• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚାଷୀ

ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

November 12, 2015 by ନିଉଜ ଡେସ୍କ Leave a Comment

ଡା. ଦାମୋଦର ରାଉତ

ମୃତ୍ୟୁ ବିଶାଦର ବାହକ ହୋଇଥିଲା ବେଳେ ଜନ୍ମ ଆନନ୍ଦଉଲ୍ଲାସର ସ୍ରୋତ ବୁହାଇ ଥାଏ । ଶିଶୁଟିଏ ଜନ୍ମ ହେଲେ ଜନ୍ମଦାତ୍ରୀ ମା’ଠାରୁ ଆରମ୍ଭ କରି ପରିବାର, ବନ୍ଧୁବାନ୍ଧବ ଉଲ୍ଲସିତ ହୋଇଥାନ୍ତି । ଶିଶୁଟିର ଦରୋଟି କଥାରେ ସମସ୍ତେ ଆମୋଦିତ ହୁଅନ୍ତି । କିନ୍ତୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି କାରଣରୁ କେହି ଜଣେ ମୃତ୍ୟୁବରଣ କଲେ ଶୋକର ଛାୟା ଖେଳିଯାଏ ।

damodar-3ତେବେ ମଣିଷ ସମାଜରେ ଜନ୍ମ-ମୃତ୍ୟୁ ଏକ ଈଶ୍ୱରଦତ୍ତ ପ୍ରକ୍ରିୟା । ସମାଜକର୍ତ୍ତାମାନେମୃତ୍ୟୁର ହାର କମାଇବା ପାଇଁ ଯେତିକି ଯୋଜନା ହାତକୁ ନେଇଥାନ୍ତି, ଜନବିସ୍ଫୋରଣକୁ ପ୍ରତିହତ କରିବା ପାଇଁ ଜନ୍ମନିରୋଧକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ତା’ ସତ୍ତ୍ୱେ ଜନ୍ମ ଏବଂମୃତ୍ୟୁକୁ କେହି ରୋଧ କରିପାରିନାହାନ୍ତି ବା ପାରିବେ ନାହିଁ ।

ସମ୍ପ୍ରତି ବେଶ୍ କିଛିଦିନ ହେଲା ଚାଷୀ ଆତ୍ମହତ୍ୟା କୁ ନେଇ ବେଶ୍ କିଛି ଆଲୋଡନ ସୃଷ୍ଟି ହୋଇଛି । ବେଳେବେଳେ ଅତ୍ୟଧିକ ମାନସିକ ସନ୍ତୁଳନକୁ ସହ୍ୟ କରି ନପାରି ମଣିଷ ଆତ୍ମହତ୍ୟା କରିଥାଏ । ଆତ୍ମାକୁ ବାଧିଲେ ଆତ୍ମହତ୍ୟା କରନ୍ତି ବୋଲି ଲୋକେ କହନ୍ତି ।

ଆତ୍ମହତ୍ୟା ଦୁଃଖଦାୟକ ଏବଂ ଆତ୍ମହତ୍ୟା ର ସମ୍ବାଦ ଶୁଣିଲେ, ଶୁଣୁଥିବା ଲୋକର ମନ ଭିତରେ ସ୍ୱତଃପ୍ରବୃତ ଭାବରେ ସମ୍ବେଦନଶୀଳତାର ଏକ ଭାବନା ସୃଷ୍ଟି ହୁଏ-କ୍ଷଣସ୍ଥାୟୀ ହେଉ ପଛକେ ।

ତେବେ ସମାଜରେ ସବୁ ବର୍ଗର ଲୋକେ ମାନସିକ ସନ୍ତୁଳନର ଶିକାର ହୋଇଥାନ୍ତି । ଛାତ୍ର ହେଉ, ଶିକ୍ଷକ ହେଉ, କର୍ମଚାରୀ ହୁଅନ୍ତୁ, ଶିଳ୍ପପତି, ଠିକାଦାର କିମ୍ବା ବ୍ୟବସାୟୀ ହୁଅନ୍ତୁ ସମସ୍ତେ ମାନସିକ ସନ୍ତୁଳନର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି । ଚାଷ କରୁଥିବା ଲୋକେ ସମାଜରୁ ଅଲଗା ନୁହଁନ୍ତି ।

ପାରିବାରିକ କାରଣରୁ ହେଉ, ରୋଗ ଯନ୍ତ୍ରଣାରୁ ହେଉ କିମ୍ବା ସାହୁକାର ମହାଜନଙ୍କର ଦାଉ ସମ୍ଭାଳି ନପାରି ହେଉ ଆତ୍ମହତ୍ୟା କରିଥାନ୍ତି । ଏତଦ ବ୍ୟତୀତ ପ୍ରତିଦିନ ମଣିଷ ସମାଜରେ ଯୁକ୍ତ ହେବା ପାଇଁ କିଛି ଶିଶୁ ଜନ୍ମ ହୁଅନ୍ତି ଏବଂ ସମାଜରେ ସମୀକରଣ ରକ୍ଷା ପାଇଁ କିଛିମୃତ୍ୟୁ ସମ୍ବାଦ ଆସିଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

ପରିତାପର ବିଷୟ, ଏବେ ଆତ୍ମହତ୍ୟା କୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରତିଷ୍ଠିତ ସରକାରଙ୍କୁ ଦାୟୀ କରାଯାଉଛି । ଯିଏ ଚାଷ କରେ ସେ ଚାଷୀ ଏବଂ ସମାଜର ସର୍ବାଧିକ ଲୋକ ଚାଷକୁ ବୃତ୍ତି ଭାବରେ ଆଦରି ନେଇଥାନ୍ତି । ଏହା ବିଶେଷ ଭାବରେ ଆମ ରାଜ୍ୟରେ ବୃତ୍ତି ଭାବରେ ବିଚାର କରାଯାଇଥାଏ । ଚାଷ ଓଡ଼ିଶାରେ ସର୍ବପୁରାତନ ।

ଏହା ସହ ପଢନ୍ତୁ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଅନୁଭୂତି ଓ ଅନୁଭବକୁ ନେଇ ଆମର ପୂର୍ବପୁରୁଷମାନଙ୍କ ଦ୍ୱାରା (ଯେତେବେଳେ ଚାଷ ହିଁ ଜୀବନଧାରଣର ଏକ ମାତ୍ର ପାଥେୟ ଥିଲା) ·ଚାଷ ଆମର ବୃତ୍ତି ଭାବରେ ସ୍ୱୀକୃତ ହୋଇ ଆସିଛି । ସେତେବେଳେ ମଧ୍ୟ ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀକୁଳକୁ ନିର୍ମମ ଧୋକା ଦେଉଥିଲା । ଚାଷୀ ତାକୁ ସାହସର ସହିତ ସାମ୍ନା କରୁଥିଲା ।

ତା’ର ନିଚ୍ଛକ ଭାବନା ଥିଲା ସେ ବଞ୍ଚିବ ଏବଂ ପରିବାରକୁ ବଞ୍ଚାଇବ । ଯେତେ କଷ୍ଟସାଧ୍ୟ ହେଉ ପଛକେ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ଫସଲ ନଷ୍ଟ ହେଲେ ବିକଳ୍ପ ଫସଲ କରି ଫସଲ ଉପୁଜାଇବ, ନିଜେ ବଞ୍ଚିବ, ପରିବାରକୁ ବଞ୍ଚାଇବ ଏବଂ ଜାତି ମଧ୍ୟ ବଞ୍ଚିବ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ଭୟକରି ସେ କାପୁରୁଷ ଭଳି ଆତ୍ମହତ୍ୟା କରେ ନାହିଁ ।

ବିବର୍ତ୍ତନବାଦ ପ୍ରକ୍ରିୟା ଦେଇ ଆମେ ବର୍ତ୍ତମାନ ସମାଜରେ ଦଣ୍ଡାୟମାନ ହୋଇଥିଲେ ମଧ୍ୟ ଚାଷକୁ ଆରମ୍ଭ କରିଥିବା ଆମ ପୂର୍ବପୁରୁଷ ଏବେ ବି ଅନେକ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ବସବାସ କରୁଛନ୍ତି । ଅଭାବରେ କିମ୍ବା ଉପାସରେ ରହିଲେ ମଧ୍ୟ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ, କିମ୍ବା ଭିକ ମାଗନ୍ତି ନାହିଁ ।

