ଓଡିଶା ଡଟ କମ ସଂବାଦ ଦାତା
ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି।
ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।
ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି ।
ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି।
ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ।
ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ ।
ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ
ଓଡିଶା ଡଟ କମ