ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ୮୧ ବର୍ଷୀୟ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ସୁଧାକର ସାହୁ ୨୦୧୪ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ୪୦ ଜଣଙ୍କ ମଧ୍ୟରେ ସୁଧାକର ହେଉଛନ୍ତି ଏକ ମାତ୍ର ଓଡିଆ । ଏକ ସ୍ଵତନ୍ତ୍ର ଉତ୍ସବରେ ସାହୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ଦେଇ ଏହି ସମ୍ମାନରେ ସମ୍ମାନିତ କରିବେ ।
ଢେଙ୍କାନାଳ ଜିଲ୍ଲା ଲାଉଲୋଇର ର ବୈଦ୍ୟକାଟେଣି ଗ୍ରାମରେ ଜାନୁଆରୀ ୧,୧୯୩୫ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାହୁଙ୍କ ପିତା ଦୂର୍ଯ୍ୟୋଧନ ସାହୁ ଜଣେ ସଙ୍ଗୀତବିତ୍ ଥିଲେ ଏବଂ ସେ ଗାଁରେ ପୌରାଣିକ ସଙ୍ଗୀତ ଗାନ କରିବା ସହ ତା’ର ଅର୍ଥ ଲୋକମାନଙ୍କୁ ବୁଝାଉଥିଲେ। ପିତାଙ୍କ ଠାରୁ ପ୍ରେରଣା ପାଇ ସୁଧାକର ସାତ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା କରିଥିଲେ।
ସେ ଛୋଟ ଥିବା ବେଳେ ନିଜ ଗାଁରେ ହେଉଥିବା ଯାତ୍ରାରେ ଅଂଶ ଗ୍ରହଣ କରି ନୃତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଓ ଗୁରୁ ଦୂର୍ଯ୍ୟୋଧନ ମହାନ୍ତିଙ୍କ ଠାରୁ ନୃତ୍ୟ ଶିଖିଥିଲେ ।
ସେ ମାଣିନୀ, ଶକୁନ୍ତଳା, କୋଣାର୍କ, ଓ ବିଚିତ୍ର ବରଣ ଭଳି ନୃତ୍ୟଭିତ୍ତିକ ଯାତ୍ରାରେ କୋରିଓଗ୍ରାଫ କରିବା ସହ, କଲ୍ୟାଣ ପଲ୍ଲବୀ, ଆନନ୍ଦ ଭୈରବୀ, ଗଉଡ ପଲ୍ଲବୀ ଆଦି ଓଡିଶୀ ନୃତ୍ୟ ଶିକ୍ଷାଦେବାସହ ଏଥିପାଇଁ ସଙ୍ଗୀତ ମଧ୍ୟ ସେ ନିଜେ ରଚନା କରିଛନ୍ତି ।
ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ସାହୁଙ୍କୁ ଅତୀତରେ ବିଭିନ୍ନ ଫେଲୋସିପ ପ୍ରଦାନ କରାଯିବା ସହ ୧୯୯୧ ରେ ରାଜ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଓ କଳିଙ୍ଗ ଭାରତୀ ସଚିଦାନନ୍ଦ ପୁରସ୍କାରରେ ସମ୍ମାନିତ କରଯାଇଛି ।
ଓଡିଶା ଡଟ୍ କମ୍