ସେଥିପାଇଁ ଓଡ଼ିଆ ଜାତି ତା’ର ସାହସ ଓ ସ୍ୱାଭିମାନ ବଳରେ ଦୁନିଆ ଦାଣ୍ଡରେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲା । ଆଜି ପ୍ରତ୍ୟେକମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ର ରୂପ ଦେଇ ଖାଲି ପ୍ରଚାର କରୁନାହୁଁ, ସମାଜକୁ ଅନ୍ନଦାନ କରୁଥିବା ଗୌରବଦୀପ୍ତ ବୃତ୍ତିଧାରୀ ମଣିଷକୁ କାପୁରୁଷ ଭଳି ଆତ୍ମହତ୍ୟା କରୁଥିବା ଘଟଣା ଭାବେ ଉଲ୍ଲାସର ସହ ପ୍ରଚାର କରୁଛୁ ଏବଂ ଏଥିପାଇଁ ନିର୍ବାଚିତ ସରକାରକୁ ହିଁ ଦୋଷ ଦେଉଛୁ ଓ ମୃତ୍ୟୁରେ ସମ୍ବେଦନଶୀଳତାର ସ୍ପର୍ଶ ନଥାଇ ଅନ୍ୟକୁ ନିନ୍ଦିତ କରିବାର ଅଭିପ୍ସା ବେଶ୍ ପରିସ୍ଫୁଟ ହେଉଛି ।

ସମ୍ବାଦପତ୍ର, ଗଣମାଧ୍ୟମର ବନ୍ଧୁମାନେ, ଦାୟିତ୍ୱବାନ ବିରୋଧି ଦଳମାନେ ଚାଷୀ ଋଣ ବୋଝ ସମ୍ଭାଳି ନପାରି ମରିବାର କାରଣ ସ୍ୱରୂପ ଆଉ ଏକ ଗୁରୁତର ଆରୋପ ଆଣିଛନ୍ତି । ତାହା ହେଲା ସାରା ରାଜ୍ୟରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଚାଷୀକୁ ଋଣ ଲଗାଣ କରୁଛନ୍ତି, ପ୍ରାୟ ୪୮% ସୁଧରେ ଏବଂ ଚାଷୀକୁ ହନ୍ତସନ୍ତ କରୁଛନ୍ତି ।

ସେହିଭଳି ଭାବେ ଘରୋଇ ମହାଜନମାନେ ଅଧିକ ସୁଧରେ ଋଣ ଦେଇଆର୍ଥିକ ଅଭାବ ଭିତରେ ଚାଷୀ କୁ ଅତ୍ୟଧିକ ମାନସିକ ସନ୍ତୁଳନର ଶିକାର କରୁଛନ୍ତି । ଏହାକୁ ଅସ୍ୱୀକାର କରିହେବ ନାହିଁ । ସ୍ୱୟଂ ସହାୟିକା ଗୋଷ୍ଠୀ ହୁଅନ୍ତୁ କିମ୍ବା ଘରୋଇ ମହାଜନ ହୁଅନ୍ତୁ ଲୋକଙ୍କୁ ଶୋଷଣ କରି ସମ୍ପତ୍ତି ବଢ଼ାଇବା ଆଇନ ଆଖିରେ ଧର୍ତ୍ତବ୍ୟ ଅପରାଧ ।

ଘରୋଇ ମହାଜନୀକୁ(Private money lending) ଉଚ୍ଛେଦ କରାଯାଇ ଆଇନ ପ୍ରଣୟନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନିଜେ ଅ ।ତ୍ମନିର୍ଭରଶୀଳ ହେବେ ବୋଲି ଆଶା କରି ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

ସରକାରୀ ପ୍ରୋତ୍ସାହନ ଲବ୍ଧ ଧନକୁ ସେମାନେ ଯଦି ସୁଧ ଲଗାଣ କରନ୍ତି ତାହା ମଧ୍ୟ ଦଣ୍ଡନୀୟ । ଏଥିପ୍ରତି ସମ୍ପୃକ୍ତ ବିଭାଗ ଯଦି ଦୃଷ୍ଟି ଦେଉନାହାନ୍ତି, ତେବେ ଗଣମାଧ୍ୟମର ବନ୍ଧୁମାନେ, ବିରୋଧୀ ଦଳର ନେତା ଓ କର୍ମୀମାନେ ଏବଂ ସମ୍ବାଦପତ୍ରର ସାମ୍ବାଦିକ ବନ୍ଧୁମାନେ ସମାଜରେ ଘଟୁଥିବା ଏଭଳି ଆଇନ ବିରୁଦ୍ଧ ଦଣ୍ଡନୀୟ କାର୍ଯ୍ୟକୁ ପ୍ରତିରୋଧ କରୁନାହାନ୍ତି କାହିଁକି?

ଏ କ୍ଷେତ୍ରରେ ସରକାରୀ ଅପାରଗତା ଆରୋପ ସହ ଘଟଣାର ପର୍ଦ୍ଧାଫାଶ କରୁନଥିଲେ କାହିଁକି? କେବଳ ସରକାରଙ୍କୁ ନିନ୍ଦିତ କରିବା ଏବଂ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ପାସୋରି ଯିବା ବିଜ୍ଞତାର କାର୍ଯ୍ୟ ନୁହେଁ ।

ଚଳିତ ବର୍ଷ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୦ହଜାର କୋଟି ଟଙ୍କା ଖରିଫ୍ ଓ ରବି ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟିକ ବ୍ୟାଙ୍କ ଜରିଆରେ ୬ହଜାର କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି କରିଛନ୍ତି । ସମବାୟ ବ୍ୟାଙ୍କମାନେ ୫ହଜାର ୫ଶହ କୋଟି ଟଙ୍କା ଖରିଫ୍ ଋଣ ଦେଇ ସାରିଛନ୍ତି ଏବଂ ୪ହଜାର ୫ଶହ କୋଟି ଟଙ୍କା ରବି ଋଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଖରିଫ୍ ଫସଲ ଉତୁରିବା ଆଗରୁ ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି, ସେଥିପାଇଁ ସ୍ୱଳ୍ପ ମିଆଦି ଏହି ଖରିଫ୍ ଋଣ ଆଦାୟକୁ ନିଷିଦ୍ଧ କରାଯାଇ ୩ ବର୍ଷିଆ ଦୀର୍ଘମିଆଦୀ ଋଣରେ ପରିଣତ ପାଇଁ ଘୋଷଣା କରାଯାଇଛି ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ବିକଳ୍ପ ରବି ଫସଲ ପାଇଁ ଋଣ ବଣ୍ଟନ ହେଲାଣି ।

ତେଣୁ ସରକାରୀ ଋଣ ଆଦାୟ ହେଉନାହିଁ । ଋଣ ଦିଆଯାଉଛି । ସେହିଭଳି ଘରୋଇ ସଂସ୍ଥାରୁ ଚାଷ ପାଇଁ ଚାଷୀ ଋଣ କଲେ ଫସଲ ଉତୁରିବା ଆଗରୁ କେହି ଋଣ ମାଗନ୍ତି ନାହିଁ । ତେଣୁ ଋଣ ବୋଝ ସହିନପାରି ଅସମୟରେ ଯେ ଚାଷୀ ଆତ୍ମହତ୍ୟା କରୁଛନ୍ତି ଏକଥାକୁ ସହଜରେ ବିଶ୍ୱାସ କରିହେଉନାହିଁ ।

ଏହା ଅବଶ୍ୟ ସତ୍ୟ ଯେ ଆମ ରାଜ୍ୟରେ ପ୍ରାୟ ୮୫% ଚାଷୀ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ । ଏମାନଙ୍କର ସମସ୍ୟା ଅନେକ, ଆର୍ଥିକ ସ୍ଥିତି ଦୁର୍ବଳ । ତଥାପି ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି । କାପୁରୁଷ ଭଳି ଆତ୍ମହତ୍ୟା କରିବା ପାଇଁ ସେମାନଙ୍କ ବିବେକ ତାଙ୍କୁ ବାଧା ଦେଇଥାଏ ।

ଚାଷୀ ହେଉଛନ୍ତି ସମାଜର ଅନ୍ନଦାତା । ତାଙ୍କ ଉପରେ ଆତ୍ମହତ୍ୟା ର ଆରୋପ ଲଗାଇ ସେମାନଙ୍କୁ ନିନ୍ଦିତ କରିବା ବୋଧହୁଏ ସମାଜ ପାଇଁ ଶୁଭଙ୍କର ନୁହେଁ ।ମୁଁ ଆଶା କରୁଛି, ଚାଷୀମାନଙ୍କର ବହୁବିଧ ସମସ୍ୟାକୁ ସମାଧାନ କରିବା ପାଇଁ ଚାପ ସୃଷ୍ଟି ହେଉ ଏବଂ ବିଭିନ୍ନ କ୍ଷେତ୍ରରୁ ପରାମର୍ଶ ସରକାରଙ୍କୁ ଦିଆଯାଉ କେବଳ ନିନ୍ଦିତ କରିବାର ସଂକୀର୍ଣ୍ଣ ମାନସିକତାକୁ ପରିହାର କରାଯାଉ ।

(ଡା. ଦାମୋଦର ରାଉତ ଓଡିଶାର ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ )

 

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଅନ୍ନଦାତା, ଆତ୍ମହତ୍ୟା, ଚାଷୀ, ଡା. ଦାମୋଦର ରାଉତ

‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ

November 2, 2015 by ନିଉଜ ଡେସ୍କ 3 Comments

ସୁଧୀର ପଟ୍ଟନାୟକ

ରାଜ୍ୟରେ କୃଷକମାନଙ୍କ ଆତ୍ମହତ୍ୟା ଧାରାବାହିକ ଭାବେ ଚାଲିଛି । ଗୋଟିଏ ପରେ ଗୋଟିଏ ଯୁବଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି । ଅଧିକାଂଶ ସବୁଜ ବିପ୍ଳବର ସୌଜନ୍ୟରୁ ମିଳିଥିବା କୀଟନାଶକ ପାନ କରି ମୃତ୍ୟୁବରଣ କରୁଛନ୍ତି । ଯେଉଁ କୀଟନାଶକ ପିଇ କୃଷକଟି ମରିଯାଉଛି, ସେହି କୀଟନାଶକ ଆମ ଜମି ୪୦ବର୍ଷରୁ ଊର୍ଦ୍ଧ୍ଵ କାଳ ଧରି ପିଇଆସିଛି ।

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ

ଆମେ ବି ଫସଲ ଖାଇ ଆସିଛୁ । ସେ ଏକ ଭିନ୍ନ କଥା ଏବଂ ଏହାର ଆଲୋଚନା ଅନ୍ୟତ୍ର କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟରେ କୃଷକ ଆତ୍ମହତ୍ୟାର ଧାରାଟିକୁ ବନ୍ଦ କରାଯିବ କେମିତି? ବିଡ଼ମ୍ବନାର କଥା ଯେ ଏଭଳି ଏକ ଦାରୁଣ ଘଟଣାର ଧାରାବାହିକତା ଆମ ସମାଜକୁ ବିଚଳିତ କରୁନାହିଁ ।

ସାଧାରଣ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାର ପାଖରେ ପ୍ରତିବାଦ କରୁନାହାନ୍ତି । ଯେଉଁ କୃଷକ ଲାଗି ନିଜେ ବଞ୍ଚି ରହିଛନ୍ତି, ସେହି କୃଷକର ମୃତ୍ୟୁରେ ସାମାନ୍ୟତମ ଶୋକ ନାହିଁ । ଆଗରୁ କେବେ ଏ ସମାଜଟି ଏତେ ସମ୍ବେଦନହୀନ ହେଇନଥିଲା । ଗହମ-ଚାଉଳର ବଜାରଟି ଚାଷୀ ଆଉ ସାଧାରଣ ମଣିଷ ଭିତରେ ବଡ଼ ବ୍ୟବଧାନଟିଏ ଛିଡ଼ା କରିଦେଇଛି ।

ସମାଜର ପ୍ରତିଟି ମଣିଷ ଯେମିତି ଗୋଟିଏ ଗୋଟିଏ ଖାଉଟି ହୋଇଯାଇଛନ୍ତି ଯେଉଁମାନଙ୍କର ଖାଦ୍ୟ ଉତ୍ପାଦନ କେମିତି ହେଉଛି ବା କିଏ କରୁଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଦରକାର ବଜାରଟିଏ । ସେହି ବଜାରକୁ ଯାଇ କାଗଜନୋଟ ବଢ଼ାଇ ଦେଇ ମନ ମୁତାବକ ଖାଦ୍ୟ ଦରବ କିଣି ହୋଇଯିବ ।

ବଜାରକୁ ଆସୁଥିବା ଜିନିଷ ଭାରତୀୟ କୃଷକଙ୍କ ଝାଳ ରକ୍ତରେ ଉତ୍ପାଦିତ ହୋଇଛି କି ନାହିଁ ଜାଣିବା ବି ଦରକାର ନାହିଁ । ଅଷ୍ଟ୍ରେଲିଆ, ଥାଇଲାଣ୍ଡ ବା ମ୍ୟାଲେସିଆରୁ ଖାଦ୍ୟଦ୍ରବ୍ୟ ଆସି ଯଦି ଏଠି ମିଳିଯାଏ, ପଇସା ଦେଇ ତାକୁ କିଣାଯାଇପାରିବ । ଏଭଳି ଖାଦ୍ୟଶସ୍ୟ ବାହାରୁ ଆସିଲେ ଭାରତୀୟ ଚାଷୀ ନିଜ ଉତ୍ପାଦନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉନାହିଁ ତ? ଏଭଳି ପ୍ରଶ୍ନ ବା ମନକୁ ଆସିବ କାହିଁକି?

ବଜାରୀକରଣ, ଜଗତୀକରଣ ଓ ଉଦାରୀକରଣ ପ୍ରକ୍ରିୟାଟି ସମଗ୍ର ସମାଜକୁ ନିଜ ଲୋକଙ୍କ ପ୍ରତି ଉଦାସୀନ କରିଦେଇଛି । ସମଗ୍ର ଚାଷୀକୂଳ ଯେ ଅଭାବୀବିକ୍ରି, ଫସଲହାନୀ, ଋଣବୋଝ, ଖର୍ଚ୍ଚବହୁଳ ଚାଷର ଶିକାର ହେଉଛନ୍ତି, ତାହା କେବଳ ନୁହଁ । ସେମାନଙ୍କ ଚାରିପଟେ ଅଛି ସେମାନଙ୍କ ସମସ୍ୟା-ସ୍ଥିତିକୁ ଉପହାସ କରୁଥିବା ବା ଭୟଙ୍କର ଭାବେ ଉଦାସୀନ ରହିଥିବା ଏକ ଯନ୍ତ୍ରବତ୍ ସମାଜ ।

ସରକାରଟା ସ୍ୱାଧୀନ ଭାରତରେ କେବେ ବି କୃଷକର ନଥିଲା । ଶାସ୍ତ୍ରୀଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଯଦି ନଥାନ୍ତେ ଏବଂ ସବୁଜ ବିପ୍ଳବକୁ ଏ ଦେଶରେ ସଂସ୍ଥାପିତ କରିବାର ଯଦି ଯୋଜନା ବି ନଥାନ୍ତା ତେବେ ‘ଜୟ କିଶାନ’ର ନାରା ବି ଶୁଣିବାକୁ ମିଳିନଥାନ୍ତା । ବର୍ତ୍ତମାନ କେବଳ ଜୟ ଜବାନ, ଜୟ ପୋଲିସର ନାରା ହିଁ ଶୁଣିବାକୁ ମିଳୁଛି ।

କିଶାନର ଜୟଗାନ ସରକାର ବା କରିବେ କ’ଣ ପାଇଁ ? ସବୁଜ ବିପ୍ଳବ ଭିତରେ ସରକାର ବହୁରାଷ୍ଟ୍ରୀୟ କୃଷି କମ୍ପାନୀମାନଙ୍କର ଜୟ ଜୟକାର କରି ଆସିଛନ୍ତି । ୨୦୧୨-୧୩ରେ ଭାରତରେ ସକ୍ରିୟ ଥିବା ସାର କମ୍ପାନୀମାନେ ମିଳିତ ଭାବେ ୩କୋଟି ୨୪ଲକ୍ଷ ଟନ୍ ସାର ଉତ୍ପାଦନ କରିଛନ୍ତି । ତଥାପି ତାହା ଯଥେଷ୍ଟ ହୋଇନାହିଁ ଯେ ବାହାରୁ ଆମଦାନୀ କରାଯାଇଛି ।

ଏହା ସହ ପଢନ୍ତୁ

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ

ଆଶା କରାଯାଉଛି ଯେ ୨୦୧୭-୧୮ ସୁଦ୍ଧା ଏହି ଉତ୍ପାଦନ (ୟୁରିଆ, ଡାଇ ଆମୋନିଅମ୍ ଫସ୍ଫେଟ୍, ନାଇଟ୍ରୋଜେନ୍, ଫସ୍ଫେଟ୍ ଓ ପଟାସିଅମ୍ ଇତ୍ୟାଦି) ୬କୋଟି ୪୮ଲକ୍ଷ ୪୦ହଜାର ଟନରେ ପହଞ୍ଚିବ (କୃଷି ଜାଗରଣ, ଡିସେମ୍ବର ୧୬, ୨୦୧୪) । ବିହନ, ସାର ଓ କୀଟନାଶକ ତିଆରି କରୁଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଲାଭ ଉଠାଉଥିବାବେଳେ ସେହି ସମୟକାଳ ଭିତରେ ଏ ଦେଶରେ ୩ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଲେଣି ।

କେବଳ ଆମ ରାଜ୍ୟରେ ହିଁ ୩ହଜାରରୁ ଊର୍ଦ୍ଧ୍ଵ କୃଷକ ଆତ୍ମହତ୍ୟା କରିସାରିଲେଣି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ମୁତାବକ ଆମ ଦେଶରେ ସବୁଠାରୁ ଅଧିକ କୃଷକ ଆତ୍ମହତ୍ୟା ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଞ୍ଚଳରେ ହୋଇଆସିଛି । ଓଡ଼ିଶାରେ କୃଷକ ଆତ୍ମହତ୍ୟା କ୍ଷେତ୍ର ଏତେଟା ପରିଚିତ ନଥିଲା ।

