• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଣମାଧ୍ୟମ

ବିଧାୟକଙ୍କ ମୁକ୍ତି ନେଇ ପୁଣି ସମୟସୀମା ଦେଲେ ମାଓବାଦୀ

April 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ବୁଧବାର୧୮ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ରବିବାର ପୁଣିଦିନ ଧାର୍ଯ୍ୟ କରିଛନ୍ତି ।

ଆସନ୍ତା ୧୮ ତାରିଖ ୨୯ ଜଣ ବନ୍ଦୀଙ୍କୁ ଧରି କୋରାପୁଟ ଜିଲ୍ଲା ବାଲିପେଟାକୁ ଆସିଲେ ବିଧାୟକଙ୍କୁ ହସ୍ତାନ୍ତର କରାଯିବ ବୋଲି ମାଓନେତ୍ରୀ ଅରୁଣା କେତେକ ଗଣମାଧ୍ୟମକୁ ପଠାଇଥିବା ବାର୍ତାରେ କହିଛନ୍ତି ।

ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ଏହି ନୂଆ ସମୟସୀମା ଧାର୍ଯ୍ୟ କରିଛନ୍ତି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଲା ।

ପୂର୍ବରୁ ବିଧାୟକଙ୍କ ମୁକ୍ତି ପାଇଁ ସେମାନେ ୧୦ ତାରିଖକୁଦିନ ଧାର୍ଯ୍ୟ କରିଥିଲେ । ମାଓବାଦୀଙ୍କ ଦାବି ଅନୁଯାୟୀ ଖଲାସ ହେବାକୁ ଥିବା ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀମୂଲିଆ ଆଦିବାସୀ ସଂଗଠନର ସଦସ୍ୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ବିଧାୟକ, ମାଓନେତ୍ରୀ ଅରୁଣା, ମାଓବାଦୀ

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣ ବନ୍ଦୀଙ୍କୁ ଜେଲ୍ ରୁ ଖଲାସ କରିବାକୁ ସରକାର ବୁଧବାର ନିଷ୍ପତି ଗ୍ରହଣ କରିଛନ୍ତି ।

ସଂଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏସଂପର୍କରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଥିବା ଚାଷି ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ଏବଂ ୮ ଜଣ ମାଓବାଦୀଙ୍କୁ ଜେଲରୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା କମିଟି ଦ୍ୱାରା ଅପହୃତ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ମଧ୍ୟସ୍ଥିଙ୍କ ଦ୍ୱାରା ଦିଆଯାଇଥିବା ତାଲିକା ମଧ୍ୟରୁ ଚାରି ଜଣଙ୍କୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ, ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ଗଣମାଧ୍ୟମ, ଝିନ୍ନ ହିକକା, ବିଦେଶୀ ପର୍ଯ୍ୟଟକ, ବିଧାୟକ

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ଗଣମାଧ୍ୟମ ଉପରେ କଟକଣା

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଏନେଇ କଟକଣା ଜାରି କରାଯାଇଛି ।

ରାଜନୈତିକ ଦଳ ସମେତ କୌଣସି ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ମୃଦ୍ରଣ ମାଧ୍ୟମରେ କେହି ପ୍ରଚାର କରିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପର୍ଯ୍ୟାୟରେ ସମସ୍ତ ଜିଲ୍ଲାର ୮୨ଟି ବ୍ଲକ, ୧୯୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୧୪୫୪ଟି ଗ୍ରାମ ପଞ୍ଚାୟତରେ ଭୋଟ୍ ଗ୍ରହଣ ହେବ ।

ସଂପୃକ୍ତ ଅଞ୍ଚଳ ଗୁଡ଼ିକରେ ଭୋଟ୍ ଗ୍ରହଣ ପାଇଁ ଗୁରୁବାର ସଂଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ସମୟ ମଧ୍ୟରେ କୌଣସି ପ୍ରଚାର ସଭା କାର୍ଯ୍ୟ, ଶୋଭାଯାତ୍ରା କିମ୍ବା ମାଇକ୍ ଯୋଗେ ପ୍ରଚାର କରାଯାଇପାରିବ ନାହିଁ ।

୧୧ତାରିଖ ସକାଳ ୭ଟାରୁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏହାର ୩୬ ଘଂଟା ପୂର୍ବରୁ ଏହି
କଟକଣା ଜାରି କରାଯାଇଛି । ସେହିପରି ଆସନ୍ତା ୧୩, ୧୫, ୧୭ ଏବଂ ୧୯ ତାରିଖରେ ଚାରୋଟି
ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ପଞ୍ଚାୟତ ନିର୍ବାଚନ

ଗଣମାଧ୍ୟମ ଉପରେ ଆକ୍ରମଣ ବିରୋଧରେ ମିଳିତ ସ୍ୱର

February 21, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଗଣମାଧ୍ୟମ ଉପରେ ଆକ୍ରମଣ ବିରୋଧରେ ସମ୍ବାଦପତ୍ର ସଂପାଦକ ଓ ନିଉଜ ଚ୍ୟାନେଲ ମୁଖ୍ୟଙ୍କୁ ନେଇ ଗଠିତ ଗଣମାଧ୍ୟମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗଣମାଧ୍ୟମ ଉପରେ ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ମିଡ଼ିଆ ୟୁନିଟ୍ ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ପ୍ରକାଶିତ ଶ୍ୱେତପତ୍ରକୁ ଶନିବାର ଅନୁଷ୍ଠିତ ବୈଠକରେ ମଞ୍ଜୁରୀ କରାଯାଇଛି ।

ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନିରାପତ୍ତା ଦୃଷ୍ଟିକୋଣରୁ ଶ୍ୱେତପତ୍ରରେ ପ୍ରକାଶ ପାଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ନିକଟରେ ଦ।ବି କରିବାକୁ ସ୍ଥିର ହୋଇଛି ।

ଶ୍ୱେତପତ୍ରକୁ ପରାମର୍ଶଦାତା କମିଟି ମଞ୍ଜୁର କରିବା ସହ ଯେକୌଣସି ସ୍ତରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ସରକାର ହୁଅନ୍ତୁ, ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ଗଣମାଧ୍ୟମ ଉପରେ ଆକ୍ରମଣରେ ଯିଏବି ସଂପୃକ୍ତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପକ୍ଷେପ ନିଆଯିବ ।

ତେବେ କେବଳ ଗଣମାଧ୍ୟମ ସଂପର୍କିତ ନିଜ କାର୍ଯ୍ୟ ସଂପାଦନ କରୁଥିବା ବେଳେ ଯଦି ପ୍ରତିନିଧି ଆକ୍ରମଣର ଶିକାର ହେଲେ ଉପରୋକ୍ତ ପଦକ୍ଷେପ ନିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ବୈଠକରେ “ସମୟ’ ସଂପାଦକ ସାତକଡ଼ି ହୋତା, “ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, “ଧରିତ୍ରୀ’ ସଂପାଦକ
ତଥାଗତ ସତପଥୀ, “ସମାଜ’ କାର୍ଯ୍ୟକାରୀ ସଂପାଦକ ପ୍ରମୋଦ କୁମାର ମହାପାତ୍ର, “ଏମ୍ବିସି ଟଭି’ ମୁଖ୍ୟ ଅଶୋକ ମହାପାତ୍ର, “ଓଟିଭି’ ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ ଓ ଏମ୍ୟୁଏଫ୍ପି ପକ୍ଷରୁ ସଂଯୋଜକ ପ୍ରଶାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ନିଉଜ ଚ୍ୟାନେଲ, ମୁଖ୍ୟ ଖବର, ସଂପାଦକ, ସମ୍ବାଦପତ୍ର

