• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଳ କାରଖାନ

କାମ୍ପା ଓ ଜଙ୍ଗଲ ଅଧିକାର ଆଇନ

May 12, 2018 by ଘାସିରାମ ପଣ୍ଡା Leave a Comment


ସରକାର ଗୋଟିଏ ହାତରେ ଯାହା ଦେଲେ ଆର ହାତରେ ତାହା ଛଡେଇ ନେଲେ । କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀଙ୍କର ଏହି ଅଭିମାନ ଭରା ଅଭିଯୋଗ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ଦୟନୀୟ ସ୍ଥିତିକୁ ଜାହିର କରୁଛି । ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ଆଜକୁ ନଅ ବର୍ଷ ତଳେ ଏହି ଆଇନ ଆସିଥିଲା ।

ଦେଶ ସ୍ୱାଧିନ ହେଲା ପରେ ବି ବନବାସୀଙ୍କ ପାଇଁ ବିଦେଶି ଶାସନ ନୀତି ବଦଳି ନଥିଲା । ପୁରୁଷାନୁକ୍ରମେ ରହି ଆସୁଥିବା ବନବାସୀଙ୍କର ଜଙ୍ଗଲ ପ୍ରବେଶ ଉପରେ କଟକଣା ଥିଲା । ଏଣୁ ଜୀବନଜିବୀକାରୁ ବଂଚିତ ଏହି ବନବାସୀମାନେ ଜମୀ, ଜଙ୍ଗଲ ଉପରେ ନିଜର ପାରମ୍ପାରିକ ଅଧିକାରର ସ୍ୱିକୃତୀ ପାଇଁ ଆନ୍ଦୋଳନ ଜାରି ରଖିଥିଲେ ।

ଜନମତକୁ ସମ୍ମାନ ଦେଇ ୨୦୦୬ ମସିହାରେ ଭାରତ ସରକାର ଏହାକୁ ଏକ ଐତିହାସିକ ଅନ୍ୟାୟ ବୋଲି ସ୍ୱିକାର କରିବା ସହ ଜଙ୍ଗଲ ଉପରେ ପାରମ୍ପାରିକ ଅଧିକାରର ସ୍ୱୀକୃତି ପାଇଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରିଥିଲେ । ପ୍ରାକୃତିକ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ଜନ ସହଭାଗିତାରେ ଜ÷÷ବ ବିବିଧତାର ସୁରକ୍ଷା ଓ ପରିସଂସ୍ଥାନ ପରିଚାଳନାର ସମୃଦ୍ଧ ପରମ୍ପରାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ଜଙ୍ଗଲ ଅଧିକାର ଆଇନ ଅନୁସାରେ ବନବାସୀମାନେ ନିଜର ଦୈନନ୍ଦିନ ଗୁଜୁରାଣ ପାଇଁ ପରମ୍ପରା କ୍ରମେ ବ୍ୟବହାର କରି ଆସୁଥିବା ଘରଡିହ, ଚାଷଜମୀ ଓ ସାମୁହିକ ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । କିଷମ ନିର୍ବିଶେଷରେ ସମସ୍ତ ପ୍ରକାରର ଜଙ୍ଗଲରୁ ମହୁଲ, ଚାର, ବାଉଁଶ, କେନ୍ଦୁପତ୍ର ପରି ସମସ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କରି ପାରିବେ ।

ଅଧିକାରର ପରସୀମା ଭିତରେ ଥିବା ଜଙ୍ଗଲର ପରିଚାଳନା ଦାୟୀତ୍ୱ ମଧ୍ୟ ଗ୍ରାମସଭା ମାଧ୍ୟମରେ ଲୋକଙ୍କୁ ଦିଆଯାଇଛି । ଲୋକେ ନିଜର ପାରମ୍ପାରିକ ଜ୍ଞାନ ଆଧାରରେ ଜଙ୍ଗଲର ପରିଚାଳନା କରିବେ । ଆବଶ୍ୟକ ହେଲେ ସେମାନେ ଜଙ୍ଗଲ ବିଭାଗର ସାହାଯ୍ୟ ନେଇ ପାରନ୍ତି । ଏହା ଜଙ୍ଗଲ ସମ୍ପଦ ଉପରେ ବିଭାଗର ଏକ ଚାଟିଆ ଅଧିକାରକୁ ପ୍ରତିହତ କରୁଛି ।

