• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ତୃତୀୟ ନୟନ

ଅସହିଷ୍ଣୁତାର ସୀମା- ପ୍ରଶାନ୍ତ ପଟ୍ଟନାୟକ (ତୃତୀୟ ନୟନ)

October 19, 2015 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଭାରତ ସ୍ୱାଧୀନ ହେବାର ୬୮ ବର୍ଷ ପରେ ଆମ ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଯେଉଁଭଳି ଘନିଷ୍ଠତା ରହିବ ଏବଂ ପ୍ରତ୍ୟେକ ଜାତି, ଧର୍ମ ନିର୍ବିଶେଷରେ ନିଜକୁ ଭାରତୀୟ ଭାବରେ ଗର୍ବ ଅନୁଭବ କରିବାର ଆବଶ୍ୟକତା ରହିଛି, ସେଥିରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ବ୍ୟତିକ୍ରମ ଦେଖାଦେଉଥିବାରୁ ସାମାଜିକ ସନ୍ତୁଳନ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି ।

Prasanta-Closeupଇଂରାଜୀ ଶାସକମାନଙ୍କ କବଳରୁ ଭାରତ ଓ ପାକିସ୍ତାନ ଗୋଟିଏ ଦିନରେ ମୁକ୍ତି ପାଇ ସ୍ୱାଧୀନ ରାଷ୍ଟ୍ର ରୂପେ ସ୍ୱୀକୃତି ଲାଭ କରିବା ସମୟରେ ପାକିସ୍ତାନ ନିଜକୁ ମୁସଲମାନ୍ ରାଷ୍ଟ୍ର ଭାବେ ପରିଚିତ କରାଇଥିବା ସ୍ଥଳେ ଭାରତ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା ।

୨୦୧୧ର ଜନଗଣନା ଅନୁଯାୟୀ ହିନ୍ଦୁଙ୍କ ସଂଖ୍ୟା ୯୬.୬୩ କୋଟି (୭୯.୮%), ମୁସଲମାନ ୧୭.୨୨ କୋଟି (୧୪.୨%), ଖ୍ରୀଷ୍ଟିଆନ୍ ୨.୭୮କୋଟି (୨.୩%), ଶିଖ୍ ୨.୦୮ କୋଟି (୧.୭%), ବୌଦ୍ଧ ୦.୮୪ କୋଟି (୦.୭%), ଜୈନ୍ ୦.୪୫ କୋଟି (୦.୪%), ଅନ୍ୟାନ୍ୟ ଧର୍ମାବଲମ୍ବୀ ୦.୭୯ (୦.୭%) ଏବଂ ନାସ୍ତିକ ୦.୨୦ କୋଟି (୦.୨%) ।

୨୦୧୫ରେ ଭାରତର ଜନସଂଖ୍ୟା ୧,୨୮୨,୩୯୦,୩୦୩ ଥିବାବେଳେ ୨୦୧୪ରେ ୧,୨୬୭,୪୦୧,୮୪୯, ୨୦୧୦ରେ ୧,୨୦୫,୬୨୪,୬୪୮ ଏବଂ ୨୦୦୫ ମସିହାରେ ୧,୧୨୭,୧୪୩,୫୪୮ ରେକର୍ଡ କରାଯାଇଛି ।

ଏହି ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଆମ ଦେଶରେ ହିନ୍ଦୁ ଧର୍ମର ଜନସଂଖ୍ୟା ଅନ୍ୟ ସମ୍ପ୍ରଦାୟ ତୁଳନାରେ ଯେ ବହୁ ଗୁଣ ଅଧିକ ରହିଛି ଏବଂ ସେଭଳି ରହିଥିବ ଏଥିରେ ସନ୍ଦେହ ନାହିଁ । ମାତ୍ର ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାରେ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିମାନେ ବିଭିନ୍ନ ସମ୍ପ୍ରଦାୟରେ ଅସହିଷ୍ଣୁତା ସୃଷ୍ଟି କରି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବିବାଦରୁ ରାଜନୈତିକ ‘ଫାଇଦା ଉଠାଇବା ପାଇଁ ତତ୍ପରତା ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି ।

ଗୋଟିଏ ଡିଆସିଲି କାଠି ଯେଭଳି ବିରାଟ ବସ୍ତିକୁ ଜାଳିପୋଡ଼ି ପାଉଁଶ କରିଦେଇପାରେ, ସେହିଭଳି ସ୍ୱଳ୍ପ କେତେକ ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ସାମ୍ପ୍ରଦାୟିକତାର ଅଗ୍ନି ସ୍ଫୁଲିଙ୍ଗର ସାମଗ୍ରିକ ପ୍ରଭାବ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ଏହା ସହ ପଢନ୍ତୁ !
ମତିଭ୍ରମିମାନେ ମୁନି ଭଳି ଦିଶନ୍ତି-ହରିହର ଶତପଥି (ରୋକ୍ ଠୋକ୍)

ଶ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀ ସିଂହାସନ ଦଖଲ କରିବା ପରେ ଏବଂ ଶ୍ରୀ ଅମିତ୍ ଶାହା ଦଳର ସର୍ବମୟ କର୍ତ୍ତା ଭାବରେ ଘୋଷିତ ହେବା ପରେ ଆମ ଦେଶରେ ସାମ୍ପ୍ରଦାୟିକ ଶକ୍ତିମାନେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହୋଇପଡିଛନ୍ତି ବୋଲି ବହୁ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି ।

ମୋଦି ସରକାର ମୁଖ୍ୟତଃ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନିର୍ଦ୍ଦେଶରେ ପରିଚାଳିତ ହେଉଛନ୍ତି ବୋଲି କଂଗ୍ରେସ ଓ କେତେକ ବାମପନ୍ଥୀ ଦଳ ଅଭିଯୋଗ କରୁଛନ୍ତି । ଏଭଳି ସମୟରେ ସାମ୍ପ୍ରଦାୟିକ ହିଂସା ଜନିତ ହତ୍ୟାକାଣ୍ଡ ଦ୍ରାଦି ଘଟଣା ଓ ହେତୁବାଦୀ ଲେଖକ କଲ୍ବର୍ଗିଙ୍କ ହତ୍ୟା ଦେଶର ରାଜନୈତିକ ମହଲ ଅପେକ୍ଷା ବୁଦ୍ଧିଜୀବୀ ମହଲରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି କରିଛି ।

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଦେଖାଦେଇଥିବା ଘୃଣା ଭାବ ଯେ ଅସହିଷ୍ଣୁତାର ଉତ୍ସରୁ ସୃଷ୍ଟି ହୋଇଛି ଏବଂ ଏହାର ଅନ୍ତ ଘଟାଇବା ନିମନ୍ତେ ସଂଗଠିତ ଉଦ୍ୟମ ଓ ପ୍ରତିବାଦର ଆବଶ୍ୟକତା ଥିବା ମନେ କରି କେତେକ ସମ୍ବେଦନଶୀଳ ସାହିତ୍ୟ ସ୍ରଷ୍ଟା ସେମାନଙ୍କ ପୁରସ୍କାର ଫେରାଇ ଦେବା ଲାଗି ପଦକ୍ଷେପ ନେଇଛନ୍ତି ।

ଅଦ୍ୟାବଧି ୪୨ ଜଣ ସାହିତ୍ୟିକ ସେମାନଙ୍କ ପୁରସ୍କାର ଫେରାଇସାରିଲେଣି । ଏହାକୁ ନେଇ ସମ୍ପ୍ରତି ଦେଶର ବିଭିନ୍ନ ମହଲରେ କମ୍ପନ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଭଳି ଘଟଣାରେ ଚିନ୍ତିତ ଓ ବ୍ୟଥିତ ଥିବାଭଳି ଜଣାପଡୁଛି ।

ଭାରତୀୟ ଜନତା ପାର୍ଟି ର ଯେଉଁ ନେତାମାନେ ଅଣହିନ୍ଦୁମାନଙ୍କ ପ୍ରତି କଠୋର ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ଏଥିରୁ ନିବୃତ ରହିବା ଲାଗି ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ବିଧାୟକ ସଂଗୀତ ସୋମ ଏବଂ ସାଂସଦ ସାକ୍ଷୀ ମହାରାଜଙ୍କୁ ଶ୍ରୀ ମୋଦି ଏ ସଂପର୍କରେ ତାଙ୍କର କ୍ଷୋଭ ପ୍ରକାଶ କରିବା ଲାଗି ଡାକିଥିବା ସମ୍ବାଦପତ୍ରରେ ପ୍ରକାଶ ପାଇଛି ।

ଯେଉଁ ସାହିତ୍ୟିକ ମାନେ ପୁରସ୍କାର ଫେରାଉଛନ୍ତି, ସେମାନଙ୍କ ପଛରେ ସଂଖ୍ୟାଧିକ ଜନତାଙ୍କ ସମର୍ଥନ ନାହିଁ ଏବଂ ସେମାନଙ୍କ ସାହିତ୍ୟ କୃତି ସମ୍ପୂର୍ଣ୍ଣ ପ୍ରଭାବହୀନ ବୋଲି କେତେକ ରାଜନୈତିକ ଦଳ ଏବଂ ସେମାନଙ୍କ ସମର୍ଥକ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରଚାର ଆରମ୍ଭ କରିଛନ୍ତି । ଏଭଳି ଦାବି କରିବା ସହ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏ ସଂପର୍କରେ ବହୁଳ ପ୍ରଚାର କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଥିବା ସତ୍ତ୍ୱେ ସେମାନେ ଶୋଚନୀୟ ଭାବରେ ଆତଙ୍କିତ ହୋଇ ପଡିଥିବା ପରିଲକ୍ଷିତ ହେଉଛି ।

କେବଳ ଏତିକି ନୁହେଁ, ସେମାନେ ଦିଲ୍ଲୀର ଶିଖ୍ ଦଙ୍ଗା ଓ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ହୋଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ କାହିଁକି ନିରବ ରହିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଜଣେ ପ୍ରଖ୍ୟାତ ଲେଖକଙ୍କ ଜଘନ୍ୟ ହତ୍ୟାକାଣ୍ଡକୁ ନିନ୍ଦା କରିବା ଲାଗି ସାହିତ୍ୟ ଏକାଡେମୀର ଆଗତ କରାଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବାର ପ୍ରତିକ୍ରିୟା ଏବଂ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ନିରବତା ସାହିତ୍ୟିକମାନଙ୍କୁ ପ୍ରତିବାଦର ଖୋରାକ୍ ଯୋଗାଇଥିଲା ବୋଲି ସେମାନଙ୍କ ପଦକ୍ଷେପକୁ ସମର୍ଥନ ଜଣାଉଥିବା ବୁଦ୍ଧିଜୀବୀମାନେ ଯୁକ୍ତି ବାଢୁଛନ୍ତି ।

ମାତ୍ର ପୁରସ୍କାର ବା ସ୍ୱୀକୃତି ପ୍ରତ୍ୟାଖ୍ୟାନ ପ୍ରତିବାଦର ଉଚିତ୍ ଉପାୟ ନୁହେଁ ବୋଲି ସରକାରଙ୍କ ସମର୍ଥକମାନେ ଦାବି କରିବା ସହ କେବଳ ମୋଦିଙ୍କୁ ବିରୋଧ କରୁଥିବା ବ୍ୟକ୍ତିମାନେ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।

ଯେଉଁ ସାହିତ୍ୟିକ ମାନେ ସେମାନଙ୍କ ପୁରସ୍କାର ଫେରାଇବା ଲାଗି ଆଗେଇ ଆସୁଛନ୍ତି ସେମାନଙ୍କ ଅତୀତ ବା ବର୍ତ୍ତମାନର ଜନାଭିମୁଖି କାର୍ଯ୍ୟକଳାପ ଓ ଦେଶ ପ୍ରତି ରହିଥିବା ପ୍ରତିବଦ୍ଧତା ସଂପର୍କରେ ଅଜ୍ଞ ଥିବା କେତେକ ବ୍ୟକ୍ତି ସେମାନଙ୍କ ବିରୁଦ୍ଧରେ କପୋଳକଳ୍ପିତ ଅଭିଯୋଗମାନ ଆଗତ କରୁଥିବା ପରିଲକ୍ଷିତ ହେଉଛି ।

ପୁରସ୍କାର ଗ୍ରହଣ କରିବା ବା ପ୍ରତ୍ୟାଖ୍ୟାନ କରିବା କିମ୍ବା ଫେରାଇ ଦେବା ସମ୍ପୃକ୍ତ ବ୍ୟକ୍ତି ବା ସାହିତ୍ୟିକଙ୍କ ବ୍ୟକ୍ତିଗତ ଅଧିକାର । ଏଥିରେ ହସ୍ତକ୍ଷେପ କରିବାର କୌଣସି କ୍ଷମତା ବା ଅଧିକାର ଅନ୍ୟମାନଙ୍କର ନାହିଁ । ତେଣୁ ସେମାନେ ପୁରସ୍କାର ଫେରାଉଥିବା ଲେଖକମାନଙ୍କୁ ସମର୍ଥନ  ନ କଲେ ମଧ୍ୟ ସେମାନଙ୍କ ପ୍ରତି କଟୁ ମନ୍ତବ୍ୟ କରିବା ଆଦୌ ସମୀଚୀନ ନୁହେଁ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି ।

ଯେଉଁମାନେ ପୁରସ୍କାର ଫେରାଇ ନାହାନ୍ତି, ସେମାନେ ସମସ୍ତେ କ’ଣ ଏହି ସରକାରଙ୍କ ସମର୍ଥକ ଏବଂ ଦେଶର ଘଟି ଯାଉଥିବା ସମସ୍ତ ଅଘଟଣ ଓ ହତ୍ୟାକାଣ୍ଡ ପ୍ରବୃତ୍ତି ଘଟଣାକୁ ସେମାନେ ଉପଭୋଗ କରୁଛନ୍ତି ବୋଲି ମନେ କରିବାକୁ ହେବ ?

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜକୁ ଭାରତୀୟ ବୋଲି ପରିଚୟ କରାଇବା ପାଇଁ ଗର୍ବ ଅନୁଭବ କରିଥା’ନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ମା’ ସମସ୍ତଙ୍କୁ କୋଳରେ ଧରି ଗର୍ବ ଅନୁଭବ କରେ । ସେଥିପାଇଁ ସମଗ୍ର ବିଶ୍ୱରେ ଆମ ଦେଶର ସୁନାମ ରହିଛି ।

ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ବିଶ୍ୱାସ ଓ ଚାଲିଚଳନ ପରସ୍ପରଠାରୁ ଅଲଗା ହୋଇଥିଲେ ମଧ୍ୟ ସମସ୍ତେ ମଣିଷ ଏବଂ ମଣିଷକୁ ଭଲପାଇବା ପାଇଁ ପ୍ରତ୍ୟେକେ ସଂକଳ୍ପବଦ୍ଧ ହେବାର ଆବଶ୍ୟକତା ରହିଛି । ମୁଁ ଜଣେ ଭାରତୀୟ ଏବଂ ହିନ୍ଦୁ ହୋଇଥିବାରୁ ସର୍ବଦା ଗର୍ବିତ । ଆମ ଦେଶର ଧର୍ମ ନିରପେକ୍ଷ, ବୁଦ୍ଧିଜୀବୀ ଓ ସାହିତ୍ୟସ୍ରଷ୍ଟାମାନେ ଏହି ଆଦର୍ଶରେ ବିଶ୍ୱାସ କରୁଥିବାରୁ ଏଥିରେ ତ୍ରୁଟି ବିଚ୍ୟୁତି ଘଟିଲେ ସେମାନେ କ୍ଷତାକ୍ତ ହୋଇ ପ୍ରତିବାଦ ଜଣାଇବା ପାଇଁ ଆଗେଇ ଆସିବା ଏକ ସ୍ୱାଭାବିକ ଘଟଣା ।

ଏହାକୁ ସ୍ୱାଗତ କରି ପ୍ରତ୍ୟେକ ଭାରତୀୟ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ପରସ୍ପର ପ୍ରତି ସହନଶୀଳ ହେବା ଏକାନ୍ତ ଆବଶ୍ୟକ ।

( ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ତାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଦେଇଥିବା ନାରଦ ସମ୍ମାନ ନିକଟରେ ଫେରାଇଥିବା ଘୋଷଣା କରିଛନ୍ତି ।  ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ନାରଦ ଜୟନ୍ତୀ ପାଳନ କରି ଜଣେ ରାଜ୍ୟ ସ୍ତରୀୟ ସାମ୍ବାଦିକଙ୍କୁ ନାରଦ ସମ୍ମାନ ପ୍ରଦାନ କରିଥାଏ )

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

Filed Under: ତୃତୀୟ ନୟନ Tagged With: ଗଣମାଧ୍ୟମ, ଧାର୍ମିକ ସମ୍ପ୍ରଦାୟ, ରୋକ୍ ଠୋକ୍, ହରିହର ଶତପଥି

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ପରିସ୍ଥିତି (ତୃତୀୟ ନୟନ)

August 23, 2015 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଜନସାଧାରଣଙ୍କର ସର୍ବନିମ୍ନ ଆବଶ୍ୟକତା ମଧ୍ୟରେ ରୁଟି, କପଡ଼ା ଆଉ ମକାନ୍‍କୁ ଛାଡ଼ିଦେଲେ ଯେଉଁସବୁ ବିଷୟଗୁଡ଼ିକ ସର୍ବନିମ୍ନ ଆବଶ୍ୟକତା ମଧ୍ୟରେ ଅନ୍ତର୍ଭୁକ୍ତ ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଅଗ୍ରାଧିକାର ପାଇବା ଲାଗି ହକ୍‍ଦାର ।

କିନ୍ତୁ ଦେଖାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ଓ ପ୍ରଚେଷ୍ଟା ସତ୍ତ୍ୱେ ଆମ ରାଜ୍ୟର ସ୍ୱାସ୍ଥ୍ୟସେବା ବହୁ ପରିମାଣରେ ଅବହେଳିତ ହୋଇ ରହିଛି । ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଏଥିପାଇଁ ଯେତିକି ପରିମାଣରେ ଦାୟୀ, ଜନସଚେତନାର ଅଭାବ ମଧ୍ୟ ଅନୁରୂପ ପରିମାଣରେ ଦାୟୀ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ନିମ୍ନରେ ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ।

ସ୍ୱାସ୍ଥ୍ୟ ବିଭାଗରେ ୩୫୦୦ରୁ ଅଧିକ ଡାକ୍ତର ସମେତ ୧୭ ହଜାର ପଦବୀ ଖାଲି । ତିନୋଟି ଯାକ ସରକାରୀ ମେଡ଼ିକାଲ କଲେଜରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁ ସରକାରୀ ଚିକିତ୍ସାକେନ୍ଦ୍ରରେ ପ୍ରାୟ ସାଢ଼େ ୩୫୦୦ ଡାକ୍ତର ପଦବୀ ଖାଲିପଡ଼ିଛି ।

ଏଥିପାଇଁ ସାଧାରଣ ଲୋକେ ସରକାରୀ ସ୍ୱାସ୍ଥ୍ୟସେବାରୁ ବହୁ କ୍ଷେତ୍ରରେ ବଞ୍ଚିତ ହେଉଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଡାକ୍ତରୀ ପାଠପଢ଼ା ବି ବ୍ୟାହତ ହେଉଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଦୁଇଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ସେଥିରୁ ଏହା ଜଣାପଡ଼ିଛି ।

ଏହାଛଡ଼ା ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ଗୋଟିଏ ନୋଡାଲ କଲେଜରେ ୩୭୫ ଶିକ୍ଷକ ପଦବୀ ଖାଲିପଡ଼ିଛି ।