କିନ୍ତୁ ଗତ ୨ସପ୍ତାହର ଘଟଣାପ୍ରବାହ ସୂଚାଇ ଦେଉଛି ଯେ କୃଷକ ଆତ୍ମହତ୍ୟା ଆମ ରାଜ୍ୟରେ ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୮-୦୯ରେ ମଧ୍ୟ ଧାରାବାହିକ ଭାବେ କୃଷକ ଆତ୍ମହତ୍ୟା ନଜରକୁ ଆସିବାରୁ ନବୀନ ସରକାର ବାଧ୍ୟହୋଇ ଆନ୍ତରିକତା ବିହୀନ ମଣିଷମାନଙ୍କୁ ନେଇ ଏକ ରାଜ୍ୟ କୃଷକ କମିଶନ ତିଆରି କରିଥିଲେ ଯାହାର ଅଧ୍ୟକ୍ଷ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁମୋହନ ପଟ୍ଟନାୟକ ।

ଆଉ ଯେଉଁମାନେ ସଦସ୍ୟ ଥିଲେ ସେମାନେ କୃଷି ଓ କୃଷକର ସମସ୍ୟା ପ୍ରତି କେବେ ସମ୍ବେଦନଶୀଳ ଥିବାର ଦୃଷ୍ଟାନ୍ତ ସେମାନଙ୍କ ନିଜର ବୃତ୍ତିଗତ ଇତିବୃତ୍ତିରୁ ଜଣାପଡ଼େ ନାହିଁ । ଡଃ ଡି.ପି.ରାୟ ଓ.ୟୁ.ଏ.ଟି.ର ବିବାଦମାନ କୁଳପତି ଜଣେ ସଦସ୍ୟ ଥିଲେ । ଆଉ ଜଣେ ସଦସ୍ୟ ଥିଲେ ଅନ୍ୟ ଏକ ବିବାଦମାନ ବ୍ୟକ୍ତିତ୍ୱ ଡଃ ନିରଞ୍ଜନ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡଃ ସୁଧାକର ପଣ୍ଡା ବି ଜଣେ ସଦସ୍ୟ ଥିଲେ । ସେମାନଙ୍କ ରିପୋର୍ଟ କ’ଣ ଥିଲା ସବୁ କଥା ଲୋକଲୋଚନକୁ ଆସିନାହିଁ । ତେବେ ସେମାନେ ଯେ ସମସ୍ୟାର ଉଚିତ ଅନୁଧ୍ୟାନ କରି ସୁଚିନ୍ତିତ ମତବ୍ୟକ୍ତ କରିଥିବେ, ଜାଣିବାଶୁଣିବା ଲୋକମାନଙ୍କର ବିଶ୍ୱାସ ନଥିଲା ।

ସେମାନଙ୍କ ଭିତରୁ କେହି କେହି ସେ ସମୟର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ୁଥିଲା ଯେ ଏମାନେ ସମସ୍ୟାର ପାଖତଡ଼ ବି ମାଡ଼ିପାରିବେ ନାହିଁ । ଏବେ ସରକାର ତରବରିଆ ଭାବେ ପ୍ରତିକାର ପାଇଁ ପ୍ୟାକେଜ୍ ଘୋଷଣା କରିସାରିଲେଣି । ସେଥିରେ କୃଷକ ଆତ୍ମହତ୍ୟାର କାରଣ ବାହାର କରି ପ୍ରତିକାରର ବାଟ ବାହାର କରିବା ଚିନ୍ତା ପ୍ରତିଫଳିତ ହେଉନାହିଁ ।

ବରଂ ସରକାର କେବଳ ମରୁଡ଼ି ପ୍ରତିକାର ପାଇଁ ପଦକ୍ଷେପ ନେଲାଭଳି ମନେ ହେଉଛି ଯେଉଁଥିପାଇଁ ତାଙ୍କୁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପଇସା ଖର୍ଚ୍ଚକରି କୃଷକ ଆତ୍ମହତ୍ୟା ସମସ୍ୟାର ସମାଧାନ ଯେ କରିହେବ ନାହିଁ ସରକାର ବୁଝିବା ଦରକାର ।

ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ଭିତରେ ଅଧିକାଂଶ ଭାଗଚାଷୀ ବା ନାମକୁମାତ୍ର ଚାଷୀ । ବଡ଼ ଚାଷୀ କେହି ଆତ୍ମହତ୍ୟା କରୁନାହାନ୍ତି । ଆମ କୃଷି ବ୍ୟବସ୍ଥାଟିକୁ ଏମିତି କରିଦିଆଯାଇଛି ଯେ ତାହା କେବଳ ବଡ଼ଚାଷୀଙ୍କୁ ସୁହାଇବ । ଛୋଟ ଚାଷୀ ପାଇଁ ସବୁଜ ବିପ୍ଳବର ଚାଷ ସୁହାଇ ପାରୁନାହିଁ ବୋଲି ପ୍ରମାଣିତ ହୋଇସାରିଲାଣି ।

ଯେଉଁ ଚତୁର ଚାଷୀମାନେ ଭାଗଚାଷୀ ହାତରେ ଜମିଖଣ୍ଡକ ଦେଇ ଦେଇଛନ୍ତି ସେମାନେ ପ୍ରକୃତରେ ଦୁର୍ଦ୍ଧଶାଟିକୁ ତା’ ହାତରେ ସମର୍ପଣ କରିଦେଉଛନ୍ତି । ଜମିର ଆକର୍ଷଣ ଓ ସ୍ୱାଧୀନ ଭାବେ ଚାଷ କରିବାର ସୁଯୋଗଟି ପାଇଁ ସେ ଯେଉଁ ଭଲ ଏକ ଜୀବନର ସ୍ୱପ୍ନ ଦେଖୁଛି, ତାହା ଦିନ କେତୋଟିରେ କେତେ ବଡ଼ ଦୁଃସ୍ୱପ୍ନଟିଏ ଥିଲା ପ୍ରମାଣିତ ହୋଇଯାଉଛି । ସେ କ ରୁ କ୍ଷ’ ଯାଏଁ ସବୁ ବଜାରରୁ କିଣିବାକୁ ପଡ଼ୁଛି-ତାହା ପୁଣି ଋଣ କରି ।

ବିହନ କିଣିବ, ସାର କିଣିବ, କୀଟନାଶକ କିଣିବ, ପାଣି କିଣିବ, ଟ୍ରାକ୍ଟର ଓ ଶ୍ରମ ଭଡ଼ାରେ ନେବ । ସବୁ ପାଇଁ ପଇସା ଦରକାର । ଏତେସବୁ କଲାପରେ ଫସଲ ଉଜୁଡ଼ିଗଲେ ଅବା ହେଇଥିବା ଫସଲର ବିକ୍ରିବଟା ଭଲ ଦରରେ ନହେଲେ ତା’ର ଭେଳା ବୁଡ଼ିଲା । ଏଭଳି ଏକ ଚକ୍ରବ୍ୟୁହ ଭିତରେ ଭାଗଚାଷୀ ବା ନାମକୁମାତ୍ର ଚାଷୀ ପଶିଯାଉଛି, ବାହାରି ପାରୁନାହିଁ ।

ଏହି ଚକ୍ରବ୍ୟୁହକୁ ଏ ଦେଶର ଚାଷୀକୂଳ ବୁଝିପାରିଥିଲେ ମୂଳରୁ ସବୁଜ ବିପ୍ଳବ ଆଡ଼କୁ ସରକାରୀ ପ୍ରୋତ୍ସାହନ ସତ୍ୱେ ଯାଇନଥାନ୍ତେ ବା ସବୁଜ ଆତଙ୍କକୁ ପ୍ରତିରୋଧ ନ କରିପାରି ହୁଏତ ଚାଷକୁ ଛାଡ଼ନ୍ତେ । ଏବେ ତାହାହିଁ ହେବ ଅଧିକାଂଶ ଚାଷୀ ଚାଷ ଛାଡ଼ିବେ । ସହରକୁ ଯାଇ ଦାଦନ ଖଟିବେ, କିନ୍ତୁ ଚାଷକରିବେ ନାହିଁ ।

ସେମାନେ ଛାଡ଼ିବା ଚାଷଜମି ବଡ଼ଚାଷୀ ବା କମ୍ପାନୀମାନେ କିଣିବେ ବା ଠିକାରେ ନେଇ ଚାଷ କରିବେ । ସେମାନଙ୍କୁ ସବୁପ୍ରକାର ଋଣ ସୁଲଭ ଦରରେ ମିଳିବ ଓ ପର୍ଯ୍ୟାପ୍ତ ପରିମାଣରେ ରିହାତି ପାଇବେ । କାହାଠୁ ଧାର କରଜ କରିବାକୁ ପଡ଼ିବନି । ସବୁ ସରକାର ବା ତାଙ୍କ ବ୍ୟାଙ୍କମାନେ ଯୋଗାଇ ଦେବେ ।

