• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାହିତ୍ୟ

ଓଡିଆ ଭାଷାକୁ ମର୍ଯ୍ୟାଦା ଦାବିରେ ଜୁଲାଇ ପହିଲାରୁ ଅନଶନ

June 17, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍) ଓଡିଆ ଭାଷା କୁ ସରକାରୀ ଭାଷାର ମାନ୍ୟତା ମିଳିଥିଲେ ହେଁ କୌଣସି ସ୍ତର ରେ ଏହା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ଓଡିଆ ଭାଷାକୁ ପୂର୍ଣ ରାଜଭାଷା ର ମର୍ଯ୍ୟାଦା ଦେବା ଦାବୀ ରେ ବିଶିଷ୍ଟ ଓକିଲ ତଥା ଲେଖକ ଗଜାନନ ମିଶ୍ର ଆସନ୍ତା ଜୁଲାଇ ଏକ ତାରିଖ ରୁ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ।

ଭାଷା ସୁରକ୍ଷା ସମିତି ତରଫରୁ ଗଜାନନଂକ ଏହି ଅନଶନ ରେ ବହୁ ସଂଖ୍ୟାରେ ଭାଷା ଓ ସଂସ୍କୃତି କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ ପୁର୍ବରୁ ମିଶ୍ର ଓଡିଆ ଭାଷାକୁ ନ୍ୟାୟାଳୟର ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଆସୁଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଅଦାଲତର ଭାଷା ଭାବେ ଓଡିଆକୁ ସ୍ଵୀକୃତି ମିଳିସାରିଛି ।

ଓଡିଶା ସରକାର ସବୁ ସ୍ତର ରେ ଓଡିଆ ଭାଷା କୁ ବ୍ୟବହାର କରିବାଲାଗି ଘୋଷଣା ନ କଲେ ସେ ପ୍ରାଣ ବଳି ଦେବାକୁ ପଛାଇବେ ନାହିଁ ବୋଲି ଗଜାନନ ଓଡିଶା ଡଟ କମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ସାହିତ୍ୟ Tagged With: ଅନଶନ, ଓଡିଆ ଭାଷା

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

May 21, 2015 by News Bureau Leave a Comment

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କେଦାର ମିଶ୍ର

ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପ୍‍ଚାପ୍‍ ବସିଯାଏ । ନିଜେ ନିଜେ ଗପର ଚରିତ୍ରମାନଙ୍କୁ ଖୋଜେ ।

Okay Snap 1ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି । ସେ ମନେପକାଏ ତା ଜେଜେ ମା’ର ପାକୁଆ ମୁହଁ । ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର । ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି । କଳ୍ପନା ଓ ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ ।

ସେ ଜୀବନକୁ ଯେମିତି ଦେଖେ ସେମିତି ଗପ ଲେଖେ । ଗପ ଲେଖିଲେ ଛପା ହେବ, ସେ ଗପ ସବୁକୁ ନେଇ ବହି ବାହାରିବ, ତା ଫଟୋ ଖବରକାଗଜରେ ବାହାରିବ- ଏତେ କଥା ସେ ଜାଣିନଥାଏ ।

ନିଜ ସରଳ ଅନ୍ଧାର ଭିତରେ ଗପର ଜୀବନଟି ସେ ବଞ୍ଚୁଥାଏ । ନିଜ ପ୍ରତିଭା ଓ କଳ୍ପନା ପ୍ରତି ଆଦୌ ସଚେତନ ନଥିବା ଆଦିବାସୀ ଝିଅଟି ଜାଣେନାହିଁ ଯେ ସେ ତା ସମାଜ ଓ ସମୟ ପାଇଁ ଏକ ବିପ୍ଲବ ସୃଷ୍ଟି କରିଛି । ପୁରୁଣା ସ୍ମୃତି ଓ କଳ୍ପନାରୁ ସେ ଯେଉଁ ଗପ ସବୁ ଛାଣି ଆଣିଛି ସେ ଗପ ଆଗାମୀ ଦିନରେ ତା ନିଜ ଲୋକଙ୍କ ପ୍ରାଣ ସ୍ପନ୍ଦନ ପାଲଟିଯିବ ।

ଆଜି ନହେଲେ କାଲି ସାହିତ୍ୟର ମୁରବୀମାନେ ସ୍ୱୀକାର କରିବେ ଯେ ଏମିତି ଗପ ସହରରେ ରହି ଲେଖାଯାଇପାରେନା । ଗପର କାରିଗରୀ ଓ କଳାକୌଶଳ କେବଳ ବହି ପଢ଼ିଲେ ଆସେ ନାହିଁ, ଏହା ଆସେ ଜୀବନର ଗଭୀର ଅନୁଭବରୁ । ଜୀବନର ଅନ୍ଧାର ଓ ବାଟଭୁଲା ଦୁଃଖ ଭିତରେ ଗପ ତିଆରି ହୁଏ । ସେ ଗପ ତିଆରି କରୁଥିବା ଝିଅଟିର ନାଁ ବାସନ୍ତୀ ମାଝୀ ।

ନାମ – ବାସନ୍ତୀ ମାଝୀ, ଠିକଣା – ସେବାଭାରତୀ, ତୁମୁଡିବନ୍ଧ, କନ୍ଧମାଳ, ବୃତ୍ତି – ଘରକାମ କରୁଥିବା ଜଣେ ସାଧାରଣ ଝିଅ । ସକାଳୁ ଉଠି ଝାଡୁ କରିବା, ବାସନବର୍ତ୍ତନ ମାଜିବା, ରୋଷେଇ କରିବା, ଅଳିଆ ସଫା କରିବା ଓ ଦିନସାରା ଖଟିବାରେ ତା ଦିନ ସରିଯାଏ । ଦେଖିବାକୁ ନହନହକା ପତଳା, ବୟସ ଲାଗେ ୨୦ ରୁ କମ୍‍ ।

ଅସଲରେ କେବେଠୁ ତାର ବାହାଘର ସରିଛି । ତା ବର ମରିଯାଇଛି ଗୋଟେ ଅଜଣା ରୋଗରେ । ଛୋଟଛୋଟ ପିଲାଙ୍କୁ ନେଇ ନିଜ ସଂସାର ଚଳାଇବାକୁ ସେ ଚାକିରୀ କରୁଛି ସେବାଭାରତୀ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ । ବାସନ୍ତୀ ସହିତ ସେଠି ମୋର ଦେଖା ।

ଏତେ ଚୁପ୍‍ଚାପ୍‍ ଝିଅ ଯେ ତାକୁ ଦେଖିଲେ ଲାଗିବ, ଯେମିତି ସବୁ ନିରବତା ତାରି ଆଖିରେ ଠୁଳ ହୋଇଛନ୍ତି । କେମିତି ଗୋଟେ ଉଦାସ ଓ ସ୍ଥିର ତାର ଆଖି ଦୁଇଟି । କାମ କରୁ କରୁ ଟିକିଏ ସମୟ ପାଇଲେ ବହି କି ଖାତା ଧରି ସେ ବସି ଯାଉଛି । ମୋର କୌତୁହଳ ବଢ଼ିଲା । କିଏ ଏଇ ଝିଅଟି ? କରେ କ’ଣ ? କ’ଣ ସବୁ ଲେଖୁଛି ?

ଏସବୁ ପ୍ରଶ୍ନର ଉତ୍ତର ମିଳିଲା ବିଶିଷ୍ଟ ଲୋକତତ୍ତ୍ୱବିତ୍‍ ତଥା କନ୍ଧମାଳର ଜନଜୀବନକୁ ନେଇ ବେଶ୍‍ ତତ୍ପରତାର ସହ ଅଧ୍ୟୟନ କରିଥିବା ଐତିହାସିକ ରଘୁନାଥ ରଥଙ୍କ ଠାରୁ । ରଘୁ ବାବୁ ବାସନ୍ତୀ ବିଷୟରେ ଯାହା ସବୁ କହିଲେ, ତାହା କୌଣସି କାହାଣୀଠାରୁ କମ୍‍ ନୁହେଁ ।

କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

କୁହୁକ ନଦୀର ତୀରେ :

ମୋର ମନେପଡୁଛି ବାସନ୍ତୀ ସହ ମୋର ଦେଖା ହୋଇଥିଲା ପ୍ରାୟ ୪ ବର୍ଷ ତଳେ । କନ୍ଧମାଳ ଦଙ୍ଗାର ପ୍ରାୟ ବର୍ଷେ ପରେ । ପ୍ରମୋଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସେବା ଭାରତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଏକ ତାଲିମ୍‍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥାଏ । ସେଠି ବାସନ୍ତୀ ସହ ପ୍ରଥମ ଦେଖା ।

ସେତେବେଳେ ତାର ଗପ ଲେଖାଖୁବ୍‍ ଜୋର୍‍ରେ ଚାଲିଥାଏ । ରଘୁନାଥ ରଥ ତାର ଗପ ସବୁକୁ କୁଇରୁ ଓଡିଆକୁ ଅନୁବାଦ କରୁଥାନ୍ତି । ମୁଁ ବାସନ୍ତୀକୁ ପଚାରିଥିଲି, ‘ତମେ ଗପ ଲେଖିଲ କେମିତି ? ବାସନ୍ତୀର ଉତ୍ତର ଥିଲା ଗପ ବୋଇଲେ କିସ ଆଜ୍ଞା ? ମୁଁ ମୋ ବୁଢ଼ୀ ମା ପାଖରୁ ଯାହା ଶୁଣିଥିଲି ଓ ଗାଁ ଲୋକ ଯାହାସବୁ କୁହନ୍ତି ତାକୁ ଲେଖି ପକେଇଛି ।’ ସତରେ ବାସନ୍ତୀର ଗପରେ କୌଣସି ଖାଦ ନାହିଁ । ସବୁଗୁଡିକ ନିର୍ମଳ ଜୀବନ ।

କନ୍ଧମାଳର ପାଣି, ପବନ, ଝୋଲା, ଡଙ୍ଗର୍‍, ମାଣ୍ଡିଆ କ୍ଷେତ, ହଳଦୀ ପତ୍ର, ବଣଭାଲୁ, ଶୁଆ, ବାଘ, ହାତୀ ଓ ମଣିଷମାନେ ତା ଚରିତ୍ରର କେନ୍ଦ୍ରବିନ୍ଦୁ । ତା ଗପରେ ଶାଗୁଣାଟିଏ ଛୋଟ ପିଲାକୁ ମା ପରି ପାଳିପାରେ । ଦୂର ଗାଁରୁ ବିସ୍କୁଟ୍‍ କିଣି ଆଣିଦେଇପାରେ । ଏମିତି ବି ହେଇପାରେ ଯେ କନ୍ଦମୂଳ ଲତା ତଳେ ସାନ ଝିଅଟେ ଜନ୍ମ ହେଇପାରେ । ଝୁଡଙ୍ଗ ବିଡା ଭିତରୁ ହଠାତ୍‍ ଝିଅଟେ ଡେଇଁପଡି ଘର ଓଳେଇବା ଆରମ୍ଭ କରିପାରେ । ବଡ ଅଦ୍ଭୁତ ଗପର ଗଢ଼ଣ । ବଡ ବିଚିତ୍ର ଚରିତ୍ରମାନଙ୍କର ଗତି । ସବୁ ଗପର ଶେଷରେ ଏକ ଚମକ୍‍ପ୍ରଦ ପରିସମାପ୍ତି ।