ସାମ୍ବାଦିକଙ୍କୁ ଆକ୍ରମଣ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

February 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଏକ ଦୈନିକ ସମ୍ବାଦପତ୍ରର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି ।

ମିଡ଼ିଆ ୟୁନିଟି ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ସୋମବାର ସାମ୍ବାଦିକମାନେ ଜୟଦେବ ଭବନ ସମ୍ମୁଖସ୍ଥ ଫ୍ରିଡ଼ମ ଟି୍ର ତଳେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି ।

ଘଟଣା ସଂପର୍କରେ ଏତଲା ଦିଆଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଗିରଫ କରି ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ପୁରୀ ଜିଲ୍ଲାପାଳଙ୍କ ଠାରୁ ସେମାନେ ବିବୃତି ଦାବି କରିଛନ୍ତି ।

ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶିତ ଏକ ରିପୋର୍ଟକୁ ନେଇ ଦୈନିକ “ସମ୍ବାଦ”ର ପିପିଲି ପ୍ରତିନିଧି ରଜତ ରତନ ଦାସଙ୍କୁ ଗତ ଶୁକ୍ରବାର ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣରେ ଦାସ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଧାରଣାରେ ବିଭିନ୍ନ ଖବରକାଗଜ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି ଏବଂ ଫଟୋଗ୍ରାଫରମାନେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏମ୍ୟୁଏଫ୍ପି, ଗଣମାଧ୍ୟମ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ, ସାମ୍ବାଦିକ

ରାଉରକେଲା-କଲିକତା ବିମାନ ସେବା ଖୁବଶୀଘ୍ର

November 23, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ଜାନୁୟାରୀ ମାସରୁ ରାଉରକେଲା-କଲିକତା ମଧ୍ୟରେ ୧୮ ସିଟ୍ ବିଶିଷ୍ଟ କ୍ଷୁଦ୍ର ବିମାନ ଚଳାଚଳ କରିବାକୁ ଡ଼େକାନ କମ୍ପାନୀ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ସରକାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହେବା ସହ ଅନ୍ୟ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛନ୍ତି ।

କମ୍ପାନୀ ଉପସଭାପତି କର୍ଣ୍ଣେଲ ଭି.ସି.ଯାଦବ ସୋମବାର ମୁଖ୍ୟ ଶାସନ ସଚିବ ବସଜୟ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି ।

ରାଉରକେଲା-କଲିକତା ମଧ୍ୟରେ ଚାଲିବାକୁ ଥିବା ଏହି ବିମାନରେ ନଅଟି ସିଟ୍ ରାଜ୍ୟ ସରକାରଙ୍କ ପାଇଁ ସଂରକ୍ଷଣ ରହିବ ଓ ପ୍ରତି ସିଟ୍ ର ମୂଲ୍ୟ ଛଅ ହଜାର ଟଙ୍କା ରଖାଯିବ ।

ଦ୍ଵୀତୀୟ ପର୍ଯ୍ୟାୟରେ ୪୮ ସିଟ୍ ବିଶିଷ୍ଟ ବିମାନ ଏହି ରୁଟ୍ ରେ ଚଳାଚଳ କରିବ ଓ ପରେ ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଆଉ ଏକ ବିମାନ ଚଳାଚଳ କରିବ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷୁଦ୍ର ବିମାନ ଚଳାଚଳ, ଗଣମାଧ୍ୟମ, ଭୁବନେଶ୍ୱର, ମୁଖ୍ୟ ଖବର

ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ମାନବଶୃଙ୍ଖଳ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାାତା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ଭୁବନେଶ୍ୱରରେ ଶୁକ୍ରବାର ଶିଶୁ ନିର୍ଯ୍ୟାତନା ବିରୋଧ ଦିବସ ପାଳନ ଅବସରରେ ଏକ ମାନବଶୃଙ୍ଖଳ କରାଯିବା ସହ ଦସ୍ତଖତ ସଂଗ୍ରହ କରାଯାଇଛି ।

ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଆୟୋଜିତ ଏକ ସଭାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶିଶୁ ମାନଙ୍କ ଅଧିକାରର ସୁରକ୍ଷା ପାଇଁ ସଙ୍ଖଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସଭାରେ ଉପସ୍ଥିତ ଅତିଥିମାନେ କହିଥିଲେ ।

ଆଜିର ସମାଜରେ ବହୁତ ବଡ଼ପଣ୍ଡା ଅଛନ୍ତି ଯେଉଁମାନେ ଆଦର୍ଶର କଥା କହୁଛନ୍ତି ମାତ୍ର ଶିଶୁ ମାନଙ୍କୁ ଶ୍ରମିକ ଭାବେ ଖଟାଇବା ସହିତ ନିର୍ଯ୍ୟାତନା ଦେବାକୁ ପଛାନ୍ତି ନାହିଁ ବୋଲି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଏମାନଙ୍କୁ ଏବେ ଚିହ୍ନଟ କରିବାର ସମୟ ଆସିଛି । ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟ ସୁଚାରୁ ରୂପେ ନିଭାଇପାରିବେ । ଏହି ପ୍ରୟାସ ସହରାଞ୍ଚଳରେ ସୀମିତ ନରହି ରାଜ୍ୟର ଅଣୁକୋଣରେ ପହଞ୍ଚିବା ଆବଶ୍ୟକ, ସେ କହିଛନ୍ତି ।

ସେହିପରି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଶିଶୁ ନିର୍ଯ୍ୟାତନାର ବିଲୋପ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ ।

ଶିଶୁ ମାନଙ୍କ ଉପରେ ନିର୍ଯ୍ୟାତନା ହେବା ଓ ସେମାନଙ୍କୁ ସୁରକ୍ଷା ଦେଇନପାରିବା ସମସ୍ତଙ୍କ ପାଇଁ ଲଜ୍ୟାର ବିଷୟ ବୋଲି ଏଥିରେ ଯୋଗଦେଇ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ।

ବରିଷ୍ଠ ସାମ୍ବାଦିକ ପ୍ରଦେଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟ ସମାଜ ମଙ୍ଗଳ ଉପଷ୍ଟୋ ବୋର୍ଡ଼ର ସୁଲତା ଦେଓ, ଆଥ୍ଲେଟ୍ ଅନୁରାଧା ବିଶ୍ୱାଳ, ଶିଶୁ ଅଧିକାର ପ୍ରସାଦର ଆମ୍ବାସଡ଼ର ଆଙ୍କାକ୍ଷା କବି ଓ ସମାଜସେବୀ ଶଶାଙ୍କ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ପିକକ୍ ସଂପାଦକ ରଞ୍ଜନ ମହାନ୍ତି ଶିଶୁ ନିର୍ଯ୍ୟାତନା ଦିବସ ପାଳନର ଆବଶ୍ୟକତା ଉପରେ ସୂଚନା ଦେଇଥିବା ବେଳେ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ କରାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ଭୁବନେଶ୍ୱର, ମୁଖ୍ୟ ଖବର, ଶିଶୁ ନିର୍ଯ୍ୟାତନା, ସ୍ୱେଚ୍ଛାସେବୀ ସଂଗଠନ

