• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅର୍ଥ-ବ୍ୟବସାୟ

ଅନଲାଇନ ଅର୍ଡର କରି ଘରେ ପାଆନ୍ତୁ ଚିଲିକା ମାଛ

October 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଅକ୍ଟୋବର ୧୫ , (ଓଡିଶା ଡଟ୍ କମ୍): ଭୁବନେଶ୍ଵରରେ ଖାଉଟି ଅନଲାଇନରେ ଅର୍ଡର ଦେଇ ତଟକା ଚିଲିକା ମାଛ, ଶୁଖୁଆ, କଙ୍କଡା, ଚିଙ୍ଗୁଡି ଆଦି ଘରେ ବସି ପାଇପାରିବେ ।

fishfed-2ମତ୍ସ୍ୟଜୀବୀଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା ଓଡିଶା ରାଜ୍ୟ ମତ୍ସ୍ୟଜୀବୀ ସମବାୟ ମହାସଂଘ (ଫିସଫେଡ) ଲିଃ ଏହି ଅନ୍-ଲାଇନ୍ ବିକ୍ରିବଟା ବ୍ୟବସ୍ଥାର ଗୁରୁବାର ଶୁଭାରମ୍ଭ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାକୁ ରାଜ୍ୟରେ ମତ୍ସ୍ୟ ସମ୍ପଦର ବିକାଶ ସମ୍ପର୍କିତ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଆୟୋଜିତ ଏକ କର୍ମଶାଳା ଅବସରରେ ଉଦଘାଟନ କରିଥିଲେ ।

ଏହି ଅବସରରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ପି କ୍ରୀଷ୍ଣ ମୋହନ, ଫିସଫେଡ ସଭାପତି ଟି ପ୍ରସାଦ ରାଓ ଦୋରା ଓ ପରିଚାଳନା ନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ପ୍ରଥମ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆର୍ଥିକ ସହାୟତାରେ ଫିସଫେଡ ଚିଲିକା ଫ୍ରେସ ନାମରେ ରାଜଧାନୀରେ କେତେକ ଫିଶ-ବିକ୍ରୟ କେନ୍ଦ୍ର ସ୍ଥାପନ କରିଛି । ଏହି କେନ୍ଦ୍ର ମାନଙ୍କରୁ ସୁଲଭ ଦରରେ ଗ୍ରାହକ ସ୍ଵାସ୍ଥ୍ୟକର ଚିଲିକା ମାଛ ପାଉଛନ୍ତି ।

ଫିସଫେଡ ଚିଲିକା ଫ୍ରେସ ର ପ୍ରଥମ ବିକ୍ରୟ କେନ୍ଦ୍ର ଗତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଶିରିପୁର ଛକରେ ଆରମ୍ଭ ହୋଇଥିଲା ।

ପରେ ଆଇଆରସି ଭିଲେଜରେ ଫିସଫେଡ ଆଉ ଏକ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିଥିଲା । ଏହି ବିକ୍ରୟ କେନ୍ଦ୍ର ଗୁଡିକରୁ ଅନ୍-ଲଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳର ଖାଉଟିମାନେ ଉତ୍ତମ ମାନର ତଥା ସ୍ୱାସ୍ଥ୍ୟକର ଓ ରପ୍ତାନି ଉପଯୋଗୀ ତାଜା ନଦୀ ଓ ସମୁଦ୍ର ମାଛ ବରାଦ କରିପାରିବେ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଅନ୍-ଲାଇନ୍ ମାଛ ବରାଦ କରିବାପାଇଁ ଉପଭୋକ୍ତା/ଖାଉଟି ମାନଙ୍କୁ (www.chilikafresh.in) ରେ କ୍ଲିକ୍ କରିବାକୁ ପଡିବ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଚିଲିକା ମାଛ, ବିଷ୍ଣୁପଦ ସେଠୀ

କୁକ୍କୁଟ ନୀତିରେ ଦୈନିକ ଏକକୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ

October 3, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅକ୍ଟୋବର ୩ (ଓଡିଶା ଡଟ କମ) ନିକଟରେ ରାଜ୍ୟ ସରକାରଙ୍କ ମଞ୍ଜୁରିପାଇଥିବା ନୂଆ କୁକ୍କୁଟ ନୀତି ଓଡିଶାରେ କୁକୁଡା ଉଦ୍ୟୋଗକୁ ଆବଶ୍ୟକ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବା ବେଳେ ଦୈନିକ ଏକ କୋଟି ଅଣ୍ଡା ଏବଂ ବାର୍ଷିକ ୧୦୦ ହଜାର ଟନ୍ କୁକୁଡ଼ା ମାଂସ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

poultry-farmingକୁକୁଡ଼ା ଉଦ୍ୟୋଗକୁ ଓଡ଼ିଶା ସରକାର ୨୦୦୫ ମସିହାରୁ କୃଷିର ମାନ୍ୟତା ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପ୍ରୋତ୍ସାହନ ତଥା କୁକୁଡ଼ା ଦାନାରେ ବ୍ୟବହୃତ ହେଉଥିବା ମକା, କ୍ଷୁଦ ଉପରେ ଭ୍ୟାଟ୍ ପ୍ରତିପୂରଣ ଏବଂ ସ୍କୁଲ୍ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରତ୍ୟେକ ସପ୍ତାହରେ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି ।

ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଅଣ୍ଡାଦିଆ କୁକୁଡ଼ା ଫାର୍ମ କରିବା ପାଇଁ ମୂଳ ପୁଞ୍ଜି ବିନିଯୋଗ ଉପରେ ସର୍ବାଧିକ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ବର୍ତ୍ତମାନ ଦିଆଯାଉଛି ।

ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନାବାର୍ଡ଼ ଏବଂ ରାଜ୍ୟ କୃଷି ନୀତି-୨୦୧୩ ଅନୁଯାୟୀ ରିହାତି ପ୍ରଦାନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଂଯୋଜକ କମିଟି ଗଠନ କରାଯାଇ ସମସ୍ତ ପ୍ରକାର ସହଯୋଗ ଦିଆଯିବ ।

ଆଗାମୀ ଚାରି ବର୍ଷରେ ଅଧିକ ୬୦ ଲକ୍ଷ ଅଣ୍ଡା ଦିଆ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ଏବଂ ଅଧିକ ୪୦ ଲକ୍ଷ ମାଂସାଳ କୁକୁଡ଼ା (ବ୍ରୟଲର) ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପୁଞ୍ଜି ବିନିଯୋଗ ରିହାତି ସୁବିଧା ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

କୁକୁଡ଼ା ଉଦ୍ୟୋଗ ରୋଜଗାର ପନ୍ଥା ଯୋଗାଇବା ସଙ୍ଗେ ସଙ୍ଗେ ଅଣ୍ଡା ଏବଂ କୁକୁଡ଼ା ମାଂସର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ କୁକୁଡ଼ା ଫାର୍ମ କରିବା ପାଇଁ ଜମି କ୍ରୟ କରୁଥିବା ଉଦ୍ୟୋଗୀମାନେ ଷ୍ଟାମ୍ପ ଡୁ୍ୟଟି ବାବଦରେ ସମ୍ପୂର୍ଣ୍ଣ ଛାଡ଼ ପାଇବେ ।କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ କୃଷି ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ ପାଇଁ ଆବଶ୍ୟକ ଦେୟ ଦେବାକୁ ପଡ଼ିବ ନାହିଁ ।

କୁକୁଡ଼ା ଫାର୍ମ କରିବା ପାଇଁ ସରକାରୀ ଜମି ଲିଜରେ ଦିଆଯିବ ।କୁକୁଡ଼ା ଫାର୍ମ ପରିସରରେ ଅବସ୍ଥାପିତ ଦାନା ମିଶ୍ରଣ କେନ୍ଦ୍ର (ଫିଡ୍ ପ୍ଲାଣ୍ଟ)କୁ ଏକ ଅବିଚ୍ଛେଦ ଅଂଶ ଭାବେ ଗ୍ରହଣ କରାଯିବ ଏବଂ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ହିସାବରେ ପରିଗଣିତ କରାଯିବ ।

ରାଜ୍ୟରେ ଦେଖାଯାଉଥିବା ସ୍ଥାନୀୟ କୁକୁଡ଼ା ପ୍ରଜାତିମାନଙ୍କୁ ଠାବ କରାଯିବ ଏବଂ ସେମାନଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ
ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ

ବାଡ଼ି ଅଗଣାରେ କୁକୁଡ଼ା, ବତକ ଓ ଜାପାନିଜ୍ କୁଏଲ ପାଳନ ଦ୍ୱାରା ଜୀବିକା ନିର୍ବାହ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ । ଯାହାକି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ସଙ୍ଗେ ସଙ୍ଗେ ପୁଷ୍ଟି ଅଭାବକୁ ଦୂର କରିବ । ଗ୍ରାମାଞ୍ଚଳରେ ନିୟମିତ କୁକୁଡ଼ା ଟୀକା ତଥା କୃମି ନିବାରଣ ପାଇଁ କୁକୁଡ଼ା ଟୀକାଦାତା ଚୟନ କରି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ।

ଓପୋଲଫେଡ ମାଧ୍ୟମରେ ସହରାଞ୍ଚଳରେ ତାଜା କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ପାଇଁ ଆଧୁନିକ ବିକ୍ରୟ କେନ୍ଦ୍ର ଖୋଲାଯିବ ।ଗ୍ରାମାଞ୍ଚଳରେ ରଙ୍ଗୀନ୍ ପ୍ରଜାତିର ଅଧିକ ଉତ୍ପାଦନକ୍ଷମ କୁକୁଡ଼ା ପାଳନ ପାଇଁ ଆବଶ୍ୟକ ଚିଆଁକୁ ସହଜରେ ଏବଂ ସୁବିଧା ଦରରେ ଯୋଗାଇବା ପାଇଁ ରାଜ୍ୟର ଚିଆଁ ଉତ୍ପାଦନ କେନ୍ଦ୍ର ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କୁକ୍କୁଟ ନୀତି

