ର ପ୍ରସଙ୍ଗ ।

କହିବାରେ ଦ୍ୱିଧା ନାହିଁ ଯେ, ସାରଥୀ ଓରଫ୍ ସନ୍ତୋଷ ରାଉଳ ଯେଉଁପ୍ରକାର କାରନାମା ସହ ସମ୍ପୃକ୍ତ, ସେ ଜେଲ୍ ଯିବା ଉଚିତ୍ । ହଜାର ହଜାର ଭକ୍ତଙ୍କୁ ନିଜ ଭଣ୍ଡବିଦ୍ୟାରେ ଆକର୍ଷିତ କରି କୋଟିପତି ହୋଇଥିବା ଏହି ବାବା ଜଣକ କାହାଠୁ ସମର୍ଥନ ପାଇବେ ନାହିଁ । ତେବେ ପ୍ରସଙ୍ଗଟି ସେଇଠି ସରିଯିବା ଉଚିତ୍ । ଅତି ସରଳ ଭାବରେ କହିବାକୁ ଗଲେ ସାରଥି ପ୍ରସଙ୍ଗ ଆମ ସାମାଜିକ ଜୀବନର ଏକ ଛୋଟିଆ ନୈତିକ ବିପର୍ଯ୍ୟୟ ମାତ୍ର ।

ପ୍ରତ୍ୟେକ ଧାର୍ମିକ ପୀଠରେ ଭ୍ରଷ୍ଟାଚାର ଓ ପାଗଳାମୀର ମିଶାମିଶି ଏକ ବାତାବରଣ ରହିଥାଏ । ଲୋକଙ୍କ ବିଶ୍ୱାସକୁ ପୁଞ୍ଜି କରି ଧର୍ମଗୁରୁମାନେ ନିଜର ସାମ୍ରାଜ୍ୟ ବଢାଇଥା’ନ୍ତି । ଏହା ଆଦୌ ନୂଆ କଥା ନୁହେଁ । ଆଜି ଯେତେବେଳେ ଆଶାରାମ ବାପୁଙ୍କ ବିଶାଳ ଅର୍ଥନୈତିକ ସାମ୍ରାଜ୍ୟର ଚର୍ଚ୍ଚା ଚାଲିଛି, ସେଠି ସାରଥି ବାବା ଦଣ୍ଡିକିରି ମାଛଟିଏ ମାତ୍ର ।

ଶେଷତମ ତଥ୍ୟ ଅନୁଯାୟୀ ଆଶାରାମ ବାପୁଙ୍କ କଳା ଟଙ୍କାର ସାମ୍ରାଜ୍ୟ ୧୦ହଜାର କୋଟିରୁ ଅଧିକ । କେବଳ ୫୦୦ ବ୍ୟକ୍ତି ବିଶେଷଙ୍କୁ ସେ ୧୦୦୦ରୁ ଅଧିକ କୋଟି ଟଙ୍କାର ଋଣ ଦେଇଛନ୍ତି । ଟଙ୍କା ହାତ ଉଧାରି ଦେଇ ଅଧିକ ସୁଧ ଖାଇବାର ଏକ ସରଳ ପ୍ରକ୍ରି୍ୟା ଆଶାରାମ ବାପୁଙ୍କ ଭକ୍ତମାନଙ୍କ ଭିତରେ ପ୍ରଚଳିତ ।

ଆଶାରାମଙ୍କ ନାଁରେ ଯେଉଁସବୁ ମାମଲା ରହିଛି, ସବୁଗୁଡ଼ିକ ସଙ୍ଗୀନ । ହତ୍ୟା, ଧର୍ଷଣ, ଚୋରି, ଠକେଇ, ସାକ୍ଷୀମାନଙ୍କୁ ହତ୍ୟା ଓ ବିଦେଶରେ ଟଙ୍କା ଲଗାଣ ଭଳି ଭୟଙ୍କର ଅଭିଯୋଗ ତାଙ୍କ ନାଁରେ ଅଛି । ତଥାପି ଆଶାରାମଙ୍କର ଭକ୍ତମାନେ ବୁଝୁନାହାନ୍ତି । ବାବାଙ୍କ ନାଁରେ ଆଜି ବି କୀର୍ତନ ଚାଲିଛି । ତାଙ୍କର ହତ୍ୟା ଓ ଧର୍ଷଣର ସାମ୍ରାଜ୍ୟକୁ ଭାଙ୍ଗିବାରେ ଗଣମାଧ୍ୟମ ସଫଳ ହୋଇପାରିନାହିଁ ।

ବାବା ଓ ମାତା ପ୍ରସଙ୍ଗରେ ଗଣମାଧ୍ୟମର ଅବସ୍ଥା ବଡ଼ ବିଚିତ୍ର । ଗୋଟେ ପକ୍ଷରେ ସେମାନଙ୍କର ପ୍ରବଚନ, ଯୋଗାଭ୍ୟାସ ଓ ଭଜନକୁ ପରିବେଷଣ କରି ଆମେ ବିଜ୍ଞାପନ ହାସଲ କରିବାକୁ ଚାହୁଁଛୁ । ଅପରପକ୍ଷରେ ତାଙ୍କର ନୈତିକତାକୁ ନେଇ ଆମର ସନେ୍ଦହ କମ୍ ନୁହେଁ । ସାରଥୀ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରସାରଣ ପଛରେ କେବଳ ଗୋଟିଏ ଯୁକ୍ତି ହେଉଛି ନୈତିକତାର ଅବକ୍ଷୟ ।

ବାବା ନୀଳ ରଙ୍ଗର ଜିନସ ପିନ୍ଧିଥିଲେ, ମଦ ପିଇଲେ ଓ ଜଣେ ଯୁବତୀଙ୍କ ସହ ଗୋଟେ ପଞ୍ଚ ତାରକା ହୋଟେଲରେ ରାତ୍ରିଯାପନ କଲେ । ଊଣାଅଧିକେ ବହୁ ବାବା ଅତୀତରେ ଏଇୟା କଋ ଧରାପଡିଛନ୍ତି । ଯିଏ ଧରା ପଡ଼େ, ସିଏ ବଦନାମ୍ ହୁଏ, ଯିଏ ଧରାପଡ଼େ ନାହିଁ, ସିଏ ମହାପୁରୁଷ ସାଜି ପ୍ରବଚନ ଦେଇ ଚାଲିଥାଏ ।

ଏକଥା କହିଲେ ଭକ୍ତମାନେ ବିଗିଡ଼ିଯିବେ । ସେମାନେ କହିବେ ଭାରତ ହେଉଛି ସାଧୁସନ୍ଥମାନଙ୍କର ଦେଶ । ତେଣୁ ସବୁ ସାଧୁ ସାରଥୀ ବା ଆଶାରାମ ନୁହଁନ୍ତି । ହୁଏତ ଭକ୍ତମାନଙ୍କର ଭାବାବେଗକୁ ସମ୍ମାନ ଦିଆଯାଇପାରେ । ତେବେ ଅସଲ କଥା ହେଉଛି ଭକ୍ତି ଓ ଆଧ୍ୟାତ୍ମିକତାର ବଜାରରେ ସାଧୁସନ୍ଥ ଖୋଜିବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ।

ଯେଉଁ ନିର୍ବୋଧମାନେ ଏହି ବଜାରର ପଣ୍ୟ ହେବାକୁ ଦଉଡ଼ିଯା’ନ୍ତି, ସେମାନଙ୍କ ପ୍ରତି ଦୟା ଦେଖାଇବାର କୌଣସି କାରଣ ନାହିଁ । ଭକ୍ତମାନେ ପ୍ରତାରିତ ହେବା ପାଇଁ ନିଜକୁ ସମର୍ପିତ କରିଥା’ନ୍ତି । ସତ କହିଲେ, ପ୍ରତାରଣା ସେମାନଙ୍କୁ କାଟେ ନାହିଁ । ଗୋଟିଏ ବାବା ବଦନାମ୍ ହେଲେ ସେମାନେ ଆଉ ଗୋଟିଏ ବାବା ବା ମାତାର ତଲାସ୍ ରେ ବାହାରିପଡ଼ନ୍ତି ।

ସାରାଜୀବନ ମୁକ୍ତି କିଣିବା ଲାଗି ପକେଟରେ ଟଙ୍କା ଧରି ବୁଲୁଥିବା ଏହି ଭକ୍ତମାନଙ୍କୁ ସ୍ୱୟଂ ଭଗବାନ ମଧ୍ୟ ବେ ଇ ପାରିବେ ନାହିଁ । ସେମାନଙ୍କର ନିର୍ବୋଧତା ଏତେ ଶକ୍ତିଶାଳୀ ଯେ, କୌଣସି ଯୁକ୍ତି ବା ତଥ୍ୟ ତାଙ୍କୁ ବିଚୁ୍ୟତ କରିପାରିବ ନାହିଁ । ମଣିଷ ଭିତରେ ଛୋଟିଆ ଯାଦୁକରଟିଏକୁ ଦେଖି ସେମାନେ ଭଗବାନଙ୍କୁ ପାଇଯା’ନ୍ତି ।

ତାହାହିଁ ହେଉଛି ଭକ୍ତିର ମୂଳ ଆଧାର । ଯେଉଁ ତଥାକଥିତ ବଡ଼ ଭକ୍ତିର କଥା ଆମେ କହୁ, ତା’କୁ ବଖାଣ କରି ହୁଏ ନାହିଁ । ଯେମିତି ରାମକୃଷ୍ଣ ପରମହଂସ କହନ୍ତି, “ଲୁଣର ପିତୁଳା ସମୁଦ୍ର କେତେ ଗଭୀର ମାପିବାକୁ ଗଲା । ସେଠୁ ଫେରିଲେ ସିନା ସେ ଆସି କହିବ, ସମୁଦ୍ର କେତେ ଗଭୀର !” ଭାବ ଓ ଭକ୍ତି ପ୍ରବଚନର ବିଷୟବସ୍ତୁ ନୁହେଁ । ଏହା ଅନୁଭବର ଉପାଦାନ ।

ଭକ୍ତମାନେ ଏହି ସାଧାରଣ କଥାକୁ ବୁଝିପାରନ୍ତି ନାହିଁ । ତେଣୁ ସେମାନେ ଯେତେବେଳେ ଭଣ୍ଡାମିର ଶିକାର ହୁଅନ୍ତି, ତା’କୁ ଦେଖି ଆଚମ୍ବିତ ହେବାର କୌଣସି କାରଣ ନାହିଁ । ଭକ୍ତମାନଙ୍କ ଭାଗ୍ୟ ହେଉଛି ସେଇଆ । ସେମାନେ ନିଜ ଛାତିରେ ନିଜ ଭଗବାନଙ୍କଠାରୁ ବାରମ୍ବାର ଗୋଇଠା ଖାଇବେ ଓ ନୂଆ ଭଗବାନ ଖୋଜୁଥିବେ । ସାରଥୀ ଭକ୍ତମାନେ ଏହାର ବ୍ୟତିକ୍ରମ ନୁହନ୍ତି ।

ତେବେ ଶହେ ଘଣ୍ଟା ଧରି ଓଡ଼ିଆ ଗଣମାଧ୍ୟମରେ ଯେଉଁ ଭଣ୍ଡ ଭାଗବତ ଆମେ ଶୁଣିଲୁ, ଏହାର କିଛି ପ୍ରଭାବ ଭକ୍ତବତ୍ସଳ ଜନତା ଉପରେ ପଡ଼ିବ କି ! ଏହାର ସିଧାସଳଖ ଉତ୍ତ ର ହେଉଛି – ଜମା କିଛି ପଡ଼ିବ ନାହିଁ । କାଳିଆବୋଦା, ରନ୍ତତଲେଇଠୁ ଆରମ୍ଭ କରି ସାରଥୀ ଆଶ୍ରମ ପର୍ଯ୍ୟନ୍ତ ବହୁ ଭ୍ରଷ୍ଟାଚାରୀ ବାବାଙ୍କ ପର୍ଦ୍ଧାଫାସ ହୋଇଛି, ହେଲେ ଫଳାଫଳ ଯଥା ପୂର୍ବଂ ତଥା ପରଂ । ଭକ୍ତମାନେ ପାଦରୁ ଝରୁଥିବା ମହୁ ଚାଟିବାକୁ ସବୁବେଳେ ବ୍ୟାକୁଳ । ତାଙ୍କ ବ୍ୟାକୁଳତାକୁ ବିକିଭାଙ୍ଗି ଖାଇବା ପାଇଁ ଗଣମାଧ୍ୟମ ମଧ୍ୟ କମ୍ ତତ୍ପର ନୁହେଁ ।

ଭାରତରେ ଆଧ୍ୟାତ୍ମିକ ବଜାରର ପୁଞ୍ଜିକୁ ଆକଳନ କରିବା ସହଜ ନୁହେଁ । ମୋଟାମୋଟି ଭାରତର ଛୋଟବଡ଼ ବାବାମାନଙ୍କର ସମ୍ପତ୍ତିର ଆକଳନ କରି କୁହାଯାଉଛି ଯେ, ଏହା ୫ ଲକ୍ଷ କୋଟି ଟଙ୍କାରୁ କମ୍ ହେବ ନାହିଁ । ଭଗବାନ ବୋଲି ଏବେବି ଲକ୍ଷ ଲକ୍ଷ ଲୋକଙ୍କ ଘରେ ପୂଜା ପାଉଥିବା ସତ୍ୟସାଇ ବାବାଙ୍କ ମୃତୁ୍ୟପରେ ତାଙ୍କ ଘରୁ ୯୮ କେଜି ସୁନା, ୩୦୭ କେଜି ରୂପା, ୧୧.୫୬ କୋଟି ଟଙ୍କାର ଅର୍ଥରାଶି, ଶହ ଶହ ଦାମୀ ଅତର ମିଳିଲା । ତାକୁ ଲୋକେ ଭୁଲିଗଲେଣି ।

ବାବାଙ୍କ ମୃତୁ୍ୟ ପରେ ତାଙ୍କର ସମ୍ପ ିକୁ ଖ ମାନେ ଖାଇଯିବାକୁ ବସିଥିଲେ, ସେଥିରେ ଭକ୍ତମାନଙ୍କର କିଛି ପରିବ ର୍ନ ହେଲା କି ! ଆଜିର ତାରିଖରେ ବାବା ରାମଦେବଙ୍କ ସମ୍ପ ିର ମୂଲ୍ୟ ୫୦୦୦ କୋଟି ଟଙ୍କା । ନିର୍ମଳ ବାବାଙ୍କର ୭୦୦ କୋଟି ଟଙ୍କା, ଖ୍ରୀଷ୍ଟିଆନ୍ ଧର୍ମଗୁରୁ ପଲ୍ ଦିବାକରନ୍ଙ୍କ ସମ୍ପତ୍ତିର ମୂଲ୍ୟ ୫୦୦୦ କୋଟି ଟଙ୍କା, ଅମୃତାନନ୍ଦମୟୀଙ୍କର ୧୭୦୦ କୋଟି ଟଙ୍କା, ଗୁରୁମିତ୍ ରାମ ରହିମ୍ଙ୍କର ୭୦୦ କୋଟି ଟଙ୍କା । ଏହି ଟଙ୍କା ସବୁ ଆସେ କୁଆଡୁ, ଯାଏ କେଉଁଠିକି, ତା’ର କୌଣସି ହିସାବ ନାହିଁ ।

ଆମ ଦେଶର ପ୍ରବର୍ତନ ନିଦେ୍ର୍ଧଶାଳୟ ଓ ଆୟକର ବିଭାଗ ବାବାମାନଙ୍କ ପ୍ରତି ବେଶ୍ କୋହଳ ମନୋଭାବ ପୋଷଣ କରନ୍ତି । କୌଣସି ଆଶ୍ରମରେ ଆୟକର ବିଭାଗର ରେଡ୍ ପଡ଼ିବା ଖବର ଆମେ ଶୁଣିନାହୁଁ । ଏଠି ବ୍ୟବସାୟ କରୁଥିବା ଲୋକ ଆୟକର ଠକିଲେ ତାକୁ ଦଣ୍ଡ ଦିଆଯାଏ । ଧର୍ମ ନାଁରେ ବ୍ୟବସାୟ କରୁଥିବା ଭଣ୍ଡମାନଙ୍କୁ ଦଣ୍ଡିତ କରାଯିବ ନାହିଁ କାହିଁକି ?

