• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କବି

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

March 31, 2016 by ନିଉଜ ଡେସ୍କ 1 Comment

ଦେବେନ୍ଦ୍ର ପୃଷ୍ଟି

ଅବହେଳିତ ପଶ୍ଚିମ ଓଡ଼ିଶାର ବରଗଡ଼। ଏଇ ଜିଲ୍ଲାର ଘେଁସ ହେଉଛି ଏକ ଐତିହାସିକ ଜମିଦାରୀ।

ବ୍ରିଟିଶ ଶାସନ ବିରୋଧରେ ଘେଁସ ଜମିଦାରଙ୍କ ବିଦ୍ରୋହ ଓ ବଳିଦାନର କଥା ଉପକୂଳ ଓଡ଼ିଶାର ଲୋକଙ୍କୁ ଅଜଣା ହୋଇପାରେ, ମାତ୍ର ତାହା ଥିଲା ପରାଧୀନ ଭାରତର ବୀରତ୍ଵ ଓ ବିଦ୍ରୋହର ବିଶାଳ ଐତିହ୍ୟ।

ଘେଁସର ତତ୍କାଳୀନ ଜମିଦାର ମାଧବ ସିଂହ ବରିହବା ଓରଫ ମାଧୋ ସିଂହ ବରିହା ଏବଂ ତାଙ୍କର ପୂରା ପରିବାର ବ୍ରିଟିଶ ସରକାର ବିରୋଧରେ ବିଦ୍ରୋହ କରି ପ୍ରାଣବଳି ଦେଇଥିଲେ।

haladharaସେଇ ମାଟିର ଲୋକ ହେଉଛନ୍ତି ହଳଧର ନାଗ, ଲୋକ କବି ରତ୍ନ। ପଦ୍ମଶ୍ରୀ ହଳଧର ନାଗ। ପନ୍ଦର ଦିନ ତଳ ପର୍ଯ୍ୟନ୍ତ ହଳଧର ନାଗ କିଏ ପଚାରିଲେ ଓଡ଼ିଶାର ନବେ ପ୍ରତିଶତ ହୁଏତ ଉତ୍ତର ଦେଇପାରି ନଥାନ୍ତେ। ଜଣେ ସାଧାରଣ ଜଳଖିଆ ଓ ଷ୍ଟେସନାରୀ ଦୋକାନୀଙ୍କୁ କିଏ କାହିଁକି ଜାଣିଥାନ୍ତେ?

ଏବେ କିନ୍ତୁ ଓଡ଼ିଶାର ଘରେ ଘରେ ନହେଲେ ମଧ୍ୟ ଶିକ୍ଷିତ ଓ ସମ୍ଭ୍ରାନ୍ତ ମହଲରେ ସେ ଏକ ପରିଚିତ ନାମ। ପଦ୍ମଶ୍ରୀ ହଳଧର ନାଗ। ବେଶଭୂଷା ସଂପୂର୍ଣ୍ଣ ସରଳ। ଚାଳିଚଳନ ଓ କଥାବାର୍ତ୍ତା ବି ସେଇଆ। ନିହାତି ଦେହାତି ମଣିଷ ଜଣେ।

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ତାଙ୍କ ବାପା ପରପୁରକୁ ଚାଲିଗଲେ। ବିଧବା ମା’ଙ୍କ ପକ୍ଷେ ତାଙ୍କୁ ପାଠ ପଢ଼ାଇବା କଷ୍ଟକର ହେଲା। ସେଇଠୁ ପାଠରେ ଡୋରି ବନ୍ଧାଗଲା। ହଳଧର ପାଠ ଛାଡ଼ି ଜୀବନ ସଂଗ୍ରାମରେ ଯୋଗଦେଲେ।haladhar-new

ଗୋଟେ ଜଳଖିଆ ଦୋକାନରେ ବାସନ ମାଜିବା ଥିଲା ତାଙ୍କର ପ୍ରଥମ କାମ। ସେଇଆ କରିବା ଭିତରେ କିଛି ବର୍ଷ ବିତିଗଲା। ଥରେ ତାଙ୍କ ଗାଁ ଅଂଚଳର ଜଣ ମୁଖିଆ ସ୍ଥାନୀୟ ଲୋକ ତାଙ୍କୁ ଡାକିନେଇ ଗୋଟେ ସ୍କୁଲରେ ମୁକରିର କରିଦେଲେ। କାମ ହେଉଛି ରୋଷେଇ।

