ଓଡିଶା ଡଟ କମ: କପିଳାସ ଭୂୟାଁ
ଓଡିଶାରେ କାର୍ଯରତ ସାମ୍ବାଦିକଙ୍କ ସଂଖ୍ୟା କେତେ ତାହା ରାଜ୍ୟ ସରକାରଙ୍କୁ ଜଣାନାହିଁ। ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇସାରିଲେ ହିଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ଓ ପେନସନ ପ୍ରଦାନ କରିବାକୁ ହୁଏତ ପଦକ୍ଷେପ ନିଆଯାଇ ପାରିବ। କିନ୍ତୁ ବାରମ୍ବାର ଚେଷ୍ଟା କରି ସରକାର ସାମ୍ବାଦିକଙ୍କ ସଂଖ୍ୟା ଗଣନା କରିବାରେ ବିଫଳ ହେଉଛନ୍ତି।
ସରକାର କହୁଛନ୍ତି ସାମ୍ବାଦିକଙ୍କ ସଂଖ୍ୟା ଗଣନା ଚାଲିଛି ମାତ୍ର ତାହା ଶେଷ ହେଉନାହିଁ। କେବେ ଶେଷ ହେବ ସରକାର ନିର୍ଦ୍ଧିଷ୍ଟ ଭାବେ କିଛି କହି ପାରୁନାହାନ୍ତି। ଗତ ଶୁକ୍ରବାର ଦିନ ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ଅଣତାରକା ଯୁକ୍ତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଏହା ଜଣାପଡିଛି।
ରାଜ୍ୟରେ ସାମ୍ବାଦିକ ଗଣନା ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହୋଇଛି ଓ ଏହା କେବେ ସରିବ ଏବଂ ଏବେ ରାଜ୍ୟରେ କେତେ ସାମ୍ବାଦିକ ଅଛନ୍ତି, ସାମ୍ବାଦିକ ମାନଙ୍କ ପାଇଁ ସରକାର ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଜନା କେବେଠାରୁ ଲାଗୁ କରିବେ ତାହା ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।
ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ ଜଣାଇଛନ୍ତି ଯେ ଅତୀତରେ ବହୁବାର ଚେଷ୍ଟା କରି ସାମ୍ବାଦିକମାନଙ୍କ ସଂଖ୍ୟା ଗଣନା କରାଯାଇ ପାରିନାହିଁ। ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ପୁନଶ୍ଚ ଏହା ୨୦୧୪ରୁ ଆରମ୍ଭ ହୋଇଛି।
ବିଭିନ୍ନ ଜିଲ୍ଲାରୁ ମିଳିଥିବା ସାମ୍ବାଦିକଙ୍କ ଦରଖାସ୍ତଗୁଡିକ ଯାଞ୍ଚ ପରେ ଏହା ଚୁଡାନ୍ତ ହେବ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ବିହିତ ପଦକ୍ଷେପ ନିଆଯାଉଛି, ଏବଂ ସାମ୍ବାଦିକ ଗଣନା ପରେ ପେନସନ ଯୋଜନା ପ୍ରଚାଳନ ପାଇଁ ବିଚାର କରାଯିବ।
ଏହି ଭଳି ଉତ୍ତରରୁ କବି ଯଦୁମଣିଙ୍କ ଚଉପଦୀ ମନେ ପଡେ,
“ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ,
ଏମନ୍ତ ଭୁଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ“।
ମନ୍ତ୍ରୀଙ୍କ ଏଭଳି ଉତ୍ତରର ପ୍ରତିକ୍ରିୟାରେ ବିଧାନ ସଭା ବାହାରେ ବିଧାୟକ ଶ୍ରୀ ରାୟ ଅତି ରୋଚକ ଟିପ୍ପଣୀ ଦେଇ କହିଲେ ଯେ ଓଡିଶା ସମେତ ସାରା ଦେଶର ଜନ ସଂଖ୍ୟା କେତେ ତାହା ପ୍ରତି ଦଶ ବର୍ଷରେ ଥରେ ଗଣାଯାଇ ପାରୁଛି। ଓଡ଼ିଶାର ଜଙ୍ଗଲରେ କେତେ ବାଘ-ହାତୀ ଅଛନ୍ତି ଓ କେଉଁ ନଈରେ କେତେ କୁମ୍ଭୀର ଅଛନ୍ତି ତାହା ସରକାର ଗଣି ପାରୁଛନ୍ତି।
ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ବି ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି ଗଣନା କରି ରିପୋର୍ଟ ଦେଇ ପାରୁଛନ୍ତି, ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମରେ କେତେ ସାମ୍ବାଦିକ କାର୍ଯ୍ୟରତ ଅଛନ୍ତି ତାହା ସରକାର ଗଣନା କରିପାରୁ ନାହାନ୍ତି।
