• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା

ବିରୋଧ ପରେ ଅମିତାଭଙ୍କ ଓଡିଶା ଗସ୍ତ ବାତିଲ

June 4, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଜୁନ ୪ (ଓଡିଶା ଡଟ୍ କମ୍) ବହୁରାଷ୍ଟ୍ରୀୟ କମ୍ପାନୀ ନେସଲେ ଦ୍ଵାରା ତିଆରି ହେଉଥିବା ଫାଷ୍ଟଫୁଡ ‘ମ୍ୟାଗି’ର ଗୁଣବତ୍ତାକୁ ନେଇ ବିବାଦ ସୃଷ୍ଟି ହେବ ପରେ ଅତୀତରେ ଏହାର ପ୍ରଚାର କରିଥିବା ବଲିଉଡ ସିନେ ତାରକା ଅମିତାଭ ବଚନ ବିରୋଧର ଆଶଙ୍କା କରି ଶୁକ୍ରବାର ଓଡିଶାରେ ଥିବା ତାଙ୍କ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।

ସେ ଭୁବନେଶ୍ଵର ସ୍ଥିତ ସହିଦନଗରରେ କଲ୍ୟାଣ ଜୁଏଲେରୀର ଏକ ସୋ-ରୁମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ବଚନ ଓଡିଶା ଆସିଲେ ତାଙ୍କୁ ବିରୋଧ କରାଯିବ ବୋଲି କଳିଙ୍ଗ ସେନା ଓ ଅନ୍ୟ କେତେକ ସଙ୍ଗଠନ ପୂର୍ବରୁ ଘୋଷଣା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାଗିର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିବା  ପରେ ଏହାର ବିକ୍ରି ଉପରେ ଦେଶର ବିଭିନ୍ନ ରାଜ୍ୟ ସାମୟିକ ନିଷେଧାଦେଶ ଜାରି କରିଛନ୍ତି । ଓଡିଶା ମଧ୍ୟ ବିଭିନ୍ନ ସ୍ଥାନରୁ ମ୍ୟାଗି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପୁନେ ପଠାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମୁଖ୍ୟ ଖବର Tagged With: ଅମିତାଭ, ଓଡିଶା, କଲ୍ୟାଣ ଜୁଏଲାରି, ମ୍ୟାଗି

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

June 3, 2015 by News Bureau Leave a Comment

: ଶ୍ରୀ ଅଖଣ୍ଡ

ମୁମ୍ବାଇରେ ରହୁଥିବା ଓଡିଶାର ଜଣେ ସାମ୍ବାଦିକ ତଥା ସମାଜ କର୍ମୀ ସାଇ ପ୍ରସନ୍ନଙ୍କ ଗତ ମଇ ୩୧ ତାରଖରେ ନାଗପୁରରେ ଅକାଳ ବିୟୋଗ ଘଟିଛି । ରାଉଲକେଲା ଆସୁଥିବା ବେଳେ ୩୦ ତାରିଖରେ ନାଗପୁର ଠାରେ ସେ ଅସୁସ୍ଥ ହୋଇପଡିଥିଲେ ।

Sai_photoତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇ ହେଲା ନାହିଁ । ଡିଜିଟାଲ୍ ଓଡିଶାର ସ୍ୱପ୍ନ ଦେଖୁଥିବା ସାଇ ପ୍ରସନ୍ନ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିସାରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁରେ ଏକ ବଡଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ।

୨୦୦୮ରେ ମୁଁ ଏକ ଖବର କାଗଜରେ କାମ କରୁଥିବା ବେଳେ ପ୍ରଥମେ ସାଇ ପ୍ରସନ୍ନଙ୍କ ଫୋନ୍ ପାଇଥିଲି ।ତା ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ। ଯେତେବେଳେ ସେ ଫୋନ୍ କରନ୍ତି, ଗୋଟିଏ କଥା କହନ୍ତି – ଓଡିଶା ପାଇଁ କିଛି କରିବାକୁ ଯୋଜନା କରୁଛି । ଲେଖାଲେଖି ଚାଲିଛି । ଆଉ ମୋତେ ପଚାରନ୍ତି, ତମର ସବୁ କଣ ନୂଆ ଆଇଡିଆ ଅଛି କୁହ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜନତା ବିକାଶ ମଂଚର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସବୁବେଳେ ମୋ ଠାରୁ ମତାମତ ଲୋଡନ୍ତି ।

ମୁମ୍ବାଇରୁ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ ଏକ ସେମିନାର୍ କରିବା ପୂର୍ବରୁ ତାଙ୍କ ସହ ଘନିଷ୍ଠତା ବଢି ଯାଇଥିଲା ।

ଏହାକୁ କିପରି କରାଯିବ, ସେ ନେଇ ପୂର୍ବରୁ ହୋଇଥିବା ପ୍ରସ୍ତୁତିରେ ମୁଁ ସାମିଲ ହୋଇଥିଲି । ସେମିନାର ପୂର୍ବରୁ ମୋ ପାଖକୁ ସେ ଏକ ପ୍ରେସ୍ ରିଲିଜ୍ ପଠାଇଥିଲେ । ଆଉ ଅନୁରୋଧ କରିଥିଲେ, ଏହାକୁ ଓଡିଆରେ କରିବା ପାଇଁ । ମୁଁ ଓଡିଆରେ ଅନୁବାଦ କରି ତାଙ୍କୁ ଇ-ମେଲ୍ କରିଥିଲା । ଦୁଇ ଦିନ ପରେ ମୁଁ ପଚାରିଥିଲି – ଆପଣ ଏହା ଉପରେ କିଛି ମତାମତ ଦେଲେନି । କହିଲେ – “ତମେ ଲେଖିଛ, ଠିକ୍ ହୋଇଥିବ ମୁଁ ନିଶ୍ଚିତ ।”

ତଥାପି ମୁଁ କହିଲି, ଆପଣ ପଢିଛନ୍ତି କି ନାହିଁ ? ସେ କହିଲେ – ମୁଁ ଓଡିଆ ବୁଝି ପାରୁଥିଲେ ମଧ୍ୟ ଠିକ ରେ ପଢିପାରେ ନାହିଁ । ତଥାପି ସେ ଚାରି ପାଞ୍ଚୋଟି ଭାଷା କହିପାରନ୍ତି ବୋଲି ମୁଁ ସେହିଦିନ ସେମିନାର ରୁ ଜାଣିଲି । ମଇ ମାସ ୧ ତାରିଖରେ ହୋଇଥିବା ସେମିନାରରେ କିଛି ତ୍ରୁଟି ପାଇଁ ମୁଁ ସମାଲୋଚନା କରିଥିଲି ।

କିନ୍ତୁ ସେ ମୋ ପାଖକୁ ଫେସବୁକ୍ ମେସେଜ୍ ପଠାଇଥିଲେ – “So we should invite feedback from impartial people. . . .I consider my critics are my best friends than admirers” ।

