• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କନ୍ଧମାଳ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

June 21, 2016 by ନିଉଜ ଡେସ୍କ Leave a Comment

jitendriya-haripal

ରାଜୀବ ସଗରିଆ

I never think of myself as a professional. I am an artist, not a performer. This is a pride, not a profession. It is art, not employment. It is a Dom tradition too. What the people on radio and television call Sambalpuri geet is gaana. The music of the Gaana people, of the Dom people. (ଶ୍ରୀ ଜିତେନ୍ଦ୍ରିୟ ହରିପାଲ, ଦି ହିନ୍ଦୁ- ମଇ ୨୭, ୨୦୦୧ ରବିବାର ସଂସ୍କରଣ- ‘And the singer sings his song’ P Sainath..)

ଚାଲିଶ ବର୍ଷ ତଳର କଥା… ଆକାଶବାଣୀ ସମ୍ବଲପୁର ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଗୋଟିଏ ଗୀତର ରେକର୍ଡ଼ିଂ କଲେ ‘ରଙ୍ଗବତୀ’ । ରେକର୍ଡ଼ିଂ ସରିଲା ପରେ ଗୀତଟି ବିବାଦୀୟ ହୋଇପଡ଼ିଲା ।

ଗୀତଟିରେ ଅନେକ ନିଜ ନିଜର ନାଁ ଯୋଡ଼ିବାକୁ ଚାହିଁଲେ । ଏହି ବିବାଦ ଦୁଇବର୍ଷ ଚାଲିବା ପରେ ୧୯୭୯ ମସିହାରେ ଗୀତଟି ବାଜିଲା । ସେହି ଦିନୁ ଗୀତଟି ତାର ସ୍ଥିତି କି ଲୋକପ୍ରିୟତା ହରେଇ ନାହିଁ ।

ଅନେକ ବାଦବିବାଦ ସତ୍ତ୍ୱେ ଗୀତଟିକୁ ସବୁଠୁ ଉର୍ଦ୍ଧ୍ଵରେ ରଖି ଜନସାଧାରଣ ଏହାର ମାନ ନିର୍ଦ୍ଧାରଣ କରି ସାରିଛନ୍ତି । ରଙ୍ଗବତୀ, ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ସବୁ ବାଦବିବାଦ ଠୁଁ ଉର୍ଦ୍ଧ୍ଵରେ ଜନମାନସର ମଉଡ଼ମଣି ହୋଇ ରହିଆସିଛନ୍ତି ।

ଜିତେନ୍ଦ୍ରିୟ ହରିପାଲଙ୍କୁ କୌଣସି ବିଶେଷଣରେ ବାନ୍ଧିରଖିବା କଷ୍ଟ । ସମ୍ବଲପୁର ରେଳଷ୍ଟେସନର ଗୋଟିଏ ଶୀତରାତି । ଗୋଟିଏ ରେକର୍ଡିଂ ପାଇଁ କଳାକାରମାନେ ଟ୍ରେନକୁ ଅପେକ୍ଷା କରିଥାନ୍ତି । ଜିତେନ୍ଦ୍ରିୟ କହିଲେ ମୋର କାମ ଅଛି ଘରକୁ ଯାଇ ଆସୁଛି ।

ଟ୍ରେନ ଆସିବା ସମୟ ହୋଇନଥାଏ । ସମ୍ବଲପୁର ରେଳ ଷ୍ଟେସନର ଅନତିଦୂରରେ ଥିବା ଗୋଟିଏ ଝୁପୁଡ଼ି ଘରକୁ ଗଲେ । ଯା’ହା କି ଜିତେନ୍ଦ୍ରିୟଙ୍କ ନିଜ ଘର । ଆଜି ବି ସପରିବାର ସେଠାରେ ରହନ୍ତି ।

ସେ ଭିତରକୁ ଯାଇ ଗୋଟିଏ ସାଲ୍(କମ୍ବଳ) ନେଇଆସିଲେ । ଷ୍ଟେସନର ଗୋଟିଏ କୋଣରେ ଶୋଇ ଶୀତରେ ଥରୁଥିବା ଗୋଟିଏ ଭିକାରୀକୁ ଘୋଡ଼ିଦେଲେ । ପୁନଃ ନିଜ ସାଥି କଳାକାରଙ୍କ ନିକଟକୁ ଆସି ଠିଆହେଲେ । କହିଲେନି ଯେ କାହିଁକି ସେ ଘରକୁ ଯାଇଥିଲେ । ଝୁପୁଡ଼ି ଘରେ ରହୁଥିବା ଜିତେନ୍ଦ୍ରିୟ ସେ ସାଲ୍ ଟିକୁ କଟକରୁ କିଣିଥିଲେ ତିନିଶହ ଟଙ୍କାଦେଇ ।

ଏହି ନିର୍ଲିପ୍ତ କଳାକାରଙ୍କ ବାପା କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନଧାତା ହରିପାଲ । ଜନ୍ମ ଗୋଟିଏ ଦଳିତ ପରିବାରରେ । ଦଳିତ, ପଶ୍ଚିମ ଓଡ଼ିଶାର ସାମାଜିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପୁଞ୍ଜି ଓ ସାମନ୍ତ ରାଜନୀତିର ନିକୃଷ୍ଟ ସ୍ତରରେ ରହିଥିବା ଏକ ନିଷ୍ପେଷିତ ଗୋଷ୍ଠୀ ।

କଥାଟିକୁ ଟିକିଏ ସ୍ପଷ୍ଟ କରାଯାଉ…

ଚାଣକ୍ୟ ‘ଅର୍ଥଶାସ୍ତ୍ର’ କହେ ଇନ୍ଦ୍ରବଣ(ପଶ୍ଚିମ ଓଡ଼ିଶାସୀମାଠୁ ଟିକିଏ ଅଧିକ) ଅଜେୟ କନ୍ଧଭୂମି । ଏହି ଅଜେୟ କନ୍ଧଭୂମି ନିଜର ରାଜନୈତିକ ମୂଲ୍ୟବୋଧକୁ ଗୋଟିଏ ଧାଡ଼ିରେ ବ୍ୟାଖ୍ୟା କରେ… ‘କନ୍ଧ ରଜା, ଡମ ପରଜା’ ।

ଡମ ସମ୍ପ୍ରଦାୟର ମୂଳ ହେଲା ବୟନ ଓ ବାଦନ । ଆଜି ବୟନ ତାର ସ୍ଥିତି ରଖିପାରି ନାହିଁ ଏବଂ ବାଦନ ତାର ସ୍ଥିତି ହରେଇବାକୁ ଯାଉଛି ।

ଊନବିଂଶ ଶତକର ଶେଷଭାଗରେ ଡମଗୋଷ୍ଠୀଙ୍କୁ ଅପରାଧୀ ଗୋଷ୍ଠୀଭାବରେ ସରକାର ଓ ରାଜତନ୍ତ୍ର ଆଇନତଃ ଘୋଷଣା କଲେ । କୌଣସି ଅପରାଧ କି ଚୋରୀ ହେଲେ ଡମପଡ଼ାକୁ ଯାଇ ଘର ଜାଳି ଦେଉଥିଲେ କି ଲୋକଙ୍କୁ ଧରି ମାଡ଼ ଦେଉଥିଲେ ।

ଜୟପୁର ରାଜତନ୍ତ୍ର ବେଠି ବେଗାଡ଼ି ଇତ୍ୟାଦି ନାମରେ ଅନେକ ପ୍ରକାରର କର ଆଦାୟ କରୁଥିଲେ । ଡମ ସମ୍ପ୍ରଦାୟର ଲୋକଙ୍କୁ କୁତିଆ, ବାହାବନ୍ଧା, ବେଠିଆ ଆଦି ନାମରେ ତାଙ୍କର ଶ୍ରମ ଶୋଷଣ କରୁଥିଲେ ।

ସେ ସମୟରେ ରାଜତନ୍ତ୍ରର ମୂଳ ଆୟ ଥିଲା ଚାଷଜମିରୁ । ଜମିର ଅଧିକ ଆୟ କରାଯିବା ଯୋଜନା ତିଆରି କରି ରାଜାମାନେ ବାହାରୁ କୃଷକ ଗୋଷ୍ଠୀଙ୍କୁ ଆଣିଲେ । ସେମାନଙ୍କୁ ବହୁ ମୂଲ୍ୟବାନ ଜମିଦେଇ ଥଇଥାନ କଲେ ।

ଫଳରେ ସ୍ଥାନୀୟ କନ୍ଧମାନେ ଉଦବାସ୍ତୁ ହେଲେ । କନ୍ଧମେଳି କରି ଆନେ୍ଦାଳନ କଲେ । ଏହି ସମୟର କଥା; ଚାଷଜମି ତିଆରି ପାଇଁ ଜଙ୍ଗଲ ସଫା କରାଗଲା । ଜଙ୍ଗଲରୁ ଏକ ବିଶେଷ ଗଛ କ’ଗଛ (ଅର୍ଜ୍ଜୁନ) ମଧ୍ୟ ବହୁସଂଖ୍ୟାରେ କଟାଗଲା ।

ଏହି ଗଛରେ ଏକ ପୋକ ରହୁଥିଲେ । ତା’ର କୋଷରୁ ଏହି ସଂପ୍ରଦାୟର ଲୋକେ ପାଟସୂତା ସଂଗ୍ରହ କରୁଥିଲେ ଯାହା ଆଉ ପରବର୍ତ୍ତୀ ସମୟରେ ସେମାନେ କରି ପାରିଲେ ନାହିଁ ଯଦିଓ  ଏହି ସୂତାରେ ତିଆରି ପାଟବସ୍ତ୍ର ସେ ସମୟରୁ ଆଜିପର୍ଯ୍ୟନ୍ତ ବିଶ୍ୱବଜାରରେ ନିଜର ସ୍ଥିତି କି ଖ୍ୟାତି ହରାଇ ନାହିଁ ।

ଫଳରେ ଏହି ବୃତ୍ତିସହ ଜଡ଼ିତ ସମ୍ପ୍ରଦାୟ ଉଦବାସ୍ତୁ ହୋଇ ଦେଶାନ୍ତର ଗଲେ । ସେହି ସ୍ଥାନକୁ ଗଲେ ଯେଉଁଠି ଏହି ଗଛର ପ୍ରାବଲ୍ୟ ଥିଲା । ଅନ୍ୟକ୍ଷେତ୍ରରେ ସମ୍ବଲପୁର ଜେଲରେ ବିଭିନ୍ନ ଆଳରେ ଡମମାନଙ୍କୁ ରଖାଗଲା ।

‘ଆସାମ ଟି ବୋର୍ଡ଼’ ନାମରେ ଏକ କାର୍ଯ୍ୟାଳୟ ସମ୍ବଲପୁରରେ ସ୍ଥାପନ କରାଗଲା । ଆସାମ ଟି ବୋର୍ଡ଼ କାର୍ଯ୍ୟାଳୟରୁ ଏହି ଦଳିତ ଡମ କଏଦୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସପରିବାର ଆସାମ ନିଆଗଲା । ଯେଉଁମାନେ ଆସାମ ଚା ବଗିଚାରେ ବେଠି ଖଟିଲେ ।…(କିଶୋର ମେହେରଙ୍କ ଗବେଷଣା ସନ୍ଦର୍ଭ)

ଏହାର ପୂର୍ବକାହାଣୀ ଏହିପରି; ଡମ ପରିବାରର ଉପସ୍ଥିତି ବିନା ଗାଁରେ କୌଣସି ଶୁଭକାର୍ଯ୍ୟ ହୋଇପାରୁନଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ; ଜାନିଯାତ୍ରା କି ନ୍ୟାୟନିଶାପ ବେଳେ ବିନା ଡମରେ କାମ ହେଉନଥିଲା ।

ସୁତରାଂ ସଂସ୍କୃତିର ପୁରା ଦାୟିତ୍ୱ ଡମ ସମ୍ପ୍ରଦାୟ କାନ୍ଧରେ ନ୍ୟସ୍ତ ଥିଲା । ଏମାନେ କାହିଁକି ଓ କିପରି ଦଳିତ ହେଲେ, ଏହା ଗବେଷଣାସାପେକ୍ଷ ।

ଏହିପରି ଏକ ଦଳିତ ପରିବାରରେ ଜିତେନ୍ଦ୍ରିୟଙ୍କ ଜନ୍ମ । ସେହିପରି ରଙ୍ଗବତୀ ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ଲିଖିତ ତିନୋଟି ଗୀତ ମଧ୍ୟରୁ ଅନ୍ୟତମ ଯାହାକୁ ୧୯୭୭ ମସିହାରେ ସମ୍ବଲପୁର ରେଡ଼ିଓ ଷ୍ଟେସନର ‘କୁରେଫୁଲ ଝୁମ୍ଫା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରିଥିଲେ ।

ଯାହାକୁ ଫକିର ପଟ୍ଟନାୟକ ଓ କମଳକୁମାରୀ ବେହେରା ଗାଇବାର ଥିଲା । କୌଣସି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଏହି ଗୀତକୁ ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଗାଇଲେ ।

କଲିକତାର INDRECO କମ୍ପାନୀ ଏହି ଗୀତର ରେକର୍ଡ଼ିଂ କଲା ।ଗୀତଟି ସୀମା ସରହଦ ଡେଇଁ ଭାଷା ସଂସ୍କୃତି ଓ ବୟସ ଊଦ୍ଧ୍ୱର୍ରେ ନିଜ ଖ୍ୟାତିର ଜୟଯାତ୍ରା ବଜାୟ ରଖିଲା । ରଙ୍ଗବତୀ, ଜିତେନ୍ଦ୍ରିୟ ଓ କ୍ରିଷ୍ଣା ପଟେଲ ଜନମାନସର ମଉଡ଼ମଣି ହୋଇଗଲେ ।

ଅଶି ଦଶକରେ ରଙ୍ଗବତୀର ରେକର୍ଡ଼ ପ୍ଲେଟ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା । ଇନେର୍କୋ କମ୍ପାନୀ ଏହାର ବଜାର ପାଇଁ ଗ୍ରାମଫୋନ କମ୍ପାନୀକୁ ଦେଇଦେଲା ଓ କମ୍ପାନୀଟି ବନ୍ଦ ହୋଇଗଲା ।

ଦଶ,ପନ୍ଦର ବର୍ଷର ଏହି କମ୍ପାନୀ ଇତିହାସ ବଦଳି ସାରିଥିଲା । ସେ ସମୟରେ ଏହି କମ୍ପାନୀ ଜିତେନ୍ଦ୍ରିୟଙ୍କ ସହ ଦଶବର୍ଷର ଚୁକ୍ତି କରିସାରିଥିଲା । ଫଳରେ ଜିତେନ୍ଦ୍ରିୟ ଚାହିଁଲେ ବି ଅନ୍ୟ କମ୍ପାନୀରେ ଗାଇ ପାରିଲେ ନାହିଁ କି ନିଜର ଅନ୍ୟ ଗୀତ କେଉଁଠି ରେକର୍ଡ଼ କରିପାରିଲେ ନାହିଁ ।

ଜଣେ ଗାୟକର ଗୀତ ସୀମା ସରହଦ ଡେଇଁ ସାରି ବିଖ୍ୟାତ ହୋଇଯାଉଥିବାବେଳେ ଗାୟକଜଣକ ବନ୍ଧା ହୋଇ ରହିଲେ । କମ୍ପାନୀମାଲିକର ବିବେକ ବି କେବେ କହିଲା ନାହିଁ ଯେ ଜିତେନ୍ଦ୍ରିୟ କୌଣସି ବ୍ରାଣ୍ଡକୁ ଅପେକ୍ଷା କରେ ନାହିଁ ।

