• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅଭିନେତା

ସାଧୁ ମେହେରଂକ ବିଷୟରେ କେତୋଟି କଥା

June 23, 2016 by ଓଡିଶା ଡଟ କମ 2 Comments

imageକେଦାର ମିଶ୍ର
କିସ୍ତାୟା କୁ ଚିହ୍ନିଛନ୍ତି ? କିସ୍ତାୟା ସିଏ, ଯାହାର ପାଟି ଫିଟେ ନାହିଁ ।

ଶୋଷଣ, କଷଣ ଓ ଅତ୍ୟାଚାରର ସେ ଏକ ଜୀବନ୍ତ ପ୍ରତୀକ ।ଶଗଡ ଗାଡି ଚଳେଇ ଗାଁ ରେ ସେ ନିଜର ଜୀବିକା ନିର୍ବାହ କରେ।

ଭାରତର ସବୁଠୁ ଅବହେଳିତ ଓ ଅସ୍ପୃଶ୍ୟ ଜାତିର ସେ ପ୍ରତିନିଧି।

୧୯୭୪ ରେ ନିର୍ମିତ ପ୍ରଖ୍ୟାତ ନିର୍ମାତା –ନିର୍ଦ୍ଦେଶକ ଶ୍ୟାମ ବେନେଗାଲଂକ ଚର୍ଚିତ ସିନେମା “ଅଂକୁର” ର କିସ୍ତାୟା ସମକାଳୀନ ଭାରତର ସାମାଜିକ ଇତିହାସକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛି ।

କିସ୍ତାୟା ଚରିତ୍ର ରେ ଅଭିନୟ କରିଥିବା ଓଡିଆ ଅଭିନେତା ସାଧୁ ମେହେର ସେତେବେଳେ ମୁମ୍ବାଇ ସିନେମା ଜଗତରେ ବେଶ୍ ନୁଆ ।

ଏହି ସିନେମା ସାଧୁ ମେହେରଂକୁ ସବୁଠୁ ବଡ ପରିଚୟ ଦିଏ । ୧୯୭୪ ରେ ଜାତୀୟ ଚଳଚିତ୍ର ପୁରସ୍କାର ବର୍ଗରେ ଶ୍ରେଷ୍ଠ ଅଭିନେତା ଭାବେ ସାଧୁ ମେହେର୍ ରଜତ କମଳ ପୁରସ୍କାର ଲାଭ କରନ୍ତି। ଆଜି ପର୍ଯନ୍ତ ସେ ହେଉଛନ୍ତି ଏକମାତ୍ର ଓଡିଆ ଅଭିନେତା ଯାହାଂକୁ ଏହି ବିରଳ ଗୌରବ ମିଳିଛି।

ହିନ୍ଦୀ, ଓଡିଆ ଓ ବଂଗଳା ସିନେମାରେ ତାଂକର ଅଭିନୟ ଗୋଟେ ଯୁଗର ସଂକେତ ବହନ କରେ। ପ୍ରଭାବଶାଳୀ ଚରିତ୍ର ଓ ଜୀବନ୍ତ ଅଭିନୟକୁ ନିଜ ଚେହେରାରେ ଅନାୟାସରେ ଫୁଟେଇ ପାରୁଥିବା ସାଧୁ ମେହେର ଆମ ସମୟର ଅନ୍ୟତମ କିମ୍ବଦନ୍ତି ପୁରୁଷ। ମାଟି ଓ ମଣିଷର ଅଭିନେତା ଭାବେ ପରିଚିତ ସାଧୁ ମେହେରଂକ ଜୀବନ ଓ କଳା କୁ ନେଇ କେତୋଟି କଥା-

୧. ୧, ଜାନୁଆରୀ ୧୯୪୦ ରେ ବୌଦ ଜିଲ୍ଲାର ଏକ ଛୋଟିଆ ଗାଁ ଗୁଡଭେଲିପଦର ରେ ସାଧୁ ମେହେରଂକ ଜନ୍ମ । ବାପା ଥିଲେ ଜଣେ ସାଧାରଣ ବୁଣାକାର ।

ଗାଁ ରୁ ଆସି ପଡୋଶୀ ସୋନପୁର ସହରରେ ସେ ଆରମ୍ଭ କରନ୍ତି ତାଂକର ସ୍କୁଲ୍ ଜୀବନ। ପିଲାବେଳୁ ଅଭିନୟ ତାଂକର ନିଶା। ବାପା ଚାହୁଁଥିଲେ ସାଧୁ ପାଠ ପଢି ଚାକିରୀ କରନ୍ତୁ ।

ହେଲେ ଅଭିନୟର ନିଶା ତାଂକୁ ବାଉଳା କରିଥିଲା । ବାପାଂକ ମୃତ୍ୟୁ ଖବର ତାଂକୁ ମଂଚରେ ମିଳିଥିଲା ଓ ଜଣେ ଅଭିନେତା ଭାବେ ସେ ମଂଚ ଛାଡ଼ି ଯାଇ ନଥିଲେ।

