• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆତ୍ମହତ୍ୟା

ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

November 12, 2015 by ନିଉଜ ଡେସ୍କ Leave a Comment

ଡା. ଦାମୋଦର ରାଉତ

ମୃତ୍ୟୁ ବିଶାଦର ବାହକ ହୋଇଥିଲା ବେଳେ ଜନ୍ମ ଆନନ୍ଦଉଲ୍ଲାସର ସ୍ରୋତ ବୁହାଇ ଥାଏ । ଶିଶୁଟିଏ ଜନ୍ମ ହେଲେ ଜନ୍ମଦାତ୍ରୀ ମା’ଠାରୁ ଆରମ୍ଭ କରି ପରିବାର, ବନ୍ଧୁବାନ୍ଧବ ଉଲ୍ଲସିତ ହୋଇଥାନ୍ତି । ଶିଶୁଟିର ଦରୋଟି କଥାରେ ସମସ୍ତେ ଆମୋଦିତ ହୁଅନ୍ତି । କିନ୍ତୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି କାରଣରୁ କେହି ଜଣେ ମୃତ୍ୟୁବରଣ କଲେ ଶୋକର ଛାୟା ଖେଳିଯାଏ ।

damodar-3ତେବେ ମଣିଷ ସମାଜରେ ଜନ୍ମ-ମୃତ୍ୟୁ ଏକ ଈଶ୍ୱରଦତ୍ତ ପ୍ରକ୍ରିୟା । ସମାଜକର୍ତ୍ତାମାନେମୃତ୍ୟୁର ହାର କମାଇବା ପାଇଁ ଯେତିକି ଯୋଜନା ହାତକୁ ନେଇଥାନ୍ତି, ଜନବିସ୍ଫୋରଣକୁ ପ୍ରତିହତ କରିବା ପାଇଁ ଜନ୍ମନିରୋଧକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ତା’ ସତ୍ତ୍ୱେ ଜନ୍ମ ଏବଂମୃତ୍ୟୁକୁ କେହି ରୋଧ କରିପାରିନାହାନ୍ତି ବା ପାରିବେ ନାହିଁ ।

ସମ୍ପ୍ରତି ବେଶ୍ କିଛିଦିନ ହେଲା ଚାଷୀ ଆତ୍ମହତ୍ୟା କୁ ନେଇ ବେଶ୍ କିଛି ଆଲୋଡନ ସୃଷ୍ଟି ହୋଇଛି । ବେଳେବେଳେ ଅତ୍ୟଧିକ ମାନସିକ ସନ୍ତୁଳନକୁ ସହ୍ୟ କରି ନପାରି ମଣିଷ ଆତ୍ମହତ୍ୟା କରିଥାଏ । ଆତ୍ମାକୁ ବାଧିଲେ ଆତ୍ମହତ୍ୟା କରନ୍ତି ବୋଲି ଲୋକେ କହନ୍ତି ।

ଆତ୍ମହତ୍ୟା ଦୁଃଖଦାୟକ ଏବଂ ଆତ୍ମହତ୍ୟା ର ସମ୍ବାଦ ଶୁଣିଲେ, ଶୁଣୁଥିବା ଲୋକର ମନ ଭିତରେ ସ୍ୱତଃପ୍ରବୃତ ଭାବରେ ସମ୍ବେଦନଶୀଳତାର ଏକ ଭାବନା ସୃଷ୍ଟି ହୁଏ-କ୍ଷଣସ୍ଥାୟୀ ହେଉ ପଛକେ ।

ତେବେ ସମାଜରେ ସବୁ ବର୍ଗର ଲୋକେ ମାନସିକ ସନ୍ତୁଳନର ଶିକାର ହୋଇଥାନ୍ତି । ଛାତ୍ର ହେଉ, ଶିକ୍ଷକ ହେଉ, କର୍ମଚାରୀ ହୁଅନ୍ତୁ, ଶିଳ୍ପପତି, ଠିକାଦାର କିମ୍ବା ବ୍ୟବସାୟୀ ହୁଅନ୍ତୁ ସମସ୍ତେ ମାନସିକ ସନ୍ତୁଳନର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି । ଚାଷ କରୁଥିବା ଲୋକେ ସମାଜରୁ ଅଲଗା ନୁହଁନ୍ତି ।

ପାରିବାରିକ କାରଣରୁ ହେଉ, ରୋଗ ଯନ୍ତ୍ରଣାରୁ ହେଉ କିମ୍ବା ସାହୁକାର ମହାଜନଙ୍କର ଦାଉ ସମ୍ଭାଳି ନପାରି ହେଉ ଆତ୍ମହତ୍ୟା କରିଥାନ୍ତି । ଏତଦ ବ୍ୟତୀତ ପ୍ରତିଦିନ ମଣିଷ ସମାଜରେ ଯୁକ୍ତ ହେବା ପାଇଁ କିଛି ଶିଶୁ ଜନ୍ମ ହୁଅନ୍ତି ଏବଂ ସମାଜରେ ସମୀକରଣ ରକ୍ଷା ପାଇଁ କିଛିମୃତ୍ୟୁ ସମ୍ବାଦ ଆସିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ପରିତାପର ବିଷୟ, ଏବେ ଆତ୍ମହତ୍ୟା କୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରତିଷ୍ଠିତ ସରକାରଙ୍କୁ ଦାୟୀ କରାଯାଉଛି । ଯିଏ ଚାଷ କରେ ସେ ଚାଷୀ ଏବଂ ସମାଜର ସର୍ବାଧିକ ଲୋକ ଚାଷକୁ ବୃତ୍ତି ଭାବରେ ଆଦରି ନେଇଥାନ୍ତି । ଏହା ବିଶେଷ ଭାବରେ ଆମ ରାଜ୍ୟରେ ବୃତ୍ତି ଭାବରେ ବିଚାର କରାଯାଇଥାଏ । ଚାଷ ଓଡ଼ିଶାରେ ସର୍ବପୁରାତନ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଅନୁଭୂତି ଓ ଅନୁଭବକୁ ନେଇ ଆମର ପୂର୍ବପୁରୁଷମାନଙ୍କ ଦ୍ୱାରା (ଯେତେବେଳେ ଚାଷ ହିଁ ଜୀବନଧାରଣର ଏକ ମାତ୍ର ପାଥେୟ ଥିଲା) ·ଚାଷ ଆମର ବୃତ୍ତି ଭାବରେ ସ୍ୱୀକୃତ ହୋଇ ଆସିଛି । ସେତେବେଳେ ମଧ୍ୟ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀକୁଳକୁ ନିର୍ମମ ଧୋକା ଦେଉଥିଲା । ଚାଷୀ ତାକୁ ସାହସର ସହିତ ସାମ୍ନା କରୁଥିଲା ।

ତା’ର ନିଚ୍ଛକ ଭାବନା ଥିଲା ସେ ବଞ୍ଚିବ ଏବଂ ପରିବାରକୁ ବଞ୍ଚାଇବ । ଯେତେ କଷ୍ଟସାଧ୍ୟ ହେଉ ପଛକେ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ଫସଲ ନଷ୍ଟ ହେଲେ ବିକଳ୍ପ ଫସଲ କରି ଫସଲ ଉପୁଜାଇବ, ନିଜେ ବଞ୍ଚିବ, ପରିବାରକୁ ବଞ୍ଚାଇବ ଏବଂ ଜାତି ମଧ୍ୟ ବଞ୍ଚିବ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ଭୟକରି ସେ କାପୁରୁଷ ଭଳି ଆତ୍ମହତ୍ୟା କରେ ନାହିଁ ।