ଆମକୁ ଏ କଥାଟିକୁ ହଜମ କରିବାକୁ ପଡ଼ିବ ଯେ ଭାରତୀୟ କୃଷିକୁ ବଡ଼ଚାଷୀମାନଙ୍କ ପାଇଁ ହିଁ ପ୍ରସ୍ତୁତ କରାଯାଇଛି – ସବୁଜ ବିପ୍ଳବ ମାଧ୍ୟମରେ । ଗୁଣସୂତ୍ର ବିପ୍ଳବ ମାଧ୍ୟମରେ ବଡ଼ଚାଷୀ ଓ ବଡ଼ କମ୍ପାନୀମାନଙ୍କ ଭାଗୀଦାରିତାର କୃଷି ଆଡ଼କୁ ଆମକୃଷିକୁ ଟଣାଯାଉଛି ।

ସେଥିପାଇଁ କୃଷକ ଆତ୍ମହତ୍ୟାର ଅନ୍ତ ନାହିଁ । ଯେକୌଣସି ପ୍ୟାକେଜ୍ ଘୋଷଣା କଲେ ବି ତାହା ମୂଲ୍ୟହୀନ ହେଇଯିବ । ଆମେ ବରଂ ସରକାରଙ୍କ ନିକଟରେ ଦାବୀ କରିବା କଥା ଯେ ଓଡ଼ିଶାର ଚାଷୀକୂଳର ଚାଷ ଜମିର ପରିମାଣ ଓ କ୍ଷେତ ସହ ସମ୍ପର୍କକୁ ହିସାବ କରି କେମିତି ଆମ ରାଜ୍ୟରେ ଅନ୍ତତଃ ବିନା ପୁଞ୍ଜି ବିନିଯୋଗରେ କୃଷି କେମିତି କରାଯାଇପାରିବ, ସେଥିପାଇଁ ଅଧିକ ଦୃଷ୍ଟି ଦେବେ ।

ଏଭଳି ଏକ କୃଷିପାଇଁ ଆୟୋଗଟିଏ ଗଠନ କରାଯାଉ । ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ ଓ ଅନ୍ୟତ୍ର ଏକାପ୍ରକାର ଜୈବକୃଷିର ପ୍ରଶିକ୍ଷଣ ଦେଉଥିବା ବିଶିଷ୍ଟ ଚାଷୀ ସୁବାସ ପାଲେକର ଭଳି ବ୍ୟକ୍ତିଙ୍କୁ ସେହି ଆୟୋଗରେ ନିଆଯାଉ । ଖର୍ଚ୍ଚବହୁଳ ରାସାୟନିକ କୃଷିରୁ ବିନା ଖର୍ଚ୍ଚରେ ଜୈବଚାଷ ଆଡ଼କୁ ଫେରିବା ପାଇଁ ୨/୩ ବର୍ଷ ସମୟ ଲାଗିବ ।

ସେହି ସମୟ ପାଇଁ ସରକାର ସମ୍ପୂର୍ଣ୍ଣ ଅର୍ଥ ସାହାଯ୍ୟ ତଥା ମଜୁରୀ ଭିତ୍ତିକ କର୍ମ ଯୋଗାଣ କଥା ଚିନ୍ତା କରନ୍ତୁ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ଥିବା ସମସ୍ତ ଫାର୍ମ ତଥା ଜମିକୁ ଜୈବ ବିହନ ଉତ୍ପାଦନ ପାଇଁ ବିନିଯୋଗ କରନ୍ତୁ । ଏ ବାବଦରେ ଅଧିକ କ’ଣ କରିହେବ, ସରକାର ମତାମତ ମଧ୍ୟ ସଂଗ୍ରହ କରନ୍ତୁ ।

ସୁତରାଂ, କୃଷି କୃଷକଙ୍କୁ ବଞ୍ଚାଇବା ପାଇଁ ଅସଲ ଓ ଆନ୍ତରିକ ଉଦ୍ୟମ ଆରମ୍ଭ କରାଯାଉ । ଉଭୟ ସରକାର ଓ ସମାଜ ସମ୍ବେଦନଶୀଳ ନ ହୋଇପାରିଲେ କୃଷକଙ୍କ ସ୍ୱର୍ଗଯାତ୍ରାକୁ ରୋକାଯାଇ ପାରିବନି ଏବଂ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରିହେବ ନାହିଁ । ଏଠି ସ୍ମରଣ କରାଇଦେବା ଉଚିତ ହେବ ଯେ ଏଯାଏଁ ଜଣେବି ଜୈବ ଚାଷୀ ବା ଦେଶୀ ପଦ୍ଧତିରେ ଚାଷ କରୁଥିବା ଭାଗଚାଷୀ ଆତ୍ମହତ୍ୟା କରିନାହାଁନ୍ତି ।

(ସୌଜନ୍ୟ- ସମଦୃଷ୍ଟି)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଆତ୍ମହତ୍ୟା, ଓଡିଶା, ଚାଷୀ, ସୁଧୀର ପଟ୍ଟନାୟକ

କମ୍ ବର୍ଷା ହୋଇଥିବା ଜିଲ୍ଲାରେ ଫସଲ ବଞ୍ଚାଇବା ପାଇଁ ପଦକ୍ଷେପ

July 24, 2015 by admin Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୪ ଜୁଲାଇ (ଓଡିଶା ଡଟ୍ କମ୍): ଗତ ଜୁଲାଇ ୨୨ ତାରିଖ ସୁଦ୍ଧା ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୬ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ କୃଷିର ଅଗ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଉକ୍ତ ଜିଲ୍ଲା ମାନଙ୍କରେ ଫସଲର ସୁରକ୍ଷା ପାଇଁ କେନାଲ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବା ଓ ଅଚଳ ଉଠା ଜଳ ସେଚନ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷାଭାବ ଜନିତ ପରିସ୍ଥିତି ତଥା ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଚାରି ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ତଦନୁଯାୟୀ ଆବଶ୍ୟକ ସ୍ଥଳେ ଚାଷୀକୁ ମଧ୍ୟମ ଓ ସ୍ୱଳ୍ପ ସମୟରେ ହୋଇ ପାରୁଥିବା ଧାନ ବିହନ ଯୋଗାଣ ଏବଂ ଡାଲି ତୈଳବୀଜ ଶସ୍ୟ ଓ ପନିପରିବା ବିହନ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ଜମି ଗୁଡିକୁ ଜଳଯୋଗାଣ କରିବା ପାଇଁ ଉଠା ଜଳ ସେଚନ ପଏଣ୍ଟ ଗୁଡିକରେ ବିଦ୍ୟୁତୀକରଣ, ଅଚଳ ଉଠା ଜଳ ସେଚନ ପଏଣ୍ଟ ଗୁଡିକର ପୁନରୁଦ୍ଧାର ଓ ମରାମତି ସହିତ ଜଳନିଧି ଓ ଅନ୍ୟ ଯୋଜନା ମାନଙ୍କରେ ଜଳ ସେଚନ କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି  ।

ଏହା ସହିତ ଚାଷୀ ମାନଙ୍କୁ ପାଣିପାଗ, ଫସଲ ଓ ବୀମା ସମ୍ପର୍କରେ ନିୟମିତ ସୂଚନା ଦିଆଯିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

ବୈଠକରେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, କୃଷି ବିଭାଗର ପ୍ରମୁଖ ସଚିବ, ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

admin
admin

Filed Under: ପରିବେଶ Tagged With: ଅଳ୍ପ ବର୍ଷା, ଚାଷୀ, ମରୁଡି, ସାହାଯ୍ୟ

ଓମ୍ଫେଡ କ୍ଷୀର ଦର ଦୁଇଟଙ୍କା ବଢିଲା

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡ଼ଟ୍ କମ୍ )-ପୁଣିଥରେ ଓମ୍ଫେଡ କ୍ଷୀର ଲିଟର ପିଛା ଦୁଇଟଙ୍କା ବଢିଛି । ଓମ୍ଫେଡ କ୍ଷୀରର ମୂଲ୍ୟ ୨୪ ଟଙ୍କାରୁ ୨୬ଟଙ୍କା ହୋଇଛି । ବର୍ଦ୍ଧିତଦର ଫେବୃୟାରୀ ୪ ତାରିଖରୁ ଲାଗୁ ହେବ ।

