• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶାବାସୀ

ମହାନ ଜନନାୟକଙ୍କ ହୃଦୟରେ ଓଡିଶା

August 20, 2018 by ଗୋଲଖ ଦାସ Leave a Comment

କେନ୍ଦ୍ରାପଡା ଜିଲ୍ଲାର କେଉଁ ଏକ ଅଜଣା ପଲ୍ଲୀ ଘିଗିଡିଆ । ଅଗଷ୍ଟ ୧୬ ତାରିଖ ସଂଧ୍ୟା ୫ ଘଟିକା ୩୫ ମିନିଟ ସମୟରେ ଆମେ ସେହି ଗାଁରେ ପହଁଚି ଥାଉ, ସେଠାରେ ଦେଖିଲୁ ଅଜବ ଦୃଶ୍ୟ । ଗାଁ ରୁ ସହରକୁ ସଂଯୋଗ କରୁଥିବା ସଡକ ଉପରେ ବସି ରହିଛନ୍ତି ପ୍ରାୟ କୋଡିଏରୁ ଉଦ୍ଧ୍ୱର୍ ବ୍ୟକ୍ତି । ସମସ୍ତଙ୍କ ମନ ଝାଉଁଳି ପଡିଛି ।

କାହାର ଆଖିରୁ ଲୋତକ ଝରି ପଡୁଛି,କିଏ ନିରବରେ ବସି ରହିଛନ୍ତି । ସମସ୍ତେ ମନମାରି ବସି ରହିଛନ୍ତି । ଆମର ବାଇକ ତାଙ୍କରି ନିକଟରେ ଅଟକି ଗଲା । ରାସ୍ତା ଉପରେ ଏମିତି ବସିବାର କାରଣ ପଚାରିବାରୁ ତାଙ୍କର ଉତ୍ତର ଶୁଣି ଆମେ ଅବାକ ଓ ଚକିତ ହୋଇଗଲୁ ।

ତାଙ୍କ ମଧ୍ୟରୁ ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇ କହିଲେ ଆମ ଗାଁରୁ ସହର ମଧ୍ୟକୁ ଯିବା ପାଇଁ ଏ ଯେଉଁ ପକ୍କା ସଡକ ତିଆରି ହୋଇଛି, ତାହାରି ସ୍ରଷ୍ଠା, ସୃଷ୍ଟିକର୍ତ୍ତା ଆଜି ଆମ ମଧ୍ୟରେ ନହାଁନ୍ତି । ଦିନ ଥିଲା ଆମ ଗାଁକୁ କେହି ଆସିବାକୁ ଭୟ କରୁଥିଲା । ନା ବାଟ ଥିଲା ନା ହାଟ ଥିଲା । ଯାହାଙ୍କ ପରିକଳ୍ପନାରେ କେବଳ ଆମ ଗାଁ ନୁହେଁ ଭାରତ ବର୍ଷର ସବୁ ଗାଁର ଦୃଶ୍ୟ ବଦଳି ଯାଇଛି ।

ରାସ୍ତାଘାଟ ପକ୍କା ହୋଇ ଯାଇଛି ସେହି ମହାନ ଜନନାୟକଙ୍କର ବିୟୋଗରେ ନୀରବ ପ୍ରାର୍ଥନା କରିବା ସହିତ ସେହି ମହାନ ଆତ୍ମାର ସଦ୍ଗତି କାମନା କରିବା ପାଇଁ ଆମେ ଆମ ଗାଁର ପ୍ରଖ୍ୟାତ ଦେବତା ଜନେକେଶ୍ୱର ମହାଦେବଙ୍କ ନିକଟରେ ପ୍ରାର୍ଥନା କରିବା ।

ସେହି ମହାନ ଜନନାୟକ ହେଉଛନ୍ତି ଆମର ଅତିଆଦରର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯାହାଙ୍କ ବିୟୋଗ ଓଡିଶାର ସାଧାରଣ ଜନତାଙ୍କ ହୃଦୟରେ ଶୂନ୍ୟସ୍ଥାନ ସୃଷ୍ଟି କରି ପାରିଛି । ଓଡିଶାର ଅଖ୍ୟାତ ପଲ୍ଲୀର ଲୋକମାନେ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି କ’ଣ ପାଇଁ ? କ’ଣ କରିଛନ୍ତି ସେ ଓଡିଶା ପାଇଁ, ଯାହାକୁ ଘିଗିଡିଆ ଗ୍ରାମବାସୀ କାହିଁକି, ସାରା ଓଡିଶାବାସୀ ଭୁଲି ପାରୁନାହାଁନ୍ତି?

ଓଡିଶାବାସୀଙ୍କ ପାଇଁ ତାଙ୍କ ଅବଦାନ କଣ ଥିଲା? ଅଗଷ୍ଟ ୧୫ତାରିଖ ଦିନ ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖାଦେବାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଲାଭ ପାଇଁ ସମଗ୍ର ଦେଶର କୋଟି କୋଟି ଜନତାଙ୍କ ବ୍ୟାକୁଳ ପ୍ରାର୍ଥନା ତଥା ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ଶ୍ରୀ ବାଜପେୟୀ ଏପାରିର ବନ୍ଧନ କାଟି ପରଲୋକ ଗମନ କରିଛନ୍ତି ।

ଯାହାଙ୍କର ଟିକିନିଖ୍ ଖବରକୁ ଗାଁ ଗହଳୀର ଲୋକମାନେ ମଧ୍ୟ ଅନାଇ ବସିଥିଲେ । ଯେତେବେଳେ ଦୁଃଖଦ ଖବର ମିଳିଲା ଶେଷରେ ସେମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଅର୍ଥର ଅଭାବ ରହିବ ନାହିଁ । ଏହି ଖଣ୍ଡବାକ୍ୟଟି ସର୍ବ ପ୍ରଥମେ ଓଡ଼ିଶା ମହାବାତ୍ୟା ପାଇଁ ଉଦ୍ଦିଷ୍ଟ ଥିଲା , ୧୯୯୯ ମହାବାତ୍ୟା ସମୟରେ ରାଜ୍ୟର ପୁନନିର୍ମାଣ ସନ୍ଦର୍ଭରେ ।

୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଂଚାଇବା ଏବଂ ବାସହରା ମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମଙ୍ଗା ମହାବାତ୍ୟା ସମୟରେ ବାଜପେୟୀଙ୍କୁ ଫୋନ କରିଥିଲେ । ଆଉ ବାଜପେୟୀ କହିଥିଲେ ଆପଣ ଯାହା ଆବଶ୍ୟକ ସେ ବାବଦରେ ଟଙ୍କା ଖର୍ଚ୍ଚ କରନ୍ତୁ, ମୁଁ ସମସ୍ତ ବ୍ୟୟ ବହନ କରିବି ।

କେବଳ ସେତିକି ନୁହେଁ ଲକ୍ଷ୍ମଣନାଥ ନିକଟସ୍ଥ ଗୋବରଘାଟ ଘୂର୍ଣ୍ଣିଝଡ ବିପର୍ଯ୍ୟୟର ମୁକାବିଲା ଲାଗି ଯେଉଁଭଳି ଆଗ୍ରହ ଓ ଆନ୍ତରିକତା ଦେଖାଇଥିଲେ ତାହା ରାଜ୍ୟବାସୀଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା । ଜଣେ ବିଶାଳ ହୃଦୟର ବ୍ୟକ୍ତି ଭାବେ ଓଡିଶାବାସୀଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବାଜପେୟୀ ।

‘ରାଜ୍ୟର ବିକାଶ ପାଇଁ ଧନର ଅଭାବ ରହିବ ନାହିଁ ; ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ବାଜପେୟୀଙ୍କ ଓଡିଶା ପାଇଁ ଅକାଟ୍ୟ ବଚନ । ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀ ଅବଦାନ ଅତୁଳନୀୟ । ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମସ ଶାଖାର ଶୁଭାରମ୍ଭ ସ୍ୱର୍ଗତଃ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା ।

ସେ ପାରାଦୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ଓ ଇଣ୍ଡିଆନ ଅଏଲ ତୈଳ ବିଶୋଧନାଗାର ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଂଚଳ ଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ ।

ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହକିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଂଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ । ଏହି ସମସ୍ତ ଅବଦାନକୁ ମନେ ପକାଉଛନ୍ତି ଓଡିଶାବାସୀ ।

ବାଜପେୟୀ ନିଜ ସମୟର ରାଜନେତାଙ୍କ ଠାରୁ ଅନେକ ଗୁଣରେ ଭିନ୍ନ ଥିଲେ । ରାଜନୀତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ତାଙ୍କର ନୀତି ଓ ଆଦର୍ଶ ଭିନ୍ନ ଥିଲା । ନିଜର ମଧୁର ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଦ୍ୱାରା ସେ ଯେଉଁ ସ୍ଥାନକୁ ପ୍ରବାସରେ ଯାଉଥିଲେ ସେଠାରେ ବନ୍ଧୁତ୍ୱର ଭାବ ସୃଷ୍ଟି କରୁଥିଲେ ।

ଏହିପରି ଜନଦରଦୀ ଓ ବନ୍ଧୁବତ୍ସଳ ବ୍ୟକ୍ତିର ସାନ୍ନିଧ୍ୟ ଲାଭ କରିଛନ୍ତି ଓଡିଶାବାସୀ । ବାଜପେୟୀ ଯେତେବେଳେ ୧୯୭୦-୭୧ରେ ଓଡିଶା ଆସି କଟକ ସର୍କିଟ ହାଉସରେ ମିଟିଙ୍ଗ କରିଥିଲେ ଏବଂ ଦୁଇଦିନ ସେ କଟକର ତଳତେଲେଙ୍ଗା ବଜାର ସ୍ଥିତ କ୍ଷେତ୍ରମୋହନ ସ୍ୱାଇଁ ଏବଂ କାଳୀଗଳିସ୍ଥିତ ଦୟାସାଗର ନନ୍ଦଙ୍କ ଘରେ ରାତ୍ରି ଯାପନ କରିବା ସହିତ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଖାଇଥିଲେ ।

ତାଙ୍କ ସହିତ ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ ବୋଲି କ୍ଷେତ୍ରମୋହନଙ୍କ ପୁଅ ପ୍ରଦୀପ ଏ ବିଷୟରେ ଗଣମାଧ୍ୟମ ଆଗେରେ ପ୍ରକାଶ କରିଛନ୍ତି । କୌଣସି ସ୍ଥାନକୁ ଗଲାବେଳେ ଯଦି ଭୋକ ହେଉଥିଲା ବାଟରେ ପଡୁଥିବା କାର୍ଯ୍ୟକର୍ତ୍ତାଙ୍କ ଘରେ ଭୋଜନ କରିନେଉଥିଲେ ।

୧୯୮୪ ମସିହା ଡିସେମ୍ବର ୩ ତାରିଖରେ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ସାଧାରଣ ସଭାରେ ଯୋଗଦେଇ ସଂଧ୍ୟାରେ ଭଂଜନଗର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ତାଙ୍କୁ ଭୋକ ହେବାରୁ ସେ ସାଥିରେ ଥିବା କାର୍ଯ୍ୟକର୍ତ୍ତା ନନ୍ଦ କିଶୋର ସାହୁଙ୍କୁ ଜଣାଇଥିଲେ ।

ଶ୍ରୀ ସାହୁ ବାଜପେୟୀଙ୍କ କଥାକୁ ନଟାଳି ହିଞ୍ଜିଳିରେ ଥିବା କାର୍ଯ୍ୟକର୍ତ୍ତା ଉଦୟ ପାଳଙ୍କ ଘରେ ଭୋଜନ ବ୍ୟବସ୍ଥା କରାଇଥିଲେ । ସେଠାରେ ସେ ଖୁବ୍ ଆନନ୍ଦର ସହିତ ଭୋଜନ କରିଥିଲେ । ସେ ମଧ୍ୟ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ବେଳେ ଅବଢା ଖାଇବାକୁ ବହୁତ ଭଲ ପାଉଥିଲେ |

ସେ ଓଡିଶାକୁ ନିଜ ଅଞ୍ଚଳ ବୋଲି ଭାବୁଥିଲେ । ସେ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଉଥିଲେ । ଫୁଲବାଣୀ ଗସ୍ତ ସମୟରେ ବାଲିଗୁଡା ଡାକବଙ୍ଗଳାରେ ବିଶ୍ରାମ ନେଉଥିବା ବେଳେ କାନରେ ପଡିଥିଲା ବନବାସୀ ସଂଗୀତ ଓ ବାଦ୍ୟର ସ୍ୱର । ସେ ବିଶ୍ରାମ ନେବେ କଣ, ସଙ୍ଗେ ସଙ୍ଗେ ଚାଲିଲେ ନାଚ ଓ ଗୀତ ହେଉଥିବା ସ୍ଥାନକୁ ।

