• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗବେଷଣା

ସ୍ପେସ୍ ଆପ୍ଲିକେସନ୍ ଭାରତ ରୋଲ୍ ମଡେଲ୍:ଇସ୍ରୋ ଅଧ୍ୟକ୍ଷ

January 23, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୩(ଓଡିଶା ଡଟ କମ୍)-ଅତ୍ୟାଧୁନିକ ଢ଼ଙ୍ଗରେ ଅନ୍ତରୀକ୍ଷ ଗବେଷଣା ଜାରି ରଖି ସ୍ପେସ୍ ଆପ୍ଲିକେସନ୍ ଭାରତ ବିଶ୍ୱର ଏକ ରୋଲ ମଡ଼େଲ୍ ଭାବେ ପ୍ରତିପାଦିତ ହୋଇପାରିଛି ବୋଲି କହିଛନ୍ତି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନ ।

କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଦେଇ ସେ କହିଲେ, ପୃଥିବୀର ଜୀବର କ୍ରମବିକାଶ ପାଇଁ ମଙ୍ଗଳ ଗ୍ରହର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଭବିଷ୍ୟତରେ ମଙ୍ଗଳ ଗ୍ରହ ଉପରେ ଅଧିକ ଗବେଷଣା କରିବ ।

ଇସ୍ରୋର ଆଭିମୁଖ୍ୟ ଉପରେ ସୂଚନା ଦେଇ ରାଧାକ୍ରିଷ୍ଣନ କହିଲେ, ଇସ୍ରୋ କୃତ୍ରିମ ଉପଗ୍ରହର ବିକାଶ ଓ ମହାକାଶକୁ ପ୍ରେରଣ ନିମନ୍ତେ ଉନ୍ନତ୍ତ ଯାନ ପ୍ରସ୍ତୁତ କରିବା ଦିଗରେ ସଂପ୍ରତି ଧ୍ୟାନ ଦେଉଛି ।

ନାଭିଗେସନ୍ ଉପଗ୍ରହ ସଂପର୍କରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ଭାରତ ନାଭିଗେସନ ଉପଗ୍ରହ ପ୍ରେରଣ କରିବା ପାଇଁ ଯୋଜନା ରଖିଥିବା ବେଳେ ରିଜିଓନାଲ୍ ନାଭିଗେସନ୍ ସାଟେଲାଇଟ ନାମକ ଏକ ନାଭିଗେସନ୍ ସାଟେଲାଇଟ ସିଷ୍ଟମ୍ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇସ୍ରୋର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟକ୍ରମ ହେବ ଜିଏସ୍ଏଲ୍ଭି ରକେଟ୍ ପ୍ରେରଣ । ୨୦୧୩ ଏପ୍ରିଲ ଶେଷ କିମ୍ବା ମେ ମାସ ପ୍ରଥମାର୍ଦ୍ଧରେ ଏହା ପ୍ରେରଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଉନ୍ନତ୍ତ ମହାକାଶ ଗବେଷଣା ଉପରେ ସୂଚନା ଦେଇ ସେ କହିଲେ, ବହୁ ଗବେଷଣା ପ୍ରତିଷ୍ଠାନ ଓ ବିଜ୍ଞାନଗାର ଜୀବନ ଓ ମାନବ କ୍ରମବିକାଶ ଉପରେ ଗବେଷଣା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳ ଗ୍ରହ ଉପରେ ଗବେଷଣାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଇସ୍ରୋ ମଧ୍ୟ ଚନ୍ଦ୍ର, ମଙ୍ଗଳ ଓ ସୂର୍ଯ୍ୟ ଉପରେ ଗବେଷଣା ପାଇଁ ଗୁରୁତ୍ୱାରୋପ କରୁଛି ।

ଭବିଷ୍ୟତରେ ଚନ୍ଦ୍ର ଓ ମଙ୍ଗଳରେ ଥିବା ପରିବେଶ ଉପରେ ଅଧିକ ଗବେଷଣା କରାଯିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇ ସେ କହିଲେ, ୨୦୩୦ରୁ ୪୦ ମଧ୍ୟରେ ମଙ୍ଗଳ ଅଭିଯାନ ସଫଳତା ପାଇଁ ଚନ୍ଦ୍ରକୁ ମଧ୍ୟବର୍ତ୍ତି ସ୍ପେସ୍ ଷ୍ଟେସନ୍ ଭାବେ ପ୍ରତିଷ୍ଠା କରାଯାଇସାରିଥିବ ।

ମହାକାଶକୁ ଉପଗ୍ରହ ମାଧ୍ୟମରେ ବ୍ୟବହାର କରି ସର୍ବାଧିକ ବ୍ୟବସାୟିକ କାରବାର ଚାଲୁଥିବା ବେଳେ ୨୦୧୨-୧୩ ବର୍ଷରେ ୧୭୭ କୋଟି ଆମେରିକୀୟ ଡଲାର କାରବାର ହୋଇଥିଲା ।

ଆମେରିକା, ଋଷ୍ ଓ ଚୀନ ଭଳି ରାଷ୍ଟ୍ର ମହାକାଶ ଗବେଷଣା ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଥିବା ବେଳେ ଭାରତରେ ଶିକ୍ଷା, ଦାରିଦ୍ର୍ୟ ଓ ପ୍ରାକୃତିକ ଦୁର୍ବିପାକ ଭଳି ସମସ୍ୟା ଯୋଗୁଁ ଅଧିକ ଉନ୍ନତି ହୋଇପାରୁନାହିଁ ବୋଲି ସେ କହିଥିଲେ ।

ତଥାପି ଭାରତ ସମେତ ଆମେରିକା, ଇଉରୋପିଆନ୍ କମ୍ୟୁନିଟି, ଜାପାନ ଓ ଚୀନ ଭଳି ଛ’ଟି ଦେଶ ମହାକାଶ ଗବେଷଣାରେ ଆଗରେ ଅଛନ୍ତି । ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କିଟ୍ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ମହାକାଶ ଉପରେ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ ପାଇଁ ବିଭିନ୍ନ ଅନୁଷ୍ଠାନ ପାଠ୍ୟକ୍ରମ ଆରମ୍ଭ କରୁଥିବା ସୂଚନା ଦେଇଥିଲେ ।

କିଟ୍ ପରିଦର୍ଶନ ପରେ ଏହାକୁ ଏକ ଜାତୀୟସ୍ତରର ବିଶ୍ୱବିଦ୍ୟାଳୟ ଭାବେ ଅଭିହିତ କରାଯାଇଥିବା, ତାଙ୍କର ମନେ ରହିବ ବୋଲି କହିଥିଲେ । ସେହିପରି କିସ୍ ଜରିଆରେ ଏଠାରେ ଏକ ସାମାଜିକ ବିପ୍ଳବ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଡଟ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: କିଟ୍ ବିଶ୍ୱବିଦ୍ୟାଳୟ, ଗବେଷଣା, ମଙ୍ଗଳ ଗ୍ରହ, ସାମ୍ବାଦିକମାନେ

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

January 11, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୦(ଓଡିଶା ଡଟ୍ କମ୍)- ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ୱାରାଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।

ଶେଷ ସଂଧ୍ୟାର ପ୍ରଥମ ଶିଳ୍ପୀଥିଲେ ବିଶିଷ୍ଟ ଗୁରୁ ପଣ୍ଡିତ ଡ଼.ଦାମୋଦର ହୋତା । ରାଗ ନଟ କଲ୍ୟାଣୀ ଏବଂ ତାଳ ନିଶାରୀରେ ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ବନ୍ଦନା ।

ପରବର୍ତୀ ପ୍ରସ୍ତୁତି ଥିଲା ରାଗ ନଟ କଲ୍ୟାଣୀ ଓ ତାଳ ଏକତାଳୀରେ କବିସୂର୍ଯ୍ୟଙ୍କ ରଚନାରୁ ଆଜି ଏକି ଗୁମାନରେ ପ୍ରବନ୍ଧ ଏବଂ ପରେ ପରେ ସେହି ନଟ କଲ୍ୟାଣୀ ରାଗ ଓ ତାଳ ତ୍ରିପଟା ଉପରେ ଆଧାରିତ ଅନ୍ୟ ଏକ ପ୍ରସ୍ତୁତି ତ୍ରିଭଙ୍ଗ ଯେଉଁଥିରେ ଡ଼.ହୋତା ଓଡ଼ିଶୀର ବିଭିନ୍ନ ବିଭାଗକୁ ଚମକ୍ତାର ଭାବେ ପରିବେଷଣ କରିଥିଲେ ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଜୟଦେବ ଗିରି, ହାରମୋନିୟମରେ ପ୍ରଶାନ୍ତ କୁମାର ପାଢୀ, ବେହେଲାରେ ଗୁରୁ ବାଇଧର ରାଉତ, ତାନପୁରା ଏବଂ କଣ୍ଠରେ ସହଯୋଗିତା କରିଥିଲେ ପ୍ରଣତୀ ଏବଂ ଚନ୍ଦନ । ସଂଧ୍ୟାର ଦ୍ୱିତୀୟ ଶିଳ୍ପୀଥିଲେ ପ୍ରତିଭାବାନ ଯୁବ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା ।

ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ କାମୋଦି ଏବଂ ତାଳ ତ୍ରିପଟା ଉପରେ ନିବଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରବନ୍ଧ ‘ଆସି ଘନକାଳ ହୋଇଲାରେ’ ଏବଂ ପରେ ଗୀତଗୋବିନ୍ଦରୁ ‘ରମତେ ଯମୁନା ପୁଲିନ ବନେ’ ପରିବେଷଣ କରିଥିଲେ ଯାହା ରାଗ ମିଶ୍ର ପିଲୁ ଓ ତାଳ ଖେମଟା ଉପରେ ଆଧାରିତ ଥିଲା ।

ତାଙ୍କ ସହିତ ମର୍ଦ୍ଧଳରେ ସହଯୋଗିତା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍, ହାରମୋନିୟମରେ ପ୍ରଣୟ କୁମାର ପଲେଇ, ତାନପୁରାରେ ରାଜସ୍ମିତା ଓଝା, ସ୍ୱରମଣ୍ଡଳରେ ବାଳକୃଷ୍ଣ ଜେନା ଏବଂ ମଞ୍ଜିରାରେ ଅନିଲ କୁମାର ଓଝା । ରୂପକଙ୍କ ପରିବେଷଣରେ ଓଡ଼ିଶୀ ଗାୟନ ଶୈଳୀର ଚମକ୍ରାରିତାକୁ ଶ୍ରୋତାମାନେ ଉପଭୋଗ କରିଥିଲେ । ପରବର୍ତୀ ଶିଳ୍ପୀଥିଲେ ଖ୍ୟାତନାମା ଗାୟିକା ସଙ୍ଗୀତା ଗୋସାଇଁ ।

ସେ ରାଗ କଲ୍ୟାଣ ଓ ତାଳ ଏକତାଳି ଉପରେ ଆଧାରିତ କବି ବନମାଳୀଙ୍କ ରଚିତ ପ୍ରବନ୍ଧ ‘ଲୋଡ଼ା ନାହିଁ ପ୍ରୀତି’ ଏବ ପରେ ଧ ଚମ୍ପୂରେ ରାଗ ହରପ୍ରିୟା ଏବଂ ତାଳ ଆଡ଼ତାଳିରେ ଆଧାରିତ ପ୍ରବନ୍ଧ ‘ଧୀରାରେ କି ଧନ ତୁ ନ ଦେଲୁ ଆଜ’ ଏବଂ ଶେଷରେ ସେ ପରିବେଷଣ କରିଥିଲେ ଛାନ୍ଦ ‘ମଙ୍ଗଳେ ଅଇଲେ ଉଷା’ ଯାହା ରାଗ ଚୋଖି ଓ ତାଳ ରୂପକ ଉପରେ ନିବଦ୍ଧ ଥିଲା ।

ସଙ୍ଗୀତାଙ୍କର ଓଡ଼ିଶୀ ରମ୍ପୁ ଓ ଛାନ୍ଦ ପରିବେଷଣରେ ବିଭୋର ହୋଇଥିଲେ ଶ୍ରୋତାମାନେ । ତାଙ୍କୁ ମର୍ଦ୍ଧଳରେ ଗୁରୁ କାଳନ୍ଦୀ ଚରଣ ପରିଡ଼ା, ହାରମୋନିୟମରେ ଅଜୟ ଦାସ ଏବଂ ତାନପୁରାରେ ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଶିଳ୍ପୀମାନେ ଥିଲେ ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ଛାତ୍ର ଦ୍ୱୟ ଅରୂପ ଦାସ ଓ ମୁରଲୀଧର ସ୍ୱାଇଁ ।

ସେମାନେ ଆଦିତାଳରେ ମର୍ଦ୍ଧଳର ବିଭିନ୍ନ ବାଣୀକୁ ଯଥା ଗଡ଼ି, ଖଣ୍ଡି, ଅରଶା, ଜମାଣ, ଛନ୍ଦବାଦ, ରଗଡ଼, ମାନ ଓ ଭଉଁରୀମାନ ଇତ୍ୟାଦିକୁ ଅତି ନିଖୁଣ ଭାବରେ ପରିବେଷଣ କରି ଶ୍ରେତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ହାରମୋନିୟମରେ ସହଯୋଗ କରିଥିଲେ ଗୁରୁ ନିତ୍ୟାନନ୍ଦ ମହାପାତ୍ର ।

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ ମହାପାତ୍ର ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: ଗବେଷଣା, ଗୁରୁ କେଳୁଚରଣ, ପର୍ଯ୍ୟଟନ, ସଂସ୍କୃତି

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

January 19, 2006 by ନିଉଜ ଡେସ୍କ Leave a Comment

ବ୍ରହ୍ମପୁର, ଜାନୁୟାରୀ ୧୯,(ଓଡିଶା ଡ଼ଟ୍ କମ୍), ଓଡ଼ିଶାର ବ୍ରହ୍ମପୁର ସହରରେ ହରିହର ପାତ୍ର ଏବଂ ମା ପଦ୍ମାବତୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଦର୍ଶନ ପାତ୍ର ବର୍ତ୍ତମାନ ସ୍ତ୍ରୀ ଅନୁ, ଦୁଇ ପୁଅ ଆଶିଷ ଏବଂ ଆଦର୍ଶଙ୍କ ସହ ଉତ୍ତର ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଛନ୍ତି ।

କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସ୍ସି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଂଜିନିୟରିଂ, ଆମେରିକାର ଆମର୍ହଷ୍ଟଠାରେ ମାସାଚ୍ୟୁସେଟ୍ସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଏବଂ ଇନର୍ଫମେଶନ ସାଇନ୍ସରେ ଏମ୍. ଏସ୍. ।

ପରେ ଅଷ୍ଟିନ୍ଠାରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସେ ପିଏଚ୍ଡି କରିବା ସହ ପ୍ରଥମ ଚାକିରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (ପ୍ରିୟଦର୍ଶନ ପାତ୍ର ଏବଂ ତାଙ୍କ ପରିବାର) କ୍ଷେତ୍ରରେ ତିନି ବର୍ଷ କାମ କରିଛନ୍ତି । ଏହା ପରେ ସେ ଯୋଗ ଦେଇଛନ୍ତି ଅରିଗନ୍ଠାରେ ଇଣ୍ଟେଲ କର୍ପୋରେସନ୍ ରେ ଏକ ନୂଆ ଗବେଷଣା କେନ୍ଦ୍ରରେ ।

ବର୍ତ୍ତମାନ ଇଣ୍ଟେଲରଆଡଭାନ୍ସଡ ପ୍ରୋସେସର ଡିଜାଇନ୍ ଏବଂ ଭିଏଲଏସ୍ଆଇର ବରିଷ୍ଠ ଗବେଷକଭାବେ କାର୍ଯ୍ୟ କରୁଥିବା ପାତ୍ର ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ପରାମର୍ଶ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଛନ୍ତି ।

ଇଲୋକ୍ଟ୍ରୋନିକ୍ସ ସାଇନ୍ସ କ୍ଷେତ୍ରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ସ(ଆଇଇଇଇ)ରେ ଜଣେ ବରିଷ୍ଠ ସଦସ୍ୟଭାବେ ସେ ମନୋନୀତ ହୋଇଛନ୍ତି ।

ତେବେ ଏ ସବୁ ଦାୟିତ୍ୱ ତୁଲାଇବା ସାଙ୍ଗକୁ ସେ ଓଡ଼ିଶାର ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଷ୍ଟେନେବଲ୍ ଇକୋନୋମିକ୍ ଆଣ୍ଡ ଏଜୁକେସ୍ନାଲ ଡେଭେଲପମେଣ୍ଟ ସୋସାଇଟି(ସିଡ୍ସ)ର ନେତୃତ୍ୱ ନେଉଛନ୍ତି ।

ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ନିଜ ଜନ୍ମଭୂମି ପାଇଁ କାର୍ଯ୍ୟ କରୁଥିବା ପାତ୍ରଙ୍କ ସହ ଓଡ଼ିଶା ଡଟ୍ କମ୍ ର ସାକ୍ଷାତକାର…….

ଆପଣ କେବେ ଓ କାହିଁକି ଓଡ଼ିଶା ଛାଡ଼ିଲେ?

ପ୍ରାୟ ୨୧ ବର୍ଷ ପୂର୍ବେ ମୋର ଇଂଜିନିୟରିଂ ପାଠପଢ଼ା ସରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକାରୁ ବୃତ୍ତି ପାଇ ମୁଁ ଭାରତ ଛାଡ଼ି ବିଦେଶ ଆସିଲି ।

ଆପଣ ଚାକିରି ବ୍ୟତୀତ ଅନ୍ୟ କେଉଁ ସବୁ କାମରେ ଏବଂ କେବେଠାରୁ ବ୍ୟସ୍ତ ଅଛନ୍ତି?