ସ୍କୁଲ ରୋଷେୟା ଭାବରେ ସେ ପ୍ରାୟ ୧୬ ବର୍ଷ କାମ କଲେ। ସେତେବେଳଙ୍କୁ ତାଙ୍କ ଅଂଚଳରେ ଅନେକ ସ୍କୁଲ ଖୋଲିଲାଣି। ବହୁତ ପିଲା ପାଠ ପଢ଼ିଲେଣି। ସେ ୧୦୦୦ ଟଙ୍କା କରଜ କରି ସ୍କୁଲ ପିଲାଙ୍କ ପାଇଁ ଗୋଟେ ଦୋକାନ ଖୋଲିଲେ। ଦୋକାନ ମାନେ ପିଲାଙ୍କ ଦରକାରୀ ଖାତା, କଲମ, ପେନସିଲ ସହିତ କିଛି ଖାଇବା ଜିନିଷର ପସରା। ସେଇଥିରେ ଚଳିଗଳେ ହଳଧର।

କିନ୍ତୁ କେବଳ ଏଇଥିପାଇଁ ତ ସେ ଜନ୍ମ ହୋଇ ନଥିଲେ! ତାଙ୍କ ଆତ୍ମା ଡାକୁଥିଲା ଅନ୍ୟ କିଛି। ହୃଦୟ ଥିଲା ନରମ, ଦରଦୀ। ତେଣୁ କବିତାର ଭାବରେ ସେ ଅନେକ ସମୟରେ ବିଭୋର ରହୁଥିଲେ।

ମନ ଭିତରର ଭାବ ଓ ଭାବନାକୁ ଅଧିକ ଦିନ ଚାପି ନରଖି ସେ ନିଜର କଥିତ ଭାଷାରେ ଲେଖିବା ଆରମ୍ଭ କଲେ କବିତା, ଲୋକ ବୁଝିଲା ଭଳି କବିତା। ଇତିମଧ୍ୟରେ ସେ ଲେଖିସାରିଲେଣି ୨୦ ଖଣ୍ଡ କାବ୍ୟ ଓ ଅଗଣତି କବିତା। ସବୁ ତାଙ୍କ ମୁହଁରେ। କବିତାର ନାଁ ବା ବିଷୟ ନାଁ କହିଦେଲେ ଅନର୍ଗଳ ଆବୃତି କରିପାରନ୍ତି ହଳଧର।

ଜୀବନରେ କେବେ ବି ଚପଲ ପିନ୍ଧି ନାହାନ୍ତି ହଳଧର। ବୟସ ହେଲାଣି ୬୬। ଜନ୍ମ ୧୯୫୦ ମସିହାରେ। ଧଳା ରଙ୍ଗର ଧୋତି ଓ ଧଳା ଗଂଜିଟିଏ ହେଉଛି ତାଙ୍କର ନିତିଦିନିଆ ପୋଷାକ। ଚୁଲି ରୋଷେଇ, ମାଟିଘର। ଦାରିଦ୍ର୍ୟ ନୁହେଁ, ସରଳ ଜୀବନର ନିରାଡମ୍ବର ପରିପ୍ରକାଶ ହେଉଛି ହଳଧରଙ୍କ ଜୀବନ।

ଏଇ ନିକଟରେ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ନିଜ ରଚନା ପାଇଁ ସେ କେବେ ବି ଓଡ଼ିଶା ସାହିତ୍ୟ ଏକାଡମୀ କିମ୍ବା ଓଡ଼ିଶାର ଅନ୍ୟ ବ‍ଡ଼ ବଡ଼ ସାହିତ୍ୟାନୁରାଗୀ ସଂସ୍ଥା ପ୍ରଦତ୍ତ ପୁରସ୍କାର ପାଇ ନାହାନ୍ତି। ଶାରଳା, ସାରଳା, ବିଷୁବ, ସାହିତ୍ୟ ଭାରତୀ ଆଦି ସମ୍ମାନ ଓ ପୁରସ୍କାର କ’ଣ ଜାଣନ୍ତି ନାହିଁ ହଳଧର, ଏସବୁ ପୁରସ୍କାର ବି ଜାଣନ୍ତି ନାହିଁ କିଏ ଏହି ହଳଧର।

ସେହିପରି ଓଡ଼ିଆର ଏକ ଉପଭାଷା ଭାବ ପରିଗୃହୀତ କୋଶଳୀକୁ ସାମ୍ବିଧାନିକ ମାନ୍ୟତା ମିଳି ନଥିବାରୁ  କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ହଳଧରିଙ୍କ ପ୍ରତିଭାକୁ ମାନ୍ୟତା ଦେଇନାହିଁ।