ବର୍ଦ୍ଧିତ ମୂଲ୍ୟ ସିଧାସଳଖ ଦୁଗ୍ଧ ଚାଷୀ ପାଇବେ ବୋଲି ଓମ୍ଫେଡ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ଓମ୍ଫେଡ ଲିଟର ପିଛା ୧୮.୫୦ ପଇସା ଦେଉଥିବା ବେଳେ ଦର ବଢିଲେ ସେ ଦୁଗ୍ଧ ଚାଷୀଙ୍କୁ ୨୦.୫୦ ପଇସା ଦେବେ ।

ଓଡିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓମ୍ଫେଡ, ଚାଷୀ, ବର୍ଦ୍ଧିତଦର

ନୂଆପଡା ଜିଲ୍ଲା ବନ୍ଦ ଶାନ୍ତିପୂର୍ଣ୍ଣ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍ )-ଧାନବିକ୍ରୀ ଉପରେ କୁଇଣ୍ଟାଲ ପିଛା ୩ଶହ ଟଙ୍କା ବୋନସ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଦିନ ନୂଆପଡା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି ।

ଜିଲ୍ଲାର ୫ଟି ବ୍ଲକରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା । ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିବାରୁ ଯାତ୍ରୀମାନେ ଯାତାୟତ କରିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଦଳର କର୍ମୀମାନେ ସକାଳ ୬ଟାରୁ ଏକତା ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରି ଦୋକାନ ବଜାର,ଗାଡି ମୋଟର,ସରକାରୀ ଓ ବେସରକାରୀ ଅଫିସ୍,ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ସାହୁ ଏ ବନ୍ଦ ସଂପର୍କରେ ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ,ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ପ୍ରତି ଅବହେଳା କରି ଆସୁଛନ୍ତି । ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ସରକାର ତାଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଶୋଷଣ କରି ଚାଲିଛନ୍ତି ।

ନୂଆପଡା ଜିଲ୍ଲାରେ ଧାନର ଅଭାବ ବିକ୍ରି,ଦଲାଲ,ମିଲର ଓ ଅସାଧୁ କର୍ମଚାରୀଙ୍କ ମେଣ୍ଟ ଯୋଗୁଁ ଚାଷୀ ତଳିତଳାନ୍ତ ହେବାକୁ ବସିଛି । ଏସବୁ ପ୍ରତିବାଦ କରିବା ସହ ଚାଷୀଙ୍କୁ ସେମାନଙ୍କ ହକ୍ ଦେବା ଉଦେ୍ଧଶ୍ୟରେ ଏହି ବନ୍ଦ ପାଳନ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ଚାଷୀ, ନୂଆପଡା ଜିଲ୍ଲା, ସରକାରୀ

ହାଣ୍ଡିଶାଳ ଉପରେ କେନ୍ଦ୍ର ଆକ୍ରମଣ କରିଛି-ବିଜେଡି

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍କମ୍ )-କେନ୍ଦ୍ରର କଂଗ୍ରେସ ସରକାର ଆମ୍ ଆଦମୀଙ୍କ କଥା କହି ଭୋଟ ହାତେଇ ନେଉଥିବା ବେଳେ ରନ୍ଧନ ଗ୍ୟାସ ଉପରେ କଟକଣା ସୃଷ୍ଟି କହି ହାଣ୍ଡିଶାଳ ଉପରେ ଆକ୍ରମଣ କରିବାକୁ ପଛେଇ ନାହିଁ ବୋଲି ଶାସକ ବିଜେଡି ଦଳର ସଭ୍ୟମାନେ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଧାନ ମଣ୍ଡି ଖୋଲିବା ଓ ଚାଷୀଙ୍କୁ ବୋନସ ପ୍ରଦାନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ କଂଗ୍ରେସ ସଦସ୍ୟମାନେ ଦାବି କରିଥିବାବେଳେ ଗ୍ୟାସ ସିଲିଣ୍ଡର କଟକଣା ଉଠାଇବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଗୃହରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣକରି ଏହାକୁ କେନ୍ଦ୍ରକୁ ପଠାଇବା ପାଇଁ ସରକାରୀ ଦଳର ସଦସ୍ୟମାନେ ଦାବି କରିଥିଲେ ।

ସମ୍ପ୍ରତି ଏହି ତିନିଟି ସମସ୍ୟା ରାଜ୍ୟର ଚାଷୀଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିଥିବାରୁ ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ଅରବିନ୍ଦ ଢାଲି କେନ୍ଦ୍ର ସରକାର ଦୁର୍ନୀତିଲବ୍ଧ ଧନକୁ ସବସିଡ଼ି ଆକାରରେ ଦେଇ ଗ୍ୟାସ ଯୋଗାଇବାକୁ କହିଥିଲେ ।

ସମୀରରଞ୍ଜନ ଦାଶ ଏହାକୁ ସମର୍ଥନ କରିଥିଲେ । ସିପ୍ରା ମଲ୍ଲିକ ଆମ ଆଦମୀଙ୍କ ସରକାର ବୋଲି ଦାବି କରୁଥିବା ୟୁପିଏ ସରକାର ଆତ୍ମସମୀକ୍ଷା କରିବାକୁ ଆହ୍ୱାନ ଦେଇଥିଲେ ।

କଂଗ୍ରେସର ଡଃ ପ୍ରଫୁଲ୍ଲ ମାଝି ମହାରାଷ୍ଟ୍ର, ଦିଲ୍ଲୀ ନିଜ ଆଡ଼ୁ ତିନିଟି ରିହାତି ସିଲିଣ୍ଡର ଯୋଗାଉଥିବାବେଳେ ଓଡ଼ିଶା ସରକାର କାହିଁକି ସେଭଳି କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ।

ସରକାରୀ ଦଳ ସଦସ୍ୟ ଅନନ୍ତ ଦାସ ଗ୍ୟାସ ନଦେଲେ ଘରେ ସବୁଥାଇ ମଧ୍ୟ ରୋଷେଇ କରିହେବନି, ଅନାହାର ମୃତ୍ୟୁ ଆଶଙ୍କା ସୃଷ୍ଟିହେବ ବୋଲି ଦର୍ଶାଇଥିଲେ ।

ବିଜେଡ଼ି ବିଧାୟକ ଶାରଦାପ୍ରସାଦ ନାୟକ କେନ୍ଦ୍ର ସରକାର ଲୋକଙ୍କ ମୌଳିକ ଅଧିକାର ପ୍ରତି ଗୁରୁତ୍ୱ ଦେଉନଥିବା ଦର୍ଶାଇ ସ୍କୁଲଗୁଡ଼ିକୁ ରହାତି ଗ୍ୟାସ ସିଲିଣ୍ଡର ଯୋଗାଯାଉ ନଥିବା କହିଥିଲେ ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଆଲୋଚନା ଆରମ୍ଭକରି କଳାହାଣ୍ଡିରେ ଚାଷୀ ବନ୍ଦ ପାଳନ କରିଥିବାବେଳେ ଚାଷୀଙ୍କ ସମସ୍ୟା ପ୍ରତି ସରକାରଙ୍କ ନିଦ ଭାଙ୍ଗୁନି ବୋଲି ଅଭିଯୋଗ କରିଥିଲେ ।

ମଣ୍ଡିରେ ଧାନ ପଡ଼ିରହିଥିବାବେଳେ ଅଭାବୀ ବିକ୍ରି ଚାଲିଛି, ଚାଷୀଙ୍କୁ ବୀମା କିମ୍ବା ବୋନସ ମିଳୁନି, ଏଥିପ୍ରତି ବିଧାନସଭା ଚେତିବା ଦରକାର । ଏଥିପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଥିଲେ । ତାଙ୍କ ଦଳର ରାଜେନ୍ଦ୍ର କୁମାର ଛତି୍ରଆ, ନବକିଶୋର ଦାସ, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଭୂପିନ୍ଦରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ସରକାରୀ ଦଳର ଉପମୁଖ୍ୟ ସଚେତକ ସଞ୍ଜୟ ଦାସବର୍ମା କହିଥିଲେ ଯେ ଜନମଙ୍ଗଳକାରୀ ରାଷ୍ଟ୍ରରେ କେନ୍ଦ୍ର ସରକାର ଗ୍ୟାସ ଉପରେ କଟକଣା ଲାଗୁକରିବା ଜନବିରୋଧୀ ନୀତି । ଏପରି ନିଷ୍ପତି ପ୍ରତ୍ୟାହାର ପାଇଁ କେନ୍ଦ୍ର ଉପରେ ଚାପ ପ୍ରୟୋଗ ଉଦେ୍ଧଶ୍ୟରେ ଗୃହରେ ପ୍ରସ୍ତାବ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ କହିଲେ ଯେ ଧାନ ଚାଷୀଙ୍କ ଉପକାର ପାଇଁ କେନ୍ଦ୍ର ସରକାର ଧାନ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ୧୨୫୦ରୁ ୧୪ଶହ ଟଙ୍କାକୁ ବୃଦ୍ଧି କରନ୍ତୁ । ଏବେ କେନ୍ଦ୍ର ସରକାର ଗହମ ଚାଷୀଙ୍କ ବଳିଷ୍ଠ ଲବିର ଚାପରେ ଏହାର ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଥିବାବେଳେ ଧାନ ପ୍ରତି ବିଚାର କରିବା ଆବଶ୍ୟକ ବୋଲି ଶ୍ରୀ ଘଡାଇ କହିଥିଲେ ।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଲୋଚନାରେ ଅଂଶଗ୍ରହଣକରି ବିଧାୟକମାନେ ଉଥାପନ କରିଥିବା ତିନିଟି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚାଷୀ, ଧାନ ମଣ୍ଡି, ବିଜେଡ଼ି, ସବସିଡ଼ି