ବିବର୍ତ୍ତନବାଦ ପ୍ରକ୍ରିୟା ଦେଇ ଆମେ ବର୍ତ୍ତମାନ ସମାଜରେ ଦଣ୍ଡାୟମାନ ହୋଇଥିଲେ ମଧ୍ୟ ଚାଷକୁ ଆରମ୍ଭ କରିଥିବା ଆମ ପୂର୍ବପୁରୁଷ ଏବେ ବି ଅନେକ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବସବାସ କରୁଛନ୍ତି । ଅଭାବରେ କିମ୍ବା ଉପାସରେ ରହିଲେ ମଧ୍ୟ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ, କିମ୍ବା ଭିକ ମାଗନ୍ତି ନାହିଁ ।

ସେଥିପାଇଁ ଓଡ଼ିଆ ଜାତି ତା’ର ସାହସ ଓ ସ୍ୱାଭିମାନ ବଳରେ ଦୁନିଆ ଦାଣ୍ଡରେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲା । ଆଜି ପ୍ରତ୍ୟେକମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ର ରୂପ ଦେଇ ଖାଲି ପ୍ରଚାର କରୁନାହୁଁ, ସମାଜକୁ ଅନ୍ନଦାନ କରୁଥିବା ଗୌରବଦୀପ୍ତ ବୃତ୍ତିଧାରୀ ମଣିଷକୁ କାପୁରୁଷ ଭଳି ଆତ୍ମହତ୍ୟା କରୁଥିବା ଘଟଣା ଭାବେ ଉଲ୍ଲାସର ସହ ପ୍ରଚାର କରୁଛୁ ଏବଂ ଏଥିପାଇଁ ନିର୍ବାଚିତ ସରକାରକୁ ହିଁ ଦୋଷ ଦେଉଛୁ ଓ ମୃତ୍ୟୁରେ ସମ୍ବେଦନଶୀଳତାର ସ୍ପର୍ଶ ନଥାଇ ଅନ୍ୟକୁ ନିନ୍ଦିତ କରିବାର ଅଭିପ୍ସା ବେଶ୍ ପରିସ୍ଫୁଟ ହେଉଛି ।

ସମ୍ବାଦପତ୍ର, ଗଣମାଧ୍ୟମର ବନ୍ଧୁମାନେ, ଦାୟିତ୍ୱବାନ ବିରୋଧି ଦଳମାନେ ଚାଷୀ ଋଣ ବୋଝ ସମ୍ଭାଳି ନପାରି ମରିବାର କାରଣ ସ୍ୱରୂପ ଆଉ ଏକ ଗୁରୁତର ଆରୋପ ଆଣିଛନ୍ତି । ତାହା ହେଲା ସାରା ରାଜ୍ୟରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଚାଷୀକୁ ଋଣ ଲଗାଣ କରୁଛନ୍ତି, ପ୍ରାୟ ୪୮% ସୁଧରେ ଏବଂ ଚାଷୀକୁ ହନ୍ତସନ୍ତ କରୁଛନ୍ତି ।

ସେହିଭଳି ଭାବେ ଘରୋଇ ମହାଜନମାନେ ଅଧିକ ସୁଧରେ ଋଣ ଦେଇଆର୍ଥିକ ଅଭାବ ଭିତରେ ଚାଷୀ କୁ ଅତ୍ୟଧିକ ମାନସିକ ସନ୍ତୁଳନର ଶିକାର କରୁଛନ୍ତି । ଏହାକୁ ଅସ୍ୱୀକାର କରିହେବ ନାହିଁ । ସ୍ୱୟଂ ସହାୟିକା ଗୋଷ୍ଠୀ ହୁଅନ୍ତୁ କିମ୍ବା ଘରୋଇ ମହାଜନ ହୁଅନ୍ତୁ ଲୋକଙ୍କୁ ଶୋଷଣ କରି ସମ୍ପତ୍ତି ବଢ଼ାଇବା ଆଇନ ଆଖିରେ ଧର୍ତ୍ତବ୍ୟ ଅପରାଧ ।

ଘରୋଇ ମହାଜନୀକୁ(Private money lending) ଉଚ୍ଛେଦ କରାଯାଇ ଆଇନ ପ୍ରଣୟନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନିଜେ ଅ ।ତ୍ମନିର୍ଭରଶୀଳ ହେବେ ବୋଲି ଆଶା କରି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

ସରକାରୀ ପ୍ରୋତ୍ସାହନ ଲବ୍ଧ ଧନକୁ ସେମାନେ ଯଦି ସୁଧ ଲଗାଣ କରନ୍ତି ତାହା ମଧ୍ୟ ଦଣ୍ଡନୀୟ । ଏଥିପ୍ରତି ସମ୍ପୃକ୍ତ ବିଭାଗ ଯଦି ଦୃଷ୍ଟି ଦେଉନାହାନ୍ତି, ତେବେ ଗଣମାଧ୍ୟମର ବନ୍ଧୁମାନେ, ବିରୋଧୀ ଦଳର ନେତା ଓ କର୍ମୀମାନେ ଏବଂ ସମ୍ବାଦପତ୍ରର ସାମ୍ବାଦିକ ବନ୍ଧୁମାନେ ସମାଜରେ ଘଟୁଥିବା ଏଭଳି ଆଇନ ବିରୁଦ୍ଧ ଦଣ୍ଡନୀୟ କାର୍ଯ୍ୟକୁ ପ୍ରତିରୋଧ କରୁନାହାନ୍ତି କାହିଁକି?

ଏ କ୍ଷେତ୍ରରେ ସରକାରୀ ଅପାରଗତା ଆରୋପ ସହ ଘଟଣାର ପର୍ଦ୍ଧାଫାଶ କରୁନଥିଲେ କାହିଁକି? କେବଳ ସରକାରଙ୍କୁ ନିନ୍ଦିତ କରିବା ଏବଂ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ପାସୋରି ଯିବା ବିଜ୍ଞତାର କାର୍ଯ୍ୟ ନୁହେଁ ।

ଚଳିତ ବର୍ଷ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୦ହଜାର କୋଟି ଟଙ୍କା ଖରିଫ୍ ଓ ରବି ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟିକ ବ୍ୟାଙ୍କ ଜରିଆରେ ୬ହଜାର କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି କରିଛନ୍ତି । ସମବାୟ ବ୍ୟାଙ୍କମାନେ ୫ହଜାର ୫ଶହ କୋଟି ଟଙ୍କା ଖରିଫ୍ ଋଣ ଦେଇ ସାରିଛନ୍ତି ଏବଂ ୪ହଜାର ୫ଶହ କୋଟି ଟଙ୍କା ରବି ଋଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଖରିଫ୍ ଫସଲ ଉତୁରିବା ଆଗରୁ ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି, ସେଥିପାଇଁ ସ୍ୱଳ୍ପ ମିଆଦି ଏହି ଖରିଫ୍ ଋଣ ଆଦାୟକୁ ନିଷିଦ୍ଧ କରାଯାଇ ୩ ବର୍ଷିଆ ଦୀର୍ଘମିଆଦୀ ଋଣରେ ପରିଣତ ପାଇଁ ଘୋଷଣା କରାଯାଇଛି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ବିକଳ୍ପ ରବି ଫସଲ ପାଇଁ ଋଣ ବଣ୍ଟନ ହେଲାଣି ।

