• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଆ ଜାତି

ଓଡ଼ିଆଙ୍କ ଅସଲ ଅସ୍ତିତ୍ୱର ନକଲ ଉତ୍ତରଣ!

June 26, 2018 by ଦେବେନ୍ଦ୍ର ପୃଷ୍ଟି Leave a Comment

 

ଏହା ‘ଓଡ଼ିଆ’ର ଦୋଷ ନୁହେଁ, ଓଡ଼ିଆଙ୍କ ଦୋଷ । ଜଣେ ଓଡ଼ିଆର ଦୋଷ ନୁହେଁ, ଓଡ଼ିଆ ଜାତିର ଦୋଷ । ସ୍ୱାଭିମାନହୀନ ଏକ ଜାତି ମଝିରେ ମଝିରେ ଏମିତି ଝଟ୍କା ପାଏ, ରୁଷ୍ଟ ହୁଏ, ପୁଣି ଶୋଇ ପଡ଼େ ।

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଦୂଷଣ ସୋନା ମହାପାତ୍ରଙ୍କଠାରୁ ଆରମ୍ଭ ହୋଇନାହିଁ । ସୋନା ମହାପାତ୍ରଙ୍କଠାରେ ମଧ୍ୟ ତାହାର ଶେଷ ହେବ ବୋଲି ଆଶା କରାଯାଇ ପାରିବ ନାହିଁ ।

ଭକ୍ତ ସାଲବେଗଙ୍କ ଆହେ ନୀଳ ଶଇଳ ଭଜନକୁ ସୋନା ଯେପରି ଶାବ୍ଦିକ ବିକୃତି ସହିତ ଗାଇଛନ୍ତି ତାହା ନିଶ୍ଚୟ ନିନ୍ଦନୀୟ । କିନ୍ତୁ ଏଭଳି ଶାବ୍ଦିକ ବିକୃତି କେବଳ ସୋନାଙ୍କର କପି ରାଇଟ୍ ନୁହେଁ ।

ଓଡ଼ିଶାର ଅଧିକାଂଶ ସହରୀ, ବିଶେଷକରି ଇଂରାଜୀ ମାଧ୍ୟମରେ ଶିକ୍ଷାଲାଭ କରିଥିବା ପ୍ରତିଟି ପରିବାରରେ ଦେହସୁହା ହୋଇଗଲାଣି । ଏହା ସେମାନଙ୍କ ପାଇଁ ସମ୍ଭ୍ରାନ୍ତ ଓ ଶିକ୍ଷିତର ମର୍ଯ୍ୟାଦା ଭାବେ ବିବେଚିତ ହେଉଛି ।

ଜଗନ୍ନାଥଙ୍କୁ ଜଗର୍ନାଥ କହିବା ଯେମିତି ଓଡ଼ିଆରେ ଦୋଷାବହ ବାପାଙ୍କୁ ଡାଡ ବା ଡେଡ୍ କହିବା ମଧ୍ୟ ସେହିପରି ଭାଷା ଓ ସଂସ୍କୃତିର ପ୍ରଦୂଷଣ । ସମ୍ଭ୍ରାନ୍ତ ଓ ଶିକ୍ଷିତ ଓଡ଼ିଆଙ୍କ ଘରେ କେହି ନିଜ ପିଲାଙ୍କର ଏପରି ସମ୍ବୋଧନକୁ ବିରୋଧ କରନ୍ତି କି? ଭୁବନେଶ୍ୱରକୁ ଭୁନେଶ୍ୱର, କଟକକୁ କଟ୍ଟକ୍, ଯାଜପୁରକୁ ଯାସପୁର କହିବା ଲୋକମାନେ ମଧ୍ୟ ଓଡ଼ିଆ ।

ଘରକୁ ଭିଲ୍ଲା ବା ବାଙ୍ଗେ୍ଲା, କଂକ୍ରିଟ ବସାକୁ ଫ୍ଲାଟ୍, ରାସ୍ତାକୁ ରୋଡ଼, ରାଜପଥକୁ ହାଇୱେ ଭାବେ ଲୋକପ୍ରିୟ କରିଥିବା ଓଡ଼ିଆମାନେ ଆଧୁନିକ ବିକାଶର ପ୍ରତିଟି ପାହାଚ ଦେଇ ନିଜର ଜାତୀୟତା ହରେଇ ଚାଲିଛନ୍ତି ।