ଗୋ-ମହିଷାଦୀ ପ୍ରଜନନ ନୀତିରେ ଦେଶୀ ଗାଈଙ୍କ ବିକାଶ ଉପରେ ଗୁରୁତ୍ଵ

October 2, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅକ୍ଟୋବର ୨ (ଓଡିଶା ଡଟ କମ) ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଥିବା ଗୋ-ମହିଷାଦୀ ପ୍ରଜନନ ନୀତି ୨୦୧୫ରେ ପ୍ରସିଦ୍ଧ ଭାରତୀୟ ପ୍ରଜାତିର ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଓଡିଶାରେ ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବା ଓ ଗୋ ପାଳନ ଉଦ୍ୟୋଗକୁ କିପରି ଏକ ଲାଭ ଜଣକ ବ୍ୟବସାୟରେ ପରିଣତ କରାଯାଇପାରିବ ସେ ଦିଗରେ ଗୁରୁତ୍ଵ ଦିଆଯାଇଥିବା ବିଭାଗୀୟ ସଚିବ ଶୁକ୍ରବାର କହିଛନ୍ତି ।

binjharpur cow
ବିଂଝାରପୁର ଗାଈ

ରାଜ୍ୟର ଗୋ-ମହିଷାଦୀ ମାନଙ୍କର ଅନୁବଂଶୀୟ ଗୁଣର ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ନୀତିରେ ଆଧୁନିକ ପ୍ରଜନନ କୌଶଳ ଏବଂ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ ରକ୍ଷା ଯାଇଥିବା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଓଡିଶା ଡଟ କମକୁ କହିଛନ୍ତି ।

ଯେଉଁ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରିବଟା ପାଇଁ ସୁବିଧା ନଥିବ ସେହି ସ୍ଥଳରେ ଭାରତୀୟ ପ୍ରଜାତି ଯଥା ଗିର, ସାହିୱାଲ, ଥାରପାରକର, ବିଞ୍ଝାରପୁରୀ, ହରିୟାଣା ଓ ଲାଲ ସିନ୍ଧି ପ୍ରଭୁତି ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଦେଶୀ ଗାଈଙ୍କର ଗୁଣାତ୍ମକ କ୍ରମବିକାଶ କରାଯିବ ବୋଲି ସେ କହିଛନ୍ତି।

ଠିକ ସେହି ପରି ଚାଷୀମାନଙ୍କର ଚାହିଦାକୁ ଅଗ୍ରାଧିକାର ଦିଆଯାଇ କୃତ୍ରିମ ପ୍ରଜନନ କାର୍ଯକ୍ରମକୁ ତ୍ଵରାନ୍ୱିତ କରାଯିବ । ପ୍ରାଣୀ ଚିକିତ୍ସା ସେବା ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ କ୍ଷୀର ବିକ୍ରି ବଟା ପାଇଁ ସୁବିଧା ଥିବା ଅଞ୍ଚଳରେ ଜର୍ସି ଓ ହଲଷ୍ଟିନ ପ୍ରଜାତିର ଷଣ୍ଢ ମାନଙ୍କର ଶୁକ୍ର ବ୍ୟବହାର କରି ଶଙ୍କରୀ କରଣ ମାଧ୍ୟମରେ ଦେଶୀ ଗାଈଙ୍କର ଗୁଣାତ୍ମକ ଉନ୍ନତି କରାଯିବ ।

ରାଜ୍ୟରେ ଦେଖାଯାଉଥିବା ଜାତୀୟ ସ୍ତରୀୟ ମାନ୍ୟତା ପ୍ରାପ୍ତ ଗାଈ ଯଥା ବିଞ୍ଝାରପୁରୀ, ଘୁମୁସୁରୀ, ଖରିୟାର ଓ ମୋଟୁ ଏବଂ ମଇଁଷି ଯଥା ଚିଲିକା ଓ କଳାହାଣ୍ଡି ପ୍ରଭୁତି ପ୍ରଜାତିଙ୍କର ସଂରକ୍ଷଣ ଓ ଉନ୍ନତି କରଣ ନିମନ୍ତେ ସେମାନଙ୍କର ପ୍ରାନ୍ତରରେ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏଥିରେ ସରକାରୀ ଅନୁଷ୍ଠାନ ସଙ୍ଗେ ସଙ୍ଗେ ସ୍ଵେଚ୍ଛାସେବୀ ଓ ବେସରକାରୀ ସଂସ୍ଥା ଗୁଡିକଙ୍କର ମିଳିତ ଉଦ୍ୟମରେ ଗୋ ପ୍ରଜାତି ସଂରକ୍ଷଣ ଯୋଜନାକୁ ରୂପାୟନ କରାଯିବ । ଠିକ ସେହି ପରି ରାଜ୍ୟରେ ଗୋସମ୍ପଦର ଉନ୍ନତି ନିମନ୍ତେ କ୍ଷେତ୍ର ଭିତ୍ତିକ ଅନୁସନ୍ଧାନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ଉତ୍ପାଦନ କ୍ଷମତାକୁ ନିୟମିତ ଭାବେ ଅନୁଧ୍ୟାନ କରାଯିବ ।

ଶଙ୍କରୀକରଣ ପାଇଁ ବ୍ୟବହାର କରାଯାଉଥିବା ଷଣ୍ଢ ମାନଙ୍କର ପ୍ରଜନନ କ୍ଷମତା ନିର୍ଦ୍ଧାରଣ ସକାସେ ଶଙ୍କରୀକରଣରୁ ଜନ୍ମିତ ବାଛୁରୀ ମାନଙ୍କ ଉତ୍ପାଦନ କ୍ଷମତାକୁ ଆକଳନ କରାଯିବ। ଉନ୍ନତ ମାନର ପ୍ରଜନନ କ୍ଷମ ଷଣ୍ଢ ସୃଷ୍ଟି କରିବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଗାଈ ମାନଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କ ଠାରୁ ସୀକୃତି ପ୍ରାପ୍ତ ଶୁକ୍ର ବ୍ୟବହାର କରାଯାଇ ଶଙ୍କର ଅଣ୍ଡିରା ବାଛୁରୀ ଚୟନ କରି ପ୍ରଜନନ ଷଣ୍ଢ ଭାବେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି ।

ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ
ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ

ନିୟମିତ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ ନିମନ୍ତେ ଜାତୀୟ ଗୋ ବିକାଶ ପ୍ରତିଷ୍ଠାନ ଦ୍ଵାରା ପ୍ରସ୍ତୁତ ସଫ୍ଟୱେର ବ୍ୟବହାର କରାଯିବ । ରାଜ୍ୟରେ ଦେଖାଯାଉଥିବା ଦେଶୀ ମଇଁଷି ମାନଙ୍କର ଗୁଣାତ୍ମକ କ୍ରମ ବିକାଶ ପାଇଁ ମୁରା ପ୍ରଜାତିର ଷଣ୍ଢଙ୍କୁ ବ୍ୟବହାର କରାଯିବ ।

ପ୍ରଜନନ ମାଧ୍ୟମରେ ଅଧିକ ସଫଳତା ପାଇବା ପାଇଁ ଗାଈର ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ଚାଷୀ ମାନଙ୍କୁ ସୁଷମ ଖାଦ୍ୟ, ସାଧାରଣ ପରିଚାଳନା ଓ ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବାପାଇଁ ଏହି ନୀତିରେ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ରାଜ୍ୟର ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥଳ ବିଶେଷରେ ଧାତବ ଲବଣର ଅଭାବକୁ ପୂରଣ କରିବା ପାଇଁ ଧାତବ ଲବଣ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ ।ପ୍ରଜନନ ପାଇଁ ବ୍ୟବହୃତ ଆବଶ୍ୟକୀୟ ଭିତ୍ତିଭୂମି ଯଥା ହିମିକୃତ ଶୁକ୍ର ଭଣ୍ଡାର, ବାଛୁରୀ ପାଳନ କେନ୍ଦ୍ର, ଗାଈ ଫାର୍ମ, ତରଳ ଯବକ୍ଷାରଜାନ ବଣ୍ଟନ ବ୍ୟବସ୍ଥା ଓ ଜିଲ୍ଲା ସ୍ତରୀୟ ଶୁକ୍ର ଭଣ୍ଡ।ର ଇତ୍ୟାଦି ପ୍ରତିଷ୍ଠାନ ଗୁଡିକ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତିର ନିୟନ୍ତ୍ରଣ ରେ ପରିଚାଳିତ ହେବ ।

ରାଜ୍ୟର ଉପାନ୍ତ ଅଞ୍ଚଳରେ ଉତ୍କଳ ଗୋ ମଙ୍ଗଳ ସମିତି ମାଧ୍ୟମରେ ଉନ୍ନତ ଦେଶୀ ପ୍ରଜାତିର ଷଣ୍ଢ ପାଳନ କରି ଗୋ-ମହିଷାଦୀଙ୍କର ପ୍ରାକୃତିକ ପ୍ରଜନନ ପାଇଁ ଷଣ୍ଢ ଯୋଗାଇ ଦିଆଯିବ । ଉକ୍ତ ପ୍ରଜନନ ନୀତିକୁ ସଫଳ ରୂପେ ରୂପାୟନ ପାଇଁ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ମୁଖ୍ୟ କାର୍ଯ୍ୟକାରିଣୀ ସଂସ୍ଥା ଭାବେ ଘୋଷଣା କରାଯାଇଛି ।

ରାଜ୍ୟରେ ଗୋ-ମହିଷାଦୀ ପ୍ରଜନନ ସେବାକୁ ସଂଗଠିତ କରିବା ସମିତିର ମୂଳ ଉଦ୍ଦେଶ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଗୋ-ମହିଷାଦୀଙ୍କ ସଂଖ୍ୟା ଏକ କୋଟି ତେଇଶ ଲକ୍ଷ୍ ରହିଥିବା ବେଳେ ସେମଧ୍ୟରୁ ଦେଶୀ ପ୍ରଜାତିଙ୍କ ସଂଖ୍ୟା ପ୍ରାୟ ଏକ କୋଟି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଗୋ-ମହିଷାଦୀ ପ୍ରଜନନ ନୀତି, ବିଷ୍ଣୁପଦ ସେଠୀ

ଭୁବନେଶ୍ଵରରେ ଓମଫେଡର ତୃତୀୟ ଆଇସକ୍ରିମ ପାର୍ଲର

September 30, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ) କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଭୁବନେଶ୍ଵରର ନୟାପଲ୍ଲୀ ଅଞ୍ଚଳରେ ଥିବା ଆଇଆରସି ଭିଲେଜରେ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଏକ ଆଇସକ୍ରିମ ପାର୍ଲରର ବୁଧବାର ଶୁଭ ଉଦଘାଟନ କରିଛନ୍ତି ।

omfed-30-9-5ରାଜଧାନୀରେ ଏହା ହେଉଛି ଓମଫେଡର ତୃତୀୟ ଆଇସକ୍ରିମ ପାର୍ଲର । ପ୍ରାୟ ପଚିଶ ଲକ୍ଷ ଟଙ୍କାରେ ନିର୍ମିତ ଏହି ଶୀତତାପ ନିୟନ୍ତ୍ରିତ ପାର୍ଲର ପ୍ରତିଦିନ ସକାଳ ଦଶଟାରୁ ରାତି ନଅଟା ପର୍ଯ୍ୟନ୍ତ ଖୋଲା ରହିବ ।