ସେ ଜନମାନସର କଳାକାର । ଡମଜାତି ପାଇଁ ଏହା ନୂଆକଥା ନୁହେଁ । ଗଣା ବା ଡମ ସମ୍ପ୍ରଦାୟର ଲୋକଙ୍କୁ ବହାବନ୍ଧା ରଖୁଥିଲେ । କୌଣସି ମୂଲ୍ୟ ପ୍ରତିବଦଳରେ ମାଲିକ ଜଣେ ଡମ ଲୋକକୁ ବାହାବନ୍ଧା ରଖିବ କିଛିବର୍ଷ ପାଇଁ ବା ତା’ର ଶ୍ରମକୁ ବ୍ୟବହାର କରିପାରୁଥିବା ପର୍ଯ୍ୟନ୍ତ ।

ବାହା ବା ବାହୁ ଶ୍ରମଶକ୍ତିର ପ୍ରତୀକ । ସୁତରାଂ ସମସ୍ତ ଶ୍ରମ ମାଲିକପାଇଁ ଉତ୍ସର୍ଗ ହେବ କେବଳ । ଜିତେନ୍ଦ୍ରିୟ ବି ବାହାବନ୍ଧା ରହିଲେ । ଜିତେନ୍ଦ୍ରିୟଙ୍କ ପୈତୃକ ଘର ଭାଙ୍ଗିଗଲା । ବହୁ କଷ୍ଟରେ ସେ ନିଜର ଗୋଟିଏ ଝୁପୁଡ଼ିଘର ତିଆରି କଲେ ।

ସେ ରହିଗଲେ ସମ୍ବଲପୁର ରେଳ ଷ୍ଟେସନ ନିକଟ ସେହି ଝୁପୁଡ଼ି ଘରେ । ସ୍ତ୍ରୀ ମଲ୍ଲୀକା, ତିନି ଝିଅ ଓ ତିନି ପୁଅର ସଂସାର ନେଇ ଚଳିଲେ । ପାରଶ, ପ୍ରତାପ ଓ ପ୍ରଭାତ ତିନିପୁଅ; ତିନି ଝିଅଙ୍କ ମଧ୍ୟରେ ଚନ୍ଦ୍ରିକା, ପ୍ରତିଭା ଓ ପୁନମ ।

କମ୍ପାନୀ ବନ୍ଦ ହୋଇଗଲା, ପୈତୃକ ଘର ଭାଙ୍ଗିଗଲା; ବାହାବନ୍ଧାରୁ ଜିତେନ୍ଦ୍ରିୟ ମୁକୁଳିଲେ ସିନା ହେଲେ ନିଃସ୍ୱ ହେଇଯିବା ସାର ହେଲା । କାରଣ ବହୁ ବଡ଼ ବଡ଼ କମ୍ପାନୀ ତାଙ୍କୁ ଆମନ୍ତ୍ରଣ କରୁଥିଲେ । କିନ୍ତୁ INDRECO ସାଥିରେ ଅନୁବନ୍ଧିତ ଥିବା ଯୋଗୁଁ ସେ କୌଣସି ବି କମ୍ପାନୀର ଆମନ୍ତ୍ରଣକୁ ସ୍ୱୀକାର କରି ପାରୁନଥିଲେ ।

ରାଜା ନିଜର ଭବ୍ୟ ପ୍ରାସାଦ ନିର୍ମାଣ ପରେ ଶିଳ୍ପୀର ଆଙ୍ଗୁଠି କାଟିବାର ଦଣ୍ଡ ହୋଇଗଲା ଜିତେନ୍ଦ୍ରିୟଙ୍କୁ । ଦୀର୍ଘ ଦଶବର୍ଷର ଅସ୍ୱୀକାର ତାଙ୍କୁ ସଂଗୀତ ବଜାରଠୁ ଦୂରରେ ରଖିଦେଲା । INDRECO ୧୯୮୯ ମସିହାରେ ଗୋଟିଏ ଶ୍ରମିକ ଆନେ୍ଦାଳନର ସମ୍ମୁଖୀନ ହୋଇ ବନ୍ଦ ହୋଇଗଲା ।

କମ୍ପାନୀ ସହ ଦଶବର୍ଷର ଚୁକ୍ତି ସମାପ୍ତ ହୋଇଯାଇଥିଲା । ଏହି ସମୟରେ ଜିତେନ୍ଦ୍ରିୟଙ୍କ ରୟାଲଟି ଟଙ୍କା କମ୍ପାନୀ ଦେଇଦେବା କଥା । କାରଣ କମ୍ପାନୀ ବନ୍ଦ ହେଉ କି ନହେଉ; ଅନେକ ଲକ୍ଷ ରେକର୍ଡ଼ର ପ୍ଲେଟ ବିକିଥିବାର ରୟାଲଟି ଅଧିକାର ଜିତେନ୍ଦ୍ରିୟଙ୍କ ଅଛି ନିଶ୍ଚୟ ।

ଜନମାନସରେ ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ସମ୍ପର୍କ ପ୍ରେମିକ ପ୍ରେମିକାର ହୋଇଯାଇଥିଲା ଯେପରି । ଜିତେନ୍ଦ୍ରିୟଙ୍କୁ ରଙ୍ଗବତୀ ହିଁ ଅସ୍ତିତ୍ୱ ଦେଇ ରଖିଲା ପରବର୍ତ୍ତୀ ସମୟମାନଙ୍କରେ । ଅନେକ କାର୍ଯ୍ୟକ୍ରମର ଆମନ୍ତ୍ରଣ ତାଙ୍କୁ ମିଳୁଥିଲା ବୋଲି ସେ ନିଜର ସ୍ଥିତି ବଜାୟ ରଖିପାରିଲେ, ପରିବାରକୁ ବହୁକଷ୍ଟରେ ପ୍ରତିପାଳିତ କରି ପାରିଲେ ।

ରଙ୍ଗବତୀ ଗୀତ ତାର ଖ୍ୟାତି ହରାଉନଥାଏ । ରଙ୍ଗବତୀ ହିଁ ଭାରତର ପ୍ରଥମ ଗୀତ ଯାହା ୧୯୭୯-୮୦ରେ ବିବିସି ଏବଂ ଭଏସ୍ ଅଫ୍ ଆମେରିକା ବେତାରକେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ଯା’ ଘରେ ଗ୍ରାମଫୋନ କି ରେକର୍ଡ଼ ପ୍ଲେୟାର ଅଛି, ତା’ ନିକଟରେ ଯଦି ରଙ୍ଗବତୀ ପ୍ଲେଟ ନାହିଁ ତା’ହେଲେ ସେ ଗୀତ ଶୁଣେନି ।

ଟ୍ରକ ଡ୍ରାଇଭର କି ଚା ଦୋକାନରେ ରଙ୍ଗବତୀ ରହିବା ନିଶ୍ଚିତ । ପରେ ଆସିଲା ଅଡ଼ିଓ କ୍ୟାସେଟର ଯୁଗ । ସେ ସମୟରେ ବି କୌଣସି ଫରକ ପଡ଼ିଲା ନାହିଁ ରଙ୍ଗବତୀର ଲୋକପ୍ରିୟତା ଉପରେ । ଅନେକ ପାଇରଟେଡ଼ କ୍ୟାସେଟ ବଜାରକୁ ଆସିଲା ରଙ୍ଗବତୀର ।

ବାହାଘରେ ରଙ୍ଗବତୀ ଗୀତ ବାଜିବା ଜରୁରୀ । ଛତିଶଗଡ଼ କି ଅନ୍ୟ ରାଜ୍ୟର ବାଜା କି ବରାତ ବୁଲିଲା ବେଳେ ବି ରଙ୍ଗବତୀ ବାଜିବ ନିଶ୍ଚୟ । ଓଡ଼ିଶାକୁ ଅନ୍ୟରାଜ୍ୟର ଲୋକେ ରଙ୍ଗବତୀ ଯୋଗୁଁ ହିଁ ଚିହ୍ନିବାର ଗୋଟିଏ ମାଧ୍ୟମ କରିସାରିଥିଲେ । ନାଭାଲ ଓ ଆର୍ମି କ୍ୟାମ୍ପମାନଙ୍କରେ ପଶ୍ଚିମ ଓଡ଼ିଶାର ଯବାନମାନେ ରଙ୍ଗବତୀର ଜନ୍ମଦିନ ମନାନ୍ତି ।

ଏକଦା ଅନେକଥର ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କଳାକାର ଶ୍ରୀ ସାଧୁ ମେହେରଙ୍କ ସହ ରହିବାର ସୁଯୋଗ ମିଳିଥିଲା । ସେତେବେଳେ ଶ୍ରୀଯୁକ୍ତ ମେହେର ଗୋଟିଏ ସାକ୍ଷାତକାର ଦେବାକୁ ଯାଇ କହିଥିଲେ ରଙ୍ଗବତୀକୁ ଦକ୍ଷିଣର ଅନେକ ଫିଲ୍ମ ଗୀତରେ ଅନୁକରଣ କରାଯାଇଛି ।

ଯାହାର ସଂଖ୍ୟା ଦୁଇହଜାରରୁ ଅଧିକ ହେବ । ରାଷ୍ଟ୍ରୀୟ କି ଅନ୍ତଃରାଷ୍ଟ୍ରୀୟ ସ୍ତରର କୌଣସି ମନୋରଞ୍ଜନଧର୍ମୀ ଗୀତ ଏତେ ଲୋକପ୍ରିୟତା ପାଇଥିବାର ଉଦାହରଣ ନଥିଲା ସେତେବେଳେ ।

ଆଜିବି ଏହି ଲୋକପ୍ରିୟତା କମି ନାହିଁ କି ବଜାର ଯୁଗରେ ରଙ୍ଗବତୀକୁ ଟପିବା ପରି କୌଣସି ଗୀତ ବଜାରକୁ ଆସିପାରି ନାହିଁ । ରଙ୍ଗବତୀ ଗୀତକୁ ବାହାଘରେ ଗାଇବେ, ରେକର୍ଡ଼ ବାଜିଲେ ନାଚିବେ, ବେଣ୍ଡପାର୍ଟି ବଜେଇବେ, ଫିଲ୍ମଗୀତମାନଙ୍କରେ କପି କରାଯିବ, ସୋନା ମହାପାତ୍ର ଗାଇବେ ଏଇଟା ସାଧାରଣ କଥା ।

ଗତବର୍ଷ କୋକ ଷ୍ଟୁଡ଼ିଓରେ ରଙ୍ଗବତୀର ରିମେକ ଏମଟିଭିରେ ପ୍ରସାରିତ ହେଲା । ବହୁ ଲୋକପ୍ରିୟତା ଓ ବିବାଦ ଦେଖାଦେଲା । ପଶ୍ଚିମଓଡ଼ିଶାରୁ ବିରୋଧର ତୀବ୍ରସ୍ୱର ଉଠିଲା । ଏହି ସ୍ୱର ଭାରତର ଅନେକ ପ୍ରାନ୍ତରୁ ଶୁଣାଗଲା ।

ଏପରିକି ଜିତେନ୍ଦ୍ରିୟ ହରିପାଲ ମଧ୍ୟ ଏହାକୁ ବିରୋଧ କଲେ । ଏହାକୁ ବିକୃତ କରି ଗାଇଛନ୍ତି ଏବଂ ଗାଇବା ପୂର୍ବରୁ କୌଣସି ଅନୁମତି ନେଇ ନାହାନ୍ତି । କିନ୍ତୁ ଉତ୍ତର ଥିଲା ବେଶ ହେୟ କଲାପରି । ଯେ ରଙ୍ଗବତୀକୁ ଗାଇ ତାର ଲୋକପ୍ରିୟତା ବଢ଼େଇଛନ୍ତି । ଏହା ସେତେ ସତ ନୁହେଁ ଯେପରି କୁହାଗଲା ।

କାରଣ ସୋନା ମହାପାତ୍ର ନିଶ୍ଚିତଭାବେ ଜଣେ ଖ୍ୟାତିପ୍ରାପ୍ତ କଳାକାର । ସେ ରଙ୍ଗବତୀ ଗାଇ ନିଜର ଖ୍ୟାତିକୁ ଆହୁରି ବଢ଼େଇ ପାରିଲେ କେବଳ । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ଯାଇଛି । ଯାହା ବର୍ତ୍ତମାନ ବିଚାରାଧିନ ।

ଜିତେନ୍ଦ୍ରିୟ ହରିପାଲ ସମ୍ବଲପୁରର ଜଣେ ନାମଜାଦା ବକ୍ସର ଥିଲେ । ଜଗ୍ଗୁ ଦା’ ସେ ସମୟର ଏକ ପରିଚିତ ନାମ । ସେ କୌଣସି ସଂଗୀତ ଶିକ୍ଷା କରି ନାହାନ୍ତି । ଘରେ ସମ୍ପନ୍ନତା ଥିଲା । ଜିତେନ୍ଦ୍ରିୟ ବାପାଙ୍କଠୁ ଯାହା ଶିଖିଥିଲେ । ଗଣା ପିଲା; ରକ୍ତରେ ତାଙ୍କର ସଂଗୀତ ରହେ । ତାଙ୍କର ସଙ୍ଗୀତ ସାଧନା ଥିଲା ଏକାନ୍ତ ପାରମ୍ପାରିକ ।

ସେ ରଙ୍ଗବତୀ ଗାଇ ଲୋକପ୍ରିୟତା ପାଇଲେ ଏହା ନିରାଟ ସତକଥା । କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ୱେ ତାଙ୍କୁ ଜଣେ ସଂଗୀତଜ୍ଞ ଭାବରେ ସ୍ୱୀକାର କରାଗଲା ନାହିଁ । ସେ କୌଣସି ସଙ୍ଗୀତ ସଭାକୁ ଗଲେ ନାହିଁ, ପ୍ରକାରାନ୍ତେ ଡକାଗଲା ନାହିଁ । ସେ ଦଳିତ ବୋଲି…?

ଏହାର ଉତ୍ତର ଦିଅନ୍ତି ଜିତେନ୍ଦ୍ରିୟ, ଗଣାର ରକ୍ତରେ ସଂଗୀତ ରହେ । ଗଣାବଜା ସମସ୍ତଙ୍କୁ ମୋହିତ କରେ । ଗଣାବଜାକୁ ସମସ୍ତେ ଭଲ ପା’ନ୍ତି, ଗଣା ଲୋକଙ୍କୁ ନୁହେଁ । ଗଣାବଜାର ଲୋକପ୍ରିୟତା ସମସ୍ତେ ବୁଝନ୍ତି । ଏହାର ବ୍ୟବସାୟିକ ଦିଗଉପରେ ଏବେ ଅନେକ ସଚେତ ହେଲେଣି ।

ଡମବଜା ବା ଗଣାବଜାକୁ ଅପହରଣ କରିବାର ଚକ୍ରାନ୍ତ ଚାଲିଛି । ଏହାକୁ ସୁନ୍ଦରଭାବରେ କହନ୍ତି ଜିତେନ୍ଦ୍ରିୟ… ‘ପଂଚବାଦ୍ୟ’ ଓ ‘ଦୁଲଦୁଲି’ ନାମ ଦିଆ ଯାଉଛି ଏବଂ ଏହାକୁ ସାର୍ବଜନୀନ କରିବାର ଚକ୍ରାନ୍ତ କରାଯାଉଛି ।

ଜଣେ ସାଧାରଣ ଜାତିର ଶିକ୍ଷିତ ଢ଼ୁଲିଆ ଆଉ ଜଣେ ଅଶିକ୍ଷିତ ଗଣା ବା ଡମ ଢୁଲିଆକୁ ଯଦି ତୁଳନା କରାଯାଏ; ଏହାର ତଫାତ୍ ଆକାଶ ପାତାଳ ରହିବ । କାରଣ ଜଣେ ଅଶିକ୍ଷିତ ଗଣା ଢୁଲିଆ ସବୁବେଳେ ଢୋଲରେ ମହର୍ଷି ହିଁ ହୋଇଥାଏ । ପ୍ରକୃତରେ ଏହା ‘ଗଣାବଜା’ ।

ଏହାଛଡ଼ା ଏହାର ଅନ୍ୟନାମ ଦିଆଯିବା ଅନୁଚିତ । ‘ବୟନ’ ଶତାବ୍ଦୀ ପୂର୍ବରୁ ଅପହରଣ ହୋଇସାରିଛି । ଏବେ ‘ବାଦନ’କୁ ଅପହରଣ କରିବାର କୌଶଳ ଚାଲୁଛି । କିନ୍ତୁ ଗଣା ସମ୍ପ୍ରଦାୟ ଏଥିପ୍ରତି ସଚେତ କି?