ଏହା ବାସ୍ତବରେ ଏକ ଚିନ୍ତାର ବିଷୟ। କାରଣ ଗୋଟିଏ ପଟେ ସାମ୍ବାଦିକଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ କୁହ ଯାଉଥିବା ବେଳେ, ଅନ୍ୟ ପଟେ ସରକାରଙ୍କର ସେମାନଙ୍କ ପ୍ରତି ବହୁ ମାତ୍ରାରେ ବୈମାତୃକ ମନୋଭାବ ରହିଛି। ଅଧିକାଂଶରେ କାର୍ଯ୍ୟକାଳ ଭିତରେ ବହୁ ଓଡିଆ ସାମ୍ବାଦିକ ଉଚିତ ଦରମା ନପାଇ ହନ୍ତସନ୍ତ ହେଉଥିବା ବେଳେ, ଅବସର ପରେ ତା’ ପାଇଁ ଜୀବନ ବଞ୍ଚିବାର କୌଣସି ରାହା ନଥାଏ।
ଅସୁସ୍ଥତା ବେଳେ ତା’ ନିଜର ଓ ପରିବାରର ଚିକିତ୍ସା ପାଇଁ ଜଣେ ସାମ୍ବାଦିକ କଣ କରିବ ଜାଣେ ନାହିଁ। ଏହି ପରିପ୍ରେକ୍ଷୀରେ ସରକାର ବର୍ଷ ବର୍ଷ ଧରି ସାମ୍ବାଦିକଙ୍କ ସଂଖ୍ୟା ଗଣନା କରାଯାଇ ପାରିନଥିବା ବାହାନାରେ ସ୍ୱାସ୍ଥ୍ୟ ବୀମା ଓ ପେନସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିବାକୁ କାଳ କ୍ଷେପଣ କରି ଚାଲିବା ନିଶ୍ଚୟ ଅତି ନିର୍ଦ୍ଦୟ ମାନସିକତାର ପରିଚୟ ଦେଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
ଉଲ୍ଲେଖନୀୟ କି ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅନୁମୋଦନ ପାଇଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ଖବରକାଗଜ ଓ ପତ୍ର ପତ୍ରିକାର ସମୁଦାୟ ସଂଖ୍ୟା ୧୯୨। କିନ୍ତୁ ରାଜ୍ୟରେ କାମ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମର ସଂଖ୍ୟା ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉତ୍ତରରେ କହିଛନ୍ତି।
ଏହା ଆଚମ୍ବିତ କରିଦେଲା ପରି କଥାଟିଏ ନୁହେଁ କି? ଯଦି କୌଣସି ବୈଦ୍ୟୁତିକ ଗଣମାଧ୍ୟମ ବିଭାଗ ଦ୍ଵାରା ଅନୁମୋଦିତ ନୁହେଁ, ତେବେ ସେମାନଙ୍କର ଏକାଧିକ ପ୍ରତିନିଧି ଓ ଟିମକୁ ପ୍ରତିଦିନ କିଭଳି ରାଜ୍ୟ ସଚିବାଳୟ ଓ ସମ୍ପ୍ରତି ବିଧାନସଭାରେ ଦେଖିବାକୁ ମିଳୁଛି?
ମନ୍ତ୍ରୀ ଶ୍ରୀ ନାୟକ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଅଧିସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କ ସମୁଦାୟ ସଂଖ୍ୟା ୧୯୫। ଅନ୍ତତଃ ପକ୍ଷେ ସରକାରଙ୍କ ନିକଟରେ ଏହି ନିର୍ଦ୍ଧିଷ୍ଟ ହିସାବ ତ ରହିଛି। ତେବେ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା ଏହି ସଂଖ୍ୟା ଆଧାରରେ ଆରମ୍ଭ କରାଯାଉନାହିଁ କାହିଁକି?
କାହିଁକି ସରକାର ଭାବୁଛନ୍ତି ଯେ ସମୁଦାୟ ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ ପରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଓ ପେନସନ ବ୍ୟବସ୍ଥା କଥା ସରକାର ଚିନ୍ତା କରିବେ? କୌଣସି ବ୍ୟବସ୍ଥା ତିଆରି କରିବା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟା ନଜାଣିଥିବା ଯୋଗୁ କିଭଳି ବା ଅନ୍ତରାୟ ସୃଷ୍ଟି ହେଉଛି? ତେବେ କଣ ସରକାର ଜାଣିଶୁଣି ସାମ୍ବାଦିକଙ୍କ ସଂଖ୍ୟା ନିର୍ଧାରଣ କରିବାକୁ ଚାହୁଁ ନାହାନ୍ତି ? ଯଦି ଚାହୁଁ ନାହାନ୍ତି ତେବେ କଣ ପାଇଁ ?
ଅତ୍ୟନ୍ତ କ୍ଷୋଭର ସହ ବିଧାୟକ ଦିଲୀପ ରାୟ ମତ ଦିଅନ୍ତି, “କାର୍ଯ୍ୟରତ ସାମ୍ବାଦିକଙ୍କ ଗଣନା କରି ନପାରିବା କେବଳ ସରକାରଙ୍କ ଅପାରଗତା ନୁହେଁ, ବରଂ ସାମ୍ବାଦିକମାନଙ୍କ ପ୍ରତି ସରକାରୀ କଳର ହେୟ ମନୋଭାବର ପରିଚାୟକ”।
ସରକାର ଶୁଣି ପାରୁଛନ୍ତି ତ?
ଓଡିଶା ଡଟ କମ