ସହରର ଶହୀଦ ନଗର ଓ ସିରିପୁରରେ ପୂର୍ବରୁ ଏହି ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଆଇସକ୍ରିମ ପାର୍ଲର ଖୋଲି ସାରିଛି ।

ଚଳିତ ବର୍ଷ ଫେବୃୟାରୀରେ ଖୋଲିଥିବା ଶିରିପୁର ପାର୍ଲର ଗତ ଗତ ଛଅ ମାସ ମଧ୍ୟରେ ପ୍ରାୟ କୋଡିଏ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାରୁ ଓମଫେଡର ଉତ୍ପାଦ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢିଥିବା ପରିଲକ୍ଷିତ ହୋଇଛି ।

omfed-30ନିକଟ ଭବିଷ୍ୟତରେ ରାଜଧାନୀରେ ଆଉ ଦଶଟି ଆଇସକ୍ରିମ ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଓମଫେଡ ଜନସାଧାରଣଙ୍କ ଅଧିକ ବିଶ୍ଵାସଭଜନ ହୋଇପାରିଛି ।

ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଚାରି ମାସ ତଳେ ଆରମ୍ଭ କରିଥିବା ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠାକୁ ପ୍ରାୟ ୩୭ ହଜାର ଲୋକ ଲାଇକ କରିଥିବାରୁ ଗ୍ରାହକଙ୍କ ସହ ଓମଫେଡ ସମ୍ପର୍କ ବୃଦ୍ଧି କରିବାରେ omfed-30=9-3ସଫଳ ହୋଇଛି ।

ଆଇସକ୍ରିମ ପାର୍ଲର ଉଦଘାଟନ  ଅବସରରେ ମନ୍ତ୍ରୀ ଏବଂ ଅନ୍ୟ ଅତିଥି ମାନେ ଓମଫେଡ ପନୀର ଓ ଛେନାପୋଡର ନୂଆ ଡିଜାଇନ ମଧ୍ୟ ଉନ୍ମୋଚନ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଆଇସକ୍ରିମ ପାର୍ଲର, ଓମଫେଡ

ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

September 22, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୨ (ଓଡିଶା ଡଟ କମ) ଜୁନ-ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଆବଶ୍ୟକତା ଠାରୁ ପ୍ରାୟ ୧୩ ପ୍ରତିଶତ କମ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ ପାଇଁ ଖୁବ୍‌ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି ସରକାର ମଙ୍ଗଳବାର କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରାଳୟର ଅତିରିକ୍ତ କମିସନରଙ୍କ ନେତୃତ୍ବରେ ଏହି ଟିମ୍‌ ଓଡ଼ିଶା ଆସିବ । ଆଠଟି ମରୁଡ଼ି ପ୍ରଭାବିତ ଜିଲ୍ଲା ଢେଙ୍କାନାଳ, ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, କନ୍ଧମାଳ ଓ କେନ୍ଦୁଝର ଗସ୍ତକରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଏହି ଟିମ୍‌ ମରୁଡ଼ି ମୁକାବିଲା ପାଇଁ କେନ୍ଦ୍ରକୁ ସୁପାରିସ କରିବ ।

କିଛିଦିନ ତଳେ ରାଜ୍ୟରେ ହୋଇଥିବା ମରୁଡ଼ି ପରିସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଚଳିତ ଖରିଫ ଋତୁରେ ସରକାର ରାଜ୍ୟରେ ସମୁଦାୟ ୧୦.୧ ନିୟୁତ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ଲକ୍ଷ ରଖିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ମରୁଡି

ମୋଟର ଯାନ ଟିକସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ, ଗାଡି ମହଙ୍ଗା

September 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୯ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟର ଯାନ ଟିକସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବାରୁ ରାଜ୍ୟରେ କାର୍‌, ଜିପ୍‌ ସମେତ ସାଧାରଣ ଲୋକ ବ୍ୟବହାର କରୁଥିବା କେତେକ ମୋଟର ଯାନ ମହଙ୍ଗା ହେବ ।

ମୋଟର ଯାନ ଟିକସ ନିୟମ -୧୯୭୫ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଦେଇଥିବା ମଞ୍ଜୁରୀ ଅନୁସାରେ ରାଜ୍ୟରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମୋଟର ଯାନ ଉପରେ ଏଣିକି ଗାଡି ମୂଲ୍ୟର ଏକ କାଳୀନ ଛଅ ପ୍ରତିଶତ ଟିକସ ଆଦାୟ ହେବ ।

ଠିକ ସେହି ପରି ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଟଙ୍କା ମୂଲ୍ୟର ଗାଡି ଉପରେ ଆଠ ପ୍ରତିଶତ ଟିକସ ଦେବାକୁ ପଡିବ ।

