• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଖଣି ଦୁର୍ନୀତି

ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ପୁଣି ଚର୍ଚାରେ ଖଣି ଦୁର୍ନୀତି

October 12, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ସୁନ୍ଦରଗଡ, ୧୨ ଅକ୍ଟୋବର (ଓଡିଶା ଡଟ କମ) ସୁନ୍ଦରଗଡ ଜିଲ୍ଲାର ଏକ ରେଲୱେ ସାଇଡିଙ୍ଗ ନିକଟରେ ପ୍ରାୟ ତିରିଶ ହଜାର ଟନରୁ ଅଧିକ ଲୁହା ପଥର ବେଆଇନ ଭାବେ ଲୁଚାଇ ରଖାଯାଇଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ଲୋକ ସଭା ସାଂସଦ ଜୁଏଲ ଓରାମ ପ୍ରକାଶ କଲାପରେ ବହୁବର୍ଷ ଧରି ରାଜ୍ୟ ରାଜନୀତିକୁ ସରଗରମ ରଖିଥିବା ଖଣି ଦୁର୍ନୀତି ପୁଣିଥରେ ଚର୍ଚା କୁ ଆସିଛି ।

mining-1 mining-3ଜିଲ୍ଲାର କୋଇଡା ଅଞ୍ଚଳରେ ଥିବା ରେଞ୍ଡ଼ା ରେଲୱେ ସାଇଡିଂ ନିକଟରେ ପ୍ରାୟ ଦୁଇଶହ କୋଟି ଟଙ୍କାର ଏହି ଲୁହାପଥର ମାଟି ତଳେ ପୋତି ରଖାଯାଇଥିବା ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ସଂଗଠନ ଅଭିଯୋଗ କଲାପରେ ଓରାମ ଉକ୍ତ ଅଞ୍ଚଳ ଗସ୍ତ କରିବା ସହ ଏହାର ତଦନ୍ତ ଦାବିକରିଛନ୍ତି ।

ବଣାଇ ମଜଦୁର ସଂଘ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁସାରେ ଜଣେ ନିର୍ଦିଷ୍ଟ ବ୍ୟବସାୟୀ ଏହି ସାଇଡିଂରେ ୨୦୦୪ ମସିହାରୁ ବେଆଇନ ଭାବେ ଲୁହାପଥର ପରିବହନ କରିଆସୁଛନ୍ତି। ପରିବହନ କାର୍ଯ୍ୟରେ ଲାଗିଥିବା ବହୁ ଶ୍ରମିକଙ୍କୁ ସେ ଏପର୍ଯ୍ୟନ୍ତ ନିର୍ଧାରିତ ମଜୁରି ଦେଇନଥିବା ବେଳେ, ପାରିଶ୍ରମିକ ମାଗିଲେ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କୁ ସେ ଧମକ ଦେଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି ।

୨୦୧୦-୨୦୧୧ ରେ ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ସମୟରେ କାଳେ ଉକ୍ତ ଅଞ୍ଚଳକୁ ଆସିଯିବେ ସେ ଭୟରେ ସମ୍ପୃକ୍ତ ଠିକାଦାର ଟିକସ ଫାଙ୍କି ଏକାଠି କରିଥିବା ବହୁ ପରିମାଣର ଲୁହା ପଥରକୁ ମାଟିତଳେ ପୋତିରଖିଥିବା ସଂଘ ଅଭିଯୋଗ କରିଛି ।

ଜୁଏଲ ଓରାମ
ଜୁଏଲ ଓରାମ

ଶ୍ରମିକଙ୍କ ସହଯୋଗ ରେ ଚଳିତ ମାସ ପାଞ୍ଚ ତାରିଖ ଦିନ ସରଜମିନ ତଦନ୍ତ କରି ସ୍ଥାନୀୟ ଖଣି ନିରୀକ୍ଷକ ଚୋରା ଲୁହାପଥରକୁ ସାଇଡିଂରେ ପାଞ୍ଚ ଫୁଟ ମାଟି ତଳୁ ଖୋଳି ବାହାର କରିଥିବା ସଂଘ ପ୍ରକାଶ କରିଛି । ମାଟି ତଳେ ରହିଥିବା ଏହି ଲୁହାପଥରର ସୁରକ୍ଷା, ସମ୍ପୃକ୍ତ ଠିକାଦାରି ସଂସ୍ଥାର ମାଲିକ ଓ ତାଙ୍କୁ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି ।

ଖଣି ଦୁର୍ନୀତିର ତଦନ୍ତ କରିଥିବା ଶାହା କମିଶନ ରାଜ୍ୟର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ ମଧ୍ୟ ଏହି ସାଇଡିଂ ଅଞ୍ଚଳକୁ ଯାଇନଥିବା ଶ୍ରମିକ ସଂଘ କହିଛି । ଯଦିଓ ଉକ୍ତ ଅଞ୍ଚଳକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା, ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ଦିନ ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ଶ୍ରମିକ ସଂଗଠନ ଆନ୍ଦୋଳନ କରିବାରୁ ଉକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ତୃଷ୍ଟି ହୋଇଥିବା ପ୍ରଶାସନ ଦର୍ଶାଇ ଥିଲା ।

ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ମଧ୍ୟ ଥିବା ଦର୍ଶାଇ ପ୍ରଶାସନ ଶାହା କମିଶନଙ୍କ ଗସ୍ତକୁ ବାରଣ କରିଥିଲା । ଏହା ଫଳରେ ଶାହା କମିଶନ ଉକ୍ତ ଅଞ୍ଚଳକୁ ଗସ୍ତ କରିପାରିନ ଥିଲେ ବୋଲି ସଂଘ ଅଭିଯୋଗ କରିଛି ।ସଂଘ ସ୍ଥାନୀୟ କ ବଲାଙ୍ଗ ଥାନାରେ ଏକ ଏତଲା ମଧ୍ୟ ଦାୟର କରିଛି ।