ମେଡ଼ିକାଲ କଲେଜଗୁଡ଼ିକରେ ୨୦ଟି ପ୍ରଫେସର, ୪୪ଟି ସହଯୋଗୀ ପ୍ରଫେସର ଓ ୨୯୭ଟି ସହକାରୀ ପ୍ରଫେସର ପଦବୀ ଖାଲିପଡ଼ିଛି । ଏହାଛଡ଼ା ନୋଡାଲ କଲେଜରେ ୧୪ଟି ଶିକ୍ଷକ ପଦବୀ ଖାଲି ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୮ଟି ପ୍ରଫେସର, ୨୦ଟି ସହଯୋଗୀ ପ୍ରଫେସର ଓ ୧୨୭ଟି ସହକାରୀ ପ୍ରଫେସର ପଦବୀ ଖାଲିଥିବା ବେଳେ ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ କଲେଜରେ ୪ଟି ପ୍ରଫେସର, ୧୧ଟି ସହଯୋଗୀ ପ୍ରଫେସର ଓ ୮୭ଟି ସହକାରୀ ପ୍ରଫେସର ପଦବୀ ଖାଲି ।

ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ୮ଟି ପ୍ରଫେସର, ୧୩ଟି ସହଯୋଗୀ ପ୍ରଫେସର ଓ ୮୩ଟି ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତରୁ ଜଣାପଡ଼ିଛି । ଏହାଛଡ଼ା ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ସହସ୍ରାଧିକ ଅନ୍ୟାନ୍ୟ ପଦବୀ ଫାଙ୍କା ରହିଛି ।

ଗାଁ ଗହଳିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ଓ ରାଜ୍ୟ ମହକୁମାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ଲାଗି ୪୮୬୪ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ଏବେ ସରକାରୀ ଖାତାରେ ଅଛନ୍ତି ମାତ୍ର ୨୨୯୩ ଜଣ ଡାକ୍ତର ।

ଅର୍ଥାତ୍ ୨୫୭୧ଟି ଡାକ୍ତର ପଦବୀ କ୍ଷେତ୍ରୀୟ କ୍ୟାଡର୍ରେ ଖାଲିପଡ଼ିଛି । ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ସଂଖ୍ୟା ଯୋଡ଼ିଲେ ଖାଲି ଡାକ୍ତର ପଦବୀ ସଂଖ୍ୟା ଢେର୍ ଅଧିକ ହୋଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ମୁତାବକ ରାଜ୍ୟରେ ଥିବା ହୋମିଓପାଥିକ ଡାକ୍ତରଖାନାଗୁଡ଼ିକ ପାଇଁ ୫୬୧ଟି ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୨୭୨ଟି ଖାଲିପଡ଼ିଛି ।

ସେହିପରି ଆୟୁର୍ବେଦିକ ଓ ୟୁନାନି ଡାକ୍ତରଖାନାଗୁଡ଼ିକ ଲାଗି ୬୨୦ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ଏବେ ୨୧୪ଟି ଡାକ୍ତର ପଦବୀ ଖାଲି । ରାଜ୍ୟର ହୋମିଓପାଥିକ ମେଡ଼ିକାଲ କଲେଜଗୁଡ଼ିକରେ ପ୍ରଫେସର, ପ୍ରଧ୍ୟାପକ ଓ ଅଧ୍ୟାପକ ପାହ୍ୟାରେ ୧୨୨ଟି ପଦବୀ ଖାଲିପଡ଼ିଛି ।

ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ଥିବା ୪ଟି ଯାକ ସରକାରୀ ହୋମିଓପାଥିକ ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ୨୪ଟି ମଂଜୁରୀ ପ୍ରାପ୍ତ ପ୍ରଫେସର ପଦବୀ ଥିବା ବେଳେ ଏ ସମସ୍ତ ପଦବୀ ଖାଲି । ସେହିଭଳି ପ୍ରଧ୍ୟାପକ ପାହ୍ୟାରେ ୪୬ଟି ଓ ଅଧ୍ୟାପକ ପାହ୍ୟାରେ ୫୨ଟି ପଦବୀ ଖାଲିପଡ଼ିଛି । ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଥିବା ସରକାରୀ ହୋମିଓପାଥିକ ମେଡ଼ିକାଲ କଲେଜରେ ସମସ୍ତ ପ୍ରଧ୍ୟାପକ ପଦବୀରେ କେହି ନାହାନ୍ତି ।

ଭୁବନେଶ୍ୱରର ଡ. ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡ଼ିକାଲ କଲେଜର ୧୫ଟି ଅଧ୍ୟାପକ ପଦବୀରୁ ୧୨ଟି, ରାଉରକେଲାର ୧୫ଟିରୁ ୧୦ଟି, ବ୍ରହ୍ମପୁର ଓ ସମ୍ବଲପୁରର ୧୫ଟିରୁ ୯ଟି କରି ଓ ବାରିପଦାର ୧୨ଟିରୁ ୧୦ଟି କରି ହୋମିଓପାଥିକ ଅଧ୍ୟାପକ ପଦବୀ ଖାଲି । ମାତ୍ର ୩ ଜଣ ଅଧ୍ୟାପକଙ୍କୁ ନେଇ ରାଜ୍ୟର ସର୍ବପ୍ରଥମ ଓ ଅଗ୍ରଣୀ ହୋମିଓପାଥିକ ମେଡ଼ିକାଲ କଲେଜ ଏବେ ଭୁବନେଶ୍ୱରରେ •ଲିଛି । ଏହି କଲେଜରେ ଡାକ୍ତରୀ ଶିକ୍ଷକ ଅଭାବରୁ ତିନି ବର୍ଷ ଧରି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ହେଉନାହିଁ ।

ରାଜ୍ୟର ଆୟୁର୍ବେଦିକ ମେଡ଼ିକାଲ କଲେଜଗୁଡ଼ିକର ଅବସ୍ଥା ତଦୃପ । ପୁରୀ, ବଲାଙ୍ଗୀର, ଅଙ୍କୁଶପୁର, ପାଇକମାଳ, ଭୁବନେଶ୍ୱର ଓ ବାରିପଦାରେ ଥିବା ଆୟୁର୍ବେଦିକ କଲେଜଗୁଡ଼ିକରେ ୧୦୦ଟି ଅଧ୍ୟାପକ ପଦବୀ ଖାଲିପଡ଼ିଛି ।

ଏଥିମଧ୍ୟରୁ ୧୦ଟି ପ୍ରଫେସର, ୪୬ଟି ପ୍ରଧ୍ୟାପକ ଓ ୪୪ଟି ଅଧ୍ୟାପକ ପଦବୀ ଅନ୍ତର୍ଭୁକ୍ତ । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ସରକାରୀ ମେଡ଼ିକାଲ କଲେଜ ଏବଂ ହୋମିଓପାଥିକ ଓ ଆୟୁର୍ବେଦିକ କଲେଜଗୁଡ଼ିକର ସ୍ୱୀକୃତି ପ୍ରତ୍ୟାହାର ପାଇଁ ବହୁ ସମୟରେ ଏମ୍ସିଆଇ ଓ ସିସିଆଇଏମ୍ ଧମକ ଦେଉଛନ୍ତି ।

କେବଳ ଏହି ସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକରେ ଡାକ୍ତରୀ ଅଧ୍ୟାପକ ଓ ଡାକ୍ତର ପଦବୀ ଖାଲିପଡ଼ିନାହିଁ, ହଜାର ହଜାର ସଂଖ୍ୟାରେ ଅନ୍ୟାନ୍ୟ ପଦବୀ ଖାଲିପଡ଼ିଛି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକ୍ନିସିଆନ୍, ରେଡ଼ିଓଗ୍ରାଫର ଆଦି ୪୧୯୩ଟି ପାରାମେଡ଼ିକ୍ସ ପଦବୀ ଖାଲି ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ ୧୬୭ଟି ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ୧୦୦ରୁ ଅଧିକ କରି ଡାକ୍ତରୀ ପଦବୀ ଖାଲି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦ୍ରାପଡ଼ରେ ୮୭ଟି ଡାକ୍ତର ପଦବୀ ଖାଲିପଡ଼ିଥିବା ଶ୍ରୀ ନାୟକଙ୍କ ଉତ୍ତରରୁ ଜଣାପଡ଼ିଛି । ଆଦିବାସୀ ଅଧ୍ୟୁଷିତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସଂଖ୍ୟାଧିକ ଡାକ୍ତରୀ ପଦବୀ ଖାଲି । ଏହାଛଡ଼ା ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ ସବୁ ସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକରେ ହଜାର ହଜାର ପଦବୀ ଖାଲିପଡ଼ିଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟଭିତ୍ତିକ ଉତ୍ତର ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦିଲିପ ରାୟ ଗଭୀର ଉଦ୍ବେଗ ପ୍ରକାଶ କରି ସରକାର ଉଭୟ ଡାକ୍ତର, ଡାକ୍ତରୀ ଶିକ୍ଷକ, ପାରାମେଡ଼ିକ୍ସ ଓ ଅନ୍ୟାନ୍ୟ ପଦବୀ ଅଗ୍ରାଧିକାର ଭତ୍ତିରେ ପୂରଣ କରୁନଥିବାରୁ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବା ସହିତ ଉଭୟ ଡାକ୍ତରୀ ଶିକ୍ଷା ଓ ଚିକିତ୍ସାର ମାନ ହ୍ରାସ ପାଉଛି ବୋଲି ଅଭିଯୋଗ କରିଛନ୍ତି ।

ଏହି ପଦବୀଗୁଡ଼ିକ ରାଜ୍ୟ ସରକାର ଜାଣିଶୁଣି ବର୍ଷ ବର୍ଷ ଧରି ପୂରଣ ନ କରି ବ୍ୟୟ ସଙ୍କୋଚନ ଆଳରେ ଅର୍ଥ ସଞ୍ଚୟ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ସହ ସାଧାରଣ ଲୋକଙ୍କ ଜୀବନ ଜଡ଼ିତ ଥିବାରୁ ସରକାର ଏ ଦିଗରେ ତୀକ୍ଷ୍ଣ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି । ତା’ହେଲେ ଜନସାଧାରଣଙ୍କ ଜୀବନ ସହ ଏପରି ବିପଦଜ୍ଜନକ ଖେଳ ଖେଳିବାର ସବୁ ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇପାରିବ ।

ପୂର୍ବରୁ ଅର୍ଥମନ୍ତ୍ରୀ ଦେଇଥିବା ଅନ୍ୟ ଏକ ଉତ୍ତରକୁ ଭିତ୍ତି କରି ଶ୍ରୀ ରାୟ କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗରେ ୩୮୯୦ ପଦବୀ ଉଚ୍ଛେଦ କରାଯାଇଥିବା ବେଳେ ସରକାରଙ୍କ ପ୍ରଦତ୍ତ ସର୍ବଶେଷ ହିସାବ ଅନୁଯାୟୀ ୧୩,୪୫୮ ପଦବୀ ଖାଲିପଡ଼ିଛି । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଯଦି ସରକାରଙ୍କ ସାମାନ୍ୟ ଚିନ୍ତାଥାଏ ତେବେ ଅଗ୍ରାଧିକାର ଭିତ୍ତିରେ ୨ ମାସ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗରେ ଖାଲିପଡ଼ିଥିବା ଓ ଉଚ୍ଛେଦ ହୋଇ ଯାଇଥିବା ପ୍ରାୟ ୧୭ହଜାର ପଦବୀ ତୁରନ୍ତ ପୂରଣ କରିବା ଏକାନ୍ତ ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେବଳ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି, କାର୍ଯ୍ୟରତ ମଧ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ରାଜ୍ୟର ସ୍ୱାସ୍ଥ୍ୟ ସେବାର ବାସ୍ତବତା ବିଷୟରେ ଅଜ୍ଞ ନୁହନ୍ତି । ରାଜ୍ୟର ସବୁ ଅଞ୍ଚଳରେ ଓ ସବୁ ସ୍ତରରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସଫଳ ଉଦ୍ୟମ କରିପାରିଲେ ରାଜ୍ୟବାସୀ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରନ୍ତେ ।

ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

Filed Under: ତୃତୀୟ ନୟନ, ସ୍ୱାସ୍ଥ୍ୟ Tagged With: ଡାକ୍ତର ପଦବୀ ଖାଲି, ସ୍ୱାସ୍ଥ୍ୟ ବିଭାଗ

ତୃତୀୟ ନୟନ: ମୋ ଦୃଷ୍ଟିରେ ବ୍ରହ୍ମ ବିଭ୍ରାଟ, ଦଇତାପତି ଓ ସରକାର

June 26, 2015 by News Bureau Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ୨୦୧୫ ମସିହା ଜୁନ୍‍ ୧୬ ତାରିଖ ଦିନ ବିଶ୍ୱର ହିନ୍ଦୁମାନଙ୍କ ବହୁ ଆକାଂକ୍ଷିତ ଶ୍ରୀମନ୍ଦିରର ଚତୁର୍ଦ୍ଧାମୂରତିଙ୍କର ବ୍ରହ୍ମ ପରିବର୍ତ୍ତନର ଶୁଭ ମୁହୂତ୍ତ୍ୱକୁ କେବଳ ହିନ୍ଦୁମାନେ ନୁହଁନ୍ତି, ବିଭିନ୍ନ ଧର୍ମାବଲମ୍ବୀମାନେ ଆଗ୍ରହର ସହ ଅପେକ୍ଷା କରିଥିବା ସମୟରେ ଶ୍ରୀମନ୍ଦିରରେ ଯେଭଳି ବିଭ୍ରାଟ ଘଟିଲା, ତାହା ପ୍ରତ୍ୟେକ ହିନ୍ଦୁଙ୍କ ଭାବପ୍ରବଣତାକୁ ଦୋହଲାଇ ଦେଇଛି ।

Prasanta-Closeupନବକଳେବର ଉତ୍ସବ ପାଇଁ କେବଳ ରାଜ୍ୟସରକାର ନୁହଁନ୍ତି, କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରି ଆଗାମୀ ରଥଯାତ୍ରା ଉତ୍ସବ ପାଇଁ ପ୍ରାୟ ୪୦ ଲକ୍ଷରୁ ଉଦ୍ଧ୍ୱର୍ ଜନସମାଗମର ଆଶା ରଖିଛନ୍ତି ।

ଚଳିତ ବର୍ଷର ନବକଳେବର ପାଇଁ ବନଜାଗ ଯାତ୍ରାଠାରୁ ଆରମ୍ଭ କରି ଦାରୁ ଚିହ୍ନଟ, ଶବରପଲ୍ଲୀ, ଦଇତା ଏବଂ ବିଭିନ୍ନ ସମ୍ପ୍ରଦାୟର ସେବକମାନଙ୍କ କାର୍ଯ୍ୟକଳାପର ଟିକିନିଖି ବିବରଣୀ ପ୍ରାୟତଃ ଗଣମାଧ୍ୟମରେ ପ୍ରକାଶ ପାଇ ଜନସାଧାରଣଙ୍କ ଉତ୍କଣ୍ଠାକୁ ବହୁ ପରିମାଣରେ ବଢାଇ ଦେଇଥିଲା ।

୧୯ବର୍ଷ ପୂର୍ବେ ବୈଦୁତିକ ଗଣମାଧ୍ୟମ ବିଶେଷ ଭାବରେ ପ୍ରସାରିତ ହୋଇନଥିବାରୁ ଦେଶବାସୀ ମୁଦ୍ରିତ ଗଣମାଧ୍ୟମ ଜରିଆରେ ନବକଳେବର ସମ୍ପର୍କିତ ବିଭିନ୍ନ ରୀତିନୀତି ଏବଂ କାର୍ଯ୍ୟକ୍ରମର ସୂଚନା ପାଉଥିଲେ ।

ସମ୍ପ୍ରତି ଆମ ରାଜ୍ୟରେ ବୈଦୁତିକ ଗଣମାଧ୍ୟମର ପ୍ରସାର ସାଙ୍ଗକୁ ମୁଦ୍ରିତ ଗଣମାଧ୍ୟମର ବହୁଳ ପ୍ରସାର ଏବଂ ଇଣ୍ଟରନେଟ୍‍ ଜରିଆରେ ପ୍ରସାରିତ ସମ୍ବାଦ ନିମିଷକ ମଧ୍ୟରେ ବିଶ୍ୱବ୍ୟାପି ପହଞ୍ଚି ପାରୁଥିବାରୁ ନବକଳେବର ସମ୍ପର୍କରେ ଜାଣିବା ଲାଗି ବ୍ୟାପକ ଆଗ୍ରହ ସୃଷ୍ଟି ହୋଇଥିଲା ଏବଂ କୋଟି କୋଟି ସଂଖ୍ୟକ ଶ୍ରଦ୍ଧାଳୁ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ ।

ପରମ୍ପରା ଅନୁଯାୟୀ ନବକଳେବର ସମ୍ପର୍କରେ ରହିଆସିଥିବା ‘ଗୁପ୍ତସେବା’ ସର୍ବସାଧାରଣରେ ପ୍ରକଟିତ ହେବା ନିଷେଧ ହୋଇଥିଲେ ମଧ୍ୟ ବନଜାଗ ଯାତ୍ରାଠାରୁ ଆରମ୍ଭ କରି କୌଣସି ପ୍ରକ୍ରିୟା ଗୋପନ ରହିନଥିଲା ।

ନବକଳେବର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଦଇତାପତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଯେଉଁ ସୁସ୍ଥ ପରମ୍ପରା ରହିଥିଲା, ଚଳିତ ବର୍ଷ ତାହାର ଘୋର ପରିବର୍ତ୍ତନ ଦେଖାଯାଇଥିଲା ।

ମୋବାଇଲ୍‍ ଫୋନ୍‍ର ବ୍ୟାପକ ବ୍ୟବହାର ଯୋଗୁଁ ବନଜାଗଯାତ୍ରା, ଦାରୁ ଚୟନ, ଦାରୁ ଛେଦନ, ଶଗଡ଼ିରେ କୋଇଲି ବୈକୁଣ୍ଠକୁ ବିଗ୍ରହ ନିର୍ମାଣ ପାଇଁ ବ୍ରହ୍ମଦାରୁମାନଙ୍କର ଯାତ୍ରା ସବୁକିଛି ଅଯାଚିତ ଭାବରେ ଗଣମାଧ୍ୟମ ଏବଂ ଫେସ୍‍ବୁକ୍‍ ଭଳି ସୋସିଆଲ୍‍ ମିଡ଼ିଆ ନିକଟରେ ପହଞ୍ଚି ବ୍ୟାପକ ଭାବରେ ପ୍ରଚାରିତ ହେଲା ।

ଶ୍ରୀମନ୍ଦିରର ପ୍ରଶାସକଙ୍କ ବିନା ଅନୁମତିରେ ନବକଳେବର ସମ୍ପର୍କିତ କୌଣସି ସମ୍ବାଦ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ଓ ପ୍ରସାରିତ କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ନିଷ୍ପତ୍ତି ହୋଇଥିବାରୁ ଏବଂ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ଧିଷ୍ଟ ହୋଇଥିବାରୁ କୌଣସି ଗଣମାଧ୍ୟମ ଏଥିରେ ସହଯୋଗ କରିନଥିଲେ ।

ଅପରନ୍ତୁ ନିଜ ନିଜର ଜନପ୍ରିୟତା ଜାହିର୍‍ କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିଯୋଗିତା ଯୋଗୁଁ ଅଧିକାଂଶ ଗଣମାଧ୍ୟମ ନିଜ ନିଜର ସୀମା ସରହଦ ଉଲ୍ଲଂଘନ କରିବା ପାଇଁ ପଶ୍ଚାତପଦ୍‍ ହୋଇନଥିଲେ ।

ଇତିମଧ୍ୟରେ ବିଭିନ୍ନ ସମୟରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କ ଅଯାଚିତ ମନ୍ତବ୍ୟମାନ ନବକଳେବର ସମ୍ପର୍କିତ ରୀତିନୀତି ଓ କାର୍ଯ୍ୟକ୍ରମକୁ ନେଇ ଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା ।

