• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାକ୍ଷାତକାର

ଡ଼ାକ୍ତର ହେବି: ମ୍ୟାଟ୍ରିକଦ୍ୱିତୀୟ ଟପ୍ପର ସଂହିତା

October 10, 2011 by ଓଡିଶା ଡଟ କମ Leave a Comment

ଡ଼ାକ୍ତର ହେବି: ମ୍ୟାଟ୍ରିକଦ୍ୱିତୀୟ ଟପ୍ପର ସଂହିତା

ଓଡ଼ିଶା ଡ଼ଟ୍ କମ୍ : ବଳରାମ ମିଶ୍ର

ବଲାଙ୍ଗୀର, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୭୩ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବଲାଙ୍ଗୀର କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ସଂହିତା ପାଣିଗ୍ରାହୀ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ମୁଁ ପରୀକ୍ଷା ସମୟରେ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା ରଖିଥିଲି କିନ୍ତୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଖୁସି ଲାଗୁଛି, ସେ କହିଛନ୍ତି ।

ସେ ଜଳସେଚନ ବିଭାଗ ଇଞ୍ଜିନିୟର ସନ୍ତୋଷ ପାଣିଗ୍ରାହୀ ଏବଂ ମା’ କନକ ପାଣିଗ୍ରାହୀଙ୍କ ଝିଅ । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଗରିବ ରୋଗୀ ମାନଙ୍କ ସେବା କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ପରୀକ୍ଷା ଫଳ ପାଇଁ ବାପା ମାଙ୍କ ଆର୍ଶୀବାଦ ଓ ସ୍କୁଲର ଗୁରୁଜୀ, ଗୁରୁମାଙ୍କ ସହାୟତାକୁ ଶ୍ରେୟ ଦେଇଥିବା ବେଳେ ସଫଳତା ପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

୨୭ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ ଲକ୍ଷ୍ୟ: ବିଜ୍ଞାନ ଟପ୍ପର

May 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯୁକ୍ତ ଦୁଇ ବିଜ୍ଞାନରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଛାତ୍ର ତନ୍ମୟ ପାତ୍ର ।

ଶିରାପୁର ହାଇସ୍କୁଲର ଶିକ୍ଷକ ସିଦ୍ଧାନ୍ତ କୁମାର ପାତ୍ର ଓ ଶିକ୍ଷୟତ୍ରୀ ଶଶିକଳା ପରିଡ଼ାଙ୍କ ପୁତ୍ର ତନ୍ମୟ ୨୦୦୯ରେ ମ୍ୟାଟ୍ରିକ ପରୀକ୍ଷାରେ ୧୭ ତମ ସ୍ଥାନ ହାସଲ କରିଥିଲେ ।

ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପସନ୍ଦ କରିଥିଲେ ।

ନିଜର ଦୃଢ ମନବଳ ଓ ଅଧ୍ୟବସାୟ ବଳରେ ସେ ଆଜି ବିଜ୍ଞାନରେ ୫୫୫ ନମ୍ବର ରଖି ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି । ସେ ପରୀକ୍ଷାରେ ଟପ ଟ୍ୱେଣ୍ଟି ମଧ୍ୟରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ ତେବେ ଟପ୍ପର ହୋଇଥିବା ଜାଣିବା ପରେ ସେ ଓ ତାଙ୍କ ପରିବାର ସଦସ୍ୟ ଖୁସିରେ ବିଭୋର ହୋଇଯାଇଥିଲେ ।

ଭଲ ପାଠ ପଢିବାକୁ ହେଲେ ଖ୍ୟାତିନାମା କଲେଜର ଆବଶ୍ୟକତା ନାହିଁ ବୋଲି ତନ୍ମୟ କହିଛନ୍ତି । ସଫଳତା ପାଇଁ ପିତା ମାତା ତଥା କଲେଜ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି ।

ପୁଅ ପରୀକ୍ଷାରେ ଭଲ କରିବ ବୋଲି ଆମର ବିଶ୍ୱାସ ଥିଲା କିନ୍ତୁ ସେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିବ ଏହା କେବେ ଭାବିନଥିଲୁ । ସେ ନିଶ୍ଚୟ ମେଡ଼ିକାଲ ପାଇବ ଓ ରିସର୍ଚ୍ଚ ମଧ୍ୟ କରିବ ବୋଲି ଆମର ଆଶା, ପିତା ମାତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

କଳା ଟପ୍ପରଙ୍କ ଲକ୍ଷ୍ୟ ଆଇଏଏସ୍ ଅଫିସର ହେବା

May 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତ ଦୁଇ କଳା ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପୁରୀ ସ୍ଥିତ ଏସ୍ ସିଏସ୍ ଜୁନିୟର କଲେଜ ଛାତ୍ରୀ ନୟନା ବରାଳ ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଖଡିପଦା ନିବାସୀ ଗଦାଧର ବରାଳଙ୍କ କନ୍ୟା ନୟନା ମୋଟ୍ ୫୨୨ ନମ୍ବର ରଖି ଏହି ସଫଳତା ପାଇଥିବା ବେଳେ ପରୀକ୍ଷା ସମୟରେ ପ୍ରତିଦିନ ୧୫ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି ।

ସଫଳତା ପଛରେ ପିତାମାତା ତଥା କଲେଜ ଶିକ୍ଷକ ଅବଦାନ ରହିଥିବା ବେଳେ ସାଧାରଣ ଜ୍ଞାନ ଆହରଣ ଓ ଗପ ବହି ପଢିବାକୁ ସେ ଭଲପାଆନ୍ତି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