ସମ୍ପୃକ୍ତ ଠିକାଦାରଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନ ଥିବା ବେଳେ, ଜିଲ୍ଲା ପୁଲିସ ମୁଖ୍ୟ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ପାଇନଥିବା ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିବା ପାଇଁ ଏକ ସ୍ଵତନ୍ତ୍ର ଦଳ ପଠାଇଥିବା ପ୍ରକାଶ କରିଛି ।

mining-4ଜଣେ ପୂର୍ବତନ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ କହିବ ଅନୁଯାୟୀ ରେଳ ରେକ ରେ ଲୁହା ପଥର ଭର୍ତ୍ତି କରିବା ସମୟରେ ଟନ ପିଛା ପାଖାପାଖି ୫୦ କେଜି ରୁ ୭୦କେଜି ଲୁହାପଥର ଇତସ୍ତତ ପଡିଯାଇଥାଏ । ଏହାକୁ ସ୍ପୀଲଓଭର କୁହାଯାଏ। ଏହାକୁ ଗୋଟାଇ ପରବର୍ତ୍ତୀ ପରିବହନ ସମୟରେ ବ୍ୟବହାର କରାଯାଇଥାଏ।

ତେବେ ଏତେ ପରିମାଣର ସ୍ପୀଲଓଭର କୌଣସି ରେଲୱେ ସାଇଡିଂ ପ୍ଲଟ ରେ ମିଳିବା ଅସ୍ଵାଭାବିକ ଘଟଣା ବୋଲି ସେ କହିଛନ୍ତି । ଦ୍ଵିତୀୟରେ ସରକାରୀ ନିୟମ ଅନୁଯାଇ ରେଲୱେ ସାଇଡିଂ ପ୍ଲଟ ର ଚଟାଣ ସିମେଣ୍ଟ / କଂକ୍ରିଟ ଦ୍ଵାରା ପଲସ୍ତରା ହେବା ଜରୁରୀ, କିନ୍ତୁ ରେଞ୍ଡ଼ା ରେଳ ସାଇଡିଂରେ ଏହା କରାଯାଇନ ଥିବାରୁ ଖଣି ଚୋରି ପାଇଁ ଏହା ସହାୟକ ହୋଇଛି ବୋଲି ସେ କହିଛନ୍ତି ।

ଜୁଏଲ ବନାମ ରାଜ୍ୟ ସରକାର

ଗତ ସପ୍ତାହରେ ସ୍ଥାନୀୟ ଲୋକେ ଏହି ଲୁକ୍କାୟିତ ଲୁହାପଥରକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟାଭିଡି ପ୍ରଥମେ କୋଇଡା ଖଣି ଉପନିର୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ତେବେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କେତେକ ସାମ୍ବାଦିକ ଭିଡିଓ ଚିତ୍ର ଉତ୍ତୋଳନ କରି ସ୍ଥାନୀୟ ଖଣି ଉପନିର୍ଦ୍ଦେଶକଙ୍କୁ ଦେଖାଇଥିଲେ ।

ପରବର୍ତୀ ସମୟରେ ସ୍ଥାନୀୟ ଲୋକେ ଭାରତୀୟ ଜନତା ପାର୍ଟିର ବଣାଇ ଜିଲ୍ଲା ସଂଗଠନକୁ ସମସ୍ତ କଥା ଅବଗତ କରାଇଥିଲେ। ପାର୍ଟିର ବଣାଇ ଜିଲ୍ଲା ସଂଗଠନ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ ତଥା ଜିଲ୍ଲାପାଳ ଇତ୍ୟାଦିଙ୍କୁ ଲିଖିତ ପାତ୍ର ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ।

ଯେପରି କେହି ଏହା ଠାବ କରି ନ ପାରିବେ ଅଥବା ସନ୍ଦେହ କରି ନପାରିବେ ସେହି ଉଦ୍ଦେଶ୍ୟରଖି ସମ୍ପୃକ୍ତ ଠିକାଦାର ଏହି ଲୁହାପଥର ଉପରେ ମାଟି ପକାଇ ତା ଉପରେ ରୋଲର ଚଳାଇ ଦେଇଥିବା ସେମାନେ ଅଭିଯୋଗ କରିଥିଲେ ।

ଏହି ଘଟଣା ଉଗ୍ର ରୂପ ନେବାରୁ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ହସ୍ତକ୍ଷେପ କରି ଯଥାକ୍ରମେ ଖଣି ଉପନିର୍ଦେଶକ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ରାଜ୍ୟ ଖଣି ସଚିବ ଇତ୍ୟାଦିଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଫଳ କିଛି ନ ହେବାରୁ ସେ ବାଧ୍ୟ ହୋଇ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ଦଳ ପଠାଇବାକୁ ଅନୁରୋଧ କରିଥିଲେ।

ଜୁଏଲଙ୍କ ଏହି ଚିଠି ପରେ ସ୍ଥାନୀୟ ଖଣି ଉପନିର୍ଦେଶକ ଏହି ସାଇଡିଙ୍ଗ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଥିଲେ । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ “ସେମିତି କିଛି ହୋଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ । ତେବେ କିପରି ଏତେ ପରିମାଣର ଲୁହା ପଥର ସାଇଡିଂ ନିକଟରେ ରହିଛି ସେ ସଙ୍କ୍ରାନ୍ତରେ ସେମାନେ କିଛି କହି ନଥିଲେ ।

