• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯଟନ

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

December 23, 2019 by ଓଡିଶା ଡଟ କମ Leave a Comment

ଆପଣ ଯଦି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସଂପର୍କରେ ଗୁଗୁଲରେ ଖୋଜିବା ଆରମ୍ଭ କରିବେ, ତେବେ ନିଶ୍ଚୟ ସେ ଆପଣଙ୍କୁ ବୌଦ୍ଧ ନିକଟରେ ପହଞ୍ଚାଇଦେବ।

କନ୍ଧମାଳଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନ୍ୟତମ ଛୋଟିଆ ଜିଲ୍ଲା (ଲୋକସଂଖ୍ୟା ତୁଳନାରେ ଦେବଗଡ଼ ପରେ)।

ମୁଁ ବଲାଙ୍ଗିର ଜିଲ୍ଲାପାଳ ଥିବା ସମୟରେ ଅନେକ ଥର ବୌଦ୍ଧ ରାସ୍ତା ଦେଇ ଯାଇଛି, ହେଲେ କେବେ ଏଠାରେ ଅଟକି ଏହାକୁ ନିରୀକ୍ଷଣ କରିନାହିଁ।

ତେବେ ମୁଁ ଜଳସଂପଦ ବିଭାଗ ସଚିବ ଥିବା ସମୟରେ ଏହି ଜିଲ୍ଲାରେ ବାଘ୍ ଜଳସେଚନ ପ୍ରକଳ୍ପ ହୋଇଥିଲା ଏବଂ ମୋତେ ବୌଦ୍ଧଠାରେ ଗୋଟେ ରାତି କଟାଇବାକୁ ପଡ଼ିଥିଲା।

ଗୌତମ ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ତିନିଟି ଉଚ୍ଚ ବୌଦ୍ଧ ମୂର୍ତ୍ତି ସମେତ ପଥର ଓ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ଏଠି ସେଠି ରହିଛି।

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତିନିଟି ଉଲ୍ଲେଖନୀୟ ବୁଦ୍ଧ ମୂର୍ତ୍ତି ଥିବାରୁ ଏହି ଜିଲ୍ଲାର ବୌଦ୍ଧ ସଂସ୍କୃତି ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ।

ସେହିପରି ବୌଦ୍ଧ ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।

ବୌଦ୍ଧ ସହରର ଆଉ ଏକ ଆକର୍ଷଣ ହେଉଛି ଏଠାକାର ଯୋଗିନ୍ଦ୍ର ଭିଲ୍ଲା ପେଲେସ୍, ଯାହା ସ୍ଥାନୀୟ ଲୋକଙ୍କ ମୁହଁରେ ରାଜବାଟୀ ଭାବେ ପରିଚିତ।

ଜଣେ ଉଦାର ଓ ଦାନଶୀଳ ରାଜା ଭାବେ ପରିଚିତ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳରେ ଏହାକୁ ନିର୍ମାଣ କରିଥିଲେ।

ଏହି ରାଜବାଟୀ ନିକଟରୁ ଆପଣ ମହାନଦୀକୁ ସଂପୂର୍ଣ୍ଣ ଦେଖିପାରିବେ।

ସେହିପରି ଏହି ରାଜବାଟୀ ଭିତରେ ଭୈରବୀ ଓ ମଦନମୋହନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବେ।

ସେହିପରି ବୌଦ୍ଧ ସହରଠାରୁ ୧୬ କିଲୋମିଟର ଦୂର ଗନ୍ଧରାଡ଼ି ଗାଁ ନିକଟରେ ରହିଛି ଜଗତି।

ଏଠାରେ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଅବସ୍ଥିତ।

ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ଭଂଜ ରାଜାମାନେ ଏହାକୁ ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି।

ଏହି ଦୁଇଟି ମନ୍ଦିର ଦେଖିବାକୁ ଏକାଭଳି, ତେବେ ବାମ ପଟରେ ଥିବା ମନ୍ଦିର ଶିବ (ସିଦ୍ଧେଶ୍ବର)ଙ୍କର
ହୋଇଥିବାବେଳେ ଅନ୍ୟଟି ବିଷ୍ଣୁ (ନୀଳମାଧବ)ଙ୍କର।

ସିଦ୍ଧେଶ୍ବର ମନ୍ଦିରର ଶିଖର ଶିବଲିଙ୍ଗ ଆକୃତିର ଓ ନୀଳମାଧବ ମନ୍ଦିରର ଶିଖର ବ୍ଲୁ କ୍ଲୋରାଇଟରେ ନିର୍ମିତ ଏକ ଚକ୍ରାକୃତିର।

ମହାନଦୀ ଭିତରେ ଥିବା ହନୁମାନ ମନ୍ଦିର ମଧ୍ୟ ଏକ ଆକର୍ଷଣ।

ସେପଟେ ମହାନଦୀ ଭିତରେ ଥିବା ଚନ୍ଦ୍ରଚୂଡ଼ ଓ ମାତଙ୍ଗେଶ୍ବର ମନ୍ଦିର ସେମାନଙ୍କର ଆକୃତି ଓ କାରୁକାର୍ଯ୍ୟ ପାଇଁ
ଯେକୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତି।

ଏହି ଦୁଇଟିଯାକ ହେଉଛି ଶିବ ମନ୍ଦିର।

ବୌଦ୍ଧ ସହରରେ ବି ରହିଛି ପୁରାତନ ଜଗନ୍ନାଥ ମନ୍ଦିର।

ବୌଦ୍ଧ ଜିଲ୍ଲା ବୁଲିବା ବେଳେ ଯଦି ଆପଣଙ୍କ ହାତରେ ସମୟ ଥାଏ, ତେବେ ଆପଣ ନାୟକପଡ଼ା ଗୁମ୍ଫା ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟ ବୁଲିବାକୁ ଯାଇପାରିବେ।

ଡମ୍ବରୁଗଡ଼ା ପାହାଡ଼ ଉପରେ ଚଢ଼ି ଆପଣ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ସେହିପରି ମହାନଦୀର ଅପରପାର୍ଶ୍ବରେ ଅବସ୍ଥିତ ମାର୍ଜାକୁଦ ଦ୍ବୀପ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ଆପଣ ଭୁବନେଶ୍ବର, ପୁରୀ, କୋଣାର୍କ ଓ ଚିଲିକା ବାରମ୍ବାର ଦେଖିସାରିବା ପରେ ରାଜ୍ୟର ଏହି ପଶ୍ଚିମ ପ୍ରାନ୍ତକୁ ଆସି ଏଠାକାର ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।

