ଓଡିଶା ଡଟ କମ ସଂବାଦଦାତା
ସମ୍ବଲପୁର, ଏପ୍ରିଲ ୧୦ (ଓଡିଶା ଡଟକମ) ଚାରିଦିନ ପରେ ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ କଟକଣାକୁ କେନ୍ଦ୍ର କରି ସମ୍ବଲପୁର ସହରରେ ଜିଲା ପ୍ରଶାସନ ଓ ଜୟନ୍ତୀର କର୍ମକର୍ତ୍ତା ମାନେ ମୁହାଁମୁହିଁ ହୋଇଛନ୍ତି ।
ଗୋଟିଏ ପଟେ ଜୟନ୍ତୀ ଆୟୋଜକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଜିଦରେ ଅଟଳ ଥିବା ବେଳେ ପ୍ରଶାସନ ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ପଷ୍ଟ ମନା କରିଦେଇଛି ।
ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଦୁଇ ପକ୍ଷ ପରସ୍ପର ଜିଦରେ କାଏମ ରହିବାରୁ ଏହା ବିଫଳ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ଶାନ୍ତି ଭଙ୍ଗ ଆଶଙ୍କା କରି ଭାରତୀୟ ପିଙ୍ଗଳକୋଡ ଧାରା ୧୪୪-ଏ ଅନୁସାରେ ପ୍ରଶାସନ ସହରରେ ନିକଟରେ ଏହି କଟକଣା ଜାରି କରିଛି ।
ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ଓ ପରେ ଏହାର ଅବଧିକୁ ବଢାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ ଅଖିଳେଶ୍ଵର ସିଂହ କହିଛନ୍ତି ।
ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିବାରୁ ଏହି କଟକଣା ଜାରି କରାଯାଇଥିବା ସେ କହିଛନ୍ତି ।
“ତେବେ ସହରରେ ଶୋଭାଯାତ୍ରା ପାଇଁ ସ୍ଵାଭାବିକ ଅନୁମତି ଦିଆଯାଉଛି । ଶୋଭାଯାତ୍ରା ଉପରେ କୌଣସି ବାରଣ କରାଯାଇନାହିଁ “, ସେ କହିଛନ୍ତି ।
ଅନ୍ୟ ପକ୍ଷରେ ଜୟନ୍ତୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ ତାଙ୍କସହ ଆଲୋଚନା ନ କରି ପ୍ରଶାସନ ଏକ ଚାଟିଆ ଭାବେ ଏହି ପଦକ୍ଷେପ ନେଇଛି ।
ଓଡିଶା ଡଟ କମ