• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଗଦୀଶ ପ୍ରଧାନ

ଲୋକଙ୍କ ଉଦ୍ୟମରେ ପରିଚାଳିତ ସଫଳ ପନିପରିବା ବଜାର

December 7, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ଗତ ୨୩ ନଭେମ୍ବର ଦିନ ବନ୍ଧୁ ନଟବର ଖୁଣ୍ଟିଆ (ସ୍ତମ୍ଭକାର) ଏବଂ ସୁଧାଂଶୁ ଶେଖର ଦେଓ (ସାମାଜିକ କର୍ମୀ)ଙ୍କ ସହିତ ଯାଜପୁର ଜିଲ୍ଲାର ବାରବାଟୀ ନିକଟବର୍ତ୍ତୀ ଓଡ଼ଙ୍ଗ ବଜାରକୁ ଗସ୍ତଅବସରରେ କେତେକ ପନିପରିବା ଚାଷୀ ଓ ବ୍ୟବସାୟୀମାନଙ୍କ ସହିତ ସ୍ଥାନୀୟ ଚାଷବାସ ତଥା  ପନିପରିବା ବ୍ୟବସାୟ ସଂପର୍କରେ କେତେକ ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

jagdish
ଜଗଦୀଶ ପ୍ରଧାନ

ପାଞ୍ଚ ନମ୍ବର ଜାତୀୟ ରାଜପଥ କଟକରୁ ପ୍ରାୟ୪୦ କି.ମି. ଯିବାପରେ ଚଣ୍ଡିଖୋଲ ଆଗକୁ ରାଜପଥର କଡ଼ରେ ଓଡ଼ଙ୍ଗ ପନିପରିବା ବଜାର । ଏହା ବାରବାଟୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ । ବାରବାଟୀରେ ବହୁଦିନରୁ ଏକ ସାପ୍ତାହିକ ବଜାର ରହି ଆସିଛି ଏବଂ ୧୯୮୦-୮୫ ବେଳକୁ ସେଠାରେ ପନିପରିବାର ଏକ ଦୈନିକ ବଜାର ମଧ୍ୟ ଆରମ୍ଭ ହୋଇଥିଲା ।

ବାରବାଟୀ ଅଞ୍ଚଳରେ ବର୍ଷତମାମ ପ୍ରଚୁର ପନିପରିବା ଚାଷ ହୋଇଥାଏ ତଥା ଏଠାକୁ କେନ୍ଦୁଝର ଜିଲ୍ଲାର ଚାଷୀମାନେ ମଧ୍ୟ ପନିପରିବା ବିକ୍ରି କରିବାକୁ ଆସିଥାନ୍ତି । ତେଣୁ ବାରବାଟୀ ବଜାରରେ ପନିପରିବାର କାରବାର ଦିନକୁ ଦିନ ବଢ଼ିବାକୁ ଲାଗିଲା । କିନ୍ତୁ ସେଠାରେ ପନିପରିବା ବ୍ୟବସାୟୀ ଓ ଦଲାଲମାନଙ୍କର ଶୋଷଣ ଓ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଲା ।

ଏହାର ପ୍ରତିବାଦ କରି ଓଡ଼ଙ୍ଗ ଓ ଆଖପାଖ ଗାଁର କିଛି ଚାଷୀ ନେତୃତ୍ୱ ନେଇ ୧୯୯୩ ନଭେମ୍ବର ୨୯ ତାରିଖ ଦିନ ଓଡ଼ଙ୍ଗ ନିକଟରେ ଏକ ନୂତନ ପରିବା ବଜାର ଆରମ୍ଭ କଲେ ।

ଏହି ନୂତନ ବଜାର ଆରମ୍ଭ କରିବାରେ ତତ୍କାଳୀନ ବିଧାୟକ ଗୁରୁଚରଣ ଟିକାୟତ ମଧ୍ୟ ଚାଷୀମାନଙ୍କୁ ସାହାଯ୍ୟ କଲେ କିନ୍ତୁ ବାରବାଟୀ ହାଟରେ ସଂପୃକ୍ତ ଦଲାଲ, ପରିବା ବ୍ୟବସାୟୀ ଓ ତତ୍କାଳୀନ ସରପଞ୍ଚ ଏହି ନୂତନ ବଜାର ବିରୁଦ୍ଧରେvagitables ଯାଇ ଗଣ୍ଡଗୋଳ କରି ବଜାର କରାଇ ନଦେବାକୁ ଏଠାରେ ୧୪୪ ଧାରା ଘୋଷଣା କରାଇଥିଲେ ।

ଉକ୍ତ ନୂତନ ବଜାର ନିମନ୍ତେ ନେତୃତ୍ୱ ନେଉଥିବା କୃଷକନେତା ନାରାୟଣ ଚନ୍ଦ୍ର ସ୍ୱାଇଁ, କାର୍ତ୍ତିକ ଚରଣ ସ୍ୱାଇଁ, ବାବାଜୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ବ୍ରଜକିଶୋର ସ୍ୱାଇଁ ଏବଂ ଅନ୍ୟ ଅନେକ ବ୍ୟକ୍ତିଙ୍କୁ ୧୪୪ ଧାରା ଭଙ୍ଗ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଲା ।

ଏହି ନୂତନ ବଜାର କରାଇ ନଦେବା ପଛରେ ଯୁକ୍ତିଥିଲା ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ କୁଆଡ଼େ ଗୋଟିଏ ପଞ୍ଚାୟତରେ ଗୋଟିଏ ମାତ୍ର ବଜାର ରହିବ ଏବଂ ପଞ୍ଚାୟତିରାଜ ବିଭାଗରେ ନିବନ୍ଧିତ ନହେଲେ କେହି ବଜାର ପରିଚାଳନା କରିପାରିବେ ନାହିଁ ।

ତେବେ ଚାଷୀ ନେତାମାନଙ୍କର ଏହି ଗିରଫଦାରୀ ଖବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ ଚାଷୀ ନେତାମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ନିର୍ଦ୍ଦେଶ ଦେଇ ଏହି ହାଟ ଯେମିତି ଚାଲୁ ରହିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ପଢନ୍ତୁ

ଜଗଦୀଶ ପ୍ରଧାନଙ୍କ ଅନ୍ୟ ଲେଖା  

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ସାହ ପାଇବା ପରେ ଚାଷୀମାନେ “ଆଞ୍ଚଳିକ କୃଷକ ସେବା ସମିତି” ନାମରେ ଏକ ସଂଗଠନ ଗଢ଼ି ୧୯୯୫ ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ – ୧୮୬୦ ଅନୁଯାୟୀ ନିବନ୍ଧିତ କରାଇ ଥିଲେ ଏବଂଚାଷୀମାନଙ୍କ ଚାନ୍ଦାରେ ବଜାର ନିମନ୍ତେ ଜାତୀୟ ରାଜପଥ କଡ଼ରେ ପ୍ରଥମେ ଏ୦.୨୫ ଏବଂ ପରେ ପରେ ପ୍ରାୟ ୨ ଏକର ଜମି କିଣିଥିଲେ । ଏହି ଜମିରେ ଏବେ ପନିପରିବା ମଣ୍ଡି ତଥା ଖୁଚୁରା ବଜାର ଚାଲୁଅଛି ।

ବଜାର ଜମିରେ କିଛି ବ୍ୟବସାୟୀ ନିଜସ୍ୱ ଅର୍ଥ ବିନିଯୋଗ କରି ନିଜ ନିଜ ଗୋଦାମଘର ନିର୍ମାଣ କରିଛନ୍ତି । ଏହି ସମିତିର ପ୍ରଥମ ସଭାପତି ଥିଲେ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଏବଂ ସଂପାଦିକା ଥିଲେ ଶ୍ରୀମତୀ ଦେବକୀ ସ୍ୱାଇଁ ।

ଆଞ୍ଚଳିକ କୃଷକ ସେବା ସମିତି ବ୍ୟବସାୟୀ ତଥା ଖୁଚୁରା ଦୋକାନୀମାନଙ୍କ ଠାରୁ ବର୍ଷକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚାନ୍ଦା ଓ ଘରଭଡ଼ା ସଂଗ୍ରହ କରିଥାଏ । ଏହି ଟଙ୍କାକୁ ସମିତି ବଜାରର ତଥା ଅଞ୍ଚଳର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରିଥାଏ ।

ପ୍ରତ୍ୟେକ ବର୍ଷ ସମିତିର ବାର୍ଷିକଉତ୍ସବ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେଶ୍ୱର ପୂଜା ଧୂମଧାମରେ ପାଳନ କରାଯାଏ ଏବଂ ଅକ୍ଷୟ ତୃତୀୟା ପାଳନ ଅବସରରେ ୫୦୦ ଜଣ ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଣ୍ଟନ କରାଯାଇଥାଏ । ଏହା ବ୍ୟତୀତ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲୁଗାବଣ୍ଟନ, ଦୁଃସ୍ଥରୋଗୀ ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ।

