• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଉତ୍ସବ

ସୁବର୍ଣପୁରର ଲଂକାପୋଡି ଉତ୍ସବ; ଏକ ନିଆରା ପରମ୍ପରା

September 3, 2017 by ଓଡିଶା ଡଟ କମ 1 Comment

kedar3

କେଦାର ମିଶ୍ର

ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ ।  ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ।

ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ ।

ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ ।
kedar2
ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ।

ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା-

୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ ।

ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ ।

୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି।

ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ ।

kedar1
୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ ।

ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି ।

୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ।

ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ ।

୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।

୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି ।

କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି ।

୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି ।

୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି ।

୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ।

୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି ।

ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି ।

 

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ Tagged With: ଉତ୍ସବ, ଟେରାକୋଟା, ନିଆଁ, ପରମ୍ପରା, ଲଂକାପୋଡି, ସୁବର୍ଣପୁର, ହନୁମାନ

ସାମ୍ବାଦିକ ଅରୁଣ କୁମାର ପଣ୍ଡା ପାଇବେ ନାରଦ ସମ୍ମାନ

May 4, 2015 by News Bureau Leave a Comment

ଭୁବନେଶ୍ୱର, ଏପ୍ରିଲ ୪ (ଓଡିଶା ଡଟ କମ) ଯାବତୀୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଅବିଚଳିତ ନିଷ୍ଠାର ଏକ ଯଶସ୍ୱୀ ପ୍ରତିଭାର ପରିଚିତ ପ୍ରଦାନ କରିଥିବାରୁ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭଲେଖକ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ବିଶ୍ଵ ସଂବାଦ କେନ୍ଦ୍ର ‘ନାରଦ ସମ୍ମାନ-୨୦୧୫’ ପାଇଁ ମନୋନୀତ କରିଛି ।

Arun pandaତାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ମଇ ଛଅ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ପଣ୍ଡା ବହୁ ବର୍ଷ ଧରି ରାଜ୍ୟର ପ୍ରମୁଖ ଓଡିଆ ସଂବାଦପତ୍ର ସମାଜର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।

ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ,ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ,ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି ଓ ଜଗବନ୍ଧୁ ମିଶ୍ର ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଉତ୍ସବ, ନାରଦ ସମ୍ମାନ, ସାମ୍ବାଦିକ, ସାଂସ୍କୃତିକ

ଛଅ ମଇରେ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ

April 24, 2015 by News Bureau Leave a Comment

ଭୁବନେଶ୍ୱର, ୨୪ ଏପ୍ରିଲ (ଓଡିଶା ଡଟ କମ) ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବ ଆସନ୍ତା ୬ ମେ ୨୦୧୫ରିଖ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବ ।

ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେବେ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

ସେ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହି ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ ।

ଗଣତାନ୍ତ୍ରୀକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା ଏହି ଉତ୍ସବ ର ଉଦ୍ଦେଶ୍ୟ ।

ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ ।

ଦୀର୍ଘ ୧୩ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଉତ୍ସବ, ଗଣତନ୍ତ୍ର, ରାଜ୍ୟସ୍ତର, ସଂସ୍କୃତି

ପ୍ରତିଷ୍ଠା ଦିବସ: ଭୁବନେଶ୍ୱରକୁ ସମୃଦ୍ଧ ସହର କରିବାପାଇଁ ଆହ୍ୱାନ

April 13, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୩ ( ଓଡିଶା ଡଟ କମ) ରାଜଧାନୀ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ଓ ସମୃଦ୍ଧ ସହରରେ ପରିଣତ କରିବା ପାଇଁ ୬୭ତମ
ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ସୋମବାର ବହୁ ବିଶିଷ୍ଟ ବ୍ୟକ୍ତି ଆହ୍ୱାନ ଜଣାଇଛନ୍ତି ।

ରାଜଧାନୀର ଯୋଜନାବଦ୍ଧ ବିକାଶ ଘଟାଇ ଏହାକୁ ଦେଶର ଏକ ଅଗ୍ରଗଣ୍ୟ ନଗରୀରେ ପରିଣତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ।