ଖଣି ଦୁର୍ନୀତି ତଦନ୍ତ ପ୍ରହସନ: ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗଣମାଧ୍ୟମ

September 2, 2009 by ଓଡିଶା ଡଟ କମ

ପ୍ରଶାନ୍ତ ପଟ୍ଟନାୟକ

ଓଡିଶା ଖଣି ଦୁର୍ନୀତିର ପର୍ଦ୍ଧାଫାଶ ହୋଇ ଆଠ ଜଣ ସରକାରୀ କର୍ମଚାରୀ ଓ ଜନୈକ ଖଣି ବେପାରୀଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିବା ପରେ ବିଭିନ୍ନ ସମ୍ବାଦପତ୍ର ଓ ଗଣ ମାଧ୍ୟମରେ ଚମକପ୍ରଦ ସମ୍ବାଦମାନ ପ୍ରକାଶ ପାଇଲା ।

ଖଣି ଦୁର୍ନୀତି କାରବାରରେ ପଚାଶ ହଜାର କୋଟିରୁ ଉର୍ଦ୍ଧ୍ଵ ପରିମାଣର ଅର୍ଥ ହେରଫେର୍ ହୋଇଛି ବୋଲି କେତେକ ରାଜନୈତିକ ନେତା ଅଭିଯୋଗ କରୁଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ଗଣ ମାଧ୍ୟମକୁ ଜଣାଇଥିଲେ ଯେ ସେମାନେ ଶହେ ଦଶ କୋଟି ଟଙ୍କାର ବେଆଇନ କାରବାର ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ସାରିଲେଣି ।

ଏହି ଖଣି ଦୁର୍ନୀତି ପ୍ରସଙ୍ଗ ସର୍ବତ୍ର ଆଲୋଚିତ ହେଉଥିବା ସମୟରେ ନିଜର ପରିଚୟ ଗୋପନ ରଖି ଜନୈକା ପାଠିକା ଫୋନ୍ କରି ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକାକୁ ଭୂୟସୀ ପ୍ରଶଂସା କରିବାକୁ ଆରମ୍ଭ କଲେ ।

ତାଙ୍କର ପ୍ରଶଂସା ଶୁଣି ଏହି ସାମ୍ବାଦିକର ଛାତି କୁଣ୍ଢେମୋଟ ହୋଇଯିବା ସ୍ୱଭାବିକ୍ । ଜନୈକା ପାଠିକା ଗଣମାଧ୍ୟମର ଗୁରୁତ୍ୱ ଉପଲବ୍ଧି କରି ବଧେଇ ଜଣାଇବା ଲାଗି ଫୋନ୍ କରିଥିବାରୁ ଏହି ସାମ୍ବାଦିକ ତାଙ୍କୁ ଧନ୍ୟବାଦ ଜଣାଇବା ଲାଗି ଉଦ୍ୟତ ହେବା ସମୟରେ ପାଠିକା କହିଲେ, “ମୋର”ଯେତେଦୂର ମନେହୁଏ ସାମ୍ବାଦିକମାନେ ମଧ୍ୟ ଏଭଳି ଦୁର୍ନୀତି ବ୍ୟାପାରରୁ ଆଦୌ ମୁକ୍ତ ନୁହଁନ୍ତି ।”

ପାଠିକାଙ୍କର ଏଭଳି ଆକସ୍ମିକ କଠୋର ମନ୍ତବ୍ୟ ଶୁଣି ମୁଁ ପ୍ରଶ୍ନକଲି,”ସାମ୍ବାଦିକମାନେ ଯେ ଏହି ଖଣି ଦୁର୍ନୀତିରେ ଲିପ୍ତ ଆପଣ ଏଭଳି ଅଭିଯୋଗ କରୁଛନ୍ତି କିପରି?”

ସେ କହିଲେ, “ନାଁ ଆଜ୍ଞା, ମୁଁ କରୁନି, “ସମ୍ବାଦ” ଭଳି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଏଭଳି ଅଭିଯୋଗ କରିଛି । ଆପଣ ପଢ଼ିଥିବେ, ଚାରି ନମ୍ବର ୟୁନିଟ୍ ରେ ରହୁଥିବା ଜନୈକ ପ୍ରଭାବଶାଳୀ ସାମ୍ବାଦିକ, ଯାହାଙ୍କର ଶହୀଦନଗର ସହ ଘନିଷ୍ଠ ସମ୍ପର୍କ, ସେ ଖଣି ବେପାରୀ ଶକ୍ତିରଞ୍ଜନ ଦାସଙ୍କ ସହ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କର ପରିଚୟ କରାଇ ଥିଲେ ।

ଏହି ବ୍ୟକ୍ତିଙ୍କର କୃପା ଲାଭ କରି ଅଶୋକନଗର ସ୍ଥିତ ୧୩୭ଜି , ପ୍ରଥମ ମହଲାରେ ବାସ୍ତୁ ଓ ଫେଙ୍ଗସଦୁଇ ପରାମର୍ଶଦାତା ଭାବରେ ବ୍ୟବସାୟରତ ଶ୍ରୀ ଦାସ ଅଚାନକ ଭାବରେ କୋଟିପତି ହୋଇଯାଇଥିଲେ ବୋଲି ସମ୍ବାଦରେ ପ୍ରକାଶ ପାଇଥିଲା ।

ତାଙ୍କରି ପରାମର୍ଶକ୍ରମେ ଶହୀଦନଗରର ଏହି କ୍ଷମତାଶାଳୀ ବ୍ୟକ୍ତି ନିଜ କାର୍ର ରଙ୍ଗ ମଧ୍ୟ ବଦଳାଇ ଦେଇଥିଲେ ବୋଲି ସମ୍ବାଦରେ ଉଲ୍ଲେଖ କରାଯାଇଥିଲା ।

ପୁନଶ୍ଚ ଦୁର୍ନୀତି ଘଟୁଥିବା ସ୍ଥାନର ଠିକଣା ଶହୀଦନଗରରୁ ଖଣ୍ଡଗିରିସ୍ଥିତ ଏକ ମଠକୁ ସ୍ଥାନାନ୍ତରିତ ହୋଇଥିଲା । ଏବଂ ଏଥର ଚାରି ନମ୍ବର ୟୁନିଟ୍ ରେ ରହି ହଟଚମଟ ସୃଷ୍ଟି କରୁଥିବା ପ୍ରଭାବଶାଳୀ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା ।

ଏତିକି କହି ପାଠିକା ଟିକିଏ ରହିଲେ, ତା’ପରେ କହିଲେ, ଗଣମାଧ୍ୟମରେ ଯଦି ଦୁର୍ନୀତି ଅଭିଯୁକ୍ତ ସରକାରୀ କର୍ମଚାରୀ ଓ ଖଣି ବେପାରୀ ମାନଙ୍କ ନାମ ଉଲ୍ଲେଖ କରାଯାଇପାରିଲା, ତେବେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସାମ୍ବାଦିକ ମାନଙ୍କ ପରିଚୟ ପ୍ରକାଶ କରିବା ଲାଗି ଗଣମାଧ୍ୟମ କୁଣ୍ଠିତ ହେବା କେତେଦୂର ଯଥାର୍ଥ?