ଭଣ୍ଡମାନଙ୍କୁ ଦଣ୍ଡିତ କରିବା ପାଇଁ ଆମ ସରକାର ଓ ଶାସନ ପାଖରେ ସାହସ ନାହିଁ । କାରଣ ଭକ୍ତିର ମଦ ପିଇ ଭାସୁଥିବା ଭକ୍ତମାନେ ଭୋଟର ମଧ୍ୟ । ସେମାନେ ନିଜ ଗୁରୁଙ୍କ ନିଦେ୍ର୍ଧଶରେ ଭୋଟ ମଧ୍ୟ ଦେବାର ସମ୍ଭାବନା ରହିଛି । ତେଣୁ ସବୁ ରାଜନୈତିକ ଦଳ (ଅଳ୍ପ ବହୁତେ ବାମପନ୍ଥୀଙ୍କୁ ଛାଡ଼ି) ବାବାମାନଙ୍କର ଆଶ୍ରୟରେ ରହିବାକୁ ସୁବିଧା ବୋଲି ଭାବିଥାନ୍ତି । ସାରଥୀବାବାଙ୍କ କ୍ଷେତ୍ରରେ ସେଇଆ ଘଟିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ନେତା ବାବାଙ୍କ ପାଦତଳେ ବସି ନିଜକୁ ଧନ୍ୟ ମଣିଛନ୍ତି । ଏକଥା କହିଲାବେଳେ ଆମକୁ ମନେ ପକାଇବାକୁ ହେବ ଯେ, କେନ୍ଦ୍ରାପଡ଼ା ଥିଲା ଓଡ଼ିଶାର ସମାଜବାଦୀ ରାଜନୀତିର ଏକ ପ୍ରମୁଖ କେନ୍ଦ୍ର, ସେଠୁ ବହୁ ବଡ଼ ବଡ଼ ସମାଜବାଦୀ ନେତା ଜିତିକି ଆସିଛନ୍ତି । ସମାଜବାଦୀ ଗଡ଼ରେ ଭାବବାଦୀ ସାରଥୀବାବାଙ୍କର ଉଦ୍ଭବକୁ ନୂଆ କରି ବିଚାର କରାଯାଇାପାରେ ।

ଆମ ରାଜନୀତିର କାପୁରୁଷପଣ ଓ ରାଜନେତାମାନଙ୍କର ଅନ୍ଧବିଶ୍ୱାସ ବାବାମାନଙ୍କ ଆଡ଼କୁ ଲୋକଙ୍କୁ ଅଧିକ ଆକର୍ଷିତ କରିଛି । ଆଜି ରାଜନୀତିରେ ଗାନ୍ଧି ବା ଲୋହିଆ ନାହାନ୍ତି । ଯେଉଁମାନଙ୍କ ପାଖରେ ରାଜନୈତିକ ଆଦର୍ଶ ଆଧ୍ୟାତ୍ମିକର ସ୍ତରକୁ ସ୍ପର୍ଶ କରିଥିଲା । ସେପ୍ରକାର ରାଜନୈତିକ ନେତୃତ୍ୱର ଅଭାବ ଯୋଗୁଁ ଆମ ସାମାଜିକ ଜୀବନ ଏବେ ଭଣ୍ଡମାନଙ୍କ ଦ୍ୱାରା ଅଧିକ ଆକର୍ଷିତ ହେଉଛି ।

ରାଜନୀତିରେ ବିଫଳତା ଧର୍ମକୁ ଅଧିକ ପ୍ରଭାବଶାଳୀ କରୁଛି । ଭାବବାଦର କଳା କୋଠରୀ ଭିତରେ ହେତୁବାଦର କୌଣସି ପ୍ରାସଙ୍ଗିକତା ରହୁନାହିଁ । ସାମାଜିକ ନେତୃତ୍ୱର ଅଯୋଗ୍ୟପଣ ଓ ଲୋକଙ୍କୁ ପ୍ରଭାବିତ କରିପାରିବାର ପ୍ରତିଭା ନଥିବାରୁ ଏହା ବାକ୍ଚାତୁରୀ ଜାଣିଥିବା ବାବାମାନଙ୍କ ହାତକୁ ଚାଲିଯାଉଛି ।

ଲୋକେ ଶାନ୍ତି ଖୋଜିବାକୁ ଯାଇ ଆହୁରି ଅଶାନ୍ତ ହେଉଛନ୍ତି । ଧର୍ମର ଗଣ୍ଡି ଭିତରେ ମଣିଷ ବେଶୀ ହତାଶ ହେଉଛି । ଏଥିପାଇଁ ଆମର ରାଜନୀତି ଓ ରାଜନୈତିକ ନେତୃତ୍ୱକୁ ସବୁଠୁ ଅଧିକ ଦାୟୀ ବୋଲି କହିବାରେ କୌଣସି ଅସୁବିଧା ନାହିଁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: କେଦାର ମିଶ୍ର, ରୋକ୍ ଠୋକ୍, ସାରଥୀବାବା

କଙ୍କଡ଼ା ହେବାର ଗୌରବ ଓ ଓଡ଼ିଆ ମଧ୍ୟବିତ୍ତ (ରୋକ୍ ଠୋକ୍ )

August 7, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ବେଳାଭୂମିର ସୁନାରଙ୍ଗ ବାଲି ଉପରେ ନାଲି କଙ୍କଡ଼ା ଚାଲୁଥିବାର ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକମାନେ ଓଡ଼ିଶା ଆସନ୍ତି  । ଓଡ଼ିଶାରେ ବହୁ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳନ୍ତି  । ସବୁ ପ୍ରଜାତିର ପ୍ରକୃତି ଓ ଚାଲି ଭିନ୍ନ ପ୍ରକାର  । ତେଣୁ କଙ୍କଡ଼ାମାନଙ୍କ ଭିତରେ ବହୁ ପ୍ରକାରର ଜାତିଭେଦ ଓଡ଼ିଶାରେ ରହିଛି  ।

ତେବେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି କହିବାରେ ଖୋଦ୍ ଓଡ଼ିଆମାନେ କମ୍ ଗୌରବ ଅନୁଭବ କରନ୍ତି ନାହିଁ  । ଓଡ଼ିଆ ଜାତିକୁ ଗୋଡ଼ଟଣା କଙ୍କଡ଼ା ବୋଲି କିଏ କେବେ କହିଥିଲା, ତା’ର ଇତିହାସ ହୁଏତ ଖୋଜିଲେ ମିଳିବ ନାହିଁ  । ତେବେ ପ୍ରତି କଥାରେ ଓଡ଼ିଆ ମଧ୍ୟବିତ୍ତମାନେ ନିଜକୁ କଙ୍କଡ଼ା ବୋଲି କହି ଗାଳି ଦେବାରେ ବେଶ୍ ଗୌରବ ଅନୁଭବ କରନ୍ତି  ।

ଓଡ଼ିଶାର ସାଧାରଣ ଓ ଗରିବ ଲୋକେ ଗୋଡ଼ଟଣା ପ୍ରକୃତି କ’ଣ, ସେ ବିଷୟରେ କିଛି ଜାଣନ୍ତି ନାହିଁ  । ସେମାନେ ନିଜର ଶ୍ରମ, ସଂଘର୍ଷ ଓ ଝାଳନାଳ ଭିତରେ ପଡ଼ି ରହିଥା’ନ୍ତି  । ସେମାନେ ନିଜ ପେଟ ଓ ପିଠି ଲାଗି ସଂଘର୍ଷର ନୂଆ ଇତିହାସ ପ୍ରତିଦିନ ସୃଷ୍ଟି କରନ୍ତି  ।

କୌଣସି ସାଧାରଣ ଓଡ଼ିଆ ଆଉ ଜଣେ ଓଡ଼ିଆକୁ କଙ୍କଡ଼ା ବୋଲି ଗାଳି କରିବାର କେହି କେବେ ଶୁଣି ନଥିବେ  । ବିଶେଷକରି ଉଚ୍ଚବର୍ଗ ଓ ମଧ୍ୟବିତ୍ତ ଓଡ଼ିଆଙ୍କ ପାଇଁ କଙ୍କଡ଼ା ଶବ୍ଦଟି ଏକ ସହଜସାଧ୍ୟ ବିଶେଷଣ  । ଯେଉଁମାନେ ସାରା ଜୀବନ ଉପରକୁ ଉଠିବା ଓ କଳେବଳେ କୌଶଳେ ସବୁ ସୁଯୋଗ ହାତେଇବାର ଉଦ୍ୟମରେ ମାହିର୍, ସେମାନେ ହିଁ ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି  ।

ସେମାନେ ଯେହେତୁ କଙ୍କଡ଼ା ଦୌଡ଼ରେ ଥାଆନ୍ତି ସେମାନଙ୍କୁ ସାରା ଜଗତ କଙ୍କଡ଼ା ମନେ ହୁଏ  । କଙ୍କଡ଼ା ପରି ଜୀବନ ବଞ୍ଚୁଥିବା ଏହି ମଧ୍ୟବିତ୍ତ ଓଡ଼ିଆମାନେ ଅନ୍ୟମାନଙ୍କୁ କଙ୍କଡ଼ା ବୋଲି କହିବାବେଳେ ନିଜ ଦେହରେ ଚଢିଥିବା କଙ୍କଡ଼ାର ଖୋଳପାଟିକୁ ଦେଖିପାରନ୍ତି ନାହିଁ  । ସେଇଟା ସବୁଠୁ ବଡ଼ ବିଡ଼ମ୍ବନା  ।

ଜଣେ ଓଡ଼ିଆ ଲୋକ ଯେତେବେଳେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ କିଛି ସୁନାମ ପାଏ, ତା’କୁ ଗାଳିଦେବା ଆମର ସ୍ୱଭାବ ବୋଲି କୁହାଯାଇଛି  । ସମ୍ପ୍ରତି ରଙ୍ଗବତୀ ଗୀତକୁ ନେଇ ଚାଲିଥିବା ବିବାଦ ଆଢୁଆଳରେ ଏହି କଙ୍କଡ଼ା ପ୍ରବୃତ୍ତିର ଚର୍ଚ୍ଚା ବଢିଯାଇଛି  ।

ରିମିକ୍ସ ରଙ୍ଗବତୀ ଆସିଲା ପରେ ତା’କୁ ନେଇ ଯେଉଁମାନେ ଆପତ୍ତି ଉଠାଇଲେ, ସେମାନଙ୍କୁ ରକ୍ଷଣଶୀଳ, ପଛୁଆ, ଅଣଆଧୁନିକ ଓ ଗୋଡ଼ଟଣା ପ୍ରବୃତ୍ତିର କଙ୍କଡ଼ା ଜାତୀୟ ଜୀବ ବୋଲି କହିବାକୁ ଏକ ନୂଆ ଫେସନ୍ ଭାବେ ଗ୍ରହଣ କରି ନିଆଗଲା  ।

ଏପ୍ରକାର ଅଭିଯୋଗ ଯେଉଁମାନେ ଆଣିଲେ, ସେମାନେ ପ୍ରାୟତଃ ଉଚ୍ଚ ବର୍ଗ ଓ ମଧ୍ୟବିତ୍ତ ଓଡ଼ିଆ ଶ୍ରେଣୀର ପ୍ରତିନିଧି  । ସେମାନେ ନିଜ ପରିବାର, ଘର ଓ ସମାଜରେ ଓଡ଼ିଆ ଭାବକୁ ନେଇ କ୍ୱଚିତ୍ ଗର୍ବିତ ହୁଅନ୍ତି  । ସେମାନେ ଇଂରାଜୀ ପଢୁଆ ବାବୁଘରର ପିଲା  । ସେମାନଙ୍କୁ ଓଡ଼ିଆ ଲେଖି ଆସେ ନାହିଁ  । ଓଡ଼ିଆ କହିବାରେ ସେମାନଙ୍କୁ ଲାଜ ଲାଗେ  ।

ଓଡ଼ିଶାର ସଂସ୍କୃତି କହିଲେ ସେମାନେ କାଁ ଭାଁ ଶୁଣିଥିବା ଗୀତ ଓ ଦେଖିଥିବା ନାଚକୁ ବୁଝନ୍ତି  । ଓଡ଼ିଶାର ସଂସ୍କୃତି ଯେ ବହୁ ବିବିଧତାରେ ଭରା ଓ ଏହାର ବହୁ ରୂପ ରହିଛି, ସେ ବିଷୟରେ ତାଙ୍କର କୌଣସି ଜିଜ୍ଞାସା ନଥାଏ  । କେବଳ ସଂସ୍କୃତି ହେଉଛି ସେମାନଙ୍କ ପାଇଁ ବାଣିଜ୍ୟର ବିଷୟବସ୍ତୁ  । ସେଥିଲାଗି ରଙ୍ଗବତୀ ଗୀତର ତଥାକଥିତ ଜାତୀୟ ମାନ୍ୟତାକୁ ନେଇ ସେମାନେ ଉତ୍ଫୁଲ୍ଲିତ ହୋଇପଡ଼ନ୍ତି  ।

ତାଙ୍କୁ ଲାଗେ କୋକ୍ ଷ୍ଟୁଡ଼ିଓରେ ବାଜିଗଲେ ଗୋଟେ ଗୀତ ଜାତୀୟ ମାନ୍ୟତା ପାଇଗଲା  । ସେମାନେ ବୁଝିପାରନ୍ତି ନାହିଁ ଯେ ଗତ ୨ ବର୍ଷ ଭିତରେ ଶହ ଶହ ଗୀତ ଏମିତି ବାଜିଛି ଓ ଲିଭିଯାଇଛି  । ସେହି କ୍ରମରେ ରଙ୍ଗବତୀ ବି କୋକ୍ ଷ୍ଟୁଡ଼ିଓରୁ ଲିଭିଯିବ  । ଏହା କେବଳ ମାସେ କି ଦୁଇମାସ ପାଇଁ ସୋନା ମହାପାତ୍ର ଓ ଋତୁରାଜ ମହାନ୍ତିଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ଯାହା  । ତା’ଠୁ ଅଧିକ କିଛି ହେବାର ନାହିଁ  ।

ତେବେ ଏ ପ୍ରସଙ୍ଗରେ ସଂସ୍କୃତିର ଶୁଦ୍ଧତାକୁ ନେଇ ଯୁକ୍ତି କରୁଥିବା ଲୋକଙ୍କୁ କଙ୍କଡ଼ା ବୋଲି ଯେଉଁମାନେ କହନ୍ତି, ସେମାନେ ନିଜେ କେତେ ଉଦାର, ତା’ର ଉଦାହରଣ ଆମେ ଲଣ୍ଠନ ଧରି ଖୋଜିଲେ ମଧ୍ୟ ପାଇବା ନାହିଁ  । ଓଡ଼ିଆ ଜାତି ଯଦି ନିଜର ମାନ୍ୟତା ଓ ଅସ୍ମିତାକୁ ବଜାୟ ରଖିଛି, ତାହା ଏ ଜାତିର ସଂଘର୍ଷରତ କଳାକାରମାନଙ୍କ ପାଇଁ  ।

ରଘୁରାଜପୁର ଗାଁର ପାନ ବରଜରେ କାମ କରୁଥିବା ଗୋଟେ ସାଧାରଣ ପରିବାରର ପିଲା କେଳୁ ଚରଣ ମହାପାତ୍ରଙ୍କ ଉଦ୍ୟମରେ ଓଡ଼ିଶୀ ଭଳି ଏକ ନୃତ୍ୟ ପଚାଶ ବର୍ଷ ଭିତରେ ସାରା ପୃଥିବୀରେ ବ୍ୟାପି ଗଲା  । କେଳୁବାବୁଙ୍କୁ ନେଇ ଏ ଜାତି କେତେ ଗର୍ବ କରିଛି ? ଆଜି ଓଡ଼ିଶୀ ନୃତ୍ୟ ପୃଥିବୀର ଶହେଟି ଦେଶରେ ନିଜର ପ୍ରଭାବ ବିସ୍ତାରକରି ସାରିଲାଣି  ।

ଯେଉଁମାନେ ଓଡ଼ିଆ ପଢନ୍ତି ନାହିଁ କି ଜାଣନ୍ତି ନାହିଁ ସେମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଆତ୍ମାକୁ ଚିହ୍ନିଛନ୍ତି  । ଏହା କ’ଣ କମ୍ ସଫଳତା ? ଯେଉଁ ଗୁରୁ ଓ ନୃତ୍ୟଶିଳ୍ପୀମାନେ ଏହି ନୃତ୍ୟକୁ ଏତେ ବଡ଼ ମାନ୍ୟତା ଦେଲେ, ସେମାନଙ୍କୁ ନୂଆ ପିଢିର ଓଡ଼ିଆମାନେ ଗ୍ରହଣ କରିବେ ନାହିଁ କାହିଁକି ? କେବଳ ବଲିଉଡ୍ର ମାନ୍ୟତା ଏକମାତ୍ର ସ୍ୱୀକୃତି କି ?