ଓଡିଶାରେ ସେ ସକ୍ରିୟ ଭାବେ କାମ କରିବାକୁ ଆସିଥିଲେ ୨୦୧୫ରୁ । ସେ ଚାହୁଥିଲେ ଓଡିଶାକୁ ଏକ ଡିଜିଟାଲ୍ ରାଜ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଓ ସରକାରଙ୍କ ଉପରେ ଚାପ ପକାଇବା । ସେଥିପାଇଁ ସେ ଯୋଜନା ପ୍ରସ୍ତୁତ କରୁଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା ସଭା, ସେମିନାର ଆୟୋଜନ କରିବା ପାଇଁ କାର୍ଯ୍ୟ ଚାଲିଥିଲା ।

କିଛି ଯୁବବନ୍ଧୁଙ୍କୁ ନେଇ ଏକ ଭଲ ଟିମ୍ ମଧ୍ୟ ଗଢିଥିଲେ । ଜୁନ୍ ୬ରେ ମିଡିଆ ଆଡଭୋକେସୀ ଉପରେ ସେ ଏକ ଟ୍ରେନିଂ କାର୍ଯ୍ୟକ୍ରମ କରିବାର ଥିଲା ଭୁବନେଶ୍ୱରେ । ଏଥିପାଇଁ ମଧ୍ୟ ସେ ଗୋଟିଏ ଦାୟିତ୍ୱ ଦେଇଥିଲେ । ସେହି କାମ । ଇଂରାଜୀ ପ୍ରେସ୍ ରିଲିଜ୍ ଓଡିଆ କରିବା କାମ । ମୁଁ ରାଜି ହୋଇଥିଲେ । ସେ କହିଥିଲେ ଟ୍ରେନିଂ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଠାଇବି । କିନ୍ତୁ ମେ ୩୧ରେ ସବୁ କଥା ସରିଗଲା ।

ସେ ଚାଲିଗଲେ ଆଉ ଏକ ଦୁନିଆକୁ । ମଇ ୧୫ ତାରିଖରେ ଫେସବୁକରେ ତାଙ୍କ ଆନ୍ଦୋଳନ ପାଇଁ ପାଣ୍ଠି କେଉଁଠୁ ଆସିବ ବୋଲି ସେ ପଚାରୁଥିଲେ । ମୁଁ କହିଥିଲି ମୋର ସେ ବିଷୟରେ ଧାରଣା କମ୍ । ତଥାପି କହିଥିଲି – ଅର୍ଥ ସଂଗ୍ରହ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ ସମ୍ପତିରେ ଏସବୁ କାମ ହୋଇପାରିବନି । ମୋ କଥାରେ ସେ ରାଜି ଥିଲେ ଓ ତାଙ୍କ ଉତ୍ତର ଥିଲା – “Now my bank balance is Zero, with no property”.  ସେ କହିଥିଲେ – ଜୁନ୍ ୧ରେ ଓଡିଶା ଆସିବି, ଏ ବିଷୟରେ କଥା ହେବା । ସବୁ କଥା କଥାରେ ହିଁ ରହିଗଲା !
–୦ —
ଲେଖକ ଜଣେ ମାନବାଧିକାର କର୍ମୀ,
ମୋ – ୯୮୬୧୨୧୦୧୦୧

News Bureau
News Bureau

Filed Under: ମାନବାଧିକାର Tagged With: ଅଖଣ୍ଡ, ଓଡିଶା, ଡିଜିଟାଲ, ସାଇ ପ୍ରସନ୍ନ, ସାମ୍ବାଦିକ

ଓଡିଶାରେ ଆଦିବାସୀ ନେତୃତ୍ୱ ; କିଛି ପ୍ରଶ୍ନ (ରୋକ୍ ଠୋକ୍ )

June 1, 2015 by News Bureau Leave a Comment

କେଦାର ମିଶ୍ର

ହଠାତ୍‍ ଏଇ କିଛିଦିନ ହେଲା ଓଡିଶା ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ପରଠୁ ରାଜ୍ୟର ମୂଳ ଅଧିବାସୀ ଭାବରେ ପରିଚିତ ଆଦିବାସୀଙ୍କ ଅସ୍ମିତା ଓ ରାଜନୈତିକ ଅଧିକାରକୁ ନେଇ କେବେ ବି ଖାସ୍‍ ଆଲୋଚନା ହୋଇନାହିଁ ।

କହିବାରେ ଦ୍ୱିଧା ନାହିଁ ଯେ ଓଡିଶାରେ ରାଜନୈତିକ ନେତୃତ୍ୱ ପ୍ରାୟତଃ ରାଜା, ବ୍ରାହ୍ମଣ, କରଣ ଓ ଉଚ୍ଚବର୍ଗଙ୍କ ହାତରେ ରହି ଆସିଛି । ଗଜପତି କୃଷଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ଓଡିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀ ଏହି ବର୍ଗରୁ ଆସିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ

କେବଳ ଦଶ ମାସ ପାଇଁ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଥରରେ ଆଠ ମାସ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ରାଜନୀତିରେ ଇତିହାସ ଦୃଷ୍ଟିରୁ ଉଭୟ ନିଜ ନେତୃତ୍ୱକୁ ନେଇ ସେତେବେଶି ଚର୍ଚ୍ଚାରେ ରହିନାହାନ୍ତି । ସମ୍ପ୍ରତି ଗିରିଧର ଗମାଙ୍ଗ ନିଜର ମୂଳଦଳ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ଜୋର୍‍ ଧରିଛି।

ଇତିମଧ୍ୟରେ ଗମାଙ୍ଗ କଂଗ୍ରେସ ଦଳ ତ୍ୟାଗ କରିଛନ୍ତି । ହୁଏତ ସେ ବିଜେପିରେ ଯୋଗ ଦେଇପାରନ୍ତି । ଓଡିଶାରେ ଆଦିବାସୀ ନେତୃତ୍ୱକୁ ନେଇ ବିଜେପି ଏକ ନୂଆ ସମୀକରଣ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିଛି । ଏହି ପ୍ରୟାସରେ କେନ୍ଦ୍ରରେ ଓଡିଶାର ଏକମାତ୍ର ବିଜେପି ଲୋକସଭା ସଦସ୍ୟ ଜୁଏଲ୍‍ ଓରାମ୍‍ଙ୍କୁ ପୁଣି କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ବାଜପେୟୀ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ଦ୍ଵିତୀୟ ଥର ପାଇଁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତାଙ୍କର ଦାୟିତ୍ୱ ଅପରିବର୍ତ୍ତିତ ରହିଛି । ଅର୍ଥାତ ସବୁବେଳେ ଜୁଏଲ୍‍ଙ୍କୁ ଆଦିବାସୀ ବ୍ୟାପାର ବିଭାଗର ଦାୟିତ୍ୱ ଦିଆଯାଇଛି ।