୨୦୧୨ ମସିହାରେ ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଗଣାବସ୍ତିକୁ ସବର୍ଣ୍ଣମାନେ ଜାଳିଦେଲେ । ଏସମୟରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିଲା । ନିଜର ଜାତି ଏବଂ ପରମ୍ପରାକୁ ପ୍ରତିଷ୍ଠା ଦେବାକୁ ଗଣାଅସ୍ମିତା ଜାଗରଣ ପାଇଁ ଅନେକ କାର୍ଯ୍ୟକ୍ରମ ନିରନ୍ତର ଚାଲିଲା ।

ଯେଉଁ କାର୍ଯ୍ୟକ୍ରମମାନ ଗୋଟିଏ ନିଷ୍ପେଷିତ ଜାତିପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ଆନ୍ଦୋଳନ ଗୋଟିଏ ଭୁଲ କଲା ଯେ ଗଣାବାଜାକୁ ଅସ୍ୱୀକାର କଲା । ଏହି ଭୁଲ ନିଷ୍ପତ୍ତିର ସୁଅବସରକୁ ସବର୍ଣ୍ଣମାନେ ଠିକ ଠିକ ବ୍ୟବହାର କଲେ ।

ଯାହାକୁ ସବର୍ଣ୍ଣ ଯୁବକମାନେ ଗଣାବଜା ବାହାଘରମାନଙ୍କରେ ବଜାଇଲେ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ବିଗଣା ଜାତିର ଲୋକେ ଗଣାବାଜା କୌଣସି ଅନୁଷ୍ଠାନରେ ବଜାଇଲାବେଳେ ମହୁରୀ ପ୍ରତି ବଦଳରେ ଅରଗାନ ଅଥବା ଅନ୍ୟ ବୈଦୁ୍ୟତିକ ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି ।

ସେଥିରେ ଗଣାବଜାର ମୌଳିକତା ନଷ୍ଟ ହୋଇଥାଏ । ବର୍ତ୍ତମାନ କେତେକ ସ୍ୱେଚ୍ଛାସେବୀ ଗଣା ସମ୍ପ୍ରଦାୟର ଯୁବକ ଗାଁକୁ ଗାଁ ଯାଇ ଗଣାବଜାର ପୁନଃ ସଙ୍ଗଠନ ପାଇଁ ପ୍ରୟାସ କରୁଛନ୍ତି । ହୁଏତ ସମୟ ଓ ଅର୍ଥ ଅଭାବରୁ ଏହା ସେତେ କ୍ଷୀପ୍ର ହୋଇପାରି ନାହିଁ । କିନ୍ତୁ ପ୍ରୟାସ ଯେ ମହତ୍, ଏହା ସ୍ୱୀକାର୍ଯ୍ୟ ।

ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ଓ ପୁରସ୍କାରପ୍ରାପ୍ତ ଚଲଚ୍ଚିତ୍ର ‘ଭୂଖା’ରେ ଏହି ସମ୍ପ୍ରଦାୟର କଥା କୁହାଯାଇଛି । ଜାତିପ୍ରଥା ନିକଟରେ ହୃଦୟର ଆବେଗ ବି ତାର ସୀମା ରଖିବାକୁ ବାଧ୍ୟ ହୋଇଥାଏ । କିନ୍ତୁ କଳାକାର ସବୁବେଳେ କଳାକାର ହିଁ ଥାଏ ।

ଜିତେନ୍ଦ୍ରିୟ ନିଜେ ଅନେକ ପ୍ରାଚୀନ ପାରମ୍ପାରିକ ଗୀତକୁ ସଂଗୀତ ଦେଇଛନ୍ତି । ଗୋଟିଏ ଉଦାହରଣ ନିଆଯାଇପାରେ । ମାଳାଶ୍ରୀ ଏକ ପାରମ୍ପାରିକ ଓ ସାଂସ୍କୃତିକ ଗୀତ । ଏହାକୁ ଲିରିକ ଦିଆଯାଇ ନ ଥିଲା । ପ୍ରାଚୀନ ପରମ୍ପରାକୁ ମାନ୍ୟତାଦେଇ ଯେଉଁ ଦେବୀଙ୍କ ପୂଜା ହୁଏ ସେଠାରେ ମାଳାଶ୍ରୀ ଗାଇବା ନିତାନ୍ତ ଆବଶ୍ୟକ ।

ମନ୍ତ୍ରସମୂହ ନୁହେଁ ପଶ୍ଚିମ ଓଡ଼ିଶାରେ ଜନସମୂହ (ଅନେକ ସମ୍ପ୍ରଦାୟର) ନିଜ ନିଜର ନୈଷ୍ଠିକ ସେବା ଦେଇ ଗୋଟିଏ ଦୈବୀ ଅନୁଷ୍ଠାନକୁ ପୂର୍ଣ୍ଣ କରିଥାନ୍ତି । ଏହି ପରମ୍ପରା ହିନ୍ଦୁଧର୍ମର କୌଣସି ପ୍ରଖ୍ୟାତ ପୀଠମାନଙ୍କରେ ଦେଖାଯାଏ ନାହିଁ ଜଗନ୍ନାଥ ଓ ପଶ୍ଚିମ ଓଡ଼ିଶାର ଦେବୀପୀଠମାନଙ୍କୁ ଛାଡ଼ିଦେଲେ । ଯେଉଁଥିରେ ଗାୟକ ଓ ବାଦକ ବି ଥାନ୍ତି ।

କିନ୍ତୁ ଜଗନ୍ନାଥ ମନ୍ଦିର ଛଡ଼ା ଅନ୍ୟସବୁ ଅବ୍ରାହ୍ମଣ ସେବାକୁ ପାରମ୍ପାରିକ ସ୍ୱୀକୃତି ମିଳିଛି । ଯାହାକୁ ଛୋଟ ଗିନିରେ ଶବ୍ଦକରି ବା କୁଲାରେ ଧାନ ଗଡ଼େଇ ଗାନ କରାଯାଇଥାଏ । ଗଣାବଜାରେ ଜିତେନ୍ଦ୍ରିୟ ଏହାକୁ ସୁନ୍ଦର ସଂଯୋଜନା କରିଛନ୍ତି ।

ଯେପରି ରଙ୍ଗବତୀକୁ ରାଗ ‘ଲତା’ରେ ଗାଇଛନ୍ତି । ନିଜର ମୌଳିକ ଗାୟନ ଶୈଳୀ ଜିତେନ୍ଦ୍ରିୟଙ୍କୁ ଆଜିବି ସ୍ୱତନ୍ତ୍ର କରି ରଖିଛି । ସେହି ଶୈଳୀକୁ କେହି ଆଜି ପର୍ଯ୍ୟନ୍ତ ଅନୁକରଣ ବି କରି ପାରିନାହାନ୍ତି । ହୁଏତ ସଂଖ୍ୟା ଦୃଷ୍ଟିରୁ କମ ହୋଇପାରେ, କିନ୍ତୁ ସମ୍ବଲପୁରୀ ଗୀତରେ ଜିତେନ୍ଦ୍ରିୟ-ଶୈଳୀକୁ ଯିଏ ବି ଦେଖିପାରିବ ।

ଏହି ଶୈଳୀର ବୈଜ୍ଞାନିକ ବିଶ୍ଲେଷଣ ନିତାନ୍ତ ଆବଶ୍ୟକ ମନେହୁଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିତେନ୍ଦ୍ରିୟ ଶୈଳୀକୁ ସମସ୍ତେ ଜାଣନ୍ତି । ତାଙ୍କର ଗାୟକୀର ମୌଳିକତାକୁ ସମସ୍ତେ ସ୍ୱୀକାର କରନ୍ତି । ଏହା ସତକଥା ଯେ ସଙ୍ଗୀତନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତକୁ କୌଣସି ମାନ୍ୟତା ଦେଇ ନାହିଁ ।

ସମ୍ବଲପୁର ରେଡ଼ିଓ ବ୍ୟତୀତ ଅନ୍ୟ କେହି ସମ୍ବଲପୁରୀ ଗୀତକୁ ସେତେ ପ୍ରାଧାନ୍ୟ ବି ଦେଇ ନାହାନ୍ତି । କିନ୍ତୁ ସମ୍ବଲପୁରୀ ଗୀତର ଶାସ୍ତ୍ରୀୟତା, ସ୍ୱାତନ୍ତ୍ର୍ୟତା ଏବଂ ଏହାର ଉଚ୍ଚତର ଗାୟନ -ଶୈଳୀମାନଙ୍କୁ ବ୍ୟାଖ୍ୟା ହୋଇନାହିଁ । ଏହାର ସିଲାବସ ପ୍ରସ୍ତୁତ ହୋଇ ନାହିଁ । ସ୍ୱତନ୍ତ୍ର କୋଶଲି ଭାଷାପାଇଁ ଆନ୍ଦୋଳନ ଚାଲୁଅଛି ।

ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ମଧ୍ୟ ଉଠିଲାଣି, କିନ୍ତୁ ସାଂସ୍କୃତିକ ଆନ୍ଦୋଳନ ହୋଇନାହିଁ । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସମ୍ବଲପୁରୀ ଗୀତ ଓ ସଂଗୀତ ଭିତରେ ଶାସ୍ତ୍ରୀୟତାର ଅନ୍ୱେଷଣ କରିନାହିଁ । ଏହା ହିଁ ପରିତାପର ବିଷୟ ।

ଏହି ପରିସ୍ଥିତିରେ ଜିତେନ୍ଦ୍ରିୟ ଶୈଳୀଉପରେ ଗବେଷଣା କଥା ଭାବିବା ବି ଏକପ୍ରକାର ଅତିରଞ୍ଜିତ ବ୍ୟାଖ୍ୟା ବୋଲି ଧରାଯିବ । ପରିତାପର ବିଷୟ ଏହି ଯେ ଜଣେ ମହାନାୟକକୁ ଓଡ଼ିଶା ସବୁବେଳେ ଅସ୍ୱୀକାର ଓ ଅବହେଳା ହିଁ କରି ଆସିଅଛି । ଏଥିପାଇଁ ଓଡ଼ିଶା ସାଂସ୍କୃତିକ ଇତିହାସ ଭବିଷ୍ୟତରେ ନିନ୍ଦିତ ହେବ -ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ସଙ୍ଗୀତ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମଗ୍ର ସାମାଜିକ ସତ୍ତାକୁ ଛାଇଯାଇଛି । ବିନା ସଙ୍ଗୀତରେ କୌଣସି କାମ ହୁଏ ନାହିଁ । ସାମାଜିକ କାମରେ, ଜନ୍ମରେ, ବିବାହରେ, ମୃତ୍ୟୁରେ ବି ସଙ୍ଗୀତ ଓ ଗଣାବଜାର ଆବଶ୍ୟକତା ରହିଥାଏ । ଗାଁ ଦେବୀ ବିନା ଗଣାବଜାରେ ପୂଜା ପାଆନ୍ତି ନାହିଁ ।

ଚାଷ କଲେ ହଳିଆ ଗୀତ, ଆଈମା କାହାଣୀରେ ଗୀତ, ଜଙ୍ଗଲରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ବେଳେ ଗୀତ । ଏପରି ଅନେକ ପାରମ୍ପାରିକ ଗୀତର ସଂଯୋଜନା କରି ତାକୁ ଗଣାବଜାରେ ଢାଳିଛନ୍ତି ଜିତେନ୍ଦ୍ରିୟ ହରିପାଲ ।

ସେ ସମସ୍ତ ପ୍ରାଚୀନ ରାଗରେ ଗୀତ ଗାଇପାରନ୍ତି- ଏହା ହେଲା ତାଙ୍କର ନୈସର୍ଗିକ ସ୍ୱତନ୍ତ୍ରତା ।

ସୋନା ମହାପାତ୍ରଙ୍କ ରଙ୍ଗବତୀ ଗାଇବା; ଜିତେନ୍ଦ୍ରିୟଙ୍କ ବ୍ୟକ୍ତିତ୍ୱ ନିକଟରେ ନଗଣ୍ୟ ହୋଇପଡ଼େ । ଏହି ବିବାଦ ଅନେକ ପ୍ରକାଶ୍ୟ ତଥ୍ୟକୁ ସ୍ପଷ୍ଟ କରିଦେଲା । ଏମ୍ଟିଭିରେ ପ୍ରଚାରିତ ରଙ୍ଗବତୀ ସହ ସଦ୍ୟ ଗୋଟିଏ ରାଷ୍ଟ୍ରୀୟ ଘରୋଇ ଚ୍ୟାନେଲରୁ ଶୀର୍ଷ ଘୋଷିତ ଗାୟକ ଋତୁରାଜ ମହାନ୍ତି ‘ବନେ୍ଦ ଉକ୍ରଳ ଜନନୀ…’ ଗାଇଲେ ।

ଓଡ଼ିଶାର ଜାତୀୟ ସଂଗୀତକୁ ଏହିପରି ପରିବେଷଣ କରାଯିବା ବିରୋଧରେ ସେତେ ପ୍ରତିବାଦ ହେଲା ନାହିଁ ଯେତିକି ପ୍ରତିବାଦ ପଶ୍ଚିମ ଓଡ଼ିଶାର ଲୋକେ ରଙ୍ଗବତୀ ପାଇଁ କଲେ । ପି. ସାଇନାଥ ନିଜେ ଲେଖିଛନ୍ତି ପଶ୍ଚିମ ଓଡ଼ିଶାର କଳାକାର ହୋଇଥିବାରୁ ଜିତେନ୍ଦ୍ରିୟଙ୍କୁ କିପରି ହଇରାଣ ହେବାକୁ ପଡ଼ିଛି ।

ଏପରିକି ତାଙ୍କ ରେକର୍ଡ଼ିଂମାନଙ୍କୁ ନିମ୍ନମାନର କ୍ୟାସେଟରେ ବଜାରକୁ ଛଡ଼ା ଯାଇଥିଲା । ବର୍ତ୍ତମାନ ମଧ୍ୟ ଏହାର ପୁନରାବୃତ୍ତି ହେଲା । ହେଲେ ଭିନ୍ନ ଢଙ୍ଗରେ । ଗଣମାଧ୍ୟମ ଦୟାରୁ କୁହାଯିବାର ପ୍ରୟାସ କରାଗଲା ଯେ ସେମାନେ ରଙ୍ଗବତୀ ଗୀତକୁ ଆହୁରି ବ୍ୟାପ୍ତ ବଜାର ଦେବାରେ ସହାୟକ ହୋଇଛନ୍ତି ।

ନିଶ୍ଚିତ ଏହା ହାସ୍ୟାସ୍ପଦ କଥା ରଙ୍ଗବତୀ ପାଇଁ! କିନ୍ତୁ ଏହାକୁ ସ୍ୱୀକାର କରାଯିବାକୁ ପ୍ରକାରାନ୍ତେ ବାଧ୍ୟ କରାଯାଉଥିଲା ଯେପରି । ଗୋଟିଏ ସାଂସ୍କୃତିକ ବିବାଦ ମୁଣ୍ଡ ଟେକୁଥିଲା । ଏହା ରାଜନୈତିକ ରୂପ ନନେଉ, ଏହାର ଯତ୍ନ କରାଯାଉଥିଲା ।

ସେଥିଲାଗି ବନ୍ଦେ ଉତ୍କଳ ଜନନୀ…ର ଅପମାନକୁ ମଧ୍ୟ ସହିଯିବାକୁ ହେଲା ଯେପରି । ୨୦୧୫ ମସିହାରେ ଜିତେନ୍ଦ୍ରିୟ ଏବଂ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନରେ ସମ୍ମାନିତ କଲା । ସତକଥା ହେଲା ଏହି ସମ୍ମାନ ଦେବାରେ ବହୁ ବିଳମ୍ବ ହେଲା ।

ଯେଉଁ ସମୟରେ ଡକ୍ଟରେଟ ସମ୍ମାନ ଦିଆଗଲା ସେ ସମୟ ଥିଲା ବିବାଦର ସମୟ । ପ୍ରକାରାନ୍ତେ ଲୋକେ ଅନେକ କଥାକୁ ବୁଝିଲେ । କଥାର ଅନେକ ଅର୍ଥ ବାହାର କଲେ । ଏହା ଉତ୍କୋଚ ନୁହେଁ ତ? ତୁଷ୍ଟିକରଣପାଇଁ ଏକ ଶାସକୀୟ କୂଟ ନୁହେଁ ତ?

