• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

କେନ୍ଦ୍ରୀୟ ଉଦ୍ୟୋଗ ଯୋଗୁଁ ରାଜ୍ୟ ରାଜକୋଷ ସମୃଦ୍ଧ

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିଭିନ୍ନ କର ବାବଦରେ ଯେତିକି ଟିକସ ସଂଗୃହୀତ ହେଉଛି ଏହାର ଅଧିକାଂଶ ଟିକସ ଆଠଟି କେନ୍ଦ୍ରୀୟ ଉଦ୍ୟୋଗରୁ ମିଳୁଥିବା ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରୁ ଜଣାପଡ଼ିଛି ଯେ ଅଧିକ କର ଦେଉଥିବା ଦଶଟି ପ୍ରମୁଖ ସଂସ୍ଥା ମଧ୍ୟରେ ଆଠଟି କେନ୍ଦ୍ରୀୟ ଉଦ୍ୟୋଗ ଓ ଦୁଇଟି ରାଜ୍ୟ ସରକାରଙ୍କ ଉଦ୍ୟୋଗ ।

ସେହି ପ୍ରମୁଖ କେନ୍ଦ୍ରୀୟ ଉଦ୍ୟୋଗ ଗୁଡ଼ିକ ହେଲା ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ଏପିସିଏଲ୍, ଏମ୍ସିଏଲ୍, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଏମ୍ସିଏଲ୍(ଝାରସୁଗୁଡ଼ା) ଏବଂ ଟାଟା ମୋଟର୍ସ । ରାଜ୍ୟ ସରକାରୀ ଉଦ୍ୟୋଗଦୁଇଟି ହେଲା ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ସିମେଣ୍ଟ ଲିମିଟେଡ଼୍ ।

ସୂଚନାଯୋଗ୍ୟ ଯେ, ଚଳିତ ୨୦୧୦-୧୧ ଆର୍ଥିକ ବର୍ଷ ପାଇଁ ୭ ହଜାର ୬୫୫ କୋଟି ଟଙ୍କାର ଟିକସ ସଂଗ୍ରହ ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରେ ବିକ୍ରୀକର ବାବଦରେ ୬ ହଜାର ୬ କୋଟି ଟଙ୍କା, ପ୍ରବେଶକର ବାବରେ ନଅ ଶହ କୋଟି ଟଙ୍କା ଏବଂ ବୃତ୍ତିକର ବାବଦରେ ୧୫୦ କୋଟି ଟଙ୍କା ଅର୍ନ୍ତଭୁକ୍ତ ।

ଏହି ଲକ୍ଷ୍ୟଧାର୍ଯ୍ୟ ପରିମାଣର ୪୯.୬୯ ପ୍ରତିଶତ ଇତିମଧ୍ୟରେ ଆଦାୟ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର

ଓଡ଼ିଶା ଡ଼ଟ୍ କମ୍ ନୂଆ ରୂପ ଖୁବ୍ ଶୀଘ୍ର

November 14, 2010 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଆଗାମୀ କେତେ ମାସ ଭିତରେ ଗତ ଛଅ ବର୍ଷ ଧରି ଓଡ଼ିଆରେ ସମ୍ବାଦ ପରିବେଷଣ କରିଆସୁଥିବା ଆପଣଙ୍କ ପ୍ରିୟ ଓଡ଼ିଶା ଡ଼ଟ୍ କମ୍ ନୂଆ ରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ।

ସିଙ୍ଗାପୁରରେ କାର୍ଯ୍ୟରତ ତଥା ଓଡ଼ିଶା ଡ଼ଟ୍ କମ୍ ପରିବାରର ଜଣେ ଅଭିଜ୍ଞ ସଦସ୍ୟ ହିରଣ୍ମୟ ଦାଶଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍ ର ମୁଖ୍ୟ ପୃଷ୍ଠା ଓ ଅନ୍ୟ ପୃଷ୍ଠା ଗୁଡ଼ିକର ଡ଼ିଜାଇନ ଯାହା ଆପଣ ଦେଖିଆସିଛନ୍ତି ତାହା ପଛରେ ଦାଶ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି ।

ତାଙ୍କ କହିବା କଥା ହେଲା ସମୟ ସହିତ ତାଳ ଦେଇ ଓଡ଼ିଶା ଡ଼ଟ୍ କମ୍ ର ଆମୂଳଚୁଳ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ସମ୍ବାଦ ୱେବସାଇଟ୍ ରେ ଖବର ସହ ଅଡ଼ିଓ ଏବଂ ଭିଡ଼ିଓ ପରିବେଷଣ, ପାଠକ ପାଠିକାଙ୍କ ମତାମତର ସୁବିଧା, ବ୍ଲଗିଂ ଆଦିର ସୁଯୋଗ ସୃଷ୍ଟି ହେବା ଦରକାର ।

ତାଙ୍କ ଉଦ୍ୟମରେ ଖୁବ୍ଶୀଘ୍ର ଆପଣ ନୂଆ ରୂପରେ ଓଡ଼ିଶା ଡ଼ଟ୍ କମ୍କୁ ଦେଖିବାର ଏବଂ ପଢିବାର ସୁଯୋଗ ପାଇବେ ଏହି ଆଶା ଆମର ରହିଛି ।

ଏହି ସବୁ କାର୍ଯ୍ୟ ଚାଲୁରହିଥିବାରୁ ଓଡ଼ିଶା ଡ଼ଟ୍ କମ୍ ର ବହୁ ପୁରୁଣା ପୃଷ୍ଠା, ଫଟୋଚିତ୍ର ଓ ଲିଙ୍କଗୁଡ଼ିକୁ ସାମୟୀକ ଭାବରେ ଉପଲବଧ ହେବାରେ ଅସୁବିଧା ସୃଷ୍ଟି ହୋଇପାରେ । ସେଥିପାଇଁ ପାଠକପାଠିକା ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଡ଼ଟ୍ କମ୍ ର ନୂଆ ରୂପ, ମୁଖ୍ୟ ଖବର

୨୦୧୧ ଜୁନ୍ ରୁ ରାଜ୍ୟରେ ଏକକ ପରିଚୟ ପତ୍ର

September 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଡ଼ିସେମ୍ବର ମାସରୁ ରାଜ୍ୟବାସୀଙ୍କ ଏକକ ଫଟୋ ପରିଚୟ ପତ୍ର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରାଯାଇ ୨୦୧୧ ଜୁନ୍ ରୁ ତାହାର ଆବଣ୍ଟନ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହି ପରିଚୟ ପତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଫଟୋ ସହ ଟିପଚିହ୍ନ ଏବଂ ଆଖିଡ଼ୋଳାର ପ୍ରତିଛବି ମଧ୍ୟ ରହିବ ।

ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଆଧାରରେ ଓଡ଼ିଶାରେ ତାହାର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଷ୍ପତ୍ତି ଅନୁସାରେ ୨୦୧୦ ଡ଼ିସେମ୍ବରରୁ ୨୦୧୧ ଡ଼ିସେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ପ୍ରତ୍ୟେକ ନାଗରିକଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ବାୟୋ-ମେଟ୍ରିକ କାର୍ଡ଼ ପ୍ରଦାନ କରାଯିବ ।ଏହି ପରିଚୟ ପତ୍ର ପ୍ରସ୍ତୁତ ନିମନ୍ତେ ବର୍ତ୍ତମାନ ଚାଲୁଥିବାର ଜନଗଣନା ସର୍ଭେରୁ ବହୁ ତଥ୍ୟ ମିଳିପାରିବ ।

ତେବେ ଅଧିକ ତଥ୍ୟ ଆହରଣ ପାଇଁ ରାଜସ୍ୱ ବିଭାଗର ତଳସ୍ତରର କର୍ମଚାରୀଙ୍କ ସହାୟତା ନିଆଯିବ । ତେଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ୬୦୦ ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗଣନା କେନ୍ଦ୍ର ସ୍ଥାପନ କରାଯିବ । ଏହି ପରିଚୟ ପତ୍ର ଟେଲିଫୋନ ସଂଯୋଗ, ଗ୍ୟାସ ସଂଯୋଗ, ପାସପୋର୍ଟ, ଭିସା, ଡ଼୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଉପଯୋଗୀ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପରିଚୟ ପତ୍ର, ଭାରତ, ଭୁବନେଶ୍ୱର, ମୁଖ୍ୟ ଖବର