ଓଡ଼ଙ୍ଗ ବଜାରର ନାମ ‘ଗଣେଶ ବଜାର’ ରଖାଯାଇଅଛି ଏବଂ ଏହା ସମିତିର ନିୟମାବଳୀ ଅନୁଯାୟୀ ସଦସ୍ୟ ଚାଷୀମାନଙ୍କ ଏକ ନିର୍ବାଚିତ ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇଥାଏ । ବଜାରର ଗୋଟିଏ ପାଶ୍ୱର୍ରେ ସମିତିର ଏକ ନିଜସ୍ୱ ଅଫିସ ଗୃହ ତଥା ସୁସଜ୍ଜିତ ସଭାଗୃହ ରହିଅଛି । ଅଫିସକୁ ଲାଗି କାର୍ତ୍ତିକେଶ୍ୱରଙ୍କ ପୂଜାମଣ୍ଡପ ଓ ମନ୍ଦିର ରହିଅଛି ।

ଓଡ଼ଙ୍ଗ ବଜାର ପ୍ରତିଦିନ ସକାଳ ୪ଟା ପୂର୍ବରୁ ଆରମ୍ଭ ହୋଇଯାଏ । ଋତୁ ଅନୁଯାୟୀ ଏଠାକୁ କେନ୍ଦୁଝର ତଥା ଯାଜପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆସେ । ସ୍ଥାନୀୟ ପନିପରିବା ବ୍ୟତୀତ ବାଙ୍ଗାଲୋର, ରାୟପୁର, କଲିକତା, ରାଞ୍ଚି ,ବରଗଡ଼ ପ୍ରଭୃତି ଅଞ୍ଚଳରୁ ମଧ୍ୟ ନିୟମିତ ଅନେକ ରକମର ପନିପରିବା ଆସେ ଏବଂ ଏଠାରୁ ମଧ୍ୟ ସେସବୁ ଅଞ୍ଚଳକୁ ବିଭିନ୍ନ ପନିପରିବା ପଠାଯାଇଥାଏ ।

ଓଡ଼ଙ୍ଗ ବଜାରରୁ କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ପାରାଦ୍ୱୀପ ସମେତ କଟକ ଓ ଭୁବନେଶ୍ୱର ମୁଖ୍ୟ ହାଟମାନଙ୍କୁ ମଧ୍ୟ ପନିପରିବା ଯୋଗାଣ ହୋଇଥାଏ । ଆମେ ଥିବା ସମୟରେ ଦେଖିଲୁ ଯେ ସେହିଦିନ ଛତିଶଗଡ଼ ଓ ବାଙ୍ଗାଲୋରରୁ ବଡ଼ ବଡ଼ ଟ୍ରକ ରେ ଆସିଥିବା ଟମାଟୋ ଓ ବନ୍ଧାକେବି ଏଠାରେ ଅନ ଲୋଡ ହେଉଥାଏ ।

ବାଙ୍ଗାଲୋର ଟମାଟୋର ପାଇକାରୀ ଦର କ୍ରେଟ୍ ପ୍ରତି (୨୫ କିଲୋକୁ) ଟ.୪୦୦ ରୁ ୪୫୦ ଥିବାବେଳେ ଛତିଶଗଡ଼ରୁ ଆସିଥିବା ଟମାଟୋ କ୍ରେଟ୍ ପ୍ରତି (୩୦ କିଲୋକୁ) ଟ.୫୦୦ ରୁ ଟ.୬୦୦ଙ୍କା । ଛତିଶଗଡ଼ରୁ ଆସୁଥିବା ଟମାଟୋକୁ ଦେଶୀ (?) ଟମାଟୋ କହି କିଲୋପ୍ରତି ଦୁଇ ଚାରି ଟଙ୍କା ଅଧିକ ଦିଆଯାଇଥାଏ ।

ଓଡ଼ିଶା ବଜାରରେ ଏହି ଦେଶୀ ଟମାଟୋର ଚାହିଦା ବାଙ୍ଗାଲୋର ଟମାଟୋ ଠାରୁ ଅଧିକ । ଅନ୍ୟପକ୍ଷରେ ବାଙ୍ଗାଲୋରରୁ ଆସିଥିବା ବନ୍ଧାକୋବି ରାୟପୁର ଓ କନ୍ଧମାଳରୁ ଆସୁଥିବା ବନ୍ଧା କୋବିଠାରୁ ଅଧିକ ଦିନ ରହୁଥିବାରୁ ତାହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ ରହିଥାଏ ଯଦିଓ ରାୟପୁର ଓ କନ୍ଧମାଳ କୋବିର ସ୍ୱାଦ ଅଧିକ ଥାଏ ।

ବାଙ୍ଗାଲୋରଠାରୁ ଏଠାକୁ ନିୟମିତ ଟମାଟୋ ଗାଜର, ବନ୍ଧାକୋବି, ବୀଟ, ସିମ୍ଲା ଲଙ୍କା ଆସୁଥିବା ସମୟରେ ରାଞ୍ଚି ଠାରୁ ବୀନ୍ସ, ମୂଳା, ଫୁଲକୋବି, କାକୁଡ଼ି, ସିମ୍ଲାଲଙ୍କା ଇତ୍ୟାଦି ଆସିଥାଏ । ବରଗଡ଼ ନିକଟବର୍ତ୍ତୀ ପାଏନ୍ ଛତର ହାଟରୁ ଏଠାକୁ ମୁଖ୍ୟତଃ ବାଇଗଣ, ପୋଟଳ, ଫୁଲକୋବି, ଲଙ୍କା, ଧନିଆପତ୍ର ଆସିଥାଏ ।

ଶୀତଦିନରେ ରାୟପୁରରରୁ ଏବଂ ଛତିଶଗଡ଼ରେ ବିଭିନ୍ନ ଅଞ୍ଚଳରୁ ମଟର ଛୁଇଁ, ବୀନ୍ସ ଓ ଟମାଟୋ ଆସିଥାଏ । ପଶ୍ଚିମ ବଙ୍ଗର ବନଗାଁ ଓ ନଦିଆ ଅଞ୍ଚଳରୁ ମଧ୍ୟ ବଜାର ଦର ଦେଖି ଟମାଟୋ ବ୍ୟତୀତ ଅନ୍ୟ ସମସ୍ତ ରକମର ପନିପରିବା ଆସିଥାଏ ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ପିଆଜ ପାଇଁ ନାସିକର ବ୍ୟବସାୟୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କଳାହାଣ୍ଡି-ନୂଆପଡ଼ା ଓ ବଲାଙ୍ଗିରର ପିଆଜ ଅତିବେଶିରେ ମାସେ ଦୁଇମାସ ହିଁ ମିଳିଥାଏ କିନ୍ତୁ ତାହାବି ଖେତରୁ ସିଧା ଆସୁଥିବାରୁ ଉତ୍ତମ ଗୁଣମାନର ହୋଇନଥାଏ ବୋଲି ଶୁଣିବାକୁ ମିଳିଲା । ଦେଓଗଡ଼ ଅଞ୍ଚଳରୁ ଓଡ଼ଙ୍ଗ ଦେଇ ତରଭୁଜ ବିଭିନ୍ନ ସହରକୁ ଯାଇଥାଏ ।

ଏବେ ଓଡ଼ଙ୍ଗ ଅଞ୍ଚଳରେ ମଧ୍ୟ ତରଭୁଜ ପଚୁର ପରିମାଣର ଉତ୍ପାଦନ ହେଲାଣି ଓ ସେ ସବୁକୁ ମଧ୍ୟ ଏଠାରୁ ବିଭିନ୍ନ ବଜାରକୁ ପଠାଯାଇଥାଏ । ଏଭଳି ଭାବେ ଓଡ଼ଙ୍ଗ ବଜାର ସହିତ ଦେଶର ବିଭିନ୍ନ ବଜାର ଓ ଉତ୍ପାଦନ କେନ୍ଦ୍ରମାନଙ୍କର ଯୋଗସୂତ୍ର ସ୍ଥାପନ ହୋଇସାରିଛି ।