ରଙ୍ଗବତୀ, ପ୍ରକାରାନ୍ତେ ବିଗତ ଚାରି ଦଶନ୍ଧି ଧରି ଗୋଟିଏ ସମ୍ପନ୍ନ ସଂସ୍କୃତି ପଟକୁ ଇଙ୍ଗିତ କରିଆସୁଅଛି । ତା’ର ବିଶ୍ୱବିଜୟ ଅଭିଯାନରେ ସେ ଓଡ଼ିଶାର ଏକ ମହାନ ସଂସ୍କୃତିର ବିଜୟବାନା ଧରିଛି ଯେପରି । କିନ୍ତୁ ଏହାର ଚିତ୍ରକାର ଜିତେନ୍ଦ୍ରିୟ ହରିପାଲଙ୍କୁ ତାଙ୍କ ନ୍ୟାୟ ମିଳିପାରିଛି କି?

ସେ ଏହାର ପ୍ରତିଧାବନ କରିଛନ୍ତି ଯେପରି । ସେ ଯଦି ବିଫଳ ହୋଇଥାନ୍ତେ, କିଛି କଥା ନ ଥିଲା । ସେ ସଫଳ ସେ ସ୍ୱତନ୍ତ୍ର; ସେ ସାଧକ ସେ ସନ୍ଥ; ସେ ଜଣେ ଜୀବନ୍ତ କିମ୍ବଦନ୍ତୀ । ସେ ଆମ ସହିତ ଅଛନ୍ତି -ଏହା ଆମପାଇଁ ଗର୍ବର କଥା । ଏଥି ସହିତ ତାଙ୍କୁ ତାଙ୍କର ଜୀବିତାବସ୍ଥାରେ ନ୍ୟାୟ ଦେବା ଶାସନର ଦାୟିତ୍ୱ, ସାଧାରଣଙ୍କ କର୍ତ୍ତବ୍ୟ । ସମୟକୁ ଫେରେଇ ହେବ ନାହିଁ ।

କିନ୍ତୁ ସମୟ ଥିବା ଭିତରେ ତାଙ୍କୁ ନ୍ୟାୟ ତ ଦିଆଯାଇ ପାରିବ । INDRECO ବନ୍ଦ ହୋଇଗଲା; ତାହା ବୋଲି ଜିତେନ୍ଦ୍ରିୟ ତାଙ୍କର ରୟାଲଟି ପାଇବାର ଅଧିକାର ତ’ ହରେଇ ନାହାନ୍ତି । ୧୯୫୭ କପିରାଇଟ ଆକ୍ଟ ସଂଶୋଧିତ ହୋଇ ୨୦୧୨ କପିରାଇଟ ଆକ୍ଟ ଲାଗୁ ହୋଇ ସାରିଲାଣି ।

ଏହି ଆଇନ ବଳରେ କୌଣସି ଉଚ୍ଚସ୍ତରୀୟ ତଦନ୍ତ କମିଟି ରଙ୍ଗବତୀ ଓ ଜିତେନ୍ଦ୍ରିୟଙ୍କ ଉପରେ ହୋଇଥିବା ଧାରାବାହିକ ଶୋଷଣର ତଦନ୍ତ କରି ପାରନ୍ତା । ଯଦିବା INDRECOର କୌଣସି ସତ୍ତା ନାହିଁ, ତା’ହେଲେ ଏହି କମ୍ପାନୀକୁ ସ୍ୱୀକୃତି ଦେଇଥିବା ଅନୁଷ୍ଠାନ ନିକଟରୁ ରୟାଲଟି ଟଙ୍କା ଆଦାୟ କରାଯାଇ ପାରନ୍ତା ।

ଯେଉଁମାନେ ବି ରଙ୍ଗବତୀର ଧୂନ୍ ନେଇଛନ୍ତି, ସେମାନଙ୍କ ନିକଟରୁ ତାଙ୍କର ବ୍ୟବସାୟ ଆଧାରରେ ରୟାଲଟି ସଂଗ୍ରହ କରାଯାଇ ପାରନ୍ତା । ଏହି କଥା ଚିନ୍ତା କରିବାର ସମୟ ବୋଧହୁଏ ଦ୍ୱିତୀୟଥର ଆସିବାର ନାହିଁ ।

ଅନେକ ଅଭିଯୋଗ କରନ୍ତି ଯେ ଜିତେନ୍ଦ୍ରିୟ ତାଙ୍କର ପାରିଶ୍ରମିକ ସବୁକୁ ଅକାରଣରେ ଉଡ଼େଇ ଦେଇଛନ୍ତି । କିନ୍ତୁ ଏହା ସେତେ ସତ ନୁହେଁ । ଏହି ପତ୍ରକାରର ନିଜସ୍ୱ ଅନୁଭୂତିରେ ସେ ରେଳଷ୍ଟେସନର ଭିକାରୀକୁ ସାଲ୍ ଦେଲାପରି କାମରେ ଖର୍ଚ୍ଚ କରିଛନ୍ତି ।

ଏକଦା ତାଙ୍କର ବହୁ ମୂଲ୍ୟବାନ ସଂଗୀତ ଯନ୍ତ୍ରପାତି ଚୋରି ହୋଇଗଲା । ଏହାପରେ ସେ ନିଜକୁ ବହୁ କଷ୍ଟରେ ପୁନର୍ବାର ସଂଖୋଳି ପାରିଥିଲେ । କିନ୍ତୁ ସମୟ ଓ ଶାସନର ଉଦାସୀନତା ତାଙ୍କୁ ଦାରିଦ୍ର୍ୟରୁ ମୁକ୍ତିରେ ବାଧା ହୋଇଛି ଯେପରି ।

ଜିତେନ୍ଦ୍ରିୟଙ୍କ ସ୍ୱପ୍ନ ହେଉଛି ଗୋଟିଏ ସଙ୍ଗୀତ ଏକାଡ଼େମି ସ୍ଥାପନ କରିବା । ଏଥିରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଓ ସାଙ୍ଗୀତିକ ପରମ୍ପରାର ଗବେଷଣା ଓ ସାଧନ କରିବା । ଏହି ସ୍ୱପ୍ନ ପଛର ବାସ୍ତବତା ବର୍ତ୍ତମାନର ପରିସ୍ଥିତିରେ ସାଂଘାତିକ ଭାବେ କୃର ଜଣାପଡ଼ୁଥିଲେ ବି ସେତେ ହୋଇ ନପାରେ । କିନ୍ତୁ ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ ।

ରଙ୍ଗବତୀ ଜନ୍ମନେବାର ଚାରି ଦଶନ୍ଧି ମଧ୍ୟରେ ଅନେକ ଘଟଣା ଘଟିଯାଇଛି । ରଙ୍ଗବତୀକୁ ନେଇ ଅନେକ କଥା କିମ୍ବଦନ୍ତୀ ଓ ଘଟଣା ଘଟି ସାରିଛି । ଏ ସମୟ ମଧ୍ୟରେ କୌଣସି ପ୍ରୟାସ ହୋଇନାହିଁ ଯେ ଜିତେନ୍ଦ୍ରିୟଙ୍କ ଉପରେ ତଥ୍ୟ ସଂଗ୍ରହ କରାଯାଇ ତାଙ୍କୁ ଅନ୍ତତଃ ‘ପଦ୍ମଶ୍ରୀ’ ପାଇଁ ସୁପାରିଶ କରାଯାଇପାରନ୍ତା ।

ଗୋଟିଏ ସାଂସ୍କୃତିକ ବିଭବର ସଂକଳନ ପାଇଁ ପ୍ରୟାସ କରାଯାଇ ପାରନ୍ତା । କିନ୍ତୁ କୌଣସିଟିରେ ‘ହଁ’ ନାହିଁ । ଜିତେନ୍ଦ୍ରିୟଙ୍କ ଭାଷାରେ ‘ଡମ ଛଡ଼ା କେହି ବି ଯଦି ବାଦନ ସଂସ୍କୃତିର ବ୍ୟାଖ୍ୟା କରିଦେବ, ତା ହେଲେ ମୁଁ ତା ନିକଟରେ ମୁଣ୍ଡ ନୁଆଁଇ ଦେବି’ ।

ଏହା ସାଧାରଣ କଥା ନୁହଁ । ଜଣେ ମହର୍ଷି ବ୍ୟତୀତ କେହିବି ଏହି କଥା କହିବାର ସାହସ କରିପାରିବ ନାହିଁ । କାହିଁକିର ପ୍ରଶ୍ନଟିଏ ତ କରାଯାଇ ପାରନ୍ତା ଜିତେନ୍ଦ୍ରିୟ ହରିପାଲଙ୍କୁ । ସେହିପରି ଜିତେନ୍ଦ୍ରିୟଙ୍କ ବ୍ୟାଖ୍ୟା ବି କଠିନ । ଯେପରି କଠିନ ତାଙ୍କର ଅତୀତ ।

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାଯ୍ୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ନ୍ୟାଯ୍ୟ ଦିଆଯାଇ ପାରନ୍ତା… ।

 

ଲେଖକଙ୍କୁ ଯୋଗାଯୋଗ କରିବାର ଇମେଲ ଓ ଫୋନ ନମ୍ବର ହେଲା rajibs68@gmail.com 94375 27290

ସୌଜନ୍ୟ: ସମଦୃଷ୍ଟି

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଆଦିବାସୀ, କନ୍ଧମାଳ, ଗଣମାଧ୍ୟମ, ଗୀତ, ଜିତେନ୍ଦ୍ରିୟ ହରିପାଲ, ପଶ୍ଚିମ ଓଡ଼ିଶା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ରଙ୍ଗବତୀ, ସମ୍ବଲପୁରୀ, ସରକାର

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

May 21, 2015 by News Bureau Leave a Comment

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କେଦାର ମିଶ୍ର

ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପ୍‍ଚାପ୍‍ ବସିଯାଏ । ନିଜେ ନିଜେ ଗପର ଚରିତ୍ରମାନଙ୍କୁ ଖୋଜେ ।

Okay Snap 1ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି । ସେ ମନେପକାଏ ତା ଜେଜେ ମା’ର ପାକୁଆ ମୁହଁ । ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର । ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି । କଳ୍ପନା ଓ ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ ।

ସେ ଜୀବନକୁ ଯେମିତି ଦେଖେ ସେମିତି ଗପ ଲେଖେ । ଗପ ଲେଖିଲେ ଛପା ହେବ, ସେ ଗପ ସବୁକୁ ନେଇ ବହି ବାହାରିବ, ତା ଫଟୋ ଖବରକାଗଜରେ ବାହାରିବ- ଏତେ କଥା ସେ ଜାଣିନଥାଏ ।

ନିଜ ସରଳ ଅନ୍ଧାର ଭିତରେ ଗପର ଜୀବନଟି ସେ ବଞ୍ଚୁଥାଏ । ନିଜ ପ୍ରତିଭା ଓ କଳ୍ପନା ପ୍ରତି ଆଦୌ ସଚେତନ ନଥିବା ଆଦିବାସୀ ଝିଅଟି ଜାଣେନାହିଁ ଯେ ସେ ତା ସମାଜ ଓ ସମୟ ପାଇଁ ଏକ ବିପ୍ଲବ ସୃଷ୍ଟି କରିଛି । ପୁରୁଣା ସ୍ମୃତି ଓ କଳ୍ପନାରୁ ସେ ଯେଉଁ ଗପ ସବୁ ଛାଣି ଆଣିଛି ସେ ଗପ ଆଗାମୀ ଦିନରେ ତା ନିଜ ଲୋକଙ୍କ ପ୍ରାଣ ସ୍ପନ୍ଦନ ପାଲଟିଯିବ ।

ଆଜି ନହେଲେ କାଲି ସାହିତ୍ୟର ମୁରବୀମାନେ ସ୍ୱୀକାର କରିବେ ଯେ ଏମିତି ଗପ ସହରରେ ରହି ଲେଖାଯାଇପାରେନା । ଗପର କାରିଗରୀ ଓ କଳାକୌଶଳ କେବଳ ବହି ପଢ଼ିଲେ ଆସେ ନାହିଁ, ଏହା ଆସେ ଜୀବନର ଗଭୀର ଅନୁଭବରୁ । ଜୀବନର ଅନ୍ଧାର ଓ ବାଟଭୁଲା ଦୁଃଖ ଭିତରେ ଗପ ତିଆରି ହୁଏ । ସେ ଗପ ତିଆରି କରୁଥିବା ଝିଅଟିର ନାଁ ବାସନ୍ତୀ ମାଝୀ ।

ନାମ – ବାସନ୍ତୀ ମାଝୀ, ଠିକଣା – ସେବାଭାରତୀ, ତୁମୁଡିବନ୍ଧ, କନ୍ଧମାଳ, ବୃତ୍ତି – ଘରକାମ କରୁଥିବା ଜଣେ ସାଧାରଣ ଝିଅ । ସକାଳୁ ଉଠି ଝାଡୁ କରିବା, ବାସନବର୍ତ୍ତନ ମାଜିବା, ରୋଷେଇ କରିବା, ଅଳିଆ ସଫା କରିବା ଓ ଦିନସାରା ଖଟିବାରେ ତା ଦିନ ସରିଯାଏ । ଦେଖିବାକୁ ନହନହକା ପତଳା, ବୟସ ଲାଗେ ୨୦ ରୁ କମ୍‍ ।

ଅସଲରେ କେବେଠୁ ତାର ବାହାଘର ସରିଛି । ତା ବର ମରିଯାଇଛି ଗୋଟେ ଅଜଣା ରୋଗରେ । ଛୋଟଛୋଟ ପିଲାଙ୍କୁ ନେଇ ନିଜ ସଂସାର ଚଳାଇବାକୁ ସେ ଚାକିରୀ କରୁଛି ସେବାଭାରତୀ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ । ବାସନ୍ତୀ ସହିତ ସେଠି ମୋର ଦେଖା ।

ଏତେ ଚୁପ୍‍ଚାପ୍‍ ଝିଅ ଯେ ତାକୁ ଦେଖିଲେ ଲାଗିବ, ଯେମିତି ସବୁ ନିରବତା ତାରି ଆଖିରେ ଠୁଳ ହୋଇଛନ୍ତି । କେମିତି ଗୋଟେ ଉଦାସ ଓ ସ୍ଥିର ତାର ଆଖି ଦୁଇଟି । କାମ କରୁ କରୁ ଟିକିଏ ସମୟ ପାଇଲେ ବହି କି ଖାତା ଧରି ସେ ବସି ଯାଉଛି । ମୋର କୌତୁହଳ ବଢ଼ିଲା । କିଏ ଏଇ ଝିଅଟି ? କରେ କ’ଣ ? କ’ଣ ସବୁ ଲେଖୁଛି ?

