• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶୀ ନୃତ୍ୟ

ସୃଜନ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

June 28, 2018 by Jharana Jena Leave a Comment

ଭୁବନେଶ୍ୱର, ଜୁନ ୨୮ (ଓଡିଶା ଡଟ କମ ) ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହରାଇଜନ ସିରିଜ ଅନ୍ତର୍ଗତ ସଂଧ୍ୟା ଅଧିବେଶନରେ ସୃଜନର ଶିଳ୍ପୀ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।


ନୃତ୍ୟର ଆଦ୍ୟ ଚରଣରେ ସୃଜନର ଶିଳ୍ପୀ ମଞ୍ଚସ୍ଥ କରିଥିଲେ ବିନାୟକ ସ୍ମରଣେ । ବିଘ୍ନ ବିନାଶକବିନାୟକଙ୍କ ଅର୍ଚ୍ଚନାରେ ଏହା ପ୍ରସ୍ତୁତ ହୋଇଥିଲା । ପରେ ପରେ ନୃତ୍ୟ ସର୍ଜନାର ଶାସ୍ତ୍ରୀୟତାକୁ ନେଇଆସିଥିଲେ ନୃତ୍ୟ ରଚନା ସିନ୍ଥେସିସ ।

ଏହା ପରେ ତୁଳସୀଦାସକୃତ ରାମରଚିତ ମାନସଗ୍ରନ୍ଥ ଆଧାରିତ ଶବରୀ ଚରିତ୍ରର ନିଖୁଣ ଅଭିନୟକୁ ବାଢି ଦେଇ ସମର୍ପଣର ଚିତ୍ର ଆଙ୍କିଥିଲେ ଗୁରୁ ରତିକାନ୍ତ  ମହାପାତ୍ର । ଶିବ ତତ୍ତ୍ୱ ଓ ଶକ୍ତି ତତ୍ତ୍ୱର ମିଳିତ ପ୍ରକାଶକୁ ନେଇ ମଞ୍ଚସ୍ଥ ହୋଇଥିଲା ଅର୍ଦ୍ଧନାରୀଶ୍ୱର । ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାତରମର ନୃତ୍ୟାଭିନୟ ।

ସନ୍ଧ୍ୟାର ଅତିଥିମାନେ ଥିଲେ ଓପାଲୀ ଅପରାଜିତା; ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ନିର୍ଦ୍ଦେଶକ ବଳିଆର ସିଂହ ନେଗୀ; ଭୁବନେଶ୍ୱର ମ୍ୟୁଜିକ ସର୍କଲର ଖୀରୋଦ ପଟ୍ଟନାୟକ  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

ଓଡିଶା ଡଟ କମ

Jharana Jena
Jharana Jena

Filed Under: କଳା ଓ ସଂସ୍କୃତି Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର, ସାଂସ୍କୃତିକ

ଗୁଞ୍ଜନ ସନ୍ଧ୍ୟା : ଜୀବନ ସଂଗୀତ ଓ ନୃତ୍ୟର ନବଛନ୍ଦ

August 26, 2015 by ନିଉଜ ଡେସ୍କ 1 Comment

କେଦାର ମିଶ୍ର

ମାନସ ହଂସ ମୁଁ ମାନସେ ଯିବି ଉଡ଼ି … ସଂଗୀତରେ ଏହାର ବର୍ଣ୍ଣନାକୁ ନୃତ୍ୟରେ ରୂପାନ୍ତରିତ କରାଯାଇପାରିବ କେମିତି ? ମାନସ ହଂସ ଏକ ବିଶାଳ ଆକାଶ ଆଡ଼କୁ ଉଡ଼ିଯିବା ପାଇଁ ବ୍ୟାକୁଳ  । ସେ ମାନସ ହଂସ ସାଧାରଣରୁ ଅସାଧାରଣର ତଲାସରେ ତା’ର ଉଡାଣ ଆରମ୍ଭ କରିଛି  ।