ତେଣୁ ସରକାରୀ ଋଣ ଆଦାୟ ହେଉନାହିଁ । ଋଣ ଦିଆଯାଉଛି । ସେହିଭଳି ଘରୋଇ ସଂସ୍ଥାରୁ ଚାଷ ପାଇଁ ଚାଷୀ ଋଣ କଲେ ଫସଲ ଉତୁରିବା ଆଗରୁ କେହି ଋଣ ମାଗନ୍ତି ନାହିଁ । ତେଣୁ ଋଣ ବୋଝ ସହିନପାରି ଅସମୟରେ ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏକଥାକୁ ସହଜରେ ବିଶ୍ୱାସ କରିହେଉନାହିଁ ।

ଏହା ଅବଶ୍ୟ ସତ୍ୟ ଯେ ଆମ ରାଜ୍ୟରେ ପ୍ରାୟ ୮୫% ଚାଷୀ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ । ଏମାନଙ୍କର ସମସ୍ୟା ଅନେକ, ଆର୍ଥିକ ସ୍ଥିତି ଦୁର୍ବଳ । ତଥାପି ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି । କାପୁରୁଷ ଭଳି ଆତ୍ମହତ୍ୟା କରିବା ପାଇଁ ସେମାନଙ୍କ ବିବେକ ତାଙ୍କୁ ବାଧା ଦେଇଥାଏ ।

ଚାଷୀ ହେଉଛନ୍ତି ସମାଜର ଅନ୍ନଦାତା । ତାଙ୍କ ଉପରେ ଆତ୍ମହତ୍ୟା ର ଆରୋପ ଲଗାଇ ସେମାନଙ୍କୁ ନିନ୍ଦିତ କରିବା ବୋଧହୁଏ ସମାଜ ପାଇଁ ଶୁଭଙ୍କର ନୁହେଁ ।ମୁଁ ଆଶା କରୁଛି, ଚାଷୀମାନଙ୍କର ବହୁବିଧ ସମସ୍ୟାକୁ ସମାଧାନ କରିବା ପାଇଁ ଚାପ ସୃଷ୍ଟି ହେଉ ଏବଂ ବିଭିନ୍ନ କ୍ଷେତ୍ରରୁ ପରାମର୍ଶ ସରକାରଙ୍କୁ ଦିଆଯାଉ କେବଳ ନିନ୍ଦିତ କରିବାର ସଂକୀର୍ଣ୍ଣ ମାନସିକତାକୁ ପରିହାର କରାଯାଉ ।

(ଡା. ଦାମୋଦର ରାଉତ ଓଡିଶାର ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ )

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅନ୍ନଦାତା, ଆତ୍ମହତ୍ୟା, ଚାଷୀ, ଡା. ଦାମୋଦର ରାଉତ

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

November 2, 2015 by ନିଉଜ ଡେସ୍କ 3 Comments

ସୁଧୀର ପଟ୍ଟନାୟକ

ରାଜ୍ୟରେ କୃଷକମାନଙ୍କ ଆତ୍ମହତ୍ୟା ଧାରାବାହିକ ଭାବେ ଚାଲିଛି । ଗୋଟିଏ ପରେ ଗୋଟିଏ ଯୁବଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଅଧିକାଂଶ ସବୁଜ ବିପ୍ଳବର ସୌଜନ୍ୟରୁ ମିଳିଥିବା କୀଟନାଶକ ପାନ କରି ମୃତ୍ୟୁବରଣ କରୁଛନ୍ତି । ଯେଉଁ କୀଟନାଶକ ପିଇ କୃଷକଟି ମରିଯାଉଛି, ସେହି କୀଟନାଶକ ଆମ ଜମି ୪୦ବର୍ଷରୁ ଊର୍ଦ୍ଧ୍ଵ କାଳ ଧରି ପିଇଆସିଛି ।

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ

ଆମେ ବି ଫସଲ ଖାଇ ଆସିଛୁ । ସେ ଏକ ଭିନ୍ନ କଥା ଏବଂ ଏହାର ଆଲୋଚନା ଅନ୍ୟତ୍ର କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ କୃଷକ ଆତ୍ମହତ୍ୟାର ଧାରାଟିକୁ ବନ୍ଦ କରାଯିବ କେମିତି? ବିଡ଼ମ୍ବନାର କଥା ଯେ ଏଭଳି ଏକ ଦାରୁଣ ଘଟଣାର ଧାରାବାହିକତା ଆମ ସମାଜକୁ ବିଚଳିତ କରୁନାହିଁ ।

ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାର ପାଖରେ ପ୍ରତିବାଦ କରୁନାହାନ୍ତି । ଯେଉଁ କୃଷକ ଲାଗି ନିଜେ ବଞ୍ଚି ରହିଛନ୍ତି, ସେହି କୃଷକର ମୃତ୍ୟୁରେ ସାମାନ୍ୟତମ ଶୋକ ନାହିଁ । ଆଗରୁ କେବେ ଏ ସମାଜଟି ଏତେ ସମ୍ବେଦନହୀନ ହେଇନଥିଲା । ଗହମ-ଚାଉଳର ବଜାରଟି ଚାଷୀ ଆଉ ସାଧାରଣ ମଣିଷ ଭିତରେ ବଡ଼ ବ୍ୟବଧାନଟିଏ ଛିଡ଼ା କରିଦେଇଛି ।

ସମାଜର ପ୍ରତିଟି ମଣିଷ ଯେମିତି ଗୋଟିଏ ଗୋଟିଏ ଖାଉଟି ହୋଇଯାଇଛନ୍ତି ଯେଉଁମାନଙ୍କର ଖାଦ୍ୟ ଉତ୍ପାଦନ କେମିତି ହେଉଛି ବା କିଏ କରୁଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଦରକାର ବଜାରଟିଏ । ସେହି ବଜାରକୁ ଯାଇ କାଗଜନୋଟ ବଢ଼ାଇ ଦେଇ ମନ ମୁତାବକ ଖାଦ୍ୟ ଦରବ କିଣି ହୋଇଯିବ ।

ବଜାରକୁ ଆସୁଥିବା ଜିନିଷ ଭାରତୀୟ କୃଷକଙ୍କ ଝାଳ ରକ୍ତରେ ଉତ୍ପାଦିତ ହୋଇଛି କି ନାହିଁ ଜାଣିବା ବି ଦରକାର ନାହିଁ । ଅଷ୍ଟ୍ରେଲିଆ, ଥାଇଲାଣ୍ଡ ବା ମ୍ୟାଲେସିଆରୁ ଖାଦ୍ୟଦ୍ରବ୍ୟ ଆସି ଯଦି ଏଠି ମିଳିଯାଏ, ପଇସା ଦେଇ ତାକୁ କିଣାଯାଇପାରିବ । ଏଭଳି ଖାଦ୍ୟଶସ୍ୟ ବାହାରୁ ଆସିଲେ ଭାରତୀୟ ଚାଷୀ ନିଜ ଉତ୍ପାଦନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉନାହିଁ ତ? ଏଭଳି ପ୍ରଶ୍ନ ବା ମନକୁ ଆସିବ କାହିଁକି?

