• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋଣାର୍କ

କାହିଁକି ଦେଖିବେ କୋଣାର୍କ ସୂର୍ଯ୍ୟ ମନ୍ଦିର? ୧୦ଟି କାରଣ

June 8, 2016 by ନିଉଜ ଡେସ୍କ 1 Comment

konark1
କୋଣାର୍କ ସୂର୍ଯ୍ୟ ମନ୍ଦିର: ଛବି: ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ୱେବ ସାଇଟ

କେଦାର ମିଶ୍ର

ପୁଣି ଥରେ ଚର୍ଚା ରେ କୋଣାର୍କ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆମେରିକା ଗସ୍ତ ସମୟରେ କୋଣାର୍କ ସ୍ଥାପତ୍ୟର ବିପୁଳ ପ୍ରଶଂସା କରିବା ସହିତ ଏହାର ପ୍ରାଚୀନ ଶିଳ୍ପକଳାରେ ଆଧୁନିକତାର ଆଭାସ ରହିଥିଲା ବୋଲି କହିଛନ୍ତି ।

ଆଧୁନିକ ସମୟର ସ୍ତ୍ରୀଲୋକ ମାନେ ଯେଉଁ ପ୍ରକାର ପୋଷାକ ପରିଧାନ କରୁଛନ୍ତି ତାହାର ପ୍ରତିଫଳନ କୋଣାର୍କ ଗାତ୍ରରେ ଅନେକ ଶହ ବର୍ଷ ଆଗରୁ ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ କୋଣାର୍କ ପ୍ରତି ବିଶ୍ଵ ବାସୀଂକ ଦୃଷ୍ଟି ପୁଣିଥରେ ଆକର୍ଷିତ କରିଛି ।  କଳିଂଗ ଶିଳ୍ପ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠତମ ଓ ସୁନ୍ଦରତମ ଉଦାହରଣ ଭାବରେ କୋଣାର୍କ ମନ୍ଦିରର ନିଜସ୍ଵ ପରିଚୟ ଓ ଗରିମା ରହିଛି ।

ଗଂଗ ରାଜା ଲାଂଗୁଲା ନରସିଂହ ଦେବଂକ ଦ୍ଵାରା ସ୍ଥାପିତ କୋଣାର୍କ କଳା ମୁଗୁନି ପଥରରେ ଜୀବନ୍ତ ସୌନ୍ଦର୍ୟର ଅବତାରଣ କରିଛି ।  ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ ଭାବେ ଲୋକଂକୁ ଓ ପୃଥିବୀର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କେତୋଟି ରୋଚକ ତଥ୍ୟ-

୧. ଭାରତରେ ରହିଥିବା ମାତ୍ର ଅଳ୍ପ କେତୋଟି ସୂର୍ୟ ମନ୍ଦିର ମାନଂକ ମଧ୍ୟରେ ଏହା ଅନ୍ୟତମ. ତେବେ ଆକୃତି ଓ ସୌନ୍ଦର୍ଯ୍ୟରେ ଏହା ଅତୁଳନୀୟ ।  ଭାରତର ସବୁ ସୂର୍ଯ୍ୟ ମନ୍ଦିରଠାରୁ ଏହା ଢେର୍ ବଡ ।

୨. ୧୨୫୫ ମସିହାରେ ଗଂଗ ବଂଶର ରାଜା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ. ବଂଗୋପ ସାଗର ଓ ଚନ୍ଦ୍ରଭାଗା ନଦୀର ମୁହାଣରେ ନିର୍ମିତ ହୋଇଥିବା ଏହି ବିଶାଳକାୟ ମନ୍ଦିରକୁ ନେଇ ଓଡିଶାରେ ବହୁ କାହାଣୀ ଓ କିମ୍ବଦନ୍ତି ପ୍ରଚଳିତ ରହିଛି. ୧୨ ବର୍ଷ ଧରି ୧୨୦୦ ଶିଳ୍ପୀ ଏହି ମନ୍ଦିର ନିର୍ମାଣରେ ଲାଗିଥିଲେ ବୋଲି କୁହାଯାଏ ।

୩ . ଏକ ରଥ ଆକାରରେ ନିର୍ମିତ ଏହି ମନ୍ଦିରରେ ୧୨ ଯୋଡା ରଥ ଚକ ଓ ୭ଟି ସୁସଜ୍ଜିତ ଅଶ୍ଵ ଶୋଭା ପାଉଥିଲେ ।  ଖଣ୍ଡୋଲାଇଟ ପଥରରେ ନିର୍ମିତ ଏହି କଳିଙ୍ଗ ସ୍ଥାପତ୍ୟାରେ ମୁଳ ଗର୍ଭଗୃହ, ବିମାନ, ଜଗମୋହନ ଓ ନାଟ ମଣ୍ଡପ ରହିଛି ।

