• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଇତିରାଣୀ ସାମନ୍ତ

ପ୍ରଦର୍ଶିତ ହେଲା କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା

June 15, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୧୫ (ଓଡିଶା ଡଟ କମ) କାଦମ୍ବିନୀ ମିଡିଆ ପ୍ରଯୋଜିତ କଳାତ୍ମକ ଚଳଚିତ୍ର କ୍ରାନ୍ତିଧାରାର ପ୍ରିମିଅର ସୋ ଭୁବନେଶ୍ଵର ସ୍ଥିତ କିଟ୍ କ୍ୟାମ୍ପସରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।

kadambini 2 krantidhara ବିଭିନ୍ନ ଘାତ ପ୍ରତିଘାତ ସତ୍ଵେ ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ କିପରି ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ସମାଜର ସାମୁହିକ ମଙ୍ଗଳ କରିବାରେ ସଫଳ ହୋଇଥାଏ ତାହା ଏକ ଘଣ୍ଟା ପଇଁଚାଳିଶ ମିନିଟର ଏହି କଳାତ୍ମକ ଚଳଚିତ୍ର ରେ ପ୍ରଦର୍ଶିତ ହୋଇଛି ।

ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କ ଗଳ୍ପ ‘ଝଡ ପରର ସୂର୍ଯ୍ୟ’ ଉପରେ ଆଧାରିତ ଏହି ଚଳଚିତ୍ରକୁ ଶତାଧିକ ବିଶିଷ୍ଟ ବ୍ୟକ୍ତି, ଚଳଚିତ୍ର ପ୍ରେମୀ ଓ କଳାକାର ଭରପୁର ଉପଭୋଗ କରିଥିଲେ।

krantidhara-3ଚଳଚିତ୍ର ପ୍ରଦର୍ଶନ ପୂର୍ବରୁ ସ୍ଵାଗତ ଭାଷଣ ଦେଇଥିଲେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ।

ମଞ୍ଚାସୀନ ଥିବା ଅନ୍ୟ ଅତିଥି ମାନେ ହେଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ତ୍ରିପୁରା ମିଶ୍ର , ରାଜ୍ୟ ଚଳଚିତ୍ର ନିଗମ ର ଅଧ୍ୟକ୍ଷ ମୁନା ଖାନ, ଚଳଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ଓ କ୍ରାନ୍ତିଧାରା ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।

ଏ ଅବସରରେ କ୍ରାନ୍ତିଧାରା ରେ ଅଭିନୟ କରିଥିବା ନାୟକ, ନାୟିକା ଅନ୍ୟ ଅଭିନେତା , ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାଣରେ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

କ୍ରାନ୍ତିଧାରା ହେଉଛି କାଦମ୍ବିନୀ ମିଡିଆ ପ୍ରଯୋଜିତ ଦ୍ଵିତୀୟ ଚଳଚିତ୍ର । ୧୯୯୯ ରେ ରାଜ୍ୟରେ ହୋଇଥିବା ମହାବାତ୍ୟା ଉପରେ ଆଧାରିତ ଚଳଚିତ୍ର ‘କଥାଂତର’ ଥିଲା ଏହାର  ପ୍ରଥମ ଅର୍ଘ୍ୟ । କଥାଂତର ଦେଶ ବିଦେଶରେ ଉଛ ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ପୁରସ୍କାର ଲାଭ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

August 9, 2006 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୯ (ଓଡିଶା ଡଟ କମ) “କଥାନ୍ତର’ । ୧୯୯୯ ମହାବାତ୍ୟାରେ ବିଧବା ହୋଇଥିବା କଳ୍ପନାର ମାନସିକ ଅସ୍ଥିରତା, ନାଚାରତା, ଦୃଢ଼ତା, ଏବଂ ତା’ ଆଗରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ଏକ ଚିତ୍ର ମାତ୍ର । କଳ୍ପନାର ଚରିତ୍ର ଚାରିପାଖରେ ଘୁରି ବୁଲିଛି ଏହି ଚଳଚିତ୍ରର କଥା । ତାହାରିମାଧ୍ୟମରେ କାହାଣୀରେ ଫୁଟି ଉଠିଛି ମହାବାତ୍ୟା ପରବର୍ତ୍ତୀ ମଣିଷର ଅଭାବ ବୋଧ ଓ ସଂଘର୍ଷ ।