ଓଡ଼ଙ୍ଗର ସକାଳ ବଜାର ସରିଆସିବା ବେଳକୁ ଆମେ ଆଞ୍ଚଳିକ କୃଷକ ସେବା ସମିତିର ସଭାପତି, ସଂପାଦକ, କିଛି ମୁଖ୍ୟ ସଦସ୍ୟ ଏବଂ ଅନ୍ୟତମ ଉପଦେଷ୍ଟା ନାରାୟଣ ସ୍ୱାଇଁ ପ୍ରମୁଖଙ୍କ ସହିତ ସମିତିର ସଭାଗୃହରେ ଏକ ଅନୌପଚାରିକ ଚର୍ଚ୍ଚା କରି ଏହି ବଜାର ତଥା ସ୍ଥାନୀୟ ଚାଷୀ ଓ ଚାଷବାସ ସଂପର୍କରେ ଅନେକ ମହତ୍ତ୍ୱପୂର୍ଣ୍ଣ ସୂଚନା ଜାଣିବାକୁ ପାଇଥିଲୁ ।

ଏହି ବଜାର ଯେ ସ୍ଥାନୀୟ ଚାଷୀ ତଥା ଖାଉଟିମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରୁଛି ସେଥିରେ କାହାରିକୁ ଦ୍ୱିମତ ହେବାର ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନୀୟ ଚାଷୀମାନେ ସେମାନଙ୍କ ଉତ୍ପାଦିତ ବିଭିନ୍ନ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି ଏବଂ ସମୟ ସମୟରେ ନିଜର ମୂଳ ମଜୁରି ମଧ୍ୟ ଉଠାଇ ପାରୁନାହାନ୍ତି ।

ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ଚାଷୀମାନଙ୍କର ଏକ ନିଜସ୍ୱ ଉତ୍ପାଦକ ସଂଗଠନ (କମ୍ପାନୀ) ସଂଗଠିତ କରାଗଲେ ତାହା କେତେଦୂର ସହାୟକ ହୋଇପାରିବ ସେ ନେଇ ସାମାନ୍ୟ ଚର୍ଚ୍ଚା କରାଯାଇଥିଲା । ଏ ଦିଗରେ ସମିତିର ସଦସ୍ୟମାନେ ଆଗକୁ ଅଧିକ ଚର୍ଚ୍ଚା କରିବେ ବୋଳି ସ୍ଥିର ହୋଇଥିଲା ।

ଓଡ଼ଙ୍ଗ ବଜାର ଠାରୁ ଅଳ୍ପଦୂରରେ ବାରବାଟୀ ପୁରୁଣା ହାଟଠାରେ ନିକଟରେ ରାଜ୍ୟ ସରକାର କୃଷକ ବଜାର ନାମରେ ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗୁଡ଼ାଏ ଘରଦ୍ୱାର, ବଜାର ପ୍ରାଙ୍ଗଣ ଇତ୍ୟାଦି ନିର୍ମାଣ କରିଛନ୍ତି କିନ୍ତୁ ସେ ସବୁର ବ୍ୟବହାର କେହି କରନ୍ତି ନାହିଁ ବୋଲି ଲୋକେ କହୁଥିଲେ ।

ଏଭଳିଭାବେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରାଜନୈତିକ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକାଭିମୂଖି ହୋଇପାରେ ନାହିଁ । ଅନ୍ୟପକ୍ଷରେ ଓଡ଼ଙ୍ଗ ବଜାର ଭଳି ଲୋକଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବଜାର ଅଧିକ ଭାବରେ ଲୋକାଭିମୂଖି ହୋଇପାରିଥାଏ ।

 

-0-

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଓଡଙ୍ଗ, ଚଣ୍ଡୀଖୋଲ, ଜଗଦୀଶ ପ୍ରଧାନ, ବଜାର

କୃଷକଙ୍କ ଦୁରାବସ୍ଥା ଓ ରାଷ୍ଟ୍ରୀୟ କୃଷକ କମିସନ୍-ଜଗଦୀଶ ପ୍ରଧାନ

November 24, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ରାସାୟନିକ ଆଧାରିତ ଆଧୁନିକ ଚାଷବାସର ପ୍ରବର୍ତ୍ତନ ଆରମ୍ଭ ହେବା ଦିନରୁ ଆମ ଦେଶରେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇପାରିଛି ସତ, କିନ୍ତୁ ଏହା ସାଙ୍ଗକୁ ସାରା ଦେଶରେ କୃଷକମାନଙ୍କର ଦୁର୍ଦ୍ଧଶା ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଚର୍ଚ୍ଚା ହୋଇଆସୁଛି ।

jagdishଆର୍ଥିକ ଉଦାରୀକରଣ ପରେ ଓ ବିଶେଷକରି ୧୯୯୫-୯୬ ପରଠୁ ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର, ପଂଜାବ, କେରଳ ଇତ୍ୟାଦି ରାଜ୍ୟରେ ଦୁର୍ଦ୍ଧଶାଗ୍ରସ୍ତ କୃଷକମାନଙ୍କର ଆତ୍ମହତ୍ୟା ଘଟଣାସବୁ ଅତ୍ୟନ୍ତ ଉଦବେଗଜନକ ରୂପନେବାକୁ ଲାଗିବାରୁ କୃଷି ଓ କୃଷକଙ୍କର ଏହି  ଉଦବେଗଜନକପରିସ୍ଥିତି ପଛରେ ଥିବା କାରଣସବୁ ଉପରେ ଅନୁଧ୍ୟାନ କରି ସେ ସବୁର ନିରାକରଣ ଦିଗରେ ସରକାରଙ୍କୁ ପରାମର୍ଶ ଦେବା ନିମନ୍ତେ ଏନ.ଡି.ଏ. ସରକାରଙ୍କ ସମୟରେ କୃଷି ବିଷାରଦ ଏବଂ ବିଶିଷ୍ଟ କୃଷକ ନେତା ସୋମପାଲ ସିଂହଙ୍କ ଅଧ୍ୟକ୍ଷତାରେ  ରାଷ୍ଟ୍ରୀୟ କୃଷକ କମିସନ୍ ନାମରେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିସନ ଗଠନ କରାଯାଇଥିଲା ।

୨୦୦୪ ବର୍ଷରେ ୟୁପିଏ ସରକାର ଆସିବାପରେ ଏହିକମିସନରୁ ସୋମପାଲ ସିଂହ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ପ୍ରଫେସର ଏମ୍.ଏସ୍.ସ୍ୱାମୀନାଥନଙ୍କୁ ନେଇ କମିସନର ପୁର୍ନଗଠନ କରାଯାଇଥିଲା, ଯେଉଁଠି ଏହି ଲେଖକଙ୍କୁ ମଧ୍ୟ ଉକ୍ତ ଆଠଜଣିଆ  କମିସନର ଜଣେ ସଦସ୍ୟଭାବେ ନିଆଯାଇଥିଲା ।

ଏହି କମିସନ୍ ୨୦୦୪ ରୁ ୨୦୦୬ ବର୍ଷ ମଧ୍ୟରେ କୃଷି ଏବଂ କୃଷକଙ୍କ ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ବିସ୍ତୃତ ଚର୍ଚ୍ଚା ଆଲୋଚନା କରିବା ନିମନ୍ତେ ଦେଶର ଅନେକ କୃଷି ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ, ସାମାଜିକକର୍ମୀ ଓ ସମାଜ ବିଜ୍ଞାନୀ,କୃଷକ ସଂଗଠନମାନଙ୍କ ନେତୃବର୍ଗ ତଥା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ରାଷ୍ଟ୍ରୀୟ ଓ ଆନ୍ତରାଷ୍ଟ୍ରୀୟସଂଗଠନର ପ୍ରତିନିଧିମାନଙ୍କ ସହିତ ସଂପର୍କ ରଖି ବ୍ୟାପକ ଚର୍ଚ୍ଚା ଓ ବିଚାର ବିମର୍ଶର ଆୟୋଜନ କରିଥିଲା ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

୨୦୦୪ ରୁ ୨୦୦୬ ଭିତରେ କମିସନ ତରଫରୁ ସରକାରଙ୍କୁ ପାଞ୍ଚଟି ସୁବିସ୍ତୁତ ରିପୋର୍ଟ ଦିଆଯାଇଥିଲା ତଥା ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀ, ଯୋଜନା କମିସନ, କୃଷିମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସେ ସବୁ ରିପୋର୍ଟକୁ ନେଇ ସ୍ୱତନ୍ତ୍ର ଆଲୋଚନା ମଧ୍ୟ କରାଯାଇଥିଲା ।