ଭଲ ପାଉଥିବା ଲୋକର ଭୁଲ ବା ଭଲ ପାଉଥିବା ଭାଷା ଓ ସଂସ୍କୃତିର ଦୋଷତ୍ରୁଟିକୁ ନଦେଖିପାରିବା କିମ୍ବା ତା’ ବିରୋଧରେ ନିର୍ଣ୍ଣାୟକ ପ୍ରତିକ୍ରିୟା ପ୍ରକାଶ ନକରିବା ଓଡ଼ିଆଙ୍କର ଚିରନ୍ତନ ଅଭ୍ୟାସ, ଏହା ସେମାନଙ୍କର ଡିଏନଏ ।

ସବୁ ସହ୍ୟ କରିବାର ଏଇ ଗୁଣସୂତ୍ର ଯୋଗୁଁ ଓଡ଼ିଶାର ପ୍ରତିଟି ସହରରେ ଏବେ ଇଂରାଜୀ ଫଳକର ପ୍ରାବଲ୍ୟ । ରାସ୍ତାଘାଟ, ଦୋକାନବଜାର, ସିରସ୍ତାଦପ୍ତର ସବୁଠି ଏବେ ଇଂରାଜୀର ପ୍ରାବଲ୍ୟ, ଠିକ ଯେମିତି ଦିନେ ପାର୍ସୀର ପ୍ରାବଲ୍ୟ ଥିଲା ।

ନିଜକୁ ଛାଡ଼ି ଅନ୍ୟକୁ ଗ୍ରହଣ କରିବା ଓ ଅନୁସରଣ କରିବାର ଏଇ ଗୁଣ ଯୋଗୁଁ ଅନେକ ସମୟରେ ଗାଁ କନିଆମାନେ ସିଙ୍ଘାଣିନାକୀ ହୋଇଯାଆନ୍ତି ଓ ସିଙ୍ଘାଣିନାକୀମାନେ ସୁତୁରୀ ସୁନ୍ଦରୀ ଭଳି ବୋଧ ହୁଅନ୍ତି!

ଏହି ଗୁଣସୂତ୍ରର ଅନ୍ୟ ପ୍ରକାର ଉତ୍ତରଣ ହେଉଛି ବିଶ୍ୱପ୍ରେମ, ବାତ୍ସଲ୍ୟ ମମତା, ଭଲ ପାଇବାର ସର୍ବଂସହା ପ୍ରବୃତ୍ତି । ଏହି ପ୍ରେମ ଓ ପ୍ରବୃତ୍ତି ଭିତରେ ପଡ଼ି ଜଗନ୍ନାଥ ଜଗା ହୋଇଯାଆନ୍ତି, ଜଗା ବି ହୋଇଯାଆନ୍ତି ଜଗୁନି! କଳା ଠାକୁର କାଳିଆ ସାଆନ୍ତରେ ଏବଂ କାଳିଆ ସାଆନ୍ତ କାଳିଆ ହାତୀରେ ପରିଣତ ହେବା ମଧ୍ୟ ଏଇ ପ୍ରେମ ଓ ପ୍ରବୃତ୍ତିର ପରିପ୍ରକାଶ ।

ଓଡ଼ିଆମାନେ ତାଙ୍କୁ କାଳସର୍ପ ଭାବେ ସମ୍ବୋଧନ କରିପାରନ୍ତି । ଏପ୍ରକାର ଭଲ ପାଇବା ବୋଧହୁଏ ଓଡ଼ିଶାର ଏକ ଅନନ୍ୟ ସଭ୍ୟତାଗତ ପରମ୍ପରା ।ଏ ପ୍ରକାର ଭାବ କିମ୍ବା ଅଭାବ(?) ବୋଧରୁ ଗଣମାଧ୍ୟମରେ ଅବିନାଶମାନେ ଅଭିନାଶ, ବିନୀତମାନେ ଭିନୀତ, ଅମୃତାମାନେ ଅମ୍ରିତା, କୃଷ୍ଣମାନେ କ୍ରୀଷ୍ଣା ଓ ଲକ୍ଷ୍ମୀମାନେ ଲକ୍ସମୀରେ ନାମାନ୍ତରିତ ହୋଇଯାଆନ୍ତି ।