୧୯୮୯ ମସିହାରେ ମୁଁ ଏବଂ ଅନ୍ୟ ତିନି ଜଣ ସହପାଠୀ ମିଶି ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ପ୍ରୋଗ୍ରେସିଭ ଆକ୍ସନ୍ ଗ୍ରୁପ୍(ଆଇପିଏଜି) ଆରମ୍ଭ କରିଥିଲୁ । ପରେ ମୁଁ ଓଡ଼ିଶାର ଉନ୍ନତିରେ ଆଗ୍ରହୀ ଲୋକମାନଙ୍କୁ ନେଇ “ସିଡ୍ସ୍” ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲି ।

“ଆମେ ଯେଉଁଠି ବାସ କରୁଛୁ, ସେହି ସ୍ଥାନ ପାଇଁ “ଗ୍ଲୋବାଲ ଥଟ୍, ଲୋକାଲ ଆକ୍ସନ୍” ନୀତିରେ କିଛି କରିବା ଉପରେ ମୁଁ ବିଶ୍ୱାସ କରେ” ।

ମୁଁ ପୋର୍ଟଲ୍ୟାଣ୍ଡର ଏକ ପବ୍ଲିକ୍ ସ୍କୁଲରେ “ମ୍ୟାଥ୍ କାଉଣ୍ଟ କୋଚ୍” ଭାବେ କିଛି ଦିନ ପଢ଼ାଉଥିଲି । ସେଠାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହୀ ଥିବାରୁ ଆମେ ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲୁ ।

ଏହା ବ୍ୟତୀତ ମୁଁ କମ୍ୟୁନିଟି ବିଲ୍ଡିଂ ଏବଂ ଓଡ଼ିଶାର କଳାକୁ ଲୋକପ୍ରିୟ କରାଇବା ଦିଗରେ କାମ କରୁଛି ।

କେଉଁ କେଉଁ ଜାଗାକୁ ଆପଣଙ୍କ କାମ ସଂପ୍ରସାରିତ କରିଛନ୍ତି?

ମୁଖ୍ୟତଃ ଓଡ଼ିଶାରେ । ଏହା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନର ଅନ୍ୟ ଅନୁଷ୍ଠାନଗୁଡିକ ସହ ଯୋଗାଯୋଗ କରି ଆମେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କରୁଛୁ ଏବଂ ପୋର୍ଟଲ୍ୟାଣ୍ଡରେ ମଧ୍ୟ ନିଜର କାମ ଜାରୀ ରଖିଛୁ ।

ଭାରତର ଗୁଜୁରାଟରେ ଭୂମିକମ୍ପ ସମୟରେ ଥଇଥାନ କାର୍ଯ୍ୟ କରିଥିବା କାଲିଫର୍ଣ୍ଣିଆର ଦୁଇଟି ସ୍ୱେଚ୍ଛାସେବୀ ଦଳ ଆମ ଗ୍ରୁପ୍ ରେ ଯୋଗ ଦେଇଛନ୍ତି ।

ସିଡ୍ସ୍ କିପରି ଆରମ୍ଭ ହେଲା? ଏହା ଆରମ୍ଭ ହେବାରେ ପ୍ରମୁଖ ଅବଦାନ କାହାର ରହିଛି ? ଏଥିରେ ଆପଣଙ୍କ ଭୂମିକା କ’ଣ?

ପ୍ରାଥମିକ ଅବସ୍ଥାରେ ଅଷ୍ଟିନ୍ ରେ ସ୍ଥାନୀୟ ହାବିଟାଟ୍ସ୍ ଫର୍ ହ୍ୟୁମାନିଟିରେ ଯୋଗ ଦେଇଥିଲି ଏବଂ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ମୁଁ ନିଜକୁ ସଂପୃକ୍ତ କରାଇଥିଲି ।

କିଛି ବର୍ଷ ପରେ ଓଡ଼ିଶାରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି ।

ସମାଜ ସେବା ପାଇଁ ବାପାଙ୍କ ପ୍ରେରଣା, ପ୍ରାଥମିକ ଅବସ୍ଥାରେ ଆଇପିଏଜିରେ ଅଭିଜ୍ଞତା ଏବଂ ୧୯୯୦ ମସିହାରେ ସ୍ୱେଚ୍ଛାସେବୀ ନିଶାକର ଦାଶଙ୍କ ଗାଁକୁ କରିଥିବା ଗସ୍ତରୁ ମୁଁ ବହୁ ଉପାଦେୟ ତଥ୍ୟ ଶିଖିବାକୁ ପାଇଛି ।

ଥମାସ୍ କୋଚେରୀ, ବନ୍ଦନା ଶିବା, ମଧୁ କିଶ୍ୱରଙ୍କ ଭଳି କର୍ମୀମାନଙ୍କ ସହ ମୋର ଆଲୋଚନା, ବାର୍ତ୍ତାଳାପ ମଧ୍ୟ ମୋତେ ବହୁ ସାହାଯ୍ୟ କରିଛି ।

କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳରେ ଅନାହାର ମୃତ୍ୟୁ ଭାରତ ଗଣମାଧ୍ୟମର ଆକର୍ଷଣ ପାଲଟିବା ଏବଂ ଆଇପିଏଜିର କାର୍ଯ୍ୟ ଉନ୍ନୟନମୂଳକ ବିଷୟରୁ ଓହରି ଯାଇ ରାଜନୀତି କେନ୍ଦ୍ରିକ ହେବା ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

ଇଣ୍ଟରନେଟ୍ ମାଧ୍ୟମରେ ଉତ୍ତର ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଘଟଣାବଳୀ ଗୁଡ଼ିକ ମୋତେ ଏକ ଅବସର ଯୋଗାଇଲା ।

ଏହିପରି କେବିକେ(କୋରାପୁଟ, କଳାହାଣ୍ଡି, ବଲାଙ୍ଗିର) ଯୋଜନା ୧୯୯୩ରେ ଆରମ୍ଭ ହେଲା । ପ୍ରଥମେ ଆମ ସହ ଆମେରିକାର ଇଷ୍ଟ କୋଷ୍ଟ ଏବଂ ୱେଷ୍ଟ କୋଷ୍ଟର ଦୁଇ ଜଣ ସକ୍ରିୟ କର୍ମୀ ଥିଲେ । ବର୍ତ୍ତମାନ ସେମାନେ ଆମ ସହ କାମ କରି ପାରୁ ନାହାନ୍ତି ।

ତେବେ ଏକ ବର୍ଷ ମଧ୍ୟରେ କାନାଡ଼ା, ଟେକ୍ସାସ୍, ମିଶିଗାନ୍ ର ଅନ୍ୟ କେତେକ ସଭ୍ୟ ଯୋଗ ଦେଲେ । ୧୯୯୪ ମସିହାରେ ଆମେ ସିଡ୍ସ୍ ନାମରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ସୃଷ୍ଟି କଲୁ ।

ଆମେମାନେ ଯେ, ପରିବର୍ତ୍ତନର ଗୋଟିଏ ଗୋଟିଏ ବୀଜ, ସିଡ୍ସ୍ ଆମ ମନରେ ଏହି ଧାରଣା ସୃଷ୍ଟି କରିଛି । ଯଥେଷ୍ଟ ସାମର୍ଥ୍ୟ ନେଇ ଆମେ ପରିବର୍ତ୍ତନର ବହୁ ବୀଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

୧୯୯୫ ପରେ ସିଡ୍ସ୍ ର ମୁଖ୍ୟ କାର୍ଯ୍ୟାଳୟ ପୋର୍ଟଲ୍ୟାଣ୍ଡକୁ ସ୍ଥାନାନ୍ତର ହୋଇ ଏକ ଅଣ ଲାଭଦାୟକ ସଂସ୍ଥାଭାବେ ପଞ୍ଜୀକୃତହେଲା ।

ଏହାର କାର୍ଯ୍ୟାଳୟ, କାର୍ଯ୍ୟ ପରିସର ଏବଂ ଆର୍ଥିକ ଅନୁଦାନ ଉପରେ କିଛି କହିବେ କି?