ବିଏ ପାଶ୍ କଲାପରେ ଚାକିରୀ ନକରି ସେ ଯାନ୍ତି କଲିକତା ରବୀନ୍ଦ୍ର ଭାରତୀ ରେ ଅଭିନୟରେ ଡିପ୍ଲୋମା ହାସଲ କରିବାକୁ ।

ସେଇଠି ସମକାଳୀନ ବଂଗଲା ମଂଚ ଓ ସିନେମା ର ପ୍ରଭାବ ରେ ତାଂକ ଜୀବନର ମୋଡ ବଦଳି ଯାଏ ।
୨. କଲିକତା ରୁ ମୁମ୍ବଈ। ପୁନା ସ୍ଥିତ FTII ରୁ ଅଭିନୟରେ ଡିପ୍ଲୋମା କରି ସେ ଯୋଗ ଦିଅନ୍ତି ଥିଏଟର୍ ରେ ।

ତାଂକର ଅଭିନୟ ଗୁରୁ ସତ୍ୟଦେବ ଦୁବେନ୍କର ଅନେକ ନାଟକରେ ସାଧୁ ବାବୁ ଅଭିନୟ କରନ୍ତି ।

ତାଂକ ସମସାମୟିକ ନସିରୁଦ୍ଦିନ ଶାହ, ଓମ ପୁରୀ, ଶବାନା ଅଜମୀ ଓ ସ୍ମିତା ପାଟିଲ ପ୍ରମୁଖ ଏହି ସମୟରେ ମୁମ୍ବାଇ ରେ ସଂଘର୍ଷ କରୁଥାନ୍ତି ।

ଏହି ସମୟରେ ଭାରତରେ ଆରମ୍ଭ ହୋଇଥାଏ ବିକଳ୍ପ ସିନେମା ର ଏକ ନୁଆ ଧାରା । ସେଇ ଧାରାରେ ସାଧୁ ମେହେରଂକ ଅବଦାନ ଅତୁଳନୀୟ ।
୩. ୧୯୬୯ରେ ପ୍ରଖ୍ୟାତ ନିର୍ଦ୍ଦେଶକ ମୃଣାଲ ସେନ ନିର୍ମାଣ କରନ୍ତି “ଭୁବନ ସୋମ୍” ।

ସେଥିରେ ଏକ ମୂକ ପକ୍ଷୀ ଧରାଳୀ ଚରିତ୍ରରେ ସାଧୁ ବାବୁ ଅଭିନୟ କରନ୍ତି । ସିନେମାଟି ସେତେବେଳେ ବେଶ୍ ଚର୍ଚିତ ଓ ସାଧୁ ବାବୁଂକ ଅଭିନୟ ସେଦିନଠୁ ଏକ ଆକର୍ଷଣ ପାଲଟି ଯାଏ।

“ଅଂକୁର’ ପୂର୍ବରୁ ସାଧୁ ବାବୁ “ଇଛା ପୂରଣ” ଓ “୨୭ ଡାଉନ୍” ନାମକ ଦୁଇଟି ସିନେମା ରେ ଅଭିନୟ କରନ୍ତି ।
୪. ୧୯୭୪ ରେ “ଅଂକୁର” ତାଂକୁ କେବଳ ଜାତୀୟ ସ୍ତରରେ ସ୍ବୀକୃତି ଦେଇ ନଥିଲା, ଏହି ସିନେମା ତାଂକୁ ଭାରତର ସାଧାରଣ ମଣିଷର ମେଟାଫର୍ ଭାବରେ ଓ ଦଳିତ ସଂଘର୍ଷର ଏକ ପ୍ରଭାବଶାଳୀ ଚରିତ୍ର ଭାବରେ ନୁଆ ପରିଚୟ ଦେଇଥିଲା ।
୫. ଅଂକୁର ପରେ “ମନ୍ଥନ”, “ଦେବଶିଶୁ”, “ନିଶାନ୍ତ”, “ସଫେଦ ହାତୀ”, “ମୃଗୟା”,”ଚରାଚର”, “ଉତ୍ତରଣ” ଓ ଆହୁରି ଅନେକ ସିନେମାରେ ତାଂକ ଜୀବନ୍ତ ଅଭିନୟ ଭାରତୀୟ ସିନେମାରେ ତାଂକୁ ଭିନ୍ନ ଏକ ଅଭିନେତା ର ମର୍ୟଦା ଆଣି ଦେଇଛି ।
୬. ମୃଣାଲ୍ ସେନ, ଶ୍ୟାମ ବେନେଗାଲ୍, ତପନ ସିହ୍ନା, ବୁଦ୍ଧଦେବ ଦାସଗୁପ୍ତ, ଉତ୍ପଲେନ୍ଦୁ ଚକ୍ରବର୍ତୀ ଓ ସଂଦୀପ ରାୟନ୍କ ପରି କିମ୍ବଦନ୍ତି ନିର୍ଦେଶକଂକ ସହ କାମ କରିବାରେ ସାଧୁ ବାବୁ ଏକମାତ୍ର ଓଡିଆ ଓ ତାଂକର ଅଭିନୟ ସବୁ ସିନେମାରେ ଏକ ନୁଆ ଅଧ୍ୟାୟ ସୃଷ୍ଟି କରିଛି ।
୭ . ୧୯୭୭ ରେ ସେ ଓଡିଆ ଚଳଚିତ୍ର ଜଗତକୁ ଆସନ୍ତି ନିର୍ଦ୍ଦେଶକ ଭାବରେ ।