ବାଜା ଓ ନାଚରେ ଆକର୍ଷିତ ହୋଇ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ବନବାସୀ ଯୁବକ ଯୁତୀଙ୍କ ସହ । ସେ ସେମୟରେ ଏହା ବନବାସୀ ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସେ ଓଡିଶା ମାଟିରୁ ଆରମ୍ଭ କରିଥିଲେ ସମରସତାର ଆନ୍ଦୋଳନ । ଛୁଆଁ ଅଛୁଆଁର ଭେଦଭାବ ଦୁର କରିବା ପାଇଁ ଭଞ୍ଜନଗରର ମୁଡାଗଡ ଠାରେ ସୃଷ୍ଟି କରିଥିଲେ ଏକ ଅନନ୍ୟ ଉଦାହରଣ ।

ତାଙ୍କ ସଂଗଠନର କାର୍ଯ୍ୟକର୍ତ୍ତା ଶିବାନନ୍ଦ ତ୍ରିପାଠୀଙ୍କ ମତରେ ଭଞ୍ଜନଗର ରସଲକୁଣ୍ଡା ଠାରୁ କନ୍ଧମାଳ ଆସିବା ସମୟରେ ମୁଡାଗଡ ଠାରେ ବାଜପେୟୀଙ୍କ ଗାଡି ପମ୍ପଚର ହୋଇଥିଲା । ଏ ସମୟରେ ବାଜପେୟୀ ନକଟରେ ଥିବା ମନ୍ଦିରକୁ ଯାଇଥିଲେ ।

ମନ୍ଦିରକୁ ହରିଜନଙ୍କ ପ୍ରବେଶ ପାଇଁ ଅନୁମତି ଅଛି କି ନାହିଁ ବୋଲି ବାହାରେ ଥିବା ପୂଜକଙ୍କୁ ପଚାରିଥିଲେ ା ପୂଜକ ମନା କରିବା ପରେ ମନ୍ଦିର ଗେଟ ପାଖରୁ ବାଜପେୟୀ ଫେରି ଆସିଥିଲେ । ସେ ଯେଉଁ ଅଞ୍ଚଳକୁ ଯାଉଥିଲେ ସେ ସବୁ ସ୍ଥାନର ହାନି ଲାଭ ବୁଝୁଥିଲେ । ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝୁଥିଲେ ା

ନିର୍ବାଚନ ସମୟରେ ଓଡିଶାର ଯେଉଁ ସ୍ଥାନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସରକାରରେ ଆସିଲା ପରେ ପୁରଣ କରିଛନ୍ତି । ଯେପରି ୧୯୯୯ ମସିହା ନିର୍ବାଚନୀ ପ୍ରଚାର ବେଳେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର କୃଷିର ବିକାଶ ପାଇଁ ସେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ
ନିର୍ମାଣ,ଗମନା ଗମନର ବିକାଶ, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

ସରକାରକୁ ଆସିଲା ପରେ କାନପୁର ଜଳପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୩୨୮ କୋଟି ଟଙ୍କାରୁ ୬୨୫ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ୨୧୫ ନମ୍ବର ଜାତୀୟ ରାଜପଥ ଓ କେନ୍ଦୁଝରକୁ ରେଳ ସଂଯୋଗୀକରଣ ତାଙ୍କ ଶାସନ କାଳରେ ହୋଇଛି । ଏହିପରି ଅନେକ ଛାପ ଛାଡିଦେଇ ଯାଇଛନ୍ତି ବାଜପେୟୀ ଓଡିଶାରେ ତାର ହିସାବ ନାହିଁ ।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କର ପତନ ମଧ୍ୟ ଓଡିଶା ଦାୟୀ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଗିରିଧାରୀ ଗମାଙ୍ଗ ଲୋକସଭା ସଦସ୍ୟ ରୂପେ କଂଗ୍ରେସ ଦଳର ନିର୍ଦ୍ଦେଶରେ ଦଳୀୟ ଶୃଙ୍ଖଳାମାନି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିଲେ ।

ସାମ୍ପ୍ରତିକ ଭାରତର ରାଜନୀତି ଭ୍ରଷ୍ଟାଚାର, ଦୁର୍ନୀତି, ଲୋଭ ଓ ଲାଳସାମୁକ୍ତ କରିବା ପାଇଁ ଯେଉଁ ମହାନାୟକ ଅଟଳ ପ୍ରତିଜ୍ଞା କରିଥିଲେ ସେହି ମହାନାୟକ ବିଭିନ୍ନ ସମୟରେ ଓଡିଶାର ସାଧୁସନ୍ଥଙ୍କର ମତାମତ ମଧ୍ୟ ଲୋଡୁଥିଲେ । ଅଯୋଧ୍ୟାରେ ଶ୍ରୀରାମ ଜନ୍ମ ଭୂମି ପ୍ରସଙ୍ଗରେ
ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ମଧ୍ୟ ନେଇଥିଲେ ।

ଓଡିଶାରେ ବାଜପେୟୀଙ୍କ ବିଭିନ୍ନ ଘଟଣାକୁ ଆଲୋଚନା ଓ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଓଡିଶା ପାଇଁ ତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା | ରାଜନୈତିକ ତୋଫାନ ମଧ୍ୟରେ ଯେଉଁ ଦୀପ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥିଲା ସେହି ପ୍ରଦୀପ ଲିଭିଗଲା । ସମଗ୍ର ଭାରତ ବର୍ଷ ତଥା ପୃଥିବୀକୁ ଆଲୋକିତ କରି ଚୌରାନବେ ବର୍ଷଧରି ଜଳୁଥିବା ଏହି ପ୍ରଦୀପ ଲିଭିଗଲା ।