ମନ୍ଦିରର ପ୍ରତ୍ୟେକ ଅଂଶରେ ସୂକ୍ଷ୍ମ କାରୁକଲା ଓ ବାସ୍ତୁକଲା ର ଚମତ୍କାର ଉଦାହରଣ ଦେଖିବାକୁ ମିଳେ ।

୪. କୋଣାର୍କ ପ୍ରତିମା ସବୁ ସୌନ୍ଦର୍ୟ ରେ ଯେତିକି ଭରପୂର ଐଶ୍ଵର୍ଯ୍ୟରେ ସେତିକି ଜୀବନ୍ତ. ତ୍ରୟୋଦଶ ଶତାବ୍ଦୀରେ ସମୁଦ୍ର ବେଳାରେ ଏମିତି ଏକ ସୁକ୍ଷ୍ମ ଓ ବିଶାଳ ମନ୍ଦିର ନିର୍ମାଣର କୌଶଳ କଥା ଚିନ୍ତା କଲେ ଉତ୍କଳୀୟ ବାସ୍ତୁକଳାର ମହାନତା ଆଗରେ ମଥା ନଇଁ ଯାଏ ।

କୋଣାର୍କ ମନ୍ଦିରର ମୂଳ ବିମାନ ଯାହାକି ୧୮୩୭ ମସିହାରେ ଭୁଷୁଡି ପଡିଥିଲା , ତାହାର ଉଚତା ୨୨୯ ଫୁଟ୍ ଥିଲା ବୋଲି କୁହାଯାଏ ।  ସମୁଦ୍ର ମଝାରୁ ଏହି ମନ୍ଦିର ଏକ ପ୍ରକାର ବତୀଖୁଣ୍ଟ ଭାବରେ କାମ କରୁଥିଲା ବୋଲି ଅନେକ ପ୍ରାଚୀନ ନାବିକ ବର୍ନନା କରିଛନ୍ତି ।

୫. ବର୍ତ୍ତମାନ ୧୨୮ ଫୁଟ୍ ବିଶିଷ୍ଟ ଜଗମୋହନ ସମେତ ନାଟ ମଣ୍ଡପ ଓ ଭୋଗ ମଣ୍ଡପ ବଂଚି ରହିଛି ।

କୋଣାର୍କ ର ପ୍ରତ୍ୟେକ ଅଂଶରେ ମୈଥୁନ, ଡାଲମାଳିକା, ଶାଲ ଭଣ୍ଯିକା, ବୀଣାବାଦିନୀ , ମୃଦଂଗ ବାଦିନୀ, ନାୟିକା, ଗାୟିକା, ପଶୁ, ପକ୍ଷୀ , ଲତା , ପତ୍ର ଓ ଫୁଲର ଜୀବନ୍ତ ପ୍ରତିମାସବୁ ରହିଛନ୍ତି. ପୃଥିବୀର ପ୍ରାୟ ସବୁ ଭୌଗୋଳିକ ଅଂଚଳର ଜୀବ ଜଗତକୁ କୋଣାର୍କ ଶିଳ୍ପୀ ନିଖୁଣ ଭାବରେ ଗଢିବାର ପ୍ରୟାସ କରିଛି. ଏଥିରେ ଆଫ୍ରିକା ମହାଦେଶର ଜିରାଫ୍ ର ମୂର୍ତୀ ମଧ୍ୟ ଖୋଦିତ ହୋଇ ରହିଛି ।

୬. ଭୁଷୁଡି ପଡିଲା ପରେ ଏହି ମନ୍ଦିର ଦୀର୍ଘ ବର୍ଷ ଧରି ବାଲିରେ ଅଧା ପୋତି ହୋଇ ପଡିଥିଲା. ବିଭିନ୍ନ ସମୟରେ ଏହି ମନ୍ଦିରର ପଥର କୁ ପୁରୀ ମନ୍ଦିର ନିର୍ମାଣରେ ଲଗା ଯାଇଥିଲା. ଏପରିକି ମନ୍ଦିରର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପିତ ଅରୁଣ ସ୍ତମ୍ଭ ମଧ୍ୟ କୋଣାର୍କ ରୁ ସ୍ଥାନାନ୍ତର କରାଯାଇଥିଲା ।

୭. ବର୍ତମାନ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ପରିଚାଳନା ଦାୟିତ୍ଵ ଭାରତ ସରକାରଂକ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ହାତରେ ନ୍ୟସ୍ତ କରାଯାଇଛି ।  ତେବେ ଏହାର ସଂରକ୍ଷଣ ବ୍ୟବସ୍ଥାରେ ଅନେକ ତୃଟି ବିଚ୍ୟୁତି ରହିଛି ବୋଲି ଐତିହାସିକ ଓ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।  ତେବେ  ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୮. କୋଣାର୍କ କୁ ଯିବାକୁ ହେଲେ ଭୁବନେଶ୍ଵରରୁ ୬୫ କିଲୋ ମିଟର୍ ଓ ପୁରୀ ରୁ ୩୫ କିଲୋ ମିଟର୍ ଦୂର ରାସ୍ତା ରେ ଯିବାକୁ ପଡିବ ।  ଏ ଯାଏ କୋଣାର୍କ କୁ ରେଳପଥରେ ସଂଯୋଗ କରାଯାଇ ପାରି ନାହିଁ ।