R1ରାଜ୍ୟ ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଭୁବନେଶ୍ୱରର ଗୌରବମୟ ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ । ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇ ବାଚସ୍ପତି କହିଥିଲେ ଯେ, ରାଜଧାନୀ ହେଉଛି ରାଜ୍ୟ ପାଇଁ ପରିଚୟ ଏବଂ ଗୌରବର ସ୍ଥଳ ।

ଏହାକୁ ସରସ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସମସ୍ତେ ମିଶି ଏ ଦିଗରେ ସଂକଳ୍ପବଦ୍ଧ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଡା. ଦାମୋଦର ରାଉତ ଭୁବନେଶ୍ୱରର ଅତୀତ ଇତିହାସ ଏବଂ ଗୌରବମୟ ପରମ୍ପରା ସଂପର୍କରେ ସାରଗର୍ଭକ ଭାଷଣ ଦେଇ କହିଥିଲେ ଯେ, ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବକୁ ସରକାରୀସ୍ତରରେ ପାଳନ କରାଯିବା ଅପେକ୍ଷା ବର୍ତ୍ତମାନ ଭଳି ବେସରକାରୀସ୍ତରରେ ପାଳନ କରାଗଲେ ଏହା ଅଧିକ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ବୋଲି ସେ କହିଥିଲେ ।

ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସୂଚନା ଓ ଲୋକସଂପର୍କ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ରାଜ୍ୟର ମର୍ଯ୍ୟାଦା ନିର୍ଭର କରୁଥିବାରୁ ଏଥିପାR3ଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ବିଏମସି ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ପୋଲିସ୍ ମହାନିର୍ଦେଶକ ସଂଜୀବ ମାରିକ, ଖୋର୍ଦ୍ଧା ଜିଲ୍ଲପାଳ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ, ଉପ ଜିଲ୍ଲାପାଳ ବିନୟ କୁମାର ଦାଶ, ସୈନିକ ସ୍କୁଲର ଅଧ୍ୟକ୍ଷ ଅଜୟ ଗୁପ୍ତା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ବ୍ଲକ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଏବଂ ୟୁନିଟ୍ ୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୋନାମିକା ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସାଧାରଣ ସଂପାଦକ ସାମ୍ବାଦିକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇ ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାଭାବେ ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।
କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ -୨୦୧୫’ ପ୍ରଦାନ କରାଯାଇଥିଲା ।

ସେମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ଚିକିତ୍ସିତ ଡା. ଅଜୟ କୁମାର ମିଶ୍ର, ଶିଳ୍ପପତି ସ୍ୱର୍ଗତଃ ଜଗଦୀଶ
ବୁଦ୍ଧରାଜ (ମରଣୋତ୍ତର), ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ, କ୍ରୀଡ଼ାବିତ ଦୂତୀଚାନ୍ଦ, ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଜିନା ସାମଲ, ବୈଜ୍ଞାନିକ ଡଃ ଗୌରାଙ୍ଗ କର, ନାଲ୍କୋର ସିଏମ୍ଡି ଅଂଶୁମାନ ଦାସ, ଶ୍ରେଷ୍ଠ ସେବିକା ରୀନାମଣି ବେହେରା, ଶ୍ରେଷ୍ଠ ପୋଷ୍ଟମ୍ୟାନ୍ ରମେଶ ଚନ୍ଦ୍ର ସାମନ୍ତରାୟ, ଶ୍ରେଷ୍ଠ ଟ୍ରାଫିକ୍ କନଷ୍ଟେବଳ ଜସମନ ନାୟକ ଓ ଶ୍ରେଷ୍ଠ ଝାଡ଼ୁଦାର ସୁଦାମ ଗୋଚ୍ଛାୟତ ।