ବଜାରୀକରଣ, ଜଗତୀକରଣ ଓ ଉଦାରୀକରଣ ପ୍ରକ୍ରିୟାଟି ସମଗ୍ର ସମାଜକୁ ନିଜ ଲୋକଙ୍କ ପ୍ରତି ଉଦାସୀନ କରିଦେଇଛି । ସମଗ୍ର ଚାଷୀକୂଳ ଯେ ଅଭାବୀବିକ୍ରି, ଫସଲହାନୀ, ଋଣବୋଝ, ଖର୍ଚ୍ଚବହୁଳ ଚାଷର ଶିକାର ହେଉଛନ୍ତି, ତାହା କେବଳ ନୁହଁ । ସେମାନଙ୍କ ଚାରିପଟେ ଅଛି ସେମାନଙ୍କ ସମସ୍ୟା-ସ୍ଥିତିକୁ ଉପହାସ କରୁଥିବା ବା ଭୟଙ୍କର ଭାବେ ଉଦାସୀନ ରହିଥିବା ଏକ ଯନ୍ତ୍ରବତ୍ ସମାଜ ।

ସରକାରଟା ସ୍ୱାଧୀନ ଭାରତରେ କେବେ ବି କୃଷକର ନଥିଲା । ଶାସ୍ତ୍ରୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯଦି ନଥାନ୍ତେ ଏବଂ ସବୁଜ ବିପ୍ଳବକୁ ଏ ଦେଶରେ ସଂସ୍ଥାପିତ କରିବାର ଯଦି ଯୋଜନା ବି ନଥାନ୍ତା ତେବେ ‘ଜୟ କିଶାନ’ର ନାରା ବି ଶୁଣିବାକୁ ମିଳିନଥାନ୍ତା । ବର୍ତ୍ତମାନ କେବଳ ଜୟ ଜବାନ, ଜୟ ପୋଲିସର ନାରା ହିଁ ଶୁଣିବାକୁ ମିଳୁଛି ।

କିଶାନର ଜୟଗାନ ସରକାର ବା କରିବେ କ’ଣ ପାଇଁ ? ସବୁଜ ବିପ୍ଳବ ଭିତରେ ସରକାର ବହୁରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ଜୟ ଜୟକାର କରି ଆସିଛନ୍ତି । ୨୦୧୨-୧୩ରେ ଭାରତରେ ସକ୍ରିୟ ଥିବା ସାର କମ୍ପାନୀମାନେ ମିଳିତ ଭାବେ ୩କୋଟି ୨୪ଲକ୍ଷ ଟନ୍ ସାର ଉତ୍ପାଦନ କରିଛନ୍ତି । ତଥାପି ତାହା ଯଥେଷ୍ଟ ହୋଇନାହିଁ ଯେ ବାହାରୁ ଆମଦାନୀ କରାଯାଇଛି ।

ଏହା ସହ ପଢନ୍ତୁ

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଆଶା କରାଯାଉଛି ଯେ ୨୦୧୭-୧୮ ସୁଦ୍ଧା ଏହି ଉତ୍ପାଦନ (ୟୁରିଆ, ଡାଇ ଆମୋନିଅମ୍ ଫସ୍ଫେଟ୍, ନାଇଟ୍ରୋଜେନ୍, ଫସ୍ଫେଟ୍ ଓ ପଟାସିଅମ୍ ଇତ୍ୟାଦି) ୬କୋଟି ୪୮ଲକ୍ଷ ୪୦ହଜାର ଟନରେ ପହଞ୍ଚିବ (କୃଷି ଜାଗରଣ, ଡିସେମ୍ବର ୧୬, ୨୦୧୪) । ବିହନ, ସାର ଓ କୀଟନାଶକ ତିଆରି କରୁଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଉଠାଉଥିବାବେଳେ ସେହି ସମୟକାଳ ଭିତରେ ଏ ଦେଶରେ ୩ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି ।

କେବଳ ଆମ ରାଜ୍ୟରେ ହିଁ ୩ହଜାରରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିସାରିଲେଣି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ମୁତାବକ ଆମ ଦେଶରେ ସବୁଠାରୁ ଅଧିକ କୃଷକ ଆତ୍ମହତ୍ୟା ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଞ୍ଚଳରେ ହୋଇଆସିଛି । ଓଡ଼ିଶାରେ କୃଷକ ଆତ୍ମହତ୍ୟା କ୍ଷେତ୍ର ଏତେଟା ପରିଚିତ ନଥିଲା ।

କିନ୍ତୁ ଗତ ୨ସପ୍ତାହର ଘଟଣାପ୍ରବାହ ସୂଚାଇ ଦେଉଛି ଯେ କୃଷକ ଆତ୍ମହତ୍ୟା ଆମ ରାଜ୍ୟରେ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୮-୦୯ରେ ମଧ୍ୟ ଧାରାବାହିକ ଭାବେ କୃଷକ ଆତ୍ମହତ୍ୟା ନଜରକୁ ଆସିବାରୁ ନବୀନ ସରକାର ବାଧ୍ୟହୋଇ ଆନ୍ତରିକତା ବିହୀନ ମଣିଷମାନଙ୍କୁ ନେଇ ଏକ ରାଜ୍ୟ କୃଷକ କମିଶନ ତିଆରି କରିଥିଲେ ଯାହାର ଅଧ୍ୟକ୍ଷ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକ ।

ଆଉ ଯେଉଁମାନେ ସଦସ୍ୟ ଥିଲେ ସେମାନେ କୃଷି ଓ କୃଷକର ସମସ୍ୟା ପ୍ରତି କେବେ ସମ୍ବେଦନଶୀଳ ଥିବାର ଦୃଷ୍ଟାନ୍ତ ସେମାନଙ୍କ ନିଜର ବୃତ୍ତିଗତ ଇତିବୃତ୍ତିରୁ ଜଣାପଡ଼େ ନାହିଁ । ଡଃ ଡି.ପି.ରାୟ ଓ.ୟୁ.ଏ.ଟି.ର ବିବାଦମାନ କୁଳପତି ଜଣେ ସଦସ୍ୟ ଥିଲେ । ଆଉ ଜଣେ ସଦସ୍ୟ ଥିଲେ ଅନ୍ୟ ଏକ ବିବାଦମାନ ବ୍ୟକ୍ତିତ୍ୱ ଡଃ ନିରଞ୍ଜନ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା ବି ଜଣେ ସଦସ୍ୟ ଥିଲେ । ସେମାନଙ୍କ ରିପୋର୍ଟ କ’ଣ ଥିଲା ସବୁ କଥା ଲୋକଲୋଚନକୁ ଆସିନାହିଁ । ତେବେ ସେମାନେ ଯେ ସମସ୍ୟାର ଉଚିତ ଅନୁଧ୍ୟାନ କରି ସୁଚିନ୍ତିତ ମତବ୍ୟକ୍ତ କରିଥିବେ, ଜାଣିବାଶୁଣିବା ଲୋକମାନଙ୍କର ବିଶ୍ୱାସ ନଥିଲା ।