ଏପରି ଏକ ଜଟିଳ, ମନସ୍ତାତ୍ତ୍ୱିକ ଉତ୍ତରଣକୁ ନୃତ୍ୟରେ ରୂପାନ୍ତରିତ କଲାବେଳେ ଜଣେ ନୃତ୍ୟଶିଳ୍ପୀର ପ୍ରତିଭା ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି ହୁଏ  । ଓଡ଼ିଶୀ ନୃତ୍ୟର ଗତି ଓ ଭଙ୍ଗୀରେ ଏହାକୁ କେତେ ସହଜରେ ବର୍ଣ୍ଣନା କରିହେବ  ତାହା ହୁଏତ ଚିନ୍ତାର ବିଷୟ  । ତେବେ ଏମିତି ଏକ ଦାର୍ଶନିକ ବିଷୟବସ୍ତୁରେ ଲାଳିତ୍ୟପୂର୍ଣ୍ଣ ଭଙ୍ଗୀରେ ଉପସ୍ଥାପନା କରନ୍ତି ଆମ ସମୟର ଅନ୍ୟତମ ସାର୍ଥକ ଓଡ଼ିଶୀ ଶିଳ୍ପୀ ମୀରା ଦାସ  ।

କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ପ୍ରସିଦ୍ଧ କବିତା ‘ଜୀବନ ସଂଗୀତ’ ଆଧାରରେ ତାଙ୍କର ନୂଆ ନୃତ୍ୟ ସଂଯୋଜନା ଜୀବନ ସଂଗୀତ ଅନେକ ଦୃଷ୍ଟିରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ସୂତ୍ରପାତ କରିଛି  । ବୈକୁଣ୍ଠନାଥଙ୍କର ଏହି ପ୍ରସିଦ୍ଧ କବିତା ଯାହାକି ପ୍ରତ୍ୟେକ ଓଡ଼ିଆର ପ୍ରାଣରେ ଗୁଞ୍ଜରିତ  ।

ବୈକୁଣ୍ଠନାଥଙ୍କର କନ୍ୟା ତଥା ହିନ୍ଦୁସ୍ତାନୀ ସଂଗୀତର ମହାନାୟିକା ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ ନଦେଲ ବୋଲି କିଛି କହିବି କି ହେ ଆଉ….’ କୁ ଆମେ ଶୁଣିଛୁ ଓ ମୁଗ୍ଧ ହୋଇଛୁ  ।

ଏହି ସଂଗୀତ ଭିତରେ ଗୋଟେ ନୃତ୍ୟର କାହାଣୀ ବୁଣିଛନ୍ତି ମୀରା ଦାସ  । ଦ୍ରୌପଦୀ, ରାଧା ଓ ବୁଦ୍ଧଙ୍କ ଜୀବନ କାହାଣୀ ସହିତ ଜୀବନ ପାତ୍ରକୁ ଯୋଡ଼ା ଯାଇଛି  । ପାଖାପାଖି ଅଧଘଣ୍ଟାର ଏହି ନୃତ୍ୟ ସଂରଚନାରେ ଯେତିକି ନାଟକୀୟତା ରହିଛି, ସେତିକି ଦାର୍ଶନିକତା ମଧ୍ୟ ରହିଛି  । କେବଳ ଘଟଣାର ବର୍ଣ୍ଣନା ନୁହଁ, ବରଂ ଏକ ଦାର୍ଶନିକ ଅବବୋଧର ନୃତ୍ୟରୂପକ ପ୍ରସ୍ତୁତ କରିବା ଲାଗି ମୀରା ଦାସ ଉଦ୍ୟମ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି  ।

ଜୀବନର ବିଷାଦ ଓ ଆହ୍ଲାଦ ଭିତରେ ରହିଥିବା ସୂକ୍ଷ୍ମ ବିଭାଜନ ରେଖାକୁ ଅତି ସହଜ ଓ ସାବଲୀଳ ଢଙ୍ଗରେ ତାଙ୍କର ଶିଳ୍ପୀମାନେ ଆଙ୍କିଛନ୍ତି  । ଗୋଟିଏ ଚରିତ୍ରରୁ ଆଉ ଗୋଟିଏ ଚରିତ୍ର ଭିତରେ ଜୀବନକୁ ଭୋଗିବାର ତୃପ୍ତିକୁ ଅତି ସହଜ ଭାବରେ ଉପସ୍ଥାପନ କରାଯାଇପାରିଛି  ।

