• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ବିଦ୍ୟାଳୟ ବାହାରେ କେତେ ପିଲା ?

May 12, 2018 by ଘାସିରାମ ପଣ୍ଡା Leave a Comment

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ଶିକ୍ଷାକୁ ମାଗଣା ଓ ବାଧ୍ୟତା ମୂଳକ କରାଯାଇଛି । ଏଥି ସହିତ ସମସ୍ତଙ୍କ ପାଇଁ ପ୍ରାକ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଏହି ଆଇନରେ ସରକାରଙ୍କୁ ଦାୟୀତ୍ୱ ଦିଆଯାଇଛି । ସମସ୍ତେ ବିଦ୍ୟାଳୟକୁ ଯାଇପାରିବେ, ଏଣୁ ଏକ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡିଶା ସରକାର ନୀୟମାବଳୀରେ ପ୍ରତିଶୃତି ଦେଇଛନ୍ତି ।

ଏଥିପାଇଁ ପ୍ରତି ବର୍ଷ ସର୍ବେକ୍ଷଣ କରାଯାଇ ଆବଶ୍ୟକତା ଥିବା ଅଂଚଳରେ ବିଦ୍ୟାଳୟ ସ୍ଥାପନ କରିବା ସରକାରଙ୍କ ଏକ ଆଇନଗତ କର୍ତ୍ତବ୍ୟ । ଯେଉଁମାନଙ୍କୁ ନିର୍ଦ୍ଧାରିତ ଦୂରତାରୁ ଅଧିକ ଯିବାକୁ ପଡୁଛି, ସେମାନଙ୍କ ପାଇଁ ସହାୟକ ଓ ଯାତାୟତ ଖର୍ଚ୍ଚ ପ୍ରଦାନ ଶିକ୍ଷା ଅଧିକାର ଆଇନର ଏକ ବୈଶିଷ୍ଠ୍ୟ । ଏତେ ବ୍ୟବସ୍ଥା ସତ୍ୱେ ଏହି ବୟସର ଅନେକ ପିଲା ରାସ୍ତା କଡ ଢାବା, ଚା ଦୋକାନ, ଘରୋଇ କାର୍ଯ୍ୟ ଓ ଆହୁରି ଅନେକ ବିପଦସଂକୁଳ ସ୍ଥଳିରେ ଦେଖିବାକୁ ମିଳୁଛନ୍ତି ।

କହିବାକୁ ଗଲେ ୬ ରୁ ୧୪ ବର୍ଷର ସମସ୍ତ ପିଲା ଏବେ ବି ବିଦ୍ୟାଳୟର ପରିଧି ଭିତରକୁ ଆସିପାରି ନାହାନ୍ତି । ବିଭିନ୍ନ ସମୟରେ ପିଲା ମାନେ କାହିଁକି ବିଦ୍ୟାଳୟ ବାହାରେ ରହୁଛନ୍ତି ତାର କାରଣ ଆଲୋଚିତ ହୋଇଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସତ୍ୱେ ବି ସଫଳତା ମିଳି ପାରୁ ନାହିଁ । ଏହାର ଏକ ବଡ କାରଣ ହେଲା କେଉଁ ସ୍ଥାନରେ କେତେ ସଂଖ୍ୟାରେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ତାକୁ ନେଇ ଏକ ସ୍ପଷ୍ଟ ଚିତ୍ର କାହା ପାଖରେ ନାହିଁ ।

ପ୍ରତ୍ୟେକ ପିଲାଙ୍କୁ ଠାବ କରି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚହ୍ନଟ ସଂଖ୍ୟା ପ୍ରଦାନ ପୂର୍ବକ ପ୍ରଗତିର ବିବରଣୀ ରଖିବାକୁ ସର୍ବ ଶିକ୍ଷା ଅଭିଯାନ ଇ-ଶିଶୁ କାର୍ଯକ୍ରମ କରିଛନ୍ତି । ଏହାର ସଫଳତା ପାଇଁ ଗଣ ଶିକ୍ଷା ବିଭାଗ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ପ୍ରଧାନ ମନ୍ତ୍ରୀ ପୁରଷ୍କାର ଲାଭ କରିଛି । ଏହା ସତ୍ୱେ ବିଦ୍ୟାଳୟ ବାହାରେ କେତେ ପିଲା, ଏହାର ଉତ୍ତର ବିଭାଗ ପାଖରେ ନାହିଁ !

ବିଦ୍ୟାଳୟ ବାହରେ ଥିବା ପିଲାଙ୍କ ସ୍ଥିତି କୁ ନେଇ ୨୦୧୫ ମସିହାରେ ଉଚ୍ଚ ନ୍ୟାୟାଳୟରେ ବିଭାଗ ସତ୍ୟ ପାଠ ଦାଖଲ କରି ୨୦୦୫ ପରଠାରୁ ଏନେଇ କୌଣସି ଅଗ୍ରଗତି ହୋଇନଥିବା ସ୍ୱିକାର କରିଥିଲେ । ଏବେବି ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ । କିଛିଦିନ ପୂର୍ବେ ଶିକ୍ଷକ ମାନଙ୍କ ସହାୟତାରେ ପିଲାଙ୍କ ସ୍ଥିତି ନେଇ ସମଗ୍ର ରାଜ୍ୟରେ ଘରକୁ ଘର ସର୍ବେକ୍ଷଣ କରାଯାଇଛି ।

ଏପରି ଏକ ବ୍ୟୟ ବହୁଳ ଓ ସମୟ ସାପେକ୍ଷ କାର୍ଯକ୍ରମ ସତ୍ୱେ ବିଭାଗ ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟାକୁ ନେଇ ନିଶ୍ଚିତ ନାହାନ୍ତି! ଏଣୁ ଏପର୍ଯ୍ୟନ୍ତ ଏହି ତଥ୍ୟକୁ ସର୍ବ ସାଧାରଣଙ୍କ ଗୋଚରକୁ ଅଣାଯାଇ ନାହିଁ (?) ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଠାବ କରିବା ଏକ ନିରନ୍ତର ପ୍ରକ୍ରୟା । ଏପରି ହେଲେ ହିଁ ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଫରେଇ ଅଣାଯାଇ ପାରିବ ଓ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବାରେ ସହାୟକ ହେବ ।

ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଗତ ୩୧ ମାର୍ଚ, ୨୦୧୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଲୋଚନାକୁ ଅଣାଯାଇ ପାରେ । ୬ ରୁ ୧୪ ବର୍ଷ ବୟସର ଅନେକ ପିଲା ଥାଇ ପାରନ୍ତି ଯେଉଁମାନେ କେବେବି ବିଦ୍ୟାଳୟରେ ନାମ ଲେଖାଇ ନଥିବେ । ଶିକ୍ଷା ଅଧିକାର ଆଇନ ଧାରା ୯ (ଛ) ଅନୁଯାୟୀ ସେପରି ପିଲାମାନଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା ସହ ଅବଶ୍ୟକୀୟ ସ୍ୱତନ୍ତ୍ର ତାଲିମ ଯୋଗାଇବା ସ୍ଥାନୀୟ ଅଧିକାରୀଙ୍କ ଦାୟୀତ୍ୱ ।

ଏଣୁ ଏପରି ପିଲାଙ୍କୁ ଚିହ୍ନଟ କରାଯିବାର ଅବଶ୍ୟକତା ଉପରେ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଆମ ରାଜ୍ୟ ନୀୟମାବଳୀର ଧାର ୫ ଅନୁଯାୟୀ ୬ ରୁ ୧୪ ବର୍ଷର ପିଲା ଯେଉଁମାନେ ନାମ ଲେଖାଇ ନାହାନ୍ତି ଓ ଯେଉଁମାନେ ନାମ ଲେଖାଇଛନ୍ତି ଅଥଚ ଅନୁପସ୍ଥିତ ରହୁଛନ୍ତି, ଉଭୟଙ୍କୁ ବିଦ୍ୟାଳୟ ବାହାରେ ଥିବା ପିଲା ଭାବରେ ଗଣାଯାଇଛି ।

ନାମ ଲେଖାଯାଇଥିବା ସତ୍ୱେ ବିଦ୍ୟାଳୟରେ ଅନୁପସ୍ଥିତ ହେଉଥିବା ପିଲାଙ୍କୁ ଚିହ୍ନଟ ଓ ପୁନଃ ଯୋଗଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ବିଭାଗ ଦ୍ୱାରା ଜାରୀ ଏହି ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯାଇଛି । ଯଦି ପିଲା ୭ ଦିନ ହେଲା ଅନୁପସ୍ଥିତ ହେଲାଣି ତାହେଲେ ପିଲା ତଥା ଅଭିବାବକଙ୍କୁ ବିଦ୍ୟାଳୟର ଶିକ୍ଷକ ଦେଖାକରି ଅସୁବିଧା ବୁଝିବେ ଓ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ ବୁଝାସୁଝା କରିବେ । ଯଦି ପିଲା ୧୦ ଦିନ ହେଲା ଅନୁପସ୍ଥିତ ରହିଲାଣି ଏହି ଦାୟୀତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେବେ ।

ଏହା ସତ୍ୱେବି ପିଲା ଅନୁପସ୍ଥିତ ରହିଲେ ୧୫ ଦିନ ପରେ ବିଦ୍ୟାଳୟ ପରିଚାଲନା କମିଟି ତଥା ପଂଚାୟତିରାଜ ଅନୁଷ୍ଠାନର ସଦସ୍ୟ / ସଦସ୍ୟା ମାନେ ଏଥିରେ ସହାୟତା କରିବେ । ଏହା ପରେବି ପରବର୍ତ୍ତି ତନି ଦିନ ପର୍ଯ୍ୟନ୍ତ ପିଲା ବିଦ୍ୟାଳୟକୁ ନଆସିଲେ ସିଆରସିସି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଯଥା ସାଧ୍ୟ ଉଦ୍ୟମ କରିବେ ।

ଯଦି ପିଲା ୩୦ ଦିନରୁ ଅଧିକ ଅନୁପସ୍ଥିତ ରୁହେ ତାହେଲେ ତାକୁ ବିଦ୍ୟାଳୟ ବାହାରେ (ଡ୍ରପ ଆଉଟ) ବୋଲି ଘୋଷଣା କରାଯିବ ଓ ୩୦ ଦିନ ପରେ ବିଦ୍ୟାଳୟକୁ ଫେରିଲେ ଆଉଥରେ ନାମ ଲେଖିବାକୁ ହେବ । ୨୦୧୪ ମସିହା ଠାରୁ ଜାରି ଏହି ବିଜ୍ଞପ୍ତି କିନ୍ତୁ ନଜର ଅଢୁଆଳରେ ରହିଯାଛି । ବିଜ୍ଞପ୍ତିରେ ଦାୟୀତ୍ୱ ନ୍ୟସ୍ତ କରାଯାଇ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ତଦାରଖ କାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହାର କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇ ନାହାନ୍ତି ।

ପ୍ରକୃତ ପକ୍ଷେ ଏହାକୁ କାର୍ଯକାରୀ କରିବାକୁ ଥିବା ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଅବା ସିଆରସିସି ମାନେ ଅନେକ ଜାଗାରେ ଏପରି ଏକ ବିଜ୍ଞପ୍ତି ଥିବା ନେଇ ଅଜ୍ଞ । ଆଉ ଯେଉଁମାନେ ଏ ବିଜ୍ଞପ୍ତି ସମ୍ପର୍କରେ ଜାଣିଛନ୍ତି, ଉପରିସ୍ଥ ଅଧିକାରୀ ଏ ବିଷୟରେ କେବେବି ତଦାରଖ କରୁନଥିବାରୁ ଅଯଥା ଦାୟୀତ୍ୱ ଭାବି ଆଡେଇ ଯାଉଛନ୍ତି ।

ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ମାନଙ୍କରୁ ଦାଦନ ଯାଉଥିବା ପିଲାମାନେ ତିନିମାସ ପରେ ଫେରିଲେ ବି ବିଦ୍ୟାଳୟ ବାହାରେ ବୋଲି ଘୋଷିତ ହେଉ ନାହନ୍ତି କି ଆଉଥରେ ସେମାନଙ୍କ ନାମ ଲେଖା ଯାଉ ନାହିଁ । ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ ପିଲା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହୁଥିଲେବି ୭, ୧୦ ବା ୧୫ ଦିନରେ ନିଆଯିବାକୁ ଥିବା ବା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ବିଦ୍ୟାଳୟ ମାନଙ୍କରେ ଉପଲବ୍ଧ ନହେବା ଏହାର ଗୋଟିଏ ଗୋଟିଏ ଉଦାହରଣ ।

୭ ଦିନରୁ ୩୦ ଦିନ ପାର୍ଯନ୍ତ ପର୍ଯାୟ କ୍ରମେ ଦିଆଯାଇ ଥିବା ଦାୟୀତ୍ୱ ତୁଳାଯାଇ ପାରିଲେ ବିଭିନ୍ନ ସ୍ଥିତିରେ ବିଦ୍ୟାଳୟ ବାହାରେ କେଉଁ ଠାରେ କେତେ ପିଲା ଅଛନ୍ତି ତାର ନିରନ୍ତର ଆକଳନ କରାଯାଇ ପାରିବ । ଏହା ବିଦ୍ୟାଳୟ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟାଇବାରେ ସହାୟକ ହୋଇ ପାରିବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ଭେଦଭାବ ମୁକ୍ତ ବିଦ୍ୟାଳୟ

May 12, 2018 by ଘାସିରାମ ପଣ୍ଡା Leave a Comment


ସାମାଜିକ ଅସମାନତାର ପରିବେଶରେ ଆମେ ବହୁତ ସମୟରେ ଜାତି, ଲିଙ୍ଗ, ଧର୍ମ, ଶାରୀରିକ ଗଠନ ଇତ୍ୟାଦି ଆଧାରରେ ଘଟୁଥିବା ଭେଦଭାବର ସମ୍ମୁଖିନ ହେଉ । ଭେଦଭାବ ଦ୍ୱାରା ଜଣେ ଆଉ ଜଣକୁ ନୀଚ ବୋଲି ଦେଖାଏ । ଧର୍ମ ଓ ସାମାଜିକ ପ୍ରଥା, ପାରମ୍ପରା, ଚଳଣିରେ ଥିବା ରିତି ନୀତି ଯୋଗୁଁ ନୀଚ ବୋଲି ଗଣାଯାଉଥିବା ସେହି ବର୍ଗର ଲୋକେ ଅନେକ ସାର୍ବଜନୀନ ସୁବିଧା ସୁଯୋଗରୁ ବଞ୍ôଚତ ହୁଅନ୍ତି ।

ଅନେକ ସମୟରେ ସେମାନେ ଅସମ୍ମାନ ଜନକ ସ୍ଥିତିର ସାମନା କରନ୍ତି, ଯାହା କର୍ମ ଫଳ ମନେକରି ଦେହ ସୁହା କରି ନିଅନ୍ତି । ଶିକ୍ଷା ଓ ସଚେତନତା ମାଧ୍ୟମରେ ଭେଦଭାବ ଓ ତଦଜନିତ ଅସମାନତାକୁ ଦୂର କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ହେଲେ ଶିକ୍ଷାର ମୂଳ କେନ୍ଦ୍ର ଶିକ୍ଷାୟତନ ମାନେ ମଧ୍ୟ ଭେଦଭାବରୁ ଉଦ୍ଧ୍ୱର୍କୁ ଯାଇ ପାରିନାହାନ୍ତି । ଫଳରେ ଆଜି ଅନେକ ପିଲା ଶିକ୍ଷାରୁ ବାଦ ପଡୁଛନ୍ତି ।