ଏସବୁ ପ୍ରଶ୍ନର ଉତ୍ତର ମିଳିଲା ବିଶିଷ୍ଟ ଲୋକତତ୍ତ୍ୱବିତ୍‍ ତଥା କନ୍ଧମାଳର ଜନଜୀବନକୁ ନେଇ ବେଶ୍‍ ତତ୍ପରତାର ସହ ଅଧ୍ୟୟନ କରିଥିବା ଐତିହାସିକ ରଘୁନାଥ ରଥଙ୍କ ଠାରୁ । ରଘୁ ବାବୁ ବାସନ୍ତୀ ବିଷୟରେ ଯାହା ସବୁ କହିଲେ, ତାହା କୌଣସି କାହାଣୀଠାରୁ କମ୍‍ ନୁହେଁ ।

କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

କୁହୁକ ନଦୀର ତୀରେ :

ମୋର ମନେପଡୁଛି ବାସନ୍ତୀ ସହ ମୋର ଦେଖା ହୋଇଥିଲା ପ୍ରାୟ ୪ ବର୍ଷ ତଳେ । କନ୍ଧମାଳ ଦଙ୍ଗାର ପ୍ରାୟ ବର୍ଷେ ପରେ । ପ୍ରମୋଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସେବା ଭାରତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଏକ ତାଲିମ୍‍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥାଏ । ସେଠି ବାସନ୍ତୀ ସହ ପ୍ରଥମ ଦେଖା ।

ସେତେବେଳେ ତାର ଗପ ଲେଖାଖୁବ୍‍ ଜୋର୍‍ରେ ଚାଲିଥାଏ । ରଘୁନାଥ ରଥ ତାର ଗପ ସବୁକୁ କୁଇରୁ ଓଡିଆକୁ ଅନୁବାଦ କରୁଥାନ୍ତି । ମୁଁ ବାସନ୍ତୀକୁ ପଚାରିଥିଲି, ‘ତମେ ଗପ ଲେଖିଲ କେମିତି ? ବାସନ୍ତୀର ଉତ୍ତର ଥିଲା ଗପ ବୋଇଲେ କିସ ଆଜ୍ଞା ? ମୁଁ ମୋ ବୁଢ଼ୀ ମା ପାଖରୁ ଯାହା ଶୁଣିଥିଲି ଓ ଗାଁ ଲୋକ ଯାହାସବୁ କୁହନ୍ତି ତାକୁ ଲେଖି ପକେଇଛି ।’ ସତରେ ବାସନ୍ତୀର ଗପରେ କୌଣସି ଖାଦ ନାହିଁ । ସବୁଗୁଡିକ ନିର୍ମଳ ଜୀବନ ।

କନ୍ଧମାଳର ପାଣି, ପବନ, ଝୋଲା, ଡଙ୍ଗର୍‍, ମାଣ୍ଡିଆ କ୍ଷେତ, ହଳଦୀ ପତ୍ର, ବଣଭାଲୁ, ଶୁଆ, ବାଘ, ହାତୀ ଓ ମଣିଷମାନେ ତା ଚରିତ୍ରର କେନ୍ଦ୍ରବିନ୍ଦୁ । ତା ଗପରେ ଶାଗୁଣାଟିଏ ଛୋଟ ପିଲାକୁ ମା ପରି ପାଳିପାରେ । ଦୂର ଗାଁରୁ ବିସ୍କୁଟ୍‍ କିଣି ଆଣିଦେଇପାରେ । ଏମିତି ବି ହେଇପାରେ ଯେ କନ୍ଦମୂଳ ଲତା ତଳେ ସାନ ଝିଅଟେ ଜନ୍ମ ହେଇପାରେ । ଝୁଡଙ୍ଗ ବିଡା ଭିତରୁ ହଠାତ୍‍ ଝିଅଟେ ଡେଇଁପଡି ଘର ଓଳେଇବା ଆରମ୍ଭ କରିପାରେ । ବଡ ଅଦ୍ଭୁତ ଗପର ଗଢ଼ଣ । ବଡ ବିଚିତ୍ର ଚରିତ୍ରମାନଙ୍କର ଗତି । ସବୁ ଗପର ଶେଷରେ ଏକ ଚମକ୍‍ପ୍ରଦ ପରିସମାପ୍ତି ।

ଆଧୁନିକ ପୃଥିବୀର ସାହିତ୍ୟରେ ଏପ୍ରକାର ଗପକୁ କୁହୁକ ବାସ୍ତବତା ବା ମ୍ୟାଜିକ୍‍ ରିୟାଲିଜିମ୍‍ର ଗପ ବୋଲି କୁହାଯାଏ । ଲାଟିନ୍‍ ଆମେରିକାର ମହାନ୍‍ କଥାଶିଳ୍ପୀ ତଥା ନୋବେଲ୍‍ ପୁରସ୍କାର ବିଜେତା କଥାକାର ଗାବ୍ରିଏଲ୍‍ ଗାର୍ସିଆ ମାକ୍ୱେର୍ଜ୍‍ଙ୍କ ଲିଖନ ଶୈଳୀ ଏପ୍ରକାର ।

ମାକ୍ୱେର୍ଜ୍‍ଙ୍କ ଗଳ୍ପର ଧାରାରେ କୁହୁକ ଯେତିକି ଜୀବନର ବାସ୍ତବତା ସେତିକି । କୁହୁକ ବାସ୍ତବତାକୁ ନେଇ ଗପ ଲେଖିଥିବା ଅନେକ ବଡ ବଡ ଲେଖକଙ୍କୁ ଆମେ ଜାଣିଛୁ । ଯେମିତି ଜର୍ଜ ଲୁଇବୋରେ ବା ଲୋସା । ଏମାନେ ବଡ ବଡ ଲେଖକ ବହୁ ପୁରସ୍କାର ପାଇଛନ୍ତି ।

ବାସନ୍ତୀ ମାଝୀ ଏମାନଙ୍କ ଆଗରେ କୁଟାଖିଅଟିଏ ମାତ୍ର । ଅଥଚ ସାହିତ୍ୟର ମାପ କାଠିରେ ଲାଗିପାରେ ବାସନ୍ତୀ ମାଝୀ ଏମାନଙ୍କ ସମଗୋତ୍ରୀୟ । ଲାଟିନ୍‍ ଆମେରିକାର ଜନଜାତି ଓ ସେମାନଙ୍କ ଜୀବନକାହାଣୀ ଆଧାରରେ ଯେଉଁ କୁହୁକ ବାସ୍ତବତା ନିର୍ମିତ ହୋଇଥିଲା, ତାହା ଓଡିଶାର କନ୍ଧମାଳ ଜିଲ୍ଲାରେ ଗୋଟେ ଅଲଗା ରୂପ ନେଇ ବଢ଼ି ଉଠୁଛି ।

ଏଠି ସାହିତ୍ୟ ବୌଦ୍ଧିକତାର କଳାକୌଶଳ ନୁହେଁ, ବରଂ ଏଠି ସାହିତ୍ୟ ହେଉଛି ଜୀବନର ଏକୁଟିଆ ଓ ନିଛାଟିଆ ସ୍ୱର ଲିପି । ବାସନ୍ତୀ ମାଝୀ ହୁଏତ ମାକ୍ୱେର୍ଜ୍‍ ନୁହଁନ୍ତି । ହେଲେ ସାହିତ୍ୟରେ ବାସନ୍ତୀ ମାଝୀର ଏକ ନିଜସ୍ୱ ସ୍ୱର, ଶୈଳୀ ତଥା ପରିଚୟ ରହିଛି । ଏପରିକି ଓଡିଆ ସାହିତ୍ୟର ବିଶିଷ୍ଟମାନଙ୍କ ଗହଣରେ ବାସନ୍ତୀ କେବେ ଆସି ବସେ ନାହିଁ । ତାକୁ ଓଡିଆ ସାହିତ୍ୟିକମାନେ ଜାଣି ବି ନଥିବେ ।

ଇତିମଧ୍ୟରେ କେବେ କେମିତି ଖବରକାଗଜରେ ବାସନ୍ତୀ ମାଝୀର ଜୀବନକାହାଣୀ ଓ ତା ଗପର ଚର୍ଚ୍ଚା ହୋଇଛି । ତାହା କିନ୍ତୁ ଯଥେଷ୍ଟ ନୁହେଁ ।

ଗପ ପରି ଏକ ଜୀବନ :

ବାସନ୍ତୀର ଜୀବନ କାହାଣୀ ଗପଟିଏ । ସେ ସାଧାରଣ କୁଇ ଝିଅଟିଏ ହୋଇ ଜନ୍ମ ହୋଇଥିଲା । ତା ଜେଜେ ବାପାଙ୍କର ତିନୋଟି ସ୍ତ୍ରୀ । ତା ମଝିଅାଁ ଜେଜେ ମା’ ଭାରି ସୁନ୍ଦର ଗପ କହୁଥିଲା । ବାସନ୍ତୀ କହେ, ‘ଏବେ ବି ତାର ଗପ ସବୁ ସେଇ ମଝିଆ ଜେଜେ ମାର ଦାନ ।’ ବାସନ୍ତୀ କିନ୍ତୁ ଚାହୁଁଥିଲା ପାଠ ପଢ଼ିବ ।

ଗାଁ ପାଖରେ ସ୍କୁଲ ନଥିଲା । ପ୍ରାଥମିକ ଶିକ୍ଷା ପରେ ତାର ପାଠପଢ଼ା ବନ୍ଦ ହେଲା । ଟିକିଏ ବଡ ହେବାରୁ ଗୋଟିଏ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାକୁ କାମ ମିଳିଲା । ସେହିଠି ଦେଖାହୁଏ ବାସନ୍ତୀର ଜୀବନସାଥୀ ସହ । ସେହି ସଙ୍ଗଠନର ତାଙ୍କ ନିଜ ଜାତିର ପିଲାଟିଏ ତାକୁ ଭଲପାଇଲା ।

ତେବେ କୁଟିଆ କନ୍ଧ ପ୍ରଥା ଅନୁଯାୟୀ ଝିଅକୁ ପୁଅ ଉଠେଇ ନେଲେ ଯାଇ ବାହାଘର ହେବ । ପିଲାଟି ବାସନ୍ତୀ ପ୍ରତି ଯେତିକି ଦୂର୍ବଳ ବାସନ୍ତୀ ପ୍ରେମ ପ୍ରତି ସେତିକି ଅନାସକ୍ତ । ବାସନ୍ତୀ ସେ ପିଲାକୁ ବିଲ୍‍କୁଲ୍‍ ଧରାଛୁଅାଁ ଦେଉନଥିଲା । ସେ ଯେତେ ଚେଷ୍ଟା କଲେ ମଧ୍ୟ ବାସନ୍ତୀ ତାକୁ ବାହାହେବା ପାଇଁ ସୁଯୋଗ ଦେଉନଥିଲା ।

ବହୁ ପରିଶ୍ରମ ଓ ଅପେକ୍ଷା ପରେ ବାସନ୍ତୀ ମାନିଲା । ବାହାଘର ହେବାର ଅଳ୍ପ କେଇ ବର୍ଷ ପରେ ବାସନ୍ତୀର ବର ଏକ ଅଜଣା ରୋଗରେ ମୃତୁ୍ୟବରଣ କଲା । ତା ପରଠୁ ବାସନ୍ତୀ ଏକାକୀ । ନିଜ ଜୀବନ ପାଇଁ ଜୀବିକା ବାଛିବା ସହିତ ସେ ଜୀବନସାଥୀ ଭାବରେ ବାଛିନେଲା ଗପ ଲେଖିବାର ପ୍ରବଣତାକୁ । ସେ ଗପ ଲେଖିଲା ଓ ଲେଖି ଚାଲିଲା ।

ତା ଗପ ଲେଖିବାର ଆଗ୍ରହ ଦେଖି ସେବାଭାରତୀର ପ୍ରତିଷ୍ଠାତା ପ୍ରମୋଦ ପଟ୍ଟନାୟକ ତାକୁ ଉତ୍ସାହ ଦେଲେ । ଦିନ ଆସିଲା ବାସନ୍ତୀର ଗପ ବହିଟେ ହୋଇ ପ୍ରକାଶ ପାଇବାର ଯୋଜନା ଚାଲିଲା ।

ବାସନ୍ତୀର ଗପଖାତା :

ଗପ ଶୁଣୁଶୁଣୁ ବାସନ୍ତୀ ନିଜେ କେତେବେଳେ ଗପଟିଏ ହେଇଗଲା ତାହା ତାକୁ ବି ଜଣାନଥିଲା । ସେ ଯେଉଁ କଳ୍ପନାର କାହାଣୀ ସବୁ ଶୁଣିଥିଲା ସେ କାହାଣୀ ସବୁ ତା ଜୀବନରେ ଗୋଟି ଗୋଟି ହୋଇ ସତ ହେବା ଆରମ୍ଭ କଲେ । କାହାଣୀରେ ଅଦ୍ଭୁତ, ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ଲାଗୁଥିବା ଚରିତ୍ରମାନେ ତାର ଦୁଃଖକୁ ଭିନ୍ନ ଭିନ୍ନ ବାଗରେ କହିବା ଆରମ୍ଭ କଲେ ।

ସେ ଗପସବୁ ଗୋଟିଏ ଲମ୍ବା ଖାତାରେ ଟିପା ହୋଇ ରହିଲା । ଗପ ସବୁ ଲେଖା ହେଉଥିଲା ତା ନିଜ ଭାଷାରେ । ବାସନ୍ତୀର ନିଜ ଭାଷା କୁଇ । ଓଡିଶା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଚିଶ ଲକ୍ଷରୁ ଅଧିକ ଜନସାଧାରଣ ଏହି ଭାଷା ବ୍ୟବହାର କରନ୍ତି ।

ତେବେ ଏହି ଭାଷାକୁ ମାନ୍ୟତା ଦେବା ବା ବୁଝିବା ପାଇଁ ଆମମାନଙ୍କ ସମୟ ନଥାଏ । ଓଡିଆ ଭାଷା ସୁରକ୍ଷା ପାଇଁ ଆନେ୍ଦାଳନ କରୁଥିବା ଓଡିଶାର ନାମୀଦାମୀ ଲୋକମାନେ ଜାଣନ୍ତି ନାହିଁ ଯେ ଆମ ରାଜ୍ୟରେ ଆହୁରି ଏମିତି କିଛି ଭାଷା ଅଛି ଯେଉଁମାନେ ନିଜର ଅସ୍ତିତ୍ୱକୁ ନେଇ ସଂଘର୍ଷ କରୁଛନ୍ତି ।

ସେହି ଭାଷାମାନଙ୍କ ମଧ୍ୟରେ ସାନ୍ତାଳି, କୁଇ, ପରଜା ଓ ମୁଣ୍ଡାରୀ ପରି ଜନଗୋଷ୍ଠୀର ଭାଷା ରହିଛି । ମୂଳରୁ ଏମାନଙ୍କୁ ଭାଷା ଭାବରେ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୋହୁଁ । ଉପେକ୍ଷିତ ମଣିଷର ଭାଷାରେ ବାସନ୍ତୀ ମାଝୀ ନିଜର ଗପ ଲେଖିଛନ୍ତି ।

