• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜାନକୀ ବଲ୍ଲଭ ପଟ୍ଟନାୟକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ଜାନକୀଙ୍କ ଶେଷକୃତ୍ୟ

April 22, 2015 by ନିଉଜ ଡେସ୍କ Leave a Comment

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ଜାନକୀଙ୍କ ଶେଷକୃତ୍ୟ

ଭୁବନେଶ୍ଵର, ଏପ୍ରିଲ ୨୨ (ଓଡିଶା ଡଟ କମ) ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପୂର୍ବତନ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁରୀ ସ୍ଵର୍ଗଦ୍ଵାରରେ ବୁଧବାର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

ପୁତ୍ର ପୃଥ୍ବୀ ବଲ୍ଲଭ ତାଙ୍କୁ ମୁଖାଗ୍ନି ଦେଇଥିଲେ । ବୁଧବାର ପ୍ରଥମେ ଏହି ମହାନ ନେତାଙ୍କ ମର ଶରୀର କଂଗ୍ରେସ ଭବନକୁ ଓ ପରେ ତାଙ୍କର ଗ୍ରାମ ରାମେଶ୍ଵରକୁ ଶୋଭାଯାତ୍ରାରେ ନିଆ ଯାଇଥିଲା । ହଜାର ହଜାର କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସମାଜର ବିଭିନ୍ନ ବର୍ଗର ଲୋକ ଉଭୟ ସ୍ଥାନରେ ତାଙ୍କର ଶେଷ ଦର୍ଶନ କରିଥିଲେ।

ପୁରୀ ସ୍ଵର୍ଗ ଦ୍ଵାରରେ ମଧ୍ୟ ତାଙ୍କ ଶେଷଦର୍ଶନ କରିବା ପାଇଁ ବ୍ୟାପକ ଜନ ସମାଗମ ହୋଇଥିଲା ।

ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ଗୁଲାମ ନବି ଆଜାଦ ପାର୍ଟି ଅଧକ୍ଷ୍ୟା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ତରଫରୁ ଜାନକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଭୁବନେଶ୍ଵରରେ ପହଞ୍ଚି ଥିଲେ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଜାନକୀ ବଲ୍ଲଭ ପଟ୍ଟନାୟକ, ରାଷ୍ଟ୍ରୀୟ ମର୍ଯ୍ୟାଦା, ସ୍ଵର୍ଗଦ୍ଵାର

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

April 22, 2015 by ନିଉଜ ଡେସ୍କ 2 Comments

କେଦାର ମିଶ୍ର

ଓଡିଶା ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଧେ ସବୁଠୁ ଅଧିକ ବିତର୍କିତ ଓ ଚର୍ଚ୍ଚିତ ଚେହେରା । ୧୯୫୬ରୁ ୧୯୮୦ ଭିତରେ ଓଡିଶା ରାଜନୀତି ଯେଉଁ ଅସ୍ଥିରତା ଦେଇ ଗତି କରୁଥିଲା ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ସେହି ଅସ୍ଥିରତା ଦୂର ହେଲା ।

ପ୍ରଥମଥର ପାଇଁ ଓଡିଶାବାସୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ଯେ ଲଗାତାର ୯ ବର୍ଷ ଧରି ଶାସନ ଗାଦିରେ ବସିଲେ । ତେବେ ଏହି ୯ ବର୍ଷ ଜାନକୀ ବାବୁଙ୍କ ପାଇଁ ସଫଳତା ଯେତିକି ଗଣମାଧ୍ୟମରେ ତାଙ୍କ ପ୍ରତି ନିନ୍ଦା ଓ ଅପବାଦ ମଧ୍ୟ ସେତିକି ।

ଓଡିଶା ରାଜନୀତିରେ ଗଣମାଧ୍ୟମ ଦ୍ୱାରା ସବୁଠୁ ଅଧିକ ସମାଲୋଚିତ ହୋଇଥିବା ନେତା ବୋଲି ଜାନକୀ ବାବୁଙ୍କୁ କୁହାଯାଇପାରେ । ତେଣୁ ଜାନକୀ ବାବୁଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ହେଲା ବୋଲି ତାଙ୍କର ପ୍ରଶଂସକମାନେ କହୁଥିବା ବେଳେ ତାଙ୍କ ନିନ୍ଦୁକମାନଙ୍କ ସଂଖ୍ୟା ଆଜି ମଧ୍ୟ କମ୍‍ ନୁହେଁ ।

