ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଦେଖା ଦେଇଥିବା ମିଳିମିଳାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୪ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୁହାଯାଇଛି ।
ରବିବାର ଠାରୁ ଆଉ କୌଣସି ପିଲା ଏହି ରୋଗରେ ଆକ୍ରାନ୍ତ ହୋଇନାହାଁନ୍ତି ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ।
ସିଲାପାସ୍ ଏବଂ ରାଇଲିଘାଟିରେ କେତେକ ପିଲା ମିଳିମିଳାରେ ଆକ୍ରାନ୍ତ ହୋଇଥିବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେହି ଅଂଚଳକୁ ଗସ୍ତ କରିଥିଲେ । ବର୍ତମାନ ସୁଦ୍ଧା ୫ ଟି ଗ୍ରାମର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି, ସେ କହିଛନ୍ତି ।
ପ୍ରତିକାର ପାଇଁ ସଂପୃକ୍ତ ଗ୍ରାମ ଗୁଡ଼ିକରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ପାଶ୍ୱର୍ବର୍ତି ସାତଟି ଗ୍ରାମରେ ପିଲାଙ୍କୁ ଟିକା କରଣ କରାଯାଉଥିବା ବେଳେ ସେଠାରେ ୫ଟି ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି ।
ବିଶେଷ ଭାବେ ଆକ୍ରାନ୍ତ ହୋଇଥିବା ସିଲାପାସ୍ ଗ୍ରାମରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ରାଇଲଘାଟି ଗ୍ରାମର ଆକ୍ରାନ୍ତଙ୍କୁ ମଧ୍ୟ ସେଠାକୁ ଅଣା ଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।
ସଂପୃକ୍ତ ଅଂଚଳକୁ ବିଭାଗୀୟ ଉପ ନିର୍ଦ୍ଦେଶକଙ୍କୁୁ ପଠା ଯାଇଥିଲା ଏବଂ ସେ ସେଠାରେ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ଫେରିଛନ୍ତି । ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଆଜି ସେଠାକୁ ପଠା ଯାଇଛି ।
ଗତ କାଲିଠାରୁ ଆଉ କୌଣସି ପିଲା ଆକ୍ରାନ୍ତ ହୋଇ ନଥିବାରୁ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି, ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