ଗତ ୨୦ ବର୍ଷ ଭିତରେ ଚିତ୍ରକଳା ଜଗତରେ ଓଡ଼ିଆ ଚିତ୍ରଶିଳ୍ପୀମାନେ ବେଶ୍ ଆଗୁଆ ରହିଛନ୍ତି  । ଜଗନ୍ନାଥ ପଣ୍ଡାଙ୍କ ଭଳି ଚିତ୍ରଶିଳ୍ପୀଙ୍କୁ ନୂଆ ଭାରତୀୟ ଚିତ୍ରଶିଳ୍ପୀଙ୍କ ଭିତରେ ଶ୍ରେଷ୍ଠ ଦଶଜଣଙ୍କ ଭିତରେ ଗଣାଯାଉଛି  । ତାଙ୍କୁ ନେଇ ଆମେ ଗର୍ବିତ ହେଲୁଣି କି ? ପ୍ରତୁଲ୍ ଦାସ, ସୁଧାଂଶୁ ସୁତାର୍, ଅଦ୍ୱୈତ୍ ଗଡ଼ନାୟକଙ୍କ ଭଳି ଆହୁରି ଅନେକ ଚିତ୍ରଶିଳ୍ପୀ ଓ ସ୍ଥପତି ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ।

ତାଙ୍କ କଥା ଆମେ ଜାଣିଛୁ କି ? ଗୀତ କଥା ଉଠିଲେ କେତେ ଓଡ଼ିଆ ପିଲା ଜାତୀୟସ୍ତରରେ ନାଁ କଲେଣି  । ସୋନା ମହାପାତ୍ର ପ୍ରଥମ ଓଡ଼ିଆ ଶିଳ୍ପୀ ଭାବରେ ଜାତୀୟ ମାନ୍ୟତା ପାଇନାହାନ୍ତି  । ପ୍ରତି ଟେଲିଭିଜନ୍ ଶୋ’ରେ ଏବେ ନୂଆ ପିଢିର ଓଡ଼ିଆମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି  ।

ତେବେ ରିଅଲିଟି ଶୋ’ର ବାସ୍ତବତା ହେଉଛି ଏହା ଆସେ ଓ ଯାଏ  । ରିଅଲିଟି ଶୋ’ରୁ ଖୁବ୍ କମ୍ ଶିଳ୍ପୀ ବାହାରନ୍ତି ଯେଉଁମାନେ ନିଜ ଦକ୍ଷତା ବଳରେ ଶ୍ରେୟା ଘୋଷାଲ୍ ବା ସୁନିଧି ଚୌହାନ ହୋଇପାରନ୍ତି  । ବୋଧେ ସୋନା ମହାପାତ୍ର ସେହି ସ୍ତରକୁ ଯିବାକୁ ଆହୁରି ଅନେକ ବାଟ ବାକି ଅଛି  ।

ସୋନା ମହାପାତ୍ର ଓ ଋତୁରାଜଙ୍କ ପାଇଁ ଓଡ଼ିଆମାନେ କିଛି କମ୍ ସହଯୋଗର ହାତ ବଢାଇ ନାହାନ୍ତି  । ଓଡ଼ିଆଙ୍କ ସହଯୋଗ ବଳରେ ହିଁ ସେମାନେ ପ୍ରସିଦ୍ଧି ପ୍ରତିଷ୍ଠା ଓ ଲୋକପି୍ରୟତା ପାଇଛନ୍ତି  । ଆଜି ଗୋଟିଏ ଭୁଲ୍ ପାଇଁ ତାଙ୍କୁ ଯଦି ସମାଲୋଚନା କରାଯାଏ, ତାହା କଙ୍କଡ଼ା ପ୍ରକୃତି ହୋଇଗଲା କେମିତି ?

କଙ୍କଡ଼ା ହେବାରେ ଅସୁବିଧା ବା କ’ଣ ? ନିଜର କରିତ୍କର୍ମା ଗୁଣ ଯୋଗୁଁ ଯେଉଁମାନେ ସଫଳତା ପାଆନ୍ତି, ସେମାନେ ଭାବନ୍ତି ତାଙ୍କୁ କେହି ସମାଲୋଚନା ନ କରୁ  । ସଫଳତା ପାଇଁ ଯେକୌଣସି ପ୍ରକାର ନୀଚ୍ଚ ମାଧ୍ୟମ ଅବଲମ୍ବନ କଲେ ମଧ୍ୟ ତାକୁ କେହି ଆଲୋଚନା ନ କରନ୍ତୁ  । ଏହା ଆମେ ଚାହୁଁ  ।

ଏହା କେବଳ ଓଡ଼ିଆ ଉଚ୍ଚବର୍ଗ ବା ମଧ୍ୟବିତ୍ତ ନୁହନ୍ତି, ପୃଥିବୀର ସବୁ ମଧ୍ୟବର୍ଗର ଏହା ହେଉଛି ପ୍ରବୃତ୍ତି  । ସଫଳତାକୁ ଆପଣାର କରି ଏହା ପଛରେ ରହିଥିବା କଳଙ୍କିତ ଇତିହାସକୁ ଭୁଲିଯିବା ଉଚିତ ବୋଲି ଆମକୁ ଉପଦେଶ ଦିଆଯାଏ  ।

ସଫଳତାର କାହାଣୀ ଶୁଣୁ ଶୁଣୁ ଆମେ ନିଜେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଅଂଶ ପାଲଟିଗଲେ ମଧ୍ୟ କିଛି ଯାଏ ଆସେ ନାହିଁ ବୋଲି ଆମକୁ ପ୍ରବଚନ ଶୁଣାଯାଏ  । ଉଦାହରଣ ଦେଇ କୁହାଯାଇପାରେ- ନିକଟରେ ଜଣେ ପ୍ରଭାବଶାଳୀ ଓଡ଼ିଆ ରାଜନେତାଙ୍କ ନାଁରେ
ଦୁର୍ନୀତିର ଅଭିଯୋଗ ଆସିଲା  । ତାଙ୍କୁ ସମାଲୋଚନା କରିବା ପାଇଁ ଓଡ଼ିଆ କଙ୍କଡ଼ାମାନେ ସାହସ ନ କରନ୍ତୁ ବୋଲି କେହି କେହି ପ୍ରବଚନ ଦେଲେ  ।

ଏହି ରାଜନେତାଜଣଙ୍କ ନିଜ କରିତ୍କର୍ମା ଗୁଣ ଯୋଗୁଁ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିଲେ ଓ ଏହା ତାଙ୍କ ଓଡ଼ିଆପଣର ସଫଳତା । ସୁତରାଂ ତାଙ୍କୁ ସମାଲୋଚନା କରିବା ଓଡ଼ିଆଙ୍କ ପକ୍ଷେ ଉଚିତ ନୁହେଁ ବୋଲି କୁହାଯାଉଛି  । ସବୁ ସାର୍ଥକ ଓ ସଫଳ ଓଡ଼ିଆ ସମାଲୋଚନାଠୁ ଉଦ୍ଧ୍ୱର୍ରେ ରହିବାକୁ ଚାହାଁନ୍ତି  ।

ସେମାନଙ୍କ ଦେହରେ ନିଆଁ ପାଣିରେ ଧାସ ବାଜିବ ନାହିଁ  । ସେମାନେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ସମାଜକୁ ଯେତେ ବିକୃତ କଲେ ମଧ୍ୟ ତାଙ୍କୁ ଆମେ ସମାଲୋଚନା କରିବାର ଯୋଗ୍ୟ ନୁହଁ !

ଦୁର୍ଭାଗ୍ୟ କଥା ହେଉଛି ଯେଉଁମାନେ ଓଡ଼ିଆମାନଙ୍କୁ କଙ୍କଡ଼ା ବୋଲି ଗାଳି କରନ୍ତି, ସେମାନଙ୍କ ହାତରେ ଓଡ଼ିଶାର ସବୁ ସମ୍ବଳ ଓ କ୍ଷମତା ଗଚ୍ଛିତ  । ସେମାନେ ଆମର ଖଣି, ଖାଦାନ ଓ ପ୍ରମୁଖ ବାଣିଜ୍ୟ ପ୍ରତିଷ୍ଠାନର ମାଲିକ  । ସେମାନଙ୍କ ହାତରେ ଗଣମାଧ୍ୟମର ମାଲିକାନା  ।

ସେମାନଙ୍କ ହାତରେ ରାଜନୀତିର ସବୁ କ୍ଷମତା  । ସେମାନେ ଆମର ହର୍ତ୍ତାକର୍ତ୍ତା ଓ ବିଧାତା  । ସେମାନେ ଓଡ଼ିଶାକୁ ଲୁଟ୍ କରି ନିଜର ପେଟ ବଢାନ୍ତି  ଆଉ ଆଶା କରନ୍ତି ଯେ ତାଙ୍କ ପେଟ ଉପରେ କୌଣସି ଓଡ଼ିଆର ନଜର ନ ପଡ଼ୁ  । ସେମାନେ ଓଡ଼ିଶାର ସଂସ୍କୃତିକୁ ବିକୃତ, ବଜାରୀ ଓ ଚାଲୁ କରି ନିଜର ପ୍ରତିଷ୍ଠା ବଢାନ୍ତି  । ସେହି ବିକୃତି ବିରୋଧରେ ଯିଏ କହେ, ତାକୁ ରକ୍ଷଣଶୀଳ ବୋଲି ଗାଳି କରନ୍ତି  । ଓଡ଼ିଆ ମାଟିରେ ପଡ଼ି ରହି ଯେଉଁମାନେ ଓଡ଼ିଶାର ସେବା କରନ୍ତି, ସେମାନେ ପଛୁଆ ହୋଇ ସାରାଜୀବନ ରହନ୍ତି  ।

ଅଥଚ ଓଡ଼ିଶା ବାହାରେ ଦରବୁଝା ଓଡ଼ିଆକୁ ନେଇ ଯେଉଁମାନେ ରାତାରାତି ତାରକା ପାଲଟିଯାଆନ୍ତି, ସେମାନଙ୍କୁ ଏଠି ଫୁଲମାଳ ଦେଇ ସ୍ୱାଗତ କରାଯାଏ  । ଓଡ଼ିଆ ମଧ୍ୟବିତ୍ତ ବର୍ଗର ଏହି ଛଳନା ଯୋଗୁଁ ଓଡ଼ିଶାର ମୌଳିକ ସଂସ୍କୃତି ଉଧେଇ ପାରେ ନାହିଁ  ।
ଏଇମାନେ ଓଡ଼ିଆ ସଂସ୍କୃତି ନାଁରେ ଯାବତୀୟ ବିକୃତିର ପୃଷ୍ଠପୋଷକ ସାଜନ୍ତି  ।

ଏମାନଙ୍କପାଇଁ ଓଡ଼ିଶାର ଜନଜୀବନରୁ ବହୁ ଲୋକ ପରମ୍ପରା ମରି ମରି ଆସେ  । ନିଜ ବଜାର ସୃଷ୍ଟି କରିବାକୁ ଯାବତୀୟ ବିକୃତିକୁ ଏମାନେ ସଂସ୍କୃତି ଓ ରାଜନୀତିରେ ପ୍ରୋତ୍ସାହନ ଦିଅନ୍ତି  । ସବୁଠୁ ମଜା କଥା ହେଉଛି ବେଳେବେଳେ ଏଇମାନେ ନିଜେ ଓଡ଼ିଆ ସଂସ୍କୃତିର ମଙ୍ଗୁଆଳ ସାଜି ମଞ୍ଚ ଉପରେ ଭାଷଣ ମଧ୍ୟ ଦିଅନ୍ତି  ।

ଏମାନେ ନିଜେ କଙ୍କଡା ନା କର୍କଟ ତାହା ସମୟ ବିଚାର କରିବା ଉଚିତ୍  । ଓଡ଼ିଆ ସମାଜର ନବେ ଭାଗ ଲୋକ ଜାଣନ୍ତି ନାହିଁ କଙ୍କଡ଼ା ପ୍ରବୃତ୍ତି କ’ଣ । କେବଳ ଦଶଭାଗ ଓଡ଼ିଆ ନିଜ ଭିତରର ଈର୍ଷା, ଅସୂୟା ଓ ଗୋଡ଼ ଟଣାଟଣିକୁ ନେଇ ପରସ୍ପରକୁ କଙ୍କଡ଼ା ବୋଲି ସମ୍ବୋଧନ କରନ୍ତି  । ଏହି କଙ୍କଡ଼ାଙ୍କ ସହ ଓଡ଼ିଶା ବା ଓଡ଼ିଆଙ୍କର କୌଣସି ସମ୍ପର୍କ ନାହିଁ  ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ରଙ୍ଗବତୀ, ରିମିକ୍ସ

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

July 24, 2015 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

ଗତ ମାସେରୁ ଅଧିକ ହେଲା ରଙ୍ଗବତୀ ଗୀତକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି । ସତୁରୀ ଦଶକର ଏହି ଗୀତ ପୁଣି ଥରେ ଜନମାନସରେ ନିଜର ନୂଆ ଅବତାର ଗ୍ରହଣ କରିଛି । କୋକ୍‍ ଷ୍ଟୁଡ଼ିଓରେ ଏହାର ପ୍ରସାରଣ ପରଠୁ ଏହାକୁ ନେଇ ଢେର୍‍ ଚର୍ଚ୍ଚା ବଢିଯାଇଛି । ଏହାର ରିମିକ୍ସ ସପକ୍ଷରେ ଓ ବିପକ୍ଷରେ ଅନେକ ମତାମତ ଶୁଣିବାକୁ ମିଳୁଛି ।

