• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଖଣ୍ଡ

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

December 11, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

ମାନବାଧିକାର କର୍ମୀ କହିଲେ ବିଭିନ୍ନ ଉପାୟରେ ମାନବ ଅଧିକାରଗୁଡିକୁ ସୁରକ୍ଷା, ପ୍ରୋତ୍ସାହନ ଓ ପ୍ରଚାର କରୁଥିବା ବ୍ୟକ୍ତିବିଶେଷକୁ ବୁଝାଏ । ଯେମିତିକି ଜଣେ ଶିଶୁମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତି, ମହିଳାଙ୍କ ଅଧିକାର ଉପରେ ଲଢୁଥିବା କର୍ମୀ, ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ କାମ କରୁଥିବା ସାମାଜିକ କର୍ମୀ, ପୁଲିସ୍ ଅତ୍ୟାଚାର ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତି ଆଦି ଅନେକ ଏହି ଶ୍ରେଣୀଭୁକ୍ତ ।

akhandକେବଳ ଏତିକି ନୁହେଁ, ମାନବାଧିକାରକୁ ବିଭିନ୍ନ ଉପାୟରେ ପ୍ରଚାର ଓ ପ୍ରୋତ୍ସାହନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଜଣେ ଜଣେ ମାନବାଧିକାର କର୍ମୀ । ଯେମିତିକି – ସାମ୍ବାଦିକ, କାର୍ଟୁନିଷ୍ଟ, ବ୍ଲଗର କିମ୍ବା ସେସିଆଲ୍ ମେଡିଆରେ ଏହି ପ୍ରସଙ୍ଗଗୁଡିକୁ ଉଠାଉଥିବା ବ୍ୟକ୍ତି ।

ତେଣୁ ଏହି ମାନବାଧିକାର ସଂଜ୍ଞା ମଧ୍ୟରେ ଅନେକ କର୍ମୀ ଆସନ୍ତି । କିନ୍ତୁ ଆମ ଆଖି ଆଢୁଆଳରେ ସେମାନେ ପରିଚୟ ଦିଅନ୍ତି ନାହିଁ । କାରଣ ମାନବାଧିକାର କର୍ମୀ କହିଲା ମାତ୍ରେ ସମସ୍ତେ ବୁଝନ୍ତି ପୁଲିସ୍ ଓ ପ୍ରଶାସନ ବିରୋଧରେ ଲଢୁଥିବା କର୍ମୀ ।

କିନ୍ତୁ ମାନବାଧିକାରର ପରିଭାଷା ଯେ ଏହାଠାରୁ ଢେର୍ ଉଚ୍ଚରେ ତାହା ଜାଣିବା ପାଇଁ କମ୍ ଲୋକଙ୍କର ଆଗ୍ରହ ରହିଛି । ଆଉ ମାନବାଧିକାର କର୍ମୀମାନଙ୍କ ଉପରେ ପୁଲିସ୍ ଓ ପ୍ରଶାସନର ତୀକ୍ଷ୍ଣ ନଜର ମଧ୍ୟ ରହିଛି ।

ଏମାନଙ୍କୁ ନେଇ ସରକାରଙ୍କ ବିଚାର ସେତେଟା ଭଲ ନୁହେଁ । ଗୁଇନ୍ଦାବାଲା ଦେଶରେ ଅରାଜକତା ବଢାଉଥିବା ତତ୍ୱମାନଙ୍କ ବିଷୟରେ ସିନା ଖବର ରଖିପାରନ୍ତି ନାହିଁ, କିନ୍ତୁ ସେମାନେ ସହଜରେ ଉପଲବ୍ଧ ହେଉଥିବା ମାନବାଧିକାର କର୍ମୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାନ୍ତି । ଆମ ଦେଶରେ ଅନେକ ମାନବାଧିକାର କର୍ମୀଙ୍କୁ ‘ଦେଶ ବିରୋଧୀ’ ବୋଲି ଆଖ୍ୟ ଦିଆଯାଇଛି ।

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି ।

କିନ୍ତୁ ଏଥିରେ ସରକାର ଖୁସୀ ନୁହନ୍ତି । ସେମାନେ ଭାବନ୍ତି କାହିଁକି ସରକାରଙ୍କ ବିରୋଧରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଉଛନ୍ତି ? ତାହେଲେ ଏ ଦେଶରେ କଣ ମାନବାଧିକାର କମିଶନଗୁଡିକୁ ବନ୍ଦ କରି ଦିଆଯିବା ଉଚିତ୍ ? ଏ କ୍ଷମତା ମଧ୍ୟ ସରକାରଙ୍କର ଅଛି । ଯେ କୌଣସି ପୁଲିସ୍ କିମ୍ବା ସୁରକ୍ଷାବଳ ଦ୍ୱାରା ହେଉଥିବା ଏନକାଉଂଟର୍ ବା ହାଜତ ମୃତ୍ୟୁ ବିଷୟରେ ମାନବାଧିକାର କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ ।

କିନ୍ତୁ ଜଣେ ମାନବାଧିକାର କର୍ମୀ ଯଦି ଏ ବିଷୟରେ ଅଭିଯୋଗ କରେ, ସେ ପୁଲିସ୍ ଓ ପ୍ରଶାସନ ପାଇଁ ହୋଇଯାଏ ‘ଦେଶ ବିରୋଧୀ’ । ଜଣେ ଗୁଇନ୍ଦା ଅଧିକାରୀ ମୋତେ କହିଲେ, “ଆପଣ ଜନସ୍ୱାର୍ଥ ପାଇଁ ଭଲ ଭଲ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କରୁଛନ୍ତି । କିନ୍ତୁ ନକ୍ସଲ ଏନକାଉଂଟର କେଶ୍ କରିବା ବେଳେ ଟିକେ ସତର୍କ ରହିବେ । ଦଶଟା କେସ୍ରୁ ଗୋଟିଏ କେସ୍ ଏ ସମ୍ପର୍କରେ ହେଲେ ଚଳିବ ।

କିନ୍ତୁ ଅଧିକ ହେଲେ ଟିକେ ଅସୁବିଧା ।” ତା ଅର୍ଥ ଦେଶରେ ଥିବା ମାନବାଧିକାର ସୁରକ୍ଷା ଆଇନ ଅନୁଯାୟୀ କାମ କଲେ ମଧ୍ୟ ଆପଣ ଦେଶପ୍ରେମୀ ନୁହଁନ୍ତି ବଂର ଦେଶ ବିରୋଧୀ ବୋଲି ଧରାଯିବେ ! ବର୍ତମାନ ଅନେକ ମାନବାଧିକାର ସଂସ୍ଥା ଉପରେ କଟକଣା ଜାରି କରାଯାଇଛି । ଦାନ ଅର୍ଥ ଉପରେ ଅଂକୁଶ ଲଗାଯାଉଛି । ଗୋଇନ୍ଦା ରିପୋର୍ଟରେ ଅନେକ ସଂସ୍ଥାକୁ ଲୋକଲୋଚନକୁ ଆଣି ଆଗୁଆ ସେମାନଙ୍କୁ ସତର୍କ ଓ ଭୟଭିତ କରାଯାଉଛି ।