ସରକାରଙ୍କ ସୁଚନା ଅନୁସାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ସଂଖ୍ୟା ଆଶାତିତ ଭାବରେ କମାଯାଇପାରିଛି । ଏହା ସାଧାରଣରେ ୨୦୧୨ – ୧୩ ବେଳକୁ ୧୮.୭୨ଶତକଡା ଥିଲା ଯାହା ୨୦୧୫ – ୧୬ ବେଳକୁ ୬.୦୨କୁ ଖସି ଆସିଛି । ହେଲେ ତଫସିଲ ଭୂକ୍ତ ଜାତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୫ ଶତକଡାକୁ କମିଛି ।

ଶିକ୍ଷା ଅଧିକାର ଆଇନର ଧାରା ୮ (ଗ) ଓ ୯ (ଗ) ଅନୁଯାୟୀ ଏହା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ଉତ୍ତରଦାୟୀତ୍ୱ ଯେପରି ଦୁର୍ବଳ ଓ ପଛୁଆ ବର୍ଗର ପିଲାମାନେ ଭେଦଭାବର ଶିକାର ନହୁଅନ୍ତି ଏବଂ ଏହା ସେମାନଙ୍କର ପଢା ଛାଡିବାର କାରଣ ନହୁଏ । ପରବର୍ତ୍ତି ସମୟରେ ଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ ପତ୍ର ସଂଖ୍ୟା ୧୦୪୦୦/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ ଓ ପତ୍ର ସଂଖ୍ୟା ୧୦୪୦୧/ ଙଚଋଚଇ/ ଗ(ଉଘଚଟଝ) – ୨୯୦, ତା ୨୭. ୧୧. ୨୦୧୪ରେ ଦୁଇଟି ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ପ୍ରଥମଟିରେ ଉଲ୍ଲେଖ କରାଯାଇଛି ଯେ, ଜାତି, ଧର୍ମ, ମତବାଦ ଆଧାରରେ ବିଦ୍ୟାଳୟରେ ଭେଦଭାବ ହେଉଥିବା ଦୃଷ୍ଟିକୁ ଆସୁଛି । ଏହା ପିଲାମାନଙ୍କ ନିରନ୍ତର ଶିକ୍ଷାରେ ବାଧକ ସାଜୁଛି । ଶିଶୁର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ବିଦ୍ୟାଳୟଗୁଡିକୁ ଭେଦଭାବ ମୁକ୍ତ ପରିବେଶ କରିବା ପାଇଁ ପଦେକ୍ଷପ ନିଆଯିବାର ଆବଶ୍ୟକତା ରହିଛି । ଏଣୁ ବିଦ୍ୟାଳୟର ପ୍ରମୁଖ ସ୍ଥାନରେ ‘ଭେଦବାବ ଶୂନ୍ୟ ଅଂଚଳ’ ଲେଖାଯିବ ।

ଦ୍ୱିତୀୟଟିରେ ଉଲ୍ଲେଖ କରାଯାଇଛି ଯେ, ଆମ ରାଜ୍ୟରେ ବିଭିନ୍ନ ଜାତି ନାଁରେ ଅନେକ ବିଦ୍ୟାଳୟ ନାମିତ ହୋଇଛି । ଏହା ସାମ୍ବୀଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରିବା ସହ ସମ୍ପ୍ରଦାୟ ଭିତରେ ଅସନ୍ତୁଳନ ସୃଷ୍ଟି କରୁଛି । ଏଣୁ ଏହି ଭଳି ଜାତି ନାଁରେ ନାମିତ ବିଦ୍ୟାଳୟ ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ନାମର ପରର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅଧିକାର ଆଇନକୁ ବ୍ୟବହାର କରି ପଚାରାଯାଇ ଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟର କୌଣସି ବି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଭେଦଭାବର ଘଟଣା ଚିହ୍ନଟ ବା ଅଭିଯୋଗ ହେବାର ନଜିର ନାହିଁ ବୋଲି ‘ଓପେପା’ ଉଲ୍ଲେଖ କରିଛନ୍ତି । ରାଜ୍ୟର ପ୍ରାଥମିକ ଶିକ୍ଷା ପରିଚାଳନା କରୁଥିବା ପ୍ରମୁଖ ଅନୁଷ୍ଠାନର ଏପରି ଦାବୀ ସେମାନଙ୍କର ଅଜ୍ଞତାର ପରିଚାୟକ ।

ପ୍ରକୃତ ପକ୍ଷେ ଭେଦଭାବକୁ ବୁଝିବା, ଏପରି ସମ୍ବେଦନଶୀଳ ଘଟଣାକୁ ଚିହ୍ନଟ କରି ପରାମର୍ଶ ମାଧ୍ୟମରେ ସମାଧାନ କରିବା ଭଳି ବ୍ୟବସ୍ଥା ଏପର୍ଯ୍ୟନ୍ତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭିତରକୁ ଆସିପାରି ନାହିଁ । ନିର୍ଦ୍ଦିଷ୍ଟ ଜାତିର ପିଲାଙ୍କୁ ସଫା କରିବା କାମରେ ଲଗେଇବା, ମଧ୍ୟାହ୍ନ ଭୋଜନରେ ଅଲଗା ବସେଇବା, ପୂଜା ପାର୍ବଣରେ ସାମିଲ ନକରେଇବା ଭଳି ଅନେକ ସଙ୍ଗିନ ଅଭିଯୋଗ ବିଭିନ୍ନ ସମୟରେ ଆସିଛି ।

ଅନେକ ବିଦ୍ୟାଳୟରେ ଏକଥା ଆଲୋଚନା କଲେ ‘ଆମର ଏଠି ତ ଏମିତି ହୁଏ ନାହିଁ’ ର ଉତ୍ତର ମିଳେ । ତଳେଇ କରି ଦେଖିଲେ ସେଠାରେ ବି ଦଳିତ ପିଲାଙ୍କର ଉତ୍ତର ଖାତା ଶିକ୍ଷକ ଛୁଉଁ ନଥିବା, ନିର୍ଦ୍ଦିଷ୍ଟ ପିଲାଙ୍କ ହାତରୁ କେବେ ପାଣି ପିଉ ନଥିବା, ପିଲା ଅନୁପସ୍ଥିତ ରହିଲେ ଅବିଭାବକଙ୍କୁ ଦେଖାକରିବା ପାଇଁ ଦଳିତ ବସ୍ତିକୁ ନଯିବା ଭଳି ଅନେକ ଉଦାହରଣ ଆସେ । ମାସିକ ଋତୁଶ୍ରାବ ସମୟରେ ବାଛବିଚାର ହେତୁ ଅଧିକାଂଶ ଝିଅ ଏହି ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମାନସିକ ଅନଗ୍ରସର ପ୍ରଭୃତି ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଶ୍ରେଣୀ ଗୃହ, ପାଇଖାନା, ଖେଳପଡିଆ, ପାଠ୍ୟ ଉପକରଣ, ଶିକ୍ଷଣ ପ୍ରଣାଳୀ ଇତ୍ୟାଦି ଅନୁପୁରକ ହୋଇପାରି ନାହିଁ ।

ଏଣୁ ଏମାନେ ମଧ୍ୟ ଭେଦଭାବର ଶିକାର ହୁଅନ୍ତି । ଜାତି ନାଁରେ ନାମିତ ବିଦ୍ୟାଳୟ ଉଭୟ ପିଲା ଓ ଶିକ୍ଷକଙ୍କ ପାଇଁ ଅଶ୍ୱସ୍ଥିକର ହୋଇଥାଏ । ଏପରି ବିଦ୍ୟାଳୟରେ ପିଲା ନାଁ ଲେଖାଇବାକୁ କୁଣ୍ଠିତ ହୁଅନ୍ତି । ଏଣୁ ପାଖ ବିଦ୍ୟାଳୟ ଛାଡି ସେମାନେ ଦୂର ଜାଗାରେ ନାଁ ଲେଖାନ୍ତି ଓ ପରେ ଏହା ବିଦ୍ୟାଳୟରେ ଅନୁପସ୍ଥିତିର କାରଣ ହୁଏ । ରାଜ୍ୟରେ ଜାତି ନାଁରେ କେତେ ବିଦ୍ୟାଳୟ ଅଛି ଓ ଏପର୍ଯ୍ୟନ୍ତ କେତେ ବିଦ୍ୟାଲୟର ନାଁ ନିର୍ଦ୍ଦେଶ ମୂତାବକ ପରିବତ୍ତିତ ହୋଇସାରିଛି – ଏମିତି ଏକ ପ୍ରଶ୍ନର ଉତ୍ତର ଶିକ୍ଷା ବିଭାଗ ପାଖରେ ନାହିଁ ।

ଭେଦଭାବ କେବଳ ଏକ ଭିତ୍ତିଭୂମୀ ଜନିତ ଅସୁବିଧା ନୁହେଁ । ଏହା ଅଧିକାଂଶରେ ମାନସିକ ଯାହା ଭ୍ରମଧାରଣା ଓ ସଠିକ ସୂଚନାର ଅଭାବରୁ ଉତ୍ପନ୍ନ ହୋଇଥାଏ । ମାନସିକତର ପରିବର୍ତ୍ତନ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ କୌଣସି ପ୍ରକାରର ତାଲିମ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ବିଭାଗ ଅଜ୍ଞ । ଏକ ତଥ୍ୟ ରହିତ ବିଭାଗ ଭେଦଭାବ ଭଳି ବ୍ୟାପ୍ତ ଓ ଗମ୍ଭୀର ସମସ୍ୟାର ସମାଧାନ କରିବା ଦୁରୁହ ବ୍ୟାପାର ।

ଏଣୁ ପ୍ରଥମେ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ଏପରି ଅଭିଯୋଗ ହେଲେ ଅପମାନିତ ହେବାର ଭୟରେ ଯଦି ଘଟଣା ଗୁଡିକୁ ଦବେଇ ଦିଆଯାଏ ତାହେଲେ ଶିକ୍ଷାର ଅସଲ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେବ । ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ଭେଦଭାବ ସମ୍ପର୍କରେ ଆଲୋଚନା କରିବା, ଏ ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଅନୁକୁଳ ବାତାବରଣ ତିଆରି କରାଯିବାର ଆବଶ୍ୟକତା ରହିଛି ।

ଏକ ଭେଦଭାବ ମୁକ୍ତ ବିଦ୍ୟାଳୟର ବାସ୍ତବ ରୂପାୟନ ବାହାରେ ରହିଯାଇଥିବା ପିଲାମାନଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିପାରିବା ସହ ସାମାଜିକ ସମନାତାର ସ୍ରୋତ ବୁହାଇବାରେ ମଧ୍ୟ ସହାୟକ ହେବ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ବିଦ୍ୟାଳୟ, ଶିକ୍ଷା

ବାଲ୍ୟ ବିବାହକୁ ନାଁ

May 12, 2018 by ଘାସିରାମ ପଣ୍ଡା Leave a Comment

କୋରାପୁଟ ଜିଲ୍ଲା ଗମକାପଦର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଦୈମତି ସାନ୍ତା ନିଜ ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ନାଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାଙ୍କ ଭଳି ଅନେକ ଝିଅ ଏଇ ବୟସରେ ବାହା ହୋଇଯିବା ବା ଉଧୁଲିଆ ପଳେଇବା ସେହି ଗାଁ ଓ ଆଖ ପାଖ ଅଞ୍ଚଳରେ ଏକ ସାଧାରଣ କଥା । ଦୈମତି ପାଇଁ ବି ନାଁ କହିବା ଏତେ ସହଜ ନଥିଲା ।

ଛୋଟ ଆଖିରେ ନିଜର ଭବିଷ୍ୟତ ପାଇଁ ଦେଖୁଥିବା ବଡ ସ୍ୱପ୍ନର ସାହାସରେ ସେ ବାପା ମାଁଙ୍କୁ ବୁଝେଇବାରେ ସକ୍ଷମ ହୋଇଥିଲେ । ଏହା ସତେଯେମିତି ଦୈମତିଙ୍କୁ ଦେଇଥିଲା ମୁକ୍ତିର ଆନନ୍ଦ । ଦୈମତିଙ୍କ ଏହି ପଦକ୍ଷେପ ଅଞ୍ଚଳର ଯୁବକ ଯୁବତୀଙ୍କ ଭିତରେ ନୂତନ ଆଶାର ସଂଚାର କଲା । ଦୈମତି ଭଳି କୁନି, ବାସନ୍ତି, ଟିକମ, ମାଳତି, ଛବି, ମୁକ୍ତା, ଆନନ୍ଦ ଭଳି ପ୍ରାୟ ପନ୍ଦର ଜଣ ବାଲ୍ୟ ବିବାହକୁ ନାଁ କହିଲେ ।

ଏମାନଙ୍କର ସଙ୍କଳ୍ପ, ସମସ୍ତେ ପାଠ ପଢିବେ, ନିଜ ଜାତି ଓ ଅଞ୍ଚଳ ପାଇଁ କିଛି କରି ଦେଖାଇବେ । ଏବେ ସାମୁହିକ ଭାବେ ଏମାନେ ଗଢିଛନ୍ତିି ବାଲ୍ୟ ବିବାହକୁ ନାଁ କହିଥିବା ଯୁବକ ଯୁବତୀଙ୍କ ସଂଘ । ବାଲ୍ୟ ବିବାହର ପ୍ରଭାବ ଉପରେ ନିଜ ଆଖ ପାଖ ଗାଁରେ ସଚେତନତା ସୃଷ୍ଟି କରିବା, ଯେଉଁମାନଙ୍କର କମ ବୟସରେ ବାହା ପ୍ରସ୍ତାବ ଆସୁଛି ସେମାନଙ୍କ ବାପା, ମାଁକୁ ବୁଝେଇବା ଭଳି ଗୁରୁଦାୟୀତ୍ୱକୁ ଏମାନେ ବହନ କରିଛନ୍ତି ।

ଏମାନଙ୍କର ଏହି ଉଦ୍ୟମକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପୁରଷ୍କୃତ କରି ସ୍ୱିକୃତୀ ପ୍ରଦାନ କରିଛନ୍ତି । ସଫଳତାର ଏହି କାହାଣି ଏବେ ରାଜ୍ୟରେ ଚର୍ଚାର ବିଷୟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଆଦିବାସୀ ପରମ୍ପରାରେ ବାଲ୍ୟ ବିବାହର ଚଳଣି ଅଧିକ । ଆଦିବାସୀ ନେତୃତ୍ୱ ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କଲେଣି ।