ଏହି ବେସାମରିକ ପ୍ୟାରେଡ ରାଜଧାନୀର ମୋଟ୍ ୫୫ଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁଷମା ମହାନ୍ତି ପ୍ୟାରେଡ୍ କମାଣ୍ଡାଣ୍ଟ ଭାବେ ଏହାକୁ ପରିଚାଳନା କରିଥିଲାବେଳେ ତାଙ୍କୁ ସହାୟତା କରିଥିଲେ ହରପି୍ରୟା ଦାସ, ପ୍ରେମଲତା ନାୟକ ଓ ପ୍ରଭାତୀ କୁମାରୀ ଉଦୟସିଂ ।

କଲେଯ ସ୍ତରର ସର୍ବଶ୍ରେଷ୍ଠ ଦଳ ଭାବେ ସୈନିକ ସ୍କୁଲ ପାଇଥିବା ବେଳେ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ୍ କଲେଜ୍, ପଟିଆ ଦ୍ୱିତୀୟ ଓ ଏକାମ୍ର କଲେଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଦ୍ୟାଳୟସ୍ତରରେ ବାଳିକା ବିଭାଗରେ ୟୁନିଟ୍ ୨ ସ୍ଥିତ କ୍ୟାପିଟାଲ୍ ଗାର୍ଲ୍ସ ହାଇସ୍କୁଲ ଓ ୟୁନିଟ୍ ୩ ସ୍ଥିତ ସତ୍ୟସାଇ ଗାର୍ଲସ ହାଇସ୍କୁଲ ପ୍ରଥମ, ୟୁନିଟ୍ ୪ ସ୍ଥିତ
ସରକାରୀ ବାଳିକା ବିଦ୍ୟାଳୟ ଦ୍ୱିତୀୟ, ୟୁନିଟ୍ ୮ ସରକାରୀ ବାଳିକା ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିଲେ ।

ବିଦ୍ୟାଳୟସ୍ତରରେ ବାଳକ ବିଭାଗରେ ପୁରୁଣା ଭୁବନେଶ୍ୱରସ୍ତିତ ବିଏମ୍ ହାଇସ୍କୁଲ ପ୍ରଥମ, ୟୁନିଟ୍ ୧ ସ୍ଥିତ ସରକାରୀ ହାଇସ୍କୁଲ ଦ୍ୱିତୀୟ ଓ ୮ନଂ ସରକାରୀ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ପବ୍ଲିକ ସ୍କୁଲ ସ୍ତରରେ ଖଣ୍ଡଗିରିର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାଳିକା ବିଭାଗ ପ୍ରଥମ, ଓ ସେହି ସ୍କୁଲର ବାଳକ ବିଭାଗ ଦ୍ୱିତୀୟ ଏବଂ
ସୈନିକ ସ୍କୁଲର ପ୍ରଥମ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଓଡ଼ିଶା ସ୍କେଟିଂ ଏକାଡେମୀକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ଖୋଜାଖୋଜି ଡଟ୍ କମ ପରିଚାଳନା ନିଦେ୍ର୍ଧଶକ ସରୋଜ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଓ ତାଙ୍କ ଦ୍ୱାରା ପ୍ରାୟୋଜିତ ରାଜଧାନୀ ପ୍ରତିଷ୍ଠା କମିଟିର ନିଜସ୍ୱ ୱେବସାଇଟ ଙ୍ଗଙ୍ଗଙ୍ଗ.ମୟମମଭଭଗ୍ଦକ୍ସ.ମକ୍ଟଜ୍ଞ କୁ ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀ ପୂଜାରୀ ଉନ୍ମୋଚନ କରିଥିଲେ ।

ସେକ ତାଜୁଉଦ୍ଧିନ୍ ଅହମ୍ମଦ ଉତ୍ସବକୁ ସଂଯୋଜନା କରିଥିବା ବେଳେ ଗୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ଦାସ, କମଳ କୁମାର ସାହୁ, ପ୍ରଭାସ ରଂଜନ
ଦାସ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ୍ ଉତ୍ସବକୁ ପରିଚାଳନା କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବଭବନ ଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ ।

ଏଥିରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦେଶକ ରାମଶଙ୍କର ବେହେରା ଓ ସହକାରୀ ନିର୍ଦେଶକ ବିପିନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି, ସଭା ସମିତି Tagged With: ଉତ୍ସବ, ଖୋର୍ଦ୍ଧା, ଡା. ଦାମୋଦର ରାଉତ, ବିଏମସି, ରାଜଧାନୀ, ସାମ୍ବାଦିକ

ଓଡ଼ିଶୀ ନୃତ୍ୟ ସମ୍ଭାରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ

January 14, 2013 by ଓଡିଶା ଡଟ କମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୪(ଓଡିଶା ଡଟ୍ କମ୍ )- ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍ଘାଟନ ହୋଇଥିଲା ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନାରୁ । ଉକ୍ତଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ତୁଳସୀ ଦାସଙ୍କ ରଚନାରୁ ନମାମୀଶ ମୀଶାନ ନିର୍ବାଣ ରୂପଂ ଶିବ ସ୍ତୃତି ପରିବେଷଣ କରିଥିଲେ ।

ଏହି ସମବେତ ସଙ୍ଗୀତକୁ ନୀର୍ଦେଶନା ଦେଇଥିଲେ ଗୁରୁ ବିଜୟ କୁମାର ଜେନା । ପରବର୍ତୀ କାର୍ଯ୍ୟକ୍ରମ ଥିଲା ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗୀତା ଦାଶ ।

ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ବେଦସାର ଶିବସ୍ତୋତ୍ରମ । ଏଥିରେ ଦେବଦେବ ମହାଦେବଙ୍କର ରୂପ ଗୌରବ ମହିମାକୁ ଅତି ଚମକ୍ତାର ଭାବରେ ପରିବେଷଣ କରିଥିଲେ । ଯାହା ରାଗ କୌଶିକ ଆହାର ଏବଂ ତାଳ ଯତି ଉପରେ ନିବଦ୍ଧ ଥିଲା ।

ଗୁରୁ ରାମହରି ଦାସଙ୍କ ସ୍ୱର ସଂଯୋଜନା ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଜନାରେ ସଙ୍ଗୀତା ନିଜେ ନୃତ୍ୟ ସଂଯୋଜନା କରିଥିଲେ । ତାଙ୍କର ପରବର୍ତୀ କାର୍ଯ୍ୟକ୍ରମ ଥିଲା ଅଭିନୟ । କବି ବନମାଳୀଙ୍କ ରଚନାରୁ ସେ ରାଧାକୃଷ୍ଣ ମିଳନର ଏକ କାବି୍ୟକ ଏବଂ ରସୋତିୀର୍ଣ୍ଣ ପରିବେଷଣ କରିଥିଲେ ।

ଏହା ରାଗ କିରବାଣୀ ଏବଂ ତାଳ ଯତି ଉପରେ ଆଧାରିତ । ଏହାର ସ୍ୱର ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଏବଂ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସଂଯୁକ୍ତା ରାଗ ହଂସକଲ୍ୟାଣ ଓ ମଠା ତାଳରେ ପଲ୍ଲବୀ ପରିବେଷଣ କରିଥିଲେ ।

ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ । ତାଙ୍କର ଦ୍ୱିତୀୟ ଅର୍ଘ୍ୟ ଥିଲା ଶଙ୍କରାଚାର୍ଯ୍ୟ କୃତ ଭବାନୀ ଭୁଜଙ୍ଗ ସ୍ତୋତ୍ରମ ।