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ’ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ଓଡ଼ିଶାର ମହିଳା ପତ୍ରିକା “କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତଙ୍କ ପ୍ରଯୋଜନାରେ ମାତ୍ର ୩୦ ଦିନର ସୁଟିଂରେ ପ୍ରସ୍ତୁତ ହୋଇପାରିଥିବା ବ୍ୟାବସାୟିକ ଦୃଷ୍ଟି କୋଣ ସହ ୧ ଘଣ୍ଟା ୧୬ ମିନିଟର ଏକ କଳାତ୍ମକ ଚଳଚ୍ଚିତ୍ର “କଥାନ୍ତର’ ଖୁବ୍ ଶୀଘ୍ର ଆଞ୍ଚଳିକ ସ୍ତରରେ ମୁକ୍ତିଲାଭ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ଯୋଜନା ମଧ୍ୟ ଚାଲିଛି ।

୧୯୯୯ର ମହାବାତ୍ୟା ବିଗତ ଶତାବ୍ଦୀରେ ସର୍ବାଧିକ ଭୟଙ୍କର ଦୈବୀ ଦଣ୍ଡ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ଖିନଭିନ୍ କରିବା ସହ ସହସ୍ରାଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକଙ୍କୁ ଗୃହହୀନ କରି ଏହା ସବୁ ଦିନ ପାଇଁ ଏକ ଆତଙ୍କର ପରିଚିତି ପାଇଥିଲା ।

ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବାଂଲାଦେଶୀ ଶରଣାର୍ଥୀ । ପ୍ରଭାବିତ ଅଞ୍ଚଳକୁ ସ୍ୱେଛାସେବୀ ସଂସ୍ଥା, ଗଣମାଧ୍ୟମ, ରାଜନେତା ଓ ସ୍ୱାର୍ଥାନ୍ୱେଷୀଙ୍କ ସୁଅ ଛୁଟିଥିଲା ।

ଅତ୍ୟଧିକ ବାହ୍ୟ ହସ୍ତକ୍ଷେପ ସ୍ଥାନୀୟ ଲୋକଙ୍କ ନୈତିକ ମୂଲ୍ୟବୋଧରେ କ୍ରମ ଅବନତି ଆଣି ଖେଲାଇଥିଲା ଦୁର୍ନୀତି ଓ ନୈତିକ ଅଧପତନ । ପ୍ରାରମ୍ଭରେ ଏହି କଥାବସ୍ତୁକୁ ଅତୀତର ପ୍ରତ୍ୟାବର୍ତ୍ତନ ଭାବେ ନିଆଯାଇ ମହାବାତ୍ୟା ବର୍ଷପୂର୍ତ୍ତିରୁ ହିଁ ଅୟମାରମ୍ଭ ହୋଇଛି କାହାଣୀ “କଥାନ୍ତର’ ।

ଏକ ସ୍ୱେଛାସେବୀ ସଂସ୍ଥା ସାହାଯ୍ୟରେ ବାତ୍ୟା ପରବର୍ତ୍ତୀ ଲୋକଙ୍କ ସ୍ଥିତିକୁ ପ୍ରାମାଣିକ ଚତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରିଛନ୍ତି ବଙ୍ଗଳା ଦେଶର ଟିଭି ସାମ୍ବାଦିକ ଦୀପଙ୍କର । ପରିସ୍ଥିତି କ୍ରମରେ ସେ ବାତ୍ୟା ବିଧବା କଳ୍ପନା ସଂସ୍ପର୍ଶରେ ଆସି ତାକୁ ହିଁ ଏକ ସ୍ୱତନ୍ତ୍ର ରିପୋର୍ଟର ମୁଖ୍ୟ କଥାବସ୍ତୁ କରିବାକୁ ଇଛା ପ୍ରକାଶ କରିଛନ୍ତି ।