ନିକଟରେ କୋରାପୁଟ ଜିଲ୍ଲାର କନ୍ଧ, ପରଜା, କେନ୍ଦୁଝରର ଜୁଆଙ୍ଗ, ସୁନ୍ଦରଗଡର ପାଉଡି ଭୂୟାଁ, ବରଗଡର ଗଣ୍ଡ ଭଳି ଆଦିବାସୀ ସମ୍ପ୍ରଦାୟ ନିଜର ଜାତି ସଭାରେ ବାଲ୍ୟ ବିବାହ ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି । ଏଥିରେ ବାଲ୍ୟ ବିବାହକୁ ନାପସନ୍ଦ କରାଯିବା ସହ ନିଜ ସମ୍ପ୍ରଦାୟରେ ବାଲ୍ୟ ବିବାହକୁ ବାରଣ କରାଯାଇ ପ୍ରାଚିର ପତ୍ର ବଣ୍ଟା ଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଯେହେତୁ ପାରମ୍ପାରିକ ନେତୃତ୍ୱ ପ୍ରତି ଆଦର ଥାଏ, ଏହି ନିଷ୍ପତ୍ତି ବାଲ୍ୟ ବିବାହ ନିଷେଧ କ୍ଷେତ୍ରରେ ମହୋଷଧି ସାବ୍ୟସ୍ତ ହୋଇଛି ।

ଆଦିବାସୀ ଏକତା ସଂଗଠନର ନେତୃତ୍ୱରେ କୋରାପୁଟ ଜିଲ୍ଲାର ବଡ ଗାଦା ବାଲାସା, ବାଦାମ ଗୁଡା ଓ ଗମକା ପଦର ଭଳି ଗାଁରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇ ବାଲ୍ୟ ବିବାହ ବିହୀନ ଗାଁ ଭାବରେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମବାସୀ ମାନେ ଅଠର ବର୍ଷରୁ କମ ବୟସର ଝିଅକୁ ବାହା ଦେବେ ନାହିଁ ବା ବୋହୁ କରି ଆଣିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଅନେକ ବିଦ୍ୟାଳୟରେ କିଶୋରୀ ବାଳିକାମାନେ ବାଲ୍ୟ ବିବାହ ନକରିବାକୁ ସାମୁହିକ ପ୍ରତିଜ୍ଞା ନେଉଥିବାର ଖବର ମଧ୍ୟ ଲୋକଲୋଚନକୁ ଆସିଛି । ଏହି ସବୁ ଉଦ୍ୟମ ସାମାଜିକ ରୀତିନୀତିକୁ ପୁନଃସମୀକ୍ଷା କରିବାର ସୁଯୋଗ ସୃଷ୍ଟି କରିଛି । ବାଲ୍ୟ ବିବାହ ନିଷେଧର ଏହି ଆନ୍ଦୋଲନ ବିଶେଷକରି ଯୁବତୀଙ୍କ ଭବିଷ୍ୟତ ପାଇଁ ଅନେକ ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।

ସଂଶୋଧିତ କିଶୋର ନ୍ୟାୟ ଆଇନରେ ବାଲ୍ୟ ବିବାହ ପ୍ରଭାବିତ ଯୁବକ ଯୁବତୀଙ୍କୁ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସଜ୍ଞାରେ ସାମିଲ କରାଯାଇଛି । ଏଣୁ ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ୟୁନିଟ ମଧ୍ୟ ତତ୍ପ‏ରତା ପ୍ରକାଶ କରୁଛନ୍ତି । ଇତି ମଧ୍ୟରେ ନୟାଗଡ, କୋରାପୁଟ, କେନ୍ଦୁଝର, କଟକ, ସୁବର୍ଣ୍ଣପୁର, ଦେବଗଡ, ମୟୁରଭଞ ପ୍ରଭୃତି ଜିଲ୍ଲାମାନଙ୍କରେ ଅଧିକାରୀଙ୍କ ସକ୍ରିୟତା ଯୋଗୁଁ ଶତାଧିକ ବାଲ୍ୟ ବିବାହକୁ ବନ୍ଦ କରାଯାଇପାରିଛି ।

ଗଣମାଧ୍ୟମଯୋଗେ ଏହା ବାରମ୍ବାର ପ୍ରସାରିତ ହେଉଥିବା ଯୋଗୁଁ ଲୋକମାନଙ୍କ ଉପରେ ମଧ୍ୟ ଏକ ଭୟ ମିଶ୍ରିତ ସଚେତନତାର ପ୍ରଭାବ ପରିଲକ୍ଷିତ ହେଉଛି । ବାଲ୍ୟ ବିବାହକୁ ନେଇ ଏତେ ସବୁ ତତ୍ପରତା ଥିଲେବି ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି ।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବାଲ୍ୟ ବିବାହକୁ ନାଁ କରୁଥିବା ଯୁବକ ଯୁବତୀଙ୍କୁ ସ୍ୱୀକୃତି ଦିଆଯାଇ ଉତ୍ସାହିତ କରାଯିବା ସହିତ ସେମାନଙ୍କର ଏକ ରାଜ୍ୟ ସ୍ତରୀୟ ସଂଗଠନକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଏହା ଏକ ଯୁବ ପରିବର୍ତ୍ତନକାରୀଙ୍କ ଦଳ ଗଠନରେ ସହାୟକ ହେବ । ଏହି ପରିବର୍ତ୍ତନ କାରୀମାନେ ନିଜ ସମ ବୟସ ପିଲାଙ୍କ ସହ ନିୟୋଜିତ ହୋଇ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାରେ ବିଶେଷ ସହାୟକ ହେବେ । ସାମାଜିକ ଓ ପାରମ୍ପାରିକ ସଂଗଠନ ମାନେ ସବୁବେଳେ ସାମାଜିକ ନୀତିନୀୟମର ରକ୍ଷାକର୍ତ୍ତା ଭୂମିକା ନେଇଥାନ୍ତି । ଏମାନଙ୍କୁ ବିଶ୍ୱାସକୁ ନେବାକୁ ପଡିବ ।

ଋଢିବାଦି ଚିନ୍ତାଧାରରେ ପରିବର୍ତ୍ତନ ଆଣିହେଲା ଭଳି ଗଣଯୋଗାଯୋଗ ଉପକରଣ ପ୍ରସ୍ତୁତି ଓ ପ୍ରଚାର ଉପରେ ଗୁରୁତ୍ୱ ଦେବା ଜରୁରି । ଏହା ଏହିଭଳି ସଂଗଠନର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ମାନସିକତା ପରିବର୍ତ୍ତନରେ ସହାୟକ ହେବ । ବିଭିନ୍ନ ଜାତି ଓ ଆଦିବାସୀ ସମ୍ପ୍ରଦାୟ ଜମୀ, ଜାତି ପ୍ରମାଣପତ୍ର ପ୍ରଭୃତି ଅଧିକାରକୁ ନେଇ ସଂଗଠିତ ହେବା ଓ ଦାବି ଉପସ୍ଥାପିତ କରିବା ଦେଖିବାକୁ୍ୱ ମିଳୁଛି ।

ଏହି ସଂଗଠନମାନଙ୍କୁ ବାଲ୍ୟ ବିବାହର ଭୟାବହ ପ୍ରଭାବ ସମ୍ପର୍କରେ ଅବଗତ କରାଯାଇପାରିଲେ ଏହା ଜନ ଆନ୍ଦୋଳନର ରୁପ ନେଇ ପାରନ୍ତା । ବିବାହ ଦୁଇଟି ପରିବାର ଭିତରେ ହେଉଥିଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ବିନା ସମ୍ଭବ ନୁହେଁ ।

ଗାଁରେ ରହୁଥିବା ଶିକ୍ଷକଙ୍କଠୁ ଆରମ୍ଭକରି ବାରିକ, ବ୍ରାହ୍ମଣ, ରୋଷେଇଆ, ବାଜା ବଜଉଥିବା ଲୋକେ, ଚାନ୍ଦୁଆ ବାଲା, ବରଯାତ୍ରି, ଭୋଜି ଖାଇବାକୁ ଆସିଥିବା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ବାଲ୍ୟ ବିବାହ ନିଷେଧର ଏହି ଅଭିଯାନରେ ସାମିଲ କରିବାକୁ ପଡିବ ।

ଅପରପକ୍ଷରେ ବାଲ୍ୟ ବିବାହ ନିଷେଧ ଆଇନ ଓ ନୀୟମାବଳୀକୁ କାର୍ଯ୍ୟକାରୀ କରେଇବା ପାଇଁ ଦାୟୀତ୍ୱ ନ୍ୟସ୍ତ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ଉତ୍ତରଦାୟୀ ହେବାକୁ ପଡିବ । ବାଲ୍ୟ ବିବାହକୁ ବନ୍ଦ କରାଯାଇ ପାରିଲେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଜନିତ ଲଜ୍ଜାକୁ ଅନେକ ମାତ୍ରାରେ ରୋକାଯାଇ ପାରିବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ବାଲ୍ୟ ବିବାହ, ଶିଶୁ ଅଧିକାର

ବାଲ୍ୟ ବିବାହ ଅସିଦ୍ଧ ହେଉ

May 12, 2018 by ଘାସିରାମ ପଣ୍ଡା Leave a Comment


ଝିଅ ହେଉ ବା ପୁଅ, କମ ବୟସରେ ବାହା ହେଲେ ସେମାନଙ୍କର ପାଠ ପଢା ବ୍ୟାହତ ହୁଏ, ନିର୍ଯ୍ୟାତନା ଓ ମାନସିକ ଦୁଶ୍ଚିନ୍ତା ବଢେ, ସ୍ୱାସ୍ଥ୍ୟହାନୀ ହୁଏ । କହିବାକୁ ଗଲେ ଏହାଦ୍ୱାରା ବଂଚିବା, ସୁରକ୍ଷା, ବିକାଶ ଓ ସହଭାଗିତା ପ୍ରଭୃତି ସବୁ ପ୍ରକାରର ଶିଶୁ ଅଧିକାରର ଉଲଂଘନ ହୁଏ ।

କିଛି ବର୍ଷ ତଳେ ଓଡିଶାରେ ବାଲ୍ୟ ବିବାହର ସ୍ଥିତିକୁ ପ୍ରଶାସନିକ ସ୍ଥରରେ ଅସ୍ୱୀକାର କରାଯାଉଥିଲା । ଏହାକୁ ରାଜସ୍ଥାନ, ପଶ୍ଚିମ ବଙ୍ଗ ପ୍ରଭୃତି ରାଜ୍ୟର ସମସ୍ୟା ବୋଲି ବିବେଚନା କରାଯାଇ ଓଡିଶା ଭଳି ରାଜ୍ୟ ଏଥି ପ୍ରତି ଗୁରୁତ୍ୱ ଦେଉନଥିଲେ । ଏବେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଆସିଲା ପରେ ଆମ ରାଜ୍ୟରେ ବି ବାଲ୍ୟ ବିବାହର ସ୍ଥିତି ଓ ଏହାର ନିରାକରଣ ନେଇ ଚର୍ଚା ଆଲୋଚନା ଆରମ୍ଭ ହୋଇଛି ।

ଏଇ ନିକଟରେ ଜାତୀୟ ମାନବାଧିକାର କମିଶନ ବାଲ୍ୟ ବିବାହକୁ ନେଇ ପ୍ରଥମ ଆଂଚଳିକ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜନ କରିଥିଲେ । ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପଡିଥିବା ଉପଲବ୍ଧ ହେଉଛି । ହେଲେ ଏହା ଯଥେଷ୍ଟ ନୁହେଁ । ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟକୁ ବିଚାରକୁ ନେଲେ ଓଡିଶାରେ ବାଲ୍ୟ ବିବାହର ସ୍ଥିତି ଜାତୀୟ ହାର ଠାରୁ କମ ଥିବାରୁ ଏହା ବିଶେଷ ଚିନ୍ତାଜନକ ନୁହେଁ! ଏଠାରେ ଜାଣି ରଖିବାକୁ ହେବ ଯେ, ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଓଡିଶାରେ ଏହା ୨୧.୩ ଅଛି ।

ହେଲେ ଏକଥା ମଧ୍ୟ ଜାଣିବାକୁ ହେବ ଯେ, ମାଲକାନଗିରି, ନବରଙ୍ଗପୁର, ମୟୁରଭଞ, କୋରାପୁଟ, ରାୟଗଡା, ନୟାଗଡ, ଗଞାମ ଓ କେନ୍ଦୁଝର ଜିଲ୍ଲା ଜତୀୟ ହାର ଠାରୁ ଅନେକ ଉପରେ ଅଛନ୍ତି । ସେହିପରି ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର, କନ୍ଧମାଳ, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲା ରାଜ୍ୟ ହାର ଠାରୁ ଉପରେ ଅଛନ୍ତି । ଯଦି ୩୦ ରୁ ୧୭ ଜିଲ୍ଲାରେ ପରିସ୍ଥିତି ଉଦ୍ୱେଗ ଜନକ ତାହେଲେ ଆମର ନୀତି ନିର୍ଦ୍ଧାରକ ଓ ପ୍ରଶାସକ ମାନଙ୍କୁ ମଧ୍ୟ ଏନେଇ ଚିନ୍ତା କରିବାକୁ ପଡିବ । ବାଲ୍ୟ ବିବାହ କାରଣରୁ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି ।

ଆମ ରାଜ୍ୟରେ ପ୍ରତି ହଜାରେ ଶିଶୁରେ ୪୦ ଜଣଙ୍କର ମୃତ୍ୟୁ ହୁଏ, ପାଂଚ ବର୍ଷରୁ ତଳ ବୟସର ପିଲାଙ୍କ କ୍ଷେତ୍ରରେ ଏହା ୪୯ । ଯେଉଁମାନେ ବଂଚିଛନ୍ତି ସେମାନଙ୍କର ସ୍ଥିତି ମଧ୍ୟ ଭଲ ନାହିଁ । ୫ ବର୍ଷରୁ କମ ବୟସର ପିଲାମାନଙ୍କ ମଧ୍ୟରେ ୩୪.୧ ଭାଗ ପିଲାଙ୍କ ବୟସ ଅନୁସାରେ ଉଚ୍ଚତା ନାହିଁ, ୨୦.୪ ଭାଗ ଉଚ୍ଚତା ଅନୁସାରେ ଓଜନ ନାହିଁ ଓ ୩୪.୪ ଭାଗ ଏକଦମ କମ ଓଜନର ।

ଏହା ବ୍ୟତୀତ ୧୫ ରୁ ୪୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ମଧ୍ୟରେ ୪୭.୬ ରକ୍ତ ହୀନତାର ଶିକାର ହେଉଛନ୍ତି । ଏପରି ସ୍ଥଳରେ ଆମେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ରର ପରିକଲ୍ପନା କିପରି କରିପାରିବା ? ବାଲ୍ୟ ବିବାହକୁ ବନ୍ଦ କରିବାର ପଦକ୍ଷେପ ବିନା ମହିଳା ଓ ଶିଶୁ ବିକାଶ ପାଇଁ ନିଆଯାଉଥିବା କୌଣସି ପ୍ରୟାସ ସଫଳ ହେବ ନାହିଁ । ଆମ ଦେଶରେ ୨୦୦୬ ଓ ରାଜ୍ୟରେ ୨୦୦୯ ମସିହାରୁ ବାଲ୍ୟ ବିବାହ ନିଷେଧ ଆଇନ ତଥା ନୀୟମାବଳି ପ୍ରଚଳିତ ଅଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୧୫ ରେ ଏହି ନୀୟମାବଳି ଅଧାରରେ ମାତ୍ର ଗୋଟିଏ ଓ ୨୦୧୬ ରେ ୧୬ ଟି ଅପରାଧ ଲିପିବଦ୍ଧ ହୋଇ ପାରିଛି । ଏହା ସୁଚିତ କରୁଛି ଯେ, ଏଭଳି ଆଇନ ଥିଲେ ଯାହା ନଥିଲେ ବି ତାହା ! ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଆଇନରେ ବ୍ୟବସ୍ଥା କରାଯାଇଥିଲେ ବି ବିବାହ ଅନୁଷ୍ଠିତ ହୋଇସାରିଲା ପରେ ‘ଅସିଦ୍ଧଯୋଗ୍ୟ’ କହି କୋହଳ ମନୋଭାବ ପୋଷଣ କରିବା ଆଇନ ବିଫଳ ହେବାର ଅନ୍ୟତମ କାରଣ ।