ଇଚ୍ଛାମୃତ୍ୟୁ ପାଇଁ ମହିଳାଙ୍କ ରାଷ୍ଟ୍ରପତିଙ୍କୁ ପତ୍ର

September 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ନରେଶ ପଟ୍ଟନାୟକ

କେନ୍ଦୁଝର, ସେପ୍ଟେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଦାରିଦ୍ର୍ୟର ତାଡ଼ନା ସହିନପାରି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ତିନୋଟି ମାନସିକ ରୋଗଗ୍ରସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେଇ ଚଳିବା ଭାରି କଷ୍ଟ ହୋଇପଡ଼ିଛି ଦୁଇ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିବା ଅର୍ଶଳା ଗ୍ରାମର ତନଭୀର କୌଶରଙ୍କ ପକ୍ଷରେ ।

ମୋ ପାଖରେ ଟଙ୍କାଟିଏ ବି ନାହିଁ ଓ ମୁଁ ଛୁଆ ମାନଙ୍କ କଷ୍ଟ ଦେଖିପାରିବି ନାହିଁ ତେଣୁ ମରି ଯିବାକୁ ଚାହୁଁଛି, ଆତ୍ମହତ୍ୟା କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ବୁଧବାର ସେ ଏହି ପତ୍ର ଡ଼ାକ ମାଧ୍ୟମରେ ପଠାଇଥିବା କହିଛନ୍ତି ।ସଂପୃକ୍ତ ମହିଳା ଜଣକ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ପୋଲିଓ ରୋଗରେ ଆକ୍ରାନ୍ତ । ଯେତେବେଳେ ସେ କାମ କରିବାକୁ ବାହାରକୁ ଯାଆନ୍ତି ପିଲା ମାନଙ୍କୁ ଉଡ଼ି ସାହାଯ୍ୟରେ ଖଟରେ ବାନ୍ଧି ଦିଅନ୍ତ ବୋଲି ସେ କହିଛନ୍ତି । ତନଭୀରଙ୍କ ନିଜ ଘର ନଥିବା ବେଳେ ସଂପର୍କୀୟଙ୍କ ଏକ ଅର୍ଦ୍ଧ ନିର୍ମିତ ଘରେ ପିଲା ମାନଙ୍କ ସହ ସେ ରହୁଛନ୍ତି ।

କାମ କରି ଯାହା ରୋଜଗାର କରନ୍ତି ସେସବୁ ପିଲା ମାନଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦିଅନ୍ତି, ସେ କହିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ସରକାରୀ ଭାବେ ତାଙ୍କୁ ବିପିଏଲ୍ କାର୍ଡ଼ ମିଳିଛି । ଏହି କାର୍ଡ଼ ଜରିଆରେ ତାଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବା କଥା କିନ୍ତୁ ଏଥିରୁ ସେ ବଞ୍ଚିତ ହୋଇଛନ୍ତି ।

ଏହାଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ସେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ବିଡ଼ିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଭାଗବତ ପ୍ରସାଦ ମାଝୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଚ୍ଛାମୃତ୍ୟୁ, ଦାରିଦ୍ର୍ୟ, ମୁଖ୍ୟ ଖବର, ରାଷ୍ଟ୍ରପତି, ସମାଜ, ସ୍ୱାସ୍ଥ୍ୟ

ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ସ୍ୱାଇନ ଫ୍ଲୁରେ ପୁଣି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ଦୁଇଟି ଘରୋଇ ଡ଼ାକ୍ତରଖାନାରେ ଆଜି ଏହି ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧ ଅଛନ୍ତି ।

ଶିଶୁ ଦୁଇ ଜଣ ଗତ ୩୦ ତାରିଖରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବୃଦ୍ଧ ଜଣକ ଗତ ୧୨ ତାରିଖରୁ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଚିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମୁଖ୍ୟ ଖବର, ସ୍ୱାଇନ ଫ୍ଲୁ, ସ୍ୱାସ୍ଥ୍ୟ

ଭାରତୀୟ ଅର୍ଥସେବା ପରୀକ୍ଷା ଷଷ୍ଟ ସ୍ଥାନରେ ପ୍ରଜ୍ଞାସ୍ମିତା

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଜ୍ଞାସ୍ମିତା ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କପଳେଶ୍ୱରପୁରର ନାରାୟଣ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ।

ସେ ପ୍ରଥମେ କେନ୍ଦ୍ରାପଡ଼ା ସହରରେ ଥିବା ଫ୍ରେଜର ବାଳିକା ବିଦ୍ୟାଳୟ ଓ ପରେ ସେଠାରେ ଥିବା କଲେଜରେ ପାଠ ପଢିଥିଲେ । ଉକ୍ତ କଲେଜରୁ ବିଏ ପାସ୍ କରିବା ପରେ ସେ ୨୦୦୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୦୯ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ପାଇଥିଲେ ।

“ମୁଁ ଜଣେ କିରାଣୀ ଭାବେ କାର୍ଯ୍ୟ କରେ କିନ୍ତୁ ପ୍ରଜ୍ଞାସ୍ମିତା ସମେତ ଚାରି ଜଣ ପିଲାଙ୍କ ପାଠ ପଢାରେ କେବେ ମଧ୍ୟ ଅବହେଳା କରିନାହିଁ” ।

ମାତ୍ର ୨୬ ବର୍ଷ ବୟସରେ ସେ ଏହି ସଫଳତା ପାଇଛି । ବୁଦ୍ଧି ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଇଂରାଜି ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଦେଇଛି, ଫ୍ରେଜର ସ୍କୁଲ ଶିକ୍ଷୟତ୍ରୀ ସବିତା ପତି କହିଛନ୍ତି ।

ସେ ତା’ର କଠିନ ପରିଶ୍ରମର ଫଳ ପାଇଛି । ଆଜିକାଲି ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଙ୍ଗ କ୍ଲାସର ସହାୟତା ନେଉଥିବା ବେଳେ ସେ କୌଣସି କୋଚିଙ୍ଗ କ୍ଲାସରେ ଯୋଗ ଦେଇନାହିଁ, ନାରାୟଣ କହିଛନ୍ତି ।

ସେ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ପରିଶ୍ରମ କରୁଥିଲା । ଗତକାଲି ରାତିରେ ଫୋନ କରି ଏବିଷୟରେ ମୋତେ ଜଣାଇଥିଲା, ପ୍ରଜ୍ଞାସ୍ମିତାଙ୍କ ମା ଶାନ୍ତିଲତା କହିଛନ୍ତି । ପ୍ରଜ୍ଞାସ୍ମିତାଙ୍କ ସଫଳତା ଖବର ପହଞ୍ଚିବା ପରେ ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

ତାଙ୍କ ସଫଳତାରେ ଶୁକ୍ରବାର ଗ୍ରାମବାସୀମାନେ ଖୁସି ମନାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ମୁଖ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି । ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଁ ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱରରେ ପିଏଚଡ଼ି କରୁଥିବା ପ୍ରଜ୍ଞାସ୍ମିତା କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ନାରୀ, ଭାରତୀୟ ଅର୍ଥ ସେବା ପରୀକ୍ଷା, ମୁଖ୍ୟ ଖବର, ଶିକ୍ଷା

ଖଣି ଦୁର୍ନୀତି ତଦନ୍ତ ପ୍ରହସନ: ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗଣମାଧ୍ୟମ

September 2, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଓଡିଶା ଖଣି ଦୁର୍ନୀତିର ପର୍ଦ୍ଧାଫାଶ ହୋଇ ଆଠ ଜଣ ସରକାରୀ କର୍ମଚାରୀ ଓ ଜନୈକ ଖଣି ବେପାରୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିବା ପରେ ବିଭିନ୍ନ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ଚମକପ୍ରଦ ସମ୍ବାଦମାନ ପ୍ରକାଶ ପାଇଲା ।