ଏଭଳି ଅଭାବନୀୟ ପରିସ୍ଥିତି ସାଙ୍ଗକୁ ନିଜର ପ୍ରାଧାନ୍ୟ ଓ ପ୍ରତିପତ୍ତି ପ୍ରମାଣିତ କରିବା ଲାଗି ଦଇତାପତିମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଜଗନ୍ନାଥ ଧର୍ମ ଓ ପରମ୍ପରାରେ ଦୃଢ ବିଶ୍ୱାସ କରୁଥିବା ଅଜସ୍ର ହିନ୍ଦୁଙ୍କ ଭାବାବେଗକୁ ଆହତ କରିଥିଲା ।

ଦାରୁ ଚିହ୍ନଟ ପ୍ରକ୍ରିୟାଠୁ ଆରମ୍ଭ କରି ଶବରପଲ୍ଲୀରେ ରାତ୍ରିଯାପନ ଓ ବିଗ୍ରହ ନିର୍ମାଣ ସଂପର୍କିତ ନୈଷ୍ଠିକ ପରମ୍ପରାରେ ଘଟିଯାଇଥିବା ବ୍ୟତିକ୍ରମ ସମ୍ପର୍କିତ କୌଣସି ସମ୍ବାଦ ଗୋପନୀୟ ହୋଇ ରହିନଥିଲା ।

ନବକଳେବର ଓ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୁରୀର ବରିଷ୍ଠ ବିଧାୟକ ତଥା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀ ମହେଶ୍ୱର ମହାନ୍ତିଙ୍କୁ ରାଜ୍ୟସରକାର କ୍ୟାବିନେଟ୍‍ ପାହ୍ୟାରେ ଅବସ୍ଥାପିତ କରିଥିଲେ ।

ଦେବତ୍ତର ବିଭାଗର ଯୁବ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ନବକଳେବର ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦିତ କରିବା ଲାଗି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶ୍ରୀ ସାହୁ ଏ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଏକାଧିକବାର ପୁରୀଯାତ୍ରା କରିଥିଲେ ମଧ୍ୟ ନବକଳେବର ସମ୍ପର୍କିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କ ସହ ଆବଶ୍ୟକୀୟ ଯୋଗସୂତ୍ର ସ୍ଥାପନ କରି ସମୀକ୍ଷା କରିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମନ୍ତ୍ରୀ ଶ୍ରୀ ସାହୁ ନବକଳେବର ଓ ରଥଯାତ୍ରା ସମ୍ପର୍କରେ ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ଦଳୀୟ ରାଜନୀତିରେ ଲିପ୍ତ ରହୁଥିଲେ ବୋଲି ଯେଉଁ ଅଭିଯୋଗ ହେଉଥିଲା, ବ୍ରହ୍ମ ପରିବର୍ତ୍ତନ ସମ୍ପର୍କିତ ଘୋର ବିଶୃଙ୍ଖଳାରୁ ତା’ର ସତ୍ୟତା ଯେ ଅନେକ ପରିମାଣରେ ପ୍ରମାଣିତ ହୋଇଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସମ୍ବାଦ ଅନୁଯାୟୀ ଏବଂ ଦଇତାପତି ଓ ଅନ୍ୟାନ୍ୟ ସେବକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନାନ୍ତର, ମତାନ୍ତର ତଥା ଗଜପତି ମହାରାଜ ଓ ମୁଖ୍ୟ ପ୍ରଶାସକଙ୍କ ସୂତ୍ରରୁ ପ୍ରଘଟିତ ଅଭିଯୋଗମାନ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇତିମଧ୍ୟରେ ମନ୍ଦିର ପ୍ରଶାସନ ବ୍ରହ୍ମ ବିଭ୍ରାଟର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରିଷ୍ଠ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଏବଂ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ରଙ୍କୁ ଦଇତା ସେବାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ମାନିବାପାଇଁ ଜୟକୃଷ୍ଣ ଓ କାଶୀନାଥ ବାଧ୍ୟ ନୁହଁନ୍ତି ଏବଂ ପ୍ରଭୁଙ୍କ ସେବାରୁ ସେମାନଙ୍କୁ ବଞ୍ଚିତ କରିବାର ଅଧିକାର କାହାରି ନାହିଁ ବୋଲି ସେମାନେ ଦାବି କରିଛନ୍ତି ।

ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ବ୍ରହ୍ମ ପରିବର୍ତ୍ତନ ସମୟରେ ପୂର୍ବରୁ ଜଣେ ବୟୋଜ୍ୟେଷ୍ଠ ଦଇତାପତି ଏହି କାର୍ଯ୍ୟ ସମାପନ କରୁଥିଲେ ପରବର୍ତ୍ତୀ କାଳରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନଙ୍କ ବ୍ରହ୍ମ ପରିବର୍ତ୍ତନ ନିମନ୍ତେ ଚାରିଜଣ ଦଇତାପତିଙ୍କୁ ଦାୟିତ୍ୱ ଦିଆଯାଉଥିଲା ।

ମାତ୍ର ଚଳିତବର୍ଷ ବ୍ରହ୍ମ ପରିବର୍ତ୍ତନ ସମୟରେ ଶତାଧିକ ଦଇତାପତି ବ୍ରହ୍ମ ପରିବର୍ତ୍ତନସ୍ଥଳରେ ଉପସ୍ଥିତ ରହି ନିଜ ନିଜର ପତିଆରା ଦେଖାଇବା ପାଇଁ ବିଭ୍ରାଟ ସୃଷ୍ଟି କରିଥିଲେ । ବ୍ରହ୍ମ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତ ଆଲୋକ ନିର୍ବାପିତ ହେବାର ପରମ୍ପରା ଥିବା ସ୍ଥଳେ ଚଳିତ ବର୍ଷର ବ୍ରହ୍ମ ପରିବର୍ତ୍ତନ ସମୟରେ କେତେକ ଦଇତାପତି ମୋବାଇଲ୍‍ ଫୋନ ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ବିସ୍ମିତ କରିଛି ।

କେତେକ ଦଇତାପତି ଅର୍ଥ ବା କ୍ଷମତା ଲାଳସାରେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହେଉଥିଲେ ମଧ୍ୟ ଏହି ଗୁରୁତର ବିଭ୍ରାଟ ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଧଶ କରାଯିବା ଅଯୌକ୍ତିକ ହେବ ନାହିଁ ।

କାରଣ ଶ୍ରୀମନ୍ଦିରର ପ୍ରଶାସନ ତଥା ଆଇନ୍‍ ଶୃଙ୍ଖଳା ଦାୟିତ୍ୱ ପ୍ରଶାସକଙ୍କ ଉପରେ ହିଁ ନ୍ୟସ୍ତ ଥାଏ । ବ୍ରହ୍ମ ପରିବର୍ତ୍ତନ ସମୟରେ ସମସ୍ତ ପ୍ରକାର ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବା ପାଇଁ ସେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବ୍ରହ୍ମପରିବର୍ତ୍ତନ ଦାୟିତ୍ୱରେ ଥିବା ମାତ୍ର ଚାରିଜଣ ପ୍ରମୁଖ ଦଇତାପତିଙ୍କୁ ପ୍ରବେଶ କରିବାର ଅନୁମତି ଦେବା ଏକାନ୍ତ ବିଧେୟ ଥିଲା ।

ଜଣେ ଉଚ୍ଚପଦସ୍ଥ ପୋଲିସ୍‍ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯାଇ ଏହି ଚାରିଜଣ ଦଇତାପତିଙ୍କୁ ବ୍ରହ୍ମ ପରିବର୍ତ୍ତନସ୍ଥଳକୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିଲେ ସେଠାରେ ଶତାଧିକ ଦଇତାପତିଙ୍କର ସମାଗମ ହେବା ଅଥବା ମୋବାଇଲ୍‍ ଫୋନ୍‍ ସେଠାରେ ପହଞ୍ଚିବା ନିଶ୍ଚିତ ଭାବରେ ଅସମ୍ଭବ ହୋଇ ପଡ଼ିଥା’ନ୍ତା ।

ମାତ୍ର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ କର୍ମଚାରୀମାନେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ନାହିଁ, ତାହାର ପ୍ରକୃତ କାରଣ ଲୋକଲୋଚନକୁ ଆସିବା ଏକାନ୍ତ ଆବଶ୍ୟକ ।

ଘଟିଯାଇଥିବା ବିଶୃଙ୍ଖଳା ପାଇଁ କେବଳ ଦଇତାପତିମାନଙ୍କ ଉପରେ ଦୋଷ ଲଦିବା ପରିବର୍ତ୍ତେ ନବକଳେବର ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ପ୍ରତିଟି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଏଥିପାଇଁ ଦାୟୀ ଥିବା ରାଜନେତା, ପ୍ରଶାସକ, ସେବକ ପ୍ରଭୃତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ନିଆଯାଇପାରିଲେ ଘଟିଯାଇଥିବା ତ୍ରୁଟି ବିଚ୍ୟୁତିର ସଂଶୋଧନ ହେବା ସମ୍ଭବପର ନ ହେଲେ ମଧ୍ୟ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଘଟନ୍ତା ନାହିଁ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ନିଜକୁ ଜଣେ ଧର୍ମନିରପେକ୍ଷ ବ୍ୟକ୍ତି ବୋଲି ଦାବି କରିଆସୁଛନ୍ତି । ନିଜର କ୍ଷମତା ଓ ପ୍ରଶାସନିକ ଶୃଙ୍ଖଳା ପାଇଁ ବିଭିନ୍ନ ସମୟରେ ସେ ଦଳୀୟ ନେତା ଏବଂ ଅମଲାତନ୍ତ୍ରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି କଦାପି ପଶ୍ଚାତପଦ୍‍ ହୋଇନାହାଁନ୍ତି ।

ବ୍ରହ୍ମ ପରିବର୍ତ୍ତନରେ ଘଟିଯାଇଥିବା ମହାବିଭ୍ରାଟ ପାଇଁ ଶ୍ରୀ ପଟ୍ଟନାୟକ ରହସ୍ୟମୟ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ଏଥିପାଇଁ ଦାୟୀ ଥିବା ପ୍ରତ୍ୟେକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଲେ ସେ ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଆସ୍ଥାଭାଜନ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧ ୮

Filed Under: ତୃତୀୟ ନୟନ, ରାଜନୀତି Tagged With: ନବ କଳେବର, ବ୍ରହ୍ମ

(ତୃତୀୟ ନୟନ: ପ୍ରଶାନ୍ତ ପଟ୍ଟନାୟକ) ପ୍ରଗତି, ସନ୍ତୁଷ୍ଟି ଓ ଭିକ୍ଷା ବୃତ୍ତି

May 11, 2015 by News Bureau Leave a Comment

ତୃତୀୟ ନୟନ

ପ୍ରଶାନ୍ତ ପଟ୍ଟନାୟକ

ନବୀନ ସରକାର ଶାସନ କ୍ଷମତାକୁ ଆସିବା ପରଠାରୁ ବିଗତ ୧୪ ବର୍ଷ ମଧ୍ୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସରକାର ଏବଂ ଶାସକ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଗଣମାଧ୍ୟମରେ ବ୍ୟୟବହୁଳ ପ୍ରଚାର ଜାରି ରହିଛି ।

Prasanta-Closeupରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ତାଙ୍କ ସରକାରଙ୍କ ଦ୍ୱାରା ଗୃହୀତ ବିଭିନ୍ନ ପଦକ୍ଷେପ ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟର ସର୍ବାଧିକ ଲୋକଙ୍କୁ ପ୍ରଭାବିତ କରିଛି ବୋଲି ଦାବି କରାଯିବା ସହ କିଲୋପ୍ରତି ଏକ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ସରକାର ଜନସାଧାରଣଙ୍କୁ ବିଶେଷ ଭାବରେ ଉପକୃତ କରିଥିବା ଦାବି କରାଯାଉଛି ।

ସରକାରୀ କଳ ଓ ସରକାରୀ ଦଳ ତରଫରୁ କୁହାଯାଉଛି ଯେ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ରାଜ୍ୟରେ ୩୭ ଲକ୍ଷ ବିପିଏଲ୍‍ ପରିବାର, ୧୨ ଲକ୍ଷ ୫୩ ହଜାର ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀ ହୋଇଥିବା ବେଳେ ୮ଟି କେବିକେ ଜିଲ୍ଲାର ୫ ଲକ୍ଷ ୩୨ ହଜାର ଏପିଏଲ୍‍ ପରିବାର୧ ଫେବୃୟାରୀ ୨୦୧୩ ଠାରୁ କିଲୋପ୍ରତି ୧ ଟଙ୍କା ହିସାବରେ ମାସକୁ ୨୫ କେଜି ପର୍ଯ୍ୟନ୍ତ ଚାଉଳ ପାଇବା ଯୋଗୁଁ ଏହି ପରିବାରଗୁଡିକର ଖାଦ୍ୟ ନିରାପତ୍ତା ନିଶ୍ଚିତ ହୋଇଛି।

ଏହି ଯୋଜନାର ଲାଭ ପାଉଥିବା ଅନ୍ୟମାନେ ହେଲେ ଆଦିବାସୀ ଛାତ୍ରାବସାରେ ରହି ପାଠ ପଢ଼ୁଥିବା ୪ ଲକ୍ଷ ୧୫ ହଜାର ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀ, ୭୭ ହଜାର ଭିନ୍ନକ୍ଷମ, କନ୍ଧମାଳ ଦଙ୍ଗାଗ୍ରସ୍ତ ୨୪ ହଜାର ଏପିଏଲ୍‍ ପରିବାର ଏବଂ ଅଲିଭ୍‍ ରିଡ୍‍ଲେ ସଂରକ୍ଷଣ ଦ୍ୱାରା କ୍ଷତିଗ୍ରସ୍ତ ୧୦ ହଜାର ୧୩୩ ପରିବାର ।

କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଉପକୃତ ବା ସନ୍ତୁଷ୍ଟିକରଣ କରିବା ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ଛତା, କମ୍ବଳ, ଚପଲ ବଣ୍ଟନଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ସାଇକେଲ୍‍ ଓ ଲ୍ୟାପ୍‍ଟପ୍‍ ବଣ୍ଟନ ପ୍ରଭୃତି ପଦକ୍ଷେପ ଅର୍ନ୍ତଭୂକ୍ତ ।

ସରକାରଙ୍କ ଏହି ଯୋଜନାରେ ଉପକୃତ ହେଉଥିବା ଲୋକମାନେ ନବୀନଙ୍କ ପ୍ରତି ଅକୁଣ୍ଠ କୃତଜ୍ଞତା ଜଣାଇବା ପାଇଁ ଗତ ସାଧାରଣ ନିର୍ବାଚନରେ ସରକାରୀ ଦଳର ରେକର୍ଡ ସଂଖ୍ୟକ ୧୧୭ ଜଣ ବିଧାୟକ ଏବଂ ୨୦ ଜଣ ଲୋକସଭା ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି ।

ନବୀନଙ୍କର ଏହି ସନ୍ତୁଷ୍ଟିକରଣ ରାଜନୀତି ରାଜ୍ୟ ବା ଜନସାଧାରଣଙ୍କର ବାସ୍ତବ ଉନ୍ନତି କରିବା ପରିବର୍ତ୍ତେ ସେମାନଙ୍କ ମନରୁ ‘ଆତ୍ମ ନିର୍ଭରଶୀଳତା’କୁ ନିର୍ବାସିତ କରି ସେମାନଙ୍କୁ ଏକପ୍ରକାର ‘ଭିକାରୀ’ରେ ପରିଣତ କରିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଲାଗି ପଡିଛି ।

ସରକାରଙ୍କ ଏଭଳି ନୀତି ସମ୍ପର୍କରେ ସରକାରୀ ଦଳ ଓ ସରକାରୀ କଳରୁ ଫାଇଦା ଉଠାଉଥିବା ରାଜନୈତିକ ବ୍ୟକ୍ତି, ଅମଲାତନ୍ତ୍ରୀ, ଗଣମାଧ୍ୟମ ଓ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରଶଂସାରେ ଶତମୁଖ ହୋଇଉଠୁଥିବା ସ୍ଥଳେ ଏଭଳି ସନ୍ତୁଷ୍ଟିକରଣ ନୀତି ଓଡିଶାକୁ କେତେଦୂର ପ୍ରଗତି ପଥରେ ଆଗେଇ ନେବ ଏବଂ ଓଡିଆ ଜାତିର ସ୍ୱାଭିମାନକୁ କେତେଦୂର ସମୃଦ୍ଧ କରିବ ସେ ସମ୍ପର୍କରେ ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ କୌଣସି ରାଜନୈତିଜ୍ଞ, ଅର୍ଥନୈତିଜ୍ଞ, ସମାଜନୀତିଜ୍ଞ ଚିନ୍ତା କରୁଥିବା ଭଳି ମନେ ହେଉନାହିଁ ।

ବିରୋଧୀ ରାଜନୈତିକ ଦଳମାନେ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ପଦକ୍ଷେପକୁ ‘ମୃଦୁ ବିରୋଧ’ କରୁଥିଲେ ମଧ୍ୟ ଏ ସମ୍ପର୍କରେ ଯେଭଳି ଭାବରେ ଜନସେଚତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯିବା କଥା ତାହା କରୁନାହାନ୍ତି ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ରାଜ୍ୟ ଏବଂ ଜାତୀୟସ୍ତରର ଗଣମାଧ୍ୟମଗୁଡିକ ନବୀନ ସରକାରଙ୍କ ପଦକ୍ଷେପର ଉଚିତ୍‍ ମୂଲ୍ୟାୟନ କରିବା ଦିଗରେ ପଦକ୍ଷେପ ନେବା ସହ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ସେମାନେ ମଧ୍ୟ ‘ବିଜ୍ଞାପନ’ ଓ ଅନ୍ୟାନ୍ୟ ଅନୁକମ୍ପା ବଳରେ ସନ୍ତୁଷ୍ଟ ହୋଇ କେବଳ ନିରବ ରହୁନାହାନ୍ତି ନବୀନଙ୍କ ପଦକ୍ଷେପର ଭୂୟସୀ ପ୍ରଶଂସା କରି ତାଙ୍କୁ ଉତ୍ସାହିତ କରି ଚାଲିଛନ୍ତି ।

ସବୁ ବର୍ଗର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ସରକାର ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାହା ଫଳରେ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିବା ସହ ଓଡିଶାର ଜନସାଧାରଣଙ୍କର ଆର୍ଥିକ ଓ ନୈତିକ ମେରୁଦଣ୍ଡ ମଧ୍ୟ ଦୁର୍ବଳ ହେବାରେ ଲାଗିଛି ଏଥିରେ ସଂଦେହ ନାହିଁ ।

କାରଣ କେବଳ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳକୁ ବାଦ୍‍ ଦେଲେ ଅନ୍ୟାନ୍ୟ ସମସ୍ତ ସନ୍ତୁଷ୍ଟିକରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ବୟସ୍କ ଏବଂ ଅସହାୟ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ହଜାର ହଜାର କୋଟି ଟଙ୍କା ମୂଲ୍ୟର ପଦାର୍ଥଗୁଡିକ ମଧ୍ୟରୁ ଗୋଟିଏ ହେଲେ ପଦାର୍ଥ ଓଡିଶାରେ ଉତ୍ପାଦିତ ହେଉନାହିଁ ।

ଅଧିକାଂଶ ପଦାର୍ଥ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଉଥିବାହେତୁ ଏ ସବୁର ଦାୟିତ୍ୱରେ ଥିବା ଅମଲାତନ୍ତ୍ରୀ ଓ ରାଜନେତାମାନେ ଏଥିରୁ ପ୍ରଭୃତ ଆର୍ଥିକ ଫାଇଦା ଉଠାଇବା ଅଭିଯୋଗ ହେଉଛି । ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ନିମ୍ନମାନର ଡାଲି କାରବାରରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ବିଷୟ ପଦାରେ ପଡିବା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ମଧ୍ୟ ଏହି ଦୁର୍ନୀତିରେ କୌଣସି ଅମଲାତନ୍ତ୍ରୀ ଏବଂ ଅସାଧୁ ବ୍ୟବସାୟୀ ଅଦ୍ୟାବଧି ଦଣ୍ଡିତ ହୋଇଥିବା ବିଷୟ କାହାରିକୁ ଜଣାନାହିଁ ।

ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକଗୁଡିକ ନିମନ୍ତେ ବ୍ୟବହୃତ କନା ଓଡିଶାରେ ଉତ୍ପାଦିତ ନହୋଇ ବାହାରୁ ଆମଦାନୀ ହେଉଥିବା ବିଷୟ କାହାରିକୁ ଅଜଣା ନାହିଁ ।

ଶ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଏସିଆର ଅନ୍ୟତମ ସୁନାମଧନ୍ୟ ଲୁଗା କାରଖାନା ବନ୍ଦ ହୋଇପଡିଥିବା ଏବଂ ରାଜ୍ୟରେ ଆଉ କୌଣସି ଲୁଗା କାରଖାନା ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଶହ ଶହ କୋଟି ଟଙ୍କା ମୂଲ୍ୟର ପୋଷାକ କିଣାରୁ ଅଣଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି କେବଳ ।

ଅପରପକ୍ଷରେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ହସ୍ତତନ୍ତ ବୁଣାକାର କଞ୍ଚାମାଲ, ଭିତ୍ତିଭୂମି ଏବଂ ବିକ୍ରି କରିବା ନିମନ୍ତେ ଆବଶ୍ୟକୀୟ ସୁଯୋଗରୁ ବଞ୍ଚିତ ହୋଇ ଅନାହାର ଓ ଅର୍ଦ୍ଧାହାରରେ କାଳାତିପାତ କରୁଥିବା ସମ୍ପର୍କରେ ସରକାର ଅବଗତ ଥିଲେ ମଧ୍ୟ ଏହି ପରିସ୍ଥିତିକୁ ସୁଧାରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

ଯଦି ସରକାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ହସ୍ତତନ୍ତ ପ୍ରସ୍ତୁତ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥାନ୍ତେ ତେବେ ରାଜ୍ୟର ହସ୍ତତନ୍ତ ଶିଳ୍ପ ସମୃଦ୍ଧ ହେବା ସହ ନିଜ ରାଜ୍ୟ ତିଆରି କନାରେ ପୋଷାକ ପିନ୍ଧୁଥିବାରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାଭିମାନ ବୃଦ୍ଧି ପାଇଥାନ୍ତା ।

ଠିକ୍‍ ସେହିଭଳି ଅଙ୍ଗନବାଡି ଠାରୁ ଆରମ୍ଭ କରି ଶିକ୍ଷାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷୟତ୍ରୀମାନଙ୍କ ପାଇଁ ଓଡିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ପିନ୍ଧିବା ଯଦି ବାଧ୍ୟତାମୂଳକ କରାଯାଇଥାନ୍ତା ତେବେ ଓଡିଶାରେ ବୟନଶିଳ୍ପ ସମୃଦ୍ଧ ହେବା ସହ ଲକ୍ଷ ଲକ୍ଷ ବୁଣାକାର ଆତ୍ମନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଥାନ୍ତା ଯାହାକି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ରାଜ୍ୟର ଅର୍ଥନୀତିକୁ କେତେକାଂଶରେ ସମୃଦ୍ଧ କରିପାରିଥାନ୍ତା ।

ସେଇଭଳି ଛାତ୍ରଛାତୀମାନଙ୍କୁ ଯୋଗାଇ ଦେଉଥିବା ସାଇକେଲ୍‍ ଠାରୁ ଆରମ୍ଭ କରି ଲ୍ୟାପ୍‍ଟପ୍‍ ପର୍ଯ୍ୟନ୍ତ ସାମଗ୍ରୀଗୁଡିକ ମଧ୍ୟରୁ ଗୋଟିଏ ହେଲେ ଓଡିଶାରେ ଉତ୍ପାଦିତ ହେଉନାହିଁ ଏବଂ ପ୍ରତିଟି ସାମଗ୍ରୀ ଅନ୍ୟାନ୍ୟ ପ୍ରଦେଶରୁ ଆମଦାନୀ କରାଯାଇ ବାହାରର ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ପୃଷ୍ଠପୋଷକତା କରାଯାଉଛି ।

ତାହା କରାନଯାଇ ଯଦି କେବଳ ଓଡିଶାରେ ଉତ୍ପାଦିତ ସାମଗ୍ରୀମାନ ସରକାରଙ୍କ ଦ୍ୱାରା ଉପକୃତ ହେଉଥିବା ବ୍ୟକ୍ତିମାନଙ୍କୁ ବଣ୍ଟନ କରାଯିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଗତ ଭାବରେ ନିଷ୍ପତ୍ତି ନେଇଥାନ୍ତେ ତେବେ ବିଗତ ୧୪ ବର୍ଷ ମଧ୍ୟରେ ଓଡିଶାରେ ଏକାଧିକ ସାଇକେଲ୍‍ କାରଖାନା, ପୋଷାକ କାରଖାନା, ଛତା, ଯୋତା ଓ ଅନ୍ୟାନ୍ୟ କାରଖାନା ପ୍ରତିଷ୍ଠିତ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଥାନ୍ତା ।

ଏ ବାବଦରେ ବାହାରକୁ ଯାଉଥିବା ହଜାର ହଜାର କୋଟି ଟଙ୍କା ରାଜ୍ୟରେ ବିନିଯୋଗ ହୋଇ ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାନ୍ତା ନିଶ୍ଚୟ । ଏ ପ୍ରସଙ୍ଗରେ ଗୋଟିଏ ଉଦାହରଣ ଦେବା ଆଦୌ ଅପ୍ରସିଙ୍ଗକ ହେବନାହିଁ ।

ତାମିଲ୍‍ନାଡୁର ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିତା ତାଙ୍କ ରାଜ୍ୟର ଭୋଟ୍‍ଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ବହୁ ପ୍ରକାର ସନ୍ତୁଷ୍ଟିକରଣ ପଦକ୍ଷେପ ନେଉଥିବା କାହାରିକୁ ଅଛପା ନାହିଁ । ମହିଳାମାନଙ୍କ ପାଇଁ ମିକ୍ସର୍‍ ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ଅବିବାହିତାମାନଙ୍କୁ ବିବାହ ସମୟରେ ‘ମଙ୍ଗଳସୂତ୍ର’ ଦେବା ଲାଗି ତାଙ୍କ ସରକାର ପଦକ୍ଷେପ ନେଉଛି ।

ମାତ୍ର ସୁଶ୍ରୀ ଜୟଲଳିତା କଠୋର ଭାବରେ ନିୟମ କରିଛନ୍ତି ଯେ କେବଳ ରାଜ୍ୟରେ ଉତ୍ପାଦିତ ମିକ୍ସର ଗ୍ରାଇଣ୍ଡର୍‍ ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ହିଁ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯିବ । ଫଳରେ ତାମିଲ୍‍ନାଡୁରେ ହିଁ ଅନେକଗୁଡିଏ ଶିଳ୍ପାନୁଷ୍ଠାନ ସେହି ସବୁ ଯନ୍ତ୍ରପାତି ଉତ୍ପାଦନ କରି ବହୁ ସଂଖ୍ୟକ ବେକାରଙ୍କୁ ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି ।

ଦୁଃଖର କଥା ଯେ ରାଜ୍ୟରେ ସର୍ବାଧିକ ବିଦେଶୀ ପୁଞ୍ଜି ବିନିଯୋଗ କରି ଜଗତ୍‍ସିଂହପୁର ଜିଲ୍ଲାର ଢ଼ିଙ୍କିଆ ଠାରେ ଦକ୍ଷିଣ କୋରିଆର ‘ପସ୍କୋ’ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ହଜାର ହଜାର ଏକର ଚାଷ ଜମି, ଜନବସତି, ଜଙ୍ଗଲ ଜମି ଅଧିଗ୍ରହଣ ଲାଗି ଦୀର୍ଘ ୧୦ ବର୍ଷ ଧରି ଉଦ୍ୟମ କରି ସଫଳ ହୋଇପାରିନଥିବା ସ୍ଥଳେ ଏ ବାବଦରେ ସରକାରଙ୍କର ଯେତିକି ଅର୍ଥ, ସମୟ ଓ ଜନବଳର ଅପଚୟ ଘଟିଛି ତା’ଠାରୁ ଯଥେଷ୍ଟକମ୍‍ ସମୟ ମଧ୍ୟରେ ରାଜ୍ୟରେ ଅଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଥାନ୍ତା ଏବଂ ରାଜ୍ୟ ତଥା ଦେଶର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ ପୂର୍ବଭଳି ଅକ୍ଷତ ଅବସ୍ଥାରେ ରହିପାରିଥାନ୍ତା ।

ଏଥିପାଇଁ କୌଣସି ହିଂସାକାଣ୍ଡ ବା ପ୍ରାଣପାତର ଅବକାଶ ଆଦୌ ନଥାନ୍ତା । ରାଜ୍ୟରେ ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ ବା ଅପବ୍ୟୟ କରି ନବୀନ ସରକାର ବହୁ ପଦକ୍ଷେପ ନେବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ସମସ୍ତଙ୍କ ପାଇଁ ବାସଗୃହ ଯୋଗାଇ ଦେବା ଦିଗରେ ଅଦ୍ୟାବଧି ସଫଳ ପଦକ୍ଷେପ ନେଇପାରିନାହାନ୍ତି ।

ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ସରକାରୀ ଡାକ୍ତରଖାନାମାନଙ୍କରେ ଶହ ଶହ ଡାକ୍ତର ଓ ସ୍ୱାସ୍ଥ୍ୟସେବାକର୍ମୀଙ୍କ ସ୍ଥାନ ବର୍ଷ ବର୍ଷ ଧରି ଖାଲି ପଡିଛି । ଦୂର୍ଗମ ଆଦିବାସୀ ଅଞ୍ଚଳର ଅବସ୍ଥା ଅଧିକ ଶୋଚନୀୟ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ହଜାର ହଜାର ସଂଖ୍ୟକ ସରକାରୀ ପଦବୀ ଖାଲି ପଡିଥିଲେ ମଧ୍ୟ ସରକାର ଠିକାରେ ନିଯୁକ୍ତି ଦେବା ସହ ସମାନ କାମ ପାଇଁ ସମାନ ପାରିଶ୍ରମିକର ବ୍ୟବସ୍ଥା ନକରି ବ୍ୟାପକ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ କର୍ମଚାରୀ ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି ।

ସବୁଠାରୁ ଦୁଃଖର କଥା ଯେ ସରକାରୀ ଦଳ ଓ ସରକାରୀ କଳରୁ ପ୍ରଭୃତ ଫାଇଦା ଉଠାଇଥିବା ବ୍ୟକ୍ତିମାନେ ରାଜ୍ୟବାସୀଙ୍କ ସୁଖ ସୁବିଧା ଓ ଉନ୍ନତି ଲାଗି ଚିନ୍ତିତ ବା ଚେଷ୍ଟିତ ହେବା ପରିବର୍ତ୍ତେ ବ୍ୟକ୍ତିଗତ ଅଥବା ଗୋଷ୍ଠୀଗତ ସୁବିଧା ଲାଗି ଅଧିକ ତତ୍ପରତା ପ୍ରକାଶ କରୁଥିବାରୁ ସମସ୍ତ ସମ୍ପଦ ସତ୍ତ୍ୱେ ମଧ୍ୟ ଓଡିଶା ଏକ ପଛୁଆ ରାଜ୍ୟ ହୋଇପଡିରହିଛି ।

ରାଜ୍ୟବାସୀ ଭିକ୍ଷୁକ ମନବୃତ୍ତି ନେଇ ସରକାରଙ୍କ ପାଖରେ ଅନୁଦାନ ପାଇଁ ହାତପାତି ରହିଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ପରିବର୍ତ୍ତେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶବ ସଂସ୍କାର ପର୍ଯ୍ୟନ୍ତ ସବୁସ୍ତରରେ ବିଭିନ୍ନ ପ୍ରକାର ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାରୁ ନବୀନ ସରକାର ଗର୍ବର ସହ ତାହା ପ୍ରଚାର କରି ଚାଲିଛନ୍ତି ଏବଂ ଓଡିଆ ଜାତି ଭିକ୍ଷା ଥାଳି ଧରି ଗର୍ବ ଅନୁଭବ କରୁଛନ୍ତି ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Filed Under: ତୃତୀୟ ନୟନ Tagged With: ତୃତୀୟ ନୟନ, ନବୀନ, ପ୍ରଗତି, ପ୍ରଶାନ୍ତ ପଟ୍ଟନାୟକ, ଭିକ୍ଷାବୃତ୍ତି

ନବକଳେବର ଓ ଶଙ୍କରାଚାର୍ଯ୍ୟ ବିବାଦ

April 28, 2015 by News Bureau Leave a Comment

ପ୍ରଶାନ୍ତ ପଟ୍ଟନାୟକ

ବିଗତ ରଥଯାତ୍ରା ପୂର୍ବରୁ ପୁରୀର ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜ ରଥାରୁଢ଼ା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ପର୍ଶ କରିବା ସମ୍ପର୍କରେ ଏ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବୃତି ଯଥେଷ୍ଟ ବିବାଦମାନ ହୋଇପଡିଥିଲା ।

Cartoon-65ଏହି ବିବାଦ ପରିଶେଷରେ ଏପରି ମୋଡ ନେଇଥିଲା ଯେ ଶଙ୍କରାଚାର୍ଯ୍ୟ ରଥ ଉପରେ ଠାକୁରମାନଙ୍କୁ ଦର୍ଶନ କରିବାରୁ ସ୍ୱତଃ ବିରତ ହୋଇଥିଲେ । ସମ୍ପ୍ରତ୍ତି ଜଗତ୍‍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ପୁନଶ୍ଚ ନିଜକୁ ଏକ ବିବାଦମାନ ପରିସ୍ଥିତିକୁ ଟାଣି ନେଇଛନ୍ତି ।

ନବକଳେବର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ଗ୍ରହଣ କରିନଥିବା ବିଷୟରେ ଗଜପତି ମହାରାଜା ନିରବ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ହୋଇପଡିଛି ।

ପ୍ରାୟ ଏକମାସ ଧରି ନବକଳେବର ପର୍ବ ବନଯାଗ ଯାତ୍ରା ଆରମ୍ଭ ହୋଇଯାଇଛି । ବନଯାଗ ଯାତ୍ରାର କିଛିଦିନ ପୂର୍ବରୁ ଗଜପତି ମହାରାଜା ତାଙ୍କ ଶ୍ରୀନହରରେ ଛତିଶା ନିଯୋଗର କର୍ମକର୍ତ୍ତାଙ୍କୁ ଡାକି ନବକଳେବର ପର୍ବ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିରେ ମୁଖ୍ୟ ପ୍ରଶାସକଙ୍କ ସହିତ ଜିଲ୍ଲାର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନବକଳେବର ସମ୍ପର୍କିତ ବିଭିନ୍ନ ତଥ୍ୟମାନ ଦେଉଳକରଣ, ତଢ଼ଉକରଣ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରାଯାଇଥିଲା ।

ଯେଉଁ ସେବାୟତମାନଙ୍କର ନବକଳେବର ପାଇଁ ଆବଶ୍ୟକତା ରହିଛି ସେମାନେ ସେମାନଙ୍କ କାର୍ଯ୍ୟ ତୁଲାଇବା ପାଇଁ ଗଜପତି ମହାରାଜ ବୈଠକରେ ପରାମର୍ଶ ଦେଇଥିଲେ । ନିଯୋଗ କର୍ମକର୍ତ୍ତାମାନେ ନବକଳେବର ସମ୍ପର୍କିତ ଆନୁଷ୍ଠାନିକ ଘୋଷଣା କରାଯାଇନଥିବା ବିଷୟ ଉଠାଇଥିଲେ ଏବଂ ଏ ସମ୍ପର୍କରେ ଗଜପତି ମହାରାଜଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ଗଜପତି ମହାରାଜ ଏ ବିଷୟରେ ମୁଁ ଶ୍ରୀମନ୍ଦିରର ପ୍ରଶାସନ ସହିତ ଆଲୋଚନା କରି ଜଣାଇବି ବୋଲି ସେଠାରେ କହିଥିଲେ । ମାତ୍ର ଉପସ୍ଥିତ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ଥିରୀକୃତ ହୋଇଥିବା ଦିନଗୁଡିକ ବିଷୟରେ ଶ୍ରୀଜୀଉଙ୍କର ଯେଉଁ ଯେଉଁ ନୀତିଗୁଡିକ ହେବାକୁ ଅଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଗଜପତି ମହାରାଜ ମୁକ୍ତିମଣ୍ଡପ ପଣ୍ଡିତ ଇତ୍ୟାଦିଙ୍କ ପରାମର୍ଶ କ୍ରମେ ଚଳିତବର୍ଷ ନବକଳେବର ହେଉଛି ବୋଲି ସେବାୟତ କର୍ମକର୍ତ୍ତାଙ୍କ ନିକଟରେ ପ୍ରକାଶ କରିଥିଲେ । ଏହି ବୈଠକର ଗୋଟିଏ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ନବକଳେବର ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ଜଗତ୍‍ଗୁରୁ ଯେଉଁ ମତବ୍ୟକ୍ତ କରିଥିଲେ ତା ଦ୍ୱାରା କୌଣସି ଭକ୍ତଙ୍କୁ ରଥ ଉପରକୁ ଚଢ଼ିବା ପାଇଁ ଦିଆଯାଇନଥିଲା । କଡା ସୁରକ୍ଷା ମଧ୍ୟରେ ରଥଗୁଡିକୁ ରଖାଯାଇଥିଲା ।

ଅଦାଲତଙ୍କ ନିର୍ଦେଶକ୍ରମେ ଶୀଜୀଉଙ୍କୁ ସ୍ପର୍ଶ କଲେ ଅବମାନନା ହେବ ବୋଲି ପୋଲିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ରଥଯାତ୍ରା ଦିନ ଶଙ୍କରଚାର୍ଯ୍ୟ ରଥାରୁଢ଼ା ଶ୍ରୀଜୀଉମାନଙ୍କୁ ରଥ ଉପରେ ନଚଢ଼ି ବଡଦାଣ୍ଡରୁ ଦର୍ଶନ କରି ଫେରି ଯାଇଥିଲେ । ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ମଧ୍ୟ ହୋଇଥିଲା । ସେତେବେଳେ ଏସବୁର ମୂକଦର୍ଶକ ପାଲଟି ଯାଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଶଙ୍କରାଚାର୍ଯ୍ୟଙ୍କ ରଥ ଚଢ଼ିବା ଘଟଣାର ନିଜକୁ ଦୂରେଇ ରଖିଥିଲେ । ପରେ ଏ ସମ୍ପର୍କରେ ବିଚାର ବିମର୍ଶ ମଧ୍ୟ କରାଯାଇନଥିଲା ।

ସେତେବେଳେ ଶଙ୍କରାଚାର୍ଯ୍ୟ ଅପମାନିତ ହେଲା ଭଳି ନିରବ ରହି ଯାଇଥିଲେ । ୨୦୧୫ ମସିହାରେ ଶ୍ରୀଜୀଉଙ୍କର ନବକଳେବର ଅନୁଷ୍ଠିତ ହେବ ବୋଲି ତାର ତିନି ଚାରି ବର୍ଷ ପୂର୍ବରୁ ଜଣାପଡି ଯାଇଥିଲା । ସେଥି ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ପୁରୀ-ଭୁବନେଶ୍ୱର ରାଜପଥର ସମ୍ପ୍ରସାରଣ, ପୁରୀ-ଖୋର୍ଦ୍ଧା ରୋଡ୍‍ ରେଳପଥର ଦୋହରୀକରଣ ସହିତ ଅନ୍ୟାନ୍ୟ ବିଷୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ନବକଳେବର ସମ୍ପର୍କରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ନବକଳେବରକୁ ନେଇ ତତ୍ପରତା ପ୍ରକାଶ କରିନଥିଲା । ଶ୍ରୀମନ୍ଦିର ପ୍ରଶାସନ ପାଇଁ ଯେପରି ଅଡୁଆ ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନବାନ ହେଉଥିବା ଦେଖିବାକୁ ମିଳୁଥିଲା ।