ଯଦି ସଂପୃକ୍ତ ସାମ୍ବାଦିକ ମାନଙ୍କ ପରିଚୟ ଉପରୋକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା । ତେବେ ସେମାନଙ୍କର କଳାକାରବାର ସମ୍ପର୍କରେ ଏତେ ତଥ୍ୟ ପ୍ରକାଶ କଲେ କିପରି ? କ’ଣ ଏହା ଥିଲା ମନଗଢ଼ା ?….ତଥ୍ୟ ଅଭାବରୁ ବା ସତ୍ସାହସ ଅଭାବରୁ ଗଣମାଧ୍ୟମ ଏଭଳି ରହସ୍ୟଜନକ ପଦକ୍ଷେପ ନେବାକୁ ଶ୍ରେୟସ୍କର ମନେକଲେ?

ନିଜକୁ ଓଡିଶାର ଏକ ନମ୍ବର ସମ୍ବାଦପତ୍ର ବୋଲି ଦାବି କରୁଥିବା ଖବରକାଗଜର ଅବସ୍ଥା ଯଦି ଏଭଳି ହୁଏ, ତେବେ ରାଜ୍ୟବାସୀ ଗଣମାଧ୍ୟମ ଠାରୁ କ’ଣ ବା ଆଶା କରିବେ?”

ଏହା କହିବାବେଳେ, ସଂପୃକ୍ତ ପାଠିକାଙ୍କ କଣ୍ଠସ୍ୱର ଭାବାବେଗରେ କନ୍ଦିତ ହୋଇ ଉଠୁଥିଲା ।

ମୁଁ କିଛି କହିବା ପୂର୍ବରୁ ସେ କହିଲେ, “ଶହୀଦନଗରର ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ଅଥବା ନାଲିବତୀ ଲାଗିଥିବା ଧଳା କାରରେ ଧଳା ଫୁଲ୍ ପ୍ୟାଣ୍ଟ ଓ ହାଫ୍ ସାର୍ଟ ପିନ୍ଧି ଯାଇଥିବା ଯେଉଁ ରାଜନେତା ସମ୍ପର୍କରେ ସମ୍ବାଦପତ୍ରରେ ଉଲ୍ଲେଖ କରାଯାଇଛି ।

ସେମାନଙ୍କ ପରିଚୟ କ’ଣ ସଂପୃକ୍ତ ସମ୍ବାଦପତ୍ରକୁ ଅଜଣା ଥିଲା ? ସଂପୃକ୍ତ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ
ସମ୍ପର୍କରେ ବିବରଣୀ ପ୍ରକାଶ କରୁଥିବା ଗଣମାଧ୍ୟମ ସେମାନଙ୍କ ପରିଚୟ ପ୍ରକାଶ କରିବା ଲାଗି କୁଣ୍ଠିତ ହେବା ଅତ୍ୟନ୍ତ ରହସ୍ୟମୟ ନୁହେଁ କି?

ଏହାପଛରେ ଲୁଚି ରହିଥିବା ତଥ୍ୟ ଓ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର ନୈତିକ ଦାୟିତ୍ୱ ନୁହେଁକି ? “ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ଅଥବା ନିଜକୁ ନିର୍ଭୀକ, ନିରପେକ୍ଷ କିମ୍ବା ଲୋକାଭିମୁଖି ସମ୍ବାଦପତ୍ର ବୋଲି ଦାବି କରୁଥିବା କୌଣସି ଖବରକାଗଜ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ନିରବ କାହିଁକି?

କୌଣସି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସ୍ୱାର୍ଥ ସୁରକ୍ଷା ପାଇଁ ଅଥବା ନିଜର ନିରାପତ୍ତା ପାଇଁ ?”

ପାଠିକାଙ୍କ ଏତାଦୃଶ ତୀକ୍ଷ୍ମ ପ୍ରଶ୍ନ ଗୁଡିକର ଉତ୍ତର ଦେବା ପୂର୍ବରୁ ସେ କହିଲେ,””ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଲାଗି ପଦକ୍ଷେପ ନନେଇ, ରାଜ୍ୟ ଭିଜିଲାନ୍ସ ଦ୍ୱାରା ତଦନ୍ତ କରିବା ଆଦୌ ଯଥାର୍ଥ ନୁହେଁ । ସମସ୍ତ ଖଣିଜ ପଦାର୍ଥ କେନ୍ଦ୍ର ସରକାରଙ୍କ ସମ୍ପତି, ରାଜ୍ୟ ସରକାର ତା’ର ଜଗୁଆଳୀ ମାତ୍ର । ତେଣୁ ଏହି ଦୁର୍ନୀତିରେ କେନ୍ଦ୍ରୀୟ ନେତା ମାନଙ୍କର ସଂପୃକ୍ତି ରହିଛି କି?

ଆପଣତ ଜାଣିଥିବେ ବିଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ଯେତେଗୁଡିଏ ବଡ ଧରଣର ସ୍କାମ ବା ଅପରାଧ ହୋଇଛି ସେ ସବୁର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଏବଂ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି ।

ମାତ୍ର ତା’ର ଫଳାଫଳ କ’ଣ ହୋଇଛି ? କେତେଗୋଟି ଦୁର୍ନୀତି ବା ଅପରାଧ ଘଟଣାରେ କିଏ ଦଣ୍ଡ ପାଇଛି ? ଗ୍ରାମାଂଚଳ ଗୃହ ନିର୍ମାଣ କର୍ପୋରେସନ ଦୁର୍ନୀତି ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ଋଣରେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇଥିବା ବ୍ୟକ୍ତିମାନେ ଏକ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ ।

ସେମାନେ ଠୁଳ କରିଥିବା ଶହ ଶହ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ଗୋଟିଏ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ବିଭାଗ ବ୍ୟାଜାପ୍ତି କରିପାରିବନି । ଖାଲି କୋଟିପତି କିରାଣି, ପୋଲିସ୍, ଯନ୍ତ୍ରୀ, ଓ.ଏ.ଏସ୍ ଅଧିକାରୀ ମାନଙ୍କୁ ଠାବ କରିବାର ଆଳ ଦେଖାଇ ଗଣମାଧ୍ୟମରେ ବାହାବାଃ ନେଉଛନ୍ତି ।

ତେଣୁ ଭିଜିଲାନ୍ସ ବିଭାଗ ଯେ ଦୁର୍ନୀତି ଓ ପ୍ରିୟାପ୍ରୀତି ପୋଷଣ ଏବଂ ରାଜନୈତିକ ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ଏକଥା ଜନସାଧାରଣ ଆଉ ବିଶ୍ୱାସ କରୁନାହାଁନ୍ତି ।

ଏତିକି କହି ପାଠିକା ଟିକିଏ ଦମ୍ ନେଲେ, ଏହାର ସୁଯୋଗରେ ମୁଁ କହିଲି, ହଁ… ଆପଣ ଯାହା କହୁଛନ୍ତି ମୁଁ ସେଥିରେ ଅନେକାଂଶରେ ଏକମତ । ମାତ୍ର….” ମୋ ବକ୍ତବ୍ୟ ପୁରା ହେବା ପୂର୍ବରୁ ପାଠିକା ଟିକିଏ ବିରକ୍ତି ସୂଚକ ସ୍ୱରରେ କହିଲେ,”ଆପଣ ବା ମୁଁ ଏଥିରେ ସହମତ ହେଲେ କ’ଣ ସାଂପ୍ରତିକ ସ୍ଥିତିର ପରିବର୍ତ୍ତନ ଘଟିବ?