ଆଧୁନିକ ପୃଥିବୀର ସାହିତ୍ୟରେ ଏପ୍ରକାର ଗପକୁ କୁହୁକ ବାସ୍ତବତା ବା ମ୍ୟାଜିକ୍‍ ରିୟାଲିଜିମ୍‍ର ଗପ ବୋଲି କୁହାଯାଏ । ଲାଟିନ୍‍ ଆମେରିକାର ମହାନ୍‍ କଥାଶିଳ୍ପୀ ତଥା ନୋବେଲ୍‍ ପୁରସ୍କାର ବିଜେତା କଥାକାର ଗାବ୍ରିଏଲ୍‍ ଗାର୍ସିଆ ମାକ୍ୱେର୍ଜ୍‍ଙ୍କ ଲିଖନ ଶୈଳୀ ଏପ୍ରକାର ।

ମାକ୍ୱେର୍ଜ୍‍ଙ୍କ ଗଳ୍ପର ଧାରାରେ କୁହୁକ ଯେତିକି ଜୀବନର ବାସ୍ତବତା ସେତିକି । କୁହୁକ ବାସ୍ତବତାକୁ ନେଇ ଗପ ଲେଖିଥିବା ଅନେକ ବଡ ବଡ ଲେଖକଙ୍କୁ ଆମେ ଜାଣିଛୁ । ଯେମିତି ଜର୍ଜ ଲୁଇବୋରେ ବା ଲୋସା । ଏମାନେ ବଡ ବଡ ଲେଖକ ବହୁ ପୁରସ୍କାର ପାଇଛନ୍ତି ।

ବାସନ୍ତୀ ମାଝୀ ଏମାନଙ୍କ ଆଗରେ କୁଟାଖିଅଟିଏ ମାତ୍ର । ଅଥଚ ସାହିତ୍ୟର ମାପ କାଠିରେ ଲାଗିପାରେ ବାସନ୍ତୀ ମାଝୀ ଏମାନଙ୍କ ସମଗୋତ୍ରୀୟ । ଲାଟିନ୍‍ ଆମେରିକାର ଜନଜାତି ଓ ସେମାନଙ୍କ ଜୀବନକାହାଣୀ ଆଧାରରେ ଯେଉଁ କୁହୁକ ବାସ୍ତବତା ନିର୍ମିତ ହୋଇଥିଲା, ତାହା ଓଡିଶାର କନ୍ଧମାଳ ଜିଲ୍ଲାରେ ଗୋଟେ ଅଲଗା ରୂପ ନେଇ ବଢ଼ି ଉଠୁଛି ।

ଏଠି ସାହିତ୍ୟ ବୌଦ୍ଧିକତାର କଳାକୌଶଳ ନୁହେଁ, ବରଂ ଏଠି ସାହିତ୍ୟ ହେଉଛି ଜୀବନର ଏକୁଟିଆ ଓ ନିଛାଟିଆ ସ୍ୱର ଲିପି । ବାସନ୍ତୀ ମାଝୀ ହୁଏତ ମାକ୍ୱେର୍ଜ୍‍ ନୁହଁନ୍ତି । ହେଲେ ସାହିତ୍ୟରେ ବାସନ୍ତୀ ମାଝୀର ଏକ ନିଜସ୍ୱ ସ୍ୱର, ଶୈଳୀ ତଥା ପରିଚୟ ରହିଛି । ଏପରିକି ଓଡିଆ ସାହିତ୍ୟର ବିଶିଷ୍ଟମାନଙ୍କ ଗହଣରେ ବାସନ୍ତୀ କେବେ ଆସି ବସେ ନାହିଁ । ତାକୁ ଓଡିଆ ସାହିତ୍ୟିକମାନେ ଜାଣି ବି ନଥିବେ ।

ଇତିମଧ୍ୟରେ କେବେ କେମିତି ଖବରକାଗଜରେ ବାସନ୍ତୀ ମାଝୀର ଜୀବନକାହାଣୀ ଓ ତା ଗପର ଚର୍ଚ୍ଚା ହୋଇଛି । ତାହା କିନ୍ତୁ ଯଥେଷ୍ଟ ନୁହେଁ ।

ଗପ ପରି ଏକ ଜୀବନ :

ବାସନ୍ତୀର ଜୀବନ କାହାଣୀ ଗପଟିଏ । ସେ ସାଧାରଣ କୁଇ ଝିଅଟିଏ ହୋଇ ଜନ୍ମ ହୋଇଥିଲା । ତା ଜେଜେ ବାପାଙ୍କର ତିନୋଟି ସ୍ତ୍ରୀ । ତା ମଝିଅାଁ ଜେଜେ ମା’ ଭାରି ସୁନ୍ଦର ଗପ କହୁଥିଲା । ବାସନ୍ତୀ କହେ, ‘ଏବେ ବି ତାର ଗପ ସବୁ ସେଇ ମଝିଆ ଜେଜେ ମାର ଦାନ ।’ ବାସନ୍ତୀ କିନ୍ତୁ ଚାହୁଁଥିଲା ପାଠ ପଢ଼ିବ ।

ଗାଁ ପାଖରେ ସ୍କୁଲ ନଥିଲା । ପ୍ରାଥମିକ ଶିକ୍ଷା ପରେ ତାର ପାଠପଢ଼ା ବନ୍ଦ ହେଲା । ଟିକିଏ ବଡ ହେବାରୁ ଗୋଟିଏ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାକୁ କାମ ମିଳିଲା । ସେହିଠି ଦେଖାହୁଏ ବାସନ୍ତୀର ଜୀବନସାଥୀ ସହ । ସେହି ସଙ୍ଗଠନର ତାଙ୍କ ନିଜ ଜାତିର ପିଲାଟିଏ ତାକୁ ଭଲପାଇଲା ।

ତେବେ କୁଟିଆ କନ୍ଧ ପ୍ରଥା ଅନୁଯାୟୀ ଝିଅକୁ ପୁଅ ଉଠେଇ ନେଲେ ଯାଇ ବାହାଘର ହେବ । ପିଲାଟି ବାସନ୍ତୀ ପ୍ରତି ଯେତିକି ଦୂର୍ବଳ ବାସନ୍ତୀ ପ୍ରେମ ପ୍ରତି ସେତିକି ଅନାସକ୍ତ । ବାସନ୍ତୀ ସେ ପିଲାକୁ ବିଲ୍‍କୁଲ୍‍ ଧରାଛୁଅାଁ ଦେଉନଥିଲା । ସେ ଯେତେ ଚେଷ୍ଟା କଲେ ମଧ୍ୟ ବାସନ୍ତୀ ତାକୁ ବାହାହେବା ପାଇଁ ସୁଯୋଗ ଦେଉନଥିଲା ।

ବହୁ ପରିଶ୍ରମ ଓ ଅପେକ୍ଷା ପରେ ବାସନ୍ତୀ ମାନିଲା । ବାହାଘର ହେବାର ଅଳ୍ପ କେଇ ବର୍ଷ ପରେ ବାସନ୍ତୀର ବର ଏକ ଅଜଣା ରୋଗରେ ମୃତୁ୍ୟବରଣ କଲା । ତା ପରଠୁ ବାସନ୍ତୀ ଏକାକୀ । ନିଜ ଜୀବନ ପାଇଁ ଜୀବିକା ବାଛିବା ସହିତ ସେ ଜୀବନସାଥୀ ଭାବରେ ବାଛିନେଲା ଗପ ଲେଖିବାର ପ୍ରବଣତାକୁ । ସେ ଗପ ଲେଖିଲା ଓ ଲେଖି ଚାଲିଲା ।

ତା ଗପ ଲେଖିବାର ଆଗ୍ରହ ଦେଖି ସେବାଭାରତୀର ପ୍ରତିଷ୍ଠାତା ପ୍ରମୋଦ ପଟ୍ଟନାୟକ ତାକୁ ଉତ୍ସାହ ଦେଲେ । ଦିନ ଆସିଲା ବାସନ୍ତୀର ଗପ ବହିଟେ ହୋଇ ପ୍ରକାଶ ପାଇବାର ଯୋଜନା ଚାଲିଲା ।

ବାସନ୍ତୀର ଗପଖାତା :

ଗପ ଶୁଣୁଶୁଣୁ ବାସନ୍ତୀ ନିଜେ କେତେବେଳେ ଗପଟିଏ ହେଇଗଲା ତାହା ତାକୁ ବି ଜଣାନଥିଲା । ସେ ଯେଉଁ କଳ୍ପନାର କାହାଣୀ ସବୁ ଶୁଣିଥିଲା ସେ କାହାଣୀ ସବୁ ତା ଜୀବନରେ ଗୋଟି ଗୋଟି ହୋଇ ସତ ହେବା ଆରମ୍ଭ କଲେ । କାହାଣୀରେ ଅଦ୍ଭୁତ, ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ଲାଗୁଥିବା ଚରିତ୍ରମାନେ ତାର ଦୁଃଖକୁ ଭିନ୍ନ ଭିନ୍ନ ବାଗରେ କହିବା ଆରମ୍ଭ କଲେ ।

ସେ ଗପସବୁ ଗୋଟିଏ ଲମ୍ବା ଖାତାରେ ଟିପା ହୋଇ ରହିଲା । ଗପ ସବୁ ଲେଖା ହେଉଥିଲା ତା ନିଜ ଭାଷାରେ । ବାସନ୍ତୀର ନିଜ ଭାଷା କୁଇ । ଓଡିଶା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଚିଶ ଲକ୍ଷରୁ ଅଧିକ ଜନସାଧାରଣ ଏହି ଭାଷା ବ୍ୟବହାର କରନ୍ତି ।

ତେବେ ଏହି ଭାଷାକୁ ମାନ୍ୟତା ଦେବା ବା ବୁଝିବା ପାଇଁ ଆମମାନଙ୍କ ସମୟ ନଥାଏ । ଓଡିଆ ଭାଷା ସୁରକ୍ଷା ପାଇଁ ଆନେ୍ଦାଳନ କରୁଥିବା ଓଡିଶାର ନାମୀଦାମୀ ଲୋକମାନେ ଜାଣନ୍ତି ନାହିଁ ଯେ ଆମ ରାଜ୍ୟରେ ଆହୁରି ଏମିତି କିଛି ଭାଷା ଅଛି ଯେଉଁମାନେ ନିଜର ଅସ୍ତିତ୍ୱକୁ ନେଇ ସଂଘର୍ଷ କରୁଛନ୍ତି ।