ଏବେ ପ୍ରତ୍ୟେକ ବାଲ୍ୟ ବିବାହକୁ ଅସିଦ୍ଧଯୋଗ୍ୟ ବଦଳରେ ‘ଅସିଦ୍ଧ’ ବୋଲି ଘୋଷଣା କରିବାର ସମୟ ଆସିଛି । ଏ କ୍ଷେତ୍ରରେ କର୍ଣ୍ଣାଟକ ସରକାର ଉଦାହରଣ ସୃଷ୍ଟି କରିସାରିଛନ୍ତି । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏ ନେଇ ଏକ ରିଟ ପିଟିସନ ଦାଖଲ ହୋଇଥିଲା । ଏହାର ପ୍ରତ୍ୟୁତ୍ତରରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ବିଧାନ ସଭା ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୂର୍ବକ ନୂତନ ଆଇନ ପ୍ରଣୟନ କରିଛନ୍ତି ।

ଆଉ ଏକ ଉଲ୍ଲେଖ ଯୋଗ୍ୟ ଘଟଣା କ୍ରମରେ ୨୦୧୭ ଅକ୍ଟୋବର ୧୧ରେ ଉଚ୍ଚତମ ନ୍ୟୟାଳୟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ (ବ୍ୟତିକ୍ରମ -୨) ରେ ପରିବର୍ତ୍ତନ ଆଣି ୧୮ ବର୍ଷରୁ କମ ବିବାହିତା ବା ଅବିବାହିତା ଯେ କୌଣସି ଝିଅର ସହମତି ବା ଅସହମତିରେ ସହବାସକୁ ଧର୍ଷଣ ବୋଲି ରାୟ ଦେଇଛନ୍ତି । ଏହି ପ୍ରସଙ୍ଗରେ କର୍ଣ୍ଣାଟକ ସରକାର ନେଇଥିବା ପଦକ୍ଷେପକୁ ଉଚ୍ଚତମ ନ୍ୟୟାଳୟ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟମାନଙ୍କୁ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଗଲେ ନାବାଳିକାକୁ ବିବାହ କରୁଥିବା ପୁରୁଷ ଅପରାଧି ବିବେଚିତ ହେବ ଓ ବାଲ୍ୟ ବିବାହ ନିଷେଧ ଆଇନ ସମେତ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ (ପକ୍ସୋ) ଓ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦଣ୍ଡିତ ହେବ । ବାଲ୍ୟ ବିବାହ ନିରାକରଣ ପାଇଁ କୌଷଳ ପ୍ରସ୍ତୁତିରେ ଏହାକୁ ଏକ ସାମାଜିକ ସମସ୍ୟା ଭାବରେ ଦେଖାଯାଇ ଋଢିବାଦି ପରମ୍ପରା ଓ ସଚେତନତା ହୀନ ସମାଜକୁ ଦାୟୀ କରି ଦାୟୀତ୍ୱ ତୁଟେଇ ଦିଆଯାଏ ।

ବାଲ୍ୟ ବିବାହ ଏକ ଅପରାଧ ଓ ମାନବ ଅଧିକାରର ନିକୃଷ୍ଟତମ ଉଲଂଘନ । ଏଭଳି ଅପରାଧିକ କାର୍ଯ୍ୟକଳାପକୁ ଦମନ ପାଇଁ ଦୃଢ ଆଇନଗତ ପଦକ୍ଷେପର ମଧ୍ୟ ଆବଶ୍ୟକତା ରହିଛି । ଏଣୁ ସମାଜ ସହିତ ସରକାରଙ୍କ ମଧ୍ୟ ଉତ୍ତର ଦାୟୀତ୍ୱ ରହିଛି । ଉଚ୍ଚତମ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ କର୍ଣ୍ଣାଟକ ସରକାରଙ୍କ ପରି ଆମେ ମଧ୍ୟ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା ପୁର୍ବକ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି । ଏହା ଶିଶୁ ଅଧିକାର ସୁରକ୍ଷା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହେବ ।

ଘାସିରାମ ପଣ୍ଡା

Filed Under: ଅପରାଧ Tagged With: ନିର୍ଯ୍ୟାତନା ଓ ମାନସିକ, ବାଲ୍ୟ ବିବାହ

ବନ୍ଦ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ

May 12, 2018 by ଘାସିରାମ ପଣ୍ଡା Leave a Comment

 


ଭାରତୀୟ ସମ୍ବୀଧାନର ୮୬ ତମ ସଂଶୋଧନରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି । ଏଥି ନିମିତ୍ତ ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାଙ୍କ ଅଧିକାର ଆଇନ, ୨୦୦୯ ମଧ୍ୟ ପ୍ରଣୟନ କରାଯାଇଛି ।

ଉଦ୍ଦେଶ୍ୟ, ଦେଶର ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁ । ଏଥିପାଇଁ ଆଇନରେ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ପ୍ରଥମରୁ ପଂଚମ ଶ୍ରେଣୀ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ଅତିବେଶିରେ ଏକ କିଲୋମିଟର ଭିତରେ ବିଦ୍ୟାଳୟ ଉପଲବ୍ଧ ହେବାର ଆବଶ୍ୟକତା ଥିବା ବେଳେ ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀ ଅତିବେଶିରେ ତିନି କିଲୋମିଟର ଭିତରେ ବିଦ୍ୟାଳୟ ପାଇପାରୁଥିବେ ।

ଆମ ରାଜ୍ୟରେ ଆଜି ବି ଅନେକ ଉପାନ୍ତ ଅଂଚଳରେ ବିଦ୍ୟାଳୟ ନାହିଁ । ବିଦ୍ୟାଳୟ ଥିଲେ ଶିକ୍ଷକ ନାହାନ୍ତି । ପ୍ରାଥମିକ ଶିକ୍ଷାକୁ ମାଗଣା, ବାଧ୍ୟତାମୂଳକ ଓ ଗୁଣତ୍ମକ କରିବାକୁ ଉତ୍ତରଦାୟୀ ସରକାର କିନ୍ତୁ ଏହିସବୁ ଅଂଚଳରେ ଶିକ୍ଷା ପହଂଚେଇବାର ପ୍ରୟାସ କରିବା ବଦଳରେ ଖୋଲାଯାଇଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ଆରମ୍ଭ କରିଦେଇଛନ୍ତି । ଆମ ରାଜ୍ୟରେ ୭୩ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଏହାରି ମଧ୍ୟରୁ ୫ ରୁ କମ ପିଲା ଥିବା ବିଦ୍ୟାଳୟର ସଂଖ୍ୟା ୧୬୫ ଥିବା ବେଳେ ୭୫୦ଟି ବିଦ୍ୟାଳୟରେ ୧୦ରୁ କମ ପିଲା ଅଛନ୍ତି । ୧୫ଟି ରୁ କମ ୧୯୬୫ଟି ବିଦ୍ୟାଳୟରେ ଥିବା ବେଳେ ୩୭୧୬ଟି ବିଦ୍ୟାଳୟରେ ୨୦ରୁ କମ ଓ ୫୮୧୩ଟି ବିଦ୍ୟାଳୟରେ ୨୫ରୁ କମ ପିଲାଥିବା ସରକାରଙ୍କ ଟ – ଊଓଝଋ ତଥ୍ୟରୁ ଜଣାପଡିଛି । ଏହିପରି ମୋଟ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି ।

ଏହାର ପ୍ରକ୍ରିୟା ୨୦୧୩ ମସିହା ଜୁଲାଇ ୨୩ ଓ ୨୪ ତାରିଖରେ ହୋଇଥିବା ଏକ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଆରମ୍ଭ ହୋଇ ପ୍ରଥମେ ୫ରୁ କମ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପତ୍ରସଂଖ୍ୟା ୨୩୬୫ (୩୦)/ଇମମରଗ୍ଦଗ୍ଦ/୧୫, ତା ୨୭.୨.୧୫ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣେଇ ଦିଆଯାଇଛି ।

ପରବର୍ତ୍ତି ପର୍ଯ୍ୟାୟରେ ୧୦ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ବି ଦିଆସରିଛି । ଏକା ସାଙ୍ଗରେ ୨୫ରୁ କମ ପିଲାଥିବା ସମସ୍ତ ୧୨୪୦୯ଟି ବିଦ୍ୟାଳୟକୁ ବନ୍ଦ କରାଗଲେ କାଳେ ଲୋକଙ୍କର ଆକ୍ରୋଶର ଶିକାର ହୋଇଥାନ୍ତେ, ସେଥିପାଇଁ ସରକାର ଚାଲାକିରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ପାଇଁ ସ୍ଥିର କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷା ଅଧିକାର ଆଇନର ସମ୍ପୁର୍ଣ୍ଣ ଉଲଂଘନ ମନେକରି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଗତ ଏପ୍ରିଲ ୨୦୧୫ରେ ଏକ ଅଭିଯୋଗ ଆଗତ କରାଯାଇଥିଲା । ଆୟୋଗଙ୍କ ନିର୍ଦ୍ଦେଶମତେ ସରକାର ସ୍ପଷ୍ଟିକରଣ ଦେଇଛନ୍ତି ଯେ, ପ୍ରାଥମିକ ପର୍ଯାୟରେ ୧୬୫ଟି ବିଦ୍ୟାଳୟ ବନ୍ଦ ହେବା ଦ୍ୱାରା କୌଣସି ପିଲା ଶିକ୍ଷା ଅଧିକାରରୁ ବଂଚିତ ହୋଇନାହାନ୍ତିି ।

ଏହି ପର୍ଯାୟରେ ବନ୍ଦ ଥିବା ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୦ଟି ବିଦ୍ୟାଳୟକୁ ନେଇ କରାଯାଇଥିବା ଏକ ତଥ୍ୟ ଅନୁସନ୍ଧାନ କିନ୍ତୁ ସରକାରଙ୍କ ଏହି ସ୍ପଷ୍ଟିକରଣକୁ ଭୂଲ ପ୍ରମାଣିତ କରୁଛି । କନ୍ଧମାଳ ଜିଲ୍ଲାର ମଲିକପଡା ପ୍ରାଥମିକ ବିଦ୍ୟାଳୟ, ବରଗଡ ଜିଲ୍ଲାର ବାରବଖରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟରେ ପ୍ରକୃତ ପକ୍ଷେ ୫ରୁ ଅଧିକ ପିଲା ଅଛନ୍ତି । ଏହା ସତ୍ୱେ ଏହି ବିଦ୍ୟାଳୟଗୁଡିକ ବନ୍ଦ ତାଲିକାରେ ଅଛି ।

ଗତ ତିନି ବର୍ଷ ଧରି ୨୦ରୁ ଅଧିକ ପିଲା ପଢୁଥିବା କନ୍ଧମାଳ ଜିଲ୍ଲର ମଲିକପଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାର ପ୍ରସ୍ତାବ ଜିଲ୍ଲପାଳ ଦେଲେ କେମିତି ? ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ବା ସେହି ବିଦ୍ୟାଳୟର ଶିକ୍ଷକମାନଙ୍କ ସହ କୌଣସି ପରାମର୍ଶ କରାନଯାଇ କେବଳ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଏହା ଏକ ସ୍ପଷ୍ଟ ଉଦାହରଣ ।

ପ୍ରାଥମିକ ଶିକ୍ଷା ଗ୍ରାମ ପଂଚାୟତର ଅଧିକାର ପରିସର ଭୂକ୍ତ ହୋଇଥିବା ସତ୍ୱେ ସେମାନଙ୍କ ପରାମର୍ଶ ଗ୍ରହଣ କରିବା ଉଚ୍ଛିତ ମନେକରାଯାଇ ନାହିଁ । କେବଳ ସେତିକି ନୁହେଁ, କନ୍ଧମାଳ ଜିଲ୍ଲାର କୁରୁମଣି ପ୍ରାଥମିକ ବିଦ୍ୟାଳୟ ହେଉ ବା ସୁନ୍ଦରଗଡ ଜିଲ୍ଲାର ଝରିପାଣୀ ଅବା ରାୟଗଡା ଜିଲ୍ଲାର ଗୁନଗବାଲୀ ପ୍ରାଥମିକ ବିଦ୍ୟାଳୟ ଓ ଏହିପରି ଅନେକ ବିଦ୍ୟାଳୟ ବନ୍ଦ ହେବାପରେ ପିଲାମାନଙ୍କୁ ଅତିକମରେ ୩ ରୁ ୫ କିଲୋମିଟର ଜଙ୍ଗଲ, ପାହାଡ, ନାଳ ଅତିକ୍ରମ କରି ଯିବାକୁ ପଡୁଛି ।

ସେହି ସମୟର ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବ ନିଜର ପତ୍ର ସଂଖ୍ୟା ୩୫୪୮/ଝଗଋ, ତା ୨୧.୨.୨୦୧୫ ଅନୁଯାୟୀ ବିଦ୍ୟାଳୟକୁ ବନ୍ଦ କରିବା ପୂର୍ବରୁ କିଛି ସର୍ତ୍ତ ପୂରଣର ପ୍ରାବଧାନ ରଖିଥିଲେ । ଦୂର ବିଦ୍ୟାଳୟକୁ ଯିବା ପାଇଁ ଆଦିବାସୀ ଅଂଚଳ ମାନଙ୍କରେ ଗମନାଗମନର ବ୍ୟବସ୍ଥା, ସ୍ୱତନ୍ତ୍ର ଶିକ୍ଷା ସହାୟକଙ୍କ ନିଯୁକ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ବ୍ୟକ୍ତିଗତ ଦାୟୀତ୍ୱ ଯେପରିକି କୌଣସି ପିଲା ବିଦ୍ୟାଳୟ ବାହାରେ ରହିବେ ନାହିଁ, ଆବଶ୍ୟକତା ମୁତାବକ ପିଲା ହେଲେ ପୁନର୍ବାର ବିଦ୍ୟାଳୟ ଖୋଲାଯିବାର ଗ୍ରାମବାସୀଙ୍କୁ ପ୍ରତିଶୃତି, ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ସମେତ ସମସ୍ତ ଅସବାବପତ୍ରର ଦାୟୀତ୍ୱ ହସ୍ତାନ୍ତରଣ ଏହି ସର୍ତ୍ତ ଅନ୍ତର୍ଭୂକ୍ତ ଅଛି ।

ସୁବର୍ଣ୍ଣପୁର ଜିଲ୍ଲପାଳ ପତ୍ର ସଂଖ୍ୟା ୮୮୪ ତା୨୨.୪.୧୫ ରେ ଦଶଟି ବିଦ୍ୟାଳୟକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ ବି ବନ୍ଦ ପୂର୍ବର ସର୍ତ୍ତ ସମ୍ପର୍କରେ ପତ୍ରରେ କିଛି ଉଲ୍ଲେଖ କରି ନାହନ୍ତି । ବରଂ ଗ୍ରାମ ପଂଚାୟତକୁ ବିଦ୍ୟାଳୟ ଗୃହ ହସ୍ତାନ୍ତର ପରିବର୍ତ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଉଦାହରଣ ମାତ୍ର । ଉଲ୍ଲେଖ ସର୍ତ୍ତ କେବଳ ଧର୍ମକୁ ଆଖିଠାର ସାଜିଛି ।