ଖଣି ଦୁର୍ନୀତି କାରବାରରେ ପଚାଶ ହଜାର କୋଟିରୁ ଉର୍ଦ୍ଧ୍ଵ ପରିମାଣର ଅର୍ଥ ହେରଫେର୍ ହୋଇଛି ବୋଲି କେତେକ ରାଜନୈତିକ ନେତା ଅଭିଯୋଗ କରୁଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଗଣ ମାଧ୍ୟମକୁ ଜଣାଇଥିଲେ ଯେ ସେମାନେ ଶହେ ଦଶ କୋଟି ଟଙ୍କାର ବେଆଇନ କାରବାର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ସାରିଲେଣି ।

ଏହି ଖଣି ଦୁର୍ନୀତି ପ୍ରସଙ୍ଗ ସର୍ବତ୍ର ଆଲୋଚିତ ହେଉଥିବା ସମୟରେ ନିଜର ପରିଚୟ ଗୋପନ ରଖି ଜନୈକା ପାଠିକା ଫୋନ୍ କରି ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ଭୂୟସୀ ପ୍ରଶଂସା କରିବାକୁ ଆରମ୍ଭ କଲେ ।

ତାଙ୍କର ପ୍ରଶଂସା ଶୁଣି ଏହି ସାମ୍ବାଦିକର ଛାତି କୁଣ୍ଢେମୋଟ ହୋଇଯିବା ସ୍ୱଭାବିକ୍ । ଜନୈକା ପାଠିକା ଗଣମାଧ୍ୟମର ଗୁରୁତ୍ୱ ଉପଲବ୍ଧି କରି ବଧେଇ ଜଣାଇବା ଲାଗି ଫୋନ୍ କରିଥିବାରୁ ଏହି ସାମ୍ବାଦିକ ତାଙ୍କୁ ଧନ୍ୟବାଦ ଜଣାଇବା ଲାଗି ଉଦ୍ୟତ ହେବା ସମୟରେ ପାଠିକା କହିଲେ, “ମୋର”ଯେତେଦୂର ମନେହୁଏ ସାମ୍ବାଦିକମାନେ ମଧ୍ୟ ଏଭଳି ଦୁର୍ନୀତି ବ୍ୟାପାରରୁ ଆଦୌ ମୁକ୍ତ ନୁହଁନ୍ତି ।”

ପାଠିକାଙ୍କର ଏଭଳି ଆକସ୍ମିକ କଠୋର ମନ୍ତବ୍ୟ ଶୁଣି ମୁଁ ପ୍ରଶ୍ନକଲି,”ସାମ୍ବାଦିକମାନେ ଯେ ଏହି ଖଣି ଦୁର୍ନୀତିରେ ଲିପ୍ତ ଆପଣ ଏଭଳି ଅଭିଯୋଗ କରୁଛନ୍ତି କିପରି?”

ସେ କହିଲେ, “ନାଁ ଆଜ୍ଞା, ମୁଁ କରୁନି, “ସମ୍ବାଦ” ଭଳି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଏଭଳି ଅଭିଯୋଗ କରିଛି । ଆପଣ ପଢ଼ିଥିବେ, ଚାରି ନମ୍ବର ୟୁନିଟ୍ ରେ ରହୁଥିବା ଜନୈକ ପ୍ରଭାବଶାଳୀ ସାମ୍ବାଦିକ, ଯାହାଙ୍କର ଶହୀଦନଗର ସହ ଘନିଷ୍ଠ ସମ୍ପର୍କ, ସେ ଖଣି ବେପାରୀ ଶକ୍ତିରଞ୍ଜନ ଦାସଙ୍କ ସହ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କର ପରିଚୟ କରାଇ ଥିଲେ ।

ଏହି ବ୍ୟକ୍ତିଙ୍କର କୃପା ଲାଭ କରି ଅଶୋକନଗର ସ୍ଥିତ ୧୩୭ଜି , ପ୍ରଥମ ମହଲାରେ ବାସ୍ତୁ ଓ ଫେଙ୍ଗସଦୁଇ ପରାମର୍ଶଦାତା ଭାବରେ ବ୍ୟବସାୟରତ ଶ୍ରୀ ଦାସ ଅଚାନକ ଭାବରେ କୋଟିପତି ହୋଇଯାଇଥିଲେ ବୋଲି ସମ୍ବାଦରେ ପ୍ରକାଶ ପାଇଥିଲା ।

ତାଙ୍କରି ପରାମର୍ଶକ୍ରମେ ଶହୀଦନଗରର ଏହି କ୍ଷମତାଶାଳୀ ବ୍ୟକ୍ତି ନିଜ କାର୍ର ରଙ୍ଗ ମଧ୍ୟ ବଦଳାଇ ଦେଇଥିଲେ ବୋଲି ସମ୍ବାଦରେ ଉଲ୍ଲେଖ କରାଯାଇଥିଲା ।

ପୁନଶ୍ଚ ଦୁର୍ନୀତି ଘଟୁଥିବା ସ୍ଥାନର ଠିକଣା ଶହୀଦନଗରରୁ ଖଣ୍ଡଗିରିସ୍ଥିତ ଏକ ମଠକୁ ସ୍ଥାନାନ୍ତରିତ ହୋଇଥିଲା । ଏବଂ ଏଥର ଚାରି ନମ୍ବର ୟୁନିଟ୍ ରେ ରହି ହଟଚମଟ ସୃଷ୍ଟି କରୁଥିବା ପ୍ରଭାବଶାଳୀ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା ।

ଏତିକି କହି ପାଠିକା ଟିକିଏ ରହିଲେ, ତା’ପରେ କହିଲେ, ଗଣମାଧ୍ୟମରେ ଯଦି ଦୁର୍ନୀତି ଅଭିଯୁକ୍ତ ସରକାରୀ କର୍ମଚାରୀ ଓ ଖଣି ବେପାରୀ ମାନଙ୍କ ନାମ ଉଲ୍ଲେଖ କରାଯାଇପାରିଲା, ତେବେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସାମ୍ବାଦିକ ମାନଙ୍କ ପରିଚୟ ପ୍ରକାଶ କରିବା ଲାଗି ଗଣମାଧ୍ୟମ କୁଣ୍ଠିତ ହେବା କେତେଦୂର ଯଥାର୍ଥ?

ଯଦି ସଂପୃକ୍ତ ସାମ୍ବାଦିକ ମାନଙ୍କ ପରିଚୟ ଉପରୋକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା । ତେବେ ସେମାନଙ୍କର କଳାକାରବାର ସମ୍ପର୍କରେ ଏତେ ତଥ୍ୟ ପ୍ରକାଶ କଲେ କିପରି ? କ’ଣ ଏହା ଥିଲା ମନଗଢ଼ା ?….ତଥ୍ୟ ଅଭାବରୁ ବା ସତ୍ସାହସ ଅଭାବରୁ ଗଣମାଧ୍ୟମ ଏଭଳି ରହସ୍ୟଜନକ ପଦକ୍ଷେପ ନେବାକୁ ଶ୍ରେୟସ୍କର ମନେକଲେ?

ନିଜକୁ ଓଡିଶାର ଏକ ନମ୍ବର ସମ୍ବାଦପତ୍ର ବୋଲି ଦାବି କରୁଥିବା ଖବରକାଗଜର ଅବସ୍ଥା ଯଦି ଏଭଳି ହୁଏ, ତେବେ ରାଜ୍ୟବାସୀ ଗଣମାଧ୍ୟମ ଠାରୁ କ’ଣ ବା ଆଶା କରିବେ?”