ସେମାନଙ୍କ ଭିତରୁ କେହି କେହି ସେ ସମୟର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲା ଯେ ଏମାନେ ସମସ୍ୟାର ପାଖତଡ଼ ବି ମାଡ଼ିପାରିବେ ନାହିଁ । ଏବେ ସରକାର ତରବରିଆ ଭାବେ ପ୍ରତିକାର ପାଇଁ ପ୍ୟାକେଜ୍ ଘୋଷଣା କରିସାରିଲେଣି । ସେଥିରେ କୃଷକ ଆତ୍ମହତ୍ୟାର କାରଣ ବାହାର କରି ପ୍ରତିକାରର ବାଟ ବାହାର କରିବା ଚିନ୍ତା ପ୍ରତିଫଳିତ ହେଉନାହିଁ ।

ବରଂ ସରକାର କେବଳ ମରୁଡ଼ି ପ୍ରତିକାର ପାଇଁ ପଦକ୍ଷେପ ନେଲାଭଳି ମନେ ହେଉଛି ଯେଉଁଥିପାଇଁ ତାଙ୍କୁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପଇସା ଖର୍ଚ୍ଚକରି କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ଯେ କରିହେବ ନାହିଁ ସରକାର ବୁଝିବା ଦରକାର ।

ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ଭିତରେ ଅଧିକାଂଶ ଭାଗଚାଷୀ ବା ନାମକୁମାତ୍ର ଚାଷୀ । ବଡ଼ ଚାଷୀ କେହି ଆତ୍ମହତ୍ୟା କରୁନାହାନ୍ତି । ଆମ କୃଷି ବ୍ୟବସ୍ଥାଟିକୁ ଏମିତି କରିଦିଆଯାଇଛି ଯେ ତାହା କେବଳ ବଡ଼ଚାଷୀଙ୍କୁ ସୁହାଇବ । ଛୋଟ ଚାଷୀ ପାଇଁ ସବୁଜ ବିପ୍ଳବର ଚାଷ ସୁହାଇ ପାରୁନାହିଁ ବୋଲି ପ୍ରମାଣିତ ହୋଇସାରିଲାଣି ।

ଯେଉଁ ଚତୁର ଚାଷୀମାନେ ଭାଗଚାଷୀ ହାତରେ ଜମିଖଣ୍ଡକ ଦେଇ ଦେଇଛନ୍ତି ସେମାନେ ପ୍ରକୃତରେ ଦୁର୍ଦ୍ଧଶାଟିକୁ ତା’ ହାତରେ ସମର୍ପଣ କରିଦେଉଛନ୍ତି । ଜମିର ଆକର୍ଷଣ ଓ ସ୍ୱାଧୀନ ଭାବେ ଚାଷ କରିବାର ସୁଯୋଗଟି ପାଇଁ ସେ ଯେଉଁ ଭଲ ଏକ ଜୀବନର ସ୍ୱପ୍ନ ଦେଖୁଛି, ତାହା ଦିନ କେତୋଟିରେ କେତେ ବଡ଼ ଦୁଃସ୍ୱପ୍ନଟିଏ ଥିଲା ପ୍ରମାଣିତ ହୋଇଯାଉଛି । ସେ କ ରୁ କ୍ଷ’ ଯାଏଁ ସବୁ ବଜାରରୁ କିଣିବାକୁ ପଡ଼ୁଛି-ତାହା ପୁଣି ଋଣ କରି ।

ବିହନ କିଣିବ, ସାର କିଣିବ, କୀଟନାଶକ କିଣିବ, ପାଣି କିଣିବ, ଟ୍ରାକ୍ଟର ଓ ଶ୍ରମ ଭଡ଼ାରେ ନେବ । ସବୁ ପାଇଁ ପଇସା ଦରକାର । ଏତେସବୁ କଲାପରେ ଫସଲ ଉଜୁଡ଼ିଗଲେ ଅବା ହେଇଥିବା ଫସଲର ବିକ୍ରିବଟା ଭଲ ଦରରେ ନହେଲେ ତା’ର ଭେଳା ବୁଡ଼ିଲା । ଏଭଳି ଏକ ଚକ୍ରବ୍ୟୁହ ଭିତରେ ଭାଗଚାଷୀ ବା ନାମକୁମାତ୍ର ଚାଷୀ ପଶିଯାଉଛି, ବାହାରି ପାରୁନାହିଁ ।

ଏହି ଚକ୍ରବ୍ୟୁହକୁ ଏ ଦେଶର ଚାଷୀକୂଳ ବୁଝିପାରିଥିଲେ ମୂଳରୁ ସବୁଜ ବିପ୍ଳବ ଆଡ଼କୁ ସରକାରୀ ପ୍ରୋତ୍ସାହନ ସତ୍ୱେ ଯାଇନଥାନ୍ତେ ବା ସବୁଜ ଆତଙ୍କକୁ ପ୍ରତିରୋଧ ନ କରିପାରି ହୁଏତ ଚାଷକୁ ଛାଡ଼ନ୍ତେ । ଏବେ ତାହାହିଁ ହେବ ଅଧିକାଂଶ ଚାଷୀ ଚାଷ ଛାଡ଼ିବେ । ସହରକୁ ଯାଇ ଦାଦନ ଖଟିବେ, କିନ୍ତୁ ଚାଷକରିବେ ନାହିଁ ।

ସେମାନେ ଛାଡ଼ିବା ଚାଷଜମି ବଡ଼ଚାଷୀ ବା କମ୍ପାନୀମାନେ କିଣିବେ ବା ଠିକାରେ ନେଇ ଚାଷ କରିବେ । ସେମାନଙ୍କୁ ସବୁପ୍ରକାର ଋଣ ସୁଲଭ ଦରରେ ମିଳିବ ଓ ପର୍ଯ୍ୟାପ୍ତ ପରିମାଣରେ ରିହାତି ପାଇବେ । କାହାଠୁ ଧାର କରଜ କରିବାକୁ ପଡ଼ିବନି । ସବୁ ସରକାର ବା ତାଙ୍କ ବ୍ୟାଙ୍କମାନେ ଯୋଗାଇ ଦେବେ ।

ଆମକୁ ଏ କଥାଟିକୁ ହଜମ କରିବାକୁ ପଡ଼ିବ ଯେ ଭାରତୀୟ କୃଷିକୁ ବଡ଼ଚାଷୀମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି – ସବୁଜ ବିପ୍ଳବ ମାଧ୍ୟମରେ । ଗୁଣସୂତ୍ର ବିପ୍ଳବ ମାଧ୍ୟମରେ ବଡ଼ଚାଷୀ ଓ ବଡ଼ କମ୍ପାନୀମାନଙ୍କ ଭାଗୀଦାରିତାର କୃଷି ଆଡ଼କୁ ଆମକୃଷିକୁ ଟଣାଯାଉଛି ।