ଆଞ୍ଚଳିକତାବାଦଠାରୁ ଉଦ୍ଧ୍ୱର୍ରେ ଗଣତନ୍ତ୍ର, ସମାନତା, ନିଃସ୍ୱାର୍ଥପର ନେତୃତ୍ୱ ଆଦି କେତେକ ସିଦ୍ଧାନ୍ତ ଉପରେ ସିଡ୍ସ୍ର କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟ ପରିସର ପର୍ଯ୍ୟବସିତ ।

ମାନବିକତା ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆଣିବା ସହ ରାଜ୍ୟରେ ହେଉଥିବା ରାଜନୈତିକ ଏବଂ ସାମାଜିକ ଅନ୍ୟାୟ ଗୁଡ଼ିକର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ ।

ସମଗ୍ର ବିଶ୍ୱରେ ଅସମାନତା, ଅଜ୍ଞାନତା ବିଷୟରେ ସଚେତନତା ଆଣି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରୁଥିବା ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆମେ ଯୋଜନା କରୁଛୁ ।

ଆମ ଅନୁଷ୍ଠାନରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତଭାବେ ପରୋପକାରଧର୍ମୀ କାମ କରୁଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆମର ପ୍ରକଳ୍ପ ଗୁଡ଼ିକ ସମାଜର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଛି ।

ଦୀର୍ଘମିଆଦୀ ଯୋଜନା ଅନୁଯାୟୀ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଅପେକ୍ଷା ସେମାନଙ୍କୁ ନିଜ ସମସ୍ୟା ନିଜେ ସମାଧାନ କରିବାର ଉପାୟ ବତାଇବାରେ ଆମେ ସାହାଯ୍ୟ କରୁଛୁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପୂର୍ଣ୍ଣାଙ୍ଗ ଉନ୍ନୟନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆମେ ଜ୍ଞାନ ଆହରଣ କଲୁ ।

ଦ୍ୱିତୀୟ ପର୍ଯ୍ୟାୟରେ “ପାଣି ପଞ୍ଚାୟତ” କୁ ନେଇ ଗବେଷଣା, ମହାବାତ୍ୟା ପରେ ଥଇଥାନ ଏବଂ ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, କଟକ, ବାଲେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାଗୁଡ଼ିକରେ କେତେକ ଦୀର୍ଘମିଆଦି ପ୍ରକଳ୍ପ ଆରମ୍ଭ କରିଥିଲୁ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଆମର ସ୍ୱଳ୍ପ ସମ୍ବଳ ସତ୍ତ୍ୱେ କୌଣସି ନିର୍ଦ୍ଧିଷ୍ଟ ଗାଁ, ସହର କିମ୍ବା ଅଞ୍ଚଳରେ ସୀମିତ ନ ରହି ଆମେ କାର୍ଯ୍ୟ ପରିସରକୁ ଆହୁରି ସଂପ୍ରସାରିତ କରିବୁ ।

ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ (୧)ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସେହି ଅଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା କ୍ଷୁଦ୍ରଶିଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାଇକ୍ରୋ କ୍ରେଡିଟ୍ ବ୍ୟାଙ୍କ୍ ସ୍ଥାପନ, (୨) ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଗଣିତ ସମ୍ବନ୍ଧୀୟ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା, ଆର୍ଥିକ ସ୍ୱଚ୍ଛଳତା ନ ଥିବା ଲୋକମାନଙ୍କ ପାଇଁ ସହଜରେ ସୂଚନା ପାଇବାର ସୁବିଧା ଯୋଗାଇବା ଏବଂ (୩) “ଅର୍ଣ୍ଣ ଆଣ୍ଡ ଲର୍ଣ୍ଣ” କେନ୍ଦ୍ରଗୁଡ଼ିକ ଜରିଆରେ ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ।

ଏଥି ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛୁ ।

ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ବିଷୟରେ ଆପଣଙ୍କର ମତ କ’ଣ? ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ମୁଁ ଧୈର୍ଯ୍ୟ ଏବଂ ନିଷ୍ଠାପର କାମରେ ବିଶ୍ୱାସ କରେ । ଲୋକମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ତାଲିମ ଯୋଗାଇବା ଆବଶ୍ୟକ ।

କ୍ଷୁଦ୍ରଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆମାନଙ୍କ ସହାୟତା ମିଳିଲେ ରାଜ୍ୟର ଆଖିଦୃଶିଆ ଉନ୍ନତି ସମ୍ଭବ ହେବ ।

ଆପଣଙ୍କର ପଦକ୍ଷେପ କୌଣସି ପରିବର୍ତ୍ତନ ଆଣିଛି କି?

ହଁ ନିଶ୍ଚିତଭାବେ । ଫଳାଫଳ ମିଶ୍ରିତ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଛି । ତେବେ ଆମର ଚେଷ୍ଟାକୁ ଆହୁରି ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପ୍ରଶାସନିକ ଢ଼ାଞ୍ଚାରେ ଓଡ଼ିଶାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି କି? ରାଜ୍ୟରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି କି? ରାଜ୍ୟରେ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କର ଏ ବିଷୟରେ ମତ କ’ଣ?

ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ସରକାରଙ୍କ ନୀତି ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁଁନି । ତେବେ ରାଜ୍ୟରେ ଏକ ସନ୍ତୁଳିତ ହାରରେ ବିକାଶ ପାଇଁ ସରକାର ତଥା ରାଜନେତାମାନେ ଚେଷ୍ଟା କରିବା ଉଚିତ ।

ରାଜ୍ୟର ସ୍ଥିତିକୁ ଦୃଢ଼ କରି ନେତାମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି ବୃହତ୍ ଶିଳ୍ପ ଉଦ୍ୟୋଗ ନିଶ୍ଚିତଭାବେ ରାଜ୍ୟର ଭାଗ୍ୟ ବଦଳାଇଦେବ ବୋଲି ଆଶା ପୋଷଣ କରିବା ପରିବର୍ତ୍ତେ ଉକ୍ତ କାରଖାନା ସ୍ଥାପନ ପରେ ଦୁର୍ନୀତି, ପରିବେଶ, ଶିକ୍ଷା, ରାଜ୍ୟବାସୀଙ୍କ ଦୀର୍ଘମିଆଦି ଜୀବିକା ଉପରେ ପଡୁଥିବା ପ୍ରଭାବ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଉନ୍ନତି କ୍ଷେତ୍ରରେ ଓଡ଼ିଶା କି କି ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି?

ମୋ ମତରେ ରାଜ୍ୟବାସୀଙ୍କ ଭାଗ୍ୟବାଦୀ ମନୋବୃତ୍ତି ଏବଂ ଯୁବ ପୀଢ଼ି ମଧ୍ୟରେ ଦିନକୁ ଦିନ ହା୍ରସ ପାଉଥିବା ଉତ୍ସାହ ଏହାର ମୁଖ୍ୟ କାରଣ ଅଟେ । ରାଜନେତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଠାରେ ମଧ୍ୟ କିଛି କରିବାର ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ କି? ଯଦି ହଁ, ତେବେ ଏ ପର୍ଯ୍ୟନ୍ତ ସେମାନେ ଏ କ୍ଷେତ୍ରରେ କାହିଁକି ସଫଳ ହୋଇ ନାହାନ୍ତି?

ହଁ, ରାଜ୍ୟ ବିକାଶରେ ନିଶ୍ଚିତଭାବେ ପ୍ରବାସୀ ଓଡ଼ିଆଙ୍କର ଭୂମିକା ରହିଛି । କେବଳ ସିଡ୍ସ ନୁହେଁ ଅନ୍ୟ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କଠାରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଭଲ ଫଳାଫଳ ମଧ୍ୟ ମିଳିଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶମୂଳକ କାର୍ଯ୍ୟର ନେତୃତ୍ୱ ନ ନେଇ ପାରିବାର କେତେକ କାରଣ ରହିଛି ।

ଯେମିତିକି, ୧- ଉତ୍ତର ଆମେରିକାରେ ପାଖାପାଖି ଆଠ ହଜାର ଓଡ଼ିଆ ବାସ କରନ୍ତି, ଯେଉଁ ସଂଖ୍ୟା କି ଓଡ଼ିଶାର ଲୋକସଂଖ୍ୟା ଏବଂ ତାର ସମସ୍ୟା ଆଗରେ ଅତି ନଗଣ୍ୟ ।

୨- ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ନିଜର ଆର୍ଥିକ ତଥା ସାମାଜିକ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

୩- ନେତୃତ୍ୱଙ୍କୁ ଅଧ୍ୟବସାୟ ଏବଂ ସମାଜସେବାରେ ନିୟୋଜିତ ହେବା ପାଇଁ କେତେକ ଏକାଧିକ ବର୍ଷ ସମୟ ନେଇଥାନ୍ତି ।

ତେବେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଯୁବ ପୀଢ଼ିର ନେତୃତ୍ୱ ନେଇପାରିଲେ ପରିସ୍ଥିତିରେ ଉନ୍ନତି ହେବ ବୋଲି ମୁଁ ଆଶା କରୁଛି ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଲେ, ସେତେବେଳର ଓଡ଼ିଶା ଆଉ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?