ଓଡିଶାରୁ ପ୍ରଥମଥର ପାଇଁ ଜୁଏଲଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ରେ ନେଇ ଅଟଳ ବିହାରୀ ବାଜପେୟୀ ଏକ ଉଦାହରଣ ସୃଷ୍ଟି କରିଥିଲେ । ତେବେ ଜୁଏଲ୍‍ଙ୍କ ନେତୃତ୍ୱ କେବଳ ସେତିକିରେ ହିଁ ସୀମିତ ରହି ଆସିଛି । ଜୁଏଲ୍‍ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଭାବରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ ମଧ୍ୟ ଉଚ୍ଚବର୍ଗର ନେତୃତ୍ୱ ଆଗରେ ତାଙ୍କର ବ୍ୟକ୍ତିତ୍ୱକୁ ଏକପ୍ରକାର ଫିକା କରି ଦେଖାଇବାର ନିରନ୍ତର ପ୍ରୟାସ ଦଳ ଭିତରେ ଓ ଗଣମାଧ୍ୟମରେ ହୋଇଛି ।

ଗିରିଧର ଗମାଙ୍ଗ
ଗିରିଧର ଗମାଙ୍ଗ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ
ଜୁଏଲ ଓରାମ ଓ ଦ୍ରୌପଦୀ ମୁର୍ମୁ

ଓଡିଶାରୁ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳରେ ଅଛନ୍ତି । ଜୁଏଲ୍‍ ଓଡିଶା ଲୋକସଭାରୁ ନିର୍ବାଚିତ ହୋଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ପଦବୀ ଦୃଷ୍ଟିରୁ ଜୁଏଲ୍‍ କ୍ୟାବିନେଟ୍‍ ମନ୍ତ୍ରୀ ହୋଇଥିବା ବେଳେ ଧର୍ମେନ୍ଦ୍ର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ ହାତରେ ଦୁଧିଆଳୀ ପେଟ୍ରୋଲିୟମ୍‍ ବିଭାଗ ରହିଛି । ତେଣୁ ସ୍ୱାଭାବିକ ଭାବରେ ଦଳ ଭିତରେ ଓ ବାହାରେ ତାଙ୍କ ପ୍ରଭାବ ଜୁଏଲ୍‍ଙ୍କ ତୁଳନାରେ ବହୁ ଅଧିକ । ଜୁଏଲ୍‍ ତୃଣମୂଳ ସ୍ତରରେ ବିଜେପି ସଙ୍ଗଠନକୁ ଦୃଢ଼ୀଭୂତ କରିବା ପାଇଁ ଯେତେ ଉଦ୍ୟମ କଲେ ବି ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁନାହିଁ ।

ଧର୍ମେନ୍ଦ୍ର ଏବଂ ଜୁଏଲ୍‍ଙ୍କ ନେତୃତ୍ୱର ତୁଳନା କରି ଦେଖିଲେ ଆମର ଆଦିବାସୀ ବିରୋଧୀ ମାନସିକତା ସ୍ପଷ୍ଟ ହୋଇଯିବ । ଜୁଏଲ୍‍ ଆଦିବାସୀ ନେତା, ସେ ତୃଣମୂଳ ସ୍ତରରେ କାମ କରନ୍ତି, ତାଙ୍କ କଥା କହିବାରେ ସରଳତା ଓ ଭାବପ୍ରବଣତା ରହିଛି ଓ ସର୍ବୋପରି ନିଜର ଆଦିବାସୀ ଅସ୍ମିତାକୁ ନେଇ ସେ ଗର୍ବିତ ।

ଅପରପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ସହରୀ ନେତୃତ୍ୱର ପ୍ରତୀକ । ତାଙ୍କ କଥା କହିବାରେ ଆଭିଜାତ୍ୟ ଅଛି । ଲୋକସମ୍ପର୍କ ରକ୍ଷାର ସବୁ ଆଧୁନିକ ସୂତ୍ର ତାଙ୍କୁ ଜଣା । ତେଣୁ ବିଜେପିର ସବୁ ଦଳୀୟ ବ୍ୟପାରରେ ଜୁଏଲ୍‍ ଗୌଣ ପରିଲକ୍ଷିତ ହୋଇଥିବା ବେଳେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ଉଭା ହୋଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ ଜୁଏଲ୍‍ଙ୍କୁ ଅଣଦେଖା କରିବାର ବହୁ ନମୂନା ଇତିମଧ୍ୟରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଘଟଣା କ୍ରମରେ ପୂର୍ବତନ ବିଧାୟିକା, ମନ୍ତ୍ରୀ ଓ ମୟୁରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୂଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବରେ ମାନ୍ୟବର ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

ଓଡିଶାରୁ ରାଜ୍ୟପାଳ ପଦ ମଣ୍ଡନ କରିବାରେ ଦ୍ରୌପଦୀ କେବଳ ପ୍ରଥମ ଆଦିବାସୀ ନୁହନ୍ତି, ସେ ପ୍ରଥମ ମହିଳା ମଧ୍ୟ । ଜଣେ ସାଧାରଣ କିରାଣୀରୁ ରାଜ୍ୟପାଳ ପଦବୀକୁ ଯାଇଥିବା ଦ୍ରୈାପଦୀଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ଅସାଧାରଣ ବୋଲି କୁହାଯାଇପାରେ । ତେବେ ଦ୍ରୌପଦୀଙ୍କର ଏହି ସଫଳତା ଓଡିଶାର ଅନେକ ବଡ ମୁଣ୍ଡରେ ହଜମ ହେଉନାହିଁ ।

ଆଜି ପର୍ଯ୍ୟନ୍ତ ରାଜ୍ୟପାଳ ପଦରେ ଉଚ୍ଚବର୍ଗର ନେତୃତ୍ୱ ପ୍ରାଧାନ୍ୟ ପାଇ ଆସୁଥିଲେ । ପ୍ରଥମ ଥର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଥିବାରୁ ତାକୁ ନେଇ ଅନେକ ଅସୂୟା ଭାବ ପ୍ରକାଶ କରୁଛନ୍ତି । ଜଣେ ପୂର୍ବତନ ଲୋକସଭା ସାଂସଦ ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭାବିକ ଭାବରେ ଏହି ପୂର୍ବତନ ସାଂସଦ ଜଣଙ୍କ ଉଚ୍ଚ ବର୍ଗର ପ୍ରତିନିଧି ।

ଦ୍ରୌପଦୀ ପୂର୍ବରୁ ମନ୍ତ୍ରୀ ଥିଲେ ଓ ଶ୍ରେଷ୍ଠ ବିଧାୟିକା ଭାବରେ ପୁରସ୍କାର ମଧ୍ୟ ପାଇଥିଲେ । ଏହା ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟତା ହେବାରେ ଅସୁବିଧା କଣ ବୁଝାପଡୁନି । ଯଦି ପୂର୍ବତନ ଆଇଏଏସ୍‍, ପୋଲିସ୍‍ ଅଧିକାରୀ ଓ ବିଫଳ ରାଜନେତାମାନେ ରାଜ୍ୟପାଳ ହୋଇପାରନ୍ତି ସେଠି ଦ୍ରୌପଦୀଙ୍କର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ଆମ ଜାତିଆଣ ମାନସିକତାକୁ ସ୍ପଷ୍ଟ କରୁନାହିଁ କି ?