କିନ୍ତୁ ଭାରତ ସରକାର ତାଙ୍କୁ ପ୍ରଦାନ କରିଛନ୍ତି ପଦ୍ମଶ୍ରୀ ସମ୍ମାନ- ଭାରତ ରତ୍ନ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପରେ ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ପୁରସ୍କାର। ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଥିବା ଏଇ ଲୋକଟି ଉପରେ ପିଏଚଡି କରିଛନ୍ତି ୫ ଜଣ ଅଧ୍ୟାପକ। ତାଙ୍କୁ ଯେତେବେଳେ

ତାଙ୍କ ଗ୍ରନ୍ଥ ପ୍ରକାଶନର ଦାୟିତ୍ଵ ନେଇଛି ସମ୍ବଲପୁର ବିଶ୍ଵବିଦ୍ୟାଳୟ। ଏବେ ପ୍ରତିଦିନ ପ୍ରାୟ ଚାରିଟି ଜାଗାରୁ ତାଙ୍କୁ ମିଳୁଛି କବିତା ଆବୃତିର ନିମନ୍ତ୍ରଣ। ଆଉ ଯୁବଗୋଷ୍ଠୀ ହିଁ ହେଉଛନ୍ତି ହଳଧରଙ୍କ କବିତାର ମୁଗ୍ଧ ଶ୍ରୋତା। ତାଙ୍କ କବିତାରେ ଅଛି ପ୍ରକୃତି ଓ ମାନବିକତାର କଥା। ଏହା ର୍ହି ତାଙ୍କ ଜୀବନର ଅନ୍ତଃସ୍ଵର।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଆମ ରୋସେଇ ଘରୁ, ସାହିତ୍ୟ Tagged With: କବି, ପଦ୍ମଶ୍ରୀ, ପୁରସ୍କାର, ସମ୍ମାନ, ହଲଧର ନାଗ

କବି ରୁନୁ ମହାନ୍ତିଙ୍କ ବହି ଉନ୍ମୋଚନ

June 18, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ ୧୮ (ଓଡିଶା ଡଟ କମ) ପୁରୀ ବେଲେସବର୍ ବେଳାଭୁମି ରେ କବି ରୁନୁ ମହାନ୍ତି ଓ ପ୍ରଫେସର ଆଦିକନ୍ଦ ସାହୁଂକ ଦୁଇଟି ବହି ନିକଟରେ ଉନ୍ମୋଚିତ ହୋଇଛି ।

book releaseପ୍ରାକୃତିକ ପରିବେଶରେ ଅୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଆଲୋଚକ ନିତ୍ୟାନନ୍ଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ୍ କରିଥିଲେ ।

କବି ଶଂକର ପରିଡାଂକ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭା ରେ ପ୍ରକାଶ ମହାପାତ୍ର, ସରୋଜ ବଳ, ବନୋଜ ତ୍ରିପାଠୀ, ପବିତ୍ର ଦାଶ୍, କେଦାର ମିଶ୍ର, ଚିନ୍ମୟ ବିବେକ,ଶ୍ୟାମ ପ୍ରକାଶ ସେନାପତି, ଗଜାନନ ମିଶ୍ର ପ୍ରମୁଖ ରାଜ୍ୟର ବିଶିଷ୍ଟ ଲେଖକ ମାନେ ଯୋଗ ଦେଇ ଥିଲେ ।

ରୁନୁ ମହାଂତିଙ୍କ ପ୍ରେମ କାହାଣୀକୁ ନେଇ ରଚିତ ପୁସ୍ତକ ” ସହଯାତ୍ରିନୀ” ରେ ତାଂକ ନିଜସ୍ଵ ଜୀବନ ଅନୁଭବ ବର୍ଣିତ ହୋଇଚି ।

ସେହିପରି ଆଦିକନ୍ଦ ସାହୁଂକ ପୁସ୍ତକ “ଆଧୁନିକ କବିତା” ରେ ନୂଆ କବିତା ର ଆଲୋଚନା ହୋଇଛି ।

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି ରେ ନିଜ ଜୀବନ ଓ ପ୍ରେମ କୁ ନେଇ ଅନେକ କଥା ଅଛି ଯାହା କୁ କହିବା ଲାଗି ପ୍ରଚୁର ସାହସ ଲୋଡା । ଜୀବନ ର ସତ୍ୟ କୁ ଆଧାର କରି ଖୁବ୍ କମ ଲେଖା ଆମେ ସାହିତ୍ୟରେ ପାଇଥାଉ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: କବି, କେଦାର ମିଶ୍ର, ପୁରୀ, ସାହିତ୍ୟ