ଏହା କହିବାବେଳେ, ସଂପୃକ୍ତ ପାଠିକାଙ୍କ କଣ୍ଠସ୍ୱର ଭାବାବେଗରେ କନ୍ଦିତ ହୋଇ ଉଠୁଥିଲା ।

ମୁଁ କିଛି କହିବା ପୂର୍ବରୁ ସେ କହିଲେ, “ଶହୀଦନଗରର ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ଅଥବା ନାଲିବତୀ ଲାଗିଥିବା ଧଳା କାରରେ ଧଳା ଫୁଲ୍ ପ୍ୟାଣ୍ଟ ଓ ହାଫ୍ ସାର୍ଟ ପିନ୍ଧି ଯାଇଥିବା ଯେଉଁ ରାଜନେତା ସମ୍ପର୍କରେ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଛି ।

ସେମାନଙ୍କ ପରିଚୟ କ’ଣ ସଂପୃକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା ? ସଂପୃକ୍ତ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ
ସମ୍ପର୍କରେ ବିବରଣୀ ପ୍ରକାଶ କରୁଥିବା ଗଣମାଧ୍ୟମ ସେମାନଙ୍କ ପରିଚୟ ପ୍ରକାଶ କରିବା ଲାଗି କୁଣ୍ଠିତ ହେବା ଅତ୍ୟନ୍ତ ରହସ୍ୟମୟ ନୁହେଁ କି?

ଏହାପଛରେ ଲୁଚି ରହିଥିବା ତଥ୍ୟ ଓ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର ନୈତିକ ଦାୟିତ୍ୱ ନୁହେଁକି ? “ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଅଥବା ନିଜକୁ ନିର୍ଭୀକ, ନିରପେକ୍ଷ କିମ୍ବା ଲୋକାଭିମୁଖି ସମ୍ବାଦପତ୍ର ବୋଲି ଦାବି କରୁଥିବା କୌଣସି ଖବରକାଗଜ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ନିରବ କାହିଁକି?

କୌଣସି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ପାଇଁ ଅଥବା ନିଜର ନିରାପତ୍ତା ପାଇଁ ?”

ପାଠିକାଙ୍କ ଏତାଦୃଶ ତୀକ୍ଷ୍ମ ପ୍ରଶ୍ନ ଗୁଡିକର ଉତ୍ତର ଦେବା ପୂର୍ବରୁ ସେ କହିଲେ,””ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ପଦକ୍ଷେପ ନନେଇ, ରାଜ୍ୟ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବା ଆଦୌ ଯଥାର୍ଥ ନୁହେଁ । ସମସ୍ତ ଖଣିଜ ପଦାର୍ଥ କେନ୍ଦ୍ର ସରକାରଙ୍କ ସମ୍ପତି, ରାଜ୍ୟ ସରକାର ତା’ର ଜଗୁଆଳୀ ମାତ୍ର । ତେଣୁ ଏହି ଦୁର୍ନୀତିରେ କେନ୍ଦ୍ରୀୟ ନେତା ମାନଙ୍କର ସଂପୃକ୍ତି ରହିଛି କି?

ଆପଣତ ଜାଣିଥିବେ ବିଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ଯେତେଗୁଡିଏ ବଡ ଧରଣର ସ୍କାମ ବା ଅପରାଧ ହୋଇଛି ସେ ସବୁର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଏବଂ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି ।

ମାତ୍ର ତା’ର ଫଳାଫଳ କ’ଣ ହୋଇଛି ? କେତେଗୋଟି ଦୁର୍ନୀତି ବା ଅପରାଧ ଘଟଣାରେ କିଏ ଦଣ୍ଡ ପାଇଛି ? ଗ୍ରାମାଂଚଳ ଗୃହ ନିର୍ମାଣ କର୍ପୋରେସନ ଦୁର୍ନୀତି ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଋଣରେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇଥିବା ବ୍ୟକ୍ତିମାନେ ଏକ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ।

ସେମାନେ ଠୁଳ କରିଥିବା ଶହ ଶହ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ଗୋଟିଏ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ବ୍ୟାଜାପ୍ତି କରିପାରିବନି । ଖାଲି କୋଟିପତି କିରାଣି, ପୋଲିସ୍, ଯନ୍ତ୍ରୀ, ଓ.ଏ.ଏସ୍ ଅଧିକାରୀ ମାନଙ୍କୁ ଠାବ କରିବାର ଆଳ ଦେଖାଇ ଗଣମାଧ୍ୟମରେ ବାହାବାଃ ନେଉଛନ୍ତି ।

ତେଣୁ ଭିଜିଲାନ୍ସ ବିଭାଗ ଯେ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ଏବଂ ରାଜନୈତିକ ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ଏକଥା ଜନସାଧାରଣ ଆଉ ବିଶ୍ୱାସ କରୁନାହାଁନ୍ତି ।

ଏତିକି କହି ପାଠିକା ଟିକିଏ ଦମ୍ ନେଲେ, ଏହାର ସୁଯୋଗରେ ମୁଁ କହିଲି, ହଁ… ଆପଣ ଯାହା କହୁଛନ୍ତି ମୁଁ ସେଥିରେ ଅନେକାଂଶରେ ଏକମତ । ମାତ୍ର….” ମୋ ବକ୍ତବ୍ୟ ପୁରା ହେବା ପୂର୍ବରୁ ପାଠିକା ଟିକିଏ ବିରକ୍ତି ସୂଚକ ସ୍ୱରରେ କହିଲେ,”ଆପଣ ବା ମୁଁ ଏଥିରେ ସହମତ ହେଲେ କ’ଣ ସାଂପ୍ରତିକ ସ୍ଥିତିର ପରିବର୍ତ୍ତନ ଘଟିବ?

ଅନେକଙ୍କ ଭଳି ମୁଁ ମଧ୍ୟ ଚାହେଁ ଯେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେଉ । ସରକାରୀ ଅଫିସର, ଖଣି ବେପାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସାମ୍ବାଦିକମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।

ସେମାନଙ୍କର ଅସଲରୂପ ଲୋକ ଲୋଚନକୁ ଆସୁ । ଏବଂ ଯେଉଁମାନେ ଏହି ଜାତୀୟ ସମ୍ପତି ଲୁଣ୍ଠନ, ଅପରାଧ ବା ଷଡଯନ୍ତ୍ରରେ ସଂପୃକ୍ତ ସେମାନେ କଠୋର ଦଣ୍ଡ ପାଆନ୍ତୁ ।

ତା’ହେଲେ ହୁଏତ ଭବିଷ୍ୟତରେ ଆଉ କୌଣସି ସରକାରୀ ପାଧିକାରୀ, ଖଣି ମାଲିକ, ଖଣି ଚୋରା
ବେପାରୀ, ରାଜନେତା ବା ସାମ୍ବାଦିକ ଏଭଳି ଅପରାଧ କରିବା ଲାଗି ସାହସ କରିବେ ନାହିଁ ।

ମୁଁ କୌଣସି ଉତ୍ତର ଦେବା ପୂର୍ବରୁ ପାଠିକା ଫୋନ୍ କାଟିଦେଲେ । ସେ କାଳେ ଆଉ ଫୋନ୍ କରିବେ ବୋଲି କିଛି ସମୟ ଅପେକ୍ଷା କଲି କିନ୍ତୁ ସେ ଆଉ ଫୋନ୍ କଲେନି ।

ତାଙ୍କର ଉକ୍ତି ସମ୍ପର୍କରେ ମୋ ମତାମତ ଜଣାଇବା ଲାଗି ମୋ ତରଫରୁ ମୁଁ ଫୋନ୍ କଲିନି । କରିଥିଲେ କ’ଣ ବା କହିଥାଆନ୍ତି ? ସେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୁଁ ତ ସେମାନଙ୍କର ଅଭିଭାବକ ନୁହେଁ ଅଥବା ସିବିଆଇ ତଦନ୍ତ ଲାଗି ନିଦେ୍ର୍ଧଶ ଦେବାର କ୍ଷମତା ମୋର ନାହିଁ ।

ତେଣୁ କେବଳ ଏହି ସ୍ତମ୍ଭ ଜରୀଆରେ ତାଙ୍କ ଭାବାବେଗକୁ ଲିପିବଦ୍ଧ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉଦ୍ୟମ କଲି ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାବାଡ଼୍ କରିବା ପାଇଁ ସ୍ପେସାଲ କୋର୍ଟ ଆକ୍ଟ ପ୍ରଣୟନ କରିଥିଲେ । ଦୁର୍ନୀତି ମୂଳକ ଉପାୟରେ ଅର୍ଜିତ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବା ଲାଗି ଏହି ଆକ୍ଟରେ ବ୍ୟବସ୍ଥା ଥିଲା । ମାତ୍ର ପରବର୍ତ୍ତୀ କାଳରେ ଜାନକୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଏଭଳି ଏକ ଆଦର୍ଶ ଆଇନକୁ ରଦ୍ଧ କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖଣି ଦୁର୍ନୀତି, ଗଣମାଧ୍ୟମ, ତୃତୀୟ ନୟନ

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟାକୁଳତା କାହିଁକି?