( ଲେଖକ ୧୯୮୫ ବ୍ୟାଚର ଓଡିଶା କ୍ୟାଡର ଆଇ.ଏ.ଏସ୍. ଅଫିସର । ଏବେ ସେ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ)


ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ପର୍ଯଟନ, ବିଶେଷ ଖବର Tagged With: ପର୍ଯଟନ, ବୌଦ୍ଧ

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

December 30, 2017 by ଓଡିଶା ଡଟ କମ Leave a Comment

ବିଘ୍ନେଶ୍ଵର ସାହୁ 

ଚଳିତ ଡିସେମ୍ବର ୩୦ ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନ ଚିଡ଼ିଆଖାନା ତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି।

ଦେଶର ଅନ୍ଯତମ ମନୋରମ ସ୍ଥାନ ଭାବେ ଜଣାଶୁଣା ଏହି ଚିଡିଆଖାନା ସମ୍ପର୍କରେ ପ୍ରସ୍ତୁତ କରୁଛୁ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି ।

୧- ୧୯୬୦ ମସିହାରେ ଏହି ଚିଡିଆ ଖାନା ସ୍ଥାପିତ ହୋଇଥିଲା ଓ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱ ଚିଡ଼ିଆଖାନା ସଂଘର World Association of Zoos and Aquariums (WAZA) ସଦସ୍ୟତା ଲାଭ କରିବାରେ ଭାରତର ପ୍ରଥମ ଚିଡ଼ିଆଖାନା ।

୨- ଏହାର ସମଗ୍ର ପରିବେଷ୍ଟିତ ଅଂଚଳ ହେଉଛି ପାଖାପାଖି ୪.୩୭ ବର୍ଗ କିମି ।୨୦୧୬ ମସିହାର ପଶୁ ଜନଗଣନା ଅନୁସାରେ ଏହି ଚିଡିଆଖାନାରେ ୨୬୬୯ ଟି ବିଭିନ୍ନ ପ୍ରକାର ପଶୁ ରହିଛନ୍ତି ।

୩- ଏହି ଚିଡ଼ିଆଖାନାରେ ୨୧୦ଟି ପଶୁ ଏନ୍କ୍ଲୋଜେର ରହିଛି । ଉଭୟ ପିଞ୍ଜରା ଏବଂ ଖୋଲା ଅଂଚଳରେ ବିଭିନ୍ନ ଜନ୍ତୁମାନଙ୍କୁ ରହିଛି । ୧୧୬ଟି ପିଞ୍ଜରା ଏବଂ ୯୪ଟି ଖୋଲା ପରିବଦ୍ଧ ଅଂଚଳରେ ପଶୁମାନଙ୍କ ମୁକ୍ତ ବିଚରଣର ବ୍ୟବସ୍ଥା ରହିଛି ।

୪- ୩୦୦୪ ପ୍ରଜାତିର ଜୀବଜନ୍ତୁ, ୧୫୪୬ ପ୍ରଜାତିର ପକ୍ଷୀ, ୨୬୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୬୨ ପ୍ରଜାତିର ସରୀସୃପ ଏବଂ ୨୧ ପ୍ରଜାତିର ଉଭୟଚର ପ୍ରାଣୀ ରହିଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ଦେଶରୁ ଓ ଆନ୍ତଃରାଜ୍ୟ ଚିଡ଼ିଆଖାନାରୁ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ନୂଆ ପଶୁପକ୍ଷୀ ଅଣାଯାଇଥାଏ ।

୫- ଏଠାରେ ୧୫ ପ୍ରକାର ସ୍ୱତନ୍ତ୍ର ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୨୦ ପ୍ରଜାତିର ସ୍ୱତନ୍ତ୍ର ପକ୍ଷୀ ଏବଂ ୧୫ ପ୍ରଜାତିର ସରୀସୃପ, ୮୫ ପ୍ରଜାତିର ପ୍ରଜାପତି ଇତ୍ୟାଦି ରହିଛନ୍ତି ।

୬- ନନ୍ଦନକାନନରେ ସ୍ୱତନ୍ତ୍ର ଧରଣର ପାତି ମାଙ୍କଡ଼, ରୋସେଲା, ଷ୍ଟର୍କ ପକ୍ଷୀ ଅନନ୍ୟ ଆକର୍ଷଣ । ଓରାଂଉଟନ୍, ବୟସ୍କ ଶାଗୁଣା, ପାଙ୍ଗେ୍ାଲିନ୍, ଚିତ୍ରିତ ବାଘ, ବର୍ମିଜ ପାଇଥନ୍ ମଧ୍ୟ ଏହାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ।

୭- ୧୯୮୦ ମସିହାରେ ଧଳାବାଘ ଓ ଘଡ଼ିଆଳ କୁମ୍ଭୀର ପାଇଁ ନନ୍ଦନକାନନର ପରିଚିତି ଓ ପ୍ରସିଦ୍ଧି ବ୍ୟାପକ ହୋଇଥିଲା ।

ପୃଥିବୀରେ ପ୍ରଥମ ଧଳାବାଘ ଜନ୍ମ ହୋଇଛନ୍ତି ନନ୍ଦନକାନନରେ, ଫଳରେ ଏହାର ପରିଚିତି ବିଶ୍ୱବ୍ୟାପୀ ହୋଇପାରିଥିଲା ।୧ ଅକ୍ଟୋବର ୧୯୯୧ ରେ ନନ୍ଦନ କାନନରେ ଧଳାବାଘ ସଫାରି ପ୍ରତିଷ୍ଠା ହୋଇଥିଲା ।