୯. କୋଣାର୍କ କୁ ଘେରି ଅନେକ ଧାର୍ମିକ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ମାନ ରହିଛି ।  କୋଣାର୍କ ଠାରୁ ଅତି ଅଳ୍ପ ଦୂରରେ ଚନ୍ଦ୍ରଭାଗା ର ମନୋରମ ବେଳାଭୂମି ଅବସ୍ଥିତ ।  କୋଣାର୍କ-ପୁରୀ ସାମୁଦ୍ରିକ ବେଳାଭୂମି ରାସ୍ତାରେ ରାମଚଣ୍ଡି, ବେଲେଶ୍ବର , କୁଶଭଦ୍ରା ମୁହାଣ ପରି ଅନେକ ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥାନ ସବୁ ରହିଛି ।

୧୦. ପ୍ରତି ଡିସେମ୍ବର ମାସରେ କୋଣାର୍କ ରେ ଶାସ୍ତ୍ରୀୟ ନୃତ୍ୟ ର ଉତ୍ସବ “କୋଣାର୍କ ମହୋତ୍ସବ’ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ମୁଖ୍ୟ ଖବର Tagged With: ଓଡିଶା, କୋଣାର୍କ, ନରେନ୍ଦ୍ର ମୋଦି, ପର୍ଯ୍ୟଟନ

କୋଣାର୍କରେ ପ୍ରାଚୀନ ସଭ୍ୟତାର ସୂଚନା!

April 23, 2016 by ନିଉଜ ଡେସ୍କ Leave a Comment

konark-4ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ଼ ନିକଟରୁ ୧୨୦୦ ଶତାବ୍ଦୀର ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ସନ୍ଧାନ ମିଳିଥିବା ଅନୁମାନ କରାଯାଇଛି।

ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଶ୍ରମିକମାନେ ବାଲି ଖୋଳୁଥିବା ସମୟରେ କାରୁକାର୍ଯ୍ୟପୂର୍ଣ୍ଣ ପଥର, ବାସଗୃହ, କୂଅ ଇଟା, ମାଟି ଦୀପ, ମାଟି ପାତ୍ର ଇତ୍ୟାଦିର ଦେଖିବାକୁ ପାଇଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ଏହି ସ୍ଥାନର ଚତୁଃପାର୍ଶ୍ୱକୁ ଖନନ କଲେ ଅଧିକ ତଥ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଐତିହାସିକ ତଥ୍ୟାନୁଯାୟୀ ପ୍ରାଚୀନ କାଳରେ ଉତ୍କଳର ନୌବାଣିଜ୍ୟ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଥିଲା। ଓଡ଼ିଶାର ବୃହତ୍ତମ ବନ୍ଦରଗୁଡ଼ିକ ମଧ୍ୟରେ କୋଣାର୍କ ଥିଲା ଅନ୍ୟତମ।

କାଳକ୍ରମେ ଏଠାରେ ଚିତ୍ରୋତ୍ପଳା ଓ ଚନ୍ଦ୍ରଭାଗା ପ୍ରଭୃତି ଅନେକ ସୁନାବ୍ୟା ନଦୀ ପ୍ରବାହିତ ହୋଇ ଦେଶର ବିଭିନ୍ନ ଅଞ୍ଚଳ ସହିତ ଏହି ବନ୍ଦର ସଂଯୋଗ ରକ୍ଷା କରିଥିଲା। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାଦ୍ଦୀରେ ଏହି ଚିତ୍ରୋତ୍ପଳା ବନ୍ଦର ଓ ନଗରୀର ସଂପର୍କରେ ବର୍ଣ୍ଣନା କରିଛନ୍ତି।

ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଗ୍ରୀକ ଲେଖକ ତଥା ଦାର୍ଶନିକ ଟୋଲେମୀ ତାଙ୍କର ପୃଥିବୀ ଭୂଗୋଳ ପୁସ୍ତକରେ କୋନ୍ନାଗର ନଗରୀର ବର୍ଣ୍ଣନା କରିଛନ୍ତି। ଏହା ଏକ ବୃହତ ବନ୍ଦର ଥିବାର ସେ ଉଲ୍ଲେଖ କରିଛନ୍ତି। ସେହି କୋନ୍ନାଗର ପରବର୍ତ୍ତୀ କାଳରେ କୋଣାର୍କ ନାମରେ ପ୍ରସିଦ୍ଧ ଲାଭ କରିଥିଲା। ସାମୁଦ୍ରିକ ଝଡରେ ଏହି ବନ୍ଦର ସଂପୂର୍ଣ୍ଣ ନିଶ୍ଚିନ୍ନ ହୋଇ ଯାଇଥିଲା।konark