ଏହି ସବୁ ଗପକୁ ଓଡିଆରେ ଅନୁବାଦ କରି ଏପ୍ରିଲ୍‍ ୨୦୧୧ରେ ପ୍ରକାଶ ପାଏ ବାସନ୍ତୀର ପ୍ରଥମ ଓ ଏକମାତ୍ର ବହି ‘କୁଟିଆ କନ୍ଧ ଲୋକକାହାଣୀ’ । ଜଣେ ସାଧାରଣ ଆଦିବାସୀ ଝିଅର ଗପ ବହିକୁ ନେଇ ଗଣମାଧ୍ୟମରେ କିଛିଟା ଆଗ୍ରହ ପ୍ରକାଶ ପାଏ ।

ଜାତୀୟ ସ୍ତରରେ ଦ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ , ଦ ହିନ୍ଦୁ ଭଳି ଖବରକାଗଜ ବାସନ୍ତୀର ସାହିତ୍ୟିକ ପ୍ରତିଭା ବିଷୟରେ ଆଲେଖ୍ୟ ଛାପନ୍ତି । ତଥାପି ଆମ ସାହିତ୍ୟର ମଙ୍ଗୁଆଳମାନଙ୍କ ଦୃଷ୍ଟି ବାସନ୍ତୀ ମାଝୀ ଉପରେ ପଡେ ନାହିଁ । ଉଚ୍ଚପଦବୀ, ମୋଟା ବେତନ ଓ ମହାର୍ଘ ପୁରସ୍କାର ପାଉଥିବା ଲେଖକମାନଙ୍କ ପ୍ରେମରେ ଆମ ସାହିତ୍ୟ ଏତେ ଅନ୍ଧ ଯେ ସେଠି ଜଣେ ସାଧାରଣ କୁଇ ଭାଷାଭାଷୀ ଝିଅର ପ୍ରତିଭାର କିଛି ମୂଲ୍ୟ ନାହିଁ ।

ବେବି ହାଲ୍‍ଦାର ଓ ବାସନ୍ତୀ ମାଝୀ :

ପ୍ରାୟ ସାତ ଆଠ ବର୍ଷ ତଳେ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ଏକ ଚର୍ଚ୍ଚିତ ନାଁ ଥିଲେ ବେବି ହାଲ୍‍ଦାର । ଜଣେ ସାଧାରଣ ଗୃହ କର୍ମଚାରୀ (ଯାହାକୁ ଅବଜ୍ଞା ସୂଚକ ଭାବରେ ଆମେ ଚାକରାଣୀ ବୋଲି କହିଥାଉ) ଭାବରେ କାମ କରୁଥିବା ବେବି ହାଲ୍‍ଦାରଙ୍କ ଜୀବନକାହାଣୀ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ।

ବେବି ନିଜ ଜୀବନର ବ୍ୟଥା ଓ ବେଦନାକୁ ଅକପଟ ତଥା ସରଳ ଭାଷାରେ ଲେଖିଥିଲେ । ତାଙ୍କର ଆତ୍ମଜୀବନୀ ‘ଆଲୋ ଅନ୍ଧାରି’ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସ୍ଥାନ ପାଇଥିଲା । ତା’ପରଠୁ ବେବି ଦେଶର ପ୍ରମୁଖ ସାହିତ୍ୟ ଉତ୍ସବ ଓ ସାହିତ୍ୟ ସଙ୍ଗଠନଗୁଡିକରେ ବେଶ୍‍ ଆକର୍ଷଣ ପାଲଟିଥିଲେ ।

ଓଡିଶାର ଏକ ନାମୀ ପ୍ରକାଶନ ସଂସ୍ଥା ବେବିଙ୍କର ପୁସ୍ତକ ପ୍ରକାଶ କରିଛି । ସେହି ସମାନ ପୃଷ୍ଠଭୂମି ଓ ପ୍ରତିଭା ଥାଇ ମଧ୍ୟ ବାସନ୍ତୀ ମାଝୀ ଓଡିଶାରେ ଅବହେଳିତ । ବାସନ୍ତୀଙ୍କର ସମସ୍ୟା ହେଉଛି ସେ କନ୍ଧମାଳର ବାସିନ୍ଦା ଓ ଜନଜାତିର ପ୍ରତିନିଧି ।

ସମାଜରେ ଅବହେଳିତ ବର୍ଗ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରିବେ ବୋଲି ଆମର ବ୍ରାହ୍ମଣବାଦୀ ମଗଜରେ ବିଶ୍ୱାସ ଜନ୍ମେନାହିଁ । ସେଥିପାଇଁ ବାସନ୍ତୀ ମାଝୀଙ୍କୁ ସାହିତ୍ୟ ଏକାଡେମୀ ବା ସାହିତ୍ୟ ଉତ୍ସବମାନଙ୍କରେ ସାମିଲ୍‍ କରିବାର ଚିନ୍ତା ମଧ୍ୟ ଆମେ କରିପାରୁ ନାହୁଁ । ବାସନ୍ତୀ ସାହିତ୍ୟକୁ ନେଇ ନିଜେ କୌଣସି ଅଭିଳାଷପୋଷଣ କରନ୍ତି ନାହିଁ ।

ସେ ନିଜେ ଜାଣନ୍ତି ନାହିଁ ସେ ଯାହା ଲେଖୁଛନ୍ତି ତାହା ସାହିତ୍ୟ କି ନୁହଁ । ନିଜ ଜୀବନକୁ କାଗଜକଲମରେ ଉତ୍ତାରି ଦେବାର ପ୍ରବଣତାରୁ ତାଙ୍କର ଗପ ଜନ୍ମ ନେଇଛି । ସେ ଗପ ଉଚ୍ଚାଙ୍ଗ ସାହିତ୍ୟ ହେଉ କି ନହେଉ ତାହା ଜୀବନର ସାହିତ୍ୟ ନିଶ୍ଚୟ । ସେହି ସାହିତ୍ୟକୁ ଯେଉଁ ଜାତି ଅସ୍ୱୀକାର କରେ ସେ ଜାତିର ସାହିତ୍ୟ ଯେତେ ମର୍ଯ୍ୟାଦା ସମ୍ପନ୍ନ ହେଲେ ମଧ୍ୟ ପ୍ରାଣହୀନ । ବାସନ୍ତୀ ମାଝୀଙ୍କର ଗପ ଓଡିଆ ଜନଜୀବନରେ ଏକ ନୂଆ ଆନେ୍ଦାଳନର ଆଭାସ ।

ବାସନ୍ତୀ ମାଝୀଙ୍କ ଦୁଇଟି ଗପ

କନ୍ଦାର ଝିଅ ଜନମ

ଗୋଟିଏ ଗାଁ ଥିଲା । ସେହି ଗାଁରେ ଗୋଟିଏ ବହୁତ ଗରିବ ଲୋକ ଥିଲା । କେତେ ଚାଷ କଲେ ମଧ୍ୟ ଫସଲ ହେଉନାହିଁ । ଖାଲି କନ୍ଦା ଫଳମୂଳ ଖାଇ ବଞ୍ଚୁଥିଲା । କାମ ନକଲେ ଖାଇବାକୁ ମିଳେନାହିଁ । ସେହିଦିନ ଉପାସରେ ରହିଥିଲେ ।

ପୁଅର ନାଁ ସୁଧୀର । ବାପା, ମା’ ଜଙ୍ଗଲକୁ ଯାଆନ୍ତି । ସୁଧୀର ଘରେ ରହେ । ଦିନେ ବାପା ମା’ ଜଙ୍ଗଲକୁ କନ୍ଦା ଖୋଳିବାକୁ ଗଲେ । ଚାରିଆଡେ ଖୋଜାଖୋଜି କଲେ । କନ୍ଦା କେଉଁଠି ବି ପାଇଲେ ନାହିଁ । ରାତି ହୋଇ ଆସିଲା । ସେ ଆଉ ଘରକୁ ଗଲେ ନାହିଁ । ସେହି ଜଙ୍ଗଲରେ ହିଁ ଶୋଇଲେ ।

ସକାଳ ହେଲା ପୁଣି କନ୍ଦା ଖୋଜିବାକୁ ଲାଗିଲେ । ସୁଧୀର ଭାରିବ୍ୟସ୍ତ , ବପା ମା ଆସିଲେ ନାହିଁ କାହିଁକି ? ଆହୁରି ସକାଳ ହେଲା କନ୍ଦା ଖୋଜିବାକୁ ଲାଗିଲେ । ଗୋଟିଏ ଗଛରେ ଲଟା ମାଡିଛି ବୋଲି ତାର ସ୍ତ୍ରୀକୁ ଡାକିଲା । ଆଉ ଖୋଳିବାକୁ ଲାଗିଲେ । ଖୋଳୁ ଖୋଳୁ କନ୍ଦା ବାହାରିଲା ।

କନ୍ଦାକୁ ବାଡିରେ କାଢ଼ୁଛି । କନ୍ଦା କହୁଛି ମାଆ ମୋତେ ଧିରେ ଧିରେ କାଢ଼େ ମୋତେ କାଟୁଛି । ତାର ସ୍ତ୍ରୀ ଅଧା ବାଟଯାଏ ଗଲା । ମଲେ ମରିବା ଚାଲ ବୋଲି କହିଲା । ଆହୁରି ସେମାନେ କାଢ଼ିବାକୁ ଲାଗିଲେ ।

ମୋତେ ଘର ଭିତରେ ରଖିବୁ କାହାକୁ ଦେଖେଇବ ନାହିଁ । ଯେତେବେଳେ କବାଟ ଠକ୍‍ ଠକ୍‍ କରିବି ସେତେବେଳେ କବାଟ ଖୋଲିବ ବୋଲି କହିଲା । କିଏ ନଯିବା ଘରେ ବନ୍ଦ କରିବ ବୋଲି କହିଲା । କାମ କରିବାକୁ ଗଲେ ସେତେବେଳେ ଆମ୍ବ ଟାଙ୍କୁ ବାଡେଇବାକୁ ଲାଗିଲେ ।

ଏମିତି ସାତଦିନ ବିତିଗଲା । କନ୍ଦା ଆଣିଥିବା ବାର ପହଞ୍ଚିଲା । ଦିନ ୧୨ ଘଣ୍ଟା ହେଲା କବାଟ ଠକ୍‍ ଠକ୍‍ ହେଲା । ପୁଅ ଭୋକରେ ବଖରାରେ ଶୋଇପଡିଥିଲା । ପୁଅ ପାଣି ପିଇବି ବୋଲି ଚଟ୍‍କିନା ଉଠି ପଡିଲା । ଆମ ଘରେ କବାଟ ଠକ୍‍ ଠକ୍‍ କରି କିଏ ବାଡଉଛି ବୋଲି ପଚାରିଲା ।

କବାଟ ଖୋଲି ଦେଖିଲା ବେଳକୁ ଲଣ୍ଠନ ପରି ଜଳୁଛି । ପୁଅ ଆଶ୍ଚର୍ଯ୍ୟ ହୋଇ ଧାଇଁଗଲା । ଆଉ ପୁଣିଥରେ ଘରକୁ ଗଲା । ଘର ଭିତରେ ଦେଖିଲା ବେଳେ ଗୋଟିଏ ଝିଅ ଠିଆ ହୋଇଛି । ପୁଅ ବାଧ୍ୟ ହୋଇ ଘର ଭିତରେ ପଶିଲା । ହେ ପ୍ରଭୁ ଆପଣ କୁଆଡୁ ଆସିଲ ବୋଲି ପଚାରିଲା ।

ଝିଅ କହିଲା ତମ ମାଙ୍କୁ ପଚାର । ମା ଏହି ଝିଅକୁ କୁଆଡୁ ଆଣିଛ ବୋଲି ପଚାରିଲା । ମାଆ ବାପା କନ୍ଦା ରଖିଥିବା ଘରକୁ ଧାଇଁଲେ । ଘର ଭିତରେ ଗୋଟିଏ ଝିଅ ବସିଛି । ସେହି ଝିଅ ଲାଜରେ ମୁହଁ ପୋତିଲା । ଘୁରି ଚାରିଆଡେ ଅନେଇଲା ବେଳେ ସୁନାର ବାସନକୁସନ, ଧନସମ୍ପତ୍ତି ପରିପୂର୍ଣ୍ଣ ହୋଇଛି ।

ସେ ସବୁ ଜିନିଷପତ୍ର ଦେଖି ବଡ ଖୁସିରେ କଥାବାର୍ତ୍ତା ହେଲେ । ମାଆ ଆଜିଠୁ ତୁମର କୌଣସି ଅସୁବିଧା ହେବନାହିଁ । ଖାଇପିଇ ଖୁସିରେ ରୁହନ୍ତୁ । ସେଠୁ ତିନିଜଣଯାକ ହସି ହସି ଖୁସିରେ ଚଳିଲେ । ତୁମ୍ଭଙ୍କୁ ଦେଖି ଆମର ଭୋକଶୋଷ ଜମା ନାହିଁ । ଭଲ ଖାଦ୍ୟ ମିଳିଲା । ଦିନେ ମା ବାପା ସୁଧୀର କୁଆଡେ ବୁଲିବାକୁ ଯାଇଥିଲେ । ସେହି ସମୟରେ ଜଣେ ରାଜା ମାଗିବାକୁ ଯାଉଥିଲେ ।

ଭିକ୍ଷା ନେବା ସମୟରେ ହାତ ଧରିକି ଘୋଡାରେ ବସେଇକି ନେଇଗଲେ । ସେମାନେ ଘରକୁ ଫେରି ଦେଖିଲା ବେଳେ ଆଉ ସୁଧୀର ବୋହୁ ନାହିଁ । ଚାରିଆଡେ ଖୋଜାଖୋଜି ଚାଲିଲା କୁଆଡେ ହେଲେ ପାଇଲେ ନାହିଁ । ପାରା ଗୋଟିଏ ପୋଷିଥିଲେ । ଗୋଟିଏ ଘରେ ସେହି ଝିଅ କାନ୍ଦିାବରେ ଲାଗିଲା । ପାରା ସେହି ଘରକୁ ଗଲା ସମସ୍ତଙ୍କୁ କହିଲା ସେଥିପାଇଁ ସମସ୍ତେ ମିଶିକି ଗଲେ । ସେ ଘିଅକୁ ଧରି ଆସି ଖୁସିରେ ରହିଲେ ।

ଝୁଡୁଙ୍ଗ

ଗୋଟିଏ ଗାଁରେ କିଛି ପରିବାର ବାସ କରୁଥିଲେ । ସେଥି ଭିତରୁ ଗୋଟିଏ ପରିବାରରେ ବଡ ପୁଅର ନାମ ଲାଡା ବୋଲି ଦିଆଯାଇଥିଲା । ଲାଡା ନିଜ ପରିବାରର ପେଟପୋଷଣ ନିମନ୍ତେ ଗୁଡିଆ ହାଣିଲା । ସେହି ଗୁଡିଆରେ ନାନା ପ୍ରକାର ଫସଲ ଯଥା- ମକା, ଝୁଡୁଙ୍ଗ, କାନ୍ଦୁଲ ଇତ୍ୟାଦି ଚାଷ କଲା ।

ଲାଡା ଗୁଡିଆରେ ସବୁପ୍ରକାର ଫସଲ ସଂଗ୍ରହ କରିବା ପରେ ଝୁଡୁଙ୍ଗ ବିଡା ବାନ୍ଧି ରଖିଥିଲା । ସେମାନେ ଜଙ୍ଗଲରୁ ବହୁ, ଝୁଣା, ଲାଖ, କରଡି ଇତ୍ୟାଦି ଫଳମୂଳ ସଂଗ୍ରହ ନିମନ୍ତେ ଯାଆନ୍ତି । ଠିକ୍‍ ଏହି ସମୟରେ ଲାଡା ରଖିଥିବା ଝୁଡୁଙ୍ଗ ବିଡାରୁ ଗୋଟିଏ ଝୁଡୁଙ୍ଗ ଛିଟିକି ପଡି ଘରର ସବୁକାମ ଘର ଝାଡୁ ଠାରୁ ଆରମ୍ଭ କରି ରୋଷେଇ, କୁଇରି କୁଟିବା ଏହି ପରି ସମସ୍ତ କାମ କରିସାରୁଥାଏ । ସେମାନେ ଜଙ୍ଗଲରୁ ଫେରି ଦେଖିଲା ବେଳକୁ ସବୁ କାମ ସରିଯାଇଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି ।