ଅନେକଙ୍କ ଭଳି ମୁଁ ମଧ୍ୟ ଚାହେଁ ଯେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେଉ । ସରକାରୀ ଅଫିସର, ଖଣି ବେପାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସାମ୍ବାଦିକମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।

ସେମାନଙ୍କର ଅସଲରୂପ ଲୋକ ଲୋଚନକୁ ଆସୁ । ଏବଂ ଯେଉଁମାନେ ଏହି ଜାତୀୟ ସମ୍ପତି ଲୁଣ୍ଠନ, ଅପରାଧ ବା ଷଡଯନ୍ତ୍ରରେ ସଂପୃକ୍ତ ସେମାନେ କଠୋର ଦଣ୍ଡ ପାଆନ୍ତୁ ।

ତା’ହେଲେ ହୁଏତ ଭବିଷ୍ୟତରେ ଆଉ କୌଣସି ସରକାରୀ ପାଧିକାରୀ, ଖଣି ମାଲିକ, ଖଣି ଚୋରା
ବେପାରୀ, ରାଜନେତା ବା ସାମ୍ବାଦିକ ଏଭଳି ଅପରାଧ କରିବା ଲାଗି ସାହସ କରିବେ ନାହିଁ ।

ମୁଁ କୌଣସି ଉତ୍ତର ଦେବା ପୂର୍ବରୁ ପାଠିକା ଫୋନ୍ କାଟିଦେଲେ । ସେ କାଳେ ଆଉ ଫୋନ୍ କରିବେ ବୋଲି କିଛି ସମୟ ଅପେକ୍ଷା କଲି କିନ୍ତୁ ସେ ଆଉ ଫୋନ୍ କଲେନି ।

ତାଙ୍କର ଉକ୍ତି ସମ୍ପର୍କରେ ମୋ ମତାମତ ଜଣାଇବା ଲାଗି ମୋ ତରଫରୁ ମୁଁ ଫୋନ୍ କଲିନି । କରିଥିଲେ କ’ଣ ବା କହିଥାଆନ୍ତି ? ସେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୁଁ ତ ସେମାନଙ୍କର ଅଭିଭାବକ ନୁହେଁ ଅଥବା ସିବିଆଇ ତଦନ୍ତ ଲାଗି ନିଦେ୍ର୍ଧଶ ଦେବାର କ୍ଷମତା ମୋର ନାହିଁ ।

ତେଣୁ କେବଳ ଏହି ସ୍ତମ୍ଭ ଜରୀଆରେ ତାଙ୍କ ଭାବାବେଗକୁ ଲିପିବଦ୍ଧ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଉଦ୍ୟମ କଲି ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାବାଡ଼୍ କରିବା ପାଇଁ ସ୍ପେସାଲ କୋର୍ଟ ଆକ୍ଟ ପ୍ରଣୟନ କରିଥିଲେ । ଦୁର୍ନୀତି ମୂଳକ ଉପାୟରେ ଅର୍ଜିତ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବା ଲାଗି ଏହି ଆକ୍ଟରେ ବ୍ୟବସ୍ଥା ଥିଲା । ମାତ୍ର ପରବର୍ତ୍ତୀ କାଳରେ ଜାନକୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଏଭଳି ଏକ ଆଦର୍ଶ ଆଇନକୁ ରଦ୍ଧ କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖଣି ଦୁର୍ନୀତି, ଗଣମାଧ୍ୟମ, ତୃତୀୟ ନୟନ

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

January 19, 2006 by ନିଉଜ ଡେସ୍କ Leave a Comment

ବ୍ରହ୍ମପୁର, ଜାନୁୟାରୀ ୧୯,(ଓଡିଶା ଡ଼ଟ୍ କମ୍), ଓଡ଼ିଶାର ବ୍ରହ୍ମପୁର ସହରରେ ହରିହର ପାତ୍ର ଏବଂ ମା ପଦ୍ମାବତୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଦର୍ଶନ ପାତ୍ର ବର୍ତ୍ତମାନ ସ୍ତ୍ରୀ ଅନୁ, ଦୁଇ ପୁଅ ଆଶିଷ ଏବଂ ଆଦର୍ଶଙ୍କ ସହ ଉତ୍ତର ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଛନ୍ତି ।

କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସ୍ସି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଂଜିନିୟରିଂ, ଆମେରିକାର ଆମର୍ହଷ୍ଟଠାରେ ମାସାଚ୍ୟୁସେଟ୍ସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଏବଂ ଇନର୍ଫମେଶନ ସାଇନ୍ସରେ ଏମ୍. ଏସ୍. ।

ପରେ ଅଷ୍ଟିନ୍ଠାରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସେ ପିଏଚ୍ଡି କରିବା ସହ ପ୍ରଥମ ଚାକିରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (ପ୍ରିୟଦର୍ଶନ ପାତ୍ର ଏବଂ ତାଙ୍କ ପରିବାର) କ୍ଷେତ୍ରରେ ତିନି ବର୍ଷ କାମ କରିଛନ୍ତି । ଏହା ପରେ ସେ ଯୋଗ ଦେଇଛନ୍ତି ଅରିଗନ୍ଠାରେ ଇଣ୍ଟେଲ କର୍ପୋରେସନ୍ ରେ ଏକ ନୂଆ ଗବେଷଣା କେନ୍ଦ୍ରରେ ।

ବର୍ତ୍ତମାନ ଇଣ୍ଟେଲରଆଡଭାନ୍ସଡ ପ୍ରୋସେସର ଡିଜାଇନ୍ ଏବଂ ଭିଏଲଏସ୍ଆଇର ବରିଷ୍ଠ ଗବେଷକଭାବେ କାର୍ଯ୍ୟ କରୁଥିବା ପାତ୍ର ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ପରାମର୍ଶ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଛନ୍ତି ।

ଇଲୋକ୍ଟ୍ରୋନିକ୍ସ ସାଇନ୍ସ କ୍ଷେତ୍ରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ସ(ଆଇଇଇଇ)ରେ ଜଣେ ବରିଷ୍ଠ ସଦସ୍ୟଭାବେ ସେ ମନୋନୀତ ହୋଇଛନ୍ତି ।

ତେବେ ଏ ସବୁ ଦାୟିତ୍ୱ ତୁଲାଇବା ସାଙ୍ଗକୁ ସେ ଓଡ଼ିଶାର ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଷ୍ଟେନେବଲ୍ ଇକୋନୋମିକ୍ ଆଣ୍ଡ ଏଜୁକେସ୍ନାଲ ଡେଭେଲପମେଣ୍ଟ ସୋସାଇଟି(ସିଡ୍ସ)ର ନେତୃତ୍ୱ ନେଉଛନ୍ତି ।

ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ନିଜ ଜନ୍ମଭୂମି ପାଇଁ କାର୍ଯ୍ୟ କରୁଥିବା ପାତ୍ରଙ୍କ ସହ ଓଡ଼ିଶା ଡଟ୍ କମ୍ ର ସାକ୍ଷାତକାର…….

ଆପଣ କେବେ ଓ କାହିଁକି ଓଡ଼ିଶା ଛାଡ଼ିଲେ?