କଠିନ ପରିଶ୍ରମ ବେକାର ହୁଏ ନାହିଁ: ମଧୁମିତା

May 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) ଆଜି ତାଙ୍କର ସ୍ୱପ୍ନ ସତ ହୋଇଛି, ପରିଶ୍ରମର ଫଳ ବେକାର ଯାଏ ନାହିଁ ବୋଲି କହନ୍ତି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ମେଡିକାଲ(ଏସ୍ଟି କେଟାଗୋରୀ)ରେଦ୍ୱିତୀୟ ହୋଇଥିବା ବିକାଶ ଜୁନିଅର କଲେଜର ଛାତ୍ରୀ ମଧୁମିତା ମେହେର ।

ସନ୍ତୋଷ ମେହେର ଓ ରୀନା ମେହେରଙ୍କ ଜ୍ୟେଷ୍ଠା କନ୍ୟା ମଧୁମିତା ଆଗାମୀଦିନରେ ଜଣେ ମେଡିସିନ୍ ସ୍ପେସିଆଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ମଧୁମିତା ତାଙ୍କର ସଫଳତାର ଶ୍ରେୟ ପିତାମାତା, ଭଗବାନ, କଲେଜର ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ସମନ୍ୱିତ ଶିକ୍ଷାନୁଷ୍ଠାନ ପଦ୍ଧତି ତଥା ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି ।

ସେହିପରି ଏହି କଲେଜର ମନୀଷ (ଇଏସ୍-୨୦), ଅମିତ, ଆଶିଶ ମେଡିକାଲରେ ବିଭିନ୍ନ ର୍ୟାଙ୍କ ପାଇବାରେ ସଫଳ ହୋଇଛନ୍ତି ।

ଇଂଜିନିୟରିଂର ସାଧାରଣ ବର୍ଗରେ ଆଶିଶ ଖମାରୀ, ନିମୀଶ ମାଝି. ମନୀଷ ପ୍ରଧାନ, ଓମ୍ ପ୍ରକାଶ ସିଂହ ମାଝି ଓ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ୨୦୦୦ ର୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେହିପରି ଆର୍କିଟେକ୍ଚରରେ ରୋହିତ ଅଗ୍ରୱାଲ, ସୌରଭ ପୃଷ୍ଟି ଓ ବୋଶିଶ ଜାଲ ପାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଡ଼ାକ୍ତର ହେବାକୁ ମ୍ୟାଟ୍ରିକ ଅଷ୍ଟମ ଟପ୍ପରଙ୍କ ଇଚ୍ଛା

June 20, 2010 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ଡ଼ାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୬୬ ନମ୍ବର ରଖି ସମଗ୍ର ରାଜ୍ୟରେ ଅଷ୍ଟମ ସ୍ଥାନ ହାସଲ କରିଥିବା ବରପାଲି ସରସ୍ୱତୀ ବିଦ୍ୟା ମନ୍ଦିର ର ଛାତ୍ର ଚନ୍ଦନ କୁମାର ।

ଚନ୍ଦନଙ୍କ ବାପା କାଳିଚରଣ ଜଣେ ଡ଼ାକ୍ତର ଓ ମା ଗୃହିଣୀ । ସେ ବ୍ରହ୍ମପୁରରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି । ସେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ବିନା ଟିୟୁସନରେ ଏହି ସଫଳତା ପାଇଥିବା ବେଳେ ଏହା ପଛରେ ସ୍କୁଲ ଶିକ୍ଷକ ଓ ବାପା ମାଙ୍କ ପ୍ରେରଣା ରହିଥିବା ସେ କହିଛନ୍ତି ।

ବିଜ୍ଞାନ ବିଷୟ ପ୍ରତି ତାଙ୍କର ରୁଚି ରହିଛି । ବରଗଡ଼ରେ ଆୟୋଜିତ ବିଭିନ୍ନ ପ୍ରର୍ଶନୀରେ ସେ ଅଂଶ ଗ୍ରହଣ କରିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବି: ବାଣିଜ୍ୟ ଟପ୍ପର

May 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଭବିଷ୍ୟତରେ ଚାଟାର୍ଡ଼ ଆକାଉନ୍ଟାନ୍ଟ୍ ହେବି ବୋଲି କହିଛନ୍ତି ଚଳିତ ବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ୫୪୮ ନମ୍ବର ରଖି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା କଟକ ସ୍ଥିତ କଳିଙ୍ଗ ଭାରତୀ ଆବାସିବ ମହାବିଦ୍ୟାଳୟର ଛାତ୍ରୀ ଭବାନୀ ଆଚାର୍ଯ୍ୟ ।

ସଫଳତା ପାଇଁ ବହୁତ ଖୁସି ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଲୋକନାଥ ଆଚାର୍ଯ୍ୟ ଓ ଅଂଜୁଲତା ଆଚାର୍ଯ୍ୟଙ୍କ କନ୍ୟା ଭବାନୀ ।

ଅନୁଷ୍ଠାନର ଶିକ୍ଷକମାନଙ୍କ ସହଯୋଗ ଓ ମାଆ ବାପାଙ୍କ ଆର୍ଶୀବାଦ ଯୋଗୁଁ ଏହି ସଫଳତା ପାଇଥିବା ସେ କହିଛନ୍ତି ।