ତେବେ ରାଜ୍ୟ ଖଣି ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶକରି ଓରାମ ସରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ ବୋଲି କହିଛନ୍ତି ।

ଓଡିଶା ଓ ଖଣି ଦୁର୍ନୀତି

ବିଭିନ୍ନ ରାଜ୍ୟରେ ଖଣି ଦୁର୍ନୀତି ହୋଇଥିବା ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ସରକାର ୨୦୧୦ ମସିହାରେ ଏହାର ଯାଞ୍ଚ କରିବା ପାଇଁ ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହାଙ୍କ ନେତୃତ୍ଵରେ ଏକ କମିଶନ ଗଠନ କରିଥିଲେ । ଏହି କମିଶନ ଅନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ଏହାର ଯାଞ୍ଚ କରିଥିଲେ । ଜୁଲାଇ ୨୦୧୩ ରେ କମିଶନ ଓଡିଶା ରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ନିଜର ଚୁଡାନ୍ତ ରିପୋର୍ଟ ପ୍ରଦାନ କରିଥିଲେ ।

ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହା
ଅବସର ପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ଏମ ବି ଶାହା

ଏହି ରିପୋର୍ଟ ରେ ଏହି ରାଜ୍ୟର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ କେବଳ ପ୍ରାୟ ଷାଠିଏ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଏହା ଦେଶର ଅନ୍ୟତମ ବୃହତ୍ତମ ସ୍କାମ ବୋଲି ଦର୍ଶାଇଥିଲେ।

କମିଶନ ଏହି ଦୁର୍ନୀତିର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କରିବା ପାଇଁ ସୁପାରିଶ କରିଥିବା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ର ଅଥବା ରାଜ୍ୟ ସରକାର ଏ ବିଷୟରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ତଦନ୍ତର ଆବଶ୍ୟକତା ନ ଥିବା ଦର୍ଶାଇ ଆସିଥିବା ବେଳେ, ବିଜେପି ଓ କଂଗ୍ରେସ ଏହାର ବିରୋଧ କରିଆସୁଛନ୍ତି ।

ଗତ କିଛି ବର୍ଷ ଧରି ଖଣି ଦୁର୍ନୀତି ବିଷୟ ରାଜନୈତିକ ମହଲରେ ଆପାତତଃ ଗୁରୁତ୍ଵହୀନ ହୋଇ ପଡିଥିବା ବେଳେ, ଜୁଏଲଙ୍କ ବିସ୍ଫୋରକ ବୟାନ ପରେ ଏହା ପୁଣି ଚର୍ଚାକୁ ଫେରିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଖଣି ଦୁର୍ନୀତି, ଜୁଏଲ ଓରାମ, ଜୁଏଲ ବନାମ ରାଜ୍ୟ ସରକାର

ଶାହା କମିଶନଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡ଼ିଶା ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ଏମ.ବି ଶାହା କମିଶନ ଆସନ୍ତା ୨୨ତାରିଖରେ ଦୁଇଦିନ ପାଇଁ ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି ।

କମିଶନର ଯେଉଁସବୁ ତଥ୍ୟ ମାଗିବେ ରାଜ୍ୟ ସରକାର ତାହା ଯୋଗାଇ ଦେବେ ବେଲି ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି । ଚଳିତ ମାସ ଶେଷ ଭାଗରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପୂର୍ବରୁ ଶେଷଥର ପାଇଁ କମିଶନ ଅଧ୍ୟକ୍ଷ ଜଷ୍ଟିସ ଶାହାଙ୍କ ସହ ୟୁ,ବି ସିଂହ ପ୍ରମୁଖ ଓଡ଼ିଶା ଆସିବେ ।

ଏହି ଗସ୍ତ ସମୟରେ କମିଶନ ଖଣି ମାଲିକମାନଙ୍କ ଯୁକ୍ତି ଶୁଣିବା ସହ ରାଜ୍ୟ ସରକାରଙ୍କୁ ତାଙ୍କର ପକ୍ଷ ରଖିବାର ସୁଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥର ତାଙ୍କ ଟିମ୍ କୌଣସି ଖଣି ଅଞ୍ଚଳକୁ ଯିବେ ନାହିଁ । ଭୁବନେଶ୍ୱରରେ ରହି ଖଣି ମାଲିକଙ୍କ ସହ ଆଲୋଚନା କରିବେ ।

କମିଶନର ତାଙ୍କ ଚୁଡାନ୍ତ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ରାଜ୍ୟ ସରକାର କିଛି ଖଣିମାଲିକଙ୍କ ମତ ଶୁଣିବା ଦରକାର ବୋଲି ଅଭିଯୋଗ କରିଥିଲେ ।

ଗତ ୧୨ ତାରିଖରେ ଅନେକ ଖଣିମାଲିକଙ୍କ ପ୍ରତିନିଧିଦଳ ଅହମଦାବାଦ ଯାଇ ସାହାଙ୍କୁ ଭେଟିଥିଲେ ବୋଲି ରାଜ୍ୟ ଖଣି ବିଭାଗ ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ଓଡ଼ିଶାର ୫ଖଣି ମାଲିକଙ୍କ ସହ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ଗତ ମାସରେ ଶାହା କମିଶନଙ୍କୁ ଭେଟି ତଦନ୍ତ ସମୟରେ ସେମାନଙ୍କୁ ପକ୍ଷ ରଖିବାରୁ ସୁଯୋଗ ମିଳିନଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ସେମାନଙ୍କୁ ଶୁଣିବା ପାଇଁ ଦାବି ଜଣାଇଥିଲେ ।