ସେହି ଭାଷାମାନଙ୍କ ମଧ୍ୟରେ ସାନ୍ତାଳି, କୁଇ, ପରଜା ଓ ମୁଣ୍ଡାରୀ ପରି ଜନଗୋଷ୍ଠୀର ଭାଷା ରହିଛି । ମୂଳରୁ ଏମାନଙ୍କୁ ଭାଷା ଭାବରେ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୋହୁଁ । ଉପେକ୍ଷିତ ମଣିଷର ଭାଷାରେ ବାସନ୍ତୀ ମାଝୀ ନିଜର ଗପ ଲେଖିଛନ୍ତି ।

ଏହି ସବୁ ଗପକୁ ଓଡିଆରେ ଅନୁବାଦ କରି ଏପ୍ରିଲ୍‍ ୨୦୧୧ରେ ପ୍ରକାଶ ପାଏ ବାସନ୍ତୀର ପ୍ରଥମ ଓ ଏକମାତ୍ର ବହି ‘କୁଟିଆ କନ୍ଧ ଲୋକକାହାଣୀ’ । ଜଣେ ସାଧାରଣ ଆଦିବାସୀ ଝିଅର ଗପ ବହିକୁ ନେଇ ଗଣମାଧ୍ୟମରେ କିଛିଟା ଆଗ୍ରହ ପ୍ରକାଶ ପାଏ ।

ଜାତୀୟ ସ୍ତରରେ ଦ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ , ଦ ହିନ୍ଦୁ ଭଳି ଖବରକାଗଜ ବାସନ୍ତୀର ସାହିତ୍ୟିକ ପ୍ରତିଭା ବିଷୟରେ ଆଲେଖ୍ୟ ଛାପନ୍ତି । ତଥାପି ଆମ ସାହିତ୍ୟର ମଙ୍ଗୁଆଳମାନଙ୍କ ଦୃଷ୍ଟି ବାସନ୍ତୀ ମାଝୀ ଉପରେ ପଡେ ନାହିଁ । ଉଚ୍ଚପଦବୀ, ମୋଟା ବେତନ ଓ ମହାର୍ଘ ପୁରସ୍କାର ପାଉଥିବା ଲେଖକମାନଙ୍କ ପ୍ରେମରେ ଆମ ସାହିତ୍ୟ ଏତେ ଅନ୍ଧ ଯେ ସେଠି ଜଣେ ସାଧାରଣ କୁଇ ଭାଷାଭାଷୀ ଝିଅର ପ୍ରତିଭାର କିଛି ମୂଲ୍ୟ ନାହିଁ ।

ବେବି ହାଲ୍‍ଦାର ଓ ବାସନ୍ତୀ ମାଝୀ :

ପ୍ରାୟ ସାତ ଆଠ ବର୍ଷ ତଳେ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ଏକ ଚର୍ଚ୍ଚିତ ନାଁ ଥିଲେ ବେବି ହାଲ୍‍ଦାର । ଜଣେ ସାଧାରଣ ଗୃହ କର୍ମଚାରୀ (ଯାହାକୁ ଅବଜ୍ଞା ସୂଚକ ଭାବରେ ଆମେ ଚାକରାଣୀ ବୋଲି କହିଥାଉ) ଭାବରେ କାମ କରୁଥିବା ବେବି ହାଲ୍‍ଦାରଙ୍କ ଜୀବନକାହାଣୀ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ।

ବେବି ନିଜ ଜୀବନର ବ୍ୟଥା ଓ ବେଦନାକୁ ଅକପଟ ତଥା ସରଳ ଭାଷାରେ ଲେଖିଥିଲେ । ତାଙ୍କର ଆତ୍ମଜୀବନୀ ‘ଆଲୋ ଅନ୍ଧାରି’ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସ୍ଥାନ ପାଇଥିଲା । ତା’ପରଠୁ ବେବି ଦେଶର ପ୍ରମୁଖ ସାହିତ୍ୟ ଉତ୍ସବ ଓ ସାହିତ୍ୟ ସଙ୍ଗଠନଗୁଡିକରେ ବେଶ୍‍ ଆକର୍ଷଣ ପାଲଟିଥିଲେ ।

ଓଡିଶାର ଏକ ନାମୀ ପ୍ରକାଶନ ସଂସ୍ଥା ବେବିଙ୍କର ପୁସ୍ତକ ପ୍ରକାଶ କରିଛି । ସେହି ସମାନ ପୃଷ୍ଠଭୂମି ଓ ପ୍ରତିଭା ଥାଇ ମଧ୍ୟ ବାସନ୍ତୀ ମାଝୀ ଓଡିଶାରେ ଅବହେଳିତ । ବାସନ୍ତୀଙ୍କର ସମସ୍ୟା ହେଉଛି ସେ କନ୍ଧମାଳର ବାସିନ୍ଦା ଓ ଜନଜାତିର ପ୍ରତିନିଧି ।

ସମାଜରେ ଅବହେଳିତ ବର୍ଗ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରିବେ ବୋଲି ଆମର ବ୍ରାହ୍ମଣବାଦୀ ମଗଜରେ ବିଶ୍ୱାସ ଜନ୍ମେନାହିଁ । ସେଥିପାଇଁ ବାସନ୍ତୀ ମାଝୀଙ୍କୁ ସାହିତ୍ୟ ଏକାଡେମୀ ବା ସାହିତ୍ୟ ଉତ୍ସବମାନଙ୍କରେ ସାମିଲ୍‍ କରିବାର ଚିନ୍ତା ମଧ୍ୟ ଆମେ କରିପାରୁ ନାହୁଁ । ବାସନ୍ତୀ ସାହିତ୍ୟକୁ ନେଇ ନିଜେ କୌଣସି ଅଭିଳାଷପୋଷଣ କରନ୍ତି ନାହିଁ ।

ସେ ନିଜେ ଜାଣନ୍ତି ନାହିଁ ସେ ଯାହା ଲେଖୁଛନ୍ତି ତାହା ସାହିତ୍ୟ କି ନୁହଁ । ନିଜ ଜୀବନକୁ କାଗଜକଲମରେ ଉତ୍ତାରି ଦେବାର ପ୍ରବଣତାରୁ ତାଙ୍କର ଗପ ଜନ୍ମ ନେଇଛି । ସେ ଗପ ଉଚ୍ଚାଙ୍ଗ ସାହିତ୍ୟ ହେଉ କି ନହେଉ ତାହା ଜୀବନର ସାହିତ୍ୟ ନିଶ୍ଚୟ । ସେହି ସାହିତ୍ୟକୁ ଯେଉଁ ଜାତି ଅସ୍ୱୀକାର କରେ ସେ ଜାତିର ସାହିତ୍ୟ ଯେତେ ମର୍ଯ୍ୟାଦା ସମ୍ପନ୍ନ ହେଲେ ମଧ୍ୟ ପ୍ରାଣହୀନ । ବାସନ୍ତୀ ମାଝୀଙ୍କର ଗପ ଓଡିଆ ଜନଜୀବନରେ ଏକ ନୂଆ ଆନେ୍ଦାଳନର ଆଭାସ ।

ବାସନ୍ତୀ ମାଝୀଙ୍କ ଦୁଇଟି ଗପ

କନ୍ଦାର ଝିଅ ଜନମ

ଗୋଟିଏ ଗାଁ ଥିଲା । ସେହି ଗାଁରେ ଗୋଟିଏ ବହୁତ ଗରିବ ଲୋକ ଥିଲା । କେତେ ଚାଷ କଲେ ମଧ୍ୟ ଫସଲ ହେଉନାହିଁ । ଖାଲି କନ୍ଦା ଫଳମୂଳ ଖାଇ ବଞ୍ଚୁଥିଲା । କାମ ନକଲେ ଖାଇବାକୁ ମିଳେନାହିଁ । ସେହିଦିନ ଉପାସରେ ରହିଥିଲେ ।

ପୁଅର ନାଁ ସୁଧୀର । ବାପା, ମା’ ଜଙ୍ଗଲକୁ ଯାଆନ୍ତି । ସୁଧୀର ଘରେ ରହେ । ଦିନେ ବାପା ମା’ ଜଙ୍ଗଲକୁ କନ୍ଦା ଖୋଳିବାକୁ ଗଲେ । ଚାରିଆଡେ ଖୋଜାଖୋଜି କଲେ । କନ୍ଦା କେଉଁଠି ବି ପାଇଲେ ନାହିଁ । ରାତି ହୋଇ ଆସିଲା । ସେ ଆଉ ଘରକୁ ଗଲେ ନାହିଁ । ସେହି ଜଙ୍ଗଲରେ ହିଁ ଶୋଇଲେ ।

ସକାଳ ହେଲା ପୁଣି କନ୍ଦା ଖୋଜିବାକୁ ଲାଗିଲେ । ସୁଧୀର ଭାରିବ୍ୟସ୍ତ , ବପା ମା ଆସିଲେ ନାହିଁ କାହିଁକି ? ଆହୁରି ସକାଳ ହେଲା କନ୍ଦା ଖୋଜିବାକୁ ଲାଗିଲେ । ଗୋଟିଏ ଗଛରେ ଲଟା ମାଡିଛି ବୋଲି ତାର ସ୍ତ୍ରୀକୁ ଡାକିଲା । ଆଉ ଖୋଳିବାକୁ ଲାଗିଲେ । ଖୋଳୁ ଖୋଳୁ କନ୍ଦା ବାହାରିଲା ।

କନ୍ଦାକୁ ବାଡିରେ କାଢ଼ୁଛି । କନ୍ଦା କହୁଛି ମାଆ ମୋତେ ଧିରେ ଧିରେ କାଢ଼େ ମୋତେ କାଟୁଛି । ତାର ସ୍ତ୍ରୀ ଅଧା ବାଟଯାଏ ଗଲା । ମଲେ ମରିବା ଚାଲ ବୋଲି କହିଲା । ଆହୁରି ସେମାନେ କାଢ଼ିବାକୁ ଲାଗିଲେ ।

ମୋତେ ଘର ଭିତରେ ରଖିବୁ କାହାକୁ ଦେଖେଇବ ନାହିଁ । ଯେତେବେଳେ କବାଟ ଠକ୍‍ ଠକ୍‍ କରିବି ସେତେବେଳେ କବାଟ ଖୋଲିବ ବୋଲି କହିଲା । କିଏ ନଯିବା ଘରେ ବନ୍ଦ କରିବ ବୋଲି କହିଲା । କାମ କରିବାକୁ ଗଲେ ସେତେବେଳେ ଆମ୍ବ ଟାଙ୍କୁ ବାଡେଇବାକୁ ଲାଗିଲେ ।