ଯେଉଁମାନେ ପଶ୍ଚିମ ଓଡ଼ିଶାର ଲୋକଗୀତ ତଥା ଲୋକସଂସ୍କୃତି ବିଷୟରେ ବିଲ୍‍କୁଲ୍‍ କିଛି ଜାଣନ୍ତି ନାହିଁ ସେମାନେ ଏହାକୁ ଓଡ଼ିଶାର ଲୋକ ସଂସ୍କୃତି ପାଇଁ ଏକ ବିରାଟ ସଫଳତା ବୋଲି କହିଚାଲିଛନ୍ତି । ତେବେ ରଙ୍ଗବତୀ ଗୀତକୁ ନେଇ ଗଢି ଉଠୁଥିବା ଅନେକ କାହାଣୀ, ବିବାଦ, ଅପବାଦ ଓ ଗୁଜବର ସ୍ପଷ୍ଟ ତର୍ଜମା ଆଜି କରିବା ଉଚିତ୍‍ ହେବ ।

କାହାଣୀ ୧ : ରଙ୍ଗବତୀ ହେଉଛି ଏକ ଲୋକଗୀତ । ତେଣୁ ଏହା କପିରାଇଟ୍‍ ଆକ୍ଟ୍‍ର ଅଧୀନ ନୁହେଁ ।

ବାସ୍ତବତା : ରଙ୍ଗବତୀ ଆଦୌ ମୌଳିକ ଲୋକଗୀତ ନୁହେଁ । ଏହା ଲୋକସ୍ୱର ଉପରେ ଆଧାର କରିଥିବା ଏକ ମୌଳିକ ସଙ୍ଗୀତ ରଚନା । ୧୯୭୬ ମସିହାରେ ଆକାଶବାଣୀ ସମ୍ବଲପୁର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ଗୀତଟିର ପରିକଳ୍ପନା କରାଯାଇଥିଲା ।

ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ନିଜେ ଏହାର ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି । ‘କୁରେ ଫୁଲର ଝୁମ୍ପା’ ନାମକ ଏକ କାର୍ଯ୍ୟକ୍ରମ ପାଇଁ ଯେଉଁ ତିନୋଟି ଗୀତ ପ୍ରସ୍ତୁତ କରାଯାଇଥିଲା, ତନ୍ମଧ୍ୟରୁ ରଙ୍ଗବତୀ ଅନ୍ୟତମ । ଏହା ପ୍ରାଥମିକ ଭାବରେ ଫକୀର ପଟ୍ଟନାୟକ ଓ କମଳ କୁମାରୀ ବେହେରାଙ୍କ କଣ୍ଠରେ ରେକର୍ଡ ହେବାର ଥିଲା ।

କଳାକାରଦ୍ୱୟ ନ ଆସିବାରୁ ଏହାକୁ ଜିତେନ୍ଦ୍ର ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ କଣ୍ଠରେ ରେକର୍ଡ କରାଯାଇଥିଲା । ପରବର୍ତ୍ତୀ ଘଟଣା ଇତିହାସ । ୧୯୭୬ ପରେ ଏହା ଆକାଶବାଣୀରେ ଏତେ ଲୋକପ୍ରିୟ ହେଲା ଯେ, ଏହାକୁ ନିଜ ତରଫରୁ ଇନେ୍ଦ୍ରକୋ କମ୍ପାନୀ ରେକର୍ଡ କରିବାର ନିଷ୍ପତ୍ତି ନେଇଥିଲେ । ମୌଳିକ ଭାବରେ ଆଜି ମଧ୍ୟ ଏହାର ସତ୍ତ୍ୱ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସଙ୍ଗୀତ ନିଦେ୍ର୍ଧଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପାଖରେ ରହିଛି ।

ସବୁ ସମ୍ବଲପୁରୀ ଗୀତକୁ ଲୋକଗୀତ ବୋଲି କେହି କେହି ଧରିନିଅନ୍ତି । ଯେମିତି ଓଡ଼ିଆରେ ବୋଲାଯାଉଥିବା ସବୁ ଗୀତ ଓଡ଼ିଶୀ ନୁହେଁ, ସେମିତି ସମ୍ବଲପୁରୀ ବା କୋଶଳୀରେ ବୋଲାଯାଉଥିବା ସବୁ ଗୀତ ଲୋକଗୀତ ନୁହେଁ । ସମ୍ବଲପୁର ଆକାଶବାଣୀ ପ୍ରତିଷ୍ଠା ହେବା ପରଠୁ ନୂଆ ପିଢିର ଅନେକ ଗାୟକ/ ଗାୟିକା ସମ୍ବଲପୁରୀ ଗୀତରେ ଆଧୁନିକତାର ପ୍ରୟୋଗ କରିଛନ୍ତି ।

ରଙ୍ଗବତୀ ପରମ୍ପରା ଓ ଆଧୁନିକତାର ଏକ ସୁନ୍ଦର ସମନ୍ୱୟ । ରଙ୍ଗବତୀରେ ଲୋକ ଧୁନ୍‍ ସହିତ ଆଧୁନିକ ଗୀତିକବିତାର ଚମକ୍ରାର ମିଶ୍ରଣ ଘଟିଛି । ରଙ୍ଗବତୀ ବୋଲି କୌଣସି ଲୋକଗୀତର ଧାରା ପଶ୍ଚିମ ଓଡ଼ିଶାରେ ନାହିଁ ।

କାହାଣୀ ୨ : ଆମେ ବଜାରରେ ଯେଉଁ ସମ୍ବଲପୁରୀ ଗୀତ ଶୁଣୁ, ସେସବୁ ପଶ୍ଚିମ ଓଡ଼ିଶାର ଲୋକଗୀତ ।

ବାସ୍ତବତା : ଅସଲ କଥା ହେଉଛି ପଶ୍ଚିମ ଓଡ଼ିଶାର ଅନେକ ଲୋକଗୀତ ଏବେ ମୃତ୍ୟୁ ମୁଖରେ । ସମ୍ବଲପୁରୀ ଗୀତର ବଜାର ସୃଷ୍ଟି ହେବା ପରେ ଏହାକୁ ଅଧିକ ଲୋକପ୍ରିୟ ତଥା ବଜାରଧର୍ମୀ କରିବାକୁ ଯାଇ ସମ୍ବଲପୁରୀ ଗୀତର ଲୋକଧର୍ମକୁ ମାରିଦିଆଗଲା । ସତୁରୀ ଦଶକରେ ଫକୀର ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଦିଲ୍ଳୀପ ବାଗ୍‍, ଜିତେନ୍ଦ୍ର ହରିପାଲ୍‍, କ୍ରିଷ୍ଣା ପଟେଲ୍‍, ଡଲି ମିଶ୍ର ପ୍ରମୁଖ ଲୋକଧର୍ମୀ ସମ୍ବଲପୁରୀ ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ଆରମ୍ଭ କରିଦେଲେ ।

ଏହାକୁ ଆମେ ସମ୍ବଲପୁରୀର ଆଧୁନିକ ସୁଗମ ସଙ୍ଗୀତ ବୋଲି କହିପାରିବା । ପଶ୍ଚିମ ଓଡ଼ିଶାର ମୌଳିକ ଲୋକଗୀତର ଶୈଳୀ ସବୁ ହେଉଛି ଡାଲ୍‍ଖାଇ, ରସରକେଲି, ମାଏଲାଜଡ଼, ହୁମବଉଲି, ଜାଇଫୁଲ, ସଜନୀ ଗୀତ, ଦୁଲାବିହା, ନଚନିଆ, ବଜ୍‍ନିଆ, ମାଲେଶ୍ରୀ, ଘୁମ୍‍ରା ଇତ୍ୟାଦି । ଏହା ସହିତ ଉପକୂଳ ଓଡ଼ିଶାର ପାଲା ପରି ପଶ୍ଚିମ ଓଡ଼ିଶାର ସଂଚାର ଓ ସମ୍ପ୍ରଦା ମଧ୍ୟ ରହିଛି ।

ଶହେରୁ ଅଧିକ ଶ୍ରେଣୀର ଲୋକଗୀତ ଆଜି ମଧ୍ୟ ଜନଜୀବନରେ ପ୍ରଚଳିତ । ଏହାର ସଂରକ୍ଷଣ ତଥା ଗାୟନକୁ ନେଇ କୌଣସି ଉଦ୍ୟମ ହେଉନାହଁ । ଯେଉଁମାନେ ରଙ୍ଗବତୀ ଗୀତ ମାଧ୍ୟମରେ ସମ୍ବଲପୁରୀ ଲୋକକଳା ବିଶ୍ୱବ୍ୟାପୀ ହେଲା ବୋଲି ଡିଣ୍ଡିମ ପିଟୁଛନ୍ତି, ସେମାନେ ବୁଝିବା ଉଚିତ ଯେ ନୂଆକରି ପରିବେଷଣ ହୋଇଥିବା ରଙ୍ଗବତୀରେ ସମ୍ବଲପୁରୀ ଲୋକଗୀତ କୌଣସି ପ୍ରଭାବ ନାହିଁ । ଏହା ବଲିଉଡ୍‍ର ଏକ ଉଦ୍ଭଟ ଫୁ୍ୟଜନ୍‍ ମାତ୍ର ।

କାହାଣୀ ୩ : ନୂଆ ରଙ୍ଗବତୀ ହେଉଛି ନୂଆପିଢିକୁ ଆକୃଷ୍ଟ କରିବାର ଏକମାତ୍ର ମାର୍ଗ । ଏହା ରିମିକ୍ସ ବଜାରରେ ନୂଆ ଉତ୍ସାହ ସୃଷ୍ଟି କରିଛି ।

ବାସ୍ତବତା : ରିମିକ୍ସ ବା ଫୁ୍ୟଜନ୍‍ରେ ଦୁଇଟି ବା ଅଧିକ ସଙ୍ଗୀତଶୈଳୀର ମିଶ୍ରଣ କରାଯାଇଥାଏ । ରିମିକ୍ସରେ ମୂଳ ଗୀତର ସ୍ୱରଲିପି ଓ ସାହିତ୍ୟକୁ ଅକ୍ଷୁଣ୍ଣ ରଖାଯାଇଥାଏ । ସୋନା ମହାପାତ୍ର ଙ୍କ ରଙ୍ଗବତୀରେ ରଙ୍ଗବତୀର ମୂଳ ସ୍ୱରଲିପି ବିକୃତ ହୋଇଥିବାବେଳେ ଏହାର ସାହିତ୍ୟକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରାଯାଇଛି । ଏଥିରେ ସମ୍ବଲପୁରୀ ଲୋକଶୈଳୀ ସହ ଆଧୁନିକ ସ୍ୱର ଓ ବାଦ୍ୟର ସମନ୍ୱୟ ଘଟିନାହିଁ ।

ଏହା କେବଳ ଆଧୁନିକତାର ବିକଳ ଅନୁକରଣ । ଅନେକ ସମୟରେ ରିମିକ୍ସରେ ମୂଳ ଗୀତର ଗାୟକ ଗାୟିକାଙ୍କୁ ନିଆଯାଇଥାଏ । ଏ କ୍ଷେତ୍ରରେ ତାହା ମଧ୍ୟ ଘଟିନାହିଁ । ତେଣୁ ଏହାକୁ ମୌଳିକ ଭାବରେ ରିମିକ୍ସ ବୋଲି ମଧ୍ୟ କୁହାଯାଇପାରିବ ନାହିଁ ।

କାହାଣୀ ୪ : ରଙ୍ଗବତୀ ଗାଇଲାବେଳେ ସୋନା ମହାପାତ୍ର ଯେଉଁ ଉଚ୍ଚାରଣଗତ ତ୍ରୁଟି କରିଛନ୍ତି, ତାହା ସହଜରେ ଗ୍ରହଣୀୟ ।ଏପ୍ରକାର ଛୋଟ ଛୋଟ ଭୁଲ୍‍କୁ ନେଇ ସମାଲୋଚନା କରିବା ଅବାନ୍ତର ।

ବାସ୍ତବତା : ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ ସମାନ ନୁହେଁ ।

ପୁନଶ୍ଚ ଜଣେ ଜୀବିତ ଲେଖକଙ୍କ ଗୀତକୁ ଜାତୀୟ ସ୍ତରରେ ପରିବେଷଣ କରିବା ପୂର୍ବରୁ ତାଙ୍କର ଅନୁମତି ନ ନେବା କେବଳ ଅଭଦ୍ରାମି ନୁହେଁ, ଏହା ବେଆଇନ ମଧ୍ୟ ।

କାହାଣୀ ୫ : ଓଡ଼ିଆ ସଂସ୍କୃତିର ଜାତୀୟ ବଜାର ନାହିଁ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସଂସ୍କୃତିକୁ କେହି ଚିହ୍ନନ୍ତି ନାହିଁ ।

ବାସ୍ତବତା : ଓଡ଼ିଶାର ବହୁ ସାଂସ୍କୃତିକ ବିଭବ ରହିଛି ଯାହା ଏବେ ଆନ୍ତର୍ଜାତିକ ବଜାରରେ ମାନ୍ୟତା ପାଇସାରିଛି । ଓଡ଼ିଶୀ ନୃତ୍ୟ ତା’ର ଏକ ଉଦାହରଣ । ପୃଥିବୀର ଶହେରୁ ଅଧିକ ଦେଶରେ ଓଡ଼ିଶୀ ନୃତ୍ୟ ନିଜର ପ୍ରଭାବ ବିସ୍ତାର କରିଛି । ଗୋଟିପୁଅ, ଛଉ, ସମ୍ବଲପୁରୀ ଓ ଆହୁରି ଅନ୍ୟାନ୍ୟ ଅନେକ ଲୋକକଳା ଅଛି, ଯାହାର ଆଦର ଦେଶବିଦେଶରେ ରହିଛି ।

ତେବେ ଓଡ଼ିଶା ଭିତରେ ଏହି ସବୁ ଲୋକକଳାକୁ ପ୍ରେତ୍ସାହନ ଦେବା ପାଇଁ ଆମର ମଧ୍ୟବିତ୍ତମାନେ ଆଦୌ ଚିନ୍ତିତ ନୁହନ୍ତି ।ସବୁଠୁ ବଡ଼ କଥା ହେଉଛି, ଓଡ଼ିଆ ମଧ୍ୟବିତ୍ତମାନେ ନିଜ ସଂସ୍କୃତି ସମ୍ପର୍କରେ ଅନେକାଂଶରେ ନିରକ୍ଷର ଓ ଉଦାସୀନ । ସେମାନେ ଖବରକାଗଜ ଓ ଟେଲିଭିଜନକୁ ସଂସ୍କୃତିର ମାଧ୍ୟମ ବୋଲି ବିବେଚନା କରନ୍ତି । ଯାହାଫଳରେ ସଂସ୍କୃତିର କୌଣସି ଉପଯୁକ୍ତ ତଥ୍ୟ ଆମ ପାଖରେ ପହଞ୍ଚେ ନାହିଁ ।

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ବିବାଦ, ରଙ୍ଗବତୀ, ରିମିକ୍ସ

ନବକଳେବର : ଯାହା ଆମେ ଜାଣିଲୁ ନାହିଁ (ରୋକ୍ ଠୋକ୍ )

July 18, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

ଗତ ୬ମାସ ଭିତରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ କାନରେ ଗୋଟିଏ ଶବ୍ଦ ଗୁ୍‍ଞ୍ଜରିତ ହେଉଛି : ନବକଳେବର ।