ଏଭଳି ସାମାଜିକ ଓ ସାଂସ୍କୃତିକ ସ୍ଖଳନ କିମ୍ବା ବିବର୍ତ୍ତନ ଭିତରେ ମତ୍ତ କେତେବେଳେ ମାତ୍ତ ହୋଇଯାଏ, ଜଣାଣ ବି ଜନନ ପରି ବୋଧହୁଏ! ଅଣଓଡ଼ିଆଙ୍କ ଆଗରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଭୟ କିମ୍ବା ଲଜ୍ଜା ଅନୁଭବ କରୁଥିବା ଲୋକମାନେ ଅନେକ ସମୟରେ ପାଟିରେ ଗୁଆ ପୂରେଇ ଭ୍ରଷ୍ଟ ଓ ଖଣ୍ଡି ଓଡ଼ିଆ କହିବାକୁ ବୁଦ୍ଧିମାନର କାମ ଭାବେ ବିବେଚନା କରିଥାନ୍ତି । ଅଥଚ ନିଜ ଉପରକୁ ଆସିଲେ କେହି ଦୋଷ ମୁଣ୍ଡେଇବାକୁ ପ୍ରସ୍ତୁତ ନଥାନ୍ତି ।

ଓଡ଼ିଆମାନେ କହନ୍ତି, ଜଗନ୍ନାଥ ସେମାନଙ୍କର ଆରାଧ୍ୟ ଦେବତା । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ ଅସ୍ତିତ୍ୱର ପ୍ରାଣକେନ୍ଦ୍ର । କିନ୍ତୁ ଏଇ ଓଡ଼ିଆଙ୍କ ଭିତରେ ଅଛନ୍ତି ବାର ଜାତି ତେର ଗୋଲା । ଏମିତିକି ମନ୍ଦିର ଭିତରେ ଛତିଶା ନିଯୋଗ । କାହା ସହିତ କାହାର ପଡ଼େ ନାହିଁ ।

ଜଗନ୍ନାଥଙ୍କୁ କୁଣ୍ଡାପିଠା ଖୁଆଇ ଓଡ଼ିଆମାନେ କେକ୍ କାଟି ପାରନ୍ତି । ତାଙ୍କୁ ପାଟମଠାର ଧୋତି ସଅଁପି ଓଡ଼ିଆମାନେ ଜିନ୍ସ ଓ ଜ୍ୟାକେଟ ପିନ୍ଧି ପାରନ୍ତି । ତାଙ୍କ ମୁଣ୍ଡରେ ଟାହିଆ ବାନ୍ଧି ଓଡ଼ିଆମାନେ ଇଂଲିଶ ଟୋପି ଚଢ଼େଇ ବୁଲନ୍ତି ।

ତାଙ୍କ ରତ୍ନ ଭଣ୍ଡାର ପୂର୍ଣ୍ଣ ଅଛି କି ନାହିଁ ଯାଞ୍ଚ ନକରି ନିଜ ସିନ୍ଦୁକ ଭରିବାକୁ ଭଲ ପାଉଥିବା ଲୋକମାନେ ଭାତ ଶୁଖେଇ ନିର୍ମାଲ୍ୟ କରି ବିକନ୍ତି । ଆନନ୍ଦ ବଜାରରେ ଚାଣ୍ଡାଳୁ ବ୍ରାହ୍ମଣଯାଏ ଏକାଠି ହୋଇ ନିଜନିଜ ଅଇଁଠା ଖାଇବାର ଭାକ୍ତିକ ଶୁଦ୍ଧତାର ପ୍ରଚାର କରୁଥିବା ଲୋକମାନେ ଅବଢ଼ା ମାରା ହୋଇଗଲା|

ବୋଲି ପ୍ରଚାର କରି ହଜାର ହଜାର ଲୋକଙ୍କ ଖାଦ୍ୟକୁ କୋଇଲି ବୈକୁଣ୍ଠରେ ପୋତି ଦିଅନ୍ତି । ନିରାମିଷ ଓ ସାତ୍ତ୍ୱିକ ଆହାର ଜଗନ୍ନାଥଙ୍କର ପ୍ରିୟ ବୋଲି ପ୍ରଥା ବାନ୍ଧି ନିଜେ ମତ୍ସ୍ୟାଦି ଆମିଷକୁ ସଂସ୍କୃତିର ଖାଦ୍ୟ ଭାବେ ପ୍ରଚାର କରନ୍ତି ।