ଏହାଛଡ଼ା ବହୁ ଖଣି ଦୁର୍ନୀତି ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ଓ ଅଭିଷେକ ମନୁ ସିଂହଭି ପ୍ରମୁଖ ମଧ୍ୟ କମିଶନ ଖଣି ମାଲିକ ତଥା ସମ୍ପୃକ୍ତ ରାଜ୍ୟମାନଙ୍କୁ ପକ୍ଷ ରଖିବାର ସୁଯୋଗ ଦେବାକୁ ଯୁକ୍ତି ଦର୍ଶାଇଥିଲେ ।

୨୦୧୦ରେ ସୁପ୍ରିମ କୋର୍ଟ ଦଦ୍ୱାରାଅବସ୍ଥାପିତ ଶାହା କମିଶନ ଗୋଆ ଓ କର୍ଣ୍ଣାଟକ ଖଣି ଦୁର୍ନୀତିର ତଦନ୍ତ ଶେଷକରି ୨୦୧୧ ଡିସେମ୍ବରରୁ ଓଡ଼ିଶା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ଇତିମଧ୍ୟରେ କମିଶନ ତଥା ତାଙ୍କର ସଦସ୍ୟମାନେ ତିନିଥର ଓଡ଼ିଶା ଆସି ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଥର ଗସ୍ତରେ ନିଜେ ଜଷ୍ଟିସ ଶାହା ଆସିଥିଲେ ମଧ୍ୟ ପରବର୍ତୀ ସମୟରେ ଆସିନଥିଲେ । ଗତ ନଭେମ୍ବର ମାସରେ ୟୁ.ବି ସିଂହଙ୍କ ନେତୃତ୍ୱରେ ଏକ ଦଳ ଆସି ଖଣି ଦୁର୍ନୀତିର ସରଜମିନ ତଦନ୍ତ କରିଥିଲେ ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଶା, ଖଣି ଦୁର୍ନୀତି, ରାଜ୍ୟ ସରକାର, ଶାହା କମିଶନ

ଖଣି ଦୁର୍ନୀତିର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ : ମନ୍ତ୍ରୀ

December 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୭(ଓଡିଶା ଡଟ୍ କମ୍)-ଖଣିଦୁର୍ନୀତିର କୌଣସି ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସୋମବାର ଦିନ ବଧାନସଭାରେ ପ୍ରକାଶ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂହ ।

ଖଣି ଦୁର୍ନୀତ ଓ କୋଇଲାବ୍ଲକ କେଳଙ୍କାରୀ ଓଡିଶା ସରକାର ଓ ଓଏମ୍ସି ଭାଗିଦାରୀ ଶୀର୍ଷକ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ କହିଛନ୍ତି ଯେ,ସରକାରଙ୍କ ପାଖରେ ଯେତେ ରେକର୍ଡ ଅଛି ତାହା ଯାଞ୍ଚ ପାଇଁ ଯଥେଷ୍ଟ ।

କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେଡି ଶାସନ କାଳରେ ରାଜ୍ୟରେ ତିନିଲକ୍ଷ କୋଟି ଟଙ୍କାର ଖଣି ଲୁଟ ହୋଇଛି । ଖଣି ନିୟମର ଖୋଲାଖୋଲି ଉଲଘଂନ ହୋଇଛି । ବିରୋଧୀଙ୍କ ଏହି ଅଭିଯୋଗକୁ ଅଧିକ ଖୋରାକ ଯୋଗାଇଥିଲା ବିଭାଗୀୟ ମନ୍ତ୍ରୀଙ୍କ ଉତର ।

ସରକାରୀ ସଂସ୍ଥା ଓଡିଶା ମାଇନିଙ୍ଗ କର୍ପୋରେସନ (ଓଏମ୍ସ) ଆଠ ହଜାର ଆଠ ଶହ କୋଟି ଟଙ୍କାର ଅଧିକ ଖଣିଜ ସଂପତ ଉତୋଳନ କରି ବିକ୍ରି କରିଛି ବୋଲି ମନ୍ତ୍ରୀ ସୂଚନା ଦେବାପରେ ସରକାରଙ୍କୁ ଘେରିଥିଲା ବିରୋଧୀ ।

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି ସରକାରୀ ସଂସ୍ଥା ଖଣି ଲୁଟ କରୁଥିବା ବେଳେ ରାଜ୍ୟ ସରକାର ଅନ୍ୟ ମୁଣ୍ଡରେ ଅଠାବୋଳିବାକୁ ଅପଚେଷ୍ଟା କରୁଛନ୍ତି । ମନ୍ତ୍ରୀତ ନିଜେ ସ୍ୱୀକାର କଲେ ।

ଓଏମ୍ସି ବେଆଇନ ଖଣି କାରବାରରେ ଲିପ୍ତ । ଯାହା ଆକଳନ କରାଯାଇଛି ଆଠ ହଜାର କୋଟି ଟଙ୍କା । ସରକାର ଅନ୍ୟମାନଙ୍କୁ ମାଗିଛନ୍ତି ତୁରନ୍ତ ଏ ଟଙ୍କା ପଇଠ କର । ଏତିକି ଦିନ ଭିତରେ ପଇଠ ନକଲେ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଗେ ସରକାର ଓଏମ୍ସି ର ଟଙ୍କା ପଇଠ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି କେବଳ ଖଣିଜ ପଦାର୍ଥ ନୁହେଁ ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଦୁର୍ନୀତି କରିଛନ୍ତି । ରାଜ୍ୟକୁ ମିଳିଥିବା ୧୬ଟି କୋଇଲା ବ୍ଲକ ମଧ୍ୟରୁ ୩ଟିକୁ ରଦ୍ଧ କରିବା ପାଇଁ କେନ୍ଦ୍ର ସରକାର ନିସ୍ପତି ନେଇ ସାରିଛନ୍ତି ।