୮ – ରହିଥିବା ଅନ୍ୟ ବିରଳ ପ୍ରାଣୀ ମାନଙ୍କ ମଧ୍ୟରେ ରହିଛନ୍ତି ଇଣ୍ଡିଆନ୍ ପାଙ୍ଗୋଲିନ୍, ମୂଷା ହରିଣ, ବିରାଟ ଗୁଣ୍ଡୁଚି ମୂଷା, ସିମ୍ପାଞ୍ଜି, ସ୍ଲଥ ଭାଲୁ, ମୁଗେର, ହିମାଳୟ ଭାଲୁ, ସିଂହଲାଞ୍ଜି ମାଙ୍କଡ଼, ଧଳାବେକର ଷ୍ଟର୍କ, ପରକ୍ୟୁପାଇନ୍ ଓ ଜଳଜ ଝିଟିପିଟି । ଠିକ ସେହିପରି ପାଙ୍ଗୋଲିନ୍ ଓ ଧଳାବେଗ ଶାଗୁଣାଙ୍କ ପ୍ରଜନନ କେନ୍ଦ୍ର ହୋଇଛି ନନ୍ଦନକାନନ।

୯- ଘଡ଼ିଆଳ କୁମ୍ଭୀର ଓ ହିପୋପଟାମସ୍ ସକାଶେ ସବୁଠୁ ଅଧିକା ଏନ୍କ୍ଲୋଜେର ତିଆରି ହୋଇଛି ।

୧୦- ୩୩ଏକର ପରିମିତ ଅଂଚଳରେ ପଶୁମାନଙ୍କ ସକାଶେ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଏବଂ ମାଂସାସୀ ପ୍ରାଣୀମାନଙ୍କ ସକାଶେ କଂସେଇଖାନା ରହିଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଜଣା ଅଜଣା, ପର୍ଯଟନ, ବିଶେଷ ଖବର Tagged With: ଓଡିଶା, ଚିଡିଆଖାନା, ନନ୍ଦନକାନନ, ବିଘ୍ନେଶ୍ଵର ସାହୁ, ଭୁବନେଶ୍ବର

ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ସମ୍ପର୍କରେ ଦଶଟି ତଥ୍ୟ

June 21, 2016 by ନିଉଜ ଡେସ୍କ 3 Comments

ranipur5

କେଦାର ମିଶ୍ର

ରାଣୀପୁର-ଝରିଆଲ, ବଲାଂଗିର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।

ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।

ranipur-jharialଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।

ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

୧। ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।

ranipur-2ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।

ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

୨.  ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।

ranipur-3ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।

୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।

୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।

ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

ranipur-4୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।

୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।

୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

ranipur7୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଇତିହାସ, ଚଉଶଠି ଯୋଗିନୀ ମନ୍ଦିର, ଟିଟିଲାଗଡ ଓଡିଶା, ତନ୍ତ୍ର ପୀଠ, ଦେବୀ, ପରମ୍ପରା, ବଲାଂଗିର, ରାଣୀପୁର-ଝରିଆଲ, ଶିବ, ସ୍ଥାପତ୍ୟ, ହୀରାପୁର

ଓଡିଶାର ବାଂଧ କଳା; ୧୦ଟି ଜାଣିବା କଥା

June 9, 2016 by ନିଉଜ ଡେସ୍କ 1 Comment

Sonepur Blue Silk Saree
ଟାଇ ଓ ଡାଇ ପ୍ରକ୍ରିୟାରେ ତିଆରି ହୋଇଥିବା ଏକ ସୋନପୁର ଶାଢୀ ସୌଜନ୍ୟ: ବୟନିକା

 

କେଦାର ମିଶ୍ର

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।ସୁତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।

ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ  କରିଛି। ସମ୍ବଲପୁର୍, ସୋନପୁର୍, ବୌଦ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୂଗା ର ନିଜସ୍ଵ ଶୈଳୀଓ ସ୍ଵାତନ୍ତ୍ର୍ୟ ରହିଛି।

ତେବେ ସୋନପୁର୍, ବରଗଡ ଓ ବୌଦ ଜିଲ୍ଲା ର ବୁଣାକାର ମାନେ ଏକ ସ୍ଵତନ୍ତ୍ର ଶୈଳୀରେ ବୁଣୁଥିବା ବାଂଧ ଲୁଗାର କଲାତ୍ମକତା , କାରିଗରୀ ଓ ସୌନ୍ଦର୍ଯ୍ୟ ସବୁଠୁ ଅଲଗା।ଏହି ବିରଳ ବାଂଧ କଳା ସମ୍ପର୍କରେ ଜାଣିବା-

୧.  ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା। ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ।

ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି।

୨.  ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୁତା ରେ ଗନ୍ଥୀ ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ।ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ  ଅଲଗା।

ଏଥିରେ ସୁତାର ଗୋଂଠି ଓ ଖୋଲା ଅଂଶ ଭିତରେ ସମନ୍ଵୟ ରଖି ରଂଗ ରେ ସୁତା କୁ ବୁଡା ଯାଏ।ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଂକ ହାତରେ ବିକଶିତ ହୋଇଛି।

୩. ପୁରୁଷାନୁକ୍ରମେ ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି। ପୁରା ପରିବାର ବାଂଧ ନିର୍ମାଣ, ରଂଗ ତିଆରି, ରଂଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି।

boya_saree_106_2ପାରମ୍ପାରିକ ଡିଜାଇନ୍ ଯଥା – ମାଚ୍ଛ, ଗଚ୍ଛ,ଲତା, ପତ୍ର, ଲକ୍ଷ୍ମୀ  ପାଦ, ଝୋଟି , ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗୋଂଠି ରେ ଆଁକିବାକୁ ପଡେ। ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ।

୪. ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଂଗାର, ହରିତାଳ, ଗୁଗୁଲ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଂଗ ପ୍ରସ୍ତୁତ କରାଯାଇଥାଏ ।

ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଂଗର ପ୍ରୟୋଗ ମଧ୍ୟ କରାଯାଉଛି।ରଂଗ ଓ ବନ୍ଧର ଭାଗମାପ ତଥା  ଏକ ଅମୂର୍ତ୍ତ କାନଭାସ୍ ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ଯ୍ୟଟି ବାଂଧ ଶିଳ୍ପୀ କରିଥାଏ ।

୫. ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ। ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି।ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ  ର ପ୍ରଦର୍ଶନୀ ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା।

୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ- ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା।

ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା।

୬. ଅଶୀ ଦଶକରେ ଓଡିଶାର  ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ  ଭୂମିକା ଅବିସ୍ମରଣୀୟ। ସେ ଥିଲେ ସେ ସମୟରେ ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍ ଆମବାସାଡର୍।

୭. ସ୍ଵାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା। ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ।

ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ  ଲିଭିଯିବାକୁ ବସିଲାଣି, ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ।