ସେଥିପାଇଁ କୃଷକ ଆତ୍ମହତ୍ୟାର ଅନ୍ତ ନାହିଁ । ଯେକୌଣସି ପ୍ୟାକେଜ୍ ଘୋଷଣା କଲେ ବି ତାହା ମୂଲ୍ୟହୀନ ହେଇଯିବ । ଆମେ ବରଂ ସରକାରଙ୍କ ନିକଟରେ ଦାବୀ କରିବା କଥା ଯେ ଓଡ଼ିଶାର ଚାଷୀକୂଳର ଚାଷ ଜମିର ପରିମାଣ ଓ କ୍ଷେତ ସହ ସମ୍ପର୍କକୁ ହିସାବ କରି କେମିତି ଆମ ରାଜ୍ୟରେ ଅନ୍ତତଃ ବିନା ପୁଞ୍ଜି ବିନିଯୋଗରେ କୃଷି କେମିତି କରାଯାଇପାରିବ, ସେଥିପାଇଁ ଅଧିକ ଦୃଷ୍ଟି ଦେବେ ।

ଏଭଳି ଏକ କୃଷିପାଇଁ ଆୟୋଗଟିଏ ଗଠନ କରାଯାଉ । ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ଓ ଅନ୍ୟତ୍ର ଏକାପ୍ରକାର ଜୈବକୃଷିର ପ୍ରଶିକ୍ଷଣ ଦେଉଥିବା ବିଶିଷ୍ଟ ଚାଷୀ ସୁବାସ ପାଲେକର ଭଳି ବ୍ୟକ୍ତିଙ୍କୁ ସେହି ଆୟୋଗରେ ନିଆଯାଉ । ଖର୍ଚ୍ଚବହୁଳ ରାସାୟନିକ କୃଷିରୁ ବିନା ଖର୍ଚ୍ଚରେ ଜୈବଚାଷ ଆଡ଼କୁ ଫେରିବା ପାଇଁ ୨/୩ ବର୍ଷ ସମୟ ଲାଗିବ ।

ସେହି ସମୟ ପାଇଁ ସରକାର ସମ୍ପୂର୍ଣ୍ଣ ଅର୍ଥ ସାହାଯ୍ୟ ତଥା ମଜୁରୀ ଭିତ୍ତିକ କର୍ମ ଯୋଗାଣ କଥା ଚିନ୍ତା କରନ୍ତୁ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ଥିବା ସମସ୍ତ ଫାର୍ମ ତଥା ଜମିକୁ ଜୈବ ବିହନ ଉତ୍ପାଦନ ପାଇଁ ବିନିଯୋଗ କରନ୍ତୁ । ଏ ବାବଦରେ ଅଧିକ କ’ଣ କରିହେବ, ସରକାର ମତାମତ ମଧ୍ୟ ସଂଗ୍ରହ କରନ୍ତୁ ।

ସୁତରାଂ, କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷୀ ବା ଦେଶୀ ପଦ୍ଧତିରେ ଚାଷ କରୁଥିବା ଭାଗଚାଷୀ ଆତ୍ମହତ୍ୟା କରିନାହାଁନ୍ତି ।

(ସୌଜନ୍ୟ- ସମଦୃଷ୍ଟି)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆତ୍ମହତ୍ୟା, ଓଡିଶା, ଚାଷୀ, ସୁଧୀର ପଟ୍ଟନାୟକ

ଫେସବୁକରେ ନିଜର ଅଶ୍ଲୀଳ ଫଟୋ ଯୋଗୁଁ ନାବାଳିକାର ଆତ୍ମହତ୍ୟା

April 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ ଏପ୍ରିଲ ୧୭ (ଓଡିଶା ଡଟ କମ) ଫେସବୁକରେ ନିଜର ଅଶ୍ଳୀଳ ଚିତ୍ର ପ୍ରକାଶ ପାଇବାପରେ କଟକ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ ଶୁକ୍ରବାର କହିଛି ।

suicideନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ଏକ ଗ୍ରାମରେ ବୁଧବାର ହୋଇଥିବା ଏହି ଘଟଣାରେ ପୁଲିସ ସେହିଗ୍ରାମର ଜଣେ ବ୍ୟକ୍ତି ବିରୁଦ୍ଧରେ ଏକ ମାମଲା ଋଜୁକରି ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଛାତ୍ରୀ ଜଣକ ଗାଧେ।ଇବା ସ୍ଦମୟରେ ସେହି ଗ୍ରାମ କମଳାକାନ୍ତ ମଲ୍ଲ ଲୁକ୍କାୟିତ ଭାବେ ତାଙ୍କ ଫଟୋ ଉଠାଇଥିଲା ଓ ପରେ ଏହାକୁ ସେ ଇଣ୍ଟରନେଟ ରେ ଛାଡି ଥିଲା, ପୁଲିସ କହିଛି । ଏହି ଖବର ପ୍ରଚାର ହେବ ପରେ ମାନସିକ ଭାରସାମ୍ୟ ହରାଇ ଛାତ୍ରୀ ଜଣକ ବିଷ ପିଇଦେଇଥିଲେ ।

ପରିବାର ଲୋକେ ତାଙ୍କୁ  ସ୍ଥାନୀୟ ହାସପାତାଳରେ ଗୁରୁତର ଅବସ୍ଥାରେ ଭର୍ତି କରିଥିଲେ ଓ ସେଠାରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ନ।ବାଳିକାଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ପରିବାରର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ପୁଲିସ ତିନୋଟି ଟିମ ଗଠନ କରି ଫେରାର ଅଭିଯୁକ୍ତକୁ ଧରିବା ଉଦ୍ୟମ ଜାରି ରଖିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଅଶ୍ଲୀଳ ଫଟୋ, ଆତ୍ମହତ୍ୟା, ନାବାଳିକା, ଫେସବୁକ

ଜୀବନ ହାରିଲେ ରାୟଗଡା ଗଣବଳାତ୍କାର ପୀଡ଼ିତା

January 16, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ରାୟଗଡା, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-ରାୟଗଡା ଗଣବଳାତ୍କାର ପରେ ଆତ୍ମଦାହ ଉଦ୍ୟମ କରିଥିବା ପୀଡିତା ମଙ୍ଗଳବାର ଦିନ ବିଶାଖାପାଟଣାର ଘରୋଇ ଡାକ୍ତରଖାନାରେ ଆଖି ବୁଜି ଦେଇଛନ୍ତି ।

ଆର.କେ ନଗରରୁ ନିଜ ଘର ଆଞ୍ଜିଆପେଟାକୁ ଫେରୁଥିବାବେଳେ ରୟତ କଲୋନୀ ଛକ ନିକଟରେ ପୂର୍ବରୁ ଛକି ରହିଥିବା ଚାରି ଯୁବକ ତାଙ୍କୁ ଟେକି ନେଇ ବଳାତ୍କାର କରିଥିଲେ । ଜନୈକ ଅଟୋ ଚାଳକ ତାଙ୍କୁ ଚିହ୍ନିବା ପରେ ତାଙ୍କ ଘରକୁ ନେଇଥିଲେ । ତେବେ ଲୋକଲଜ୍ଜା ପାଇଁ ସଂପୃକ୍ତ ଯୁବତୀ ପରଦିନ ଷ୍ଟୋଭରୁ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ରାୟଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯୁବତୀ ବଳାତ୍କାର ସଂପର୍କରେ ଗତ ୬ତାରିଖ ତାଙ୍କ ବୟାନରେ ପ୍ରକାଶ କରିବା ପରେ ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ପୀଡିତାଙ୍କଠାରୁ ଫଟୋ ଚିହ୍ନଟ କରାଇବା ପରେ ପୁଲିସ ଏହି ଘଟଣାରେ ୪ଜଣ ମୁନା ଛତ୍ରିଆ, ପ୍ରଦୀପ ଭାତ୍ରା, ମଲ୍ଲିକ ଖୋସଲା ଓ ଭରତ ଖୋସଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି ।

