• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚାଷୀ ଆତ୍ମହତ୍ୟା

କୃଷକଙ୍କ ଦୁରାବସ୍ଥା ଓ ରାଷ୍ଟ୍ରୀୟ କୃଷକ କମିସନ୍-ଜଗଦୀଶ ପ୍ରଧାନ

November 24, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ରାସାୟନିକ ଆଧାରିତ ଆଧୁନିକ ଚାଷବାସର ପ୍ରବର୍ତ୍ତନ ଆରମ୍ଭ ହେବା ଦିନରୁ ଆମ ଦେଶରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇପାରିଛି ସତ, କିନ୍ତୁ ଏହା ସାଙ୍ଗକୁ ସାରା ଦେଶରେ କୃଷକମାନଙ୍କର ଦୁର୍ଦ୍ଧଶା ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଚର୍ଚ୍ଚା ହୋଇଆସୁଛି ।

jagdishଆର୍ଥିକ ଉଦାରୀକରଣ ପରେ ଓ ବିଶେଷକରି ୧୯୯୫-୯୬ ପରଠୁ ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର, ପଂଜାବ, କେରଳ ଇତ୍ୟାଦି ରାଜ୍ୟରେ ଦୁର୍ଦ୍ଧଶାଗ୍ରସ୍ତ କୃଷକମାନଙ୍କର ଆତ୍ମହତ୍ୟା ଘଟଣାସବୁ ଅତ୍ୟନ୍ତ ଉଦବେଗଜନକ ରୂପନେବାକୁ ଲାଗିବାରୁ କୃଷି ଓ କୃଷକଙ୍କର ଏହି  ଉଦବେଗଜନକପରିସ୍ଥିତି ପଛରେ ଥିବା କାରଣସବୁ ଉପରେ ଅନୁଧ୍ୟାନ କରି ସେ ସବୁର ନିରାକରଣ ଦିଗରେ ସରକାରଙ୍କୁ ପରାମର୍ଶ ଦେବା ନିମନ୍ତେ ଏନ.ଡି.ଏ. ସରକାରଙ୍କ ସମୟରେ କୃଷି ବିଷାରଦ ଏବଂ ବିଶିଷ୍ଟ କୃଷକ ନେତା ସୋମପାଲ ସିଂହଙ୍କ ଅଧ୍ୟକ୍ଷତାରେ  ରାଷ୍ଟ୍ରୀୟ କୃଷକ କମିସନ୍ ନାମରେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିସନ ଗଠନ କରାଯାଇଥିଲା ।

୨୦୦୪ ବର୍ଷରେ ୟୁପିଏ ସରକାର ଆସିବାପରେ ଏହିକମିସନରୁ ସୋମପାଲ ସିଂହ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ପ୍ରଫେସର ଏମ୍.ଏସ୍.ସ୍ୱାମୀନାଥନଙ୍କୁ ନେଇ କମିସନର ପୁର୍ନଗଠନ କରାଯାଇଥିଲା, ଯେଉଁଠି ଏହି ଲେଖକଙ୍କୁ ମଧ୍ୟ ଉକ୍ତ ଆଠଜଣିଆ  କମିସନର ଜଣେ ସଦସ୍ୟଭାବେ ନିଆଯାଇଥିଲା ।

ଏହି କମିସନ୍ ୨୦୦୪ ରୁ ୨୦୦୬ ବର୍ଷ ମଧ୍ୟରେ କୃଷି ଏବଂ କୃଷକଙ୍କ ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ବିସ୍ତୃତ ଚର୍ଚ୍ଚା ଆଲୋଚନା କରିବା ନିମନ୍ତେ ଦେଶର ଅନେକ କୃଷି ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ, ସାମାଜିକକର୍ମୀ ଓ ସମାଜ ବିଜ୍ଞାନୀ,କୃଷକ ସଂଗଠନମାନଙ୍କ ନେତୃବର୍ଗ ତଥା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟସଂଗଠନର ପ୍ରତିନିଧିମାନଙ୍କ ସହିତ ସଂପର୍କ ରଖି ବ୍ୟାପକ ଚର୍ଚ୍ଚା ଓ ବିଚାର ବିମର୍ଶର ଆୟୋଜନ କରିଥିଲା ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୨୦୦୪ ରୁ ୨୦୦୬ ଭିତରେ କମିସନ ତରଫରୁ ସରକାରଙ୍କୁ ପାଞ୍ଚଟି ସୁବିସ୍ତୁତ ରିପୋର୍ଟ ଦିଆଯାଇଥିଲା ତଥା ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀ, ଯୋଜନା କମିସନ, କୃଷିମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସେ ସବୁ ରିପୋର୍ଟକୁ ନେଇ ସ୍ୱତନ୍ତ୍ର ଆଲୋଚନା ମଧ୍ୟ କରାଯାଇଥିଲା ।

ତିନି ବର୍ଷ ଭିତରେ କମିସନ ଦେଇଥିବା ବିଭିନ୍ନ ରିପୋର୍ଟର ସାରମର୍ମ ଥିଲା ଯେ – ସ୍ୱାଧୀନତା ପରବର୍ତ୍ତୀ ସମୟରେ ସରକାର ବିଭିନ୍ନ ରାଷ୍ଟ୍ରୀୟ କୃଷିନୀତିମାନ ପ୍ରଣୟନ କରିବା ସହିତ କୃଷିର ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ନେବା ଫଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ ଯଥେଷ୍ଟ ବଢ଼ିଛି ସତ, କିନ୍ତୁ କୃଷି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କୃଷକମାନଙ୍କର ନେଟ୍ ଆୟ ବୃଦ୍ଧି ତଥା ସାମାଜିକ କଲ୍ୟାଣ ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆନଯିବା ଫଳରେ କ୍ରମାଗତ ଭାବରେ ଦେଶସାରା କୃଷକମାନଙ୍କ ଆର୍ଥିକ ଦୁରବସ୍ଥା ବଢ଼ିଚାଲିଛି ଏବଂ ସେମାନଙ୍କ ମନରେ ହତାଶା ମନୋଭାବ ବୃଦ୍ଧିପାଇବାରେ ଲାଗିଛି ।

ଅଣକୃଷିକ୍ଷେତ୍ରରେ ନିୟୋଜିତ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ପୁରୁଷ-ମହିଳାଙ୍କ ଆୟରେ ତାରତମ୍ୟ ଯେଭଳି ଭାବରେ ବଢ଼ିଚାଲିଛି ତାହା ନିଶ୍ଚିତଭାବେ ଉଦବେଗଜନକଏବଂ ସେଦିଗରେ ମଧ୍ୟ ସରକାରଙ୍କୁ କେତେକ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ ।

ଦେଶର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା କୃଷକ ଆତ୍ମହତ୍ୟା ଘଟଣା ସବୁର ପଛରେ ଯେ କୃଷକମାନଙ୍କର ଆର୍ଥିକ ଦୁରବସ୍ଥା ଏକ ମୁଖ୍ୟ କାରଣ ଏବଂ ଏହି ଦୁରବସ୍ଥାରେ ସୁଧାର ଆଣିବାକୁ ହେଲେ କେନ୍ଦ୍ର ସରକାର ଏକ ସୁଚିନ୍ତିତ ରାଷ୍ଟ୍ରୀୟ କୃଷକ ନୀତି ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରିବାକୁ ହେବ ।

କମିସନ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲା ଯେ କୃଷିକ୍ଷେତ୍ରର ବିକାଶ ଆକଳନ କରିବା ସମୟରେ ମୋଟ ଉତ୍ପାଦନ ବା ଉତ୍ପାଦକତାକୁ ପ୍ରମୁଖ ସୂଚକ ଭାବରେ ନ ନେଇ ସଂପୃକ୍ତ କୃଷକ (ତଥା କୃଷି ଶ୍ରମିକ) ଙ୍କ ନେଟ୍ ଉପାର୍ଜନକୁ ସୂଚକ ଭାବରେ ନେବା ଆବଶ୍ୟକ ।

ଏଭଳି ଏକ ବିଚାରକୁ ନେଇ ରାଷ୍ଟ୍ରୀୟ କୃଷକନୀତି କିଭଳି ହେବା ଆବଶ୍ୟକ ସେ ସଂପର୍କରେ କମିସନ୍ ଅକ୍ଟୋବର ୨୦୦୬ ରେ ସରକାରଙ୍କୁ “ରାଷ୍ଟ୍ରୀୟ କୃଷକ ନୀତି’ର ଏକ ଚିଠା ପ୍ରସ୍ତାବ ମଧ୍ୟ ଦେଇଥିଲେ ।