ଏମିତି ବହୁତ ଦିନ ବିତିଗଲା । ଶେଷରେ ଲାଡାର ବାପା, ମା’ ଭାବିଲେ ଯେ ଘରର ସବୁ କାମ କିଏ କରିଛି । ଏହି ସନ୍ଧାନ ସେମାନେ ଜାଣିବାକୁ ଚାହିଁଲେ । ବାପା, ମା ଦିନେ ଲାଡାକୁ କହିଲେ ଯେ ତୁ ଆଜି ଆମ ସାଙ୍ଗରେ ଜଙ୍ଗଲକୁ ଆସିବୁ ନାହିଁ ।

ସେ ସେମାନଙ୍କ କଥାରେ ଏକମତ ହେଲା । ଘର ଭିତରେ ଛକି ରହିଲା ଏବଂ ଜାଣିବାକୁ ଚାହିଁଲା ।ଏହିପରି ଛକିଥିବା ସମୟରେ ଝୁଡୁଙ୍ଗ ଝିଅ ବାହାରି ଆସିଲା । ନିଜ କାମ କରିବାକୁ ଆରମ୍ଭ କଲା । ସବୁ କାମ ସରିଲା ପରେ ପୁଣି ଝୁଡୁଙ୍ଗ ଲୁଚିଲା । ଏମିତି ସମୟ ବିତିଗଲା । ଲାଡାର ବାପା, ମା ଘରକୁ ଫେରିବା ସମୟ ହୋଇଗଲା । ଘରେ ବାପା, ମା ପହଞ୍ଚିବା ପରେ ଲାଡା ଯାହା ଦେଖିଥିଲା ସେହି ବିଷୟରେ ବର୍ଣ୍ଣନା କଲା । ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହେଲେ ।

ସେହି ଝୁଡୁଙ୍ଗ ଝିଅର କାର୍ଯ୍ୟ ଦେଖିବାକୁ ଇଛା କଲେ ଓ ଛକି ବସିଲେ । ସେ ଝିଅକୁ ଜଣା ନଥିଲା ଯେ ତାକୁ ସମସ୍ତେ ଦେଖୁଛନ୍ତି । ସେ ଯେମିତି ବାହାରି କାମ କରୁଥିଲା ଠିକ୍‍ ସେହି ପରି ସେ ଦିନ ମଧ୍ୟ ସବୁ କାମ କଲା । ଏହାପରେ ଲାଡା କହିଲା ଯେ ମୁଁ ସେହି ଝିଅକୁ ବାହା ହେବାକୁ ଚାହୁଁଛି । ଏହା ଶୁଣି ବାପା, ମା ବ୍ୟସ୍ତ ହେଲେ । କହିଲେ ଏମିତି ଝିଅକୁ ତୁ କେମିତି ବାହା ହେବୁ ?

ସେ ଉପାୟ ପାଞ୍ଚିଲା ଏବଂ ବାପା, ମା’ଙ୍କୁ କହିଲା ଯେ ତୁମେ ଜଙ୍ଗଲକୁ ଯାଅ । ମୁଁ ଘରେ ରହିବି । ଏହା ଶୁଣି ସେମାନେ ଜଙ୍ଗଲକୁ ଚାଲିଗଲେ । ଲାଡା ପୂର୍ବ ପରି ଛକି ବସିଲା । ସେ ଝିଅ କେଉଁଠି ବାହାରୁଛି ତାହା ନିରୀକ୍ଷଣ କଲା ।

ଏହାପରେ ସେ ଝୁଡୁଙ୍ଗ ଚୋପା ସବୁ ପୋଡିଦେଲା । ଝିଅଟି ବାହାରି ଆସିଛି । ବାପା, ମା’ଙ୍କର ଆସିବା ସମୟ ହେଇଗଲାଣି । ଏହାପରେ ସେମାନେ ଘରେ ପହଞ୍ଚି ଦେଖିଲେ ଯେ ଗୋଟିଏ ସୁନ୍ଦରୀ ଝିଅ ତାଙ୍କ ଘରେ ଅଛି । ବାପା, ମା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ମଧ୍ୟ ହେଲେ । ଶେଷରେ ଦୁଇଜଣଙ୍କୁ ବାହା କରେଇ ପରିବାରରେ ସମସ୍ତେ ମିଶି ରହିଲେ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ସାହିତ୍ୟ Tagged With: କନ୍ଧମାଳ, ବାସନ୍ତୀ ମାଝୀ, ସାହିତ୍ୟ

ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

April 25, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) କନ୍ଧମାଳରୁ କେରଳକୁ କାମ କରିବାକୁ ଯାଇଥିବା ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନ କେରଳ ପୁଲିସ୍ ଡିଜି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।

Titas digal file photoଚାରି ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କରେ ଜବାବ ଦେବା ଲାଗି କମିଶନ ଏହି ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।

କିନ୍ତୁ ସେଠାକାର ପୁଲିସ୍ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଦର୍ଶାଇ କୌଣସି ତଦନ୍ତ କରିନଥିଲା । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଟାଇଟସ୍ ଏରନାକୁଲମ୍ ଜିଲ୍ଲାର ପଲ୍ଲିପାଡି ଠାରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାପା ଉଚ୍ଛବ ଦିଗାଲ ତାଙ୍କ ପୁଅଙ୍କ ମୃତ୍ୟୁ ବେଳର ଫଟୋ ଓ ତାକୁ ସେଠାକୁ ନେଇଥିବା ତାଙ୍କ ଅଂଚଳର କିଛି ଦଲାଲ୍ ଙ୍କ ହାବଭାବ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ।

ଏହି ଦଲାଲ ମାନେ ତାଙ୍କ ପୁଅକୁ ମାରିଥାଇ ପାରନ୍ତି ବୋଲି ସନ୍ଦେହ କରି ସେ ରାଇକିଆ ଥାନାରେ ଏତଲା ଦେଇଥିଲେ ଓ କନ୍ଧମାଳ ଏସ୍.ପି.ଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଏହି ଘଟଣାରେ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।

ଏବେ ଜାତୀୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ କେରଳ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିବା ପରେ ଘଟଣାର ଠିକ୍ ଭାବେ ତଦନ୍ତ ହେବ ବୋଲି ଆବେଦନକାରୀ ଶ୍ରୀ ଅଖଣ୍ଡ ଆଶାବ୍ୟକ୍ତ କରିଛନ୍ତି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ସେ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଅଖଣ୍ଡ, କନ୍ଧମାଳ, ଜାତୀୟ ମାନବାଧିକାର କମିଶନ, ଦାଦନ, ପୁଲିସ୍ ଡିଜି

ଛୋଟଦାନା ଶସ୍ୟ ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟସ୍ତରୀୟ କର୍ମଶାଳା

January 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧(ଓଡିଶା ଡଟ୍ କମ୍ )-ସ୍ୱେଚ୍ଛାସେବୀ ସଂଗଠନ ‘ନିର୍ମାଣ’ ପକ୍ଷରୁ ମାଣ୍ଡିଆ, ସୁଅାଁ, ଗୁର୍ଜୀ, କୋଶଳାଜାତୀୟ ଛୋଟଦାନା ଶସ୍ୟଦ୍ୱାରା ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ସଂକ୍ରାନ୍ତରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ।

DSCN0556

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସଂରକ୍ଷଣ ୨୦୧୨ମସିହାରୁ ଆରମ୍ଭ ହୋଇଛି । ଲୋପ ପାଇଯାଇଥିବା ୧୨ପ୍ରକାର ଶସ୍ୟକୁ କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଳା ଆଦି ଅଞ୍ଚଳର ଚାଷୀଙ୍କଠାରୁ ଅଣାଯାଇ ହଜିଯାଇଥିବା ବିହନ ଓ ଫସଲର ପୁନଃଉଦ୍ଧାର କରାଯାଇ ପାରିଛି ।

ନୂଆମୁଣ୍ଡା ଗାଁର ଚାଷୀ ବାକିରାମ ମାଝୀ ପ୍ରଥମେ କହିଥିଲେ ପୂଜାପର୍ବରେ ବ୍ୟବହାର କରାଯାଏ । ବର୍ଷାର ଅନିୟମିତତା ଯୋଗୁଁ ଗୋଟିଏ ବର୍ଷ ଅମଳ ନହେବା ଯୋଗୁଁ ବିହନ ମଧ୍ୟ ବୁଡ଼ି ଯାଇଥିଲା ।

ଏହି ଲୋପ ପାଇଯାଇଥିବା ଅଥବା ଲୋପ ପାଇଆସୁଥିବା ବିହନସବୁର ସଂରକ୍ଷଣ ସକାଶେ ସ୍ୱେଚ୍ଛାସେବୀ ସଙ୍ଗଠନ ‘ନିର୍ମାଣ’ର ସହଯୋଗରେ ନିହାତି ପକ୍ଷେ ଜରୁରୀ ଥିଲା ବୋଲି ସମସ୍ୱରରେ କହିଥିଲେ ।

ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପ୍ରଫେସର ବଳରାମ ସାହୁ ଛୋଟ ପୌଷ୍ଟିକ ଉପକାରିତା ସଂପର୍କରେ ଏକ ଉପସ୍ଥାପନା କରିବା ସହ ନିଜେ ଛୋଟ ଅନୁଭବକୁ ବ୍ୟକ୍ତ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଏହା ଏକ ଖାଦ୍ୟ ଶସ୍ୟ ନୁହେଁ । ଏଥିରେ ରୋଗ ପ୍ରତିଷେଧକ କ୍ଷମତା ଭରି ରହିଛି । ସୁଅାଁ ଖାଉଥିବା ଲୋକଙ୍କୁ ସର୍ଦ୍ଧି ବା ଥଣ୍ଡାକାଶ ହୋଇନଥାଏ । କାରଣ ଏଥିରେ ଥଣ୍ଡା କାଶ ପ୍ରତିଷେଧକ ଗୁଣ ଭରିରହିଛି । ମାଣ୍ଡିଆରେ କର୍କଟରୋଗ ପ୍ରତିରୋଧକ କ୍ଷମତା ରହିଥିବା ମଧ୍ୟ ବୈଜ୍ଞାନିକ ଡଃ ସାହୁ କହିଥିଲେ ।

ଇଂରାଜୀଦୈନିକ ହିନ୍ଦୁସ୍ଥାନ ଟାଇମ୍ସ୍ ର ରାଜ୍ୟ ପ୍ରତିନିଧି ପ୍ରିୟରଞ୍ଜନ ସାହୁ ଅନ୍ୟତମ ଆଲୋଚକଭାବେ ଯୋଗଦେଇ କହିଥିଲେ ଯେ ଗରିବ ଚାଷୀ, ଖାଦ୍ୟ ସୁରକ୍ଷା ଓ ଛୋଟ ଅନାହାରକ୍ଲିଷ୍ଟ କେବିକେ ଅଞ୍ଚଳରେ ଛୋଟ ଦାନା ଶସ୍ୟର ବ୍ୟାପକ ଚାଷ କରିବା ପରିବର୍ତ୍ତେ ସରକାର ନବୁଝି ଜାଟ୍ରୋଫା, ସଫେଦ ମୁଷ୍ଲୀ ଇତ୍ୟାଦି ଚାଷ କରିବା ପାଇଁ ଆଗଭର ଇତ୍ୟାଦି ଚାଷ କରିବା ପାଇଁ ଆଗଭର ହେଉଛନ୍ତି ଯାହାକି ଚିନ୍ତାର ବିଷୟ ।

ଗମ୍ଭାରୀ ଗା୍ରମର ଜଣେ ଚାଷୀ ଶ୍ରୀମତୀ ଦୁଲାରୀ ମାଝୀ କହିଥିଲେ ଯେ ବିହନ ସଂରକ୍ଷଣ ପାଇଁ ବିହନ ପାଣ୍ଠିର ସହାୟତା ନେଉଛନ୍ତି । ବିହନ ପାଣ୍ଠି ସଂରକ୍ଷିତ ରହିଲେ ଅସମୟରେ ବିହନ ନମିଳିଲେ ସେହି ବିହନ ପାଣ୍ଠିରୁ ବିହନକୁ ବ୍ୟବହାର କରାଯିବ ବୋଲି ସେ ସୂଚାଇଥିଲେ ।

ଗୁଟକା ଗାଁର ରାମ ମାଝୀ ନିଜ ଅଭିଜ୍ଞତାକୁ ବାଣ୍ଟି ଏହି ଶସ୍ୟ ମଧ୍ୟାହ୍ନ ଭୋଜନରେ ସାମିଲ କରିବାକୁ ଦାବି ରଖିଥିଲେ । ସୁଶାବଟା ଗାଁର ଛୋଟଦାନା ଚାଷୀ ମାଧବ ମାଝୀଙ୍କ ଅଭିଜ୍ଞତା ନିଆରା ଥିଲା । ଚୋପା ଛଡ଼ାଇବା ପାଇଁ ମେସିନ୍ ର ଆବଶ୍ୟକତା ଅଛି । ଏଥିାଇଁ ସରକାର ସହଯୋଗ କରିବା ଦରକାରବୋଲି ଜୋର ଦେଇଥିଲେ ।

ନିର୍ମାଣର ନିଦେ୍ର୍ଧଶକ ପ୍ରଶାନ୍ତ ମହାନ୍ତି ଗ୍ରାମଗୋଷ୍ଠୀଙ୍କ ଉଦ୍ୟମରେ ୧୨ ପ୍ରକାର ଲୋପ ପାଇଯାଇଥିବା ଶସ୍ୟର ପୁନଃଉଦ୍ଧାର କରିଥିବା ଉଦ୍ୟମର ଉପସ୍ଥାପନ କରିଥିଲେ । ଛୋଟଦାନା କେବଳ ଏକ ଶସ୍ୟ ନୁହେଁ, ଏକ ଚାଷବ୍ୟବସ୍ଥା, ଯାହା କୁଟିଆ କନ୍ଧମାନଙ୍କ ସହଯୋଗରେ ତୁମୁଡ଼ିବନ୍ଧ ବ୍ଲକ୍ ରେ ନିର୍ମାଣ ଉଦାହରଣ ସୃଷ୍ଟି କରିାରିଛି ।

ଓଡ଼ିଶା ସରକାରଙ୍କ କୃଷି ନିଦେ୍ର୍ଧଶକ ଶ୍ରୀ ସନ୍ଥ ଗୋପାଳନ ପ୍ରକ୍ରିୟାକରଣ, ସ୍ଥାନୀୟ ବିହନ ଚାଷୀମାନଙ୍କ ନାଁରେ ପଞ୍ଜିକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ଏଥିରେ ଅବସରପ୍ରାପ୍ତ ରାଜସ୍ୱପର୍ଷଦ ସଦସ୍ୟ ଅରବିନ୍ଦ ବେହେରା, ପ୍ରଫେସର ରାଧାମୋହନ, ଘାସିରାମ ପଣ୍ଡା, ଶିଶିର ପରିଜା, ସୁରେଶ ବିଷୋୟୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଓ ମନ୍ତବ୍ୟ ରଖିଥିଲେ ।