ତିନି ବର୍ଷ ଭିତରେ କମିସନ ଦେଇଥିବା ବିଭିନ୍ନ ରିପୋର୍ଟର ସାରମର୍ମ ଥିଲା ଯେ – ସ୍ୱାଧୀନତା ପରବର୍ତ୍ତୀ ସମୟରେ ସରକାର ବିଭିନ୍ନ ରାଷ୍ଟ୍ରୀୟ କୃଷିନୀତିମାନ ପ୍ରଣୟନ କରିବା ସହିତ କୃଷିର ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ନେବା ଫଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍ପାଦନ ଯଥେଷ୍ଟ ବଢ଼ିଛି ସତ, କିନ୍ତୁ କୃଷି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କୃଷକମାନଙ୍କର ନେଟ୍ ଆୟ ବୃଦ୍ଧି ତଥା ସାମାଜିକ କଲ୍ୟାଣ ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆନଯିବା ଫଳରେ କ୍ରମାଗତ ଭାବରେ ଦେଶସାରା କୃଷକମାନଙ୍କ ଆର୍ଥିକ ଦୁରବସ୍ଥା ବଢ଼ିଚାଲିଛି ଏବଂ ସେମାନଙ୍କ ମନରେ ହତାଶା ମନୋଭାବ ବୃଦ୍ଧିପାଇବାରେ ଲାଗିଛି ।

ଅଣକୃଷିକ୍ଷେତ୍ରରେ ନିୟୋଜିତ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ପୁରୁଷ-ମହିଳାଙ୍କ ଆୟରେ ତାରତମ୍ୟ ଯେଭଳି ଭାବରେ ବଢ଼ିଚାଲିଛି ତାହା ନିଶ୍ଚିତଭାବେ ଉଦବେଗଜନକଏବଂ ସେଦିଗରେ ମଧ୍ୟ ସରକାରଙ୍କୁ କେତେକ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ ।

ଦେଶର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା କୃଷକ ଆତ୍ମହତ୍ୟା ଘଟଣା ସବୁର ପଛରେ ଯେ କୃଷକମାନଙ୍କର ଆର୍ଥିକ ଦୁରବସ୍ଥା ଏକ ମୁଖ୍ୟ କାରଣ ଏବଂ ଏହି ଦୁରବସ୍ଥାରେ ସୁଧାର ଆଣିବାକୁ ହେଲେ କେନ୍ଦ୍ର ସରକାର ଏକ ସୁଚିନ୍ତିତ ରାଷ୍ଟ୍ରୀୟ କୃଷକ ନୀତି ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରିବାକୁ ହେବ ।

କମିସନ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲା ଯେ କୃଷିକ୍ଷେତ୍ରର ବିକାଶ ଆକଳନ କରିବା ସମୟରେ ମୋଟ ଉତ୍ପାଦନ ବା ଉତ୍ପାଦକତାକୁ ପ୍ରମୁଖ ସୂଚକ ଭାବରେ ନ ନେଇ ସଂପୃକ୍ତ କୃଷକ (ତଥା କୃଷି ଶ୍ରମିକ) ଙ୍କ ନେଟ୍ ଉପାର୍ଜନକୁ ସୂଚକ ଭାବରେ ନେବା ଆବଶ୍ୟକ ।

ଏଭଳି ଏକ ବିଚାରକୁ ନେଇ ରାଷ୍ଟ୍ରୀୟ କୃଷକନୀତି କିଭଳି ହେବା ଆବଶ୍ୟକ ସେ ସଂପର୍କରେ କମିସନ୍ ଅକ୍ଟୋବର ୨୦୦୬ ରେ ସରକାରଙ୍କୁ “ରାଷ୍ଟ୍ରୀୟ କୃଷକ ନୀତି’ର ଏକ ଚିଠା ପ୍ରସ୍ତାବ ମଧ୍ୟ ଦେଇଥିଲେ ।

କମିସନଙ୍କ ପ୍ରସ୍ତାବକ୍ରମେ ଏବଂ ଉକ୍ତ ଚିଠା ପ୍ରସ୍ତାବର ଆଧାରରେ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ କୃଷକ ନୀତି ୨୦୦୭’ର ପ୍ରଣୟନ କରିଥିଲେ କିନ୍ତୁ ଦୁଃଖର ବିଷୟ ଯେ ଏହି ରାଷ୍ଟ୍ରୀୟ କୃଷକ ନୀତିରେ କମିସନଙ୍କ ପ୍ରଦତ୍ତ ଚିଠା ପ୍ରସ୍ତାବର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସ୍ଥାନ ପାଇ ପାରିନଥିଲା ।

ପରବର୍ତ୍ତୀ ସମୟରେ ମଧ୍ୟ ଏହି କୃଷକ ନୀତିରେ ରାଷ୍ଟ୍ରୀୟ କୃଷକ କମିସନଙ୍କ ପ୍ରସ୍ତାବ ସବୁର ଆଧାରରେ କୌଣସି ସଂଶୋଧନ ଅଣାଯାଇ ନାହିଁ । ରାଷ୍ଟ୍ରୀୟ କୃଷକ କମିସନଙ୍କ ବିଭିନ୍ନ ପରାମର୍ଶକୁ ଯଦି କାର୍ଯ୍ୟକାରୀ କରାଯାଇଥାନ୍ତା, ତେବେ ଆମ ଦେଶର କୃଷକଙ୍କ ଅବସ୍ଥାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିସାରିଥାଆନ୍ତା ବୋଲି ଅନେକେ ମତ ପ୍ରକାଶ କରିଆସିଛନ୍ତି ।

ଆମ ଦେଶର ତଥା କୃଷି ଏବଂ କୃଷକଙ୍କ ସାମଗ୍ରିକ ବିକାଶକୁ ଆଖିରେ ରଖି ଏକ ରାଷ୍ଟ୍ରୀୟ କୃଷକ ନୀତି ପ୍ରସ୍ତୁତି ନିମନ୍ତେ କମିସନଙ୍କ ତରଫରୁ ନିମ୍ନ ଦଶଟି ଲକ୍ଷ୍ୟ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।

୧. କୃଷିକାର୍ଯ୍ୟକୁ ଲାଭଜନକ କରିବା ଏବଂ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଜଣେ କୃଷକ ତାହାର କୃଷିକାର୍ଯ୍ୟରେ ସମସ୍ତ ଖର୍ଚ୍ଚ ଯାଇ ନିୟମିତ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଉପାର୍ଜନ କରିପାରିବ । କୃଷିକ୍ଷେତ୍ରରେ ବିକାଶର ହାର ନିରୂପଣ କରିବା ସମୟରେ ମୁଖ୍ୟତଃ କୃଷକର ଆୟ ବୃଦ୍ଧିକୁ ବିଚାରକୁ ନିଆଯିବ ।

୨. ଦେଶର ସମସ୍ତ କୃଷିନୀତିରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱଦେବା ସହିତ ନିରନ୍ତର ଗ୍ରାମୀଣ ଜୀବିକା ଉନ୍ନୟନର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଦିଆଯିବ ।

୩. ଭୂସଂସ୍କାର କ୍ଷେତ୍ରରେ ଅଧାପନ୍ତରିଆ ଥିବା କାର୍ଯ୍ୟକ୍ରମକୁ ଗୁରୁତ୍ୱଦେଇ ଦେଶର ପ୍ରତ୍ୟେକ ଅଞ୍ଚଳରେ ଭୂସଂସ୍କାରକୁ ସଂପୂର୍ଣ୍ଣ କରାଯିବ ।

୪. କୃଷକମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରାଯିବ ।

୫. ଜମି, ଜଳ, ଜୈବ ବିବିଧତା ଏବଂ ଜଳବାୟୁ ସଂପର୍କୀତ ପ୍ରାକୃତିକ ସଂପଦର ସୁରକ୍ଷା ଓ ଉନ୍ନତି ବିଧାନ ଦିଗରେ ପଦକ୍ଷେପ ନିଆଯିବ । କୃଷିକ୍ଷେତ୍ରରେ ଉତ୍ପାଦନ ଓ ଉପôାଦିକତା ବୃଦ୍ଧି ସହିତ ଚାଷୀପାଇଁ ଲାଭ ସୁନିଶ୍ଚିତ କରିବା ଓ ଉତ୍ପାଦନର ସ୍ଥିରତା ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

୬. ଗ୍ରାମାଞ୍ଚଳରେ ଗ୍ରାମ୍ୟଗୋଷ୍ଠୀ ପରିଚାଳିତ ଖାଦ୍ୟ, ଜଳ ଓ ଶକ୍ତିର ସୁରକ୍ଷା ବ୍ୟବସ୍ଥା ଏବଂ କୃଷିକ୍ଷେତ୍ରରେ ଜଡ଼ିତ ସମସ୍ତଙ୍କ ପାଇଁ ପୁଷ୍ଟିସାର ଖାଦ୍ୟର ସୁରକ୍ଷା ସୁନିଶ୍ଚିତ କରାଯିବ ।