୧୨୬୪ ଖ୍ରଷ୍ଟାବ୍ଦରେ ରାଜା ନରସିଂହ ଦେବଙ୍କ ଦ୍ୱାରା ସୂର୍ଯ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୨ ବର୍ଷ ପରେ ୧୨୫୮ ଖ୍ରୀଷ୍ଟାଦ୍ଦରେ ଶେଷ ହୋଇଥିଲା। ଏହି ସମୟାବଧି ମଧ୍ୟରେ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ନିୟୋଜିତ ୧୨୦୦ ବଢେଇ ଓ ଶ୍ରମିକ ଏଠାରେ ରହି ମନ୍ଦିର ନିର୍ମାଣ କରିଥିଲେ। ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ମନ୍ଦିରର ଚତୁଃପାର୍ଶ୍ୱରେ ଜନବସତି ଗଢି ଉଠିଥିଲା।

ପରବର୍ତ୍ତି ସମୟରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟି ଜନବସତି ଉପରେ ବାଲି ମାଡି ଯିବାରୁ ଏଠାରେ ମୁଣ୍ଡ ଟେକୁଥିବା ଜନପଦଟି ସଂପୃର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଥିଲା। ଫଳରେ ବାଲିତଳେ ବହୁ କାରୁ କାର୍ଯ୍ୟପୂର୍ଣ୍ଣ ମୁର୍ତ୍ତି, ପଥର, ମାଟିପାତ୍ର, ସେସମୟରେ ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ପୋତି ହୋଇଗଲା।

ଏବେ ବି ସୂର୍ଯ୍ୟମନ୍ଦିରର ଚତୁପାର୍ଶ୍ୱ ଓ ନିକଟବର୍ତ୍ତି ଗ୍ରାମମାନଙ୍କରେ ଗୃହ ନିର୍ମାଣ, ପୋଖରୀ ଖନନ ଓ ଘୃହାଦି ନିର୍ମାଣ ନିମନ୍ତେ ନିଅଁଖୋଳା ସମୟରେ ମାଟିତଳୁ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିବା ବେଳେ ଆହୁରି ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ମାଟିତଳେ ପୋତି ହୋଇ ରହିଥିବା ପ୍ରମାଣ ମିଳିବାରେ ଲାଗିଛି।konark-2

୨୦୧୩ ମସିହା ମେ ମାସରେ କରମଙ୍ଗା ଗ୍ରାମର ପୂଷ୍କରିଣୀ ଖନନ କାର୍ଯ୍ୟ ଚାଲୁ ରହିଥିବା ସମୟରେ ପୁଷ୍କରିଣୀ ମଧ୍ୟରୁ ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ମିଳିଥିବା ବେଳେ ଏହି ପୋଖରେ ତଳେ ଆହୁରି ଅଧିକ ପଥର ରହିଥିବା ଦେଖିବାକୁ ମିଳିଥିଲା।

ସେହିପରି କୋଣାର୍କ ହାଉସ୍କୁଲ ପଛପଟେ ଥିବା ବାଲିବନ୍ତିରୁ ଟ୍ରାକ୍ଟରେ ଯୋଗେ ବାଲି ବୁହାଯାଉଥିବା ସମୟରେ ଏକ ପୁରାତନ ମାଟି ନନ୍ଦର କୂଅ ଦେଖିବାକୁ ମିଳିଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱରେ ଏହି ଭଳି ଅନେକ କାରୁକାର୍ଯ୍ୟପୂର୍ଣ୍ଣ ପଥର ପୋତି ହୋଇ ରହିଥିବା ଦେଖିବାକୁ ମିଳୁଛି।

ଚଳିତ ମାସ କୋଣାର୍କ ହେଲିପ୍ୟାଡ ନିକଟରୁ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ସନ୍ଧାନ ସଂପର୍କରେ ସ୍ଥାନୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ଭୁବନେଶ୍ୱର ପ୍ରତ୍ନତତ୍ତ୍ୱ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।

ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ଖନନ ଓ ଗବେଷଣା କରାଗଲେ ସୂର୍ଯ୍ୟମନ୍ଦିର ସଂପର୍କରେ ବହୁଐତିହାସିକ ତଥ୍ୟ ମିଳିପାରିବ ବୋଲି ସ୍ଥାନୀୟ ଗବେଶକମାନେ କହିଛନନ୍ତି। ଏଠାରେ ମିଳିଥିବା କାରୁକାର୍ଯ୍ୟପୂର୍ଣ୍ଣ ପଥରଗୁଡ଼ିକ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟର ବୋଲି ଅନୁମାନ କରାଯାଉଛି।