ଏସବୁ ଭିତରେ ମଧ୍ୟ ମାନବାଧିକାର କର୍ମୀମାନେ ସେମାନଙ୍କ ଗୁରୁଦାୟିତ୍ୱ ନିଭାଇଚାଲିଛନ୍ତି । ମାନବାଧିକର ସୁରକ୍ଷା ଦିଗରେ ଲଢି ଚାଲିଛନ୍ତି । ସମାଜରେ ମାନବାଧିକର ସୁରକ୍ଷା ସଂସ୍କୃତିକୁ ଆଗକୁ ବଢାଇ ଚାଲିଛନ୍ତି । ଆଜି ମେଡିକାଲ୍ରେ ରୋଗୀଙ୍କୁ ଫଳ ବାଂଟିବା ପାଇଁ ଲୋକଙ୍କ ବେଶୀ ଭିଡ । କିନ୍ତୁ ରୋଗୀଙ୍କୁ ଖାଦ୍ୟ ନ ମିଳିବା ଓ ଚିକିତ୍ସାରେ ଅବହେଳା ହେଉଥିବା କହିବାକୁ ସାମାଜିକ କର୍ମୀ ବାହାରୁ ନାହନ୍ତି ।

ଜେଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସଂସ୍ଥା ଆଗ୍ରହୀ । କିନ୍ତୁ ସେଠାରେ ହେଉଥିବା ଅତ୍ୟାଚାର ବିରୋଧରେ ପାଟି ଫିଟାଇବାକୁ ଡର । ଗଛ ଲଗାଇବାକୁ ସମସ୍ତେ ପସନ୍ଦ କରିବା ଭଲ କଥା । କିନ୍ତୁ ଗଛ ଓ ପରିବେଶ ନଷ୍ଟ କରୁଥିବା ବିଭିନ୍ନ ସଂସ୍ଥା ବିରୋଧରେ ସ୍ୱର ଉଠାଇବାକୁ ଭୟ କାହିଁକି ? ଆଉ ଏହି କାମ କରୁଛନ୍ତି ମାନବାଧିକାର କର୍ମୀମାନେ ।

ସେମାନେ ଦେଶର ସମସ୍ୟାର ମୂଳକୁ ଉପାଡି ଫିଙ୍ଗିବାକୁ ସଂଗ୍ରାମ କରୁଛନ୍ତି । ବ୍ୟବସ୍ଥାରେ ଥିବା ସରକାରୀ ଅଧିକାରୀମାନେ କିଭଳି ଠିକ୍ ଭାବେ ଲୋକଙ୍କୁ ସେବା ଦେବେ, ତାହା ଉପରେ ନଜର ରଖୁଛନ୍ତି । ସେମାନଙ୍କୁ ଆମେ କଣ କହିବା ? ଦେଶପ୍ରେମୀ ।

ସାମ୍ବାଦିକ ତଥା ମାନବାଧିକାର କର୍ମୀ

ଫୋନ୍ – ୯୯୩୮୮୭୧୯୮୯

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ବିଶ୍ୱମାନବାଧିକାର ଦିବସ, ମାନବାଧିକାର

ପୁଲିସ୍ ବିଲ୍ ରେ ସଂଶୋଧନ କାହିଁକି ଆବଶ୍ୟକ ?

November 6, 2015 by ନିଉଜ ଡେସ୍କ Leave a Comment

ଅଖଣ୍ଡ

akhand
ଅଖଣ୍ଡ

ମାନ୍ୟବର ସୁପ୍ରିମକୋର୍ଟ ୨୦୦୬ରେ ଏକ ମାମଲା(ପ୍ରକାଶ ସିଂ ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର) ରାୟରେ ପୁଲିସ୍ ବାହିନୀରେ ସଂସ୍କାର କଥା କହିଥିଲେ ।

କୋର୍ଟ ଆଶାବ୍ୟକ୍ତ କରିଥିଲେ ଯେ ରାଜ୍ୟ ସରକାର ଏମିତି ଏକ ନୂଆ ପୁଲିସ୍ ଆଇନ ପ୍ରଣୟନ କରିବେ, ଯେଉଁଥିରେ ପୁଲିସ କୁ ସମସ୍ତ ପ୍ରକାର ସରକାରୀ ଓ ରାଜନୈତିକ ଚାପରୁ ମୁକ୍ତ ରଖାଯିବ ଓ ସେମାନେ ସେମାନଙ୍କ ସମସ୍ତ କାମ ପାଇଁ ଉତ୍ତରଦାୟୀ ରହିବେ ।

ସୁପ୍ରିମକୋର୍ଟଙ୍କ ରାୟକୁ ମାନି ଓଡିଶା ସରକାର ଗତ କିଛି ବର୍ଷ ହେଲା ପୁଲିସ୍ ବିଲ୍ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ । ବିଧାନସଭାର ଗତ ଅଧିବେଶନରେ ଓଡିଶା ପୁଲିସ୍ ବିଲ୍- ୨୦୧୫କୁ ବିନା ଆଲୋଚନାରେ ପାରିତ କରାଗଲା ।

ଏହି ବିଲର ପ୍ରାରମ୍ଭରେ ଲୋକମାନଙ୍କ ମାନବାଧିକାର ସୁରକ୍ଷା ଓ ସେମାନଙ୍କର ରାଜନୈତିକ,ସାମାଜିକ, ଆର୍ଥନୈତିକ ଓ ସଂସ୍କୃତିଗତ ଅଧିକାର ସୁରକ୍ଷା ଆଦି ଆଇନର ମୁଖ୍ୟ ବିଷୟ ହେବା ଦରକାର ବୋଲି କୁହାଯାଇଛି ।

କିନ୍ତୁ ଏହି ବିଲ୍ ରେ ତାହା ଅନେକ ସ୍ଥାନରେ ସଂପୂର୍ଣ ପ୍ରତିଫଳିତ ହେଉନାହିଁ । ଏଭଳି ଏକ ବିଲ୍ ଆଇନରେ ପରିଣତ ହେଲେ ଏହା ପୁଲିସ୍ ର କ୍ଷମତା ବଢାଇବା ସହିତ ଏହାର ନିରପେକ୍ଷତାକୁ ଅଧିକ ବିପନ୍ନ କରିବ ବୋଲି ସମାଜକର୍ମୀ ଓ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଥିଲେ ।

ବିରୋଧୀ ଦଳମାନେ ମଧ୍ୟ ଏଥିରେ ସଂଶୋଧନ ହେବାର ଆବଶ୍ୟକତା ଥିବା ବହୁବାର ଦୋହରାଇଛନ୍ତି । ସବୁ ବର୍ଗରୁ ସରକାରଙ୍କ ପାଖକୁ ସଂଶୋଧନ ପାଇଁ ପରାମର୍ଶ ଆସିଛି । କିନ୍ତୁ ସରକାର କିଛି ଶୁଣିନାହାନ୍ତି । ବିଧାନସଭାରେ ମଧ୍ୟ ଆଲୋଚନା ହୋଇନାହିଁ । ବିରୋଧୀମାନେ କକ୍ଷତ୍ୟାଗ କଲେ ।