ଘରୋଇ ସଂସ୍ଥା ସୈନିକ ମାଇନିଂକୁ କୋଇଲା ବ୍ଲକର ୭୪ ପ୍ରତିଶତ ଅଂଶଧନ ଦେଇ ରାଜ୍ୟ ସରକାର ଏବେ ଅଠାକାଠିରେ ପଡିଛନ୍ତି । ଏ କାରବାର ଦଦ୍ୱାରାରାଜ୍ୟ କେତେ ଅର୍ଥ ହରାଇଛି ତାହା ଲୋକଙ୍କୁ ଜଣାଇବାର ସହ ଦୁର୍ନୀତିର ସିବିଆଇ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଇସ୍ପାତ, ଓଡ଼ିଶା ସରକାର, ଖଣି ଦୁର୍ନୀତି, ବିଜେପି ବିଧାୟକ, ବିରୋଧୀ, ସିବିଆଇ

ଖଣି ଦୁର୍ନୀତି: ଦିଗ୍ବିଜୟଙ୍କ ଟାର୍ଗେଟରେ ନବୀନ

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)- ଓଡିଶା ଗସ୍ତରେ ଆସିଥିବା ସାଧାରଣ ସଂପାଦକ ଦିଗ୍ବିଜୟ ସିଂ ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ନେଇ ତୀବ୍ର ସମାଲୋଚନା କରିଥିବା ବେଳେ ଏଫ୍ଡିଆଇ ପ୍ରସଙ୍ଗରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଛନ୍ତି ।

ଏକ୍ସ୍ସେସ୍ ମାଇନିଂ ନେଇ ଓଡିଶା ସରକାର ୭୦ ହଜାର କୋଟି ଟଙ୍କାର ଜୋରିମାନା ପାଇଁ ନୋଟିସ୍ ଦେଇଥିବା ବେଳେ ପୂର୍ବରୁ ମୁଖ୍ୟମନ୍ତ୍ରୀ କଣ କରୁଥିଲେ । ରାଜ୍ୟରେ ଦୀର୍ଘ ୧୨ବର୍ଷ ଧରି ବିଜେଡି ସରକାର ଚାଲିଥିବା ବେଳେ ଖୋଲାଖୋଲି ଭାବରେ କୋଇଲା ଦୁର୍ନୀତି ହୋଇଥିଲା । ସେତେବେଳେତ ତାଙ୍କରି ମନ୍ତ୍ରୀମାନେ ଥିଲେ । କାହିଁକି ସେମାନେ ପଦକ୍ଷେପ ନେଉ ନଥିଲେ ବୋଲି ସିଂ ପ୍ରଶ୍ନ କରିଛନ୍ତି ।

ସେହିଭଳି ସାହା କମିଶନ ବିନା ଲିଜ୍ ରେ ହୋଇଥିବା ମାଇନିଂ ଉପରେ ତଦନ୍ତ କରିବାକୁ ସେ କମିଶନଙ୍କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର କୃଷି ଉପରେ ଗୁରୁତ୍ୱ ଦେଉନାହାଁନ୍ତି । କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅଗ୍ରାଧିକାର ଦେଇଥିବାରୁ ଏହା ଦେଶପାଇଁ ଭଲ । କୋଇଲା ବ୍ଲକ ଆବଣ୍ଟନରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସିଂ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କୃଷି, ଖଣି ଦୁର୍ନୀତି, ବିଜେଡ଼ି, ରାଜ୍ୟ ସରକାର, ସାହା କମିଶନ

ଶାହା କମିଶନଙ୍କ ତୃତୀୟ ପର୍ଯ୍ୟାୟ ତଦନ୍ତ ଶେଷ

November 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ଓଡ଼ିଶାରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବାପାଇଁ ଶାହା କମିଶନଙ୍କ ଆଜି ହେଉଛି ତୃତୀୟ ପର୍ଯ୍ୟାୟର ଶେଷ ଦିବସ ।

ଆଜିସୁଦ୍ଧା ସମସ୍ତ ଲୁହାପଥର ଖଣି କମ୍ପାନୀ ଓ କିଛି ଗୁରୁତ୍ୱ ପୂର୍ଣ୍ଣ ମାଙ୍ଗାନିଜ ଖଣି କମ୍ପାନୀଙ୍କ ଫାଇଲ ଯାଞ୍ଚ କାର୍ଯଶେଷ କରିବୁ ବୋଲି କହିଛନ୍ତି କମିଶନ ମୁଖ୍ୟ । ୧୪୫ଟି ଲୁହା ପଥର ଖଣି ଓ କିଛି ମାଙ୍ଗାନିଜ ଖଣିର କାଗଜପତ୍ର ଯାଞ୍ଚ ସରିଛି ।