କମିସନଙ୍କ ପ୍ରସ୍ତାବକ୍ରମେ ଏବଂ ଉକ୍ତ ଚିଠା ପ୍ରସ୍ତାବର ଆଧାରରେ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ କୃଷକ ନୀତି ୨୦୦୭’ର ପ୍ରଣୟନ କରିଥିଲେ କିନ୍ତୁ ଦୁଃଖର ବିଷୟ ଯେ ଏହି ରାଷ୍ଟ୍ରୀୟ କୃଷକ ନୀତିରେ କମିସନଙ୍କ ପ୍ରଦତ୍ତ ଚିଠା ପ୍ରସ୍ତାବର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସ୍ଥାନ ପାଇ ପାରିନଥିଲା ।

ପରବର୍ତ୍ତୀ ସମୟରେ ମଧ୍ୟ ଏହି କୃଷକ ନୀତିରେ ରାଷ୍ଟ୍ରୀୟ କୃଷକ କମିସନଙ୍କ ପ୍ରସ୍ତାବ ସବୁର ଆଧାରରେ କୌଣସି ସଂଶୋଧନ ଅଣାଯାଇ ନାହିଁ । ରାଷ୍ଟ୍ରୀୟ କୃଷକ କମିସନଙ୍କ ବିଭିନ୍ନ ପରାମର୍ଶକୁ ଯଦି କାର୍ଯ୍ୟକାରୀ କରାଯାଇଥାନ୍ତା, ତେବେ ଆମ ଦେଶର କୃଷକଙ୍କ ଅବସ୍ଥାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିସାରିଥାଆନ୍ତା ବୋଲି ଅନେକେ ମତ ପ୍ରକାଶ କରିଆସିଛନ୍ତି ।

ଆମ ଦେଶର ତଥା କୃଷି ଏବଂ କୃଷକଙ୍କ ସାମଗ୍ରିକ ବିକାଶକୁ ଆଖିରେ ରଖି ଏକ ରାଷ୍ଟ୍ରୀୟ କୃଷକ ନୀତି ପ୍ରସ୍ତୁତି ନିମନ୍ତେ କମିସନଙ୍କ ତରଫରୁ ନିମ୍ନ ଦଶଟି ଲକ୍ଷ୍ୟ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।

୧. କୃଷିକାର୍ଯ୍ୟକୁ ଲାଭଜନକ କରିବା ଏବଂ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଜଣେ କୃଷକ ତାହାର କୃଷିକାର୍ଯ୍ୟରେ ସମସ୍ତ ଖର୍ଚ୍ଚ ଯାଇ ନିୟମିତ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଉପାର୍ଜନ କରିପାରିବ । କୃଷିକ୍ଷେତ୍ରରେ ବିକାଶର ହାର ନିରୂପଣ କରିବା ସମୟରେ ମୁଖ୍ୟତଃ କୃଷକର ଆୟ ବୃଦ୍ଧିକୁ ବିଚାରକୁ ନିଆଯିବ ।

୨. ଦେଶର ସମସ୍ତ କୃଷିନୀତିରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱଦେବା ସହିତ ନିରନ୍ତର ଗ୍ରାମୀଣ ଜୀବିକା ଉନ୍ନୟନର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଦିଆଯିବ ।

୩. ଭୂସଂସ୍କାର କ୍ଷେତ୍ରରେ ଅଧାପନ୍ତରିଆ ଥିବା କାର୍ଯ୍ୟକ୍ରମକୁ ଗୁରୁତ୍ୱଦେଇ ଦେଶର ପ୍ରତ୍ୟେକ ଅଞ୍ଚଳରେ ଭୂସଂସ୍କାରକୁ ସଂପୂର୍ଣ୍ଣ କରାଯିବ ।

୪. କୃଷକମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରାଯିବ ।

୫. ଜମି, ଜଳ, ଜୈବ ବିବିଧତା ଏବଂ ଜଳବାୟୁ ସଂପର୍କୀତ ପ୍ରାକୃତିକ ସଂପଦର ସୁରକ୍ଷା ଓ ଉନ୍ନତି ବିଧାନ ଦିଗରେ ପଦକ୍ଷେପ ନିଆଯିବ । କୃଷିକ୍ଷେତ୍ରରେ ଉତ୍ପାଦନ ଓ ଉପôାଦିକତା ବୃଦ୍ଧି ସହିତ ଚାଷୀପାଇଁ ଲାଭ ସୁନିଶ୍ଚିତ କରିବା ଓ ଉତ୍ପାଦନର ସ୍ଥିରତା ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

୬. ଗ୍ରାମାଞ୍ଚଳରେ ଗ୍ରାମ୍ୟଗୋଷ୍ଠୀ ପରିଚାଳିତ ଖାଦ୍ୟ, ଜଳ ଓ ଶକ୍ତିର ସୁରକ୍ଷା ବ୍ୟବସ୍ଥା ଏବଂ କୃଷିକ୍ଷେତ୍ରରେ ଜଡ଼ିତ ସମସ୍ତଙ୍କ ପାଇଁ ପୁଷ୍ଟିସାର ଖାଦ୍ୟର ସୁରକ୍ଷା ସୁନିଶ୍ଚିତ କରାଯିବ ।

୭. କୃଷିକ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବ, ଯାହାଦ୍ୱାରା କୃଷିକ୍ଷେତ୍ର ପ୍ରତି ଅଧିକରୁ ଅଧିକ ଯୁବାବର୍ଗ ଆକର୍ଷିତ ହେବେ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ରହିବାକୁ ଆଗ୍ରହ ପ୍ରକାଶ କରିବେ ।

୮. କୃଷକମାନଙ୍କର ସ୍ୱାସ୍ଥ୍ୟ, ଉପାର୍ଜନ ତଥା ରାଷ୍ଟ୍ରର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଫସଲ, ପ୍ରାଣୀ ସଂପଦ ଓ ମତ୍ସ୍ୟ ସଂପଦର ଜୈବସୁରକ୍ଷାକୁ ନିଶ୍ଚିତ କରାଯିବ ।

୯. କୃଷିଶିକ୍ଷା ସଂପର୍କୀୟ ପାଠ୍ୟ ଖସଡ଼ାରେ ଏଭଳି ଢାଞ୍ଚାଗତ ପରିବର୍ତ୍ତନ କରାଯିବ, ଯଦ୍ୱାରା ଗୃହବିଜ୍ଞାନ ଓ କୃଷି ସ୍ନାତକମାନେ ଜଣେ ଜଣେ କୃଷିଉଦ୍ୟୋଗୀ ହୋଇ ବାହାରିବେ । ଏହା ସହିତ କୃଷିଶିକ୍ଷାକୁ ମଧ୍ୟ ଲିଙ୍ଗ (ଜେଣ୍ଡର) ସଚେତନ କରାଯିବ ।

୧୦. ଜୈବପ୍ରଯୁକ୍ତି ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ସଦୁପଯୋଗ କରି ବିଶ୍ୱ ସ୍ତରରେ ଭାରତକୁ ଚିରନ୍ତନ କୃଷି ଓ କୃଷି ଉତ୍ପାଦ କ୍ଷେତ୍ରରେ ଏକ ମୁଖ୍ୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରାଯିବ ।

ରାଷ୍ଟ୍ରୀୟ କୃଷକ କମିସନଙ୍କ ପାଞ୍ଚଟି ରିପୋର୍ଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଉପରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଥିଲେ ହେଁ ସେ ସବୁକୁ ନେଇ ସଂସଦରେ କିମ୍ବା ଅନ୍ୟତ୍ର ବିଶେଷ ଚର୍ଚ୍ଚା କରାଯାଇ ନାହିଁ । ଅବଶ୍ୟ, ଫସଲବୀମା, କୃଷିଋଣ, କୃଷି ସଂପ୍ରସାରଣ ଇତ୍ୟାଦି ଅଳ୍ପକେତୋଟି କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରମାନେ କିଛି କିଛି କାର୍ଯ୍ୟକ୍ରମ ନେଇଥିବାର ଜଣାଯାଏ ।

ବିଭିନ୍ନ କୃଷକ ସଂଗଠନମାନଙ୍କ ଦ୍ୱାରା ମୁଖ୍ୟତଃ କମିସନଙ୍କ ପ୍ରସ୍ତାବିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିରୂପଣ ପ୍ରଣାଳୀକୁ ନେଇ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଉଅଛି ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକମେଣ୍ଟ ମଧ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ତାଙ୍କର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଯେ ସରକାର ଗଠନ କଲେ ସେମାନେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ।