ସେତେବେଳ ଅପେକ୍ଷା ପରିବହନ, ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରତ୍ୟେକ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ଉତ୍ପାଦନ ବଢ଼ିପାରିନାହିଁ । ଅଧିକ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବା ଫଳରେ ରାଜ୍ୟରେ ଜଙ୍ଗଲର ପରିମାଣ କମିଛି । ପରିମଳ ବ୍ୟବସ୍ଥାରେ ଆବଶ୍ୟକ ପରିମାଣର ଉନ୍ନତି ହୋଇ ନାହିଁ ।

ତେବେ, ଲୋକମାନେ ନିଜର ଅଧିକାର ନେଇ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ବିକାଶ ପାଇଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ ଶିକ୍ଷା, ସମାନତା, ଲୋକମାନଙ୍କର ଜୀବିକା କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ । ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରିବାକୁ ହେଲେ ଆମେ ସଂପାଦନ କରୁଥିବା ଯେ କୌଣସି କାର୍ଯ୍ୟକୁ ସର୍ବୋତ୍ତମ କରିବାକୁ ହେବ ।

ରାଜନୀତି ଆଡ଼କୁ ଆକର୍ଷିତ ହେଉଥିବା ଯୁବପୀଢ଼ି ଶିକ୍ଷିତ ହେବା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ ଅବସ୍ଥା ସଂପର୍କରେ ସଚେତନ ଏବଂ ସେବା ମନୋବୃତ୍ତି ସଂପନ୍ନ ହେବା ଆବଶ୍ୟକ ।

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

ରାଜ୍ୟର ନୀତି ନିର୍ଦ୍ଧାରଣକାରୀ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ବର୍ଗପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରଣୟନ କରାଯାଉଥିବା ନୀତିଗୁଡ଼ିକରେ ନିଜର ଦୃଷ୍ଟିକୋଣ, ସୃଜନଶୀଳତା ଏବଂ ସାହସ ପ୍ରତିଫଳିତ ହେବା ଆବଶ୍ୟକ । ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଠିକ୍ ବ୍ୟବସ୍ଥା ରହିବା ଉଚିତ ।

ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଅବହେଳାର ଶିକାର ହେଉଛି ବୋଲି ଆପଣ ସହମତ କି ? ଯଦି ହଁ ଏହାର ପ୍ରତିକାର କ’ଣ?

ହଁ, ଓଡ଼ିଶା କେତେକ କ୍ଷେତ୍ରରେ ଅବହେଳିତ ହେବା ପରିଲକ୍ଷିତ ହେଉଛି । ତେବେ ସେଥି ପାଇଁ ଆମ ନିଜକୁ ଏବଂ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ନିଜର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ କରିବା ସହ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମକୁ ଆଗକୁ ଯିବାକୁ ହେବ ।

ଆପଣଙ୍କର ଦିନଚର୍ଯ୍ୟା ବିଷୟରେ କିଛି କହିବେ କି?

ମୋ ସ୍ତ୍ରୀ ଏବଂ ପରିବାରର ସହଯୋଗରେ ସପ୍ତାହର ପ୍ରାୟ ପ୍ରତିଦିନ ଗବେଷଣା, ସିଡ୍ସ୍ର ନେତୃତ୍ୱ, ସ୍ଥାନୀୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାରେ ସମର୍ଥ ହୁଏ ।

ଚଳିତ ବର୍ଷ କଳାକାରମାନଙ୍କର ଏକ ପନ୍ଦର ଜଣିଆ ଦଳର କାର୍ଯ୍ୟକ୍ରମ ପରିଚାଳନା କରିବା ଭଳି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିଲେ ମଧ୍ୟ, ମୋ ପାଇଁ ସେ ସବୁ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିଯାଇଛି ।

ଓଡ଼ିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: କମ୍ପ୍ୟୁଟର ସାଇନ୍ସ, ଗଣମାଧ୍ୟମ, ଗବେଷଣା, ବିଶ୍ୱବିଦ୍ୟାଳୟ, ଶିଳ୍ପ ପ୍ରତିଷ୍ଠା, ସାକ୍ଷାତକାର, ସ୍ୱେଚ୍ଛାସେବୀ

ଓଡ଼ିଶା ପାଇଁ ସମ୍ବେଦନଶୀଳ ହୃଦୟମାନଙ୍କର ଆବଶ୍ୟକତା ରହିଛି

February 17, 2005 by News Bureau Leave a Comment

ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର, ଟେକ୍ସାସ , ଆମେରିକାରେ ଜୈବ ରସାୟନ ବିଜ୍ଞାନ ବିଭାଗରେ ବରିଷ୍ଠ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ମାର୍କଣ୍ଡେଶ୍ୱର ପଣ୍ଡା ଙ୍କ ସହ ସାକ୍ଷାତକାର …

ଗଞ୍ଜାମ, ୧୭ ଫେବୁଆରୀ (ଓଡ଼ିଶା ଡ଼ଟ୍ କମ୍), ଗଞ୍ଜାମ ଜିଲ୍ଲାର ଅନ୍ୟତମ ଛୋଟିଆ ସହର ଖଲିକୋଟ ହେଊଛି ମାର୍କଣ୍ଡେଶ୍ୱର ପଣ୍ଡାଙ୍କ ଗ୍ରାମ । ଟେକ୍ସାସରେ ରହନ୍ତି । ପତ୍ନି ବାଇଶ ବର୍ଷର ପୁଅ ଚଉଦ ବର୍ଷର ଝିଅକୁ ନେଇ ତାଙ୍କର ଛୋଟ ପରିବାର ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ (କେମିଷ୍ଟ୍ରି)ରେ ପି.ଏଚ.ଡ଼ି ହାସଲ କରିବା ସହିତ ଓଡ଼ିଶା ଲୋକ ସେବା ଆୟୋଗ (ଓଡ଼ିଶା ପବ୍ଲିକ ସର୍ଭିସ କମିଶନ)ର ସେବା ପାଇଁ ୧୯୮୦ ମସିହାରେ ଯୋଗ୍ୟ ବିବେଚିତ ।

୧୯୮୦-୮୧ମସିହାରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପକ ।

୧୯୮୧ ମସିହାରେ ଜଣେ ପି.ଏଚ.ଡ଼ି ଛାତ୍ର ହିସାବରେ ତାଙ୍କର ଗସ୍ତ ହୁଏ ଯୁକ୍ତରାଷ୍ଟ୍ର ଆମେରିକା ତା’ପୂର୍ବରୁ ଅବଶ୍ୟ ସେ ୧୯୮୧-୮୭ ମସହା ପର୍ଯ୍ୟନ୍ତ ଆମେରିକାର ସାନ୍ତାକ୍ରୁଜ ସ୍ଥିତ କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରେ ଉଭୟ ଅଧ୍ୟୟନ ଏବଂ ଅଧ୍ୟାପନା କରିଛନ୍ତି ।

ରସାୟନ ବିଜ୍ଞାନରେ ଦ୍ୱିତୀୟ ଥର ପାଇଁ ପି.ଏଚ.ଡ଼ି ଲାଭ । ଓହିଓ ଅନ୍ତର୍ଗତ ଅକ୍ସଫୋର୍ଡ଼ସ୍ଥିତ ମିଆମି ବିଶ୍ୱବିଦ୍ୟାଳୟରେ “ପୋଷ୍ଟଡ଼କ୍ଟରାଲ”କାର୍ଯ୍ୟ ସମାପ୍ତ କରିବା ପରେ ୧୯୮୯ମସିହାରେ ଜୈବ ରସାୟନ ବିଜ୍ଞାନ (ବାଇଓ-କେମିଷ୍ଟ୍ରି) ବିଭାଗକୁ ସ୍ଥାନାନ୍ତରିତ ।

ଏବେ ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର,ସାନ ଅଣ୍ଟୋନିଓ (ୟୁ.ଟି.ଏଚ.ଏସ.ସି.ଏସ.ଏ)ଟେକସାସ ବାଇଓକେମିଷ୍ଟ୍ରି ଡ଼ିପାର୍ଟମେଣ୍ଟରେ ଜଣେ ବରିଷ୍ଠ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତିି । ଏହା ଚିକିତ୍ସା ବିଜ୍ଞାନ (ମେଡ଼ିକାଲ ସାଇନ୍ସ) କ୍ଷେତ୍ରରେ ପି.ଏଚ.ଡ଼ି ଏବଂ ଏମ.ଡ଼ି ଡ଼ିଗ୍ରୀ କାର୍ଯ୍ୟକ୍ରମ ଥିବା ଏକ ଗବେଷଣା ବିଶ୍ୱବିଦ୍ୟାଳୟ ଅଟେ ।

ପଣ୍ଡା କାଲିଫର୍ଣ୍ଣିଆ ,ଓହିଓରେ ରହିବା ପରେ ଶେଷରେ ବର୍ତ୍ତମାନ ଟେକ୍ସାସରେ ଅବସ୍ଥାନ କରୁଛନ୍ତି ।

ମଣିଷ ରୋଗ ସମ୍ବଦ୍ଧୀୟ ବିଭିନ୍ନ ବିଷୟ ବସ୍ତୁକୁ କେନ୍ଦ୍ରିତ କରି ଏଠାରେ ଅଧିକାଂଶ ଗବେଷଣା ଚାଲୁ ରହିଛି । “ଓଡ଼ିଶା ପାଇଁ ନାମୀଦାମୀ ନେତା ତଥା ପ୍ରଶାସକ ଙ୍କ ଅପେକ୍ଷା ସଚ୍ଚୋଟ ଏବଂ ସମ୍ବେଦନଶୀଳ ହୃଦୟ ମାନଙ୍କର ଆବଶ୍ୟକତା ଅଛି ” ଏଠାରେ ଗତ ପନ୍ଦର ବର୍ଷ ଧରି ବାଇକେମିଷ୍ଟ୍ରି ଡ଼ିପାର୍ଟମେଣ୍ଟରେ ଜଣେ ସ୍ଥାୟୀ ଗବେଷକ ହିସାବରେ କାର୍ଯ୍ୟ ସଂପାଦନ କରିଆସୁଥିବା ପଣ୍ଡା କହନ୍ତିି ।

ଆପଣ ବର୍ଷକୁ କେତେଥର ଓଡ଼ିଶା ଆସନ୍ତି ଓ ତାହା କେଉଁ ଉଦ୍ଦେଶ୍ୟରେ ?