ବାକି ୩୩ଟି ମାଙ୍ଗାନିଜ ଖଣିର କାଗଜ ପତ୍ର ଯାଞ୍ଚ ଆଜି ସରିପାରିବ ନାହିଁ । କମିଶନରଙ୍କର ଏହା ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଓଡ଼ିଶା ଗସ୍ତ ବୋଲି କୁହାଯାଉଥିଲେ ମଧ୍ୟ ପରିସ୍ଥିତି ପଡିଲେ ପୁଣିଥରେ ଆସି ପାରନ୍ତି ବୋଲି କହିଛନ୍ତି କମିଶନ ମୁଖ୍ୟ ଉପେନ୍ଦ୍ର କୁମାର ସିଂହ ।

ଟିମ୍ ମୁଖ୍ୟ କହିଛନ୍ତି ମଧ୍ୟବର୍ତୀ କାଳୀନ ରିପୋର୍ଟ ଦିଆଯିବ ନାହିଁ । ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ । ଏଥର ଗସ୍ତରୁ ସଂଗୃହିତ ତଥ୍ୟ ବାବଦରେ ଜଷ୍ଟିସ ଏମ୍ ବି ସାହା ଓ କମିଶନଙ୍କ ସହ ଥିବା କିଛି ହାଇକୋର୍ଟ ଜଜ୍ଙ୍କ ସହ ଆଲୋଚନା ପରେ ପୁଣି ଓଡିଶା ଆସିବା ବାବଦରେ ନିସ୍ପତି ନିଆଯିବ । କମିଶନଙ୍କ ଟିମ୍ ଗତକାଲି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ।

ଖଣିନିଦେ୍ର୍ଧଶକ ଦୀପକ ମହାନ୍ତିଙ୍କ ସୂତ୍ରରୁ ଜଣାପଡିଛି ଏହି ରିପୋର୍ଟ ଡିସେମ୍ବରମାସ ଶେଷ ସୁଦ୍ଧା ଆସିପାରେ ।

୩୦ ତାରିଖ ସନ୍ଧ୍ୟାରେ କମିଶନଙ୍କ ୬ ଜଣ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଥିଲେ । ତଦନ୍ତକାରୀ ଦଳର ସଦସ୍ୟମାନେ ନଭେମ୍ବର ୧ ଓ ୨ ତାରିଖରେ କେନ୍ଦୁଝର ଜିଲାର କୋଇଡା ଖଣି ଅଞ୍ଚଳ ଗସ୍ତକରି ଖଣିର ସରଜମିନ ତଦନ୍ତ କରିଥିଲେ । ଅକ୍ଟୋବର ପ୍ରଥମ ସପ୍ତାହ ଗସ୍ତକାଳରେ ତାଙ୍କ ଦଳ ୮୩ଖଣିର କାଗଜପତ୍ର ଯାଞ୍ଚ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଶାହା କମିଶନ

ଶାହା କମିଶନଙ୍କ ଭୁବନେଶ୍ୱରରେ ଖଣି ଫାଇଲପତ୍ର ଯାଞ୍ଚ

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– ଖଣି ଦୁର୍ନୀତିର ତଦନ୍ତ କରିବାକୁ ଆସିଥିବା ଶାହା କମିଶନଙ୍କ ପ୍ରତିନିଧିଦଳ ଦୁଇଦିନ ସରଜମିନ ତଦନ୍ତପରେ ଆଜି ଭୁବନେଶ୍ୱରଠାରେ ବାକିଥିବା ଖଣିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

କମିଶନ ସଦସ୍ୟ ୟୁ.ଭି.ସିଂ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉ ରରେ କହିଲେ ଗୋଆ ଓ କର୍ଣ୍ଣାଟକରେ ହୋଇଥିବା ଖଣି ଦୁର୍ନୀତି ଠାରୁ ଓଡିଶାର ଦୁର୍ନୀତି ଅନ୍ୟପ୍ରକାର ।

ଏହାପୂର୍ବରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ମଧ୍ୟରେ ୮ଟି ଖଣି ପରିଦର୍ଶନ ସାରି ଶାହା କମିଶନଙ୍କ ୬ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଫେରି ଆସିଛନ୍ତି ।

ପ୍ରଥମ ଦିନରେ କମିଶନ ଗୁଆଲିସ୍ଥିତ ଆର.ପି.ସାଓ ଖଣି, ନୂଆଗାଁ ସ୍ଥିତ କେଜେଏସ ଆଲୁୱାଲିଆ ଖଣି, କୋଇଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ରୁଙ୍ଗଟା କମ୍ପାନୀର ନଦୀଡ଼ିହି ବିକୋ ଖଣି ଓ ଟେନସାସ୍ଥିତ ଜିନ୍ଦଲ କମ୍ପାନୀ ଖଣି ପରିଦର୍ଶନ କରିଥିଲେ ।

ଦ୍ୱିତୀୟ ଦିନରେ କମିଶନ ଗୀତାରାଣୀ ମହାନ୍ତି ଲୁହା ଖଣି, ଭଞ୍ଜପାଲ୍ଲୀସ୍ଥିତ ଜିତେନ୍ଦ୍ରନାଥ ପଟ୍ଟନାୟକ ଖଣି ପରିଦର୍ଶନକରି ବଳଦାସ୍ଥିତ ସିରାଜୁଦ୍ଧିନ ଖଣି ପରିଦର୍ଶନ କରିଥିଲେ ।

ଭୁବନେଶ୍ୱରଠାରେ କମିଶନ ବାକିଥିବା ଖଣିର କାଗଜପତ୍ର ଯାଂଚ ସାରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ କ୍ଷେତ୍ର ପରିଦର୍ଶନ ପାଇଁ ଖଣି ଅଞ୍ଛଳ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଶାହା କମିଶନ