ସରକାରୀ ଦଳ ସଦସ୍ୟମାନେ ଶେଷରେ ଏହାକୁ ପାସ୍ କରିଦେଲେ । ମାନ୍ୟବର ରାଜ୍ୟପାଳଙ୍କ ପାଖକୁ ଏହି ବିଲ୍ ଗଲା । ତାଙ୍କୁ ମଧ୍ୟ ସମାଜକର୍ମୀମାନେ ଭେଟିଲେ । ବିଲ୍ ରେ କଣ ସବୁ ତ୍ରୁଟି ରହିଛି, ତାହା ଜଣାଇଲେ । ଯାହା ହେଉ ରାଜ୍ୟପାଳ ତାଙ୍କ କ୍ଷମତା ପ୍ରୟୋଗ କରି ଏହାକୁ ଫେରାଇ ଦେଇଛନ୍ତି ।

ଏହି ବିଲକୁ ବିରୋଧ କରାଯିବାର ଅନେକ କାରଣ ରହିଛି । ପ୍ରଥମତଃ ପୁଲିସ୍ ବିଲ୍ ରେ ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି (ପରିଛଦ ୨, ଧାରା ୪) ପ୍ରକ୍ରିୟା ଠିକ୍ ଭାବେ କରାଯାଇନାହିଁ । ଚୟନ ପ୍ରକ୍ରିୟାକୁ ଅଯଥା ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ ।

କିନ୍ତୁ ଓଡିଶା ପୁଲିସ ବିଲ୍ ରେ ଏକଥା ନାହିଁ । ରାଜ୍ୟ ସରକାର ତାଙ୍କର ସ୍ୱତନ୍ତ୍ର କ୍ଷମତା ବଳରେ ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି । ଏହା ହେଲେ ସରକାର ତାଙ୍କ ଇଛାରେ ପୁଲିସ୍ ଡିଜିଙ୍କୁ ନିଯୁକ୍ତ କରିବେ । ଏବଂ ସେ ସରକାରଙ୍କ ଚାପରୁ ମୁକ୍ତ ହୋଇପାରିବେ ନାହିଁ କିମ୍ବା ସ୍ୱାଧିନ ଭାବେ କାମ କରିପାରିବେ ନାହିଁ ।

ଏହି ବିଲର ପରିଛେଦ-୪ରେ ଥିବା ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ୍ରେ ପାଳନ କରାଯାଇନାହିଁ । କୋର୍ଟଙ୍କ ନିଷ୍ପତି ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅଫିସିଓ ସଚିବ ଭାବେ ରହିବେ ।

କିନ୍ତୁ ପୁଲିସ୍ ବିଲ ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ । ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ କରିବେ ।

କିନ୍ତୁ ଓଡିଶା ପୁଲିସ୍ ବିଲ ରେ କେବଳ ଦୁଇଜଣ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ ।

ଓଡିଶା ପୁଲିସ୍ ବିଲ ରେ “ପୋଲିସ୍ କମ୍ପ୍ଲେଂଟ୍ ଅଥରିଟି”( ପରିଛେଦ-୮) ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ଗଠନ ଶୈଳୀ, ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କ ମନୋନୟନ ବ୍ୟବସ୍ଥା ଦୃଷ୍ଟିରୁ ଏହା ନିରପେକ୍ଷ ଓ ସ୍ୱାଧୀନ ଭାବରେ କାମ କରିବା ନେଇ ଘୋର ସନେ୍ଦହ ଜାତ ହୋଇଛି ।

ପୋଲିସ୍ କମ୍ପ୍ଲେନ୍ ଅଥରିଟିର ଅଧ୍ୟକ୍ଷ ଲୋକାୟୁକ୍ତ ରହିବେ ବୋଲି ପୋଲିସ୍ ବିଲ୍-୨୦୧୩ରେ ବ୍ୟବସ୍ଥା ରହିଥିଲା । କିନ୍ତୁ ୨୦୧୫ମସିହାରେ ପ୍ରସ୍ତୁତ ବିଲ ରେ ଏହାକୁ ହଟାଇ ଦିଆଯାଇଛି । ଅଧ୍ୟକ୍ଷଙ୍କ ମନୋନୟନ କଥା କିଛି ଲେଖାଯାଇନାହିଁ । ପୁଣି ଜିଲ୍ଲାସ୍ତରୀୟ ପୋଲିସ୍ କମ୍ପ୍ଲେଂଟ୍ ଅଥରିଟିର ବ୍ୟବସ୍ଥା ରଖାଯାଇନାହିଁ ।

ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ବିଳମ୍ବ ହେବ । ଏହି ବିଲ ରେ ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଶାନ୍ତିପୂର୍ଣ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ୍ କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି ।

ଉପଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥାରେ ସଂଶୋଧନ କରାଯିବା ଦରକାର । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା । ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ ।

ଏହାକୁ ବିଲ୍ ରୁ  ବାଦ୍ ଦିଆଯିବା ଆବଶ୍ୟକ ବୋଲି ମନେହୁଏ । ଲୋକମାନଙ୍କ ଅସୁବିଧାର କାରଣ ହେବାକୁ ଥିବା ଏମିତି ଅନେକ ଧାରାରେ ପରିବର୍ତନ ଓ ସୁଧାର ଆବଶ୍ୟକ । ଖାସ୍ ସେଥିପାଇଁ ରାଜ୍ୟପାଳ ଏହାକୁ ପୁନର୍ବିଚାର ପାଇଁ ପଠାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସୁଯୋଗ ରହିଛି, ଏହାକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବା ସହିତ ପୁଣି ରାଜ୍ୟପାଳଙ୍କ ନିକଟକୁ ପଠାଯାଉ ।

ଏଥିପାଇଁ ବିରୋଧୀଦଳଙ୍କ ମତାମତ ସହିତ ଏକ ସିଲେକ୍ଟ କମିଟି ଗଠନ କରାଯାଇପାରେ । ଏହି କମିଟି ଲୋକମାନଙ୍କର ମତାମତ ଆହ୍ୱାନ କରିପାରିବ । ତାହେଲେ ଯାଇ ପୁଲିସ୍ ସେବା କ୍ଷେତ୍ରରେ ଏକ ସଂସ୍କାର ମୂଳକ ବିଲ୍ ଆସିପାରିବ ।

( ଲେଖକ ଜଣେ ସାମ୍ବାଦିକ ତଥା ସମାଜିକ କର୍ମୀ )

ଫୋନ୍ – ୯୯୩୮୮୭୧୯୮୯

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ପୁଲିସ୍ ବିଲ୍, ମାନବାଧିକାର ସୁରକ୍ଷା