ଡାକ୍ତରଖାନାରେ ଦୀର୍ଘ ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବିଶାଖାପାଟଣାରେ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ଦିନ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିଏସପି ଭି.ଆର ରାଓ ପ୍ରକାଶ କରିଛନ୍ତି ।

ଏଥିପାଇଁ ଡିଏସପି ଶ୍ରୀ ରାଓଙ୍କ ନେତୃତ୍ୱରେ ଏକ ଦଳ ବିଶାଖାପାଟଣା ଯାତ୍ରା କରିଛନ୍ତି । ଅପରପକ୍ଷରେ ପୀଡିତାଙ୍କ ପରିବାରବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ରାୟଗଡା ଗଣବଳାତ୍କାର

ପୁଲିସ ଇନସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ନଭେମ୍ବର ୭ (ଓଡ଼ିଶା ଡ଼ଟ୍ କମ୍) -ଗଞ୍ଜାମ ଜିଲା ଆସିକା ଥାନାରେ ଅତିରିକ୍ତ ଆଇଆଇସି ଦାୟିତ୍ୱରେ ଥିବା ଇନସପେକ୍ଟର ଆର.କେ. ପଣ୍ଡା ମଙ୍ଗଳବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଏକ ହୋଟେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଛି । ବ୍ରହ୍ମପୁରର ଗାନ୍ଧୀନଗର ଅଞ୍ଚଳରେ ଶ୍ରୀ ପଣ୍ଡାଙ୍କ ଘର । ଗତକାଲି ସନ୍ଧ୍ୟାରେ ଶ୍ରୀ ପଣ୍ଡା ହୋଟେଲ ‘ରାଧା’ ର ରୁମ ନଂ ୨୦୭ରେ ଫ୍ରେସ ହେବାକୁ କହି ରୁମରେ ରହିଥିଲେ ।

ସେ ଅନେକ ସମୟ ରୁମ ଭିତରେ ରହିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା । ତାପରେ ଦୀର୍ଘ ସମୟ ଧରି ରୁମ କବାଟକୁ ବାଡ଼େଇବା ପରେ ମଧ୍ୟ ସେ ରୁମ ନଖୋଲିବାରୁ ବାଧ୍ୟ ହୋଇ ପୁଲିସ ସହାୟତାରେ ରୁମର କବାଟ ଭଙ୍ଗାଯାଇ ତାଙ୍କୁ ରୁମ୍ ଭିତରୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ପୁଲିସ ଇନସପେକ୍ଟର

ଡାକ୍ତରଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)– କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତର ୨୩ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ଉପରୁ ପରଦା ହଟି ପାରିନାହିଁ । ଆତ୍ମହତ୍ୟା ପଛରେ ଲୁଚିରହିଥିବା ପ୍ରକୃତ କାରଣ ଉନ୍ମୋଚନ ହୋଇ ପାରିନାହିଁ ।

ଏ ଘଟଣାର ପ୍ରତ୍ୟେକ୍ଷଦର୍ଶୀ ରେଳ କର୍ମଚାରୀ କିଶୋର ଚନ୍ଦ୍ରଙ୍କ ବୟାନ ହେଉଛି ପୁରୀ ଆଡୁ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ଟ୍ରେନ ଷ୍ଟାଟର ସିଙ୍ଗନାଲ ପାର ହୋଇ ଯିବପରେ ଟ୍ରେନ ଆଗରେ ମାଧବୀ ମୁଣ୍ଡଦେଇ ଶୋଇ ପଡିଥିଲେ । କଟି ଗଲା କଟିଗଲା ବୋଲି ଚିତ୍କାର କରିଥିଲି । ମାତ୍ର ୨ସେକେଣ୍ଡ ମଧ୍ୟରେ ଗାଡି ମାଡିଗଲା ।

ମାଧବୀ ବଦଳି କରିବା ଘଟଣାକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି । ପୁଣି ୨୦୧୧ ମସିହାରେ ମାଧବୀଙ୍କୁ ଜଣେ ଡାକ୍ତର ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା ।

ଏଇ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଜୋାତି ପାଣିଗ୍ରାହୀ ଦ୍ୱିତୀୟ ଥର ପୁରୀ ଗସ୍ତରେ ଆସି ସିଡିଏମ୍ଓଙ୍କ ସହିତ ଆଲୋଚନା କରିଛନ୍ତି ।

ସେ ଅଭିଯୋଗ ଉପରେ ତଦନ୍ତ କରିଥିଲେ ମଧ୍ୟ ଏ ଘଟଣା ପଛରେ କଣ ଅଛି ତାହା ସ୍ପଷ୍ପ ହୋଇ ପାରିନାହିଁ । କାହା ଚାପରେ ମାଧବୀଙ୍କୁ ରେବଣା ନୂଆଗାଁରୁ କଣାସ ବଦଳି କରାଯାଇଥିଲା ବୋଲି ଶ୍ରୀମତୀ ପାଣିଗ୍ରାହୀ ସିଡିଏମଓ ଡାକ୍ତର ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପଚାରିଥିଲେ ।

ସିଡିଏମଓ କମିଶନଙ୍କୁ ଜଣାଇଥିଲେଯେ ମନ୍ତ୍ରୀ, ବିଧାୟକ ଓ ଜିଲା ପରିଷଦ ସଭାପତିଙ୍କ ସୁପାରିଶ ଅନୁଯାୟୀ ମାଧବୀଙ୍କୁ ଗତ ମଇମାସ ୧୦ତାରିଖ ଦିନ ରେବଣା ନୂଆଗାଁରୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିଲା ।

ମାଧବୀଙ୍କ ବିରୋଧରେ କୌଣସି ଅଭିଯୋଗ ନଥିଲେ ମଧ୍ୟ ସେ ବାରଂ ବାରମ୍ବାର ବଦଳି ସତ୍ୱେ ପ୍ରତିଦିନ ମେଡିକାଲ ଯାଇ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ ।

ଶ୍ରୀମତୀ ପାଣିଗ୍ରାହୀ ସର୍କିଟ ହାଉସକୁ ଯାଇ ମାଧବୀ ୧୨ତାରିଖ ଦିନ ମାଳତୀପାଟପୁର ରେଳଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧ୍ୟ ନିଖୋଜ ରିପୋର୍ଟ ପାଇଥିବା କୁମ୍ଭାରପଡା ଥାନା ପୁଲିସ ୧୫ଦିନ ପର୍ଯ୍ୟନ୍ତ ସେସମ୍ପର୍କରେ କିପରି ଜାଣିପାରିଲା ନାହିଁ ବୋଲି କମିଶନ ସେଠାରେ ଭାରପ୍ରାପ୍ତ ଏସପି ଦୟାନିଧି ଗୋଚ୍ଛାୟତଙ୍କୁ ପଚାରିଥିଲେ । ପୁଲିସ ତଦନ୍ତରେ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଆରପି ପୁଲିସ ଓ ଶବ ପୋତିଥିବା କର୍ମଚାରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଥିଲେ । ମାଧବୀଙ୍କ ଶବ ଗତକାଲି ଶ୍ମଶାନରୁ ଗାଏବ ହୋଇଯିବା ଘଟଣାର ସତ୍ୟତା ଜାଣିବାପାଇଁ ପାଣିଗ୍ରାହୀ ସଂପୃକ୍ତ ସ୍ଥାନକୁ ଯାଇ ସେ ସ୍ଥାନରେ କୌଣସି ଶବ ପୋତାଯାଇନଥିବା ତଦନ୍ତ ସମୟରେ ଜଣାପଡିଥିଲା ।