ଅବଶ୍ୟ, ଇତିମଧ୍ୟରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ମେଣ୍ଟ ସରକାର ଗଠନ ହେବାପରେ ଉକ୍ତ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରେ ଏକ ସତ୍ୟପାଠ ଦାଖଲ କରିଥିବା ଜଣାଯାଏ । ୧୯୯୫-୨୦୦୬ ବେଳକୁ ଆମ ଦେଶରେ କୃଷକମାନଙ୍କ ଅବସ୍ଥା ଯାହାଥିଲା ଆଜି ମଧ୍ୟ ସେଭଳି ରହିଅଛି କିମ୍ବା ସେମାନଙ୍କ ଦୁରାବସ୍ଥା ଆହୁରି ଅଧିକ ବଢ଼ିଛି ।

୨୦୦୪ ରୁ ୨୦୦୬ ମଧ୍ୟରେ ରାଷ୍ଟ୍ରୀୟ କୃଷକ କମିସନ ଦେଇଥିବା ପ୍ରସ୍ତାବମାନଙ୍କର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଅଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉକ୍ତ ପ୍ରସ୍ତାବ ସବୁର ଆଧାରରେ ପଦକ୍ଷେପ ନେଲେ ଦେଶରେ ତଥା ରାଜ୍ୟମାନଙ୍କରେ କୃଷକମାନଙ୍କର ଦୁରାବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୨୦୦୬)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ – କେତୋଟି ପ୍ରସ୍ତାବ: ଜଗଦୀଶ ପ୍ରଧାନ

November 22, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

jagdish− ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ ଏବେ ସାରାଦେଶରେ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ସ୍ଥିତିକୁ ପହଞ୍ଚି ସାରିଛି ।

− ତା’ ଉପରେ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆକ୍ରମଣ ଇତ୍ୟାଦି ଦୁର୍ବିପାକ ଦେଖାଦେଲେ ଚାଷୀମାନଙ୍କ ଦୁରାବସ୍ଥା ଆହୁରି ବଢ଼ିଯାଉଛି ।

− ଓଡ଼ିଶା ପରିପ୍ରେକ୍ଷୀରେ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଦୁରାବସ୍ଥା ସବୁଠାରୁ ବେଶି ।

− ସମସ୍ତେ ଏହା ବୁଝିବା ଆବଶ୍ୟକ ଯେ, ଏପରି ଦୁରାବସ୍ଥାର ମୁଖ୍ୟ କାରଣ ‘ୠଣ’ ନୁହେଁ କିମ୍ବା ସୁବିଧାରେ ଓ କମ୍ ସୁଧରେ ‘ୠଣ’ ମିଳିଗଲେ ଯେ ଏ ଦୁରାବସ୍ଥା ସୁଧୁରିଯିବ ତାହା ବି ନୁହେଁ ।

ଏପରି ଦୁରାବସ୍ଥା ପାଇଁ ଅନେକ କାରଣ ରହିଛି ଯାହାକୁ ସରକାର ଏକ ସୁଚିନ୍ତିତ କାର୍ଯ୍ୟକାରୀ କରିପାରିବା ଭଳି ଯୋଜନା ଜରିଆରେ ହିଁ ସମାଧାନ କରିପାରିବେ ।

− ଏବେ ରାଜ୍ୟରେ ଚାଷୀମାନଙ୍କ ଆତ୍ମହତ୍ୟା କରୁଥିବା ସମ୍ବାଦ ସବୁ ଯେଭଳି ଭାବେ ଆସୁଛି ତାହା ଯେ କୌଣସି କାରଣରୁ ହେଉନାକାହିଁ କି ଉକ୍ତ ଚାଷୀମାନଙ୍କ ଭିତରୁ ଯେ ଅଧିକାଂଶ ଚାଷୀ ଆର୍ଥିକ ଦୃଷ୍ଟିରୁ ଅନେକ ଦିନ ଧରି ମାନସିକ ଚାପରେ ରହିବାପରେ ଅନ୍ୟ ଉପାୟ ନପାଇଁ ଆତ୍ମହତ୍ୟା କରିବାର ବାଟ ବାଛି ନେଉଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

− ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତି ଚାଷୀ ହେଉ ବା ଅଣଚାଷୀ ହେଉ ତାହାଙ୍କୁ ଏଭଳି ପଦକ୍ଷେପ ନେବାରୁ ନିବୃତ କରାଇପାରିବା ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ।

− ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାପାଇଁ ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ସରକାର ତୁରନ୍ତ ନିୟୋଜିତ କରିବା ଆବଶ୍ୟକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦେବା ଆବଶ୍ୟକ ।

− ସରକାର ବିଭିନ୍ନ ରିଲିଫ୍ ଓ କୃଷି ବିକାଶ କାର୍ଯ୍ୟକ୍ରମ ଘୋଷଣା କରୁଥିଲେ ମଧ୍ୟ ସାଧାରଣ ଚାଷୀମାନଙ୍କର ସରକାର (ଓ ସରକାରୀ କର୍ମଚାରୀମାନଙ୍କ) ଙ୍କ ଉପରେ ଆସ୍ଥା ଆସୁନାହିଁ । କୌଣସି କୃଷକର ଆତ୍ମହତ୍ୟା ଘଟଣାର ଗଣମାଧ୍ୟମରେ ଯେତିକି ଅଧିକ ଚର୍ଚ୍ଚା ଓ ପ୍ରଚାର ହେଉଛି ଦୁଃସ୍ଥ ଚାଷୀମାନଙ୍କର ସରକାର ଓ ସରକାରୀ ଯୋଜନା ଉପରେ ତଥା ନିଜ ଉପରେ ମଧ୍ୟ ଆସ୍ଥା ସେତିକି ହ୍ରାସ ପାଉଛି । ଫଳରେ ଆତ୍ମହତ୍ୟା ଏକ ସଂକ୍ରାମକ ବ୍ୟାଧି ଭଳି ହେବାକୁ ଯାଉଛି ।

ସରକାର ଏହି ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

− ଏକ ବିକେନ୍ଦ୍ରିତ ଶାସନ ବ୍ୟବସ୍ଥା ହିଁ ଅତି ସାଧାରଣ ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚôପାରିବ ଓ ଲୋକଙ୍କ ସମସ୍ୟା ବୁଝିପାରିବ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କିମ୍ବା ଉଚ୍ଚ ପଦାଧିକାରୀମାନେ ଜିଲ୍ଲାଗସ୍ତ କରିବାରେ ଲୋକେ ବିଶେଷ ସୁଫଳ ପାଇପାରିବେ ନାହିଁ ।

ସରକାର ପଞ୍ଚାୟତ ସ୍ତରରେ ଶାସନ ପ୍ରଣାଳୀକୁ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରନ୍ତୁ । ଏକ ଦକ୍ଷ ଓ ସୁଦୃଢ଼ ପଞ୍ଚାୟତରାଜ ବ୍ୟବସ୍ଥା ଜରିଆରେ ହିଁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ତ୍ୱରାନ୍ୱିତ କରିପାରିବେ ।

− ଦୀର୍ଘକାଳୀନ ଭିତ୍ତିରେ କୃଷି ଓ କୃଷକଙ୍କ ପାଇଁ କ’ଣ କରାଯିବା ଆବଶ୍ୟକ ତାହା ଚର୍ଚ୍ଚା କରିବାକୁ ତ ସମୟ ଅଛି କିନ୍ତୁ ଯେଉଁ ସବୁ କାରଣରୁ ଏବେ କୃଷକମାନଙ୍କ ଭିତରେ ହତାସ ଭାବ ବୃଦ୍ଧିପାଇ କିଛି ଚାଷୀ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି ତାହାକୁ ପ୍ରତିହତ କରିବାପାଇଁ ସରକାର ଗ୍ରାମପଞ୍ଚାୟତମାନଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଯଥୋଚିତ ପଦକ୍ଷେପ ନିଅନ୍ତୁ ।

ପ୍ରଥମ ପଦକ୍ଷେପ ସ୍ୱରୂପ ମରୁଡ଼ିଗ୍ରସ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ସବୁଠାରୁ ବେଶି ଦୁର୍ଗତ ୪୦-୫୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ତାଙ୍କୁ ବିଭିନ୍ନ ଯୋଜନାରେ ଯୋଡ଼ାଯାଉ ଯେମିତି ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ ।

− ଚାଷୀମାନଙ୍କ ସକାରାତ୍ମକ ଉଦ୍ୟମକୁ ସହାୟତା ଦେଇ ପ୍ରଚାର ପ୍ରସାର କରାଯାଉ ।

− ରାଷ୍ଟ୍ରୀୟ କୃଷକ କମିଶନଙ୍କ ପରାମର୍ଶ ତଥା ରାଜ୍ୟ କୃଷକ କମିସନ୍ ଦେଇଥିବା ରିପୋର୍ଟର ଆଧାରରେ ସରକାର ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଦୀର୍ଘକାଳୀନ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’