ଆଜି ପର୍ଯ୍ୟନ୍ତ ବନ୍ଦ ହୋଇସାରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସର୍ତ୍ତ ଅନୁଯାୟୀ ନା ମିଳୁଛି ଗସ୍ତଖର୍ଚ ନା ସ୍ୱତନ୍ତ୍ର ଶିକ୍ଷା ସହାୟକର ସୁବିଧା । ପରିଣାମ ସ୍ୱରୂପ ଦୂରଦୂରାନ୍ତରରେ ଥିବା ଆବାସୀକ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ସେମାନେ । ତଥ୍ୟ ଅନୁସନ୍ଧାନ କଲା ସମୟରେ ଏକଥା ମଧ୍ୟ ନଜରକୁ ଆସିଥିଲା ଯେ, ଅଙ୍ଗନଓା୍ୱଡି କେନ୍ଦ୍ରମାଙ୍କରେ ଯଥେଷ୍ଟ ମାତ୍ରାରେ ପିଲା ଅଛନ୍ତି ଯେଉଁମାନେ ପରବର୍ତ୍ତି ସମୟରେ ପ୍ରାଥମିକ ବିଦ୍ୟାଳୟକୁ ଆସିବେ ଓ ଉପସ୍ଥାନ ବୃଦ୍ଧି ପାଇବ । ହେଲେ ଉପସ୍ଥାନ ବୃଦ୍ଧିହେଲେ ପୁନଃବିଦ୍ୟାଳୟ ଖୋଲିବାର ପ୍ରତିଶୃତିକୁ ସରକାର ଜାଣିଶୁଣି ଏଡାଇ ଯାଇଛନ୍ତି ।

୨୫ରୁ କମ ଉପସ୍ଥାନ ଥିବା ବିଦ୍ୟାଳୟ ବନ୍ଦ ହେଲେ ଆଦିବାସୀ ଅଂଚଳରେ ସରକାରୀ ବିଦ୍ୟାଳୟ ଶୂନ୍ୟ ହୋଇଯିବ । ବର୍ତ୍ତମାନ କେବଳ ସହରମାନଙ୍କରେ ସୀମିତ ଥିବା ଶିକ୍ଷା ବେପାରୀଙ୍କ ପାଇଁ ଗ୍ରାମାଂଚଳରେ ବେପାର ଖୋଲିବା ପାଇଁ ଏହା ଯଥେଷ୍ଟ ସୁଯୋଗ ସୃଷ୍ଟି କରିବ । ଏହା ସେମାନଙ୍କୁ ଆର୍ଥିକ ଶୋଷଣର ଆଉ ଏକ ବାଟ ହେବା ସହିତ ସେମାନଙ୍କ ଭାଷା, ସଂସ୍କୃତି ଓ ପରିଚିତିକୁ ଲୋପ କରିବାର କାରଣ ସାଜିବ ।

୧୫ରୁ ଅଧିକ ପିଲା ଥିଲେ ନୂତନ ବିଦ୍ୟାଳୟ ଖୋଲାଯାଉ ଥିଲା । ଏବେ ୨୫ରୁ କମ ହେଲେ ବିଦ୍ୟାଳୟକୁ ବନ୍ଦ କରିବାର ନିଷ୍ପତ୍ତି ପ୍ରାଥମିକ ଶିକ୍ଷାକୁ ସରକାର ଆର୍ଥିକ ବୋଝ ଭାବୁଥିବାର ଏକ ସଙ୍କେତ, ଯାହା ଆଦୌ ଶୁଭଙ୍କର ନୁହେଁ ।

ଘାସିରାମ ପଣ୍ଡା

Filed Under: ଶିକ୍ଷା Tagged With: ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, ସରକାରୀ ପ୍ରାଥମିକ ବିଦ୍ୟାଳୟ

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

April 28, 2018 by ଓଡିଶା ଡଟ କମ Leave a Comment


ଘାସିରାମ ପଣ୍ଡା

ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ ।

ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ ଭିତରୁ କେହି କେହି ବିଲକୁଲ ପଢି ନାହାନ୍ତି, ଆଉ କେହି କେହି ଅଧାରୁ ପାଠ ଛାଡିଛନ୍ତି ।

ନିଜ ସାହି ବସ୍ତି ବା ପାଖ ଗାଁର କେଉଁ ଏକ ପିଲାକୁ ଭଲ ପାଇ ଉଧୁଲିଆ ଯାଇଥିଲେ । ପରେ ସାମାଜିକ ସ୍ୱୀକୃତିରେ ବାହା ହୋଇ ଘରକୁ ଫେରିଛନ୍ତି । ଗତ ଦୁଇ ବର୍ଷ ଭିତରେ ଏମାନଙ୍କ ଭଳି କମ ବୟସରେ ବାହା ହୋଇଥିବା ଏହି ବସ୍ତିର ୬ ଜଣ ମହିଳଙ୍କ ଗର୍ଭାବସ୍ଥା ବା ପ୍ରସବ ସମୟରେ ମୃତ୍ୟୁ ଘଟି ସାରିଛି ।

ଏହି ସବୁ କଥା ସେମାନଙ୍କ ସହ ଆଲୋଚନା କଲାବେଳେ ସେଠି ବସିଥିବା ଜଣେ ମାଁ ଗୋଟେ ଛୋଟ ଝିଅ ଆଡକୁ ଆଙ୍ଗୁଠି ଦେଖେଇ କହିଲେ, ଝିଅ ମୋର ଏଥର ଅଷ୍ଟମ ଶ୍ରେଣୀ ପାସ କଲା, ଏବେ ନବମ ପଢିବାକୁ ଦୂର ଗାଁକୁ ଯିବାକୁ ପଡିବ । ତାର ପଢିବାର ବହୁତ ଇଚ୍ଛା ।

ହେଲେ ବାପା ତାର ମଦୁଆ – ରୋଜଗାର ବୋଲି କିଛି ନାହିଁ । ମୁ ଏକା ପାଇଟି କରି କେତେ ରୋଜଗାର କରି ପାରିବି? ଆମର ତ ଘର ନାହିଁ ଯେ, ଜରି ଘେରା କରି ରହୁଛୁ । ସେଥିରେ ନାଁ ଲେଖେଇବାକୁ ମୋ ପାଖରେ ପଇସା କାହିଁ ଯେ ସେ ପଢି ପାରିବ! ଆଇନଗତ ଆବଶ୍ୟକତା ଓ ଶିଶୁ ଅଧିକାରକୁ ସ୧ାନ ଦେଇ ପିଲାର ପରିଚୟକୁ ଗୋପନ ରଖୁଛି ।

କହିବା ବାହୁଲ୍ୟ ଏହା କେବଳ ଗୋଟିଏ ପିଲାର କଥା ନୁହେଁ । ଏମିତି ଅନେକ ଶିଶୁଙ୍କ ସ୍ୱପ୍ନ ଦଳି ମକଚି ହୋଇ ଯାଉଛି ଦାରିଦ୍ର୍ୟ ଓ ସୁଯୋଗ ଅଭାବ କାରଣରୁ । ପାଠରେ ଡୋରି ବନ୍ଧା ହେଲା ପରେ ବାହା ହେବାର ଏକମାତ୍ର ବାଟ ଯାହା ସେମାନଙ୍କ ପାଇଁ ଉନ୍ମୁକ୍ତ ଥାଏ ।

ଆମ ରାଜ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ପ୍ରଭୃତି ଜିଲ୍ଲା ବାଲ୍ୟ ବିବାହ ପ୍ରବଣ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ବାଲ୍ୟ ବିବାହର ଜାତୀୟ ହାର ୨୬.୮ ଶତକଡା ଥିବା ବେଳେ ଏହିସବୁ ଜିଲ୍ଲାରେ ଯଥାକ୍ରମେ ୩୯.୩, ୩୭.୯, ୩୪.୭ ଓ ୩୪.୪ ଶତକଡା ରହିଛି । ଏହା ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ।

ଏହି ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରିରେ ୧୧.୮, ନବରଙ୍ଗପୁରରେ ୧୦.୭, କୋରାପୁଟରେ ୧୪.୫ ଓ ରାୟଗଡାରେ ୧୨.୭ ପ୍ରତିଶତ ମାତ୍ର ମହିଳା ଦଶମ ବା ତଦୁର୍ଦ୍ଧ ପାଠ ପଢି ପାରିଛନ୍ତି । ଅଧା ବାଟରେ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହର ସମ୍ପର୍କକୁ ଏହି ତଥ୍ୟ ପୁଷ୍ଟ କରୁଛି ।

୨୦୧୧ ଜନଗଣନା ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୫ମ ଠାରୁ କମ ପାଠ ପଢିଥିବା ଝିଅ ପିଲା ମାନଙ୍କ ଭିତରୁ ୫୨.୧ ଭାଗ ୧୮ ବର୍ଷ ପୁର୍ବରୁ ବିବାହ କରୁଥିବା ବେଳେ ୫ମ ରୁ ୯ମ ଶ୍ରେଣୀ ପଢିଥିବା ଝିଅଙ୍କ କ୍ଷେତ୍ରରେ ଏହା ୨୯.୮ ପ୍ରତିଶତ ଓ ୧୦ମରୁ ତଦ୍ଦୁର୍ଦ୍ଧଙ୍କ କ୍ଷେତ୍ରରେ ଏହା ମାତ୍ର ୯.୩ ପ୍ରତିଶତ ହୋଇଥାଏ ।

ଏଣୁ ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ବାଲ୍ୟ ବିବାହକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ଦୃଢତାର ସହ କୁହାଯାଇ ପାରିବ । ହେଲେ ଏ କ୍ଷେତ୍ରରେ ଦୁଇଟି ପ୍ରତିବନ୍ଧକ ରହିଛି ।

ପ୍ରଥମଟି ହେଲା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଲକ ଶିକ୍ଷା ବ୍ୟବସ୍ଥା ଥିଲେବି ଇଚ୍ଛା ଓ ଆଗ୍ରହ ଅଭାବରୁ ଏହାର ସଠିକ କାର୍ଯ୍ୟାନ୍ୱୟନ ହୋଇପାରୁ ନାହିଁ ।

ଏପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଓ ଭିତରେ କେତେ ପିଲା ତାର ସଠିକ ହିସାବ ଶିକ୍ଷା ବିଭାଗ ଠଉରାଇ ପାରିନାହିଁ । ୨୦୧୪ – ୧୫ ରେ ସମଗ୍ର ରାଜ୍ୟରେ ୬ ରୁ ୧୪ ବର୍ଷର ମାତ୍ର ୫୧୫୨ ପିଲା ବିଦ୍ୟାଳୟ ବାହରେ ଥିବା ଓପେପା ୱେବସାଇଟରେ ଉଲ୍ଲେଖ ଅଛି । ଏବେ ଏହା ୪୧ ହଜାର ବୋଲି କୁହାଯାଇଛି ।

ତେବେ ଉଭୟ ତଥ୍ୟକୁ ବିଶ୍ୱାସକୁ ନେବା କଷ୍ଟ । ନିକଟରେ ମିଳିମିଳା ଓ ରୁବେଲା ଟିକା କରଣ ବେଳେ ନୂଆପଡା ଜିଲ୍ଲାରେ ୯୯୧୪ ପିଲାଙ୍କ ହିସାବ ମିଳି ନାହିଁ । ଜାପାନି ଜ୍ୱର ଟିକା କରଣ ସମୟରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏପରି ବ୍ୟତିକ୍ରମ ନଜରକୁ ଆସିଥିଲା ।

ୟୁଡାଇସ, ଏସଡିଏମଆଇଏସ, ଆଧାର ପଞୀକରଣରେ ପିଲାଙ୍କ ସଂଖ୍ୟାର ତାଳମେଳ ନାହିଁ । ୧୦ ବା ୧୦ରୁ କମ ଉପସ୍ଥାନ ଥିବା ଅନେକ ବିଦ୍ୟାଳୟ ଇତି ମଧ୍ୟରେ ବନ୍ଧ ହେବା ଯୋଗୁଁ ମଧ୍ୟ କିଛି ପିଲା ବିଦ୍ୟାଳୟ ବାହରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ଏ ପରିସ୍ଥିତିରେ ଆମେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷାର ପରିଧିକୁ ଆଣିବା କିପରି? ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିଶୁ ବୋଲି ସଜ୍ଞା ନିରୁପିତ ହୋଇଥିଲେ ହେଁ ଶିକ୍ଷା ଅଧିକାର ଆଇନରେ ଶିଶୁ କହିଲେ ୧୪ ବର୍ଷ ଧରି ନିଆଯାଇଛି । ଫଳରେ ୧୪ ବର୍ଷ ପରେ ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରତି ସରକାରଙ୍କ ଅଇନଗତ ଉତ୍ତରଦାୟୀତ୍ୱ ନାହିଁ ।

ଏଣୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢୁଥିବା ଝିଅମାନେ ଅଷ୍ଟମ ଶ୍ରେଣୀ ପରେ ସୁଯୋଗ ଅଭାବରୁ ପ୍ରାୟ ଆଉ ପଢୁ ନାହାନ୍ତି । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ୫ -୭ କିମି ଦୂର ବଣ, ପାହାଡ, ଝରଣା ଡେଇଁ ଯିବାକୁ ପଡୁଛି ।

ଆଶ୍ରମ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଓ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ ତଥା ଶିଶୁ ମାନଙ୍କ ପ୍ରତି ଶୋଷଣର ଖବର ଅଭିଭାବକମାନଙ୍କୁ ନିରୁତ୍ସାହିତ କରୁଛି । ଅତିକମରେ ୧୮ ବର୍ଷ ପର୍ଯ୍ୟନ୍ତ ଶିକ୍ଷାକୁ ସୁନିଶ୍ଚିତ କରାଯାଇ ପାରିଲେ ପ୍ରତ୍ୟେକ ଶିଶୁ ମନରେ ଥିବା ସ୍ୱପ୍ନ ସବୁ ଅଙ୍କୁରିତ ହେବା ପାଇଁ ସୁଯୋଗ ପାଇବେ । ମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାରେ ଶିକ୍ଷା ସହାୟକ ହୁଏ ।

ଉପଯୁକ୍ତ ଶିକ୍ଷା ପାଇଥିଲେ ସ୍ୱାଧିନ ମତବ୍ୟକ୍ତ କରିବାର ସାହସ ଆସେ । ଏଣୁ ପିଲାଙ୍କ ଶିକ୍ଷା ସୁନି୧⁄୨ିତ କରାଯାଇ ପାରିଲେ ବାଲ୍ୟ ବିବାହ ବିରୁଦ୍ଧରେ ନିଜେ ନିଜ ପାଇଁ ସ୍ୱର ଉେ ।ଳନ କରି ପାରିବେ । ଏହା ସମାଜିକ ପରିବର୍ତ୍ତନର ଏକ ବଡ ମାଇଲଖୁ ସାବ୍ୟସ୍ତ ହେବ ।