ଏଭଳି ଏକ ପ୍ରତାରଣାପୂର୍ଣ୍ଣ ସମାଜ ଓ ସଭ୍ୟତାରେ ଗୋଟିଏ ସୋନା କାହିଁକି ହଜାର ହଜାର ସୋନା ଜନ୍ମ ନେଇପାରନ୍ତି । ପ୍ରତି ଗାଁରେ, ପ୍ରତି ଗଳିରେ, ପ୍ରତି ସହରରେ ପ୍ରତି କଲୋନିରେ ବଢ଼ୁଥିବା ଏଇପରି ସୋନାମାନେ ହୋଇପାରନ୍ତି ଓଡ଼ିଶାର ଭୋଟର, ଯେଉଁମାନେ ଜଗନ୍ନାଥ ବା ନାରାୟଣଙ୍କୁ ଓଡ଼ିଶାର ନେତା ବୋଲି ପ୍ରଚାର କରନ୍ତି, କିନ୍ତୁ ପ୍ରତିନିଧି ଭାବେ ବାଛନ୍ତି ନିଜ ସ୍ୱାର୍ଥର ମୂର୍ତ୍ତିକାରମାନଙ୍କୁ । (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)

ଦେବେନ୍ଦ୍ର ପୃଷ୍ଟି

Filed Under: କଳା ଓ ସଂସ୍କୃତି Tagged With: ଓଡିଆ ଜାତି, କଳା ଠାକୁର, ଭାଷା ଓ ସଂସ୍କୃତି, ରତ୍ନ ଭଣ୍ଡାର

ଭାବ ସମୁଦ୍ରରେ ଅନନ୍ତ ସପ୍ତକ; ନିମାଇଁ ଚରଣ ହରିଚନ୍ଦନଂକ ବାଣୀକଣ୍ଠ

June 18, 2016 by ନିଉଜ ଡେସ୍କ 1 Comment

 

banikantha-4
ନିମାଇଁ ଚରଣ ହରିଚନ୍ଦନ, ଛବି: ଓଡିଆ ମ୍ୟୁଜିକ

କେଦାର ମିଶ୍ର

ସେ ଗୀତ ନୁହଁ, ଗୋଟେ ଆତୁର କଣ୍ଠର ପ୍ରାର୍ଥନା।

ସେ ସୁର ନୁହଁ , ନିଶ୍ଵାସ ପ୍ରଶ୍ଵାସ ର ଏକ ଅନାହତ ବୀଣା। ତାଂକୁ କେହି କେବେ ଗାୟକ ବୋଲି ଡାକିନାହିଁ। କୋଟି କୋଟି ଓଡିଆଂକ ପ୍ରାଣରେ ସେ ଏକଇ ବାଣୀ କଣ୍ଠ।

ନିମାଇଁ ଚରଣ ହରିଚନ୍ଦନ, ଏଇ ନାଁ ଟିକୁ କିଏ ଜାଣୁ ବା ନ ଜାଣୁ , ବାଣୀ କଣ୍ଠ ନାଁ ଟି ସହ ଓଡିଆ ଜାତି ଅତି ପରିଚିତ। ସ୍ବରର ଶୁଦ୍ଧତା, ଉଛାରଣରେ ସ୍ପଷ୍ଟତା, ଗାୟକୀ ରେ ତନ୍ମୟତା ଓ ଭାବରେ ସମର୍ପଣର ଅପୂର୍ବ ସମାହାର ନିମାଇଁ ହରିଚନ୍ଦନଂକ କଣ୍ଠରେ ଆଶୀର୍ବାଦ ପରି ଲାଖି ରହିଥିଲା।

ସେ ଭାବ ଓ ଭଜନର ଶିଳ୍ପୀ। ଓଡିଆ ସଂଗୀତ ଜଗତର ଅନନ୍ୟ ଶିଳ୍ପୀ ବାଣୀ କଣ୍ଠ ନିମାଇଁ ହରିଚନ୍ଦନଂକୁ ନେଇ କିଛି କଥା-