ପାଠପଢା ବ୍ୟତୀତ ନାଚ, ଗୀତ ଓ ବହି ପଢିବାରେ ରୁଚି ରଖୁଥିବା ଭବାନୀ ଚାଟାର୍ଡ଼ ଆକାଉନ୍ଟାନ୍ଟ୍ ପରେ ଭାରତୀୟ ପ୍ରଶାସନିକ ସେବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଇଂଜିନିୟର ହେବା ଯୁକ୍ତଦୁଇ ବିଜ୍ଞାନ ଟପ୍ପରଙ୍କ ଲକ୍ଷ୍ୟ

May 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ପଢି ଭବିଷ୍ୟତରେ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା କଟକ ସ୍ଥିତ କଳିଙ୍ଗ ଭାରତୀ ଆବାସିକ ମହାବିଦ୍ୟାଳୟର ଛାତ୍ରୀ କିଟ୍ଟି ଜୈନ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିବାସୀ ମିଲଚାନ୍ଦ ଜୈନ ଓ ମୀନା ଜୈନଙ୍କ ଝିଅ କିଟ୍ଟି ମୋଟ୍ ୬୦୦ରୁ ୫୫୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ବିନା କୋଚିଂରେ ମଧ୍ୟ କଠିନ ପରିଶ୍ରମ ଦ୍ୱାରାସଫଳତା ମିଳିପାରିବ ବୋଲି ସେ କହିଛନ୍ତି ।

ପରୀକ୍ଷା ପାଇଁ ସେଦିନକୁ ଛଅ ଘଣ୍ଟା ପରିଶ୍ରମ କରୁଥିବା ବେଳେ ଭଗବାନ, ମାଆ ବାପାଙ୍କ ଆର୍ଶୀବାଦ ଓ ସହପାଠୀ, ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି ।

ପାଠପଢା ବ୍ୟତୀତ ଗୀତ, ନାଚ ଓ ଖେଳରେ ତାଙ୍କର ରୁଚି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଅଧ୍ୟାପକ ହେବା କଳା ସପ୍ତମ ଟପ୍ପରଙ୍କ ଇଚ୍ଛା

May 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ଅଧ୍ୟାପକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୁଧବାର ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ୪୯୧ ନମ୍ବର ରଖି ସପ୍ତମ ସ୍ଥାନ ଅଧିକାର କରିଥିବା ଫୁଲବାଣୀ ସରକାରୀ ଜୁନିୟର ମହାବି୍ୟାଳୟର ଛାତ୍ର ଗୋକୁଳାନନ୍ଦ ମହାପାତ୍ର ।

ଏହି ସଫଳତା ପଛରେ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ, ବାପା ମାଆ ଓ ପରିବାର ସସ୍ୟଙ୍କ ଅବାନ ରହିଥିବା ବେଳେ ସଫଳତା ପାଇଁ ଟୁ୍ୟସନର ଆବଶ୍ୟକତା ନାହିଁ ବୋଲି ସେ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ମାଆ ଗୋଲାପବାଲା ଓ ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ମହାମାତ୍ରଙ୍କ ପୁଅ ଗୋକୁଳାନନ୍ଦ । ଅଧ୍ୟାପକ ବବୀ ଖାଲି ପଡ଼ିଥିବା ଏହି ମହାବି୍ୟାଳୟର ଛାତ୍ରଙ୍କ ସଫଳତା ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଓଡିଶା ଡଟ୍ କମ୍

Filed Under: ସାକ୍ଷାତକାର Tagged With: ସାକ୍ଷାତକାର

ଶିଳ୍ପାୟନ ଏବଂ ପରିବେଶ ଭିତରେ ସନ୍ତୁଳନ ରଖାଯିବ:

February 2, 2006 by ନିଉଜ ଡେସ୍କ Leave a Comment

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର,ଫେବୃୟାରୀ ୨ (ଓଡିଶା ଡ଼ଟ୍ କମ୍), ଗତ ମାସ ପୋଲିସ ଗୁଳିରେ ବାର ଜଣ ଆଦିବାସୀଙ୍କ ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ମହଲଠାରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଜାନୁୟାରୀ ଦୁଇ ତାରିଖରେ ଯାଜପୁର ଜିଲ୍ଳାର କଳିଙ୍ଗନଗରଠାରେ ହୋଇଥିବା ଏହି ନାରକୀୟ କାଣ୍ଡ ଉପରେ ବିରୋଧୀ ଦଳଗୁଡିକ ତାଙ୍କର ଇସ୍ତଫା ଦାବି କରିଥିବାବେଳେ ଶାସକ ମେଣ୍ଟର ଅଂଶୀଦାର ବିଜେପି ତାଙ୍କୁ ସହଯୋଗର ହାତ ବଢାଇ ନାହିଁ ।

naveenଏକ ପ୍ରକାର ଏକୁଟିଆ ହୋଇ ପଡିଥିବା ନବୀନ ପରିସ୍ଥିତିର ମୁକାବିଲା କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଇଂରାଜୀ ଦୈନିକ “ଦି ହିନ୍ଦୁ” ର ଓଡ଼ିଶା ସମ୍ବାଦଦାତା ପ୍ରଫୁଲ୍ଲ ଦାସଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି ।

ଗୁଳିକାଣ୍ଡ ପରେ ଏହା ହେଉଛି କୌଣସି ଗଣମାଧ୍ୟମର ସହ ତାଙ୍କର ପ୍ରଥମ ସାକ୍ଷାତକାର । ପ୍ରସ୍ତୁତ କରୁଛୁ ଗୁରୁବାର ପ୍ରକାଶିତ ଏହି ସାକ୍ଷାତକାରର ଅନୁବାଦ ।

କଳିଙ୍ଗନଗର ଘଟଣା ଉପରେ ଆପଣଙ୍କ ସରକାର ସବୁ ମହଲରେ ସମଲୋଚନାର ଶିକାର ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ?