୮.  ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି। ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ଯ୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିଥିଲେ।

ତାଂକ  ସହିତ ହସ୍ତତନ୍ତ ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ।ଉଭୟ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

୯. ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି।

ସୋନପୁରର ପ୍ରଖ୍ୟାତ ବାଂଧ ଶିଳ୍ପୀ ସ୍ବର୍ଗତ ମୋହନ  ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ଵୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି।

ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ।

୧୦. ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଂକ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ। ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ।

ତେଣୁ ଅଧିକରୁ ଅଧିକ ବୁଣାକାର  ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି।ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ।ସେହିପରି ଦୋ ମୁହିଁ ( ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: କୌଶଳ, ପଶ୍ଚିମ ଓଡିଶାର, ବରଗଡ ଓ ବୌଦ, ବାଂଧ ଲୁଗା, ସୋନପୁର୍

କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

June 8, 2016 by ନିଉଜ ଡେସ୍କ 1 Comment

konark1
କୋଣାର୍କ ସୂର୍ଯ୍ୟ ମନ୍ଦିର: ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ

କେଦାର ମିଶ୍ର

ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି ।

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି ।  କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି ।

ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ୟର ଅବତାରଣ କରିଛି ।  ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ-

୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ ।  ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ ।

୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ ।

୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ ।  ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି ।

ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ ।

୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ ।

କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ ।  ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି ।

୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି ।

କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି ।

୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା ।

୭. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି ।  ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।  ତେବେ  ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ ।  ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ ।

୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି ।  କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ ।  କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି ।

୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ମୁଖ୍ୟ ଖବର Tagged With: ଓଡିଶା, କୋଣାର୍କ, ନରେନ୍ଦ୍ର ମୋଦି, ପର୍ଯ୍ୟଟନ

କୋଣାର୍କରେ ପ୍ରାଚୀନ ସଭ୍ୟତାର ସୂଚନା!

April 23, 2016 by ନିଉଜ ଡେସ୍କ Leave a Comment

konark-4ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ଼ ନିକଟରୁ ୧୨୦୦ ଶତାବ୍ଦୀର ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ସନ୍ଧାନ ମିଳିଥିବା ଅନୁମାନ କରାଯାଇଛି।

ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଶ୍ରମିକମାନେ ବାଲି ଖୋଳୁଥିବା ସମୟରେ କାରୁକାର୍ଯ୍ୟପୂର୍ଣ୍ଣ ପଥର, ବାସଗୃହ, କୂଅ ଇଟା, ମାଟି ଦୀପ, ମାଟି ପାତ୍ର ଇତ୍ୟାଦିର ଦେଖିବାକୁ ପାଇଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନର ଚତୁଃପାର୍ଶ୍ୱକୁ ଖନନ କଲେ ଅଧିକ ତଥ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଐତିହାସିକ ତଥ୍ୟାନୁଯାୟୀ ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ।

କାଳକ୍ରମେ ଏଠାରେ ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକ ସୁନାବ୍ୟା ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ଏହି ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ସଂପର୍କରେ ବର୍ଣ୍ଣନା କରିଛନ୍ତି।

ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥିବୀ ଭୂଗୋଳ ପୁସ୍ତକରେ କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭ କରିଥିଲା। ସାମୁଦ୍ରିକ ଝଡରେ ଏହି ବନ୍ଦର ସଂପୂର୍ଣ୍ଣ ନିଶ୍ଚିନ୍ନ ହୋଇ ଯାଇଥିଲା।konark

୧୨୬୪ ଖ୍ରଷ୍ଟାବ୍ଦରେ ରାଜା ନରସିଂହ ଦେବଙ୍କ ଦ୍ୱାରା ସୂର୍ଯ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୨ ବର୍ଷ ପରେ ୧୨୫୮ ଖ୍ରୀଷ୍ଟାଦ୍ଦରେ ଶେଷ ହୋଇଥିଲା। ଏହି ସମୟାବଧି ମଧ୍ୟରେ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ନିୟୋଜିତ ୧୨୦୦ ବଢେଇ ଓ ଶ୍ରମିକ ଏଠାରେ ରହି ମନ୍ଦିର ନିର୍ମାଣ କରିଥିଲେ। ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ମନ୍ଦିରର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିଥିଲା।

ପରବର୍ତ୍ତି ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟି ଜନବସତି ଉପରେ ବାଲି ମାଡି ଯିବାରୁ ଏଠାରେ ମୁଣ୍ଡ ଟେକୁଥିବା ଜନପଦଟି ସଂପୃର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଥିଲା। ଫଳରେ ବାଲିତଳେ ବହୁ କାରୁ କାର୍ଯ୍ୟପୂର୍ଣ୍ଣ ମୁର୍ତ୍ତି, ପଥର, ମାଟିପାତ୍ର, ସେସମୟରେ ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ପୋତି ହୋଇଗଲା।

ଏବେ ବି ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱ ଓ ନିକଟବର୍ତ୍ତି ଗ୍ରାମମାନଙ୍କରେ ଗୃହ ନିର୍ମାଣ, ପୋଖରୀ ଖନନ ଓ ଘୃହାଦି ନିର୍ମାଣ ନିମନ୍ତେ ନିଅଁଖୋଳା ସମୟରେ ମାଟିତଳୁ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିବା ବେଳେ ଆହୁରି ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ମାଟିତଳେ ପୋତି ହୋଇ ରହିଥିବା ପ୍ରମାଣ ମିଳିବାରେ ଲାଗିଛି।konark-2

୨୦୧୩ ମସିହା ମେ ମାସରେ କରମଙ୍ଗା ଗ୍ରାମର ପୂଷ୍କରିଣୀ ଖନନ କାର୍ଯ୍ୟ ଚାଲୁ ରହିଥିବା ସମୟରେ ପୁଷ୍କରିଣୀ ମଧ୍ୟରୁ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ମିଳିଥିବା ବେଳେ ଏହି ପୋଖରେ ତଳେ ଆହୁରି ଅଧିକ ପଥର ରହିଥିବା ଦେଖିବାକୁ ମିଳିଥିଲା।