ଜଙ୍ଗଲ ଅଧିକାର ଆଇନର ପ୍ରଣୟନ ଦୁଇଟି ବିଶେଷ ପରିବର୍ତ୍ତନ ପାଇଁ ରାସ୍ତା ତିଆରି କରିଛି । ପ୍ରଥମଟି ହେଲା ଲୋକଙ୍କୁ ଗ୍ରାମସଭା ମାଧ୍ୟମରେ ନିଷ୍ପତ୍ତି ଗ୍ରହଣର କ୍ଷମତା । ପ୍ରଥମ ଥର ପାଇଁ ସମ୍ବଳର ବଂଟନରେ ଅମଲା ତନ୍ତ୍ରର ଭୂମୀକାକୁ ଗୌଣ କରାଯାଇ ଲୋକଙ୍କୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ବିଧି ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟଟି ହେଲା ସ୍ୱାଧିନୋତ୍ତର ଭାରତ ବର୍ଷରେ ଜମୀ ଓ ଜଙ୍ଗଲର ମାଲିକାନା ସତ୍ୱ ହାସ୍ତାନ୍ତରର ଏହା ସର୍ବ ବୃହତ କାର୍ଯ୍ୟକ୍ରମ ।

ଆଇନର ସଠିକ କାର୍ଯାନ୍ୱୟନ ହେଲେ ଆମ ରାଜ୍ୟର ପ୍ରାୟ ତିରିଶ ହଜାର ଗ୍ରାମବାସୀଙ୍କ ମାଲିକାନାକୁ ଜଙ୍ଗଲ ବିଭାଗ ନିୟନ୍ତ୍ରଣରେ ଥିବା ଚାଲିଶ ଭାଗ ଜଙ୍ଗଲର ଅଧିକାର ସତ୍ୱ ହସ୍ତାନ୍ତର ହେବାର ଆକଳନ କରାଯାଉଛି । ହେଲେ ସରକାରଙ୍କ ଅନିଚ୍ଛା ଭାବ ଓ ଜଙ୍ଗଲ ବିଭାଗର ଏହି କ୍ଷମତା ବିକେନ୍ଦ୍ରି କରଣରେ ଅସହଯୋଗ ଯୋଗୁଁ ଆଇନ ପ୍ରଣୟନର ଏକ ଦଶନ୍ଧି ପରେ ବି ଏହା ସମ୍ଭବ ହୋଇପାରୁ ନାହିଁ ।

ସରକାର ନିଜେ ଜାରି କରିଥିବା ତଥ୍ୟକୁ ବିଚାରକୁ ନେଲେ ଜୁଲାଇ, ୨୦୧୬ ଶେଷ ସୁଦ୍ଧା ମାତ୍ର ତିନି ହଜାର ଗ୍ରାମକୁ ସାମୁହିକ ଅଧିକାର ପ୍ରଦାନ କରାଯାଇ ପାରିଛି । ଅପର ପକ୍ଷରେ କାମ୍ପା ପାଣ୍ଠିର ବ୍ୟବହାର କରି ବ୍ୟାପକ ବୃକ୍ଷ ରୋପଣ ପାଇଁ ଲୋକଙ୍କ ଅଧିକାର ପରିସରକୁ ଅସିଥିବା ଜମୀ ଓ ଜଙ୍ଗଲ ଉପରେ ଜଙ୍ଗଲ ବିଭାଗର ପୁନଃ ଜବର ଦଖଲ ଏବେ ଐତିହାସିକ ଅନ୍ୟାୟର ପୁନରାବୃତ୍ତି କରୁଛି ।

ଖଣି ଖାଦାନ ନିମନ୍ତେ ଜଙ୍ଗଲ ଜମୀ ବ୍ୟବହାର ଜନିତ କ୍ଷତିର ଭରଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ବୟାଳିଶ ହଜାର କୋଟି ଟଙ୍କା ଗଚ୍ଛିତ ହୋଇଥିଲା । ଏହି ପାଣ୍ଠିର ପରିଚାଳନା ପାଇଁ ନିକଟରେ ଭାରତ ସରକାରଙ୍କ ଦ୍ୱାରା କାମ୍ପା ପାଣ୍ଠି ଅଧିନିୟମ, ୨୦୧୬ ଗୃହିତ ହୋଇଛି । ନୂତନ ଅଧିନିୟମ ଆଧାରରେ ଚଳିତ ବର୍ଷ ଆମ ରାଜ୍ୟ ଏହି ପାଣ୍ଠିର ଅଂଶ ସ୍ୱରୂପ ପ୍ରାୟ ଛଅ ହଜାର କୋଟି ଆର୍ଥିକ ଅନୁଦାନ ପାଇଛନ୍ତି ।