(ସୌଜନ୍ୟ: ସାମାନ୍ୟ କଥନ)

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ବିଶେଷ ଖବର Tagged With: କୋଣାର୍କ, ପୁରାତତ୍ଵ, ପ୍ରାଚୀନ ସଭ୍ୟତା

ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପ କାମ ଠପ୍

October 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କୋଣାର୍କ, ଅକ୍ଟୋବର ୧ (ଓଡିଶା ଡଟ କମ) ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ କୋଣାର୍କରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍(ଆଇଓଏଫ୍) ପକ୍ଷରୁ ୩୬କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ସୂର୍ଯ୍ୟମନ୍ଦିର ପାରିପାର୍ଶ୍ଵିକ ବିକାଶ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତିନିମାସ ତଳୁ ବନ୍ଦହୋଇ ପଡିଛି ।

konark-wideଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାସଲ କରିଥିବା ହାଇଦ୍ରାବାଦର ଶ୍ରୀକୋ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାସହ ଯେତିକି କାମ ହୋଇଛି ତାହା ନିମ୍ନମାନର କରିଥିବା ଦର୍ଶାଇ ଉକ୍ତ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାକୁ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ କର୍ତ୍ତୃପକ୍ଷ ରଦ୍ଦ କରି ଦେଇଥିବାରୁ ଏହି ପ୍ରକଳ୍ପ କାମ ଠପ୍ ହୋଇଛି ।

ଠିକାଦାରୀ ସଂସ୍ଥା ଶ୍ରୀକୋ ଆଇଓଏଫ୍ ର ନିଷ୍ପତ୍ତି ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ଶ୍ରୀକୋର ଅପିଲକୁ ଖାରଜ କରିଦେଇଥିବା ଜଣାପଡିଛି । ଶ୍ରୀକୋର ଚୁକ୍ତିନାମାକୁ ଗତ ୧୬ ତାରିଖରେ ରଦ୍ଦ କରାଯିବା ପରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଞ୍ଜିନିୟରସ୍ ଇଣ୍ଡିଆ ଲିମିଟେଡକୁ ଦିଆଯିବା ପାଇଁ ସ୍ଥିର କରାଯାଉଥିବା ଜଣେ ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଏଭଳି ପରିସ୍ଥିତିରେ ଏହି ପ୍ରକଳ୍ପର କାମ କିପରି ଆଗକୁ ବଢିବ ଏବଂ ଗତ ୨୦୧୪ ମସିହା ଏପ୍ରିଲ ୧୭ତାରିଖରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟକାରୀତା କ୍ଷେତ୍ରରେ ବିଭିନ୍ନ ବିଭାଗ କେତେଦୂର ସଫଳ ହୋଇଛନ୍ତି, ତାର ସମୀକ୍ଷା କରିବା ନିମନ୍ତେ ଆସନ୍ତା ୩ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯାତ୍ରିନିବାସଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି ।

ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ),ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ,ପର୍ଯ୍ୟଟନ,ପୁରୀ ଜିଲା ପ୍ରଶାସନ,ପୁଲିସ ପ୍ରଶାସନ,ପୂର୍ତ୍ତ, ବିଦ୍ୟୁତ, ଟେଲିକମ୍,ଡ୍ରେନେଜ, ଜନସ୍ୱାସ୍ଥ୍ୟ,କୋଣାର୍କ ଏନ୍ଏସି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଯୋଗଦେବାକୁ ଆରଡିସି(କେନ୍ଦ୍ରାଞ୍ଚଳ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ୨୦୦୧ ମସିହାରୁ ପ୍ରସ୍ତାବିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ଜୁଲାଇ ୨୭ତାରିଖରେ ତିନିଜଣ କେନ୍ଦ୍ରମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ଶିଳାନ୍ୟାସର ୧୮ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଶ୍ରୀକୋ ସହିତ ଆଇଓଏଫ୍ ର ଚୁକ୍ତିନାମା ହୋଇଥିଲା ।

ଶ୍ରୀକୋ ନିଜସ୍ୱ ମେସିନାରୀ ଏଠାକୁ ନ ଆଣି ଛୋଟ ଛୋଟ ଠିକାଦାରଙ୍କୁ ଉପଠିକାଦାର ଭାବେ କାର୍ଯ୍ୟାଦେଶ ଦେଇ ନିମ୍ନମାନର କାମ କରୁଥିବା କୋଣାର୍କ ସୁରକ୍ଷା ସମିତି,କୋଣାର୍କ ବ୍ୟବସାୟୀ ମହାସଂଘ ଓ ବୁଦ୍ଧୀଜୀବୀମାନେ ଅଭିଯୋଗ କରିଥିଲେ ।