୧.  ୧୯୦୧ ଜୁଲାଇ ୯ ତାରିଖରେ କେନ୍ଦ୍ରାପଡ଼ାର ଏକ ଅବକ୍ଷୟିଷ୍ଣୁ ସାମନ୍ତ ପରିବାରରେ ନିମାଇଁ ଚରଣକ ଜନ୍ମ। ପିତା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତା ନାମ ଇନ୍ଦ୍ରମଣୀ ଦେବୀ । ଜେଜେ ରାଧାଶ୍ୟାମ ନରେନ୍ଦ୍ର, ଓଡିଶାର ଅନ୍ୟତମ ମହାଦାନୀ ଜମିଦାର।

ନିମାଇଁ ଚରଣ ହରିଚନ୍ଦନଙ୍କ ସଙ୍ଗୀତ 
ନିମାଇଁ ଚରଣ ହରିଚନ୍ଦନଙ୍କ ସଙ୍ଗୀତ

ଗୋଟେ ସମୟରେ କୁହାଯାଉଥିଲା ସ୍ଵର୍ଗରେ ଇନ୍ଦ୍ର ଓ ମର୍ତ୍ୟରେ ନରେନ୍ଦ୍ର । ଦାନ ଦେଇ ଦେଇ ନରେନ୍ଦ୍ର ପରିବାର ଏକ ପ୍ରକାର ସର୍ବସ୍ଵାନ୍ତ ହୋଇ ଯାଇଥିଲେ।

nimai୨. ୧୯୧୬ ମସିହାରେ ନିମାଇଁ ତାଂକର ସମ୍ପର୍କୀୟ ଗୋକୂଳ ଶ୍ରୀଚନ୍ଦନଙ୍କ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ କକେଇ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେତେବେଳର ଓଡିଶାରେ ଏକମାତ୍ର ସଂଗୀତ ବିଶାରଦ।

ପରବର୍ତୀ ସମୟରେ ସେ ଓସ୍ତାଦ ମାଧେରାଓ ଓ ବାବାଜୀ ରାମ ଦାସଂକ ଠାରୁ ଉଚ୍ଚତର ସଂଗୀତ ଶିକ୍ଷା ଲାଭ କରିଥିଲେ ।

୩. ସଂଗୀତ ଶିକ୍ଷା ଓ ଅଭ୍ୟାସ ତାଂକୁ ଆଠଗଡ ରାଜ ଦରବାରର ନିକଟବର୍ତୀ କରିଥିଲା। ପରେ ସେ ଆଠଗଡ ଦରବାରର ରାଜ ଗାୟକ ଭାବେ ସମ୍ମାନ ଲାଭ କରିଥିଲେ। ଆଠଗଡରେ ବିବାହ କରି ନିମାଇଁ ତାଂକ ସଂଗୀତ ସାଧନା ଅବ୍ୟାହତ ରଖିଲେ । ତାଂକର ବହୁ ପ୍ରସିଦ୍ଧ ଗୀତ ଆଠଗଡରେ ସଂରଚିତ ହୋଇଥିଲା।

୪. ଓଡିଶୀ ଗାୟନ ଶୈଳୀର ଉଚ୍ଚାନ୍ଗ ଠାଣୀ ଓ ଉଦାତ୍ତ ସ୍ବର ବିନ୍ୟାସ ରେ ତାଂକ ସମକକ୍ଷ ଶିଳ୍ପୀ ଆଜି ଯାଏ ସୃଷ୍ଟି ହୋଇନାହାନ୍ତି।

ଭାବ ଓ ଭକ୍ତି କେବଳ ନୁହଁ, ତାଂକ କଣ୍ଠରେ ଆର୍ତ୍ତୀ ଓ ବିଦ୍ରୋହର ଆଭାସ ରହିଥିଲା । ପଥର ହେଲ ହେ ପ୍ରଭୁ ପଥର ଟେକା।।।। କିମ୍ବା ଆରତ ତାରଣ ବାନା।।।।ଇତ୍ୟାଦି ଗୀତରେ ଯେତିକି କାରୁଣ୍ୟ ରହିଛି କହଲୋ ସଜନୀ ସେ କଦମ୍ବମୁଳେ।।।ଭଳି ଗୀତରେ ସେତିକି ଉଦାର ମାଧୁର୍ଯ୍ୟ ମଧ୍ୟ ରହିଛି ।