August 9, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଅଳ୍ପଦିନ ତଳେ “ଧରିତ୍ରୀ” ସମ୍ବାପତ୍ରରେ ବରିଷ୍ଠ ସାମ୍ବାଦିକ ବନ୍ଧୁ ବରେନ୍ଦ୍ର କୃଷ୍ଣ ଧଳଙ୍କ ଲିଖିତ “ସବୁ ମେଣ୍ଢା ବିକ୍ରୀ ହୋଇଗଲେ” ଶୀର୍ଷକ ଲେଖା ପଢ଼ିବା ପରେ ଜନୈକ ପାଠକ ଫୋନ୍ କରି ଏହି ସାମ୍ବାଦିକଙ୍କୁ ପ୍ରଶ୍ନକଲେ, “ବେଦାନ୍ତ ବିଶ୍ୱବିଦ୍ୟାଳୟ” ସମ୍ପର୍କରେ ଆପଣଙ୍କ କଲମ ନୀରବ କାହିଁକି?

ବେଦାନ୍ତର ସଉଦା ମୁଣିରେ ଆପଣ ପଡିଗଲେ ନା କ’ଣ? ବହୁ ସାମ୍ବାଦିକ ଓ ସମ୍ପାଦକ ବେଦାନ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଓକିଲାତି କରୁଥିବା ଆମେ ପଢ଼ୁଛୁ । ହେଲେ ଆପଣଙ୍କ ଠାରୁ ଆମେ ସେଭଳି କିଛି ଆଶା କରୁନଥିଲୁ ।

ପାଠକ ବନ୍ଧୁଙ୍କୁ ମୋ ତରଫରୁ କୌଣସି ସଫେଇ ଦେବାର ଅବକାଶ ନଥିଲା । କେବଳ କହିଥିଲି “ଆପଣ ମୋ ଭଳି ସାମ୍ବାଦିକ ମାନଙ୍କ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଏତେ ଶୀଘ୍ର ପହଞ୍ଚିବା ବୋଧେ ଉଚିତ୍ ହେବନି” ।

ଏହି ଘଟଣା ପରେ ରାକ୍ଷୀ ପୂର୍ଣ୍ଣିମାଦିନ ସାମ୍ବାଦିକ ବନ୍ଧୁ ରବି ଦାସଙ୍କ ପତ୍ନୀଙ୍କ ଶ୍ରାଦ୍ଧଦିିବସରେ ଯୋଗଦେବା ଅବସରରେ, ସଂପ୍ରତି ସମୃଦ୍ଧ ଓଡିଶା ଦଳର ଅନ୍ୟତମ ତୁଙ୍ଗନେତା ତଥା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିବା ପଞ୍ଚାନନ କାନୁନ୍ଗୋ ଶ୍ରୀ ଧଳଙ୍କ ଲେଖା ଉପରେ ମନ୍ତବ୍ୟ ରେ କହିଥିଲେ ,ଏଭଳି ଲେଖାଯୋଗୁଁ ବିଧାନସଭାର ସ୍ୱାଧୀକାର ଭଙ୍ଗ ହୋଇଛି ।

ତେଣୁ ତାଙ୍କ ବିରୁଦ୍ଧରେ ଓ “ଧରିତ୍ରୀ” ର ସମ୍ପାଦକକଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିବା ନିଶ୍ଚିତ ଓ ସେମାନେ ଏଥିରୁ ତ୍ରାହି ପାଇବା ଅସମ୍ଭବ ।

ମୁଁ କହିଥିଲି, “ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଯେଉଁଭଳି ପରିସ୍ଥିତିରେ ବିଧାନସଭାରେ ଗୃହୀତ ହେଲା, ତାକୁ ନେଇ ସାଧାରଣରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଛି ସେହି ପ୍ରତିକ୍ରିୟାର ଯଥାର୍ଥତା ପ୍ରମାଣ କରିବା ପାଇଁ ବରେନ୍ଦ୍ର ବାବୁଏଭଳି ଏକ ଲେଖା ଲେଖିଥିବାର ସାହସ କରିଥିବାରୁ ଓଡିଶାବାସୀ ତାଙ୍କୁ ଧନ୍ୟବାଦ ଜଣାଇବାର ଆବଶ୍ୟକତା ରହିଛି” ।

କାନୁନ୍ଗୋ ଅଥବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଏ ସଂକ୍ରାନ୍ତୀୟ ଆଲୋଚନା ଆଉ ଆଗକୁ ବଢ଼ାଇ ନଥିଲେ ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଗୃହୀତ ହେବା ଏବଂ ତା’ ପୂର୍ବରୁ ଏହି ସଂସ୍ଥାର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଫାଉଣ୍ଡେସନ୍ କୁ ୬ ହଜାର ଏକର ବହୁମୂଲ୍ୟ ଜମି ଦେବା ଲାଗି ରାଜ୍ୟ ସରକାରଙ୍କର ବ୍ୟାକୁଳ, ଚଞ୍ଚଳ ପଦକ୍ଷେପ ଯେ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତରେ ତଥା ବିଶ୍ୱରେ ଏକ ବିବାଦମାନ ବିଷୟ ଏଥିରେ ସନ୍ଦେହ ନାହିଁ ।

ସପକ୍ଷରେ ଯୁକ୍ତି ବାଢ଼ି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦା ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦାାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ମାତ୍ର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ସଜ୍ଞା କ’ଣ ତାହା ଉଚ୍ଚଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ତୁଙ୍ଗ ଅମଲାତନ୍ତ୍ରର କର୍ଣ୍ଣଧାରମାନେ ଅଥବା ସ୍ୱୟଂ ମୁଖ୍ୟମନ୍ତ୍ରୀ ବ୍ୟାଖ୍ୟା କରିନାହାନ୍ତି ।

ଏହି ବିଶ୍ୱବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଜଣେ ଲାଭଖୋର ବ୍ୟବସାୟୀ । ଶିକ୍ଷାର ବିକାଶ ଲାଗି ସେ କେବେ ହେଲେ କୌଣସି ପକ୍ଷେପ ନେଇନାହାଁନ୍ତି ।

ଏପରିକି ଉଚ୍ଚମାନର ଶିକ୍ଷାଦାନ ଲାଗି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିନାହାଁନ୍ତି । ସେ ପ୍ରତିଷ୍ଠା କରୁଥିବା ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ କରିପାରିବ ଏହା ରାଜ୍ୟ ସରକାରଙ୍କର ହୃ୍ଦବୋଧ ହେଲା କିପରି?