୭. କୃଷିକ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବ, ଯାହାଦ୍ୱାରା କୃଷିକ୍ଷେତ୍ର ପ୍ରତି ଅଧିକରୁ ଅଧିକ ଯୁବାବର୍ଗ ଆକର୍ଷିତ ହେବେ ଏବଂ କୃଷିକ୍ଷେତ୍ରରେ ନିୟୋଜିତ ରହିବାକୁ ଆଗ୍ରହ ପ୍ରକାଶ କରିବେ ।

୮. କୃଷକମାନଙ୍କର ସ୍ୱାସ୍ଥ୍ୟ, ଉପାର୍ଜନ ତଥା ରାଷ୍ଟ୍ରର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଫସଲ, ପ୍ରାଣୀ ସଂପଦ ଓ ମତ୍ସ୍ୟ ସଂପଦର ଜୈବସୁରକ୍ଷାକୁ ନିଶ୍ଚିତ କରାଯିବ ।

୯. କୃଷିଶିକ୍ଷା ସଂପର୍କୀୟ ପାଠ୍ୟ ଖସଡ଼ାରେ ଏଭଳି ଢାଞ୍ଚାଗତ ପରିବର୍ତ୍ତନ କରାଯିବ, ଯଦ୍ୱାରା ଗୃହବିଜ୍ଞାନ ଓ କୃଷି ସ୍ନାତକମାନେ ଜଣେ ଜଣେ କୃଷିଉଦ୍ୟୋଗୀ ହୋଇ ବାହାରିବେ । ଏହା ସହିତ କୃଷିଶିକ୍ଷାକୁ ମଧ୍ୟ ଲିଙ୍ଗ (ଜେଣ୍ଡର) ସଚେତନ କରାଯିବ ।

୧୦. ଜୈବପ୍ରଯୁକ୍ତି ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଜ୍ଞାନର ସଦୁପଯୋଗ କରି ବିଶ୍ୱ ସ୍ତରରେ ଭାରତକୁ ଚିରନ୍ତନ କୃଷି ଓ କୃଷି ଉତ୍ପାଦ କ୍ଷେତ୍ରରେ ଏକ ମୁଖ୍ୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରାଯିବ ।

ରାଷ୍ଟ୍ରୀୟ କୃଷକ କମିସନଙ୍କ ପାଞ୍ଚଟି ରିପୋର୍ଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଉପରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଥିଲେ ହେଁ ସେ ସବୁକୁ ନେଇ ସଂସଦରେ କିମ୍ବା ଅନ୍ୟତ୍ର ବିଶେଷ ଚର୍ଚ୍ଚା କରାଯାଇ ନାହିଁ । ଅବଶ୍ୟ, ଫସଲବୀମା, କୃଷିଋଣ, କୃଷି ସଂପ୍ରସାରଣ ଇତ୍ୟାଦି ଅଳ୍ପକେତୋଟି କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରମାନେ କିଛି କିଛି କାର୍ଯ୍ୟକ୍ରମ ନେଇଥିବାର ଜଣାଯାଏ ।

ବିଭିନ୍ନ କୃଷକ ସଂଗଠନମାନଙ୍କ ଦ୍ୱାରା ମୁଖ୍ୟତଃ କମିସନଙ୍କ ପ୍ରସ୍ତାବିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିରୂପଣ ପ୍ରଣାଳୀକୁ ନେଇ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଉଅଛି ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକମେଣ୍ଟ ମଧ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ତାଙ୍କର ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଯେ ସରକାର ଗଠନ କଲେ ସେମାନେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ ।

ଅବଶ୍ୟ, ଇତିମଧ୍ୟରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ମେଣ୍ଟ ସରକାର ଗଠନ ହେବାପରେ ଉକ୍ତ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ରେ ଏକ ସତ୍ୟପାଠ ଦାଖଲ କରିଥିବା ଜଣାଯାଏ । ୧୯୯୫-୨୦୦୬ ବେଳକୁ ଆମ ଦେଶରେ କୃଷକମାନଙ୍କ ଅବସ୍ଥା ଯାହାଥିଲା ଆଜି ମଧ୍ୟ ସେଭଳି ରହିଅଛି କିମ୍ବା ସେମାନଙ୍କ ଦୁରାବସ୍ଥା ଆହୁରି ଅଧିକ ବଢ଼ିଛି ।

୨୦୦୪ ରୁ ୨୦୦୬ ମଧ୍ୟରେ ରାଷ୍ଟ୍ରୀୟ କୃଷକ କମିସନ ଦେଇଥିବା ପ୍ରସ୍ତାବମାନଙ୍କର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଅଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉକ୍ତ ପ୍ରସ୍ତାବ ସବୁର ଆଧାରରେ ପଦକ୍ଷେପ ନେଲେ ଦେଶରେ ତଥା ରାଜ୍ୟମାନଙ୍କରେ କୃଷକମାନଙ୍କର ଦୁରାବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୨୦୦୬)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ପଦକ୍ଷେପ – କେତୋଟି ପ୍ରସ୍ତାବ: ଜଗଦୀଶ ପ୍ରଧାନ

November 22, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

jagdish− ଏଥିରେ କେହି ଦ୍ୱିମତ ହେବେ ନାହିଁ ଯେ ଏବେ ସାରାଦେଶରେ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ସ୍ଥିତିକୁ ପହଞ୍ଚି ସାରିଛି ।

− ତା’ ଉପରେ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆକ୍ରମଣ ଇତ୍ୟାଦି ଦୁର୍ବିପାକ ଦେଖାଦେଲେ ଚାଷୀମାନଙ୍କ ଦୁରାବସ୍ଥା ଆହୁରି ବଢ଼ିଯାଉଛି ।

− ଓଡ଼ିଶା ପରିପ୍ରେକ୍ଷୀରେ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଦୁରାବସ୍ଥା ସବୁଠାରୁ ବେଶି ।

− ସମସ୍ତେ ଏହା ବୁଝିବା ଆବଶ୍ୟକ ଯେ, ଏପରି ଦୁରାବସ୍ଥାର ମୁଖ୍ୟ କାରଣ ‘ୠଣ’ ନୁହେଁ କିମ୍ବା ସୁବିଧାରେ ଓ କମ୍ ସୁଧରେ ‘ୠଣ’ ମିଳିଗଲେ ଯେ ଏ ଦୁରାବସ୍ଥା ସୁଧୁରିଯିବ ତାହା ବି ନୁହେଁ ।

ଏପରି ଦୁରାବସ୍ଥା ପାଇଁ ଅନେକ କାରଣ ରହିଛି ଯାହାକୁ ସରକାର ଏକ ସୁଚିନ୍ତିତ କାର୍ଯ୍ୟକାରୀ କରିପାରିବା ଭଳି ଯୋଜନା ଜରିଆରେ ହିଁ ସମାଧାନ କରିପାରିବେ ।

− ଏବେ ରାଜ୍ୟରେ ଚାଷୀମାନଙ୍କ ଆତ୍ମହତ୍ୟା କରୁଥିବା ସମ୍ବାଦ ସବୁ ଯେଭଳି ଭାବେ ଆସୁଛି ତାହା ଯେ କୌଣସି କାରଣରୁ ହେଉନାକାହିଁ କି ଉକ୍ତ ଚାଷୀମାନଙ୍କ ଭିତରୁ ଯେ ଅଧିକାଂଶ ଚାଷୀ ଆର୍ଥିକ ଦୃଷ୍ଟିରୁ ଅନେକ ଦିନ ଧରି ମାନସିକ ଚାପରେ ରହିବାପରେ ଅନ୍ୟ ଉପାୟ ନପାଇଁ ଆତ୍ମହତ୍ୟା କରିବାର ବାଟ ବାଛି ନେଉଛନ୍ତି ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

− ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତି ଚାଷୀ ହେଉ ବା ଅଣଚାଷୀ ହେଉ ତାହାଙ୍କୁ ଏଭଳି ପଦକ୍ଷେପ ନେବାରୁ ନିବୃତ କରାଇପାରିବା ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ।

− ଯେଉଁ ଚାଷୀମାନେ ଫସଲହାନୀ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ମାନସିକ ଚାପରେ ରହୁଛନ୍ତି, ପଞ୍ଚାୟତସ୍ତରରେ ସେଭଳି ଚାଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାପାଇଁ ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ସରକାର ତୁରନ୍ତ ନିୟୋଜିତ କରିବା ଆବଶ୍ୟକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦେବା ଆବଶ୍ୟକ ।