ଗଣମାଧ୍ୟମର ସୌଜନ୍ୟରୁ ଆମେ ପ୍ରତି ମିନିଟ୍‍ ରେ ଏହି ଶବ୍ଦଟିକୁ ଶୁଣୁଛୁ ଓ ଏହାକୁ ନେଇ ଆମର କଳ୍ପନା ତ୍ୱରାନ୍ୱିତ ହେଉଛି ।

ନବକଳେବର କ’ଣ , କାହିଁକି ହୁଏ , କେମିତି ହୁଏ, କିଏ କିଏ ସବୁ ଏହାର ଅଂଶୀଦାର ଓ ଏହାକୁ ନେଇ କେତେପ୍ରକାର ବିଭ୍ରାଟ ଘଟିଛି, ତା’ର ବିଷଦ ବିବରଣୀ ଆମେ ଶୁଣୁଛୁ ।

ବିଶେଷକରି ଗତ ଜୁନ୍‍ ୧୫ତାରିଖ ରାତିରେ ଘଟ ପରିବର୍ତ୍ତନ ହୋଇ ନପାରିବାର ଦୁଃଖରେ ଓଡ଼ିଶା ରାଜନୀତି ଉଠୁଛି ଓ ପଡୁଛି । ଏହି ଘଟଣାରେ ଏତେବଡ଼ ରାଜନୈତିକ ଝଡ଼ ଉଠିବ ବୋଲି କେହି ହୁଏତ ଭାବିପାରିନଥିଲେ ।

ଜଗନ୍ନାଥ ଯେ କେବଳ ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର ନୁହଁନ୍ତି, ସେ ଆମ ରାଜନୀତିରେ ମଧ୍ୟ ଚାଳିକାଶକ୍ତି ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

ତେବେ ନବକଳେବରର ରାଜନୀତି ଓ ଚର୍ଚ୍ଚା ଭିତରେ ଅନେକ ଐତିହାସିକ ତଥ୍ୟ ରହିଛି, ଯାହାକି ନବକଳେବରକୁ ଆମ ସମାଜ ନିର୍ମାଣର ମୌଳିକ ଆଧାର ଭୂମି ଭାବରେ ପ୍ରତିପାଦିତ କରିପାରନ୍ତା । ସେ ସମ୍ପର୍କରେ ଗଣମାଧ୍ୟମ ଆଖିବୁଜି ବସିଛି ।

ନବକଳେବର କେବଳ ଏକ ପୂଜା ଉପଚାର ନୁହେଁ । ଏହା ସହିତ ପାଖାପାଖି ହଜାର ବର୍ଷର ଓଡ଼ିଶା ରାଜନୀତି ଓ ତା’ର ଇତିହାସ ଜଡ଼ିତ । ମାଦଳା ପାଞ୍ଜି ଅନୁସାରେ ପ୍ରଥମ ନବକଳେବରର ବର୍ଣ୍ଣନା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମ୍ବନ୍ଧ ସ୍ପଷ୍ଟ ବାରି ହୋଇ ପଡ଼େ ।

ସେ ସମ୍ପର୍କରେ ଆମର ଗଣମାଧ୍ୟମ ଓ ଜଗନ୍ନାଥ ତତ୍ତ୍ୱବିତ୍‍ମାନେ ଏକପ୍ରକାର ନିରବ । ପ୍ରଥମ ନବକଳେବରର ବର୍ଣ୍ଣନା କରିବାକୁ ଯାଇ ମାଦଳା ପାଞ୍ଜିର ବର୍ଣ୍ଣନାଟି ପଢାଯାଉ ।

ଶୋଭନ ଦେବଙ୍କ ରାଜତ୍ୱ କାଳରେ ଡିଲି (ଦିଲ୍ଲୀ)ରୁ ରକ୍ତବାହୁ ଆସି ଆକ୍ରମଣ କରିବାରୁ ପରମେଶ୍ୱରଙ୍କୁ ସୁନୁପୁର (ସୋନପୁର)ର ଗୋପାଳୀକୁ ସ୍ଥାନାନ୍ତରିତ କରାଗଲା ।

“ ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ବଡ଼ ଶୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ୧୧ଅଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ?

ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମାଦ୍ର ମାଡ଼ି ଆଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପରମେଶ୍ୱରଙ୍କୁ ପାତାଲୀ କରି ସୁନୁପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାଁତବ ନାହିଁ । ଏହା ଶୁଣି ମହାରାଜା ସୁନୁପୁରୁ ଗଲେ ।

ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ଭେ ଗାଁତବ ନୋହୁ । ଆମ୍ଭ ବାପା ଅଜା କହନ୍ତି ଦିଅଁବର ଏହି । ଏଥି ତଳେ ଦିଅଁକୁ ପୋତି ଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପରମେଶ୍ୱରଙ୍କୁ ବାହାର କଲେ ।

ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟି ଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅଁମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରେଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ ।

ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ । ଏ ଘଟଣାବେଳେ ରାଜାସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଚ୍ଛସ ୫ ଜଣକୁ ୪୦ ଜଣ । ପତିମାନଙ୍କର ଏଗାରହ ଜଣକୁ ଛଅ ଜଣ ।

ଦଇତାମାନଙ୍କର ଉଲୁକ ଗୋତ୍ର । ୮ ଜଣକୁ ୮ ଜଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳେ ୩୮ ହାତ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ ।”

ସୋନପୁରର କୋଟ ସମ୍‍ଲେଇରୁ ପୁଣି ଥରେ ଶଙ୍ଖନାଭି ମଣ୍ଡଳକୁ ଫେରିବା ବେଳର ଏହି ପ୍ରଥମ ନବକଳେବର ସମ୍ପର୍କରେ କୌଣସି ପ୍ରକାର ତଥ୍ୟ, ସୂଚନା ବା ଆଲୋଚନା ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲେ ନାହିଁ ।

ଅଥଚ ଏହି ପ୍ରଥମ ନବକଳେବର ସହିତ ଜଗନ୍ନାଥ ସଂସ୍କୃତିର ମୂଳ ସମ୍ପୃକ୍ତ । ଆଦିବାସୀ, ଶୁଦ୍ର ଓ ବ୍ରାହ୍ମଣ୍ୟ ଧାରାର ଯେଉଁ ମିଶ୍ରଣ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଘଟିଛି, ତା’ର ମୂଳ ଏହି ଆଦ୍ୟ ନବକଳେବରରେ ରହିଛି । ତା’ର ତର୍ଜମା ଆମେ କରିପାରିଲୁ ନାହିଁ । ପୁନଶ୍ଚ ନବକଳେବର ବିଧାନ ସହିତ ପଶ୍ଚିମ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଳାର ତିନୋଟି ପରମ୍ପରାର ସାମ୍ୟ ରହିଛି ।

କନ୍ଧମାନଙ୍କର ପରମ୍ପରାରେ ଗ୍ରାମଦେବୀଙ୍କ ଘଟ ପରିବର୍ତ୍ତନ ନୀତି ସହିତ ନବକଳେବରର ସମାନତା ରହିଛି । ସେହିପରି ପଶ୍ଚିମ ଓଡ଼ିଶାର ଡୁମାଲ୍‍ ଜାତିର ଇଷ୍ଟଦେବୀ ଖମ୍ବେଶ୍ୱରୀ ତଥା ପରମେଶ୍ୱରୀଙ୍କ ନବକଳେବର ବିଧାନ ସହିତ ଶ୍ରୀ ଜଗନ୍ନାଥଙ୍କ ନବକଳେବରର ଅତୁଳନୀୟ ସାମ୍ୟ ଦେଖାଯାଏ ।

ଅନ୍ୟ ଏକ ଉଦାହରଣ କ୍ରମରେ ସୋନପୁରର ବିଭିନ୍ନ ମନ୍ଦିରରେ ରହିଥିବା ‘ଜୁଡ଼ା ଖୁମ୍ବ’ଗୁଡ଼ିକର ପରିବର୍ତ୍ତନ ଓ ନବକଳେବର ବିଧାନ ପ୍ରାୟ ଏକା । ଏ ସମ୍ପର୍କରେ କୌଣସି ରିପୋର୍ଟ ବା ଆଲୋଚନା ଆମେ ଦେଖିବାକୁ ପାଇଲୁ ନାହିଁ । ଏହା ହିଁ ଦୁର୍ଭାଗ୍ୟ ।

ନବକଳେବର ଆଲୋଚନାବେଳେ କେବଳ ପ୍ରବଚକମାନେ ଜଗନ୍ନାଥ ସଂସ୍କୃତି ବିଷାରଦ ପାଲଟିଗଲେ । ଐତିହାସିକ ଏବଂ ସମାଜତାତ୍ତ୍ୱିକ ଆଲୋଚନା ବଦଳରେ ମହାପ୍ରଭୁଙ୍କୁ ଧାର୍ମିକ ଉନ୍ମାଦନାର ଶକ୍ତିକେନ୍ଦ୍ର ଭାବରେ ବର୍ଣ୍ଣନା କରିବାକୁ ଗଣମାଧ୍ୟମ ତତ୍ପର ହୋଇ ଉଠିଲା ।

ଯାହାଫଳରେ ନବକଳେବରର ନୃତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ଦିଗ ବିଷୟରେ ଆଲୋଚନା ସମ୍ଭବ ହେଲା ନାହିଁ । ଏପରିକି ନବକଳେବରକୁ ନେଇ ଘଟିଥିବା ବହୁ ଐତିହାସିକ ଘଟଣା ମଧ୍ୟ ଆଲୋଚିତ ହେଲା ନାହିଁ ।

ଯାହା ଫଳରେ ନବକଳେବରର ପରମ୍ପରା ବିଭ୍ରାନ୍ତି, ବିଭ୍ରାଟ ଓ ବିପର୍ଯ୍ୟୟରେ ପରିଣତ ହେଲା । ଏହି ପ୍ରସଙ୍ଗରେ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କର ଉଦାହରଣ ଦିଆଯାଇପାରେ ।

ତକୀ ଖାଁଙ୍କ ଆକ୍ରମଣ ସମୟରେ ପରିସ୍ଥିତିରେ ପଡ଼ି ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବ ଧର୍ମାନ୍ତରିତ ହୋଇ ହାଫିଜ୍‍ କାଦର୍‍ ନାମ ଗ୍ରହଣ କରିଥିଲେ । ଗଜପତି ଧର୍ମାନ୍ତରିତ ହୋଇଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ତାଙ୍କର ଭୂମିକା ସୀମିତ ଥିଲା ।

ଏହାକୁ ଆଳ କରି ମହାରାଣୀ ଲଳିତା ପାଟ ମହାଦେଇ ଓ ରାମଚନ୍ଦ୍ର ଦେବଙ୍କ ଭିତରେ କ୍ଷମତା ଯୁଦ୍ଧ ଲାଗି ରହିଥିଲା । ଏହି କ୍ଷମତା ଯୁଦ୍ଧରେ ବିଜୟୀ ହେବା ପାଇଁ ନବକଳେବରକୁ ଅସ୍ତ୍ର ଭାବରେ ଲଳିତା ପାଟ ମହାଦେଇ ବ୍ୟବହାର କରିବାକୁ ଚାହୁଁଥିଲେ ।

ଚିଲିକା ଭିତରେ ଗୋପ୍ୟ ହୋଇ ରହିଥିବା ଦାରୁ ବ୍ରହ୍ମଙ୍କୁ ନ ଆଣି ନୂଆ ଦାରୁ ଓ ନୂଆ ବ୍ରହ୍ମ ପ୍ରତିଷ୍ଠା କରି ନିଜର ରାଜନୈତିକ ପତିଆରା ଜାହିର୍‍ କରିବାକୁ ଲଳିତା ପାଟ ମହାଦେଇ ଉଦ୍ୟମ କରିଥିଲେ । ଏହାର ବିଷଦ ବର୍ଣ୍ଣନା ସୁରେନ୍ଦ୍ର ମହାନ୍ତି ତାଙ୍କର ଉପନ୍ୟାସ ‘ନୀଳାଦ୍ରି ବିଜୟ’ରେ କରିଛନ୍ତି ।

କ୍ଷମତା ଓ ରାଜନୀତିର ଯୁଦ୍ଧରେ ନବକଳେବର ଏକ ସାର୍ଥକ ମାଧ୍ୟମ ପାଲଟିଥିଲା । ତେଣୁ ଆଜି ଯେତେବେଳେ ନବକଳେବରକୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ରାଜନୀତି କରୁଛନ୍ତି, ସେଥିରେ ଚକିତ ହେବାର କିଛି ନାହିଁ ।

ନବକଳେବର ବିଧାନ ସହ ସଂକୀର୍ଣ୍ଣ ରାଜନୀତିର ଦୀର୍ଘଦିନର ସମ୍ପର୍କ ରହିଛି । ତେବେ ଏହି ରାଜନୀତି ଭିତରୁ ଜଗନ୍ନାଥଙ୍କର ସମନ୍ୱୟ ସୂତ୍ରଟି ମଧ୍ୟ ଫିଟି ଉଠିଛି ।

ଶ୍ରୀ ଜଗନ୍ନାଥଙ୍କୁ ଯେତେ ବ୍ରାହ୍ମଣ୍ୟଧର୍ମ ଭିତରେ ସୀମିତ ରଖିବାର ପ୍ରୟାସ ହୋଇଛି, ମହାପ୍ରଭୁ ସେତେ ଅଧିକ ଗାଣତାନ୍ତ୍ରିକ ଓ ସର୍ବୋଦୟୀ ହୋଇଛନ୍ତି । ତାଙ୍କରି ସେବା ପୂଜା ଭିତରେ ଜାତି, ଧର୍ମ ଓ ବର୍ଣ୍ଣର ସୀମାରେଖା ଲିଭିଛି । ନବକଳେବର ବିଧାନ ସହିତ ଆଉ ଏକ ସୂତ୍ର ମଧ୍ୟ ରହିଛି ।

ମହାପ୍ରଭୁ କେବଳ ଶଙ୍ଖନାଭି ମଣ୍ଡଳରେ ସୀମିତ ନୁହଁନ୍ତି । କ୍ଷେତ୍ରରୁ ବନ ଆଡ଼କୁ ପୁଣିଥରେ ଉଜାଣି ସୁଅରେ ସେ ଫେରି ଆସନ୍ତି । ପୁଣି ଥରେ ଦାରୁ ଭିତରେ ତାଙ୍କର ନୂତନ ସଂରଚନା ହୁଏ । ଏହାହିଁ ନବକଳେବରର ମୂଳ ସୂତ୍ର ।

ସବୁ ଜାତି ଓ ସବୁ ଧର୍ମର ସମ୍ପୃକ୍ତି ନବକଳେବରରେ କେଉଁଠି ନା କେଉଁଠି ଦେଖିବାକୁ ମିଳେ । ଦୁର୍ଭାଗ୍ୟର ବିଷୟ ହେଉଛି ଆମର ଗଣମାଧ୍ୟମ ନବକଳେବରର ଏହି ସମନ୍ୱୟ ବିଚାରକୁ ଆଦୌ ଗୁରୁତ୍ୱ ଦେଇନାହିଁ ।

୧୯୫୦ ମସିହାର ନବକଳେବର ସମୟରେ ଶ୍ରୀ ବଳଭଦ୍ରଙ୍କ ଦାରୁ କାକଟପୁର ନିକଟବର୍ତ୍ତୀ ଜଲାଲ୍‍ପୁର ଗ୍ରାମରୁ ମିଳିଥିଲା । ଏହି ଦାରୁର ମାଲିକ ଥିଲେ ଜଣେ ମୁସଲମାନ୍‍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦାରୁ କାଟିବା ପାଇଁ ସେ ଅମଙ୍ଗ ହେଉଥିଲେ ।