କିନ୍ତୁ ଏହି ଦୀପ ଶିଖା ଲିଭିବାର ଦୃଶ୍ୟ ଅପୂର୍ବ ଓ ଅବର୍ଣ୍ଣନୀୟ । ସୀମିତ ସଳିତା ସଲଗ୍ନ ଆଲୋକର ଶିଖା ଲିଭିବା ସହିତ ପ୍ରସରି ଯାଉଛି ଦିଗବିଦିଗକୁ । ଦୀପର ଉଜ୍ଜ୍ୱଳ ଆଲୋକ ଲେଲିହାନଶିଖା ଟେକି ଆଚ୍ଛାଦିତ କରୁଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ! ଦୀପ ସିନା ଲିଭିଗଲା କିନ୍ତୁ ଏହି ଅନିର୍ବାଣ ଆଲୋକ ଶିଖାର ମୃତ୍ୟୁ ନାହିଁ ।

ସେ ଅଜୟ, ଅପରାଜିତ ଓ ମୃତ୍ୟୁଞ୍ଜୟ । ସେ କୋଟିଏ ଦୀପରୁ ଏବେ ସମସ୍ତ ବଶ୍ୱ ବ୍ରହ୍ମାଣ୍ଡକୁ ପରିବ୍ୟପ୍ତ । ପାର୍ଥବ ଶରୀରରେ ସେ ଅନୁପସ୍ଥିତ । ପଂଚଭୂତର ଶରୀର ପୁନଶ୍ଚ ପଂଚଭୂତରେ ବିଲୀନ କିନ୍ତୁ ଆମ ପ୍ରତ୍ୟେକଙ୍କ ଭିତରେ ସେ ଚିରଦେଦୀପ୍ୟମାନ ଓ ଅନୁଭବ୍ୟ ।

ଏକରୁ ସେ ଏବେ ସହସ୍ର କୋଟିରେ ବିଭକ୍ତ । ସୁକ୍ଷ୍ମ ଶରୀରରେ ସେ ଆମ ସମସ୍ତଙ୍କ ଭିତରେ ବିରାଜମାନ ସେହି ମହାନ୍ ଆତ୍ମାକୁ ଆମର କୋଟି କୋଟି ପ୍ରଣାମ ।

୩୫,ଏନ୍.ଏ.ସି ଫ୍ଲାଟ,ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର

ଫୋନ-୯୮୬୧୦୨୮୫୫୩

ଗୋଲଖ ଦାସ
ଗୋଲଖ ଦାସ

Filed Under: ମତାମତ Tagged With: ଓଡିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା, ବାଜପେୟୀ, ମହାନ ଜନନାୟକ

ଉତ୍ତର-ପୂର୍ବାଂଚଳ ଜନତାଙ୍କ ବେଦନା ବୁଝିଲେ ଓଡିଶାବାସୀ

August 19, 2012 by admin Leave a Comment

ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର ରେଳଷ୍ଟେସନ । ସମୟ ୧୭ ଅଗଷ୍ଟ ୨୦୧୨ ଶୁକ୍ରବାର ରାତ୍ରୀ ୧.୪୦ । ଠିକ୍ ଏହି ସମୟରେ ବେଙ୍ଗାଲୁରୁରୁ ଏକ ସ୍ୱତନ୍ତ୍ର ଟ୍ରେନ ଆସି ଅଟକିଲା ଭୁବନେଶ୍ୱର ରେଳଷ୍ଟେସନରେ ।

ମାଟିଆ ହାପ୍ପ ସାର୍ଟ ଓ ହାଫ ପ୍ୟାଣ୍ଟ, ଧଳାସାଟ୍ ଓ କଳାଟୋପି ପରିହିତ ଅନେକ ଯୁବକ, ବୃଦ୍ଧ ଓ ବାଳକ ସେହି ଟ୍ରେନର ପତ୍ୟେକ ଦ୍ଵାରମୁହଁ ନିକଟରେ ଠିଆ ହୋଇଗଲେ । ହାତରେ ଥିଲା ତାଙ୍କର ଖାଦ୍ୟ ପୁଡିଆ ଓ ପାଣି ପାଉଚ ।

ସଙ୍ଗେସଙ୍ଗେ ଟ୍ରେନ ଭିତରେ ଥିବା ଯାତ୍ରୀମାନେ ସେମାନଙ୍କ ହାତରୁ ସେହି ଖାଦ୍ୟ ପୁଡିଆ ଓ ପାଣି ପାଉଚ ଗୁଡିକୁ ନେଇ ଯାଉଥିଲେ । ଏହିଦ୍ରବ୍ୟ ବିତରଣ କରିବା ସମୟରେ ଭିଡ ଜମି ଯାଇଥିଲା । ଘଟଣା କ’ଣ ଯାଣିବା ସର୍ମ୍ପକରେ ଆମେ ଯାଇ ସେଠାରେ ପହଞ୍ଚିଲୁ ।

ଯାଣିବାକୁ ପାଇଲୁ ଯେ ଆକ୍ରମଣର ଗୁଜବପରେ ବେଙ୍ଗାଲୁରରୁ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା ଉତତର-ପୂର୍ବାଂଚଳ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଭୁବନେଶ୍ୱର ରେଳଷ୍ଟେଶନରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ଔଷଧ ଓ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ ପ୍ରଦାନ ବଣ୍ଟନ କରାଯାଉଛି ।

ଘଟଣା ସର୍ମ୍ପକରେ ଜଣେ ସ୍ୱଚ୍ଛାସେବକକୁ ଆମେ ପଚାରିଲୁ ଭାଇ ଏ ବିତରଣ କାହିଁକି ? ଜଣେ ସ୍ୱୟଂସେବକ କହିଲେ ଏସଏମଏସ ଓ ଏମଏମଏସ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଉତ୍ତର-ପୂର୍ବାଂଚଳ ଲୋକଙ୍କ ଉପରେ ଆକ୍ରମଣ ହେଉଥିବା ଗୁଜବ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ଚାକିରୀ, ଅଧ୍ୟୟନ ଓ ବ୍ୟବସାୟ ବାଣିଜ୍ୟ କରି ରହୁୁଥିବା ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ସେମାନଙ୍କ ଉପରେ ଆକ୍ରମଣ କରାଯିବା ନେଇ ଯେଭଳି ଗୁଜବ ସୃଷ୍ଟି ହୋଇଛି ତାହାକୁ ତୁରନ୍ତ ବନ୍ଦ କରାଯିବା ଦରକାର । ଏଭଳି ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ।