ସୁନନ୍ଦା ପଟ୍ଟନାୟକଙ୍କର ମୂଳ ସଂଗୀତକୁ ନୂଆ ରୂପରେ ଉପସ୍ଥାପନ କରିଛନ୍ତି ସମକାଳର ବିଶିଷ୍ଟ ବଂଶୀବାଦକ ତଥା ସଂଗୀତ ନିଦେ୍ର୍ଧଶକ ଶ୍ରୀନିବାସ ଶତପଥୀ । ଶ୍ରୀନିବାସଙ୍କ ସଂଗୀତରେ କଳ୍ପନା ରହିଛି  । ନୂଆ କରି ଗୋଟେ ପୁରୁଣା ସ୍ୱରକୁ ଆବିଷ୍କାର କରିବା ଶକ୍ତି ତାଙ୍କ ପାଖରେ ରହିଛି  ।

ସେହି ଦୃଷ୍ଟିରୁ ଜୀବନ ସଂଗୀତ ଓଡ଼ିଶୀର ଇତିହାସରେ ଏକ ସାର୍ଥକ ସୃଷ୍ଟି  । ଗତ ଅଗଷ୍ଟ ୨୨ ତାରିଖ ଦିନ ଆନ୍ତର୍ଜାତିକ ସାଂସ୍କୃତିକ ସମ୍ବନ୍ଧ ପରିଷଦ ବା ଆଇସିସିଆର୍‍ର ଆୟୋଜନରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ କଟକର ଶିଳ୍ପୀମାନେ ଜୀବନ ସଂଗୀତ ପରିବେଷଣ କରିଥିଲେ  ।

ଖ୍ୟାତନାମା ନୃତ୍ୟଶିଳ୍ପୀ ମୀରା ଦାସଙ୍କ ମୌଳିକ ନୃତ୍ୟ ସଂରଚନାଗୁଡ଼ିକ ଏହି ଅବସରରେ ପରିବେଷଣ କରାଯାଇଥିଲା  ।  ପ୍ରାରମ୍ଭରେ ‘ଜଗନ୍ନାଥ ମଙ୍ଗଳ’, ଯେଉଁଥିରେ ଜଗନ୍ନାଥଙ୍କ ବନ୍ଦନା ଅପେକ୍ଷା ଜଗନ୍ନାଥଙ୍କ ପହଣ୍ଡି ବିଜେକୁ ମଙ୍ଗଳା ଚରଣ ଭାବେ ଉପସ୍ଥାପନ କରାଯାଇଥିଲା  । ସମକାଳର ଓଡ଼ିଶୀ ଶିଳ୍ପୀମାନେ ପାରମ୍ପରିକ ଓଡ଼ିଶୀର ନବ ନିର୍ମାଣ କରୁଛନ୍ତି  । ଏହାର ତତ୍ତ୍ୱ ଓ ଦର୍ଶନକୁ ନିଜସ୍ୱ ବ୍ୟାକରଣରେ ପରିଧି ଭିତରେ ସେମାନେ ନୂଆ କରି ଦେଖିବାର ପ୍ରୟାସ କରୁଛନ୍ତି  ।

ଜୀବନ ସଂଗୀତ ବ୍ୟତୀତ ମେଳ ନୃତ୍ୟକ୍ରମରେ ଦେଶପଲ୍ଲବୀ ଓ ଏକକ ଅଭିନୟରେ ଦ୍ୱିଜ ରାଜଙ୍କ ଲାଜରେ ସରିଗଲି ଆଜ… ପରିବେଷଣ କରାଯାଇଥିଲା  । ଦେଶପଲ୍ଲବୀରେ ମାତ୍ରା, ଛନ୍ଦ ଓ ନୃତ୍ୟର ଜଟିଳତା ରହିଥିବାବେଳେ ଏହାର ପରିବେଷଣ ସମୟରେ ଆଉ ଟିକେ ଅଧିକ ଶୃଙ୍ଖଳାର ଆବଶ୍ୟକତା ରହିଥିଲା  । ଗୁଞ୍ଜନର ନୃତ୍ୟଶିଳ୍ପୀମାନେ ଦେଖିବାକୁ ସୁଠାମ ଓ ସୁନ୍ଦର  ।