କଳିଙ୍ଗନଗରରେ ଯାହା ସବୁ ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ ଆମ ସରକାର ଏହି ସମୟରେ ତୁରନ୍ତ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି । ସରକାର ପ୍ରଭାବିତ ଆଦିବାସୀମାନଙ୍କ ସହ ଆଲୋଚନାର ଦ୍ୱାର ଖୋଲା ରଖିଛନ୍ତି ।

ପୁନର୍ବାସ ଏବଂ ଥଇଥାନ ନୀତିକୁ ଆହୁରି ମାନବୀୟ ଏବଂ ସମବେଦନାମୂଳକ କରିବା ପାଇଁ ଆମେ ଗୁରୁତ୍ୱ ଦେଉଛୁ । ଏହି ନୀତିର ସମୀକ୍ଷା କରି ସେଥିରେ ଉନ୍ନତି ଆଣିବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏ ଦିଗରେ ଆଦିବାସୀ ନେତା, ପ୍ରମୁଖ ବେସରକାରୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବିମାନଙ୍କର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ମନସ୍ଥ କରିଛୁ ।

ଗତ ଜାନୁୟାରୀ ଦୁଇ ତାରିଖରୁ କଳିଙ୍ଗନଗରରେ ଆଦିବାସୀମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ରାଜ୍ୟର ଅନ୍ୟ ସ୍ଥାନର ଆଦିବାସୀମାନଙ୍କୁ ଏହି ଆନ୍ଦୋଳନ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ଅନ୍ୟ ଅଞ୍ଚଳକୁ ଆଦିବାସୀ ଆନ୍ଦୋଳନ ବ୍ୟାପି ନାହିଁ । କଳିଙ୍ଗନଗରରେ ଆମେ ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ବିସ୍ଥାପିତ ଲୋକମାନଙ୍କ ସହ ଲାଗାତାର ଆଲୋଚନା କରି ଶାନ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ମୁଁ ଆଦିବାସୀମାନଙ୍କୁ ଆଲୋଚନା ପ୍ରସ୍ତାବ ମଧ୍ୟ ଦେଇଛି ।

ଏହି ଘଟଣା ପରେ ଶିଳ୍ପାୟନ ପ୍ରକ୍ରିୟାରେ ଏକ ସ୍ଥିତାବସ୍ଥା ଆସିଯାଇଛି । ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ସରକାର
କ’ଣ କରୁଛନ୍ତି?

ଏହା ସତ୍ୟ ନୁହେଁ ଯେ, ଗୁଳିକାଣ୍ଡ ପରେ ରାଜ୍ୟର ଶିଳ୍ପାୟନରେ ସ୍ଥିତାବସ୍ଥା ଆସିଛି । କେବଳ କଳିଙ୍ଗନଗରରେ ଆଦିବାସୀମାନେ ପାରାଦ୍ୱୀପ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରିଥିବାରୁ ବନ୍ଦରର କାରବାର ପ୍ରଭାବିତ ହୋଇଛି ।

ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମୁଁ ଆଶା କରୁଛି ।

ଓଡ଼ିଶାରେ ପୋସ୍କାର ଇସ୍ପାତ ପ୍ରକଳ୍ପକୁ ମଧ୍ୟ ବିରୋଧ ବଢିବାରେ ଲାଗିଛି । ସେ ସବୁକୁ ଦୃଷ୍ଟିରେ ରଖି ଥଇଥାନ ନୀତିର ଆପଣ ସମୀକ୍ଷା କରୁଛନ୍ତି କି?

ମୁଁ ଆଗରୁ କହି ସାରିଛି ଯେ, ଏକ ମନ୍ତ୍ରୀ ସ୍ତରୀୟ କମିଟି ସେହି ନୀତିର ଅନୁଧ୍ୟାନ କରୁଛି । ପୋସ୍କୋ ପ୍ରକଳ୍ପରେ ବିସ୍ଥାପିତମାନଙ୍କ ପାଇଁ ମଧ୍ୟ ସେହି ନୀତି ଲାଗୁ ହେବ ।

କେବଳ ଇସ୍ପାତ କ୍ଷେତ୍ରରେ ରାଜ୍ୟ ସରକାର ୪୩ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ସେଥି ମଧ୍ୟରୁ କେତୋଟି କାର୍ଯ୍ୟକାରୀ ହୋଇଛି?

ସେଗୁଡିକ ମଧ୍ୟରୁ ସତରଟି ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି । ଅନ୍ୟ କେତେକ ଜମି ଅଧିଗ୍ରହଣ କରିସାରିଛନ୍ତି ।

ଆପଣ କ’ଣ ଭାବୁଛନ୍ତି ଏକା ସାଙ୍ଗରେ ଏତେ ସଂଖ୍ୟକ ଶିଳ୍ପାନୁଷ୍ଠାନର ପ୍ରଭାବକୁ ରାଜ୍ୟ ବହନ କରିପାରିବ?