ପ୍ରାୟ ୨୧ ବର୍ଷ ପୂର୍ବେ ମୋର ଇଂଜିନିୟରିଂ ପାଠପଢ଼ା ସରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକାରୁ ବୃତ୍ତି ପାଇ ମୁଁ ଭାରତ ଛାଡ଼ି ବିଦେଶ ଆସିଲି ।

ଆପଣ ଚାକିରି ବ୍ୟତୀତ ଅନ୍ୟ କେଉଁ ସବୁ କାମରେ ଏବଂ କେବେଠାରୁ ବ୍ୟସ୍ତ ଅଛନ୍ତି?

୧୯୮୯ ମସିହାରେ ମୁଁ ଏବଂ ଅନ୍ୟ ତିନି ଜଣ ସହପାଠୀ ମିଶି ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ପ୍ରୋଗ୍ରେସିଭ ଆକ୍ସନ୍ ଗ୍ରୁପ୍(ଆଇପିଏଜି) ଆରମ୍ଭ କରିଥିଲୁ । ପରେ ମୁଁ ଓଡ଼ିଶାର ଉନ୍ନତିରେ ଆଗ୍ରହୀ ଲୋକମାନଙ୍କୁ ନେଇ “ସିଡ୍ସ୍” ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲି ।

“ଆମେ ଯେଉଁଠି ବାସ କରୁଛୁ, ସେହି ସ୍ଥାନ ପାଇଁ “ଗ୍ଲୋବାଲ ଥଟ୍, ଲୋକାଲ ଆକ୍ସନ୍” ନୀତିରେ କିଛି କରିବା ଉପରେ ମୁଁ ବିଶ୍ୱାସ କରେ” ।

ମୁଁ ପୋର୍ଟଲ୍ୟାଣ୍ଡର ଏକ ପବ୍ଲିକ୍ ସ୍କୁଲରେ “ମ୍ୟାଥ୍ କାଉଣ୍ଟ କୋଚ୍” ଭାବେ କିଛି ଦିନ ପଢ଼ାଉଥିଲି । ସେଠାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହୀ ଥିବାରୁ ଆମେ ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲୁ ।

ଏହା ବ୍ୟତୀତ ମୁଁ କମ୍ୟୁନିଟି ବିଲ୍ଡିଂ ଏବଂ ଓଡ଼ିଶାର କଳାକୁ ଲୋକପ୍ରିୟ କରାଇବା ଦିଗରେ କାମ କରୁଛି ।

କେଉଁ କେଉଁ ଜାଗାକୁ ଆପଣଙ୍କ କାମ ସଂପ୍ରସାରିତ କରିଛନ୍ତି?

ମୁଖ୍ୟତଃ ଓଡ଼ିଶାରେ । ଏହା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନର ଅନ୍ୟ ଅନୁଷ୍ଠାନଗୁଡିକ ସହ ଯୋଗାଯୋଗ କରି ଆମେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କରୁଛୁ ଏବଂ ପୋର୍ଟଲ୍ୟାଣ୍ଡରେ ମଧ୍ୟ ନିଜର କାମ ଜାରୀ ରଖିଛୁ ।

ଭାରତର ଗୁଜୁରାଟରେ ଭୂମିକମ୍ପ ସମୟରେ ଥଇଥାନ କାର୍ଯ୍ୟ କରିଥିବା କାଲିଫର୍ଣ୍ଣିଆର ଦୁଇଟି ସ୍ୱେଚ୍ଛାସେବୀ ଦଳ ଆମ ଗ୍ରୁପ୍ ରେ ଯୋଗ ଦେଇଛନ୍ତି ।

ସିଡ୍ସ୍ କିପରି ଆରମ୍ଭ ହେଲା? ଏହା ଆରମ୍ଭ ହେବାରେ ପ୍ରମୁଖ ଅବଦାନ କାହାର ରହିଛି ? ଏଥିରେ ଆପଣଙ୍କ ଭୂମିକା କ’ଣ?

ପ୍ରାଥମିକ ଅବସ୍ଥାରେ ଅଷ୍ଟିନ୍ ରେ ସ୍ଥାନୀୟ ହାବିଟାଟ୍ସ୍ ଫର୍ ହ୍ୟୁମାନିଟିରେ ଯୋଗ ଦେଇଥିଲି ଏବଂ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ମୁଁ ନିଜକୁ ସଂପୃକ୍ତ କରାଇଥିଲି ।

କିଛି ବର୍ଷ ପରେ ଓଡ଼ିଶାରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି ।

ସମାଜ ସେବା ପାଇଁ ବାପାଙ୍କ ପ୍ରେରଣା, ପ୍ରାଥମିକ ଅବସ୍ଥାରେ ଆଇପିଏଜିରେ ଅଭିଜ୍ଞତା ଏବଂ ୧୯୯୦ ମସିହାରେ ସ୍ୱେଚ୍ଛାସେବୀ ନିଶାକର ଦାଶଙ୍କ ଗାଁକୁ କରିଥିବା ଗସ୍ତରୁ ମୁଁ ବହୁ ଉପାଦେୟ ତଥ୍ୟ ଶିଖିବାକୁ ପାଇଛି ।

ଥମାସ୍ କୋଚେରୀ, ବନ୍ଦନା ଶିବା, ମଧୁ କିଶ୍ୱରଙ୍କ ଭଳି କର୍ମୀମାନଙ୍କ ସହ ମୋର ଆଲୋଚନା, ବାର୍ତ୍ତାଳାପ ମଧ୍ୟ ମୋତେ ବହୁ ସାହାଯ୍ୟ କରିଛି ।

କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳରେ ଅନାହାର ମୃତ୍ୟୁ ଭାରତ ଗଣମାଧ୍ୟମର ଆକର୍ଷଣ ପାଲଟିବା ଏବଂ ଆଇପିଏଜିର କାର୍ଯ୍ୟ ଉନ୍ନୟନମୂଳକ ବିଷୟରୁ ଓହରି ଯାଇ ରାଜନୀତି କେନ୍ଦ୍ରିକ ହେବା ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

ଇଣ୍ଟରନେଟ୍ ମାଧ୍ୟମରେ ଉତ୍ତର ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଘଟଣାବଳୀ ଗୁଡ଼ିକ ମୋତେ ଏକ ଅବସର ଯୋଗାଇଲା ।

ଏହିପରି କେବିକେ(କୋରାପୁଟ, କଳାହାଣ୍ଡି, ବଲାଙ୍ଗିର) ଯୋଜନା ୧୯୯୩ରେ ଆରମ୍ଭ ହେଲା । ପ୍ରଥମେ ଆମ ସହ ଆମେରିକାର ଇଷ୍ଟ କୋଷ୍ଟ ଏବଂ ୱେଷ୍ଟ କୋଷ୍ଟର ଦୁଇ ଜଣ ସକ୍ରିୟ କର୍ମୀ ଥିଲେ । ବର୍ତ୍ତମାନ ସେମାନେ ଆମ ସହ କାମ କରି ପାରୁ ନାହାନ୍ତି ।

ତେବେ ଏକ ବର୍ଷ ମଧ୍ୟରେ କାନାଡ଼ା, ଟେକ୍ସାସ୍, ମିଶିଗାନ୍ ର ଅନ୍ୟ କେତେକ ସଭ୍ୟ ଯୋଗ ଦେଲେ । ୧୯୯୪ ମସିହାରେ ଆମେ ସିଡ୍ସ୍ ନାମରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ସୃଷ୍ଟି କଲୁ ।