ବ୍ୟକ୍ତିଗତ ଭାବରେ ଏହାକୁ ନେଇ ମୋର ଏକ ଅନୁଭବ ମୁଁ ଲେଖିବାକୁ ଚାହୁଁଛି । ୨୧ ଏପ୍ରିଲ୍‍ ସକାଳେ ଜାନକୀ ବାବୁଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଫେସ୍‍ବୁକ୍ ମୁଁ ଏକ ବାର୍ତ୍ତା ଲେଖିଥିଲି । ମୋ ପୋଷ୍ଟିଂ ଥିଲା ଏମିତି – ‘ମୁଁ ହେଉଛି ସେହି ଯୁବପୀଢ଼ିର ପ୍ରତିନିଧି ଯେ ଜାନକୀ ବାବୁଙ୍କୁ ସମାଲୋଚନା କରି ରାଜନୀତିକୁ ପ୍ରବେଶ କରିଛି ।

ସବୁ ପ୍ରକାର ରାଜନୈତିକ ପରିସରରେ ଆମେ ଜାନକୀ ବାବୁଙ୍କୁ ଗ୍ରହଣ କରିପାରିନୁ । ୮୦ ଦଶକରେ ଜାନକୀ ବାବୁଙ୍କ ଶାସନର ଭୁକ୍ତଭୋଗୀ ଭାବରେ ମୁଁ କହିପାରେ ଯେ ମୁଁ କେବେହେଲେ ଜାନକୀ ବାବୁଙ୍କ ରାଜନୀତି ଓ ଶାସନର ପ୍ରଶଂସକ ହୋଇପାରିବି ନାହିଁ । ମୁଁ ସବୁବେଳେ ତାଙ୍କର ଜଣେ ସମାଲୋଚକ ଥିଲି ଓ ରହିବି ।

ତେବେ ଏକଥା ମଧ୍ୟ ଆଜି କହିବାକୁ ପଡିବ ଯେ ଜାନକୀ ବାବୁ ହେଉଛନ୍ତି ଆମ ସମୟର ରାଜନୀତିରେ ସର୍ବଶ୍ରେଷ୍ଠ ଲେଖକ ଓ ଚିନ୍ତାନାୟକ । ସେ ଥିଲେ ଓଡିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ଯେ ଓଡିଆ ଲୋକଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନବୋଧ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ । ଆମେ କହୁଥିଲୁ ସେ ବେଶ୍‍ ଦୁର୍ନୀତିଖୋର୍‍ । ତେବେ ଗତ ୧୫ ବର୍ଷର ବିଜେଡି ଶାସନର ଦୁର୍ନୀତି ଦେଖିଲା ପରେ ଆଜି ଲାଗୁଛି ଜାନକୀ ବାବୁ ଢ଼େର୍‍ ଭଲ ମୁଖ୍ୟମନ୍ତ୍ରୀ ।

ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଜାନକୀ ବାବୁଙ୍କ ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପରିମାଣ ନବୀନ ସରକାର ତୁଳନାରେ ଯଥେଷ୍ଟ କମ୍‍ ।’ ଏହି ବକ୍ତବ୍ୟକୁ ନେଇ ମୋର କିଛି ବନ୍ଧୁ ଏତେ କ୍ଷୁବ୍ଧ ଯେ ସେମାନେ ମୋ ସହ ଝଗଡା କରିବାକୁ ମଧ୍ୟ ପ୍ରସ୍ତୁତ ।

ଗତ ୧୫ ବର୍ଷ ଧରି ଆମେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରୁଛୁ ଯେ ଲୋକଙ୍କ ଭାଷା ବୁଝନ୍ତି ନାହିଁ, ଲୋକଙ୍କ ସହ ମିଶନ୍ତି ନାହିଁ, ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ; ତଥାପି ଆମ ଲୋକେ ତାଙ୍କୁ ଭଲପାଆନ୍ତି ।