ଆଦିବାସୀଙ୍କର ନେତୃତ୍ୱ ପ୍ରସଙ୍ଗ ଉଠିଲେ ଆମ ଉଚ୍ଚବର୍ଗର ମାନସିକତା ଚିହିଁକି ଉଠେ । ଆମ ସମ୍ଭ୍ରାନ୍ତ ନାକ କୁଞ୍ଚିତ ହୋଇ ଉଠେ । ଆମେ ଭାବୁ ବଣ, ଡଙ୍ଗରରେ ରହୁଥିବା ଲୋକେ ଶାସନ କରିବା ପାଇଁ ଅନୁପଯୁକ୍ତ ।

ଓଡିଶାରେ ଯେତେ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଭିତରୁ ଗିରିଧର ଗମାଙ୍ଗ ଏକ ଭିନ୍ନ ଚରିତ୍ରର ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଭିତରେ ପଦବୀର ଅହଙ୍କାର ନଥିଲା କିମ୍ବା ଲୋକଙ୍କଠୁ ଦୂରେଇ ରହିବାର ପ୍ରବଣତା ନଥିଲା ।

ଦୁର୍ଭାଗ୍ୟକ୍ରମେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ରହିଲେ ସେତେବେଳେ ଓଡିଶାକୁ ମହାବାତ୍ୟା ଭଳି ଏକ ବିରାଟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା । ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯେଉଁ ପ୍ରକାର ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ରହିବା କଥା ତାହା ଗମାଙ୍ଗଙ୍କର ନଥିଲା ବୋଲି କହିହେବନି ।

ତେବେ ଏହି ବିପର୍ଯ୍ୟୟ ସମୟରେ ନିଜର ରାଜନୈତିକ ରାଗ ସୁଝାଇବାକୁ ଗମାଙ୍ଗଙ୍କୁ ତାଙ୍କ ଦଳ ଭିତରେ କମ୍‍ ହଲାପଟା କରାଯାଇନାହିଁ । ରାଜନୈତିକ ମଞ୍ଚରେ ସବୁବେଳେ ଆଦିବାସୀ ନେତୃତ୍ୱକୁ ନିଚ କରି ଦେଖେଇବାର ଏକ ପ୍ରବୃତ୍ତି ରାଜନୀତିରେ ଓ ଗଣମାଧ୍ୟମରେ ରହି ଆସିଛି ।

ଓଡିଶା ରାଜନୀତିରେ ୨୫ ଭାଗ ଆଦିବାସୀ ଭୋଟର୍‍ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତଥାପି ରାଜନୈତିକ ପଦପଦବୀ, ପ୍ରଶାସନ, ପୋଲିସ୍‍, ଗଣମାଧ୍ୟମ ଓ ସାମାଜିକ ନେତୃତ୍ୱରେ ତାଙ୍କର କୌଣସି ପ୍ରଭାବ ନାହିଁ । ରାଜନୈତିକ ପଦପଦବୀର ଏକ ସାଙ୍କେତିକ ପ୍ରଭାବ ରହିଥାଏ । ୨୫ ଭାଗ ଆଦିବାସୀଙ୍କ ନେତୃତ୍ୱ ସବୁବେଳେ ଅଣ ଆଦିବାସୀଙ୍କ ହାତରେ ରହିଥିବାରୁ ସେମାନଙ୍କ ଭିତରେ ଏକପ୍ରକାର ଅସୁରକ୍ଷାର ବାତାବରଣ ରହି ଆସିଛି ।

ଏକ ଛୋଟିଆ ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ । ଓଡିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟ୍‍ର ପ୍ରଭାବଶାଳୀ ରାଜନୈତିକ ନେତୃତ୍ୱ କେଉଁମାନେ ? ଗମାଙ୍ଗ ପରିବାରକୁ ଛାଡିଦେଲେ ଏଠିକାର ନେତୃତ୍ୱ ଐତିହାସିକ ଦୃଷ୍ଟିରୁ କେଉଁମାନେ ନେଇ ଆସିଛନ୍ତି ? ହରିଶ୍‍ଚନ୍ଦ୍ର ବକ୍ସିପାତ୍ର, ରଘୁନାଥ ପଟ୍ଟନାୟକ, ରବି ନନ୍ଦ ପ୍ରମୁଖ ଆଦିବାସୀ ଜିଲ୍ଲାରୁ ଉଚ୍ଚବର୍ଗର ନେତୃତ୍ୱ ନେଇଛନ୍ତି ।

ଗିରିଧର ଗମାଙ୍ଗ ଓ ଖଗପତି ପ୍ରଧାନୀ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସର୍ବାଧିକ ସମୟ ଲୋକସଭାରେ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନେ କେବେ ବି ଆଗ ଧାଡିର ନେତା ଭାବରେ ପରିଗଣିତ ହୋଇନାହାନ୍ତି ।

ବିଜେଡି ସରକାରରେ ମଧ୍ୟ ଅବସ୍ଥା ସମାନ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଦିବାସୀ ନେତୃତ୍ୱକୁ ନବୀନ ପଟ୍ଟନାୟକ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଲାଲ୍‍ ବିହାରୀ ହିମିରିକା ଓ ରମେଶ ମାଝୀଙ୍କ ଭଳି ଆଦିବାସୀ ପ୍ରତିନିଧିଙ୍କୁ ସବୁବେଳେ ଗୌଣ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି । ତେଣୁ ଗୋଟିଏ କଥା ସ୍ପଷ୍ଟ ଯେ ଆଦିବାସୀଙ୍କ ନେତୃତ୍ୱକୁ ଆମ ଉଚ୍ଚବର୍ଗ ଗ୍ରହଣ କରିବାକୁ ସହଜରେ ପ୍ରସ୍ତୁତ ନୁହଁ ।

ରାଜନୀତିର ପ୍ରଭାବ ସମାଜ ଜୀବନରେ ମଧ୍ୟ ପଡିଥାଏ । ଯେହେତୁ ରାଜନୀତିରେ ଆଦିବାସୀ ନେତୃତ୍ୱର ପ୍ରଭାବ ନାହିଁ, ସାମାଜିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର କୌଣସି ପ୍ରତିପତ୍ତି ନାହିଁ ।

ସାନ୍ତାଳି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ହୋଇ ଏକ ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ପାଇସାରିଛି । ଓଡିଆ ଭାଷାର ସାହିତ୍ୟିକଙ୍କ ପରି ବହୁ ଓଡିଶାବାସୀ ସାନ୍ତାଳି ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।

ହେଲେ ସେମାନଙ୍କ ବିଷୟରେ ଆମ ଓଡିଶାର ଗଣମାଧ୍ୟମ ବା ସାମାଜିକ ସଙ୍ଗଠନଗୁଡିକ କିଛି ଜାଣନ୍ତି କି ? ଦମୟନ୍ତୀ ବେଶ୍ରା ବା ଯଦୁନାଥ ବେଶ୍ରାଙ୍କ ନାଁ କେତେଜଣ ଶୁଣିଛନ୍ତି ? କୁଇ, ସାନ୍ତାଳି, ମୁଣ୍ଡାରୀ ଭଳି ଭାଷାରେ ଅନେକ ସାହିତ୍ୟ ରଚନା ହେଲାଣି – ତାର ଚର୍ଚ୍ଚା ଆମେ କେବେ କରିଛୁ କି ?