ଓଡିଶା ଡଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ମାଣ୍ଡିଆ, ଶସ୍ୟ ସଂରକ୍ଷଣ, ସୁଅାଁ

କନ୍ଧମାଳ: ମାନବାଧିକାର ଉଲଂଘନ ଅଭିଯୋଗରେ ମାମଲା ରୁଜୁ

December 31, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍: ସୀମାଂଚଳ ପଟନାୟକ

ଫୁଲବାଣୀ,ଡିସେମ୍ବର ୩୧(ଓଡିଶା ଡଟ୍ କମ୍ )- କନ୍ଧମାଳ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଶ୍ରୀରାମପୁରରେ ଗତ ଜାନୁୟାରୀରେ ହୋଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟଣା ଏବେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚିଛି ।

୨୦୧୨ ଜାନୁୟାରୀ ୫ ତାରିଖରେ ଏହି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ କନ୍ଧମାଳ ରିଜର୍ଭ ବାଟାଲିଅନ୍ ର ୩ ଜଣ ଯବାନ ପ୍ରାଣ ହରାଇଥିଲେ । ଏମାନେ ହେଲେ ଫୁଲବାଣୀ ସାହିର ସୁନାସିର ଲେଙ୍କା, ପିଅନ ପଡାର ଉମା ଜାନୀ ଓ ତି୍ରତ୍ରାପଙ୍ଗାର ସଂଗ୍ରାମ ଲେଙ୍କା ।

ପୁଲିସ୍ ବିଭାଗର ଉଚ୍ଚାଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟୋର(ଏସ୍ଓପି) ଉଲଂଘନ କରି ଯବାନମାନଙ୍କୁ ପଠାଇଥିବାରୁ ଏଭଳି ଘଟିଲା ବୋଲି ଅଭିଯୋଗ ହୋଇଥିଲା ।

ଏହା ଦ୍ୱାରାମାନବାଧିକାର ଉଲଂଘନ ହୋଇଛି ବୋଲି ଦର୍ଶାଇ ରାଜ୍ୟସ୍ତରୀୟ ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଂଟର’ର ମ୍ୟାନେଜିଂ ଟ୍ରଷ୍ଟି ତଥା ମାନାବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ ଦାୟର କରିଥିଲେ ।

ପୂର୍ବଦିନ ହୋଇଥିବା ଏକ ଲାଣ୍ଡମାଇନ୍ ବିସ୍ଫୋରଣର ତଦାରଖ ପାଇଁ ଯବାନମାନଙ୍କୁ ପଠାଯାଇଥିଲା । କିନ୍ତୁ ଏସ୍ଓପି ଅନୁଯାୟୀ ଲାଣ୍ଡମାଇନ୍ ଘଟିଥିବା ରାସ୍ତାରେ ପୋଲିସ୍ ଭେହିକିଲ୍ ଯିବା କଥା ନୁହେଁ ।

ପୁଣି ଯବାନମାନଙ୍କ ସହ କେହି ଅଫିସର ମଧ୍ୟ ନଥିଲେ ବୋଲି ପିଟିସନକାରୀ ଅଖଣ୍ଡ କମିସନଙ୍କୁ ଜଣାଇଛନ୍ତି । କମିସନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । କେସ୍ ନମ୍ବର ୫୬୧୯/୧୮/୨୬/୨୦୧୨ରେ ମାମଲା ରୁଜୁ ହୋଇଛି ।

ଏସ୍ଓପି ଉଲଂଘନ ଘଟଣାର ତଦନ୍ତ କରିବା ସହ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ପାଇଁ କମିସନଙ୍କ ନିକଟରେ ନିବେଦନ କରାଯାଇଛି । ଏହି ମାମଲାରେ ଗୃହ ସଚିବ, ପୁଲିସ୍ ଡିଜି ଓ ଆଇଜି ଅପରେସନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ଫୁଲବାଣୀ, ମାନବାଧିକାର ଉଲଂଘନ, ଲ୍ୟାଣ୍ଡ ମାଇନ୍

ଦାରିଙ୍ଗିବାଡିରେ ପାରଦ ଶୂନ ଡିଗ୍ରୀ

December 24, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଡିସେମ୍ବର ୨୪(ଓଡିଶା ଡଟ୍ କମ୍)-ଉତର ଓ ଉତର ପଶ୍ଚିମ ଦିଗରୁ ପ୍ରବଳ ଥଣ୍ଡା ପବନ ବହିବା ଯୋଗୁଁ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଥିବା ବେଳେ ତାପମାତ୍ରା ଖସିବାରେ ଲାଗିଛି । ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି ।

ଫୁଲବାଣୀ ସହରରେ ତାପମାତ୍ରା ଗତକାଲି ୩.୨ ଡିଗ୍ରୀ ସେଲସିଅସ ରହିଥିବାବେଳେ ସୋମବାର ଦିନ ୩ ଡିଗ୍ରୀ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ଶୂନ ଡିଗ୍ରୀକୁ ଖସି ଆସିଥିବାବେଳେ ବେଲଘର,ସୁବର୍ଣ୍ଣପୁର ଅଞ୍ଚଳରେ ପାରଦ ୧ ଡିଗ୍ରୀ ସେଲସିଅସ ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ଦାରିଙ୍ଗିବାଡି, ଫୁଲବାଣୀ, ଶୀତ

ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

December 24, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ ,ଡିସେମ୍ବର ୨୪(ଓଡିଶା ଡଟ୍ କମ୍)-ମଙ୍ଗଳବାର ପବିତ୍ର ବଡଦିନ । ସୁନ୍ଦର ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି କନ୍ଧମାଳର ସମସ୍ତ ଚର୍ଚ୍ଚ । କଟକ ଓ ଭୁବନେଶ୍ୱରରେ ମଧ୍ୟ ଯାକଯକମରେ ଓ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଯାଇଛି ଏକ୍ସ ମାସ ପର୍ବ ।

ସୋମବାର ଦିନ ବିଳମ୍ବିତ ରାତ୍ରୀରେ ଆରମ୍ଭ ହେବ ପ୍ରଭୃ ଯୀଶୁଙ୍କ ଜନ୍ମ ଉତ୍ସବ । ସେଥିପାଇଁ ସାରା ରାଜ୍ୟରେ ଥିବା ଚର୍ଚ୍ଚମାନଙ୍କରେ ରାତ୍ରୀଠାରୁ ଆରମ୍ଭ ହେବ ସାମୁହିକ ପ୍ରାର୍ଥନା ସଭା । ସେଥିପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ଫୁଲବାଣୀ ସମସ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଥିବା ଚର୍ଚ୍ଚ ଓ ପ୍ରାର୍ଥନା ଗୃହଗୁଡିକରେ ପୋଲିସ ମୁତୟନ କରାଯାଇଛି ।

ଫୁଲବାଣୀରୁ କଦୁଇ ସମାଜ ସମନ୍ୱୟ ତରଫରୁ ବନ୍ଦର ଡାକର ଦିଆଯାଇଥିବାରୁ ଆଶା ଓ ଆଶଙ୍କାରେ ଅଛନ୍ତି ଖ୍ରୀଷ୍ଟିୟ ଭାଇ ଭଉଣୀମାନେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ବଡଦିନ ପର୍ବ ପାଳିତ ହେବ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ଆନନ୍ଦ ଉଲ୍ଲାସର ସହ ଧୂମଧାମରେ ବଡଦିନ ପର୍ବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ବନ୍ଦ ଡାକରା ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ନାହିଁ କିମ୍ବା ବନ୍ଦ ହେବ ନାହିଁ ବୋଲି ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକରେ ସୂଚନା ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏକ୍ସ ମାସ, କନ୍ଧମାଳ, ବଡଦିନ, ଯୀଶୁଙ୍କ ଜନ୍ମ ଉତ୍ସବ

ଆଜିଠାରୁ ମାଓବାଦୀଙ୍କ ପିଏଲ୍ଜି ସପ୍ତାହ,ସୁରକ୍ଷା କଡାକଡି

December 2, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନାଗିରି,ଡିସେମ୍ବର ୨(ଓଡିଶା ଡଟ୍ କମ୍)-ରବିବାର ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲ୍ଜି ସପ୍ତାହ । ଏହାକୁ ଆଖି ଆଗରେ ରଖି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ମାଲକାନାଗିରି ଏସ୍ ପି ଅବିନାଶ କୁମାର କହିଛନ୍ତି ।

ଏସ୍ ପି କହିଛନ୍ତି ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ତରଫରୁ ପାଳନ କରାଯାଉଥିବା ପିଏଲ୍ଜି ସପ୍ତାହ ଅବସରରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ନଘଟୁ ସେଥିପାଇଁ ପୋଲିସକୁ ସଜାଗ ରଖାଯାଇଛି । ଜିଲ୍ଲା ପୋଲିସ, ଡିଭିଏଫ୍, ବିଏସ୍ଏଫ୍ ତରଫରୁ ସମସ୍ତ ଅଞ୍ଚଳରେ ପୋଲିସ କର୍ମୀମାନେ ମୁତୟନ ହୋଇଛନ୍ତି ।

ଜନସାଧାରଣମାନେ ଯେପରି ଭୟଭିତ ନହେବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରାଯାଇଛି । ମାଲକାନାଗୀରିରୁ ମୋଟୁ, ଚିତ୍ରକୋଣ୍ଡା, କାଲିମେଳା ରାସ୍ତାରେ ଗାଡି ମଟର ଚଳାଚଳ କରୁନାହିଁ । କମ୍ଭି ଅପରେସନ ଚାଲିବା ସହ ଯାନବାହନ ଯାଞ୍ଚ କରାଯାଉଛି ।

ଜୟପୁରରୁ କନ୍ଧମାଳ ବସଚଳାଚଳ ବନ୍ଦ ରହିଛି । ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆସୁଥିବା ବସ୍ ଆନ୍ଦ୍ରପ୍ରଦେଶ ଦେଇ ଚଳାଚଳ କରୁଛି । ଲମତାପୁଟ, ବୈପାରିଗୁଡା, ନାରାୟଣ ପାଟଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାୟଗଡାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଗାଡି ଗୁଡିକ ଯାଞ୍ଚ ଚାଲଛି । କୋରାପୁଟ ସହରରେ ସାଧା ବେଶରେ ମୁତୟନ ହୋଇଥିବା ପୋଲିସ ସମସ୍ତ ଗାଡି ଯାଞ୍ଚ କରୁଛନ୍ତି ।

ଗଜପତି ଜିଲ୍ଲା ଦେଇ କୌଣସି ସରକାରୀ ବସ ଚଳାଚଳ କରୁନାହିଁ । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଅନ୍ୟ ସ୍ଥାନ ଗୁଡିକରେ ଘରୋଇ ବସ ଚଳାଚଳ କରୁଥିବା ବେଳେ ଦୋକାନ ବଜାର ଖୋଲା ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ପୋଲିସ, ମାଓବାଦୀ

ବନ୍ଦର ଦ୍ୱିତୀୟ ଦିନରେ କନ୍ଧମାଳ ଠପ୍

November 15, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣି,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ଜିଲ୍ଲାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ପ୍ରକାଶିତ ଚୁଡାନ୍ତ ପ୍ରାର୍ଥି ତାଲିକାକୁ ବିରୋଧ କରି ବୌଦ୍ଧ ଓ କନ୍ଧମାଳ କ୍ରୀୟାନୁଷ୍ଠାନ କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ବନ୍ଦ ପାଳନ ।

ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ବନ୍ଦର ପ୍ରଭାବ ବେଶୀ ଅନୁଭୁତ ହୋଇଛି । ଜି ଉଦୟଗୀରି ଓ କେନୂଆଗାଁରେ ମଧ୍ୟ ଏହି ବନ୍ଦ ପାଳନ ହୋଇଥିଲା । ବନ୍ଦ ପାଇଁ କଳିଙ୍ଗା ଘାଟି ସମେତ ଅନେକ ସ୍ଥାନରେ ଓ ରାସ୍ତାରେ ଗଛ ପକାଯାଇ ଗାଟି ମଟର ଅଟକାଯାଇଥିଲା ।

ଏହି ବନ୍ଦ ଯୋଗୁଁ ସମ୍ପୂର୍ଣ୍ଣ କନ୍ଧମାଳ ଠପ୍ ହୋଇଯାଇଥିଲା । ଲୋକମାନେ ଏହି ବନ୍ଦରେ ସ୍ୱତଃପୃତ ଭାବେ ସାମିଲ ହୋଇଛନ୍ତି । ଗତକାଲି ପରି ଆଜି ମଧ୍ୟ ଜିଲ୍ଲାରେ ଗାଡି ଚଳାଚଳ ବନ୍ଦ ରହିଛି ।

ଫୁଲବାଣି, ଟିକାବାଲି, ଦାରିଙ୍ଗିବାଡି, ଖଜୁରିପଡା ଆଦି ସହରରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ସହରରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।

ଫୁଲବାଣୀରୁ ବ୍ରହ୍ମପୁର, ଭଞ୍ଜନଗର, ରାୟଗଡା ଭୁବନେଶ୍ୱରକୁ ମଧ୍ୟ ଗାଡିଚଳାଚଳ ବନ୍ଦ ରହିଛି । ଏହା ଦ୍ୱାରାସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଏହି ବନ୍ଦ ଯୋଗୁଁ ଆଜି ସାମାନ୍ୟ ଉତେଜନା ପ୍ରକାଶ ପାଇଛି । ଆଜି କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ଅନାମ ନାୟକଙ୍କୁ ଗିରଫ କରାଯାଇଛି । ରାସ୍ତାରୋକ, କଲେଜ କ୍ୟାଟିଂନରେ ଭଙ୍ଗାରୁଜା ଆଦି ମାମଲା ତାଙ୍କ ନାମରେ ରୁଜୁ ହୋଇଛି ।

ଅନାମଙ୍କ ଗିରଫକୁ ନେଇ ଆଜି ଫୁଲବାଣୀ ସହରରେ ଉତେଜନା ପ୍ରକାଶ ପାଇଛି । ଦୋକାନ ବଜାର ବନ୍ଦକୁ ନେଇ ଦୁଇ ପରସ୍ପର ବିରୋଧି ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ଫୁଲବାଣୀ

କନ୍ଧମାଳ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳର ଶ୍ରୀରାମପୁର ଜଙ୍ଗଲରୁ ଆଜି ତିନୋଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଛି ।

ଜିଲ୍ଲାପୋଲିସ,ସିଆରପିଏସ୍ ଅଷ୍ଟମ ବାଟାଲିୟନର ଜବାନ ମାନେ ମିଳିତ ଭାବେ କମ୍ବିଂ ଅସରେସନ ଚଳାଇଥିବାବେଳେ ସେହି ଲ୍ୟାଣ୍ଡମାଇନ ଗୁଡିକୁ ଜବତ କରିଛନ୍ତି ।

ଏଗୁଡିକୁର ଓଜନ ୨୦ କି.ଗ୍ରା,୧୪ କି.ଗ୍ରା ଓ ୫ କି.ଗ୍ରା ବୋଲି ଜଣାପଡିଛି । ଏହାକୁ ଅକାମି କରିବା ପାଇଁ ବୋମା ଡିସ୍ପୋଜାଲ ସ୍ୱାଡ ଘଟଣାସ୍ଥଳକୁ ଯାଇଥିଲେ ।

ଛତିଶଗଡ କ୍ୟାଡରର ସିପିଆଇ ମାଓବାଦୀମାନେ ବିସ୍ପୋରଣ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଏସ୍ ପି ଜୟନାରାୟଣ ପଙ୍କଜ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, କମ୍ବିଂ ଅସରେସନ, ମାଓବାଦୀ, ଲ୍ୟାଣ୍ଡମାଇନ୍

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