ଏମିତି ସାତଦିନ ବିତିଗଲା । କନ୍ଦା ଆଣିଥିବା ବାର ପହଞ୍ଚିଲା । ଦିନ ୧୨ ଘଣ୍ଟା ହେଲା କବାଟ ଠକ୍‍ ଠକ୍‍ ହେଲା । ପୁଅ ଭୋକରେ ବଖରାରେ ଶୋଇପଡିଥିଲା । ପୁଅ ପାଣି ପିଇବି ବୋଲି ଚଟ୍‍କିନା ଉଠି ପଡିଲା । ଆମ ଘରେ କବାଟ ଠକ୍‍ ଠକ୍‍ କରି କିଏ ବାଡଉଛି ବୋଲି ପଚାରିଲା ।

କବାଟ ଖୋଲି ଦେଖିଲା ବେଳକୁ ଲଣ୍ଠନ ପରି ଜଳୁଛି । ପୁଅ ଆଶ୍ଚର୍ଯ୍ୟ ହୋଇ ଧାଇଁଗଲା । ଆଉ ପୁଣିଥରେ ଘରକୁ ଗଲା । ଘର ଭିତରେ ଦେଖିଲା ବେଳେ ଗୋଟିଏ ଝିଅ ଠିଆ ହୋଇଛି । ପୁଅ ବାଧ୍ୟ ହୋଇ ଘର ଭିତରେ ପଶିଲା । ହେ ପ୍ରଭୁ ଆପଣ କୁଆଡୁ ଆସିଲ ବୋଲି ପଚାରିଲା ।

ଝିଅ କହିଲା ତମ ମାଙ୍କୁ ପଚାର । ମା ଏହି ଝିଅକୁ କୁଆଡୁ ଆଣିଛ ବୋଲି ପଚାରିଲା । ମାଆ ବାପା କନ୍ଦା ରଖିଥିବା ଘରକୁ ଧାଇଁଲେ । ଘର ଭିତରେ ଗୋଟିଏ ଝିଅ ବସିଛି । ସେହି ଝିଅ ଲାଜରେ ମୁହଁ ପୋତିଲା । ଘୁରି ଚାରିଆଡେ ଅନେଇଲା ବେଳେ ସୁନାର ବାସନକୁସନ, ଧନସମ୍ପତ୍ତି ପରିପୂର୍ଣ୍ଣ ହୋଇଛି ।

ସେ ସବୁ ଜିନିଷପତ୍ର ଦେଖି ବଡ ଖୁସିରେ କଥାବାର୍ତ୍ତା ହେଲେ । ମାଆ ଆଜିଠୁ ତୁମର କୌଣସି ଅସୁବିଧା ହେବନାହିଁ । ଖାଇପିଇ ଖୁସିରେ ରୁହନ୍ତୁ । ସେଠୁ ତିନିଜଣଯାକ ହସି ହସି ଖୁସିରେ ଚଳିଲେ । ତୁମ୍ଭଙ୍କୁ ଦେଖି ଆମର ଭୋକଶୋଷ ଜମା ନାହିଁ । ଭଲ ଖାଦ୍ୟ ମିଳିଲା । ଦିନେ ମା ବାପା ସୁଧୀର କୁଆଡେ ବୁଲିବାକୁ ଯାଇଥିଲେ । ସେହି ସମୟରେ ଜଣେ ରାଜା ମାଗିବାକୁ ଯାଉଥିଲେ ।

ଭିକ୍ଷା ନେବା ସମୟରେ ହାତ ଧରିକି ଘୋଡାରେ ବସେଇକି ନେଇଗଲେ । ସେମାନେ ଘରକୁ ଫେରି ଦେଖିଲା ବେଳେ ଆଉ ସୁଧୀର ବୋହୁ ନାହିଁ । ଚାରିଆଡେ ଖୋଜାଖୋଜି ଚାଲିଲା କୁଆଡେ ହେଲେ ପାଇଲେ ନାହିଁ । ପାରା ଗୋଟିଏ ପୋଷିଥିଲେ । ଗୋଟିଏ ଘରେ ସେହି ଝିଅ କାନ୍ଦିାବରେ ଲାଗିଲା । ପାରା ସେହି ଘରକୁ ଗଲା ସମସ୍ତଙ୍କୁ କହିଲା ସେଥିପାଇଁ ସମସ୍ତେ ମିଶିକି ଗଲେ । ସେ ଘିଅକୁ ଧରି ଆସି ଖୁସିରେ ରହିଲେ ।

ଝୁଡୁଙ୍ଗ

ଗୋଟିଏ ଗାଁରେ କିଛି ପରିବାର ବାସ କରୁଥିଲେ । ସେଥି ଭିତରୁ ଗୋଟିଏ ପରିବାରରେ ବଡ ପୁଅର ନାମ ଲାଡା ବୋଲି ଦିଆଯାଇଥିଲା । ଲାଡା ନିଜ ପରିବାରର ପେଟପୋଷଣ ନିମନ୍ତେ ଗୁଡିଆ ହାଣିଲା । ସେହି ଗୁଡିଆରେ ନାନା ପ୍ରକାର ଫସଲ ଯଥା- ମକା, ଝୁଡୁଙ୍ଗ, କାନ୍ଦୁଲ ଇତ୍ୟାଦି ଚାଷ କଲା ।

ଲାଡା ଗୁଡିଆରେ ସବୁପ୍ରକାର ଫସଲ ସଂଗ୍ରହ କରିବା ପରେ ଝୁଡୁଙ୍ଗ ବିଡା ବାନ୍ଧି ରଖିଥିଲା । ସେମାନେ ଜଙ୍ଗଲରୁ ବହୁ, ଝୁଣା, ଲାଖ, କରଡି ଇତ୍ୟାଦି ଫଳମୂଳ ସଂଗ୍ରହ ନିମନ୍ତେ ଯାଆନ୍ତି । ଠିକ୍‍ ଏହି ସମୟରେ ଲାଡା ରଖିଥିବା ଝୁଡୁଙ୍ଗ ବିଡାରୁ ଗୋଟିଏ ଝୁଡୁଙ୍ଗ ଛିଟିକି ପଡି ଘରର ସବୁକାମ ଘର ଝାଡୁ ଠାରୁ ଆରମ୍ଭ କରି ରୋଷେଇ, କୁଇରି କୁଟିବା ଏହି ପରି ସମସ୍ତ କାମ କରିସାରୁଥାଏ । ସେମାନେ ଜଙ୍ଗଲରୁ ଫେରି ଦେଖିଲା ବେଳକୁ ସବୁ କାମ ସରିଯାଇଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି ।

ଏମିତି ବହୁତ ଦିନ ବିତିଗଲା । ଶେଷରେ ଲାଡାର ବାପା, ମା’ ଭାବିଲେ ଯେ ଘରର ସବୁ କାମ କିଏ କରିଛି । ଏହି ସନ୍ଧାନ ସେମାନେ ଜାଣିବାକୁ ଚାହିଁଲେ । ବାପା, ମା ଦିନେ ଲାଡାକୁ କହିଲେ ଯେ ତୁ ଆଜି ଆମ ସାଙ୍ଗରେ ଜଙ୍ଗଲକୁ ଆସିବୁ ନାହିଁ ।

ସେ ସେମାନଙ୍କ କଥାରେ ଏକମତ ହେଲା । ଘର ଭିତରେ ଛକି ରହିଲା ଏବଂ ଜାଣିବାକୁ ଚାହିଁଲା ।ଏହିପରି ଛକିଥିବା ସମୟରେ ଝୁଡୁଙ୍ଗ ଝିଅ ବାହାରି ଆସିଲା । ନିଜ କାମ କରିବାକୁ ଆରମ୍ଭ କଲା । ସବୁ କାମ ସରିଲା ପରେ ପୁଣି ଝୁଡୁଙ୍ଗ ଲୁଚିଲା । ଏମିତି ସମୟ ବିତିଗଲା । ଲାଡାର ବାପା, ମା ଘରକୁ ଫେରିବା ସମୟ ହୋଇଗଲା । ଘରେ ବାପା, ମା ପହଞ୍ଚିବା ପରେ ଲାଡା ଯାହା ଦେଖିଥିଲା ସେହି ବିଷୟରେ ବର୍ଣ୍ଣନା କଲା । ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହେଲେ ।

ସେହି ଝୁଡୁଙ୍ଗ ଝିଅର କାର୍ଯ୍ୟ ଦେଖିବାକୁ ଇଛା କଲେ ଓ ଛକି ବସିଲେ । ସେ ଝିଅକୁ ଜଣା ନଥିଲା ଯେ ତାକୁ ସମସ୍ତେ ଦେଖୁଛନ୍ତି । ସେ ଯେମିତି ବାହାରି କାମ କରୁଥିଲା ଠିକ୍‍ ସେହି ପରି ସେ ଦିନ ମଧ୍ୟ ସବୁ କାମ କଲା । ଏହାପରେ ଲାଡା କହିଲା ଯେ ମୁଁ ସେହି ଝିଅକୁ ବାହା ହେବାକୁ ଚାହୁଁଛି । ଏହା ଶୁଣି ବାପା, ମା ବ୍ୟସ୍ତ ହେଲେ । କହିଲେ ଏମିତି ଝିଅକୁ ତୁ କେମିତି ବାହା ହେବୁ ?