ଶଙ୍କରାଚାର୍ଯ୍ୟଙ୍କ ରଥ ଚଢ଼ା ପ୍ରସଙ୍ଗ, ନବକଳେବର ପାଇଁ ବିଭିନ୍ନ ବର୍ଗର ସେବାୟତମାନଙ୍କ ସହିତ ବିଚାର ଆଲୋଚନା, ସେବାୟତମାନଙ୍କ ପ୍ରାପ୍ୟ ପାଉଣା ପ୍ରଦାନ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟ ନୀରବ ରହିଥିଲା । ଏ ସମସ୍ତ ବିଷୟ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ହିସାବରେ ଗଜପତି ମହାରାଜ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଶ୍ରୀଜୀଉଙ୍କ ନବକଳେବର ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ ବା ରାଜ୍ୟ ପ୍ରଶାସନ ହୁଏତ ଉପଲବଧି କରୁନଥିବାରୁ ଗଣମାଧ୍ୟମ ଜରିଆରେ ତାଙ୍କର କ୍ଷୋଭ ପ୍ରକାଶ ସତ୍ତ୍ୱେ ବି କୌଣସି ମହଲରେ ପ୍ରତିକ୍ରିୟା ବା ତତ୍ପରତା ପ୍ରକାଶ ପାଇନାହିଁ ।

ଶ୍ରୀ ଜୀଉମାନଙ୍କର ଦାରୁ ଚିହ୍ନଟ ହେବା ପରେ ରାଜ୍ୟର ଜନସାଧାରଣଙ୍କ ମନରେ ଯେଭଳି ପ୍ରବଳ ଉତ୍କଣ୍ଠା ଦେଖାଦେଇଛି ଏବଂ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଇତାପତି ଓ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ଯେଭଳି ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଉଛନ୍ତି ତାହାର ପ୍ରତିବଦଳରେ ସେମାନେ ଭକ୍ତମାନଙ୍କୁ ଅନୁରୂପ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଏକାନ୍ତ ଆବଶ୍ୟକ ।

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Filed Under: ତୃତୀୟ ନୟନ Tagged With: ନବକଳେବର, ରଥଯାତ୍ରା, ଶଙ୍କରାଚାର୍ଯ୍ୟ

ଶ୍ରଦ୍ଧାଞ୍ଜଳୀ : ଏକ ଅସ୍ତମିତ ସୂର୍ଯ୍ୟ ପାଇଁ

April 21, 2015 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ କଂଗ୍ରେସର ତୁଙ୍ଗନେତା ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁଙ୍କୁ ‘ଝଡର ଇଗଲ୍‍ ଓ ଧରଣୀର କୃଷ୍ଣସାର’ ବୋଲି ବର୍ଣ୍ଣନା କରିଥିଲେ ।

Prasanta-Closeupରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜୁଙ୍କ ସହ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସମ୍ପର୍କ ପ୍ରାୟତଃ ମଧୁର ନଥିଲେ ମଧ୍ୟ ମଧ୍ୟ ବିଜୁଙ୍କ ଚରିତ୍ର ଓ କାର୍ଯ୍ୟକଳାପର ଆକଳନ କରି ସେ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଭଳି ମନ୍ତବ୍ୟ ବିରଳ ଥିଲା । ସେଇଥିରୁ ହିଁ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚରିତ୍ରର ମହନୀୟତା ପ୍ରତିପାଦିତ ହୋଇଥିଲା ।

ଅତ୍ୟନ୍ତ ଦୁଃଖର କଥା ଯେ ଏପ୍ରିଲ୍‍ ୨୦ ତାରିଖ ରାତି୍ରର ବିଳମ୍ବିତ ପ୍ରହରରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଏହି ମହାନ୍‍ ଜନନେତାଙ୍କର ଆକସ୍ମିକ ମୃତୁ୍ୟ ଘଟିଛି । ପରିପକ୍ୱ ବୟସରେ ସେ ଦେହତ୍ୟାଗ କରିଥିଲେ ମଧ୍ୟ ତାଙ୍କର ବିୟୋଗ ଓଡିଶା ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଜନଜୀବନରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ରାଜନୀତି, ସାହିତ୍ୟ ଓ ପ୍ରତିଷ୍ଠାର ଯେଉଁ ଶୀର୍ଷ ସ୍ଥାନରେ ପହଞ୍ଚି ଥିଲେ ତାହା ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇପାରିଲେ ରାଜ୍ୟର ପ୍ରଶାସନ, ରାଜନୀତି , ସାହିତ୍ୟ ଓ ଜନଜୀବନରେ ଯେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ଏଥିରେ ସନେ୍ଦହ ନାହିଁ ।

ଶ୍ରୀ ପଟ୍ଟନାୟକ ନିଜର ଅଧ୍ୟବସାୟ ଓ ପ୍ରଚେଷ୍ଟା ବଳରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ପଦରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି କେନ୍ଦ୍ରରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପରେ ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ହେବାରେ ଗୌରବ ହାସଲ କରିଥିଲେ ।

ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିତ ହେବା ପୂର୍ବରୁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ଏବଂ କୌଣସି ସରକାର ଏକାଦିକ୍ରମେ ପାଞ୍ଚ ବର୍ଷ ଶାସନ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା ।

ମାତ୍ର ୧୯୮୦ ମସିହା ଜୁନ୍‍ ୯ ତାରିଖରେ ଶ୍ରୀ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରେ ୧୯୮୫ ମସିହା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ପ୍ରଥମ ଥର ଏବଂ ପରେ ପରେ ୧୦ ମାର୍ଚ୍ଚ ୧୯୮୫ରୁ ୧୯୮୯ ଡିସେମ୍ବର ୭ ପର୍ଯ୍ୟନ୍ତ ୩୪୬୯ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରି ରାଜ୍ୟର ରାଜନୈତିକ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ ।

ପରେ ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଠାରୁ ୧୯୯୯ ମସିହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ୧୪୩୭ ଦିନ ଶାସନ କରି ରାଜ୍ୟରେ ସ୍ଥାୟୀ ସରକାର ପ୍ରତିଷ୍ଠାର ଯେଉଁ ମୂଳଦୁଆ ପକାଇଥିଲେ ପରବର୍ତ୍ତୀ କାଳରେ ଶ୍ରୀ ନବୀନ ପଟ୍ଟନାୟକ ସେହିଭଳି ସ୍ଥାୟୀ ସରକାର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି । ଓଡିଶା ରାଜନୀତି ପାଇଁ ଏହା ଜାନକୀ ବାବୁଙ୍କର ସବୁଠାରୁ ବଡ ଅବଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଶ୍ରୀ ପଟ୍ଟନାୟକ ନିଜେ ଜଣେ ସାମ୍ବାଦିକ ଥିବାରୁ ଏବଂ ସମ୍ବାଦପତ୍ର ପ୍ରତିଷ୍ଠାନର ଦୁଃଖଦୂର୍ଦ୍ଧଶା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଥିବାରୁ ସମ୍ବାଦପତ୍ର ଓ ସାମ୍ବାଦିକତାର ଉନ୍ନତି ପାଇଁ ସମ୍ବାଦପତ୍ରକୁ ଏକ ଶିଳ୍ପ ଭାବରେ ଘୋଷଣା କରି ଶିଳ୍ପ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ଠାରୁ ଯେଉଁଭଳି ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ପାଉଥିଲେ ରାଜ୍ୟର ସମ୍ବାଦପତ୍ରଗୁଡିକ ସେଭଳି ସୁଯୋଗ ଓ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ବିବେଚିତ ହେବା ଯୋଗୁଁ ରାଜ୍ୟରେ ସମ୍ବାଦପତ୍ରଗୁଡିକ ଅତ୍ୟାଧୁନିକ ଜ୍ଞାନକୌଶଳର ସଦୂପଯୋଗ କରି ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଭଳି ନିଜକୁ ସୁଦୃଶ କରିବା ଲାଗି ସକ୍ଷମ ହୋଇଥିଲେ ।

ଜଣେ ଉଚ୍ଚକୋଟିର ସୃଜନଶୀଳ ସାହିତ୍ୟିକ ଓ ଅନୁବାଦକ ଭାବରେ ଶ୍ରୀ ପଟ୍ଟନାୟକ ଅଗ୍ରଣ ଭୂମିକା ଗ୍ରହଣ କରିଥିଲେ । ଜଣେ ପ୍ରତିଉପôନ୍ନମତି, ଦକ୍ଷ ବିଧାୟକ ଭାବରେ ତାଙ୍କର ବକୃତାବଳୀ ଓଡିଶାର ନୂଆପିଢ଼ୀର ବିଧାୟକମାନଙ୍କ ପାଇଁ ସବୁଦିନେ ଦିଗ୍‍ଦର୍ଶନ ଦେବ ।

ଓଡିଶାରେ କୃଷିର ବିକାଶ ତଥା ଦ୍ରୁତ ଶିଳ୍ପାୟନ ପାଇଁ ଶ୍ରୀ ପଟ୍ଟନାୟକ ନେଇଥିବା ପଦକ୍ଷେପଗୁଡିକ ମଧ୍ୟରୁ ରାଜ୍ୟରେ ନୂତନ ଶିଳ୍ପନୀତି ପ୍ରଣୟନ ଏବଂ ‘ହଜାର ଦିନରେ ହଜାରେ ଶିଳ୍ପ’ ପ୍ରତିଷ୍ଠା ଲାଗି ତାଙ୍କ ଦୃଢ଼ ଘୋଷଣା ଓ ଶିଳ୍ପ ପ୍ରତିଷ୍ଠା ଲାଗି ବହୁବିଦ୍ଧ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବାର କାର୍ଯ୍ୟକ୍ରମ ରାଜ୍ୟର ଯୁବ ସମାଜ ମନରେ ଉତ୍ସାହ ଓ ଉଦ୍ଧୀପନା ସୃଷ୍ଟି କରିବା ଲାଗି ସମର୍ଥ ହୋଇଥିଲେ ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

Filed Under: ତୃତୀୟ ନୟନ Tagged With: ଜାନକୀ ବଲ୍ଲଭ ପଟ୍ଟନାୟକ, ତିରୁପତି, ସାମ୍ବାଦିକ

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

April 9, 2015 by ନିଉଜ ଡେସ୍କ Leave a Comment

ତୃତୀୟ ନୟନ

ଦୀର୍ଘ ୧୫ ବର୍ଷ ହେଲା ରାଜ୍ୟରେ କ୍ଷମତା ଉପଭୋଗ କରି ଆସୁଥିବା ଏବଂ କ୍ରମାଗତ ଭାବେ ନିର୍ବାଚନରେ ବିଜୟ ହାସଲ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ତାଙ୍କ ପ୍ରତି ରହିଛି ଏବଂ ବିଜେଡି ବିରୋଧରେ ଯେତେ ଯାହା ଅଭିଯୋଗ ଆସିଲେ ବି ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ନବୀନ ପଟ୍ଟନାୟକ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ବୋଲି ପ୍ରମାଣିତ ହୋଇଛି ।

Prasanta Closeupସଦ୍ୟସମାପ୍ତ ପୌର ନିର୍ବାଚନରେ ଏହା ସାବ୍ୟସ୍ତ ହୋଇଛି । ୮ଟି ପୌର ସଂସ୍ଥା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି କ୍ଲିନ୍‍ସୁଇପ୍‍ କରିଛି । ସମସ୍ତ ୮ଟି ଯାକ ପୌରସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଶୋଚନୀୟ ଭାବରେ ପରାସ୍ତ ହୋଇଛନ୍ତି ।

କଂଗ୍ରେସ ୩ଟିରେ ଖାତା ଖୋଲି ପାରିନଥିବା ବେଳେ ବିଜେପି ମଧ୍ୟ ଗୋଟିକରେ ଖାତା ଖୋଲିନାହିଁ । ମୋଟ୍‍ ୧୨୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୦୩ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୨ଟି ଓ କଂଗ୍ରେସ ୧୧ଟି ୱାର୍ଡରେ ବିଜୟୀ ହୋଇଛି ।

ଫଳରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପୁଣି ଥରେ ନିଜକୁ ପ୍ରମାଣିତ କରିଥିବା ବେଳେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ପୁନ୍‍ର୍‍ଉତ୍ଥାନ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ଭୁଲ୍‍ ପ୍ରମାଣିତ ହୋଇଛି । ଅନ୍ୟ ବିରୋଧୀ ଦଳଗୁଡିକ ରାଜ୍ୟ ରାଜନୀତିକରେ ମୂଲ୍ୟହୀନ ସାବ୍ୟସ୍ତ ହୋଇଛନ୍ତି ।

ଏପ୍ରିଲ୍‍ ୮ ସକାଳ ୮ଟାରୁ ୮ଟି ପୌରସଂସ୍ଥାରେ ଭୋଟ୍‍ଗଣତି ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇଥିଲା । ଘୋଷିତ ଫଳାଫଳ ଅନୁଯାୟୀ ପାରାଦ୍ୱୀପର ୧୯ଟି ୱାର୍ଡ ମଧ୍ୟରୁ ବିଜେଡି ୧୬ ଟି ହାତେଇ ଥିବା ବେଳେ କଂଗ୍ରେସକୁ ୨ଟି ଓ ବିଜେପିକୁ ମିଳିଛି ଗୋଟିଏ ଆସନ ।

ବେଲପାହାଡର ମଧ୍ୟ ୧୯ଟି ଆସନ ମଧ୍ୟରୁ ବିଜେଡିକୁ ୧୬ଟିରେ ସଫଳତା ମିଳିଥିବା ବେଳେ ବିଜେପିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ୱାର୍ଡରେ ସଫଳତ ମିଳିଛି । ସୁନାବେଡାର ୨୫ଟି ୱାର୍ଡ ମଧ୍ୟରେ ବିଜେଡି ୧୮ଟିକୁ ହାତେଇଥିବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସ ୫ଟି ଓ ବିଜେପି ୨ଟିରେ ସନ୍ତୁଷ୍ଟ ହୋଇଛି ।

ଧର୍ମଗଡରେ ୧୪ଟି ୱାର୍ଡ ମଧ୍ୟରୁ ବିଜେଡି ୧୩ଟି ଜିତିଥିବା ବେଳେ କଂଗ୍ରେସକୁ ଗୋଟିକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏଠାରେ ବିଜେପି ଖାତା ଖୋଲିପାରିନାହିଁ । ବାଲିମେଳାରେ ବିଜେଡି ୧୩ଟି, ବିଜେପି ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ହୋଇଛନ୍ତି ।

କଂଗ୍ରେସର ସ୍ଥିତି ଦୋହଲି ଯାଇଛି । ତୁଷରାରେ ବିଜେଡି ୮, ବିଜେପି ୨ ଓ ଅନ୍ୟପ୍ରାର୍ଥୀ ଗୋଟିଏ ଆସନରେ ଜିତିଥିବାବେଳେ ରେଢ଼ାଖୋଲରେ ବିଜେଡି ୧୨ଟି ୱାର୍ଡ ଜିତିଥିବା ବେଳେ ବିଜେପି ଭାଗରେ ପଡିଛି ମାତ୍ର ୧ ।

ଫଳରେ ଏହି ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତେଇବା ସୁନିଶ୍ଚିତ ହୋଇଯାଇଛି । କୌଣସି ସ୍ଥାନରେ ବିଜେଡିକୁ ଅନ୍ୟ କାହାରି ସମର୍ଥନର ଆବଶ୍ୟକତା ପଡିବ ନାହିଁ ।

ବିଜେଡିର ଏହି ବିପୁଳ ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହ ସମ୍ପୃକ୍ତ ପୌରାଞ୍ଚଳବାସୀଙ୍କୁ କୃତଜ୍ଞତା ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏହି ବିଜୟର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ବିଜୟ ଫଳରେ ନବୀନଙ୍କ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଥିବା କଥା ପ୍ରମାଣିତ ହୋଇଛି ।

ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୌର ନିର୍ବାଚନ ଫଳାଫଳ ଆଶନୁରୂପ ହୋଇନାହିଁ । କେଉଁଠି ତ୍ରୁଟି ରହିଲା ସେ ସମ୍ପର୍କରେ ସମୀକ୍ଷା କରି ସଂଶୋଧନ କରାଯିବ । ଲୋକଙ୍କ ରାୟକୁ ଦଳ ବିନମ୍ରତାର ସହ ଗ୍ରହଣ କରୁଛି ବୋଲି ସେ କହିଛନ୍ତି ।

ତେବେ ଶାସକ ଦଳ ଅର୍ଥ ଓ ବାହୁ ବଳ ତଥା ଶାସନ କଳର ଦୂରୁପଯୋଗ କରି ଜିତିଥିବା ସେ କହିଛନ୍ତି । ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପରାଜୟର ସମୀକ୍ଷା କରାଯିବ ବୋଲି କହିବା ସହ ଶାସକ ଦଳ ଅର୍ଥ ଓ କ୍ଷମତାର ଅପପ୍ରୟୋଗ କରି ଜିତିଥିବା ଅଭିଯୋଗ କରିଛନ୍ତି ।

ଇତିମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ରାଜ୍ୟରେ ଯେତେଗୁଡିଏ ନିର୍ବାଚନ ହୋଇଯାଇଛି ପ୍ରତିଟିରେ ବିଜେଡି ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏଥିରେ ସନ୍ଦେହ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟର ସୁରକ୍ଷା

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିରୋଧୀ ଦଳ ତରଫରୁ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦୁର୍ନୀତି ଓ ମହାଦୁର୍ନୀତିର ଅଭିଯୋଗମାନ କରାଯାଇ ଆସିଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ତାଙ୍କର ଶୁଭ୍ରପୋଷାକରେ କଳା ଦାଗ ଛିଟାଟିଏ ସୁଦ୍ଧା ଲାଗିନାହିଁ ।

ରାଜ୍ୟରେ ହୋଇଥିବା ଖଣି ମହାଦୁର୍ନୀତି ସମ୍ପର୍କରେ ଓଡିଶା ହାଇକୋର୍ଟରେ ୨୦୦୯ ମସିହାରେ ଆଗତ ହୋଇଥିବା ଏକାଧିକ ଜନସ୍ୱାର୍ଥ ମାମଲାରେ ସିବିଆଇ ଦ୍ୱାରା ଖଣି ମହାଦୁର୍ନୀତିର ତଦନ୍ତ ପାଇଁ ଦାବି କରାଯାଇଥିଲା ।

ଓଡିଶା ଉଚ୍ଚ ନ୍ୟାୟାଳୟର ତଦନାନ୍ତୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‍.ଭି ଗୋପାଳଗୌଡ ଏବଂ ବିଚାରପତି ବି.ଏମ୍‍ ମହାପାତ୍ରଙ୍କ ଖଣ୍ଡପୀଠରେ ଏହାର ପୂର୍ଣ୍ଣାଙ୍ଗ ଶୁଣାଣି ହେବା ପରେ ୧୮ ଏପି୍ରଲ୍‍ ୨୦୧୧ରେ ଏହି ମକଦ୍ଧମାର ରାୟ ସଂରକ୍ଷିତ ରହିଲା ବୋଲି ଘୋଷଣା କରାଯାଇଥିଲା ।

ଇତିମଧ୍ୟରେ ବିଚାରପତି ଶ୍ରୀ ଗୋପାଳଗୌଡ ସୁପ୍ରିମକୋର୍ଟରୁ ବଦଳି ହୋଇଯାଇଛନ୍ତି ଏବଂ ଜଷ୍ଟିସ୍‍ ଶ୍ରୀ ମହାପାତ୍ର ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ବିଗତ ୪ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ମକଦ୍ଧମା ସମ୍ପର୍କରେ ରାୟ ଅଧ୍ୟାବଧି ପ୍ରକାଶିତ ହୋଇନାହିଁ ।