ସେମାନଙ୍କ ପଦଚାଳନା, ଗତି, ଭଙ୍ଗୀ, ମୁଦ୍ରା ଓ ଚଳନରେ ଲାଳିତ୍ୟ ରହିଛି  । ତେବେ ଏହି ଲାଳିତ୍ୟକୁ ଆଉ ଟିକେ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି  । ଆଉ ଟିକେ ମାଜି ହେଲେ ଦେଶପଲ୍ଲବ ଆହୁରି ଅଧିକ ସୁନ୍ଦର ଲାଗିବ  । ଆଶା, ଗୁରୁ ଭାବରେ ମୀରା ଦାସ ଏଥିପାଇଁ ଅଧିକ ଉଦ୍ୟମ କରିବେ  ।

ମୀରାଙ୍କ ଏକକ ଅଭିନୟରେ ଲାଜରେ ସରିଗଲି ଆଜ… ତାଙ୍କର ନୂଆ ସଂରଚନା  । ତାଙ୍କ ସଂରଚନାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରଭାବ ସ୍ପଷ୍ଟ  । ଗୁରୁଙ୍କର ଶିଷ୍ୟା ଭାବରେ ଗୁରୁଙ୍କର ପରମ୍ପରାକୁ ସେ ଅଗ୍ରସର କରାଉଛନ୍ତି  । ତେବେ ଲାଜରେ ସରିଗଲି ଆଜ… କବିତା ଭିତରେ ଏମିତି କିଛି ସୂକ୍ଷ୍ମ ଶୃଙ୍ଗାରୀ ଚେତନା ରହିଛି, ଯାହାକୁ ଅଧିକ ନୃତ୍ତ ମାଧ୍ୟମରେ ଉପସ୍ଥାପନା କରିବା ସମ୍ଭବ ନୁହେଁ  ।

ସଂଚାରୀକୁ ନୃତ୍ତରେ ଓ ସ୍ଥାୟୀ ଭାବକୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରିବା ହୁଏତ ବେଶୀ ପ୍ରଭାବଶାଳୀ ହେବ  । ମୀରାଙ୍କ ଅଭିନୟରେ ସାବଲୀଳତା ରହିଛି  । ସେ ଚରିତ୍ର ସହ ଏକାତ୍ମ ହୋଇପାରନ୍ତି ଓ ତାଙ୍କର ଗତି ଅନେକାଂଶରେ କାବି୍ୟକ  । ତେଣୁ ଅଭିନୟକୁ ଖୁଣିବାର କିଛି ନାହିଁ  । ଏଥିରେ ଅଧିକ କିଛି ଆଶା କରିବା କଥା କେବଳ  ।

ସବୁ ଭଲ ନୃତ୍ୟଶିଳ୍ପୀଙ୍କଠୁ ଦର୍ଶକ ସବୁବେଳେ ଅଧିକ ଆଶା କରେ  । ସେହି ନ୍ୟାୟରେ ଏ କ୍ଷେତ୍ରରେ ମୀରା ଦାସଙ୍କଠୁ ଆମେ ଆହୁରି ଅଧିକ ଆଶା କରୁଛୁ  । ମୋଟାମୋଟି କହିବାକୁ ଗଲେ ‘ଗୁଞ୍ଜନ ସନ୍ଧ୍ୟା’ ଏକ ଚମକ୍ରାର ପରିକଳ୍ପନା  ।