ତେବେ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ତାଙ୍କୁ ଭଲ ପାଆନ୍ତି ତାହା ମଧ୍ୟ ନୁହେଁ । ଭ୍ରଷ୍ଟାଚାର ଓ ଦୁର୍ନୀତି ପ୍ରସଙ୍ଗରେ ଉଭୟ ଜାନକୀ ଓ ନବୀନ ସରକାର ସମାନ ଭାବରେ ସମାଲୋଚିତ । ତେବେ ୮୦ ଦଶକରେ ଓଡିଶା ଓ ଆଜିର ଓଡିଶା ଭିତରେ ଯଥେଷ୍ଟ ଫରକ ଅଛି ।

ସେତେବେଳେ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ସମାଲୋଚନା କରୁଥିବା ବେଳେ ଆଜି ଶାସକ ଦଳର ପରୋକ୍ଷ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି । ଜାନକୀ ବାବୁଙ୍କୁ ସେତେବେଳେ ଓଡିଶାର ଦୁଇଟି ପ୍ରମୁଖ ଖବରକାଗଜ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ପ୍ରଚୁର ଆକ୍ରମଣ କରିଥିଲେ ।

ନିରନ୍ତର ଓ ନିୟମିତ ଭାବରେ ଜେବିଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ସେଥିପାଇଁ ସେତେବେଳେ ଓଡିଆ ସାମ୍ବାଦିକତା କ୍ଷେତ୍ରରେ ଜାନକୀ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ସାମ୍ବାଦିକ ଗୋଷ୍ଠୀ ମଧ୍ୟ ତିଆରି ହୋଇଥିଲେ । ବିରୋଧୀ ଦଳ ଅପେକ୍ଷା ଗଣମାଧ୍ୟମ ଥିଲା ଜାନକୀଙ୍କ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ।

ସେଥିପାଇଁ ଗଣମାଧ୍ୟମର ସେ ଦୀର୍ଘ ବର୍ଷ ଧରି ନିନ୍ଦିତ ନାୟକ ଭାବରେ ଚିତ୍ରିତ ହୋଇଥିଲେ । ତେବେ ତାଙ୍କର ନେତୃତ୍ୱର ପରାକାଷ୍ଠା ଏହାରି ମାଧ୍ୟମରେ ହିଁ ପ୍ରକଟିତ ହୋଇଛି । ସବୁପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନିଜକୁ ଜାହିର୍‍ କରିବାର ରାଜନୈତିକ କୌଶଳ ଜାନକୀ ବାବୁଙ୍କୁ ଜଣାଥିଲା । ନିଜ ବିରୋଧୀଙ୍କୁ ସାମ୍ନା କରିବାର ଚତୁରତା ଓ ଗୋଟି ଚାଳନାରେ ତାଙ୍କର ସମକକ୍ଷ ଓଡିଆ ରାଜନେତା ନାହାନ୍ତି ।

ଜଣେ ଲେଖକ ଭାବରେ ସେ ଭାଷାକୁ ରାଜନୀତିରେ ପ୍ରୟୋଗ କରିବାର ଓ ରାଜନୀତିକୁ ସାହିତ୍ୟରେ ଉପଯୋଗ କରିବାର କୌଶଳ ଜାଣିଥିଲେ । ସାମ୍ବାଦିକତା, ସାହିତ୍ୟ, ଅନୁବାଦ, ରାଜନୀତି, ପ୍ରଶାସନ, ସଙ୍ଗଠନ ଓ ଗବେଷଣା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ତାଙ୍କର ସଫଳ ପ୍ରବେଶ ଥିଲା । ଜାନକୀ ବାବୁ ଅତ୍ୟନ୍ତ ଜ୍ଞାନୀ ଓ ସର୍ଜନଶୀଳ । ସେହିପରି ରାଜନୀତିରେ ଭୀଷଣ କୁଶଳୀ ଓ ନିଜ ବିରୋଧୀଙ୍କୁ ହଲାପଟା କରିବାର କଳାରେ ବେଶ୍‍ ମାହିର୍‍ ।