ତେବେ ତାଙ୍କର ପତ୍ନୀ ଦାରୁ ଛେଦନ ପାଇଁ କେବଳ ଅନୁମତି ଦେଲେ ନାହିଁ, ଦଇତା ଓ ସେବାୟତମାନଙ୍କର ସମ୍ପୂର୍ଣ୍ଣ ରହଣିର ବ୍ୟବସ୍ଥା କରାଇଦେଲେ । ଏହା ଆମ ସଂସ୍କୃତିର ଧର୍ମନିରପେକ୍ଷ ଗୁଣକୁ ଆଉ ପାଦେ ଆଗେଇ ନେଇଛି । ଜଗନ୍ନାଥଙ୍କ ପାଖରେ ଜାତି ଓ ଧର୍ମର କୌଣସି ବାରଣ ନାହିଁ । ଜଲାଲ୍‍ପୁର ତା’ର ଏକ ଉଦାହରଣ ।

ଚଳିତ ବର୍ଷର ନବକଳେବର ପ୍ରସଙ୍ଗ ଉତ୍ଥାପନ କଲାବେଳେ ଆମେ ନବକଳେବରର ବହୁମୁଖୀ ଧାରା ବିଷୟରେ ବିଲ୍‍କୁଲ୍‍ ଚିନ୍ତା କଲୁ ନାହିଁ । ଆମେ କୌଣସି କନ୍ଧ ଗାଁକୁ ଯାଇ ଗ୍ରାମଦେବୀଙ୍କ ନବକଳେବର ବିଧାନ କେମିତି ହୁଏ, ଦେଖିବାକୁ ଚେଷ୍ଟା କଲୁ ନାହିଁ ।

ଆମର ଗଣମାଧ୍ୟମର ଉତ୍ସାହିତ ସାମ୍ବାଦିକମାନେ ସୋନପୁର କି ଜଲାଲ୍‍ପୁର ବିଷୟରେ କୌଣସି ତଥ୍ୟ ଉପସ୍ଥାପନ କଲେ ନାହିଁ । ତାଙ୍କୁ ବ୍ରହ୍ମ ଚୋରି ଭଳି ଅତ୍ୟନ୍ତ ନିକୃଷ୍ଟ ବିଚାର ଏମିତି ଗ୍ରାସ କଲା ଯେ, ସେମାନେ ନବକଳେବରର ବିବିଧ ଧାରା ବିଷୟରେ ଜାଣିବାର କି ଶୁଣିବାର ଉଦ୍ୟମ କଲେ ନାହିଁ । ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ !

ଫୋନ୍‍ : ୯୪୩୭୧୫୪୪୪୫

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ନବକଳେବର, ପରମେଶ୍ୱର

ଖଣିଜ ଖୁସି ଓ କର୍କଟ ରୋଗର ଧୂଳି (ରୋକ୍ ଠୋକ୍)

July 16, 2015 by ନିଉଜ ଡେସ୍କ Leave a Comment

କେଦାର ମିଶ୍ର

୨୦୦୭ ମସିହାରେ ଆମେରିକାର ବ୍ଲାକ୍‍ସ୍ମିଥ୍‍ ଇନ୍‍ଷ୍ଟିଚୁ୍ୟଟ୍‍ ଓଡ଼ିଶାର ସୁକିନ୍ଦା ଉପତ୍ୟକାକୁ ପୃଥିବୀର ପ୍ରଥମ ପାଞ୍ଚଟି ପ୍ରଦୂଷିତ ଅଞ୍ଚଳ ଭାବରେ ଚିହ୍ନଟ କରିଥିଲା । ସେତେବେଳେ ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ରିପୋର୍ଟକୁ ଅତିରଞ୍ଜିତ ବୋଲି କହି ଉଡେଇ ଦେଇଥିଲେ । ତେବେ ସମୟକ୍ରମେ ଏହି ରିପୋର୍ଟର ସତ୍ୟତା ଅଧିକ ପ୍ରାଣବନ୍ତ ଲାଗୁଛି ।

ଭାରତର ୯୮ ଭାଗ କ୍ରୋମାଇଟ୍‍ ଗଚ୍ଛିତ ଥିବା ସୁକିନ୍ଦା ଉପତ୍ୟକା ଶିଳ୍ପପତିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏହା ଏକ ଜୀବନ୍ତ ନର୍କ ପାଲଟି ଯାଇଛି । ଇସ୍ପାତ୍‍, ଆଲୟ୍‍ ଓ ଚମଡ଼ା ପ୍ରକ୍ରିୟାକରଣ ପାଇଁ କ୍ରୋମାଇଟ୍‍ର ଆବଶ୍ୟକତା ରହିଛି ।

ଏବଂ ଦେଶର ସବୁଠୁ ଅଧିକ କ୍ରୋମାଇଟ୍‍ ସୁକିନ୍ଦାରେ ମିଳିଥାଏ । କ୍ରୋମାଇଟ୍‍ ଖଣିର ଉପସ୍ଥିତି ଓ ଖଣିଜ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କି ପ୍ରକାର ପ୍ରଭାବ ପଡୁଛି, ତା’କୁ ନେଇ ରାଜ୍ୟସରକାର ଖୁବ୍‍ ବେଶୀ ଆକଳନ କରୁନାହାନ୍ତି । ଯାହାବି କାଁଭାଁ ଆକଳନ ହେଉଛି ତାହା ସରକାରୀ ନାଲିଫିତା ତଳେ ପଡ଼ି ରହୁଛି ।

ଏହାକୁ ନେଇ ସୁକିନ୍ଦା ଅଞ୍ଚଳରେ ରାଜନୀତି କେବେବି ହୋଇନାହିଁ । ନିକଟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ଅଦାଲତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ସୁକିନ୍ଦା ଉପତ୍ୟକା କ୍ରମଶଃ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୃତୁ୍ୟଯନ୍ତା ପାଲଟିଛି । କ୍ୟାନ୍‍ସର୍‍ ସମେତ ବହୁ ମାରାତ୍ମକ ରୋଗ ଏହି ଅଞ୍ଚଳବାସୀଙ୍କୁ ଗ୍ରାସ କରୁଛି । ରାଜ୍ୟସରକାରଙ୍କ ଯେଉଁ ରିପୋର୍ଟକୁ ଅଦାଲତ ସନ୍ତୋଷଜନକ ନୁହଁ ବୋଲି କହିଛନ୍ତି, ସେହି ରିପୋର୍ଟରେ ମଧ୍ୟ କ୍ରୋମାଇଟ୍‍ ଖଣିର ସ୍ୱାସ୍ଥ୍ୟଗତ ପ୍ରଭାବକୁ ନେଇ ସ୍ପଷ୍ଟ ଉଲ୍ଲେଖ ରହିଛି ।

କ୍ରୋମାଇଟ୍‍ ଧୂଳି ଯୋଗୁଁ ଡାଇବେଟିସ୍‍, ଚର୍ମରୋଗ, ଗେଷ୍ଟ୍ରୋସାଇଟି୍ରସ୍‍ ଭଳି ରୋଗ ବଢିଚାଲିଛି । ପାଣି, ପବନ ଓ ଧୂଳିରେ ଜୀବନନାଶକାରୀ ଜୀବାଣୁ ପ୍ରବେଶ କରିଛି । ଏହା ସୁକିନ୍ଦା ଉପତ୍ୟକାର ସାତୋଟି ପଞ୍ଚାୟତରେ ରହୁଥିବା ଷାଠିଏ ହଜାର ଲୋକ ଓ ନିକଟବର୍ତ୍ତୀ ଢେଙ୍କାନାଳ ଜିଲ୍ଲାର ପାଞ୍ଚୋଟି ପଞ୍ଚାୟତର ଚାଳିଶ ହଜାର ଲୋକଙ୍କୁ ପ୍ରଭାବିତ କରୁଛି ।

ଏ ସମ୍ପର୍କରେ ଲୁଚାଇବାର କିିଛିନାହିଁ । ତେବେ ଏଥିପାଇଁ ଦାୟୀ କିଏ, ତାହାର ଉତ୍ତର କାହା ପାଖରେ ନାହିଁ । ସୁକିନ୍ଦା ଉପତ୍ୟକାରେ ଇମ୍ଫା, ହ୍ୟାକର୍‍, ଜିନ୍ଦଲ୍‍, ଟିସ୍କୋ, ଓଡ଼ିଶା ମାଇନିଂ କର୍ପୋରେସନ୍‍, ବାଲେଶ୍ୱର ଆଲଏଜ୍‍ ଭଳି କମ୍ପାନୀର ଖଣି ରହିଛି । ଏହିସବୁ ଖଣି ଓପନ୍‍କାଷ୍ଟ୍‍ ହୋଇଥିବାରୁ ଓ ପ୍ରଚୁର ପରିମାଣରେ ଧୂଳି ତଥା ପରିତ୍ୟକ୍ତ ଖଣିଜ ପଦାର୍ଥ ମାଟି ଓ ପାଣି ରେ ମିଶୁଥିବାରୁ ଏହା ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି ।

ଖୋଦ୍‍ ରାଜ୍ୟସରକାରଙ୍କ ରିପୋର୍ଟରେ ଖଣି ପାଇଁ ମୃତୁ୍ୟ ଓ ସ୍ୱାସ୍ଥ୍ୟ ହାନିର ସମ୍ଭାବନାରେ ପ୍ରାୟ ଅଢେଇଲକ୍ଷ ଲୋକ ପ୍ରଭାବିତ ବୋଲି କୁହାଯାଇଛି । ତେବେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଖଣି ଅଞ୍ଚଳରେ ଲୋକଙ୍କର ଜୀବନ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ନେଇ ଓଡ଼ିଶାର ଜନସାଧାରଣ, ରାଜନେତା, ଗଣମାଧ୍ୟମ ଓ ନାଗରିକ ସମାଜ ଚିନ୍ତିତ ହେଲା ଭଳି ମନେ ହେଉନାହିଁ । ସୁକିନ୍ଦା କେବଳ ଏକ ଉଦାହରଣ ମାତ୍ର ।

ସୁକିନ୍ଦା ଭଳି କେଉଁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ୍‍, ମୟୂରଭଞ୍ଜ, ରାୟଗଡ଼ା ଇତ୍ୟାଦି ଜିଲ୍ଲାରେ ଏହି ସମସ୍ୟା ଆହୁରି ଗୁରୁତର । ଏହାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର୍କ ଥିଲା ପରି ମନେ ହେଉନାହିଁ । ସେହିପରି ରାଜ୍ୟର ପ୍ରଦୂଷଣକୁ ନେଇ କାମ କରୁଥିବା ବେସରକାରୀ ସଂଗଠନଗୁଡ଼ିକ ମଧ୍ୟ ଏ ସଂକ୍ରାନ୍ତରେ ନିରବ ରହିଥିଲା ଭଳି ମନେହେଉଛି ।

କ୍ରୋମାଇଟ୍‍ ଖଣି ଯୋଗୁଁ ସୁକିନ୍ଦାର ଜନଜୀବନ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିପର୍ଯ୍ୟସ୍ତ ହୋଇନାହିଁ । ଖଣି ଯୋଗୁଁ ସ୍ଥାନୀୟ ଲୋକଙ୍କର ଜୀବନ ଓ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ନିକଟରେ ହିନ୍ଦୁସ୍ତାନ ଟାଇମ୍‍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ସୁକିନ୍ଦା ଅଞ୍ଚଳରେ ଖଣି କାରବାର ଯୋଗୁଁ ୧୯୭୫ରେ ପାଖାପାଖି ୪୦,୦୦୦ ଲୋକଙ୍କୁ କାମ ମିଳୁଥିଲା ।

ବିଭିନ୍ନ ଖଣି ବନ୍ଦ ହେଲା ପରେ ଏବେ ଏଥିପାଇଁ ମାତ୍ର ୪,୦୦୦ ଲୋକଙ୍କୁ କାମ କରିବା ସୁଯୋଗ ମିଳୁଛି । ଅର୍ଥାତ୍‍ ଗତ ୩୫ ବର୍ଷ ଭିତରେ ୩୫ ହଜାର ଲୋକ ନିଜର ଜୀବନ ଓ ଜୀବିକା ହରାଇ ସାରିଲେଣି । ଖଣିରେ କାମ ସରିଗଲା ପରେ କୃଷିକାମକୁ ଆଧାର କରି ବଞ୍ଚôବା ଆଉ ସମ୍ଭବ ନୁହଁ ।

କ୍ରୋମାଇଟ୍‍ ମିଶା ଧୂଳି ଜମି ସୁକିନ୍ଦା ଅଞ୍ଚଳର ମାଟି ଅନୁର୍ବର୍‍ ଓ ଚାଷ ଅନୁପଯୋଗୀ ହୋଇଯାଇଛି । ସେଥିରେ ଫସଲ ହେବାର ସମ୍ଭାବନା ନାହିଁ । ସେହିପରି ଏହି ଅଞ୍ଚଳରେ ପ୍ରବାହିତ ଦ୍ୱିତୀୟ ବଡ଼ ନଦୀ ବ୍ରାହ୍ମଣୀ ଭୟଙ୍କର ପ୍ରଦୂଷଣର ଶିକାର ହୋଇଛି । ଖଣି ଓ ଶିଳ୍ପ କାରବାର ଯୋଗୁଁ ବ୍ରାହ୍ମଣୀ ନଦୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ଖଣି ମାଲିକମାନଙ୍କର ଅମାନବୀୟ ଆଚରଣ ଓ ପରିତ୍ୟକ୍ତ ଖଣିଜ ପଦାର୍ଥକୁ ନଈ ପଠାରେ ଫୋପାଡ଼ି ଦେବାର ପ୍ରବଣତା ଯୋଗୁଁ ବ୍ରାହ୍ମଣୀ ଭୟଙ୍କର ଭାବରେ ପ୍ରଦୂଷିତ ହେଉଛି । ଯେଉଁ ଖଣି ମାଲିକମାନେ ବ୍ରାହ୍ମଣୀର ପ୍ରଦୂଷଣ ପାଇଁ ଦାୟୀ, ସେମାନଙ୍କୁ ଦଣ୍ଡିତ କଲାଭଳି ସାହସ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନାହିଁ ।

ସାରା ରାଜ୍ୟରେ ଖଣିକୁ ନେଇ ବହୁ ସମସ୍ୟା ଓ ସଂକଟ ରହିଛି । ତେବେ ଓଡ଼ିଶାରେ ବଜେଟ୍‍ରେ ଖଣିରୁ ହେଉଥିବା ଆୟ ରାଜ୍ୟସରକାରଙ୍କ ପାଇଁ ସବୁଠୁ ବଡ଼ ଆଶା । ତେଣୁ ଖଣି ବନ୍ଦ କରିବା ପାଇଁ ସରକାରଙ୍କ ସାହସ ନାହିଁ ବା ସାମର୍ଥ୍ୟ ନାହିଁ ।

ସୁପ୍ରିମ୍‍କୋର୍ଟ ଯେତେବେଳେ କୋଇଲା ଓ ଲୁହାପଥର ସ୍କାମ୍‍ ଯୋଗୁଁ କେତେକ ଖଣିକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେଲେ, ତାହା ପରେ ରାଜ୍ୟସରାକରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା । ଗତବର୍ଷ ରାଜ୍ୟସରକାର ଖଣି ରାଜସ୍ୱ ବାବଦକୁ ୬୩୪୬କୋଟି ଟଙ୍କା

ଆଦାୟ କରିଥିବାବେଳେ ଏହା ୫୧୮୬କୋଟିରେ ସୀମିତ ରହିଛି । ଚଳିତ ବର୍ଷ ସରକାର ଖଣିରୁ ୬୬୦୦ କୋଟି ଟଙ୍କା ଆଦାୟ କରିବାର ଧାର୍ଯ୍ୟ କରିଛନ୍ତି ।

ତେବେ ଏହି ୬୬୦୦ କୋଟି ଟଙ୍କା ପାଇବା ପାଇଁ କେତେ ରାଜ୍ୟବାସୀଙ୍କୁ ବଳି ପକାଇବାକୁ ପଡ଼ିବ, ତା’ର ଆକଳନ ହେବା ମଧ୍ୟ ଜରୁରୀ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଖଣିକୁ ଦୁଧିଆଳୀ ଗାଈ ବୋଲି ବିଚାର କରୁଛନ୍ତି । ନରେନ୍ଦ୍ର ମୋଦି ସରକାର

ଆସିଲା ପରେ ଖଣିରୁ ମିଳୁଥିବା ରାଜସ୍ୱକୁ ଦେଶର ଅର୍ଥନୀତି ପାଇଁ ସବୁଠୁ ବଡ଼ ଉପଲବ୍ଧି ବୋଲି କହୁଛନ୍ତି । ତେବେ ଏହି ଉପଲବ୍ଧି ଯୋଗୁଁ ସାଧାରଣ ଜନଜୀବନ କେତେ ପରିମାଣରେ ପ୍ରଭାବିତ ହେଉଛି, ତା’ର ଆକଳନ ହେବା ଉଚିତ ନୁହେଁ କି ?