ଆଇସିସିଆର୍‍ର ଆୟୋଜନ ଗୁଡ଼ିକ ଭୁବନେଶ୍ୱରରେ ସେତେ ଆକର୍ଷଣୀୟ ହୁଏ ନାହିଁ  । ଅନେକ ସମୟରେ ଖାଲି ଅଡ଼ିଟୋରିୟମ୍‍ରେ ଶିଳ୍ପୀମାନେ ନିଜ ପରିବେଷଣ କରିବାର ଇତିହାସ ରହିଛି  । ସେହି ଦୃଷ୍ଟିରୁ ଗୁଞ୍ଜନ ସନ୍ଧ୍ୟା ଆଇସିସିଆର୍‍ର ଏକ ସଫଳ ଆୟୋଜନ  ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଓଡ଼ିଶୀ ନୃତ୍ୟ, ମୀରା ଦାସ

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

January 16, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୬(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରାଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ ।

ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ଡ଼. ଶାନ୍ତନୁ ମହାପାତ୍ର ଓ ତାଙ୍କ ସାଥୀଙ୍କ ଦ୍ୱାରାସଂଯୋଜିତ ଶିବ ବନ୍ଦନାରୁ । ଯାହାକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ ।

ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ମଙ୍ଗଳା ଚରଣରେ ରାବଣକୃତ ଶିବ ତାଣ୍ଡବ ଜଟାଟବୀକୁ ପରିବେଷଣ କରିଥିଲେ ।

ରାଗ ଭଟିଆରୀ ଓ ତାଳ ଏକତାଳୀରେ ନିବଦ୍ଧ ଏହି ମଙ୍ଗଳା ଚରଣର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର ।

ପରେ ସେ ଶୁଦ୍ଧ ନୃତ୍ୟ ପର୍ଯ୍ୟାୟରେ ଯୁଗ୍ମ ଦ୍ୱନ୍ଦ ପଲ୍ଲବୀ ପରିବେଷଣ କରିଥିଲେ । ବାଦ୍ୟ ଓ ନୃତ୍ୟ୍ୟ ଛନ୍ଦର ମଧୁର ଆଳାପକୁ ଅପୁର୍ବ ନୃତ୍ୟଭଙ୍ଗିରେ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ସୁଜାତା ।

ରାଗ ବାଗେଶ୍ରୀ ଓ ତାଳ ଏକତାଳୀରେ ନିବଦ୍ଧ ଏହି ଯୁଗ୍ମ ଦ୍ୱନ୍ଦ ପଲ୍ଲବୀର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ପ୍ରତିଭାବାନ ଦୁଇ ଶିଷ୍ୟ ଦେବାଶୀଷ ପଟ୍ଟନାୟକ ଓ ନିଳାଦ୍ରୀ ଭୁଷଣ ମହାନ୍ତି ପ୍ରଥମେ ରାଗ କିରୁବାଣୀ ଏବଂ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ ଏବଂ ପରେ ଆଦିଶଙ୍କରାଚାର୍ଯ୍ୟ କୃତ ଶିବାଷ୍ଟକମରେ ସେମାନଙ୍କର ଅଭିନୟ ଅତି ଭାବମୟ ଥିଲା । ଯାହା ରାଗ ଭୈରବୀ ଓ ତାଳ ଏକତାଳୀରେ ଆଧାରିତ ଥିଲା ।

ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗା ଚରଣ ରଣବୀର । ଶିଲ୍ପୀଦ୍ୱୟଙ୍କର ଚମତ୍କାର ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ ।

ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ରୂଷିଆରୁ ଆସିଥିବା ଭିତାଲିନା ଲୋବାକ ଏବଂ ସାଥୀମାନଙ୍କ ଦ୍ୱାରାଦଳଗତ ଓଡ଼ିଶୀ ନୃତ୍ୟ ।

ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଶ୍ରୀଜଗନ୍ନାଥଷ୍ଟକ କଦାଚିତ କାଳନ୍ଦୀ ତଟ ଓ ପରେ ରାଗ ସାବେରୀ ଓ ତାଳ ଏକତାଳୀରେ ନିବଦ୍ଧ ସାବେରୀ ପଲ୍ଲବୀ ଏବଂ ଶେଷରେ ଅଭିନୟରେ ଦଶଅବତାର ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ ।

ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ।

ପ୍ରତି କର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ମଞ୍ଚ ପାଶ୍ୱର୍ରେ ଚିତ୍ର ଆଙ୍କିଥିଲେ ବିଖ୍ୟାତ ଚିତ୍ରକର ଶ୍ରୀ ବଳଦେବ ମହାରଥୀ । ଏହି ଓଡ଼ିଶୀ ନୃତ୍ୟ ଉତ୍ସବକୁ ଅନ୍ତିମ ଦିବସ ଶେଷ ଶୁଦ୍ଧା ୬୯୧୯ ଜଣ ଦେଶୀୟ ଓ ୨୬୨ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ ।

ସନ୍ଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର; ନୃତ୍ୟ ସମୀକ୍ଷକ ମାଧବୀ ପୁରଣମ, ନୃତ୍ୟ ସମୀକ୍ଷକ ନୀତା ବିଦ୍ୟାର୍ଥୀ; ସୁଡ଼େନର ଶିଳ୍ପୀ ହୁଗୋ ଏଭରସ ଏବଂ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାଧନା ଶ୍ରୀବାସ୍ତବା ଓ ଡ଼.ମୃତ୍ୟୁଞ୍ଜୟ ରଥ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡ଼ିଶୀ ନୃତ୍ୟ, ଗୁରୁ କେଳୁ ଚରଣ ମହାପାତ୍ର, ପର୍ଯ୍ୟଟନ ବିଭାଗ, ମୁକ୍ତେଶ୍ୱର ଉତ୍ସବ

ଓଡ଼ିଶୀ ନୃତ୍ୟର ଶ୍ରଦ୍ଧା ସୁମନରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୯ (ଓଡ଼ିଶା ଡ଼ଟ୍ କମ୍)-୧୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା ।

୧୯୯୫ରୁ ଏହି ପୁରସ୍କାର ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଆଜୀବନ ସାଧନା କରି ଯେଉଁମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସୃଜନ ସେହି ପ୍ରତିଭାମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିଆସୁଅଛି । ଗୁରୁ କେଳୁ ଚରଣ ମହାପାତ୍ରଙ୍କ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶୀ ନୃତ୍ୟର ଶୁଦ୍ଧତା ଓ ଶାସ୍ତ୍ରୀୟତାକୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିଆସୁଅଛି ।

ଏ ବର୍ଷ ନୃତ୍ୟ ଓ ନାଟକ କ୍ଷେତ୍ରରେ ବର୍ଷୀୟାନ ଗୋଟିପୁଅ ଗୁରୁ ବୀରବର ସାହୁ ଏବଂ ପ୍ରଖ୍ୟାତ ମଞ୍ଚ ଓ ଚଳଚିତ୍ର କଳାକାର ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ରଚିତ ଭୋ ଶମ୍ଭୋ ପରିବେଷଣ କରିଥିଲେ ସୃଜନର କଳାକାରମାନେ । ଦୃତ ଲୟରେ ଏହି ନୃତ୍ୟରେ କଳାକାରମାନେ ପ୍ରଭୁ ଶିବଙ୍କର ବିଭିନ୍ନ ରୂପ ଓ ଗୁଣର ମହିମା ବର୍ଣ୍ଣନ କରିଥିଲେ ।

ଦ୍ଵୀତୀୟ କାର୍ଯ୍ୟକ୍ରମ ଥିଲା ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଚିତ ଆନନ୍ଦ ଲହରୀ ବେଦ ବନ୍ଦନା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଦେବାଶିଷ ସରକାର । ଅନ୍ତିମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର କିଛି ବିଭାବ ଏବଂ ନୃତ୍ୟ ଶୈଳୀକୁ ନେଇ ଏକ ସମକାଳୀନ ବିଷୟ ବସ୍ତୁ ବିଶ୍ୱାସ ଉପରେ ।