November 18, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ: କପିଳାସ ଭୂୟାଁ

ଚାଷୀମାନଙ୍କ ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବେ ଚର୍ଚାରେ। ମରୁଡି ଓ ଋଣଭାରରେ ଆକ୍ରାନ୍ତ ରାଜ୍ୟର ଚାଷୀକୂଳ ପ୍ରାୟ ପ୍ରତିଦିନ ଜଣେ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଥିବା ବେଳେ ପ୍ରମିଳା ‘ବିରୋଧୀ ଚାଷୀଙ୍କୁ ଆମର ଲଡୁ ଦେଇଦିଅନ୍ତୁ ଆଉ ସେମାନେ ମରିବେ ନାହିଁ ‘ କହିବା ଦ୍ଵାରା ସେ ଚାଷୀଙ୍କୁ ପରିହାସ କରିଥିବା ବହୁ ବୁଦ୍ଧିଜୀବୀ ଓ ବିରୋଧୀ ଦଳ ନେତା ମାନେ କହିଛନ୍ତି।

pramila mallikତାଙ୍କ ତାତ୍ସଲ୍ୟ ଚାଷୀଙ୍କୁ ବେଡ଼ି ଉପରେ କୋରଡା ମାଡ ସଦୃଶ ମନେ ହେଉଥିବା ସେମାନେ କହିଛନ୍ତି।, ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ଏବେ ସୁଦ୍ଧା ଏକ ଶହରୁ ଅଧିକ ହେଲାଣି।

ଏଭଳି ପରିସ୍ଥିତିକୁ ସରକାର କିଭଳି ସମ୍ଭାଳିବେ ଚିନ୍ତାରେ ରହିଥିବା ବେଳେ ଦୟନୀୟ ଅବସ୍ଥାରେ ଥିବା ଚାଷୀ, ଗଣମାଧ୍ୟମ ଓ ବିରୋଧୀ ଦଳମାନଙ୍କ ପ୍ରତି ପ୍ରମିଳାଙ୍କ ଏହି ତଥାକଥିତ ଅଶୋଭନୀୟ ମନ୍ତବ୍ୟ ବିଜୁ ଜନତା ଦଳ ନେତୃତ୍ଵ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ନିଶ୍ଚୟ ।

ଦୁଇ ଦିନ ତଳେ ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ରାଜ୍ୟର ଯଥେଷ୍ଟ ବିକାଶ ହୋଇଥିବା କଥା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ବିଜୁ ଜନତା ଦଳ ମହିଳା ଶାଖାର ନେତୃତ୍ଵ ନେଇ ମଲ୍ଲିକ ନବୀନ ନିବାସ ଯାଇଥିଲେ। ସେଠାରୁ ବାହାରିବା ପରେ ଗଣମାଧ୍ୟମକୁ ଭେଟି ଥିଲେ।

କେହି କିଛି ବୁଝିବା ପୂର୍ବରୁ ସେ ହଠାତ ଏହି ଅଭାବନୀୟ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। କେବଳ ବିରୋଧୀ ଦଳ ନୁହେଁ, ଗଣମାଧ୍ୟମ ପ୍ରତି ବି ସେ କଟୁ ମନ୍ତବ୍ୟ ଦେଇଥିଲେ । କହିଥିଲେ ଯେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗଣମାଧ୍ୟମ ଭୁଲ ଖବର ପରିବେଷଣ କରୁଛି। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଚାଷୀଙ୍କ ଜମିରେ ଆଣ୍ଠୁଏ ପାଣି ଥିବା ବେଳେ ମରୁଡି କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ !

ସେ ପୁଣି ଅଭିଯୋଗ କରିଥିଲେ ଯେ ଯିଏ ଯେଉଁଠି ମଲା ତାହାକୁ ଚାଷୀ ଆତ୍ମହତ୍ୟାର ରୂପ ଦିଆଯାଉଛି। ପ୍ରଶ୍ନ କରିଥିଲେ ଯେ ଲୋକେ କ’ଣ ମରିବେ ନାହିଁ? ଯଦି ଏତେ ଦରଦ ତେବେ ବିରୋଧୀ ଦଳମାନେ ଚାଷୀଙ୍କୁ ‘ଅମର ଲଡୁ’ ଖାଇବାକୁ ଦିଅନ୍ତୁ, ତେବେ ସେମାନେ ଆଉ ମରିବେନି।

ଏହା ସହ ପଢନ୍ତୁ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

ଏଭଳି ବୟାନବାଜିରୁ ଲାଗୁଛି ସତେ ଯେମିତି ପ୍ରମିଳା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଏହା ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ରୋଧର ଶିକାର ହୋଇ ମନ୍ତ୍ରୀପଦ ହରାଇଥିବା ପ୍ରମିଳା ଦଳ ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିବାକୁ ଗଣମାଧ୍ୟମ ସମ୍ମୁଖରେ କହିବାକୁ ମିଳିଥିବା ସୁଯୋଗକୁ ହାତଛଡା କରିନାହାନ୍ତି କହିଲେ ଭୁଲ ହେବନାହିଁ।

ତେବେ ସେ ଭୁଲି ଯାଇଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ସାରା ରାଜ୍ୟ ନୁହେଁ। ତାଙ୍କ ନିର୍ବାଚନ ମଣ୍ଡଳୀର ଚାଷୀମାନେ ହୁଏତ ଏବର୍ଷ ଭଲ ଖରିଫ ଫସଲ ଅମଳ କରୁଥାଇ ପାରନ୍ତି, କିନ୍ତୁ ଯେଉଁ ମରୁଡି ଆକ୍ରାନ୍ତ ଅଞ୍ଚଳର ଚାଷୀମାନେ ଋଣଭାରରେ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କ ପ୍ରତି ବିଦ୍ରୂପ କରିବା କ’ଣ ମାନବିକତା ଦୃଷ୍ଟିରୁ ଠିକ ବୋଲି ସେ ମନେ କରୁଛନ୍ତି ?

protest-pramilaତେଣୁ, ପ୍ରମିଳାଙ୍କ ଏଭଳି ମନ୍ତବ୍ୟ ବିରୋଧରେ କେବଳ ବିରୋଧୀ ଦଳ କାହିଁକି ତାଙ୍କ ନିଜ ଦଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସାମଗ୍ରିକ ଭାବେ ପ୍ରମିଳାଙ୍କର ଏଭଳି ଅଭାବନୀୟ ମନ୍ତବ୍ୟ ଏକ ସରକାର ବିରୋଧୀ ଜନମତ ସୃଷ୍ଟି କରିଛି।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନେତାମାନଙ୍କ ଉପରୁ ନିୟନ୍ତ୍ରଣ ହରାଇଲେଣି ବୋଲି କେତେକ ମହଲ ପ୍ରଚାରିତ କରିବା ଆରମ୍ଭ କରିଛନ୍ତି ।

ପରିସ୍ଥିତି କ୍ରମେ ଜଟିଳ ହେଉଥିବା ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଫୋନ କରି ପ୍ରମିଳାଙ୍କ ଉପରେ ବର୍ଷିଛନ୍ତି ବୋଲି କୁହାଯାଉଛି। ଏଭଳି ଦାୟିତ୍ଵହିନ ମନ୍ତବ୍ୟ ନଦେବାକୁ ତାଙ୍କୁ ତାଗିଦ କୁଆଡେ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ସୂତ୍ରକୁ ଉଦ୍ଧାର କରି କିଛି ଗଣ ମାଧ୍ୟମ ଲେଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କୌଣସି ଫୋନ କିମ୍ବା ତାଗିଦ କରାଯାଇ ନାହିଁ ବୋଲି ପ୍ରମିଳା କହୁଛନ୍ତି।

ବରଂ ନିଜ ସଫେଇ ଦେବାକୁ ଯାଇ ପ୍ରମିଳା କହିଛନ୍ତି ଯେ ଗଣମାଧ୍ୟମରେ ମୁଁ ଚାଷୀଙ୍କୁ ତାତ୍ସଲ୍ୟ କରିଛି ବୋଲି ବାହାରିଥିବା ଖବର ମିଛ ବୋଲି ଜଣାଇବାକୁ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜାରି ବିବୃତ୍ତିକୁ ମଧ୍ୟ ପ୍ରମିଳା ଖଣ୍ଡନ କରିଛନ୍ତି।

ତେବେ ଏହି ବାଦ ବିବାଦ ସରକାରଙ୍କୁ ନିଶ୍ଚୟ ଅସୁବିଧାରେ ପକାଇ ଦେଇଛି। ପ୍ରମିଳାଙ୍କ ବିରୋଧରେ ଯଦି ମୁଖ୍ୟମନ୍ତ୍ରୀ ତୁରନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନେବେ ନାହିଁ , ତା’ହେଲେ ଏହି ଘଟଣା ଜନମାନସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ସ୍ଥିତିକୁ  ଯେ ନିଶ୍ଚୟ ବିପନ୍ନ କରିବ, ସେଥିରେ କୌଣଶସି ସନ୍ଦେହ ନାହିଁ ବୋଲି ବିଜୁ ଜନତା ଦଳର କେତେକ ନେତା କହିଛନ୍ତି ।