ପଶ୍ଚିମ ଓଡିଶାରେ କୃଷକ ସଂଗଠନର ୪ ଘଣ୍ଟିଆ ବନ୍ଦ ପାଳନ

December 4, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଡିସେମ୍ବର ୪(ଓଡିଶା ଡଟ୍ କମ୍)-ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ତରଫରୁ ଏକକ ଧାନ ସଂଗ୍ରହ ନୀତି, ଚାଷୀଙ୍କୁ ବୋନସ, କୃଷି ବିମା ନୀତିରେ ପରିବର୍ତନ, ଫସଲ କ୍ଷତି ପୂରଣ ଆଦି ପନ୍ଦର ଦଫା ଦାବୀ ନେଇ ଆଜି ପଶ୍ଚମ ଓଡିଶାରେ ୪ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇଯାଇଛି ।

ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ସରକାରୀ ଅଫିସ ଘେରାଉ କରିଥିଲେ ସମ୍ବଲପୁର, ବରଗଡ, ବଲାଙ୍ଗୀର, ବୌଦ୍ଧ, ନୂଆପଡା କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇ ଚାଷୀ କେଉଁଠି ରାସ୍ତା ଅବରୋଧ କରିଛନ୍ତି ତ କେଉଁଠି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହ ଅନୁଗୁଳ ଜିଲ୍ଲାର କୃଷକମାନେ ସାମିଲ ହୋଇଥିଲେ । ସମ୍ବଲପୁରରେ କୃଷକମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ବନ୍ଦପାଳନ ଯୋଗୁଁ ରାସ୍ତାଉପରେ ହଜାର ହଜାର ଯାନବାହାନ ଅଟକି ରହିଥିଲା ।

ସମ୍ବଲପୁରରେ ଅନୁଷ୍ଠିତ କୃଷକମାନଙ୍କର ଏହି ଆନ୍ଦୋଳନ ଦିନ ୧୨ ଘଟିକାରେ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଚାଲିଲା ପ୍ରତିବାଦ,ଧାରଣା ଓ ନାରାବାଜି । ରାସ୍ତା ଅବରୋଧକରି ଚାଷୀମାନେ ରାସ୍ତାଉପରେ ପାଲା ଓ ଦାସକାଠିଆ ପରିବେଷଣ କରିଥିଲେ ।

ସମ୍ବଲପୁରର ରେମଟ ଛକ,ଗୋଶାଳା,ସିନ୍ଦୁର ପଙ୍କ,ଶାସନ,ରେଢାଖୋଲ,ମାନେଶ୍ୱର,ଧମା ଓ ନାକଟିଦେଉଳ ଅଞ୍ଚଳରେ ଏହି ବନ୍ଦ ପାଳନ କରାଯାଇଥିଲା ।

କୃଷକ ନେତା ସରୋଜ ବାବୁ କହିଛନ୍ତି ଯେ,କୃଷକମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ଏହା ବାରମ୍ବାର ପ୍ରମାଣିତ ହେଉଛି । ସରକାରଙ୍କୁ ଅନୁରୋଧ କରୁଛୁ ଦଳଗତ ଉର୍ଦ୍ଧକୁ ଉଠି ଚାଷୀମାନଙ୍କର ସମସ୍ତ ସମସ୍ୟା ଉପରେ ଆଲୋଚନା କରନ୍ତୁ ।

ବଲାଙ୍ଗିରରେ ଶତାଧିକ ଚାଷୀ କୋଷଳ କଳାମଣ୍ଡପ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କୃଷକ ନେତା ବାବାଜୀ ଦାସ କହିଛନ୍ତି ଶୀଘ୍ର ମଣ୍ଡି ଖୋଲିବା ସହିତ ଧାନ କ୍ରୟ କରିବା,ବିମା ଟଙ୍କା ପ୍ରଦାନ,କପାର ମୂଲ୍ୟ ୫ହଜାର ଟଙ୍କା ଓ ଆଖୁର ମୂଲ୍ୟ ତିନି ହଜାର ଟଙ୍କା କରିବାକୁ ଆମ ତରଫରୁ ସରକାରଙ୍କ ନିକଟରେ ଦାବୀ ହୋଇଛି ।

ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଅଲେଖ ଚନ୍ଦ୍ର ପଢିଆରୀ କହିଛନ୍ତି କୃଷକମାନଙ୍କର ଦାବୀ ସରକାରଙ୍କ ନିକଟକୁ ପଠାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଖୁ, ଚାଷୀ, ଧାନ ମଣ୍ଡି, ପଶ୍ଚିମ ଓଡ଼ିଶା

ଅସମାପ୍ତ ରହିଲା ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

December 3, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୩(ଓଡିଶା ଡଟ୍ କମ୍)-ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ସୋମବାର ଦିନ ବାଚସ୍ପତି ପ୍ରଦୀପ କୁମାର ଅମାତ ଯେଉଁ ସର୍ବଦଳୀୟ ବୈଠକ ଡାକିଥିଲେ ତାହା ଅସମାପ୍ତ ରହିଛିି ।

ମଙ୍ଗଳବାର ଦିନ ପୁଣିଥରେ ବୈଠକ ବସିପାରେ ବୋଲି ବାଚସ୍ପତି କହିଥିବା ବେଳେ କଂଗ୍ରେସ ଓ ବିଜେପି ଦଳର ନେତାମାନେ କହିଛନ୍ତି ଆଜିର ଏହି ବୈଠକରେ କୌଣସି ନିସ୍ପତି ହୋଇପାରି ନାହିଁ ।

ବୈଠକରେ ବିରୋଧିଦଳର ନେତା ଭୂପିନ୍ଦର ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ, ଆଇନମନ୍ତ୍ରୀ ରଘୁନାଥ ମହାନ୍ତି, ସରକାରୀ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ, ବିରୋଧିଦଳ ମୁଖ୍ୟସଚେତକ ପ୍ରସାଦ ହରିଚନ୍ଦନ, ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା, ବିଜେପିର କରେନ୍ଦ୍ର ମାଝି, ସିପିଆଇର ଆଦିକନ୍ଦ ସେଠୀ ଏବଂ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ ।

ବୈଠକ ଦୀର୍ଘ ସମୟ ଚାଲିଥିଲେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ବୈଠକ ଶେଷରେ ବିରୋଧିଦଳ ନେତା ଶ୍ରୀ ସିଂ କହିଛନ୍ତି ପ୍ରଥମେ ଚାଷୀଙ୍କ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଉ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଏହି ମୁଲତବୀ ପ୍ରସ୍ତାବ ୩ଟି ବିଭାଗର ବିଷୟ ହୋଇଥିବାରୁ ଏହାକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା କରାଯିବା ସମ୍ଭବ ନୁହେଁ । ଆମେ ଚାଷୀ ସମସ୍ୟା ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ । ମାନ୍ୟବର ବାଚସ୍ପତି ଯେଉଁ ଫୋରମରେ ଆଲୋଚନା କରିବାକୁ ଚାହିଁବେ ଆମେ ସେହିବାଟରେ ଆଲୋଚନା କରିବାକୁ ରାଜି ଅଛୁ ।

ବିଜେପିର କରେନ୍ଦ୍ର ମାଝିଙ୍କ ମତରେ ଗୃହକାର୍ଯ୍ୟ ଠିକ୍ ଠାକ ଭାବରେ ଚାଲୁ । କୃଷକମାନଙ୍କର ଯେଉଁ ସମସ୍ୟା ଅଛି ତାହା ମଧ୍ୟ ବିଧାନସଭାରେ ଆଲୋଚନା କରାଯାଉ । ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ବିରୋଧିଦଳ ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ଦାବିରେ ବିଧାନସଭାକୁ ଅଚଳ କରି ରଖିଛି ।

ପ୍ରଥମ ଦିନରୁ ଚାଷୀଙ୍କ ଧାନ ବିକ୍ରି ନହେବା, ଚାଷୀଙ୍କୁ ବିହନ ଦିଆନଯିବା,ବୋନସ ପ୍ରଦାନ କରାନଯିବା ଆଦି ପ୍ରସଙ୍ଗ ନେଇ ବିରୋଧିଦଳ ମୁଲତବୀ ନୋଟିସ ଦେଇଥିଲେ । ତେବେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରୁ ସେବେଠାରୁ ବିରୋଧିଦଳ ଗୃହକୁ ଅଚଳ କରିଛି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ସବୁଦଳର ନେତୃବୃନ୍ଦକୁ ଡାକି ଆଲୋଚନା କରିବେ ବୋଲି କହିଥିଲେ ।