ଏଭଳି ଗୁଜବ ଯୋଗୁଁ କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଶେର ହାଇଦରାବାଦ ଓ ମହାରାଷ୍ଟ୍ରର ମୁମ୍ବଇ ଭଳି ସହରରୁ ହଜାର ହଜାର ଉତ୍ତର-ପୂର୍ବାଂଚଳ ରାଜ୍ୟର ଯୁବକ ଯୁବତୀ, ଶ୍ରମିକ, କର୍ମଜୀବୀ, ଚାକିରିଆ ଓ ବ୍ୟବସାୟ ବାଣିଜ୍ୟ କରୁଥିବା ଲୋକେ ଡରି ସ୍ୱରାଜ୍ୟ ଫେରୁଥିବା ଦେଖାଯାଇଛି ।

ହିନ୍ଦି ଦୈନିକ ଖବର କାଗଜ ଦୈନିକ ଜାଗରଣ ଖବର ଅନୁସାରେ ବେଙ୍ଗାଲୁରୁରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ୧୬ ହଜାର ଉତ୍ତର-ପୂର୍ବାଂଚଳ ଲୋକେ ଘରକୁ ଫେରିଗଲେଣି । ଅତି ଦୟନୀୟ ଅବସ୍ଥାରେ ଆସାମ ଫେରି ଯାଉଥିବା ଲୋକଙ୍କୁ ଦେଖିଲେ ଅତି ଦୁଃଖ ଅନୁଭବ ହେଉଛି ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ-ଅନ୍ଧକବି ଭିମଭୋଇ ।  ଆମେ ସେହି କବିଙ୍କ ବଂଶଧର ହୋଇ ଏ ସମୟରେ କିପରି ନିରବି ବସିପାରିବା ।

ଓଡିଶା ବାସୀ ସେହି ଘରକୁ ଫେରନ୍ତା ଲୋକଙ୍କ ଦୁଃଖକୁ ହୃୟଙ୍ଗମ କରିଛନ୍ତି । ଭୋକ ଉପବାସରେ ଛୁଆ, ପିଲା ଓ ମାଆ ଭଉଣୀମାନଙ୍କୁ ଧରି ଟ୍ରେନରେ ଗଲାବେଳେ ଜଗତରନାଥ ଜଗନ୍ନାଥଙ୍କ ଦେଶର ଅଧିବାସୀଙ୍କ ହୃୟକୁ ଆଘାତ ଦେଇଛି ।

ସେହି ଭୟାତୁର ଲୋକମାନେ ଯେପରି ନିର୍ଭୟରେ ଯାଆନ୍ତୁ, ଖାଲିପେଟରେ ନଯାନ୍ତୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି ଓଡିଶାର ଜନସାଧାରଣଙ୍କ ପକ୍ଷରୁ ।

ଓଡିଶାର ଜନସାଧାରଣ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନଙ୍କ ମାଧ୍ୟମରେ ଏହି ସେବାକାମ କରୁଛନ୍ତି । କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଶେର ହାଇଦରାବାଦରୁ ଯେଉଁ ଲୋକମାନେ ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ହୋଇ ଯାଉଛନ୍ତି ସେମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ପୁଡିଆମାନ ସଂଘର ସ୍ୱୟଂସେବକମାନେ ବିତରଣ କରୁଛନ୍ତି ।

ଆଗ୍ରହ ସହକାରେ ଟ୍ରେନରେ ଯାଉଥିବା ଯାତ୍ରୀମାନେ ସେହି ଖାଦ୍ୟ ପୁଡିଆ ଗ୍ରହଣ କରୁଛନ୍ତି । ଓଡିଶାବାସୀଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଶୁକ୍ରବାରଦିନ ତିନୋଟି ଟ୍ରେନରେ ଯାଉଥିବା ଯାତ୍ରୀକୁ ୮୦୦୦ ଖାଦ୍ୟ ପୁଡିଆ ଓ ବିଭିନ୍ନ ଉପକରଣ ଦିଆଯାଇଥିବା ବେଳେ ଶନିବାର ଦିନ ୧୦,୦୦୦ ଖାଦ୍ୟ ପୁଡିଆ ଓ ବିଭିନ୍ନ ଉପକରଣ ମାନ ଦିଆହୋଇଛି ।

ଓଡିଶାର ଜନସାଧରଣ ଉତ୍ତର-ପୂର୍ବାଂଚଳ ଲୋକଙ୍କ ଅସୁବିଧାରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ସମ୍ପୂଣ୍ଣ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଅଗଷ୍ଟ ୧୯ ତାରିଖଦିନ ଭୁବନେଶ୍ୱରର ଲୋୟର ପିଏମ୍ଜି ଠାରେ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ, ଓଡିଶା ବ୍ୟାନରରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଏହିପରି ଗଣ ଧାରଣ ଅନୁଷ୍ଠିତ ହୋଇ ଯାଇଛି ।

ଆସାମରେ ଯେଉଁ ହିଂସାକାଣ୍ଡ ଘଟୁଛି ତାହା ସମଗ୍ର ଦେଶପାଇଁ ଚିନ୍ତା ଜନକ ଅଟେ । ଆସମର ବୋଡୋ ଲ୍ୟାଣ୍ଡ ଓ ଧ୍ରୁବୀ ଅଞ୍ଚଳରେ ଯେଉଁ ହିଂସାକାଣ୍ଡ ଘଟିଗଲା ସେଥିରେ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଛି ।

ଅନେକ ଲୋକଙ୍କ ଘରକୁ ଜାଳି ଦିଆ ଯାଇଛି ଓ ସେଠାରେ ବ୍ୟାପକ ଲୁଟ ତରାଜ ଚାଲିଛି । ଏହି ସବୁ ଘଟଣାକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ଓଡିଶା ନିଜର ଚିନ୍ତାବ୍ୟକ୍ତ କରିଛି ।

ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଆମର ଲୋକମାନେ ବିଦେଶୀ ଅନୁପ୍ରବେଶକାରୀଙ୍କ ଆକ୍ରମଣ ଯୋଗୁଁ ନିଜ ଦେଶରେ ଶରଣାର୍ଥୀ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି । ଏହା ଅତ୍ୟନ୍ତ ଯନ୍ତ୍ରଣାାୟକ ଯେ,ଆସାମ ଓ ଉତ୍ତର-ପୂର୍ବର ଛାତ୍ର ଓ ଯୁବକମାନେ ଯେଉଁମାନେ କି ଦେଶର ବିଭିନ୍ନ ସ୍ଥାନରେ ରହି ପଢାପଢି ଓ ଚାକିରୀ କରୁଛନ୍ତି ସେମାନଙ୍କ ମନରେ ଏପରି ଭୟ ସୃଷ୍ଟି କରାଯାଉଛି ଯେ, ସେମାନେ ବହୁ ସଂଖ୍ୟାରେ ନିଜ ରାଜ୍ୟକୁ ଫେରି ଯାଉଛନ୍ତି ।

ଆସାମରେ ଗତ ଜୁଲାଇ ୨୦ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକବାର ଏହିଭଳି ହିଂସାକାଣ୍ଡ ଘଟିଛି । ସେହି ରାଜ୍ୟମାନଙ୍କରେ ବେଆଇନ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଯୋଗୁଁ ଏହି ଭଳି ଘଟଣା ଘଟିଛି ।

ସେମାନଙ୍କ ଉପସ୍ଥିତି କାରଣରୁ କେବଳ ଯେ ଶାନ୍ତିଭଙ୍ଗ ହୋଇଛି ତାହା ନୁହେଁ ବରଂ ଅନେକ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ସୃଷ୍ଟି ହୋଇଛି । ଆସାମ ଓ ଉତ୍ତର ପୂର୍ବ ରାଜ୍ୟବାସୀମାନେ ଏକଥା ବହୁ ପୂର୍ବରୁ ଅନୁଭବ କରିଛନ୍ତି ଏବଂ ଅନେକ ସଂଗଠନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ବିଷୟ ଜଣାଇଛନ୍ତି ।

ଏସବୁ ସତ୍ତ୍ୱେ ଏ ସମସ୍ୟାର କୌଣସି ଉପଯୁକ୍ତ ସମାଧାନ କରାଯାଇ ନାହିଁ । ଯାହା ଫଳରେ କି ସେଠାରେ ଥିବା ଭାରତୀୟ ନାଗରୀକ ଓ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଲାଗି ରହୁଛି ।

ଏବେ ମୁମ୍ବାଇରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ସମଗ୍ର ଦେଶପାଇଁ ଏକ ସତର୍କ ଘଣ୍ଟି । ମୁମ୍ବାଇ ଘଟଣା ଓ ପୁନାରେ ଛାତ୍ରମାନଙ୍କ ଉପରେ ଆକ୍ରମଣ ଏହା ସର୍ବଥା ନିନ୍ଦନୀୟ ଅଟେ । ଏହି ଭଳି ହିଂସା ମଧ୍ୟ ରାଞ୍ଚିରେ ହେବାର ଖବର ମିଳିଛି ।

ବେଙ୍ଗାଲୁରରୁ ଅନେକ ଛାତ୍ର ଓ ଯୁବକ ଭୟଭିତ ହୋଇ ନିଜ ରାଜ୍ୟ ଆସାମ ଓ ଉତ୍ତରପୂର୍ବ ରାଜ୍ୟମାନଙ୍କୁ ଫେରି ଯାଉଛନ୍ତି । ଆମ ସମଗ୍ର ଦେଶବାସୀଙ୍କର ଏହା ଏକ କର୍ତ୍ତବ୍ୟ ଯେପରି ଏଭଳି ଘଟଣା ଆଉ ନଘଟୁ ଏବଂ ଦେଶ ବିରୋଧରେ ଚାଲୁଥିବା ଷଡଯନ୍ତ୍ର ତୁରନ୍ତ ବନ୍ଦ ହେଉ ।

ଏପରି ଏକ ଅଭିଯୋଗ ଆସିଛି ଯେ ଆସମର ଯେଉଁ ଶରଣାର୍ଥୀ ଶିବିରରେ ମୁସଲମାନମାନେ ରହୁଛନ୍ତି ସେମାନଙ୍କ ଭିତରୁ ଅନେକ ଦଙ୍ଗା ପ୍ରଭାବିତ ଗ୍ରାମରୁ ଆସି ନାହାଁନ୍ତି । ଏହି ଅଭିଯୋଗର ମଧ୍ୟ ତଦନ୍ତ ହେବା ଦରକାର ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଅନେକ ସ୍ୱଚ୍ଛାସେବୀ ଅନୁଷ୍ଠାନ ହିଂସା ପ୍ରଭାବିତ ଅଞ୍ଚଳରେ ରହି ୬୦ଟି ଶିବିର ଚଳାଉଛନ୍ତି । ଯେଉଁଠିକି ଖାଦ୍ୟ, ବସ୍ତ୍ର, ଔଷଧ, ଲୁଗାପଟା ଏବଂ ବାସନକୁସନ ବଣ୍ଟା ଯାଉଅଛି ।

ସେମାନେ ମଧ୍ୟ ପୁନା, ମୁମ୍ବାଇ, ବେଙ୍ଗାଲୁର, କେରଳ, ହାଇଦ୍ରାବାଦ ଓ ଦିଲ୍ଲୀରେ ପଢୁଥିବା ଆସାମ ଓ ଉତ୍ତରପୂର୍ବାଞ୍ଚଳର ଛାତ୍ରମାନଙ୍କୁ ଭେଟି ସେମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ।

ଯେଉଁମାନେ ଟ୍ରେନରେ ଆସାମକୁ ଯାତ୍ରା କରୁଛନ୍ତି ସେମାନଙ୍କୁ ମଧ୍ୟ ସବୁ ପ୍ରକାର ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଆସାମ ଓ ଉତ୍ତର ପୂର୍ବାଞ୍ଚଳରେ ଯେଉଁ ସମସ୍ୟା ଦେଖାଦେଇଛି ତାର କାରଣ ହେଉଛି ସେଠାରେ ବସବାସ କରୁଥିବା ପ୍ରକୃତ ଭାରତୀୟ ନାଗରୀକ ଓ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ କାରଣରୁ ସୃଷ୍ଟି ହୋଇଛି ।