ତାଙ୍କର ରାଜନୈତିକ ପ୍ରତିପକ୍ଷ ଭାବରେ ବିଜୁ ପଟ୍ଟନାୟକ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଯଥେଷ୍ଟ ଡେଙ୍ଗା । ତେବେ ବିଜୁ ବାବୁ ରାଜନୀତିରେ ଚତୁର ଓ କୁଶଳୀ ନୁହନ୍ତି । ସେଥିଲାଗି ସବୁପ୍ରକାର ପ୍ରତିଭା ସତ୍ତ୍ୱେ ବିଜୁ ବାବୁ ଓଡିଶାରେ ମାତ୍ର ୬ ବର୍ଷର ମୁଖ୍ୟମନ୍ତ୍ରୀ । ଜାନକୀ ବାବୁ କିନ୍ତୁ ବିଜୁ ବାବୁଙ୍କ ବିପରୀତ ।

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି ।

ଆଜି ଯେତେବେଳେ ଅଣଓଡିଆ ଜୀବନବୋଧ ଆମ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ସେତେବେଳେ ଜାନକୀ ବାବୁଙ୍କ କଥା ଓ ତାଙ୍କ ନେତୃତ୍ୱର ପ୍ରାସଙ୍ଗିକତା ଅଧିକ ଉପଯୋଗୀ । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ପ୍ରାଣବନ୍ତ ରାଜନୀତି କରିଥିବା ଶେଷତମ ଦିଗପାଳ ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: ଓଡିଶା, ଗଣମାଧ୍ୟମ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

ଶ୍ରଦ୍ଧାଞ୍ଜଳୀ : ଏକ ଅସ୍ତମିତ ସୂର୍ଯ୍ୟ ପାଇଁ

April 21, 2015 by ନିଉଜ ଡେସ୍କ Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ କଂଗ୍ରେସର ତୁଙ୍ଗନେତା ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁଙ୍କୁ ‘ଝଡର ଇଗଲ୍‍ ଓ ଧରଣୀର କୃଷ୍ଣସାର’ ବୋଲି ବର୍ଣ୍ଣନା କରିଥିଲେ ।

Prasanta-Closeupରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜୁଙ୍କ ସହ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସମ୍ପର୍କ ପ୍ରାୟତଃ ମଧୁର ନଥିଲେ ମଧ୍ୟ ମଧ୍ୟ ବିଜୁଙ୍କ ଚରିତ୍ର ଓ କାର୍ଯ୍ୟକଳାପର ଆକଳନ କରି ସେ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଭଳି ମନ୍ତବ୍ୟ ବିରଳ ଥିଲା । ସେଇଥିରୁ ହିଁ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚରିତ୍ରର ମହନୀୟତା ପ୍ରତିପାଦିତ ହୋଇଥିଲା ।

ଅତ୍ୟନ୍ତ ଦୁଃଖର କଥା ଯେ ଏପ୍ରିଲ୍‍ ୨୦ ତାରିଖ ରାତି୍ରର ବିଳମ୍ବିତ ପ୍ରହରରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଏହି ମହାନ୍‍ ଜନନେତାଙ୍କର ଆକସ୍ମିକ ମୃତୁ୍ୟ ଘଟିଛି । ପରିପକ୍ୱ ବୟସରେ ସେ ଦେହତ୍ୟାଗ କରିଥିଲେ ମଧ୍ୟ ତାଙ୍କର ବିୟୋଗ ଓଡିଶା ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଜନଜୀବନରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ରାଜନୀତି, ସାହିତ୍ୟ ଓ ପ୍ରତିଷ୍ଠାର ଯେଉଁ ଶୀର୍ଷ ସ୍ଥାନରେ ପହଞ୍ଚି ଥିଲେ ତାହା ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇପାରିଲେ ରାଜ୍ୟର ପ୍ରଶାସନ, ରାଜନୀତି , ସାହିତ୍ୟ ଓ ଜନଜୀବନରେ ଯେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ଏଥିରେ ସନେ୍ଦହ ନାହିଁ ।

ଶ୍ରୀ ପଟ୍ଟନାୟକ ନିଜର ଅଧ୍ୟବସାୟ ଓ ପ୍ରଚେଷ୍ଟା ବଳରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ପଦରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି କେନ୍ଦ୍ରରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପରେ ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ହେବାରେ ଗୌରବ ହାସଲ କରିଥିଲେ ।

ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିତ ହେବା ପୂର୍ବରୁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ଏବଂ କୌଣସି ସରକାର ଏକାଦିକ୍ରମେ ପାଞ୍ଚ ବର୍ଷ ଶାସନ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା ।