ଆମେମାନେ ଯେ, ପରିବର୍ତ୍ତନର ଗୋଟିଏ ଗୋଟିଏ ବୀଜ, ସିଡ୍ସ୍ ଆମ ମନରେ ଏହି ଧାରଣା ସୃଷ୍ଟି କରିଛି । ଯଥେଷ୍ଟ ସାମର୍ଥ୍ୟ ନେଇ ଆମେ ପରିବର୍ତ୍ତନର ବହୁ ବୀଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

୧୯୯୫ ପରେ ସିଡ୍ସ୍ ର ମୁଖ୍ୟ କାର୍ଯ୍ୟାଳୟ ପୋର୍ଟଲ୍ୟାଣ୍ଡକୁ ସ୍ଥାନାନ୍ତର ହୋଇ ଏକ ଅଣ ଲାଭଦାୟକ ସଂସ୍ଥାଭାବେ ପଞ୍ଜୀକୃତହେଲା ।

ଏହାର କାର୍ଯ୍ୟାଳୟ, କାର୍ଯ୍ୟ ପରିସର ଏବଂ ଆର୍ଥିକ ଅନୁଦାନ ଉପରେ କିଛି କହିବେ କି?

ଆଞ୍ଚଳିକତାବାଦଠାରୁ ଉଦ୍ଧ୍ୱର୍ରେ ଗଣତନ୍ତ୍ର, ସମାନତା, ନିଃସ୍ୱାର୍ଥପର ନେତୃତ୍ୱ ଆଦି କେତେକ ସିଦ୍ଧାନ୍ତ ଉପରେ ସିଡ୍ସ୍ର କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟ ପରିସର ପର୍ଯ୍ୟବସିତ ।

ମାନବିକତା ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆଣିବା ସହ ରାଜ୍ୟରେ ହେଉଥିବା ରାଜନୈତିକ ଏବଂ ସାମାଜିକ ଅନ୍ୟାୟ ଗୁଡ଼ିକର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ ।

ସମଗ୍ର ବିଶ୍ୱରେ ଅସମାନତା, ଅଜ୍ଞାନତା ବିଷୟରେ ସଚେତନତା ଆଣି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରୁଥିବା ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆମେ ଯୋଜନା କରୁଛୁ ।

ଆମ ଅନୁଷ୍ଠାନରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତଭାବେ ପରୋପକାରଧର୍ମୀ କାମ କରୁଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆମର ପ୍ରକଳ୍ପ ଗୁଡ଼ିକ ସମାଜର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଛି ।

ଦୀର୍ଘମିଆଦୀ ଯୋଜନା ଅନୁଯାୟୀ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଅପେକ୍ଷା ସେମାନଙ୍କୁ ନିଜ ସମସ୍ୟା ନିଜେ ସମାଧାନ କରିବାର ଉପାୟ ବତାଇବାରେ ଆମେ ସାହାଯ୍ୟ କରୁଛୁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପୂର୍ଣ୍ଣାଙ୍ଗ ଉନ୍ନୟନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆମେ ଜ୍ଞାନ ଆହରଣ କଲୁ ।

ଦ୍ୱିତୀୟ ପର୍ଯ୍ୟାୟରେ “ପାଣି ପଞ୍ଚାୟତ” କୁ ନେଇ ଗବେଷଣା, ମହାବାତ୍ୟା ପରେ ଥଇଥାନ ଏବଂ ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, କଟକ, ବାଲେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାଗୁଡ଼ିକରେ କେତେକ ଦୀର୍ଘମିଆଦି ପ୍ରକଳ୍ପ ଆରମ୍ଭ କରିଥିଲୁ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଆମର ସ୍ୱଳ୍ପ ସମ୍ବଳ ସତ୍ତ୍ୱେ କୌଣସି ନିର୍ଦ୍ଧିଷ୍ଟ ଗାଁ, ସହର କିମ୍ବା ଅଞ୍ଚଳରେ ସୀମିତ ନ ରହି ଆମେ କାର୍ଯ୍ୟ ପରିସରକୁ ଆହୁରି ସଂପ୍ରସାରିତ କରିବୁ ।

ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ (୧)ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସେହି ଅଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା କ୍ଷୁଦ୍ରଶିଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାଇକ୍ରୋ କ୍ରେଡିଟ୍ ବ୍ୟାଙ୍କ୍ ସ୍ଥାପନ, (୨) ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଗଣିତ ସମ୍ବନ୍ଧୀୟ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା, ଆର୍ଥିକ ସ୍ୱଚ୍ଛଳତା ନ ଥିବା ଲୋକମାନଙ୍କ ପାଇଁ ସହଜରେ ସୂଚନା ପାଇବାର ସୁବିଧା ଯୋଗାଇବା ଏବଂ (୩) “ଅର୍ଣ୍ଣ ଆଣ୍ଡ ଲର୍ଣ୍ଣ” କେନ୍ଦ୍ରଗୁଡ଼ିକ ଜରିଆରେ ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ।

ଏଥି ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛୁ ।

ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ବିଷୟରେ ଆପଣଙ୍କର ମତ କ’ଣ? ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ମୁଁ ଧୈର୍ଯ୍ୟ ଏବଂ ନିଷ୍ଠାପର କାମରେ ବିଶ୍ୱାସ କରେ । ଲୋକମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ତାଲିମ ଯୋଗାଇବା ଆବଶ୍ୟକ ।

କ୍ଷୁଦ୍ରଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆମାନଙ୍କ ସହାୟତା ମିଳିଲେ ରାଜ୍ୟର ଆଖିଦୃଶିଆ ଉନ୍ନତି ସମ୍ଭବ ହେବ ।

ଆପଣଙ୍କର ପଦକ୍ଷେପ କୌଣସି ପରିବର୍ତ୍ତନ ଆଣିଛି କି?

ହଁ ନିଶ୍ଚିତଭାବେ । ଫଳାଫଳ ମିଶ୍ରିତ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଛି । ତେବେ ଆମର ଚେଷ୍ଟାକୁ ଆହୁରି ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପ୍ରଶାସନିକ ଢ଼ାଞ୍ଚାରେ ଓଡ଼ିଶାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି କି? ରାଜ୍ୟରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି କି? ରାଜ୍ୟରେ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କର ଏ ବିଷୟରେ ମତ କ’ଣ?

ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ସରକାରଙ୍କ ନୀତି ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁଁନି । ତେବେ ରାଜ୍ୟରେ ଏକ ସନ୍ତୁଳିତ ହାରରେ ବିକାଶ ପାଇଁ ସରକାର ତଥା ରାଜନେତାମାନେ ଚେଷ୍ଟା କରିବା ଉଚିତ ।

ରାଜ୍ୟର ସ୍ଥିତିକୁ ଦୃଢ଼ କରି ନେତାମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି ବୃହତ୍ ଶିଳ୍ପ ଉଦ୍ୟୋଗ ନିଶ୍ଚିତଭାବେ ରାଜ୍ୟର ଭାଗ୍ୟ ବଦଳାଇଦେବ ବୋଲି ଆଶା ପୋଷଣ କରିବା ପରିବର୍ତ୍ତେ ଉକ୍ତ କାରଖାନା ସ୍ଥାପନ ପରେ ଦୁର୍ନୀତି, ପରିବେଶ, ଶିକ୍ଷା, ରାଜ୍ୟବାସୀଙ୍କ ଦୀର୍ଘମିଆଦି ଜୀବିକା ଉପରେ ପଡୁଥିବା ପ୍ରଭାବ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଉନ୍ନତି କ୍ଷେତ୍ରରେ ଓଡ଼ିଶା କି କି ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି?