ସମାଜ, ରାଜନୀତି ଓ ଚିନ୍ତନ କ୍ଷେତ୍ରରେ ଆଦିବାସୀଙ୍କୁ ଦଳିତ କରି ରଖିବାର ପ୍ରବଣତା ଆମ ପାଇଁ ଦିନେ ନା ଦିନେ ମହଙ୍ଗା ସାବ୍ୟସ୍ତ ହେବ ।

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ଆଦିବାସୀ, ଓଡିଶା, କେଦାର ମିଶ୍ର, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ, ନେତୃତ୍ୱ, ରୋକ ଠୋକ, ହେମାନନ୍ଦ ବିଶ୍ଵାଳ

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୨

May 29, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ମଇ ୨୯ (ଓଡିଶା ଡଟ୍ କମ୍) ଓଡିଶାରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଁଞ୍ଚିଥିବା, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଶୁକ୍ରବାର କହିଛି ।

ମିଳିଥିବା ଏହି ସୂଚନା ଅନୁସାରେ କେନ୍ଦ୍ରାପଡାରେ ଚାରିଜଣ, ରାୟଗଡାରେ ଦୁଇ ଜଣ ଓ ଗଞ୍ଜାମ, କଟକ, ବରଗଡ, ବଲାଙ୍ଗିର,ବାଲେଶ୍ଵର ଓ ଅନୁଗୁଳରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ, ଅଞ୍ଜୁମ ଯହାଁ ଅଖତରୀ, ମହନି ଚନ୍ଦ୍ର ସାମଲ ଓ ଶ୍ରୀଧର ପଣ୍ଡା, ସେହିପରି ରାୟଗଡାର ପ୍ରମୋଦ କୁମାର ସାମଲ, ମଗା ବିଦିକା, ଗଞ୍ଜାମର ଦୁର୍ଲଭ ନାୟକ, କଟକର ଭ୍ରମରବର ମଲ୍ଲିକ, ବରଗଡର ବିରେନ କୁମ୍ଭାର, ବଲାଙ୍ଗିରର ଲକ୍ଷ୍ମଣ ସା, ବାଲେଶ୍ଵରର ମହେଶ୍ଵର ମହାନ୍ତି, ଏବଂ ଅନୁଗୁଳର ଶ୍ରୀନିବାସ ଗୋଛାୟତ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ, ଓଡିଶା

ବିଜେଡି, ବିଜେପି ଗୁପ୍ତ ବୁଝାମଣା ଅଭିଯୋଗକୁ ଭେଙ୍କେୟାଙ୍କ ଖଣ୍ଡନ

May 28, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୮ (ଓଡିଶା ଡଟ କମ) ରାଜ୍ୟର ଶାସକ ବିଜେଡି ସହ ବିଜେପି ଗୁପ୍ତ ବୁଝାମଣା କରିଥିବା ବିରୋଧୀ ଦଳର ଅଭିଯୋଗକୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଖଣ୍ଡନ କରିଛନ୍ତି ।

ଇ ଟିଭି ଓଡିଆକୁ ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ବିଜେଡି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କର ହୃଦବୋଧ ହୋଇଛି ଯେ କେବଳ ବିରୋଧ ପାଇଁ ବିରୋଧ କରିବା ଅନୁଚିତ। ବିଭିନ୍ନ କ୍ଷେତ୍ରରେ ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବୁଝିପାରିଥିବା ସେ କହିଛନ୍ତି ।

ବିଜେଡି ଅତୀତରେ ମୁଖ୍ୟତଃ କଂଗ୍ରେସ ନେତୃତ୍ଵାଧୀନ ଇଉପିଏ ସରକାର ବିରୁଦ୍ଧରେ ରାଜ୍ୟକୁ ପାତରଅନ୍ତର କରୁଥିବା ଅଭିଯୋଗ ସବୁବେଳେ କରିଆସୁଥିଲା । ଯଦିଓ ବିଜେଡି ଏନଡିଏ ସରକାର ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗ କରି ଆସିଛି ତେବେ କେନ୍ଦ୍ର ବିରୁଦ୍ଧରେ ନା ବିଜେଡି ଧାରଣ ପ୍ରଦର୍ଶନ କରୁଛି ନା ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରା ଯାଉଛି ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିଜେଡି ସହ ବିଜେପି ଗୁପ୍ତ ବୁଝାମଣା କରିଥିବା ଅଭିଯୋଗ କରିଆସୁଛି ।

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଏକ ପ୍ରଶ୍ନର ଉତ୍ତରରେ ଭେଙ୍କେୟା କହିଥିଲେ ଯେ ବର୍ତ୍ତମାନ ୮ଟି ରାଜ୍ୟ ଏହି ଦାବି କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନକୁ ଛାଡି ମହାରାଷ୍ଟ୍ର ଓ ତାମିଲନାଡୁ ପରି ବିକଶିତ ରାଜ୍ୟ ମଧ୍ୟ ଅଛନ୍ତି।

ଏପରିସ୍ଥିତିରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମାପକାଠିର ବିଚାର କରିବାକୁ ପଡିଥାଏ। ଏଥିପାଇଁ କେନ୍ଦ୍ର ସରକାର ଅନୁଦାନ କିପରି ଯୋଗାଡ କରିବେ ତାହା ବିଷୟରେ ଚିନ୍ତା କରିବା ମଧ୍ୟ ଦରକାର ବୋଲି ସେ କହିଥିଲେ।

ଏଥର କେନ୍ଦ୍ର ସରକାର ରାଜ୍ୟକୁ ଦେଉଥିବା ୮ଟି ଯୋଜନାରେ ଅର୍ଥ କାଟି ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଆପତ୍ତି ମଧ୍ୟ ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ଏହି ଅଭିଯୋଗର ଉତ୍ତର ରଖିଛନ୍ତି ଭେଙ୍କେୟା। କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ବାବଦରେ କେନ୍ଦ୍ରୀୟ ଅର୍ଥ ଭାଗ ୪୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

ରାଜ୍ୟ ହାତରେ ଅଧିକ ଅର୍ଥ ଦେଇ କେନ୍ଦ୍ର ସରକାର ରାଜ୍ୟକୁ ଆର୍ଥିକ ସ୍ଵତନ୍ତ୍ରତା ଦେଇଛନ୍ତି। ଯାହା ଫଳରେ ରାଜ୍ୟ ସରକାର ରାଜ୍ୟର ଆବଶ୍ୟକତା ଅନୁସାରେ ଯୋଜନା ତିଆରି କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମୁଖ୍ୟମନ୍ତ୍ରୀ କାଳର ଅନୁଭବକୁ ଆଖିଆଗରେ ରଖି ଏହି ଯୋଜନା ତିଆରି କରିଛନ୍ତି। ଯାହାର ଲାଭ ରାଜ୍ୟ ସରକାର ଉଠାଇପାରିବେ ବୋଲି ସେ କହିଛନ୍ତି।