ଅବକ୍ଷୟୀଷ୍ନୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଏହା ହୁଏତ ସୁଯୋଗ ସୃଷ୍ଟି କରିବ, ଏଣୁ ସ୍ୱାଗତ କରିବା କଥା । ହେଲେ ସବୁକଥାରେ ଜନ ସହଭାଗିତାର ନାରା ଦେଉଥିବା ସରକାର ପ୍ରକୃତ ପକ୍ଷେ ଏକ ଚାଟିଆ ଭାବେ ଦେଶର ନୀତି ନିୟମକୁ ହେୟଗ୍ୟାନ କରି ଲୋକଙ୍କ ବ୍ୟବହାରରେ ଥିବା ଜଙ୍ଗଲ ଜମୀରେ ବୃକ୍ଷ ରୋପଣ କରୁଥିବାରୁ ଫଳ ଓଲଟା ହେଉଛି ।

ଜଙ୍ଗଲ ଅଧିକାର ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି । ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ ।

ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ବୃକ୍ଷ ରୋପଣ ଓ ଜଙ୍ଗଲ ପରିଚାଳନା ପାଇଁ କାମ୍ପା ପାଣ୍ଠିର ବିନିଯୋଗ ଏହି ନୀୟମାନୁଯାୟୀ ହେବା ବଦଳରେ ବଳପୂର୍ବକ ଲୋକଙ୍କ ଅଧିକାରରେ ଥିବା ଜଙ୍ଗଲ ଜମୀରେ ଗଛ ଲଗାଇବା ପାଇଁ ଅନଧିକାର ଅନୁପ୍ରବେଶ କରାଯାଉଛି । ଶାଳ, ମହୁଲ, ପିଆଶାଳ ଭଳି ଗଛକୁ ସଫାକରି ଶାଗୁଆନ, ୟୁକାଲିପ୍ଟସ, ଆକାଶିଆ ଭଳି ଅଣ ଲଘୁ ବନଜାତ ଉଭ୍ୱିଦର ଅନୁପ୍ରବେଶ ପ୍ରାକୃତିକ ଜୈବ ବିବିଧତାକୁ ନଷ୍ଟ କରିବା ସହିତ ବନ୍ୟ ପ୍ରାଣୀ, ପକ୍ଷୀ ଓ ବନବାସୀଙ୍କ ଖାଦ୍ୟ ସୁରକ୍ଷା ଉପରେ ଆଂଚ ଆଣୁଛି।

ଅଣ ଜଙ୍ଗଲ କାମରେ ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ଉଦ୍ଦେଶ୍ୟରେ ବିନିଯୋଗ ହେଉଥିବା କାମ୍ପା ପାଣ୍ଠି ଏହା ଦ୍ୱାରା ଲକ୍ଷ୍ୟଚ୍ୟୁତ ହେଉଛି । ବନ ବିଭାଗ ନିଜର ଜମିଦାରିଆ ମନୋଭାବରେ ପରିବର୍ତ୍ତନ ଅଣି ଗ୍ରାମସଭାର କ୍ଷମତା ପ୍ରତି ସମ୍ମାନ ପ୍ରଦର୍ଶନ କଲେ ଜନସହଭାଗିତରେ ଜଙ୍ଗଲ ସମ୍ପଦର ପ୍ରକୃତ ଅଭିବୃଦ୍ଧି ଘଟିବ । ସେହିପରି ଲୋକଙ୍କୁ ମାଗଣାରେ ଛତା, କମ୍ବଳ ଯୋଗାଇବକୁ ତତ୍ପର ସରକାର ଜମୀ, ଜଙ୍ଗଲ ଉପରେ ଲୋକଙ୍କୁ ଅଧିକାର ଦେବାପାଇଁ ଚେଷ୍ଟିତ ହେଲେ ଚିରସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ ।

ଘାସିରାମ ପଣ୍ଡା

Filed Under: ପରିବେଶ Tagged With: କଳ କାରଖାନ, ଜଙ୍ଗଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