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

November 6, 2015 by ନିଉଜ ଡେସ୍କ Leave a Comment

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ , ନଭେମ୍ବର ୬ (ଓଡିଶା ଡଟ କମ) ଯୁବ ସମାଜସେବୀ ତଥା ଜଣା ଶୁଣା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେବା ‘ସମାଜ’ ଓ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ସମାଜ ଜ୍ୟୋତି ସମ୍ମାନରେ ଗୁରୁବାର ପୁରୀ ଠାରେ ସମ୍ମାନିତ କରାଯାଇଛି

akhanda ଗୋପବନ୍ଧୁ ଆୟର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଓଡିଶାର ଆର୍ଥିକ ଅନଗ୍ରସର ଓ ଦୁର୍ବଳଶ୍ରେଣୀଙ୍କ ବିକାଶ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ଆୟୋଜକ ସଂସ୍ଥା କହିଛି ।

ଗତ ଏକ ଦଶନ୍ଧି ଧରି ଅଖଣ୍ଡ ମାନବାଧିକାର ସୁରକ୍ଷା କ୍ଷେତ୍ରରେ କାମ କରିଆସୁଛନ୍ତି ।

ଓଡିଶା ଡଟ କାମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର, ସମ୍ମାନ

ବିଦୁଲତାଙ୍କ ଦଶାହ ସ୍ମୃତିସଭା

September 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପିପିଲି (ପୁରୀ) ସେପ୍ଟେମ୍ବର ୨୧ (ଓଡିଶା ଡଟ କମ) ଆଡଭୋକେଟ ନିଶିକାନ୍ତ ମିଶ୍ର ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ମା’ ବିଦୁଲତା ମିଶ୍ରଙ୍କ ଦଶାହ ଅବସରରେ ଏକ ସ୍ମୃତିସଭା ପିପିଲି ବ୍ଲକ ଅନ୍ତର୍ଗତ କମଳା ସାଗର ପାଟଣା ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ‘ମନେ ପଡେ ବୋଉ’ ଶୀର୍ଷକ ଏହି ସ୍ମୃତିସଭାରେ ସଂଯୋଜନା କରିଥିଲେ ସମାଜସେବୀ ସୁଦର୍ଶନ ପ୍ରଧାନ ।

akhand-bouସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଚନ୍ଦ୍ରନାଥ ଦାନୀ, ଆଡ୍ଭୋକେଟ୍ ମନୋଜ ନାୟକ, ଶିବପ୍ରସାଦ ଜେନା, ଅନୁପ ପରିଡା, ସାହିତି୍ୟକ ମହମ୍ମଦ ଆବ୍ରାର, ସସ୍ମିତା ନନ୍ଦ, ଚେତନ କବି ଝରି ଜେନା, ବାଉରିବନ୍ଧୁ ସ୍ୱାଇଁ, ସାଇକିଶୋର ସାହୁ, ବୈକୁଣ୍ଠ ସାର୍, ପ୍ରତାପ ସାହୁ, ସଚ୍ଚିକାନ୍ତ ଓ ସଂଜୟ ପ୍ରମୁଖ ମଣିଷ ଜୀବନରେ ବୋଉର ମହତ୍ୱ କହିବା ସହ ବିଦୁଲତାଙ୍କ ସ୍ମୃତି ଚାରଣ କରିଥିଲେ ।

ବିଦୁଲତାଙ୍କ ଜନ୍ମ ୧୯୪୫ ଅପ୍ରେଲ ୧୭ ତାରିଖରେ ହୋଇଥିଲା । ଗତ ସେପ୍ଟେମ୍ବର ୧୧ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଲଳିତ ମିଶ୍ର, ମନୋଜ ଜେନା, ତପନ ପାଢୀ, ସୁବାସ ମହାପାତ୍ର, ମୀନକେତନ ମିଶ୍ର, ଅଭୟ ସାମନ୍ତରାୟ, ଦୁର୍ଗା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାରେ ପୁଅ, ଝିଅ, ବୋହୂ ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନେ ତାଙ୍କର ସ୍ମୃୃତି ଚାରଣ କରିଥିଲେ । ବିଦୁଲତାଙ୍କ ସମ୍ପର୍କରେ ଏକ ସ୍ମୃତି ପୁସ୍ତକ ପ୍ରକାଶ ପାଇଁ ଏହି ସଭାରେ ସ୍ଥିର କରାଯାଇଥିଲା । ଏହାର ସଂଯୋଜକ ଭାବେ ସୁଦର୍ଶନ ପ୍ରଧାନ, ମହମ୍ମଦ ଆବ୍ରାର ଓ ସସ୍ମିତା ନନ୍ଦ ରହି କାମ ତୁଲାଇବେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଅଖଣ୍ଡ, ମା

କିଡନି ବିକ୍ରି ମାମଲା ରେ ରିପୋର୍ଟ ତଲବ

June 17, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୮ (ଓଡିଶା ଡଟ କମ) ଜଣେ ଯୁବକ ଅର୍ଥ ପାଇଁ ନିଜର ଗୋଟିଏ କିଡନି ବିକ୍ରି କରିଥିବା ଘଟଣାରେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରି ସେମାନଙ୍କ ଠାରୁ ଜବାବ ତଲବ କରିଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

Kanhu-with-his-father (2)ଆବେଦନକାରୀ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦେଇଥିବା ସୂଚନା ଅନୁସାରେ ଗତ ଅପ୍ରେଲ ମାସରେ ଫୁଲବାଣୀ ହରିଜନ ସାହିର ବରୁଣ ବେହେରାଙ୍କ ୨୦ ବର୍ଷ ବୟସ୍କ ପୁଅ କାହ୍ନୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ନିଜର ଗୋଟିଏ କିଡନି ବ୍ରହ୍ମପୁରର ଜଣକୁ ବିକ୍ରି କରିଥିଲେ ।

ଆଶ୍ଚର୍ଯ୍ୟର କଥା ହେଲା ଯେ ଶ୍ରୀଲଙ୍କାର ଏକ ହସପିଟାଲରେ ଏହି କିଡନି ପ୍ରତ୍ୟାରୋପଣ କରାଯାଇଥିଲା । ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ନେଇ ସେ କିଡନି ଦେଇଥିବା ଏହି ଘଟଣା ଜୁନ୍ ପ୍ରଥମ ସପ୍ତାହରେ ଲୋକଲୋଚନକୁ ଆସିଥିଲା ଓ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଥିଲା । ଘଟଣାକୁ ନେଇ ହଟଚମଟ ହେବା ପରେ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ରଟ ଦାରିଦ୍ର୍ୟ ଯୋଗୁଁ କାହ୍ନୁ ଅଧାରୁ ପାଠ ଛାଡିଥିଲା ଓ କୌଣସି କାମ ଧନ୍ଦା ନ ମିଳିଥିବାରୁ ଆର୍ଥିକ ଅନାଟନରେ ଦିନ କାଟୁଥିଲା ।

ବାପାଙ୍କ ସମେତ ପରିବାରର ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ସେ କିଛି କରିବାକୁ ଚାହୁଁଥିଲା । ଏହି ପରିସ୍ଥିତିରେ ବ୍ରହ୍ଣପୁରର ଜଣେ ଲୋକଙ୍କ ସହ ଦେଖା ହୋଇ କିଡନି ଆବଶ୍ୟକ ଥିବା ସମ୍ପର୍କରେ ସେ ଜାଣି ପାରିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ବଦଳରେ କିଡନି ବିକ୍ରି କରିବା ପାଇଁ ରାଜି ହୋଇଥିଲା ।