ଶିଳ୍ପାୟନ ସହ ପରିବେଶ ଉପରେ ମଧ୍ୟ ଆମେ ଗୁରୁତ୍ୱ ଆରୋପ କରୁଛୁ । ପରିବେଶକୁ କ୍ଷତି ପହଞ୍ଚାଉଥିବା କୌଣସି ଶିଳ୍ପକୁ ଆମେ ଅନୁମତି ଦେବୁ ନାହିଁ ।

ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠା ହେବା ପୂର୍ବରୁ ତାହାର ପାଶ୍ୱର୍ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯାଇ ପରିବେଶ ସୁରକ୍ଷା ଦିଗରେ ସଂପୂର୍ଣ୍ଣ ଦୃଷ୍ଟି ଦିଆଯିବ । ଆମେ ଶିଳ୍ପାୟନ ଏବଂ ପରିବେଶ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବୁ ।

ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଉପଯୁକ୍ତ ଥଇଥାନ ଯୋଗାଇ ଦେବା ପାଇଁ ରାଜ୍ୟର ସରକାରୀ କଳ ବର୍ତ୍ତମାନ ପ୍ରସ୍ତୁତ ଅଛି କି?

ବିସ୍ଥାପିତମାନଙ୍କ ଉପଯୁକ୍ତ ଥଇଥାନକୁ ପ୍ରାଥମିକତା ଦିଆଯିବ । ପ୍ରତ୍ୟେକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଥଇଥାନ ପ୍ରକ୍ରିୟାର ତଦାରଖ ଏବଂ ତାହା କାର୍ଯ୍ୟକାରୀ କରିବା ପାଇଁ ଉପଦେଷ୍ଟା କମିଟି ରହିଛି ।

ଅତୀତରେ ବିସ୍ଥାପିତ ହୋଇଥିବା ଅନେକ ଲୋକ ବର୍ତ୍ତମାନ କ୍ଷତିପୂରଣ ଦାବି କରୁଛନ୍ତି । ସେମାନଙ୍କ ପାଇଁ ସରକାର କ’ଣ ଯୋଜନା କରୁଛନ୍ତି?

ବିସ୍ଥାପନ ଏକ ନୂଆ ସମସ୍ୟା ନୁହେଁ । ବହୁ ଦଶନ୍ଧି ଆଗରୁ କେତେକ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ରେଳ ଲାଇନ୍ ନିର୍ମାଣ ସମୟରେ ଅନେକଗୁଡିଏ ପରିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ବିସ୍ଥାପିତ ହୋଇଛନ୍ତି ।

ସେମାନଙ୍କ ସମସ୍ୟା ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜଣାଇଛି ।

କି ପଦକ୍ଷେପ ନେଲେ ଆଦିବାସୀମାନଙ୍କର ସମସ୍ୟା ସମାଧାନ ହୋଇ ପାରିବ?

ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଏବଂ ବିକ୍ରି ଉପରେ ଆଦିବାସୀମାନଙ୍କ ଉପରୁ କଟକଣା ଉଠାଇବାଠାରୁ ଆରମ୍ଭ କରି ସେମାନଙ୍କ ନାଁରେ ଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର ପର୍ଯ୍ୟନ୍ତ ଆମ ସରକାର ଗତ ଛଅ ବର୍ଷ ଧରି ଆଦିବାସୀମଙ୍ଗଳ ନୀତି ଗୁଡିକୁ କାର୍ଯ୍ୟକାରୀ କରି ଆସିଛି ।

ଅଣଆଦିବାସୀମାନେ ଆଦିବାସୀମାନଙ୍କର ଜମିଗୁଡିକୁ ବେଆଇନଭାବେ ଦଖଲ କରିଥିଲେ । ସେଗୁଡିକୁ ଫେରାଇ ଆଣି ପ୍ରକୃତ ଜମି ମାଲିକଙ୍କୁ ଦିଆଯାଉଛି । ଆଦିବାସୀମାନଙ୍କୁ ବର୍ତ୍ତମାନ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ସରକାରୀ ସ୍ତରରେ ଏହି ସବୁ ଆଦିବାସୀମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସର୍ବନିମ୍ନ ସ୍ତରରେ ହିତାଧିକାରୀମାନଙ୍କ ଅବସ୍ଥା ଅପରିବର୍ତ୍ତିତ ଥିବା ଦେଖାଯାଉଛି କାହିଁକି?

ସର୍ବନିମ୍ନ ସ୍ତରରେ ସେମାନଙ୍କ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଦିବାସୀ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନେ ସାଧାରଣ ସ୍କୁଲ ଅପେକ୍ଷା ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି ।

ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଜଳସେଚନ ପ୍ରକଳ୍ପ ଏବଂ ରାସ୍ତାଘାଟ ନିର୍ମାଣ ତ୍ୱରାନ୍ୱିତ ହୋଇଛି ।

ରାଜ୍ୟରେ କାରଖାନା ପ୍ରତିଷ୍ଠା ନ କରି ବହୁ କମ୍ପାନୀ ଲୁହାପଥର ରପ୍ତାନୀ କରୁଛନ୍ତି । ସେମାନଙ୍କ ଏହି କାମକୁ ନିୟନ୍ତ୍ରଣ କରିବା ପାଇଁ ଆପଣ କ’ଣ କରୁଛନ୍ତି?