ଗବେଷଣାରେ ମୋର ଜୀବନ ପ୍ରକୃତରେ ବ୍ୟସ୍ତବହୁଳ ରହୁଛି ଏବଂ ପ୍ରତି ବର୍ଷେ କିମ୍ବା ଦୁଇ ବର୍ଷରେ ଗବେଷଣାଗାର (ପରୀକ୍ଷାଗାର) ପରିତ୍ୟାଗ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।

ଗତ ୨୦୦୦ ମସିହାରେ ମୁଁ ଶେଷ ଥର ଲାଗି ଓଡ଼ିଶା ଗସ୍ତରେ ଯାଇଥିଲି । ଆସନ୍ତା ମେ-ଜୁନ ମାସରେ ଓଡ଼ିଶା ଯିବା ପାଇଁ ଯୋଜନା କରିଛି ।

ସବୁଥର ଭଳି ବନ୍ଧୁବାନ୍ଧବ,ସାଙ୍ଗସାଥୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାରେ ଜୀବନ ଓ ସଂସ୍କୃତି ସହିତ ପିଲାମାନଙ୍କୁ ପରିଚିତ କରାଇବା ମଧ୍ୟ ଏଥର ଓଡ଼ିଶା ଗସ୍ତର ଉଦ୍ଦେଶ୍ୟ । ତେବେ ଏହା କୌଣସି ପ୍ରକାରର ଆଦୌ ବ୍ୟବସାୟିକ ଗସ୍ତ ନୁହଁ ।

ଆପଣ କୌଣସି ପ୍ରକାରରେ ଓଡ଼ିଶାର ବିକାଶ ସାଧନରେ ସହଭାଗୀ ହୋଇଛନ୍ତି କି ? ଯଦି ହଁ,ତେବେ କିଭଳି ଭାବରେ ବା କେଉଁ କ୍ଷେତ୍ରରେ ?

ଓଡ଼ିଶା ସବୁବେଳେ ମୋ ମନରେ ରହିଛି । ସତ କହିବାକୁ ଗଲେ , ଓଡ଼ିଶାର ବିକାଶ ବା ଉନ୍ନୟନ ଲାଗି ମୁଁ ବିଶେଷ କିଛି କରିପାରିନାହିଁ ।

କାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ମୁଁ ଓଡ଼ିଶା ଫେରିଯିବାକୁ ଯୋଜନା କରିଥିଲି । ତେବେ ଜଣେ ଶିକ୍ଷାବିତ ବା ଗବେଷକ ବୈଜ୍ଞାନିକଙ୍କ ଅବଦାନ ସର୍ବଦା ଅଦୃଶ୍ୟ ବା ଦୃଶ୍ୟମାନ ହୋଇନଥାଏ ।

କିନ୍ତୁ ଓଡ଼ିଶାରେ ଗବେଷଣା ଲାଗି ସୁବିଧାସୁଯୋଗର ସ୍ତର ଆଦୌ ଉତ୍ସାହଜନକ ନୁହେଁ । ସମ୍ଭବତଃ ବାଇଓ-ଟେକ୍ନୋଲୋଜି ପାଇଁ ସେଠାରେ ସୁଯୋଗ ରହିଛି । ମାତ୍ର ସେ ସଂପର୍କରେ ଏକ କମ୍ପାନୀ ଖୋଲିବା ଇଚ୍ଛା ମୋର ନାହିଁ ।

ଜୀବନର ସମସ୍ତ କ୍ଷେତ୍ରର ଲୋକମାନେ ଓଡ଼ିଶାର ବିକାଶ ପାଇଁ ସହଯୋଗ କରିପାରିବେ । ସେଥିମଧ୍ୟରୁ କିଛି ପଦ୍ଧତି ସ୍ୱିକୃତି ଓ ଅନ୍ୟ କିଛି ଅଣ-ସ୍ୱିକୃତି । କିନ୍ତୁ ମୋ ଭଳି ତାଲିମପ୍ରାପ୍ତ ବ୍ୟକ୍ତିମାନେ ରାଜନୀତି,ପ୍ରଶାସନ କିମ୍ବା ବ୍ୟବସାୟ ପାଇଁ ଅନୁପଯୁକ୍ତ ।

ମୁଁ କହିବାକୁ ଚାହେଁ ନାହିଁ ଯେ,ମୁଁ ଓଡ଼ିଶାର ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଫେସର କିମ୍ବା ନିର୍ଦ୍ଦେଶକ ଭାବେ ଯିବାକୁ ଚାହେଁ । କିନ୍ତୁ ମୁଁ ସେଠାରେ ଥିଲେ ,ମୋ ମନରେ ଜୀବ ବିଜ୍ଞାନ ସଂପର୍କିତ ଗବେଷଣା ପ୍ରତି ଥିବା ଐକାନ୍ତିକ ଆଗ୍ରହ ବର୍ତ୍ତମାନ ମରି ଯାଇଥାଆନ୍ତି ।

ଓଡ଼ିଶାର ବର୍ତ୍ତମାନ ଶୋଚନୀୟ ପରିସ୍ଥିତି ସଂପର୍କରେ ଆପଣ କିଛି କହିବେ କି ? ଏଥି ନିମନ୍ତେ ଆପଣ କାହାକୁ ଦାୟୀ କରିବେ ?

ଓଡ଼ିଶା ଦୁସ୍ଥିତି ଭିତରେ ଅଛି ବୋଲି ମୁଁ ବିଚାର କରୁନାହିଁ । ଏହା ସତ କଥାଯେ,ମୁଁ ଭାରତର ଅନ୍ୟତମ ଦରିଦ୍ରତମ ରାଜ୍ୟର ଅଧିବାସୀ । ମାତ୍ର ବର୍ତ୍ତମାନ ସେଠାରେ ଯେଭଳି ଉନ୍ନୟନ ବା ବିକାଶ ଘଟୁଛି ।

ତାହା ମୋତେ ବିସ୍ମିତ କରୁଛି । ମୁଁ ଛାତ୍ର ଥିବା ବେଳେ ବ୍ୟକ୍ତିଗତ (ଘରୋଇ ଟେଲିଫୋନ) , କାର, ମୋବାଇଲ ଫୋନ, କମ୍ପ୍ୟୁଟର ଓ ଟିଭି ପ୍ରଭୁତି ବିଳାସ ସାମଗ୍ରୀ ଥିଲା ।

ଏବେ ଓଡ଼ିଶା ଗସ୍ତରେ ଯିବାବେଳେ ମୁଁ ସେଗୁଡ଼ିକୁ ଏପରିକି ସୁଦୂର ଦୁର୍ଗମ ଅଞ୍ଚଳରେ ମଧ୍ୟ ଦେଖିବାକୁ ପାଉଛି । ଅବଶ୍ୟ ସେଥିନେଇ ସମଗ୍ର ରାଜ୍ୟ ଆର୍ଥିକ କିମ୍ବା ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ବିକଶିତ ହୋଇଛି ବୋଲି କହିବାର ସାହସ ମୋର ନାହିଁ ।

ତଥାପି ରାଜନେତା ବା ରାଜନୈତିକ ବ୍ୟକ୍ତିମାନେ ଆଗ୍ରହ ପ୍ରକାଶ କଲେ ,ଏପରକି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇପାରିବ ।

ଯଦି ଆଜି ରାଜ୍ୟର ଶିକ୍ଷା, ବିଜ୍ଞାନ, ଜଳସେଚନ, ବ୍ୟାକିଂଙ୍ଗ କିମ୍ବା ଅନ୍ୟ କୋଣସି କ୍ଷେତ୍ରରେ ପ୍ରଗତିରେ ସ୍ଥାଣୁତ୍ୱ ପରିଦୃଶ୍ୟ ହୋଇଛି , ସେଥିନିମନ୍ତେ ମୁଖ୍ୟତଃ ସରକାରୀ ନିଷ୍କ୍ରିୟତା ଊପରେହିଁ ଦୋଷାରୋପ କରିବା ଉଚିତ ।