ଏ ମାମଲାରେ ଏକ ରାକେଟ କାମ କରୁଥିବା ସନ୍ଦେହ କରି ସାମାଜିକ କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଥିଲେ ।

ଏ ପର୍ଯ୍ୟନ୍ତ କାହ୍ନୁ ର ପରିବାରକୁ ବିପିଏଲ୍ କାର୍ଡ ଦେବାକୁ ପଦକ୍ଷେପ ନିଆଯାଇ ନା ଥିବା ତଥା କିଡନି ବିକ୍ରି ପାଇଁ ରାଜି କରାଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇନାହିଁ ବୋଲି ଅଖଣ୍ଡ ଜଣାଇଥିଲେ ।

କମିଶନ ଏହାକୁ ଗୁରୁତର ସହ ଗ୍ରହଣ କରି କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ କମିଶନ କମିଶନ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କାମ

News Bureau
News Bureau

Filed Under: ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

June 3, 2015 by News Bureau Leave a Comment

: ଶ୍ରୀ ଅଖଣ୍ଡ

ମୁମ୍ବାଇରେ ରହୁଥିବା ଓଡିଶାର ଜଣେ ସାମ୍ବାଦିକ ତଥା ସମାଜ କର୍ମୀ ସାଇ ପ୍ରସନ୍ନଙ୍କ ଗତ ମଇ ୩୧ ତାରଖରେ ନାଗପୁରରେ ଅକାଳ ବିୟୋଗ ଘଟିଛି । ରାଉଲକେଲା ଆସୁଥିବା ବେଳେ ୩୦ ତାରିଖରେ ନାଗପୁର ଠାରେ ସେ ଅସୁସ୍ଥ ହୋଇପଡିଥିଲେ ।

Sai_photoତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇ ହେଲା ନାହିଁ । ଡିଜିଟାଲ୍ ଓଡିଶାର ସ୍ୱପ୍ନ ଦେଖୁଥିବା ସାଇ ପ୍ରସନ୍ନ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିସାରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁରେ ଏକ ବଡଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ।

୨୦୦୮ରେ ମୁଁ ଏକ ଖବର କାଗଜରେ କାମ କରୁଥିବା ବେଳେ ପ୍ରଥମେ ସାଇ ପ୍ରସନ୍ନଙ୍କ ଫୋନ୍ ପାଇଥିଲି ।ତା ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ। ଯେତେବେଳେ ସେ ଫୋନ୍ କରନ୍ତି, ଗୋଟିଏ କଥା କହନ୍ତି – ଓଡିଶା ପାଇଁ କିଛି କରିବାକୁ ଯୋଜନା କରୁଛି । ଲେଖାଲେଖି ଚାଲିଛି । ଆଉ ମୋତେ ପଚାରନ୍ତି, ତମର ସବୁ କଣ ନୂଆ ଆଇଡିଆ ଅଛି କୁହ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜନତା ବିକାଶ ମଂଚର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସବୁବେଳେ ମୋ ଠାରୁ ମତାମତ ଲୋଡନ୍ତି ।

ମୁମ୍ବାଇରୁ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ ଏକ ସେମିନାର୍ କରିବା ପୂର୍ବରୁ ତାଙ୍କ ସହ ଘନିଷ୍ଠତା ବଢି ଯାଇଥିଲା ।

ଏହାକୁ କିପରି କରାଯିବ, ସେ ନେଇ ପୂର୍ବରୁ ହୋଇଥିବା ପ୍ରସ୍ତୁତିରେ ମୁଁ ସାମିଲ ହୋଇଥିଲି । ସେମିନାର ପୂର୍ବରୁ ମୋ ପାଖକୁ ସେ ଏକ ପ୍ରେସ୍ ରିଲିଜ୍ ପଠାଇଥିଲେ । ଆଉ ଅନୁରୋଧ କରିଥିଲେ, ଏହାକୁ ଓଡିଆରେ କରିବା ପାଇଁ । ମୁଁ ଓଡିଆରେ ଅନୁବାଦ କରି ତାଙ୍କୁ ଇ-ମେଲ୍ କରିଥିଲା । ଦୁଇ ଦିନ ପରେ ମୁଁ ପଚାରିଥିଲି – ଆପଣ ଏହା ଉପରେ କିଛି ମତାମତ ଦେଲେନି । କହିଲେ – “ତମେ ଲେଖିଛ, ଠିକ୍ ହୋଇଥିବ ମୁଁ ନିଶ୍ଚିତ ।”

ତଥାପି ମୁଁ କହିଲି, ଆପଣ ପଢିଛନ୍ତି କି ନାହିଁ ? ସେ କହିଲେ – ମୁଁ ଓଡିଆ ବୁଝି ପାରୁଥିଲେ ମଧ୍ୟ ଠିକ ରେ ପଢିପାରେ ନାହିଁ । ତଥାପି ସେ ଚାରି ପାଞ୍ଚୋଟି ଭାଷା କହିପାରନ୍ତି ବୋଲି ମୁଁ ସେହିଦିନ ସେମିନାର ରୁ ଜାଣିଲି । ମଇ ମାସ ୧ ତାରିଖରେ ହୋଇଥିବା ସେମିନାରରେ କିଛି ତ୍ରୁଟି ପାଇଁ ମୁଁ ସମାଲୋଚନା କରିଥିଲି ।

କିନ୍ତୁ ସେ ମୋ ପାଖକୁ ଫେସବୁକ୍ ମେସେଜ୍ ପଠାଇଥିଲେ – “So we should invite feedback from impartial people. . . .I consider my critics are my best friends than admirers” ।

ଓଡିଶାରେ ସେ ସକ୍ରିୟ ଭାବେ କାମ କରିବାକୁ ଆସିଥିଲେ ୨୦୧୫ରୁ । ସେ ଚାହୁଥିଲେ ଓଡିଶାକୁ ଏକ ଡିଜିଟାଲ୍ ରାଜ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଓ ସରକାରଙ୍କ ଉପରେ ଚାପ ପକାଇବା । ସେଥିପାଇଁ ସେ ଯୋଜନା ପ୍ରସ୍ତୁତ କରୁଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା ସଭା, ସେମିନାର ଆୟୋଜନ କରିବା ପାଇଁ କାର୍ଯ୍ୟ ଚାଲିଥିଲା ।

କିଛି ଯୁବବନ୍ଧୁଙ୍କୁ ନେଇ ଏକ ଭଲ ଟିମ୍ ମଧ୍ୟ ଗଢିଥିଲେ । ଜୁନ୍ ୬ରେ ମିଡିଆ ଆଡଭୋକେସୀ ଉପରେ ସେ ଏକ ଟ୍ରେନିଂ କାର୍ଯ୍ୟକ୍ରମ କରିବାର ଥିଲା ଭୁବନେଶ୍ୱରେ । ଏଥିପାଇଁ ମଧ୍ୟ ସେ ଗୋଟିଏ ଦାୟିତ୍ୱ ଦେଇଥିଲେ । ସେହି କାମ । ଇଂରାଜୀ ପ୍ରେସ୍ ରିଲିଜ୍ ଓଡିଆ କରିବା କାମ । ମୁଁ ରାଜି ହୋଇଥିଲେ । ସେ କହିଥିଲେ ଟ୍ରେନିଂ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଠାଇବି । କିନ୍ତୁ ମେ ୩୧ରେ ସବୁ କଥା ସରିଗଲା ।