ହଳଧର ନାଗ କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର

May 12, 2015 by News Bureau 1 Comment

କେଦାର ମିଶ୍ର

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ଯୌବନପ୍ରାପ୍ତି ପରେ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ ପୃଥିବୀ ସହ ଦେବରାଜ ଇନ୍ଦ୍ରଙ୍କ ପରିଣୟ ପାଇଁ ।

ଅସାମାନ୍ୟ ରୂପସୀ ପୃଥିବୀକୁ ବାହା ହେବା ପାଇଁ ଦେବସଭାରେ ନିଷ୍ପତ୍ତି ହୋଇଗଲା । ଏ ଖବର ପାଇବା ମାତ୍ରେ ଭୟ ଓ ଆଶଙ୍କାରେ କାତର ପୃଥିବୀ ଚନ୍ଦ୍ରମାଙ୍କୁ ଝିଙ୍ଗାସ କଲେ ଏବଂ ସେ ସମୟ ସହ ପ୍ରଣୟବଦ୍ଧ ବୋଲି ଜଣାଇଦେଲେ । ବିଚଳିତ ଚନ୍ଦ୍ରମା ଏବେ କରନ୍ତି କଣ ? ଦେବରାଜଙ୍କୁ କହିଲେ, ‘ମହାରାଜ ! ମୋ ସାନ ଭଉଣୀ ଏବେ ମହାକାଳ ପ୍ରେମରେ ପଡିଯାଇଛି ।’ କ୍ରୋଧରେ ଇନ୍ଦ୍ର ନିଜ ବଜ୍ର ମାଧ୍ୟମରେ ସମୟକୁ ଖଣ୍ଡ ଖଣ୍ଡ କରି ହତ୍ୟା କଲେ ।

Haldhar_Nagପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।’

ତା ପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଅମୃତ ଜଳ ସିଞ୍ଚି ସମୟକୁ ଜୀବନ୍ୟାସ ଦେଲେ । କିନ୍ତୁ ଏ କ’ଣ ? ଇନ୍ଦ୍ରଙ୍କ ବ୍ରଜାଘାତରେ ସମୟ ଛଅ ଖଣ୍ଡ ହୋଇଯାଇଛି ଏବଂ ଅମୃତ ଜଳ ପାଇଲା ପରେ ସମୟର ଛଅଟି ସ୍ୱରୂପ ପୃଥିବୀକୁ ପ୍ରଣୟ ଭିକ୍ଷା କରୁଛନ୍ତି । ପୃଥିବୀ କହିଲେ, ‘ ଏ କି ଆଚମ୍ବିତ କଥା ? ଜଣେ ନାରୀ ଛଅ ପୁରୁଷଙ୍କ ସହ ଜୀବନ କଟାଇବ କେମିତି ? ବ୍ରହ୍ମା କହିଲେ – ‘ତମେ ବିଚଳିତ ହୁଅ ନାହିଁ । ସେମାନେ ସମୟର ଛଅଟି ସ୍ୱରୂପ – ଛଅଟି ଋତୁ ।’

ଜଣେ ପରେ ଜଣେ ସେମାନେ ତମ ପାଖକୁ ଆସିବେ ଓ ଦୁଇ ମାସ ଲେଖାଏଁ ତମକୁ ଭୋଗ କରିବେ । ସେହି ଦିନଠୁ ଛଅ ଋତୁ କ୍ରମାନ୍ମୟରେ ପୃଥିବୀ ପୃଷ୍ଠକୁ ଆସନ୍ତି ଓ ପୃଥିବୀ ରାଣୀକୁ ଭୋଗ କରନ୍ତି ।

ଇଏ କାହାଣୀ ନା କବିତା ? କେଉଁ ପୁରାଣରେ ଆପଣ ପଢ଼ିଛନ୍ତି ଏ କାହାଣୀ ? କବିର କଳ୍ପନାରେ ସମୟ ଓ ପୃଥିବୀର କାହାଣୀ ନୂଆ ରୂପେ ଗଢ଼ାଯାଇଛି । ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ‘ବଛର’ ନାମକ କାବ୍ୟର କାହାଣୀ ଇଏ । କାବ୍ୟର କବି ହେଉଛନ୍ତି ଶ୍ରୀଯୁକ୍ତ ହଳଧର ନାଗ ।

କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟ ନାମ କବି ହଳଧର ନାଗ । ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା ଘଣ୍ଟା ଧରି କବିତା ତାଙ୍କର ମୁଖସ୍ଥ ଥାଏ । ଆତ୍ମବିଭୋର, କବିତା ବିଭୋର କବିଙ୍କୁ ଶୁଣିବା ପାଇଁ ଯାତ୍ରା ପରି ଗହଳି ଲାଗିଯାଏ ପଶ୍ଚିମ ଓଡିଶାରେ ।