ଶ୍ରୀକୋ ପକ୍ଷରୁ ନିର୍ମାଣାଧୀନ ମୁଖ୍ୟ ପାର୍କିଙ୍ଗ ସ୍ଥଳ,ଇଣ୍ଟରପ୍ରିଟେସନ୍ ସେଣ୍ଟର ଓ ଡ୍ରପ୍ ଆଉଟ୍ ପଏଣ୍ଟ କାର୍ଯ୍ୟରେ କୋଣାର୍କରେ ନିର୍ମିତ ନିମ୍ନମାନର ପାଉଁଶ ଇଟା ଓ ଲୋକାଲ ଲୁଣି ବାଲି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଶ୍ରୀକୋ ନିଯୁକ୍ତ କରିଥିବା ଉପଠିକାଦାରଙ୍କୁ ଅର୍ଥ ପୈଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା ।

ସମୟାନୁଯାୟୀ ଅର୍ଥ ନ ମିଳିବାରୁ ସ୍ଥାନୀୟ ଉପଠିକାଦାରମାନେ କାମ ବନ୍ଦ କରି ଶ୍ରୀକୋ ବିରୋଧରେ ଆଇଓଏଫ୍ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଯାବତ୍ ଶ୍ରୀକୋକୁ ଆଇଓଏଫ୍ ପକ୍ଷରୁ ଅଗ୍ରୀମ ଆକାରରେ ୩ କୋଟି ୪୦ଲକ୍ଷ ଟଙ୍କା ପୈଠ କରାଯାଇଥିବା ବେଳେ ଏହି ପ୍ରକଳ୍ପର ୧୦ପ୍ରତିଶତ କାମ ମଧ୍ୟ ସଂପନ୍ନ ହୋଇପାରି ନଥିବା ଜଣାଯାଇଛି ।

ଆଇଓଏଫ୍ ପକ୍ଷରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସଂପର୍କରେ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ସମୟାନୁଯାୟୀ ତଦାରଖ ମଧ୍ୟ କରାଯାଇ ନଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଶ୍ରୀକୋ ଏଯାବତ୍ କରିଥିବା କାମର ମାପ କରାଯାଇ ତାର ହିସାବ ତୁଟିବା ପରେ ଅନ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯିବ ବୋଲି ଆଇଓଏଫ୍ ଅଧିକାରୀ କହିଛନ୍ତି ।

ଗତ ସପ୍ତାହରେ ଆଇଓଏଫ୍ ର ବୈଷୟିକ ବିଶେଷଜ୍ଞମାନେ ଶ୍ରୀକୋ ପକ୍ଷରୁ ଏଯାବତ୍ ହୋଇଥିବା କାମର ମେଜରମେଣ୍ଟ(ମାପ) କରିବା ପାଇଁ ଏଠାକୁ ଆସିଥିବାବେଳେ ସ୍ଥାନୀୟ ଉପଠିକାଦାରମାନେ ସେମାନଙ୍କୁ ବିରୋଧ କରିଥିଲେ । ସେମାନଙ୍କ ବକେୟା ଅର୍ଥ ଶ୍ରୀକୋ ନଦେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଯେ କୌଣସି କାର୍ଯ୍ୟକୁ ସେମାନେ ବିରୋଧ କରିବେ ବୋଲି ଧମକ ଦେଇଥିଲେ ।

ଫଳରେ ବୈଷୟିକ ବିଶେଷଜ୍ଞମାନେ ମାପ ନକରି ଫେରିଯାଇଥିଲେ । ଆଇଓଏଫ୍ ପକ୍ଷରୁ ଏ ସଂପର୍କରେ ପୁଲିସର ସହାୟତା ମଧ୍ୟ ନିଆଯାଇ ନଥିଲା । ସ୍ଥାନୀୟ ରାଜନେତାମାନଙ୍କ ହାତବାରିସୀ ସାଜି ନିମ୍ନମାନର କାମ କରିଥିବା ଏହି ଉପଠିକାଦାରମାନଙ୍କୁ ଠିକାଦାରୀ ସଂସ୍ଥା ଶ୍ରୀକୋର ମାଲିକ ଏବଂ ଆଇଓଏଫ୍ ଅଧିକାରୀମାନେ ଭୟ କରୁଥିବା ମାନବାଧିକାରକର୍ମୀ ଏନ୍.ଏ.ଶାହ ଅନସାରୀ ଓ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ରାଜନୀତି Tagged With: କୋଣାର୍କ, ଦୁର୍ନୀତି, ପର୍ଯ୍ୟଟନ