ସେ ଚାଲିଗଲେ ଆଉ ଏକ ଦୁନିଆକୁ । ମଇ ୧୫ ତାରିଖରେ ଫେସବୁକରେ ତାଙ୍କ ଆନ୍ଦୋଳନ ପାଇଁ ପାଣ୍ଠି କେଉଁଠୁ ଆସିବ ବୋଲି ସେ ପଚାରୁଥିଲେ । ମୁଁ କହିଥିଲି ମୋର ସେ ବିଷୟରେ ଧାରଣା କମ୍ । ତଥାପି କହିଥିଲି – ଅର୍ଥ ସଂଗ୍ରହ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ ସମ୍ପତିରେ ଏସବୁ କାମ ହୋଇପାରିବନି । ମୋ କଥାରେ ସେ ରାଜି ଥିଲେ ଓ ତାଙ୍କ ଉତ୍ତର ଥିଲା – “Now my bank balance is Zero, with no property”.  ସେ କହିଥିଲେ – ଜୁନ୍ ୧ରେ ଓଡିଶା ଆସିବି, ଏ ବିଷୟରେ କଥା ହେବା । ସବୁ କଥା କଥାରେ ହିଁ ରହିଗଲା !
–୦ —
ଲେଖକ ଜଣେ ମାନବାଧିକାର କର୍ମୀ,
ମୋ – ୯୮୬୧୨୧୦୧୦୧

News Bureau
News Bureau

Filed Under: ମାନବାଧିକାର Tagged With: ଅଖଣ୍ଡ, ଓଡିଶା, ଡିଜିଟାଲ, ସାଇ ପ୍ରସନ୍ନ, ସାମ୍ବାଦିକ

ଶିଶୁକୁ କୁକୁର ଖାଇଥିବା ଅଭିଯୋଗ ଉପରେ ସାନି ତଦନ୍ତ ନିର୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୧୮ (ଓଡିଶା ଡଟ କମ) ଗତ ବର୍ଷ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ସଦ୍ୟଜାତ ଶିଶୁକୁ କୁକୁରୁ ଖାଇଥିବା ଅଭିଯୋଗ ଉପରେ ଜାତୀୟ ମାନବାଧିକାର କମିଶନ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦେଶ ଦେଇଥିବା ଜଣେ ମାନବଧୀକାର କର୍ମୀ ସୋମବାର କହିଛନ୍ତି ।

୧୧ଅପ୍ରେଲ ୨୦୧୪ ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାରେ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ସଦ୍ୟଜାତ ଶିଶୁକୁ କୁକୁର ଖାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ମେଡିକାଲ ଅଧିକାରୀମାନଙ୍କୁ ଖବର ଦେଇଥିଲେ । କିନ୍ତୁ ଏହାକୁ ଅତି ହାଲୁକା ଭାବେ ନେଇ ମୃତ ଶିଶୁଟିକୁ କୁକୁର ମୁହଁରୁ ଆଣି କୁଆଡେ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ଶିଶୁଟି କାହାର ଓ କୁକୁର ଆକ୍ରମଣରେ ଏହାର ମୃତ୍ୟୁ ଘଟିଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା । ଏଭଳି ଘଟଣା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ  ସେହି ମାସ ୧୪ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । କମିଶନଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ଏ ଘଟଣାରେ ଏନଏଚଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ।

ସେ ସିଧାସଳଖ ଏହି ଘଟଣାକୁ ଅସ୍ୱୀକାର ନ କରି ଘଟଣା ଦିନ କୌଣସି ନବଜାତ ଶିଶୁର ମୃତ୍ୟୁ ଘଟିନାହିଁ ବୋଲି ରିପୋର୍ଟରେ ଦର୍ଶାଇଥିଲେ। କମିଶନ ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅଭିଯୋଗ କଥାକୁ ଏହି ରିପୋର୍ଟରେ ଅସ୍ୱୀକାର କରାଯାଇନାହିଁ । ତେଣୁ ଯଦି ଏଭଳି ଘଟଣା ଘଟିଥାଏ, ତେବେ ଏହି ଶିଶୁଟି କାହାର ? ଏହି ଶିଶୁର ଶବ କିପରି କୁକୁର ହାବୁଡରେ ପଡିଲା ?

ଏ ସମ୍ପର୍କରେ ପୁଲିସକୁ ଖବର ଦିଆଗଲା ନାହିଁ କାହିଁକି ? କେହି ପିଲାଟିକୁ ସେଠାରେ ଛାଡି ଚାଲି ଯାଇ ନଥିଲା ତ ? ତେଣୁ ସ୍ୱାସ୍ଥ୍ୟ ସଚିବଙ୍କ ରିପୋର୍ଟ ଉପରେ ଭରସା ନକରି ଏହି ଘଟଣାର ସଂପୂର୍ଣ ତଦନ୍ତ କରିବା ଲାଗି କମିଶନ ପୁରୀ ଏସ୍.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ବେଳେ କମିଶନ ଉଠାଇଥିବା ପ୍ରଶ୍ନଗୁଡିକ ପ୍ରତି ଧ୍ୟାନ ଦେବାକୁ ଏସ୍.ପି.ଙ୍କୁ କୁହାଯାଇଛି । ଘଟଣାକୁ ଚାପି ଦେବାକୁ ଚେଷ୍ଟା କରି କମିଶନଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗ ମିଥ୍ୟା ରିପୋର୍ଟ ଦାଖଲ କରିଛି ବୋଲି ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ଅଖଣ୍ଡ, କୁକୁର, ପୁରୀ, ମାନବାଧିକାର, ଶିଶୁ

ବୁର୍ଲା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୮ (ଓଡିଶା ଡଟ କମ) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସପିଟାଲରେ ଗତମାସରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି) ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାସ ୧୦ ତାରିଖରେ ତିନି ଜଣ ପ୍ରସୂତିଙ୍କ ସିଜରିଆନ୍ ପରେ ମୃତ୍ୟୁ ଘଟିଥିଲା । ସେମାନେ ହେଲେ ଝାରସୁଗୁଡା ଜିଲ୍ଲାର ସୁଲୋଚନା ପ୍ରଧାନ (୨୮), ବରଗଡ ଜିଲ୍ଲାର କଳ୍ପନା ମହାକୁଡ(୨୭) ଓ କସ୍ତୁରୀ ସେଠ୍ (୨୫) । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳାରୁ ଏମିତି ହେଲା ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