ଓଡ଼ିଶା ସରକାରକୁ ଶିକ୍ଷିତ ଓ ବିଚାରବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ନିୟନ୍ତ୍ରଣ କରିବେ ବୋଲି ମୋର ସ୍ୱପ୍ନ ରହିଛି ।

ତେବେ ଓଡ଼ିଶାର ବିକାଶ ସଚ୍ଚୋଟ ରାଜନୈତିକ ଏବଂ ପ୍ରଶାସକଙ୍କ ଉପରେ ନିର୍ଭରଶୀଳ । ଅନେକ ପ୍ରବାସୀ ଓଡ଼ିଆ ଅଛନ୍ତି ,ଯେଉଁମାନେ ବିଚାର କରୁଛନ୍ତି ସେମାନେ ବ୍ୟବସାୟ ,କ୍ଷୁଦ୍ର ସ୍ୱେଚ୍ଛାସେବୀ ପ୍ରକଳ୍ପ ଆଦି କ୍ଷେତ୍ରରେ ବଡ଼ କାମ କରି କାରିଗରୀ କୋଶଳ(ଟେକ୍ନୋଲୋଜି) ସ୍ଥାନାନ୍ତରରେ ସହାୟତା କରୁଛନ୍ତି ।

ମାତ୍ର ଆମେ ସମସ୍ତେ ଜାଣିଛନ୍ତି ଯେ,ଓଡ଼ିଶା ଜନସଂଖ୍ୟାର ବିପୁଳ ଭାଗ ଦରିଦ୍ର ଏବଂ ରାଜ୍ୟ ବ୍ୟାପକ ଉନ୍ନତି ଆବଶ୍ୟକ କରେ ।

ଓଡ଼ିଶାର ବିକାଶ ପ୍ରକିୟାରେ କୋଣସି ସ୍ତରରେ ଆପଣ ସଂଶ୍ଲିଷ୍ଟ ହୋଇଛନ୍ତି କି ? ସେଥିରେ ସଫଳତା ମିଳିଛି କି ?

ମୋର ବୃତ୍ତି ବା ପେଶା ଦୃଷ୍ଟିରୁ ମୁଁ ପ୍ରତ୍ୟକ୍ଷ ଭାବେ ଓଡ଼ିଶାର ବିକାଶ ପ୍ରକିୟାରେ ସାମିଲ ହୋଇପାରିନାହିଁ । ତେବେ ମୁଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଭିନ୍ନ ଭିନ୍ନ କ୍ଷୁଦ୍ର ପ୍ରକଳ୍ପ ପାଇଁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଚେଷ୍ଟା କରିଛି ।

ଯଦି ଓ ତାହା ପର୍ଯ୍ୟାପ୍ତ ନୁହେଁ ,ତଥାପି ବର୍ତ୍ତମାନ ପରିପ୍ରେକ୍ଷୀରେ ମୁଁ ସେତିକି ହିଁ କରିପାରିବି । ହୁଏତ ଅବସର ଗ୍ରହଣ କରିବା ପରେ ମୁଁ ଓଡ଼ିଶାର କେତେକ କ୍ଷେତ୍ରର ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ଉଭୟ ଅର୍ଥ ଓ ସମୟ ଦାନ କରିପାରିବି ।

ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଶାର ପ୍ରଗତି ନା ଅଧୋଗତି ଘଟୁଛି ବୋଲି ଆପଣ ବିଚାର କରୁୁଛନ୍ତି ? ପ୍ରଶାସନିକ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଭାବୁଛନ୍ତି କି?

ସର୍ବଦା ବା ସବୁସମୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ସାଧାରଣ ଲୋକମାନେ ସେମାନଙ୍କ ସାମ୍ନାକୁ ଆସୁଥିବା ସମସ୍ୟାଗୁଡ଼ିକୁ ପ୍ରଶାସକ ଏବଂ ରାଜନୈତିକ ନେତା (ରାଜନେତା) ମାନେ ଅନୁକମ୍ପା ଓ ନିଷ୍ଠାର ସହିତ ବୁଝିବା ଦରକାର ।

ମୁଁ କହୁନାହିଁ ଯେ, ସମସ୍ତ ପ୍ରଶାସକ କିମ୍ବା ରାଜନେତାମାନେ ଖରାପ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସର୍ବାଧିକ ଘୃଣ୍ୟ ବ୍ୟକ୍ତିମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସବୁଠାରୁ ଅଧିକ ମାତ୍ରାରେ ନିୟନ୍ତ୍ରଣ କରୁଛନ୍ତି ।

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପଥରେ ମୁଖ୍ୟ ପ୍ରତିବନ୍ଧକ କଣ ?

ଯେତେବେଳେ ପ୍ରତ୍ୟେକ ନିଜ ନିଜର ଜୀବନକୁ ଯେକୌଣସି ଉପାୟରେ ସୁରକ୍ଷିତ ବା ନିରାପଦ ରଖିବାକୁ ଚାହାନ୍ତି, ସେତେବେଳେ ସେମାନେ କେତେକ ଉପାୟରେ ଅନ୍ୟ କିଛି ଲୋକଙ୍କ ପ୍ରଗତିରେ ବାଧା ଉପୁଜାଇଥାଆନ୍ତି ।

ମୁଁ ଭାବୁନାହିଁ ପୃଥିବୀର ଅନ୍ୟକୌଣସି ଲୋକଙ୍କ ଠାରୁ ଓଡ଼ିଆମାନେ ଅଧିକ ଅଳସୁଆ । ଗୋଟିଏ ଗରିବ ଲୋକ ବା ମହିଳାଙ୍କୁ ଗୋଟିଏ ସୁଯୋଗ ଦେଲେ ,ସେ ଯାଦୁବିଦ୍ୟା(ମେଜିକ) ସୃଷ୍ଟି କରିଦେବ ।

ଓଡ଼ିଶାରେ ଆର୍ଥିକ ଦୃଷ୍ଟିରୁ ଅନେକ ସ୍ୱଚ୍ଛଳ ବ୍ୟକ୍ତିବିଶେଷ ଅଛନ୍ତି । ଯଦି ସେମାନେ ତାଙ୍କର ଜଣେ କିମ୍ବା ଦୁଇଜଣ ପଡ଼ୋଶୀଙ୍କ ଉତ୍ଥାନରେ ସହାୟକ ହେବେ,ତେବେ ସମାଜ ଉପରେ ତାର ଗଭୀର ପ୍ରଭାବ ପଡ଼ିବ ।

ଉତ୍ତମ ଶିକ୍ଷା ପାଇଁ ଚିକିତ୍ସାର , ପ୍ରତ୍ୟେକ ସମସ୍ୟାର ଦୂରୀକରଣ ଲାଗି ସଂଗ୍ରାମ ଏବଂ ନୈତିକ ମୂଲ୍ୟବୋଧ ସଂପର୍କରେ ପ୍ରବଚନ ଦ୍ୱାରା ବିଶେଷ କରିଛି ସୁଫଳ ମିଳିବ ନାହିଁ । ଯଦି ନିଃସହାୟ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଦାନ ଦେବା ପାଇଁ ଆମ ହାତ ଉନ୍ମୁକ୍ତ ନରହିବ ।

ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ? ଯଦି ହଁ ,ତେବେ ସେମାନେ ବର୍ତ୍ତମାନ ସୁଦ୍ଧା ସେ ଦିଗରେ କାହିଁକି ବିଫଳ ହୋଇଛନ୍ତି ? କିଭଳି ସୁଯୋଗ କିମ୍ବା ପ୍ରଣାଳୀ ଅନୁସରଣ କଲେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶଧାରାରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରିବେ ?