ଜନମୋର୍ଚ୍ଚା ସଦସ୍ୟ ଅମିୟ ପାଣ୍ଡବ ଗିରଫ , ଜାମିନରେ ଛାଡ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଓଡିଶା ଜନମୋର୍ଚ୍ଚାର ସଦସ୍ୟ ଅମିୟ ପାଣ୍ଡବ ଆଜି ଗିରଫ ହେଲାପରେ ସର୍ତମୂଳକ ଜାମିନିରେ ଛାଡ ପାଇଛନ୍ତି ।

ଆଜି ସକାଳେ ତାଙ୍କ ଭିଏସ୍ଏସ୍ ନଗରସ୍ଥିତ ଘରୁ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ଓଡିଶା ଲୋକଦଳର ସଭାପତି ଦିପ୍ତି ରଂଜନ ମହାନ୍ତିଙ୍କୁ ଧମକ, ଗାଳି ଗୁଲଜ ଏବଂ ତାଙ୍କ ଫାର୍ମକୁ ପୋଡି ଦେବା ଅଭିଯୋଗରେ ପାଣ୍ଡବଙ୍କୁ ଗରିଫ କରାଯାଇଥିଲା । ତେବେ ପରେ ତାଙ୍କୁ ସର୍ତମୁଳକ ଜାମିନ ମିଳିଛି ।

ଗତ ସେପ୍ଟେମ୍ବର ୨୬ ତାରିଖରେ ମହାନ୍ତିଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବିରୋଧରେ ଖଣି ଦୁର୍ନୀତି ସଂପୃକ୍ତି ଅଭିଯୋଗରେ ଓଡିଶା ଲୋକଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭ କାହିଁକି କରାଗଲା ତାହାର ପ୍ରତିବାଦରେ ପାଣ୍ଡବ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ଦିପ୍ତି ରଂଜନଙ୍କୁ ତାଙ୍କ ଘରେ ଯାଇ ଧମକ ଚମକ ଦେଇଥିବା ଦିପ୍ତି ରଂଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।

ପାଣ୍ଡବ କହିଛନ୍ତି ଦିପ୍ତି ରଂଜନ ମହାନ୍ତି କିଏ ସେ ଆଦୈା ଜାଣନ୍ତି ନାହିଁ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଜନମୋର୍ଚ୍ଚା, ପୋଲିସ, ପ୍ୟାରୀମୋହନ ମହାପାତ୍ର, ରାଜଭବନ

ଭୁବନେଶ୍ୱରରେ ଶାହା କମିଶନଙ୍କ ପ୍ରତିନିଧି ଦଳ

October 31, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) –ଖଣି ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ଏମ.ବି.ଶାହା କମିଶନଙ୍କ ବରିଷ୍ଠ ପ୍ରତିନିଧିଦଳ ୧୨ ଦିନିଆ ବୁଧବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ସେମାନେ ୧୧ ତାରିଖ ପର୍ଯ୍ୟନ୍ତ ରହିବେ ।

ଏହି ପ୍ରତିନିଧିଦଳରେ ଯେଉଁ ବରିଷ୍ଠ ଅଫିସରମାନେ ଆସୁଛନ୍ତି ସେମାନେ ହେଲେ ବିଶ୍ୱଜିତ ମିଶ୍ର, ସରୋଜ ଷଡଙ୍ଗୀ, ଜି.ଟି.ପାଣ୍ଡିଆ ଓ ଜନାର୍ଦନ ପ୍ରସାଦ ।

କମିଶନର ମୁଖ୍ୟ ଅନୁସନ୍ଧାନକାରୀ ୟୁ.ଭି. ସିଂହଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧିଦଳ ୩୧ ତାରିଖ ଦିନ ଏଠାରେ ଆସି ପହଞ୍ଚିବା ପରେ ବରିଷ୍ଠ ଅଫିସରମାନଙ୍କ ସହିତ ଆଲୋଚନା କରିବେ ।

ତାହାପରେ ସେମାନେ ୧ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯାଇ ସୁନ୍ଦରଗଡର କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବେ ।

ସେଠାରେ ସେମାନେ ଦୁଇଦିନ ଧରି ଲୁହାପଥର ଓ ମାଙ୍ଗାନିଜ ଖଣିଗୁଡିକ ବୁଲି ଦେଖିବେ । ସେଠାରୁ ଫେରିବା ପରେ ପୁଣି ଖଣି ଉତୋଳନ ସଂକ୍ରାନ୍ତ ବିଭିନ୍ନ ନଥିପତ୍ର ଯାଞ୍ଚ କରିବେ ।

କମିଶନଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଇଦେବାସହ ସହାୟତା କରିବାକୁ ବିଶେଷକରି କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଶାହା କମିଶନ

ଶାହା କମିଶନଙ୍କ ତନାଘନା ତଦନ୍ତ

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ଓଡ଼ିଶାରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ଆସିଥିବା ଶାହା କମିଶନଙ୍କ ୬ଜଣିଆ ତଦନ୍ତକାରୀ ଦଳ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ପୂର୍ବାହ୍ନ ୯ଟା ୩୦ ମିନିଟରୁ ତଦନ୍ତ ଆରମ୍ଭ ହୋଇଥିଲା । ରାତି ୮ଟା ପର୍ଯ୍ୟନ୍ତ ତଦନ୍ତ କାର୍ଯ୍ୟ ଚାଲିଥିଲା ।