Kalpana mahakud kasturi seth Sulochana Pradhanମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ଦାୟର କରିଥିଲେ । ବୁର୍ଲା ହସ୍ପିଟାଲକୁ ବଦଳି ହୋଇଥିବା ଡାକ୍ତରମାନେ ପ୍ରାୟତଃ ଡାକ୍ତରଖାନାକୁ ଆସୁନଥିବା ସେ ଅଭିଯୋଗ କରିଥିଲେ ।

ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀମାନେ ଠିକ୍ ଚିକିତ୍ସା ସେବା ପାଇ ପାରୁନାହାନ୍ତି । ଡାକ୍ତରଖାନାକୁ ଯୋଗାଣ ହେଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ୱୀକାର କରିଥିବାରୁ ଏହା ପଛରେ ଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।

କମିଶନ ଏହାକୁ ଅତି ଗୁରୁତର ସହ ବିଚାର କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଥିବା ଅଖଣ୍ଡ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ଅଖଣ୍ଡ, ପ୍ରସୂତି ମହିଳାଙ୍କ ମୃତ୍ୟୁ, ବୁର୍ଲା, ମାନବାଧିକାର

୨୦୧୨ ଚନ୍ଦନେଶ୍ୱର ଲାଠିମାଡ ତଦନ୍ତ ରିପୋର୍ଟ, କିଏ ଠିକ ?

May 4, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୪ (ଓଡିଶା ଡଟ କମ) ୨୦୧୨ ରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱରରେ ଅନୁଷ୍ଠିତ ଚଡକ ଯାତ୍ରାରେ ଭକ୍ତ ଓ କିଛି ସାମ୍ବାଦିକଙ୍କ ଉପରେ ଲାଠିମାଡ ହୋଇଥିବା ଅଭିଯୋଗର ତଦନ୍ତକରି କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଓ ଜିଲ୍ଲା ପୁଲିସ୍ ଏସପି ଦେଇଥିବା ରିପୋର୍ଟରେ ତାଳମେଳ ରହୁନଥିବାରୁ ଘଟଣାରେ ପୀଡିତଙ୍କୁ ଯେ ନ୍ୟାୟ ମିଳିବ ତାହାଉପରେ ସନ୍ଦେହ ସ୍ତୃଷ୍ଟି ହୋଇଛି ।

ଜାତୀୟ ମାନବାଧିକାର କମିସନ(ଏନଏଚଆରସି)ଙ୍କ ନିକଟରେ ଉଭୟ ଦାଖଲ କରିଥିବା ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ଉକ୍ତ ବର୍ଷ ଅପ୍ରେଲ ୧୨ ତାରିଖରେ ଚଡକଯାତ୍ରା ବେଳେ ପୋଲିସ୍ ଆଖିବୁଜା ଲାଠିମାଡ କରିଥିବା ଅଭିଯୋଗ ହୋଇଥିଲା । ନିରୀହ ଭକ୍ତମାନଙ୍କୁ ପୋଲିସ୍ ଗୋଡାଇ ଗୋଡାଇ ପିଟି ଥିବା ବେଳେ ସେଠାରେ କର୍ତ୍ତବ୍ୟରତ କେତେକ ସାମ୍ବାଦିକ ଏଥିରୁ ବାଦ୍ ପଡିନଥିଲେ । ଛଅ ଜଣ ସାମ୍ବାଦିକଙ୍କ ସମେତ ବହୁ ଲୋକ ପୁଲିସ୍ ଲାଠିମାଡରେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାର ସ୍ଥାନୀୟ ପୁଲିସ ଓ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ତଦନ୍ତ କରିଥିଲେ । ଏ ସମ୍ପର୍କରେ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ । ମାନ୍ୟବର କମିସନ ଏହି ଘଟଣାର ବିଚାର କରି ରାଜ୍ୟ ପୋଲିସ୍ ଡି.ଜି.ଙ୍କୁ ଚାରିସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୋଟିସ୍ ଜାରି କରିଥିଲେ ।

କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବାଲେଶ୍ୱର ଏସପି ପୁଲିସ୍ ରିପୋର୍ଟ ଓ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆରଡିସି ତଦନ୍ତ ରିପୋର୍ଟକୁ ଏନଏଚଆରସିରେ ଦାଖଲ କରିଛନ୍ତି । ଘଟଣାର ତିନି ବର୍ଷ ପରେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ କମିଶନଙ୍କ ନିକଟରେ ଦାଖଲ କରୁଥିବା ରିପୋର୍ଟରେ ସାମଂଜସ୍ୟ ନଥିବା ଜଣାପଡିଥିବା ଅଖଣ୍ଡ ଓଡିଶା ଡଟ କମ କୁ କହିଛନ୍ତି ।

ଆରଡିସିଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟରେ ଘଟଣାରେ ପୁଲିସର କେତେକ ତ୍ରୁଟି ଥିବା ସ୍ୱୀକାର କରାଯାଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କ ଅନୁସନ୍ଧାନକୁ ଆଧାର କରି ରାଜ୍ୟ ଗୃହ ବିଭାଗ ଦେଇଥିବା ରିପୋର୍ଟରେ ଏହାକୁ ଖଣ୍ଡନ କରାଯାଇଛି । ତାହେଲେ ଆରଡିସିଙ୍କ ରିପୋର୍ଟ ସତ, ନାଁ ପୁଲିସ୍ ମିଛ କହୁଛି ? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସେ କହିଛନ୍ତି ।

ଆରଡିସି ତାଙ୍କ ରିପୋର୍ଟରେ ପୁଲିସ୍ ବନ୍ଦୋବସ୍ତରେ କୌଣସି ସ୍ଥଳରେ ତ୍ରୁଟି ଥିବା ଜାଣିବାକୁ ପାଇବା ସହ କିଛି ପୁଲିସ୍ ଅଧିକାରୀ ନିଜ ଡ୍ରେସ୍ ବଦଳାଇ ଭିଡ ଭିତରୁ ଜୀବନ ନେଇ ଚାଲି ଯାଇଥିଲେ ବୋଲି ଦର୍ଶାଇଥିଲେ । କିନ୍ତୁ ତଦନ୍ତକାରୀ ଅଫିସର ଏଭଳି କିଛି ପାଇନଥିବା କହିଛନ୍ତି ।

ଦ୍ୱିତୀୟରେ ଆରଡିସି ତାଙ୍କ ରିପୋର୍ଟରେ କହିଥିଲେ – “ଦୁର୍ଭାଗ୍ୟଜନକ ଭାବେ କିଛି ସାମ୍ବାଦିକଙ୍କୁ ପୁଲିସ୍ ବାହାନୀ ଆକ୍ରମଣ କରିଥିଲା”କିନ୍ତୁ ତଦନ୍ତକାରୀ ଅଧିକାରୀ ଏ କଥାକୁ ଅସ୍ୱୀକାର ନ କରି କହିଛନ୍ତି ଯେ, ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ଥିଲା ।