ଧାର୍ମିକ ବିଶ୍ୱାସ ଏବଂ ସତ୍ୟର ସନ୍ଧାନ ଏବଂ ମନୁଷ୍ୟର ଭାବନାର ଏକ ଅପୂର୍ବ ସମ୍ମନୟର ପରିଭାଷା ଥିଲା ଏହି ନୃତ୍ୟ ପରିବେଷଣରେ । ଏହାର ସଂଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ଏହି ତିନୋଟି ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ।

ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ; ମନ୍ତ୍ରୀ ପର୍ଯ୍ୟଟନ, ସଂସ୍କୃତି, ଯୋଜନା ଓ ସମ୍ମନୟ ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି; ପ୍ରମୁଖ ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ଅଶୋକ କୁମାର ତ୍ରିପାଠୀ; ବିଶିଷ୍ଟ ମଂଚ ଅଭିନେତା ଓ ନିର୍ଦ୍ଦେଶକ ରାମ ଚନ୍ଦ୍ର ପ୍ରତିହାରୀ, ଗୋଟିପୁଅ ନୃତ୍ୟ ଗୁରୁ ବୀରବର ସାହୁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାଧନା ଶ୍ରୀବାସ୍ତବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଓଡ଼ିଶୀ ନୃତ୍ୟ, ଗୁରୁ କେଳୁଚରଣ

ମିନତି ପ୍ରଧାନଙ୍କୁ ମାହାରୀ ସମ୍ମାନ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ମିନତି ପ୍ରଧାନଙ୍କୁ ମାହାରୀ ସମ୍ମାନ ପ୍ରଦାନ କରାଯାଇଛି ।

ରବୀନ୍ଦ୍ର ମଣ୍ଡପରେ ଗୁରୁ ପଙ୍କଜ ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ସୋମବାର ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ନଗ ୨୫ ହଜାର ଟଙ୍କା, ମାନପତ୍ର ଓ ସ୍ମୃତି ଫଳନ ପ୍ରଦାନ କରାଯାଇଛି ।

ସମ୍ମାନ ପ୍ରଦାନ ପରେ ବହୁ ପ୍ରତିଷ୍ଠିତ କଳାକାର ତଥା ନୃତ୍ୟଶିଳ୍ପୀଙ୍କ ଏକକ ଓଡ଼ିଶୀ ନୃତ୍ୟ ଖେିବାକୁ ମିଳିଥିଲା । ମଧୁଲିତା ମହାପାତ୍ରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଉଦ୍ୟାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ।

ସେ ପ୍ରଥମେ ଅଭିନୟ “ସଖୀ ଗୋ ମୋର କୁଞ୍ଜକୁ ଆଜ’ ଓ ଅଭିନୟ “ୟାହି ମାଧବ’ ପରିବେଷଣ
କରିଥିଲେ । ଶେଷରେ ନୃତ୍ୟଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ପାଲ ଗୀତ ଗୋବିନ୍ଦକୁ ନୃତ୍ୟରେ ସଜାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ରବୀନ୍ଦ୍ର ମଣ୍ଡପ

ଗିନିଜ ବୁକ୍ରେ ସମୂହ ଓଡ଼ିଶୀ ନୃତ୍ୟ

January 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଭୁବନେଶ୍ୱରରେ ପରିବେଷଣ ହୋଇଥିବା ସମୂହ ଓଡ଼ିଶୀ ନୃତ୍ୟ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି ।

ଏନେଇ ଗିନିଜ ବୁକ୍ ପକ୍ଷରୁ ସ୍ୱୀକୃତି ପତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ପଠାଇ ଦିଆଯାଇଛି । ଓଡ଼ିଶୀ ନୃତ୍ୟକୁ ଏହି ରେକର୍ଡ଼ରେ ସାମିଲ କରିବା ପାଇଁ ଗତ ଡ଼ିସେମ୍ବର ୨୩ରେ କଳିଙ୍ଗ ଷ୍ଟାଡ଼ିୟମରେ ୫୫୫ ଜଣ ଶିଳ୍ପୀ ଓଡ଼ିଶୀ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ଟି ଶେର ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ ଏବଂ ଏହା ୩୦ ମିନିଟ ଧରି ଚାଲିଥିଲା ।