ହଳଧର ନାଗ, ଦେଖିବାକୁ ଡେଙ୍ଗା, କଳା, ନହନହକା ମଣିଷଟିଏ । ଭାବପ୍ରବଣ ଦୁଇଟି ଆଖି । ବବୁରି ବାଳ ଲମ୍ବି ଯାଇଥାଏ ପଛକୁ । ଅଣ୍ଟାରେ ବେଢ଼ାଇ ହୋଇଥାନ୍ତି ଧଳା ଧୋତିଟିଏ, କାନ୍ଧରେ ଗାମୁଛା, ପାଦରେ ଚପଲ ନଥାଏ । ଦେଖିଲେ ଅତି ସାଧାରଣ ଗାଉଁଲି ମଣିଷଟିଏ । ସାଧାରଣ ଚେହେରା ତଳେ ଏକ ଅସାଧାରଣ ପ୍ରତିଭାର ଜ୍ୟୋତି ଉଦ୍‍ଭାସିତ ହେଉଥାଏ ତାଙ୍କ ଆଖି ଦିଓଟିରେ ।

ଅତ୍ୟନ୍ତ ନମ୍ର ଏବଂ ବିନୟୀ ସ୍ୱଭାବର କବି ହଳଧର ନାଗଙ୍କୁ ଦେଖିଲେ ଲାଗେନା ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ହୋଇଛି ଗ୍ରନ୍ଥ ମନ୍ଦିର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ । ତାଙ୍କୁ ନେଇ ‘ବିବିସି’ ତିଆରି କରି ସାରିଛି ଗୋଟିଏ ସିନେମା । ତାଙ୍କୁ ନିମନ୍ତ୍ରଣ ନକଲେ ପଶ୍ଚିମଓଡିଶାର କୌଣସି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୁଏନା ।

ତାଙ୍କୁ ଦେଖିଲେ ବହୁ ବିଦ୍ୱାନ ହାତଯୋଡି ସମ୍ମାନ କରନ୍ତି । ଅଥଚ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହଳଧର ନାଗଙ୍କ ଆନୁଷ୍ଠାନିକ ଶିକ୍ଷା । ବୃତ୍ତିରେ ସେ ଚନାଚୁରବାଲା । କେବେ କେମିତି ଚାଷ କାମ କରନ୍ତି । ଗାଁ ସ୍କୁଲରେ ଭାରରେ ପାଣି ବୋହି ନିଅନ୍ତି । କିନ୍ତୁ କବିତାର ସେ ଏକ ଜ୍ୟୋତିର୍ମୟ ଅବତାର ।

କବି ହଳଧର ନାଗଙ୍କ ଜନ୍ମ ୩୧.୦୩.୧୯୫୦ ବରଗଡ ଜିଲ୍ଲାର ଘେଁସ୍‍ ଗାଁରେ । ଘେଁସ୍‍ ପଶ୍ଚିମଓଡିଶାର ଏକ ଐତିହାସିକ ଗାଁ । ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶରାଜ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଆଂଦୋଳନର ତୀର୍ଥ ଭୂମି ହେଉଛି ଘେଁସ୍‍ । ଏକ ଐତିହାସିକ ଗାଁର ଅତି ସାଧାରଣ ବାଳକଟିଏ ଅସାଧାରଣ ଇତିହାସ ରଚନା କରିବ ଏକଥା ଘେଁସ୍‍ ଗାଁର କେହି କେବେି ବି କଳ୍ପନା କରିନଥିବେ ।

ଲେଖକଙ୍କ ସହ ହଳଧର
ଲେଖକଙ୍କ ସହ ହଳଧର

ଲୋକଗୀତ ଏବଂ ଲୋକନୃତ୍ୟ ପ୍ରତି ପିଲାଦିନରୁ ହଳଧରଙ୍କ ଥିଲା ପ୍ରଚୁର ଆଗ୍ରହ । ରାମାୟଣ, ମହାଭାରତ ଶୁଣି ଶୁଣି ଡାଲଖାଇ, ରସରକେଲି, ଗୁଣୁ ଗୁଣେଇ ଆରମ୍ଭ ହୋଇଥିଲା ତାଙ୍କ କବିତ୍ୱର ଯାତ୍ରା । ଅଳ୍ପ ପାଠୁଆ ତାଙ୍କ ମନ ଓ ହୃଦୟକୁ ନିଜର ନିବାସ ରୂପେ ବାଛି ନେଇଥିଲେ କବିତାର ସରସ୍ୱତୀ । ଆପେ ଆପେ ଆପଣଛାଏଁ ସେ ଆବୃତ୍ତି କରୁଥିଲେ ସୁକୁମାର କବିତା ।