ନିଶ୍ଚିତ ଭାବରେ ପ୍ରବାସୀ ଓଡ଼ିଆମାନେ ଅନେକ କିଛି କରିପାରିବେ ଏବଂ ସେମାନଙ୍କ ଭିତରୁ ଅନେକ ଓଡ଼ିଶାରେ ଉନ୍ନତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ମଧ୍ୟ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ ଏ ଦିଗରେ ପ୍ରବାସୀ ଓଡ଼ିଆମାନଙ୍କ ଅସୁବିଧାକୁ ମଧ୍ୟ ହୃଦୟଙ୍ଗମ କରାଯିବା ଆବଶ୍ୟକ ।

ସାଧାରଣରେ ଗୋଟିଏ ଧାରଣା ରହିଛି ଯେ, ସମସ୍ତ ପ୍ରବାସୀ ଓଡ଼ିଆ ଧନୀ, ସୁପ୍ରତିଷ୍ଠିତ ଏବଂ ସେମାନଙ୍କ ହାତରେ ପ୍ରଚୁର ସମୟ ଅଛି । ମାତ୍ର ଏହା ସତ୍ୟ ନୁହେଁ ।

ମାସକୁ ହଜାର ହଜାର ଡ଼ଲାର ରୋଜଗାର କରୁଥିବା ଜଣେ ସାଧାରଣ ବୃତ୍ତିୟଧାରୀ ବା ପେଶାଦାର ପ୍ରବାସୀ ଓଡ଼ିଆଙ୍କ ପାଇଁ ପୃଥିବୀର ବଡ଼ ବଡ଼ ମହାନଗରୀରେ ବସବାସ କରିବା ଲାଗି ମଧ୍ୟ ଯଥେଷ୍ଟ ନୁହେଁ ।

ତଥାପି ସେମାନେ ବିଫଳ ହୋଇନାହାନ୍ତି ବୋଲି ମୁ କହିବି । କାରଣ ବିଦେଶରେ କିଛି ଧନୀ ଓଡ଼ିଆ ଅଛନ୍ତି ,ଯେଉଁମାନେ ବି ବିପୁଳ ପରିମାଣର ଅର୍ଥ ଦାନ କରୁଛନ୍ତି ।

ମାତ୍ର ସେମାନେ ସମସ୍ତ ଜାଗତିକ ସମ୍ପତ୍ତି ପରିତ୍ୟାଗ କରି ଓଡ଼ିଶାରେ ବସବାସ କରୁଥିବା ଶିଳ୍ପପତି ଏବଂ ରାଜନେତାଙ୍କ ଭଳି ଆଚରଣ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିବା ଠିକ୍ ନୁହେଁ ।

ଆପଣ ଓଡ଼ିଶା ଛାଡ଼ିବା ଏବଂ ବର୍ତ୍ତମାନ ପରିଭ୍ରମଣ କରିବା ଭିତରେ ଓଡ଼ିଶାର କିଭଳି ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ?

ମୁଁ ଯେତେବେଳେ ଓଡ଼ିଶା ଗସ୍ତ କରିଛି ,ସେତେବେଳେ ଏଠିକାର ଜୀବନଧାରଣର ପ୍ରତ୍ୟେକ ପାହ୍ୟାରେ ଉନ୍ନତି ପରିଦୃଶ୍ୟ କରିଛି । ଧନୀ,ମଧ୍ୟବିତ୍ତ ଏବଂ ଗରୀବ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଗୋଟିଏ କୌତୁହଳ ବିଷୟ ହେଊଛି ,ଅଧିକାଂଶ ଲୋକ ଚାଲା୍କ ବୋଲି ଜଣାପଡ଼ନ୍ତି । ମାତ୍ର ସେମାନେ ନିଜ ଜୀବନ ସଂପର୍କରେ ମଧ୍ୟ ଅଜ୍ଞାତ । ନୈତିକ ମୂଲ୍ୟବୋଧ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ସାମାଜିକ -ଅର୍ଥନୈତିକ ସମୃଦ୍ଧି ଲାଗି ଆପଣଙ୍କ ମତରେ କେଉଁ ପ୍ରସଂଗ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ  ?

ସମସ୍ତଙ୍କ ପାଇଁ ଖାଦ୍ୟ ହେଉଛି ,ମୋର ପ୍ରଧାନ ଚିନ୍ତା । ତେଣୁ କୋଣସି ଜଣେ ହେଲେ ବ୍ୟକ୍ତି ଉପବାସ ନରହନ୍ତୁ ବୋଲି ପ୍ରତ୍ୟେକ ରାତିରେ ମୁଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥାଏ । ତା ପରେ ହେଉଛି ,ସ୍ୱାସ୍ଥ୍ୟ ସେବା । ତୃତୀୟ ହେଉଛି ପୋଲିସ ଓ ପ୍ରଶାସକଙ୍କ ଭଳି ତଥାକଥିତ ସୁରକ୍ଷାକାରୀମାନଙ୍କ ନିକଟରୁ ନ୍ୟାୟ ବିଚାର ।

ଏହି କୃଷ୍ଣ ଗର୍ତ୍ତରୁ ଉଦ୍ଧାର ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଓ ରାଜନେତା ମାନଙ୍କୁ ଆପଣ କି ସନ୍ଦେଶ ଦେବେ ?

ଦୁର୍ନୀତି ଠାରୁ ସଂପୂର୍ଣ୍ଣଭାବେ ଦୂରରେ ରହିବା । ଦୟାକରି ଭାବନ୍ତୁ ନାହିଁ ଯେ ଯେତେବେଳେ ଏହା କରୁଛନ୍ତି ମୁ ଏକା ସଚ୍ଚୋଟ ରହିଲେ କଣ ହେବ । ମୃତ୍ୟୁ ବେଳେ କେହି ଟଙ୍କା ନେଇ ଯାଏ ନାହିଁ ।

ଯଦି ଆପଣ ଭାବନ୍ତି ସାରା ରାଜ୍ୟର ବିକାଶ ରେ ଆପଣ ଯୋଗଦାନ ଦେଇ ପାରିବେ ନାହିଁ ତେବେ ନିଜର ସହର,ଜିଲ୍ଲାର ବିକାଶରେ ସହଯୋଗ କରନ୍ତୁ । ତାହା ଆପଣ କରିପାରିବେ ।

ଓଡ଼ିଶା ଜରୁରୀ କାଳୀନ ଭିତ୍ତିରେ କଣ ଆବଶ୍ୟକ କରେ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଶା ପାଇଁ ନାମୀଦାମୀ ନେତା ତଥା ପ୍ରଶାସକ ଙ୍କ ଅପେକ୍ଷା ସଚ୍ଚୋଟ ଏବଂ ସମ୍ବେଦନଶୀଳ ହୃଦୟ ମାନଙ୍କର ଆବଶ୍ୟକତା ଅଛି ।

ଓଡ଼ିଶା କୁ ବିକାଶ କରିବା ପାଇଁ ଆପଣ କିଭଳି ଚିନ୍ତାଧାରା ରଖିଛନ୍ତି ?

ବାଲ୍ୟ କାଳରୁ ରାଜନୈତିକ ନେତା ମାନଙ୍କର ପ୍ରତିଶୃତି ଗୁଡ଼ିକ ମୁ ଶୁଣି ଆସୁଛି । ମାତ୍ର ଓଡ଼ିଆ ଲୋକଙ୍କର ବିକାଶର ମୁଖ୍ୟ ଚାବିକାଠି ରହିଛି ତାଙ୍କ ଗ୍ରାମରେ ,ସହରରେ ତାଙ୍କ ପଡ଼ୋଷୀଙ୍କ ପାଖରେ ।

ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କ ହାତରେ ଅମଲାତନ୍ତ୍ରୀ ମାନଙ୍କ ଅପେକ୍ଷା ଅଧିକ କ୍ଷମତା ରହିବା ର ଆବଶ୍ୟକତା ଅଛି ।

ଓଡ଼ିଶା କୌଣସି ଦିଗରୁ ଅବହେଳିତ ବୋଲି ଆପଣ ବିଶ୍ୱାସ କରନ୍ତି କି ? ଯଦି ହଁ ତାହା କଣ?

ଓଡ଼ିଶା ଅବହେଳିତ ନୁହଁ । ଏହାର ନିଜର ଦାବୀ ହାସଲ କ୍ଷମତା ନାହିଁ । ଆମକୁ ଏଭଳି ସଚ୍ଚୋଟ ଏବଂ ଶିକ୍ଷିତ ରାଜନେତା ଦରକାର ଯେଉଁମାନେ ରାଜନୀତିକୁ କେବଳ ଉତ୍ତରାଧିକାରୀ ସୁତ୍ର ପ୍ରାପ୍ତ କରି ଆସି ନଥିବେ ।

ଠିକଣା

ଜୈବରସାୟନ ବିଜ୍ଞାନ ବିଭାଗ (ଡ଼ିପାର୍ଟମେଣ୍ଟ ଅଫ୍ ବାଇଓ-କେମିଷ୍ଟ୍ରି),

ଟେକ୍ସାସ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ର ବିଶ୍ୱବିଦ୍ୟାଳୟ (ୟୁନିଭରସିଟି ଅଫ୍ ଟେକ୍ସାସ ହେଲଥ ସାଇନ୍ସ ସେଣ୍ଟର) ,

୭୭୦୩ ଫ୍ଲୋରିଡ଼ କର୍ଲ ଡ଼୍ରାଇଭ ସାନ୍ ଆଣ୍ଟୋନିଓ ,ଟି.ଏକ୍ସ ୭୮୨୨୯-୩୯୦୦

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ସାକ୍ଷାତକାର Tagged With: ଗଞ୍ଜାମ, ଗବେଷଣା, ମହାବିଦ୍ୟାଳୟ, ୟୁନିଭରସିଟି, ସମ୍ବଲପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