ଏଥିସହିତ ସେ ମାଧବୀଙ୍କ ମଧୁବନସ୍ଥିତ ମାଉସୀଘରକୁ ଯାଇ ମଧ୍ୟ ଏହି ଘଟଣାର ଆଲୋଚନା କରିଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ନୀଳାଚଳ ଏକ୍ସପ୍ରେସ, ପୁଲିସ, ମାଧବୀଲତା ମୃତ୍ୟୁ, ସିଡିଏମଓ

କୁଜଙ୍ଗ ବାଣ ବିସ୍ଫୋରଣରେ ଆହତଙ୍କ ଆତ୍ମହତ୍ୟା

October 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କୁଜଙ୍ଗ,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍)- ନଭେମ୍ବର ୧୬ ତାରିଖରେ ବିଜୁ ଶ୍ରମିକ ସଂଘ ଶୋଭାଯାତ୍ରାବେଳେ ବାଣ ବିସ୍ଫୋରଣରେ ଆହତ ହୋଇଥିବା ପ୍ରମୋଦକୁମାର ଜେନା ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଶାସକ ଦଳର କିଛି ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଛାୟାଯୁଦ୍ଧ ଚାଲୁଥିବାବେଳେ ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କ୍ଷତିଗସ୍ତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତବର୍ଷ ନଭେମ୍ବର ୧୬ ତାରିଖରେ ବିଜୁଶ୍ରମିକ ସଂଘ ସମାବେଶର ଶେଭାଯାତ୍ରାରେ ଘଟିଥିବା ବହୁଚର୍ଚିତ କୁଜଙ୍ଗ ବାଣବିସ୍ଫୋରଣ ଘଟଣାରେ ୪ ଜଣଙ୍କ ମୃତ୍ୟୁହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ ।

ମୃତ ପ୍ରମୋଦଙ୍କ ଶରୀରର ୭୫ଶତକଡା ପୋଡି ହୋଇ ଯାଇଥିବାବେଳେ ସେ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ କାର୍ଯ୍ୟକ୍ଷମ ହୋଇପାରିନଥିଲେ ।

ଏ ନେଇ ତାଙ୍କ ପରିବାର ଆର୍ଥିକ ଅନାଟନରେ ଥିବାବେଳେ ଔଷଧ ଖର୍ଚ୍ଚ ମଧ୍ୟ ପ୍ରମୋଦଙ୍କ ପାଇଁ ସାତସପନ ହୋଇପଡିଥିଲା । ଏପରିକି ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଥିଲା ।

ବିଛଣାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆର୍ଥିକ ଅନଟନ ଓ ଯନ୍ତ୍ରାଣ ସହିନପାରିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ପ୍ରକାଶ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ବାଣ ବିସ୍ଫୋରଣ

ପରିବାର ସଦସ୍ୟ ବିଷ ଦେଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କେନ୍ଦୁଝର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଜଣେ ବ୍ୟକ୍ତି ପତ୍ନୀ ଓ ଛଅ ଜଣ ସନ୍ତାନଙ୍କୁ ବିଷ ଦେବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି ।

ପରିବାର ସମସ୍ତ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବଂଚିଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ୨୧୫ ନମ୍ବର ଜାତୀୟ ରାଜପଥ ନିକଟସ୍ଥ କତ୍ରାବେଡ଼ା ଗ୍ରାମରୁ ଏମାନଙ୍କ ଶବ ଉଦ୍ଧାର କରାଯାଇଛି ।

ମୃତକଙ୍କ ମଧ୍ୟରେ ତିନି ଜଣ ବାଳକ ଏବଂ ତିନି ଜଣ ଝିଅ ଥିବା ବେଳେ ସେମାନଙ୍କ ବୟସ ତିନି ବର୍ଷରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ସେ କହିଛନ୍ତି ।

ତେବେ ବ୍ୟକ୍ତି ଜଣକ ସମସ୍ତଙ୍କୁ ବିଷ ଦେଇଥିବା ସ୍ୱୀକାର କରିଥିବା ବେଳେ ଏହାର କାରଣ ସଂପର୍କରେ କିଛି କହିନାହାନ୍ତି । ତାଙ୍କର ଅବସ୍ଥା ଗୁରୁତର ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମହତ୍ୟା, କେନ୍ଦୁଝର, ମୁଖ୍ୟ ଖବର

ନଅ ବର୍ଷ ମଧ୍ୟରେ ୨୫୭୫ ଚାଷୀଙ୍କ ଆତ୍ମହତ୍ୟା

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ୨୦୦୦ରୁ ୨୦୦୮ ଶେଷ ପର୍ଯ୍ୟନ୍ତ ମୋଟ୍ ନଅ ବର୍ଷରେ ୨୫୭୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା କୃଷିମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ଉକ୍ତ ନଅ ବର୍ଷ ମଧ୍ୟରେ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା ରାଜ୍ୟ ଅପରାଧ ଅଭିଲେଖା ସଂସ୍ଥା ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ବିଶେଷ କରି ୨୦୦୦ରେ ୧୯୯ ଜଣ, ୨୦୦୧ରେ ୨୫୬ ଜଣ, ୨୦୦୨ରେ ୩୪୫ ଜଣ, ୨୦୦୩ରେ ୩୬୫ ଜଣ,
୨୦୦୪ରେ ୩୭୮ ଜଣ, ୨୦୦୫ରେ ୨୫୪ ଜଣ, ୨୦୦୬ରେ ୨୮୩ ଜଣ, ୨୦୦୭ରେ ୨୩୫ ଜଣ ଏବଂ ୨୦୦୮ରେ ୨୬୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

୨୦୧୦-୧୧ ଫେବୃୟାରୀ ଦଶ ସୁଦ୍ଧା ୬୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି, ତେବେ ଅଦ୍ୟବାଧି କୌଣସି ଚାଷୀ ଆତ୍ମହତ୍ୟା ଅଭିଯୋଗ କୃଷି ଜନିତ କାରଣରୁ ହୋଇଥିବା ପ୍ରମାଣିତ ହୋଇ ନାହିଁ ।

ସେହିପରି ୨୦୦୮-୦୯ରେ ୩୪୪ କୋଟି ୫୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ୨୦୦୯-୧୦ରେ ୪୨୨
କୋଟି ୧୪ ଲକ୍ଷ ଟଙ୍କା ଓ ୨୦୧୦-୧୧ରେ ୭୪୭ କୋଟି ୭୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମହତ୍ୟା, ଚାଷୀ ଆତ୍ମହତ୍ୟା, ମୁଖ୍ୟ ଖବର, ରାଜ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