ସେ ଉପାୟ ପାଞ୍ଚିଲା ଏବଂ ବାପା, ମା’ଙ୍କୁ କହିଲା ଯେ ତୁମେ ଜଙ୍ଗଲକୁ ଯାଅ । ମୁଁ ଘରେ ରହିବି । ଏହା ଶୁଣି ସେମାନେ ଜଙ୍ଗଲକୁ ଚାଲିଗଲେ । ଲାଡା ପୂର୍ବ ପରି ଛକି ବସିଲା । ସେ ଝିଅ କେଉଁଠି ବାହାରୁଛି ତାହା ନିରୀକ୍ଷଣ କଲା ।

ଏହାପରେ ସେ ଝୁଡୁଙ୍ଗ ଚୋପା ସବୁ ପୋଡିଦେଲା । ଝିଅଟି ବାହାରି ଆସିଛି । ବାପା, ମା’ଙ୍କର ଆସିବା ସମୟ ହେଇଗଲାଣି । ଏହାପରେ ସେମାନେ ଘରେ ପହଞ୍ଚି ଦେଖିଲେ ଯେ ଗୋଟିଏ ସୁନ୍ଦରୀ ଝିଅ ତାଙ୍କ ଘରେ ଅଛି । ବାପା, ମା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ମଧ୍ୟ ହେଲେ । ଶେଷରେ ଦୁଇଜଣଙ୍କୁ ବାହା କରେଇ ପରିବାରରେ ସମସ୍ତେ ମିଶି ରହିଲେ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ସାହିତ୍ୟ Tagged With: କନ୍ଧମାଳ, ବାସନ୍ତୀ ମାଝୀ, ସାହିତ୍ୟ

ରଘୁନାଥ ମୁର୍ମୁଙ୍କ ନାମରେ ନାମିତ ହେବ ବାରିପଦା ମେଡିକାଲ କଲେଜ

May 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ) ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ସରକାରୀ ମେଡିକାଲ କଲେଜ ଜଣାଶୁଣା ସାନ୍ତାଳି ଭାଷାବିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରିବାକୁ ରାଜ୍ୟସରକାର ଶନିବାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ଆଗାମୀ ସୋମବାର ଦିନ କରିବାର କାର୍ଯ୍ୟକ୍ରମ  ରହିଛି ।

ଗୁରୁ ଗମକେ ଭାବେ ପରିଚିତ ପଣ୍ଡିତ ରଘୁନାଥ ମୁର୍ମୁ ଜଣେ ଜଣା ଜଣା ଶୁଣା ଭାଷାବିତ । ସାନ୍ତାଳି ଭାଷାର ସୁରକ୍ଷା ଓ  ଲିପି ତିଆରିରେ ତାଙ୍କର ଗୁରୁତ୍ଵ ପୂର୍ଣ ଯୋଗଦାନ ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାହିତ୍ୟ Tagged With: ପଣ୍ଡିତ ରଘୁନାଥ ମୁର୍ମୁ, ମେଡିକାଲ କଲେଜ, ସାନ୍ତାଳି

ହଳଧର ନାଗ କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

May 12, 2015 by News Bureau 1 Comment

କେଦାର ମିଶ୍ର

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ଯୌବନପ୍ରାପ୍ତି ପରେ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ ପୃଥିବୀ ସହ ଦେବରାଜ ଇନ୍ଦ୍ରଙ୍କ ପରିଣୟ ପାଇଁ ।

ଅସାମାନ୍ୟ ରୂପସୀ ପୃଥିବୀକୁ ବାହା ହେବା ପାଇଁ ଦେବସଭାରେ ନିଷ୍ପତ୍ତି ହୋଇଗଲା । ଏ ଖବର ପାଇବା ମାତ୍ରେ ଭୟ ଓ ଆଶଙ୍କାରେ କାତର ପୃଥିବୀ ଚନ୍ଦ୍ରମାଙ୍କୁ ଝିଙ୍ଗାସ କଲେ ଏବଂ ସେ ସମୟ ସହ ପ୍ରଣୟବଦ୍ଧ ବୋଲି ଜଣାଇଦେଲେ । ବିଚଳିତ ଚନ୍ଦ୍ରମା ଏବେ କରନ୍ତି କଣ ? ଦେବରାଜଙ୍କୁ କହିଲେ, ‘ମହାରାଜ ! ମୋ ସାନ ଭଉଣୀ ଏବେ ମହାକାଳ ପ୍ରେମରେ ପଡିଯାଇଛି ।’ କ୍ରୋଧରେ ଇନ୍ଦ୍ର ନିଜ ବଜ୍ର ମାଧ୍ୟମରେ ସମୟକୁ ଖଣ୍ଡ ଖଣ୍ଡ କରି ହତ୍ୟା କଲେ ।

Haldhar_Nagପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।’

ତା ପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଅମୃତ ଜଳ ସିଞ୍ଚି ସମୟକୁ ଜୀବନ୍ୟାସ ଦେଲେ । କିନ୍ତୁ ଏ କ’ଣ ? ଇନ୍ଦ୍ରଙ୍କ ବ୍ରଜାଘାତରେ ସମୟ ଛଅ ଖଣ୍ଡ ହୋଇଯାଇଛି ଏବଂ ଅମୃତ ଜଳ ପାଇଲା ପରେ ସମୟର ଛଅଟି ସ୍ୱରୂପ ପୃଥିବୀକୁ ପ୍ରଣୟ ଭିକ୍ଷା କରୁଛନ୍ତି । ପୃଥିବୀ କହିଲେ, ‘ ଏ କି ଆଚମ୍ବିତ କଥା ? ଜଣେ ନାରୀ ଛଅ ପୁରୁଷଙ୍କ ସହ ଜୀବନ କଟାଇବ କେମିତି ? ବ୍ରହ୍ମା କହିଲେ – ‘ତମେ ବିଚଳିତ ହୁଅ ନାହିଁ । ସେମାନେ ସମୟର ଛଅଟି ସ୍ୱରୂପ – ଛଅଟି ଋତୁ ।’

ଜଣେ ପରେ ଜଣେ ସେମାନେ ତମ ପାଖକୁ ଆସିବେ ଓ ଦୁଇ ମାସ ଲେଖାଏଁ ତମକୁ ଭୋଗ କରିବେ । ସେହି ଦିନଠୁ ଛଅ ଋତୁ କ୍ରମାନ୍ମୟରେ ପୃଥିବୀ ପୃଷ୍ଠକୁ ଆସନ୍ତି ଓ ପୃଥିବୀ ରାଣୀକୁ ଭୋଗ କରନ୍ତି ।

ଇଏ କାହାଣୀ ନା କବିତା ? କେଉଁ ପୁରାଣରେ ଆପଣ ପଢ଼ିଛନ୍ତି ଏ କାହାଣୀ ? କବିର କଳ୍ପନାରେ ସମୟ ଓ ପୃଥିବୀର କାହାଣୀ ନୂଆ ରୂପେ ଗଢ଼ାଯାଇଛି । ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ‘ବଛର’ ନାମକ କାବ୍ୟର କାହାଣୀ ଇଏ । କାବ୍ୟର କବି ହେଉଛନ୍ତି ଶ୍ରୀଯୁକ୍ତ ହଳଧର ନାଗ ।

କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟ ନାମ କବି ହଳଧର ନାଗ । ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା ଘଣ୍ଟା ଧରି କବିତା ତାଙ୍କର ମୁଖସ୍ଥ ଥାଏ । ଆତ୍ମବିଭୋର, କବିତା ବିଭୋର କବିଙ୍କୁ ଶୁଣିବା ପାଇଁ ଯାତ୍ରା ପରି ଗହଳି ଲାଗିଯାଏ ପଶ୍ଚିମ ଓଡିଶାରେ ।

ହଳଧର ନାଗ, ଦେଖିବାକୁ ଡେଙ୍ଗା, କଳା, ନହନହକା ମଣିଷଟିଏ । ଭାବପ୍ରବଣ ଦୁଇଟି ଆଖି । ବବୁରି ବାଳ ଲମ୍ବି ଯାଇଥାଏ ପଛକୁ । ଅଣ୍ଟାରେ ବେଢ଼ାଇ ହୋଇଥାନ୍ତି ଧଳା ଧୋତିଟିଏ, କାନ୍ଧରେ ଗାମୁଛା, ପାଦରେ ଚପଲ ନଥାଏ । ଦେଖିଲେ ଅତି ସାଧାରଣ ଗାଉଁଲି ମଣିଷଟିଏ । ସାଧାରଣ ଚେହେରା ତଳେ ଏକ ଅସାଧାରଣ ପ୍ରତିଭାର ଜ୍ୟୋତି ଉଦ୍‍ଭାସିତ ହେଉଥାଏ ତାଙ୍କ ଆଖି ଦିଓଟିରେ ।

ଅତ୍ୟନ୍ତ ନମ୍ର ଏବଂ ବିନୟୀ ସ୍ୱଭାବର କବି ହଳଧର ନାଗଙ୍କୁ ଦେଖିଲେ ଲାଗେନା ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ହୋଇଛି ଗ୍ରନ୍ଥ ମନ୍ଦିର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ । ତାଙ୍କୁ ନେଇ ‘ବିବିସି’ ତିଆରି କରି ସାରିଛି ଗୋଟିଏ ସିନେମା । ତାଙ୍କୁ ନିମନ୍ତ୍ରଣ ନକଲେ ପଶ୍ଚିମଓଡିଶାର କୌଣସି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୁଏନା ।

ତାଙ୍କୁ ଦେଖିଲେ ବହୁ ବିଦ୍ୱାନ ହାତଯୋଡି ସମ୍ମାନ କରନ୍ତି । ଅଥଚ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହଳଧର ନାଗଙ୍କ ଆନୁଷ୍ଠାନିକ ଶିକ୍ଷା । ବୃତ୍ତିରେ ସେ ଚନାଚୁରବାଲା । କେବେ କେମିତି ଚାଷ କାମ କରନ୍ତି । ଗାଁ ସ୍କୁଲରେ ଭାରରେ ପାଣି ବୋହି ନିଅନ୍ତି । କିନ୍ତୁ କବିତାର ସେ ଏକ ଜ୍ୟୋତିର୍ମୟ ଅବତାର ।

କବି ହଳଧର ନାଗଙ୍କ ଜନ୍ମ ୩୧.୦୩.୧୯୫୦ ବରଗଡ ଜିଲ୍ଲାର ଘେଁସ୍‍ ଗାଁରେ । ଘେଁସ୍‍ ପଶ୍ଚିମଓଡିଶାର ଏକ ଐତିହାସିକ ଗାଁ । ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶରାଜ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଆଂଦୋଳନର ତୀର୍ଥ ଭୂମି ହେଉଛି ଘେଁସ୍‍ । ଏକ ଐତିହାସିକ ଗାଁର ଅତି ସାଧାରଣ ବାଳକଟିଏ ଅସାଧାରଣ ଇତିହାସ ରଚନା କରିବ ଏକଥା ଘେଁସ୍‍ ଗାଁର କେହି କେବେି ବି କଳ୍ପନା କରିନଥିବେ ।

ଲେଖକଙ୍କ ସହ ହଳଧର
ଲେଖକଙ୍କ ସହ ହଳଧର

ଲୋକଗୀତ ଏବଂ ଲୋକନୃତ୍ୟ ପ୍ରତି ପିଲାଦିନରୁ ହଳଧରଙ୍କ ଥିଲା ପ୍ରଚୁର ଆଗ୍ରହ । ରାମାୟଣ, ମହାଭାରତ ଶୁଣି ଶୁଣି ଡାଲଖାଇ, ରସରକେଲି, ଗୁଣୁ ଗୁଣେଇ ଆରମ୍ଭ ହୋଇଥିଲା ତାଙ୍କ କବିତ୍ୱର ଯାତ୍ରା । ଅଳ୍ପ ପାଠୁଆ ତାଙ୍କ ମନ ଓ ହୃଦୟକୁ ନିଜର ନିବାସ ରୂପେ ବାଛି ନେଇଥିଲେ କବିତାର ସରସ୍ୱତୀ । ଆପେ ଆପେ ଆପଣଛାଏଁ ସେ ଆବୃତ୍ତି କରୁଥିଲେ ସୁକୁମାର କବିତା ।