ତେଣୁ ଆମେ ସରକାରଙ୍କ ଠାରେ ଦାବି କରୁଛୁ ଯେ ଏହି ବେଆଇନ ଅନୁପ୍ରେବଶକାରୀଙ୍କୁ ଚିହ୍ନଟ କରାଯାଉ, ଭୋଟର ତାଲିକାରୁ ସେମାନଙ୍କ ନାମ ବାଦ ଦିଆଯାଉ ଏବଂ ସେମାନଙ୍କୁ ନିଜ ଦେଶକୁ ଫେରାଇ ଦିଆଯାଉ ।

ଏଥିପାଇଁ ଏକ ଜାତୀୟ ନାଗରୀକ ରେଜିଷ୍ଟର ତିଆରି କରାଯାଉ । ଯେଉଁଥିରେ କି ପ୍ରକୃତ ନାଗରୀକମାନଙ୍କ ନାମ ପଞ୍ଜିକରଣ ହେବ ଏବଂ ଅଣନାଗରୀକମାନଙ୍କୁ ସେଥିରୁ ଅଲଗା ରଖାଯାଉ ।

ଆମେ ଆସାମ ,ଉତରପୂର୍ବ ଅଞ୍ଚଳ ଏବଂ ସମଗ୍ର ଦେଶର ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ ଦେଶରେ ସେମାନେ ଶାନ୍ତି ଓ ସ୍ଥିରତା ବଜାୟ ରଖନ୍ତୁ ଏବଂ ସେମାନେ ହୁସିଆର ରୁହନ୍ତୁ ଯେପରିକି ଏହି ପରିସ୍ଥିତିରୁ କେହି ଫାଇଦା ଉଠାଇ ଗଣ୍ଡଗୋଳ କରିପାରିବେ ନାହିଁ ।

ଆମେମଧ୍ୟ ଓଡିଶାରେ ଏବଂ ଦେଶର ବିଭିନ୍ନ ସ୍ଥାନରେ ପଢୁଥିବା ଆସାମ ଓ ଉତ୍ତର-ପୂର୍ବାଂଚଳର ଛାତ୍ରମାନଙ୍କୁ ଅନୁରୋଧ କରୁଛୁକି ସେମାନେ ଆଦୌ ଭୟଭିତ ହୁଅନ୍ତୁ ନାହିଁ କିମ୍ବା କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ,କାରଣ ଆମ୍ଭମାନେ ସେମାନଙ୍କୁ ସବୁ ପ୍ରକାର ନିରାପତ୍ତା ଯୋଗାଇ ଦେବୁ ଏବଂ ସେମାନଙ୍କର ଏହି ଦୁଃଖଦିନରେ ସମଗ୍ରଦେଶ ତାଙ୍କ ପଛରେ ଠିଆ ହୋଇଛି ।

ଭାରତର ଯେ କୌଣସି ସ୍ଥାନରେ ଜଣେ ନାଗରିକ ବସବାସ କରିବା, ପାଠ ପଢିବା, ଚାକିରି କରିବାର ଅଧିକାର ତଥା ସ୍ୱାଧୀନତା ରହିଛି ।

ଆସାମର କୋକ୍ରାଝର ଏକ ଛୋଟିଆ ହିଂସା ଘଟିବା ପରେ ଦେଶବ୍ୟାପୀ ଉତ୍ତର-ପୂର୍ବାଂଚଳ ଲୋକଙ୍କ ଉପରେ ଆକ୍ରମଣ କରାଯିବା ନେଇ ଗୁଜବ ପ୍ରଚାରିତ ହେବା ଦୁର୍ଭାଗ୍ୟଜନକ । ଆସାମ ହିଂସା ନୁଆ ନୁହେଁ ।

ଆସାମକୁ ମୁସଲିମ ବହୁଳ କରିବାର ଷଡଯନ୍ତ୍ର ଅଭିଭାଜିତ ଭାରତରେ ୧୯୪୧ ମସିହାରେ ମୁସଲିମ୍ଲିଗ କରିଥିଲା । ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମିଆଁ ସାୁଲ୍ଲା ଖାଁ ଘୋଷଣା କରିଥିଲେ ଯେ,ଆସାମରେ ଜମି ପଡିଆ ପଡିଛି, ବଙ୍ଗଳାର ଯେଉଁ ମୁସଲମାନ ଏଠାକୁ ଆସିବେ ତାଙ୍କୁ ମାଗଣାରେ ଜମି ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ଆସାମକୁ ମୁସଲମାନ ବହୁଳ କରିବାପାଇଁ ଷଡଯନ୍ତ୍ରଥିଲା । ଅନ୍ୟପକ୍ଷରେ ହିନ୍ଦୁ ବୋଡୋ ଜନଜାତୀଙ୍କର ସରଳତାର ସୁଯୋଗନେଇ ଇଂରେଜ ସରକାର ସେମାନଙ୍କୁ ଖ୍ରୀଷ୍ଟିଆନ କରିଲେ ।

ପରେ ମୁସଲିମ୍ଲିଗ୍ ତାଙ୍କୁ ମୁସଲମାନ କରିବା ପାଇଁ କୁଟିଳ ଯୋଜନା ତିଆରି କରିଥିଲେ । ୧୯୪୪ ମସିହାରେ କଂଗ୍ରେସ ନେତା ଗୋପିନାଥ ବାରୋଲୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପଞ୍ଚଗନ ଯାଇ ଗାନ୍ଧିଜୀଙ୍କୁ ସୂଚନା ଦେଇଥିଲେ ଯେ, ଆସାମକୁ ମୁସଲିମ ବହୁଳ କରିବାପାଇଁ ମୁସଲିମଲିଗ୍ ପ୍ରବଳ ଚେଷ୍ଟା ଚଳାଇଛି ।

ଏହି ସମୟରେ ହରିଜନ ସେବକରେ ପ୍ରକାଶିତ ଲେଖାରେ ଗାନ୍ଧୀ ଏହି ଷଡଯନ୍ତ୍ର ଉପରେ ଚିନ୍ତା ପ୍ରକଟ କରିଥିଲେ । ମୁସଲିମ୍ଲିଗ୍ ଭାରତ ବିଭାଜନ ସମୟରେ ଆସାମ ଓ ବଙ୍ଗଳାକୁ ମୁସଲମାନ ବହୁଳ ଅଞ୍ଚଳ କହି ପାକିସ୍ତାନରେ ସାମିଲ କରିବାକୁ ଦାବି କରିଥିଲେ ।