ଛବି: ପ୍ରତୀକାତ୍ମକ

ଘାସିରାମ ପଣ୍ଡା
ସୁବର୍ଣ୍ଣପୁର
୯୪୩୮୩୪୧୭୯୪
ghasirampanda@gmail.com

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଶିକ୍ଷା Tagged With: ବାଲ୍ୟ ବିବାହ, ରୋଜଗାର, ଶିକ୍ଷା, ଶୈଶବ, ସ୍ୱାସ୍ଥ୍ୟ

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟ

February 13, 2018 by ଓଡିଶା ଡଟ କମ Leave a Comment

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟକେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।

ଭୁବନେଶ୍ବରରୁ ଗତ ସାତ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପ୍ରତିବର୍ଷ ଜାନୁଆରୀରେ ଆୟୋଜନ କରିଥାଏ କାଦମ୍ବିନୀ ପତ୍ରିକା ହାଟ ।

ଏହି ଅଭିନବ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକା । ଖାଲି ସେତିକି ନୁହେଁ ପତ୍ର ପତ୍ରିକାର ପାଠକ, ଲେଖକ ଏବଂ ତତ୍‍ ସମ୍ପର୍କିତ ବ୍ୟକ୍ତି ମଧ୍ୟ ଏହି ହାଟକୁ ଆସନ୍ତି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍‍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।

ସେଥିସହ ୨୦୧୧ ମସିହା ଜୁଲାଇ ମାସରୁ କାଦମ୍ବିନୀ ମିଡିଆରୁ ପ୍ରକାଶ ପାଉଛି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ । କାଦମ୍ବିନୀ ମିଡିଆ ପ୍ରତିବର୍ଷ ଜୁଲାଇ ମାସ ୨ ତାରିଖରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଥାଏ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।

ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଏଯାବତ୍‍ ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇଥିବା ଓ ପାଉଥିବା ପତ୍ରିକାକୁ ଗୋଟିଏ ସ୍ଥାନରେ ସଂଗ୍ରହ କରିହେଉଛି ଅଥବା ଦେଖିହେଉଛି ।

ଅଧୁନା ପ୍ରକାଶ ପାଉଥିବା ବା ପୂର୍ବରୁ ପ୍ରକାଶ ପାଇ ବନ୍ଦ ହୋଇଯାଇଥିବା ବହୁ ପତ୍ରିକାର ସମ୍ପାଦକ, ସମ୍ପୃକ୍ତ ବ୍ୟକ୍ତିବିଶେଷ, ପ୍ରକାଶନ ସଂସ୍ଥା ସମେତ ପତ୍ରିକା ସଂଗ୍ରାହକମାନେ ଏଥିରେ ଯୋଗ ଦେଇ ନିଜ ନିଜର ପତ୍ରିକା ପ୍ରଦର୍ଶନ ସହ କିଣାବିକାର ସୁଯୋଗ ଲାଭ କରିଆସୁଛନ୍ତି ।

ସମାଜୋପଯୋଗୀ ବିବିଧ ବିଷୟକ ପତ୍ରିକା ଏହି ହାଟରେ ସାମିଲ୍‍ ହେଉଥିବାରୁ ଖୁବ୍‍ କମ୍‍ ସମୟ ଭିତରେ ଏହା ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି ।

ଏହି ହାଟରେ ସାହିତ୍ୟ, ଶିଶୁ-କିଶୋର, ପାରିବାରିକ, ଶିକ୍ଷା, ଜ୍ଞାନ-ବିଜ୍ଞାନ, ଚଳଚ୍ଚିତ୍ର, କ୍ରୀଡ଼ା, ରାଜନୀତି, ବାଣିଜ୍ୟ, ନିଯୁକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଧର୍ମ-ପୁରାଣ, ଯୋଗ-ଧ୍ୟାନ, ରାଶିଫଳ, ହସ୍ତରେଖା-ଜ୍ୟୋତିଷ ଆଦି ବିଭିନ୍ନ ବିଷୟକ ପତ୍ରିକାକୁ ଏକାଠି ଗୋଟିଏ ମଞ୍ଚରେ ପାଇବା ସହିତ ତତ୍‍ ସମ୍ପର୍କିତ ବ୍ୟକ୍ତିଙ୍କୁ ଭେଟି ହେଉଛି; ଆଉ ପତ୍ରିକାର ଇତିହାସ, ଆନ୍ଦୋଳନ ଓ ସଂଘର୍ଷର କଥା ବି ଜାଣି ହେଉଛି ।

ଦିବସବ୍ୟାପୀ ଅନୁଷ୍ଠିତ ଏହି ହାଟରେ ପ୍ରତିବର୍ଷ ଓଡ଼ିଶା ଓ ଓଡ଼ିଶା ବାହାରର ୫୦୦ରୁ ଊଦ୍ଧ୍ୱର୍ ବା ତଦୂଦ୍ଧ୍ୱର୍ ପତ୍ରିକା, ପାଠାଗାର ଓ ସଂଗ୍ରାହକ ଅଂଶଗ୍ରହଣ କରୁଛନ୍ତି ତଥା ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିପାରୁଛନ୍ତି । ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପତ୍ରିକା ହାଟକୁ ନେଇ ବେଶ୍‍ ଉତ୍ସାହ ପରିଲକ୍ଷିତ ହେଉଛି ।

ଗୋଟିଏ ସ୍ଥାନରେ, ଗୋଟିଏ ଛାତ ତଳେ ଏତେ ସଂଖ୍ୟକ ପତ୍ରିକା ଦେଖି ଅନେକେ ଅଭିଭୂତ ହେଉଛନ୍ତି । ସମସ୍ତଙ୍କ ପାଇଁ ଏହା ଏକ ନିଆରା ଅନୁଭବ ଆଣି ଦେଉଛି ।

ଦଶମ ‘କାଦମ୍ବିନୀ ପତ୍ରିକା ହାଟ’

ଦୁଇ ହଜାର ଅଠର ଇଂରାଜୀ ନୂଆବର୍ଷର ଦ୍ୱିତୀୟ ରବିବାର ଅର୍ଥାତ୍‍ ୧୪ ତାରିଖ । ଭୁବନେଶ୍ୱରସ୍ଥିତ କିଟ୍‍ କନ୍‍ଭେନ୍‍ସନ୍‍ ସେଣ୍ଟରରେ ଆରମ୍ଭ ହୋଇଯାଇଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ସାହିତ୍ୟିକ, ପତ୍ରିକା କର୍ତ୍ତୃପକ୍ଷ, ପାଠକ ଓ ସାହିତ୍ୟାନୁରାଗୀଙ୍କର ଗହଳି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।

ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ ଆସି ପହଞ୍ଚିଯାଇଥାନ୍ତି ଉତ୍ସବ ପରିସରରେ । ଉଦ୍ଦିଷ୍ଟ ସ୍ଥାନରେ ସେମାନେ ନିଜର ପତ୍ରପତ୍ରିକାର ଏକ ସୁନ୍ଦର ପସରା ମେଲାଇ ଦେଇଥାନ୍ତି ।

ତା’ପରେ ଆରମ୍ଭ ହୁଏ ପତ୍ରିକା ହାଟର ବହୁ ପ୍ରତୀକ୍ଷିତ ଉଦ୍‍ଘାଟନ ଉତ୍ସବ । ଏଥର ବି ସେମିତି ହୋଇଥିଲା । ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଏହି ହାଟ ଉଦ୍‍ଘାଟିତ ହୋଇଥିଲା । ପରେ ଅତିଥିମାନେ ପତ୍ରିକା ହାଟ ପରିଦର୍ଶନ କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ । ମଞ୍ଚ ଉପରକୁ ଅତିଥିମାନଙ୍କ ଆଗମନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଆରାଧ୍ୟ ଦେବତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ।

ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ଅଭିନେତ୍ରୀ ଡ. ମାଳବିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ସଇଦା ସାଇଦିନ୍‍ ହମିଦ୍‍; ସମ୍ମାନିତ ଅତିଥି ଥିଲେ ସମାଜସେବୀ, ଲେଖିକା, ଚଳଚ୍ଚିତ୍ର ଅଭିନେତ୍ରୀ ତଥା କିନ୍ନର ସମାଜର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଶ୍ରୀମତୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ; ବିଶିଷ୍ଟ କବୟିତ୍ରୀ ଓ ଆଲୋଚିକା ଶ୍ରୀମତୀ ସୁକ୍ରିତା ପଲ୍‍ କୁମାର ଓ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକା ଡ. ବନିତା ।

ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପ୍ରାରମ୍ଭିକ ସଙ୍ଗୀତ ‘କାଦମ୍ବିନୀ ଗୀତ’ ପରିବେଷଣ ହୋଇଥିଲା । ପରେପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ‘କାଦମ୍ବିନୀ’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ।

ଉତ୍ସବ ଅବସରରେ ବରିଷ୍ଠ କବି ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା । ରୌପ୍ୟ ଫଳକ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ଅନୁବାଦିକା ତଥା ‘ଶତଭିଷା’ ପତ୍ରିକାର ସମ୍ପାଦକ ଶ୍ରୀମତୀ ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା, ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଅଳକା ଚାନ୍ଦ, ବରିଷ୍ଠ ସାହତିି୍ୟକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମଲ ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରସନ୍ନ ହୋତାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ଦ୍ଧନା-୨୦୧୮’ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାନପତ୍ର, ଉତ୍ତରୀୟ ଓ ଦଶହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ଏହି ବରିଷ୍ଠ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ସାହିତ୍ୟ ଅକାଦେମି ଓ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସାହିତ୍ୟିକା ଶ୍ରୀମତୀ ଗାୟତ୍ରୀ ସରାଫ୍‍ ଓ ଅନୁବାଦକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟପକ୍ଷରେ ‘କାଦମ୍ବିନୀ’ର ଶୁଭେଚ୍ଛୁ ଶ୍ରୀଯୁକ୍ତ ଦ୍ୱିତୀକୃଷ୍ଣ ଜେନାଙ୍କୁ ମଧ୍ୟ ‘କାଦମ୍ବିନୀ ଶୁଭେଚ୍ଛୁ ସମ୍ବର୍ଦ୍ଧନା-୨୦୧୮’ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ‘କାଦମ୍ବିନୀ’ର ନୂଆବର୍ଷ ସ୍ୱତନ୍ତ୍ର ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଜାନୁଆରୀ ସଂଖ୍ୟାର ଶୁଭ ଉନ୍ମୋଚନ ହେବା ସଙ୍ଗେସଙ୍ଗେ କାଦମ୍ବିନୀ ମିଡିଆ ପ୍ରକାଶିତ ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ ଏବଂ ଫିଚର ସଂକଳନ ‘ପ୍ରସଙ୍ଗ ଗୁଚ୍ଛ’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସେଥିସହ ଅନ୍ୟ ଅନେକ ପୁସ୍ତକ ଓ ପତ୍ରପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି । ଦିବସବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଊଦ୍ଧ୍ୱର୍ ସାହିତ୍ୟ ଓ କଳାସଂସ୍କୃତି ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଓଡିଶା, କାଦମ୍ବିନୀ, ପତ୍ରିକା ହାଟ, ମହୋତ୍ସବ, ସାହିତ୍ୟ

ବିଜେପୁର ଉପନିର୍ବାଚନ: ସବୁଦଳରେ ଅନ୍ତର୍ଦ୍ଵନ୍ଦ

February 9, 2018 by ଓଡିଶା ଡଟ କମ Leave a Comment

ଦେବଦତ୍ତ ରଥ

ଚଳିତ ମାସ ୨୪ରେ ହେବାକୁ ଥିବା  ବିଜେପୁର ଉପ ନିର୍ବାଚନରେ ଜିତିବା ପାଇଁ  ତିନୋଟି ଯାକ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପୂରା ମନ ପ୍ରାଣରେ ଲାଗି ପଡ଼ିଛନ୍ତି।

ଏହି ନିର୍ବାଚନ ଫଳାଫଳ ତିନୋଟି ଯାକ ଦଳ ପାଇଁ ଗୁରୁତ୍ୱ ବହନ କରୁଛି।ଏମିତିରେ ଅନ୍ୟ ସ୍ଥାନରେ ଉପ ନିର୍ବାଚନ ହେବା ଏବଂ ବିଜେପୁର ଭିତରେ ବହୁ ଫରକ ରହିଛି।

ବିଜେପୁର ଉପନିର୍ବାଚନକୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବାରେ ନବୀନଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇ ରହିଛି।

ତେଣେ କଂଗ୍ରେସ ସୁପ୍ତ,ନିଷ୍କ୍ରିୟ କୁହା ଯାଉଥିଲେ ମଧ୍ୟ ଏହି ଆସନଟି ପୂର୍ବରୁ କଂଗ୍ରେସ ହାତରେ ଥିବାରୁ ତାହା କଂଗ୍ରେସ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି ।

କିନ୍ତୁ ଏ ଭିତରେ ମୃତ ବିଧାୟକଙ୍କ ପତ୍ନୀ ରୀତା ସାହୁଙ୍କୁ ଟିକେଟ ଦେଇ ବିଜେଡି ରାଜନୈତିକ କୌଶଳରେ ପରିପକ୍ଵତା ପ୍ରଦର୍ଶନ କରିଛି ।

ବିଜେପୁର ଉପନିର୍ବାଚନ୨୦୧୪ ବିଧାନ ସଭା ନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୪୫୮ ଭୋଟ ବ୍ଯବଧାନ ରେ ହାରିଥିଲେ। ତେବେ ହେବାକୁ ଥିବା ଉପନିର୍ବାଚନରେ ନବୀନଙ୍କ ଲୋକ ପ୍ରିୟତା ଏବଂ ସହାନୁଭୁତି ଆଧାରରେ ଭୋଟ ଅକ୍ତିଆର କରିବାର ବିଜେଡି ଯୋଜନା ରଖିଛି।

ଅନ୍ୟ ପକ୍ଷରେ କଂଗ୍ରେସ ବିଳମ୍ବରେ ପ୍ରାର୍ଥୀ ଚୟନ କରି ସମାଲୋଚିତ ହୋଇଥିବା ବେଳେ, ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି ଏବେ ପାରମ୍ପରିକ ଭୋଟ ଆଧାରରେ ଜିତିବାର ଆଶା ରଖି କସରତ ଆରମ୍ଭ କରି ଦେଇଛି।

ଏଣେ ମୋଦୀ ହାୱା ଭିତରେ ଏବଂ ଅମିତ ଶାହାଙ୍କ ରାଜ୍ୟରେ ମିଶନ-୧୨୦ ଯୋଜନାରେ ବିଜେପି, ତାହା ବିଜେପୁରରୁ ଆରମ୍ଭ କରିବା ପାଇଁ ଲାଗି ପଡ଼ିଛି। ବିଜେପି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ।

ବିଜେପୁର ଉପନିର୍ବାଚନତେବେ ସବୁ ଦଳରେ କିଛି ନା କିଛି ଅନ୍ତର୍ଦ୍ଵନ୍ଦ ଥିବା ପରିଲକ୍ଷିତ ହୋଇଛି ।ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଦଳର ସବୁ କର୍ମୀ ପୂର୍ଣ ମାତ୍ରାରେ ସମର୍ଥନ କରୁନଥିବା ବେଳେ, କଂଗ୍ରେସର ଗୋଟିଏ ଗୋଷ୍ଠୀ ସାହୁଙ୍କ ପ୍ରାର୍ଥିତ୍ଵ କୁ ଭିତରେ ଭିତରେ ବିରୋଧ କରୁଛନ୍ତି।