ଯେଉଁ ବିଶ୍ୱବିଦ୍ୟାଳୟର ନାମଗନ୍ଧ ସୁଦ୍ଧା ନାହିଁ, ସେହି ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିବା ଏବଂ ତାକୁ ଜଗନ୍ନାଥ “ଅମୃତ ମଣୋହି” ଜମି ସମେତ ୬ ହଜାର ଏକର ପରିମିତ ଜମି ଦେବା ରାଜ୍ୟ ତଥା ଦେଶବାସୀଙ୍କ ଚରମ ବିଶ୍ୱାସଘାତକତା ଏବଂ ଅପରାଧାତ୍ମକ ଷଡଯନ୍ତ୍ରର ପରିଣାମ ବୋଲି କେତେକ ଅଭିଯୋଗ କରିବା ସ୍ୱଭାବିକ ।

ଏଭଳି ପରିସ୍ଥିତିରେ କେଉଁ କେଉଁ ନିର୍ଦ୍ଧିଷ୍ଟ କାରଣ ଓ ଅଭିଜ୍ଞତାକୁ ବିଚାରକୁ ନେଇ ରାଜ୍ୟ ସରକାର ବେଦାନ୍ତ ଏକ “ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ” ସ୍ଥାପନ କରିପାରିବ ବୋଲି ହୃଦୟଙ୍ଗମ କରିଛନ୍ତି ତାହା ରାଜ୍ୟବାସୀ ତଥା ଦେଶବାସୀଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଆଗେଇ ଆସିବା ଏକାନ୍ତ ଆବଶ୍ୟକ ।

ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର କେବେ ଚିନ୍ତା କଲେ? ଅନୀଲ ଅଗ୍ରୱାଲା ଏଭଳି ଏକ ପ୍ରସ୍ତାବ ଦେବା ପରେ ବା ପୂର୍ବରୁ ତାହା ମଧ୍ୟ ସରକାର ସ୍ପଷ୍ଟ କରିବା ଉଚିତ ।

ବାସ୍ତବରେ ରାଜ୍ୟର ଛାତ୍ର, ଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷାାଦାନର ସୁଯୋଗ ଦେବାଲାଗି ରାଜ୍ୟ ସରକାର ଯଦି ଆଗ୍ରହୀ ଥିଲେ ତେବେ ପ୍ରଥମେ ସେ ବିଶ୍ୱସ୍ତରୀୟ ସମ୍ବାଦପତ୍ର ମାନଙ୍କରେ ବିଜ୍ଞାପନ ଦେଇ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ଠାରୁ ଏକ୍ସପ୍ରେସନ ଅଫ୍ ଇନ୍ଟ୍ରେଷ୍ଟ ଆହ୍ୱାନ କରିଥାଆନ୍ତେ ।

କେଉଁ କେଉଁ ସର୍ତରେ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ସରକାର ଇଚ୍ଛୁକ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଆନ୍ତା ।

ତାହା ହୋଇଥିଲେ ଉନ୍ନତସ୍ତର ଶିକ୍ଷାଦାନ ଲାଗି ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଅକ୍ସଫୋର୍ଡ, ହାଭାର୍ଡ, କଲମ୍ବିଆ ଭଳି ବିଶ୍ୱବିଦାାଳୟମାନେ ହୁଏତ ଓଡିଶାରେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରି ପ୍ରସ୍ତାବ ଦେଇଥାଆନ୍ତେ ।

ସେଥିମଧ୍ୟରୁ ଯେଉଁ ପ୍ରସ୍ତାବଟି ସବୁଠାରୁ ଆକର୍ଷଣୀୟ ହୋଇଥାଆନ୍ତା ତା’କୁ ରାଜ୍ୟ ସରକାର ଗ୍ରହଣ କରି ଏଥିପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ ଏଭଳି ପଦକ୍ଷେପକୁ କେବଳ ରାଜ୍ୟବାସୀ ନୁହଁନ୍ତି, ଦେଶବାସୀ ମଧ୍ୟ ସ୍ୱାଗତ କରିଥାଆନ୍ତେ ।

ଅଧିକନ୍ତୁ ହାଭାର୍ଡ, ଅକ୍ସଫୋର୍ଡଠାରୁ ଆରମ୍ଭ କରି କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦୁଇ ହଜାର ଏକରରୁ ଅଧିକ ଜମି, ଆବଶ୍ୟକ ପଡ଼ିନଥିବା ସ୍ଥଳେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାର ସୁନାଖଣି ଓ ଭାତହାଣ୍ଡି ଭାବରେ ପରିଚିତ ୬ ହଜାର ଏକର ଜମି ବେଦାନ୍ତକୁ ଯୋଗାଇ ଦିଆଯିବାର ଆବଶ୍ୟକତା ବା ଯଥାର୍ଥତା ସମ୍ପର୍କରେ ବେଦାନ୍ତ ଓ ରାଜ୍ୟ ସରକାର ଅଦ୍ୟାବଧି କୌଣସି ଯଥାର୍ଥ ଉତ୍ତର ଦେଇ ପାରିନାହାଁନ୍ତି ।

ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଯେଉଁ ସ୍ଥାନରେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇବା ଲାଗି ଚକ୍ରାନ୍ତ ଚାଲିଛି ତାହା ଦେଶର ପ୍ରତିରକ୍ଷା ଦୃଷ୍ଟିରୁ କେତେ ନିରାପଦ ତାହା ମଧ୍ୟ ବିଚାର୍ଯ୍ୟ ।

କାରଣ ଏଭଳି ଏକ ସ୍ପର୍ଶକାତର ସ୍ଥାନରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଏଠାରେ ବିଦେଶୀ ଗୋଇନ୍ଦା କାର୍ଯ୍ୟକଳାପ ବଢ଼ିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ।

ଏହି କାରଣରୁ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା କୋଣାର୍କ ପୁରୀ ବେଳାଭୂମିରେ ପାଞ୍ଚ ଶହ ଏକର ପରିମିତି ଜମି ଉପରେ ଏକ ଅର୍ନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ସେତେବେଳେ ଗଙ୍ଗାଧର ମହାପାତ୍ର ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମହର୍ଷିଙ୍କ ପରମ ଭକ୍ତ ଭାବରେ ପରିଚିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଉଦ୍ୟମକ୍ରମେ ଏଭଳି ଏକ ବିଶ୍ୱବିଦାଳୟ ପ୍ରତିଷ୍ଠା ଲାଗି ଗଙ୍ଗାଧର ମହାପାତ୍ର ଉତ୍ସାହିତ ହୋଇଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଏବେ ମଧ୍ୟ ସଚିବାଳୟରେ ଗଚ୍ଛିତ ଥିବ ।

କେଉଁ କାରଣରୁ ନନ୍ଦିନୀ ଦେବୀଙ୍କ ଭଳି ଜଣେ ବିଚକ୍ଷଣା ଓ ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହା ସାମ୍ପ୍ରତିକ ସରକାର ଅନୁଧ୍ୟାନ କରିଛନ୍ତି କି ?

ଚର୍ଚ୍ଚ ଅଫ୍ ଇଂଲଣ୍ଡ ଅନୀଲ ଅଗ୍ରୱାଲଙ୍କ ଶିଳ୍ପ ସାମ୍ରାଜ୍ୟର ପ୍ରଭାବଶାଳୀ ଅଂଶୀଦାର ।

ଏହି ସଂସ୍ଥାର ପ୍ରଭାବରେ ହେଉ ଅଥବା ଏହାର ପ୍ରମୁଖ ବ୍ୟକ୍ତିମାନଙ୍କୁ ଖୁସି କରାଇବା ଲାଗି ହିନ୍ଦୁ ଧର୍ମର ସବୁଠାରୁ ଶକ୍ତ ଭିତ୍ତିଭୂମି ଥିବା ପୁରୀ କୋଣାର୍କ ବେଳାଭୂମିକୁ ଦଖଲ କରି ଚର୍ଚ୍ଚର ପ୍ରଭାବ ବିସ୍ତାର କରିବା ଲାଗି ଏହା ଏକ ପ୍ରଚ୍ଛନ୍ନ ଷଡଯନ୍ତ୍ର ବୋଲି ଯେଉଁ ଅଭିଯୋଗ ହେଉଛି, ଏହା ପଛରେ ଥିବା ସତ୍ୟତା ରାଜ୍ୟ ସରକାର ଅନୁଧ୍ୟାନ କରିଛନ୍ତି କି? ଯଦି କରିଛନ୍ତି ତେବେ ଏ ସମ୍ପର୍କୀୟ ତଥ୍ୟ ସର୍ବସାଧାରଣରେ ଉପସ୍ଥାପନ କରାଯିବା ଏକାନ୍ତ ଅପରିହାର୍ଯ୍ୟ ।

କେତେକ ବୈଜ୍ଞାନିକମାନଙ୍କର ସନ୍ଦେହ ଯେ, ଗୋପାଳପୁର ବେଳାଭୂମି ଭଳି ପୁରୀ-କୋଣାର୍କ ବେଳାଭୂମିରେ ପରମାଣୁ ଶକ୍ତି ସମ୍ପନ୍ନ ବିରଳ ମୂର୍ତିକା ଗଚ୍ଛିତ ଅଛି ।

ଏହି ଅଞ୍ଚଳକୁ ନିଜର ସାମ୍ରାଜ୍ୟର ଅର୍ନ୍ତଭୁକ୍ତ କରିବା ପରେ ବେଦାନ୍ତ କତୃପକ୍ଷ ଏହି ବିରଳ ମୂର୍ତିକାର ଅପବ୍ୟବହାର କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ କି? ଏ ସମ୍ପର୍କରେ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତି ଦେଇପାରିବେ କି?