ସେହିପରି କୋଣାର୍କ ହାଉସ୍କୁଲ ପଛପଟେ ଥିବା ବାଲିବନ୍ତିରୁ ଟ୍ରାକ୍ଟରେ ଯୋଗେ ବାଲି ବୁହାଯାଉଥିବା ସମୟରେ ଏକ ପୁରାତନ ମାଟି ନନ୍ଦର କୂଅ ଦେଖିବାକୁ ମିଳିଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱରେ ଏହି ଭଳି ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ପୋତି ହୋଇ ରହିଥିବା ଦେଖିବାକୁ ମିଳୁଛି।

ଚଳିତ ମାସ କୋଣାର୍କ ହେଲିପ୍ୟାଡ ନିକଟରୁ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ସନ୍ଧାନ ସଂପର୍କରେ ସ୍ଥାନୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।

ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ଖନନ ଓ ଗବେଷଣା କରାଗଲେ ସୂର୍ଯ୍ୟମନ୍ଦିର ସଂପର୍କରେ ବହୁଐତିହାସିକ ତଥ୍ୟ ମିଳିପାରିବ ବୋଲି ସ୍ଥାନୀୟ ଗବେଶକମାନେ କହିଛନନ୍ତି। ଏଠାରେ ମିଳିଥିବା କାରୁକାର୍ଯ୍ୟପୂର୍ଣ୍ଣ ପଥରଗୁଡ଼ିକ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟର ବୋଲି ଅନୁମାନ କରାଯାଉଛି।

(ସୌଜନ୍ୟ: ସାମାନ୍ୟ କଥନ)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ବିଶେଷ ଖବର Tagged With: କୋଣାର୍କ, ପୁରାତତ୍ଵ, ପ୍ରାଚୀନ ସଭ୍ୟତା

କୁନା ଦାଶ କ୍ୟୋଟୋର ଅନ୍ତର୍ଜାତୀୟ ପର୍ଯ୍ୟଟନ ଆମ୍ବାସାଡର

November 6, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

କ୍ୟୋଟୋ ( ଜାପାନ ) , ନଭେମ୍ବର ୬ (ଓଡିଶା ଡଟ କମ) ଜାପାନର ପ୍ରସିଦ୍ଧ କ୍ୟୋଟୋ ସହର ପ୍ରଶାସନ ସେଠାରେ ରହୁଥିବା ଓଡିଶାର କୁନା ଦାଶ (ଶ୍ରୀକାନ୍ତ କୁମାର ଦାଶ)ଙ୍କୁ ନିଜର ଅନ୍ତର୍ଜାତୀୟ ପର୍ଯ୍ୟଟନ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ଦାଶ ଓଡିଶା ଡଟକୁ ଶୁକ୍ରବାର କହିଛନ୍ତି ।

OLYMPUS DIGITAL CAMERA

କ୍ୟୋଟୋର ମେୟର ଦଇସାକୁ କୋଡୋକାୱା ଗତ ମଙ୍ଗଳବାର ସେଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହା ଘୋଷଣା କରିବା ସହ ଦାଶଙ୍କୁ ଏ ସଂକ୍ରାନ୍ତୀୟ ଏକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏ ଭଳି ନିଯୁକ୍ତି ପାଇବାରେ ଦାଶ ହେଉଛନ୍ତି ଜାପାନ ରେ ପ୍ରଥମ ଭାରତୀୟ ।

ଏହା ସହ ପଢନ୍ତୁ

  • ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା

କ୍ୟୋଟୋ ଏକ ଜାପାନର ଏକ ଜଣାଶୁଣା ଐତିହାସିକ ସହର । ବିଶ୍ଵର ବିଭିନ୍ନ ଦେଶରୁ ଏହି ସହରକୁ ପର୍ଯ୍ୟଟକ ମାନେ ନିୟମିତ ବୁଲିବା ପାଇଁ ଆସନ୍ତି ।

ଦାଶ ଭାରତ ତଥା ତାଙ୍କ ଗୃହ ରାଜ୍ୟ ଓଡିଶାରେ ଏହି ସହରର ପର୍ଯ୍ୟଟନ ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ବହୁ ପର୍ଯ୍ୟଟକକୁ କ୍ୟୋଟୋ ସହର ପରିଦର୍ଶନ କରିବା ପାଇଁ ପ୍ରଭାବିତ କରି ପାରିବେ ବୋଲି ସେଠାକାର ପ୍ରଶାସନ ଆଶା ରଖିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ପ୍ରବାସୀ ଓଡିଆ Tagged With: କୁନା ଦାଶ, କ୍ୟୋଟୋ, ଜାପାନ, ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା, ପ୍ରବାସୀ ଓଡ଼ିଆ

ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପ କାମ ଠପ୍

October 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କୋଣାର୍କ, ଅକ୍ଟୋବର ୧ (ଓଡିଶା ଡଟ କମ) ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ କୋଣାର୍କରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍(ଆଇଓଏଫ୍) ପକ୍ଷରୁ ୩୬କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତିନିମାସ ତଳୁ ବନ୍ଦହୋଇ ପଡିଛି ।

konark-wideଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାସହ ଯେତିକି କାମ ହୋଇଛି ତାହା ନିମ୍ନମାନର କରିଥିବା ଦର୍ଶାଇ ଉକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାକୁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ କର୍ତ୍ତୃପକ୍ଷ ରଦ୍ଦ କରି ଦେଇଥିବାରୁ ଏହି ପ୍ରକଳ୍ପ କାମ ଠପ୍ ହୋଇଛି ।

ଠିକାଦାରୀ ସଂସ୍ଥା ଶ୍ରୀକୋ ଆଇଓଏଫ୍ ର ନିଷ୍ପତ୍ତି ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ଶ୍ରୀକୋର ଅପିଲକୁ ଖାରଜ କରିଦେଇଥିବା ଜଣାପଡିଛି । ଶ୍ରୀକୋର ଚୁକ୍ତିନାମାକୁ ଗତ ୧୬ ତାରିଖରେ ରଦ୍ଦ କରାଯିବା ପରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଞ୍ଜିନିୟରସ୍ ଇଣ୍ଡିଆ ଲିମିଟେଡକୁ ଦିଆଯିବା ପାଇଁ ସ୍ଥିର କରାଯାଉଥିବା ଜଣେ ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଏଭଳି ପରିସ୍ଥିତିରେ ଏହି ପ୍ରକଳ୍ପର କାମ କିପରି ଆଗକୁ ବଢିବ ଏବଂ ଗତ ୨୦୧୪ ମସିହା ଏପ୍ରିଲ ୧୭ତାରିଖରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟକାରୀତା କ୍ଷେତ୍ରରେ ବିଭିନ୍ନ ବିଭାଗ କେତେଦୂର ସଫଳ ହୋଇଛନ୍ତି, ତାର ସମୀକ୍ଷା କରିବା ନିମନ୍ତେ ଆସନ୍ତା ୩ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯାତ୍ରିନିବାସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।

ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ),ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ,ପର୍ଯ୍ୟଟନ,ପୁରୀ ଜିଲା ପ୍ରଶାସନ,ପୁଲିସ ପ୍ରଶାସନ,ପୂର୍ତ୍ତ, ବିଦ୍ୟୁତ, ଟେଲିକମ୍,ଡ୍ରେନେଜ, ଜନସ୍ୱାସ୍ଥ୍ୟ,କୋଣାର୍କ ଏନ୍ଏସି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଯୋଗଦେବାକୁ ଆରଡିସି(କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ୨୦୦୧ ମସିହାରୁ ପ୍ରସ୍ତାବିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ଜୁଲାଇ ୨୭ତାରିଖରେ ତିନିଜଣ କେନ୍ଦ୍ରମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ଶିଳାନ୍ୟାସର ୧୮ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଶ୍ରୀକୋ ସହିତ ଆଇଓଏଫ୍ ର ଚୁକ୍ତିନାମା ହୋଇଥିଲା ।

ଶ୍ରୀକୋ ନିଜସ୍ୱ ମେସିନାରୀ ଏଠାକୁ ନ ଆଣି ଛୋଟ ଛୋଟ ଠିକାଦାରଙ୍କୁ ଉପଠିକାଦାର ଭାବେ କାର୍ଯ୍ୟାଦେଶ ଦେଇ ନିମ୍ନମାନର କାମ କରୁଥିବା କୋଣାର୍କ ସୁରକ୍ଷା ସମିତି,କୋଣାର୍କ ବ୍ୟବସାୟୀ ମହାସଂଘ ଓ ବୁଦ୍ଧୀଜୀବୀମାନେ ଅଭିଯୋଗ କରିଥିଲେ ।

ଶ୍ରୀକୋ ପକ୍ଷରୁ ନିର୍ମାଣାଧୀନ ମୁଖ୍ୟ ପାର୍କିଙ୍ଗ ସ୍ଥଳ,ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଡ୍ରପ୍ ଆଉଟ୍ ପଏଣ୍ଟ କାର୍ଯ୍ୟରେ କୋଣାର୍କରେ ନିର୍ମିତ ନିମ୍ନମାନର ପାଉଁଶ ଇଟା ଓ ଲୋକାଲ ଲୁଣି ବାଲି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଶ୍ରୀକୋ ନିଯୁକ୍ତ କରିଥିବା ଉପଠିକାଦାରଙ୍କୁ ଅର୍ଥ ପୈଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା ।

ସମୟାନୁଯାୟୀ ଅର୍ଥ ନ ମିଳିବାରୁ ସ୍ଥାନୀୟ ଉପଠିକାଦାରମାନେ କାମ ବନ୍ଦ କରି ଶ୍ରୀକୋ ବିରୋଧରେ ଆଇଓଏଫ୍ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଯାବତ୍ ଶ୍ରୀକୋକୁ ଆଇଓଏଫ୍ ପକ୍ଷରୁ ଅଗ୍ରୀମ ଆକାରରେ ୩ କୋଟି ୪୦ଲକ୍ଷ ଟଙ୍କା ପୈଠ କରାଯାଇଥିବା ବେଳେ ଏହି ପ୍ରକଳ୍ପର ୧୦ପ୍ରତିଶତ କାମ ମଧ୍ୟ ସଂପନ୍ନ ହୋଇପାରି ନଥିବା ଜଣାଯାଇଛି ।

ଆଇଓଏଫ୍ ପକ୍ଷରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସଂପର୍କରେ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ସମୟାନୁଯାୟୀ ତଦାରଖ ମଧ୍ୟ କରାଯାଇ ନଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଶ୍ରୀକୋ ଏଯାବତ୍ କରିଥିବା କାମର ମାପ କରାଯାଇ ତାର ହିସାବ ତୁଟିବା ପରେ ଅନ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଗତ ସପ୍ତାହରେ ଆଇଓଏଫ୍ ର ବୈଷୟିକ ବିଶେଷଜ୍ଞମାନେ ଶ୍ରୀକୋ ପକ୍ଷରୁ ଏଯାବତ୍ ହୋଇଥିବା କାମର ମେଜରମେଣ୍ଟ(ମାପ) କରିବା ପାଇଁ ଏଠାକୁ ଆସିଥିବାବେଳେ ସ୍ଥାନୀୟ ଉପଠିକାଦାରମାନେ ସେମାନଙ୍କୁ ବିରୋଧ କରିଥିଲେ । ସେମାନଙ୍କ ବକେୟା ଅର୍ଥ ଶ୍ରୀକୋ ନଦେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଯେ କୌଣସି କାର୍ଯ୍ୟକୁ ସେମାନେ ବିରୋଧ କରିବେ ବୋଲି ଧମକ ଦେଇଥିଲେ ।

ଫଳରେ ବୈଷୟିକ ବିଶେଷଜ୍ଞମାନେ ମାପ ନକରି ଫେରିଯାଇଥିଲେ । ଆଇଓଏଫ୍ ପକ୍ଷରୁ ଏ ସଂପର୍କରେ ପୁଲିସର ସହାୟତା ମଧ୍ୟ ନିଆଯାଇ ନଥିଲା । ସ୍ଥାନୀୟ ରାଜନେତାମାନଙ୍କ ହାତବାରିସୀ ସାଜି ନିମ୍ନମାନର କାମ କରିଥିବା ଏହି ଉପଠିକାଦାରମାନଙ୍କୁ ଠିକାଦାରୀ ସଂସ୍ଥା ଶ୍ରୀକୋର ମାଲିକ ଏବଂ ଆଇଓଏଫ୍ ଅଧିକାରୀମାନେ ଭୟ କରୁଥିବା ମାନବାଧିକାରକର୍ମୀ ଏନ୍.ଏ.ଶାହ ଅନସାରୀ ଓ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ରାଜନୀତି Tagged With: କୋଣାର୍କ, ଦୁର୍ନୀତି, ପର୍ଯ୍ୟଟନ

ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଥିବା କଟକଣା ହଟାଇବା ପାଇଁ ବିଚାର

September 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) ଓଡିଶାରେ  ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଦିବାସୀ ଦୁର୍ଗମ  ଅଞ୍ଚଳ ଗସ୍ତ ଉପରେ ତାଙ୍କ ଉପରେ ଥିବା କଟକଣାକୁ ସରକାର ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେମାନେ ଯେଉଁଠାକୁ ଇଚ୍ଛାକରିବେ ସେଠାକୁ ଯାଇପାରିବେ ,ଦୁର୍ଗମ ବଣପାହାଡ ଠାରୁ ଆରମ୍ଭକରି ଅପହଞ୍ଚ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ , ଏପରିକି ନକ୍ସଲ ପ୍ରବଣ ଅଞ୍ଚଳ ମଧ୍ୟ ଯେପରି ବୁଲିପାରିବେ ସେଥିପାଇଁ ସରକାର ବିଚାର କରୁଥିବା ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି  ।

ଏପରିକି ସମ୍ପୃକ୍ତ ଅଞ୍ଚଳରେ ସେମାନେ ଯେପରି ରାତ୍ରି ଯାପନ କରିପାରିବେ ସେଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା ମଧ୍ୟ ସରକାରଙ୍କ ଦ୍ଵାରା କରାଯିବା ପ୍ରସ୍ତାବ ରହିଛି  ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଜଣେ ଇଟାଲିୟ ପର୍ଯ୍ୟଟକ ଓ ତାଙ୍କ ସାଥୀଙ୍କୁ ନକ୍ସଲମାନେ ଅପହରଣ କରିନେବାପରେ , ବିଦେଶୀ ପର୍ଯ୍ୟଟକଙ୍କ ଆଦିବାସୀ ଅଧ୍ୟୁସିତ ତଥା ନକ୍ସଲ ପ୍ରବଣ ଅଞ୍ଚଳରେ ମୁକ୍ତ ଗମନାଗମନ ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ ।

ପର୍ଯ୍ୟଟନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଓଡିଶାକୁ ଉକ୍ତ ବର୍ଷ ୧୮୩୪ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୩ ମସିହାରେ ୧୭୦୬ ଜଣ, ୨୦୧୪ ରେ ୧୧୮୪ ଜଣ ପର୍ଯ୍ୟଟକ ଆସିଛନ୍ତି ।

ଆମେରିକା,ଫ୍ରାନ୍ସ,ଇଟାଲି, ଅଷ୍ଟ୍ରେଲିଆ, ସ୍ପେନ,ମାଲେସିଆ ,କାନଡା ଇତ୍ୟାଦି ସ୍ଥାନରୁ ଆସୁଥିବା ଏହି ବିଦେଶୀ ପର୍ଯ୍ୟଟକ ମାନଙ୍କର ମୂଖ୍ୟ ଆକର୍ଷଣ ହେଉଛି ଦୁର୍ଗମ ଅଞ୍ଚଳରେ ପର୍ବତାରୋହଣ, ଦୁଃସାହାସିକ ଯାତ୍ରା ଓ ଜନଜାତିଙ୍କ ମଧ୍ୟରେ ସମୟ ଅତିବାହିତ କରିବା ।

ତେବେ ଏହି ଅଞ୍ଚଳରେ ଗମନାଗମନକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମିବାରେ ଲାଗିଥିବା ଅନୁମାନ କରାଯାଉଛି ।

ତେଣୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାପାଇଁ ଏହିପରି ଏକ ନିଷ୍ପତି ନିଆଯିବାପାଇଁ ବିଚାର କରାଯାଉଛି  ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ।
ଏଥିପାଇଁ ଗୃହ ବିଭାଗ ପ୍ରମୁ୍ଖଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିବାବେଳେ ଉକ୍ତ କମିଟି ଅତି ଶିଘ୍ର ପ୍ରତିବନ୍ଧକ ଉଠାଇବାପାଇଁ ସୁପାରିସ କରିବ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: କଟକଣା, ପର୍ଯ୍ୟଟକ, ବିଦେଶୀ

୨୫ରୁ ଭୁବନେଶ୍ୱରରେ ଅତିଥି ଦେବୋ ଭବଃ

September 23, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଓଡିଶା ଡଟ କମ) ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଅତିଥିଦେବୋ ଭବଃ ଭୁବନେଶ୍ୱରସ୍ଥିତ ମେଫେୟାର୍ ଲାଗୁନ୍ ଏବଂ କନ୍ଭେନ୍ସନଠାରେ ଚଳିତ ମାସ ୨୫, ୨୬ ଏବଂ ୨୭ ତାରିଖ ଦିନ ଆୟୋଜିତ ହେବ।

atithiଭାରତର ହସ୍ପିଟାଲିଟି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସର୍ବବୃହତ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଥିବା ଏହି ଭବ୍ୟ ସମ୍ମିଳନୀ ବେଦ ନିସୃତ ସଂସ୍କୃତ ବାଣୀ “ଅତିଥିଦେବା ଭବଃ”- ଅର୍ଥାତ୍ ଅତିଥି ହିଁ ଇଶ୍ୱର ସଦୃଶ, ଶୀର୍ଷକ ବିଷୟ ବସ୍ତୁ ଆଧାରରେ ପର୍ଯ୍ୟବେସିତ । ଏହି ସମ୍ମିଳନୀ ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ଏଫ୍ଏଚ୍ଆର୍ଏଆଇ ସହିତ ସହଯୋଗୀ ଭାବରେ ସାମିଲ ହୋଇଛି ।