କଳ୍ପନାର ବାଲ୍ୟାନୁଭୂତି ସମସ୍ତ ବାଂଲାଦେଶୀ ଶରଣାର୍ଥୀଙ୍କ ଭଳି କଷ୍ଟ ଦାୟକ । ଦେଶ ବିଭାଜନ ବେଳେ ବହୁ ଶରଣାର୍ଥୀଙ୍କ ଭଳି କଳ୍ପନାର ପିତା ମଧ୍ୟ ପୂର୍ବ ବଙ୍ଗରୁ ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । ଆଶ୍ରୟ ନେଇଥିବା ଦେଶର ନାଗରିକ ହୋଇ ମଧ୍ୟ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ଲଢ଼େଇ କରିବାକୁ ପଡ଼ୁଥିଲା ।

ଓଡ଼ିଶାରେ ଜନ୍ମିତ କଳ୍ପନା ଅନଟନର ବାଲ୍ୟକାଳ ଛାଡ଼ି ମତ୍ସ୍ୟଜୀବୀ ସ୍ୱାମୀ ସହ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖୁଥିବା ବେଳେ ୧୯୯୯ର ମହାବାତ୍ୟା ତାକୁ ଧୂଳିସାତ୍ କରିଥିଲା ।

ମହାବାତ୍ୟାରେ ପରିବାରକୁ ହରାଇ ସୌଭାଗ୍ୟରେ ବଞ୍ଚି ରହିଥିବା କଳ୍ପନାକୁ ବାଲ୍ୟବନ୍ଧୁ ଅକ୍ଷୟଠାରୁ ଦୃଢ଼ ମାନସିକତାର ପ୍ରୋତ୍ସାହନ ମିଳିଥିଲେ ବି ଜନ୍ମଭୂମିରେ ତାକୁ କିପରି ଏକ ଶୂନ୍ୟତା ଗ୍ରାସିଥିଲା ।

“ଏକଲା ଚଲୋ’ ନୀତିରେ ଜୀବନର ଲଢ଼େଇରେ ହାରି ଯାଇଥିବା କଳ୍ପନା କୌଣସି ପ୍ରଚାରର ମାଧ୍ୟମ ନହେବା ପାଇଁ ସାମ୍ବାଦିକ ଦୀପଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରିଦେଇଛି । ନିରାଶ ଦୀପଙ୍କର ଅସମ୍ପୂର୍ଣ୍ଣ କାହାଣୀ ସହ ଫେରି ଯାଇଛନ୍ତି ନିଜ କର୍ମଭୂମିକୁ ।

ଅନିଶ୍ଚିତ ଭବିଷ୍ୟତ ଲକ୍ଷ୍ୟରେ ଏକାକୀ ଜୀବନ କାଟୁଥିବା କଳ୍ପନା ସ୍ୱେଛାସେବୀ ସଂସ୍ଥାରେ ଛୋଟ ଚାକିରି କରି ଏହି ଲୋଲୁପ ସମାଜରେ ନିଜର ପରିଚୟ ସୁରକ୍ଷା ଚେଷ୍ଟାରେ ଥିଲା । ପରିବାର ସଦସ୍ୟଙ୍କ ମୃତୁ୍ୟ କ୍ଷତିପୂରଣ ପାଇବାକୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅବିରାମ ଦୌଡ଼ରେ ତାର ସମୟ ସୀମିତ ଥିଲା ।

କଳ୍ପନାର ଲଢ଼େଇରେ ସାଥ୍ ଦେଇଥିଲା ସମ୍ପର୍କୀୟ ରୂପା । ମହାବାତ୍ୟା ରୂପାଠାରୁ ସ୍ୱାମୀ ଓ ପିଲାଙ୍କୁ ଛଡ଼ାଇ ନେଇଥିଲେ ବି ଆଶାବାଦୀ ଜୀବନ ଲକ୍ଷ୍ୟରେ ସେ ଆଦରିଥିଲା ଜଣେ ନାମକୁ ମାତ୍ର ସ୍ୱାମୀକୁ ।

ସରକାରୀ କ୍ଷତିପୂରଣ ଅନୁଦାନକୁ ଭୋଗ କରିବା ଆଶାରେ ଆଗେଇ ଆସିଥିବା ତଥାକଥିତ ସ୍ୱାମୀକୁ ନେଇ ରୂପାର ସଂସାର ଅସୁଖୀ ଥିଲା । ତଥାପି ମନପସନ୍ଦର କାହାକୁ ବାଛିବା ପାଇଁ ସେ କଳ୍ପନାକୁ ପ୍ରବର୍ତ୍ତାଇବାରେ ଲାଗିଥିଲା ।