ଓଡିଶା ଡଟ କମ

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ପ୍ରମିଳା ମଲ୍ଲିକ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

November 14, 2015 by ନିଉଜ ଡେସ୍କ Leave a Comment

ଲିଙ୍ଗରାଜ

ଚଳିତ ବର୍ଷ ଆମ ରାଜ୍ୟରେ ଉତ୍କଟ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ଘଟଣା ପ୍ରଭାବ ସ୍ୱାଭାବିକ ଭାବରେ ଏକ ଉଦବେଗ ଓ ଉଦବେଳନର ପ୍ରସଙ୍ଗ ହୋଇଯାଇଛି । ଏକଥା କହିବା ବାହୁଲ୍ୟ ଯେ ଉଭୟ ଖବର କାଗଜ ଏବଂ ଇଲେକ୍ଟ୍ରୋନିକସ ଗଣମାଧ୍ୟମର ଏଥିରେ ଏକ ସକ୍ରିୟ ଭୂମିକା ରହିଛି ।

lingaraj
ଲିଙ୍ଗରାଜ

ମରୁଡ଼ି ମୁକାବିଲା ପାଇଁ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ବେଶ୍ ତତ୍ପରତା ପୂର୍ବକ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ ଘୋଷେଣା ସତ୍ୱେ କୃଷକ ଆତ୍ମହତ୍ୟା ଘଟଣା ଥମୁନଥିବାରୁ ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କୃଷକ ମାନଙ୍କୁ ସରକାରଙ୍କ ତରଫରୁ ସର୍ବବିଧି ସହାୟତାର ଆଶ୍ୱାସନା ଦେଇ ଆତ୍ମହତ୍ୟା ନକରିବାକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ବାଣୀ କୃଷକ ମାନଙ୍କ ମନରେ ଭରସା ଯୋଗାଉ ଥିବା ସଂକେତ ମିଳୁ ନାହିଁ ।

ଗତ ଅଗଷ୍ଟ ମାସରେ ବିଧାନ ସଭାରରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟାନୁସାରେ ୧୯୯୯ରୁ ୨୦୧୩ ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ୩୬୦୨ ଜଣ କୃଷକ ମାନଙ୍କର ଆତ୍ମହତ୍ୟା ଘଟଣା ଘଟିଛି ।

ଏବିଷୟ ତଥ୍ୟ ଉପସ୍ଥାପନ କଲା ବେଳେ କୃଷିମନ୍ତ୍ରୀ ଏକଥା କହିବାକୁ ଭୁଲିନଥିଲେ ଯେ କୃଷକ ମାନଙ୍କର ଆତ୍ମହତ୍ୟା ପଛରେ କୃଷି ଜନିତ ସମସ୍ୟାର ଆଦୌ ସମ୍ପର୍କ ନାହିଁ, ଭିନ୍ନ ଭିନ୍ନ କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି ।

କୃଷିମନ୍ତ୍ରୀଙ୍କର ଏପରି ସ୍ପଷ୍ଟୀକରଣ ଦେବାର ତାତ୍ପର୍ଯ୍ୟ କଣ ହୋଇପାରେ ? । (ବିଜେଡ଼ି ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର) କୃଷକ ମାନଙ୍କ ପ୍ରତି ଅଙ୍ଗିକାର ହୋଇ ନାନା ଯୋଜନା କରୁଥିବା ବେଳେ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିବ କେମିତି ଏବଂ ତାକୁ ସ୍ୱୀକାର କଲେ ସରକାରଙ୍କ ବଦନାମ ତୁଲ୍ୟ ହେବ ନାହିଁ କି? )।

ଓଡ଼ିଶା ସରକାରର ବର୍ତମାନ କିମ୍ବା ପୂର୍ବତନ କୃଷିମନ୍ତ୍ରୀଙ୍କର ଏହି ପ୍ରସଙ୍ଗକୁ ନେଇ ଏପରି ଆଭିମୁଖ୍ୟକୁ ଏକ ବ୍ୟତିକ୍ରମ କୁହାଯାଇ ପାରିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଗତ ଲୋକସଭା ଅଧିବେଶନ କାଳରେ (ବିଜେପି ନେତୃତ୍ୱାଧିନ) କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀଙ୍କର ଏହାଠାରୁ ଅଧିକ କଟୁକ୍ତିପୂର୍ଣ୍ଣ ବୟାନ ବେଶ୍ ଚର୍ଚ୍ଚିତ ହୋଇଥିଲା । ତାହାର ମର୍ମ ଥିଲା କୃଷକ ମାନଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ପ୍ରେମଜନିତ ବିଫଳତା, ନପୁଂସକତା ଓ ତଦ୍ ଜନିତ ମାନସିକ ସମସ୍ୟା ।

ଏହା ପୂର୍ବରୁ କ୍ରେନ୍ଦ୍ରରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ କଂଗ୍ରେସ ଦଳର କୃଷିମନ୍ତ୍ରୀଙ୍କର ଏବିଷୟରେ ଆଭିମୁଖ୍ୟରେ ଭିନ୍ନତାର ନଜିର ନାହିଁ । ୧୯୯୬ରୁ ୨୦୧୪ ଭିତରେ ଦେଶବ୍ୟାପୀ ତିନି ଲକ୍ଷ୍ୟରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିଥିବାର ତଥ୍ୟ ଅବଶ୍ୟ କେନ୍ଦ୍ର ସରକାରଙ୍କ ସଂସ୍ଥା ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ପ୍ରଦାନ କରୁଅଛି ।

କୃଷକ ଆତ୍ମହତ୍ୟା ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ଦୋଷାରୋପଣ ଭିତ୍ତିକ ବିତର୍କର ଏ ଚରିତ୍ରକୁ ବିଶ୍ଳେଷଣ କଲେ ଏକଥା ସ୍ପଷ୍ଟ ଯେ ଏହା ହେଉଛି ଆମ ଦେଶର ଶାସନ ଶ୍ରେଣୀର ଆଭିମୁଖ୍ୟ, କୌଣସି ନିର୍ଦ୍ଧିଷ୍ଟ ଦଳ ଭିତରେ ଏହା ସୀମାବଦ୍ଧ ନୁହେଁ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୧୯୮୦-୯୦ ଦଶକରେ ଆମ ଦେଶରେ ଅନାହାର ମୃତ୍ୟୁର ବ୍ୟାପକ ଅଭିଯୋଗକୁ ନେଇ ରାଜନୌତିକ ସ୍ତରରେ ଅନୁରୂପ ଦୋଷାରୋପଣର ସଲାକୁସ୍ତି ହେଉଥିଲା । ସମସ୍ୟା ମୂଳ କାରଣକୁ ସ୍ୱୀକାର କରି ସମାଧାନର ସୁତ୍ର ବାହାର କଲା ପରେ ଆଜି ତାହାର ଯଥେଷ୍ଟ ହ୍ରାସ ପାଇଛି , ଅନ୍ତତଃ ଅନାହାର ମୃତ୍ୟୁର ଅମାନବୀୟର ରୂପ ହ୍ରାସ ପାଇଛି ।

2007 AGITATION
୨୦୦୭ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ଏକ ଦୃଶ୍ୟ ଛବି ସୌଜନ୍ୟ : ଅଶୋକ ପ୍ରଧାନ

ଆମ ଦେଶର ଶାସନ ଶ୍ରେଣୀ ସଂପ୍ରତି କୃଷକ ଆତ୍ମହତ୍ୟା ଘଟଣାବଳୀକୁ କୃଷି କ୍ଷେତ୍ରର ନୀତି ଜନିତ ସମସ୍ୟା ସହ ଯୋଡ଼ି ଦେଖିବାକୁ ପ୍ରସ୍ତୁତ ନଥିବା ସତ୍ୱେ ଯେଉଁ ବର୍ଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟୁଛି ସେହି ସମୟରେ ଜନମତର ଚାପରେ ସରକାର କାରଣ ଓ ନିରାକାରଣ ଖୋଜିବା ଆଳରେ କମିଟି କମିଶନ ବସାଇବାର ଦୃଷ୍ଟାନ୍ତ ଅବଶ୍ୟ ରହିଛି । କିନ୍ତୁ ତାର ସୁପାରିଶକୁ ନେଇ ସଂପୃକ୍ତ ସରକାର ମାନଙ୍କର ଅଭିମୁଖ୍ୟ ତତୋଧିକ ବିଡ଼ମ୍ବନା ।

ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା ।

ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ବିଧାନସଭାରେ ପେଶ୍ ହୋଇନାହିଁ କିମ୍ବା ଲୋକଲୋଚନକୁ ଆସିନାହିଁ ।

ସବୁଠାରୁ ବିଡ଼ମ୍ବନାର କଥା ୨୦୧୪ରେ ରାଜ୍ୟ ସରକାର ଉକ୍ତ କମିଶନର ସୁପାରିଶ ଅନୁଧ୍ୟାନ କରିବା ପାଇଁ ପୁନଶ୍ଚ ଏକ ୭ ଜଣିଆ କିଶେଷଜ୍ଞ କମିଟି କରିବାକୁ କୁହାଯାଇଛି ।

AGITATION 9 nOV-2015
ଚଳିତ ମାସ ଚାଷୀ ଆତ୍ମହତ୍ୟା ବିରୋଧରେ ହୋଇଥିବା ସମାବେଶ ର ଦୃଶ୍ୟ ଛବି ସୌଜନ୍ୟ: ଅଶୋକ ପ୍ରଧାନ

ଠିକ୍ ସେହିପରି ୨୦୦୫ରେ କେନ୍ଦ୍ରରେ ନବ ଗଠିତ ଉପା ସରକାର ମଧ୍ୟ ଖ୍ୟାତିସଂପନ୍ନ କୃଷି ବିଶେଷଜ୍ଞ ସବୁଜ ବିପ୍ଳବର ସୁତ୍ରଧର ଏମ୍.ଏସ୍.ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କୃଷକ ଆୟୋଗ କଠନ କରିଥିଲେ । ସେହି ଅବଧିରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ପ୍ରଭୃତି ଆଧୁନିକ କୃଷି ପଦ୍ଧତିରେ ଉନ୍ନତ ରାଜ୍ୟ ମାନଙ୍କରେ କୃଷକ ମାନଙ୍କର ଅନେକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିବା ପୃଷ୍ଠଭୂମିରେ ଏହି କମିଶନର ଗଠନ ହୋଇଥିଲା ।

୨୦୦୮ରେ ଏହି କମିଶନର ରିପୋର୍ଟ ସରକାରଙ୍କୁ ପ୍ରଦତ୍ତ ହୋଇଥିଲା । ଉକ୍ତ କମିଶନର ଅଧିକାଂଶ ସୁପାରିଶ ଏକ କର୍ପୋରେଟ ଆଧାରିତ କୃଷି ବ୍ୟବସ୍ଥା ଅନୁକୂଳ ହୋଇଥିବା ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କୃଷକ ମାନଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସେହି ସୁପାରିଶ ଦେଶର କୃଷକ ସଂଗଠନ ତଥା ସଚେତନ କୃଷକ ମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇ ରହିଛି ।

ଉକ୍ତ ସୁପାରିଶଟି ହେଲା ସରକାରଙ୍କ ଦ୍ୱରା କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ଦର ନିର୍ଦ୍ଧାରଣ କରାଗଲା ବେଳେ ଉତ୍ପାଦନ ଖର୍ଚ୍ଚ ସହ ପଚାଶ ପ୍ରତିଶତ ଯୋଡ଼ି ସ୍ଥିର କରିବେ । ଏହାକୁ ଏମ୍.ଏସ୍.ସ୍ୱାମୀନାଥନ ସୂତ୍ର ମଧ୍ୟ କୁହାଗଲା । ଏହି ସୁପାରିଶ ଜଣାପଡ଼ିବା ଦିନ ଠାରୁ କୃଷକ ସଂଗଠନ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପା ସରକାର ଅମଳରେ ଏହି ସୁପାରିଶ ସଂକ୍ରାନ୍ତରେ ବିଚାର ସୁଦ୍ଧା କରାଗଲା ନାହିଁ । ଗତ ସାଧାରଣ ନିର୍ବାଚନ ସମୟରେ ବର୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦାବିକୁ ତାର ନିର୍ବାଚନ ଇସ୍ତାହାରରେ ଅର୍ନ୍ତଭୁକ୍ତ କରିଥିଲା କିନ୍ତୁ ସରକାର ଗଢିବାର ଛଅ ମାସ ପର୍ଯ୍ୟନ୍ତ ଏ ବିଷୟରେ ଚୁପ୍ ରହିବାରୁ ହରିଆଣାର କେତେଜଣ କୃଷକ ନେତା ଏହି ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ।

କିନ୍ତୁ ବିଡ଼ମ୍ବନାର କଥା କେନ୍ଦ୍ରର ବିଜେପି ସରକାର ସତ୍ୟପାଠ କରି ଅଦାଲତରେ ଜବାବ ଦାଖଲ କଲେ ଯେ ଏହି ସୁପାରିଶକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ୱାରା ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଆମ ଦେଶର ଶାସକ ଶ୍ରେଣୀର କୃଷକ ଶ୍ରେଣୀ ପ୍ରତି ଉପେକ୍ଷା ଓ ପ୍ରତାରଣାର ଏହା ଏକ ସଦ୍ୟତମ ଉଦାହରଣ ।

ଏପ୍ରସଙ୍ଗରେ ଏକଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଯେକୌଣସି ରାଜ୍ୟ ସରକାର କୌଣସି ଫସଲ ହାନି କୃଷକ ମାନଙ୍କୁ ବୋନସ୍ ପ୍ରଦାନ କରି ପାରିବ ନାହିଁ, ଯଦି କରନ୍ତି ତେବେ କେନ୍ଦ୍ର ସରକାର ତାର ବଜାର ବ୍ୟବସ୍ଥା ପାଇଁ ଦାୟୀ ରହିବେ ନାହିଁ ।

କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ ଓ ବୋନସ୍ ପ୍ରଦାନ ବ୍ୟବସ୍ଥା ସହିତ ଆଧୁନିକ କୃଷି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ ଦ୍ୱାରା କୃଷକ ମାନଙ୍କ ଆୟବୃଦ୍ଧିର ସିଧାସଳଖ ସଂପର୍କ ରହିଛି ।

ଆମ ଦେଶର ମାତ୍ର ୫ ପ୍ରତିଶତ ସରକାରୀ କର୍ମଚାରୀ ମାନଙ୍କର ପ୍ରତି ବର୍ଷରେ ବେତନ କମିଶନ ଗଠନ କରି ଅସମାନୁପାତିକ ଦରମା ଭତ୍ତା ବୃଦ୍ଧି ତଥା ପ୍ରତି ୯ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ସାଙ୍ଗକୁ ବିଧାୟକ/ ସାଂସଦ ମାନଙ୍କର ଦରମା ବୃଦ୍ଧି ବେଳକୁ ଦେଶର ଅର୍ଥ ବ୍ୟବସ୍ଥା ବିକୃତ ହେବାର ଯୁକ୍ତି କେହି କରନ୍ତି ନାହିଁ ।

ତେବେ ଜନସଂଖ୍ୟାର ୬୦ ପ୍ରତିଶତ କୃଷକ ମାନଙ୍କ ଆୟବୃଦ୍ଧିର ଏକ କ୍ଷୁଦ୍ର ବ୍ୟବସ୍ଥା କଥା ଉଠିଲେ ସରକାର ଚିହିଁକି ଉଠି ସତ୍ୟପାଠ କରୁଛନ୍ତି ଯେ ଦେଶର ବଜାର ବ୍ୟବସ୍ଥା ବିକୃତ ହୋଇଯିବ । ଏହି ରାଜନୈତିକ ଆଭିମୁଖ୍ୟରେ ହିଁ ରହିଛି କୃଷକ ଆତ୍ମହତ୍ୟାର ଏକ ମୂଳ କଥା ।

ପ୍ରଖ୍ୟାତ ହିନ୍ଦୀ କଥାକାର ପ୍ରେମଚାନ୍ଦ ୧୯୩୨ରେ ପରାଧିନ ଭାରତରେ ଏବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ । କୃଷକ ଋଣ ବୋଝରେ ଜନ୍ମ ନିଏ, ଋଣ ବୋଝରେ ବଂଚେ ଓ ଋଣ ଜାଲ ମରିଥାଏ । ପରାଧିନ ଭାରତରେ ବି ଋଣ ବୋଝ କୃଷକର ଚିର ସହଚର ଥିଲା ।

ତେବେ ଆମ ଦେଶର ଅର୍ଥନୈତିକ ଐତିହାସିକ ମାନଙ୍କ ମତରେ ବ୍ରିଟିଶ ଶାସନ କାଳରେ କୃଷକମାନେ ଋଣ ଜାଲରେ ଫସି ଆତ୍ମହତ୍ୟା କରୁଥିବାର ନଜିର ଦେଖିବାକୁ ମିଳେ ନାହିଁ । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି ସ୍ୱାଧୀନ ଭାରତରେ ଗତ ୨୦ ବର୍ଷ ଭିତରେ ୩ ଲକ୍ଷରୁ ଊର୍ଦ୍ଧ୍ଵ କୃଷକ ମାନଙ୍କର ଆତ୍ମହତ୍ୟାର ମୂଳ କାରଣ କଣ? ।

ଦେଶର ଅନ୍ନଦାତା ବୋଲାଉଥିବା କୃଷକ (ବିଶେଷତଃ ଯେଉଁମାନଙ୍କ ପାଖରେ କୃଷି ଭିନ୍ନ ଅନ୍ୟ କୌଣସି ଧନ୍ଦା ନାହିଁ) ଆଜି ଏପରି ଅସହାୟ ବୋଧ କରୁଛି କାହିଁକି? ମହାରାଷ୍ଟ୍ର ଓ ପଞ୍ଜାବର କଥାକଥିତ ଊନ୍ନତ କୃଷକ ହେଉ କି ଓଡ଼ିଶାର ଦରିଦ୍ର ପଛୁଆ କୃଷକ ହେଉ ଆତ୍ମହତ୍ୟାର ପଥ ବାଛି ନେଉଛି କାହିଁକି ?