ମୁଖ୍ୟତଃ ମୟୂରଭଞ୍ଜ, କେନ୍ଦୁଝର ଓ ବଣାଇ ଖଣିମଣ୍ଡଳରେ ଥିବା ଖଣି ଉପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତକାଳରେ ମୟୂରଭଞ୍ଜ ଜିଲାର ସୁଲେଇପାଟ ଖଣି ଉପରେ କମିଶନ ସନ୍ଦେହ ପ୍ରକାଶ କରିଥିବା ନେଇ ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି ।

ଏହି ତଦନ୍ତ ସମୟରେ ସଂପୃକ୍ତ ଖଣି ମଣ୍ଡଳର ଅଧିକାରୀମାନଙ୍କୁ କମିଶନର ସଦସ୍ୟମାନେ ଜେରା କରୁଥିଲେ । ରାତି ସୁଦ୍ଧା ପ୍ରାୟ ୧୦ଟି ଖଣିର କାଗଜପତ୍ରକୁ ତଦନ୍ତ କରିଥିବା ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଶାହା କମିଶନ

ଖଣି ଦୁର୍ନୀତି: ଭୁବନେଶ୍ୱରରେ ଶାହା କମିଶନ ଟିମ୍

October 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩ (ଓଡ଼ିଶା ଡ଼ଟ୍ କମ୍) –ଖଣି ଦୁର୍ନୀତିର ତଦନ୍ତ ଚଳାଇଥିବା ଶାହା କମିଶନ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ।

ପୂର୍ବାହ୍ନରେ ୩ ଜଣ ସଦସ୍ୟ ପହଞ୍ଚିଥିଲେ ସେମାନେ ହେଲେ ୟୁ.ଭି.ସିଂ,ଜି.ଟି. ପାଣ୍ଡିଆ ଏବଂ ଜନାର୍ଦ୍ଧନ ପ୍ରସାଦ । ଏମାନଙ୍କପରେ ଆଉ ୩ ଜଣ ସଦସ୍ୟ ବିଶ୍ୱଜିତ ନିଶ୍ରା, ସରୋଜ ଷଡ଼ଙ୍ଗି ଷ୍ଟେନୋଗ୍ରାଫର ଏଭିଏସ୍ ପ୍ରସାଦ ସଂଧ୍ୟାବେଳେ ଆସି ପହଞ୍ଚିଥିଲେ ।

କମିଶନଙ୍କ ଟିମ୍ ଲିଡ୍ର ୟୁ.ଭି.ସିଂ ସୂଚନା ଦେଇଛନ୍ତି ଯେ, ଖଣି ଆବଣ୍ଟନ ଓ ପରିଚାଳନା ସଂପର୍କରେ ବିଭିନ୍ନ ବିଭାଗରୁ ମଗା ଯାଇଥିବା ନଥିପତ୍ର ଓ ଦଲିଲ ଗୁଡିକୁ କମିଶନ ସମୀକ୍ଷା କରିଛନ୍ତି । ଖଣି ଅଞ୍ଚଳ ଯିବାକୁ ନିସ୍ପତି ହୋଇନାହିଁ । ଆବଶ୍ୟକ ହେଲେ ଖଣି ଅଞ୍ଚଳ ଗସ୍ତ କରାଯିବ ।

ଖଣି ଦୁର୍ନୀତି ଅଭିଯୋଗ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କମିଶନଙ୍କ ଏହା ଓଡିଶାକୁ ଦ୍ୱିତୀୟ ଗସ୍ତ । କେମିତି କମିଶନଙ୍କ ସବୁ ପ୍ରଶ୍ନର ଉତରକୁ ଠିକଣା ଭାବେ ପ୍ରକାଶ କରିବେ ସେନେଇ ସରକାର ଏବେ ଲାଗି ପଡିଛନ୍ତି ।

ଏଥିପାଇଁ ଗୋଛାଗୋଛା ପାଂଇଲ ବୁହା ହୋଇ ଯାଉଛି ଅତିଥି ଭବନକୁ ।ବିଶେଷକରି ଓଏମ୍ସି ଏବଂ ରାଜ୍ୟ ଖଣି ବିଭାଗ ସବୁ ଖଣିର ଟିକିନିଖି ରେକଡକୁ ଏକାଠି କରିଛନ୍ତି । ଯେଉଁ ଫାଇଲ ଯେତେବେଳେ ମଗା ଯିବ ତାହାକୁ ତତ୍କକ୍ଷ୍ୟାଣତ ଦିଆଯିବ ।

ଗୁରୁବାର ସଂପୂର୍ଣ୍ଣ ଟିମ୍ ତିନିଭାଗରେ ବିଭକ୍ତ ହୋଇ ତଦନ୍ତ କରିବେ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରିବେ । ଅପରାହ୍ନରେ ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଥିଲା ଛାନଭିନ୍ । ହେଲେ ପ୍ରଥମ ଦିନରେ ଖଣିସଂଖ୍ୟା ନେଇ ମତଭେଦ ଦେଖା ଦେଇଛିା

ଆଇବିଏମ୍ ସୂତ୍ରରୁ ଖଣିସଂଖ୍ୟା-୧୯୩ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ୧୪୩ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣି କମିଶନ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଆବଣ୍ଟନ, ଖଣି ଦୁର୍ନୀତି, ଶାହା କମିଶନ, ସରକାର

  • Go to page 1
  • Go to page 2
  • Go to Next Page »

Primary Sidebar

RSS LATEST

  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ
  • ଭୁବନେଶ୍ୱରରେ ଆଜିକାର ତାପମାତ୍ରା ୩୫.୫ ଡିଗ୍ରୀ
  • ଜାନୁଆରୀ ଦରମା ନ ମିଳିବାରୁ ସୁରକ୍ଷା କର୍ମୀଙ୍କ ଧାରଣା