ଓଡିଶାରେ ତଳବିରା – ୨ କୋଇଲା ଖଣି ଆବଣ୍ଟନ ନେଇ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଛି । ସୁପ୍ରିମକୋର୍ଟ ଆବେଦନ ବା ପିଟିସନ୍‍କୁ ଖାରଜ କରି ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି ।

ଜଷ୍ଟିସ୍‍.ଭି ଗୋପାଳଗୌଡ ଓ ଜଷ୍ଟିସ୍‍ ସି.ନାଗାପ୍ପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇବା ସହିତ ଖଣ୍ଡପୀଠ ଆବେଦନକାରୀଙ୍କୁ ସତର୍କ କରିଛନ୍ତି । ବିଚାରପତି ଦ୍ୱୟ ଭବିଷ୍ୟତରେ ଏଭଳି ଅଯୌକ୍ତିକ ବିଷୟ ଆଣି ବିଚାରାଳୟର ସମୟ ଅପଚୟ କରାନଯିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଥିଲା । ସ୍ୱତନ୍ତ୍ର ଲିଭ୍‍ ପିଟିସନ୍‍ (ଏସ୍‍ଏଲ୍‍ପି) ଜରିଆରେ ଏହି ଆବେଦନ ହୋଇଥିଲା । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ମାମଲାର ପରିଚାଳନା କରୁଥିଲେ ।

ତଳବିରା – ୨ କୋଇଲା ଖଣି ଆବଣ୍ଟନ ମାମଲାରେ ୬ ଜଣଙ୍କୁ ସିବିଆଇ ସମନ ଜାରି କରିଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ନେଇ ଆବେଦନକାରୀ ତାଙ୍କର ପିଟିସନ୍‍ ରଖିଥିଲେ ।

ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ ପିଟିସନ୍‍ର ବୈଧତା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ ରାୟ ଦେଇଥିଲେ । ଶ୍ରୀ ସାହୁଙ୍କ ପକ୍ଷରୁ ଆଇନ୍‍ଜୀବୀ ସୁରେଶ ତ୍ରିପାଠୀ ଏହାର ସପକ୍ଷରେ ଯୁକ୍ତି କରିବା ପାଇଁ ଛିଡା ହେବା ମାତ୍ରେ ମାନ୍ୟବର ବିଚାରପତି ଶ୍ରୀ ଗୌଡ ଏହି ଆବେଦନ ଗ୍ରହଣଯୋଗ୍ୟ ନୁହଁ ଏବଂ ଭବିଷ୍ୟତରେ ଏଭଳି ଅଯୌକ୍ତିତ ବିଷୟ ଆଣି ମାନ୍ୟବର ବିଚାରାଳୟର ସମୟ ଅପଚୟ ନକରିବା ପାଇଁ ଚେତାବନୀ ଦେଇଥିଲେ ।

ତଳବିରା କୋଲ୍‍ ଆବଣ୍ଟନ ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋଷମୁକ୍ତ କରିବା ସହ ଏହି ମାମଲାରେ ସେ କୌଣସି ପ୍ରକାରେ ସମ୍ପୃକ୍ତ ନଥିବା ଦର୍ଶାଇଥିଲେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ହିଣ୍ଡାଲ୍‍କୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ପୂର୍ବତନ କୋଇଲା ସଚିବ ପି.ସି ପାରଖ ପ୍ରମୁଖଙ୍କୁ ମିଶାଇ ୬ ଜଣଙ୍କୁ ସିବିଆଇ ସମନ କରିଥିଲା ।
ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସିବିଆଇର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏବେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିବା ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମାମଲାରେ ପୂର୍ଣ୍ଣରୂପେ କ୍ଲିନ୍‍ଚିଟ୍‍ ସଦୃଶ ହୋଇଛି ।

ହିଣ୍ଡାଲ୍‍କୋକୁ କୋଇଲା ବ୍ଲକ୍‍ ଆବଣ୍ଟନ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କର ଥିବା ବେଳେ ରାଜ୍ୟ ସରକାର କେବଳ ପ୍ରସ୍ତାବ ଅନୁଧ୍ୟାନ ଲାଗି ସୁପାରିଶ କରିଥିଲେ ।

ଓଡିଶାରେ ହିଣ୍ଡାଲ୍‍କୋ ଏକ ପ୍ରକଳ୍ପ କରିବାକୁ ଯାଉଥିବାରୁ ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଏ ବିଷୟରେ ବିଚାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ । ପୂର୍ବରୁ ଏନେଇ ସେ ନିଜେ ସ୍ପଷ୍ଟ କରି ସାରିଛନ୍ତି ।

ରାଜ୍ୟରେ ଅଧିକ ପୁଞ୍ଜି ବିନିଯୋଗ ସହିତ ଶିଳ୍ପ ପ୍ରତିଷ୍ଠା ଏବଂ ଏହାଦ୍ୱାରା ରାଜସ୍ୱ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଦୃଷ୍ଟିରେ ରଖି କେନ୍ଦ୍ରକୁ ବିଚାର ନିମନ୍ତେ ପ୍ରସ୍ତାବ ପାଠାଇଥିବା ସେ କହିଥିଲେ ବୋଲି ଦର୍ଶାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଜେଡି ନେତୃବୃନ୍ଦ ବେଶ୍‍ ଆନନ୍ଦ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡିକୁ ଏହା ଶକ୍ତ ଧକ୍କା ସଦୃଶ ହୋଇଛି ।

କାରଣ ପୂର୍ବରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବିିଜେପିର ବହୁ ନେତା ତଳବିରା-୨ କୋଇଲା ଖଣି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରି ଜେରା କରିବା ପାଇଁ ଦାବି କରି ଆସୁଥିଲେ ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ନବୀନଙ୍କ ବିରୁଦ୍ଧରେ ଦେଖାଦେଇଥିବା ଏହି ଝଡର ଅବସାନ ଘଟାଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ସମସ୍ତେ ଆପାତତଃ ନିରବ ରହିବା ଲାଗି ବାଧ୍ୟ ହୋଇଛନ୍ତି  ।
—

 

 

Filed Under: ତୃତୀୟ ନୟନ Tagged With: କଂଗ୍ରେସ, ନିର୍ବାଚନ, ପୌରସଂସ୍ଥା, ବିଜେଡ଼ି, ବିଜେପି, ମୁଖ୍ୟମନ୍ତ୍ରୀ, ଲୋକପ୍ରିୟତା

ତୃତୀୟ ନୟନ: ପ୍ରଦୂଷଣର ରାଜଧାନୀ

September 30, 2012 by ଓଡିଶା ଡଟ କମ 1 Comment

ପ୍ରଶାନ୍ତ ପଟ୍ଟନାୟକ

ଏହି ସ୍ତମ୍ଭରେ “ସରକାରୀ ନିର୍ଯ୍ୟାତନାର ଶେଷ କେବେ?” ଶୀର୍ଷକ ଲେଖା ପଢ଼ିବାପରେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ମତେ ଫୋନ୍ କରି କହିଲେ, “ଆପଣ ଆମମାନଙ୍କ ଗଣତାନ୍ତ୍ରିକ ଅଧିକାର ଛିନ୍ନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଲେଖା ଲେଖିବେ ବୋଲି ଆମେ ଆଶାକରୁ ନଥିଲୁ ।

Prasanta-Closeupଆମ୍ଭେମାନେ ଏହା ବିରୁଦ୍ଧରେ ପ୍ରତିବାଦ କରିବୁ ଏବଂ ବିକ୍ଷୋଭ, ଧାରଣା ଓ ସଭାସମିତିର ସ୍ଥଳ ମହାତ୍ମାଗାନ୍ଧୀ ମାର୍ଗ ବା ଲୋଏର୍ ପି.ଏମ୍.ଜିରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାନଯିବାଲାଗି ସରକାରଙ୍କ ନିକଟରେ ଦୃଢ଼ଦାବୀକରିବୁ ।”

ମୁଁ ତାଙ୍କ କଥା ଶୁଣି କହିଲି, “କାହାର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣକରିବା ଉଦେ୍ଧଶ୍ୟରେ ମୋ ଲେଖାଟି ଆଦୌ ଉଦ୍ଧିଷ୍ଟ ନଥିଲା । ୟୁନିଟ୍-୨ ଓ ୟୁନିଟ୍-୩ ଭଳି ଘଞ୍ଚ ଜନବସତି ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣରୁ ମୁକ୍ତକରି ସେମାନଙ୍କୁ ସୁସ୍ଥଭାବରେ ବଞ୍ଚି ରହିବାର ଅଧିକାର ଦେବାଲାଗି ମୁଁ ଉଲ୍ଲେଖ କରିଥିଲି ।

ଏଥିରେ ଆପଣମାନଙ୍କର ପ୍ରତିବାଦ କରିବାର ବା ଦାବି ଜଣାଇବାର ଗଣତାନ୍ତ୍ରିକ ଅଧିକାର ଛିନ୍ନ ହେଉଛି କେଉଁଠି? ସରକାର ଯଦି ଏଥିପାଇଁ ବିକଳ୍ପ ସ୍ଥାନଟିଏ ଠିକ୍ କରିବେ ତେବେ ଆପଣମାନେ ସେଠି ମଧ୍ୟ ଆପଣଙ୍କର ବୈପ୍ଳବୀକ କାର୍ଯ୍ୟକ୍ରମ ଚାଲୁରଖିପାରିବେ ।”

ମୋ କଥାଶୁଣି ସଂପୃକ୍ତ ନେତା ବିରକ୍ତି ପ୍ରକାଶ କରି କହିଲେ, “ନା ଆମେ ଆମର ନାର୍ଯ୍ୟ ଅଧିକାର ଛାଡ଼ିବୁନି । ମହାତ୍ମାଗାନ୍ଧୀ ମାର୍ଗରେ ହିଁ ଆମେ ପ୍ରତିବାଦ, ଧାରଣା, ଧର୍ମଘଟ, ବିକ୍ଷୋଭ ଚାଲୁରଖିବୁ, ଆପଣ ଜାଣନ୍ତି ଏହା ଆମ ପାଇଁ କେତେ ସୁବିଧା ଜନକ, ରେଳ ଷ୍ଟେସନ୍ ଓ ସିଟି ବସ୍ ଷ୍ଟାଣ୍ଡରୁ ପାଖ ହୋଇଥିବାରୁ ସବୁ ଅଂଚଳରୁ ବିକ୍ଷୋଭକାରୀମାନେ ସହଜରେ ଆସି ଯୋଗ ଦେଇପାରୁଛନ୍ତି ।

ତା’ଛଡ଼ା ‘କଂଗ୍ରେସ ଭବନ’, ‘ଭଗବତୀ ଭବନ’, ‘ନାଗଭୂଷଣ ଭବନ’, ‘ସେନା ଭବନ’, ବି.ଜେ.ପି. ପାର୍ଟି ଅଫିସ୍ ପ୍ରଭୃତିର ନିକଟତମ ସ୍ଥାନ ହୋଇଥିବାରୁ ଏଠାରେ ପହଞ୍ଚିବା ସହଜ ହେଉଛି । ଏଠୁ ଦୂର ସ୍ଥାନକୁ ଗଲେ ଆମର ବହୁତ ଅସୁବିଧା ହେବ । ତା’ଛଡ଼ା ଏଇଟା ଗୋଟାଏ ମୁଖ୍ୟ ରାସ୍ତା ହୋଇଥିବାରୁ ଆମର ବିକ୍ଷୋଭ ବେଳେ ଏଇ ରାସ୍ତାରେ ଗାଡ଼ି ମଟର ଓ ଜନସାଧାରଣଙ୍କ ଯାତାୟତ ବନ୍ଦ ହୋଇ ଯାଉଛି, ଫଳରେ ସରକାରଙ୍କ ଉପରେ ଏହି ଜନ ଅସନ୍ତୋଷର ପ୍ରଭାବ ପଡ଼ୁଛି ।”

ମୁଁ କହିଲି, “ଜନସାଧାରଣଙ୍କୁ ହଟହଟା କଲେ ଏହାର ପ୍ରଭାବ ସରକାରଙ୍କଉପରେ ପଡ଼ୁଛି କିପରି? ଆପଣମାନେ ଡ଼ାକବାଜି ଯନ୍ତ୍ର ଲଗାଇ ଯେତେ ଜୋର ରେ ଚିକ୍ରାର କଲେ ତା’ କଣ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ବା ରାଜ୍ୟପାଳଙ୍କ କାନରେ ପଡ଼ୁଛି?

ବରଂ ଗୋଟିଏ ନିର୍ଦ୍ଧିଷ୍ଟ ଓ ନିରାପଦ ସ୍ଥାନକୁ ଏହା ସ୍ଥାନାନ୍ତରିତ ହେଲେ ସେହି ସ୍ଥାନରୁ ସରକରୀ ପ୍ରତିନିଧିମାନେ ଆପଣମାନଙ୍କ ଦଦଦାବୀପତ୍ର ଗ୍ରହଣ କରି ପାରନ୍ତେ, ଅଥବା ଆପଣମାନଙ୍କର ଏକ ପ୍ରତିନିଧିଦଳକୁ ଆଲୋଚନା ପାଇଁ ସଚିବାଳୟକୁ ନେଇ ଯିବାର ବ୍ୟବସ୍ଥା କରାଯାଇ ପାରନ୍ତା ।

ମୋ କଥାଶୁଣି ନେତାଜଣକ ପ୍ରଚଣ୍ଡ ବିରକ୍ତି ସୂଚକ ସ୍ୱରରେ କହିଲେ, “ଆପଣ ଜଣେ ସ୍ୱାର୍ଥପର ଲୋକ । ସେହି ଅଂଚଳରେ ଅନେକ ସାମ୍ବାଦିକ, ଅଫିସର, ବିଚାରପତି ରହୁଛନ୍ତି କାହାର ଅସୁବିଧା ହେଉନି, ଆପଣଙ୍କର ଖାଲି ଅସୁବିଧା ହେଉଛି?ଟ୍ଟ.. ଆପଣଙ୍କ ଦଦଦାବୀରେ ଯଥାର୍ଥତା ନାହିଁବୋଲି ୨୦୦୬ ମସିହାରୁ ଆପଣ ବାରମ୍ବାର ଦଦଦଦଦାବୀଜଣାଇଲେ ମଧ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତିଁ ।

ନେତା ମହାଶୟଙ୍କ କଥାଶୁଣି ମୁଁ କହିଲି, “ସବୁ ଦଳର ପ୍ରମୁଖ ନେତାମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଘରୋଇ ସଚିବ ଓ ପୋଲିସ୍ ମହାନିର୍ଦ୍ଧଶକଙ୍କୁ ବିଧାନସଭା ଅଧିବେଶନ ସମୟରେ ଏହି ଅଂଚଳରେ ମାତ୍ର ୪୮ ଘଣ୍ଟା ରହିବା ଲାଗି ବ୍ୟବସ୍ଥା କରାଯାଉ ସେମାନେ ଯଦି ସହଜରେ ଏ ଅଞ୍ଚଳରୁ ହେଉଥିବା ଭୟଙ୍କର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପରିବେଷ ପ୍ରଦୂଷଣକୁ ବରଦାସ୍ତ କରିଦେବେ କିମ୍ବା ତୁରନ୍ତ ଏ ଅଞ୍ଚଳରୁ ବିକ୍ଷୋଭ ସ୍ଥଳ ପରିବର୍ତ୍ତନ ଲାଗି ପଦକ୍ଷେପ ନେବେ ତାହାହିଁ ଦେଖିବା କଥା ।

ଖୋଦ୍ ମୁଖ୍ୟମନ୍ତ୍ରୀ ରାଜଧାନୀକୁ “ସରସ ସୁନ୍ଦର- ଭୁବନେଶ୍ୱର କରିବା ଲାଗି ସ୍ୱପ୍ନ ଦେଖୁଥିଲେ ମଧ୍ୟ ପ୍ରଶାସନିକ କଳର ଅସହଯୋଗରୁ ତାହା ହୁଏତ ସମ୍ଭବପର ହେଉନି ।”

ପଞ୍ଜାବର ରାଜଧାନୀ ଚଂଡ଼ିଗଡ଼ ଓ ଆମ ରାଜଧାନୀ ଭୁବନେଶ୍ୱର ଏକ ସମୟରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ, ଚଂଡ଼ିଗଡ଼କୁ ସରସ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ସେଠାକାର ରାଜନେତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ ସରକାରୀ କଳ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଏବେ ତାହା ଆମ ଦେଶର ସବୁଠାରୁ ସୁନ୍ଦର ଓ ଆଦର୍ଶ ସହର ହୋଇ ପାରିଥିଲେ ମଧ୍ୟ, ଆମ ରାଜନେତାମାନଙ୍କର ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ଜମି ବାଡ଼ି ହଡ଼ପ୍ କରିବାର ନିଶା ଏବଂ ଏଥିରେ ଅମଲାତନ୍ତ୍ରୀ ମାନଙ୍କର ସହଯୋଗ ତଥା ଜନସାଧାରଣଙ୍କଉଦାସୀନତା ଯୋଗୁଁ ଆଜି ଆମ ରାଜଧାନୀ ଏଭଳି ଘୋର ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଣ୍ଟି ଦିଆଯାଇଛି ।

ସେହିଭଳି ରାଜଧାନୀର ବିଭିନ୍ନ ୟୁନିଟରେ କ୍ଷୁଦ୍ର ପାର୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ଗୁଡ଼ିକ ପରବର୍ତ୍ତୀ କାଳରେ ଜବର ଦଖଲ ହୋଇଛି ଅଥବା ମରୁଭୂମିରେ ପରିଣତ ହୋଇଛି । ୟୁନିଟ୍-୧ ସ୍ଥିତ ଶିଶୁ ଉଦ୍ୟାନ ଏବଂ ୟୁନିଟ୍-୩ ସ୍ଥିତ ପାର୍କ ପାଇଁ ନିରୂପିତ ସ୍ଥାନ ଏହାର ଜ୍ୱଳନ୍ତ ଉଦାହରଣ ।

ରାଜଧାନୀରେ ସରକାରୀ ଜମିର ସୁରକ୍ଷା ପାଇଁ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ଉନ୍ନୟନ ନିଗମ, ମୁ୍ୟନିସ୍ ପାଲଟି ଓ ରାଜସ୍ୱ ବିଭାଗ ଯେଭଳି ପଦକ୍ଷେପ ନେବା କଥା ତାହା ନେଉଥିବାରୁ ଶହଶହ ଏକର ସରକାରୀ ଜମି ଜବର ଦଖଲ ହୋଇ ଚାଲିଛି ।

ନଳା, ନର୍ଦ୍ଧମାକୁ ଅବରୋଧ କରି ବେଆଇନ ଭାବରେ ବିଲ୍ଡ଼ର୍ ଏବଂ ଜନ ସାଧାରଣ ଘରତୋଳି ଚାଲିଥିବାରୁ ରାଜଧାନୀରୁ ଜଳ ନିସ୍କାଷିତ ହୋଇ ନପାରି ସାଧାରଣ ଅସରାଟିଏ ବର୍ଷା ହେଲେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣଙ୍କ ଧନ ଜୀବନ ବିପନ୍ନ ହୋଇ ପଡ଼ୁଛି । ତଥାପି କାହାର ନିଦ ଭାଙ୍ଗୁନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ସଜାଗ କରାଇବା ଲାଗି ତାଙ୍କର ଆଖି କାନ ଭାବରେ କାମ କରିବା ପାଇଁ ଉଦ୍ଧିଷ୍ଟ ରାଜନେତା, ଅମଲାତନ୍ତ୍ରୀ ଓ ସର୍ବୋପରି ଗଣମାଧ୍ୟମ ମଧ୍ୟ ଏଦିଗରେ ନିଜର କର୍ତ୍ତବ୍ୟ ସୂଚାରୁରୂପେ ପ୍ରତିପାଦନ କରିବା ଭଳି ମନେହୁଏ ନାହିଁ ।