କଳ୍ପନାର ନିରୀହତା, ସୌନ୍ଦର୍ଯ୍ୟ ଏବଂ ଦୃଢ଼ତାରେ ବେଶ୍ ପ୍ରଭାବିତ ହୋଇଥିବା ଦୀପଙ୍କର କେବଳ ତାକୁ ସାକ୍ଷାତର ଅଭୀପ୍ସା ନେଇ ବିନା କ୍ୟାମେରା ୟୁନିଟ୍ରେ ପୁଣି ଦୌଡ଼ି ଆସିଛି ବଙ୍ଗଳା ଦେଶରୁ । ଢ଼ାକାର ଜୀବନ, ପରିବେଶକୁ କଳ୍ପନା ଆଗରେ ବର୍ଣ୍ଣନା କରିବା ସହ ଦୀପଙ୍କର ତାର ଦୁଃଖରେ ଅବସାନ ଘଟାଇ ହାତ ଧରିବାକୁ ଇଛା ପ୍ରକାଶ କରିଛି ।

ଜଣେ ଅଜଣା ଲୋକର ହାତ ଧରିବା ଥିଲା କଳ୍ପନା ପକ୍ଷେ ଅତୀବ କଷ୍ଟକର । କିନ୍ତୁ କ୍ଷତିପୂରଣ ଅର୍ଥ ପାଇଁ ଅବିରାମ ଦୌଡ଼, ଗ୍ରାମ୍ୟ ଯୁବକଙ୍କ ଆଖିରେ ତାର ଚରିତ୍ରର ପ୍ରଶ୍ନ ଏବଂ ସମ୍ପର୍କୀୟା ରୂପାର ସ୍ୱାମୀର ତା’ ପ୍ରତି ଲୋଲୁପ ଦୃଷ୍ଟି ଏ ସବୁକୁ ମନେ ପକାଇ କଳ୍ପନା ନିଜକୁ ଅସହାୟ ମଣିବା ସହ ବୀତସ୍ପୃହ ହୋଇ ଉଠୁଥିଲା ।

ବାଲ୍ୟକାଳ କଟିଥିବା ପରିବେଶରେ ଜଣେ ସୁନ୍ଦରୀ ଅସହାୟା ବିଧବା ଏକାକୀ ଦିନ କାଟିବା କେତେ କଷ୍ଟ ତାହା ରୂପା ଅନୁଭବ କରିପାରି ଦୀପଙ୍କର ପୂର୍ବଜଙ୍କ ଦେଶକୁ ପଳାଇବାକୁ ସେ କଳ୍ପନାକୁ ପ୍ରବର୍ତ୍ତାଇଥିଲା ।

କିନ୍ତୁ ବାଂଲାଦେଶକୁ ଯିବା ପୂର୍ବରୁ କୋଲକାତାର ସଂକ୍ଷିପ୍ତ ରହଣିରେ କଳ୍ପନା ଅନୁଭବ କରିପାରିଛି ଢ଼ାକାର ସହର ସଭ୍ୟତାରେ ସେ ଅଧିକ ଅଣ ନିଃଶ୍ୱାସୀ ହୋଇଯିବ । ବାଲ୍ୟକାଳର ଖୁସି ମୁହୁର୍ତ୍ତ ତାକୁ ସାରା ଜୀବନ ଅସ୍ତବ୍ୟସ୍ତ କରିବ ।

ସେ ବୁଝି ପାରିଛି ତାକୁ ବିବାହ କରିବା ପଛରେ ଅଛି ଦୀପଙ୍କରର ଉଚ୍ଚକାଂକ୍ଷା । କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୀପଙ୍କର କେବେ ତାର ଦୁଃଖଦ ଅନୁଭୂତିକୁ ଦୂରେଇବାରେ ସଫଳ ହେବନାହିଁ ।

