ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ପିପିଲି ଯୁବତୀ ଗଣବଳାତ୍କାର ଘଟଣାରେ ମଙ୍ଗଳବାର ହାଇକୋର୍ଟ ଏକ ଜନସ୍ୱାର୍ଥ ମାମାଲାର ଶୁଣାଣି କରି ୭ିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ପୁରୀ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ୨୪ଘଣ୍ଟା ମଧ୍ୟରେ ଚିକିତ୍ସା ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବାକୁ କ୍ୟାପିଟାଲ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଯୁବତୀଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ ତାଙ୍କୁ ଜଗି ରହିବାକୁ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ କୁହାଯାଇଛି । କ୍ରାଇମବ୍ରାଞ୍ଚର ଜଣେ ଡିଏସ୍ପି ପାହ୍ୟାର ମହିଳା ଅଫିସର ଘଟଣାର ତଦନ୍ତ କରିବାକୁ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଜନସାଧାରଣଙ୍କ ଚାପ ତଥା ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଏହି ଘଟଣାରେ ପୋଲିସ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।
ଲୋକଙ୍କ ଦାବି ପରେ ରାଜ୍ୟ ମହିଳା କମିଶନ ନିଜଆଡ଼ୁ ଘଟଣା ସଂପର୍କରେ ଜାଣିବାକୁ ଚାହିଁବାକୁ ଚାହିଁଥିଲେ ଏବଂ ଏକ ମାମଲା ରୁଜୁ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ୱର ଠାରୁ ଦଶ କିମି ଦୂର ଅର୍ଜୁନଗଡ଼ା ଗ୍ରାମ ନିକଟରେ କେତେକ ଲୋକ ଗତ ନଭେମ୍ବର ୨୮ରେ ସଂପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।
ସେହି ସମାନ ବ୍ୟକ୍ତିମାନେ ଉକ୍ତ ଯୁବତୀଙ୍କୁ ଗତ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଗଣବଳାତ୍କାରର ଶିକାର ହେବା ପରେ ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଡ଼ାକ୍ତରଖାନାରେ କୋମାରେ ଅଛନ୍ତି ।
“ପୋଲିସ ଚାରି ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିଛି । ଏହା ସହିତ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି” ପୋଲିସ ଅଧିକାରୀ ଅମୂଲ୍ୟ ଚମ୍ପତିରାୟ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।
ସଂପୃକ୍ତ ଯୁବତୀଙ୍କ ବାନ୍ଧବୀଙ୍କୁ ଏହି ବ୍ୟକ୍ତିମାନେ ଦୁର୍ବ୍ୟବହାର କରୁଥିବା ବେଳେ ଯୁବତୀ ଜଣକ ଏହାର ପ୍ରତିବାଦ କରିଥିଲେ । ଏହାର କିଛିଦିନ ପରେ ଅର୍ଥାତ ଜାନୁୟାରୀ ୨୦୦୮ରେ ସେହି ସମାନ ଲୋକମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ପରେ ପୀଡ଼ିତାଙ୍କ ବାନ୍ଧବୀ ଆତ୍ମହତ୍ୟା କରିଥିଲେ ।
ତେବେ ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀ ଜଣକ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ । ବାନ୍ଧବୀଙ୍କ ଦୁର୍ବ୍ୟବହାର ଘଟଣାରେ କୋର୍ଟ ସାକ୍ଷୀ ହେବା ପରେ ଅଭିଯୁକ୍ତମାନେ ସେହି ବର୍ଷ ଫେବୃୟାରୀ ୧୮ରେ ତାଙ୍କ ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ସେହି ବର୍ଷ ଦୁଇ ଜଣଙ୍କୁ ଗିରଫ କରିଥିଲା ।
ଓଡ଼ିଶା ଡ଼ଟ୍ କମ୍