ଠିକ ସେହି ପରି ବାହାରକୁ ବିଜେପି ଜୋରଦାର ଲଢ଼େଇ କରିବ ବୋଲି ଜଣା ପଡୁଥିଲେ ମଧ୍ୟ ଭିତରେ ଭିତରେ ବିଜେପି ଭିତରେ ଅନ୍ତର୍ଦ୍ଵନ୍ଦ ବଢିଥିବା ପରିଲକ୍ଷିତ ହୋଇଛି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଉପେନ୍ଦ୍ର ଖେତି, କୌସ୍ତୁଭ ସାହୁ, ଶରତ ଦାସ, ବୀରସେନ ସାହୁ ଏବଂ କୈଳାସ ବେହେରା ଏହିପରି ପାଞ୍ଚ ଜଣଙ୍କୁ ଦଳରୁ ବହିଷ୍କାର କରିଥିବାରୁ ଏହା ସ୍ପଷ୍ଟ ହୋଇଛି ।

ଦଳରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରି ଆସୁଥିବା ପ୍ରକୃତ ସଙ୍ଗଠକ ମାନଙ୍କୁ ଅଣ ଦେଖା କରାଯାଇଥିବା ଅଭିଯୋଗ ହୋଇଛି ।

ଉପନିର୍ବାଚନର ଫଳାଫଳ ଫେବ୍ରୁଆରୀ ୨୮ରେ ପ୍ରକାଶ ପାଇବ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର, ରାଜନୀତି Tagged With: ଉପନିର୍ବାଚନ, ବିଜେପୁର

ଆଦି ନାଟ୍ୟକାର ଜଗନ୍ମୋହନ ଲାଲ୍ ଙ୍କ ସମ୍ପର୍କରେ ୧୦ଟି ଜାଣିବା କଥା

January 4, 2018 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ୱର ସାହୁ

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ ପରି ଅଯୌକ୍ତିକ ସ୍ଲୋଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା । ସେହି ଅନନ୍ୟ ଆନ୍ଦୋଳନର ଅନ୍ୟ ଜଣେ ସାରଥି ଥିଲେ ଜଗନ୍ମୋହନ ଲାଲ । ଓଡ଼ିଆ ନାଟ୍ୟ ସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” ।

ସତୀପ୍ରଥା ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରି ସେ ନିଜର ବିଧବା ଝିଅ ଲାବଣ୍ୟର ପୁନର୍ବିବାହ କରାଇଥିଲେ ଓ ତତ୍କାଳୀନ ସମାଜରେ ତାହା ହିଁ ସୃଷ୍ଟି କରିଥିଲା ଗୁଞ୍ଜରଣ ।

ସେ ଥିଲେ ସମାଜସେବୀ, ନାଟକର ନାୟକ, ନିର୍ଦ୍ଦେଶକ, ମଞ୍ଚ ପ୍ରସ୍ତୁତକାରୀ- ବହୁ ନାଟକର ଲେଖକ, ବହୁ ବିନିଦ୍ର ରଜନୀର ଅଭିନେତା-ନିଜ ନାଟକରେ ନିଜେ । ଜଣେ ସଚ୍ଚୋଟ ସରକାରୀ କର୍ମଚାରୀ ଓ ସର୍ବୋପରି କବି । ତାଙ୍କ ସମ୍ପର୍କରେ କେତୋଟି ଜାଣିବା କଥା ।

୧)  ସମୟର କ୍ଷୀପ୍ର ସୂଅରେ ବିସ୍ମୃତ ସେହି ବିରଳ ବ୍ୟକ୍ତିତ୍ୱ ଜଗନ୍ମୋହନ ଲାଲଙ୍କ ଜନ୍ମ ୧୮୩୮ ମସିହା ନଭେମ୍ବର ପଚିଶ ତାରିଖରେ ।

ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରଠାରୁ ପଚିଶ ମାଇଲ ଦୂର ମାହାଙ୍ଗାରେ ପିତା ନାରାୟଣ ପ୍ରସାଦ ଏବଂ ମାତା ୟୋନା ଦେବୀଙ୍କ ପ୍ରେରଣାରେ ଜଗନ୍ମୋହନ ଗାଁ ଚାଟଶାଳୀ ପାଠ ପରେ, କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ୧୮୬୦ରେ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ ।

ସେ ସମୟରେ କେହି ଛାତ୍ର ମାଟ୍ରିକ୍ ପାଶ୍ କରିବାକୁ ଗୌରବ ବୋଲି ବିଚାର କରାଯିବା ସଙ୍ଗେ ସଙ୍ଗେ ସରକାରୀ ଅଫିସ୍ ରେ ଚର୍ଚାର  ବିଷୟ ହୋଇଥିଲା ।

ମାଟ୍ରିକ୍ ପାଶ୍ ପରେ ପରେ ଜଗନ୍ମୋହନ କଟକ କଲେକ୍ଟରଙ୍କ ଅଫିସରେ ଶିରସ୍ତାଦାର ଭାବେ ଯୋଗ ଦେଲେ । ସେଇଠୁ ଆରମ୍ଭ ହୁଏ ତାଙ୍କ ନିଷ୍ଠାପର ଚାକିରି ଜୀବନକାଳ ।

ଚାକିରିକାଳ ଭିତରେ ନିଜର କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା ଯୋଗୁଁ ତାଙ୍କ ଅବସର ପରେ ବି ବଙ୍ଗଳାର ବଡ଼ଲାଟ୍ ତାଙ୍କୁ ଏକ ନୈଶ୍ୟ ଭୋଜିକୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ବାରିଷ୍ଟର ମଧୁସୂଦନ ଦାସ । ଏପରି ସମ୍ମାନ ଖୁବ୍ କମ ବ୍ୟକ୍ତିଙ୍କୁ ମିଳୁଥିଲା ।

ସମାଜର କଟୁ ସମାଲୋଚନାକୁ ଭ୍ରୂକ୍ଷେପ ନକରି ନିଜର ବିଧବା କନ୍ୟା ଲାବଣ୍ୟକୁ ପୁନର୍ବିବାହ ଦେବାଫଳରେ ସୃଷ୍ଟି ହେଲା ଏକ ଯୁଗାନ୍ତର ।

ସତୀଦାହ ପ୍ରଥାର ବିରୋଧ କରି ପରବର୍ତ୍ତୀ ଜୀବନରେ ସେ ଲେଖିଥିଲେ “ସତୀ” ଶୀର୍ଷକ ନାଟକ । ଏହି ନାଟକର ସାମାଜିକ ପ୍ରଭାବକୁ ‘ସମ୍ବାଦ ବାହିକା’ ଓ ‘ନବସମ୍ବାଦ’ ଭୂୟସୀ ପ୍ରଶଂସା କରିଥିଲେ ।

୨) ଜଗନ୍ମୋହନଙ୍କ ସାହିତ୍ୟିକ ଜୀବନର ଉନ୍ମେଷ କାଳ ଓ ପ୍ରେରଣା ଅଜ୍ଞାତ ଥିଲେ ହେଁ ୧୮୬୮ ମସିହାରେ ତାଙ୍କ ରଚିତ ‘ଭ୍ରମଭଞ୍ଜନ’ ଥିବା ତାଙ୍କ କାବ୍ୟ ପ୍ରୟାସର ପ୍ରଥମ ପାଦଟୀକା ।

ସେ ସମୟରେ ଓଡ଼ିଆ ସ୍କୁଲ ଗୁଡ଼ିକରେ ଇଂରାଜୀ ଓ ବଙ୍ଗଳା ପାଠର ପ୍ରାଦୁର୍ଭାବକୁ ଭାଙ୍ଗିବା ପାଇଁ ଜଗନ୍ମୋହନ ଲାଲ୍ ସାର୍ ଟଏନ୍ବିଙ୍କ ‘ଓଡ଼ିଶା ଇତିହାସ’ର ପ୍ରଥମ ପରିଚ୍ଛଦ ଅନୁବାଦ କରି ‘ଓଡ଼ିଶା ବିଜୟ’ ନାମକ ଐତିହାସିକ ତଥ୍ୟସମ୍ବଳିତ ଏକ ପୁସ୍ତକ ରଚନା କରିଥିଲେ ।

୩) ୧୮୬୦ମସିହା ବେଳକୁ ଓଡ଼ିଆ ଭାଷାରେ ସୃଷ୍ଟି ହୋଇନଥାଏ ନାଟକ ରଚନାର କ୍ଷେତ୍ର । ପାରଳାଖେମୁଣ୍ଡି (ଅଧୁନା ଗଜପତି ଜିଲ୍ଳା)ର ରଘୁନାଥ ପରିଚ୍ଛାଙ୍କ ନାଟକ “ଗୋପୀନାଥ ବଲ୍ଲଭ” ୧୮୬୮ରେ ପ୍ରକାଶିତ ହେବା ପରେ ‘ନା-ଟକ’, ‘ନା-ମିଷ୍ଟ’ ପରି ବ୍ୟଙ୍ଗ ଓ ସମାଲୋଚନାର ଶରବ୍ୟ ହୋଇ ସାରିଥାଏ ।

ନାଟକର ଏହି ସନ୍ଧିକ୍ଷଣ ସମୟରେ ଜଗନ୍ମୋହନ ପ୍ରତିଷ୍ଠା କଲେ “ରାଧାକାନ୍ତ ରଙ୍ଗମଞ୍ଚ” ଓ ତା’ ସହିତ ସୂତ୍ରପାତ ହେଲା ନାଟକ ଅଭିନୟର ଆଦ୍ୟ ସଂକଳ୍ପ ।

୧୮୭୭ରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶିତ ହେଲା “ବାବାଜୀ” ନାଟକ । ଏହାକୁ ଓଡ଼ିଶାରେ ପ୍ରକାଶିତ ପ୍ରଥମ ନାଟକର ମାନ୍ୟତା କେବଳ ଦିଆଯାଏ ନାହିଁ- ଏହା ତକ୍ରାଳୀନ ସମାଜର ସାମାଜିକ ଜୀବନ ଓ ଅର୍ଥନୈତିକ ଅବସ୍ଥାର ଦର୍ପଣ ।

୪)ଜମିଦାରମାନଙ୍କର ଅତ୍ୟାଚାର, ଶୋଷଣ, ମଠ ମହନ୍ତଙ୍କର ବ୍ୟଭିଚାର, ଅର୍ଦ୍ଧଶିକ୍ଷିତ ଯୁବକମାନଙ୍କର ଉତ୍ସୃଙ୍ଖଳତା, ଚାରିତ୍ରିକ ଅଧୋଃଗତି, ମଦ୍ୟପାନ ଏବଂ ଗୁଣିଗାରେଡ଼ି ପରି କୁସଂସ୍କାର ସମ୍ପର୍କରେ ଜଗନ୍ମୋହନ ଲାଲ୍ ନିର୍ଭୀକତାର ସହ ‘ବାବାଜୀ’ ନାଟକରେ ଉଲ୍ଲେଖ କରିଛନ୍ତି ।

ଏହାର ପାତ୍ରୋଚିତ ସଂଳାପ, ଯୁଗୋପଯୋଗୀ ଭାବବସ୍ତୁ ତଥା ସାବଲୀଳ ଶୈଳୀ ନାଟ୍ୟକାରଙ୍କ ମୌଳିକ କଳ୍ପନା ଶକ୍ତିର ପରିଚୟ । ସେଥିରେ ଲାଲ୍ ମହାଶୟ ପରିବେଷଣ କରିଛନ୍ତି ନିଶା ନିବାରଣ ସମ୍ପର୍କରେ ଏକ ବାର୍ତ୍ତା ।

୫) ସତ୍ୟନିଷ୍ଠ ଓ ସତ୍ଚରିତ୍ରର ଲୋକ ନହେଲେ ପରିସ୍ଥିତିର ସଂଘାତରେ ତିଷ୍ଠି ରହିପାରିବ ନାହିଁ, ଏହା ହିଁ ‘ବାବାଜୀ’ ନାଟକରେ ଲାଲ୍ ମହାଶୟଙ୍କ ବୈପ୍ଳବିକ ମନୋବୃତ୍ତି ପ୍ରତିଫଳିତ ।

ସିଧାସଳଖ ବିଷୟବସ୍ତୁର ଅବତାରଣା ମଧ୍ୟରେ ଜଗନ୍ମୋହନଙ୍କ ଆଧୁନିକତା ସେ ସମୟର ସମାଜର ଚିତ୍ରକୁ ପ୍ରତିନିୟତ ଧରି ରଖିବାରେ ସଫଳ ହୋଇଛି ।

୬) ‘ବାବାଜୀ’ ନାଟକର ନାୟକ ଓ ନିର୍ଦ୍ଦେଶକ ଥିଲେ ନିଜେ ଲାଲ୍ ମହାଶୟ । ଏକାଧାରରେ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ମଞ୍ଚସ୍ରଷ୍ଟାର ସଫଳ ରୂପକାର ।

‘ବାବାଜୀ’ ନାଟକର ଦଶବର୍ଷ ପରେ ଜଗନ୍ମୋହନଙ୍କ କଲମରୁ ସୃଷ୍ଟି ହୁଏ “ସତୀ”, ଅନ୍ୟ ଏକ ବିତର୍କିତ ନାଟକ । ଗଡ଼ଜାତ ମୂଲକର ଅନ୍ଧାରୀ ଶାସନର ସନ୍ତ୍ରାସ ତଳେ ନିରୀହ ପ୍ରଜାଙ୍କ ଉତ୍ପୀଡ଼ନ, ନାରୀ ନିର୍ଯାତନାର ସକଳ ଚିତ୍ର ‘ସତୀ’ ନାଟକରେ ଜୀବନ୍ତ ।

ନାଟକର ନାୟିକା ଲାବଣ୍ୟ ହିନ୍ଦୁନାରୀର ସତୀତ୍ୱର ଗୌରବ ରକ୍ଷା କରିବାକୁ ଯାଇ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିଛି ତା’ର ଏକ କରୁଣ ଦୃଶ୍ୟ ‘ସତୀ’ ନାଟକର ଯବନିକା ।

୭) ‘ସତୀ’ ନାଟକରେ ସନ୍ନିବେଶିତ ହୋଇରହିଛି ଗଡ଼ଜାତର ନରବଳି, ତକ୍ରାଳୀନ ସମାଜରେ ମାଦକ ଦ୍ରବ୍ୟର ପ୍ରଭାବ ଏବଂ ସାମାଜିକ ତଥା ଅର୍ଥନୈତିକ ସମସ୍ୟାର ଚିତ୍ର ।

୧୮୯୬ ଦୁର୍ଗାପୂଜା ସମୟରେ ‘ସତୀ’ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୁଏ ଜଗନ୍ମୋହନଙ୍କ ଗ୍ରାମ ମାହାଙ୍ଗାର ‘ରାଧାକାନ୍ତ ରଙ୍ଗମଞ୍ଚ’ରେ ଓ ଦୃଷ୍ଟି ଆକର୍ଷଣକରେ ସାଧାରଣ ଜନତାଙ୍କଠାରୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ।

୮) ଜଗନ୍ମୋହନ ଲାଲ୍ ଙ୍କ  ତୃତୀୟ ନାଟକ “ପ୍ରୀତି” । ତିନିଅଙ୍କ ବିଶିଷ୍ଟ ଏହି ନାଟକରେ ଚାରୋଟି ଦୃଶ୍ୟ ସନ୍ନିବେଶିତ ।