ଦଶରୁ କୋଡିଏ ଲକ୍ଷ, କୋଡିଏ ରୁ ଚାଳିଶ ଲକ୍ଷ ଏବଂ ଚାଳିଶ ଲକ୍ଷ ଟଙ୍କା ମୂଲ୍ୟରୁ ଅଧିକ ଟଙ୍କାର ଗାଡି କିଣିଲେ ଗାଡି ମୂଲ୍ୟର ଯଥାକ୍ରମେ ଦଶ, ବାର ଓ କୋଡିଏ ପ୍ରତିଶତ ଟିକସ ପଇଠ କରିବାକୁ ପଡିବ ।

ଠିକ ସେହି ପରି ଟ୍ରାକ୍ଟର, ଟ୍ରେଲର ବ ଉଭୟ ଟ୍ରାକ୍ଟର ଟ୍ରେଲର ଯାହାର ଭାର ନଅ ହଜାର ପାଞ୍ଚ ଶହ କିଲୋଗ୍ରାମ ସେମାନେ ଗାଡି ମୂଲ୍ୟର ତିନି ପ୍ରତିଶତ ହିସାବରେ ଏକ କାଳୀନ ଟିକସ ଦେବେ ।

ପଞ୍ଜୀକରଣ ସମୟରେ ଗାଡି ମାଲିକ ମାନେ ଦେଉଥିବା ବାର୍ଷିକ ଟିକସ ବ୍ୟତୀତ ପରବର୍ତ୍ତୀ ସମୟରେ ଆଉ ଟିକସ ଦେଉନଥିବାରୁ ଏହି ଏକ କାଳୀନ ଟିକସ ଆଦାୟ ବ୍ୟବସ୍ଥାକୁ ସରକାର ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଠିକ ସେହି ପରି ଯେଉଁ ଯାନ ପନ୍ଦର ବର୍ଷରୁ ଅଧିକ ଚାଲିଲାଣି ଫିଟନେସ ଲାଇସେନସ ନବୀକରଣ ସମୟରେ ଏକ ହଜାର ରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସବୁଜ କର ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଏହି ମୋଟର ଯାନ ଟିକସ ବୃଦ୍ଧିରୁ ରାଜ୍ୟ ସରକାର ବର୍ଷକ ପ୍ରାୟ ୬୬ କୋଟି ଟଙ୍କା ଅଧିକ ରାଜସ୍ଵ ପାଇବାର ଆଶା ରଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସୁଦ୍ଧା ରାଜ୍ୟରେ ପ୍ରାୟ ପଚାଶ ଲକ୍ଷ ମୋଟର ଯାନ ପଞ୍ଜୀକୃତ ହୋଇଥିଲା ଓ ରାଜ୍ୟ ସରକାର ପ୍ରାୟ ୯୧୦ କୋଟି ଟଙ୍କା ଟିକସ ବାବଦକୁ ପାଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ବୃଦ୍ଧି, ମୋଟର ଯାନ ଟିକସ

ସମବାୟ ବ୍ୟାଙ୍କ ଦ୍ଵାରା ଭ୍ରାମ୍ୟମାଣ ବ୍ୟାଙ୍କ ସେବାର ଶୁଭାରମ୍ଭ

September 9, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୯ (ଓଡିଶା ଡଟ କମ) ବିଭିନ୍ନ କାରଣରୁ ବ୍ୟାଙ୍କକୁ ଯାଇପାରୁନଥିବା ଚାଷୀମାନଙ୍କୁ ତାଙ୍କ ଘର ସାମ୍ନାରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ବୁଧବାର ତାର ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଆରମ୍ଭ କରିଛି ।

bank on wheelମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଏହି ସେବା ବ୍ୟାଙ୍କସ ଅନ ହୁଇଲର ଉଦଘାଟନ କରିବା ସହ ଏକ ଅତ୍ୟାଧୁନିକ କୋର ବ୍ୟାଙ୍କିଙ୍ଗ ଡାଟା ମ୍ୟାନେଜମେଣ୍ଟ ସେଣ୍ଟର ଓ କୋର ବ୍ୟାଙ୍କିଙ୍ଗ ସେବା ର ଉନ୍ମୋଚନ କରିଥିଲେ ।

ସେ ଏହା ସହିତ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରୂପେ ଡେବିଟ କାର୍ଡ଼ ବ୍ୟବସ୍ଥା ର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହାଦ୍ଵାରା ସମବାୟ ବ୍ୟାଙ୍କ ର ଗ୍ରାହକମାନେ ଏଟିଏମ ରୁ ଟଙ୍କା ଉଠାଇବାର ସୁବିଧା ପାଇପାରିବେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ  । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସମବାୟ ବ୍ୟାଙ୍କ ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାଙ୍କ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେଇଥିବା ଆନନ୍ଦର କଥା।

ସାରା ଦେଶରେ ଚାଷୀମାନଙ୍କ ପାଇଁ ଏହା ଏକ ଅଭିନବ ସୁବିଧା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସମବାୟ ବ୍ୟାଙ୍କକୁ ଧନ୍ୟବାଦ ଜଣାଇଥିଲେ | ଏହାର ସଫଳତାକୁ ଅନୁଧ୍ୟାନ କରି ରାଜ୍ୟ ସରକାର ସବୁ ବ୍ଲକ ରେ ଚାଷୀଙ୍କ ସୁବିଧା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ଫସଲ ଋଣ ଆବଶ୍ୟକତା ପୂରଣରେ ସମବାୟ ବ୍ୟାଙ୍କ ଗୁଡିକର ଅଂଶ ୭୦ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହାର ହାର ମାତ୍ର ୧୭ ପ୍ରତିଶତ ଅଟେ।ତେଣୁ ଚାଷୀମାନେ ଯେପରି ସୁବିଧାରେ ଋଣ ପାଇପାରିବେ ସେଥିପାଇଁ ଏକ ରୋଡମାପ ପ୍ରସ୍ତୁତ କରିବା ପାଇଁ ସେ ସମବାୟ ବିଭାଗ କୁ ନିର୍ଦେଶ ଦେଇଥିଲେ |

ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ ଏବଂ କିଷାନ କ୍ରେଡିଟ କାର୍ଡକୁ ସ୍ମାର୍ଟ କାର୍ଡରେ ପରିଣତ କରିବା କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

ବର୍ତ୍ତମାନ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀ ସମବାୟ ବିଭାଗର ସଚିବ ଥିବା ବେଳେ ଏହି ଭଳି ଏକ ଅଭିନବ ସେବାର ପରିକଳ୍ପନା କରି ଆବଶ୍ୟକ ଉଦ୍ୟମ କରିଥିଲେ । ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ସେବା ଦ୍ଵାରା ରାଜ୍ୟର ୫୫ ଲକ୍ଷ ଚାଷୀ ପରିବାର ଓ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଉପକାର ପାଇପାରିବେ |

ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଅକ୍ଷୟ ପଟ୍ଟନାୟକ,ସମବାୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ଆହୁଜା,ନାବାର୍ଡ ର ମୁଖ୍ୟ ସାଧାରଣ ପ୍ରବନ୍ଧକ ଶ୍ରୀ କେଲେ ଏବଂ ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ |

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଭ୍ରାମ୍ୟମାଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ

ଘର ପାଖରେ ସରକାରୀ ଗାଡିରୁ କିଣନ୍ତୁ ରନ୍ଧା ମାଛ

September 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୫ (ଓଡିଶା ଡଟ କମ) ସୁସ୍ଵାଦୁ ମାଛ ଭଜା କିମ୍ବା ମାଛ ତରକାରୀ କଷ୍ଟ କରି ଘରେ ତିଆରି କରିବା କିମ୍ବା ସେଥି ପାଇଁ ହୋଟେଲ ଯିବା ଦରକାର ନାହିଁ ।

fish on wheel-image-finalଚଳିତ ମାସ ସାତ ତାରିଖ ଦିନ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଫିସ ଅନ ହୁଇଲ । ଏହା ଦ୍ଵାରା ଆପଣ ଘର ପାଖରେ ସରକାରୀ ଗାଡିରୁ ବିଭିନ୍ନ ପ୍ରକାର ସୁସ୍ଵାଦୁ ରନ୍ଧା ମାଛ ପାଇପାରିବେ ।  ରାଜ୍ୟର କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ଗାଡିର ଉଦଘାଟନ କରିବେ ।

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଓ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ଅଧୀନରେ କାର୍ଯ୍ୟ କରୁଥିବା ସମବାୟ ସଂସ୍ଥା ଫିସକୋପଫେଡ ର ମିଳିତ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ଏହି ଅଭିନବ ପ୍ରୟାସ ।

ସିଏନଜି ଦ୍ଵାରା ଚାଲୁଥିବା ତଥା ସୁନ୍ଦର ଓ ଆକର୍ଷଣୀୟ ଭାବେ ଡିଜାଇନ କରାଯାଇଥିବା ଏହି ଫିସ ଅନ ହୁଇଲ ଗାଡିରେ ମାଛକୁ ସତେଜ ରଖିବାର ବ୍ୟବସ୍ଥା ସହ ମାଛ ରୋସେଇ କରିବାର ବ୍ୟବସ୍ଥା ରହିଛି ।

ଏହି ଗାଡିକୁ ପ୍ରଥମେ ଭୁବନେଶ୍ଵରର କୌଣସି ଏକ ସ୍ଥାନରେ ରଖାଯିବ । ଗ୍ରାହକ ମାନେ ଉଭୟ ସତେଜ ମାଛ ଓ ରନ୍ଧା ମାଛ ଏହି ଗାଡିରୁ କିଣି ପାରିବେ ।

ପରବର୍ତ୍ତୀ ସମୟରେ ଏହି ଗାଡି ସହରର ଅନ୍ୟ ସ୍ଥାନମାନଙ୍କୁ ଯାଇ ମଧ୍ୟ ମାଛ ପ୍ରେମୀ ମାନଙ୍କୁ ଏହି ସୁବିଧା ଉପଲବ୍ଧ କରାଇବ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମକ୍ରମେ ଫିସ୍କୋପଫେଡ ଓଡିଶାରେ ଏହି ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଏହି ଗାଡିରୁ ଗ୍ରାହକମାନେ ରାଜ୍ୟର ବିଭିନ୍ନ ମାଛ ସମେତ ପ୍ରସିଦ୍ଧ ଚିଲିକାହ୍ରଦରୁ ଅଣାଯାଉଥିବା ବିଭିନ୍ନ ପ୍ରଜାତିର ମାଛ ଓ ଚିଙ୍ଗୁଡିର ରନ୍ଧାଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ ।