ମାତ୍ର ୧୯୮୦ ମସିହା ଜୁନ୍‍ ୯ ତାରିଖରେ ଶ୍ରୀ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରେ ୧୯୮୫ ମସିହା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ପ୍ରଥମ ଥର ଏବଂ ପରେ ପରେ ୧୦ ମାର୍ଚ୍ଚ ୧୯୮୫ରୁ ୧୯୮୯ ଡିସେମ୍ବର ୭ ପର୍ଯ୍ୟନ୍ତ ୩୪୬୯ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରି ରାଜ୍ୟର ରାଜନୈତିକ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ ।

ପରେ ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଠାରୁ ୧୯୯୯ ମସିହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ୧୪୩୭ ଦିନ ଶାସନ କରି ରାଜ୍ୟରେ ସ୍ଥାୟୀ ସରକାର ପ୍ରତିଷ୍ଠାର ଯେଉଁ ମୂଳଦୁଆ ପକାଇଥିଲେ ପରବର୍ତ୍ତୀ କାଳରେ ଶ୍ରୀ ନବୀନ ପଟ୍ଟନାୟକ ସେହିଭଳି ସ୍ଥାୟୀ ସରକାର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି । ଓଡିଶା ରାଜନୀତି ପାଇଁ ଏହା ଜାନକୀ ବାବୁଙ୍କର ସବୁଠାରୁ ବଡ ଅବଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଶ୍ରୀ ପଟ୍ଟନାୟକ ନିଜେ ଜଣେ ସାମ୍ବାଦିକ ଥିବାରୁ ଏବଂ ସମ୍ବାଦପତ୍ର ପ୍ରତିଷ୍ଠାନର ଦୁଃଖଦୂର୍ଦ୍ଧଶା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଥିବାରୁ ସମ୍ବାଦପତ୍ର ଓ ସାମ୍ବାଦିକତାର ଉନ୍ନତି ପାଇଁ ସମ୍ବାଦପତ୍ରକୁ ଏକ ଶିଳ୍ପ ଭାବରେ ଘୋଷଣା କରି ଶିଳ୍ପ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ଠାରୁ ଯେଉଁଭଳି ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ପାଉଥିଲେ ରାଜ୍ୟର ସମ୍ବାଦପତ୍ରଗୁଡିକ ସେଭଳି ସୁଯୋଗ ଓ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ବିବେଚିତ ହେବା ଯୋଗୁଁ ରାଜ୍ୟରେ ସମ୍ବାଦପତ୍ରଗୁଡିକ ଅତ୍ୟାଧୁନିକ ଜ୍ଞାନକୌଶଳର ସଦୂପଯୋଗ କରି ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଭଳି ନିଜକୁ ସୁଦୃଶ କରିବା ଲାଗି ସକ୍ଷମ ହୋଇଥିଲେ ।

ଜଣେ ଉଚ୍ଚକୋଟିର ସୃଜନଶୀଳ ସାହିତ୍ୟିକ ଓ ଅନୁବାଦକ ଭାବରେ ଶ୍ରୀ ପଟ୍ଟନାୟକ ଅଗ୍ରଣ ଭୂମିକା ଗ୍ରହଣ କରିଥିଲେ । ଜଣେ ପ୍ରତିଉପôନ୍ନମତି, ଦକ୍ଷ ବିଧାୟକ ଭାବରେ ତାଙ୍କର ବକୃତାବଳୀ ଓଡିଶାର ନୂଆପିଢ଼ୀର ବିଧାୟକମାନଙ୍କ ପାଇଁ ସବୁଦିନେ ଦିଗ୍‍ଦର୍ଶନ ଦେବ ।