ଖାଲି ଅଧିକ ଅର୍ଥ ଦାବିନକରି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଦେଉଥିବା ଅର୍ଥକୁ ରାଜ୍ୟ ସରକାର ଠିକ ଭାବେ ବିନିଯୋଗ କରିବାକୁ ଭେଙ୍କେୟା ପରାମର୍ଶ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଓଡିଶା, କେନ୍ଦ୍ର ଅବହେଳା, ନବୀନ ପଟ୍ଟନାୟକ

ସନତ ମିଶ୍ର ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ସଭାପତି ନିର୍ବାଚିତ

May 23, 2015 by News Bureau Leave a Comment

ଭୁବନେଶ୍ୱର, ମଇ ୨୪ (ଓଡିଶା ଡଟ କମ) ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ଓଡ଼ିଶା ଷ୍ଟେଟ୍ ଟୁରିଷ୍ଟ ଗାଇଡ୍ ଆସୋସିଏସନ୍ ର ସଭାପତି ଭାବେ ଶନିବାର ପୁନର୍ବାର ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।

୨୦୦୭ ମସିହାରେ ଗଠିତ ଏହି ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପର୍ଯ୍ୟଟନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ବିଶେଶ୍ୱର ଦାସ, ଗୌରୀଶଙ୍କର ସାମନ୍ତରାୟ, ସତ୍ୟସ୍ୱରୂପ ମିଶ୍ର, ବିଜୟ କୁମାର ସାସ୍ମଲ୍, ବିଧାର ଚାନ୍ଦ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରସନ୍ନ କୁମାର ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ଶ୍ୱଜିତ୍ ଦାସ, ଆଭାସ ଚରଣ ମହାନ୍ତି, ପ୍ରତୁ୍ୟଷ କୁମାର ସାହୁ, ଜିତେନ୍ଦ୍ର ମହାପାତ୍ର, ବିଭୂତି ଭୂଷଣ ମକଦ୍ଧମ, ଯୁଗ୍ମ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ କମଳାକାନ୍ତ ସାମଲ, ପ୍ରଭାତ କୁମାର ବାରିକ, ପ୍ରଶାନ୍ତ କୁମାର ପଲାଇ, ସଂଜୟ କୁମାର ମିଶ୍ର ଓ ଜଗବନ୍ଧୁ ପ୍ରଧାନ ସହ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ସୌଭାଗ୍ୟ ପଟ୍ଟ ନାୟକ କାର୍ଯ୍ୟାଳୟ ସଂପାଦକ ଭାବେ ନିର୍ବାଚିତ ହୋଇ ଥିବା ବେଳେ ଦିଲୀପ କୁମାର ସ୍ୱାଇଁ ଆଇନ ସଂପାଦକ ଓ ବିଜୟ କୁମାର ପଣ୍ଡା ଅର୍ଥ ସଂପାଦକ , ଲକ୍ଷ୍ମଣ ମବୀ କୋଷାଧ୍ୟକ୍ଷ, ପ୍ରଫେସର ରବୀନ୍ଦ୍ର ନାଥ ସାହୁ ଲୋକସଂପର୍କ ଅଧିକାରୀ ଭାବେ ନିର୍ବାଚିତ ହୋଇଛନ୍ତି।

ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ଜୟଦେବ ରାଉତରାୟ, ପ୍ରଦୀପ କୁମାର ମଲ୍ଲ, ମାନସ ରଞ୍ଜନ ମିଶ୍ର, ଆଶିଷ ଶୁଭଦର୍ଶନ ମହାନ୍ତି, ଅମିତ କୁମାର ସାହୁ, କବିତା ସାହୁ, ହରିହର ପ୍ରଧାନ, ଶିବାଶିଷ ଦାସ, କୃଷ୍ଣଚନ୍ଦ୍ର ନାୟକ, ସନାତନ ରାଉତ ଓ ପୂଣ୍ୟଶ୍ଳୋକ ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଆସୋସିଏସନ୍, ଓଡିଶା, ଗାଇଡ୍, ଟୁରିଷ୍ଟ, ଷ୍ଟେଟ୍

ଆସନ୍ତା ମାସ ଓଡିଶା ଗସ୍ତ କରିବେ ରାହୁଳ

May 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) ଆସନ୍ତା ମାସ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଶନିବାର କହିଛନ୍ତି ।

ଦେଶବ୍ୟାପୀ ଅନୁଷ୍ଠିତ ହେଉଥିବା କିଷାନ ପଦଯାତ୍ରାର ଅଂଶ ସ୍ୱରୂପ ପାର୍ଟି ପଶ୍ଚିମ ଓଡିଶାରେ ପଦଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି ।

ଏହି କାର୍ଯ୍ୟ କ୍ରମରେ ସେ ଭାଗ ନେବାପାଇଁ ରାଜ୍ୟକୁ ଆସୁଥିବା ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ହରିଚନ୍ଦନ କହିଛନ୍ତି ।

ନିଜ ଦିଲ୍ଲୀ ରହଣି ସମୟରେ ସେ କଂଗ୍ରେସ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ସାକ୍ଷାତ କରି ରାଜ୍ୟର ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା, କିଷାନ, ପଦଯାତ୍ରା, ରାହୁଳ ଗାନ୍ଧୀ

ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ ପାଇଁ ମାଲେସିଆ ସଂସ୍ଥାର ଆଗ୍ରହ

May 14, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୪ (ଓଡିଶା ଡଟ କମ) ଆଗାମୀ ପାଞ୍ଚ ବର୍ଷରେ ମତ୍ସ୍ୟ ଉତ୍ପାଦନ ଦ୍ଵିଗୁଣିତ କରିବା ପାଇଁ ରଖା ଯାଇଥିବା ଲକ୍ଷ ହାସଲରେ ଓଡିଶାକୁ ମାଲେସିଆ ସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ୱାର୍ଲ୍ ଡ ଫିସ ସାହାଯ୍ୟ କରିବା ପାଇଁ ଗୁରୁବାର ପ୍ରତିଶ୍ରୁତି ଦେଇଛି ।

ପେନାଂଗ ଠାରେ ମୁଖ୍ୟ ଦପ୍ତର ଥିବା ଏହି ସଂସ୍ଥାର ନିର୍ଦ୍ଦେଶକ ମାଇକେଲ ଫିଲିଫସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ରାଜ୍ୟ ସରକାରଙ୍କ ସହ ସହଭାଗୀତା ସଂକ୍ରାନ୍ତୀୟ ଏକ ବିବରଣୀ ପ୍ରଦର୍ଶନ କରିଥିଲେ ।

ଜୈବିକ ପଦ୍ଧତିରେ ବିକଶିତ ହୋଇଥିବା ମତ୍ସ୍ୟ ଚାଷ କ୍ଷେତ୍ର ‘ଟିଲପିଆ’ ବ୍ୟବହାରରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିବ ବୋଲି ଦର୍ଶାଇ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ସେ ଦେଇଥିଲେ ।