ତାଙ୍କ ଆଗରେ ପ୍ରେରଣାର ଉତ୍ସ ଥିଲେ ବ୍ୟାସ, ବାଲ୍ମିକୀ, ଗଙ୍ଗାଧର ମେହେର ଓ ଭୀମଭୋଇ । ତାଙ୍କ କାବ୍ୟସିଦ୍ଧି ଗୋଟିଏ କଥା ପ୍ରମାଣିତ କରେ, ତା ହେଲା- କବିତାର ଉତ୍ସ ସବୁବେଳେ ସ୍ୱାଭାବିକ ଏବଂ କବିତା ରଚନା କୌଣସି ବୌଦ୍ଧିକ କସରତର ଆବଶ୍ୟକତା ରଖେ ନାହିଁ ।

ତାଙ୍କ କବିତାରେ ପଶ୍ଚିମ ଓଡିଶାର ଜନଜୀବନ, ପ୍ରାକୃତିକ ପରିବେଶ, ଚଳଣୀ, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ଛନ୍ଦ ଏବଂ ସର୍ବୋପରି ଜୀବନର ଉଦ୍ଧାମତା ପ୍ରତିଫଳିତ ହୋଇଥାଏ । କାବ୍ୟ ଓ ପୁରାଣରୁବ ବିଷୟବସ୍ତୁ ଚୟନ କରୁଥିଲେ ହେଁ ବର୍ଣ୍ଣନା ଏବଂ ସର୍ଜନା କ୍ଷେତ୍ରରେ ତାଙ୍କ ଶୈଳୀ ମୌଳିକ । ଆଞ୍ଚଳିକ ଅସ୍ମିତାର ଉଦ୍‍ଗାତା ରୂପେ ଏବେ ସମଗ୍ର ପଶ୍ଚିମ ଓଡିଶାରେ ହଳଧର ନାଗ ସଂସ୍କୃତିର ଦେବଦୂତ ପାଲଟି ଯାଇଛନ୍ତି । ଆଞ୍ଚଳିକ ସଂସ୍କୃତିର ପ୍ରାଣବନ୍ଦ ପ୍ରତୀକ ତାଙ୍କର କବିତା ।

ପଶ୍ଚିମଓଡିଶାର ବିଶେଷ ଚର୍ଚ୍ଚା ହୋଇଥାଏ ଏ ଅଞ୍ଚଳର ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ପିଲାବିକ୍ରୀ ଇତ୍ୟାଦି ପ୍ରସଙ୍ଗ ପାଇଁ । ତେଣୁ ଏ ଅଞ୍ଚଳକୁ ନେଇ ଯେଉଁମାନେ କବିତା ଲେଖନ୍ତି ବା ଏ ଅଞ୍ଚଳରେ ରହି କବିତା ଲେଖନ୍ତି ସେମାନଙ୍କ ପାଇଁ କବିତାର ବିଷୟବସ୍ତୁ ପ୍ରାୟ ପୂର୍ବନିର୍ଦ୍ଧାରିତ ।

ସ୍ଥିତାବସ୍ଥା ବିରୁଦ୍ଧରେ ହେଉ କିଂବା ଏକ ନୂତନ ଆଂଦୋଳନର ସୂଚନା ହେଉ କବିତାରେ ତାର ସଙ୍କେତ ରହିଥାଏ । ଯଦିଓ ଆଧୁନିକ ଓଡିଆ କବିତାର ଅସ୍ପଷ୍ଟ, ରହସ୍ୟମୟ ଏବଂ ଦୁର୍ବୋଧ୍ୟ ପରମ୍ପରାରରେ ଏସବୁ ସ୍ୱରର ବିଶେଷ କିଛି ମାନେ ନଥାଏ । ପରମ୍ପରାର ମୁଖ୍ୟସ୍ରୋତରେ ଗୌଣସ୍ରୋତର ଭାବାବେଗ ପ୍ରାୟତଃ ବିଲୀନ ହୋଇଯାଏ ।