ଏହାର ମୂଳ କାରଣ ୪ଟି ପ୍ରକ୍ରିୟାଗତ ଶବ୍ଦରେ ଅନ୍ତର୍ନିହିତ ରହିଛି । ଉତ୍ପାଦନ ଖର୍ଚ୍ଚ ଆୟ ବିପର୍ଯ୍ୟୟ ଓ ଋଣ ।ଅର୍ଥାତ କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ସୀମାହୀନ ଭାବରେ ବଢିଚାଲିଛି ଏବଂ ସେହି ଅନୁପାତରେ କୃଷକର ଆୟବୃଦ୍ଧି ହେଉ ନାହିଁ ।

ସେହି ପରିସ୍ଥିତିରେ କୃଷକ ଉପରେ ଯଦି ଥରେ ବିପର୍ଯ୍ୟୟ ମାଡ଼ି ଆସିଲା ତେବେ ତା ଉପରେ ଋଣ ବୋଝ ଅସମ୍ଭାଳ ହୋଇଯାଉଛି । ପ୍ରଚଣ୍ଡ ଅସହାୟବୋଧ କରୁଥିବା କୃଷକ କିଂ କର୍ତବ୍ୟବିମୁଢ ହୋଇ ଜୀବନ ଯୁଦ୍ଧରେ ହାରି ଯାଉଛି ।

ଆଧୁନିକ କୃଷି ପଦ୍ଧତି ପୂର୍ବରୁ ଆମ ଦେଶରେ ଅନୁସୃତ କୃଷି ପଦ୍ଧତିରେ ଉତ୍ପାଦନ ଖର୍ଚ୍ଚ ପାଇଁ କୃଷକ ବଜାର ଉପରେ ଆଦୌ ନିର୍ଭରଶୀଳ ନଥିଲା । ଦେଶକୁ ଖାଦ୍ୟ ସଂକଟରୁ ମୁକୁଲାଇବା ପାଇଁ ଅନୁସୃତ ସବୁଜ ବିପ୍ଲବ କୃଷି ପଦ୍ଧତିରେ ଗୋଟିଏ ସମୟ ଯାଏ ସରକାରୀ ସହାୟତା ବଜାର ଦାଉକୁ ପ୍ରାୟତଃ ସମ୍ଭାଳି ନେଉଥିଲା ।

୧୯୯୧ ପରବର୍ତ୍ତୀ ତଥାକଥିତ ନବ ଉଦାରବାଦୀ ଯୁଗରେ ସରକାରୀ ସହାୟତା ସବ୍ସିଡ଼ି ହ୍ରାସ ସାଙ୍ଗକୁ ବଜାର ଶକ୍ତ କମ୍ପାନୀ ମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ଏହି ଯୁଗରେ ଶିକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବଜାରର ବସ୍ତୁ ହୋଇଗଲାଣି । କୃଷକ ପରିବାର ପାଇଁ ଏହା ମଧ୍ୟ ଏକ ବିପର୍ଯ୍ୟୟର ରୂପ ନେଉଛି ।

ସରକାରୀ ନୀତି ଦ୍ୱାରା ପ୍ରୋତ୍ସାହିତ ବଜାର ସର୍ବସ୍ୱ ଅର୍ଥ ବ୍ୟବସ୍ଥା ଜନିତ ଉପଭୋକ୍ତାବାଦର ଅନିୟନ୍ତ୍ରିତ ପ୍ରସାର ମଧ୍ୟ କୃଷକ ପରିବାର ପାଇଁ କାଳ ହୋଇଛି । ଏପରି ଏକ ଚକ୍ରବ୍ୟୁହ ଭିତରୁ କୃଷକ କିପରି ବାହାରି ପାରିବ ତାହା ଏକ ଯକ୍ଷ ପ୍ରଶ୍ନ ।

କଥାକାର ପ୍ରେମଚାନ୍ଦ ଉପରୋକ୍ତ ପ୍ରବନ୍ଧରେ ଏକଥା ବି କହିଥିଲେ ଯେ ସେକାଳର ସରକାର କୃଷକ ମାନଙ୍କୁ ସାବତ ପୁଅ ହିସାବରେ ବ୍ୟବହାର କରୁଛି । କୃଷକ ମାନଙ୍କୁ ନିଜର ବଡ଼ ପୁଅ ଭଳି ବ୍ୟବହାର କଲେ ଯାଇ ସେମାନେ ତିଷ୍ଠି ପାରିବେ ବୋଲି ସେ ଆକୁଳ ନିବେଦନ କରିଥିଲେ ।

ବିଦେଶୀ ସରକାରର ଆଚରଣ ତ ବଦଳିବାର ପ୍ରଶ୍ନ ନଥିଲା । ସ୍ୱାଧୀନ ଭାରତରେ ପ୍ରଜାତନ୍ତ୍ର ଶାସନର ସରକାରର ଆଚରଣ ବଦଳାଇବାର କିଛି ବାଟ ଅଛି କି?

ସମତା ଭବନ, ବରଗଡ଼ -୭୬୮୦୨୮
ମୋ: ୯୪୩୭୦୫୬୦୨୯

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ବରଗଡ଼, ବିଜେଡ଼ି, ରାଜ୍ୟ ସରକାର, ସରକାର

ଋଣ ଶୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା

January 17, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ରାଇଘର, ଜାନୁଆରୀ ୧୭(ଓଡିଶା ଡଟ୍ କମ୍)-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ସରଗୁଲି ଗ୍ରାମର ମୃତ୍ୟୁଞ୍ଜୟ ଦେ ଙ୍କ ଫସଲ କ୍ଷତିହୋଇଥିବାବେଳେ ଋଣଭାର ସହ୍ୟ କରିନପାରି ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି ।

ସରଗୁଲି ଗ୍ରାମର ମୃତ୍ୟୁଞ୍ଜୟ ନିଜର ୫ ଏକର ଜମିର ମକା,ବାଇଗଣ,ଫୁଲକୋବି ଆଦି ଚାଷ କରିଥିଲେ । ପାଣିର ଅଭାବ ଓ ବିଭିନ୍ନ କାରଣରୁ ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ ଋଣ ଶୁଝି ନପାରିବାରୁ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଗ୍ରାମବାସୀ ଓ ମୃତ୍ୟୁଞ୍ଜୟଙ୍କ ବଡଭାଇ ଗଣମାଧ୍ୟମକୁ କହିଛନ୍ତି ଯେ,ମୃତ୍ୟୁଞ୍ଜୟର ଗୋଟିଏ ପୁଅ,ଗୋଟିଏ ଝିଅ । ସେ ଫସଲ ନଷ୍ଟ ହେବାଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରେ ।

ରାଇଘର ପୋଲିସ ପକ୍ଷରୁ ଏସଆଇ ଅକ୍ଷୟ କୁମାର ରାଉଳ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏହି ଘଟଣା ପରେ ଶବରଖି ଲୋକମାନେ ଉମରକୋଟ-ରାଇଘର ରାସ୍ତା ଅବରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣମାଧ୍ୟମ, ଚାଷୀ ଆତ୍ମହତ୍ୟା

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ସଂଖ୍ୟା ହ୍ରାସ: ଅର୍ଥମନ୍ତ୍ରୀ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)-ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ୨୦୧୨-୧୩ ଆର୍ଥକ ବର୍ଷଲାଗି ଆଗତ କରିଥିବା ୩୯୩୨ କୋଟି ୪୦ ଲକ୍ଷ ୯୯ ହଜାର ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ମଙ୍ଗଳବାର ଦିନ ଗୃହରେ ଗୃହୀତ ହୋଇଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ୩୯୩୨,୪୦,୯୯,୦୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଉପରେ ଦୀର୍ଘ ସାଢେ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