ଏହି ନାଟକରେ ଅମିତ୍ରାକ୍ଷର ଛନ୍ଦର ବ୍ୟବହାର ସହିତ ପ୍ରବଚନର ବ୍ୟବହାର ମଧ୍ୟ ଅଭିନବ । ଏହି ନାଟକଟି ଲାଲ୍ ମହାଶୟଙ୍କ ପରିପକ୍ୱ ବୟସରେ ଲେଖା ହୋଇଥିବାରୁ ବିଷୟବସ୍ତୁ ଅଧିକ ଉନ୍ନତ ଓ ସମାଜ ସଚେତନତାଶୀଳ ।

ଜାତି-ଧର୍ମର ପ୍ରାଚୀର ଠିଆ କରି ହୃଦୟର ବନ୍ଧନକୁ ନିର୍ମମ ଭାବରେ ଛିନ୍ନ କରିବାର ଦୃଷ୍ଟାନ୍ତ ରହିଛି ‘ପ୍ରୀତି’ ନାଟକ ଛତ୍ରେ ଛତ୍ରେ ।

ସମାଲୋଚକମାନେ ‘ପ୍ରୀତି’ ନାଟକର ଅଭିନୟ ସମ୍ପର୍କରେ ନୀରବ ଥିବାବେଳେ ଜଗନ୍ମୋହନଙ୍କ ନାତି ସ୍ୱର୍ଗତଃ ଦାଶରଥିପ୍ରସାଦ ଲାଲ ସମସ୍ତ ନାଟକ ଅଭିନୀତ ହେବା କଥା ଦାବି କରିଥିଲେ । ଜଗନ୍ମୋହନଙ୍କ ଅନ୍ୟ ଏକ ନାଟକ “ବୃଦ୍ଧବିବାହ” ।

ତକ୍ରାଳୀନ ସମାଜରେ କନ୍ୟା ପିତାମାତା ଋଣଦାଉରୁ ରକ୍ଷା ପାଇବା ପାଇଁ ନିଜର ତରୁଣୀ କନ୍ୟାଙ୍କୁ ବୃଦ୍ଧ ଜମିଦାରଙ୍କୁ ବିବାହ ଦେଉଥିଲେ । ଏହି ପ୍ରକାର ଏକ କୁତ୍ସିତ ସମାଜର ଚିତ୍ର ବହନ କରେ ‘ବୃଦ୍ଧ ବିବାହ’ ।

ପ୍ରକୃତରେ ଦେଖିବାକୁ ଗଲେ ଲାଲ୍ ମହାଶୟ ଜଣେ ସମାଜ ସଚେତନ ସତର୍କ ପ୍ରହରୀ । ତାଙ୍କ ସୃଜନଶିଳ୍ପରେ ସମାଜର ସମସ୍ତ ଦୋଷ, ଦୁର୍ବଳତା ନାଟକର ରୂପନେଇ ପରିସ୍ଫୁଟ ।

ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଜଡ଼ତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଥିଲା ତାଙ୍କ ସୃଜନ ନାଟକମାନଙ୍କର ଏକକ ସଂକଳ୍ପ ।

ପ୍ରଥମ ସାମାଜିକ ନାଟକ ‘ବାବାଜୀ’ର ବାଷଠୀ (୬୨)ବର୍ଷ ପରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଲେଖିଥିଲେ ଦ୍ୱିତୀୟ ସାମାଜିକ ନାଟକ “ଗାର୍ଲ ସ୍କୁଲ” । “ବଳୀନ୍ଦ୍ର” ଓ “ଜେନାମଣି” ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଖୋଦ୍ ଜଗନ୍ମୋହନ୍ ।

୯) ଏପରିକି ୧୯୧୧ରେ ନିଜ ଗ୍ରାମ ମାହାଙ୍ଗା ଅଞ୍ଚଳରେ ୭୦ଜଣ ଜମିଦାରଙ୍କୁ ସମବେତ କରି ‘ପ୍ରଜାସ୍ୱତ୍ତ୍ୱ ଆଇନ’ ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ ଓ ପରେ ୧୯୩୮ରେ ବିଶ୍ୱନାଥ ଦାଶ ଏହି ଆଦର୍ଶର ପ୍ରବର୍ତ୍ତନ କଲେ ।

ଅନେକ ମୌଳିକ ଚିନ୍ତାଧାରାରେ ପ୍ରଥମ, ସୃଜନ-ସଂକଳ୍ପର ଆଦର୍ଶ, ରାଜନୀତି ଓ ସମାଜ ସେବାରେ ଅଗ୍ରଣୀ, ଅନେକ ନାଟକର ନାୟକ, ସମୟ ସୂଅରେ ଆଜି ବିସ୍ମୃତ । କିନ୍ତୁ ବିରଳ ତାଙ୍କ ନାଟକ ଓ ଜୀବନାଦର୍ଶର ଦସ୍ତାବିଜ୍ ।

୧୦) ଆଧୁନିକ ଜୀବନର ଫାଙ୍କା ଆଦର୍ଶ ଭିତରେ ତଥାପି ଲୁପ୍ତ ବିସ୍ମୃତ ନୁହନ୍ତି ସେ । ୧୯୧୩ ଡିସେମ୍ବର ୨୬ ତାରିଖରେ ଏହି ମହାନ ଯୁଗପୁରୁଷଙ୍କ ଜୀବନର ଅବସାନ ଘଟିଥିଲା ।

ଏହି ଦୃଷ୍ଟିରୁ ଜନ୍ମୋହନଙ୍କୁ ସାମାଜିକ ନାଟକର ଆଦ୍ୟ ପ୍ରବର୍ତ୍ତକ ହିସାବରେ ଆଦି ନାଟ୍ୟକାର ବୋଲି ଅନେକେ ଅଭିହିତ କରନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ

ପୁସ୍ତକ ସମୀକ୍ଷା: BEYOND FEELINGS

December 29, 2017 by ଓଡିଶା ଡଟ କମ Leave a Comment

BEYOND FEELINGS
Poet: Bishnupada Sethi
Publisher: Universe, Inch Bloomington, America

“Where shall I go” (2005) ଏବଂ My world of words‘ (2010) -ପରେ ‘Beyond Feeling‘ (2012) ପ୍ରଶାସକ କବି ବିଷ୍ଣୁପଦ ସେଠୀଙ୍କ ତୃତୀୟ ଇଂରାଜୀ କବିତା ସଙ୍କଳନ , ଯାହା ଆମେରିକାରୁ ପ୍ରକାଶିତ ।

ଛଅସ୍ତରୀଟି କବିତାକୁ ନେଇ ସଙ୍କଳିତ ଏହି ପୁସ୍ତକର ଶୀର୍ଷକ କବିତା ‘Beyond feelings‘ ସଙ୍କଳନଟିର ପ୍ରଥମ କବିତା ।

କବି ମାତୃଗର୍ଭକୁ ଘରର ଏକ ଆର୍କିଟାଇପ୍ ଭାବେ ଉପସ୍ଥାପନ କରିଛନ୍ତି । ତାହା ଏତେ ଅନ୍ତରଙ୍ଗତା ସତ୍ବେ ଏବେ ତାଙ୍କ ଭାବଭୂମିର ପରିସୀମା ବାହାରେ ରହିଥିବାରୁ ତାଙ୍କୁ ବ୍ୟଥିତ କରିଛି ।

ତେବେ ବାପାଙ୍କ ନିରାପଦ ବାହୁବେଷ୍ଟନୀ ସେଇ “ଘର’ର ଏକ ସଂପ୍ରସାରଣ ଭାବେ ପ୍ରକୀର୍ତିତ ହୋଇଛି । ଅନ୍ତରଙ୍ଗ ଅନୁଭବର ପ୍ରତୀକଭାବେ ଘର ଏବେ ତାଙ୍କ ପାଇଁ ଅପହଂଚ ହୋଇ ରହିଯାଇଛି ।

‘Alien’ କବିତାରେ ନିଜ ଗାଁ ଭିଟାମାଟି ର ସହରୀ ପରିବର୍ତନ ତାକୁ କବିଙ୍କଠାରେ ଅଚିହ୍ନା କରିଦେଇଛି । ତେଣୁ ସେ ଘର ହେଉ ବା ଘର ପାଇଁ ଅନ୍ୱେଷଣ, କବିଙ୍କ ସାରସ୍ୱତ ଚେତନାରେ ତାହା ଦୃଢ଼ଭାବେ ଆସୀନ । ଘରଠୁଁ ଦୂରେଇ ବି ସେ ଯେଉଁଠି /ଯେଉଁ ପରିସ୍ଥିତିରେ ଅଛନ୍ତି ତାକୁ ଘରଭାବେ ଗଢ଼ିବାର ଉଦାର ପ୍ରବଣତା ଏଇ ଅନ୍ୱେଷଣର ଫଳଶୃତି ।

I make a new homne, Each time I change my place (changing homes) ଅନୁଭୂତି ଓ ଅନୁଭବ ପାଇଁ ଆବେଗମୟ ଉତ୍କଣ୍ଠା Climbing up କବିତାର ଥିମ୍ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

ପର୍ବତ ଆରୋହଣର କଷ୍ଟ ପାଇ ହୁଏତ ଆରୋହୀ ଏକ ଶୂନ୍ୟତାବୋଧ ନେଇ ଏ ଆରୋହଣର ଔଚିତ୍ୟ ସମ୍ବନ୍ଧରେ ନିଜକୁ ପ୍ରଶ୍ନ କରିପାରେ । ମାତ୍ର ଆରୋହଣ କଷ୍ଟ ବିନା ଯେ ଏ ଅନୁଭବ ଦୁଷ୍ପ୍ରାପ୍ୟ ଏହା କବିଙ୍କୁ ସେଭଳି କଷ୍ଟ ସ୍ୱୀକାର ପାଇଁ ଅନୁପ୍ରେରଣା ଦେଇଛି, ଯାହା ‘Geraldଙ୍କ wander thirst’ କବିତାକୁ ମନେ ପକାଇ ଦିଏ । ଅନୁଭୂତି ପାଇଁ ପାଗଳାମି ହିଁ ସବୁ ଯାତ୍ରା, ସବୁ ସର୍ଜ୍ଜନାର ପ୍ରେରଣା ଭୂମି ।

ଶୈଶବକୁ ନେଇ ରଚିତ କବିତା ମାନଙ୍କରେ ଶୈଶବ ଖାଲି ନିଷ୍ପାପପଣ ନୁହେଁ, ବରଂ ଏକ ପର୍ଯ୍ୟାୟ ଯେଉଁଠି ଜୀବନ-ଜିଜ୍ଞାସା ଅପ୍ରଭାବିତ ଓ ମୌଳିକ ପ୍ରଶ୍ନ ମାଧ୍ୟମରେ ଶବ୍ଦାୟିତ । ବୟସ୍କ ମୂଲ୍ୟବୋଧକୁ ନେଇ ଦିଆଯାଉଥିବା ଉତ୍ତର ସେ ଜିଜ୍ଞାସାକୁ କେବେ ବୁଝାଇ ପାରେନା । ଏହି ଥିମ୍ କୁ ନେଇ ‘Querry of my little daughter’ କବିତା ।

ହାତ ଖଣ୍ଡିଆ ଭୀକାରୁଣୀକୁ ଦେଖି କୁନି ଝିଅଟିର ପ୍ରଶ୍ନ : ତା ଯତ୍ନ ପାଇଁ ତା’ର ନିଜର ବୋଲି କେହି ଅଛନ୍ତି ତ? ବାପାଙ୍କ ଉତ୍ତର, ଭଗବାନ ଅଛନ୍ତି, ତାକୁ ନିଶ୍ଚୟ ସାହାଯ୍ୟ କରୁଥିବେ । ଝିଅର ପ୍ରଶ୍ନ : ଯଦି ଭଗବାନ ଅଛନ୍ତି ସେ ତା’ର ହାତ ଯୋଡ଼ିକ କାହିଁକି ନେଇଗଲେ, ଯାହାଥିଲେ ଝିଅଟି କେଡ଼େ ସୁବିଧାରେ ଚଳନ୍ତା । ବାପା ନିରୁତ୍ତର ।

ମିଲଟନ ସିନା ପାରାଡ଼ାଇଜ୍ ଲଷ୍ଟରେ ଲେଖିଥିଲେ -‘to justify the ways of god go man’ ଠିକ୍ ସେମିତି ‘My children the sea’ କବିତାରେ ଶିଶୁଟି ଦ୍ୱାରା ବହୁ ଯତ୍ନରେ ନିର୍ମିତ ବାଲି ଘରକୁ ସମୁଦ୍ର ଢ଼େଉ ଭାଙ୍ଗିଦେଲେ ବୟସ୍କମାନେ ଶକ୍ତିଶାଳୀ ସମୁଦ୍ର ତା’ ସହିତ ଖେଳୁଛି ବୋଲି କହି ସାନ୍ତ୍ୱନା ଦିଅନ୍ତି ସିନା ମାତ୍ର ଶିଶୁ ମନରେ Shakespearଙ୍କ King Lear ନାଟକରେ ଈଶ୍ୱରଙ୍କ ବିରୋଧରେ ଥିବା ସେଇ ଅଭିଯୋଗ ପ୍ରତିଧ୍ୱନିତ : As flies to wanton boys; So are we to gods, they kill us for their spot;

ସଙ୍କଳନର ଶେଷ କବିତା My last Paperboat’ ଯେଉଁଠି ଜର୍ମାନ ଦାର୍ଶନିକ Nietzsche ଈଶ୍ୱରଙ୍କ ମୃତ୍ୟୁ ଘୋଷଣା କଲାଭଳି କବି ନିଜ ନିରୀହତା ମୃତ୍ୟୁର ଉଦଘୋଷଣା କରନ୍ତି:

‘I failed to remember the time
when I spotted making them
though there have been rains
years after years since then;

କବିତା ମାନଙ୍କରେ ଦୃଶ୍ୟ, ଚରିତ୍ର, ଘଟଣା ଓ ବର୍ଣ୍ଣନା ପାଇଁ କବି ନିଜକୁ ଏମିତି ଏକ ସ୍ଥିତିରେ ରଖିଛନ୍ତି ଯାହା ନିରୀକ୍ଷକର ଦୂରତ୍ୱ ସହିତ ଅନୁଭବୀର ସଂପୃକ୍ତିକୁ ସମନ୍ୱିତ କରିଛି ।

ଭାଷା ଓ ଭାବର ସରଳତା, ନିବିଡ଼ତା, ସାଙ୍ଗୀତିକତା, ପ୍ରବହମାନତା ଓ ସର୍ବୋପରି କବିତା ମାନଙ୍କ କଳେବରର କ୍ଷୁଦ୍ରତା ବିଷ୍ଣୁ ସେଠୀଙ୍କ କାବ୍ୟକୃତିର ହଲମାର୍କ ଯାହା ପାଠକଙ୍କ କବିତାବୋଧକୁ ସିଧା ସଳଖ ସମ୍ବୋଧିତ କରି ସ୍ପର୍ଶ କରେ । ଉଉତ୍ତରଣ କାମନା କରୁଛି ।

ସମୀକ୍ଷକ: ରବିନାରାୟଣ ଦାଶ
ପୂର୍ବତନ ସଭାପତି, ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପୁସ୍ତକ ସମୀକ୍ଷା, ମୁଖ୍ୟ ଖବର, ସାହିତ୍ୟ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 269
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