ତାଙ୍କ ଆଗରେ ପ୍ରେରଣାର ଉତ୍ସ ଥିଲେ ବ୍ୟାସ, ବାଲ୍ମିକୀ, ଗଙ୍ଗାଧର ମେହେର ଓ ଭୀମଭୋଇ । ତାଙ୍କ କାବ୍ୟସିଦ୍ଧି ଗୋଟିଏ କଥା ପ୍ରମାଣିତ କରେ, ତା ହେଲା- କବିତାର ଉତ୍ସ ସବୁବେଳେ ସ୍ୱାଭାବିକ ଏବଂ କବିତା ରଚନା କୌଣସି ବୌଦ୍ଧିକ କସରତର ଆବଶ୍ୟକତା ରଖେ ନାହିଁ ।

ତାଙ୍କ କବିତାରେ ପଶ୍ଚିମ ଓଡିଶାର ଜନଜୀବନ, ପ୍ରାକୃତିକ ପରିବେଶ, ଚଳଣୀ, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ଛନ୍ଦ ଏବଂ ସର୍ବୋପରି ଜୀବନର ଉଦ୍ଧାମତା ପ୍ରତିଫଳିତ ହୋଇଥାଏ । କାବ୍ୟ ଓ ପୁରାଣରୁବ ବିଷୟବସ୍ତୁ ଚୟନ କରୁଥିଲେ ହେଁ ବର୍ଣ୍ଣନା ଏବଂ ସର୍ଜନା କ୍ଷେତ୍ରରେ ତାଙ୍କ ଶୈଳୀ ମୌଳିକ । ଆଞ୍ଚଳିକ ଅସ୍ମିତାର ଉଦ୍‍ଗାତା ରୂପେ ଏବେ ସମଗ୍ର ପଶ୍ଚିମ ଓଡିଶାରେ ହଳଧର ନାଗ ସଂସ୍କୃତିର ଦେବଦୂତ ପାଲଟି ଯାଇଛନ୍ତି । ଆଞ୍ଚଳିକ ସଂସ୍କୃତିର ପ୍ରାଣବନ୍ଦ ପ୍ରତୀକ ତାଙ୍କର କବିତା ।

ପଶ୍ଚିମଓଡିଶାର ବିଶେଷ ଚର୍ଚ୍ଚା ହୋଇଥାଏ ଏ ଅଞ୍ଚଳର ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ପିଲାବିକ୍ରୀ ଇତ୍ୟାଦି ପ୍ରସଙ୍ଗ ପାଇଁ । ତେଣୁ ଏ ଅଞ୍ଚଳକୁ ନେଇ ଯେଉଁମାନେ କବିତା ଲେଖନ୍ତି ବା ଏ ଅଞ୍ଚଳରେ ରହି କବିତା ଲେଖନ୍ତି ସେମାନଙ୍କ ପାଇଁ କବିତାର ବିଷୟବସ୍ତୁ ପ୍ରାୟ ପୂର୍ବନିର୍ଦ୍ଧାରିତ ।

ସ୍ଥିତାବସ୍ଥା ବିରୁଦ୍ଧରେ ହେଉ କିଂବା ଏକ ନୂତନ ଆଂଦୋଳନର ସୂଚନା ହେଉ କବିତାରେ ତାର ସଙ୍କେତ ରହିଥାଏ । ଯଦିଓ ଆଧୁନିକ ଓଡିଆ କବିତାର ଅସ୍ପଷ୍ଟ, ରହସ୍ୟମୟ ଏବଂ ଦୁର୍ବୋଧ୍ୟ ପରମ୍ପରାରରେ ଏସବୁ ସ୍ୱରର ବିଶେଷ କିଛି ମାନେ ନଥାଏ । ପରମ୍ପରାର ମୁଖ୍ୟସ୍ରୋତରେ ଗୌଣସ୍ରୋତର ଭାବାବେଗ ପ୍ରାୟତଃ ବିଲୀନ ହୋଇଯାଏ ।

ସୌଭାଗ୍ୟକ୍ରମେ ହଳଧର ନାଗଙ୍କ କବିତା ଏହି ଦୁର୍ଭାଗ୍ୟଜନକ ପରିଣତି ଭୋଗିନାହିଁ । ପ୍ରାୟତଃ ପୁରାର, କାବ୍ୟ ଓ କଳ୍ପନାର ଆଧାରରେ ତାଙ୍କ କବିତ୍ୱର ପ୍ରତିଷ୍ଠା । ତେଣୁ ଆଧୁନିକତା କିମ୍ବା ଉତ୍ତର ଆଧୁନିକତାର ବ୍ୟୁହ ଭିତରେ ବାଟବଣା ଆଲୋଚକମାନଙ୍କ ପାଇଁ ତାଙ୍କ କବିତା ପାରମ୍ପରିକ କିମ୍ବା ପ୍ରାଚୀନପନ୍ଥୀ ମନେ ହୋଇପାରେ ।

କିନ୍ତୁ ଟିକେ ଗଭୀର ଭାବରେ ତାଙ୍କ କବିତାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, କଳ୍ପନା ଏଠି ବିଦ୍ରୋହର ଏକ ଛଦ୍ମ ଆୟୁଧ । ଶୋଷଣ ଓ ଅବହେଳାର ନିଶାଗ୍ରସ୍ତ ଗୋଟିଏ ଅଞ୍ଚଳର ଜନଜୀବନରେ ଚାଞ୍ଚଲ୍ୟ ଖେଳାଇବା ପାଇଁ ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ । ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ ।

ପୌରାଣିକ କଳ୍ପନା ଆଧାରରେ ଜାତୀୟ ଅସ୍ମିତାର ପ୍ରତିଷ୍ଠା ପାଇଁ କାବି୍ୟକ ପ୍ରୟାସ କରିଥିବା ଶାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ପରି ହଳଧର ନାଗ ସେଇ ବିଷୟବସ୍ତୁ ଓ ଶୈଳିର ଚୟନ କରିଛନ୍ତି । ତାଙ୍କ ବର୍ଣ୍ଣନାରେ ପଶ୍ଚିମ ଓଡିଶାର ଜୀବନ୍ତ ଚିତ୍ର ପାଠକର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠେ । ତାଙ୍କ କଳ୍ପନା ସାମର୍ଥ୍ୟ କ୍ଲାସିକ୍‍ କବିମାନଙ୍କର ସାମର୍ଥ୍ୟ ସହ ପ୍ରାୟ ସମାନ ।

ଏହି ଯଶସ୍ୱୀ କବିଙ୍କର କେତୋଟି ମୁଖ୍ୟ କାବ୍ୟଗ୍ରନ୍ଥ ହେଉଛି ‘ବଛର’, ‘ମହାସତୀ ଉର୍ମିଲା’, ‘ତାରା ମନେ୍ଦାନ୍ଦରୀ’, ‘ରସିଆ କବି’, ‘ଅଛିଆ’, ‘ସିରି ସମ୍‍ଲାଇ’ ଇତ୍ୟାଦି । ସରଳ ମନରେ ଯେଉଁ ଅପୂର୍ବ ଆଧ୍ୟାତ୍ମିକ ଦର୍ଶନର ଉଦ୍‍ଭାସ ସମ୍ଭବ ହୁଏ ତାହା କବିତାରେ ହିଁ ପ୍ରତିଫଳିତ ହୋଇଥାଏ ।

ଏକ ନଗଣ୍ୟ ଉପଭାଷା ବୋଲି ଗଣାଯାଉଥିବା ସମ୍ବଲପୁରୀ କୋଶଳୀ ଭାଷାରେ ଯେଉଁ ବୌଦ୍ଧିକ ଉଚ୍ଚତାର କାବ୍ୟ ରଚନା ହୋଇଛି, ତାହା ସେ ଭାଷାର ଉକ୍ରର୍ଷ ଓ ମୌଳିକତାର ପରିଚୟ । ଓଡିଶା ଭାଷା ସହ ସମାନ୍ତରାଳ ଭାବେ ସମ୍ବଲପୁରୀ-କୋଶଳୀର ଏହି ପ୍ରତିଷ୍ଠାକୁ ନକରାତ୍ମକ ଦୃଷ୍ଟିରେ ନଦେଖିଲେ ଓଡିଆ ସାହିତ୍ୟର ଯଥେଷ୍ଟ ମଙ୍ଗଳ ହେବ ।

କବି ହଳଧରଙ୍କ କାବ୍ୟକୃତିରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି ତାଙ୍କ ଭାଷା ପ୍ରୟୋଗର ଅପୂର୍ବ ସ୍ୱତଃସ୍ଫୂର୍ତ୍ତତା । ପୁରାଣରେ ବର୍ଣ୍ଣିତ ବ୍ୟାସଙ୍ଗ ଶୃତଲିଖନ ଓ ଗଣେଷଙ୍କ ଲିଖନ ପରି ତାଙ୍କର କାବ୍ୟଧାରା । ହଳଧରଙ୍କ କାବ୍ୟକୃତିରେ ଏତେ ଟିକିଏ ବି ଦୂର୍ବେଧ୍ୟତା ବା ଜଟିଳତା ନଥାଏ । ତାଙ୍କ ନିରୀହତା ପରି କବିତାର ଆବେଦନ ମଧ୍ୟ ନିରୀହ ଓ ରସମୟ ।

ପଶ୍ଚିମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜୀବନର ଆଚାର, ଆଚରଣ, ପରମ୍ପରା ଓ ସଂସ୍କୃତି ସୌନ୍ଦର୍ଯ୍ୟବୋଧ ଏବଂ ଭାରତୀୟ ଆଧ୍ୟାତ୍ମିକତାର ସରଳ ପରିବେଷଣ ତାଙ୍କ ରଚନାର ଶ୍ରେଷ୍ଠତମ ସିଦ୍ଧି । ତା ସହ ତାଙ୍କ କବିତାରେ ଥାଏ ଶାଣିତ ଶ୍ଲେଷ ଓ ତୀବ୍ର କଟାକ୍ଷ । ବେଳେବେଳେ ବ୍ୟଙ୍କ କବିତା ରଚନାରେ ହାତ ଦିଅନ୍ତ କବି ।