୫. ଯେଉଁମାନେ ବାଣୀକଣ୍ଠଙ୍କୁ କେବଳ ଭଜନ ଗାୟକ ବୋଲି ଭାବନ୍ତି ସେମାନେ ତାଂକ କଣ୍ଠର ଦାର୍ଶନିକତା ବୁଝିବାକୁ ଭଗବାନ ବୋଲୁ ଯାହାକୁ, ବଡ ସେ କପଟି ବଡ ସେ ଡାକୁ ।।।କିମ୍ବା ସୁଖ ଦୁଖ ଦୁଇ ସହୋଦର ଭାଇ ଶୁଣିବା ଦରକାର।

ଏ ସବୁ ଗୀତରେ ଆଉ ଜଣେ ନିମାଇଁ ହରିଚନ୍ଦନ ଆମର ଦୃଷ୍ଟିକୁ ଆସିବେ ।

nimai2୬. ୧୯୩୩ ମସିହାରେ ତାଂକର ପ୍ରଥମ ଏଲପି ରେକର୍ଡ଼ ପ୍ରସିଦ୍ଧ ଏଚ୍ଏମଭି କମ୍ପାନୀ ଦ୍ବାରା ମୁକ୍ତିଲାଭ କରିଥିଲା । ଭଜନ, ଜଣାଣ, ଛାନ୍ଦ, ଓଡିଶୀ, ଚୌତିଶା, ଚୌପଦୀ ଓ ଚମ୍ପୁ ଗାୟନରେ ସେ ନିଜର ଏକ ସ୍ଵତନ୍ତ୍ର ଶୈଳୀ ତିଆରି କରିଯାଇଛନ୍ତି।

ତାଂକ ଅନ୍ତେ ବହୁ ଗାୟକ ତାଂକ ଗାୟନ ଶୈଳୀର ଅନୁସରଣ କରିଛନ୍ତି, ହେଲେ ତାଂକ ଉଦାତ୍ତ ସ୍ଵର କୁ ଛୁଇଁ ପାରିବାର ଦକ୍ଷତା କାହା ପାଖରେ ନାହିଁ।

୭. ଉଚ୍ଚ ସ୍ଵରରେ ଗାୟନ ଅନେକ ସମୟରେ ରୋଦନ ପାଲଟିଯାଏ । ତେଣୁ ଉଦାତ୍ତ ଉଚ୍ଚାରଣ ରେ ସ୍ଵର କୁ ନିୟନ୍ତ୍ରଣ ରେ ରଖିବା ସବୁଠୁ କଠିନ କାମ। ବାଣୀ କଣ୍ଠ ତାଂକ ଉଦାତ୍ତ ସ୍ଵର ବ୍ୟବହାର ସମୟରେ ଭାବ ଓ ସୁର୍ ର ଚମତ୍କାର ବିନ୍ୟାସ କରିପାରନ୍ତି।

ତାଂକୁ ଅନୁକରଣ କରୁଥିବା ଶିଳ୍ପୀ ମାନେ ଏଇଠି ପରାଜିତ ହୁଅନ୍ତି।

nimai3୮. ନିମାଇଁ ହରିଚନ୍ଦନ ଆକାଶବାଣୀ ର ନିୟମିତ କଣ୍ଠ ଶିଳ୍ପୀ ଭାବେ ୧୯୪୭ ରୁ ଗାଇ ଆସୁଥିଲେ। ରେଡିଓ ରେ ତାଂକ ଗୀତ ବାଜୁନଥିବା ଦିନ କେବେ ବି ନଥିଲା

୯. ୧୯୭୬ ରେ ଭାରତ ସରକାରଂକ ପଦ୍ମଶ୍ରୀ, ୧୯୫୪ ରେ ପ୍ରଥମ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରଷ୍କାର ସମେତ ବହୁ ସମ୍ମାନ ତାଂକୁ ମିଳିଥିଲା। ତେବେ ତାଂକ ସାଧନାର ସର୍ବଶ୍ରେଷ୍ଠ ସ୍ଵୀକୃତି ସ୍ଵରୂପ ତାଂକୁ ପୁରୀ ଗଜପତି ମହାରାଜା ଶ୍ରୀ ମନ୍ଦିରରେ ଚାମର ସେବା କରିବାର ସୁଯୋଗ ଦେଇଥିଲେ ।