ଏହା ଉପରେ ଆଲୋଚନା ବେଳେ ବିରୋଧୀ ଓ ଶାସକ ସଦସ୍ୟମାନେ ପରସ୍ପରକୁ ତୀବ୍ର ଆକ୍ଷେପ ଓ ପ୍ରତି ଆକ୍ଷେପ କରିଥିଲେ । ଶେଷରେ ବିଲଟି ବିଧାନସଭାର ଅନୁମୋଦନ ଲାଭ କରିଛି ।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଅଫିସରମାନଙ୍କୁ ବିଭିନ୍ନ ସମୟରେ ଭର୍ତ୍ସନା କରିବା ସରକାରଙ୍କ ସ୍ୱରୂପ ପଦାରେ ପକାଇଛି । ବିରୋଧୀଙ୍କ ଏହି ଅଭିଯୋଗ ଉପରେ ଉତର ରଖି ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିରୋଧୀ ଦଳ ବାସ୍ତବତା ଠାରୁ ଦୂରେଇ ଯାଇ ରାଜ୍ୟ ଅର୍ଥନୀତିର ଦୟନୀୟ ଚିତ୍ର ଆଙ୍କିବାକୁ ଚେଷ୍ଟା କରିଛନ୍ତି ।

ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣୁଛନ୍ତି ରାଜ୍ୟ ଅର୍ଥନୀତି ସେ ଅବସ୍ଥାରେ ନାହିଁ । ୧୨ ବର୍ଷ ତଳେ ନବୀନ ସରକାର ଏକ ବିକଳାଙ୍ଗ ଅର୍ଥନୀତିକୁ ଉତରାଧିକାରୀ ସୂତ୍ରରେ ପାଇଥିଲେ । ଏବେ ସେ ସ୍ଥିତି ଆଉ ନାହିଁ । ଜାତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର କମୁଥିବା ବେଳେ ଏକ ପ୍ରତିକୂଳ ପରିସ୍ଥିତିରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିଛି ।

୨୦୦୨-୦୩ରେ ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ଆୟର ୬୧ ପ୍ରତିଶତ ଥିଲା । ୨୦୦୮-୦୯ ବେଳକୁ ଏହା ୭୧ ଟଙ୍କାରେ ପହଞ୍ଚିପାରିଛି । କଂଗ୍ରେସ ଶାସନ ସମୟରେ ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ସଂଖ୍ୟା ୬୦.୧ ପ୍ରତିଶତ ଥିଲା । ୨୦୦୯-୧୦ରେ ଏହା ୩୭ ପ୍ରତିଶତକୁ ହ୍ରାସ ପାଇଛି । ୨୦୦୫-୦୬ରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇପାରିଛି ।

ଏହା ରାଜ୍ୟର ଅର୍ଥନୈତିକ ବିକାଶର ଏକ ସଫଳ ଚିତ୍ର ବୋଲି ୨୦୧୨-୧୩ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଉପରେ ଆଲୋନାର ଉତରରେ ଅର୍ଥମନ୍ତ୍ରୀ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ କହିଥିଲେ ରାଜ୍ୟ ସରକାର ଖଣି ଦୁର୍ନୀତି ଠାରୁ ଆରମ୍ଭ କରି କୋଇଲା, ଡାଲି, ଏମଜିଏନଆରଇଜିଏ, ବନ୍ଦର ବୁଝାମଣାପତ୍ର, ଡ଼ୁଆଲ ଡ଼େସ୍କ, ଶକ୍ତି, ବିପିଏଲ ଚାଉଳ, ଖଣ୍ଡାଧାର ଖଣି ଲିଜ, ବେଦାନ୍ତ ପାଇଁ ଜମି ଅଧିଗ୍ରହଣ, ଜଳସମ୍ପଦ, ଡିଏଫଡିଆଇଡି, ସ୍ୱାସ୍ଥ୍ୟ, ଜାତୀୟ ଉଦ୍ୟାନ କୃଷି ମିଶନ, ଏଆଇବିପି, ପିଏମଜିଏସୱାଇ ଆଦି ଦୁର୍ନୀତିରେ ଲିପ୍ତ ରହିଛନ୍ତି ।

ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଗତ ତିନି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗ ୨୧ ହଜାର ୮୬୪ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିନପାରି ଫେରସ୍ତ କରିଛନ୍ତି ।

ଚାଷୀ ଆତ୍ମହତ୍ୟା, ଅନାହାର ମୃତ୍ୟୁ, ଫସଲ ବୀମା ଦେବାରେ ବିଫଳତା, ଡାକ୍ତର ମାଧବୀଙ୍କ ଶବ ଉଦ୍ଧାର କରାଯାଇ ନପାରିବା ଏବଂ ହତ୍ୟା ଧର୍ଷଣ ବଢି ଚାଲିଥିବା ଘଟଣାରୁ ରାଜ୍ୟର ଆଇନଶୃଙ୍ଖଳା ଅବସ୍ଥା କିଭଳି ଅଛି ତାହା ଅନୁମେୟ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ ।

ସ୍ୱାଧୀନ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ରାଜ୍ୟ ସରକାରଙ୍କ ଠାରୁ ସୁବିଚାର ଆଶା କରାଯାଇନପାରେ । ଏ ସରକାର ଏକ ମୁଖା ପିନ୍ଧା ସରକାର । କଂଗ୍ରେସ ଯଦି ଦୁର୍ନୀତିର ବାଲିଗଦା ହୁଏ ତେବେ ବିଜେଡିକୁ ଦୁର୍ନୀତିର ହିମାଳୟ ପାହାଡ଼ କହିଲେ ଅତୁ୍ୟକ୍ତି ହେବ ନାହିଁ ବୋଲିି ସେ କହିଥିଲେ ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେନ୍ଦ୍ର ପରମାଣିକ,ଦେବୀ ପ୍ରସନ୍ନ ଚନ୍ଦ, ଡାକ୍ତର ପ୍ରଫୁଲ୍ଲ ମାଝୀ ଓ ଅନନ୍ତ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ଚାଷୀ ଆତ୍ମହତ୍ୟା, ଦାରିଦ୍ର୍ୟ ସୀମାରେଖା, ନବୀନ ସରକାର, ବିରୋଧୀ ଦଳ, ମୁଣ୍ଡପିଛା ଆୟ

ନଅ ବର୍ଷ ମଧ୍ୟରେ ୨୫୭୫ ଚାଷୀଙ୍କ ଆତ୍ମହତ୍ୟା

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ୨୦୦୦ରୁ ୨୦୦୮ ଶେଷ ପର୍ଯ୍ୟନ୍ତ ମୋଟ୍ ନଅ ବର୍ଷରେ ୨୫୭୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା କୃଷିମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ଉକ୍ତ ନଅ ବର୍ଷ ମଧ୍ୟରେ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା ରାଜ୍ୟ ଅପରାଧ ଅଭିଲେଖା ସଂସ୍ଥା ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ବିଶେଷ କରି ୨୦୦୦ରେ ୧୯୯ ଜଣ, ୨୦୦୧ରେ ୨୫୬ ଜଣ, ୨୦୦୨ରେ ୩୪୫ ଜଣ, ୨୦୦୩ରେ ୩୬୫ ଜଣ,
୨୦୦୪ରେ ୩୭୮ ଜଣ, ୨୦୦୫ରେ ୨୫୪ ଜଣ, ୨୦୦୬ରେ ୨୮୩ ଜଣ, ୨୦୦୭ରେ ୨୩୫ ଜଣ ଏବଂ ୨୦୦୮ରେ ୨୬୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

୨୦୧୦-୧୧ ଫେବୃୟାରୀ ଦଶ ସୁଦ୍ଧା ୬୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି, ତେବେ ଅଦ୍ୟବାଧି କୌଣସି ଚାଷୀ ଆତ୍ମହତ୍ୟା ଅଭିଯୋଗ କୃଷି ଜନିତ କାରଣରୁ ହୋଇଥିବା ପ୍ରମାଣିତ ହୋଇ ନାହିଁ ।

ସେହିପରି ୨୦୦୮-୦୯ରେ ୩୪୪ କୋଟି ୫୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ୨୦୦୯-୧୦ରେ ୪୨୨
କୋଟି ୧୪ ଲକ୍ଷ ଟଙ୍କା ଓ ୨୦୧୦-୧୧ରେ ୭୪୭ କୋଟି ୭୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମହତ୍ୟା, ଚାଷୀ ଆତ୍ମହତ୍ୟା, ମୁଖ୍ୟ ଖବର, ରାଜ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