− ସରକାର ବିଭିନ୍ନ ରିଲିଫ୍ ଓ କୃଷି ବିକାଶ କାର୍ଯ୍ୟକ୍ରମ ଘୋଷଣା କରୁଥିଲେ ମଧ୍ୟ ସାଧାରଣ ଚାଷୀମାନଙ୍କର ସରକାର (ଓ ସରକାରୀ କର୍ମଚାରୀମାନଙ୍କ) ଙ୍କ ଉପରେ ଆସ୍ଥା ଆସୁନାହିଁ । କୌଣସି କୃଷକର ଆତ୍ମହତ୍ୟା ଘଟଣାର ଗଣମାଧ୍ୟମରେ ଯେତିକି ଅଧିକ ଚର୍ଚ୍ଚା ଓ ପ୍ରଚାର ହେଉଛି ଦୁଃସ୍ଥ ଚାଷୀମାନଙ୍କର ସରକାର ଓ ସରକାରୀ ଯୋଜନା ଉପରେ ତଥା ନିଜ ଉପରେ ମଧ୍ୟ ଆସ୍ଥା ସେତିକି ହ୍ରାସ ପାଉଛି । ଫଳରେ ଆତ୍ମହତ୍ୟା ଏକ ସଂକ୍ରାମକ ବ୍ୟାଧି ଭଳି ହେବାକୁ ଯାଉଛି ।

ସରକାର ଏହି ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।

ଏହା ସହ ପଢନ୍ତୁ

ଚାଷୀ ଆତ୍ମହତ୍ୟା ଓ ପ୍ରମିଳାଙ୍କ ‘ଅମର ଲଡୁ’
ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ
‘ଜୟ କିଶାନ୍’ର ସ୍ୱର୍ଗଯାତ୍ରା, ସ୍ପନ୍ଦନହୀନ ସରକାର ଓ ସମାଜ
ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ
ଝରଣା ପାଣି ସୁବିନିଯୋଗ କରି ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ଚାଷୀ ଅନ୍ନଦାତା, ଆତ୍ମହତ୍ୟାର ଅପରାଧୀ ନୁହେଁ: ଡା. ଦାମୋଦର ରାଉତ

− ଏକ ବିକେନ୍ଦ୍ରିତ ଶାସନ ବ୍ୟବସ୍ଥା ହିଁ ଅତି ସାଧାରଣ ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚôପାରିବ ଓ ଲୋକଙ୍କ ସମସ୍ୟା ବୁଝିପାରିବ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କିମ୍ବା ଉଚ୍ଚ ପଦାଧିକାରୀମାନେ ଜିଲ୍ଲାଗସ୍ତ କରିବାରେ ଲୋକେ ବିଶେଷ ସୁଫଳ ପାଇପାରିବେ ନାହିଁ ।

ସରକାର ପଞ୍ଚାୟତ ସ୍ତରରେ ଶାସନ ପ୍ରଣାଳୀକୁ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରନ୍ତୁ । ଏକ ଦକ୍ଷ ଓ ସୁଦୃଢ଼ ପଞ୍ଚାୟତରାଜ ବ୍ୟବସ୍ଥା ଜରିଆରେ ହିଁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ତ୍ୱରାନ୍ୱିତ କରିପାରିବେ ।

− ଦୀର୍ଘକାଳୀନ ଭିତ୍ତିରେ କୃଷି ଓ କୃଷକଙ୍କ ପାଇଁ କ’ଣ କରାଯିବା ଆବଶ୍ୟକ ତାହା ଚର୍ଚ୍ଚା କରିବାକୁ ତ ସମୟ ଅଛି କିନ୍ତୁ ଯେଉଁ ସବୁ କାରଣରୁ ଏବେ କୃଷକମାନଙ୍କ ଭିତରେ ହତାସ ଭାବ ବୃଦ୍ଧିପାଇ କିଛି ଚାଷୀ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି ତାହାକୁ ପ୍ରତିହତ କରିବାପାଇଁ ସରକାର ଗ୍ରାମପଞ୍ଚାୟତମାନଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଯଥୋଚିତ ପଦକ୍ଷେପ ନିଅନ୍ତୁ ।

ପ୍ରଥମ ପଦକ୍ଷେପ ସ୍ୱରୂପ ମରୁଡ଼ିଗ୍ରସ୍ତ ପ୍ରତି ଗ୍ରାମ ପଞ୍ଚାୟତରେ ସବୁଠାରୁ ବେଶି ଦୁର୍ଗତ ୪୦-୫୦ ଜଣ ଲେଖାଏଁ ଚାଷୀଙ୍କୁ ଚିହ୍ନଟ କରି ତାଙ୍କୁ ବିଭିନ୍ନ ଯୋଜନାରେ ଯୋଡ଼ାଯାଉ ଯେମିତି ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ ।

− ଚାଷୀମାନଙ୍କ ସକାରାତ୍ମକ ଉଦ୍ୟମକୁ ସହାୟତା ଦେଇ ପ୍ରଚାର ପ୍ରସାର କରାଯାଉ ।

− ରାଷ୍ଟ୍ରୀୟ କୃଷକ କମିଶନଙ୍କ ପରାମର୍ଶ ତଥା ରାଜ୍ୟ କୃଷକ କମିସନ୍ ଦେଇଥିବା ରିପୋର୍ଟର ଆଧାରରେ ସରକାର ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ଦୀର୍ଘକାଳୀନ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଚାଷୀ ଆତ୍ମହତ୍ୟା, ଜଗଦୀଶ ପ୍ରଧାନ

ଯୁଗ ବଦଳୁଛି,ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ-ଜଗଦୀଶ ପ୍ରଧାନ

October 26, 2015 by ନିଉଜ ଡେସ୍କ Leave a Comment

ଜଗଦୀଶ ପ୍ରଧାନ

ବିଶ୍ୱ ଅର୍ଥନୀତିରେ (ଜଗତିକରଣରେ) ସାମିଲ ହୋଇଯିବାପରେ ଏବେ ଆମକୁ କେବଳ ଶିଳ୍ପ ବା କଳକାରଖାନା ନୁହେଁ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ସଙ୍ଗୀତ, ଚିତ୍ରକଳା ନାଚଗୀତ ସବୁ କ୍ଷେତ୍ରରେ ବିଶ୍ୱ ବଜାର ସହିତ ପାଦଦେଇ ଚାଲିବାକୁ ପଡ଼ୁଛି ଓ ଆଗକୁ ବିଶ୍ୱବଜାର ସହିତ ପ୍ରତିଯୋଗିତା ମଧ୍ୟ କରିବାକୁ ପଡ଼ିବ ।

ପ୍ରତିଯୋଗିତାରୁ ଓହରିଯିବା କିମ୍ବା ହାରିଯିବା ମାନେ କେବଳ ଖେଳ ପଡ଼ିଆରୁ ବାହାରିଯିବା ନୁହେଁ – ଏ ଦୁନିଆରୁ ହିଁ ବାହାରିଯିବା ସାର ହେବ !

jagdishଜଗତିକରଣର ପ୍ରଭାବକୁ ଦେଖନ୍ତୁ – ଆମର ନିପଟ ମଫସଲର ପାରମ୍ପରିକ ବାଜାଦଳରେ ବି ଏବେ ଚାଇନା କିମ୍ବା ଜାପାନ୍ ତିଆରି ବୈଦୁ୍ୟତିକ କେସିଓ, ଡି.ଜେ. ବାଜା, ଗାଁଗଣ୍ଡାର ଭୋଜିଭାତରେ ବି “ବିସ୍ଲେରୀ ମିନେରାଲ୍ ୱାଟର୍”, ଗାଁ ଗଣ୍ଡାରେ ବି ମୋବାଇଲ୍ ଫୋନ୍ ଦୋକାନ, ପଞ୍ଚାୟତ ମୁଖ୍ୟାଳୟ ପାଖରେ ଭେଳିକିଭେଳି ମଡେଲ୍ର ମୋଟର ସାଇକେଲ୍ର ସୋ ରୁମ୍, ଟେକ୍ସିଷ୍ଟାଣ୍ଡ୍, ଧାନ ବିଲରେ ଧାନ ରୋଉଥିବା ମହିଳା ହାତରେ କିମ୍ବା ଛେଳି ଚରାଳୀ ଝିଅଟି ହାତରେ ବି ମୋବାଇଲ୍ ଫୋନ୍ ।

ଧାନଖେତରେ ବା ବଣ ଜଙ୍ଗଲରେ ଝିଙ୍କାରୀ କିମ୍ବା ଚଢ଼େଇମାନଙ୍କ କଳରବ ବଦଳରେ ଏବେ ମୋବାଇଲ୍ ଫୋନ୍ରୁ କେତେ ରକମର ଗୀତ ଶୁଭୁଅଛି । ଧାନକୁ ଅମଳକରି ସଫାକରିବାପାଇଁ ଚାଷୀକୁ ଆଉ ଖଳା ତିଆରି କରିବାକୁ ପଡ଼ୁନି – ଗହୀର ଧାନବିଲ ଭିତରେ ମେସିନ୍ ରେ ଧାନ କାଟିବା, ମଡ଼ାଇବା, ସଫାକରି ବସ୍ତାରେ ପେକିଂ କରିବା – ସବୁକାମ ଘଣ୍ଟାଏ ଦି ଘଣ୍ଟାରେ ହୋଇଯାଉଛି ।

