ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସମେତ ଅନ୍ୟ କେତେକ ସ୍ଥାନର ଏକ ଶହ ବର୍ଷ ତଳର ବ୍ରିଟିଶ ଶାସନ ସମୟର ଐତିହାସିକ ଫଟୋଚିତ୍ର ଗୁଡ଼ିକ ସ୍କଟଲ୍ୟାଣ୍ଡ ମ୍ୟୁଜିୟମ୍ ରେ ରଖାଯାଇଛି ।
ନିକଟରେ ଇଡ଼ିନ୍ବର୍ଗରେ ଏକ ଜୋତା ବାକ୍ସରୁ ଏଗୁଡ଼ିକୁ ଉଦ୍ଧାର କରାଯାଇଛି । ରଏଲ କମିଶନ ଅନ୍ ଦି ଆନ୍ସିଆନ୍ଟ ଆଣ୍ଡ ହିଷ୍ଟୋରିକାଲ ମୁମେଣ୍ଟ ଅଫ୍ ସ୍କଟଲ୍ୟାଣ୍ଡ(ଆର୍ସିଏଏଚ୍ଏମ୍ଏସ୍) ଦ୍ୱାରା ସମୁଦାୟ ୧୭୮ଟି ନେଗେଟିଭ୍ ଉଦ୍ଧାର କରାଯାଇଛି ।
୫/୮ ଇଞ୍ଚ ପ୍ଲେଟ ବାକ୍ସ ଭିତରେ ୧୯୧୪ ମସିହାର ଦୀ ଷ୍ଟେଟ୍ସମ୍ୟାନ୍ ଖବର କାଗଜରେ ଏହି ନେଗେଟିଭ୍ ଗୁଡ଼ିକ ରଖାଯାଇଥିଲା ।
ଏହି ଐତିହାସିକ ଫଟୋ ଗୁଡ଼ିକ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ । ତାଙ୍କ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି ।
ଏଗୁଡ଼ିକ ମଧ୍ୟରେ ୧୯୧୨ରେ ରାଜା ଜର୍ଜ ୫ ଏବଂ ରାଣୀ ମେରୀ କଲିକତା ପରିଦର୍ଶନରେ ଆସିବା, ଏକ ଧାର୍ମିକ ଉତ୍ସବରେ ତୀର୍ଥଯାତ୍ରୀମାନେ ଏକତ୍ରିତ ହୋଇଥିବା, ପୁରୀ ଜଗନ୍ନାଥ ମନ୍ଦିର ବାହାରେ ବ୍ୟବସାୟୀମାନେ ସାମଗ୍ରୀ ବିକ୍ରି କରୁଥିବା ଆଦି ଫଟୋଚିତ୍ର ରହିଛି ।
ସେହିପରି ହାୱଡ଼ା ଷ୍ଟେସନରେ ଶ୍ରମିକମାନେ ଗାଡ଼ି ଟାଣୁଥିବା, ଦାର୍ଜିଲିଂରେ ଏକ ଘର ବାହାରେ ଜଣେ ମହିଳା ଛିଡ଼ା ହୋଇଥିବା ଫଟୋଚିତ୍ର ରହିଛି ।
ଓଡ଼ିଶା ଡ଼ଟ୍ କମ୍
ସୌଜନ୍ୟ: ଆର୍ସିଏଏଚ୍ଏମ୍ଏସ୍