ସୌଭାଗ୍ୟକ୍ରମେ ହଳଧର ନାଗଙ୍କ କବିତା ଏହି ଦୁର୍ଭାଗ୍ୟଜନକ ପରିଣତି ଭୋଗିନାହିଁ । ପ୍ରାୟତଃ ପୁରାର, କାବ୍ୟ ଓ କଳ୍ପନାର ଆଧାରରେ ତାଙ୍କ କବିତ୍ୱର ପ୍ରତିଷ୍ଠା । ତେଣୁ ଆଧୁନିକତା କିମ୍ବା ଉତ୍ତର ଆଧୁନିକତାର ବ୍ୟୁହ ଭିତରେ ବାଟବଣା ଆଲୋଚକମାନଙ୍କ ପାଇଁ ତାଙ୍କ କବିତା ପାରମ୍ପରିକ କିମ୍ବା ପ୍ରାଚୀନପନ୍ଥୀ ମନେ ହୋଇପାରେ ।

କିନ୍ତୁ ଟିକେ ଗଭୀର ଭାବରେ ତାଙ୍କ କବିତାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, କଳ୍ପନା ଏଠି ବିଦ୍ରୋହର ଏକ ଛଦ୍ମ ଆୟୁଧ । ଶୋଷଣ ଓ ଅବହେଳାର ନିଶାଗ୍ରସ୍ତ ଗୋଟିଏ ଅଞ୍ଚଳର ଜନଜୀବନରେ ଚାଞ୍ଚଲ୍ୟ ଖେଳାଇବା ପାଇଁ ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ । ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ ।

ପୌରାଣିକ କଳ୍ପନା ଆଧାରରେ ଜାତୀୟ ଅସ୍ମିତାର ପ୍ରତିଷ୍ଠା ପାଇଁ କାବି୍ୟକ ପ୍ରୟାସ କରିଥିବା ଶାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ପରି ହଳଧର ନାଗ ସେଇ ବିଷୟବସ୍ତୁ ଓ ଶୈଳିର ଚୟନ କରିଛନ୍ତି । ତାଙ୍କ ବର୍ଣ୍ଣନାରେ ପଶ୍ଚିମ ଓଡିଶାର ଜୀବନ୍ତ ଚିତ୍ର ପାଠକର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠେ । ତାଙ୍କ କଳ୍ପନା ସାମର୍ଥ୍ୟ କ୍ଲାସିକ୍‍ କବିମାନଙ୍କର ସାମର୍ଥ୍ୟ ସହ ପ୍ରାୟ ସମାନ ।

ଏହି ଯଶସ୍ୱୀ କବିଙ୍କର କେତୋଟି ମୁଖ୍ୟ କାବ୍ୟଗ୍ରନ୍ଥ ହେଉଛି ‘ବଛର’, ‘ମହାସତୀ ଉର୍ମିଲା’, ‘ତାରା ମନେ୍ଦାନ୍ଦରୀ’, ‘ରସିଆ କବି’, ‘ଅଛିଆ’, ‘ସିରି ସମ୍‍ଲାଇ’ ଇତ୍ୟାଦି । ସରଳ ମନରେ ଯେଉଁ ଅପୂର୍ବ ଆଧ୍ୟାତ୍ମିକ ଦର୍ଶନର ଉଦ୍‍ଭାସ ସମ୍ଭବ ହୁଏ ତାହା କବିତାରେ ହିଁ ପ୍ରତିଫଳିତ ହୋଇଥାଏ ।

ଏକ ନଗଣ୍ୟ ଉପଭାଷା ବୋଲି ଗଣାଯାଉଥିବା ସମ୍ବଲପୁରୀ କୋଶଳୀ ଭାଷାରେ ଯେଉଁ ବୌଦ୍ଧିକ ଉଚ୍ଚତାର କାବ୍ୟ ରଚନା ହୋଇଛି, ତାହା ସେ ଭାଷାର ଉକ୍ରର୍ଷ ଓ ମୌଳିକତାର ପରିଚୟ । ଓଡିଶା ଭାଷା ସହ ସମାନ୍ତରାଳ ଭାବେ ସମ୍ବଲପୁରୀ-କୋଶଳୀର ଏହି ପ୍ରତିଷ୍ଠାକୁ ନକରାତ୍ମକ ଦୃଷ୍ଟିରେ ନଦେଖିଲେ ଓଡିଆ ସାହିତ୍ୟର ଯଥେଷ୍ଟ ମଙ୍ଗଳ ହେବ ।

କବି ହଳଧରଙ୍କ କାବ୍ୟକୃତିରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି ତାଙ୍କ ଭାଷା ପ୍ରୟୋଗର ଅପୂର୍ବ ସ୍ୱତଃସ୍ଫୂର୍ତ୍ତତା । ପୁରାଣରେ ବର୍ଣ୍ଣିତ ବ୍ୟାସଙ୍ଗ ଶୃତଲିଖନ ଓ ଗଣେଷଙ୍କ ଲିଖନ ପରି ତାଙ୍କର କାବ୍ୟଧାରା । ହଳଧରଙ୍କ କାବ୍ୟକୃତିରେ ଏତେ ଟିକିଏ ବି ଦୂର୍ବେଧ୍ୟତା ବା ଜଟିଳତା ନଥାଏ । ତାଙ୍କ ନିରୀହତା ପରି କବିତାର ଆବେଦନ ମଧ୍ୟ ନିରୀହ ଓ ରସମୟ ।