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହାକୁ ବିରୋଧକରି କହିଲେ -ଆସାମ ହିନ୍ଦୁ ବହୁଳ ଅଞ୍ଚଳ ଅଟେ ତଥା ବଙ୍ଗଳାର ଅଧିକାଂଶ ଭାଗ ମଧ୍ୟ ହିନ୍ଦୁ ବହୁଳ ଅଟେ ।

ଭାରତ ବିଭାଜନ ସମୟରେ ସିଲହଟ ଜିଲ୍ଲାକୁ ମୁସଲମାନ ବହୁଳ କହି ପାକିସ୍ତାନରେ ମିଶାଇ ଦିଆ ଯାଇଥିଲା । କିନ୍ତୁ ଶେଷରେ ଆସାମ ହିନ୍ଦୁ ବହୁଳ ହୋଇଥିବା କାରଣରୁ ଭାରତରେ ରହିଥିଲା । ମହମ୍ମଦ ଅଲ୍ଲୀ ଜିନ୍ନା ଏହି ସମୟରେ ନିଜ ଲେଖାରେ ଲେଖିଥିଲେ ଯଦି ମୁସଲିମଲିଗର ନେତାମାନେ ଆଉ କିଛି ବର୍ଷ ପୂର୍ବରୁ ଚେଷ୍ଟା କରିଥାନ୍ତେ ତେବେ ସର୍ମ୍ପୂଣ୍ଣ ଆସାମ ମୁସଲମାନ ବହୁଳ ହୋଇ ଯାଇଥାନ୍ତା ।

ଜେ.ଅଲ୍ଲି ଭୁଟ୍ଟ ମିଥ୍ ଅଫ ଇଣ୍ଟିପେଣ୍ଡେସ ପୁସ୍ତକରେ ଲେଖିଛନ୍ତି ପାକିସ୍ତାନ ପାଇଁ କେବଳ କାଶ୍ମୀର ନୁହେଁ ଆସାମ ମଧ୍ୟ ମହତ୍ୱପୂର୍ଣ୍ଣ । ଯେପର୍ଯ୍ୟନ୍ତ ଆସାମ ଆମକୁ ନମିଳିଛି ସେ ପର୍ଯ୍ୟନ୍ତ ଆମେ ଚୁପ ବସି ପାରିବୁ ନାହିଁ ।

ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହେଉଛି ଯେ ଆସାମକୁ ମୁସଲମାନ ବହୁଳ ଅଞ୍ଚଳ କରିବା ପାଇଁ ଷଡଯନ୍ତ୍ରପରେ ଷଡଯନ୍ତ୍ର ଚାଲିଛି । ସେଥିପାଇଁ ବିଗତ ୬୦ବର୍ଷରେ ବୋଡ଼ୋ ଓ ବାଂଲାଦେଶୀ ମୁସଲମାନମାନଙ୍କ ମଧ୍ୟରେ ବହୁବାର ଭୟଙ୍କର ସଂଘର୍ଷ ସଂଗଠିତ ହୋଇଛି ।

ଅକ୍ଟୋବର ୧୯୯୩, ମେ ୧୯୯୬, ସେପ୍ଟେମ୍ବର ୧୯୯୮, ସେପ୍ଟେମ୍ବର ୨୦୦୫, ଅଗଷ୍ଟ ୨୦୦୮, ମାର୍ଚ୍ଚ ୨୦୦୯, ଜାନୁୟାରୀ ୨୦୧୧ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ସେଥିରେ ହିନ୍ଦୁ ଜନଜାତି ବୋଡ଼ୋ ଓ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀମାନଙ୍କ ମଧ୍ୟରେ ସଂଘର୍ଷ ଘଟି ହଜାର ହଜାର ଲୋକ ମୃତାହତ ହୋଇଛନ୍ତି ଏବଂ ଲକ୍ଷଲକ୍ଷ ଲୋକ ଗୃହଶୂନ୍ୟ ହୋଇଛନ୍ତି ।

ବର୍ତ୍ତମାନ ଆସାମର ମୋଟ ୨୭ଟି ଜିଲା ମଧ୍ୟରୁ ୧୧ଟି ଜିଲାରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ଅଛନ୍ତି । ଜଗତରନାଥ ଜଗନ୍ନାଥଙ୍କର ସେବକ ଓଡିଶାବାସୀ କେବେ ହିଂସାରେ ବିଶ୍ୱାସ କରନ୍ତି ନାହିଁ । ସଦା ସର୍ବଦା ଶାନ୍ତି ଚାହିଁନ୍ତି । ଯୁଦ୍ଧରେ ବିଶ୍ୱାସ କରନ୍ତି ନାହଁ ।

ଚଣ୍ଡାଶୋକ ଅଶୋକ ଦିନେ ଏହି ଭୂମିରେ ପାଦଦେଇ ଧର୍ମ ଶୋକରେ ପରିଣତ ହୋଇଥିଲେ । ଠିକ୍ ସେହିପରି ଓଡିଶା ଚାହେଁ ଅଖଣ୍ଡ ଭାରତ । ଯେଉଁ ଭାରତ ଦିନେ ବିଶ୍ୱଗୁରୁ ପରେ ଅଧିଷ୍ଠିତ ହୋଇଥିଲା ।

ପାକିସ୍ତାନ, ବଙ୍ଗଲାଦେଶ, ନେପାଳ, ମିଆଁମାର ଆଦି ଯେତେ ଦେଶ ଭାରତବର୍ଷରୁ ଅଲଗା ହୋଇ ଯାଇଛନ୍ତି ସେମାନେ ପୁଣିଥରେ ଏକାଠି ହୋଇ ଅଖଣ୍ଡ ଭାରତ ଗଠନ କରିବେ । ସେଥିପାଇଁ ଦରକାର ଏକ ମହାନ ସାଂସ୍କୃତିକ ଆନ୍ଦୋଳନ । ଏହି ବିପ୍ଲବ ଦିନେ ଓଡିଶାରୁ ଆରମ୍ଭ ନହେବ ବୋଲି କିଏ କହିବ ?

ଘିଗିଡିଆ,ବାରୁଅ,କେନ୍ଦ୍ରାପଡା

admin
admin

Filed Under: ମୁଖ୍ୟ ଖବର Tagged With: ଆସାମ ହିଂସାକାଣ୍ଡ, ଉତ୍ତର-ପୂର୍ବାଂଚଳ ଜନତା, ଓଡିଶାବାସୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