ବର୍ତ୍ତମାନ ଯେଉଁ କମ୍ପାନୀଗୁଡିକ ରାଜ୍ୟରେ କାରଖାନା ପ୍ରତିଷ୍ଠା କରିବାରେ ଇଚ୍ଛୁକ, ଆମେ ସେମାନଙ୍କୁ ଖଣି ଲିଜ୍ ଦେଉଛୁ । ମୋ ସରକାର ରାଜ୍ୟ ଭିତରେ ଖଣିଜ ପଦାର୍ଥରେ ଭାଲ୍ୟୁ ଆଡିସନ୍ କରିବା ଆରମ୍ଭ କରିଛି ।

ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସମ୍ବଳ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ ।

ତେବେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭେଲପମେଣ୍ଟ ଆଣ୍ଡ ରେଗୁଲେସନ୍ ଆକ୍ଟ, ୧୯୫୭ ଅନୁଯାୟୀ ଚାଲିଥିବା ରପ୍ତାନୀ ଉପରେ କଟକଣା ଜାରୀ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ।

ବର୍ତ୍ତମାନର ଖଣି ନୀତି ଅନୁଯାୟୀ ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ରପ୍ତାନୀ ପାଇଁ ଆପଣ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି କି?

ଦେଶ ବ୍ୟାପି ବର୍ତ୍ତମାନ ଖଣି ନୀତି ସମୀକ୍ଷା କରାଯାଉଛି । ତେବେ ମୋ ମତରେ ଦେଶ ଭିତରେ ଖଣିଜ ପଦାର୍ଥରେ ଅଧିକରୁ ଅଧିକ ଭ୍ୟାଲୁ ଆଡିସନ୍ ହେବା ଉଚିତ ।

ଆପଣଙ୍କ ସରକାର କୃଷିକୁ ପ୍ରାଧାନ୍ୟ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କ’ଣ?

ଆମ ସରକାର ସବୁବେଳେ କୃଷିକୁ ପ୍ରାଥମିକତା ଦେଇ ଆସିଛି । ରାଜ୍ୟର ପ୍ରତି ବ୍ଲକ୍ ରେ ଶତକଡା ୩୫ ଭାଗ ଚାଷଜମିକୁ ସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛୁ ।

କୃଷକମାନେ ସାମୁହିକଭାବେ ସେମାନଙ୍କ ଜମିକୁ ଜଳ ସେଚିତ କରିବା ପାଇଁ ମୋ ସରକାର ପାଣି ପଞ୍ଚାୟତ, ବିଜୁ କୃଷକ ବିକାଶ ଯୋଜନା ଆଦି ଆରମ୍ଭ କରିଛି ।

ରାଜ୍ୟ ଭିତରେ କୃଷି ଭିତ୍ତିକ ପାଣିପାଗର ବିବିଧତାକୁ ଦୃଷ୍ଟିରେ ରଖି ଆମେ ଉଦ୍ୟାନ ମିଶନ ଜରିଆରେ ଫୁଲ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ କୃଷକମାନଙ୍କୁ ସାହାଯ୍ୟ କରୁଛୁ ।

କଳିଙ୍ଗନଗରରେ ଆଦିବାସୀ ଆନ୍ଦୋଳନକୁ ଭିତ୍ତିକରି ମାଓବାଦୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ଅଧିକ ଦୃଢ କରିବାର ସମ୍ଭାବନା ଅଛି କି? ଆପଣ ସେଭଳି ପରିସ୍ଥିତିର କିଭଳି ମୁକାବିଲା କରିବେ?

ମୁଁ କହି ସାରିଛି ଯେ, ଆଦିବାସୀ ଆନ୍ଦୋଳନ ତୀବ୍ର ହୋଇନାହିଁ । ଯଦି କୌଣସି ମାଓବାଦୀ ସଂଗଠନ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରନ୍ତି, ତେବେ ଜନ ସାଧାରଣ ସେମାନଙ୍କ ଉଦ୍ଦେଶ୍ୟ ଜାଣି ପାରିବେ ବୋଲି ମୋର ଆଶା ।

ଆସନ୍ତା ତିନି ତାରିଖରୁ ବିଧାନ ସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ବିରୋଧୀ ଦଳକୁ ସାମନା କରିବା ପାଇଁ ଆପଣ କି ରଣ ନୀତି ଧାର୍ଯ୍ୟ କରିଛନ୍ତି?

ଏଥରର ଅଧିବେଶନରେ ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥକୁ ପ୍ରାଧାନ୍ୟ ନ ଦେଇ ରାଜ୍ୟର ଦୀର୍ଘମିଆଦି ଉନ୍ନତି ସକାଶେ ଗଠନମୂଳକ ପ୍ରସ୍ତାବ ରଖିବେ ବୋଲି ମୋର ବିଶ୍ୱାସ ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ଆଦିବାସୀ, ମୁଖ୍ୟମନ୍ତ୍ରୀ, ସରକାର, ସାକ୍ଷାତକାର

ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ (ସାକ୍ଷାତକାର)

February 1, 2006 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡଟ୍ କମ୍) “ଓଡ଼ିଶୀ ନୃତ୍ୟର ଭବିଷ୍ୟତ ଉଜ୍ଜ୍ୱଳ” କହନ୍ତି ଓଡ଼ିଶୀ ନୃତ୍ୟ କଳାକୁ ତାଙ୍କର ଅବଦାନ ଯୋଗୁଁ ନିକଟରେ ପଦ୍ମଶ୍ରୀ ଉପାଧି ପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ଇଟାଲୀର ଇଲିଆନା ସିତାରିଷ୍ଟି ।