ଫଳରେ ରାଜଧାନୀରେ କେବଳ ଯେ ସରକାରୀ ଜମିର ସୀମା ସଙ୍କୁଚିତ ହୋଇ ଚାଲିଛି ତାହା ନୁହେଁ, ଏହା କ୍ରମେ ପ୍ରଦୂଷଣର ରାଜଧାନୀରେ ପରିଣତ ହେବାକୁ ବସିଲାଣି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସୌଖୀନ ଓ ସୁନ୍ଦରତା ପ୍ରେମୀ ହୋଇଥିବାରୁ ଧ୍ୱଂସାଭିମୂଖ ଐତିହାସିକ ବିନ୍ଦୁସରୋବରର ପୁନରୁଦ୍ଧାର ଓ ତାହାର ସୈନ୍ଦର୍ଯ୍ୟକରଣ ସହ ତାହା ଉପକୂଳରେ ଏକ ଦୁର୍ଲଭ ଔଷଧୀୟ ବୃକ୍ଷର, ଗୁଳ୍ମର ଉଦ୍ୟାନ ପ୍ରତିଷ୍ଠା ଲାଗି ବିଶେଷ ଯତ୍ନବାନ ହୋଇଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହାକୁ ଏକ ଦର୍ଶନୀୟ ସ୍ଥଳରେ ପରିଣତ କରିବା ଲାଗି ଉଦ୍ୟମ ହେଉଛି ।

ନିଜର ଭି.ଆଇ.ପି ଅତିଥିମାନଙ୍କୁ ମଧ୍ୟଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଉଦ୍ୟାନ ବୁଲାଇ ଦେଖାଉଛନ୍ତି । ରାଜଧାନୀର ସୈାନ୍ଦର୍ଯ୍ୟକରଣ ଯୋଜନାରେ ହେଉ ଅଥବା ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବା ଲାଗି “ନବୀନ ନିବାସ” ଠାରୁ କଳିଙ୍ଗ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଥିବା ସରକାରୀ ଘର ଓ ଦପ୍ତରର କାନ୍ଥଗୁଡିକ ଚିତି୍ରତ କରାଯିବା ସଙ୍ଗେ ସଙ୍ଗେ କେତେକ ସ୍ଥାନରେ ପ୍ରସ୍ତର ଓ ମୃଣ୍ମୟ ମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯାଇଛି ।

ଏଥିନିମନ୍ତେ କେତେକ ସରକାରୀ ନିଗମ ଓ ଘରୋଇ ବ୍ୟବସାୟୀକ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ନିଜ ସଂସ୍ଥାକୁ ବିଜ୍ଞାପିତ କରାଉଛନ୍ତି । ରାଜଭବନ ଠାରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକୁ ବହୁମୂଲ୍ୟର ଉଜ୍ୱଳ ଆଲୋକରେ ମଧ୍ୟ ସଜ୍ଜିତ କରାଯାଇଛି ।

ଅପରପକ୍ଷେ ରାଜଧାନୀବାସୀ ଅଥବା ଏଠାକୁ ଆସୁଥିବା ପ୍ରତ୍ୟହ ହଜାର ହଜାର ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧା, ଯଥା ସର୍ବସାଧାରଣ ସୌଚାଳୟ ଓ ପାନୀୟଜଳ ଯୋଗଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହୋଇପାରିନି ।

ଫଳରେ ରାସ୍ତାଘାଟର ପ୍ରଦୂଷଣ ଘଟିଚାଲିଛି । ଏଥିପ୍ରତି କାହାର ଦୃଷ୍ଟି ନାହିଁ । କେହି ମଧ୍ୟ ଏ ସଂପର୍କରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁନାହାନ୍ତି ।

ରାଜଧାନୀର ଶୋଭା ବର୍ଦ୍ଧନକାରୀ ଏହି ରଂଗୀନ୍ ୱାଲ୍ ପେଣ୍ଟିଂ, ପ୍ରସ୍ତରର ଅଧୁନିକ ସ୍ଥାପତ୍ୟ, ଆଦିବାସୀ ମହିଳାମାନଙ୍କର ମୃଣ୍ମୟ ମୂର୍ତ୍ତୀ, ରାଜଧାନୀ ରାସ୍ତାଘାଟର ଶୋଭାବର୍ଦ୍ଧନରେ କିଛି ପରିମାଣରେ ସହାୟକ ହେଉଛି ନିଶ୍ଚୟ, ମାତ୍ର ରାଜଧାନୀର ପ୍ରଦୂଷଣ ଦୂର କରିବାରେ ସାମାନ୍ୟତମ ସହାୟକ ହୋଇପାରୁନାହିଁ ।

ଏହି ଦୁର୍ଲଭ ଚିତ୍ର ଓ ସ୍ଥାପତ୍ୟର ପୃଷ୍ଟଭୂମିରେ ଭିକ୍ଷା ଥଳିଧରି ବୁଲୁଥିବା ନଗ୍ନ, ଅର୍ଦ୍ଧନଗ୍ନ, ବୁଭୂକ୍ଷୁ ଶିଶୁ ଓ ମହିଳାମାନଙ୍କର ଭିକ୍ଷାପାଇଁ ଆକୁଳ ନିବେଦନ ପରିବେଶକୁ ଅଧିକ ଶୋଚନୀୟ କରୁଥିବାରୁ ଦେଖାଯାଉଛି ।

ରାଜଧାନୀକୁ ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବା ଲାଗି ଆରମ୍ଭରୁ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା ତାହା ବାରମ୍ବାର ଖିଲାପ କରାଯାଇଛି । କେତେକ ରାଜନେତା ଓ ପ୍ରଭାବଶାଳୀ ଅମଲାତନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଶହୀଦ ନଗର ସରକାରୀ ମାର୍କେଟ ସମ୍ମୁଖରେ ପାର୍କିଂ ଓ ପାର୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ବାଂଟି ଦିଆଯାଇଛି ।

ଆସୋସିଏଟେଡ଼ ମିଡ଼ିଆ
୫ ଆର୍ ଏଫ/୫, ମହାତ୍ମାଗନ୍ଧୀ ମାର୍ଗ
ଭୁବନେଶ୍ୱର-୭୫୧୦୦୧
ଫୋନ-୯୪୩୭୦୦୫୧୧୮

Filed Under: ତୃତୀୟ ନୟନ Tagged With: ପ୍ରଦୂଷଣ, ରାଜଧାନୀ, ଶହୀଦ ନଗର

ତୃତୀୟ ନୟନ: ସରକାରୀ ନିର୍ଯ୍ୟାତନାର ଶେଷ କେବେ ?

September 24, 2012 by admin Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗଟି, ସମ୍ପ୍ରତି ଅଶାନ୍ତି ଓ ଯନ୍ତ୍ରଣାର ମାର୍ଗରେ ପରିଣତ ହୋଇଛି ।

ୟୁନିଟ ୨ ଓ ୟୁନିଟ ୩ ଭଳି ଦୁଇଟି ଜନବସତି ମଧ୍ୟରେ ଅବସ୍ଥିତ । ଏହାର ଉଭୟ ପାଶ୍ୱର୍ରେ ବହୁ ଶିକ୍ଷାନୁଷ୍ଠାନ ବ୍ୟବସାୟିକ ପ୍ରତିଷ୍ଠାନ, ଚିକିତ୍ସାଳୟ ଓ ବାସଗୃହ ରହିଛି । ଏହି ରାସ୍ତାଟି ସଚ୍ଚିବାଳୟ, ବିଧାନସଭା ଅଞ୍ଚଳକୁ ଭୁବନେଶ୍ୱର ରେଳଷ୍ଟେସନ ଓ ଘରୋଇ ବସଷ୍ଟାଣ୍ଡ ସହ ମଧ୍ୟ ସଂଯୁକ୍ତ କରୁଛି ।

ଏହି ରାସ୍ତାଟି ରାଜଧାନୀର ସବୁଠାରୁ ଅଧିକ ଯାନବାହନ ଓ ଜନସାଧାରଣଙ୍କ ଚଳପ୍ରଚଳ ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ସରକାରଙ୍କ ଅଦୂରଦର୍ଶିତା ହେତୁ ଏହି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡିବା ସଙ୍ଗେ ସଙ୍ଗେ ଏହାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ସଚ୍ଚିବାଳୟ ସମ୍ମୁଖସ୍ଥ ପରେଡ ଗ୍ରାଉଣ୍ଡକୁ ଇନ୍ଦିରା ପାର୍କରେ ପରିଣତ କରାଯାଇ ସେଠାରେ ହେଉଥିବା ସଭା, ସମିତି, ବିକ୍ଷୋଭ ଓ ଧର୍ମଘଟ ସହ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଏହି ମହାତ୍ମା ଗାନ୍ଧୀ ମାର୍ଗକୁ ସ୍ଥାନାନ୍ତରିତ ହେବା ଦିନୁ ଏହି ଅଂଚଳଟି ବିଶେଷ ଭାବରେ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଅନ୍ୟାନ୍ୟ ବିପଦ ଦ୍ୱାରାସଂକ୍ରମିତ ହୋଇପଡିଛି ।

ଧର୍ମଘଟ ଓ ବିକ୍ଷୋଭ ସମୟରେ ଏହି ରାସ୍ତାରେ ହଜାର ହଜାର ଜନତାଙ୍କ ସମାଗମ ଏବଂ ଦୀର୍ଘ ଘଣ୍ଟାଘଣ୍ଟା ଧରି ପ୍ରଚଣ୍ଡ ଶବ୍ଦ କରୁଥିବା ଡାକବାଜୀ ଯନ୍ତ୍ରର ବ୍ୟବହାର ଯୋଗୁଁ ଏହି ଅଞ୍ଚଳର ବାସିନ୍ଦାମାନଙ୍କର ଶୋଚନୀୟ ଶାନ୍ତି ଭଙ୍ଗ ହେଉଛି । ବିଶେଷକରି ସ୍କୁଲ, କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ, ରୋଗୀ ଓ ବୁଦ୍ଧିଜୀବୀମାନେ ଏହାଦ୍ୱାରାବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ।

ଏଭଳି ପ୍ରଦୂଷଣ ଘଟାଉଥିବା କାର୍ଯ୍ୟକଳାପକୁ ଏ ଅଞ୍ଚଳରୁ ସ୍ଥାନାନ୍ତରିତ କରିବା ଲାଗି ଦୀର୍ଘ ବର୍ଷ ଧରି ଦାବୀହୋଇଆସୁଥିଲେ ମଧ୍ୟ ସରକାର ତାହାର ପ୍ରତିକାର କରୁନାହାଁନ୍ତି ।

ଏପରିକି ଶବ୍ଦ ଓ ବାୟୁ ପ୍ରଦୂଷଣରୁ ଏହି ଅଂଚଳବାସୀଙ୍କୁ ମୁକ୍ତ କରିବା ଲାଗି ଉପରୋକ୍ତ କାର୍ଯ୍ୟକଳାପମାନ ଏଠାରୁ ସ୍ଥାନାନ୍ତରିତ କରିବା ଲାଗି କିଛି ବର୍ଷ ତଳେ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଶପଥ ପାଠ କରାଇଥିଲେ ଯେ ଏ ସମ୍ପର୍କରେ ସଚେତନ ଥାଇ ଉପଯୁକ୍ତ ସ୍ଥାନକୁ ସଭା ସମିତି ଓ ବିକ୍ଷୋଭର ସ୍ଥାନ ପରିବତର୍ତ୍ତନ ପାଇଁ ସରକାର ପଦକ୍ଷେପ ନେବା ବିଷୟରେ ସଚେତନ ଅଛନ୍ତି ।

ମାତ୍ର ଏଯାବତ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଶବ୍ଦ ପ୍ରଦୂଷଣ ଜନସାଧାରଣଙ୍କର କିଭଳି ଭୟଙ୍କର କ୍ଷତି ଘଟାଏ ସେ ସମ୍ପର୍କରେ ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା ଓ ବିଶିଷ୍ଟ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି ।

ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଆମ ଦେଶରେ ପ୍ରଚଳିତ ନିୟମ ଅନୁଯାୟୀ ଜନବସତି ଅଞ୍ଚଳରେ ଦିନବେଳେ ସର୍ବାଧିକ ୫୫ ଡେସିମାଲ ଏବଂ ରାତ୍ରି ସମୟରେ ୪୫ ଡେସିମାଲ ମଧ୍ୟରେ ଶବ୍ଦ ସୀମିତ ରହିବା ଉଚିତ । ମାତ୍ର ମହାତ୍ମା ଗାନ୍ଧୀ ମାର୍ଗରେ ହେଉଥିବା ସଭାସମିତିମାନଙ୍କରେ ଅନେକ ସମୟରେ ୫୦୦ ରୁ ୧୦୦୦ ଡେସିମାଲ ଶବ୍ଦ ଘଣ୍ଟାଘଣ୍ଟା ଧରି ଶୁଣିବାକୁ ମିଳିଥାଏ ।

କାରଣ ଏହାର ଆୟୋଜକମାନେ ଅନେକ ସମୟରେ ଦଶଟିରୁ କୋଡିଏଟି ମେଗାଫୋନ ବ୍ୟବହାର କରିଥାନ୍ତି । ଗୋଟିଏ ମେଗାଫୋନ ଅନ୍ୟୁନ ୯୦ ଡେସିମାଲର ଶବ୍ଦ ସୃଷ୍ଟି କରିଥାଏ ।

ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ କ୍ରମାଗତ ଭାବରେ ୯୦ ଡେସିମାଲ ଶବ୍ଦ ଦୀର୍ଘ ସମୟ ଧରି ଶୁଣିଲେ ଯେ କୌଣସି ଲୋକ ତାହାର ଶ୍ରବଣ ଶକ୍ତି ହରାଇ ବସିଥାଏ ।

ଏହି ଶବ୍ଦ ପ୍ରଦୂଷଣ ସାଙ୍ଗକୁ ବିିଭିନ୍ନ ସମୟରେ ସମବେତ ହେଉଥିବା ହଜାର ହଜାର ନରନାରୀ ଏହି ଅଞ୍ଚଳକୁ ସେମାନଙ୍କର ପରିତ୍ୟକ୍ତ ଖାଦ୍ୟ ସାମଗ୍ରୀ ଏବଂ ଝାଡା, ପରିସ୍ରାରେ ମଧ୍ୟ ପ୍ରଦୂଷିତ କରି ମାରାତ୍ମକ ଭାବରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାନ୍ତି ।

ତେଣୁ ଯଥାଶୀଘ୍ର ସମ୍ଭବ ଏହି ଅଞ୍ଚଳବାସୀଙ୍କୁ ଏଭଳି ଯନ୍ତ୍ରଣା ଦାୟକ ପରିସ୍ଥିତିରୁ ମୁକ୍ତି ଦେବା ଲାଗି ଏହି ସାମ୍ବାଦିକ ୨୦୦୭ ମସିହା ଜୁଲାଇ ୬ ତାରିଖଠାରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କୁ ଅନେକବାର ଲିଖିତ ଭାବରେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର ଏହି ଅଞ୍ଚଳର ଜନସାଧାରଣଙ୍କୁ ଏଭଳି ଶୋଚନୀୟ ଅବସ୍ଥାରୁ ମୁକ୍ତି ଦେବା ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

ଅନେକ ସମୟରେ ବିିଭନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ତରଫରୁ ଏହି ଅଞ୍ଚଳର ରାସ୍ତାକୁ ଦିନ ଦିନ ଧରି ଅବରୋଧ କରାଯାଉଥିବାରୁ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଛି । ଏପରିକି ରୋଗୀମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରୁନାହିଁ । ବିକ୍ଷୋଭ ଓ ଧର୍ମଘଟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ତାହା ଅଞ୍ଚଳବାସୀଙ୍କ ପାଇଁ ବିପଦଜ୍ଜନକ ହୋଇପଡୁଛି ।

ସେପ୍ଟେମ୍ବର ୬ ତାରିଖ ଦିନ ଏହି ଅଞ୍ଚଳରେ ଆୟୋଜିତ କଂଗ୍ରେସ ଦଳର ‘ପରିବତର୍ତ୍ତନ’ ସମାବେଶ ସମୟରେ ଶାନ୍ତି ଭଙ୍ଗ ଓ ହିଂସାକାଣ୍ଡ ଫଳରେ ଅଞ୍ଚଳବାସୀ ଶୋଚନୀୟ ଭାବରେ ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛନ୍ତି ।

ପୋଲିସ ଦ୍ୱାରା ମରାଯାଇଥିବା ବହୁ ଟିୟର ଗ୍ୟାସ କ୍ୱାର୍ଟର ପରିସର ମଧ୍ୟରେ ପଡିବା ସଙ୍ଗେ ସଙ୍ଗେ ଉଭୟ ବିକ୍ଷୋଭକାରୀ ଓ ପୋଲିସ ବାସିନ୍ଦାମାନଙ୍କ ଗୃହ ପରିସର ମଧ୍ୟକୁ ଅଚାନକ ଭାବରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।

କେବଳ ଏହି ସାମ୍ବାଦିକ ନୁହେଁ, ଏ ଅଂଚଳରେ ବସବାସ କରୁଥିବା ବହୁ ସରକାରୀ କର୍ମଚାରୀ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଉପେରାକ୍ତ ବିଷୟମାନ ଉଲ୍ଲେଖ କରି ସେମାନଙ୍କୁ ଏଭଳି ଯନ୍ତ୍ରଣାଦାୟକ ପରିବେଶରୁ ମୁକ୍ତ କରିବା ପାଇଁ ବାରମ୍ବାର ଦାବୀଜଣାଇଥିଲେ ମଧ୍ୟ ସରକାର ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଛନ୍ତି ।

ଫଳରେ ଦୀର୍ଘଦିନ ଧରି ଏତାଦୃଶ ଅସ୍ୱାସ୍ଥ୍ର୍ୟକର ପରବେଶରେ ରହି ଯନ୍ତ୍ରଣା ଭୋଗୁଥିବା ବହୁ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ଅସୁସ୍ଥ ହୋଇପଡିଥିବାର ପରିଲକ୍ଷିତ ହେଉଛି ।

ଦେଖାଯାଇଛି ଯେ ଏହି ଅଞ୍ଚଳରେ ରହୁଥିବା ବହୁ ବରିଷ୍ଠ ବିଚାରପତି, ଆଇ.ଏ.ଏସ ଏବଂ ବରିଷ୍ଠ ପୋଲିସ ଅଫିସର ଏଭଳି ପରିସ୍ଥିତି ଓ ପରିବେଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ସୁବିଧା ଦେଖି ଫରେଷ୍ଟ ପାର୍କ ଓ ଅନ୍ୟାନ୍ୟ ଅଂଚଳ ଭଳି ନିରାପଦ ଓ ପ୍ରଦୂଷଣମୁକ୍ତ ଅଞ୍ଚଳକୁ ବାସଗୃହ ପରିବର୍ତ୍ତନ କରିଦେଉଛନ୍ତି ।

ମାତ୍ର ଯେଉଁମାନେ ଏହି ସୁଯୋଗରୁ ବଞ୍ଚିତ ସେମାନେ ସରକାରଙ୍କ ଦ୍ୱାରା ସୃଷ୍ଟ ଏହି ଯନ୍ତ୍ରଣା ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି ।