ପଶ୍ଚିମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜୀବନର ଆଚାର, ଆଚରଣ, ପରମ୍ପରା ଓ ସଂସ୍କୃତି ସୌନ୍ଦର୍ଯ୍ୟବୋଧ ଏବଂ ଭାରତୀୟ ଆଧ୍ୟାତ୍ମିକତାର ସରଳ ପରିବେଷଣ ତାଙ୍କ ରଚନାର ଶ୍ରେଷ୍ଠତମ ସିଦ୍ଧି । ତା ସହ ତାଙ୍କ କବିତାରେ ଥାଏ ଶାଣିତ ଶ୍ଲେଷ ଓ ତୀବ୍ର କଟାକ୍ଷ । ବେଳେବେଳେ ବ୍ୟଙ୍କ କବିତା ରଚନାରେ ହାତ ଦିଅନ୍ତ କବି ।

ଓଡିଆ ବ୍ୟଙ୍କ କବିତାର ପ୍ରଚଳିତ ଧାରାଠୁ ଭିନ୍ନ ଶୁଦ୍ଧ ଶ୍ଲେଷ ଓ ବ୍ୟଞ୍ଚନାର ପରିବେଷଣ ତାଙ୍କ ବ୍ୟଙ୍ଗ କବିତାର ବିଶେଷ ଗୁଣ । ସ୍ଲୋଗାନ୍‍ଧର୍ମୀ ସମାଲୋଚନା ତାଙ୍କର ଏକ ଉଲ୍ଲେଖନୀୟ ସଫଳତା ।

ହଳଧରଙ୍କ କାବ୍ୟ ସାହିତ୍ୟ ଉପରେ ଏବେ ବହୁ ଗବେଷଣା ଆରମ୍ଭ ହୋଇ ସାରିଛି । ପଶ୍ଚିମ ଓଡିଶାର ଛୋଟବଡ ଗାଁ, ସହରମାନଙ୍କରେ କବିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ହଳଧରଙ୍କ କବିତା ସନ୍ଧ୍ୟା ଏବେ ମନୋରଞ୍ଜନର ଏପ ପରିଶୁଦ୍ଧ ସ୍ୱରୂପ । ତାଙ୍କ କବିତା ବହିର ଗ୍ରାହକ ଆମର ତଥାକଥିତ ପ୍ରତିଷ୍ଠିତ କବିମାନଙ୍କ ଠାରୁ ବହୁଗୁଣରେ ଅଧିକ ।

କିନ୍ତୁ ଦୁଃଖର କଥା ଓଡିଆ ସାହିତ୍ୟର ଆଲୋଚକ ଏବଂ ଐତିହାସିକମାନେ ତାଙ୍କ ପ୍ରତିଭା ବିଷୟରେ ପ୍ରାୟ ଉଦାସୀନ । କାବ୍ୟ ରଚନା ଏବଂ ସାହିତ୍ୟକର୍ମରେ ବିଶେଷ ରୁଚି ରଖୁଥିବା ଓଡିଆ ଭାଷାର ଦିଗ୍‍ଗଜମାନେ ହଳଧରନାଗଙ୍କ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ ।

ଲୋକ ଏବଂ ପାଠକଠାରୁ ସ୍ୱୀକୃତି ପାଇବା ଜଣେ କବି ଜୀବନର ସବୁଠାରୁ ବଡକଥା । କିନ୍ତୁ ଆମ ସାହିତ୍ୟ ଏକାଡେମୀ ବା ତଥାକଥିତ ସାହିତ୍ୟର ପ୍ରମୁଖ ସଂସ୍ଥାମାନେ ହଳଧର ନାଗଙ୍କ ବିଷୟରେ କିଛି ଜାଣନ୍ତି କି ? ଏହି ଯଶସ୍ୱୀ କବିଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିବା ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ ହେବା ଉଚିତ୍‍ ନୁହେଁ କି ?

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ରୋକ ଠୋକ, ସାହିତ୍ୟ Tagged With: କବି, କେଦାର ମିଶ୍ର, ପଶ୍ଚିମ ଓଡ଼ିଶା, ସାହିତ୍ୟ, ହଲଧର ନାଗ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