କୋଣାର୍କ ଓ ଧଉଳି ବୁଲିଖେିଲେ ଭୁଟାନ ପ୍ରଧାନମନ୍ତ୍ରୀ

September 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋଣାର୍କ, ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ ଭୁଟାନର ପ୍ରଧାନମନ୍ତ୍ରୀ ଲିଓନଚେନ ଜିଗମି ୱାଇ ଥିନ୍ଲେ ଓ ତାଙ୍କ ସହ ଆସିଥିବା ଭୁଟ୍ଟାନର ୧୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ।

ପ୍ରଧାନମନ୍ତ୍ରୀଙ୍କୁ ଫୁଲୋତୋଡ଼ା ଦେଇ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । କୋଣାର୍କ ପରିଦର୍ଶନ ଶେଷକରି ପ୍ରଧାନମନ୍ତ୍ରୀ ଥିଲେ ଧଉଳି ପରିଦର୍ଶନରେ ଯାଇଥିଲେ ଓ ସେଠାରୁ ଭୁବନେଶ୍ୱର ଫେରିଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ଧଉଳି, ଭୁଟାନ ପ୍ରଧାନମନ୍ତ୍ରୀ

ଶ୍ରୀମନ୍ଦିର ଓ କୋଣାର୍କର ସଂରକ୍ଷଣ ଉପରେ ଗୁରୁତ୍ୱ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉପଯୁକ୍ତ ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।

ଓଡ଼ିଶାରେ ଥିବା ପ୍ରାଚୀନ କୀର୍ତୀରାଜିରେ ସଂରକ୍ଷଣ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାର
ମହାନିର୍ଦ୍ଦେଶକ ଡଃ ଗୌତମ ସେନଗୁପ୍ତଙ୍କ ସହ ଗୁରୁବାର ଆଲୋଚନା ସମୟରେ ନବୀନ ତାଙ୍କୁ
କହିଛନ୍ତି ।

ଆଧ୍ୟାତ୍ମିକ ତଥା ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣର୍ ଏହି ଦୁଇ ପ୍ରମୁଖ କୀର୍ତୀରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଶ୍ରୀମନ୍ଦିର ଜଗମୋହନ ଓ ସିଂହ୍ୱାରର ଚୂନଛଡ଼ା କାର୍ଯ୍ୟକ୍ରମ ସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ ଯେଭଳି ଯତ୍ନର ସହିତ ସମ୍ପନ୍ନ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେନଗୁପ୍ତ କହିଛନ୍ତି ।

ପୁରୀ ଓ କୋଣାର୍କ ପାଇଁ ଅଧିକ ରସାୟନବିତ୍ ପଠାଇବା ସହିତ ସଂରକ୍ଷଣ କାର୍ଯ୍ୟକ୍ରମର ଉପଯୁକ୍ତ
ତଦାରଖ ପାଇଁ ପୁରୀରେ ଜଣେ ଉପ ଅଧୀକ୍ଷକଙ୍କୁ ଅବସ୍ଥାପିତ କରାଯିବ ବୋଲି ଡଃ ସେନଗୁପ୍ତ କହିଛନ୍ତି ।

କୋଣାର୍କ ମନ୍ଦିରର ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଏଏସ୍ଆଇ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂଦୁଇମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ।

କୋଣାର୍କ ମନ୍ଦିରର ଥ୍ରୀଡ଼ି ଲେଜର ସ୍କାନିଂ ସେନ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରାକରାଯିବ ଏବଂ ମନ୍ଦିର ଭିତର ଅବସ୍ଥା ସଂପର୍କରେ ଏଣ୍ଡୋସ୍କୋପି କ୍ୟାମେରା ଦ୍ୱାରାଫଟୋ କରି ବିସ୍ତୃତ ଯାଂଚ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି ବୋଲି ଡଃ ସେନଗୁପ୍ତ କହିଥିଲେ ।

ଏହା ବ୍ୟତୀତ କୋଣାର୍କ ମନ୍ଦିର ଚାରିପଟେ ଦିଆଯାଇଥିବା ଲୁହାଭାରା ସଂପର୍କରେ ଆଇଆଇଟି ଭୁବନେଶ୍ୱର ଦ୍ୱାରାଅନୁଧ୍ୟାନ କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଛି ।

ଶିଶୁପାଳଗଡ଼, ଧଉଳି ଓ ଚଉଷଠୀ ଯୋଗିନୀ ମନ୍ଦିର ଚତୁଃପାଶ୍ୱର୍ରେ ବ୍ୟାପକ ବୃକ୍ଷରୋପଣ କରାଯିବ, ବିଶେଷତଃ ବାଉଁଶ ଗଛର ଏକ ବଳୟ ସହିତ ଶିଶୁପାଳଗଡ଼ର ପାଚେରୀ ଉପରେ ବ୍ୟାପକ ଘାସ ଗଛ ଲଗାଯାଇ ମୃତ୍ତିକା ସଂରକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ପୁରୀ ଶ୍ରୀମନ୍ଦିର