ଏହି ଚିନ୍ତାଧାରାକୁ ପାଥେୟ କରି କଳ୍ପନା ଫେରି ଆସିଛି ଜନ୍ମଭୂମିକୁ । ତେବେ ଆସିବା ପୂର୍ବରୁ ଦୀପଙ୍କରର ସ୍ୱତନ୍ତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ କାହାଣୀକୁ କଳ୍ପନା ଏକ ରେକର୍ଡ଼ିଂ କରି ରଖି ଆସିଛି ।

କିନ୍ତୁ କଳ୍ପନା ପ୍ରତି ଥିଲା ଭାଗ୍ୟର ବିଦ୍ରୁପ । ଜନ୍ମସ୍ଥାନକୁ ଫେରିବା ବେଳକୁ ସ୍ଥିତିରେ ଓଲଟ ପାଲଟ ହୋଇ ସାରିଥିଲା । ବାଂଲାଦେଶୀ ଶରଣାର୍ଥୀଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୩୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ଅଧିକାର ସାବ୍ୟସ୍ତକରିବାକୁ ଚାଲିଥିଲା ବିକ୍ଷୋଭ ପ୍ରତିବାଦ । ଗ୍ରାମରେ ପହଞ୍ଚିବା ମାତ୍ରେ ତାକୁ ମଧ୍ୟ ନୋଟିସ ମିଳିଥିଲା ।

ତଥାପି କଳ୍ପନା ସମସ୍ତ ପ୍ରତିକୂଳ ସ୍ଥିତିରେ ନିଜ ଅଧିକାର ପାଇଁ ଲଢ଼େଇ କରି ବଞ୍ଚିବାର ଲକ୍ଷ୍ୟରେ ଜନ୍ମଭୂମିକୁ ଆଦରି ନେଇଛି । ଏହିଠାରେ ହିଁ ଶେଷ ହୋଇଛି “କଥାନ୍ତର’ର କଥା….. । ଆରମ୍ଭ ହୋଇଛି ଅନ୍ୟ ଏକ କାହାଣୀ…. ।

ଚଳଚ୍ଚିତ୍ରର ଏକମାତ୍ର ସଙ୍ଗୀତ “ନଦୀରେ ନଦୀରେ…’କୁ ଗାଇଛନ୍ତି ସ୍ୱରୂପ ନାୟକ । ଚଳଚ୍ଚିତ୍ରର ବିତରଣ ଦାୟିତ୍ୱରେ ଅଛନ୍ତି କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ।

ଜଗତସିଂହପୁର ଜିଲ୍ଲାର ଏରସମା ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମହାକାଳପଡ଼ା ତଥା ନିକଟବର୍ତ୍ତୀ ଗ୍ରାମ, କୋଲକାତା ଏବଂ ଭୁବନେଶ୍ୱରରେ “କଥାନ୍ତର’ର ସୁଟିଂ କରାଯାଇଛି ।

ଏହାର ବିଭିନ୍ନ ଭୂମିକାରେ ଅଛନ୍ତି, ଅନୁ ଚୌଧୁରୀ (କଳ୍ପନା), ଭାସ୍ୱତୀ ବାସୁ (ରୂପା), ରାଶେଷ ମହାନ୍ତି (ଅକ୍ଷୟ), ଦେବପ୍ରସାଦ ଦାଶ (ଦୀପଙ୍କର), ଚୌଧୁରୀ ବିକାଶ ଦାସ (ବିକାଶ ମଣ୍ଡଳ), ମିହିର ସ୍ୱାଇଁ (ମିହିର) ଏବଂ ରଞ୍ଜିତ(ରଞ୍ଜିତ) ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତି ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମାଂଶୁ ଖଟୁଆ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

Primary Sidebar

RSS LATEST

  • MO school to promote scientific learning
  • ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
  • ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ
  • ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ
  • ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା
  • ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ସମନ୍ଵୟ ବୈଠକ
  • ନାବାଳିକା ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ
  • ଖୋର୍ଦ୍ଧାରେ ଆଜିକାର ତାପମାତ୍ରା ୩୫ ଡିଗ୍ରୀ
  • ଗୋପାଳପୁରରେ ଆଜିକାର ତାପମାତ୍ରା ୩୩.୨ ଡିଗ୍ରୀ
  • ପାରାଦୀପରେ ଆଜିକାର ତାପମାତ୍ରା ୩୪.୪ ଡିଗ୍ରୀ