ଓଡିଶାରେ କୃଷିର ବିକାଶ ତଥା ଦ୍ରୁତ ଶିଳ୍ପାୟନ ପାଇଁ ଶ୍ରୀ ପଟ୍ଟନାୟକ ନେଇଥିବା ପଦକ୍ଷେପଗୁଡିକ ମଧ୍ୟରୁ ରାଜ୍ୟରେ ନୂତନ ଶିଳ୍ପନୀତି ପ୍ରଣୟନ ଏବଂ ‘ହଜାର ଦିନରେ ହଜାରେ ଶିଳ୍ପ’ ପ୍ରତିଷ୍ଠା ଲାଗି ତାଙ୍କ ଦୃଢ଼ ଘୋଷଣା ଓ ଶିଳ୍ପ ପ୍ରତିଷ୍ଠା ଲାଗି ବହୁବିଦ୍ଧ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବାର କାର୍ଯ୍ୟକ୍ରମ ରାଜ୍ୟର ଯୁବ ସମାଜ ମନରେ ଉତ୍ସାହ ଓ ଉଦ୍ଧୀପନା ସୃଷ୍ଟି କରିବା ଲାଗି ସମର୍ଥ ହୋଇଥିଲେ ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ତୃତୀୟ ନୟନ Tagged With: ଜାନକୀ ବଲ୍ଲଭ ପଟ୍ଟନାୟକ, ତିରୁପତି, ସାମ୍ବାଦିକ

ଜାନକୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

April 21, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୂବନେଶ୍ଵର, ଏପ୍ରିଲ ୨୧ (ଓଡିଶା ଡଟ କମ) ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ମୁଖ୍ୟା ସୋନିଆ ଗାନ୍ଧୀ, ମୁଖ୍ୟମନ୍ତ୍ରୀ, ନବୀନ ପଟନାୟକ, ରାଜ୍ୟପାଳ ଏସସି ଜମିର, କେନ୍ଦ୍ରମନ୍ତ୍ରୀ ଜୁଏଲ  ଓରାମ, ଧର୍ମେନ୍ଦ୍ର ପ୍ରଧାନ ତଥା ବିଭିନ୍ନ ଦଳର ନେତା, ସରକାରୀ ଓ ବେସରକାରୀ ସଙ୍ଗଠନର ପଦାଧିକାରୀ ଭିନ୍ନ ଭିନ୍ନ ବାର୍ତ୍ତା ଜରିଆରେ ନିଜର ଶୋକ  ପ୍ରକାଶ କରିଛନ୍ତି।

ଏହା ସହ ପଢନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

 

“ଓଡିଶାର ବିକାଶ ଦିଗରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ । ସେ ଜଣେ ଲୋକପ୍ରିୟ ନେତା ଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ନିଜ  ଶୋକ ବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ କହିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଶୋକ ପ୍ରକଟ କରି କହିଛନ୍ତି ,”ଭାରତ ଆଜି ଜଣେ ବିଶିଷ୍ଠ ରାଜନେତା ତଥା  ସମାଜସେବୀଙ୍କୁ ହରାଇ ଦେଇଛି। ଓଡିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ପଟ୍ଟନାୟକ ତିନି ଥର ଓଡିଶା ର ମୁଖ୍ୟମନ୍ତ୍ରୀ ପଦରେ  ଅଳଙ୍କୃତ ହୋଇଥିଲେ।

ସେ ଜଣେ ମିଷ୍ଠଭାଷୀ, ଜ୍ଞାନୀ ଓ ସୁସାହିତ୍ୟିକ ହୋଇଥିବା ସହ କଂଗ୍ରେସ ପାର୍ଟିର ଜଣେ ଆଗଧାଡିର ନେତା ହିସାବରେ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ତାଙ୍କର ଯୋଗଦାନ ଥିଲା । ସେ କେନ୍ଦ୍ରମନ୍ତ୍ରୀ ଭାବରେ ଅନେକ ମହତ୍ଵପୂର୍ଣ କାର୍ଯ୍ୟ କରିଥିଲେ, ଓ ଆସାମର ରାଜ୍ୟପାଳ ଦାୟିତ୍ଵ ମଧ୍ୟ ସେ ସୂଚାରୁରୂପେ ତୁଲାଇଥିଲେ।” ଓରାମ କହିଛନ୍ତି ।

‘ତାଙ୍କର ବିୟୋଗ ରେ ରାଜନୀତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସ୍ତୃଷ୍ଟି ହୋଇଛି ବୋଲି କହି ସ୍ଵର୍ଗତ ପଟ୍ଟନାୟକଙ୍କ ପରିବାର ଓ ଅନୁଗତଙ୍କ ପ୍ରତି  ଓରାମ ଗଭୀର ସମବେଦନା ଜଣାଇଛନ୍ତି ।

ବିଜେପି ନେତା ସୁରେଶ ପୂଜାରୀ,କହିଛନ୍ତି ପଟ୍ଟନାୟକ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କୁ ଓଡିଶା ରାଜନୀତିର ‘ଭିଷ୍ମ ପିତାମହ’  ବୋଲି କୁହାଯାଏ ।