ଆମର ମୁଖ୍ୟମନ୍ତ୍ରୀ ଜଣେ ପ୍ରକୃତି ଓ ପରିବେଶପ୍ରେମୀ ଏବଂ ଯଥେଷ୍ଟ ସମ୍ବେଦନଶୀଳ ବୋଲି କୁହାଯାଏ । ରାଜଧାନୀର ସୌନ୍ଦର୍ଯ୍ୟ କରଣ ପାଇଁ ସେ ବହୁ ପଦକ୍ଷେପ ନେଉଥିବାର ଦେଖାଯାଏ । ମାତ୍ର ୟୁନିଟ ୨ (ଅଶୋକ ନଗର) ଓ ୟୁନିଟ ୩ (ଖାରବେଳ ନଗର) ଭଳି ରାଜଧାନୀର ସର୍ବପ୍ରାଚୀନ ଜନବସତି ଏବଂ ତାହାର ବାସିନ୍ଦାମାନଙ୍କ ପ୍ରତି ତାଙ୍କର ଉଦାସୀନ ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟନିତ କରୁଛି ।

ସେପ୍ଟେମ୍ବର ୮ ତାରିଖ ଦିନର ହିଂସାକାଣ୍ଡ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ଓ ପରିବେଶକୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ, ତୃଙ୍ଗ ଅମଲାତନ୍ତ୍ରୀମାନେ ଓ ତୃଙ୍ଗ ପୋଲିସ ଅଫିସରମାନେ ଏହିଅଞ୍ଚଳବାସୀଙ୍କୁ ଶାନ୍ତି ତଥା ନିରାପଦରେ ବଞ୍ଚିବାଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା ।

ମାତ୍ର ଇତିମଧ୍ୟରେ ପ୍ରାୟ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଫଳରେ ଅଞ୍ଚଳବାସୀ ପୂର୍ବଭଳି ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣ ମଧ୍ୟରେ କଲବଲ ହୋଇ ରହିଛନ୍ତି । ଏଭଳି ସରକାରୀ ନିର୍ଯ୍ୟାତନାରୁ ମୁକ୍ତି ପାଇବା ପାଇଁ ଜନସାଧାରଣ ବ୍ୟାକୁଳ ବିକଳ ହୋଇ ସରକାରଙ୍କ ଅନୁକୂଳ ପଦକ୍ଷେପକୁ ଅପେକ୍ଷା କରିରହିଛନ୍ତି କେବଳ ।

ଆଶୋସିଏଟେଡ ମିଡିଆ
କ୍ୱାଟର ନଂ ୫.ଆର.ଏଫ/୫
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୯
ଫୋନ-୯୪୩୭୦୦୫୧୧୮

Filed Under: ତୃତୀୟ ନୟନ, ମୁଖ୍ୟ ଖବର Tagged With: ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା, ମହାତ୍ମା ଗାନ୍ଧି, ମୁଖ୍ୟମନ୍ତ୍ରୀ, ଶବ୍ଦ ପ୍ରଦୂଷଣ, ସରକାରୀ ନିର୍ଯ୍ୟାତନା

ବିଜୁଙ୍କ ସ୍ୱପ୍ନ: କେତେ ସତ? କେତେ ମିଛ?(ତୃତୀୟ ନୟନ)

October 17, 2011 by ଓଡିଶା ଡଟ କମ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଓଡ଼ିଶାର ଅପ୍ରତି୍ୱନ୍ଦି ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନକାଳ ମଧ୍ୟରେ ତାଙ୍କ ନେତୃତ୍ୱ ବାରମ୍ବାର ପ୍ରତ୍ୟାକ୍ଷିତ ହୋଇଥିବାରୁ ସେ ଶାସନ କ୍ଷମତାରେ ଦୀର୍ଘଦିନ ରହିବା ସମ୍ଭବ ହୋଇନଥିଲା ।

କିନ୍ତୁ ତାଙ୍କ ମୃତ୍ୟୁ ପରେ “”ବିଜୁଙ୍କ ସ୍ୱପ୍ନର ସୌଦାଗର”ମାନେ, ତାଙ୍କର ତଥା କଥିତ “”ଅଧୁରା ସ୍ୱପ୍ନ”କୁ ସଫଳତାର ସହ ମାର୍କେଟିଂ କରି ବିପୁଳ ଫାଇଦା ଉଠାଇ ଚାଲିଛନ୍ତି ଓ ଚାଲିଥିବେ ମଧ୍ୟ ।

ବିଜୁଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ପ୍ରଚଣ୍ଡ ଭାବ ପ୍ରବଣତାର ସୁଯୋଗ ନେଇ ଶାସନ ଗାଦି ଦାଖଲ କରିବାର ଏକମାତ୍ର ଅଭିଳାଷ ନେଇ, ରାଜ୍ୟର ଯେଉଁ ନେତାମାନେ ବିଜୁ ଜନତା ଦଳ ଗଠନ କରିଥିଲେ, ସେମାନେ ଦୀର୍ଘ ଏକ ଶଦ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ବିଜୁଙ୍କ “”ଅଧୁରା ସ୍ୱପ୍ନ”କୁ ଓଡ଼ିଶାର ଭାବପ୍ରବଣ ଜନସାଧାରଣଙ୍କୁ ବିକ୍ରୀକରି ରାଜନୈତିକ, ପ୍ରଶାସନିକ ତଥା ପ୍ରଚୁର ଅର୍ଥନୈତିକ ଫାଇଦା ଉଠାଇ ଚାଲିଛନ୍ତି ।

ଓଡ଼ିଶାର କେତେକ ରାଜନେତା, ପରିବାରର ଲୋକ ମାନଙ୍କୁ ରାଜନୈତିକ ଉତ୍ତରାଧିକାରୀ କରିବା ଲାଗି ପ୍ରୟାସ କରିଥିବା ସ୍ଥଳେ, ବିଜୁ ଏହାର ଘୋର ବିରୋଧି ଥିବାରୁ, ତାଙ୍କ ଜୀବଦ୍ଦଶାରେ ପରିବାରର କୌଣସି ବ୍ୟକ୍ତିଙ୍କୁ ରାଜନୀତିକୁ ଆଣିନଥିଲେ ।

ମାତ୍ର ବିଜୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଲାଗି ବ୍ୟାକୁଳ ବିକଳ ଥିବା ତାଙ୍କ ତଥାକଥିତ ଅନୁଗତମାନେ ନିଜେ ଶାସନ କ୍ଷମତାରେ ରହିବାର ଲୋଭରେ ବିଜୁଙ୍କ ଆର୍ଶକୁ ନିଷ୍ଠୁର ଭାବରେ ହତ୍ୟା କରି ତାଙ୍କକର କନିଷ୍ଟ ପୁତ୍ର ନବୀନଙ୍କୁ ରାଜନୀତିର ଚକ୍ରବ୍ୟୁହ ଭିତରୁ ଟାଣି ଆଣିଲେ ।

ପାରିବାରିକ ରାଜନୀତି କରିବା କେବେ ହେଲେ ବିଜୁଙ୍କର ଆଦର୍ଶ ବା ସ୍ୱପ୍ନନଥିଲା, ଏକଥା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ କାହାକୁ ଅଜଣା ନଥିଲା ।

ଓଡ଼ିଶାକୁ ଏକ କୃଷି ସମୃଦ୍ଧି ଓ ଶିଳ୍ପ ସମୃଦ୍ଧି ରାଜ୍ୟରେ ପରିଣତ କରି ରାଜ୍ୟବାସୀଙ୍କର ସର୍ବାଙ୍ଗିନ ଉନ୍ନତି କରିବା ଏବଂ ପଞ୍ଜାବ ଠାରୁ ଓଡ଼ିଶାକୁ ଅଧିକ ଆଗୁଆ ରାଜ୍ୟରେ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ।

ତେଣୁ ସେ ପ୍ରଥମେ ଯେତେବେଳେ ଶାସନ କ୍ଷମତାକୁ ଆସିଲେ, ସେତେବେଳେ ଓଡ଼ିଶାରେ ଗ୍ରାମାଞ୍ଚଳରେ ଖ୍ରୁଦ୍ର ଶିଳ୍ପର ବିକାଶ ପାଇଁ ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା କରିବା, ଏଥିପାଇଁ ଆବଶ୍ୟକୀୟ ତାଲିମପ୍ରାପ୍ତ ଯୁବକଯୁବତୀ ମାନଙ୍କୁ ସୃଷ୍ଟି କରିବା ନିମନ୍ତେ ବହୁ ସଂଖ୍ୟକ ଆଇଟିଆଇ ମାନ ଖୋଲିଥିଲେ ।

ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଅଗ୍ନି ବ୍ୟୁତ୍ପାତରୁ ନିରାପରେ ରଖିବା ପାଇଁ “”ଟାଇଲ ଛପର ଘର-ନିଅାଁକୁ ନଥିବ ଡ଼ର”ର ମାନସିକତା ସୃଷ୍ଟି କରିଥିଲେ ।

ଓଡ଼ିଶାର ସୁବିସ୍ତୃତ ବେଳାଭୂମି, ଖଣିଜ ସଂପଦ , ପ୍ରାକୃତିକ ସଂପଦ ର ସୁପଯୋଗ କରି ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ଦେଖି ସେ ରାଜ୍ୟ ମାନଙ୍କ ପାଇଁ ଅର୍ଥନୈତିକ ସ୍ୱାଧିନତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିଲେ ।

ଓଡ଼ିଶାର ଖଣି, ପାଣି, ଜଙ୍ଗଲ ସଂପଦ କୁ ଶାଗ ମାଛ ମୂଲ୍ୟରେ ଅଣ ଓଡ଼ିଆ ୩ ବିଦେଶୀ କମ୍ପାନୀ ମାନଙ୍କ ହାତକୁ ଟେକି ଦେବା କାପି ତାଙ୍କର ସ୍ୱପ୍ନ ନଥିଲା ।

ସେସବୁର ଉପଯୁକ୍ତ ବିନିଯୋଗ କରିବା ଥିଲା ତାଙ୍କର ଅଭିପ୍ରାୟ । ସେଥିପାଇଁ ସେ କେନ୍ଦ୍ରରେ ମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ନାଲ୍କୋ ପ୍ରତିଷ୍ଠା ଲାଗି ସମସ୍ତ ପକ୍ଷେପ ନେଇଥିଲେ ।

ସେଦ୍ୱିତୀୟ ଥର ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାପରେ ଓଡ଼ିଶାରେ ଆଉ ମାତ୍ରଦୁଇଗୋଟି ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଚେଷ୍ଟା ଅବ୍ୟାହତ ରଖିଥିଲେ । ଓଡ଼ିଶାର ଖଣିଜ ପଦାର୍ଥ ବିଦେଶ କୁ ରପ୍ତାନୀ ନକରି ରାଜ୍ୟରେ ଆଉଦୁଇଟି ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ନିମନ୍ତେ ସେ ରାଜ୍ୟର ପ୍ଲାନିଂ ବୋର୍ଡ଼ରେ ନିଷ୍ପତ୍ତି ନେଇଥିଲେ ।

ସେତେବେଳେ ତାଙ୍କର ଭଣଜା ତଥା ଦେଶର ଜଣେ ପ୍ରତିଷ୍ଠିତ ବୈଷୟିକ ଜ୍ଞାନ ସଂପନ୍ନ ବ୍ୟକ୍ତି ଅଜିତ୍ ମହାପାତ୍ର ମଧ୍ୟ ଏହି ବୋର୍ଡ଼ର ସଦସ୍ୟ ଥିଲେ । କଳିଙ୍ଗନଗର ପରେ ଗୋଟିଏ କୋଇଲା ଭିତ୍ତିକ ଇସ୍ପାତ କାରଖାନା ଏବଂ ପାରାଦୀପ ଠାରେ ବନ୍ଦର ଭିତ୍ତିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ରାଉରକେଲା ବ୍ୟତୀତ କଳିଙ୍ଗନଗର ଇସ୍ପାତ କାରଖାନାରେ ଉତ୍ପାଦିତ ସାମଗ୍ରୀ ଶେର ଆଭ୍ୟନ୍ତରୀଣ ବ୍ୟବହାରରେ ବିନିଯୋଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଓ ବନ୍ଦର ଭିତ୍ତିକ ଇସ୍ପାତ କାରଖାନାରୁ ଉତ୍ପାଦିତ ସାମଗ୍ରୀ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତା ।

ମାତ୍ର ସେତେବେଳେ କେନ୍ଦ୍ର ସରକାରଙ୍କ କଠୋର କଟକଣା ଯୋଗୁଁ ତାହା ସମ୍ଭବ ହୋଇନଥିଲା । ବିଜୁ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଏକ କମ୍ପାନୀର ଇସ୍ପାତ କାରଖାନାକୁ ଜାତୀୟ କରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସେଥିପାଇଁ ଏହି ଶକ୍ତିଶାଳୀ କମ୍ପାନୀ ବିଜୁଙ୍କ ବିରୁଦ୍ଧରେ କେନ୍ଦ୍ରରେ ଲବି ଆରମ୍ଭ କରିଥିଲେ ଏବଂ କେତେକ ପ୍ରଭାବଶାଳୀ ରାଜନେତାଙ୍କୁ ଏଥିପାଇଁ ନିୟୋଜିତ କରିଥିଲେ ।

ଘରୋଇ ଉଦ୍ୟମ ବୃହତ୍ ଶିଳ୍ପ ପ୍ରତିଷ୍ଠାକୁ ବିଜୁ ପସନ୍ଦ କରୁନଥିଲେ । ଆମର ପ୍ରାକୃତିକ ସଂପଦ ଓ ଖଣିଜ ସଂପଦ ର ସୁପଯୋଗ କରି କୌଣସି ଶିଳ୍ପପତି ତାହାର ଫାଇଦା ଉଠାଇବା ପରିବର୍ତ୍ତେ, ରାଜ୍ୟ ବା ରାଷ୍ଟ୍ର ତାହାର ଫାଇଦା ଉପରେ ଥିଲା ତାଙ୍କର ଉଦ୍ଦେଶ୍ୟ ।

ତେଣୁ ଏହି କମ୍ପାନୀ ଭଳି ବୃହତ୍ ଶିଳ୍ପକୁ ଜନହିତ ଲାଗି ଜାତୀୟକରଣ କରିବାର ସେ ସ୍ୱପ୍ନ ଦେଖିଥିଲେ । ସେଥିପାଇଁ ସେ ଶିଳ୍ପପତି ମାନଙ୍କ କ୍ରୋଧର ଶିକାର ହେଲେ ।

ବିଜୁଙ୍କ ଅଧୁରା ସ୍ୱପ୍ନ ଦ୍ୱାହି ଦେଇ ଶାସନ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତିମାନେ ଏବେ ବିଜୁ ବିରୋଧୀ, ଉକ୍ତ କମ୍ପାନୀର ପୃଷ୍ଠପୋଷକତା କରିବା ନିମନ୍ତେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଏଗାରଟି ନରବଳି ଦେବା ଲାଗି ପଛାଇ ନାହାନ୍ତି ।

ଓଡ଼ିଶା ପୋଲିସ ଦ୍ୱାରାନିରୀହ ଆଦିବାସୀ ମାନଙ୍କୁ ହତ୍ୟା କରି ସେମାନଙ୍କୁ ଭିଟାମାଟିରୁ ଉଚ୍ଛେଦ କରି ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ସେହି ମାଟିକୁ ଟେକିବୋ କ’ଣ ବିଜୁଙ୍କର ସ୍ୱପ୍ନ?

ତାହା “ଅଧୁରା’ ରହିଯାଇଥିବାରୁ ବିଜୁଙ୍କ ନାମରେ ପ୍ରତିଷ୍ଠିତ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାର ଏଭଳି ବିଜୁ ବିରୋଧି ଓ ଜନବିରୋଧି ପକ୍ଷେପ ନେବାଲାଗି ତତ୍ପର ହୋଇଉଠିଛନ୍ତି ।

ସ୍ପଞ୍ଜ ଲୁହା କାରଖାନାରେ ଆଇରନ ଓର୍ ବ୍ୟାପକ ଅପବ୍ୟବହାର ହେଉଥିବା ସହ ଏହା ପ୍ରଚଣ୍ଡ ପ୍ରୂଷଣ ଘଟାଉଥିବାରୁ, ରାଜ୍ୟରେ ଗୋଟିଏ ହେଲେ ସ୍ପଞ୍ଜ ଲୁହା କାରଖାନା ସ୍ଥାପନ କରାଇନଦେବା ଏବଂ ଏହାକୁ ସଂପୂର୍ଣ୍ଣ ନିଷେଧ କରିବା ଥିଲା ତାଙ୍କର ଲକ୍ଷ୍ୟ ।

ଏ ସଂପର୍କରେ ଯୋଜନା ବୋର୍ଡ଼ରେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ମାତ୍ର ଏବେ ଆମ ରାଜ୍ୟରେ ପଚାଶରୁ ଉଦ୍ଧ୍ୱର୍ ସ୍ପଞ୍ଜ ଲୁହା କାରଖାନା ସମଗ୍ର ରାଜ୍ୟର ବାୟୁମଣ୍ଡଳକୁ କଳୁଷିତ କରି ବିଭିନ୍ନ ମାରାତ୍ମକ ରୋଗର ମଞ୍ଜି ବୁଣିବାରେ ବ୍ୟସ୍ତ ।

ସେହିଭଳି ବିଜୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୋସ୍କୋ ପାରାଦୀପ ଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଆଗ୍ରହୀ ଥିଲା ଏବଂ ତାର ମୁଖ୍ୟ ଓଡ଼ିଶା ଆସିଥିଲେ । ସେତେବେଳେ ଅଜିତ ମହାପାତ୍ର ତାଙ୍କ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।

ସେମାନେ ପାରାଦୀପ ଠାରେ କାରଖାନା ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ବିଜୁ ଏଥିରେ ସହମତ ହୋଇନଥିଲେ । ପାରାଦୀପ ଠାରେ ପ୍ରତିଷ୍ଠିତ କାରଖାନାରୁ ନିର୍ଗତ ଗ୍ୟାସ ଓ ଧୁଅାଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରଭୁତ କ୍ଷତି ଘଟାଇବାର ସମ୍ଭାବନା ଥିବାରୁ, ବିଜୁ ରୋକ୍ ଠୋକ୍ ମନା କରିେଇଥିଲେ ।

ମାତ୍ର ନବୀନ ସରକାର ପୋସ୍କୋ ପାଇଁ ଜଙ୍ଗଲ ଧ୍ୱଂସ କରି ସେହି ଅଞ୍ଚଳବାସୀଙ୍କ ପାଇଁ ମହାପ୍ରଳୟକୁ ସ୍ୱାଗତ କରୁଥିବା ସହ ଏହି ପ୍ରସ୍ତାବିତ ମେଗା ଇସ୍ପାତ କାରଖାନାର ପରିବେଶ ଓ ବାୟୁମଣ୍ଡଳ ଉପରେ ପ୍ରଭାବ ବିଷୟରେ ଅନୁଧ୍ୟାନ କରାଯାଇନଥିବାରୁ, ଏହା କିଭଳି କୁପ୍ରଭାବ ପକାଇବ ଏବଂ ତାହା କେତେ ଉଭୟଙ୍କର ହେବ ଏହା ପୋସ୍କୋର ଅନ୍ଧ ସମର୍ଥକ ମାନଙ୍କୁ ଜଣାନାହିଁ ।

ଏହାକଣ ବିଜୁଙ୍କର ଅଧୁରା ସ୍ୱପ୍ନ ଥିଲା ? ଯେଉଁମାନେ ବିଜୁଙ୍କ ଅଧୁରା ସ୍ୱପ୍ନକୁ ବିକି ରାଜନୈତିକ, ଅର୍ଥନୈତିକ, ଫାଇା ଉଠାଉଛନ୍ତି ସେମାନେ ବିଜୁଙ୍କ ପ୍ରତି ଏବଂ ଏମାଟି ପ୍ରତି ତଥା ଜାତି ପ୍ରତି କେତେ ବିଶ୍ୱାସଘାତକତା କରୁଛନ୍ତି, ତାହା ଜାଣିଛନ୍ତି କି?

ଓଡ଼ିଶା ଡ଼ଟ୍ କମ୍

Filed Under: ତୃତୀୟ ନୟନ, ମୁଖ୍ୟ ଖବର Tagged With: ବିଜୁ ପଟ୍ଟନାୟକ, ରାଜନେତା

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