ଏହି ତଥାକଥିତ ବିଶ୍ୱସ୍ତରୀୟ ବିଶ୍ୱବଦ୍ୟାଳୟରେ ଓଡିଶାର ଛାତ୍ରଛାତ୍ରୀ ଅଥବା ବାସଚ୍ୟୁତ ମାନଙ୍କ ସନ୍ତାନ ସନ୍ତତିଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନାହିଁ ।

ତେଣୁ ଓଡିଆ ମାଟିରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବାହାର ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ଓଡିଶାବାସୀ ଓ ରାଜ୍ୟ ସରକାର କିଭଳି ଉପକୃତ ହେବେ ତାହା ମଧ୍ୟ ବିଚାର୍ଯ୍ୟ ।

ଏ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଓଡିଶାରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନଥିବା ଯୋଗୁଁ ରାଜ୍ୟର ବା ରାଜ୍ୟବାସୀଙ୍କର କିଛି କ୍ଷତି ହୋଇଛି କି?

ତେଣୁ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଯଦି ରାଜ୍ୟ ବା ରାଜ୍ୟବାସୀଙ୍କର କିଛି ଲାଭ ନହୁଏ ତେବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୬ ହଜାର ଏକର ପରିମିତ ଜମି ଦେଇ ରାଜ୍ୟ, ଦେଶ ତଥା ଆମର ଧର୍ମ ଓ ସଂସ୍କୃତି ପ୍ରତି ବିପଦକୁ ନିମନ୍ତ୍ରଣ କରିବା କେତେ ଦୂର ଯଥାର୍ଥ ହେବ ତାହା ଓଡିଶାର ଜନସାଧାରଣ ବିଚାର କରି ଏହି ପ୍ରକଳ୍ପକୁ ସମର୍ଥନ ବା ବିରୋଧ କରିବେ ତାହା ସ୍ଥିର କରନ୍ତୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆସ୍କା, ତୃତୀୟ ନୟନ, ବେଦାନ୍ତ ବିଶ୍ୱବିଦ୍ୟାଳୟ

“ଚଟ୍ ପଟା ପନିର”

April 6, 2008 by News Bureau Leave a Comment

ପ୍ରସ୍ତୁତି :ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ପନିର-୨୫୦ ଗ୍ରାମ, ଗାଜର-୧୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ପିଆଜ-୨ଟା (ବଡ଼), ରସୁଣ କଟା(ଚୁନାଚୁନା) ୨ ଚାମଚ(ଛୋଟ), କଟା ଅଦା(ଚୁନାଚୁନା) ୨ ଚାମଚ(ଛୋଟ), ଭୃଷଙ୍ଗପତ୍ର- ଅଳ୍ପ କିଛି, ଶୁଖିଲା ଲଙ୍କା-୨/୩ଟା , ସୋୟା ସସ୍-୨ ଚାମଚ(ଛୋଟ), ଚିଲି ସସ୍-୨ ଚାମଚ(ଛୋଟ), ଟମାଟୋ ସସ୍- ୨ ଚାମଚ(ଛୋଟ), ରିଫାଇନ ତେଲ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପନିର, କ୍ୟାପ୍ସିକମ୍, ଗାଜର ଓ ପିଆଜକୁ ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । କଢାଇରେ ତେଲ ଦେଇ ପନିରକୁ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜି କାଢି ରଖନ୍ତୁ । କ୍ୟାପ୍ସିକମ୍ ଓ ଗାଜରକୁ ମଧ୍ୟ ଅଳ୍ପ ତେଲ ଦେଇ ଭାଜି କାଢି ରଖନ୍ତୁ । ChatPataPaneer

ବର୍ତ୍ତମାନ ଅବଶିଷ୍ଟ ତେଲ କଢାଇରେ ଦେଇ ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାନ୍ତୁ । ଲଙ୍କା ଲାଲ ହୋଇଗଲେ ଅଦା ଓ କଟା ରସୁଣ ପକାଇ ଅଳ୍ପ ସମୟ ଗୋଳାଇ କଟା ପିଆଜ ପକାନ୍ତୁ ।

ପିଆଜକୁ ବେଶି ଭାଜନ୍ତୁ ନାହିଁ । ପିଆଜ ଗୋଲାପି ରଙ୍ଗ ହୋଇ ଆସିଲେ ପୂର୍ବରୁ ଭାଜି ରଖିଥିବା କ୍ୟାପ୍ସିକମ୍, ଗାଜର ଓ ପନିରକୁ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସ୍ କୁ ଏକାଠି ଗୋଳାଇ ପନିର ଉପରେ ଢାଳି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ପନିରରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଚୂଲିରୁ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ନାନ୍ ସହିତ ପରିବେଷଣ କରନ୍ତୁ ଚଟ୍ ପଟା ପନିର।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର

ଦୋଛକିରେ ନବୀନ

March 12, 2007 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ରାଜ୍ୟବାସୀଙ୍କ ହୃଦୟ ଜିଣିବା ନିମନ୍ତେ ବିଗତ ବର୍ଷ ମାନଙ୍କରେ ଓଡ଼ିଶାର ପ୍ରବାଦ ପୁରୁଷ ତଥା ନିଜ ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ପ୍ରତି ଆନୁଗତ୍ୟ ପ୍ରକାଶ କରି ନିଜ ନିର୍ମଳ ଚେହେରା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୋଛକିରେ ଅଛନ୍ତି । ଅନାହାର ମୃତ୍ୟୁ, ମାଓବାଦୀ ଆତଙ୍କ, ଶିଶୁବିକ୍ରି, କଳିଙ୍ଗନଗର ରାସ୍ତା ଅବରୋଧ ସତ୍ୱେ ନବୀନ ସିଏନ୍ଏନ୍-ଆଇବିଏନ୍ ଚ୍ୟାନେଲର ଲୋକପ୍ରିୟତା ସର୍ଭେରେ “ପ୍ରକୃତ ଓଡ଼ିଶା” ସଂକ୍ରାନ୍ତରେ କ୍ୱଚିତ୍ ଜ୍ଞାନ ରଖିଥିବା ଲୋକଙ୍କ ଭୋଟରେ ନମ୍ବର ୱାନ୍ ହୋଇପାରିଥିଲେ । ଅବଶ୍ୟ ନିକଟରେ “ଇଣ୍ଡିଆ ଟୁଡ଼େ” ଦ୍ୱାରା ହୋଇଥିବା ସର୍ଭେରେ ନବୀନ ତାଲିକା ନିମ୍ନକୁ ଚାଲି ଆସିଛନ୍ତି । ତେବେ ଏଭଳି ସର୍ଭେ ସହ ଓଡ଼ିଶାର ସାଧାରଣ ଗରିବ ଲୋକଙ୍କର କିଛି ଯାଏ ଆସେ ନାହିଁ ।