ଏଫ୍ଏଚ୍ଆର୍ଏଆଇ ହେଉଛି ଭାରତୀୟ ହସ୍ପିଟାଲିଟି ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୪ଟି ଆଞ୍ଚଳିକ ସଂଗଠନର ସର୍ବୋଚ୍ଚ ସଂସ୍ଥା । ଏହି ସମ୍ଭ୍ରାନ୍ତ ଏବଂ ଭବ୍ୟ ସମ୍ମିଳନୀରେ ଭାରତର ପର୍ଯ୍ୟଟନ ଏବଂ ହସ୍ପିଟାଲିଟି କ୍ଷେତ୍ରର ପ୍ରସିଦ୍ଧିଲାଭ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଅଗ୍ରଣୀ ହୋଟେଲ୍ ବ୍ୟବସାୟୀ ଏବଂ ହୋଟେଲ ଶିଳ୍ପ ସହିତ ଜଡିତ ନିବେଶକମାନଙ୍କର ୮୦୦ରୁ ଉଦ୍ଧ୍ୱର୍ ପ୍ରତିନିଧ ଯୋଗଦେବେ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଓଡିଶାର ୩ଊ ମାନଚିତ୍ର ଲୋକାର୍ପଣ ସହିତ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ଶୁଭାରମ୍ଭ କରାଯିବ । ଓଡିଶାର ଏହି ୩ଊ ମାନଚିତ୍ରକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିବେ ।

ସୁବର୍ଣ୍ଣ ଜୟନ୍ତୀ ସମୋରାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୈଷୟିକ ଅଧିବେଶନ “ଅତିଥିଦେବା ଭବଃ – ପରମ୍ପରା ବଜାୟ ରହିଛି”କୁ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଉଦ୍ଘାଟନ କରିବେ । ଏହି ବୈଷୟିକ ଅଧିବେଶନ ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହର ଉଦ୍ଘାଟନୀ ଦିବସରେ ଅନୁଷ୍ଠିତ ହେବ ।

ପ୍ରଥମ ଦିବସର ଦ୍ୱିତୀୟ ଅଧିବେଶନରେ ‘ଭାରତୀୟ ହସ୍ପିଟାଲିଟି କ୍ଷେତ୍ରରେ ଟ୍ୟାକ୍ସ ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ଥିବା ଆହ୍ୱାନ ଏବଂ ଏହାର ସମାଧାନ’ ଶୀର୍ଷକ ଏକ ମହତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ତ୍ରିଦିବସୀୟ ସମାରୋହକୁ ଶୁକ୍ରବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ମହେଶ୍ ଶର୍ମା, ରାଜ୍ୟ ଶିଳ୍ପ, ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ, କର୍ଣ୍ଣାଟକ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଆର୍ ଭି ଦେଶ୍ପାଣ୍ଡେ ପ୍ରମୁଖ ଉପସ୍ଥିତ ରହିବେ ।

ଏହି ସମାରୋହର ମୁଖ୍ୟ ପୃଷ୍ଠପୋଷକ ତଥା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରହିବେ ।

ଏହି ଅବସରରେ ଓଡିଶାର ପ୍ରସିଦ୍ଧ ହସ୍ତଶିଳ୍ପ ଉତ୍ପାଦ ଗୁଡିକର ଏକ ପ୍ରଦର୍ଶନୀ “ପିପିଲି ବଜାର”କୁ ମୁଖ୍ୟଅତିଥି ଉଦଘାଟନ କରିବେ । ସମାରୋହର ଦ୍ୱିତୀୟ ଦିବସରେ “ଓଡିଶା ପର୍ଯ୍ୟଟନ- ଅସିମୀତ ସୁଯୋଗ”, “ହସ୍ପିଟାଲିଟି କ୍ଷେତ୍ରରେ ଦକ୍ଷତା ବିକାଶ”, ଶୀର୍ଷରୁ ସ୍ୱର, “ହୋଟେଲ ଡିଜାଇନ୍ – ଫ୍ୟୁଚରିଷ୍ଟିକ ହୋଟେଲ୍ସ” ସମ୍ବନ୍ଧୀୟ ବୈଷୟିକ ଅଧିବେସନମାନ ଅନୁଷ୍ଠିତ ହେବ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜିଭ ପ୍ରତାପ ରୁଡ୍ଡି ଦକ୍ଷତା ବିକାଶ ଉପରେ ଆଧାରିତ ବୈଷୟିକ ଅଧିବେସନରେ ମୁଖ୍ୟବକ୍ତା ଭାବେ ଯୋଗଦେବେ । ଏହି ଅବସରରେ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲେକାନୃତ୍ୟ ଏବଂ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯିବ ।

ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ନିବେଶକମାନଙ୍କ ସମ୍ମୁଖରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉତ୍ତମ ଅତିଥି ସେବା ଯୋଗାଇଦେବାରେ ଓଡିଶାର କ୍ଷମତାକୁ ତଥା ଏହି କ୍ଷେତ୍ରରେ ଏଠାରେ ପୁଞ୍ଜିନିବେଶ କରିବାରେ ରହିଥିବା ସୁଯୋଗ ସମ୍ବନ୍ଧରେ ସୂଚନା ଦେବା  ନିମନ୍ତେ ଏକ ବିଶେଷ ଉପସ୍ଥାପନା ପ୍ରଦର୍ଶିତ ହେବ ।

ଯେହେତୁ ଏହି ବିଶେଷ ସମ୍ମିଳନୀରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଏହି ଶିଳ୍ପ ସହିତ ଜଡିତ ଅନେକ ଅଗ୍ରଣୀ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ, ତେଣୁ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ଏହି ବିଶେଷ ଉପସ୍ଥାପନା ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ରହିଥିବା ନିବେଶର ସୁଯୋଗ ଆଧାରିତ ଏକ ଅଧିବେଶନକୁ ଇପିକଲ୍ର ସିଏମ୍ଡି ସମ୍ବୋଧନ କରିବେ ।

ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ଶ୍ରୀ ଦିଲୀପ ରାୟ ଏହି ସମ୍ମିଳନୀ ଓଡିଶାର ଉଚ୍ଚ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାଜ୍ୟର ଅପୂର୍ବ ଶୋଭାରାଜି ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ବିଶିଷ୍ଟ ହୋଟେଲ ବ୍ୟବସାୟୀ ତଥା ନିବେଶକମାନଙ୍କୁ ଆକୃଷ୍ଟ କରିବା ସହିତ ରାଜ୍ୟରେ ନିବେଶ ନିମନ୍ତେ ସହାୟକ ହେବ ସହ ରାଜ୍ୟର ହୋଟେଲ ଶିଳ୍ପକୁ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ସହିତ ନିବେଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ Tagged With: ଏଫ୍ଏଚ୍ଆର୍ଏଆଇ, ସୁବର୍ଣ୍ଣ ଜୟନ୍ତୀ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