ଗାଈଗୁହାଳରେ ମେସିନ୍ ରେ କ୍ଷୀର ଦୁହାଁହୋଇ ପାଇପ ଯୋଗେ ସହରରେ ଥିବା ପ୍ରକି୍ରୟାକରଣ ପ୍ଲାଣ୍ଟ୍କୁ ଚାଲିଯାଉଛି । ସେଠାରେ ପେକିଂ ହୋଇ ଗ୍ରାହକକୁ କ୍ଷୀର ମିଳୁଛି । ଗାଈମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରତି ତିନିମାସରେ ସୁଦୂର କାନାଡ଼ାରୁ ପଶୁ ଡାକ୍ତର ଆସୁଛନ୍ତି । ବିନା ଡ୍ରାଇଭରରେ ଟ୍ରାକ୍ଟର ଘରୁ ଖେତକୁ ଯାଉଛି, ଚାଷ କରୁଛି – ଘରେ ବସି ଟ୍ରାକ୍ଟରକୁ ମୋବାଇଲ୍ ଫୋନ୍ ରେ ପରିଚାଳନା କରାଯାଉଛି ।

ମେସିନ୍ ରେ ଗୋଟିଏ ଘଣ୍ଟାରେ ଲକ୍ଷାଧିକ ରୋଟି ତିଆରି ହୋଇଯାଉଛି । ଏମିତି ଆଉ କିଛି କାମ ନାହିଁ ଯେଉଁଥିରେ ଆଧୁନିକ ବିଜ୍ଞାନ ଓ କଳ କୌଶଳର ଉପଯୋଗ ହେଉନାହିଁ । ଦିନକୁ ଦିନ ଯୁଗ ଖୁବ୍ କ୍ଷୀପ୍ର ଗତିରେ ବଦଳିଚାଲିଛି । ଏହି ପରିବର୍ତ୍ତନରେ ଆମେ ନିଜକୁ ଖାପ ଖୁଆଇ ଚଳିବା ଛଡ଼ା ଆଉ କିଛି ଉପାୟ ହିଁ ନାହିଁ ।

ଏଥିପାଇଁ ଭୟକଲେ ବି ଆଉ ଚଳିବ ନାହିଁ । ନୂଆନୂଆ ମୋବାଇଲ୍ ଆସିବା ବେଳକୁ ଲୋକେ ଭାବୁଥିଲେ ମୋବାଇଲ୍ ବ୍ୟବହାର କରିବାପାଇଁ ତଥା ଫଟୋଗ୍ରାଫି ଇତ୍ୟାଦି ପାଇଁ ତାଲିମ ନେବାକୁ ପଡ଼ିବ । ହେଲେ ଦେଖୁ ଦେଖୁ ସାକ୍ଷର ନିରକ୍ଷର ସମସ୍ତଙ୍କ ହାତରେ ମୋବାଇଲ୍ ପହଞ୍ଚିଗଲା ।

ନିୟମଗିରି ପାହାଡ଼ ଉପରକୁ ଏଯାଏଁ ବିଜୁଳି ସଂଯୋଗ ସିନା ହୋଇନାହିଁ, ସେଠିକାର ନିରକ୍ଷର ଡଙ୍ଗରିଆ କନ୍ଧ ଯୁବକ ଯୁବତୀଙ୍କ ହାତରେ ବି ଏବେ ମୋବାଇଲ୍ ଫୋନ୍ ଆଉ ସେଠାରୁ ହ୍ୱାଟ୍ସ ଆପ୍ ରେ କେତେ ରକମର ଫଟୋଚିତ୍ର ନିମିଷକ ଭିତରେ ଦେଶବିଦେଶକୁ ଚାଲିଯାଉଛି । ଆଜି ଯେଉଁସବୁ କଳ କୌଶଳ ଆମକୁ ଜଟିଳ ଲାଗୁଛି ଖୁବ ଶୀଘ୍ର ସେସବୁ ଆମକୁ ଖୁବ୍ ସହଜ ହୋଇଯିବ ।

ପାଣି ଭିତରକୁ ପଶି ଗୋଡ଼ ହାତ ଛାଟିଲେ ପାଣି ପହଁରା ଆପେ ଶିଖି ହୋଇଯିବ । ଯିଏ ଆଦୌ ଶିଖିବ ନାହିଁ କହିବ ତା କଥା ଅବଶ୍ୟ ଭିନ୍ନ । ତାକୁ ହୁଏତ ପାଣିରେ ବୁଡ଼ିଯାଇ ଇହଧାମ ତ୍ୟାଗ କରିବାକୁ ପଡ଼ିବ ।

ଆଜିର ଏହି ଆହ୍ୱାନକୁ ଆଖିରେ ରଖି କେନ୍ଦ୍ର ସରକାର ସ୍କିଲ୍ ଡେଭଲ୍ମେଣ୍ଟ କର୍ପୋରେସନ୍ (ଦକ୍ଷତା ବିକାଶ ନିଗମ) ଗଠନ କରି ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କ ଦକ୍ଷତା ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ଯେଉଁସବୁ ଦେଶରେ ଦକ୍ଷତା ସମ୍ପନ୍ନ ବା କୁଶଳୀ ଲୋକଶକ୍ତିର ସଂଖ୍ୟା ଅଧିକ ସେହି ସବୁ ଦେଶ ଅଧିକ ଉନ୍ନତ ହେବା ସ୍ୱାଭାବିକ ।

ଜାପାନ୍, ଜର୍ମାନୀ, ଆମେରିକା ଇତ୍ୟାଦି ଦେଶମାନଙ୍କରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ସତୁରି ଅଶୀ ଶତାଂଶରୁ ଅଧିକ ଥିବାବେଳକୁ ଆମଦେଶର ମୋଟ ଶ୍ରମିକ ସଂଖ୍ୟାରୁ ପାଞ୍ଚ ଶତାଂଶ ମଧ୍ୟ କୁଶଳୀ କିମ୍ବା ତାଲିମ ପ୍ରାପ୍ତ ନୁହଁନ୍ତି । ଆମ ଦେଶରେ ଆଜି ଯିଏ କରଣୀଟିଏ ଧରିଲା କାଲି ସେ ରାଜମିସ୍ତ୍ରି, ଯିଏ କରତ ବା ବାଟୁଳିଟିଏ କିଣିପାରିଲେ ସେ ହେଲା ମହାରଣା, ସ୍କୃ ପାନା ପେଞ୍ଚକସ୍ କିଛି ଯୋଗାଡ଼ କରିପାରିଲେ ସେ ହୋଇଯାଉଛି ମେକାନିକ୍, ଆଉ ଏମାନଙ୍କୁ ଭରସା ନକରିବାକୁ ବି କାହାରି ଅନ୍ୟ ଉପାୟ ନାହିଁ ।

ଏହାର କାରଣ ହେଲା ଆମ ଦେଶସାରା ଛତୁ ଫୁଟିଲାଭଳି ସ୍କୁଲ କଲେଜ ସିନା ଖୋଲିଯାଇଛି (ଅବଶ୍ୟ ବିନା ପାଠ ପଢ଼ାରେ ବି ଡିଗ୍ରୀଟିଏ ମିଳିଯାଉଛି – ତାହା ଭିନ୍ନ କଥା), କିନ୍ତୁ ଆମଦେଶର ବଡ଼ଭାଗ ଜନସାଧାରଣଙ୍କୁ ବା ଶ୍ରମିକ ଶ୍ରେଣୀର ଲୋକଙ୍କ ଦକ୍ଷତା ବିକାଶ ନିମନ୍ତେ ଏବେଯାଏଁ ଯଥେଷ୍ଟ ସୁବିଧା ସୁଯୋଗ ନାହିଁ ।

ଆଗରୁ ଦେଶର ଓ ଜନସାଧାରଣଙ୍କ ଆର୍ଥିକ ଅନଗ୍ରସରତା ନିମନ୍ତେ ମଧ୍ୟ ଦକ୍ଷତା ସମ୍ପନ୍ନ ବା କୁଶଳୀ କାରିଗରମାନଙ୍କର ଚାହିଦା ବେଶି ରହୁନଥିଲା । ଏବେ କିନ୍ତୁ ଦେଶର ଆର୍ଥିକ ପ୍ରଗତି ସାଙ୍ଗକୁ ଦେଶରେ କୁଶଳୀ କାରିଗରଙ୍କ ଚାହିଦା ଖୁବ୍ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି ।