ଦେଖିବାକୁ ଗଲେ ରାଜ୍ୟର ଶାସକ ଦଳ ନେତାଙ୍କ ହାଭଭାବ ରୋମ୍ ର ସମ୍ରାଟ ନିରୋଙ୍କ ଭଳି, ଯିଏ କି ରୋମ ଜଳୁଥିବା ବେଳେ ବଂଶୀ ବାଦନ କରୁଥିଲେ । ଏହା ନିଃସନ୍ଦେହ ଯେ, ବିଜୁ ପୁତ୍ର ଭାବେ ନବୀନଙ୍କ ପ୍ରଭାବ, ତାଙ୍କ ପ୍ରଣୀତ ଶିଳ୍ପନୀତି ଏବଂ ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ସେ ଦେଶ/ବିଦେଶର ଅନେକ ଶିଳ୍ପୋଦ୍ୟୋଗୀଙ୍କୁ ରାଜ୍ୟକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ କରିପାରିଛନ୍ତି । ଏହା ବିଜୁ ବାବୁଙ୍କ ଆଧୁନିକ ଓଡ଼ିଶା ଗଠନର ଅଧୁରା ସ୍ୱପ୍ନକୁ ସାକାର କରିବ ବୋଲି ତାଙ୍କର ଦାବି । କିନ୍ତୁ ଆମନ୍ତ୍ରିତ ହୋଇଥିବା ଅନେକ ଶିଳ୍ପପତିଙ୍କ ଉଦେ୍ଧଶ୍ୟ ସନ୍ଦେହଜନକ ।

ସେମାନେ ରାଜ୍ୟର ଉନ୍ନତି ପ୍ରଚେଷ୍ଟାର ଭାଗିଦାର ହେବା ପରିବର୍ତ୍ତେ ନିଜ ପାଇଁ ଖଣିଜ ଏବଂ ଜମିର ପେଣ୍ଠ ସୃଷ୍ଟି କରିବା ଲକ୍ଷ୍ୟରେ ଅଛନ୍ତି । କେବଳ ବେଦାନ୍ତ ଗ୍ରୁପ୍ର ଅନିଲ ଅଗ୍ରୱାଲ ଯେ ରାଜ୍ୟର ମୂଲ୍ୟବାନ୍ ଜମି ଏବଂ ଖଣିଜ ଉପରେ ଲୋଭିଲା ଆଖି ପକାଇଛନ୍ତି ତାହା ନୁହେଁ, ଯୋଗଗୁରୁ ଶ୍ରୀଶ୍ରୀ ରବିଶଙ୍କର, ଗୁରୁ ରାମବେ ମଧ୍ୟ ପୁରୀ-ଭୁବନେଶ୍ୱର ଉପକଣ୍ଠର ମୂଲ୍ୟବାନ ଜମିରେ ଆଶ୍ରମ ପ୍ରତିଷ୍ଠା ଲକ୍ଷ୍ୟରେ ଅଛନ୍ତି ।

ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅନିଲ ଅମ୍ବାନୀ ମଧ୍ୟ ଏହି ଦୌଡ଼ରୁ ବାଦ ପଡ଼ି ନାହାନ୍ତି । ସେ ଭୁବନେଶ୍ୱର ଉପକଣ୍ଠରେ ଶହେ ଏକର ଜମି ଉପରେ ଏକ “ହେଲ୍ଥ ସିଟି” ପ୍ରତିଷ୍ଠା ଯୋଜନାରେ ଅଛନ୍ତି । ଏଭଳି ଅନେକ ଶିଳ୍ପପତି ଏବଂ ଯୋଗଗୁରୁଙ୍କ ରାଜ୍ୟର ଜମି ଉପରେ ଲୋଭିଲା ଦୃଷ୍ଟି ରାଜ୍ୟବାସୀ, ବୁଦ୍ଧିଜୀବୀ ତଥା ବିଶେଷ କରି ପ୍ରବାସୀ ଓଡ଼ିଆ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

ନବୀନ ସରକାରଙ୍କ ଏଭଳି ଉଦାରନୀତି ଅନେକ ତଥାକଥିତ ଯୋଗଗୁରୁ-ଯୋଗିନୀ ମାନଙ୍କୁ “ପ୍ରବଚନ” ଉଦେ୍ଧଶ୍ୟରେ ଆମନ୍ତ୍ରିତ କରିଛି, ଯାହାର କି ଏକମାତ୍ର ଉଦେ୍ଧଶ୍ୟ ଭୁବନେଶ୍ୱର ଉପକଣ୍ଠରେ ଜମି ଅଧିକାର ।

ଦେଶ ବାହାରେ ରହୁଥିବା ଅନେକ ପ୍ରବାସୀ ଓଡ଼ିଆଙ୍କ ସହ ମୁଁ ନିକଟ ଅତୀତରେ ଆଲୋଚନା କରିବା ସମୟରେ ସେମାନେ ଓଡ଼ିଶା ସରକାର ଛଦ୍ମବେଶରେ ଆସୁଥିବା ଏହି ଜମିଲୋଭୀଙ୍କ ଜାଲରେ ପଡ଼ିବା ଅନୁଚିତ୍ ବୋଲି ମତ ଦେଇଛନ୍ତି । ସେମାନଙ୍କ ମତରେ ଯିଦି ଅନିଲ ଅଗ୍ରୱାଲ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ ତେବେ ସେ କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ)ରେ ଏହା କରିବା ଉଚିତ୍, ଯେଉଁଠାରେ କି ଅଳ୍ପ ସଂଖ୍ୟକ ଲୋକ ବିସ୍ଥାପିତ ହେବାର ଆଶଙ୍କା ଅଛି ।

ପ୍ରକୃତପକ୍ଷେ କେବିକେ ଏବଂ ତାହାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ସେହି ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅଛି । ଏପରି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜନବହୁଳ ପୁରୀ-କୋଣାର୍କ ମେରାଇନ ଡ଼୍ରାଇଭ୍ ଉପଯୁକ୍ତ ସ୍ଥାନ ନୁହେଁ । ରାଜ୍ୟର ସମୁନ୍ଦ୍ର ଉପକୂଳ ଅଥବା ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥାନ ପସନ୍ଦ ହେବ ତାହା ଦେଶବାହାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଛାଡ଼ିବା ଉଚିତ୍ ।

ସେହିଭଳି ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ଅପେକ୍ଷା ଫୁଲବାଣୀ ଏବଂ କଳାହାଣ୍ଡି ଅଞ୍ଚଳରେ ଯୋଗ ଆଶ୍ରମ ପାଇଁ ଜମି ଦେବା ସର୍ବଦୌ ଉଚିତ୍ ନିଷ୍ପତ୍ତି ହୋଇପାରନ୍ତା । କାରଣ ଯୋଗ ଶିକ୍ଷା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ଯଥେଷ୍ଟ ସମୟ ଦେଇ ସୁୂର ଫୁଲବାଣୀ ଅଥବା କଳାହାଣ୍ଡି ଯାଇ ସ୍ୱାସ୍ଥ୍ୟ ଉପଯୋଗୀ ପରିବେଶରେ ଯଥେଷ୍ଟ ସମୟ କାଟିପାରନ୍ତେ ।

ଜନଗହଳି ପୂର୍ଣ୍ଣ ଭୁବନେଶ୍ୱର, ପୁରୀ ଏବଂ କଟକ ଠାରୁ ବହୁ ଦୂରବର୍ତ୍ତୀ ଯେକୌଣସି ସ୍ଥାନରେ ଯୋଗ ଆଶ୍ରମ ପ୍ରତିଷ୍ଠା କରାଗଲେ ତାହା ଏକ ପର୍ଯ୍ୟଟନ କେନ୍ଦ୍ର ହୋଇପାରନ୍ତା ଏବଂ ରାଜ୍ୟରେ ଯୋଗ ପର୍ଯ୍ୟଟନକୁ ଉତ୍ସାହିତ କରାଯାଇପାରନ୍ତା ।

ଯେହେତୁ ଉଚ୍ଚାଭିଳାଷୀ ଏହି ଯୋଗଗୁରୁ ମାନେ ଯଥେଷ୍ଟ ଧନାଢ଼୍ୟ ବ୍ୟକ୍ତି ହୋଇଥିବାରୁ ଏବଂ ଏବେ ଯୋଗକୁ ବ୍ୟାବସାୟିକ ଉଦେ୍ଧଶ୍ୟରେ ବ୍ୟବହାର କରାଯାଉଥିବାରୁ ସରକାର ସେମାନଙ୍କୁ ନାମମାତ୍ର ମୂଲ୍ୟରେ ମୂଲ୍ୟବାନ ଜମି ହସ୍ତାନ୍ତର କରିବା ଅନୁଚିତ୍ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତୃତୀୟ ନୟନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Page 1
  • Interim pages omitted …
  • Page 266
  • Page 267
  • Page 268
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