ମୋ ମତରେ ରାଜ୍ୟବାସୀଙ୍କ ଭାଗ୍ୟବାଦୀ ମନୋବୃତ୍ତି ଏବଂ ଯୁବ ପୀଢ଼ି ମଧ୍ୟରେ ଦିନକୁ ଦିନ ହା୍ରସ ପାଉଥିବା ଉତ୍ସାହ ଏହାର ମୁଖ୍ୟ କାରଣ ଅଟେ । ରାଜନେତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଠାରେ ମଧ୍ୟ କିଛି କରିବାର ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ କି? ଯଦି ହଁ, ତେବେ ଏ ପର୍ଯ୍ୟନ୍ତ ସେମାନେ ଏ କ୍ଷେତ୍ରରେ କାହିଁକି ସଫଳ ହୋଇ ନାହାନ୍ତି?

ହଁ, ରାଜ୍ୟ ବିକାଶରେ ନିଶ୍ଚିତଭାବେ ପ୍ରବାସୀ ଓଡ଼ିଆଙ୍କର ଭୂମିକା ରହିଛି । କେବଳ ସିଡ୍ସ ନୁହେଁ ଅନ୍ୟ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କଠାରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଭଲ ଫଳାଫଳ ମଧ୍ୟ ମିଳିଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶମୂଳକ କାର୍ଯ୍ୟର ନେତୃତ୍ୱ ନ ନେଇ ପାରିବାର କେତେକ କାରଣ ରହିଛି ।

ଯେମିତିକି, ୧- ଉତ୍ତର ଆମେରିକାରେ ପାଖାପାଖି ଆଠ ହଜାର ଓଡ଼ିଆ ବାସ କରନ୍ତି, ଯେଉଁ ସଂଖ୍ୟା କି ଓଡ଼ିଶାର ଲୋକସଂଖ୍ୟା ଏବଂ ତାର ସମସ୍ୟା ଆଗରେ ଅତି ନଗଣ୍ୟ ।

୨- ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ନିଜର ଆର୍ଥିକ ତଥା ସାମାଜିକ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

୩- ନେତୃତ୍ୱଙ୍କୁ ଅଧ୍ୟବସାୟ ଏବଂ ସମାଜସେବାରେ ନିୟୋଜିତ ହେବା ପାଇଁ କେତେକ ଏକାଧିକ ବର୍ଷ ସମୟ ନେଇଥାନ୍ତି ।

ତେବେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଯୁବ ପୀଢ଼ିର ନେତୃତ୍ୱ ନେଇପାରିଲେ ପରିସ୍ଥିତିରେ ଉନ୍ନତି ହେବ ବୋଲି ମୁଁ ଆଶା କରୁଛି ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଲେ, ସେତେବେଳର ଓଡ଼ିଶା ଆଉ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?

ସେତେବେଳ ଅପେକ୍ଷା ପରିବହନ, ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରତ୍ୟେକ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ଉତ୍ପାଦନ ବଢ଼ିପାରିନାହିଁ । ଅଧିକ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବା ଫଳରେ ରାଜ୍ୟରେ ଜଙ୍ଗଲର ପରିମାଣ କମିଛି । ପରିମଳ ବ୍ୟବସ୍ଥାରେ ଆବଶ୍ୟକ ପରିମାଣର ଉନ୍ନତି ହୋଇ ନାହିଁ ।

ତେବେ, ଲୋକମାନେ ନିଜର ଅଧିକାର ନେଇ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ବିକାଶ ପାଇଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ ଶିକ୍ଷା, ସମାନତା, ଲୋକମାନଙ୍କର ଜୀବିକା କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ । ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରିବାକୁ ହେଲେ ଆମେ ସଂପାଦନ କରୁଥିବା ଯେ କୌଣସି କାର୍ଯ୍ୟକୁ ସର୍ବୋତ୍ତମ କରିବାକୁ ହେବ ।

ରାଜନୀତି ଆଡ଼କୁ ଆକର୍ଷିତ ହେଉଥିବା ଯୁବପୀଢ଼ି ଶିକ୍ଷିତ ହେବା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ ଅବସ୍ଥା ସଂପର୍କରେ ସଚେତନ ଏବଂ ସେବା ମନୋବୃତ୍ତି ସଂପନ୍ନ ହେବା ଆବଶ୍ୟକ ।

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

ରାଜ୍ୟର ନୀତି ନିର୍ଦ୍ଧାରଣକାରୀ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ବର୍ଗପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରଣୟନ କରାଯାଉଥିବା ନୀତିଗୁଡ଼ିକରେ ନିଜର ଦୃଷ୍ଟିକୋଣ, ସୃଜନଶୀଳତା ଏବଂ ସାହସ ପ୍ରତିଫଳିତ ହେବା ଆବଶ୍ୟକ । ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଠିକ୍ ବ୍ୟବସ୍ଥା ରହିବା ଉଚିତ ।

ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଅବହେଳାର ଶିକାର ହେଉଛି ବୋଲି ଆପଣ ସହମତ କି ? ଯଦି ହଁ ଏହାର ପ୍ରତିକାର କ’ଣ?

ହଁ, ଓଡ଼ିଶା କେତେକ କ୍ଷେତ୍ରରେ ଅବହେଳିତ ହେବା ପରିଲକ୍ଷିତ ହେଉଛି । ତେବେ ସେଥି ପାଇଁ ଆମ ନିଜକୁ ଏବଂ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ନିଜର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ କରିବା ସହ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମକୁ ଆଗକୁ ଯିବାକୁ ହେବ ।

ଆପଣଙ୍କର ଦିନଚର୍ଯ୍ୟା ବିଷୟରେ କିଛି କହିବେ କି?

ମୋ ସ୍ତ୍ରୀ ଏବଂ ପରିବାରର ସହଯୋଗରେ ସପ୍ତାହର ପ୍ରାୟ ପ୍ରତିଦିନ ଗବେଷଣା, ସିଡ୍ସ୍ର ନେତୃତ୍ୱ, ସ୍ଥାନୀୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାରେ ସମର୍ଥ ହୁଏ ।

ଚଳିତ ବର୍ଷ କଳାକାରମାନଙ୍କର ଏକ ପନ୍ଦର ଜଣିଆ ଦଳର କାର୍ଯ୍ୟକ୍ରମ ପରିଚାଳନା କରିବା ଭଳି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିଲେ ମଧ୍ୟ, ମୋ ପାଇଁ ସେ ସବୁ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିଯାଇଛି ।

ଓଡ଼ିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କମ୍ପ୍ୟୁଟର ସାଇନ୍ସ, ଗଣମାଧ୍ୟମ, ଗବେଷଣା, ବିଶ୍ୱବିଦ୍ୟାଳୟ, ଶିଳ୍ପ ପ୍ରତିଷ୍ଠା, ସାକ୍ଷାତକାର, ସ୍ୱେଚ୍ଛାସେବୀ

  • « Go to Previous Page
  • Go to page 1
  • Go to page 2
  • Go to page 3

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