ନିକଟରେ ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମଙ୍କ ତରଫରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଅନୁମାନ କରାଯାଉଛି ଯେ ୨୦୨୨ ମସିହା ସୁଦ୍ଧା ନିର୍ମାଣକ୍ଷେତ୍ର, ଖୁଚୁରା ବ୍ୟବସାୟ, ପରିବହନ, ରୂପଚର୍ଯ୍ୟା-ପ୍ରସାଧନ, ଫର୍ଣ୍ଣିଚର ଏବଂ କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୫୮ କୋଟି ହେବ ।

ଏ ଭିତରୁ କେବଳ କୃଷି କ୍ଷେତ୍ରରେ ଆବଶ୍ୟକ କୁଶଳୀ ଶ୍ରମିକଙ୍କ ସଂଖ୍ୟା ହେବ ପ୍ରାୟ ୨୨ କୋଟି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ ବର୍ଷରେ କୃଷି କ୍ଷେତ୍ରରେ ରୋଜଗାର ମିଳୁଥିବା ଲୋକଙ୍କ ସଂଖ୍ୟା ୨୪ କୋଟିଥିବାବେଳେ ୨୦୨୨ରେ ତାହା ୨୨କୋଟିକୁ ଖସିଯିବ । ଅନ୍ୟଅର୍ଥରେ ଆଗାମୀ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଆବଶ୍ୟକ ଲୋକଙ୍କ ସଂଖ୍ୟା କମ୍ ହେବାକୁ ଲାଗିବ ।

କୃଷି ବ୍ୟତୀତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ଲୋକଙ୍କ ନିଯୁକ୍ତି ଖୁବ୍ ଅଧିକ ହାରରେ ବଢ଼ିବ । ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଜରିଆରେ ରେଲବାଇ, କଳକାରଖାନା, ଅଟୋ ମୋବାଇଲ୍, ଉଡାଜାହାଜଠାରୁ ପ୍ରତିରକ୍ଷା ସାମଗ୍ରୀଯାଏଁ ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶରେ ଉତ୍ପାଦନ କରିବା ପାଇଁ ସରକାର ବିଦେଶୀ କମ୍ପାନୀମାନଙ୍କୁ ବ୍ୟଗ୍ରତାର ସହିତ ନିମନ୍ତ୍ରଣ କରୁଛନ୍ତି ।

ସରକାରଙ୍କ ଏହି ପ୍ରଚେଷ୍ଟା ସାମାନ୍ୟମାତ୍ରାରେ ସଫଳ ହେଲେମଧ୍ୟ ଦେଶରେ ‘ମାନୁଫେକ୍ଚରିଙ୍ଗ୍’ ଶିଳ୍ପରେ କୁଶଳୀ ଶ୍ରମିକଙ୍କ ଚାହିଦା ଖୁବ୍ ବଢ଼ିଯିବ । ଏହାରି ପ୍ରଭାବରେ ଏସବୁ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଜୁରି ଖୁବ୍ ବଢ଼ିଯିବ ଏବଂ କୃଷିକ୍ଷେତ୍ରରେ ମଧ୍ୟ ଯଥେଷ୍ଟ ମଜୁରି ନଦେଲେ ଶ୍ରମିକ ଅଭାବ ଆହୁରି ବଢ଼ିବ ।

କୃଷିକ୍ଷେତ୍ରରେ ବିଶ୍ୱବଜାର ସହିତ ପ୍ରତିଯୋଗିତାକ୍ଷମ ହେବା ନିମନ୍ତେ ଆମଦେଶର କୃଷିକ୍ଷେତ୍ରରେ ମଧ୍ୟ ଆଧୁନିକ କଳକୌଶଳର ଉପଯୋଗକରି ଅଧିକ ପୁଞ୍ଜି ଖଟାଇବାକୁ ହେବ । କୃଷିର ଆଧୁନିକିକରଣ କରିବାକୁ ଗଲେ କୃଷିକ୍ଷେତ୍ରରେ ନିୟୋଜିତ ସମସ୍ତଙ୍କୁ ଦକ୍ଷତା ସମ୍ପନ୍ନ ବା କୁଶଳୀ ହେବାକୁ ପଡ଼ିବ । ଅନ୍ୟଥା ପୁରୁଣାକାଳିଆ ଚାଷବାସ କରି ଚାଷବାସରେ କୌଣସି ଚାଷୀ ଉତ୍ତମ ଜୀବନଯାପନ କରିପାରିବା ସମ୍ଭବପର ହେବନାହିଁ ।

ପୁରୁଣା କାଳିଆ ଚାଷବାସ ପଦ୍ଧତିକୁ ଜାବୁଡ଼ି ଧରିଲେ ଚାଷବାସ ଭୁଷୁଡ଼ିପଡ଼ିବା ହିଁ ସାରହେବ । ଉନ୍ନତ କୃଷି ପ୍ରଣାଳୀ ଅବଲମ୍ବନ କଲେଯାଇ କୃଷିକ୍ଷେତ୍ରରେ ଶ୍ରମିକମାନଙ୍କୁ ଆକର୍ଷଣୀୟ ମଜୁରି ଦିଆଯାଇପାରିବ ଏବଂ ଚାଷୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବ । ଆଗକୁ ଏପ୍ରକାର ଯେଉଁ ପରିବର୍ତ୍ତନ ସବୁ ଆସୁଛି ସେଥିପାଇଁ ଏବଠାରୁ ହିଁ ଗ୍ରାମୀଣ ଜନସାଧାରଣ ଓ ବିଶେଷକରି ଚାଷୀମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ଅନ୍ୟଥା “ଦାଦନ ଶ୍ରମିକମାନେ ଆନ୍ଧ୍ର ଇଟାଭାଟିରେ ନିର୍ଯ୍ୟାତିତ”ହେଉଥିବାର ଯେତେ ସମ୍ବାଦ ବାହାରୁଥିଲେ ବି ଓଡ଼ିଆ ଚାଷୀମୂଲିଆଙ୍କୁ ଦାଦନ ହୋଇ ନିର୍ଯ୍ୟାତିତ ହେବା କିମ୍ବା ଶ୍ରମିକ ଚାଲାଣ ସମସ୍ୟାରୁ ମୁକ୍ତିପାଇବା ସମ୍ଭବ ହେବନାହିଁ ।

ଯେଉଁ ସ୍ୱେଚ୍ଛାସେବୀ ସଙ୍ଗଠନ ଓ କୃଷକ ସଂଗଠନମାନେ ଦାଦନ ସମସ୍ୟା କିମ୍ବା ଚାଷୀମୂଲିଆଙ୍କ ସମସ୍ୟାକୁ ନେଇ ଚିନ୍ତିତ ବା କାମ କରୁଛନ୍ତି ସେମାନେ ମଧ୍ୟ ଚାଷୀମୂଲିଆଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସେମାନେ କିପରି ଅଧିକ ରୋଜଗାରକ୍ଷମ ଓ ଅଧିକ ଉପାର୍ଜନକ୍ଷମ ହୋଇପାରିବେ ସେ ଦିଗରେ ସରକାରଙ୍କ ସହିତ ମିଶି କାର୍ଯ୍ୟକରିବା ଅଧିକ ସମୀଚୀନ ହେବ ।

ସବୁ କ୍ଷେତ୍ରରେ ସରକାରଙ୍କୁ ଆଶ୍ରାକରି କିମ୍ବା କେବଳ ସମାଲୋଚନାକରି କରି ବସିରହିଲେ ଦୁନିଆ ତା ବାଟରେ ଆଗକୁ ବଢ଼ିଚାଲିବ ଓ ଆମେ ପଛରେ ପଡ଼ିରହିଥିବା ହିଁ ସାରହେବ ।

ସଦସ୍ୟ, ରାଷ୍ଟ୍ରୀୟ କୃଷକ କମିସନ (୨୦୦୪-୦୭)
୩୮୧୬, ଘାଟିକିଆ, ଭୁବନେଶ୍ୱର – ୭୫୧୦୦୩

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସୂଚନା ପ୍ରଯୁକ୍ତି Tagged With: ଆଧୁନିକ ବିଜ୍ଞାନ, କଳ କୌଶଳ, ଜଗଦୀଶ ପ୍ରଧାନ, ବୈଷୟିକ ଜ୍ଞାନ, ମୋବାଇଲ୍ ଫୋନ୍, ସୂଚନା ପ୍ରଯୁକ୍ତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