ଓଡିଆ ବ୍ୟଙ୍କ କବିତାର ପ୍ରଚଳିତ ଧାରାଠୁ ଭିନ୍ନ ଶୁଦ୍ଧ ଶ୍ଲେଷ ଓ ବ୍ୟଞ୍ଚନାର ପରିବେଷଣ ତାଙ୍କ ବ୍ୟଙ୍ଗ କବିତାର ବିଶେଷ ଗୁଣ । ସ୍ଲୋଗାନ୍‍ଧର୍ମୀ ସମାଲୋଚନା ତାଙ୍କର ଏକ ଉଲ୍ଲେଖନୀୟ ସଫଳତା ।

ହଳଧରଙ୍କ କାବ୍ୟ ସାହିତ୍ୟ ଉପରେ ଏବେ ବହୁ ଗବେଷଣା ଆରମ୍ଭ ହୋଇ ସାରିଛି । ପଶ୍ଚିମ ଓଡିଶାର ଛୋଟବଡ ଗାଁ, ସହରମାନଙ୍କରେ କବିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ହଳଧରଙ୍କ କବିତା ସନ୍ଧ୍ୟା ଏବେ ମନୋରଞ୍ଜନର ଏପ ପରିଶୁଦ୍ଧ ସ୍ୱରୂପ । ତାଙ୍କ କବିତା ବହିର ଗ୍ରାହକ ଆମର ତଥାକଥିତ ପ୍ରତିଷ୍ଠିତ କବିମାନଙ୍କ ଠାରୁ ବହୁଗୁଣରେ ଅଧିକ ।

କିନ୍ତୁ ଦୁଃଖର କଥା ଓଡିଆ ସାହିତ୍ୟର ଆଲୋଚକ ଏବଂ ଐତିହାସିକମାନେ ତାଙ୍କ ପ୍ରତିଭା ବିଷୟରେ ପ୍ରାୟ ଉଦାସୀନ । କାବ୍ୟ ରଚନା ଏବଂ ସାହିତ୍ୟକର୍ମରେ ବିଶେଷ ରୁଚି ରଖୁଥିବା ଓଡିଆ ଭାଷାର ଦିଗ୍‍ଗଜମାନେ ହଳଧରନାଗଙ୍କ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ ।

ଲୋକ ଏବଂ ପାଠକଠାରୁ ସ୍ୱୀକୃତି ପାଇବା ଜଣେ କବି ଜୀବନର ସବୁଠାରୁ ବଡକଥା । କିନ୍ତୁ ଆମ ସାହିତ୍ୟ ଏକାଡେମୀ ବା ତଥାକଥିତ ସାହିତ୍ୟର ପ୍ରମୁଖ ସଂସ୍ଥାମାନେ ହଳଧର ନାଗଙ୍କ ବିଷୟରେ କିଛି ଜାଣନ୍ତି କି ? ଏହି ଯଶସ୍ୱୀ କବିଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିବା ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ ହେବା ଉଚିତ୍‍ ନୁହେଁ କି ?

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ରୋକ ଠୋକ, ସାହିତ୍ୟ Tagged With: କବି, କେଦାର ମିଶ୍ର, ପଶ୍ଚିମ ଓଡ଼ିଶା, ସାହିତ୍ୟ, ହଲଧର ନାଗ

ଓଡିଆଭାଷାକୁ ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବ ଲକ୍ଷେ ଚିଠି

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୦ (ଓଡିଶା ଡଟ କମ) ସରକାରୀ ଅଫିସ, ନ୍ୟାୟାଳୟ, ବାଣିଜ୍ୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟ।ଳୟ ମାନଙ୍କରେ ଓଡିଆ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ରାଜ୍ୟର ଭାଷାପ୍ରେମୀ ମାନେ ଖୁବ ଶିଘ୍ର ଏକଲକ୍ଷ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଲେଖିବେ।

ଓଡିଆ ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ଭୁବନେଶ୍ଵର ଜୟଦେବ ଭବନ ଠାରେ ରବିବାର ଆୟୋଜିତ ସଂସ୍ଥାର ସାଧାରଣ ଅଧିବେଶନରେ ଏହାର ଆବାହକ ତଥା ସାଂସଦ ବୈଷ୍ଣବ ପରିଡା ନିଜ ଉଦବୋଧନରେ କହିଛନ୍ତି ।

ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ନାମ ଓ ଠିକଣାରେ ଖୁବ ଶୀଘ୍ର ପଠାଯିବ । ଆଗାମୀ ବିଧାନସଭା ପୂର୍ବରୁ ରାଜଧାନୀ ଠାରେ ପ୍ରାୟ ପାଞ୍ଚ ହଜାର ଲେଖକ, ଛାତ୍ର ଛାତ୍ରୀ, ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ଗଣଧରଣ ମଧ୍ୟ ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଓଡିଆଭାଷା, ନ୍ୟାୟାଳୟ, ବାଣିଜ୍ୟ, ମୁଖ୍ୟମନ୍ତ୍ରୀ, ଶିକ୍ଷାନୁଷ୍ଠାନ

ସଦାନନ୍ଦ ଅଗ୍ରୱାଲଙ୍କୁ ତିରୁପତିରେ ଡକ୍ଟରେଟ ସମ୍ମାନ

April 10, 2015 by ନିଉଜ ଡେସ୍କ Leave a Comment

ତିରୁପତି, ଏପ୍ରିଲ ୧୦ (ଓଡିଶା ଡଟ କମ) ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ୨୧ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଯାଉଥିବା ନିଜର ୧୮ ତମ ସମାବର୍ତ୍ତନ ଉତ୍ସବରେ ଓଡିଶାର ବିଶିଷ୍ଟ ଐତିହାସିକ ତଥା ଜଣାଶୁଣା ମହିମା ଗବେଷକ ସଦାନନ୍ଦ ଅଗ୍ରୱାଲଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିବା ସ୍ଥିର କରିଛନ୍ତି ।

sadanandaସୁବର୍ଣପୁର ଜିଲ୍ଲାର ମେଣ୍ଢା ନିବାସୀ ଶ୍ରୀ ଅଗ୍ରୱାଲଙ୍କୁ ସଂସ୍କୃତ, ସାହିତ୍ୟ, ପାରମ୍ପରିକ ଶାସ୍ତ୍ର ବିଦ୍ୟା ଓ ଭାରତୀୟ ପରମ୍ପରା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବିଦ୍ୟାପୀଠର କୁଳାଧିପତି ଜାନକୀ ବଲ୍ଲଭ ପଟନାୟକ ଏହି ସମ୍ମାନ ପାଇଁ ମନୋନୀତ କରିଥିବା ସମ୍ପୃକ୍ତ ଅନୁଷ୍ଠାନର ରେଜିଷ୍ଟର ପ୍ରଫେସର ସି ଉମାଶଙ୍କର ସୂଚନା ଦେଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଡକ୍ଟରେଟ ସମ୍ମାନ, ତିରୁପତି, ସଦାନନ୍ଦ ଅଗ୍ରୱାଲ

ଖୋର୍ଦ୍ଧା ପୁସ୍ତକ ମେଳା ଅପ୍ରେଲ ୧ରୁ

March 29, 2015 by ଓଡିଶା ଡଟ କମ Leave a Comment

ଖୋର୍ଦ୍ଧା , ମାର୍ଚ ୨୯ (ଓଡିଶା ଡଟ କମ) ସ୍ଥାନୀୟ ଗୀତାଭବନ ପରିସରରେ ସତ ଦିବସୀୟ ଖୋର୍ଦ୍ଧା ପୁସ୍ତକ ମେଳା ୨୦୧୫ ଅପ୍ରେଲ ୧ ରୁ ଆରମ୍ଭ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମେଳା କମିଟିର ସଭାପତି ଡଃ ଦିଲିପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

bookfareପ୍ରାରମ୍ଭରେ ବିଗତ ବର୍ଷ ମାନଙ୍କରେ ପୁସ୍ତକମେଳା ଖୋର୍ଦ୍ଧାବାସୀଙ୍କ ପାଇଁ ବହୁ ଉତ୍ସାହ ଆଣି ଦେଇଛି ବୋଲି ପସଭାପତି ଡଃ ନିରଞ୍ଜନ ମହାନ୍ତି ମତପ୍ରକାଶ କରି କହିଲେ ଏବର୍ଷ ମଧ୍ୟ ସ୍ଥାନୀୟ ପ୍ରମୁଖ ଶିକ୍ଷାବିତ ମାନଙ୍କ ସହଯୋଗରେ ଏହି ପୁସ୍ତକମେଳା ଆହୁରି ଆକର୍ଷଣୀୟ ଏବଂ ହୃଦୟସ୍ପର୍ଶୀ ହୋଇପାରିବ ।

ପୁସ୍ତକ ମେଳା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର ଧୀରେନ୍ଦ୍ର ନନ୍ଦ କହିଲେ ଏ ବର୍ଷ ମଧ୍ୟ ପୁସ୍ତକମେଳା କମିଟି ତରଫରୁ ପ୍ରକାଶ ପାଉଥିବା ‘ସବୁଜ ସ୍ୱପ୍ନ’ ସ୍ମରଣିକାରେ ମୁଖ୍ୟତଃ ଖୋର୍ଦ୍ଧାର ପ୍ରଚୀନ ସାହିତ୍ୟକୁ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ପ୍ରାବନ୍ଧିକ, ଗାଳ୍ପିକ ତଥା କବି ମାନଙ୍କୁ ଉତ୍ସାହିତ କରାଯିବ ।

ସ୍ମରଣିକାର ସମସ୍ତ ପ୍ରସ୍ତୁତି ପାଇଁ ସାହିତ୍ୟ ସଂସଦର ସଭାପତି ବୈକୁଣ୍ଠ ନାଥ ରାଜଗୁରୁ ଏବଂ କାର୍ଯ୍ୟକାରୀ ସଭ୍ୟ ଗୋପାଳକୃଷ୍ଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାହିତ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ଅନୁଷ୍ଠାନର ଆବାହକ ନରେନ୍ଦ୍ର ପୁଷ୍ଟି କହିଲେ ଗତବର୍ଷ ସ୍ଥାନୀୟ ପ୍ରମୁଖ ବ୍ୟକ୍ତି ମାନଙ୍କୁ ନେଇ ଦୁଇ ଶହ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ତିନି ଶହରେ ପହଞ୍ଚିବ । ଏହି ବର୍ଷ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର କାଉନ୍ସେଲିଂ ପାଇଁ ବିଭିନ୍ନ ଷ୍ଟଲମାନ ଖେଲାଯିବାର ବ୍ୟବସ୍ଥା ରହିବ ବୋଲି କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ହରିଚନ୍ଦନ କହିଥିଲେ ।

ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ୮ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପୁସ୍ତକମେଳାର ବିଭିନ୍ନ ଦିନରେ ଶିକ୍ଷା, ସଂସ୍କୃତି, ସାହିତ୍ୟ, ଇତିହାସ, ବିଭିନ୍ନ ସାମାଜିକ ସମସ୍ୟା ଆଦି ବିଷୟକୁ ନେଇ ଆଲୋଚନାଚକ୍ରମାନ ଆୟୋଜନ କରାଇବା ପାଇଁ କମିଟିର କାର୍ଯ୍ୟକାରୀ କୃଷ୍ଣ ଚନ୍ଦ୍ର ଦାଶ, ସଭ୍ୟ ସତ୍ୟବାଦୀ ବଳିୟାରସିଂହ ଏବଂ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ବିଭିନ୍ନ ଦିନରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ କରାଇବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ଜବାହର ଲାଲ୍ ସୁବୁଦ୍ଧି ଏବଂ ପ୍ରହଲ୍ଲାଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ଦିନ ସଂଧ୍ୟାରେ ଏକ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯିବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ବିଧାନ ଚନ୍ଦ୍ର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ପଟ୍ଟନାୟକ, ନୀଳାଦ୍ରୀନାଥ ଜଗଦେ୍ଧବ, ଡା ଯୋଗେଶ ଚନ୍ଦ୍ର ରଥ, ବିଜୟ ସାମନ୍ତସିଂହାର, ସତ୍ୟବାନ ଶ୍ରୀଚନ୍ଦନ, ସତ୍ୟାନନ୍ଦ ବେହେରା, ପ୍ରତାପ ରୁଦ୍ର ଦଳବେହେରା, ରାଘବ ଚନ୍ଦ୍ର ମହାନ୍ତି ପ୍ରମୁଖ ସଭ୍ୟମାନେ ଯୋଗ ଦେଇ ପୁସ୍ତକ ମେଳାକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର, ସାହିତ୍ୟ Tagged With: ଖୋର୍ଦ୍ଧା, ଗାଳ୍ପିକ, ପୁସ୍ତକ ମେଳା, ପ୍ରାବନ୍ଧିକ

ପଦ୍ମ ପୁରସ୍କାର:ଏଥର ଓଡ଼ିଶାରୁ ୪ଜଣ

January 26, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬,(ଓଡିଶା ଡଟ୍ କମ୍)-କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଘୋଷିତ ପଦ୍ମ ପୁରସ୍କାର ମଧ୍ୟରୁ ଏଥର ଓଡ଼ିଶାର ୪ଜଣ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପଦ୍ମବିଭୂଷଣ ଲାଗି ମୋଟ ୪ଜଣ ମନୋନୀତ ହୋଇଥିବାବେଳେ ସେଥିରୁ ଓଡ଼ିଶାର ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ର ରହିଛନ୍ତି ।

kailash

ଏହାଛଡା ବାନ୍ଧଶିଳ୍ପୀ କୈଳାସଚନ୍ଦ୍ର ମେହେର, ଡାକ୍ତର ତାରାପ୍ରସାଦ ଦାସ ଓ ଚଳଚ୍ଚିତ୍ର ଫଟୋଗ୍ରାଫର ଅପୂର୍ବ କିଶୋର ବୀର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ବୀରଙ୍କ ନାମ ମହାରାଷ୍ଟ୍ର ସରକାର ସୁପାରିସ କରିଥିବା ଜଣାପଡିଛି ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯେଉଁ ୧୦୮ଜଣ ଲୋକଙ୍କ ନାମକୁ ପଦ୍ମ ପୁରସ୍କାର ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପଦ୍ମ ବିଭୂଷଣ, ୨୪ଜଣଙ୍କୁ ପଦ୍ମଭୂଷଣ ଓ ୮୦ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।

ଚଳଚ୍ଚିତ୍ର ଜଗତରୁ ଦିବଂଗତ ଅଭିନେତା ରାଜେଶ ଖାନ୍ନା, ଅଭିନେତ୍ରୀ ଶର୍ମିଲା ଟାଗୋର, ଶ୍ରୀଦେବୀ, ନାନା ପାଟେକର, ଖ୍ୟାତନାମ ହାସ୍ୟଅଭିନେତା ଦିବଂଗତ ଯଶପାଲ ଭଟ୍ଟି, ଫେଶନ ଡିଜାଇନର ରିତୁ କୁମାର, କ୍ରିକେଟ ଜଗତରୁ ରାହୁଳ ଦ୍ରାବିଡଙ୍କ ସମେତ ମୋଟ ୧୦୮ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ।

ପଦ୍ମ ପୁରସ୍କାରକୁ ଦେଶର ସବୁଠାରୁ ବଡ଼ ବେସାମରିକ ପୁରସ୍କାର ଭାବେ ବିବେଚନା କରାଯାଇଥାଏ । ପଦ୍ମ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କ ମଧ୍ୟରେ କଳାକ୍ଷେତ୍ରରୁ ସର୍ବାଧିକ ୩୪ଜଣ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରୁ ୧୯ଜଣ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରୁ ୧୫ଜଣ, ଚିକିତ୍ସା କ୍ଷେତ୍ରରୁ ୧୪ଜଣ, ଖେଳ ଜଗତରୁ ୮ଜଣ, ବ୍ୟାପାର ଓ ଉଦ୍ୟୋଗ କ୍ଷେତ୍ରରୁ ୭ଜଣ, ସାମାଜିକ କାର୍ଯ୍ୟ କ୍ଷେତ୍ରରୁ ୬ଜଣ, ପ୍ରଶାସନିକ ସେବା କ୍ଷେତ୍ରରୁ ୨ଜଣ, ସାର୍ବଜନିକ କ୍ଷେତ୍ରରୁ ଜଣେ ରହିଛନ୍ତି ।

ରାଷ୍ଟ୍ରପତି ମାର୍ଚ୍ଚ ବା ଏପ୍ରିଲ ମାସରେ ମନୋନୀତ ବ୍ୟକ୍ତିଙ୍କୁ ଏକ ଉତ୍ସବରେ ପୁରସ୍କୃତ କରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ

ଗୌରହରି ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

December 21, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୧(ଓଡିଶା ଡଟ୍ କମ୍ )-ଜଣାଶୁଣା କଥାକାର ଡକ୍ଟର ଗୌରହରି ଦାସ ପାଇବେ ଏ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ତାଙ୍କର ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ପୁରସ୍କାର ଦେବାକୁ ସ୍ଥିର କରିଛି କେନ୍ଦ୍ର ସାହିତ୍ୟ ଏକାଡେମୀ ।

ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର, ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ । ସଂପ୍ରତି ସେ ସମ୍ବାଦରେ କାର୍ଯ୍ୟରତ । ଜୁଆର ଭଟ୍ଟା,ମାଟି କଣ୍ଡେଇ, ଅହଲ୍ୟାର ବାହାଘର ଏବଂ ମଥୁରାର ମାନଚିତ୍ର ପ୍ରଭୃତି ୧୫ଟି ଗଳ୍ପ ସଂକଳନ ତାଙ୍କୁ ବିପୁଳ ପାଠକୀୟ ଆଦୃତି ଓ ସାରସ୍ୱତ ସ୍ୱୀକୃତି ଆଣିଦେଇଛି ।

Dr.Das

ଆସନ୍ତା ୨୦୧୩ ମସିହା ଫେବୃୟାରି ୧୮ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମି ପକ୍ଷରୁ ସୂଚନା ମିଳିଛି ।

ସେହିପରି ଏହି କାର୍ଯ୍ୟକ୍ରମରେ ‘ସେଇ ପକ୍ଷୀଟିର ନାଁ’ ପୁସ୍ତକ ନିମନ୍ତେ ପ୍ରଶାନ୍ତ ମହାନ୍ତିଙ୍କୁ ଏଥର ଅନୁବାଦ କ୍ଷେତ୍ରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ଶ୍ରୀ ମହାନ୍ତିଙ୍କୁ ୫୦ ଟଙ୍କା,ମାନପତ୍ର,ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ ।

‘ଭିନ୍ନ ଉପବନ’ ପାଇଁ ଯୁବ ସାହିତ୍ୟିକା ସୃଷ୍ଟିଶ୍ରୀ ନାୟକଙ୍କୁ ଯୁବ ପୁରସ୍କାର ମିଳିବ । ସୃଷ୍ଟିଶ୍ରୀଙ୍କୁ ୫୦ ହଜାର ଟଙ୍କା,ମାନପତ୍ର,ଉତରୀୟ ଏବଂ ଉପଢୈାକନ ପ୍ରଦାନ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ Tagged With: ଅହଲ୍ୟାର ବାହାଘର, ଗୌରହରି ଦାସ, ଜୁଆର ଭଟ୍ଟା, ମାଟି କଣ୍ଡେଇ, ସାହିତ୍ୟ ଏକାଡେମୀ ପୁରସ୍କାର

ଡ.ହୃଷିକେଶ ପଣ୍ଡା ପାଇଲେ ଶାରଳା ପୁରସ୍କାର

October 27, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨୭(ଓଡ଼ିଶା ଡ଼ଟ୍ କମ୍) –ଡ.ହୃଷିକେଶ ପଣ୍ଡାଙ୍କୁ ତାଙ୍କର ‘ଗର୍ବ କରିବାର କଥା’ ଉପନ୍ୟାସ ପାଇଁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି ।

ଶୁକ୍ରବାର ଦିନ ସ୍ଥାନୀୟ ଜୟଦେବ ଭବନରେ ଇଂପାକ୍ଟ ପକ୍ଷରୁ ଅନୁଷ୍ଠିତ ୩୩ତମ ଶାରଳା ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କୁ ତାମ୍ରଫଳକ,ମାନପତ୍ର,ଉପନ୍ୟାସ ଓ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ସେହିପରି ମର୍ଦ୍ଧଳ ବାଦକ ବନମାଳି ମହାରଣା,ସମାଜସେବୀ ପଦ୍ମରରଣ ନାୟକଙ୍କୁ ଉପାୟନ,ତାମ୍ରଫଳକ ଓ ୫୧ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ କେଂଦ୍ରୀୟ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ବିଶ୍ୱନାଥ ତିୱାରୀ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ ଇଂପାକ୍ଟର ସଭାପତି ଡ.ବଂଶୀଧର ପଣ୍ଡା,କାର୍ଯ୍ୟକାରୀ ସଭାପତି ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ,ସଂପାଦକ ପ୍ରଫେସର ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶାରଳା ଉପଦେଷ୍ଟା ବୋର୍ଡର ସଭ୍ୟ ପଦ୍ମଶ୍ରୀ ଶୀନିବାସ ଉଦ୍ଗତା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଡ.ଆଦିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ.ଇତିଶ୍ରୀ ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ସାହିତ୍ୟ Tagged With: ଜୟଦେବ ଭବନ, ଡଃ.ହୃଷିକେଶ ପଣ୍ଡା, ଶାରଳା ପୁରସ୍କାର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