ଏହା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଇଣ୍ଡିଆନ ପରଫର୍ମିଙ୍ଗ ଆର୍ଟସ୍ ପ୍ରୋମୋଶନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ସହାୟତାରେ ଆୟୋଜିତ କରାଯାଇଥିଲା ।

ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶିଳ୍ପୀ ଏକତ୍ରିତ ହୋଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଓଡ଼ିଶଶ ଡ଼ଟ୍ କମ

admin
admin

Filed Under: ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ଗିନିଜ ବୁକ୍

ରେକର୍ଡ଼ ପାଇଁ ୫୦୦ରୁ ଉଦ୍ଧ୍ୱର୍ ଶିଳ୍ପୀଙ୍କ ଓଡ଼ିଶୀ ପରିବେଷଣ

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ଓଡ଼ିଶୀ ନୃତ୍ୟକୁ ସାମିଲ କରିବା ଲକ୍ଷ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ପାଂଚ ଶହରୁ ଉଦ୍ଧ୍ୱର୍ ଶିଳ୍ପୀ ଓଡ଼ିଶୀ ପରିବେଷଣ କରିଛନ୍ତି ।

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ଟି ଦେଶର ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ । ୩ଟା ୩୦ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩୦ ମିନିଟ ଧରି ଚାଲିଥିଲା ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଇଣ୍ଡିଆନ ପରଫର୍ମିଙ୍ଗ ଆର୍ଟସ୍ ପ୍ରୋମୋଶନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ସହାୟତାରେ ଆୟୋଜିତ କରାଯାଇଥିଲା ।

ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶିଳ୍ପୀ ଏକତ୍ରିତ ହୋଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ବୋଲି ଜଣେ ଆୟୋଜକ କହିଛନ୍ତି ।

ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆୟୋଜକମାନେ ଆଶା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର

ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ସହ ଦୁବାଇରେ ଓଡ଼ିଶା ଦିବସ

April 20, 2011 by ଓଡିଶା ଡଟ କମ Leave a Comment

ସୁଧାଶ୍ରୀ ଦାଶ

ଦୁବାଇ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଦୁବାଇ (ୟୁଏଇ)ରେ ଥିବା ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି ।

ଦୁବାଇରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ରହୁଥିବା ଶତାଧିକ ଓଡ଼ିଆ ପରିବାର ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା ।

ପରେ ମଙ୍ଗଳାଚରଣ ଏବଂ ଓଡ଼ିଶୀ ସଂଗୀତ ପରିବେଷିତ ହୋଇଥିଲା । ବହୁ ଦିନ ଧରି ନିଜ ରାଜ୍ୟରୁ ଦୂରରେ ରହୁଥିବା ଓଡ଼ିଆମାନେ ଏହାକୁ ମନଭରି ଉପଭୋଗ କରିଥିଲେ ।

ଏହି ଅବସରରେ ଛୋଟଛୋଟ ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ଲୋକମାନେ ସମ୍ବଲପୁରୀ ଲୋକ ନୃତ୍ୟ ଓ ଓଡ଼ିଶୀ ନୃତ୍ୟର ଖୁବ୍ ମଜା ନେଇଥିଲେ ।

ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ ଓଡ଼ିଆ ଯୋଗେଇଥିଲେ । ସେଠାରେ ରହୁଥିବା ଓଡ଼ିଆଙ୍କୁ ବାନ୍ଧି ରଖିବା ପାଇଁ ଏକ ୱେବସାଇଟ୍ ଆରମ୍ଭ କରାଯାଇଛି ।

ନିଜ ସଂସ୍କୃତି ସହ ଯୁବପିଢିଙ୍କୁ ବାନ୍ଧି ରଖିବାର ଏହା ଏକ ପ୍ରୟାସ ବୋଲି ଆୟୋଜକ କହିଛନ୍ତି । ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଓଡ଼ିଶା ସମାଜ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ଦୁବାଇ, ମୁଖ୍ୟ ଖବର, ସମ୍ବଲପୁରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