ୱାର୍ଲ୍ ଡ ଫିସ ସଂସ୍ଥାର ସହଭାଗିତାରେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ବିହନର ମାନରେ ଉନ୍ନତି, ଚାଷ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଖରୀର ବିସ୍ତାରୀକରଣ , ଚିଲିକା ଅଞ୍ଚଳରେ ଉତ୍ତମ କ୍ଷେତ୍ରର ପ୍ରସ୍ତୁତିକରଣ ଓ ରପ୍ତାନି ପାଇଁ ଅନ୍ତର୍ଜାତୀୟ ବଜାର ସହ ସଂଯୋଗୀକରଣ ଆଦି କାର୍ଯ୍ୟ କରାଯାଇପାରିବ ବୋଲି ସେ ଦର୍ଶାଇଥିଲେ ।

ବାଂଲାଦେଶ, ଫିଲିଫାଇନସ,କାମ୍ବୋଡିଆ, ଏବଂ ମ୍ୟାନମାର ସମେତ ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଉକ୍ତ ଦେଶ ମାନଙ୍କରେ ମତ୍ସ୍ୟ ଉତ୍ପାଦନ ବଢାଇବାରେ ସାହାଯ୍ୟ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ଆଲୋଚନା ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଆର ବାଳକ୍ରିସନ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଉତ୍ପାଦନ, ଓଡିଶା, ଟିଲପିଆ, ମତ୍ସ୍ୟ, ମାଲେସିଆ

ରାଜନୀତିର ଊର୍ଦ୍ଧ୍ଵରେ ରହି ଦାୟିତ୍ଵ ତୁଲାଇବି: ଦ୍ରୌପଦୀ ମୁର୍ମୁ (ସାକ୍ଷାତକାର)

May 13, 2015 by News Bureau 1 Comment

ଓଡିଶା ଡଟ କମ: ସୁମିତ୍ରା ପଢିଆରୀ

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)  ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ ଓ ରାଜନୀତିର ଊର୍ଦ୍ଧ୍ଵରେ ରହି ମୁ ଏହି ଗୁରୁ ଦାୟିତ୍ଵ ତୁଲାଇବି ବୋଲି ଝାଡଖଣ୍ଡର ରାଜ୍ୟପାଳ ଭାବେ ମଙ୍ଗଳବାର ନିଯୁକ୍ତି ପାଇଥିବା ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ଡଟ କମ କୁ ଏକ ସାକ୍ଷାତକାର ରେ କହିଛନ୍ତି ।

drupadi murmuପାର୍ଟିର ବହୁ ପଦପଦବୀରେ ମୁ ଅତୀତରେ କାର୍ଯ୍ୟ କରିଛି କିନ୍ତୁ ବର୍ତ୍ତମାନ ଯେଉଁ ପଦବୀ ମୋତେ ମିଳିଛି ତାହା ହେଉଛି ଏକ ସାମ୍ବିଧାନିକ ପଦବୀ । ଏହାର ଗୌରବ ଓ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ହେଉଛି ଏକ ଗୁରୁ ଦାୟିତ୍ଵ । ତେଣୁ ରାଜନୀତିରୁ ଉର୍ଦ୍ଧରେ ରହି ମତେ କାମ କରିବାକୁ ପଡିବ ଏବଂ ସମ୍ବିଧାନର ନିୟମ ମାନିବାକୁ ପଡିବ, ସେ କହିଛନ୍ତି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ଏବଂ ଆପଣ ମଧ୍ୟ ଜଣେ ଆଦିବାସୀ ନେତ୍ରୀ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଆପଣଙ୍କର ମୁଖ୍ୟ ପ୍ରଥମିକତା କ’ଣ ହେବ ? ପ୍ରଶ୍ନର ଉତ୍ତରରେ ମୁର୍ମୁ କହିଲେ ଝାଡଖଣ୍ଡ ଏକ ନୂତନ ରାଜ୍ୟ ହୋଇଥିବାରୁ ସେଠାରେ ବହୁ ଅଞ୍ଚଳ ଏବେବି ଅନୁନ୍ନତ । ବର୍ତ୍ତମାନ ସେଠାରେ ବିକାଶର ଧାରା ଅବ୍ୟାହତ ରହିଛି ।

ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କିପରି ସଫଳ ରୂପାୟନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି । ଆଦିବାସୀ ମାନଙ୍କ ସ୍ଵାର୍ଥ ରକ୍ଷା ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହାସବୁ ଆବଶ୍ୟକ ତାହା କରିବାପାଇଁ ମୁ ତତ୍ପର ରହିବି, ସେ କହିଛନ୍ତି।

ଜମି ଅଧିଗ୍ରହଣ ବିଲକୁ ନେଇ କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଦଳ ମାନଙ୍କ ଦ୍ଵାରା ସମାଲୋଚିତ ହେଉଥିବା ବେଳେ ଏ ବିଲ୍ ସମ୍ପର୍କରେ କୌଣସି ମତାମତ ଦେବାପାଇଁ ଅନିଚ୍ଛା ପ୍ରକାଶକରି ମୁର୍ମୁ କହିଛନ୍ତି ଯେ ଏହି ବିଲ ବର୍ତମାନ ସୁଦ୍ଧା ପାର୍ଲିଆମେଣ୍ଟରେ ଗୃହିତ ହୋଇନାହିଁ ।

ତେବେ ରାଜ୍ୟପାଳ ତଥା ରାଷ୍ଟ୍ରପତିଙ୍କ ଦାୟିତ୍ଵ ହେଲା ଯେଉଁ ବିଲ ସରକାରୀ ସ୍ତରରେ ପାସ ହୋଇ ଆସିବ, ତା’ଉପରେ ମତାମତ ଦେବା । ବର୍ତ୍ତମାନ ଏହି ବିଷୟରେ କିଛି କହିବା ଉଚିତ ହେବନାହିଁ ।

ଆଦିବାସୀ ଓ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କିତ ଗୋଟିଏ ପ୍ରଶ୍ନର ଉତ୍ତାରେ ସେ କହିଛନ୍ତି ଯେ ଭାରତ ବର୍ଷରେ ପ୍ରାୟ ୪୯ ପ୍ରତିଶତ ହେଉଛନ୍ତି ମହିଳା । ତେଣୁ ପୁରୁଷମାନଙ୍କୁ ଯେଉଁ ଯେଉଁ ସୁବିଧା,ସମ୍ମାନ ଦିଆଯାଉଛି ସେହି ସମାନ ସୁବିଧା ଓ ସମ୍ମାନ ମହିଳାମାନଙ୍କୁ ଦିଆଯିବାର ଆବଶ୍ୟକତା ରହିଛି । କିନ୍ତୁ ଯେପରି ଭାବରେ ସମାଜରେ ମାନସିକତାରେ ସ୍ଖଳନ ଘଟିଛି, ସେ ମାନସିକତାର ପରିବର୍ତ୍ତନ ହେବା ଦରକାର ।

ମହିଳାମାନଙ୍କ ସୁରକ୍ଷା, ବିକାଶ ଓ ଉନ୍ନତି ପାଇଁ ସରକାର ଯେଉଁ ନୀତି ନିୟମ ତିଆରି କରିଛନ୍ତି ତାକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ର ଆବଶ୍ୟକତା ରହିଛି। । ମୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ମହିଳା ଓ ପୁରୁଷ ଦୁଇଜଣ ଭଗବାନଙ୍କ ସୃଷ୍ଟିରେ ସମାନ ।