ତାଙ୍କ ପରି ଜେଣେ ସୁନାମଧନ୍ୟ ସାହିତ୍ୟିକ, ଲେଖକ ଓ ରାମାୟଣ, ମହାଭାରତ, ଶ୍ରୀମଦ ଭାଗବତ ଗୀତା ଭଳି ମହାନ ପୁସ୍ତକ  ଅନୁବାଦ କରିଥିବା ବ୍ୟକ୍ତି ବିଶେଷ ଆଜି ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ମରଧାମ ତ୍ୟାଗ କରିଛନ୍ତି। ସେ ଓଡିଶା ରାଜନୀତିରେ ଜଣେ ପ୍ରତିଭାବନ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗ ରେ ଗୋଟେ ଯୁଗର ଅବସାନ ଘଟିଛି, ସେ କହିଛନ୍ତି।

ଭାରତୀୟ ଜାତୀୟ କଂଗ୍ରେସ ର ମୁଖପାତ୍ର ଭକ୍ତ ଚରଣ ଦାସ, କହିଛନ୍ତି ”ଜେ.ବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଲୋକମାନଙ୍କର ପ୍ରଗତି ଓ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ କାମ କରି ଦେଶ ଉନ୍ନତି ପାଇଁ ଯୋଗଦାନ ଦେଇଥିଲେ । ରାଜନୀତିରେ ସେ ଏକ ପ୍ରେରଣା ଦାୟକ ବ୍ୟକ୍ତିବିଶେଷ ଥିଲେ, ତାଙ୍କର ବିୟୋଗରେ ଦେଶର ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।

ଜାନକୀ ବାବୁ ଓଡିଶା ରାଜନୀତିର ଚାଣକ୍ୟ ଥିଲେ ଓ ସେ ବହୁ ପ୍ରତିଭାର ଅଧିକାରୀ ଥିଲେ,ତାଙ୍କର ସ୍ଥାନ ଓଡିଶା ରାଜନୀତିରେ ଅପୂରଣୀୟ ଅଟେ  ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଡ.ଦାମୋଦର ରାଉତ କହିଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଜାନକୀ ବଲ୍ଲଭ ପଟ୍ଟନାୟକ, ତିରୋଧାନ, ବିୟୋଗ

ଏମ୍ସରେ ଜାନକୀଙ୍କ ସଫଳ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟବସ୍ଥା ଭଲ

November 14, 2010 by ଓଡିଶା ଡଟ କମ Leave a Comment

ନୂଆଦିଲ୍ଲୀ, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଗାଧୁଆ ଘରେ ଖସିପଡ଼ି ଆହତ ହୋଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୋମବାର ଏମ୍ସରେ ଅସ୍ତ୍ରୋପଚାର କରାଯାଇଛି ।

ଆଜି ସକାଳୁ ଡ଼ା. ଗୋସ୍ୱାଲ ଓ ଡ଼ା. ମାଲହୋତ୍ରାଙ୍କ ନେତୃତ୍ୱରେ ଅନ୍ୟ ଚାରି ଜଣ ଡ଼ାକ୍ତର ତାଙ୍କ ଜଙ୍ଘ ଅସ୍ତ୍ରୋପଚାର କରିଛନ୍ତି । ଏହାପୂର୍ବରୁ ତାଙ୍କ ରକ୍ତ ଚାପ, ବ୍ଲଡ଼ ସୁଗାର, ହୃଦ ଚାଳନା ଆଦି ପରୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି । ତିନି ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳ ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ଗତ ୮ ତାରିଖରେ ଜାନକୀ ସରକାରୀ ଗସ୍ତରେ ଦିବ୍ରୁଗଡ଼କୁ ଯାଇଥିବା ବେଳେ ସେଠାରେ ଅବସ୍ଥାନ କରୁଥିବା ସର୍କିଟ ହାଉସ ଗାଧୁଆ ଘରେ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଆସାମ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅସ୍ତ୍ରୋପଚାର, ଆଇସିୟୁ, ଏମ୍ସ, ଜାନକୀ ବଲ୍ଲଭ ପଟ୍ଟନାୟକ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