ତାଂକର ପ୍ରଥମ ଛବି “ଅଭିମାନ” ରେ ନୁଆ ଏକ ସଂକେତ ଓଡିଆ ସିନେମା ପ୍ରେମୀ ଦେଖିବାକୁ ପାଆନ୍ତି ।

ପ୍ରଥମ କରି ଏଥିରେ ଉତ୍ତମ ମହାନ୍ତି ନାୟକ ଭାବେ ସୁଯୋଗ ପାଆନ୍ତି। ତାପରେ “ଅଭିଳାଷ”, “ଅପରିଚିତା”, “ବାବୁଲା”, “ଗୋପରେ ବଢୁଛି କଳା କନହେଇ” ଇତ୍ୟାଦିରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।
୮. ଓଡିଆ ସିନେମାରେ ସାଧୁ ବାବୁ ବେଶୀ ଅଭିନୟ କରି ନାହାନ୍ତି। ମନମୋହନ ମହାପାତ୍ରଂକ “ଶୀତରାତି” ଓ ସବ୍ୟସାଚୀ ମହାପାତ୍ରଂକ “ଭୁଖା” ରେ ସାଧୁ ବାବୁଂକ ଅବିସ୍ମରଣୀୟ ଅଭିନୟ ଦର୍ଶକଂକ ମନରୁ କଦାପି ଲିଭିବାର ନାହିଁ।

ଯେଉଁ କେତୋଟି ଓଡିଆ ସିନେମା ରେ ସେ ଅଭିନୟ କରିଛନ୍ତି, ସେଥିର ମାଟିର ବାସ୍ନା ଓ ସଂସ୍କୃତିର ପ୍ରାଣ ବାରି ହେଇ ପଡେ ।
୯. ପ୍ରଥମ ଓଡିଆ, ଆଜି ପର୍ଯନ୍ତ ଏକମାତ୍ର ଓଡିଆ ଭାବରେ ଶ୍ରେଷ୍ଠ ଜାତୀୟ ଅଭିନେତା ପୁରସ୍କାର ପାଇବାର ଗୌରବରେ ସେ ଓଡିଆ ମାନଂକୁ ଗର୍ବିତ କରିଛନ୍ତି।

ବହୁ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ତାଂକୁ ମିଳିଛି । ବହୁ ବିଳମ୍ବରେ ୨୦୧୧ ମସିହାରେ ଓଡିଶା ସରକାର ତାଂକୁ ରାଜ୍ୟର ସର୍ବୋଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ପ୍ରଦାନ କରିଛନ୍ତି।
୧୦. ବର୍ଲିନ୍ ସିନେମା ଉତ୍ସବ ସମେତ ବହୁ ଆନ୍ତର୍ଜାତିକ ସିନେମା ଉତ୍ସବ ରେ ସାଧୁ ବାବୁ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ଭାରତୀୟ ପାନୋରମା ତଥା ଜାତୀୟ ପୁରସ୍କାର ଚୟନ ସମିତି ରେ ଜୁରୀ ଭାବରେ ମଧ୍ୟ ସେ ବହୁଥର ଦାୟିତ୍ବ ତୁଲାଇଛନ୍ତି ।
୧୧. ଏତେ ସବୁ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନ ସତ୍ତ୍ବେ ସାଧୁ ମେହେର ଆଜି ବି ଗାଁ କୁ ଭଲ ପାଆନ୍ତି ।

ପରିଣତ ବୟସରେ ମୁମ୍ବାଇ ଓ ଭୁବନେଶ୍ବର ରେ ନ ରହି ସେ ନିଜ ଗାଁ ଗୁଡଭେଲିପଦରକୁ ଫେରି ଆସିଛନ୍ତି ।

ଗାଁ ରେ ଜଣେ ସାଧାରଣ ଗାଉଁଲି ମଣିଷର ଜୀବନ ବିତାଇବାରେ ତାଂକର ଆନନ୍ଦ । ସିନେମା ଦୁନିଆଁ ର ଚାକଚକ୍ୟ କୁ ଛାଡି ଏବେ ସେ ଗାଁ ର ଶାନ୍ତ ଓ ସରଳ ପରିବେଶରେ ନିଜକୁ ନୁଆ କରି ଆବିସ୍କାର କରୁଛନ୍ତି।

ଏଇ ବୟସରେ ବି ମଂଚ ନିର୍ଦ୍ଦେଶନା ଦେବାରେ ସେ ବ୍ୟସ୍ତ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଅଭିନେତା, ଓଡିଶା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