କେବଳ ଶାରୀରିକ ପାର୍ଥକ୍ୟ ରହିଛି କିନ୍ତୁ ବାକି କର୍ମ କ୍ଷେତ୍ରରେ, ମାନସିକ କ୍ଷେତ୍ରରେ, ବିକାଶ କ୍ଷେତ୍ରରେ, ସେମାନେ ସବୁ ଦୃଷ୍ଟିରେ ସମାନ । ତେଣୁ ଏହି ଶାରୀରିକ ପାର୍ଥକ୍ୟ ନଦେଖି ସେମାନଙ୍କୁ ମା ଓ ଭଉଣୀ ଭାବରେ ସମ୍ମାନ କଲେ ନିଜର ଉନ୍ନତି ହେବା ସହ ଦେଶ, ରାଜ୍ୟ ଓ ଜାତିର ନିଶ୍ଚିତ ଉନ୍ନତି ହେବ ।

ଓଡିଶା ତାଙ୍କ ଗୃହ ରାଜ୍ୟ ହୋଇଥିବାରୁ ସେ ରାଜ୍ୟର ବିକାଶ ରେ କି ପ୍ରକାର ସହାୟତା କରିବେ ଏହି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମୁର୍ମୁ କହିଲେ ସେ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରି ଆସିଛନ୍ତି । ଅତୀତରେ ବିଜେପିର ନେତ୍ରୀ ଭାବେ ହେଊ ଅଥବା ବିଧାନସଭାର ସଦସ୍ୟ କିମ୍ବା ରାଜ୍ୟର ମନ୍ତ୍ରୀ ଭାବେ ହେଉ, ସବୁ ବେଳେ ସେ ତାଙ୍କ ରାଜ୍ୟ ପ୍ରତି ଦାୟିତ୍ଵ ନିର୍ବାହ କରିଆସିଛନ୍ତି ।

“ଯେହେତୁ ଓଡିଶା ମୋ ଜନ୍ମ ମାଟି ତେଣୁ ତାହା ପ୍ରତି ମୋର ଦୁର୍ବଳତା ଓ ଶ୍ରଦ୍ଧା ସବୁବେଳେ ରହିବ” ସେ କହିଛନ୍ତି ।

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଙ୍ଗଳବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ମୁର୍ମୁ ରାଜ୍ୟର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ବିଧାନସଭାରେ ୨୦୦୦ ରୁ ୨୦୦୪ ଓ ପୁନର୍ବାର ୨୦୦୪ ରୁ ୨୦୦୯ ପ୍ରତିନିଧିତ୍ଵ କରିଥିବା ମୁର୍ମୁ ,୫୭ ରାଜ୍ୟର ବାଣିଜ୍ୟ ଓ ପରିବହନ ଓ ପରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବା ସହ ବହୁ ଗୁରୁତ୍ଵ ପୂର୍ଣ କମିଟି ର ସଦସ୍ୟ ରହିଥିଲେ ।

ବିଏ ପାସ କରିଥିବା ଏହି ଆଦିବାସୀ ନେତ୍ରୀ ରାଜ୍ୟ ସଚିବାଳୟରେ କିରାଣୀ ଚାକିରିରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେକସନ ଅଫିସର ଭାବେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ ।

ପରବର୍ତୀ  ସମୟରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟି ରେ ଯୋଗଦାନ କରିଥିଲେ । ତାଙ୍କର  ରାଜନୈତିକ ଜୀବନ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସଦସ୍ୟ ଓ ଉପାଧ୍ୟକ୍ଷ ଭାବେ ଆରମ୍ଭ ହୋଇଥିଲା ।

 

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାକ୍ଷାତକାର Tagged With: ଓଡିଶା, ଝାଡଖଣ୍ଡ, ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ

ବାଦ-ବିବାଦପରେ ସାତ ବର୍ଷର ଧର୍ମପଦ ପୁରସ୍କାର ଘୋଷଣା

May 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)ବହୁ ବାଦ-ବିବାଦପରେ ରାଜ୍ୟ ସରକାର ମଙ୍ଗଳବାର ଏକକାଳୀନ ସାତବର୍ଷର ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି ।

ସଂସ୍କୃତି ବିଭାଗ ଅଧୀନରେ ଥିବା ଲଲିତ କଳା ଏକାଡେମୀ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁସାରେ ୨୦୦୯ ପାଇଁ ପଟ୍ଟଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ , ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚ ଶିଳ୍ପୀ ଅସୀମ ବସୁ ଧର୍ମପଦ ପୁରସ୍କାରରେ ସମ୍ମାନିତ ହେବେ ।

ଠିକ ସେହି ପରି ଏହି ପୁରସ୍କାର ପାଇଁ ନମିତା ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ହେଲେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ ପାଇଁ ଯଥାକ୍ରମେ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ୍ୟ ଡାଃ ଦୁର୍ଗାପ୍ରସାଦ ଦାସ, ଭାସ୍କର୍ଜ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଯତୀନ ଦାସ, ଚିତ୍ରଶିଳ୍ପୀ ତଥା କଳା ସମାଲୋଚକ ଦିନନାଥ ପାଠୀ ଓ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ।

ସମସ୍ତଙ୍କୁ ନଗଦ ଏକ ଲକ୍ଷଟଙ୍କାର ଅର୍ଥ ରାଶି ସହ ଉପଢୌକନ ଓ ମାନପତ୍ର ଦେଇ ସରକାର ସମ୍ବର୍ଦ୍ଧିତ କରିବେ ।

ଶିଳ୍ପୀମାନଙ୍କୁ ଦିଆଯାଉଥିବା ରାଜ୍ୟର ଏହି ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟାକୁ ନେଇ ୨୦୦୯ ରେ ବିବାଦ ସୃଷ୍ଟି ହୋଇଥିଲା । ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀ ଠିକ ଭାବେ ପାଳନ କରି ନ ଥିବା ବିଭିନ୍ନ ଶିଳ୍ପୀ ଅଭିଯୋଗ କରିବା ପରେ ସରକାର ଏହାର ତଦନ୍ତ ଆଦେଶ ଦେଇଥିଲେ ।

ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ବିବାଦ ଯୋଗୁଁ ୨୦୦୯ ଠାରୁ ଲଳିତକଳା ଏକାଡେମୀ ପୁରସ୍କାର ମନୋନୟନ ପ୍ରକ୍ରିୟା ବନ୍ଦ ରଖିଥିଲେ । ପୂର୍ବରୁ ପୁରସ୍କାର ବାବଦକୁ ପଚାଶ ହଜାର ଟଙ୍କା ଦିଆଯାଉଥିବା ବେଳେ ସରକାର ଏହାର ପରିମାଣ ଏକଲକ୍ଷ କୁ ବୃଦ୍ଧି କରିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶା, ଧର୍ମପଦ ସମ୍ମାନ, ପୁରସ୍କାର, ଲଳିତକଳା ଏକାଡେମୀ

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Interim pages omitted …
  • Go to page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