ଯେଉଁଥିରେ ସେ ଶଙ୍କର ଓ ଭବନୀଙ୍କର ନୀରାଜନାକୁ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଓଡ଼ିଶୀ ଗାଥା ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ନୃତ୍ୟ ଶିଳ୍ପୀମାନେ । ଏଥିରେ ମନ୍ଦିରରୁ ମଂଚ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟର ବିବର୍ତନକୁ ଅତି ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ମାହାରି ଶୈଳୀରୁ ଆରମ୍ଭ କରି ମଙ୍ଗଳା ଚରଣ, ପଲ୍ଲବୀ, ସ୍ଥାୟୀ, ଅଭିନୟ ଓ ମୋକ୍ଷ ଆଦିର ଝଲକ ଦେଖାଇଥିଲେ । ପରେ ପରେ ରାମାୟଣ ବିଭନ୍ନ ପ୍ରସଙ୍ଗକୁ ନେଇ ପରିବେଷଣ କରିଥିଲେ ନବରଶ । ଏଥିରେ କଣ୍ଠ ଦାନ କରିଥିଲେ ରୂପକ ପରିଡ଼ା ଓ ନାଜିଆ ଆଲାମ । ମର୍ଦ୍ଧଳରେ ସହଯୋଗ କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ବେହେଲାରେ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ ଓ ମଞ୍ଜିରାରେ ସୀତାକାନ୍ତ ଜେନା ।

ଉଦଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଆମେରିକାର ଦୃତାବାସର ରାଷ୍ଟ୍ରଦୂତ ନାନସି ଯେ ପାଓଲ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ପର୍ଯଟନ, ମନୋରଞ୍ଜନ Tagged With: ଉତ୍କଳ, ଉତ୍ସବ, ନୃତ୍ୟ, ମହାବିଦ୍ୟାଳୟ, ମୁକ୍ତେଶ୍ୱର, ସଙ୍ଗୀତ

ଭୁବନେଶ୍ୱର ନେହେରୁ ପାର୍କରେ ମକର ଉତ୍ସବ

January 14, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୪(ଓଡିଶା ଡଟ୍ କମ୍)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ତରଫରୁ ୬୦ଟି ସ୍ଥାନରେ ମକର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ବୋଲି ସଂଘର ମିଡିଆସେଲ ରାଜ୍ୟ ସଂପାଦକ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।

ସଂଘର ଚନ୍ଦନ ହଜୁରୀ ପ୍ରଭାତ ଶାଖା ତରଫରୁ ମାଷ୍ଟର କ୍ୟାଣ୍ଟିନସ୍ଥିତ ନେହେରୁ ପାର୍କ ଠାରେ ଆଜି ସକାଳେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ଶାଖାର ମୁଖ୍ୟ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ସମାଜସେବୀ ତଥା ଇଞ୍ଜିନିୟର ଜ୍ଞାନ ରଞ୍ଜନ ନାୟକ ମୁଖ୍ୟଅତିଥିରୂପେ ଯୋଗଦେଇ ମକର ଉତ୍ସବ ମହତ୍ୱ ସଂପର୍କରେ ପ୍ରକାଶ କରିଥିଲେ ।

ସେହିପରି ସ୍ଥାନୀୟ ଖାରାବେଳ ନଗରସ୍ଥିତ ୟୁନିଟ-୩ ରିକ୍ରେସନ ପଡିଆରେ ଗୁରୁନାନକ ସାଂୟ ଶାଖା ତରଫରୁ ସଂଧ୍ୟାରେ ମଧ୍ୟ ଏକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ନାଗାସନ୍ଥ ତଥା ରାଜ୍ୟ ଗୋରକ୍ଷା ସେଲର ମୁଖ୍ୟ ସନ୍ଥ କୃଷ୍ଣଦାସ ମୁଖ୍ୟ ଅତିଥିରୂପେ ଯୋଗଦେଇ ମକର ବିଷୟରେ ପ୍ରବଚନ ଦେଇଥିଲେ ।

ସଂଘ ତରଫରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସମସ୍ତ ଉତ୍ସବରେ ମକର ଚାଉଳ ଭୋଗ କରାଯାଇଥିଲା । ଏହି ଭୋଗକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଛୁଆଁ ଅଛୁଁଆ ଭେଦଭାବ ନମାନି ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହୋଇ ଏହି ପ୍ରସାଦ ସେବନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଉତ୍ସବ, ଚାଉଳ, ନେହେରୁ ପାର୍କ, ଭୋଗ, ମକର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