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ରହି ଆସୁଥିବା ସିତାରିଷ୍ଟି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ଭୁବନେଶ୍ୱରର ବିନ୍ଦୁ ସାଗର ନିକଟରେ ଖୋଲିଛନ୍ତି “ଆର୍ଟ ଭିଜନ୍” ଡ୍ୟାନ୍ସ ସ୍କୁଲ । ୧୯୯୫ରେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲରେ ଦେଶ ବିଦେଶର ଶତାଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଶିକ୍ଷା ଦେଇ ଆସୁଛନ୍ତି ।

ଉତ୍ତର ଇଟାଲୀର ବରଗାମୋରେ ନିଜ ଘରେ ଅସୁସ୍ଥ ବାପାଙ୍କୁ ଭେଟି ଭୁବନେଶ୍ୱର ଫେରିବା ପରେ ଭାରତର ଏହି ସମ୍ମାନ ସଂପର୍କୀତ ଖବର ଶୁଣି ସେ ଖୁସିରେ ଅଭିଭୂତ ହୋଇ ଯାଇଥିଲେ । ତେବେ ସେ ଅଧିକ ଖୁସି ହୋଇଥିଲେ ତାଙ୍କ ନାଁ ପାଖରେ ଇଟାଲୀ ବଦଳରେ ଓଡ଼ିଶା ଲେଖା ହେବା ନେଇ ।

“ମୁଁ ଏକ ଭିନ୍ନ ସଂସ୍କୃତିରୁ ଆସିଥିଲେ ମଧ୍ୟ ଏହି ସମ୍ମାନ ପ୍ରଦାନ କରି ଭାରତ ସରକାର ମୋତେ ତାଙ୍କ ଦେଶର ଜଣେ ସ୍ୱୀକୃତିପ୍ରାପ୍ତ କଳାକାରଭାବେ ଗ୍ରହଣ କରିଛନ୍ତି” । ଗତ ଗୁରୁବାର ୫୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ଉପାଧି ଲାଭ କରିବା ପାଇଁ ମନୋନୀତ ହୋଇଥିବା ଇଲିଆନା ଓଡ଼ିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହନ୍ତି ।

“ନିଜ ଲକ୍ଷ୍ୟ ପଥରେ ଆଗେଇବା ପାଇଁ ଏହିଭଳି ସମ୍ମାନସବୁ ଜଣକୁ ପ୍ରେରଣା ଯୋଗାଇଥାଏ” । ସମଗ୍ର ବିଶ୍ୱରେ ଓଡ଼ିଶୀ ନୃତ୍ୟର ପ୍ରସାର ହେଉଛି ବିଦେଶରୁ ଆସି ନିଜକୁ ଉତ୍କଳୀୟ ଭାବଧାରାରେ ଉଦ୍ବୁଦ୍ଧ କରିଥିବା ଏହି ଅବିବାହିତା ମହିଳାଙ୍କ ଜୀବନର ଲକ୍ଷ୍ୟ ।

୧୯୬୦ ମସିହାରେ ଚାଲିଥିବା ଫ୍ଲାୱାର ପାୱାର ଆନ୍ଦୋଳନରେ ସେ ଅଂଶ ଗ୍ରହଣ କରିଥିବା ଇଲିଆନା ପୂର୍ବରୁ ଜଣେ ଥିଏଟର କଳାକାର ଥିଲେ ।

ପ୍ରାୟ ୨୭ ବର୍ଷ ତଳେ ନିଜ ଦେଶ ଛାଡି ଭାରତ ଆସିବା ପରେ ସେ କେରଳରେ କଥକଳୀ ଶିକ୍ଷା କରିଥିଲେ । ପରେ ନୃତ୍ୟ ଉପରେ ଅଧିକ ଜିଜ୍ଞାସା ତାଙ୍କୁ ଓଡ଼ିଶା ଆଣିଥିଲା ।

୧୯୭୯ ମସିହାରେ ସେ କଟକରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଭେଟିଥିଲେ ।

“ମାତ୍ର ଗୋଟିଏ ବର୍ଷ ତାଙ୍କଠାରୁ କେତେକ ଅଙ୍ଗଭଙ୍ଗୀ ଶିଖିବା ପରେ ମୁଁ ଫେରିଯିବି ବୋଲି ଭାବିଥିଲି । କିନ୍ତୁ ଏଇଠି ଯେ, ମୋର ଭାଗ୍ୟ ନିର୍ଣ୍ଣୟ ହେବ ବୋଲି ସେତେବେଳ ମୁଁ ଜାଣି ନ ଥିଲି । ଓଡ଼ିଶୀ ବିଷୟରେ ଅଧିକରୁ ଅଧିକ ଶିକ୍ଷା କରିବାରେ ମୋର ଆଗ୍ରହ ମୋତେ ଏଇଠି ବାନ୍ଧି ରଖିଲା” ।

ପିଲାବେଳେ କ୍ଲାସିକାଲ ବାଲେଟ୍ ଡ୍ୟାନ୍ସ ଶିଖୁଥିଲେ ମଧ୍ୟ ବାପା ମାଆଙ୍କ ଋଢିବାଦୀ ଚିନ୍ତାଧାରା ଯୋଗୁଁ ସେ ନୃତ୍ୟ ପାଇଁ ସମୟ ଦେଇ ପାରି ନ ଥିଲେ ।

ତେବେ ୧୬ ବର୍ଷ ବୟସରେ ସେମାନଙ୍କ ବିରୁଦ୍ଧରେ ଇଲିଆନା ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ବାପା ଜଣେ ପ୍ରକାଶକ ଏବଂ ରାଜନୈତିକ । ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି ।