ଫଳରେ କଂଗ୍ରେସ ବିଧାୟକମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନିର୍ଦ୍ଧାରିତ ସମୟରେ ମାତ୍ର ୨ଟି ପ୍ରଶ୍ନ ଆଲୋଚନା ହୋଇ ପାରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ରଘୁନାଥ ମହାନ୍ତି ଓ କୃଷିମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଉତର ରଖିଥିଲେ ।

ଶୂନ୍ୟକାଳ ଆରମ୍ଭ ହେବାପରେ ବାଚସ୍ପତି ଅନ୍ୟ କୌଣସି କାର୍ଯ୍ୟକ୍ରମ ନନେଇ ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିପାଇଁ ଗୃହକୁ ପ୍ରଥମେ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

୧୨ଟାରୁ ୧୨.୩୦ ଓ ଏହାପରେ ଅପରାହ୍ନ ୩ଟା ପର୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ୩ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଫ୍ଲାକାର୍ଡ ଧରି ଗୃହମଧ୍ୟରେ ହୋହାଲ୍ଲା କରିବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ମଙ୍ଗଳବାର ପର୍ଯନ୍ତ ମୁଲତବୀ ରଖିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଚାଷୀ, ଧାନ ବିକ୍ରି, ବାଚସ୍ପତି, ବିଜେପି, ବିଧାନସଭା, ମୁଖ୍ୟମନ୍ତ୍ରୀ

ପସ୍କୋ ପ୍ରକଳ୍ପକୁ ସମାଜସେବୀ ଆନ୍ନା ହଜାରେଙ୍କ ବିରୋଧ

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-କେବଳ ପସ୍କୋ କଂପାନୀ ନୁହେଁ ସବୁ ବିଦେଶୀ କଂପାନୀ ଉପରେ ବ୍ରେକ ଲାଗିବା ଉଚିତ୍ । ଏହାଛଡା ଜମି ଅଧିଗ୍ରହଣ ନେଇ ଗ୍ରାମ ସଭାରେ ଅନୁମତି ପାଇଁ ଆଇନ ହେବା ଉଚିତ୍ ବୋଲି ଆନ୍ନା ହଜାରେ ତିନିଦିନିଆ ଓଡିଶା ଗସ୍ତରେ ଆସି ଜଗତସିଂପୁର ଠାରେ ଏହା କହିଛନ୍ତି ।

ଶୁକ୍ରବାର ନବନିର୍ମିତ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗଦେଇ ଆନ୍ନା କହିଛନ୍ତି ଆମର ଜମି ଖରାପ ହେଉଛି,ଆମର ପାଣି ଖରାପ ହେଉଛି,କଂପାନୀମାନଙ୍କ ଦ୍ୱାରାଆମର ସବୁ କିଛି ଖରାପ ହେଉଛି ଓ ଆମ ଅର୍ଥକୁ ସେମାନେ ଲୁଟକରି ନେଇ ଯାଉଛନ୍ତି ।

ଦିଲ୍ଲିରେ ବସି କମ୍ବା ବିଧାନସଭାରେ ବସି ସାଧାରଣ ଚାଷୀଙ୍କର ଜମି ନେଇ ପାରିବେ ନାହିଁ । ଯଦି ଜମି ନବାର ଅଛି ଗ୍ରାମ ସଭା ପାଇଁ ଆଇନ ତିଆରି କରିବାର ଅଛି । ସରକାର ସାଧରଣ ଜନତାଙ୍କୁ ଡରୁଛି । ଯଦି ଦେଶର ଜନତା ସଂଗଠିତ ହୋଇଯିବେ ଦୁର୍ନୀତି ଗସ୍ତ ସରକାର ଭାଙ୍ଗି ଯିବ । ତେଣୁ ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧିଙ୍କୁ ଗାଦିଚୁ୍ୟତ କରିବାକୁ ଆନ୍ନା ଆହ୍ୱାନ ଦେଇଥିଲେ ।

ସେ କହିଲେ ଦେଶ ୬୫ ବର୍ଷ ହେବ ସ୍ୱାଧୀନ ହେଲାଣି । ଗୋରା ଯାଇଛନ୍ତି କଳା ଆସିଛନ୍ତି । ଦେଶର ଉନ୍ନତି ଅପେକ୍ଷା ଭଷ୍ଟ୍ରାଚାର ଅଧିକ ବଢ଼ିଛି । ତଳସ୍ତରରୁ ସଂସଦ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଭର୍ତି ହୋଇ ରହିଛି ।

ଦେଶର ଭ୍ରଷ୍ଟାଚାରକୁ ଦୂରୀଭୂତ କରିବାକୁ ହେଲେ ଯୁବଶକ୍ତିଙ୍କୁ ଅଣ୍ଟା ଭିଡ଼ିବାକୁ ପଡିବ । ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ । ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ ।

ଦେଶର ଉନ୍ନତି କରିବାକୁ ହେବ । ଏହା ସହଜ ନୁହେଁ । ଏଥିପାଇଁ କେବଳ ଲାଠି, ଗୁଳିମାଡ଼ ଖାଇବାକୁ ହେବନି । ଜେଲ ଯିବାକୁ ପଡିବ । ଦେଶ ଏବେ ସେମାନଙ୍କର ବଳିଦାନ ଚାହୁଁଛି । ଯେଉଁମାନେ ଜେଲ ଯିବାକୁ ଓ ଗୁଳିମାଡ଼ ଖାଇବାକୁ ପ୍ରସ୍ତୁତ ସେମାନେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଅନ୍ନା ।

ସମାବେଶ ସ୍ଥଳରେ ଆନ୍ନା ପହଞ୍ଚିବା ପୂର୍ବରୁ ରାସ୍ତାସାରା ତାଙ୍କୁ ଉଛସ୍ୱିତ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଆନ୍ନା ପହଞ୍ଚିଥିଲେ ଜଗତସିଂପର ଗାନ୍ଧି ଛକରେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସେ ପହଞ୍ଚିଥିଲେ ଜିଲ୍ଲାପାଳ ପଡିଆରେ । ସେଠାରେ ଆନ୍ନାଙ୍କ ମୁହଁରୁ ବିପ୍ଲବର କଥା ଶୁଣିବାକୁ ଅନାଇ ବସିଥିଲେ ହଜାର ହଜାର ଚାଷୀ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, ଚାଷୀ, ଜଗତସିଂପୁର, ପସ୍କୋ ପ୍ରକଳ୍ପ, ବିଧାନସଭା, ଲୋକପାଳ ବିଲ

ଚାଷୀଙ୍କୁ ଠିକ୍ ସମୟରେ ବିହନ ଯୋଗାଣ ଉପରେ ଗୁରୁତ୍ୱ

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଚାଷୀ ମାନଙ୍କୁ ଉପଯୁକ୍ତ ସମୟରେ ବିହନ ଏବଂ ସାର ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଏହାସହ ଫଳ ଓ ପନିପରିବା ଆଦି ଉଦ୍ୟାନ କୃଷି ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଓ କାର୍କେଟିଂ ଉପରେ ଧ୍ୟାନ ଦେବାକୁ ଶନିବାର କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

୨୦୧୧-୧୨ ରବି ଋତୁରେ ୨୪.୭୧ ଲକ୍ଷ ହେକ୍ଟର ଚାଷଜମିରେ ଫସଲ କରାଯିବା ସହ ଚାଷୀ ମାନଙ୍କୁ ପ୍ରାୟ ୧.୫୭ ଲକ୍ଷ କ୍ୱିନ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ବୈଠକରେ କୁହାଯାଇଛି ।

ସେହିପରି ୨୦୧୧-୧୨ ବର୍ଷରେ ୮.୨୨ ଲକ୍ଷ କ୍ୱିନ୍ଟାଲ ବିହନ ଉତ୍ପାଦିତ ହୋଇଥିବା ବେଳେ ୨୦୧୨-୧୩ରେ ୧୦.୫୪ ଲକ୍ଷ କ୍ୱିନ୍ଟାଲ ବିହନ ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଜାତୀୟ ଉଦ୍ୟାନ କୃଷି ମିଶନରେ ଅଧିକ ଛଅଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ଭଦ୍ରକ ଓ ବୌଦ୍ଧକୁ ଅର୍ନ୍ତଭୁକ୍ତ କରିବା ସଂପର୍କରେ ଆଲୋଚନା କରାଯାଇଛି ।

ଜାତୀୟ ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ଶେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟକୁ ପୁସ୍କୃତ କରାଯାଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାଷୀ, ବିହନ ଏବଂ ସାର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