୧୦. ୧୯୮୩ ଜୁଲାଇ ୨୦ ତାରିଖ, ପବିତ୍ର ବାହୁଡା ଯାତ୍ରା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡା ବିଜୟ କରୁଥିବା ବେଳେ ପୁରୀ ରେ ଏହି ଅନନ୍ୟ ଗାୟକଂକ ପରଲୋକ ଘଟିଥିଲା। ବାହୁଡା ବେଳକୁ ବାହୁଡି ଯିବେ ବୋଲି ସେ ଯେଉଁ ପ୍ରାର୍ଥନା କରିଥିଲେ ତାହା ସତ୍ୟ ହୋଇଥିଲା

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଅନାହତ ବୀଣା, ଆଶୀର୍ବାଦ, ଓଡିଆ, ଓଡିଆ ଜାତି, ଗାୟକୀ, ଗୀତ, ତନ୍ମୟତା, ପ୍ରାର୍ଥନା, ବାଣୀ କଣ୍ଠ। ନିମାଇଁ ଚରଣ ହରିଚନ୍ଦନ, ଭଜନ, ଶିଳ୍ପୀ, ଶୁଦ୍ଧତା, ସଂଗୀତ, ସମର୍ପଣ, ସ୍ପଷ୍ଟତା, ସ୍ଵର

ଶ୍ରୀଜଗନ୍ନାଥଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ସ୍ୱାଭିମାନ ଯାତ୍ରା

November 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ଜାତିର ଗର୍ବ ଓ ଗୌରବ ଶ୍ରୀଜଗନ୍ନାଥଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନ ପକ୍ଷରୁ ଗୁରୁବାର ସ୍ୱାଭିମାନ ଯାତ୍ରାର ଆରମ୍ଭ କରାଯାଇଛି ।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଗ୍ରହଣ ଏବଂ ସଂକୀର୍ତନ ମଣ୍ଡଳି ସହ ମନ୍ଦିର ପରିକ୍ରମା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ସରକାରଙ୍କ କମ୍ପାନୀ ପ୍ରୀତି ଆଜି ଓଡ଼ିଆଙ୍କ ଆରାଧ୍ୟ ତଥା ସ୍ୱାଭିମାନର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ସ୍ଥିତିକୁ ସଂକଟାପନ୍ନ କରିଛି, ତାଙ୍କ ମର୍ଯ୍ୟ।ଦ। ରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ପ୍ରତିଜ୍ଞାବଦ୍ଧ ହେବାକୁ ଏହି ଅବସରରେ ଉପସ୍ଥିତ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।

ସରକାର ଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଉପଯୁକ୍ତ ବିନିଯୋଗ କରିବା ପରିବର୍ତେ ଏକ ଘରୋଇ କମ୍ପାନୀକୁ ବିକ୍ରିକରି ସେଥିରୁ ମିଳିଥିବା ଅର୍ଥର ସୁଧରେ ମହାପ୍ରଭୁଙ୍କ ସର୍ବାଙ୍ଗିନ ଉନ୍ନତି ତଥା ପୂଜାପାଠ କରାଯିବା, ଏହାଠାରୁ ଓଡ଼ିଆ ଜାତି ପାଇଁ ଆଉ ଅଧିକ ଲଜ୍ୟାକର ବିଷୟ ହୋଇନପାରେ ବୋଲି ସେମାନେ କହିଛନ୍ତି ।

ଏହି ସ୍ୱାଭିମାନ ଯାତ୍ରା ସମସ୍ତ ୩୦ଟି ଜିଲ୍ଲାକୁ ଯିବ ବୋଲି ଶ୍ରୀଜଗନ୍ନାଥ ସୁରକ୍ଷା ଅଭିଯାନର ଆବାହକ ଉମାବଲ୍ଲଭ ରଥ ଏକ ବିଜ୍ଞପ୍ତିରେ କହିଛନ୍ତି । ଶୁକ୍ରବାର ଏହି ଯାତ୍ରା ନିଆଳି ଫୁଲନଖରା ସାଲେପୁର ଦେଇ କେନ୍ଦ୍ରାପଡ଼ାରେ ପହଂଚିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଆ ଜାତି, ମର୍ଯ୍ୟ।ଦ।, ଶ୍ରୀଜଗନ୍ନାଥ, ସ୍ୱାଭିମାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