ଆରଡିସି ରିପୋର୍ଟରେ କୁହାଯାଇଛି – “ଗଣ୍ଡଗୋଳକୁ ପ୍ରଥମେ ସମାଧାନ କରିବାକୁ ଆସିଥିବା ବାଲେଶ୍ୱରର ଜଣେ ପୂର୍ବତନ ସାଂସଦ ଭକ୍ତମାନଙ୍କୁ କହିଥିଲେ ଯେ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚିହ୍ନଟ କରି ଧରିବାକୁ କହିବା ପରେ ପରିସ୍ଥିତି ବିଗିଡି ଯାଇଥିଲା ।

ତିନିକୋଣିଆ ଛକରେ କେତେକ ଭକ୍ତ ପୁଲିସକୁ ଆକ୍ରମଣ କରିବାକୁ ପ୍ରୋତ୍ସାହନ ପାଇଥିଲେ କିନ୍ତୁ ଏହାକୁ ନେଇ ତଦନ୍ତକାରୀ ଅଫିସର ସଂପୃକ୍ତ ସାଂସଦଙ୍କ ବିରୋଧରେ କିଛି ତଥ୍ୟ ପାଇନାହାନ୍ତି କିମ୍ବା କାର୍ଯାନୁଷ୍ଠାନ କରିବାକୁ ସୁପାରିଶ କରିନଥିବା ଗୃହ ବିଭାଗ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି ।

ଜଣେ ରିକ୍ସା ଚାଳକ ପରେଶ ଜେନା ଏହି ଘଟଣାରେ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇଥିଲେ । ସ୍ତ୍ରୀ, ତିନିଟି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ବହୁ କଷ୍ଟରେ ସେ ଜୀବନ ବିତାଉଛନ୍ତି ବୋଲି ଆରଡିସି ତାଙ୍କ ରିପୋର୍ଟରେ କହିଥିଲେ ।

କିନ୍ତୁ ସରକାର ମାତ୍ର ୩୦ ହଜାର ଟଙ୍କା ଦେଇ ତାଙ୍କ କାମ ସାରିଛନ୍ତି ବୋଲି ଗୃହ ବିଭାଗ ଏନଏଚଆରସିଙ୍କୁ ଜଣାଇଛି । ଆବେଦନକାରୀ ଅଖଣ୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆରଡିସିଙ୍କ ରିପୋର୍ଟକୁ ମାନିବାକୁ ପୁଲିସ୍ ନାରାଜ୍ ।

ଆରଡିସିଙ୍କ ସୁପାରିଶକୁ କାର୍ଯ୍ୟ କରିବାକୁ ତଳିଆ ତଦନ୍ତକାରୀ ଅଫିସରମାନେ ଇଛୁକ ନୁହନ୍ତି । ପୁଣି ଗୃହ ବିଭାଗ ମଧ୍ୟ ତଦନ୍ତକାରୀ ଅଫିସରଙ୍କ ରିପୋର୍ଟକୁ ନେଇ ଆରଡିସିଙ୍କ ରିପୋର୍ଟକୁ ମିଛ ପ୍ରମାଣିତ କରିବାକୁ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏହା ଦ୍ୱାରା ଆରଡିସି ତଦନ୍ତ ଏକ ପ୍ରହସନରେ ପରିଣତ ହେବ ବୋଲି ସେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ମାନବାଧିକାର Tagged With: ଅଖଣ୍ଡ, ମାନବାଧିକାର, ସୂଚନା ଅଧିକାର

ତଥ୍ୟ ନ ଦେବାରୁ ନାଲକୋକୁ ସୂଚନା କମିଶନଙ୍କ ଭର୍ତ୍ସନା

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) ବିଭିନ୍ନ ଆଳ ଦେଖାଇ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବାକୁ ମନା କରିବାରୁ ଜାତୀୟ ସୂଚନା କମିଶନ ଭୂବନେଶ୍ଵରରେ ଥିବା ନେସନଲ ଆଲୁମିନିଅମ  କମ୍ପାନୀ ବା (ନାଲକୋ) କତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଛନ୍ତି ।

କମ୍ପାନୀର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁର୍ନୀତି ସମ୍ପର୍କିତ କେତେ ମାମଲା ରୁଜୁ ହୋଇଛି ତାହା ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ନାଲକୋର ମୁଖ୍ୟ ଭିଜିଲେନସ ଅଫିସରଙ୍କୁ ସୂଚନା ଅଧିକାର ଆଇନ ବଳରେ ତିନି ଅକ୍ଟୋବର ୨୦୧୩ରେ ତଥ୍ୟ ମାଗିଥିଲେ ।

ନାଲକୋର ସମ୍ପୃକ୍ତ ଅଧିକାରୀ ଏହି ତଥ୍ୟ ଦେବାପାଇଁ ମନା କରିଦେଇଥିଲେ । ସେ ଦର୍ଶାଇଥିଲେ ଯେ ଏଭଳି କୌଣସି ରେକର୍ଡ ରଖା ଯାଉ ନାହିଁ । ଏଭଳି ତଥ୍ୟ ସଂଗ୍ରହ ପାଇଁ କମ୍ପାନୀକୁ ନିଜର ଆଭ୍ୟନ୍ତରୀଣ ସମ୍ବଳର ବିନିଯୋଗ କରିବାକୁ ପଡିବ ବୋଲି ସେ ନିଜ ଉତ୍ତରରେ କହିଥିଲେ ।

ଅଖଣ୍ଡ ଏହା ବିରୁଦ୍ଧରେ ପୁନଃ ଆବେଦନ କରି ନିରାଶ ହେବା ପରେ ସୂଚନା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ସୂଚନା କମିଶନ ନାଲକୋ ରଖୁଥିବା ରେକର୍ଡ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ମୁଖ୍ୟ ଭିଜିଲେନସ ଅଫିସର ଜଣାଇଥିଲେ ଯେ ଏକ ରେଜିଷ୍ଟାରରେ କ୍ରମାନ୍ଵୟ ଭାବେ ଅଭିଯୋଗ ଗୁଡିକ ଲିପିବଦ୍ଧ କରାଯାଉଛି ଓ ଅଭିଯୋଗର ସାରାଂଶ ଲେଖା ଯାଉଛି ।

ଏହାର ଉତ୍ତରରେ କମିଶନ ପଚାରିଥିଲେ ଯେ ପ୍ରତିମାସ ଏଭଳି କେତେ ଅଭିଯୋଗ ଲିପିବଦ୍ଧ କରାଯାଉଛି । ଅଧିକାରୀ ଏହାର ଉତ୍ତରରେ ଅଭିଯୋଗର ସଂଖ୍ୟା ଆଠ ରୁ ଦଶ ବୋଲି କହିଥିଲେ ।

ସୂଚନା ଅଧିକାର ଆଇନର ଧାରା ୭ (୯) ଏହି କ୍ଷେତ୍ରରେ ଲାଗୁ ହେଉନାହିଁ ଦର୍ଶାଇ କମିଶନ ମାମଲାର ବିଚାର କରି ନାଲକୋର ସମ୍ପୃକ୍ତ କତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ମଗା ଯାଇଥିବା ତଥ୍ୟ ଶ୍ରୀ ଅଖଣ୍ଡଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ, ବିଶେଷ ଖବର Tagged With: ଅଖଣ୍ଡ, ଦୁର୍ନୀତି, ନାଲକୋ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