ସିତାରିଷ୍ଟି ତାଙ୍କର ଇଟାଲୀୟ ନାଗରିକତ୍ୱ ତ୍ୟାଗ କରି ନାହାନ୍ତି । ତେବେ ସେ ପ୍ରାଞ୍ଜଳଭାବେ ଓଡ଼ିଆ ଭାଷା କହି ପାରୁଛନ୍ତି ଏବଂ ସ୍ଥାନୀୟ ଖାଦ୍ୟରେ ମଧ୍ୟ ରୁଚି ରଖନ୍ତି ।

ଜଣେ ବିଦେଶୀନିଭାବେ ପ୍ରଥମେ ପ୍ରଥମେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜିକାଲି କିନ୍ତୁ ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ କଳାକାରଭାବେ ନୃତ୍ୟ ପ୍ରଦର୍ଶନ କରିବାରେ ନିଜକୁ ଖାପ ଖୁଆଇ ସାରିଲେଣି ବୋଲି ସେ କହିଛନ୍ତି ।

ଆମେରିକା, ଆର୍ଜେଣ୍ଟିନା, ଇଟାଲୀ, ଫ୍ରାନ୍ସ, ଡେନ୍ମାର୍କ, ପୋଲାଣ୍ଡ, ମାଲେସିୟା ଆଦି ଦେଶରେ ସେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଅନ୍ୟ ବିଦେଶୀ ରାଷ୍ଟ୍ରଗୁଡିକ ଭଳି ଇଟାଲୀରେ ମଧ୍ୟ ଓଡ଼ିଶୀର ଚାହିଦା ରହିଛି । ନୃତ୍ୟର ଭାବକୁ ପୂରାପୂରି ବୁଝି ନ ପାରିଲେ ମଧ୍ୟ ସେଠାକାର ଲୋକମାନେ ଏହାକୁ ଦେଖିବା ପାଇଁ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି ।

ତାଙ୍କ ଦେଶରେ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ୍ ଲାଭ କରିଥିବା ସିତାରିଷ୍ଟ କଟକ ସହରରେ ବାର ବର୍ଷ ରହିବା ପରେ ଭୁବନେଶ୍ୱରରେ ଆସିଥିଲେ ।

ଓଡ଼ିଶୀ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ମଧ୍ୟ ସେ ନିପୂଣା । ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀମାନଙ୍କୁ ଛଉ ମଧ୍ୟ ଶିକ୍ଷା ଦିଅନ୍ତି ।

ଶିକ୍ଷାଦାନ ବ୍ୟତୀତ ସିତାରିଷ୍ଟି ଭାରତର ଆଦିବାସୀ ନୃତ୍ୟ ଉପରେ ଭାରତୀୟ ଏବଂ ବିଦେଶରେ ପ୍ରକାଶିତ ପତ୍ରିକା ଗୁଡିକରେ ଲେଖୁଛନ୍ତି ।

କଟକ ଦୂର ଦର୍ଶନରେ ଜଣେ “ଏ” ଗ୍ରେଡ କଳାକାରର ମାନ୍ୟତା ପାଇଥିବା ସିତାରିଷ୍ଟି ୧୯୯୨ରେ ଇଟାଲୀରେ ସମ୍ମାନଜନକ “ଲିଓନାଡ ମାସିନ ଫର୍ ଦି ଆର୍ଟ ଅଫ୍ଡ୍ୟାନ୍ସ” ପୁରସ୍କାର ପାଇବା ସହ ୧୯୯୪ ମସିହା ଡିସେମ୍ବରରେ ମୁମ୍ବାଇର ସୁର ସିଙ୍ଗର ସଂସଦ ପକ୍ଷରୁ ରାସେଶ୍ୱର ଉପାଧି ଲାଭ କରିଛନ୍ତି ।

ବଙ୍ଗଳା ସିନେମା “ୟୁଗାନ୍ତ” ରେ ନୃତ୍ୟ ନିର୍ଦ୍ଧେଶନା ପାଇଁ ମେ ୧୯୯୬ରେ ସେ ଜାତୀୟ ପୁରସ୍କାର ଲାଭ କରିଥିବା ଏହି କଳାକାର ସେହି ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକ ଫେଲୋଶିପ୍ ପାଇ ସେ “ଦି ମେକିଂ ଅଫ୍ ଏ ଗୁରୁ” ପୁସ୍ତକ ଲେଖିଥିଲେ ।

୧୯୯୧ ମସିହାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଦି ଆର୍ଟସର ତତ୍ତ୍ୱାବଧାନରେ ଓଡ଼ିଶାର ସାମରିକ କଳା(ମାର୍ଶାଲ ଆର୍ଟସ) ଉପରେ ଗବେଷଣା କରିଛନ୍ତି ।

ଅଧାରୁ ନୃତ୍ୟଶିକ୍ଷା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଦୁଃଖିତ ଥିବା କହିଛନ୍ତି । ତାଙ୍କ ମତରେ ମନରେ ସମର୍ପଣ ଭାବ ନେଇ ନୃତ୍ୟ ପ୍ରଦର୍ଶନ କଲେ ଅଭିନୟ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥାଏ ।

ଓଡ଼ିଶା ଡ଼ଟ୍ କମ୍

Filed Under: ସାକ୍ଷାତକାର Tagged With: ଇଲିଆନା ସିତାରିଷ୍ଟି, ଓଡିଶା, ପଦ୍ମଶ୍ରୀ ଉପାଧି, ସାକ୍ଷାତକାର, ସାଧାରଣତନ୍ତ୍ର ଦିବସ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 6
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