ଯଦି ଏହି ପ୍ରକଳ୍ପ ଆଦୃତ ହୁଏ ତେବେ ପକରବର୍ତ୍ତୀ ସମୟରେ ଏହି ସୁବିଧା ରାଜ୍ୟ ର ଅନ୍ୟ ସହର ମାନଙ୍କୁ ସମ୍ପ୍ରସାରିତ କରିବାର ଯୋଜନା ରହିଥିବା ଫିସ୍କୋପଫେଡ ସହ ନିର୍ଦ୍ଦେଶକ ଏସ ଏସ ସିଂହ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଫିସ ଅନ ହୁଇଲ, ବିଷ୍ଣୁପଦ ସେଠୀ, ରନ୍ଧା ମାଛ

ଓମଫେଡ ଆରମ୍ଭ କଲା ଅନଲାଇନ ବିକ୍ରି ବ୍ୟବସ୍ଥା

September 3, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୩ (ଓଡିଶା ଡଟ କମ) ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ (ଓମଫେଡ) ବୁଧବାର ନିଜର ଅନ ଲାଇନ ବିକ୍ରି ବଟା ବ୍ୟବସ୍ଥାର ଶୁଭାରମ୍ଭ କରିଛି ।

omfed-3କର୍ମ ବ୍ୟସ୍ତତା ତଥା ଅନ୍ୟ କାରଣରୁ ଦୋକାନ ଯାଇପାରୁନଥିବା ଗ୍ରାହକ ମାନେ ଘରେ ବସି ଅନଲାଇନରେ ଅର୍ଡର କରି ଏହି ସଂସ୍ଥାର ବିଭିନ୍ନ ସାମଗ୍ରୀ ପାଇପାରିବେ ।

ସହିଦ ନଗରରେ ଏହି ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଖୋଲିଥିବା ଆଇସକ୍ରିମ ପାର୍ଲରକୁ ଉଦଘାଟନ କରିବା ଅବସରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ଅନ ଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ତେବେ ଏହି ସେବା ବର୍ତମାନ ପାଇଁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଉପଲବ୍ଧ ହେବ। ଗ୍ରାହକ www.omfed.in କୁ ଯାଇ ନିଜ ଅର୍ଡର ଦେଇ ପାରିବେ । ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ ପଚାଶ ଟଙ୍କାର ଡେଲିଭେରୀ ଶୁଳ୍କ ଦେବାକୁ ପଡିବ ।

ଓମଫେଡ ଇତିହାସରେ ଏହା ହେଉଛି ଏକ ଐତିହାସିକ ଦିନ ବୋଲି ମହାରଥୀ ଏହି ଅବସରରେ କହିଛନ୍ତି ।

ସହରର ସିରିପୁରରେ ଓମଫେଡ ପୂର୍ବରୁ ଏକ ଆଇସକ୍ରିମ ପାର୍ଲର ଖୋଲି ସାରିଛି । ନିକଟ ଭବିଷ୍ୟତରେ ଆଉ ଦଶଟି ପାର୍ଲର ଖୋଲିବା ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଓମଫେଡ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ର ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେଠୀଙ୍କ ଉଦ୍ୟମ କ୍ରମେ ସୋସିଆଲ ନେଟୱାର୍କରେ ନିଜର ଉପସ୍ଥିତି ଜାହିର କରିବା ସହ ଗ୍ରାହକଙ୍କ ସହ ଅଧିକ ଯୋଡିବା ଲକ୍ଷରଖି ଓମଫେଡ ଏହାପୂର୍ବରୁ ଏକ ସ୍ଵତନ୍ତ୍ର ଫେସବୁକ ପେଜ ବା ପୃଷ୍ଠା ମଧ୍ୟ ଆରମ୍ଭ କରିଛି ।

ଏହି ପୃଷ୍ଠାକୁ ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ଵ ଗ୍ରାହକ ଓ ଶୁଭେଚ୍ଛୁ ଲାଇକ କରିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓମଫେଡ

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

August 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୨୮ (ଓଡିଶା ଡଟ କମ) ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ତିଆରି କରିଥିବା ସହର ମାନଙ୍କ ତାଲିକାରେ ଓଡିଶାର ଭୁବନେଶ୍ଵର ଓ ଇସ୍ପାତ ନଗରୀ ରାଉରକେଲା ସ୍ଥାନ ପାଇଛି ।

bbsrସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଭିତ୍ତିରେ ଏହି ସହରଗୁଡିକୁ ମନୋନୀତ କରାଯାଇଥିବା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ କହିଛନ୍ତି ।

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ମନୋନୀତ ହୋଇଥିବା ସହରଗୁଡିକର ପ୍ରାଥମିକ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ଦୁଇ କୋଟି ଟଙ୍କା ଲେଖାଏଁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କୁ ଯୋଗାଇ ଦେବେ ।

ସ୍ମାର୍ଟସିଟିରେ ଅବିଚ୍ଛନ୍ନ ୨୪ଘଣ୍ଟିଆ ପାଣି ଓ ବିଜୁଳି ଯୋଗାଣ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜୀବିକା ନିର୍ବାହ ସୁବିଧା ପାଇଁ ଭିତ୍ତିଭୂମି, ସୁରକ୍ଷା ଓ ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା, ବର୍ଜ୍ୟବସ୍ତୁର ସୁ ପରିଚାଳନା ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ପ୍ରସ୍ତାବ ଏହି ଯୋଜନାରେ ରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ, ପର୍ଯଟନ Tagged With: ଭୁବନେଶ୍ଵର, ରାଉରକେଲା, ସ୍ମାର୍ଟ ସିଟି

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 11
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