କୋଣାର୍କରେ ସ୍ଥାପନ ହେବ ଗ୍ରୀଡ଼ ସବ୍ଷ୍ଟେସନ

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) କୋଣାର୍କ ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ଶକ୍ତି ଯୋଗାଣ ତଥା ଲୋ-ଭୋଲଟେଜ୍ ସମସ୍ୟା ଦୂର ନିମନ୍ତେ କୋଣାର୍କ ଠାରେ ଏକ ୧୩୨ କେଭି ଗ୍ରୀଡ଼ ସବ୍ଷ୍ଟେସନ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ୨୧ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିମାପଡ଼ା ଗ୍ରୀଡ଼ ଷ୍ଟେସନରୁ କୋଣାର୍କ ଅଞ୍ଚଳକୁ ଯାଇଥିବା ୧୩୨ କେଭି ଲାଇନରୁ ଅଧାବାଟରେ ଆଉ ଏକ କେଭି ଲାଇନ ପୁରୀ ଆଡ଼କୁ ଯାଇଥିବାରୁ କୋଣାର୍କ ଅଞ୍ଚଳରେ କ୍ରମାଗତ ଭାବେ ଲୋ-ଭୋଲଟେଜ୍ ସମସ୍ୟା ଦେଖାଉଛି ବୋଲି ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ସଂପୃକ୍ତ ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସରକାର ତାହାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଖର୍ଚ୍ଚ ହେବାକୁ ଥିବା ୨୧ କୋଟି ଟଙ୍କାରୁ ୧୩ କୋଟି ଟଙ୍କା ଓପିଟିସିଏଲ୍ ଓ ବାକି ୮ କୋଟି ଟଙ୍କା ସରକାର ବହନ କରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ବିଦ୍ୟୁତ ଶକ୍ତି, ମୁଖ୍ୟ ଖବର

ପର୍ଯ୍ୟଟକଙ୍କୁ ଆକ୍ରମଣ କରି ପାଞ୍ଚ ଗିରଫ

December 28, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ବଡ଼ଦିନ ପାଳନ ଅବସରରେ ପୁରୀ ଆସି ଏକ ହୋଟେଲରେ ଥିବା ପର୍ଯ୍ୟଯକଙ୍କୁ ଆକ୍ରମଣ କରିଥିବା ପାଞ୍ଚ ଜଣ ହୋଟେଲ କର୍ମଚାରୀଙ୍କୁ ସୋମବାର ଗିରଫ କରିଥିବା ପୋଲିସ କହିଛି ।

ଆକ୍ରମଣର ଶିକାର ହୋଇଥିବା ଜଣେ ପର୍ଯ୍ୟଟକଙ୍କ ଅଭିଯୋଗ ପରେ କୋଣାର୍କ-ପୁରୀ ମେରାଇନ ଡ଼୍ରାଇଭର ନିକଟରେ ଥିବା ତୋଶାଳି ସ୍ୟାଣ୍ଡ ରିସୋର୍ଟର ଏହି କର୍ମଚାରୀଙ୍କୁ ଗିରଫ କରିଥିବା ସଦର ଥାନା ଅଧିକାରୀ କେ.ରାଜେନ୍ଦ୍ରନ୍ ସ୍ୱାମୀ କହିଛନ୍ତି ।

ଗତ ଶୁକ୍ରବାର ସିକନ୍ଦରାବାର ୧୯ ଜଣ ବୟସ୍କ ବ୍ୟକ୍ତି ଓ ସାତ ଜଣ ଛୋଟ ଶିଶୁ ଉକ୍ତ ହୋଟେଲକୁ ଆସିଥିଲେ । ଶନିବାର ବିଳମ୍ବିତ ରାତିରେ ହେଟେଲରେ ଆୟୋଜିତ ଏକ ପାର୍ଟିରେ ପର୍ଯ୍ୟଟକମାନେ ସେମାନଙ୍କ ଚାହିତା ମୁତାବକ ଖାଦ୍ୟ ଦେବାକୁ ହୋଟେଲ କର୍ମଚାରୀଙ୍କୁ କହିଥିଲେ ।

ଏହାକୁ ନେଇ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଆହତ ପର୍ଯ୍ୟଟକମାନେ ହେଲେ ୟୋଗେଶ ମାହେଶ୍ୱରୀ ୩୮ ଓ ନରେନ୍ଦ୍ର ବାର୍ଡ଼ିଆ ୩୭, ସେ କହିଛନ୍ତି ।

ଗିରଫ କର୍ମଚାରୀ ମାନଙ୍କୁ ଅଦାଲତରେ ହାଜର କରାଯାଇଥିବା ସେ କହିଛନ୍ତି । ପର୍ଯ୍ୟଟକମାନେ ହୋଟେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋଣାର୍କ, ପର୍ଯ୍ୟଟକ, ପୁରୀ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