ଅବଶ୍ୟ ମୋଦି ସରକାରରେ ପରିବେଶ ଓ ଜଙ୍ଗଲ ଏବେ ଆଉ ଗୁରୁତ୍ୱପୂର୍ଣ୍ଣ ନୁହଁ । ଏହି ବିଭାଗକୁ ତୁରନ୍ତ ଫାଇଲ୍‍ ସଫା କରିବାର ଏକ ଅନୁଷ୍ଠାନ ଭାବରେ ବ୍ୟବହାର କରାଯାଉଛି । ଶିଳ୍ପ ପାଇଁ ତୁରନ୍ତ ସହଯୋଗ ଯୋଗାଇଦେବାକୁ ଯେନତେନ ପ୍ରକାରେ ବ୍ୟବସ୍ଥା

କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ଏହାଦ୍ୱାରା ପ୍ରଭାବିତ ହେଉଥିବା ମାନବ ସମ୍ବଳ ଓ ପରିବେଶ ସମ୍ପର୍କରେ ଆଖି ବୁଜି ଦେବା ପାଇଁ ସରକାରୀ ନିଦେ୍ର୍ଧଶନାମା ରହିଛି । ଓଡ଼ିଶାରେ ଏହାର ଦୀର୍ଘସ୍ଥାୟୀ ବ୍ୟବସ୍ଥା ଆମେ ଦେଖି ଆସିଛୁ ।

ବଡ଼ ବଡ଼ କମ୍ପାନୀଙ୍କ ଖଣି କାରବାର ଯୋଗୁଁ ପ୍ରଭାବିତ ହେଉଥିବା ଗରିବ ଲୋକେ ନିଜ ସ୍ୱର ଉତ୍ତୋଳନ କରିବାର ସମ୍ଭାବନା ସୃଷ୍ଟି ହୋଇନାହିଁ । ରାଜନୈତିକ ଦଳଗୁଡ଼ିକ ଖଣି ମାଲିକଙ୍କଠାରୁ ଚାନ୍ଦା ନେଇ ସେମାନଙ୍କର ହାତବାରିସି ସାଜିଛନ୍ତି । ସୁକିନ୍ଦା ଅଞ୍ଚଳରେ ଖଣି ରାଜନୀତି ସବୁଠୁ ଧନୀ ରାଜନେତାମାନଙ୍କୁ ତିଆରି କରିଛି ।

ଏହି ରାଜନେତାମାନେ ଓଡ଼ିଶାର ପ୍ରଶାସନରେ ବେଶ୍‍ ପ୍ରଭାବଶାଳୀ । ସେହିପରି ଟ୍ରେଡ୍‍ ୟୁନିଅନ୍‍ ରାଜନୀତିରୁ ଆସିଥିବା ଅନେକ ନେତା ପରବର୍ତ୍ତୀ ସମୟରେ ଖଣି ମାଲିକଙ୍କର ଦଲାଲ ସାଜିବାର ଉଦାହରଣ ମଧ୍ୟ କମ୍‍ ନୁହେଁ । ଗୋଟିଏ ପକ୍ଷରେ ଖଣି କର୍ମଚାରୀଙ୍କ ପାଇଁ ଲଢେଇ ଓ ରାତିର ଅନ୍ଧାରରେ ଖଣି ମାଲିକଙ୍କ ସହ ସଲାସୁତୁରା କରି ବହୁ ଟ୍ରେଡ୍‍ ୟୁନିଅନ୍‍ ନେତା ଏବେ ରାଜଧାନୀରେ ପେଟ ଲମ୍ବେଇ ବସିଛନ୍ତି ।

ସାଧାରଣ ଲୋକେ ମୃତୁ୍ୟ ଯନ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ଏହି ରାଜନେତାମାନେ ବଡ଼ ବଡ଼ ଭାଷଣ ଦେବାରେ ବ୍ୟସ୍ତ ।
ସୁକିନ୍ଦା ଘଟଣାରୁ ଆଉ ଗୋଟେ କଥା ଆମେ ଶିଖିବା ଜରୁରୀ । ଖଣି ଦେଶ ଓ ରାଜ୍ୟର ଅର୍ଥନୀତିକୁ ବଦଳାଇ ପାରିବ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ବୁଝିବା ଦରକାର ଯେ, ସାମୟିକ ଭାବରେ ଖଣି ରାଜସ୍ୱ ଆମ ବଜେଟ୍‍ରେ ହୁଏତ ପରିସଂଖ୍ୟାନ ବଢାଇ ପାରେ ।

ଦୀର୍ଘସ୍ଥାୟୀ ଭାବରେ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ । ଏକ ନିର୍ଦ୍ଧିଷ୍ଟ ସମୟର ଉତ୍ତୋଳନ ପରେ ଖଣି ବନ୍ଦ ହେବ । ଦେଶର ସବୁଠୁ ଅଧିକ କ୍ରୋମାଇଟ୍‍ ଥିବା ସୁକିନ୍ଦା ହୁଏତ ଆଉ ପଚାଶ ବର୍ଷ ପରେ ଏକ ପରିତ୍ୟକ୍ତ ବିଷାକ୍ତ ଭୂମି ଭାବରେ ପଡ଼ି ରହିବ । ସେଠି ଧାନ ଗଛ ତ ଦୂରର କଥା, ଘାସ ମଧ୍ୟ ଉଠିବ ନାହିଁ ।

ତା’ର ବିଷାକ୍ତ ପବନରେ ମଣିଷ ବଞ୍ଚôବା ସମ୍ଭବ ହେବ ନାହିଁ । ଜଙ୍ଗଲ ଧ୍ୱଂସ ହୋଇ ସାରିଛି । ବିଭିନ୍ନ ଝରଣାର ଜଳ ଉତ୍ସ ଶୁଖିସାରିଛି ଅଥବା ବିଷାକ୍ତ ହୋଇ ସାରିଛି ।

ଆଉ ଦଶ ବର୍ଷ ପରେ ବ୍ରାହ୍ମଣୀ ନଦୀର ପାଣିକୁ ଛୁଇଁଲେ ଚମଡ଼ା ଜଳିଯାଇପାରେ । ଏହି ପରିସ୍ଥିତି ପାଇଁ ଆମେ କାହା ଉପରେ ଦୋଷ ଦେବା । ବ୍ୟବସାୟୀ ଓ ସରକାରଙ୍କ ମିଳିତ ଷଡଯନ୍ତ୍ରରେ ସୁକିନ୍ଦା ଉପତ୍ୟକା ଭଳ ଆହୁରି ଅନେକ ଉପତ୍ୟକା ବିଷବଳୟ ପାଲଟି ଯାଉଛି । ଏହି ବିଷ ବଳୟରୁ ଆମକୁ ମୁକ୍ତି ଦେବ କିଏ ?

ଫୋନ୍‍ : ୯୪୩୭୧୫୪୪୪୫

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ପ୍ରଦୂଷିତ ଅଞ୍ଚଳ, ସୁକିନ୍ଦା

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

July 7, 2015 by News Bureau Leave a Comment

କେଦାର ମିଶ୍ର

ଭୀମବକରାଳମ୍‍ ବୋଲି କୌଣସି ଶବ୍ଦ ନାହିଁ । ଶବ୍ଦ ଯେହେତୁ ନାହିଁ, ତା’ର ଅର୍ଥ ମଧ୍ୟ ନାହିଁ । ତେବେ ଏହି ଶବ୍ଦଟି ସହ ଗୋଟେ ସ୍ମୃତି ରହିଛି । ସାଧାରଣ ଭୁଲ୍‍ଟିଏ କେମିତି କିମ୍ଭୂତ କିମାକାର ରୂପ ନେଇପାରେ, ତା’ର ନାଁ ଭୀମବକରାଳମ୍‍ ହୋଇପାରେ । କଥାଟି ଟିକେ ସ୍ପଷ୍ଟ କରି କୁହାଯାଉ ।

୧୯୯୯ ମହାବାତ୍ୟା ପରେ ଜଣେ ପ୍ରସିଦ୍ଧ ସାହିତ୍ୟ ପତ୍ରିକାର ସମ୍ପାଦକ ମହାବାତ୍ୟାର ଅନୁଭବକୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରିବାକୁ ଚାହିଁଲେ । ଏଥିପାଇଁ କବି ଜୟଦେବଙ୍କ ଦଶାବତାର ଭିତରୁ କଳ୍‍କୀ ଅବତାରର ବର୍ଣ୍ଣନାରୁ ଧାଡ଼ିଟିଏ ନେବାପାଇଁ ସମ୍ପାଦକଙ୍କର ଇଚ୍ଛା ହେଲା ।

ସେଥିପାଇଁ ଗୀତଗୋବିନ୍ଦ ବହି ଅପେକ୍ଷା ସମ୍ପାଦକ ଏହାର ଗୀତ ଉପରେ ନିର୍ଭର କରି ଧାଡ଼ିଟିକୁ ବାଛିବାକୁ ଚାହିଁଲେ । କଳ୍‍କୀ ଅବତାରର ବର୍ଣ୍ଣନା ସେ ଯେତେଥର ଶୁଣିଲେ, ତାଙ୍କୁ ଲାଗିଲା ‘ଧୂମକେତୁମିବ ଭୀମବକରାଳମ୍‍’ । ଆଠ ଦଶଥର ଶୁଣିସାରିଲା ପରେ ମଧ୍ୟ ତାଙ୍କୁ ଲାଗିଲା ତାହାହିଁ ଠିକ୍‍ ଅଛି । ଶେଷରେ ପତ୍ରିକାରେ ଭୀମବକରାଳମ୍‍ ବାହାରିଲା ।

ଜିତେନ୍ଦ୍ରିୟ ହରିପାଲ ଓ କୃଷ୍ଣା ପଟେଲ ଗାଇଥିବା ମୂଳ ସଙ୍ଗୀତ

 

ପତ୍ରିକାଟି ବାହାରିଲା ପରେ ପ୍ରଖ୍ୟାତ ଲେଖକ ଚନ୍ଦ୍ରଶେଖର ରଥ ତାକୁ ଦେଖି ପଚାରିଲେ- ‘ଭୀମବକରଳାମ’ର ଅର୍ଥ କ’ଣ ? ସମ୍ପାଦକ ମହାଶୟ ଗୀତ ଗୋବିନ୍ଦର ଉଦ୍ଧୃତି ବୋଲି କହିଲାରୁ ଶ୍ରୀଯୁକ୍ତ ରଥ କହିଲେ, ଶ୍ରୀଜୟଦେବ ଲେଖିଛନ୍ତି ‘ଧୂମକେତୁମିବ କିମପିକରାଳମ୍‍’ ଅର୍ଥାତ୍‍ ଧୂମକେତୁ ପରି ଅତ୍ୟନ୍ତ କରାଳ । ପଢିବା ଓ ଶୁଣିବାରେ ଏତେକ ଫରକ । ଶୁଣିବାବେଳେ ଆମେ ଜାଣିନଥିବା ଭାଷାଟିକୁ ନିଜ ମନରୁ ଫାନ୍ଦି ଗଢି ଦେଉ ।

ଯାହାଫଳରେ ‘କିମପିକରାଳମ୍‍’ ‘ଭୀମବକରାଳମ୍‍’ ହୋଇଯାଇପାରେ । ଆଜି ଯେତେବେଳେ ରଙ୍ଗବତୀ ପ୍ରତ୍ୟାବର୍ତ୍ତନ ଗୀତଟିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି ଓ ଏହାକୁ ନେଇ ବିବଦମାନ ସ୍ଥିତି ଉଭା ହୋଇଛି, ସେତେବେଳେ ଏହି ପ୍ରସଙ୍ଗଟି ନିହାତି ବିଚାରଯୋଗ୍ୟ । ସତୁରୀ ଦଶକର ରଙ୍ଗବତୀ ଗୀତ କୋଶଳୀ/ସମ୍ବଲପୁରୀ ଭାଷାରେ ଏକ ନୂଆ ଯୁଗ ସୃଷ୍ଟି କରିଥିଲା ।

ଲୋକପ୍ରିୟତା, ଶୁଦ୍ଧତା, ଭାବର ଆବେଦନ, ରସସୃଷ୍ଟି ଓ ମୌଳିକ ଲୋକପରମ୍ପରାକୁ ଅକ୍ଷୁଣ୍ଣ ରଖି ପାରିବାର ଏକ ଅଦ୍ଭୁତ ସଙ୍ଗମ ଏହି ଗୀତରେ ଘଟିଥିଲା । ଲୋକ ସ୍ୱର ଦ୍ୱାରା ଅନୁପ୍ରେରିତ ଏହି ଗୀତଟି ପ୍ରଥମେ ସମ୍ବଲପୁର ଆକାଶବାଣୀରେ ବାଜିଲା ପରେ ୧୯୭୮ରେ ଗ୍ରାମ୍‍କୋ କମ୍ପାନୀ ଦ୍ୱାରା ବଜାରକୁ ଆସିଥିଲା ।

ବଜାରକୁ ଆସିବା ପୂର୍ବରୁ ପ୍ରାୟ ତିନିବର୍ଷର ସଂଘର୍ଷ ଏହି ଗୀତ ପଛରେ ରହିଛି । ଗୀତର ଆବେଦନ ସେତେବେଳେ ଏତେ ବ୍ୟାପକ ହେବ ବୋଲି କେହି ଚିନ୍ତା କରି ନଥିଲେ । ତେବେ ସେତେବେଳେ ଗୀତଟି ଗୋଲ୍ଡେନ୍‍ ଡିସ୍କ୍‍ ପାଇବାରେ ସମର୍ଥ ହୋଇଥିଲା ଓ ଲକ୍ଷାଧିକ ଡିସ୍କ୍‍, କ୍ୟାସେଟ୍‍ ଓ ସିଡ଼ି ବିକି୍ର ହୋଇଥିଲା । ଆଜି ମଧ୍ୟ ହୋଇଚାଲିଛି ।

ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ ଜଣେ ଖ୍ୟାତନାମା କୋଶଳୀ କବି । ତାଙ୍କ କବିତାର ଭାବ ଓ ଶବ୍ଦଗୁଣ ନିଆରା । ଦେଶୀ ଶବ୍ଦରେ ମାନବୀୟ ସମ୍ବେଦନା ସୃଷ୍ଟି କରିବାର ଅପୂର୍ବ ଯାଦୁକରୀ ତାଙ୍କ କଲମରେ ରହିଛି । ରଙ୍ଗବତୀ ଗୀତରେ ସେହି ଯାଦୁକରୀ ନୂଆ ଏକ ରୂପ ପାଇଥିଲା । ଏହି ଗୀତରେ ଯେତିକି ଉନ୍ମାଦନା ରହିଛି, ସେତିକି ମାନବୀୟ ସମ୍ବେଦନା ମଧ୍ୟ ରହିଛି । ଏହା କେବଳ ସାଧାରଣ ପ୍ରେମ ଗୀତ ନୁହେଁ । ଏହାର ଶେଷରେ କବି କହିବାକୁ ଚାହିଁଛନ୍ତି ‘ଯୁଗେ ଯୁଗେ କଥା ଗାଏବା ଗୀତା ।’

ସତେଯେମିତି କବି ଜାଣିଥିଲେ ଯେ ଏହି ଗୀତ ସମୟକୁ ଅତିକ୍ରମ କରି ମଣିଷର ଭାବଗୀତ ପାଲଟିଯିବ । ସମୟକ୍ରମେ ଏହି ଗୀତ ସହ ଓଡ଼ିଶାର ସାଂସ୍କୃତିକ ଜନଜୀବନ ଯୋଡ଼ି ହୋଇଯାଇଛି । ପ୍ରତ୍ୟେକ ଓଡ଼ିଆ ଉତ୍ସବ ବ୍ୟସନରେ ରଙ୍ଗବତୀ ଆମ ଜୀବନର ଅଂଶ ପାଲଟିଯାଇଛି ।

ନାଚିବା କଥା ଉଠିଲେ ରଙ୍ଗବତୀ ଗୀତଠୁ ବିକଳ୍ପ ଉପାଦାନ ଆଉ କିଛିନାହିଁ । ଏହାର ଦୁଇ ମହାନ୍‍ କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ୍‍ ଓ କୃଷ୍ଣା ପଟେଲ୍‍ ଆମ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏମିତି ବି କୁହାଯାଇପାରେ ଯେ ରଙ୍ଗବତୀ ଗୀତ ଓଡ଼ିଶାର ଭୌଗୋଳିକ ସୀମା ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତିକ ପରିସରକୁ ମଧ୍ୟ ଯାଇଛି ।

ବିଭିନ୍ନ ଭାରତୀୟ ଭାଷାରେ ଏହାର ନୂଆ ସଂସ୍କରଣ ବାହାରିଛି । ହଠାତ୍‍ ଏହି ବର୍ଷ ରଙ୍ଗବତୀ ନୂଆ ରୂପରେ ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଆମେ ଶୁଣିଲୁ ଓ ଶୁଣିଲା ପରେ ଆମେ ଯାହା ଦେଖିଲୁ ତାହା ରଙ୍ଗବତୀ ନଥିଲା, ତାହା ରଙ୍ଗବତୀର କଙ୍କାଳରେ ମଖମଲି ଝାଲର ପିନ୍ଧାଯାଇଥିବା ଏକ ଭୟଙ୍କର ଶବଯାତ୍ରା ।

ମୁମ୍ବାଇରେ ଖ୍ୟାତିଲାଭ କରିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଓ ଉଦୀୟମାନ ତାରକା ଋତୁରାଜ ମହାନ୍ତି ‘ରଙ୍ଗବତୀ ରିଟର୍ଣ୍ଣସ୍‍’ ନାମରେ ଏହି ଗୀତର ରିମିକ୍ସ ପ୍ରସିଦ୍ଧ କୋକ୍‍ ଷ୍ଟୁଡ଼ିଓରେ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମଟି ପ୍ରସାରିତ ହେବା ପୂର୍ବରୁ ୟୁ ଟୁ୍ୟବ୍‍ରେ ଏହାକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଲା ।

ରଙ୍ଗବତୀ ପୁଣିଥରେ ଫେରି ଆସିଥିବାରୁ ଓ ଏହା ସାରା ପୃଥିବୀର ଦର୍ଶକଙ୍କୁ ନୂଆ ଆନନ୍ଦ ଦେବାର ସମ୍ଭାବନାକୁ ନେଇ ଆମର ଯୁବ ଶ୍ରୋତାମାନେ ଉତ୍‍ଫୁଲ୍ଲିତ ହୋଇ ପଡ଼ିଲେ । ତେବେ ଏହି ଆନନ୍ଦ ଦୀର୍ଘସ୍ଥାୟୀ ହେଲା ନାହିଁ । ଗୀତଟି ଶୁଣିବା ପରେ ଲାଗିଲା ଗାୟିକା ସୋନା ମହାପାତ୍ର ରଙ୍ଗବତୀ ଗୀତର ଭାବକୁ କେବଳ ନଷ୍ଟ କରିନାହାନ୍ତି, ଏହାର ସୁର, ତାଳ, ଲୟ ଓ ଛନ୍ଦକୁ ପୂରାପୂରି ନଷ୍ଟ କରିଛନ୍ତି ।

ରିମିକ୍ସ ଯୁଗରେ ଏପ୍ରକାର ସ୍ୱାଧୀନତା ହୁଏତ ଜଣେ ସଂଗୀତକାର ନେଇପାରେ ! କିନ୍ତୁ ଏହାରସବୁଠୁ ଅପରାଧିକ ଦିଗଟି ହେଉଛି ଗୀତଟିକୁ ଭୁଲ୍‍ଭାଲ୍‍ କରି ଗାଇବାର ଅପସାହସ । ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ଗୀତଟିର ମର୍ମ ବୁଝିବା ଦୂରେ ଥାଉ ଏହାର ଶବ୍ଦ ବୁଝି ପାରିନାହାନ୍ତି । ଆମେ ଯେଉଁ ‘କିମପିକରାଳମ୍‍’ ଓ ‘ଭୀମବକରାଳମ୍‍’ର ଉଦାହରଣ ଆରମ୍ଭରୁ ଦେଇଥିଲୁ ଏଥିରେ ତାହା ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳୁଛି ।

ସୋନା ମହାପାତ୍ର ରଙ୍ଗବତୀକୁ ଅନେକ ସମୟରେ ରଙ୍ଗ ରଙ୍ଗ ବୋଲି ସମ୍ବୋଧନ କରିଛନ୍ତି । ସେ ଜାଣନ୍ତି ନାହିଁ ଯେ କୋଶଳୀ ଭାଷାରେ ରଙ୍ଗ ଶବ୍ଦର ଅର୍ଥ ତୃତୀୟ ଲିଙ୍ଗକୁ ବୁଝାଯାଏ । ରଙ୍ଗବତୀ ସ୍ଥାନରେ ରଙ୍ଗର ଉଚ୍ଚାରଣ ଗୀତଟିକୁ ଅର୍ଦ୍ଧପାଗଳଙ୍କ ସାରେଗାମାରେ ରୂପାନ୍ତରିତ କରିଛି ।

ଗୀତରେ ମାତ୍ର ଗୋଟିଏ ମୁଖୁଡ଼ା ଓ ଗୋଟିଏ ଅନ୍ତରା ନିଆଯାଇଛି । ଆଠଧାଡ଼ି ଭିତରେ ଚାରିଧାଡ଼ି ଭୁଲ୍‍ ରହିଛି । ଉଦାହରଣ ଦେଇ କୁହାଯାଇପାରେ – ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ସ୍ଥାନରେ ଲାଜେ ଲାଜେ ନଇଁ ଯାଉଛି ମଥା, ରାନୀ ଟାଗେ ସୂତା ମାଲି ହେଲାନ ଗୁନ୍ଥା ସ୍ଥାନରେ ରାନୀ ଟାଗେ ସୂତା ମାଲି ହେଲା କୂରୁତା, ବନେ ମଲୀ ମହକନ ସ୍ଥାନରେ ମାନେ ମାଲି ମହକନ ଓ ଉବୁଟୁବୁ ମନେ କଲେ ସୁରୁତା ସ୍ଥାନରେ ଗୋଟେ ଅଦ୍‍ଭୁତ ଧାଡ଼ି ସୋନା ମହାପାତ୍ର ଉଚ୍ଚାରଣ କରିଛନ୍ତି ।

ସେମିତି ବିହି ଖଞ୍ଜିଦେଲା ସାଙ୍ଗ ସରିସାକୁ ମଧ୍ୟ ଅତ୍ୟନ୍ତ ବିକୃତ ଭାବରେ ଗାନ କରାଯାଇଛି । ମୋଟାମୋଟି ଦେଖିବାକୁ ଗଲେ ୧୦ ଧାଡ଼ିର ଗୀତରେ ପାଞ୍ଚ ଧାଡ଼ି ଭୁଲ୍‍ । ତଥାପି ଏହାକୁ ନେଇ ଆମେ ଗର୍ବିତ ହେବା ଉଚିତ ବୋଲି କେହି କେହି ଆମକୁ ଉପଦେଶ ଦେଉଛନ୍ତି ।

ରଙ୍ଗବତୀ ଗୀତ କୋକ ଷ୍ଟୁଡ଼ିଓ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ପ୍ରବେଶ କଲା ଓ ନୂଆ ପିଢି ଏହାକୁ ଶୁଣି ତାଙ୍କ ଚେରକୁ ଫେରିଯିବାର ସମ୍ଭାବନା ଥିବାରୁ ସୋନା ମହାପାତ୍ରଙ୍କୁ ଓଡ଼ିଆମାନେ ଧନ୍ୟବାଦ ଦେବା ଉଚିତ ବୋଲି କେହି କେହି କହୁଛନ୍ତି । କହିବାରେ ମନା ନାହିଁ ।

ତେବେ ସୋନା ମହାପାତ୍ରଙ୍କ ଦୟା ଉପରେ ରଙ୍ଗବତୀ ଗୀତର ଲୋକପ୍ରିୟତା ନିର୍ଭର କରେ ନାହିଁ । ମୂଳ ରଙ୍ଗବତୀ ଗୀତ ଆଜି ମଧ୍ୟ ଭୀଷଣ ଭାବରେ ଲୋକପ୍ରିୟ ଓ ଏହାର ନବ ଆବିଷ୍କାର ଯଦି କରିବା କଥା, ସେ ଶକ୍ତି ଏହାର ମୂଳ ଗାୟକ ଜିତେନ୍ଦ୍ରୀୟ ହରିପାଲ୍‍ଙ୍କ ପାଖରେ ରହିଛି ।

ଏହି ଗୀତର ଚାରି ସେନାପତି ପ୍ରଭୁଦତ୍ତ ପ୍ରଧାନ, ମିତ୍ରଭାନୁ ଗଉନ୍ତିଆ, ଜିତେନ୍ଦ୍ରୀୟ ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ ପାଖରେ ଏହାର ସୃଜନଶୀଳ ଅଧିକାର ରହିଛି । ତାଙ୍କର ବିନା ଅନୁମତିରେ ଏହି ଗୀତର ଦୂରୁପଯୋଗ ଯିଏ ବି କରୁ, ତା’କୁ ଗ୍ରହଣ କରାଯାଇପାରିବ ନାହିଁ ।

ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ନିଜ ଗୁଣରେ ପ୍ରସିଦ୍ଧ । ତାଙ୍କର ସୃଜନଶୀଳତା ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ କଳାକାରଭାବରେ ନିଜ ପୂର୍ବସୁରୀଙ୍କ ପ୍ରତି ସୋନା ସାମାନ୍ୟତମ ମର୍ଯ୍ୟାଦା ପ୍ରଦର୍ଶନ କରି ନାହାନ୍ତି ।

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ନିଜେ ନିଜର ମାନସିକତା ପରୀକ୍ଷା କରାଇବା ଉଚିତ ।

ଗୀତର ଶବ୍ଦ ନ ବୁଝି, ଭାବ ନ ଜାଣି ଓ ମରମରେ ଅନୁଭବ ନ କରି ଏହାର ନୂଆ ଆବିଷ୍କାର ସମ୍ଭବ ନୁହଁ । କହିବାରେ ଦ୍ୱିଧା ନାହିଁ ଯେ, ସୋନା ଏବଂ ରାମ୍‍ ଏହାକୁ ଆବିଷ୍କାର କରିବାରେ ବିଫଳ ହୋଇଛନ୍ତି ।

ସବୁଠୁ ପ୍ରଳମ୍ବଅଶୁଦ୍ଧି ହେଉଛି ରଙ୍ଗବତୀ ଭଳି ଏକ ପ୍ରେମ ଗୀତ ସହିତ ଓଡ଼ିଶାର ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀର ଅଦ୍ଭୁତ ସମାଗମ । ରଙ୍ଗବତୀ ଗୀତର ଉନ୍ମାଦନା ସହିତ ବନେ୍ଦ ଉକ୍ରଳ ଜନନୀର ସ୍ୱଦେଶ ପ୍ରେମ କେଉଁ ଦୃଷ୍ଟିରୁ ଗୋଟିଏ ସୂତ୍ରରେ ଗୁନ୍ଥା ହେବେ ତାହା ଆମେ ବୁଝିପାରୁନୁ ।

ପୁନଶ୍ଚ ଏକ ଜାତୀୟ ସଙ୍ଗୀତ ଗାନ କରିବାର ନିର୍ଦ୍ଧିଷ୍ଟ ନୀତି ନିୟମ ରହିଛି । ତାହା ନ କରି ପାଗଳଙ୍କ ପରି ନାଚି ନାଚି ବନେ୍ଦ ଉକ୍ରଳ ଜନନୀ ଗାଇବାଟା ଓଡ଼ିଶା ପ୍ରତି ସମ୍ମାନ ନା ଅପମାନ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରନ୍ତୁ ।

ପ୍ରତ୍ୟେକ ସୃଜନଶୀଳ ସ୍ରଷ୍ଟାର ନିଜସ୍ୱ ସ୍ୱାଧୀନତା ଓ ଅଧିକାର ରହିଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ସୋନା ମହାପାତ୍ର ରାମ ସମ୍ପତ୍‍ ଓ ଋତୁରାଜ ମହାନ୍ତିଙ୍କ ପ୍ରତି ଆମର ସମ୍ମାନ ରହିଛି ଓ ତାଙ୍କର ସ୍ୱାଧୀନତା ଉପରେ ଆମ ପ୍ରଶ୍ନଚିହ୍ନ ଲଗାଉ ନାହୁଁ ।

ତେବେ ଏତିକି ନିଶ୍ଚୟ କହିବୁ ଯେ କୌଣସି ଗୀତକୁ ନୂଆ କରି ଆବିଷ୍କାର କରିବା ପାଇଁ ଯଦି ଚାହୁଁଛନ୍ତି, ସେ ଗୀତକୁ ପ୍ରଥମେ ବୁଝନ୍ତୁ, ମନ ଦେଇ ଭଲପା’ନ୍ତୁ ଓ ତା’ପରେ ଯାଇ ତାକୁ ନୂଆ ପରିବେଷଣ କରିବାରେ ସାହସ କରନ୍ତୁ ।

ନହେଲେ ସମୁଦାୟ ଗୀତଟି ଗୋଟେ ଅର୍ଥହୀନ ଭୀମବକରାଳରେ ପରିଣତ ହେବା ସାର ହେବ । ଏଥିରେ ଗୌରବ ତୁଳନାରେ ଜାତିର ଗୌରବ ମାଟିରେ ମିଶିଯିବ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଜିତେନ୍ଦ୍ରିୟ ହରିପାଳ, ରଙ୍ଗବତୀ, ସୋନା ମହାପାତ୍ର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